ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମ ନିମନ୍ତେ ଜଳବାୟୁ ନ୍ୟାୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
2005 ସ୍ତରକୁ ଜିଡ଼ିପିର 33ରୁ 35 ପ୍ରତିଶତ ନିର୍ଗମନ ବ୍ୟାପକତା ହ୍ରାସ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ: ପ୍ରଧାନମନ୍ତ୍ରୀ

କୋଅପରେଟିଭ ରିପବ୍ଲିକ୍ ଅଫ୍ ଗୁୟାନାର ରାଷ୍ଟ୍ରପତି ମାନ୍ୟବର ଡକ୍ଟର ମହମ୍ମଦ ଇରଫାନ୍ ଅଲ୍ଲୀ,

ପପୁଆ ନ୍ୟୁ ଗିନିର ମାନ୍ୟବର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପ୍ପେ,

ମାଳଦ୍ୱୀପର ପିପୁଲ୍ସ ମଜଲିସର ବାଚସ୍ପତି ମୋର ବନ୍ଧୁ ମାନ୍ୟବର ମହମ୍ମଦ ନାସିଦ୍‌,

ମିଳିତ ଜାତିସଂଘର ଡେପୁଟି ସେକ୍ରେଟାରୀ ଜେନେରାଲ ମାନ୍ୟବର ସୁଶ୍ରୀ ଆମିନା ଜେ. ମହମ୍ମଦ,

ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର,

ସମ୍ମାନୀତ ଅତିଥିବୃନ୍ଦ,

ନମସ୍କାର!

ବିଶ୍ୱ ଦୀର୍ଘସ୍ଥାୟୀ ବିକାଶ ସମ୍ମିଳନୀରେ ଅଭିଭାଷଣ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ଏହି ମଂଚ ୨୦ ବର୍ଷ ପୂରଣ କରୁଛି । ଏହି ଗତିଶୀଳତାକୁ ବଜାୟ ରଖିଥିବାରୁ ମୁଁ ଟି.ଇ.ଆର.ଆଇ.କୁ ଧନ୍ୟବାଦ ଦେଉଛି । ଏଭଳି ବିଶ୍ୱସ୍ତରୀୟ ମଂଚ ଆମ ବର୍ତମାନ ଓ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ବନ୍ଧୁଗଣ,

ଭବିଷ୍ୟତରେ ମାନବ ଜାତିର ଯାତ୍ରା କିଭଳି ରହିବ ଦୁଇଟି କଥା ସେ ସମ୍ପର୍କରେ ନିର୍ଦ୍ଧାରଣ କରିବ । ପ୍ରଥମଟି ହେଉଛି ଆମ ଲୋକମାନଙ୍କର ସ୍ୱାସ୍ଥ୍ୟ ଏବଂ ଦ୍ୱିତୀୟଟି ହେଉଛି ଗ୍ରହର ସ୍ୱାସ୍ଥ୍ୟ । ଉଭୟର ପରସ୍ପର ସହିତ ସମ୍ପର୍କ ରହିଛି । ଲୋକମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ପୂର୍ବରୁ ଅନେକ ଆଲୋଚନା ହୋଇଛି । ଆମେ ଆମ ଗ୍ରହର ସ୍ୱାସ୍ଥ୍ୟ ବିଷୟରେ କଥା ହେବା ପାଇଁ ଏଠାରେ ଏକତ୍ରିତ ହୋଇଛୁ । ଆମେ ଯେଉଁ

ଆକାରର ସମସ୍ୟାର ସମ୍ମୁଖୀନ ହେଉଛୁ ତାହା ସର୍ବଜନବିଦିତ । କିନ୍ତୁ, ଆମେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାରମ୍ପରିକ ଉପାୟରେ କରାଯାଇପାରିବ ନାହିଁ । ବର୍ତମାନ ସମୟର ଆବଶ୍ୟକତା ହେଉଛି ଗତାନୁଗତିକତାଠାରୁ କିଛି ଭିନ୍ନ ଚିନ୍ତା କରିବା, ଆମ ଯୁବପିଢୀ ଉପରେ ବିନିଯୋଗ କରିବା ଏବଂ ଦୀର୍ଘମିଆଦି ବିକାଶ ଦିଗରେ କାର୍ଯ୍ୟ କରିବା ।

ବନ୍ଧୁଗଣ,

ଜଳବାୟୁ ନ୍ୟାୟ ଦ୍ୱାରା ହିଁ ଜଳବାୟୁ ପରିବର୍ତନ ବିରୁଦ୍ଧରେ ସଂଗ୍ରାମ କରାଯାଇପାରିବ । ଜଳବାୟୁ ନ୍ୟାୟ ମୂଳରେ ରହିଛି ବିଶାଳ ହୃଦୟର ବିଚାରଧାରା । ଜଳବାୟୁ ନ୍ୟାୟ ମଧ୍ୟ ହେଉଛି ବୃହତର ଏବଂ ଦୀର୍ଘ ମିଆଦି ଛବି ବିଷୟରେ ଚିନ୍ତା କରିବା । କିନ୍ତୁ ଦୁଃଖଦ ବାସ୍ତବତା ହେଉଛି ପରିବେଶ ଏବଂ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ଦରିିଦ୍ର ବ୍ୟକ୍ତିଙ୍କ ଉପରେ ସବୁଠାରୁ ଅଧିକ ପଡିଥାଏ । ଜଳବାୟୁ ନ୍ୟାୟ ବିଶ୍ୱସ୍ତତାର ଲକ୍ଷ୍ୟ ଦ୍ୱାରା ଅନୁପ୍ରାଣିତ – ଯେଉଁଠାରେ ଦରିଦ୍ରତମ ବ୍ୟକ୍ତିକୁ ଅଧିକ ସହାନୁଭୂତିରୁ ଅଭିବୃଦ୍ଧି ଘଟିଥାଏ । ଜଳବାୟୁ ନ୍ୟାୟର ଅର୍ଥ ଏହା ମଧ୍ୟ ଯେ ବିକାଶଶୀଳ ଦେଶମାନଙ୍କୁ ଅଭିବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସ୍ଥାନ ଦେବା । ଯେତେବେଳେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସାମୁହିକ ଓ ବ୍ୟକ୍ତିଗତ କର୍ତବ୍ୟ ସମ୍ପର୍କରେ ଅବଗତ ହେବେ ସେତେବେଳେ ଯାଇ ଜଳବାୟୁ ନ୍ୟାୟର ଲକ୍ଷ୍ୟ ହାସଲ ହୋଇପାରିବ ।

ବନ୍ଧୁଗଣ,

ଭାରତର ଉଦ୍ଦେଶ୍ୟ ବଳିଷ୍ଠ ପଦକ୍ଷେପ ଉପରେ ଆଧାରିତ । ସାର୍ବଜନିନ ପ୍ରୟାସର ଭାବନାରେ ଶକ୍ତିମନ୍ତ ହୋଇ ଆମେ ଆମର ପ୍ରତିଶୃତିବଦ୍ଧତା ଓ ପ୍ୟାରିସରୁ ମିଳିଥିବା ଲକ୍ଷ୍ୟକୁ ଅତିକ୍ରମ କରିବାର ଉଚିତ୍ ମାର୍ଗ ଦେଇ ଗତି କରୁଛୁ । ନିର୍ଗମନ ତୀବ୍ରତାକୁ ସକଳ ଘରୋଇ ଉତ୍ପାଦର ୨୦୦୫ର ସ୍ତର ୩୫%ରୁ ୩୩% ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ଆମେ ସଙ୍କଳ୍ପବଦ୍ଧ । ଆପଣମାନେ ଜାଣି ଖୁସି ହେବେ ଯେ ନିର୍ଗମନ ତୀବ୍ରତାରେ ଆମେ ୨୪% ହ୍ରାସ କରିସାରିଲୁଣି ।

ଅଣ-ଜୀବାଶ୍ମ ଇନ୍ଧନ ଭିତିକ ସମ୍ବଳରୁ ମୋଟ ସ୍ଥାପିତ ବିଦ୍ୟୁତ୍ ଶକ୍ତି କ୍ଷମତାର ୪୦ ଭାଗ ସଂଗ୍ରହ ଲକ୍ଷ୍ୟ ହାସଲ ପାଇଁ ଆମର ପ୍ରତିଶୃତି ଥିଲା । ଏବଂ ସ୍ଥାପିତ ବିଦ୍ୟୁତ ଶକ୍ତି କ୍ଷମତାର ଅଣ ଜୀବାଶ୍ମରୁ ଜାତ ବିଦ୍ୟୁତଶକ୍ତିର ଭାଗ ଏବେ ୩୭%କୁ ବୃଦ୍ଧି ପାଇଛି । ଏଥିମଧ୍ୟରେ ଆଣବିକ ଓ ବୃହତ ଜଳବିଦ୍ୟୁତ୍ ପ୍ରକଳ୍ପ ସବୁ ରହିଛି । ମୁଁ ଆପଣମାନଙ୍କୁ ଏହି ସୂଚନା ଦେଇ ଅତ୍ୟନ୍ତ ଆନନ୍ଦିତ ଯେ ଭୂମି ଅବକ୍ଷୟ ଅଣପକ୍ଷପାତିତାଯୁକ୍ତ ଅକ୍ଷୟ ଶକ୍ତି ବିକାଶ ଭାରତରେ ଗତିଶୀଳ ହେବାରେ ଲାଗିଛି । ୨୦୩୦ ମସିହା ସୁଦ୍ଧା ୪୫୦ଗିଗାୱାଟର ପୁନଃ ନବୀକରଣୀୟ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରିବା ମାର୍ଗରେ ଆମେ ସଠିକ୍ ଭାବେ ଅଗ୍ରସର ହେଉଛୁ । ଏଠାରେ ଆମର ବେସରକାରୀ କ୍ଷେତ୍ର ଏବଂ ଅନେକ ବ୍ୟକ୍ତିଙ୍କର ମୁଁ ପ୍ରଶଂସା କରିବାକୁ ଚାହିଁବି ଯେଉଁମାନଙ୍କର ଏଥିରେ ଅବଦାନ ରହିଛି । ଭାରତ ଏଥାନଲର ବ୍ୟବହାର ମଧ୍ୟ ବଢାଇଚାଲିଛି ।

ବନ୍ଧୁଗଣ,

ସମାନ ଉପଲବଧତା ବିନା ଦୀର୍ଘସ୍ଥାୟୀ ବିକାଶ ଅସମ୍ପୁର୍ଣ୍ଣ । ଏହି ଦିଗରେ ମଧ୍ୟ ଭାରତ ଉତମ ପ୍ରଗତି କରିଛି । ୨୦୧୯ ମାର୍ଚ୍ଚରେ ଭାରତ ପ୍ରାୟ ଶତ ପ୍ରତିଶତ ବିଦ୍ୟୁତକରଣ ଲକ୍ଷ୍ୟ ହାସଲ କରିପାରିଛି । ଦୀର୍ଘର୍ସ୍ଥାୟୀ ଜ୍ଞାନକୌଶଳ ଏବଂ ଅଭିନବ ପ୍ରୟୋଗ ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଏଲଇଡି ବଲବ ବିଶ୍ୱ ସ୍ତରରେ ରୀତି ହେବାର ବହୁ ପୂର୍ବରୁ ଭାରତ ଏଥିରେ ପୁଞ୍ଜିନିବେଶ କରିସାରିଥିଲା । ଉଜାଲା ଯୋଜନା ଜରିଆରେ ୩୬୭ ନିୟୁତ ଏଳଇଡି ବଲବ ଲୋକଙ୍କ ଜୀବନର ଏକ ଅଂଶ ହୋଇଗଲା । ଏହା ବର୍ଷକୁ ୩୮ ନିୟୁତ ଟନ୍ ଅଙ୍ଗାରକାମ୍ଳ ହ୍ରାସ କରିବାରେ ସକ୍ଷମ ହେଲା । ମାତ୍ର ୧୮ ମାସ ମଧ୍ୟରେ ଜଳ ଜୀବନ ମିଶନ୍ ୩୪ ନିୟୁତ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ପହଂଚାଇପାରିଛି । ପିଏମ୍ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ୮ କୋଟି ପରିବାର ସ୍ୱଚ୍ଛ ରୋଷେଇ ଗ୍ୟାସ୍ ପାଇପାରିଛନ୍ତି । ଭାରତର ଶକ୍ତି ଭଣ୍ଡାରରେ ପ୍ରାକୃତିକ ଗ୍ୟାସର ଭାଗକୁ ୬%ରୁ ୧୫%କୁ ବୃଦ୍ଧି କରିବା ଦିଗରେ ଆମେ କାର୍ଯ୍ୟ ଜାରିରଖିଛୁ ।

ଘରୋଇ ଗ୍ୟାସ୍ ଭିତିଭୂମୀ ବିକାଶ ପାଇଁ ୬୦ ବିଲିଅନ୍ ଡଲାରର ପୁଞ୍ଜିନିବେଶ ସକାଶେ ବ୍ୟୟ ଅଟକଳ କରାଯାଇଛି । ସହରୀ ଗ୍ୟାସ ବିତରଣ ନେଟୱର୍କର ସମ୍ପ୍ରସାରଣ ପାଇଁ କାର୍ଯ୍ୟ ଜାରି ରହିଛି । ଆଗାମୀ ୩ ବର୍ଷ ମଧ୍ୟରେ ଆଉ ଶହେଟି ଜିଲ୍ଲାକୁ ଏହି ନେଟୱର୍କରେ ସାମିଲ କରାଯିବ । ପିଏମ-କୁସୁମ ଯୋଜନା ମାଧ୍ୟମରେ ୨୦୨୨ ମସିହା ସୁଦ୍ଧା କୃଷି କ୍ଷେତ୍ରରେ ୩୦ ଗିଗାୱାଟରୁ ଅଧିକ କ୍ଷମତାର ସୌରଶକ୍ତି ବିକଶିତ କରାଯିବ ।

ବନ୍ଧୁଗଣ,

ଅଧିକାଂଶ ସମୟରେ ଦୀର୍ଘସ୍ଥାୟିତ୍ୱ ପ୍ରସଙ୍ଗ ଉପରେ ଆଲୋଚନା ସବୁଜ ଶକ୍ତି ଉପରେ ଅତିମାତ୍ରାରେ କେନ୍ଦ୍ରିତ ରୁହେ । କିନ୍ତୁ ସବୁଜ ଶକ୍ତି କେବଳ ଏକ ମାଧ୍ୟମ । ଆମେ ପହଂଚିବାକୁ ଚାହୁଁଥିବା ଲକ୍ଷ୍ୟସ୍ଥଳୀ ହେଉଛି ଏକ ସବୁଜତର ଗ୍ରହ । ଜଙ୍ଗଲ ଏବଂ ସବୁଜ ଆଚ୍ଛାଦନ ପାଇଁ ଆମ ସଂସ୍କୃତିର ଯେଉଁ ଗଭୀର ସମ୍ମାନ ରହିଛି ତାହା ଚମତ୍କାର ଫଳାଫଳ ପହଂଚାଉଛି । ଏଫଏଓର ବିଶ୍ୱ ବନ ସମ୍ବଳ ଆକଳନ ୨୦୨୦ ଅନୁଯାୟୀ, ଗତ ଦଶନ୍ଧିରେ ବନାଂଚଳ ବୃଦ୍ଧି କ୍ଷେତ୍ରରେ ଭାରତ ଶ୍ରେଷ୍ଠ ୩ଟି ଦେଶ ମଧ୍ୟରେ ସ୍ଥାନ ପାଇଛି ।

ଦେଶର ଜଙ୍ଗଲ ଆଛାଦନ ସମୁଦାୟ ଭୌଗୋଳିକ କ୍ଷେତ୍ରର ଏକ ଚତୁର୍ଥାଂଶରେ ପହଂଚିଛି । ପାରମ୍ପରିକ ଚିନ୍ତାଧାରା ରଖୁଥିବା ବ୍ୟକ୍ତିମାନେ ଏହା ଭାବିଥାଆନ୍ତି ଯେ ଯେତେବେଳେ ଗୋଟିଏ ଦେଶ ବିକାଶ ସାଧନ ଦିଗରେ ଅଗ୍ରସର ହୁଏ ସେତେବେଳେ ଜଙ୍ଗଲ ହ୍ରାସ ପାଇଥାଏ । କିନ୍ତୁ, ଭାରତ ଏପରି ଏକ ଦେଶ ଯାହା ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରିଛି ।

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଆମର ଅଭିଯାନରେ ପ୍ରାଣୀ ସମ୍ପଦ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ମଧ୍ୟ ଅନ୍ତର୍ଭୁକ୍ତ । ସମଗ୍ର ଭାରତରେ ଏକଥାକୁ ନେଇ ଲୋକେ ଗର୍ବ ଅନୁଭବ କରନ୍ତି ଯେ, ଗତ ୫ରୁ୭ ବର୍ଷ ମଧ୍ୟରେ ସିଂହ, ବାଘ, ଚିତାବାଘ ଏବଂ ଗାଙ୍ଗେୟ ଡଲଫିନ୍ ସଂଖ୍ୟା ବୃଦ୍ଧି ପାଇଛି ।

ବନ୍ଧୁଗଣ,

ଦୀର୍ଘସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଶ୍ରେଷ୍ଠ ଏବଂ ଉଜ୍ଜ୍ୱଳତମ ମସ୍ତିଷ୍କଙ୍କୁ ଏହି ସମାବେଶ ଏକଜୁଟ କରିପାରିଛି । ମୁଁ ଏହି ଦୁଇଟି ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଚାହିଁବି: ଏକଜୁଟତା ଏବଂ ଅଭିନବତା । ସାମୁହିକ ପ୍ରୟାସ ଦ୍ୱାରା ହିଁ କେବଳ ଦୀର୍ଘସ୍ଥାୟୀ ବିକାଶ ହାସଲ କରିହେବ ।

ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ରୀୟ ହିତ ବିଷୟରେ ଚିନ୍ତା କରିବେ, ଯେତେବେଳେ ପ୍ରତ୍ୟେକ ରାଷ୍ଟ୍ର ବିଶ୍ୱ ହିତ ବିଷୟରେ ଚିନ୍ତା କରିବେ, ସେତେବେଳେ ଯାଇ ଦୀର୍ଘସ୍ଥାୟୀ ବିକାଶ ଏକ ବାସ୍ତବତାରେ ପରିଣତ ହେବ । ଅନ୍ତର୍ଜାତୀୟ ସୌର ମେଂଟ ମାଧ୍ୟମରେ ଭାରତ ଏଦିଗରେ ପ୍ରୟାସ ଆରମ୍ଭ କରିଛି । ଚାଲନ୍ତୁ ସମଗ୍ର ବିଶ୍ୱର ଶ୍ରେଷ୍ଠ ପ୍ରଥାକୁ ଆପଣାଇବା ପାଇଁ ଆମ ସମସ୍ତଙ୍କର ତଥା ସବୁ ରାଷ୍ଟ୍ରର ମନକୁ ଉନ୍ମୁକ୍ତ ରଖିବା । ସେହି ସମାନ ଭାବନା ସହିତ ଚାଲନ୍ତୁ ଆମର ଶ୍ରେଷ୍ଠ ପ୍ରଥାକୁ ମଧ୍ୟ ଅନ୍ୟମାନଙ୍କ ସହ ବାଂଟିବା । ଦ୍ୱିତୀୟଟି ହେଉଛି ଅଭିନବତା । ଅନେକଗୁଡିଏ ଷ୍ଟାଟ ଅପ୍ ଅକ୍ଷୟ ଶକ୍ତି, ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ଏବଂ ଆହୁରି ଅନେକ କ୍ଷେତ୍ର ଉପରେ କାର୍ଯ୍ୟ ଜାରି ରଖିଛନ୍ତି । ନୀତି ନିର୍ଦ୍ଧାରକ ଭାବରେ ଆମେ ଏହିଭଳି ସମସ୍ତ ପ୍ରୟାସକୁ ସମର୍ଥନ ଯୋଗାଇଦେବା ଉଚିତ୍ । ଆମ ଯୁବପିଢୀର ଶକ୍ତି ନିଶ୍ଚିତଭାବେ ସର୍ବୋତ୍କୃଷ୍ଟ ଫଳାଫଳ ଆଣିଦେବ ।

ବନ୍ଧୁଗଣ,

ଏହି ମଂଚ ଜରିଆରେ ମୁଁ ଆଉ ଗୋଟିଏ କ୍ଷେତ୍ର ବିଷୟରେ ଉଲ୍ଲେଖ କରିବାକୁ ଚାହୁଁଛି ଯାହା ଉପରେ ଆମକୁ ଚିନ୍ତା କରିବା ଦରକାର । ତାହା ହେଉଛି ଆମର ବିପର୍ଯ୍ୟୟ ପରିଚାଳନା କ୍ଷମତା ବୃଦ୍ଧି କରିବା । ଏହା ମାନବ ସମ୍ପଳ ବିକାଶ ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ୱର ଆବଶ୍ୟକତା କରେ । ବିପର୍ଯ୍ୟୟ ଅଦମ୍ୟତା ଭିତିଭୂମୀ ମେଂଟର ଅଂଶଭାବରେ ଆମେ ଏଦିଗରେ କାର୍ଯ୍ୟ ଜାରିରଖିଛୁ ।

ବନ୍ଧୁଗଣ,

ଦୀର୍ଘସ୍ଥାୟୀ ବିକାଶକୁ ଆହୁରି ଆଗେଇ ନେବା ପାଇଁ ଭାରତ ଯଥାସମ୍ଭବ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି । ଆମର ମାନବ କୈନ୍ଦ୍ରିକ ଆଭିମୁଖ୍ୟ ବିଶ୍ୱ ମଙ୍ଗଳ ପାଇଁ ଏକ ମହାଶକ୍ତି ହୋଇପାରେ । ଟି.ଇ.ଆର.ଆଇ. ଭଳି ପ୍ରତିଷ୍ଠାନ ଗୁଡିକର ଗବେଷଣାଲବଧ ସହାୟତା ଏହି ପ୍ରୟାସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

ମୁଁ ଏହି ଶିଖର ସମ୍ମିଳନୀ ତଥା ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।

ଧନ୍ୟବାଦ!

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi