Immense possibilities for festival tourism in India: PM Modi
Let us all celebrate achievements of India’s Nari Shakti on this Diwali: PM Modi
Sri Guru Nanak Dev Ji gave the message of ‘Sadbhaavna’ and ‘Samaanta’: PM
Sardar Vallabhbhai Patel, the ‘Iron Man of India’, united the country: PM Modi
Matter of joy that in just one year ‘Statue of Unity’ has become a major tourist hotspot: PM
‘Run for Unity’ symbolizes the country’s oneness: PM Modi

• ଦେଶରେ ପାର୍ବଣ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି
• ଦୀପାବଳିରେ ନାରୀ ଶକ୍ତିକୁ ସମ୍ମାନ ଜଣାଉଛି ରାଷ୍ଟ୍ର
• ଭାରତ କୀ ଲକ୍ଷ୍ମୀ ଅଭିଯାନରେ ମିଳିଥିବା ମତାମତ ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
• ଅକ୍ଟୋବର 31ରେ ଏକତା ଦୌଡ଼ରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ
• ସ୍ୱଚ୍ଛ ସିଆଚୀନ ଅଭିଯାନ ପାଇଁ ସାହସୀ ଯବାନଙ୍କୁ ପ୍ରଶଂସା
• ସ୍ଥାନୀୟ ସାମଗ୍ରୀ କିଣିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2019 2:43PM by PIB Bhubaneshwar
 

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଦୀପାବଳିର ପବିତ୍ର ପର୍ବ । ଆପଣ ସମସ୍ତଙ୍କୁ ଦୀପାବଳିର ଅନେକ ଅନେକ ଶୁଭକାମନା । ଆମର ଶାସ୍ତ୍ରରେ କୁହାଯାଇଛି –

ଶୁଭମ୍ କରୋତି କଲ୍ୟାଣମ୍, ଆରୋଗ୍ୟମ୍ ଧନ ସମ୍ପଦାମ୍  ।

ଶତ୍ରୁବୁଦ୍ଧିବିନାଶାୟ ଦୀପଜ୍ୟୋତିର୍ନମୋସ୍ତୁତେ  । ।

କେତେ ଉତ୍ତମ ବାର୍ତ୍ତା । ଏହି ଶ୍ଳୋକରେ କୁହାଯାଇଛି - ଆଲୋକ ଜୀବନରେ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧି ନେଇ ଆସେ, ଯାହା ବିପରୀତ ବୁଦ୍ଧିର ବିନାଶ କରି ସଦବୁଦ୍ଧିର ମାର୍ଗ ଦର୍ଶାଏ । ଏଭଳି ଦିବ୍ୟଜ୍ୟୋତିକୁ ମୋର ପ୍ରଣାମ । ଏହି ଦୀପାବଳିକୁ ସ୍ମରଣୀୟ କରିବା ପାଇଁ ଏହାଠୁ ବଳି ଭଲ ଚିନ୍ତାଧାରା ଆଉ କ’ଣ ବା ହୋଇପାରେ ଯେ ଆମେ ଆଲୋକକୁ ବିସ୍ତାରିତ କରିବା, ସକାରାତ୍ମକତାର ପ୍ରସାର କରିବା ଏବଂ ଶତ୍ରୁତା ଭାବନାକୁ ହିଁ ନଷ୍ଟ କରିବାର ପ୍ରାର୍ଥନା କରିବା । ଆଜିକାଲି ବିଶ୍ୱର ଅନେକ ଦେଶରେ ଦୀପାବଳି ପାଳନ କରାଯାଉଛି । ବିଶେଷ କଥା ହେଲା, ଏଥିରେ ଯେ କେବଳ ଭାରତୀୟ ଲୋକେ ସାମିଲ ହେଉଛନ୍ତି, ତାହା ନୁହେଁ, ବରଂ ଏବେ ଅନେକ ଦେଶର ସରକାର, ସେଠାକାର ନାଗରିକମାନେ, ସେଠାକାର ସାମାଜିକ ସଂଗଠନ ଦୀପାବଳିକୁ ପୂରା ଉତ୍ସାହ ଉଦ୍ଦୀପନା ସହ ପାଳନ କରୁଛନ୍ତି । ଏକ ପ୍ରକାର ସେଠାରେ ‘ଭାରତ’ ସୃଷ୍ଟି କରିଦେଉଛନ୍ତି ।

ବନ୍ଧୁଗଣ, ବିଶ୍ୱରେ ଫେଷ୍ଟିଭାଲ୍ ଅଫ ଟୁରିଜିମର ସ୍ୱତନ୍ତ୍ର ଏକ ଆକର୍ଷଣ ରହିଛି । ଆମ ଭାରତ ହେଉଛି ପାର୍ବଣର ଦେଶ, ଏଠି ଫେଷ୍ଟିଭାଲ୍-ଟୁରିଜିମ୍ ପାଇଁ ଅସୀମ ସମ୍ଭାବନା ରହିଛି । ଆମର ପ୍ରୟାସ ହେବା ଆବଶ୍ୟକ ଯେ, ହୋଲି ହେଉ, ଦୀପାବଳି ହେଉ, ଓଣମ୍ ହେଉ, ପୋଙ୍ଗଲ୍ ହେଉ, ବିହୁ ହେଉ, ଏଭଳି ପର୍ବପର୍ବାଣୀଗୁଡ଼ିକର ପ୍ରସାର କରିବା ଏବଂ ପର୍ବର ଖୁସିରେ ଅନ୍ୟ ରାଜ୍ୟ, ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ସାମିଲ୍ କରିବା । ଆମର ଏଠି ତ ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ କ୍ଷେତ୍ରର ସ୍ୱତନ୍ତ୍ର ଉତ୍ସବ ରହିଛି - ଯାହା ଅନ୍ୟ ଦେଶର ଲୋକଙ୍କ ପାଇଁ ଖୁବ୍ ଆଗ୍ରହ ସୃଷ୍ଟି କରିଥାଏ। ସେଥିପାଇଁ, ଭାରତରେ ଫେଷ୍ଟିଭାଲ୍-ଟୁରିଜିମର ଅଭିବୃଦ୍ଧି ନିମନ୍ତେ ଦେଶ ବାହାରେ ରହୁଥିବା ଭାରତୀୟଙ୍କ ଭୂମିକା ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

ମୋର ପ୍ରିୟ ଦେଶବାସୀ, ଗତ ଥର ‘ମନ କି ବାତ୍’ରେ ଆମେ ସ୍ଥିର କରିଥିଲୁ ଯେ, ଏହି ଦୀପାବଳିରେ କିଛି ଭିନ୍ନ କରିବା । ମୁଁ କହିଥିଲି - ଆସନ୍ତୁ, ଏହି ଦୀପାବଳିରେ ଭାରତର ନାରୀଶକ୍ତି ଏବଂ ସେମାନଙ୍କ ଉପଲବ୍ଧିଗୁଡ଼ିକୁ ପାଳନ କରିବା, ମାନେ ଭାରତର ଲକ୍ଷ୍ମୀକୁ ସମ୍ମାନ ଜଣାଇବା । ଆଉ ଦେଖୁ ଦେଖୁ, ଏହାର ତୁରନ୍ତ ପରେ, ସୋସିଆଲ୍ ମିଡିଆରେ ଅଗଣିତ ପ୍ରେରଣାଦାୟୀ କାହାଣୀ ଗଦା ହୋଇଗଲା । ୱାରଙ୍ଗଲ କୋଡିପକା ରମେଶ୍ ନମୋ ଆପରେ ଲେଖିଛନ୍ତି ଯେ, ମୋ ମା’ ହେଉଛନ୍ତି ମୋ ଶକ୍ତି । 1990ରେ, ଯେତେବେଳେ ମୋ ବାପାଙ୍କ ଦେହାନ୍ତ ହେଲା, ସେତେବେଳେ ମୋ ମା’ ହିଁ ପାଞ୍ଚ ପୁଅଙ୍କ ଦାୟିତ୍ୱ ବହନ କଲେ । ଆଜି ଆମେ ପାଞ୍ଚ ଭାଇ ଭଲ ପେସାରେ ଅଛୁ । ମୋ ମା’ ହିଁ ମୋ ପାଇଁ ଭଗବାନ । ମୋ ପାଇଁ ସବୁକିଛି ଏବଂ ସେ ପ୍ରକୃତ ଅର୍ଥରେ ଭାରତର ଲକ୍ଷ୍ମୀ ।

ରମେଶ ଜୀ, ଆପଣଙ୍କ ମା’ଙ୍କୁ ମୋର ପ୍ରଣାମ । ଟ୍ୱିଟରରେ ସକ୍ରିୟ ରହୁଥିବା ଗୀତିକା ସ୍ୱାମୀ କହନ୍ତି ଯେ, ତାଙ୍କ ପାଇଁ ଆସାମ ରାଇଫଲ୍ସର ଅଲ୍-ୱିମେନ୍ ଦଳର ନେତୃତ୍ୱ ନେଇଥିବା ଜଣେ ବସ୍ କଣ୍ଡକ୍ଟରଙ୍କ ଝିଅ ମେଜର ଖୁସବୁ କୱଁର ହେଉଛନ୍ତି ଭାରତର ଲକ୍ଷ୍ମୀ । କବିତା ତିୱାରୀ ଜୀଙ୍କ ପାଇଁ ତ ଭାରତର ଲକ୍ଷ୍ମୀ ହେଉଛନ୍ତି ତାଙ୍କ ଝିଅ - ଯିଏ ତାଙ୍କର ଶକ୍ତି ମଧ୍ୟ । ତାଙ୍କ ଝିଅ ଭଲ ପେଣ୍ଟିଙ୍ଗ୍ କରନ୍ତି, ଏ କଥାକୁ ନେଇ ସେ ଗର୍ବିତ । ସେ ସିଏଲଏଟି ପରୀକ୍ଷାରେ ଭଲ ରାଙ୍କ ମଧ୍ୟ ହାସଲ କରିଛନ୍ତି । ସେହିପରି ମେଘା ଜୈନ୍ ଜୀ ଗ୍ୱାଲିୟର୍ ରେଳ ଷ୍ଟେସନରେ ଦୀର୍ଘବର୍ଷ ଧରି ଯାତ୍ରୀମାନଙ୍କୁ ମାଗଣାରେ ପିଇବା ପାଣି ଯୋଗାଉଥିବା ଜଣେ 92 ବର୍ଷ ବୟସ୍କା ମହିଳାଙ୍କ ସମ୍ପର୍କରେ ଲେଖିଛନ୍ତି । ମେଘା ଜୀ ଭାରତର ଏହି ଲକ୍ଷ୍ମୀଙ୍କ ବିନମ୍ରତା ଏବଂ କରୁଣାରେ ଖୁବ୍ ପ୍ରଭାବିତ ହୋଇଛନ୍ତି । ଏଭଳି ଅନେକ କାହାଣୀ ଲୋକେ ଶେୟାର କରିଛନ୍ତି । ଆପଣମାନେ ନିଶ୍ଚୟ ପଢ଼ନ୍ତୁ, ପ୍ରେରିତ ହୁଅନ୍ତୁ ଏବଂ ନିଜେ ମଧ୍ୟ ଏଭଳି କିଛି ନିଜ ଆଖ ପାଖରୁ ଶେୟାର କରନ୍ତୁ । ଭାରତର ଏହି ସମସ୍ତ ଲକ୍ଷ୍ମୀଙ୍କୁ ମୋର ସାଦର ପ୍ରଣାମ ।

ମୋର ପ୍ରିୟ ଦେଶବାସୀ, ସପ୍ତଦଶ ଶତାବ୍ଦୀର ସୁବିଖ୍ୟାତ କବୟିତ୍ରୀ ସାଁଚୀ ହୋନମ୍ମା । ସେ ସପ୍ତଦଶ ଶତାବ୍ଦୀରେ କନ୍ନଡ଼ ଭାଷାରେ ଗୋଟିଏ କବିତା ରଚନା କରିଥିଲେ । ସେହି ଭାବନା, ସେହି ଶବ୍ଦ, ଭାରତର ପ୍ରତ୍ୟେକ ଲକ୍ଷ୍ମୀ, ଆମେ ଯାହାଙ୍କ କଥା କହୁଛୁ, ଏମିତି ଲାଗୁଛି ଯେ ଏହାର ମୂଳଦୁଆ ସପ୍ତଦଶ ଶତାବ୍ଦୀରେ ହିଁ ପଡ଼ିଥିଲା । କେତେ ସୁନ୍ଦର ଶବ୍ଦ, କେତେ ସୁନ୍ଦର ଭାବ ଆଉ କେତେ ଉତ୍ତମ ଚିନ୍ତାଧାରା କନ୍ନଡ଼ ଭାଷାର ଏହି କବିତାରେ ରହିଛି ।

ପେଣଣିନ୍ଦା ପେର୍ମେଗୋଣ୍ଡନୁ ହିମୱନ୍ତନୁ

ପେଣଣିନ୍ଦା ଭୃଗୁ ପେର୍ଚିଦନୁ

ପେଣଣିନ୍ଦା ଜନକରାୟନୁ ଜସୱଡ଼େଦନୁ ।

ଯାହାର ଅର୍ଥ, ହିମବନ୍ତ ଅର୍ଥାତ୍ ପର୍ବତରାଜ ନିଜ କନ୍ୟା ପାର୍ବତୀଙ୍କ ଯୋଗୁଁ, ଭୃଗୁ ନିଜ କନ୍ୟା ଲକ୍ଷ୍ମୀଙ୍କ ଯୋଗୁଁ ଏବଂ ରାଜା ଜନକ ନିଜ କନ୍ୟା ସୀତାଙ୍କ ଯୋଗୁଁ ପ୍ରସିଦ୍ଧି ପାଇଥିଲେ । ଆମ ଝିଅମାନେ ଆମ ଗୌରବ । ଏହି ଝିଅମାନଙ୍କ ମହାତ୍ମ୍ୟରୁ ହିଁ, ଆମ ସମାଜର ଗୋଟିଏ ଦୃଢ଼ ପରିଚୟ ରହିଛି ଏବଂ ଏହାର ଉଜ୍ଜ୍ୱଳ ଭବିଷ୍ୟତ ରହିଛି ।

