Plans of Megawatts to Gigawatts are Becoming Reality: PM
India’s Installed Renewable Energy Capacity Increased by Two and Half Times in Last six Years: PM
India has Demonstrated that Sound Environmental Policies Can also be Sound Economics: PM

ଇସ୍ରାଏଲର ମହାନୁଭବ ପ୍ରଧାନମନ୍ତ୍ରୀ, ନେଦରଲାଣ୍ଡର ମହାନୁଭବ ପ୍ରଧାନମନ୍ତ୍ରୀ, ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ଏହି ସମ୍ମିଳନୀରେ ଯୋଗ ଦେଇଥିବା ମନ୍ତ୍ରୀଗଣ, ମୋର କ୍ୟାବିନେଟର ସହଯୋଗୀବୃନ୍ଦ, ମୁଖ୍ୟମନ୍ତ୍ରୀଗଣ, ଉପ ରାଜ୍ୟପାଳଗଣ ଏବଂ ବିଶିଷ୍ଟ ଅତିଥିବୃନ୍ଦ, ମୁଁ ନେଦରଲାଣ୍ଡର ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ସୁଚିନ୍ତିତ ବାର୍ତ୍ତା ପ୍ରଦାନ ନିମନ୍ତେ ତାଙ୍କୁ ବିଶେଷ ଭାବେ ଧନ୍ୟବାଦ ଅର୍ପଣ କରୁଛି । ଏହା ଅତି ଆନନ୍ଦର ବିଷୟ ଯେ ଆପଣମାନେ ସମସ୍ତେ ଏହି ରି–ଇନଭେଷ୍ଟ ସମ୍ମିଳନୀର ତୃତୀୟ ସଂସ୍କରଣରେ ଏତେ ସଂଖ୍ୟାରେ ଆଗ୍ରହର ସହ ଯୋଗ ଦେଇଛନ୍ତି । ପୂର୍ବବର୍ତ୍ତୀ ସଂସ୍କରଣମାନଙ୍କରେ, ଆମେ ଆମର ଯାତ୍ରା ସଂପର୍କରେ ସମସ୍ତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରିଥିଲେ । ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମେଗାୱାଟରୁ ଗିଗାୱାଟକୁ କିଭଳି ଭାବେ ଯାତ୍ରା କରିହେବ  ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଆମେମାନେ ମଧ୍ୟ “ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ଼” ଉପରେ ଆଲୋଚନା କରିଥିଲେ । ଏହା ସୌରଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରି ଆଗକୁ ଆଗେଇ ନେବାରେ ସହାୟକ ହେବ । ଖୁବ୍‌ କମ୍‌ ସମୟ ମଧ୍ୟରେ ସେହିସବୁ ଯୋଜନାଗୁଡ଼ିକ ବାସ୍ତବତାରେ ରୂପାନ୍ତରୀତ ହେବାକୁ ଯାଉଛି ।

ବନ୍ଧୁଗଣ,

ବିଗତ ଛଅ ବର୍ଷ ମଧ୍ୟରେ ଭାରତ ଏକ ଅତୁଳନୀୟ ବେଗରେ ଆଗକୁ ଯାତ୍ରା କରିଚାଲିଛି । ଆମେ ଆମର ବିଜୁଳି ଉତ୍ପାଦନ କ୍ଷମତାକୁ ସଂପ୍ରସାରିତ କରିଛୁ ଏବଂ ନେଟୱାର୍କକୁ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁନିଶ୍ଚିତ କରିଛୁ । ଭାରତର ସମସ୍ତ ନାଗରିକଙ୍କ ସକାଶେ ଯେଭଳି ବିଜୁଳିଶକ୍ତି ଉପଲବ୍ଧ ହୋଇପାରିବ ଯଦ୍ୱାରା ସେ ନିଜର ସକଳ ସାମର୍ଥ୍ୟକୁ ପରିପ୍ରକାଶ କରିପାରିବେ । ସେହି ସମୟରେ, ଆମେ ମଧ୍ୟ ଶକ୍ତି ଉତ୍ପାଦନ କ୍ଷମତାକୁ ଅକ୍ଷୟ ଶକ୍ତି ଉତ୍ସ ମାଧ୍ୟମରେ ସଂପ୍ରସାରିତ କରିଛୁ । ମୁଁ ସେ ସଂପର୍କରେ କିଛି ତଥ୍ୟ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଚାହେଁ ।

ଆଜି, ଭାରତ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଚତୁର୍ଥ ବୃହତ୍ତମ ରାଷ୍ଟ୍ରର ମାନ୍ୟତା ହାସଲ କରିଛି । ବିଶ୍ୱର ସମସ୍ତ ପ୍ରମୁଖ ରାଷ୍ଟ୍ରଙ୍କ ତୁଳନାରେ ଭାରତର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସର୍ବାଧିକ । ଭାରତର ବର୍ତ୍ତମାନର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା 136 ଗିଗାୱାଟ ରହିଛି ଯାହାକି  ଆମର ମୋଟ ଶକ୍ତି ଉତ୍ପାଦନ କ୍ଷମତାରର 36 ପ୍ରତିଶତ । 2022 ମସିହା ସୁଦ୍ଧା ଅକ୍ଷୟ ଶକ୍ତିର ଅଂଶ 220 ଗିଗାୱାଟକୁ ବୃଦ୍ଧି କରାଯିବାକୁ ଆମେ ଲକ୍ଷ୍ୟ ରଖିଛୁ ।

ଆପଣମାନେ ଏକଥା ଜାଣି ଅତ୍ୟନ୍ତ ଖୁସି ହେବେ ଯେ 2017 ମସିହା ଠାରୁ ଆମର ବାର୍ଷିକ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାରେ ବୃଦ୍ଧି କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍‌ ଶକ୍ତି ତୁଳନାରେ କ୍ରମାଗତ ଭାବେ ସଂପ୍ରସାରିତ ହୋଇଚାଲିଛି । ବିଗତ ଛଅ ବର୍ଷ ମଧ୍ୟରେ, ଆମେ ଆମର ଅକ୍ଷୟ ଶକ୍ତିର ସ୍ଥାପନ କ୍ଷମତାରେ ଅଢ଼େଇ ଗୁଣା ବୃଦ୍ଧି  କରିଛୁ । ସେହିଭଳି ଗତ ଛଅ ବର୍ଷ ଭିତରେ ଆମର ସ୍ଥାପିତ ସୌରଶକ୍ତି ଉତ୍ପାଦନ କ୍ଷମତା ମଧ୍ୟ 13 ଗୁଣ ବୃଦ୍ଧି ପାଇଛି ।

ବନ୍ଧୁଗଣ,

ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତର ପ୍ରଗତି ଆମର ପ୍ରତିବଦ୍ଧତା ଏବଂ କାର୍ଯ୍ୟଦକ୍ଷତାର ଫଳ ବୋଲି କୁହାଯାଇପାରେ । ଜଳବାୟୁ ପରିବର୍ତ୍ତନ ସହିତ ଆମର ସଂଗ୍ରାମ ପାଇଁ ଆମେ ଶତତ କୃତସଂକଳ୍ପ ରହିଆସିଛୁ । ଏପରିକି ଯେତେବେଳେ ଏହା ଆଦୌ ସୁଲଭ ନଥିଲା, ଆମେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ସେତେବେଳେ ମଧ୍ୟ ବିପୁଳ ପୁଞ୍ଜି ନିବେଶ କରିଥିଲୁ । ଅଧୁନା ଆମର ନିବେଶ ଏବଂ ଏହାର ବ୍ୟାପକତା ସେହି ମୂଲ୍ୟରେ ଯଥେଷ୍ଟ ହ୍ରାସ ଘଟାଇବାକୁ ସକ୍ଷମ ହୋଇପାରିଛି । ଆମେ ବିଶ୍ୱକୁ ଦେଖାଇବାକୁ ଚାହୁଁ ଯେ ଭାରତ ସେହି କତିପୟ ରାଷ୍ଟ୍ରଙ୍କ ମଧ୍ୟରୁ ଅନ୍ୟତମ ଯାହା ବିଶ୍ୱ ତାପମାନରେ 2 ଡିଗ୍ରୀ ହ୍ରାସ କରିବା ପ୍ରତିବଦ୍ଧତାକୁ ସାକାର କରିବା ପାଇଁ କାର୍ଯ୍ୟରତ ।

ବନ୍ଧୁଗଣ,

ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ଆମର ରୂପାନ୍ତରଣ ଉପଲବ୍ଧତା, ସକ୍ରିୟତା ତଥା ବିବର୍ତ୍ତନ ପ୍ରକ୍ରିୟା ଉପରେ ଆଧାରିତ । ଯେତେବେଳେ ମୁଁ ବିଜୁଳିଶକ୍ତି ସମସ୍ତଙ୍କ ପାଇଁ ଉପଲବ୍ଧ କଥା କହୁଛି, ଆପଣମାନେ ଏହାର ମାତ୍ରାକୁ ସଂଖ୍ୟାରେ ଆକଳନ କରିପାରିବେ । ବିଗତ କେତେ ବର୍ଷ ମଧ୍ୟରେ 2.5 କୋଟି କିମ୍ବା 25 ନିୟୁତ ପରିବାରଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦିଆ କାର୍ଯ୍ୟ ଆମେ ସଫଳତାର ସହିତ ସଂପାଦନ କରିଛୁ । ଯେତେବେଳେ ମୁଁ ଶକ୍ତି ସକ୍ରିୟତା କଥା କହୁଛି, ଆମେ ଏହି ପରିକଳ୍ପନାକୁ କେବଳ ଗୋଟିଏ ମନ୍ତ୍ରଣାଳୟ କିମ୍ବା ଗୋଟିଏ ବିଭାଗ ମଧ୍ୟରେ ସୀମିତ ରଖିନାହୁଁ । ଆମେ ଏକଥାକୁ ସୁନିଶ୍ଚିତ କରିଛୁ ଯେ ଏହା ଯେଭଳି ସରକାରଙ୍କର ସମସ୍ତ ବିଭାଗ ଓ କାର୍ଯ୍ୟକ୍ରମର ଟାର୍ଗେଟରେ ପରିଣତ ହେବ । ଆମର ସମସ୍ତ ନୀତି ଶକ୍ତି କ୍ଷେତ୍ରରେ ସକ୍ରିୟତା ହାସଲ ନିମନ୍ତେ ଉଦ୍ଦିଷ୍ଟ । ଏଥିରେ ପଥପାର୍ଶ୍ଵ ଏଲଇଡ଼ି ଆଲୋକ, ସ୍ମାର୍ଟ ମିଟର, ପୁସ୍‌ ଟୁ ଇଲେକ୍ଟ୍ରିକ୍‌ ଯାନ ଏବଂ ବିଜୁଳି ସରବରାହ କ୍ଷେତ୍ରରେ ହେଉଥିବା ଶକ୍ତି ଅପଚୟକୁ ହ୍ରାସ କରିବା ସାମିଲ । ଯେତେବେଳେ ମୁଁ ଶକ୍ତିର ବିବର୍ତ୍ତନ କଥା କହୁଛି, ପିଏମ– କୁସୁମ ଯୋଜନା ମାଧ୍ୟମରେ ଆମେ ବିଜୁଳି ଶକ୍ତିକୁ କୃଷି କ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ ପ୍ରୟାସ କରୁଛି ଏବଂ ସେଥିରେ ସୌରଶକ୍ତି ଆଧାରିତ ଶକ୍ତି ଦ୍ୱାର କିଭଳି କୃଷି କ୍ଷେତକୁ ଜଳସେଚିତ କରାଯାଇ ପାରିବ ତାହାକୁ ଅଗ୍ରାଧିକାର ପ୍ରଦାନ କରୁଛୁ ।

ବନ୍ଧୁଗଣ,

ଭାରତ ନିରବଚ୍ଛିନ୍ନ ଭାବେ ଅକ୍ଷୟ ଶକ୍ତି କ୍ଷେତ୍ରରେ ସମସ୍ତ ନିବେଶକଙ୍କ ଦ୍ୱାରା ପୁଞ୍ଜି ନିବେଶର ସବୁଠାରୁ ଉତ୍ତମ ଲକ୍ଷ୍ୟସ୍ଥଳରେ ପରିଣତ ହୋଇଚାଲିଛି । ବିଗତ 6 ବର୍ଷ ମଧ୍ୟରେ ପ୍ରାୟ 5 ଲକ୍ଷ କୋଟି ଟଙ୍କା କିମ୍ବା 64 ବିଲିଅନ ଡଲାର ଭାରତର ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ହୋଇଛି । ଆମେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତକୁ ବୈଶ୍ୱିକ ଉତ୍ପାଦନ ପେଣ୍ଠସ୍ଥଳୀରେ ପରିଣତ କରିବାକୁ ଚାହୁଁ ।

ମୁଁ ଏଥିପାଇଁ ଅନେକ ଗୁଡ଼ିଏ କାରଣ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଚାହେଁଯେ ଆପଣମାନେ ନିବେଶକ ଭାବେ କାହିଁକି ଆପଣଙ୍କ ଅର୍ଥକୁ ଭାରତରେ ହିଁ ଖଟାଇବାକୁ ପସନ୍ଦ କରିବେ । ଅକ୍ଷୟ ଶକ୍ତି କ୍ଷେତ୍ର ପାଇଁ ସରକାର ନିର୍ଦ୍ଧାରଣ କରିଥିବା ବୈଦେଶିକ ନିବେଶ ନୀତି ହେଲା ସବୁଠାରୁ ଉଦାର ଓ ସରଳ । ବିଦେଶୀ ନିବେଶକମାନେ ସେମାନଙ୍କର ନିବେଶ ଏଠାରେ ସିଧାସଳଖ ଭାବେ କରିପାରିବେ କିମ୍ବା ଯଦି ସେମାନେ ଚାହାନ୍ତି ତେବେ ସେମାନେ ନିଜର ଭାରତୀୟ ସହଯୋଗୀଙ୍କ ସହ ମଧ୍ୟ ପାର୍ଟନରସିପ୍‌ କରିପାରିବେ । ତେବେ ତାହା ଶକ୍ତି ଭିତ୍ତିକ ବିଜୁଳିଶକ୍ତି ଉତ୍ପାଦନକାରୀ ପ୍ରକଳ୍ପ ହୋଇଥିବା ଆବଶ୍ୟକ । ଅକ୍ଷୟ ଶକ୍ତିରୁ କିଭଳି ଅହୋରାତ୍ର ଶକ୍ତି ଉତ୍ପାଦନ କରାଯାଇ ତାହା ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଇପାରିବ ସେଥିପାଇଁ ଭାରତ ନିରବଚ୍ଛିନ୍ନ ଭାବେ ଅଭିନବ ଉପାୟ ଉପରେ ସଦାବେଳେ ଗୁରୁତ୍ୱ ଆରୋପ କରିଆସୁଛି । ସୌର– ବାୟୁ ହାଇବ୍ରିଡ଼ ପ୍ରକଳ୍ପ ଦିଗରେ ଏବେସୁଦ୍ଧା ସଫଳତାର ସହ ଉପାୟ ମାନ ଆବିଷ୍କୃତ କରାଯାଇସାରିଛି ।

ଆଗାମୀ ତିନି ବର୍ଷ ମଧ୍ୟରେ ଭାରତରେ ଘରୋଇ ଭାବେ ଉତ୍ପାଦିତ ସୌର ସେଲ୍‌ ଏବଂ ମଡ୍ୟୁଲର ଚାହିଦା 36 ଗିଗାୱାଟରୁ  ଅଧିକ ହେବାର ଆକଳନ କରାଯାଉଛି । ଆମର ନୀତି ମଧ୍ୟ ପ୍ରଯୁକ୍ତି କ୍ଷେତ୍ରରେ ଏଭଳି ବିପ୍ଳବ ସହିତ ତାଳ ଦେଇ ଆଗକୁ ଅଗ୍ରସର ହେଉଛି । ଏକ ବ୍ୟାପକ ଜାତୀୟ ହାଇବ୍ରିଡ଼୍‌ ଶକ୍ତି ମିଶନ ସୃଷ୍ଟି କରିବା ନିମନ୍ତେ ଆମେ ପ୍ରସ୍ତାବ ରଖିଛୁ । ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ପିଏଲଆଇର ସଫଳତା ହାସଲ ପରେ ଆମେ ଏବେ ସିଦ୍ଧାନ୍ତ ଗ୍ରହଣ କରିଛୁ ଯେ ଅନୁରୂପ ଧରଣର ଉଚ୍ଚ ସକ୍ରିୟତା ସମ୍ପନ୍ନ ସୌର ମଡ୍ୟୁଲମାନ ପ୍ରସ୍ତୁତ କରାଯିବ । ‘ଇଜ୍‌ ଅଫ୍‌ ଡୁଇଂ ବିଜିନେସ’ କୁ ପ୍ରାଧାନ୍ୟ ଦେବା ସହିତ ଆମେ ଏହାକୁ ସୁନିଶ୍ଚିତ ମଧ୍ୟ କରିଛୁ । ଏହା ଆମ ନୀତିରେ ଅଗ୍ରାଧିକାର ଗ୍ରହଣ କରିଛି । ଆମେ ଏବେସୁଦ୍ଧା ଆମର ସମସ୍ତ ମନ୍ତ୍ରଣାଳୟରେ ଗୋଟିଏ ଲେଖାଏଁ  ସମର୍ପିତ ପ୍ରୋଜେକ୍‌ଟ ଡେଭଲପମେଣ୍ଟ ସେଲ ଏବଂ ଏଫଡ଼ିଆଇ ସେଲ୍‌ ସ୍ଥାପନ କରିଛୁ ଯାହାକି ନିବେକଶମାନଙ୍କ ନିମନ୍ତେ ସକଳ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାନିମନ୍ତେ ଉଦ୍ଦିଷ୍ଟ ।

