ନୂତନ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂଟାନ ନରେଶ ଶ୍ରୀ ଜିଗମେ ଖେସର ନାମଗ୍ୟାଲ ୱାନଚୁକ ଓ ପ୍ରଧାନମନ୍ତ୍ରୀ ଡ. ଲ୍ୟୋନଚେନ ଲୋଟେ ସେରିଙ୍ଗ, ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ଗୋଟାବାୟ ରାଜପକ୍ଷ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମହିନ୍ଦା ରାଜପକ୍ଷ, ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ଶେଖ ହସିନା ଓ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମା ଓଲିଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ନେତାମାନଙ୍କୁ ନିଜ ଏବଂ ଦେଶବାସୀଙ୍କ ତରଫରୁ ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ସେ ନିଜର ଶୁଭେଚ୍ଛା ବାର୍ତ୍ତାରେ ପ୍ରଥମେ ପଡୋଶୀ ନୀତି ଉପରେ ଅଙ୍ଗୀକାରବଦ୍ଧତା ବ୍ୟକ୍ତ କରିବା ସହ ଭାରତର ବନ୍ଧୁ ଓ ପଡୋଶୀ ରାଷ୍ଟ୍ରଗୁଡିକ ସହ ଶାନ୍ତି, ସୁରକ୍ଷା, ସମୃଦ୍ଧି ଓ ପ୍ରଗତି ଲାଗି ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ ।

ଭୂଟାନ ନରେଶଙ୍କ ସହିତ କଥାବାର୍ତ୍ତା ବେଳେ ଗତ ଦୁଇ ବର୍ଷରେ ଉଭୟ ଦେଶ ମଧ୍ୟରେ ହୋଇଥିବା ରାଜିନାମା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଯାହାଦ୍ୱାରା ଭାରତ-ଭୂଟାନ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହୋଇପାରିଛି । ପ୍ରଧାନମନ୍ତ୍ରୀ ତାଙ୍କ ଗତ ବର୍ଷର ଭୂଟାନ ଗସ୍ତକୁ ସ୍ମରଣ କରି ସେଠାକାର ଅଧିବାସୀଙ୍କ ପାଖରୁ ପାଇଥିବା ସ୍ନେହ ଓ ଆତ୍ମୀୟତାର ସ୍ମରଣ କରିଥିଲେ । ସେ ଉଭୟ ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ ସମ୍ପର୍କ ବିନିମୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ଭୂଟାନ ନରେଶଙ୍କ ଆଗାମୀ ଭାରତ ଗସ୍ତକୁ ସେ ଆଗ୍ରହର ସହ ଅପେକ୍ଷା କରିଥିବା କହିଥିଲେ ।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାକୁ ଅତ୍ୟନ୍ତ ଉତ୍ସାହ ଏବଂ ଆତ୍ମୀୟତାର ସହିତ ଗ୍ରହଣ କରିବା ସହ ନିଜ ପ୍ରତ୍ୟୁତ୍ତରରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଥିବା ସମ୍ପର୍କ 2020ରେ ଅଧିକ ଦୃଢ଼ୀଭୂତ ହେବ ବୋଲି ବିଶ୍ଵାସ ପ୍ରକଟ କରିଥିଲେ । ଦୁଇ ନେତା ଏହି ଦିଗରେ ନିବିଡ ଭାବେ କାର୍ଯ୍ୟ କରିବେ ବୋଲି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଶ୍ରୀ ମହିନ୍ଦା ରାଜପକ୍ଷଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଭୟ ଦେଶ ମଧ୍ୟରେ ଥିବା ନିବିଡ ଓ ବ୍ୟାପକ ସହଯୋଗକୁ ଆହୁରି ସମ୍ପ୍ରସାରିତ କରିବା ଦିଗରେ ଭାରତ ଅଙ୍ଗୀକାରବଦ୍ଧ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ରାଜପକ୍ଷ ଉଦାରତା ପୂର୍ବକ ଶୁଭେଚ୍ଛା ବାର୍ତ୍ତାକୁ ଗ୍ରହଣ କରିବା ସହିତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଦୃଢ଼ୀଭୂତ ହେବ ବୋଲି ବିଶ୍ଵାସ ପ୍ରକଟ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମାଳଦୀପ ରାଷ୍ଟ୍ରପତି ଓ ଜନସାଧାରଣଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ସାମଗ୍ରିକ ବିକାଶ ଦିଗରେ ସେମାନଙ୍କ ଉଦ୍ୟମ ପାଇଁ ସଫଳତା କାମନା କରିଥିଲେ । ମାଳଦୀପ ରାଷ୍ଟ୍ରପତି ଶ୍ରୀ ସୋଲେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ପ୍ରତି କୃତଜ୍ଞତା ଜଣାଇଥିଲେ ଏବଂ ଭାରତ ସହ ସଂପର୍କକୁ ଆହୁରି ଗଭୀର ଓ ସୁଦୃଢ କରିବା ଲାଗି ବର୍ତ୍ତମାନର ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସମ୍ପ୍ରସାରିତ କରିବା ତଥା ନୂତନ କ୍ଷେତ୍ରରେ ମିଳିତ ଭାବେ କାମ କରିବାର ସମ୍ଭାବନା ଉଜାଗର କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କ ସହ କଥାବାର୍ତ୍ତା ବେଳେ ଉଭୟ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆସନ୍ତା 3 ବର୍ଷ ପାଇଁ ଆୱାମୀ ଲିଗର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଭାରତରେ ଥିବା ବାଂଲାଦେଶ ହାଇକମିସନର ସୟଦ ମୁଆଁଜିମ ଅଲ୍ଲୀଙ୍କ ଅକାଳବିୟୋଗ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ 2019ରେ ଭାରତ-ବାଂଲାଦେଶ ସମ୍ପର୍କରେ ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଆଗକୁ ଥିବା ବଙ୍ଗବନ୍ଧୁଙ୍କ ଜନ୍ମ ଶତବାର୍ଷିକୀ, ବାଂଲାଦେଶ ସ୍ୱାଧୀନ ହେବା ଏବଂ ଭାରତ-ବାଂଲାଦେଶ ଦ୍ଵିପାକ୍ଷିକ କୂଟନୈତିକ ସମ୍ପର୍କର 50 ବର୍ଷ ପୂର୍ତ୍ତି ଉପରେ ଆଲୋକପାତ କରିବା ସହ ଶ୍ରୀ ମୋଦୀ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଅଗ୍ରଗତି ତାଙ୍କ ସରକାରଙ୍କ ପ୍ରାଥମିକତା ବୋଲି ସୂଚାଇ ଥିଲେ ।

ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଓଲିଙ୍କ ସହ କଥାବାର୍ତ୍ତା ବେଳେ 2019ରେ ଭାରତ-ନେପାଳ ସମ୍ପର୍କର ଅଗ୍ରଗତି ଓ ବିଭିନ୍ନ ପ୍ରକଳ୍ପର ସମାପନ ଲାଗି ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ ବିଶେଷ କରି ଭାରତର ମୋତିହାରି ଏବଂ ନେପାଳର ଆମଲେଖଗଞ୍ଜ ମଧ୍ୟରେ ପେଟ୍ରୋଲଜାତ ସାମଗ୍ରୀ ପାଇପ ଲାଇନର ରେକର୍ଡ ସମୟ ମଧ୍ୟରେ ନିର୍ମାଣ ସଂପୂର୍ଣ୍ଣ ହେବାର ଅବତାରଣା କରିଥିଲେ । ଭିଡିଓ କନଫରେନ୍ସ ଜରିଆରେ ବିରାଟନଗରର ସମନ୍ୱିତ ତନଖି ଫାଟକ ଏବଂ ନେପାଳରେ ଆବାସ ପୁନଃ ନିର୍ମାଣ ପ୍ରକଳ୍ପର ଆଗୁଆ ଉଦଘାଟନ ପାଇଁ ଉଭୟ ନେତା ସମ୍ମତ ହୋଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India