ମୋର ପ୍ରିୟ ଦେଶବାସୀ, 12 ନଭେମ୍ବର, 2019 – ଏହା ସେହିଦିନ, ଯେଉଁଦିନ ସାରା ବିଶ୍ୱରେ ଶ୍ରୀ ଗୁରୁ ନାନକ ଦେବଜୀଙ୍କର 550ତମ ପ୍ରକାଶ ଉତ୍ସବ ପାଳନ କରାଯିବ । ଗୁରୁ ନାନକ ଦେବଜୀଙ୍କ ପ୍ରଭାବ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ରହିଛି । ବିଶ୍ୱର ଅନେକ ଦେଶରେ ଆମର ଶିଖ୍ ଭାଇ-ଭଉଣୀ ବାସ କରୁଛନ୍ତି, ଯେଉଁମାନେ ଗୁରୁ ନାନକ ଦେବଜୀଙ୍କ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ । ମୁଁ ଭାଙ୍କୋଭର୍ ଏବଂ ତେହେରାନରେ ଗୁରୁଦ୍ୱାରା ଭ୍ରମଣକୁ କେବେହେଲେ ଭୁଲିପାରିବିନି । ଶ୍ରୀ ଗୁରୁନାନକ ଦେବଜୀଙ୍କ ସମ୍ପର୍କରେ ଏମିତି ଅନେକ କିଛି କଥା ରହିଛି ଯାହା ମୁଁ ଆପଣଙ୍କୁ କହିପାରେ, କିନ୍ତୁ ଏଥିପାଇଁ ‘ମନ୍ କି ବାତ୍’ର ଅନେକ ଅଧ୍ୟାୟ ଦରକାର। ସେ ସେବାକୁ ସର୍ବଦା ସବୁଠୁ ଉପରେ ରଖିଥିଲେ । ନିଃସ୍ୱାର୍ଥ ଭାବରେ କରାଯାଇଥିବା ସେବାକାର୍ଯ୍ୟର କୌଣସି ମୂଲ୍ୟାଙ୍କନ କରାଯାଇ ନପାରେ ବୋଲି ଗୁରୁନାନକ ଦେବଜୀ ଚିନ୍ତା କରୁଥିଲେ । ସେ ଅସ୍ପୃଶ୍ୟତା ଭଳି ସାମାଜିକ କୁପ୍ରଥାକୁ ଦୃଢ଼ ବିରୋଧ କରୁଥିଲେ । ଶ୍ରୀ ଗୁରୁନାନକ ଦେବଜୀ ନିଜ ବାର୍ତ୍ତାକୁ ବିଶ୍ୱର କୋଣଅନୁକୋଣରେ ପହଞ୍ଚାଇଥିଲେ । ସେ ତାଙ୍କ ସମୟରେ ସବୁଠାରୁ ଅଧିକ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଥିଲେ । ସେ ଅନେକ ସ୍ଥାନକୁ ଯାତ୍ରା କରିଥିଲେ ଏବଂ ଯେଉଁଠାକୁ ବି ଗଲେ, ସେଠାରେ ନିଜର ସରଳତା, ବିନମ୍ରତା ଆଉ ନିରାଡ଼ମ୍ବର ଆଚରଣ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିପାରିଥିଲେ । ଗୁରୁନାନକ ଦେବଜୀ ଅନେକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଯାତ୍ରା କରିଥିଲେ, ଯାହାକୁ ‘ଉଦାସୀ’ କୁହାଯାଏ । ସଦ୍ଭାବନା ଏବଂ ସମାନତାର ବାର୍ତ୍ତା ନେଇ ସେ ଉତ୍ତର ହେଉ କି ଦକ୍ଷିଣ, ପୂର୍ବ ହେଉ କି ପଶ୍ଚିମ – ସମସ୍ତ ଦିଗକୁ ଗଲେ, ସବୁ ଜାଗାରେ ଲୋକଙ୍କୁ, ସାଧୁ-ସନ୍ଥଙ୍କୁ, ମୁନିଋଷିଙ୍କୁ ଭେଟିଲେ । କୁହାଯାଏ ଯେ, ଆସାମର ସୁପ୍ରସିଦ୍ଧ ସନ୍ଥ ଶଙ୍କରଦେବ ମଧ୍ୟ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ସେ ହରିଦ୍ୱାରର ପବିତ୍ର ସ୍ଥାନକୁ ମଧ୍ୟ ଯାତ୍ରା କରିଥିଲେ । କାଶୀରେ ଗୋଟିଏ ପବିତ୍ର ସ୍ଥଳ ‘ଗୁରୁବାଗ୍ ଗୁରୁଦ୍ୱାରା’ ରହିଛି । କୁହାଯାଏ ଯେ, ଶ୍ରୀ ଗୁରୁନାନକ ଦେବଜୀ ସେଠାରେ ରହିଥିଲେ । ସେ ବୌଦ୍ଧଧର୍ମ ସହ ଜଡ଼ିତ ରାଜଗିର୍ ଏବଂ ଗୟା ଭଳି ଧାର୍ମିକ ସ୍ଥାନକୁ ମଧ୍ୟ ଯାତ୍ରା କରିଥିଲେ । ଦକ୍ଷିଣରେ ଗୁରୁ ନାନକ ଦେବଜୀ ଶ୍ରୀଲଙ୍କା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । କର୍ଣ୍ଣାଟକରେ ତାଙ୍କ ବିଦର୍ ଯାତ୍ରା ଅବସରରେ, ଗୁରୁ ନାନକ ଦେବଜୀ ହିଁ ସେଠାରେ ଜଳ ସଙ୍କଟର ସମାଧାନ କରିଥିଲେ । ବିଦରରେ “ଗୁରୁନାନକ ଜୀରା ସାହେବ” ନାମକ ଏକ ପ୍ରସିଦ୍ଧ ସ୍ଥାନ ରହିଛି ଯାହା ଗୁରୁ ନାନକ ଦେବଜୀଙ୍କ ପ୍ରତି ସମର୍ପିତ ଏବଂ ଏହା ତାଙ୍କ କଥା ଆମକୁ ମନେ ପକାଇଦିଏ । ଗୋଟିଏ ଉଦାସୀ ଯାତ୍ରା ସମୟରେ ଗୁରୁନାନକ ଜୀ ଉତରରେ କାଶ୍ମୀର ଏବଂ ଏହାର ଆଖପାଖ ଅଂଚଳକୁ ମଧ୍ୟ ଯାତ୍ରା କରିଥିଲେ । ଏହାଦ୍ୱାରା ଶିଖ୍ ଅନୁଗାମୀ ଏବଂ କାଶ୍ମୀର ମଧ୍ୟରେ ଖୁବ୍ ମଜଭୁତ ସମ୍ପର୍କ ସ୍ଥାପିତ ହେଲା । ଗୁରୁନାନକ ଦେବଜୀ ତିବତ୍ ମଧ୍ୟ ଯାଇଥିଲେ । ଯେଉଁଠି ଲୋକେ ତାଙ୍କୁ ଗୁରୁ ବୋଲି ଗ୍ରହଣ କରିଥିଲେ । ସେ ଉଜବେକିସ୍ତାନରେ ମଧ୍ୟ ପୂଜନୀୟ, ଯେଉଁଠିକୁ ସେ ଯାତ୍ରା କରିଥିଲେ । ନିଜର ଗୋଟିଏ ଉଦାସୀ ଯାତ୍ରା ସମୟରେ ସେ ବହୁଳ ଭାବରେ ଇସ୍ଲାମିକ ଦେଶଗୁଡ଼ିକର ଯାତ୍ରା ମଧ୍ୟ କରିଥିଲେ, ଯେଉଁଥିରେ ସାଉଦି ଆରବ, ଇରାକ୍ ଏବଂ ଆଫଗାନିସ୍ତାନ ମଧ୍ୟ ସାମିଲ ରହିଛି । ସେ ସେହି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ବାସ କରୁଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ଶ୍ରଦ୍ଧା ସହ ତାଙ୍କ ଉପଦେଶଗୁଡ଼ିକର ପାଳନ କରିଆସିଛନ୍ତି ଏବଂ ଆଜି ମଧ୍ୟ କରୁଛନ୍ତି । ଏଇ କିଛିଦିନ ତଳେ, ପ୍ରାୟ 85ଟି ଦେଶର ରାଷ୍ଟ୍ରଦୂତ ଦିଲ୍ଲୀରୁ ଅମୃତସର ଯାତ୍ରା କରିଥିଲେ । ସେଠାରେ ସେମାନେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଦର୍ଶନ କଲେ । ଗୁରୁନାନକ ଦେବଜୀଙ୍କ 550ତମ ପ୍ରକାଶ ପର୍ବ ଉପଲକ୍ଷେ ଏହା ଆୟୋଜିତ ହୋଇଥିଲା । ଏତେ ସଂଖ୍ୟକ ରାଷ୍ଟ୍ରଦୂତ ସେଠାରେ ସ୍ୱର୍ଣ୍ଣ ମନ୍ଦିରର ଦର୍ଶନ ତ କଲେ, ଏହାସାଙ୍ଗକୁ ସେମାନେ ଶିଖ୍ ପରମ୍ପରା ଏବଂ ସଂସ୍କୃତି ସମ୍ପର୍କରେ ଜାଣିବାର ସୁଯୋଗ ମଧ୍ୟ ପାଇଲେ । ଏହାପରେ ରାଷ୍ଟ୍ରଦୂତମାନେ ସୋସିଆଲ ମିଡିଆରେ ଏହାର ବହୁ ଫଟୋ ଶେୟାର କରିଥିଲେ । ଗର୍ବର ସହିତ ନିଜର ଅନୁଭୂତିକୁ ମଧ୍ୟ ସେମାନେ ଲେଖିଥିଲେ । ଗୁରୁ ନାନକଦେବଜୀଙ୍କ 550ତମ ପ୍ରକାଶ ପର୍ବ ଆମକୁ ତାଙ୍କ ଚିନ୍ତାଧାରା ଏବଂ ଆଦର୍ଶକୁ ନିଜ ଜୀବନରେ ଆପଣେଇବାର ଅଧିକ ପ୍ରେରଣା ଯୋଗାଉ, ଏହା ମୋର କାମନା । ପୁଣିଥରେ ମୁଁ ମୁଣ୍ଡ ନୁଆଁଇ ଗୁରୁ ନାନକ ଦେବଜୀଙ୍କୁ ପ୍ରଣାମ କରୁଛି ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋର ବିଶ୍ୱାସ ଯେ, ଅକ୍ଟୋବର ମାସର 31 ତାରିଖ ଆପଣମାନଙ୍କର ନିଶ୍ଚୟ ମନେଥିବ । ଏହିଦିନ ଭାରତର ସେହି ଲୌହମାନବ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ, ଯିଏ ଦେଶକୁ ଏକତାର ସୂତ୍ରରେ ଗୁନ୍ଥିବାର ମହାନାୟକ ଥିଲେ । ସର୍ଦ୍ଦାର ପଟେଲଙ୍କ ଭିତରେ ଗୋଟିଏ ପଟେ ଲୋକଙ୍କୁ ଏକଜୁଟ କରିବାର ଅଦ୍ଭୁତ କ୍ଷମତା ଥିଲା, ଅନ୍ୟପଟେ ସେ ବିଚାରଗତ ମତାନ୍ତର ଥିବା ଲୋକଙ୍କ ସହ ମଧ୍ୟ ତାଳମେଳ ପ୍ରତିଷ୍ଠା କରିପାରୁଥିଲେ । ସର୍ଦ୍ଦାର ପଟେଲ ସୂକ୍ଷ୍ମାତିସୂକ୍ଷ୍ମ କଥାଗୁଡ଼ିକୁ ମଧ୍ୟ ଗୁରୁତ୍ୱର ସହ ଗ୍ରହଣ କରୁଥିଲେ, ପରଖୁଥିଲେ । ପ୍ରକୃତ ଅର୍ଥରେ ସେ ‘ମ୍ୟାନ ଅଫ ଡିଟେଲ’ ଥିଲେ । ତା’ସହିତ ସେ ସଂଗଠନ କୌଶଳରେ ମଧ୍ୟ ନିପୁଣ ଥିଲେ । ଯୋଜନା ପ୍ରସ୍ତୁତ କରିବା ଏବଂ ରଣକୌଶଳ ପ୍ରସ୍ତୁତ କରିବାରେ ସେ ସିଦ୍ଧହସ୍ତ ଥିଲେ । ସର୍ଦ୍ଦାର ସାହେବଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ଯେତେବେଳେ ପଢ଼ୁ, ଶୁଣୁ, ସେତେବେଳେ ଜଣାପଡ଼େ ଯେ, ତାଙ୍କର ଯୋଜନା ପ୍ରସ୍ତୁତି କେତେ ସୁଦୃଢ଼ ରହୁଥିଲା । 1921ରେ ଅହମଦାବାଦଠାରେ କଂଗ୍ରେସ ଅଧିବେଶନରେ ଯୋଗ ଦେବାପାଇଁ ସାରା ଦେଶରୁ ହଜାର ହଜାର ସଂଖ୍ୟାରେ ପ୍ରତିନିଧିଙ୍କର ପହଞ୍ଚିବାର ଥିଲା । ଅଧିବେଶନର ସମସ୍ତ ବ୍ୟବସ୍ଥାର ଦାୟିତ୍ୱ ସର୍ଦ୍ଦାର ପଟେଲଙ୍କ ଉପରେ ନ୍ୟସ୍ତ ଥିଲା । ଏହି ସୁଯୋଗର ଉପଯୋଗ ସେ ସହରରେ ଜଳ ଯୋଗାଣର ନେଟୱର୍କକୁ ସୁଧାରିବା ପାଇଁ ମଧ୍ୟ କରିଥିଲେ । ପାଣି ପାଇଁ କାହାରିକୁ ଅସୁବିଧା ନ ହେଉ, ଏ କଥା ସେ ସୁନିଶ୍ଚିତ କରିଥିଲେ । କେବଳ ସେତିକି ନୁହେଁ, ତାଙ୍କୁ ଏହି ଚିନ୍ତା ମଧ୍ୟ ଘାରିଥିଲା ଯେ, ଅଧିବେଶନ ସ୍ଥଳରେ କୌଣସି ପ୍ରତିନିଧିଙ୍କ ଜିନିଷପତ୍ର କିମ୍ବା ଜୋତା ଚୋରି ନ ହେଉ ଏକଥାକୁ ଦୃଷ୍ଟିରେ ରଖି ସର୍ଦ୍ଦାର ପଟେଲ ଯାହା କରିଥିଲେ ତାହାଜାଣି ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ । ସେ ଚାଷୀମାନଙ୍କ ସହ ଯୋଗାଯୋଗ କଲେ ଏବଂ ସେମାନଙ୍କୁ ଖଦିର ବ୍ୟାଗ୍ ତିଆରି କରିବାକୁ ଅନୁରୋଧ କଲେ । ଚାଷୀମାନେ ବ୍ୟାଗ୍ ତିଆରି କଲେ ଏବଂ ସେଗୁଡ଼ିକୁ ପ୍ରତିନିଧିମାନଙ୍କୁ ବିକ୍ରି କଲେ । ଏହି ବ୍ୟାଗରେ ନିଜର ଜୋତା-ଚପଲ ରଖି ନିଜ ସାଙ୍ଗରେ ରଖିପାରିବା ଫଳରେ ସେମାନଙ୍କ ମନରୁ ଜୋତା ଚୋରି ହେବାର ଦୁଶ୍ଚିନ୍ତା ଦୂର ହୋଇଗଲା । ତେଣେ, ଖଦି ବିକ୍ରିରେ ଯଥେଷ୍ଟ ବୃଦ୍ଧି ହେଲା । ସମ୍ବିଧାନ ସଭାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ଯୋଗୁଁ ଆମ ଦେଶ ସର୍ଦ୍ଦାର ପଟେଲଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ । ସେ ମୌଳିକ ଅଧିକାରଗୁଡ଼ିକୁ ସୁନିଶ୍ଚିତ କରିବାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କଲେ, ଯେମିତି କି ଜାତି ଏବଂ ସମ୍ପ୍ରଦାୟ ଆଧାରରେ ହେଉଥିବା କୌଣସି ପ୍ରକାର ଭେଦଭାବର ଅବକାଶ ନ ରହେ ।

ବନ୍ଧୁଗଣ, ଆମେ ସମସ୍ତେ ଜାଣିଛୁ ଯେ, ଭାରତର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ରୂପେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣରେ ବହୁତ ବଡ଼ ଭଗୀରଥ ପ୍ରୟାସ ତଥା ଐତିହାସିକ କାର୍ଯ୍ୟ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇଙ୍କର ବିଶେଷତ୍ୱ ଥିଲା ଯେ, ତାଙ୍କର ନଜର ପ୍ରତ୍ୟେକ ଘଟଣା ଉପରେ ରହୁଥିଲା । ଗୋଟିଏ ପଟେ ତାଙ୍କ ନଜର ହାଇଦ୍ରାବାଦ, ଜୁନାଗଡ଼ ଆଉ ଅନ୍ୟ ରାଜ୍ୟ ଉପରେ କେନ୍ଦ୍ରିତ ଥିଲା ଅନ୍ୟପଟେ ତାଙ୍କ ଦୃଷ୍ଟି ସୁଦୂର ଦକ୍ଷିଣରେ ଲାକ୍ଷାଦ୍ୱୀପ ଉପରେ ମଧ୍ୟ ଥିଲା । ପ୍ରକୃତରେ ଯେତେବେଳେ ଆମେ ସର୍ଦ୍ଦାର ପଟେଲଙ୍କ ପ୍ରଚେଷ୍ଟା ସମ୍ପର୍କରେ ଆଲୋଚନା କରୁ, ସେତେବେଳେ ଦେଶ ଏକତ୍ରୀକରଣର କିଛି ନିର୍ଦ୍ଦିଷ୍ଟ ପ୍ରାନ୍ତରେ ହିଁ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥାଏ । କିନ୍ତୁ ଲାକ୍ଷାଦ୍ୱୀପ ଭଳି ଛୋଟ ଜାଗା ପାଇଁ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ଏକଥାକୁ ଲୋକେ କ୍ୱଚିତ ମନେପକାନ୍ତି । ଆପଣମାନେ ଭଲଭାବେ ଜାଣନ୍ତି ଯେ, ଲାକ୍ଷାଦ୍ୱୀପ କେତେଗୁଡ଼ିଏ ଦ୍ୱୀପର ସମଷ୍ଟି । ଏହା ଭାରତର ସବୁଠୁ ସୁନ୍ଦର ଅଞ୍ଚଳମାନଙ୍କ ମଧ୍ୟରୁ ଅନ୍ୟତମ । 1947ରେ ଭାରତ ବିଭାଜନର ଠିକ୍ ପରେ ପରେ ଆମ ପଡ଼ୋଶୀର ନଜର ଲାକ୍ଷାଦ୍ୱୀପ ଉପରେ ଥିଲା ଏବଂ ଏହା ନିଜ ପତାକା ସହ ଜାହାଜ ପ୍ରେରଣ କରିଥିଲା । ସର୍ଦ୍ଦାର ପଟେଲଙ୍କୁ ଏହି ସୂଚନା ମିଳିବା ସଙ୍ଗେ ସଙ୍ଗେ ସେ ସମୟ ନଷ୍ଟ ନ କରି, ତିଳେହେଲେ କାଳ ବିଳମ୍ବ ନ କରି, ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଲେ । ସେ ମୁଦାଲିୟାର ଭ୍ରାତା, ଆର୍କୋଟ ରାମାସ୍ୱାମୀ ମୁଦାଲିୟାର ଓ ଆର୍କୋଟ ଲକ୍ଷ୍ମଣସ୍ୱାମୀ ମୁଦାଲିୟାରଙ୍କୁ କହିଲେ ତ୍ରାଭାଙ୍କୋର ଲୋକଙ୍କୁ ସାଙ୍ଗରେ ଧରି ତୁରନ୍ତ ବାହାରି ପଡ଼ି ସେଠାରେ ପହଞ୍ଚି ତ୍ରିରଙ୍ଗା ଉଡ଼ାଇବାକୁ। ଲାକ୍ଷାଦ୍ୱୀପରେ ପ୍ରଥମେ ତ୍ରିରଙ୍ଗା ଉଡ଼ିବା ଦରକାର । ତାଙ୍କ ଆଦେଶର ଠିକ୍ ପରେ ପରେ, ସେଠାରେ ତ୍ରିରଙ୍ଗା ଉଡ଼ାଗଲା ଏବଂ ଲାକ୍ଷାଦ୍ୱୀପକୁ କବ୍ଜା କରିବାର ପଡ଼ୋଶୀଙ୍କ ସ୍ୱପ୍ନକୁ ଦେଖୁ ଦେଖୁ ଧୂଳିସାତ୍ କରିଦିଆଗଲା । ଏହି ଘଟଣା ପରେ ସର୍ଦ୍ଦାର ପଟେଲ ମୁଦାଲିୟାର ଭ୍ରାତାଙ୍କୁ କହିଲେ ଯେ ଲାକ୍ଷାଦ୍ୱୀପର ବିକାଶ ପାଇଁ ସମସ୍ତ ଜରୁରି ସାହାଯ୍ୟ ମିଳୁ, ସେକଥା ସେମାନେ ବ୍ୟକ୍ତିଗତ ଭାବେ ସୁନିଶ୍ଚିତ କରନ୍ତୁ, ଆଜି ଲାକ୍ଷାଦ୍ୱୀପ ଭାରତର ପ୍ରଗତିରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ଏହା ମଧ୍ୟ ଗୋଟିଏ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ । ଆପଣମାନେ ମଧ୍ୟ ଏହି ସୁନ୍ଦର ଦ୍ୱୀପ ଏବଂ ସମୁଦ୍ର ବେଳାଭୂମିକୁ ଯାତ୍ରା କରିବେ ବୋଲି ମୋର ଆଶା ।

ମୋର ପ୍ରିୟ ଦେଶବାସୀ, 2018 ମସିହା ଅକ୍ଟୋବର ମାସ 31 ତାରିଖ, ଏହିଦିନ ସର୍ଦ୍ଦାର ସାହେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ଦେଶ ଏବଂ ଦୁନିଆକୁ ସମର୍ପିତ କରାଯାଇଥିଲା । ଏ ହେଉଛି ପୃଥିବୀର ସବୁଠାରୁ ବଡ଼ ମୂର୍ତ୍ତି । ଏହା ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟି ଠାରୁ ଉଚ୍ଚତାରେ ଦୁଇଗୁଣ ବଡ଼ । ବିଶ୍ୱର ସବୁଠାରୁ ଉଚ୍ଚ ଏହି ପ୍ରତିମା, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ପ୍ରତ୍ୟେକ ଭାରତୀୟର ମଥା ଗର୍ବରେ ଉପରକୁ ଉଠିଯାଏ । ଆପଣମାନେ ଜାଣି ଖୁସିହେବେ ଯେ ଏଇ ଗୋଟିଏ ବର୍ଷ ଭିତରେ ଛବିଶ ଲକ୍ଷରୁ ଅଧିକ ପର୍ଯ୍ୟଟକ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାକୁ ଆସିଥିଲେ । ଅର୍ଥାତ୍ ଦିନକୁ ହାରାହାରି ସାଢ଼େ ଆଠହଜାର ଲୋକ ଷ୍ଟାଚ୍ୟୁ ଅଫ ୟୁନିଟିର ଭବ୍ୟତାକୁ ଦର୍ଶନ କଲେ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ସେମାନଙ୍କ ହୃଦୟର ଆସ୍ଥା ଓ ଶ୍ରଦ୍ଧା ପ୍ରକଟ କଲେ । ଏବେତ ସେଠି କାକ୍ଟସ୍ ଗାର୍ଡନ୍, ବଟରଫ୍ଲାଏ ଗାର୍ଡନ, ଜଙ୍ଗଲ ସଫାରୀ, ଶିଶୁ ପୋଷଣ ଉଦ୍ୟାନ, ଏକତା ନର୍ସରୀ ଇତ୍ୟାଦି ଏମିତି କେତେ ଆକର୍ଷଣର କେନ୍ଦ୍ର ଲଗାତାର ବିକଶିତ ହେବାରେ ଲାଗିଛି । ଆଉ ଏହାଦ୍ୱାରା ସ୍ଥାନୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ହେଉଛି ଏବଂ ଲୋକମାନଙ୍କ ପାଇଁ ରୋଜଗାରର ନୂଆ ନୂଆ ସୁଯୋଗ ସୃଷ୍ଟି ହେଉଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କର ସୁବିଧା ପାଇଁ ଅନେକ ଗ୍ରାମବାସୀ ନିଜ ନିଜ ଘରେ ରହିବାର ବା ହୋମ ଷ୍ଟେ ସୁବିଧା ଉପଲବ୍ଧ କରାଉଛନ୍ତି । ଘରେ ରହିବା ବ୍ୟବସ୍ଥା କରାଉଥିବା ଲୋକମାନଙ୍କୁ ପେସାଗତ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ସେଠାକାର ଲୋକମାନେ ଏବେ ଡ୍ରାଗନ ଫ୍ରୁଟ ଚାଷ ମଧ୍ୟ ଆରମ୍ଭ କରିଦେଲେଣି, ମୋର ବିଶ୍ୱାସ ଖୁବ୍ଶୀଘ୍ର ଏହା ସେ ଅଞ୍ଚଳର ଲୋକମାନଙ୍କ ପାଇଁ ଜୀବନଧାରଣର ପ୍ରମୁଖ ଉପାୟ ପାଲଟିଯିବ ।

ସାଥୀଗଣ, ଦେଶ ପାଇଁ, ସମସ୍ତ ରାଜ୍ୟ ପାଇଁ ତଥା ପର୍ଯ୍ୟଟନ ଶିଳ୍ପ ପାଇଁ ଏଇ ଷ୍ଟାଚ୍ୟୁ ଅଫ ୟୁନିଟି ଏକ ଅଧ୍ୟୟନର ବିଷୟ ହୋଇପାରିବ । ମାତ୍ର ଗୋଟିଏ ବର୍ଷ ଭିତରେ କିପରି ଗୋଟିଏ ସ୍ଥାନ ଏକ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହୋଇପାରେ, ଆମେ ସମସ୍ତେ ତା’ର ସାକ୍ଷୀ । ସେଠାକୁ ଦେଶବିଦେଶର ଲୋକ ଆସୁଛନ୍ତି । ପରିବହନ, ରହଣି, ଗାଇଡ୍, ପରିବେଶ ଅନୁକୂଳ ବ୍ୟବସ୍ଥା ଭଳି ଅନେକ ସୁବିଧା ସେଠାରେ ବିକଶିତ ହୋଇଚାଲିଛି । ବହୁତ ବଡ଼ ଆର୍ଥିକ ବିକାଶ ହେଉଛି ଏବଂ ଯାତ୍ରୀମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ଲୋକମାନେ ସେଠାରେ ବିଭିନ୍ନ ସୁବିଧା ସୃଷ୍ଟି କରୁଛନ୍ତି । ସରକାର ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି । ବନ୍ଧୁଗଣ! ଏଇ କିଛିଦିନ ତଳେ ଟାଇମ ମାଗାଜିନ ଦ୍ୱାରା ଘୋଷିତ ବିଶ୍ୱର ଶହେଟି ପ୍ରମୁଖ ପର୍ଯ୍ୟଟନସ୍ଥଳ ମଧ୍ୟରେ ଷ୍ଟାଚ୍ୟୁ ଅଫ ୟୁନିଟିକୁ ମଧ୍ୟ ସାମିଲ କରାଯାଇଛି । ଏମିତି କେଉଁ ଭାରତୀୟ ଥିବେ ଯିଏ ଏଥିପାଇଁ ଗର୍ବ ଅନୁଭବ ନ କରିବେ ? ମୁଁ ଆଶା କରୁଛି, ଆପଣମାନେ ସମସ୍ତେ ଆପଣମାନଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ବାହାର କରି ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିବାକୁ ତ ଯିବେ, ତା’ସଙ୍ଗେ ସଙ୍ଗେ ମୋର ପୂର୍ବ ଅନୁରୋଧ ଅନୁସାରେ ସମୟ ବାହାର କରି ପରିବାର ସହ ଅତିକମରେ ଭାରତର 15ଟି ପର୍ଯ୍ୟଟନ କ୍ଷେତ୍ର ଭ୍ରମଣ କରିବେ ଏବଂ ସେଠାରେ ରାତ୍ରିଯାପନ କରିବେ ।

ବନ୍ଧୁଗଣ, ଆପଣମାନେ ଜାଣନ୍ତି ଯେ ବର୍ଷ 2014ରୁ ପ୍ରତିବର୍ଷ ଅକ୍ଟୋବର 31 ତାରିଖକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଏହି ଦିନଟି ଆମକୁ ଯେକୌଣସି ମତେ ଦେଶର ସୁରକ୍ଷା, ଅଖଣ୍ଡତା ଏବଂ ଏକତା ରକ୍ଷା କରିବାର ବାର୍ତ୍ତା ଦେଇଥାଏ । ପ୍ରତିବର୍ଷ ଭଳି ଏଥର ଅକ୍ଟୋବର 31 ତାରିଖ ଦିନ “ଏକତା ପାଇଁ ଦୌଡ଼” ମଧ୍ୟ ଆୟୋଜିତ ହେବ । ଏଥିରେ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ଅଞ୍ଚଳର ଲୋକ ଭାଗନେବେ । ‘ଏ ଦେଶ ହେଉଛି ଏକ’ – ‘ଏକତା ପାଇଁ ଦୌଡ଼’ ଏହାର ପ୍ରତୀକ । ଏହି ଏକତା ଦିଗରେ ଚାଲିଛି ଦେଶ ଏବଂ ଗୋଟିଏ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛି । ଗୋଟିଏ ଲକ୍ଷ୍ୟ – ଏକ ଭାରତ, ଶ୍ରେଷ୍ଠ ଭାରତ ।

ଗତ ପାଞ୍ଚ ବର୍ଷରେ ଦେଖାଯାଇଛି – ଖାଲି ଦିଲ୍ଲୀ ନୁହେଁ ବରଂ ହିନ୍ଦୁସ୍ତାନର ଶହ ଶହ ସହରରେ, କେନ୍ଦ୍ରଶାସିତ ଅଞ୍ଚଳରେ, ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ତଥା ଛୋଟ ଛୋଟ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ବି ପୁରୁଷ, ମହିଳା, ବାଳକ, ଯୁବକ, ବୃଦ୍ଧ, ଦିବ୍ୟାଙ୍ଗ, ସହରର ଲୋକ, ଗାଁର ଲୋକ ସମସ୍ତେ ବହୁସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି । ଏମିତି ବି ଆଜିକାଲି ଲୋକମାନଙ୍କ ମଧ୍ୟରେ ମାରାଥନ୍ ପ୍ରତି ଏକ ଆଗ୍ରହ ଆଉ ଉତ୍ସାହ ଦେଖିବାକୁ ମିଳୁଛି । ‘ଏକତା ପାଇଁ ଦୌଡ଼’ ତ ସେହିଭଳି ଏକ ନିଆରା କାର୍ଯ୍ୟକ୍ରମ । ଦୌଡ଼ିବା - ମନ ମସ୍ତିଷ୍କ ଏବଂ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଠି ତ ଦଉଡ଼ିବା ସହିତ ଫିଟ ଇଣ୍ଡିଆର ଭାବନାକୁ ଚରିତାର୍ଥ କରିବା ସଂଗେ ସଂଗେ ଆମେ ଏକ ଭାରତ – ଶ୍ରେଷ୍ଠ ଭାରତର ଉଦ୍ଦେଶ୍ୟ ନେଇ ମଧ୍ୟ ଯୋଡ଼ି ହୋଇଯାଉଛୁ । ଆଉ ଏଥିପାଇଁ ଖାଲି ଶରୀର ନୁହେଁ ମନ ଏବଂ ସଂସ୍କାର ମଧ୍ୟ ଭାରତର ଏକତା ରକ୍ଷା ତଥା ଭାରତକୁ ଉଚ୍ଚତାର ଏକ ନୂଆ ସ୍ତରକୁ ନେବାକୁ ଅନୁପ୍ରାଣିତ ହେଉଛି । ଆପଣ ଯେଉଁ ସହରରେ ରହୁଛନ୍ତି ତା’ର ଆଖପାଖରେ ‘ଏକତା ପାଇଁ ଦୌଡ଼’ ଆୟୋଜିତ ହେଉଥିବା ସ୍ଥାନ ଖୋଜି ପାଇପାରିବେ । ଏଥିପାଇଁ ଗୋଟିଏ ପୋର୍ଟାଲ ଆରମ୍ଭ କରାଯାଇଛି runforunity.gov.in ଏଇ ପୋର୍ଟାଲରେ ସାରା ଦେଶରେ “ଏକତା ପାଇଁ ଦୌଡ଼” ଆୟୋଜିତ ହେଉଥିବା ସ୍ଥାନର ସୂଚନା ଦିଆଯାଇଛି । ମୋର ବିଶ୍ୱାସ, ଆପଣମାନେ ଅକ୍ଟୋବର 31 ତାରିଖ ଦିନ ଭାରତର ଏକତା ଏବଂ ନିଜ ନିଜର ଫିଟନେସ ପାଇଁ ନିଶ୍ଚୟ ଦୌଡ଼ିବେ ।

ମୋର ପ୍ରିୟ ଦେଶବାସୀ, ସର୍ଦ୍ଦାର ପଟେଲ ଦେଶକୁ ଏକତାର ଡୋରିରେ ବାନ୍ଧିଥିଲେ । ଏକତାର ଏହି ମନ୍ତ୍ର ଆମ ଜୀବନରେ ଏକ ସଂସ୍କାର ସଦୃଶ । ଆଉ ଭାରତ ଭଳି ଏକ ବିବିଧତା ଭରା ଦେଶରେ ପ୍ରତ୍ୟେକଟି ସ୍ତରରେ, ପ୍ରତ୍ୟେକଟି ରାସ୍ତାରେ, ପ୍ରତିଟି ପଡ଼ାରେ, ପ୍ରତିଟି ମୋଡ଼ରେ ଆମେ ଏହି ମନ୍ତ୍ରକୁ ଦୃଢ଼ କରିଚାଲିବା ଆବଶ୍ୟକ । ମୋର ପ୍ରିୟ ଦେଶବାସୀଗଣ, ଦେଶର ଏକତା ଓ ପରସ୍ପର ସଦ୍ଭାବନାକୁ ସୁଦୃଢ଼ କରିବା ଦିଗରେ ଆମ ସମାଜ ସର୍ବଦା ସକ୍ରିୟ ଏବଂ ସତର୍କ ରହିଆସିଛି । ଆମ ଆଖପାଖରେ ଏମିତି ଅନେକ ଉଦାହରଣ ମିଳିବ ଯେଉଁଠି ପାରସ୍ପରିକ ସଦ୍ଭାବ ବୃଦ୍ଧି ପାଇଁ ନିରନ୍ତର ପ୍ରୟାସ ହେଉଛି । କିନ୍ତୁ ବେଳେବେଳେ ଏମିତି ବି ହୋଇଥାଏ ଯେ ସଦ୍ଭାବନା ପାଇଁ ସମାଜର ଏହି ପ୍ରଚେଷ୍ଟା, ତା’ର ଯୋଗଦାନ ଆମ ସ୍ମୃତିପଟଳରୁ ହଠାତ୍ ଅପସରିଯାଏ ।

ବନ୍ଧୁଗଣ, ମୋର ମନେଅଛି ସେପ୍ଟେମ୍ବର 2010ରେ ଆହ୍ଲାବାଦ ହାଇକୋର୍ଟ ରାମ ଜନ୍ମଭୂମି ମାମଲାରେ ତାଙ୍କର ରାୟ ଶୁଣାଇଥିଲେ – ଟିକେ ସେଇ ଦିନଗୁଡ଼ିକୁ ମନେପକାନ୍ତୁ ତ.... କେମିତି ପରିସ୍ଥିତି ଥିଲା । ବିଭିନ୍ନ ବର୍ଗର କେତେ ଲୋକ ରାଜରାସ୍ତାକୁ ଆସିଯାଇଥିଲେ । କେମିତି କେଉଁ କେଉଁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ନିଜ ନିଜର ଫାଇଦା ପାଇଁ ଖେଳ ଖେଳୁଥିଲେ । ଉତେଜନା ସୃଷ୍ଟି କରିବା ପାଇଁ କିଭଳି ଭାଷାର ପ୍ରୟୋଗ କରୁଥିଲେ । କଥାବାର୍ତ୍ତାରେ ଉତେଜନା ବୃଦ୍ଧି କରିବାର ପ୍ରଚେଷ୍ଟା ମଧ୍ୟ ହୋଇଥିଲା । କିଛି କୁହାଳିଆ ଆଉ କିଛି ବଡ଼ପାଟିଆ ଲୋକ ଖାଲି ନିଜର ବଡ଼ିମା ଦେଖାଇବାକୁ କ’ଣ ନାହିଁ କ’ଣ କହିଯାଉଥିଲେ, କିଭଳି ଦାୟିତ୍ୱଶୂନ୍ୟ କଥାବାର୍ତ୍ତା କରୁଥିଲେ ଆମର ମନେଅଛି । କିନ୍ତୁ ଏସବୁ ପାଞ୍ଚଦିନ, ସାତଦିନ, ଦଶଦିନ ପର୍ଯ୍ୟନ୍ତ ଚାଲିଲା କିନ୍ତୁ ଯେତେବେଳେ ରାୟ ଆସିଲା ସେତେବେଳେ ଗୋଟିଏ ଆନନ୍ଦଦାୟକ, ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଶରେ ଅନୁଭୂତ ହେଲା । ଗୋଟିଏ ପଟେ ଦୁଇ ସପ୍ତାହର ଉତେଜନା ପାଇଁ ସବୁକିଛି ହେଲା କିନ୍ତୁ ଯେତେବେଳେ ରାମ ଜନ୍ମଭୂମି ଉପରେ ରାୟ ଆସିଲା ସେତେବେଳେ ସରକାର, ରାଜନୈତିକ ସଂଗଠନ, ସଭ୍ୟ ସମାଜ, ସବୁ ସମ୍ପ୍ରଦାୟର ପ୍ରତିନିଧି, ସାଧୁସନ୍ଥ ଆଦି ସମସ୍ତେ ଖୁବ୍ ଶୃଙ୍ଖଳିତ ଭାବରେ ଏବଂ ସଂଯମତାର ସହିତ ବିବୃତ୍ତି ଦେଲେ । ବାତାବରଣର ଉତେଜନା କମ୍ କରିବାକୁ ପ୍ରୟାସ କଲେ । ଆଜି କିନ୍ତୁ ମୋର ସେଦିନ ଭଲ ଭାବେ ମନେଅଛି । ଯେତେବେଳେ ସେ କଥା ମନେପଡ଼େ ବହୁତ ଖୁସିଲାଗେ । ନ୍ୟାୟପାଳିକାର ଗରିମାକୁ ଯଥେଷ୍ଟ ସମ୍ମାନ ଦିଆଗଲା କୌଣସିଠାରେ ବି ଉତେଜନା ସୃଷ୍ଟି ହେବାକୁ ଦିଆଗଲା ନାହିଁ । ଏକଥାକୁ ସବୁବେଳେ ମନେ ରଖିବାକୁ ହେବ । ଏକଥା ଆମକୁ ବହୁତ ଶକ୍ତିଦିଏ । ସେଦିନ, ସେ ମୁହୂର୍ତ୍ତ ଆମ ସମସ୍ତଙ୍କ ପାଇଁ ଏକ କର୍ତ୍ତବ୍ୟବୋଧ ଥିଲା । ଏକତାର ସ୍ୱର ଦେଶକୁ କେତେ ଶକ୍ତ କରିଥାଏ ଏହା ତା’ର ଉଦାହରଣ ।

ମୋର ପ୍ରିୟ ଦେଶବାସୀ, 31 ଅକ୍ଟୋବରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରା ଜୀଙ୍କ ହତ୍ୟା ବି ହୋଇଥିଲା । ଦେଶକୁ ଗୋଟିଏ ଦାରୁଣ ଆଘାତ ଲାଗିଥିଲା । ମୁଁ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ମୋର ପ୍ରିୟ ଦେଶବାସୀ, ଆଜି ଘରମାନଙ୍କରୁ ଯଦି କିଛି କାହାଣୀ ଶୁଭୁଥାଏ, ପ୍ରତି ଗାଁରୁ ଶୁଣିବାକୁ ମିଳୁଥାଏ – ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ କେବଳ ଗୋଟିଏ କାହାଣୀ ଶୁଣିବାକୁ ମିଳିଥାଏ – ତାହାହେଲା ସ୍ୱଚ୍ଛତାର କାହାଣୀ । ପ୍ରତ୍ୟେକ ବ୍ୟକ୍ତି, ପ୍ରତି ପରିବାର, ପ୍ରତିଟି ଗାଁ ସ୍ୱଚ୍ଛତା ସମ୍ବନ୍ଧରେ ନିଜର ସୁଖଦ ଅନୁଭୂତିକୁ ପ୍ରକାଶ କରିବାକୁ ଚାହେଁ, କାରଣ ସ୍ୱଚ୍ଛତାର ଏହି ପ୍ରୟାସ 125 କୋଟି ଭାରତୀୟଙ୍କର ପ୍ରୟାସ । ସେହି 125 କୋଟି ଭାରତୀୟ ହିଁ ଏ ପରିଣାମର ମାଲିକ । କିନ୍ତୁ ଗୋଟିଏ ସୁଖଦ ଓ ରୁଚିପୂର୍ଣ୍ଣ ଅନୁଭୂତି ମଧ୍ୟ ଅଛି । ମୁଁ ଶୁଣିଛି – ଭାବୁଛି ଆପଣମାନଙ୍କୁ ମଧ୍ୟ ଶୁଣେଇବି । ଆପଣମାନେ କଳ୍ପନା କରନ୍ତୁ ତ, ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ଯେଉଁଠି ତାପମାତ୍ରା ବିଯୁକ୍ତ 50-60 ଡିଗ୍ରୀ ପର୍ଯ୍ୟନ୍ତ ଚାଲିଯାଏ, ବାୟୁମଣ୍ଡଳରେ ନାମକୁ ମାତ୍ର ଅମ୍ଳଜାନ   ଥାଏ – ଏଭଳି ପ୍ରତିକୂଳ ପରିସ୍ଥିତିରେ ଏଭଳି ଆହ୍ୱାନ ଭିତରେ ରହିବା ବି କୌଣସି ପରାକ୍ରମଠାରୁ କମ୍ ନୁହେଁ । ଏଭଳି କଠିନ ପରିସ୍ଥିତିରେ ଆମର ସାହସୀ ଯବାନମାନେ କେବଳ ସଦର୍ପେ ସୀମାର ସୁରକ୍ଷା କରୁଛନ୍ତି ତା’ନୁହେଁ ବରଂ ସେଠାରେ ସ୍ୱଚ୍ଛ ସିଆଚୀନ୍ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ଭାରତୀୟ ସେନାର ଏହି ଅଦ୍ଭୂତ ପ୍ରତିବଦ୍ଧତା ପାଇଁ ଦେଶବାସୀଙ୍କ ତରଫରୁ ମୁଁ ସେମାନଙ୍କୁ ପ୍ରଶଂସା କରୁଛି । ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ସେଠି ଏତେ ଥଣ୍ଡା ଯେକୌଣସି ଜିନିଷ ଡିକମ୍ପୋଜ ହେବା ସମ୍ଭବ ନୁହେଁ । ଏଭଳି ସ୍ଥିତିରେ ଅଳିଆ ଆବର୍ଜନାକୁ ଅଲଗା କରିବା ଏବଂ ତା’ର ପରିଚାଳନା କରିବା ଏକ ମହତ୍ୱପୂର୍ଣ୍ଣ କାମ । ଏଭଳି ସ୍ଥିତିରେ ହିମଖଣ୍ଡ ଏବଂ ତା’ର ଆଖପାଖ ଅଞ୍ଚଳରୁ 130 ଟନ୍ ବା ତା’ଠାରୁ ଅଧିକ ଅଳିଆ ଆର୍ବଜନାକୁ ହଟେଇବା ସେ ପୁଣି ସେଠିକାର କ୍ଷଣଭଙ୍ଗୁର ପ୍ରାକୃତିକ ପରିବେଶ ଭିତର, ଏହା ଏକ ବହୁତ ବଡ଼ ସେବା । ସେ ଏକ ଏମିତି ପ୍ରାକୃତିକ ପରିବେଶ ଯେଉଁଠି ବରଫରେ ଥିବା ଚିତାବାଘ ପରି ଦୁର୍ଲଭ ପ୍ରାଣୀମାନଙ୍କର ଘର । ସେଠାରେ ଆଇବେକ୍ସ ଏବଂ ବ୍ରାଉନ ବିୟରଙ୍କ ଭଳି ଦୁର୍ଲଭ ପଶୁମାନେ ମଧ୍ୟ ରହନ୍ତି । ଆମେ ଜାଣୁ ଯେ ସିଆଚୀନ୍ ଏଭଳି ଏକ ହିମଖଣ୍ଡ ଯାହା ନଦୀମାନଙ୍କର ସ୍ୱଚ୍ଛଜଳର ଉତ୍ସ । ତେଣୁ ସେ କ୍ଷେତ୍ରରେ ସ୍ୱଚ୍ଛତା ଅଭିଯାନ ଚଳାଇବାର ଉଦ୍ଦେଶ୍ୟ ହେଲା ନିମ୍ନଭାଗରେ ରହୁଥିବା ଏବଂ ନୁବ୍ରା ଏବଂ ଶ୍ୟୋକ ଭଳି ନଦୀଜଳ ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ସ୍ୱଚ୍ଛ ଜଳ ସୁନିଶ୍ଚିତ କରିବା ।

ମୋର ପ୍ରିୟ ଦେଶବାସୀ, ଉତ୍ସବ ଆମମାନଙ୍କ ଜୀବନରେ ଗୋଟିଏ ନୂତନ ଚେତନା ଜାଗ୍ରତ କରିବାର ପର୍ବ । ଆଉ ଦୀପାବଳିରେ ତ ବିଶେଷକରି କିଛି ନା କିଛି ନୂଆ କିଣିବା, ବଜାରରୁ କିଛି ଆଣିବା ପ୍ରାୟ ସବୁ ପରିବାରରେ କମ୍ ବେଶୀ ମାତ୍ରାରେ ହୋଇଥାଏ । ମୁଁ ଥରେ କହିଥିଲି ଯେ ଆମେମାନେ ସ୍ଥାନୀୟ ଜିନିଷ କିଣିବାକୁ ଚେଷ୍ଟା କରିବା ଉଚିତ । ଆମର ଆବଶ୍ୟକ ଜିନିଷଟି ଯଦି ଆମ ଗାଁରେ ମିଳୁଛି ତେବେ ତହସିଲକୁ ଯିବା ଦରକାର ନାହିଁ । ଆମେ ଯେତେ ଅଧିକ ସ୍ଥାନୀୟ ଜିନିଷ କିଣିବାର ପ୍ରୟାସ କରିବା, ‘ଗାନ୍ଧୀ 150’ ଆପଣାଛାଏଁ ଆମ ପାଇଁ ଏକ ସୁଯୋଗରେ ପରିଣତ ହୋଇଯିବ । ମୋର ଅନୁରୋଧ ଆମର ବୁଣାକାରଙ୍କ ହାତ ତିଆରି, ଆମ ଖଦିବାଲାଙ୍କ ଦ୍ୱାରା ହାତ ତିଆରି କିଛି ନା କିଛି ଆମେ କିଣିବା ଉଚିତ ଏଇ ଦୀପାବଳିରେ । ଦୀପାବଳି ଆଗରୁ ତ ଆପଣମାନେ ବହୁତ କିଛି କିଣିସାରିଥିବେ । କିନ୍ତୁ କିଛି ଲୋକ ଭାବନ୍ତି ଯେ ଦୀପାବଳି ପରେ ଗଲେ ହୁଏତ ଟିକେ ଶସ୍ତାରେ ମିଳିବ । ଏଭଳି ବି ବହୁତ ଲୋକ ଥିବେ ଯାହାର କିଣାକିଣି ହୋଇନଥିବ । ଦୀପାବଳିର ଶୁଭକାମନା ସହିତ ମୁଁ ଆପଣମାନଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଆସନ୍ତୁ ସ୍ଥାନୀୟ ଜିନିଷ କିଣିବାକୁ ଆଗ୍ରହୀ ହେବା, ସ୍ଥାନୀୟ ଜିନିଷ ହିଁ କିଣିବା । ଦେଖନ୍ତୁ, ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବାରେ ଆମେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବା । ମୁଁ ପୁଣିଥରେ ଦୀପାବଳିର ଏହି ପବିତ୍ର ଉତ୍ସବ ପାଇଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଦୀପାବଳିରେ ଆମେମାନେ ବିଭିନ୍ନ ପ୍ରକାରର ବାଣ ଫୁଟେଇଥାଉ । କିନ୍ତୁ କେବେ କେବେ ଅସାବଧାନତା ହେତୁ ନିଆଁ ଲାଗିଯାଏ । କେହି କେହି ଆହତ ହୋଇଥାନ୍ତି । ଆପଣମାନଙ୍କୁ ମୋର ଅନୁରୋଧ ଆପଣ ନିଜେ ସାବଧାନ ରୁହନ୍ତୁ ଏବଂ ଉତ୍ସବକୁ ଉତ୍ସାହର ସହିତ ପାଳନ କରନ୍ତୁ । ମୋ ତରଫରୁ ବହୁତ ବହୁତ ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
With HPV vaccine rollout, AIIMS oncologist says it’s the beginning of the end for cervical cancer in India

Media Coverage

With HPV vaccine rollout, AIIMS oncologist says it’s the beginning of the end for cervical cancer in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Jammu and Kashmir team on their first-ever Ranji Trophy victory
February 28, 2026

The Prime Minister has congratulated the Jammu and Kashmir team for their first-ever Ranji Trophy win.

The Prime Minister stated that this historic triumph reflects the remarkable grit, discipline, and passion of the team. Highlighting that it is a proud moment for the people of Jammu and Kashmir, he noted that the victory underscores the growing sporting passion and talent in the region.

The Prime Minister expressed hope that this feat will inspire many young athletes to dream big and play more.

The Prime Minister shared on X post;

"Congratulations to the Jammu and Kashmir team for their first ever Ranji Trophy win! This historic triumph reflects remarkable grit, discipline and passion of the team. It is a proud moment for the people of Jammu and Kashmir and it highlights the growing sporting passion and talent there. May this feat inspire many young athletes to dream big and play more."