ଏବେ ଦେଶର ପ୍ରତି ଗ୍ରାମ ଏବଂ  ଓ ପ୍ରତି ପରିବାରଙ୍କ ନିକଟରେ ବିଜୁଳି ଶକ୍ତି ଉପଲବ୍ଧ କରାଯାଇଛି । ଆଗକୁ ସେମାନଙ୍କର ଶକ୍ତି ଚାହିଦା ବୃଦ୍ଧି ପାଇବା ସୁନିଶ୍ଚିତ । ତେଣୁ ଭାରତର ଶକ୍ତି ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଏବଂ ଆଗାମୀ ଦଶନ୍ଧି ପାଇଁ ଅକ୍ଷୟ ଶକ୍ତି ବିକାଶ ଓ ସ୍ଥାପନ ଯୋଜନାର ବ୍ୟାପକ ସୁଯୋଗ ରହିଛି । ଏହା ସମସ୍ତଙ୍କ ପାଇଁ ବ୍ୟାବସାୟିକ ସୁଯୋଗ ସୃଷ୍ଟି କରିବ ଏବଂ ପ୍ରାୟ 1.5 ଲକ୍ଷ କୋଟି ଟଙ୍କା ଅଥବା 20 ବିଲିଅନ ଡଲାର ମୂଲ୍ୟର କାରବାର ହେବ । ଏହା ଭାରତରେ ପୁଞ୍ଜି ନିବେଶ ନିମନ୍ତେ ଏକ ବିରାଟ ସୁଯୋଗ ସୃଷ୍ଟି କରିଛି । ତେଣୁ ମୁଁ ନିବେଶକ, ଡେଭଲପର ଏବଂ ବ୍ୟବସାୟିକ ସଂସ୍ଥାମାନଙ୍କ ଭାରତର ଅକ୍ଷୟ ଶକ୍ତିର ଏହି ଯାତ୍ରାରେ ସାମିଲ ହେବାକୁ ଆମନ୍ତ୍ରଣ ଜଣାଉଛି ।

ବନ୍ଧୁଗଣ,

ଏହି କାର୍ଯ୍ୟକ୍ରମ ଭାରତର ଅକ୍ଷୟ ଶକ୍ତି ହିତଧାରକମାନଙ୍କ ସହ ବିଶ୍ୱର ଶ୍ରେଷ୍ଠତମ ଶିଳ୍ପ, ନୀତିକାର ତଥା ଶୈକ୍ଷିକ ସମାଜକୁ ସଂଯୋଗ କରୁଛି । ମୋର ଦୃଢ଼ ବିଶ୍ୱାସ ଯେ ଏହି ସମ୍ମିଳନୀରେ ଅନେକ ସଫଳ ଆଲୋଚନା କରାଯିବ ଯାହାକି ଭାରତକୁ ତା’ ନୂତନ ଶକ୍ତି ଭବିଷ୍ୟତ ଦିଗରେ ଆଗକୁ ଅଗ୍ରସର ହେବାରେ ସହାୟକ ହୋଇପାରିବ ।

ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Conferred With Uzbekistan's Highest Honour For Foreign Leaders

Media Coverage

PM Modi Conferred With Uzbekistan's Highest Honour For Foreign Leaders
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour