ସେୟାର
 
Comments

ୱାହେ ଗରୁଜୀ ଖାଲସା,

ୱାହେ ଗରୁଜୀ ଫତେହ ।

ସାଥୀଗଣ, ଆଜି ଏହି ପବିତ୍ର ମାଟିକୁ ଆସି ମୁଁ ଧନ୍ୟ ଅନୁଭବ କରୁଛି । ଏହା ମୋର ସୌଭାଗ୍ୟ ଯେ, ମୁଁ ଆଜି ଦେଶକୁ କରତାରପୁର ସାହିବ କରିଡର ସମର୍ପିତ କରୁଛି । ଯେଭଳି ଅନୁଭୂତି କରସେବା ସମୟରେ ଆପଣ ସମସ୍ତଙ୍କର ହୋଇଥାଏ, ଏବେ ଏହି ସମୟରେ ମୋତେ ମଧ୍ୟ ସେହି ଭାବ ଅନୁଭବ ହେଉଛି । ମୁଁ ଆପଣ ସମସ୍ତଙ୍କୁ, ସମଗ୍ର ଦେଶକୁ, ସାରା ବିଶ୍ୱରେ ବସବାସ କରୁଥିବା ଶିଖ ଭାଇ-ଭଉଣୀମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଆଜି ଶିରୋମଣୀ ଗୁରୁଦ୍ୱାରା ପ୍ରବନ୍ଧକ କମିଟି, ସେମାନେ ମୋତେ ‘କୌମୀ ସେବା ପୁରସ୍କାର’ ମଧ୍ୟ ପ୍ରଦାନ କରିଛନ୍ତି । ଏହି ପୁରସ୍କାର, ଏହି ସମ୍ମାନ, ଏହି ଗୌରବ ହେଉଛି ଆମର ମହାନ ସନ୍ଥ ପରମ୍ପରାର ତେଜ, ତ୍ୟାଗ ଏବଂ ତପସ୍ୟାର ପ୍ରସାଦ । ମୁଁ ଏହି ପୁରସ୍କାରକୁ, ସମ୍ମାନକୁ ଗୁରୁ ନାନକ ଦେବଜୀଙ୍କ ପାଦତଳେ ସମର୍ପିତ କରୁଛି ।

ଆଜି ଏହି ପବିତ୍ର ଭୂମିରୁ ଗୁରୁ ନାନକ ସାହିବଙ୍କ ପାଦତଳେ, ଗୁରୁ ଗ୍ରନ୍ଥ ସାହିବ ସାମ୍ନାରେ ନମ୍ରତା ପୂର୍ବକ ଏହି ପ୍ରାର୍ଥନା କରୁଛି କି ମୋ ଭିତର ସେବା ଭାବ ଦିନକୁ-ଦିନ ବଢ଼ି ଚାଲୁ  ଏବଂ ତାଙ୍କର ଆଶୀର୍ବାଦ ମୋ ଉପରେ ଏହିଭଳି ଭାବେ ସଦା ସର୍ବଦା ଅତୁଟ ରହି ଥାଉ ।

ସାଥୀଗଣ, ଗୁରୁ ନାନକ ଦେବଜୀଙ୍କ 550ତମ ପ୍ରକାଶ ଉତ୍ସବ ପୂର୍ବରୁ ସମନ୍ୱିତ ଚେକ୍ ପୋଷ୍ଟ – କରତାର ପୁର ସାହିବ କରିଡର, ଏହାର ଆରମ୍ଭ ହେବା ଆମ ସମସ୍ତଙ୍କ ପାଇଁ ଦୁଇ ଗୁଣ ଖୁସି ନେଇ ଆସିଛି । କାର୍ତ୍ତିକ ପୂର୍ଣ୍ଣିମାରେ ଏଥର ଦେବ-ଦୀପାବଳୀ ଆହୁରି ଉଜ୍ଜ୍ୱଳ ହୋଇ ଆମକୁ ଆଶୀର୍ବାଦ ଦେବ ।

ଭାଇ ଓ ଭଉଣୀମାନେ, ଏହି କରିଡର ନିର୍ମାଣ ହେବା ପରେ ଏବେ ଗୁରୁଦ୍ୱାରା ଦରବାର ସାହିବର ଦର୍ଶନ ସହଜ ହୋଇଯିବ । ମୁଁ ପଞ୍ଜାବ ସରକାରଙ୍କର, ଶିରୋମଣୀ ଗୁରୁଦ୍ୱାରା ପ୍ରବନ୍ଧକ କମିଟିକୁ, ଏହି କରିଡରକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିର୍ମାଣ କରିଥିବା ପ୍ରତ୍ୟେକ ଶ୍ରମିକ ସାଥୀଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛି ।

ମୁଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶ୍ରୀମାନ ଇମ୍ରାନ ଖାନ୍ ନିୟାଜୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ଯେ ସେ କରତାରପୁର କରିଡର ବିଷୟରେ ଭାରତର ଭାବନାକୁ ବୁଝିଲେ, ସମ୍ମାନ ଦେଲେ ଆଉ ସେହି ଭାବନା ଅନୁରୂପ କାର୍ଯ୍ୟ କଲେ । ମୁଁ ପାକିସ୍ତାନର ଶ୍ରମିକ ସାଥୀମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି ଯେଉଁମାନେ ଏତେ ଦ୍ରୁତ ଗତିରେ ନିଜ ପଟର କରିଡରର କାର୍ଯ୍ୟ ଶେଷ କରିବାରେ ସାହାଯ୍ୟ କଲେ ।

ସାଥୀଗଣ, ଗୁରୁ ନାନକ ଦେବଜୀ କେବଳ ଶିଖ୍ ଧର୍ମାବଲମ୍ବୀ, ଭାରତୀୟ ପରମ୍ପରାର ହିଁ ନୁହେଁ, ବରଂ ସମଗ୍ର ମାନବ ଜାତି ପାଇଁ ହେଉଛନ୍ତି ପ୍ରେରଣାର ଉତ୍ସ । ଗୁରୁ ନାନକ ଦେବ ଜଣେ ଗୁରୁ ହେବା ସହିତ ମଧ୍ୟ ହେଉଛନ୍ତି ଏକ ବିଚାରଧାରା ଓ ଜୀବନର ଆଧାର । ଆମର ସଂସ୍କାର, ଆମର ସଂସ୍କୃତି ଆମର ମୂଲ୍ୟବୋଧ, ଆମର ଲାଳନପାଳନ, ଆମର ଚିନ୍ତା, ଆମର ବିଚାରଧାରା, ଆମର ତର୍କ, ଆମର ଭାଷା, ଆମର ବାଣୀ, ଏହା ସବୁ ଗୁରୁ ନାନକ ଦେବଜୀଙ୍କ ଭଳି ପୁଣ୍ୟାତ୍ମାମାନଙ୍କର ଦ୍ୱାରା ହିଁ ଗଢ଼ା ଯାଇଛି । ଯେତେବେଳେ ଗୁରୁ ନାନକ ଦେବ ଏଠାରେ ସୁଲତାନପୁର ଲୋଧୀରୁ ଯାତ୍ରାରେ ବାହାରିଥିଲେ, ତ କାହାକୁ ଜଣା ଥିଲା କି ସେ ହେବେ ଯୁଗ ପରିବର୍ତ୍ତନକାରୀ । ତାଙ୍କର ସେହି ‘ଉଦାସିଆ’, ସେହି ଯାତ୍ରା, ସମ୍ପର୍କ-ସମ୍ବାଦ ଏବଂ ସମନ୍ୱୟ ହେଉଛି ସାମାଜିକ ପରିବର୍ତ୍ତନର ସର୍ବଶ୍ରେଷ୍ଠ ଉଦାହରଣ ।

ନିଜର ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ସ୍ୱୟଂ ଗୁରୁ ନାନକ ଦେବଜୀ କହିଥିଲେ-

ବାବେ ଆଖିଆ, ନାଥ ଜୀ, ସଚୁ ଚନ୍ଦ୍ରମା କୁଡୁ ଅନ୍ଧାରା!!

କୁଡୁ ଅମାବସୀ ବରତିଆ, ହଉଁ ଭାଲଣ ଚଢ଼ିୟା ସଂସାରା

ସାଥୀଗଣ, ସେତେବେଳେ ଆମ ଦେଶ ଉପରେ, ଆମ ସମାଜ ଉପରେ ଅନ୍ୟାୟ, ଅଧର୍ମ ଏବଂ ଅତ୍ୟାଚାରର ଯେଉଁ ଅନ୍ଧକାର ଘୋଡେଇ ହୋଇ ରହିଥିଲା, ସେଥିରୁ ବାହାରକୁ ଆସିବା ପାଇଁ ଆଗେଇ ଚାଲିଥିଲେ । ପରାଧୀନତାର ସେହି କଠିନ ସମୟରେ ଭାରତର ଚେତନାକୁ ବଞ୍ଚାଇ ଓ ଜାଗ୍ରତ କରି ରଖିବା ପାଇଁ ସେ ନିଜ ଜୀବନ ସମର୍ପଣ କରିଦେଲେ ।

ସାଥୀଗଣ, ଗୋଟିଏ ପଟେ ଗୁରୁ ନାନକ ଦେବଜୀ ସାମାଜିକ ଦର୍ଶନ ଦ୍ୱାରା ସମାଜକୁ ଏକତା, ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ରାସ୍ତା ଦେଖାଇଲେ, ସେହିଠାରେ, ଅନ୍ୟପଟେ ସେ ସମାଜକୁ ଏଭଳି ଏକ ଆର୍ଥିକ ବ୍ୟବସ୍ଥା ଭେଟି ଦେଇଛନ୍ତି, ଯାହା ସତ୍ୟତା, ସଚ୍ଚୋଟତା ଏବଂ ଆତ୍ମସମ୍ମାନ ଉପରେ ଅଟକି ରହିଛି । ସେ ଶିକ୍ଷା ଦେଇଛନ୍ତି କି ସତ୍ୟତା ଏବଂ ସଚ୍ଚୋଟତା ସହିତ କରାଯାଇଥିବା ବିକାଶ ଦ୍ୱାରା ସର୍ବଦା ଉନ୍ନତି ଏବଂ ସମୃଦ୍ଧିର ରାସ୍ତା ଖୋଲିଥାଏ । ସେ ଶିକ୍ଷା ଦେଇଛନ୍ତି କି ଧନ ତ ଆସିବ ପୁଣି ଚାଲି ଯିବ, କିନ୍ତୁ ସତ ମୂଲ୍ୟବୋଧ ସଦା ସର୍ବଦା ନିଜ ସହିତ ରହିବ । ସେ ଶିକ୍ଷା ଦେଇଛନ୍ତି କି ଯଦି ଆମେ ନିଜ ମୂଲ୍ୟବୋଧକୁ ସ୍ଥିର ରଖି କାର୍ଯ୍ୟ କରି ଚାଲିବା ଦ୍ଵାରା ଯେଉଁ ସମୃଦ୍ଧି ମିଳିବ, ତାହା ସ୍ଥାୟୀ ହୋଇଥାଏ ।

ଭାଇ ଓ ଭଉଣୀମାନେ, କରତାରପୁର କେବଳ ଗୁରୁ ନାନକ ଦେବଜୀଙ୍କ କର୍ମଭୂମି ନୁହେଁ । କରତାରପୁରର କୋଣ ଅନୁକୋଣରେ ଗୁରୁ ନାନକ ଦେବଜୀଙ୍କର ସ୍ୱେଦ ମିଶି ରହିଛି । ତାହାର ବାୟୁମଣ୍ଡଳରେ ତାଙ୍କର ବାଣୀ ମିଶି ରହିଛି । କରତାରପୁରର ଧରଣୀରେ ହିଁ ହଳ ଲଙ୍ଗଳ ଚଲାଇ ସେ ନିଜର ପ୍ରଥମ ନିୟମ – ‘କିରତ କରୋ’ର ଉଦାହରଣ ପ୍ରସ୍ତୁତ କଲେ, ଏହି ଧରଣୀ ଉପରେ ସେ ‘ନାକ ଜପୋ’ର ବିଧି କହିଛନ୍ତି ଆଉ ଏହିଠାରେ ନିଜ ପରିଶ୍ରମ ଦ୍ୱାରା ଉତ୍ପନ୍ନ କରାଯାଇଥିବା ଫସଲକୁ ମିଳିମିଶି ଖାଇବାର ପରମ୍ପରାର ଶୁଭାରମ୍ଭ କରିଥିଲେ – ‘ବଣ୍ଡ ଛକୋ’ର ମନ୍ତ୍ର ମଧ୍ୟ ଦେଇଥିଲେ ।

ସାଥୀଗଣ, ଏହି ପବିତ୍ର ସ୍ଥଳୀ ପାଇଁ ଆମେ ଯାହା କିଛି ମଧ୍ୟ କରି ପାରିବୁ, ସେସବୁ ହିଁ କମ୍ ବୋଲି ଭାବି ନେବାକୁ ହେବ । ଏହି କରିଡର, ସମନ୍ୱିତ ଚେକ୍ ପୋଷ୍ଟ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କର ସେବା କରିବ, ସେମାନଙ୍କୁ ଗୁରୁଦ୍ୱାରା ଦରବାର ସାହିଙ୍କ ନିକଟକୁ ନେଇଯିବ । କହନ୍ତି ଶବ୍ଦ ସର୍ବଦା ଉର୍ଜ୍ଜା ହୋଇ ବାତାବରଣରେ ବିଦ୍ୟମାନ ରହିଥାଏ । କରତାରପୁରରୁ ମିଳିଥିବା ଗୁରୁବାଣୀର ଉର୍ଜ୍ଜା କେବଳ ଆମର ଶିଖ୍ ଭାଇ ଭଉଣୀମାନଙ୍କୁ ହିଁ ନୁହେଁ, ବରଂ ପ୍ରତ୍ୟେକ ଭାରତବାସୀଙ୍କୁ ନିଜର ଆଶୀର୍ବାଦ ପ୍ରଦାନ କରିବ ।

ସାଥୀଗଣ, ଆପଣମାନେ ସମସ୍ତେ ଭଲଭାବେ ଜାଣନ୍ତି କି ଗୁରୁ ନାନକ ଦେବଜୀଙ୍କର ଦୁଇଜଣ ବହୁତ ହିଁ ନିକଟତର ଅନୁଗାମୀ ଥିଲେ –ଭାଇ ଲାଲୋ ଏବଂ ଭାଇ ମରଦାନା । ଏହି ପ୍ରତିଭା ମାନଙ୍କୁ ବାଛି ନାନକ ଦେବଜୀ ଆମକୁ ଏହା ସନ୍ଦେଶ ଦେଲେ କି ଛୋଟ ବଡ଼ର କୌଣସି ଭେଦଭାବ ହୋଇ ନଥାଏ ଏବଂ ସମସ୍ତେ ସମାନ ହୋଇ ଥାଆନ୍ତି । ସେ ଶିଖାଇଛନ୍ତି କି କୌଣସି ଭେଦଭାବ ବିନା ଯେତେବେଳେ ଆମେସବୁ ମିଳିମିଶି କାମ କରିଚାଲୁ ତ ପ୍ରଗତି ମିଳିବା ସୁନିଶ୍ଚିତ ହୋଇ ଯାଇଥାଏ ।

ଭାଇ ଓ ଭଉଣୀମାନେ, ଗୁରୁ ନାନକଜୀଙ୍କ ଦର୍ଶନ କେବଳ ମାନବ ଜାତି ମଧ୍ୟରେ ସୀମିତ ରହି ନଥିଲା । କରତାରପୁରରେ ହିଁ ସେ ପ୍ରକୃତିର ଗୁଣଗାନ କରିଥିଲେ । ସେ କହିଥିଲେ-

