I thank the countrymen for having reiterated their unwavering faith in our Constitution and the democratic systems of the country: PM Modi
The campaign to plant trees in the name of mother will not only honour our mother, but will also protect Mother Earth: PM Modi
Every Indian feels proud when such a spread of Indian heritage and culture is seen all over the world: PM Modi
I express my heartfelt gratitude to all the friends who participated on Yoga Day: PM Modi
We do not have to make Yoga just a one-day practice. You should do Yoga regularly: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସେହି ଦିନ ଉପନୀତ, ଯାହା ପାଇଁ ଆମେ ଫେବୃଆରୀ ମାସ ଠାରୁ ପ୍ରତୀକ୍ଷାରତ ଥିଲୁ । ମୁଁ ‘ମନ୍ କି ବାତ୍’ ଜରିଆରେ ପୁଣିଥରେ ଆପଣମାନଙ୍କ ଗହଣକୁ, ନିଜ ପରିବାରବର୍ଗଙ୍କ ଗହଣକୁ ଆସିଛି । ଗୋଟିଏ ସୁନ୍ଦର ଉକ୍ତି ରହିଛି - “ଇତି ବିଦା ପୁନର୍ମିଳନାୟ” – ଏହାର ଅର୍ଥ ମଧ୍ୟ ସେତିକି ସୁନ୍ଦର – ମୁଁ ବିଦାୟ ନେଉଛି, ପୁଣିଥରେ ଭେଟିବା ପାଇଁ । ମନରେ ଏହି ଭାବନା ବହନ କରି ମୁଁ ଫେବୃଆରୀ ମାସରେ ଆପଣମାନଙ୍କୁ କହିଥିଲି ଯେ, ନିର୍ବାଚନ ଫଳାଫଳ ପରେ ପୁଣି ଭେଟିବି । ଆଉ ଆଜି ‘ମନ୍ କି ବାତ୍’ ସହିତ ମୁଁ ପୁଣି ଆପଣମାନଙ୍କ ଗହଣରେ ଉପସ୍ଥିତ । ଆଶା କରୁଛି, ଆପଣ ସମସ୍ତେ ଭଲ ଥିବେ । ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଥିବ ଏବେ ତ ମୌସୁମୀ ମଧ୍ୟ ଆସିଗଲାଣି । ମୌସୁମୀ ଯେବେ ଆସେ, ମନ ମଧ୍ୟ ଆନନ୍ଦିତ ହୋଇଯାଏ । ଆଜିଠୁ ପୁଣି ଥରେ ଆମେ ‘ମନ୍ କି ବାତ୍’ରେ ଏଭଳି ଦେଶବାସୀମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ ନିଜ କାର୍ଯ୍ୟ ଦ୍ୱାରା ସମାଜ ଓ ଦେଶର ପରିସ୍ଥିତିକୁ ଉନ୍ନତ କରୁଛନ୍ତି । ଆମେ ଆଲୋଚନା କରିବା - ଆମ ସମୃଦ୍ଧ ସଂସ୍କୃତି, ଗୌରବପୂର୍ଣ୍ଣ ଇତିହାସ ଏବଂ ବିକଶିତ ଭାରତର ପ୍ରଚେଷ୍ଟା ସମ୍ପର୍କରେ ।

ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।

ବନ୍ଧୁଗଣ, ଆଜି ମୁଁ ଦେଶବାସୀମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିବାକୁ ଚାହୁଁଛି କାରଣ ସେମାନେ ଆମ ସମ୍ବିଧାନ ଏବଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ନିଜର ଅତୁଟ ବିଶ୍ୱାସ ଦୋହରାଇଛନ୍ତି । ୨୦୨୪ ନିର୍ବାଚନ ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ ଥିଲା । ବିଶ୍ୱର କୌଣସି ଦେଶରେ ଏତେ ବଡ଼ ନିର୍ବାଚନ କେବେହେଲେ ଅନୁଷ୍ଠିତ ହୋଇନାହିଁ, ଯେଉଁଥିରେ ୬୫ କୋଟି ଲୋକ ମତଦାନ କରିଛନ୍ତି । ମୁଁ ନିର୍ବାଚନ ଆୟୋଗ ଏବଂ ମତଦାନ ପ୍ରକ୍ରିୟା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ୩୦ ଜୁନ୍ - ଆଜିର ଏହି ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ଦିନଟିକୁ ଆମ ଆଦିବାସୀ ଭାଇଭଉଣୀମାନେ ହୁଲ୍ ଦିବସ ଭାବେ ପାଳନ କରିଥାନ୍ତି । ଏହି ଦିନଟି ବୀର ସିନ୍ଧୋ-କାହ୍ନୁଙ୍କ ଅଦମ୍ୟ ସାହସ ସହିତ ଜଡ଼ିତ, ଯିଏ ବିଦେଶୀ ଶାସକମାନଙ୍କ ଅତ୍ୟାଚାରର ଘୋର ବିରୋଧ କରିଥିଲେ । ବୀର ସିନ୍ଧୋ-କାହ୍ନୁ ହଜାର ହଜାର ସାନ୍ତାଳୀ ବନ୍ଧୁମାନଙ୍କୁ ଏକଜୁଟ କରି ପୂର୍ଣ୍ଣପ୍ରାଣରେ ଇଂରେଜମାନଙ୍କ ମୁକାବିଲା କରିଥିଲେ । ଏହା କେବେ ଘଟିଥିଲା ଜାଣିଛନ୍ତି କି ? ଏହା ଘଟିଥିଲା ୧୮୫୫ ମସିହାରେ, ଅର୍ଥାତ୍ ୧୮୫୭ରେ ଘଟିଥିବା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମଠାରୁ ମଧ୍ୟ ଦୁଇବର୍ଷ ଆଗରୁ ଘଟିଥିଲା ଏହି ଘଟଣା । ସେତେବେଳେ ଝାଡ଼ଖଣ୍ଡର ସାନ୍ତାଳ ପ୍ରଗଣାରେ ଆମ ଆଦିବାସୀ ଭାଇଭଉଣୀମାନେ ବିଦେଶୀ ଶାସକମାନଙ୍କ ବିରୁଦ୍ଧରେ ହତିଆର ଉଠାଇଥିଲେ । ଆମ ସାନ୍ତାଳୀ ଭାଇଭଉଣୀମାନଙ୍କ ଉପରେ ଇଂରେଜମାନେ ବହୁତ ଅତ୍ୟାଚାର କରିଥିଲେ, ସେମାନଙ୍କ ଉପରେ ଅନେକ ପ୍ରକାର କଟକଣା ମଧ୍ୟ ଲଗାଇ ଦେଇଥିଲେ । ଏହି ସଂଗ୍ରାମରେ ଅପୂର୍ବ ବୀରତ୍ୱ ପ୍ରଦର୍ଶନ କରି ବୀର ସିନ୍ଧୋ ଏବଂ କାହ୍ନୁ ଶହୀଦ ହୋଇଯାଇଥିଲେ । ଝାଡ଼ଖଣ୍ଡ ମାଟିର ଏହି ଅମର ସୁପୁତ୍ରମାନଙ୍କ ବଳିଦାନ ଆଜି ମଧ୍ୟ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି । ଆସନ୍ତୁ ଶୁଣିବା, ଏମାନଙ୍କୁ ସମର୍ପିତ ସାନ୍ତାଳୀ ଗୀତର କିଛି ଅଂଶ ।

(Audio Clip)

ମୋର ପ୍ରିୟ ବନ୍ଧୁଗଣ, ଯଦି ମୁଁ ଆପଣଙ୍କୁ ପ୍ରଶ୍ନ କରେ ଯେ, ଦୁନିଆର ସବୁଠାରୁ ଅମୂଲ୍ୟ ସମ୍ପର୍କ କେଉଁଟି ? ତା’ହେଲେ ଆପଣ ନିଶ୍ଚୟ କହିବେ – ମା’ । ଆମ ସମସ୍ତଙ୍କ ଜୀବନରେ ମା’ଙ୍କ ସ୍ଥାନ ସବୁଠୁ ଉପରେ ଥାଏ । ମା’ ସବୁ ଦୁଃଖ ସହି ନିଜ ପିଲାମାନଙ୍କୁ ଲାଳନ-ପାଳନ କରିଥାଏ । ପ୍ରତ୍ୟେକ ମା’ ନିଜ ସନ୍ତାନକୁ ବହୁତ ସ୍ନେହ କରିଥାଏ । ଜନ୍ମଦାତ୍ରୀ ମା’ର ସେହି ସ୍ନେହ ଆମ ସମସ୍ତଙ୍କ ଉପରେ ଗୋଟିଏ ଋଣ ସଦୃଶ ହୋଇଥାଏ, ଯାହାକୁ କେହି ଶୁଝିପାରେନା । ମୁଁ ଭାବୁଥିଲି ଯେ, ମା’ଙ୍କୁ ତ ଆମେ କିଛି ଦେଇପାରିବା ନାହିଁ ! ହେଲେ ତା’ପାଇଁ କିଛି କରିପାରିବା କି ? ଏହି ଚିନ୍ତାଧାରାକୁ ଆଧାର କରି ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସଠାରୁ ଗୋଟିଏ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନର ନାମ ହେଉଛି - “ମା’ଙ୍କ ନାମରେ ଗୋଟିଏ ବୃକ୍ଷ” । ମୁଁ ମଧ୍ୟ ମୋ ମାଆଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗଛ ଲଗାଇଛି । ମୁଁ ସମସ୍ତ ଦେଶବାସୀଙ୍କୁ, ବିଶ୍ୱର ସମସ୍ତ ଦେଶର ଜନସାଧାରଣଙ୍କୁ ଅନୁରୋଧ କରିଛି ଯେ, ସେମାନେ ନିଜ ମା’ଙ୍କ ସହ ମିଶି କିମ୍ବା ତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗଛ ନିଶ୍ଚୟ ଲଗାନ୍ତୁ । ଏଥିଯୋଗୁଁ ମା’ଙ୍କ ସ୍ମୃତିରେ କିମ୍ବା ତାଙ୍କ ସମ୍ମାନରେ ବୃକ୍ଷରୋପଣର ଏହି ଅଭିଯାନ ତୀବ୍ର ଗତିରେ ଅଗ୍ରସର ହେଉଥିବା ଦେଖି ମୁଁ ବହୁତ ଖୁସି ଅନୁଭବ କରୁଛି । ଲୋକେ ନିଜ ମା’ଙ୍କ ସହିତ କିମ୍ବା ତାଙ୍କ ଫଟୋ ସହ ବୃକ୍ଷରୋପଣ କରୁଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରୁଛନ୍ତି । ଧନୀ ହୁଅନ୍ତୁ କି ଗରିବ, ଜଣେ କର୍ମଜୀବି ମହିଳା ହୁଅନ୍ତୁ ବା ଗୃହିଣୀ, ସମସ୍ତେ ନିଜ ମା’ଙ୍କ ପାଇଁ ବୃକ୍ଷରୋପଣ କରୁଛନ୍ତି । ଏହି ଅଭିଯାନ ସମସ୍ତଙ୍କୁ ନିଜ ମା’ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ସମାନ ସୁଯୋଗ ପ୍ରଦାନ କରିଛି । ସେମାନେ ନିଜ ଫଟୋଗୁଡ଼ିକୁ #Plant4Mother ଏବଂ #ଏକ୍ପପେଡ଼ପମାଁପକେପନାମ୍ ସହ ଶେୟାର୍ କରି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛନ୍ତି ।

ବନ୍ଧୁଗଣ, ଏହି ଅଭିଯାନ ଦ୍ୱାରା ଆଉ ଗୋଟିଏ ଲାଭ ହେବ । ଧରିତ୍ରୀ ମଧ୍ୟ ମାଁ ଭଳି ଆମ ଯତ୍ନ ନେଇଥାଏ । ମାଟି ମାଆ ହିଁ ଆମ ସମସ୍ତଙ୍କ ଜୀବନର ଆଧାର । ତେଣୁ ମାଟି ମାଆର ଯତ୍ନ ନେବା ଆମମାନଙ୍କର ମଧ୍ୟ କର୍ତ୍ତବ୍ୟ ଅଟେ । ମା’ଙ୍କ ନାମରେ ବୃକ୍ଷରୋପଣ ଦ୍ୱାରା ମାଆ ତ ସମ୍ମାନିତ ହେବେ, ଏହାଛଡ଼ା ମାଟି ମାଆର ମଧ୍ୟ ସୁରକ୍ଷା ହେବ । ବିଗତ ଦଶନ୍ଧିରେ ଭାରତରେ ସମସ୍ତଙ୍କ ପ୍ରଚେଷ୍ଟା ଫଳରେ ଜଙ୍ଗଲ କ୍ଷେତ୍ରର ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି । ଅମୃତ ମହୋତ୍ସବ ସମୟରେ ସମଗ୍ର ଦେଶରେ ୬୦ ହଜାରରୁ ଅଧିକ ଅମୃତ ସରୋବର ନିର୍ମାଣ କରାଯାଇଛି । ସେହିଭଳି ଏଥର ମା’ଙ୍କ ନାମରେ ବୃକ୍ଷରୋପଣ ଅଭିଯାନକୁ ମଧ୍ୟ ତ୍ୱରାନ୍ୱିତ କରାବାକୁ ହେବ ।

ମୋର ପ୍ରିୟ ଦେଶବାସୀଗଣ, ମୌସୁମୀ ଦେଶର ବିଭିନ୍ନ ଭାଗକୁ ଅଗ୍ରସର ହୋଇ ନିଜର ରଙ୍ଗ ଦେଖାଇ ଚାଲିଛି । ଆଉ, ବର୍ଷାଋତୁରେ ସମସ୍ତଙ୍କ ଘରେ ଯେଉଁ ଜିନିଷଟି ଖୋଜାହୁଏ ତାହା ହେଉଛି ଛତା । ‘ମନ୍ କି ବାତ୍’ରେ ଆଜି ମୁଁ ଆପଣମାନଙ୍କୁ ଗୋଟିଏ ବିଶେଷ ପ୍ରକାର ଛତା ବିଷୟରେ କହିବାକୁ ଚାହୁଁଛି । ଏହି ଛତା ତିଆରି ହୁଏ ଆମ କେରଳରେ । ସେମିତି ବି କେରଳର ସଂସ୍କୃତିରେ ଛତାର ବିଶେଷ ଗୁରୁତ୍ୱ ରହିଛି । ସେଠାରେ ଅନେକ ପରମ୍ପରା ଏବଂ ବିଧିବିଧାନର ଏକ ଗୁରୁତ୍ୱପୂର୍ଣ୍ଣ ବସ୍ତୁ ହୋଇଥାଏ ଛତା । କିନ୍ତୁ ମୁଁ ଯେଉଁ ଛତା କଥା କହିବାକୁ ଯାଉଛି ତାହା ହେଲା କାର୍ଥୁମ୍ବୀ ଛତା । ଆଉ ଏହା ତିଆରି କରାଯାଏ କେରଳର ଅଟ୍ଟାପଡ଼ିରେ । ଏହି ରଙ୍ଗୀନ ଛତାଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଏହାର ବିଶେଷତ୍ୱ ହେଲା, ଏହାକୁ କେରଳର ଆମ ଆଦିବାସୀ ଭଉଣୀମାନେ ତିଆରି କରନ୍ତି । ଆଜି ସାରାଦେଶରେ ଏହି ଛତାର ଚାହିଦା ବୃଦ୍ଧି ପାଇଛି । ଅନଲାଇନରେ ମଧ୍ୟ ଏହା ବିକ୍ରି ହେଉଛି । ‘ୱଟ୍ଟାଲକ୍କୀ ସହକାରୀ କୃଷି ସମବାୟ ସମିତି’ର ତତ୍ତ୍ୱାବଧାନରେ ଏହି ଛତାଗୁଡ଼ିକ ତିଆରି କରାଯାଉଛି । ଏହି ସମିତିର ନେତୃତ୍ୱ କରୁଛନ୍ତି ଆମ ନାରୀଶକ୍ତି । ମହିଳାମାନଙ୍କ ନେତୃତ୍ୱରେ ଅଟ୍ଟାପଡ଼ିର ଆଦିବାସୀମାନେ ଅଂତ୍ରପ୍ରିନିଉରସିପର ଗୋଟିଏ ଚମତ୍କାର ଉଦାହରଣ ସୃଷ୍ଟି କରିଛନ୍ତି । ଏହି ସମିତିଟି ଗୋଟିଏ ବାଉଁଶ ହସ୍ତଶିଳ୍ପ ୟୁନିଟ୍ ମଧ୍ୟ ପ୍ରତିଷ୍ଠା କରିଛି । ଏବେ ସେମାନେ ଗୋଟିଏ ରିଟେଲ୍ ଆଉଟଲେଟ୍ ଏବଂ ଗୋଟିଏ ପାରମ୍ପରିକ କ୍ୟାଫେ ଖୋଲିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେମାନଙ୍କ ଉଦ୍ଦେଶ୍ୟ କେବଳ ନିଜ ଛତା ଏବଂ ଅନ୍ୟାନ୍ୟ ଉତ୍ପାଦନ ବିକ୍ରୟ କରିବା ନୁହେଁ, ବରଂ ସେମାନେ ବିଶ୍ୱକୁ ନିଜ ପରମ୍ପରା ଓ ସଂସ୍କୃତି ସହିତ ମଧ୍ୟ ପରିଚିତ କରାଉଛନ୍ତି । ଆଜି କାର୍ଥୁମ୍ବୀ ଛତା କେରଳର ଗୋଟିଏ ଛୋଟ ଗାଁ ଠାରୁ ଆରମ୍ଭ କରି ବହୁରାଷ୍ଟ୍ରୀୟ କମ୍ପାନୀ ପର୍ଯ୍ୟନ୍ତ ଯାତ୍ରା ଅତିକ୍ରାନ୍ତ କରିସାରିଲାଣି । ଲୋକାଲ୍ ପାଇଁ ଭୋକାଲ୍ ହେବାର ଏହାଠାରୁ ଭଲ ଉଦାହରଣ ଆଉ କ’ଣ ହୋଇପାରେ ?

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା ମାସର ଏଇ ସମୟରେ ପ୍ୟାରିସ୍‌ ଅଲିମ୍ପିକ୍ସ ଆରମ୍ଭ ହୋଇଯାଇଥିବ । ମୋର ବିଶ୍ୱାସ ଯେ ଆପଣମାନେ ମଧ୍ୟ ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଉତ୍ସାହ ବଢ଼ାଇବା ପାଇଁ ଅପେକ୍ଷା କରିଥିବେ । ମୁଁ ଭାରତୀୟ ଦଳକୁ ଅଲିମ୍ପିକ୍‌ କ୍ରୀଡ଼ା ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଆମ ସମସ୍ତଙ୍କ ମନରେ ଟୋକିଓ ଅଲିମ୍ପିକ୍ସର ସ୍ମୃତି ଏବେ ମଧ୍ୟ ସତେଜ ରହିଛି । ଟୋକିଓରେ ଆମର ଖେଳାଳିଙ୍କ ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଜିଣିନେଇଥିଲା । ଟୋକିଓ ଅଲିମ୍ପିକ୍ସ ପରଠାରୁ ହିଁ ଆମର ଆଥଲେଟ୍‌ମାନେ ପ୍ୟାରିସ୍‌ ଅଲିମ୍ପିକ୍ସର ପ୍ରସ୍ତୁତିରେ ଆନ୍ତରିକତାର ସହ ଲାଗିପଡ଼ିଥିଲେ । ସମସ୍ତ ଖେଳାଳିଙ୍କୁ ମିଶାଇଦେଲେ ତ ଏମାନେ ପ୍ରାୟ ନଅ ଶହ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହା ବହୁତ ବଡ଼ ସଂଖ୍ୟା ଅଟେ ।

ବନ୍ଧୁଗଣ, ପ୍ୟାରିସ୍‌ ଅଲିମ୍ପିକ୍ସରେ ଆପଣଙ୍କୁ କେତେକ କଥା ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ । ବନ୍ଧୁକ ଚାଳନାରେ ଆମ ଖେଳାଳିମାନଙ୍କର ପ୍ରତିଭା ଆହୁରି ଉଜ୍ଜ୍ୱଳ ହୋଇଚାଲିଛି । ଟେବୁଲ୍‌ ଟେନିସ୍‌ରେ ପୁରୁଷ ଓ ମହିଳା ଉଭୟ ଦଳ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଭାରତୀୟ ଶଟ୍‌ଗନ୍‌ ଦଳରେ ଆମର ଶୁଟର୍‌ ଝିଅମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି । ଏଥର କୁସ୍ତି ଓ ଅଶ୍ୱାରୋହଣରେ ଆମ ଦଳର ଖେଳାଳି ସେହି ଶ୍ରେଣୀରେ ମଧ୍ୟ ପ୍ରତିଯୋଗିତା କରିବେ, ଯେଉଁଥିରେ ଆଗରୁ ସେମାନେ କେବେ ଭାଗ ନେଇନଥିଲେ । ଏଥିରୁ ଆପଣ ଅନୁମାନ କରିପାରୁଥିବେ ଏଥର ଆମକୁ କ୍ରୀଡ଼ାରେ ଅଲଗା ସ୍ତରର ରୋମାଞ୍ଚ ଦେଖିବାକୁ ମିଳିବ । ଆପଣଙ୍କର ମନେଥିବ ଯେ କିଛିମାସ ତଳେ ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଆମର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ସେହିପରି ଚେସ୍‌ ଓ ବ୍ୟାଡ଼ମିଣ୍ଟନରେ ମଧ୍ୟ ଆମର ଖେଳାଳିମାନେ ବିଜୟ ପତାକା ଉଡ଼ାଇଥିଲେ । ଏବେ ସମଗ୍ର ଦେଶ ଆଶା କରୁଛି ଆମର କ୍ରୀଡ଼ାବିତ୍‌ ଅଲିମ୍ପିକ୍ସରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିବେ । ଏହି କ୍ରୀଡ଼ାଗୁଡ଼ିକରେ ପଦକ ମଧ୍ୟ ଜିତିବେ, ଆଉ ଦେଶବାସୀଙ୍କ ହୃଦୟ ମଧ୍ୟ ଜିଣିବେ । ଆଗାମୀ ଦିନରେ, ମୋତେ ଭାରତୀୟ ଦଳ ସହ ସାକ୍ଷାତ କରିବାର ସୁଯୋଗ ମଧ୍ୟ ମିଳିବ । ମୁଁ ଆପଣମାନଙ୍କ ତରଫରୁ ସେମାନଙ୍କର ଉତ୍ସାହବର୍ଦ୍ଧନ କରିବି । ଆଉ ହଁ ... ଏଥର ଆମର ହ୍ୟାଶ୍‌ଟ୍ୟାଗ୍‌ #Cheer4Bharat ରହିଛି । ଏହି ହ୍ୟାଶ୍‌ଟ୍ୟାଗ୍‌ ଜରିଆରେ ଆମକୁ ନିଜର ଖେଳାଳିମାନଙ୍କର ଉତ୍ସାହ ବଢ଼ାଇବାର ଅଛି ... ସେମାନଙ୍କର ଉତ୍ସାହ ସବୁବେଳେ ବଢ଼ାଇବାକୁ ହେବ । ଗତିକୁ ବଜାୟ ରଖିବାକୁ ହେବ ... ଆପଣଙ୍କ ଏହି ଗତି ... ଭାରତର ମ୍ୟାଜିକ୍, ଦୁନିଆକୁ ଦେଖାଇବାରେ ସାହାଯ୍ୟ କରିବ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣ ସମସ୍ତଙ୍କ ପାଇଁ ଏକ ଛୋଟିଆ ଅଡିଓ କ୍ଲିପ୍‌ ପ୍ଲେ କରୁଛି ।

ଅଡ଼ିଓ କ୍ଲିପ .....

ଏହି ରେଡିଓ କାର୍ଯ୍ୟକ୍ରମକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ନା ! ତ ଆସନ୍ତୁ, ଆପଣଙ୍କୁ ମଧ୍ୟ ଏହା ପଛର ସମ୍ପୂର୍ଣ୍ଣ କାହାଣୀ କହିଦିଏ । ପ୍ରକୃତରେ ଏହା କୁଏତ୍‌ ରେଡିଓର ଏକ ପ୍ରସାରଣର କ୍ଲିପ୍‌ । ଏବେ ଆପଣ ଭାବୁଥିବେ କୁଏତ୍‌ର କଥା ତ ପଡ଼ିଛି ସେଇଠି ହିନ୍ଦୀ କୁଆଡ଼ୁ ଆସିଲା ? ପ୍ରକୃତ କଥା ହେଲା କୁଏତ୍‌ ସରକାର ନିଜର ଜାତୀୟ ରେଡିଓରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି; ଆଉ ତା’ ବି ହିନ୍ଦୀରେ । ‘କୁଏତ୍‌ ରେଡିଓ’ରେ ପ୍ରତି ରବିବାର ଏହାର ପ୍ରସାରଣ ଅଧଘଣ୍ଟା ପାଇଁ କରାଯାଏ । ଏଥିରେ ଭାରତୀୟ ସଂସ୍କୃତିର ଭିନ୍ନଭିନ୍ନ ରଙ୍ଗ ଅନ୍ତର୍ଭୁକ୍ତ ହୋଇଥାଏ । ଆମର ଚଳଚ୍ଚିତ୍ର ଓ କଳା ଜଗତ ସହିତ ସମ୍ପୃକ୍ତ ଆଲୋଚନା ସେଠାକାର ଭାରତୀୟ ସମୁଦାୟ ମଧ୍ୟରେ ବେଶ୍‌ ଲୋକପ୍ରିୟ । ମତେ ତ ଏହା ବି କୁହାଯାଇଛି ଯେ କୁଏତ୍‌ର ସ୍ଥାନୀୟ ଲୋକେ ମଧ୍ୟ ଏଥିରେ ବହୁତ ଆଗ୍ରହ ପ୍ରକାଶ କରୁଛନ୍ତି । ମୁଁ କୁଏତ୍‌ ସରକାର ଓ ସେଠାକାର ଜନସାଧାରଣଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି, ଯେଉଁମାନେ ଏହି ସୁନ୍ଦର ଉଦ୍ୟମ କରିଛନ୍ତି ।

ବନ୍ଧୁଗଣ, ଆଜି ସମଗ୍ର ବିଶ୍ୱରେ ଆମ ସଂସ୍କୃତିର ଯେଭଳି ଗୌରବଗାନ ହେଉଛି, ସେଥିରେ କୋଉ ଭାରତୀୟ ବା ଖୁସି ନ ହେବ ! ଏଇ ଯେମିତି, ତୁର୍କମେନିସ୍ତାନରେ ଏ ବର୍ଷ ମେ ମାସରେ ସେଠାକାର ରାଷ୍ଟ୍ରୀୟ କବିଙ୍କ ୩୦୦ତମ ଜନ୍ମ-ଜୟନ୍ତୀ ପାଳନ କରାଗଲା । ଏହି ଅବସରରେ ତୁର୍କମେନିସ୍ତାନର ରାଷ୍ଟ୍ରପତି ବିଶ୍ୱର ୨୪ ଜଣ ପ୍ରସିଦ୍ଧ କବିଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିଥିଲେ । ଏଥିରେ ଗୋଟିଏ ପ୍ରତିମୂର୍ତ୍ତି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଜୀଙ୍କର ମଧ୍ୟ ରହିଛି । ଏହା ଗୁରୁଦେବଙ୍କ ସମ୍ମାନ, ଭାରତର ମଧ୍ୟ ସମ୍ମାନ । ସେହିଭଳି ଜୁନ୍‌ ମାସରେ ଦୁଇ କ୍ୟାରେବିୟାନ୍‌ ଦେଶ ସୁରିନାମ ଓ ସେଣ୍ଟ୍‌ ଭିନ୍‌ସେଣ୍ଟ ଆଣ୍ଡ୍‌ ଦି ଗ୍ରେନାଡ଼ିନ୍ ନିଜର ଭାରତୀୟ ଐତିହ୍ୟକୁ ସମ୍ପୂର୍ଣ୍ଣ ଉତ୍ସାହ ଉଦ୍ଦୀପନା ସହ ପାଳନ କରିଥିଲେ । ସୁରିନାମରେ ଭାରତୀୟ ସମୁଦାୟ ପ୍ରତିବର୍ଷ ୫ ଜୁନ୍‌ରେ ଇଣ୍ଡିଆନ ଆରାଇଭାଲ୍‌ ଡେ୍‌ ଓ ପ୍ରବାସୀ ଦିବସ ପାଳନ କରନ୍ତି । ଏଠାକାର ବହୁତ ଲୋକ ହିନ୍ଦୀ ସହିତ ଭୋଜପୁରୀ ମଧ୍ୟ କହିଥାନ୍ତି । ସେଣ୍ଟ୍‌ ଭିନ୍‌ସେଣ୍ଟ୍‌ ଆଣ୍ଡ୍‌ ଦି ଗ୍ରେନାଡ଼ିନରେ ରହୁଥିବା ଆମର ଭାରତୀୟ ବଂଶୋଦ୍ଭବ ଭାଇଭଉଣୀଙ୍କ ସଂଖ୍ୟା ପ୍ରାୟ ଛଅ ହଜାର । ସେମାନେ ନିଜ ଐତିହ୍ୟକୁ ନେଇ ବହୁତ ଗର୍ବ କରନ୍ତି । ଜୁନ ୧ ତାରିଖରେ ଏମାନେ ସମସ୍ତେ ଇଣ୍ଡିଆନ ଏରାଇଭାଲ୍‌ ଡେ’କୁ ଯେଉଁଭଳି ଧୁମ୍‌ଧାମ୍‌ରେ ପାଳନ କଲେ, ସେଥିରୁ ଏହି ଭାବନା ସ୍ପଷ୍ଟ ପରିଲକ୍ଷିତ ହୁଏ । ସମଗ୍ର ବିଶ୍ୱରେ ଭାରତୀୟ ଐତିହ୍ୟ ଓ ସଂସ୍କୃତିର ଯେତେବେଳେ ଏଭଳି ବିସ୍ତୃତି ଦେଖିବାକୁ ମିଳେ, ସେତେବେଳେ ପ୍ରତ୍ୟେକ ଭାରତୀୟ ଗର୍ବିତ ହୁଅନ୍ତି ।