ପୱଣୁ ଗୁରୁ, ପାଣି ପିତା, ମାତା ଧରତୀ ମହତୁ ।

ଅର୍ଥାତ ପବନକୁ ଗୁରୁ ବୋଲି ମାନନ୍ତୁ, ପାଣିକୁ ପିତା ଏବଂ ଧରଣୀକୁ ମାତାର ମହତ୍ତ୍ଵ ଦିଅନ୍ତୁ। ଆଜି ଯେତେବେଳେ ପ୍ରକୃତିର ଦହନ ବିଷୟରେ କଥା ଉଠୁଛି, ପରିବେଶ ବିଷୟରେ କଥା ଉଠୁଛି, ପ୍ରଦୂଷଣ ବିଷୟରେ କଥା ଉଠୁଛି ତ ଗୁରୁଙ୍କର ଏହି ବାଣୀ ହିଁ ଆମର ପରବର୍ତ୍ତୀ ମାର୍ଗର ଆଧାର ହୋଇ ପାରିବ ।

ସାଥୀଗଣ, ଆପଣମାନେ ଚିନ୍ତା କରନ୍ତୁ, ଆମ ଗୁରୁ କେତେ ଦୂରଦ୍ରଷ୍ଟା ଥିଲେ କି ଯେଉଁ ପଞ୍ଜାବରେ ପଞ୍ଚ-ଆବ, ପାଞ୍ଚଟି ନଦୀ ପ୍ରବାହିତ ହେଉଥିଲା, ସେଗୁଡ଼ିକରେ ଭରପୂର ପାଣି ରହୁଥିଲା, ସେତେବେଳେ-ଅର୍ଥାତ ପାଣି ଖୁବ୍ ଭରି ରହିଥିଲା, ସେତେବେଳେ ଗୁରୁଦେବ କହିଥିଲେ ଆଉ ପାଣିକୁ ନେଇ ତାଙ୍କର ଚିନ୍ତା ପ୍ରକଟ କରିଥିଲେ । ସେ କହିଥିଲେ-

ପହଲାଁ ପାନୀ ଜିଓ ହୈ, ଜିତ ହରିୟା ସଭ କୋୟ ।

ଅର୍ଥାତ ପାଣିକୁ ସଦା ସର୍ବଦା ପ୍ରାଥମିକତା ଦେବା ଆବଶ୍ୟକ । କାରଣ ପାଣିରୁ ହିଁ ଆମ ସୃଷ୍ଟିକୁ ଜୀବନ ମିଳିଥାଏ । ଚିନ୍ତା କରନ୍ତୁ – ହଜାର ହଜାର ବର୍ଷ ତଳୁ ଏଭଳି ଦୃଷ୍ଟିକୋଣ, ଭବିଷ୍ୟତ ଉପରେ ଏଭଳି ନଜିର । ଆଜି ହୁଏତ ଆମେ ପାଣିକୁ ପ୍ରାଥମିକତା ଦେବା ବିଷୟ ଭୁଲି ଯାଇଛେ, ପ୍ରକୃତି ଏବଂ ପରିବେଶ ପ୍ରତି ଆମେ ଦାୟିତ୍ୱହୀନ ହୋଇ ପଡ଼ିଛେ, କିନ୍ତୁ ଗୁରୁଙ୍କର ବାଣୀ ବାରମ୍ବାର ଆମକୁ ଏହା କହୁଛି କି ଫେରି ଆସ, ସେହି ସଂସ୍କାରଗୁଡ଼ିକୁ ସଦା ସର୍ବଦା ମନେ ରଖ ଯାହା ଏ ଧରଣୀ ଆମକୁ ପ୍ରଦାନ କରିଛି, ଯାହାକିଛି ଆମ ଗୁରୁମାନେ ଆମକୁ ଦେଇଛନ୍ତି ।

ସାଥୀଗଣ, ବିଗତ ପାଞ୍ଚ ବର୍ଷ ଧରି ଆମର ଏହି ପ୍ରୟାସ ରହିଛି କି ଭାରତକୁ ଆମର ସମୃଦ୍ଧ ଅତୀତ ଯାହାକିଛି ମଧ୍ୟ ସମର୍ପି ଦେଇଛି, ତାହାକୁ ସୁରକ୍ଷିତ ମଧ୍ୟ କରି ରଖିବାକୁ ହେବ ଏବଂ ସମଗ୍ର ଦୁନିଆକୁ ମଧ୍ୟ ପହଞ୍ଚାଯିବ । ଗତ ଏକ ବର୍ଷ ଧରି ଗୁରୁ ନାନକ ଦେବଙ୍କ 550ତମ ପ୍ରକାଶୋତ୍ସବର ସମାରୋହ ଚାଲୁ ରହିଛି, ତାହା ଏହି ଚିନ୍ତାଧାରାର ହିଁ ଏକ ଅଂଶ । ଏହା ମାଧ୍ୟମରେ ସମଗ୍ର ଦୁନିଆରେ ଭାରତର ଉଚ୍ଚାୟୁକ୍ତ ଏବଂ ଦୂତାବାସ ବିଶେଷ କାର୍ଯ୍ୟକ୍ରମ କରୁଛନ୍ତି, କର୍ମଶାଳା ଆୟୋଜିତ କରୁଛନ୍ତି ।  ଗୁରୁ ନାନକ ଦେବଜୀଙ୍କ ସ୍ମୃତିରେ ସ୍ମାରକ ମୁଦ୍ରା ଏବଂ ଡାକଟିକଟ ମଧ୍ୟ ଜାରି କରାଯାଇଛି ।

ସାଥୀଗଣ, ଗତ ଏକ ବର୍ଷ ଧରି ଦେଶ ଏବଂ ବିଦେଶରେ କୀର୍ତ୍ତନ, କଥା, ପ୍ରଭାତ ଫେରି, ଲଙ୍ଗର ଭଳି ଆୟୋଜନ ମାଧ୍ୟମରେ ଗୁରୁ ନାନକ ଦେବଜୀଙ୍କର ଶିକ୍ଷାର ପ୍ରଚାର କରାଯାଉଛି । ଏହା ପୂର୍ବରୁ ଗୁରୁ ଗୋବିନ୍ଦ ସିଂହଜୀଙ୍କର 350ତମ ପ୍ରକାଶୋତ୍ସବକୁ ମଧ୍ୟ ଏହିଭଳି ଭବ୍ୟତାର ସହିତ ସମଗ୍ର ଦୁନିଆରେ ପାଳନ କରାଯାଇଥିଲା । ପାଟଣାରେ ହୋଇଥିବା ଭବ୍ୟ କାର୍ଯ୍ୟକ୍ରମକୁ ତ ମୁଁ ନିଜେ ଯାଇଥିଲି, ସେଠାକୁ  ଯିବାର ସୌଭାଗ୍ୟ ମୋତେ ମିଳିଥିଲା । ସେହି ବିଶେଷ ଅବସରରେ 350 ଟଙ୍କାର ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ମଧ୍ୟ ଜାରି କରାଯାଇଥିଲା । ଗୁରୁ ଗୋବିନ୍ଦ ସିଂହଜୀଙ୍କର ସ୍ମୃତି ଏବଂ ତାଙ୍କର ସନ୍ଦେଶ ଅମର ରହୁ-ଏଥିପାଇଁ ଗୁଜରାଟର ଜାମନଗରରେ 750 ଶଯ୍ୟା ବିଶିଷ୍ଟ ଆଧୁନିକ ହସପିଟାଲ ମଧ୍ୟ ତାଙ୍କର ହିଁ ନାମ ଅନୁସାରେ ନିର୍ମାଣ କରାଯାଇଛି ।

ଭାଇ ଓ ଭଉଣୀମାନେ, ଗୁରୁ ନାନକ ଦେବଜୀ କହିଥିବା ମାର୍ଗ ଅନୁସାରେ ଦୁନିଆର ନୂତନ ପିଢ଼ି ମଧ୍ୟ ପରିଚିତ ହେଉ, ଏଥିପାଇଁ ଗୁରୁବାଣୀର ଅନୁବାଦ ବିଶ୍ୱର ଭିନ୍ନ ଭିନ୍ନ ଭାଷାରେ କରାଯାଉଛି । ମୁଁ ଏଠାରେ ୟୁନେସ୍କୋକୁ ମଧ୍ୟ କୃତଜ୍ଞତା ଜଣାଇବାକୁ ଚାହିଁବି, ଯିଏକି କେନ୍ଦ୍ର ସରକାରଙ୍କ ଅନୁରୋଧକୁ ସ୍ୱୀକାର କଲେ । ୟୁନେସ୍କୋ ମଧ୍ୟ ଗୁରୁ ନାନକ ଦେବଜୀଙ୍କ ରଚନାଗୁଡ଼ିକୁ ଭିନ୍ନ ଭିନ୍ନ ଭାଷାରେ ଅନୁବାଦ କରିବାରେ ସହଯୋଗ କରୁଛନ୍ତି ।

ସାଥୀଗଣ, ଗୁରୁ ନାନକ ଦେବ ଏବଂ ଖାଲସା ପନ୍ଥ ସହିତ ଜଡ଼ିତ ଗବେଷଣାକୁ ପ୍ରୋତ୍ସାହନ ମିଳୁ, ଏଥିପାଇଁ ବ୍ରିଟେନର ଏକ ବିଶ୍ୱବିଦ୍ୟାଳୟରେ ଚେୟାର୍ସ ସ୍ଥାପନା କରାଯାଇଛି । ଏଭଳି ପ୍ରୟାସ କାନାଡାରେ ମଧ୍ୟ କରାଯାଉଛି । ସେହିଭଳି ଭାବେ ଅମୃତସରରେ ଆନ୍ତ-ବିଶ୍ୱାସ ବିଶ୍ୱବିଦ୍ୟାଳୟର ସ୍ଥାପନା କରିବା ପାଇଁ ନିଷ୍ପତ୍ତି ମଧ୍ୟ ନିଆଯାଇଛି, ଫଳରେ ସଦ୍ଭାବ ଏବଂ ବିବିଧତା ପ୍ରତି ସମ୍ମାନକୁ ଆହୁରି ଅଧିକ ପ୍ରୋତ୍ସାହନ ମିଳୁ ।

ଭାଇ ଓ ଭଉଣୀମାନେ, ଆମ ଗୁରୁମାନଙ୍କ ସହିତ ଜଡ଼ିତ ପ୍ରମୁଖ ସ୍ଥାନଗୁଡ଼ିକରେ ପାଦ ରଖୁ ରଖୁ ହିଁ ସେମାନଙ୍କ ପରମ୍ପରା ସହିତ ସାକ୍ଷାତକାର ହେଉ, ନୂତନ ପିଢ଼ି ସହିତ ତାଙ୍କର ସମ୍ପର୍କ ସହଜ ହେଉ, ଏଥିପାଇଁ ମଧ୍ୟ ଗମ୍ଭୀର ପ୍ରଚେଷ୍ଟା ଚାଲୁ ରହିଛି । ଏଠାରେ ସୁଲତାନପୁର ଲୋଧୀରେ ଆପଣମାନେ ଏହି ପ୍ରଚେଷ୍ଟାକୁ ସ୍ୱୟଂ ଅନୁଭବ କରି ପାରିବେ । ସୁଲତାନପୁର ଲୋଧୀକୁ ଐତିହ୍ୟ ସହର ଭାବେ ନିର୍ମାଣ କରିବାର କାର୍ଯ୍ୟ ଚାଲୁ ରହିଛି । ଐତିହ୍ୟ କମ୍ପ୍ଲେକ୍ସ ହେଉ, ସଂଗ୍ରହାଳୟ ହେଉ, ଅଡିଟୋରିୟମ ହେଉ, ଏଭଳି ଅନେକ କାର୍ଯ୍ୟ ଏଠାରେ ହୁଏତ ସମ୍ପୂର୍ଣ୍ଣ ହୋଇ ସାରିଛି କିମ୍ବା ଅତିଶୀଘ୍ର ପୂରଣ ହେବାକୁ ଯାଉଛି । ଏଠାକାର ରେଲୱେ ଷ୍ଟେସନରୁ ନେଇ ସହରର ଅନ୍ୟାନ୍ୟ କ୍ଷେତ୍ରରେ ଗୁରୁ ନାନକ ଦେବଜୀଙ୍କର ପରମ୍ପରା ଆମକୁ ଦେଖିବାକୁ ମିଳୁ, ଏହି ଚେଷ୍ଟା ମଧ୍ୟ କରାଯାଉଛି । ଗୁରୁ ନାନକ ଦେବଜୀଙ୍କ ସହ ଜଡ଼ିତ ସମସ୍ତ ସ୍ଥାନ ଦେଇ ଯାଉଥିବା ଏକ ବିଶେଷ ଟ୍ରେନ ମଧ୍ୟ ସପ୍ତାହରେ ପାଞ୍ଚ ଦିନ ଚଲାଯାଉଛି ଫଳରେ ଶ୍ରଦ୍ଧାଳୁ ମାନଙ୍କୁ ଯିବା ଆସିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼ୁ ।

ଭାଇ ଓ ଭଉଣୀମାନେ, କେନ୍ଦ୍ର ସରକାର ସମଗ୍ର ଦେଶରେ ଅବସ୍ଥିତ ଶିଖ୍ ମାନଙ୍କ ପ୍ରମୁଖ ସ୍ଥାନଗୁଡ଼ିକ ମଧ୍ୟରେ ଯୋଗାଯୋଗକୁ ସଶକ୍ତ କରିବାର ମଧ୍ୟ ପ୍ରୟାସ କରିଛନ୍ତି । ଶ୍ରୀ ଅକାଳ ତଖ୍ତ, ଦମଦମା ସାହିବ, କେଶଗଢ଼ ସାହିବ, ପଟଣା ସାହିବ ଏବଂ ହଜୁର ସାହିବ ମଧ୍ୟରେ ରେଳ ଏବଂ ବିମାନ ଚଳାଚଳ ମାଧ୍ୟମରେ ଯୋଗାଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅମୃତସର ଏବଂ ନାନ୍ଦେଡ଼ ମଧ୍ୟରେ ବିଶେଷ ବିମାନ ଚଳାଚଳର ବ୍ୟବସ୍ଥା ଆରମ୍ଭ କରାଯାଇ ସାରିଛି । ସେହିଭଳି ଅମୃତସରରୁ ଲଣ୍ଡନ ଯିବା ପାଇଁ ଏୟାର ଇଣ୍ଡିଆର ବିମାନରେ ମଧ୍ୟ ‘ଇକ୍ ଓଁକାର’ର ସନ୍ଦେଶ ଅଙ୍କିତ କରାଯାଇଛି ।

ସାଥୀଗଣ, କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି, ଯାହାର ଲାଭ ସମଗ୍ର ଦୁନିଆରେ ବସବାସ କରୁଥିବା ଅନେକ ଶିଖ୍ ପରିବାରଙ୍କୁ ହୋଇଛି । କିଛି ବର୍ଷ ଧରି କିଛି ଲୋକଙ୍କୁ ଭାରତ ଆସିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା, ଏବେ ସେ ଅସୁବିଧାଗୁଡ଼ିକୁ ଦୂର କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ଏବେ ଅନେକ ପରିବାର ଭିସା ପାଇଁ, ଓସିଆଇ କାର୍ଡ ପାଇଁ ଆବେଦନ କରି ପାରିବେ । ସେମାନେ ଏଠି ଭାରତରେ ନିଜର ସମ୍ପର୍କୀୟଙ୍କୁ ସହଜରେ ସାକ୍ଷାତ କରି ପାରିବେ ଆଉ ଏଠାରେ ଗୁରୁଙ୍କ ସ୍ଥାନଗୁଡ଼ିକୁ ଯାଇ ଆରାଧନା ମଧ୍ୟ କରି ପାରିବେ ।

ଭାଇ ଓ ଭଉଣୀମାନେ, କେନ୍ଦ୍ର ସରକାରଙ୍କର ଆଉ ଦୁଇଟି ନିଷ୍ପତ୍ତି ଫଳରେ ଶିଖ୍ ସମୁଦାୟଙ୍କୁ ସିଧା ସଳଖ ଲାଭ ହୋଇ ପାରିଛି । ଧାରା-370 ହଟିଯିବା ଫଳରେ, ଏବେ ଜମ୍ମୁ କଶ୍ମୀର ଏବଂ ଲଦ୍ଦାଖରେ ମଧ୍ୟ ଶିଖ୍ ପରିବାରଙ୍କୁ ସେହି ସବୁ ଅଧିକାର ମିଳି ପାରିବ ଯାହା ହିନ୍ଦୁସ୍ଥାନର ଅନ୍ୟ ଅଞ୍ଚଳରେ ସେମାନଙ୍କୁ ମିଳୁଛି । ଏ ପର୍ଯ୍ୟନ୍ତ ସେଠାରେ ଏପରି ହଜାର ହଜାର ପରିବାର ଥିଲେ, ଯେଉଁମାନେ କି ସେମାନଙ୍କର ଅଧିକାରରୁ ବଞ୍ଚିତ ରହୁଥିଲେ । ଏହିଭଳି ଭାବେ ନାଗରିକ ସଂଶୋଧନ ବିଲ୍, ସେଥିରେ ସଂଶୋଧନର ମଧ୍ୟ ବହୁତ ବଡ଼ ଲାଭ ଆମର ଶିଖ୍ ଭାଇ ଭଉଣୀମାନଙ୍କୁ ମଧ୍ୟ ମିଳିପାରିବ । ସେମାନଙ୍କୁ ଭାରତର ନାଗରିକତା ମିଳିବାରେ ସହଜ ହେବ ।

ସାଥୀଗଣ, ଭାରତର ଏକତା, ଭାରତର ରକ୍ଷା- ସୁରକ୍ଷାକୁ ନେଇ ଗୁରୁ ନାନକ ଦେବଜୀଙ୍କଠାରୁ ନେଇ ଗୁରୁ ଗୋବିନ୍ଦ ସିଂଙ୍କ ପର୍ଯ୍ୟନ୍ତ, ପ୍ରତ୍ୟେକ ଗୁରୁ ସାହେବ ନିରନ୍ତର ପ୍ରୟାସ କରିଛନ୍ତି, ସେଥିପାଇଁ ଅନେକ ବଳିଦାନ ମଧ୍ୟ ଦେଇଛନ୍ତି । ଏହି ପରମ୍ପରାକୁ ସ୍ୱାଧୀନତାର ଆନ୍ଦୋଳନ ଏବଂ ସ୍ୱାଧୀନ ଭାରତର ରକ୍ଷା ପାଇଁ ଶିଖ୍ ସାଥୀମାନେ ସଂପୂର୍ଣ୍ଣ ଶକ୍ତିର ସହିତ ତୁଲାଇଛନ୍ତି । ଦେଶ ପାଇଁ ବଳିଦାନ ଦେଇଥିବା ସାଥୀଙ୍କର ସମର୍ପଣ ଭାବକୁ ସମ୍ମାନ ଦେବା ପାଇଁ ମଧ୍ୟ ଅନେକଗୁଡ଼ିଏ ସାର୍ଥକ ପଦକ୍ଷେପ ସରକାର ଉଠାଇଛନ୍ତି । ଏହି ବର୍ଷ ଜାଲିଆନାୱାଲାବାଗ ହତ୍ୟାକାଣ୍ଡର 100 ବର୍ଷ ପୂରଣ ହୋଇଛି । ଏଥି ସହିତ ଜଡ଼ିତ ସ୍ମାରକ ଗୁଡ଼ିକୁ ଆଧୁନିକ କରାଯାଉଛି । ସରକାରଙ୍କ ଦ୍ୱାରା ଶିଖ୍ ଯୁବକମାନଙ୍କର ସ୍କୁଲ, ସ୍କିଲ ବା କୌଶଳ ଏବଂ ସ୍ୱରୋଜଗାର ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆ ଯାଉଛି । ବିଗତ 5 ବର୍ଷ ମଧ୍ୟରେ ପ୍ରାୟ 27 ଲକ୍ଷ ଶିଖ୍ ଛାତ୍ରଙ୍କୁ ଭିନ୍ନ ଭିନ୍ନ ବୃତ୍ତି ପ୍ରଦାନ କରାଯାଇଛି ।

ଭାଇ ଓ ଭଉଣୀମାନେ, ଆମର ଗୁରୁ ପରମ୍ପରା, ସନ୍ଥ ପରମ୍ପରା, ଋଷି ପରମ୍ପରା ଭିନ୍ନ ଭିନ୍ନ ସମୟରେ, ନିଜ ନିଜ ହିସାବରେ ଆହ୍ୱାନ ସହିତ ଲଢ଼େଇ କରିବାର ରାସ୍ତା ବାହାର କରିଛନ୍ତି । ତାଙ୍କର ସମାଧାନର ପନ୍ଥାଗୁଡ଼ିକ ସେତେବେଳେ ଯେତିକି ସାର୍ଥକ ଥିଲା, ଏବେ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ରାଷ୍ଟ୍ରୀୟ ଏକତା ଏବଂ ରାଷ୍ଟ୍ରୀୟ ଚେତନା ପ୍ରତି ପ୍ରତ୍ୟେକ ସନ୍ଥ, ପ୍ରତ୍ୟେକ ଗୁରୁଙ୍କର ଆଗ୍ରହ ରହି ଆସିଛି । ଅନ୍ଧବିଶ୍ୱାସ ହେଉ ବା ସମାଜରେ ରହିଥିବା କୁପ୍ରଥାଗୁଡ଼ିକ ହେଉ, ଜାତିଗତ ଭେଦଭାବ ହେଉ, ଏହା ବିରୁଦ୍ଧରେ ଆମ ସନ୍ଥ ଓ ଗୁରୁମାନେ ଦୃଢ଼ତାର ସହିତ ସ୍ୱର ଉତ୍ତୋଳନ କରିଛନ୍ତି ।

ସାଥୀଗଣ, ଗୁରୁ ନାନକଜୀ କହୁଥିଲେ-

‘ବିଚ ଦୁନିଆ ସେବି କମାଇୟେ, ତଦରଗିହ ବେସନ ପାଇଏ’ ।

ଅର୍ଥାତ ସଂସାରରେ ସେବାର ମାର୍ଗ ଆପଣାଇବା ଦ୍ୱାରା ହିଁ ମୋକ୍ଷ ମିଳିଥାଏ, ଜୀବନ ସଫଳ ହୋଇଥାଏ । ଆସନ୍ତୁ, ଏହି ପ୍ରମୁଖ ଏବଂ ପବିତ୍ର ସ୍ଥଳରେ ଆମେ ସଂକଳ୍ପ କରିବା କି ଆମେ ଗୁରୁ ନାନକଜୀଙ୍କ ବାଣୀ ସବୁକୁ ଆମ ଜୀବନର ଏକ ଅଂଶ ଭାବେ ଗ୍ରହଣ କରିବା । ଆମେ ସମାଜ ଭିତରେ ସଦ୍ଭାବ ସୃଷ୍ଟି କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବା । ଆମେ ଭାରତର ଅହିତ କଥା ଚିନ୍ତା କରୁଥିବା ଶକ୍ତିଙ୍କଠାରୁ ସାବଧାନ ରହିବା, ସତର୍କ ରହିବା । ନିଶା..ଭଳି ସମାଜକୁ କ୍ଷତି ପହଞ୍ଚାଉଥିବା ଅଭ୍ୟାସଠାରୁ ଆମେ ଦୂରରେ ରହିବା । ଆମର ଆଗାମୀ ପିଢ଼ିଙ୍କୁ ମଧ୍ୟ ଦୂରେଇ ରଖିବା । ପରିବେଶ ସହିତ ତାଳମେଳ ରଖି, ବିକାଶର ପଥକୁ ସଶକ୍ତ କରିବା । ଗୁରୁ ନାନକଜୀଙ୍କ ଏହି ପ୍ରେରଣା ମାନବତାର ହିତ ସାଧନ ପାଇଁ, ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି ।

ନାନକ ନାମ ଚଢ଼ଦୀ କଳା, ତେରେ ଭାଣେ ସରବତ ଦା ଭଲା!!!

ସାଥୀଗଣ, ଆଉ ଥରେ ପୁଣି ଆପଣମାନଙ୍କୁ ସମସ୍ତଙ୍କୁ, ସମଗ୍ର ଦେଶକୁ, ସମଗ୍ର ବିଶ୍ୱରେ ବସବାସ କରୁଥିବା ଶିଖ୍ ସାଥୀଙ୍କୁ ଗୁରୁ ନାନକ ଦେବଜୀଙ୍କ 550ତମ ପ୍ରକାଶୋତ୍ସବରେ ଏବଂ କରତାରପୁର ସାହିବ କରିଡର ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଗୁରୁ ଗ୍ରନ୍ଥସାହିବ ସମ୍ମୁଖରେ ଠିଆ ହୋଇ ଏହି ପବିତ୍ର କାର୍ଯ୍ୟରେ ଏକ ଅଂଶ ଭାବେ ଯୋଗ ଦେବାର ସୁଯୋଗ ମିଳିଲା, ତେଣୁ ମୁଁ ନିଜକୁ ନିଜେ ଧନ୍ୟ ମନେକରି ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଣାମ କରୁଛି –

ସତନାମ ଶ୍ରୀ ୱାହେଗୁରୁ!

ସତନାମ ଶ୍ରୀ ୱାହେଗୁରୁ!

ସତନାମ ଶ୍ରୀ ୱାହେଗୁରୁ!

'ପରିକ୍ଷା ପେ ଚର୍ଚ୍ଚା 2022' ରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ
Explore More
ଉତରପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଲୋକପ୍ରିୟ ଅଭିଭାଷଣ

ଉତରପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
Padma Awards Under Modi Govt: Honouring Different Leaders From Across The Spectrum

Media Coverage

Padma Awards Under Modi Govt: Honouring Different Leaders From Across The Spectrum
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 28, 2022
January 28, 2022
ସେୟାର
 
Comments

Indians feel encouraged and motivated as PM Modi addresses NCC and millions of citizens.

The Indian economy is growing stronger and greener under the governance of PM Modi.