ବନ୍ଧୁଗଣ, ଏହି ମାସରେ ସମଗ୍ର ବିଶ୍ୱ ଦଶମ ଯୋଗ ଦିବସକୁ ସଂପୂର୍ଣ୍ଣ ଉତ୍ସାହ ଉଦ୍ଦୀପନା ସହ ପାଳନ କରିଛି । ମୁଁ ମଧ୍ୟ ଜାମ୍ମୁକାଶ୍ମୀରର ଶ୍ରୀନଗରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲି । କାଶ୍ମୀରର ଯୁବକମାନଙ୍କ ସହ ଝିଅ ତଥା ଭଉଣୀମାନେ ମଧ୍ୟ ଯୋଗ ଦିବସରେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ଯୋଗ ଦିବସର ଆୟୋଜନ ଯେତିକି ଆଗକୁ ବଢ଼ୁଛି, ନୂଆନୂଆ ରେକର୍ଡ ସୃଷ୍ଟି ହୋଇଚାଲିଛି । ସାରା ପୃଥିବୀରେ ଯୋଗ ଦିବସ ଅନେକ ଚମତ୍କାର ଉପଲବଧି ହାସଲ କରିଛି । ସାଉଦି ଆରବରେ ପ୍ରଥମ ଥର ଜଣେ ମହିଳା ଅଲ୍‌ ହନୌଫ୍‌ ସାଦ୍‌ ଜୀ କମନ୍‌ ଯୋଗ ପ୍ରୋଟୋକଲ୍‌ର ନେତୃତ୍ୱ ନେଇଥିଲେ । ପ୍ରଥମ ଥର ଜଣେ ସାଉଦି ମହିଳା କୌଣସି ମୁଖ୍ୟ ଯୋଗ ସେସନକୁ ସଞ୍ଚାଳନ କରିଥିଲେ । ଇଜିପ୍‌ଟରେ ଏଥର ଯୋଗ ଦିବସରେ ଏକ ଫଟୋ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ନୀଳନଦୀ କୂଳରେ, ଲୋହିତ ସାଗରର ବେଳାଭୂମିରେ ଓ ପିରାମିଡ ସମ୍ମୁଖରେ ଯୋଗ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଛବି ବହୁତ ଲୋକପ୍ରିୟ ହୋଇଥିଲା । ନିଜର ମାର୍ବଲ୍‌ ବୁଦ୍ଧ ପ୍ରତିମୂର୍ତ୍ତି ପାଇଁ ପ୍ରସିଦ୍ଧ ମ୍ୟାଁମାର୍‌ର ମାରାଭିଜୟା ପାଗୋଡ଼ା କମ୍ପ୍ଲେକ୍ସ ବିଶ୍ୱରେ ବେଶ୍‌ ଜଣାଶୁଣା । ଏଠାରେ ମଧ୍ୟ ୨୧ ଜୁନରେ ଚମତ୍କାର ଯୋଗ ସେସନ ଆୟୋଜିତ ହୋଇଥିଲା । ବାହାରିନରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଏକ ସ୍ୱତନ୍ତ୍ର ଶିବିରର ଆୟୋଜନ କରାଯାଇଥିଲା । ଶ୍ରୀଲଙ୍କାର ୟୁନେସ୍କୋ ଐତିହ୍ୟସ୍ଥଳ ପାଇଁ ବିଖ୍ୟାତ ଗଲ୍‌ ଫୋର୍ଟରେ ମଧ୍ୟ ଏକ ସ୍ମରଣୀୟ ଯୋଗ ସେସନ୍‌ ହୋଇଥିଲା । ଆମେରିକାର ନ୍ୟୁୟର୍କ ସ୍ଥିତ ଅବଜରଭେସନ ଡେକ୍‌ରେ ମଧ୍ୟ ଲୋକେ ଯୋଗ କରିଥିଲେ । ମାର୍ଶାଲ୍‌ ଦ୍ୱୀପରେ ମଧ୍ୟ ପ୍ରଥମ ଥର ବହୁତ ବଡ଼ ଯୋଗଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରାଷ୍ଟ୍ରପତି ଜୀ ମଧ୍ୟ ଭାଗନେଇଥିଲେ । ଭୁଟାନର ଥିମ୍ପୁରେ ମଧ୍ୟ ଏକ ବଡ଼ ଯୋଗ ଦିବସ କାର୍ଯ୍ୟକ୍ରମ ହୋଇଥିଲା, ଯେଉଁଥିରେ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ତୋବଗେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଅର୍ଥାତ ପୃଥିବୀର କୋଣ ଅନୁକୋଣରେ ଲୋକେ ଯୋଗ କରୁଥିବାର ବର୍ଣ୍ଣାଢ଼୍ୟ ଦୃଶ୍ୟ ଆମେ ସମସ୍ତେ ଦେଖିଲୁ । ମୁଁ ଯୋଗ ଦିବସରେ ଭାଗ ନେଇଥିବା ସମସ୍ତ ବନ୍ଧୁମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି । ମୋର ଆପଣଙ୍କ ପାଖରେ ଗୋଟିଏ ପୁରୁଣା ଅନୁରୋଧ ମଧ୍ୟ ରହିଛି । ଯୋଗକୁ ଆମେ କେବଳ ଦିନିକିଆ ଅଭ୍ୟାସ କରିବା ନାହିଁ । ଆପଣ ନିୟମିତ ଯୋଗ କରନ୍ତୁ । ଏହାଦ୍ୱାରା ଆପଣ ନିଜ ଜୀବନରେ ସକାରାତ୍ମକ ପରିବର୍ତ୍ତନକୁ ନିଶ୍ଚୟ ଅନୁଭବ କରିବେ ।

ବନ୍ଧୁଗଣ, ଭାରତର ଅନେକଗୁଡ଼ିଏ ଉତ୍ପାଦ ଅଛି ଯେଉଁଗୁଡ଼ିକର ସାରା ବିଶ୍ୱରେ ବହୁତ ଚାହିଦା ରହିଛି । ଭାରତର ଏହିଭଳି କିଛି ସ୍ଥାନୀୟ ଉତ୍ପାଦକୁ ଆମେ ଯେତେବେଳେ Global ହେବାର ଦେଖୁ, ସେତେବେଳେ ମନ ଗର୍ବରେ ପୁରିଉଠିବା ସ୍ୱାଭାବିକ । ଆରାକୁ କଫି ଆମର ସେହିଭଳି ଏକ ଉତ୍ପାଦ । ଆନ୍ଧ୍ରପ୍ରଦେଶର ଅଲ୍ଲୁରୀ ସୀତାରାମ ରାଜୁ ଜିଲ୍ଲାରେ ଏହାର ଉତ୍ପାଦନ ବହୁ ପରିମାଣରେ ହୁଏ । ଏହା ନିଜର Rich flavour ଏବଂ aroma ପାଇଁ ପ୍ରସିଦ୍ଧ । ଆରାକୁ କଫିକୁ ଏଭଳି ଉଚ୍ଚସ୍ଥାନ ପ୍ରାପ୍ତ କରାଇବାରେ ଗିରିଜନ Co-operativeର ବିଶେଷ ଭୂମିକା ରହିଛି । ଏହି ସଂସ୍ଥା ଏଠାକାର କୃଷକ ଭାଇଭଉଣୀମାନଙ୍କୁ ଏକତ୍ର କରିବାର କାମ କଲା ଏବଂ ସେମାନଙ୍କୁ ଆରାକୁ କଫିର ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଲା । ଏହାଦ୍ୱାରା ଏହି କୃଷକମାନଙ୍କର ରୋଜଗାର ମଧ୍ୟ ବହୁତ ବଢ଼ିଗଲା । କୋଣ୍ଡା, ଦୋରା ଆଦିବାସୀମାନଙ୍କୁ ମଧ୍ୟ ୟା’ଦ୍ୱାରା ଅଧିକା ଲାଭ ମିଳିଲା । ରୋଜଗାର ସଙ୍ଗେ ସଙ୍ଗେ ସେମାନେ ଏକ ସମ୍ମାନଜନକ ଜୀବନଯାପନ କରୁଛନ୍ତି । ମୋର ମନେଅଛି ଥରେ ବିଶାଖାପାଟଣାରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଗାରୁଙ୍କ ସହିତ ମୋତେ ଏହି କଫିର ସ୍ୱାଦ ନେବାର ସୁଯୋଗ ମିଳିଥିଲା । ତା’ର ଟେଷ୍ଟ କଥା କ’ଣ କହିବି ? ଏ କଫି ତ ବହୁତ ବଢ଼ିଆ । ଆରାକୁ କଫିକୁ ଅନେକ ବିଶ୍ୱସ୍ତରୀୟ ପୁରସ୍କାର ମଧ୍ୟ ମିଳିଛି । ଦିଲ୍ଲୀରେ ଆୟୋଜିତ ହୋଇଥିବା ଏ-୨୦ ସମ୍ମିଳନୀରେ ମଧ୍ୟ ଏହି କଫି ବେଶ ଆଦୃତ ହୋଇଥିଲା । ଆପଣଙ୍କୁ ଯେବେବି ସୁଯୋଗ ମିଳିବ ଆପଣ ନିଶ୍ଚିତ ଭାବେ ଆରାକୁ କଫିର ଆନନ୍ଦ ନିଅନ୍ତୁ ।

ସାଥିଗଣ, ଲୋକାଲ ଉତ୍ପାଦକୁ ଗ୍ଲୋବାଲ ବନେଇବାରେ ଆମ ଜାମ୍ମୁ କାଶ୍ମୀରର ଲୋକମାନେ ମଧ୍ୟ ପଛରେ ନାହାଁନ୍ତି । ଗତମାସରେ ଜାମ୍ମୁ କାଶ୍ମୀରର ଲୋକମାନେ ଯାହା କରିଦେଖାଇଛନ୍ତି ତାହା ସାରା ଦେଶର ଲୋକମାନଙ୍କ ପାଇଁ ଏକ ଉଦାହରଣ । ଏଠାକାର ପୁଲୱାମାରୁ Snow Peasର ପ୍ରଥମ ଛେକ ଲଣ୍ଡନ ପଠାଯାଇଛି । କିଛି ଲୋକଙ୍କ ମନରେ ଗୋଟିଏ ଆଇଡିଆ ଆସିଲା ଯେ କାଶ୍ମୀରରେ ଉତ୍ପାଦିତ ହେଉଥିବା exotic vegetablesକୁ କାହିଁକି ବିଶ୍ୱ ମାନଚିତ୍ରରେ ସ୍ଥାପିତ କରାନଯିବ ...... ବେଶ୍ ଆଉ କ’ଣ କହିବା ... ଚକୁରା ଗାଁର ଅବଦୁଲ୍ ରସିଦ ମୀର ଜୀ ଏଥିପାଇଁ ସର୍ବପ୍ରଥମେ ଆଗେଇ ଆସିଲେ । ସେ ଗ୍ରାମର ଅନ୍ୟ କୃଷକମାନଙ୍କ ଜମିକୁ ଏକାଠି କରି Snow Peas ଚାଷ କରିବା ଆରମ୍ଭ କଲେ ଏବଂ ଦେଖୁଦେଖୁ Snow Peas କାଶ୍ମୀରରୁ ଯାଇ ଲଣ୍ଡନରେ ପହଂଚିବା ଆରମ୍ଭ କରିଦେଲା । ଏହି ସଫଳତା ଜାମ୍ମୁ କାଶ୍ମୀରର ଲୋକମାନଙ୍କ ପାଇଁ ସମୃଦ୍ଧିର ଦ୍ୱାର ଖୋଲିଦେଇଛି । ଆମ ଦେଶରେ ଏହିଭଳି ନିଆରା ଉତ୍ପାଦମାନଙ୍କର ଅଭାବ ନାହିଁ । ଆପଣ ଏହି ଉତ୍ପାଦଗୁଡ଼ିକୁ #MyProductsMyPrideରେ ନିଶ୍ଚୟ ସେୟାର୍ କରନ୍ତୁ । ମୁଁ ଏହି ବିଷୟ ଉପରେ ଆସନ୍ତା ‘ମନ୍ କି ବାତ୍’ରେ ନିଶ୍ଚୟ ଚର୍ଚ୍ଚା କରିବି ।

ମମ ପ୍ରିୟାଃ ଦେଶବାସୀନଃ

ଅଦ୍ୟ ଅହଂ କିଂଚିତ୍ ଚର୍ଚ୍ଚା ସଂସ୍କୃତ ଭାଷାୟାଂ ଆରଭେ ।

ଆପଣମାନେ ଭାବୁଥିବେ ଯେ ମୁଁ ‘ମନ୍ କି ବାତ୍’ରେ ହଠାତ୍ ସଂସ୍କୃତରେ କାହିଁକି କହୁଛି ? ଏହାର କାରଣ ହେଲା ଆଜି ସଂସ୍କୃତ ସହ ସମ୍ବନ୍ଧିତ ଗୋଟିଏ ବିଶେଷ ପ୍ରସଙ୍ଗ । ଆଜି ଜୁନ୍ ୩୦ ତାରିଖରେ ଆକାଶବାଣୀର ସଂସ୍କୃତ ବୁଲେଟିନ୍ ତା’ର ପଚାଶ ବର୍ଷ ପୂରଣ କରୁଛି । ପଚାଶ ବର୍ଷ ଭିତରେ ଏହି ବୁଲେଟିନ ଅଗଣିତ ଲୋକଙ୍କୁ ସଂସ୍କୃତ ସହିତ ବାନ୍ଧିରଖିଛି । ମୁଁ All India Radio ପରିବାରକୁ ଏଥିପାଇଁ ଅଭିନନ୍ଦନ ଜଣାଉଛି ।

ସାଥିଗଣ, ପ୍ରାଚୀନ ଭାରତୀୟ ଜ୍ଞାନ ଓ ବିଜ୍ଞାନର ପ୍ରଗତି କ୍ଷେତ୍ରରେ ସଂସ୍କୃତର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମେ ସଂସ୍କୃତକୁ ସମ୍ମାନ ଦେବା ତଥା ନିଜର ଦୈନନ୍ଦିନ ଜୀବନରେ ସଂସ୍କୃତକୁ ସ୍ଥାନ ଦେବା – ଏହାହିଁ ହେଉଛି ଆଜିର ଆବଶ୍ୟକତା । ଆଜିକାଲି ବେଙ୍ଗାଲୁରୁର କେତେକ ଲୋକ ଏହିଭଳି ଏକ ପ୍ରୟାସ କରୁଛନ୍ତି । ବେଙ୍ଗାଲୁରୁରେ କଽନ ପାର୍କ ନାମରେ ଗୋଟିଏ ପାର୍କ ଅଛି । ଏଠାକାର ଲୋକମାନେ ଏହି ପାର୍କରେ ଏକ ନୂତନ ପରମ୍ପରା ଆରମ୍ଭ କରିଛନ୍ତି । ଏଠାରେ ସପ୍ତାହରେ ଗୋଟିଏ ଦିନ ପ୍ରତ୍ୟେକ ରବିବାର ବାଳକ ଯୁବକ ଓ ବୟସ୍କ ଲୋକମାନେ ଏକାଠି ହୋଇ ନିଜ ନିଜ ଭିତରେ ସଂସ୍କୃତରେ କଥାବାର୍ତ୍ତା ହେଉଛନ୍ତି । ଖାଲି ସେତିକି ନୁହେଁ ଏଠି ସଂସ୍କୃତରେ ବିତର୍କର କେତେକ ସଂପାନ ମଧ୍ୟ ଆୟୋଜିତ ହେଉଛି । ସେମାନେ ଏହି ପ୍ରୟାସର ନାଁ ଦେଇଛନ୍ତି “ସଂସ୍କୃତ Weekend” । ସମଷ୍ଟି ଗୁବିଜୀ ଏକ ସଂସ୍କୃତ ୱେବସାଇଟ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି କିଛିଦିନ ଆଗରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ବେଙ୍ଗାଲୁରୁବାସୀମାନଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଛି । ଆମେ ସବୁ ଯଦି ଏହିଭଳି ପ୍ରୟାସରେ ଯୋଗଦେବା ତାହେଲେ ଆମକୁ ବିଶ୍ୱର ଏହି ପ୍ରାଚୀନ ତଥା ବୈଜ୍ଞାନିକ ଭାଷାରୁ ବହୁତ କିଛି ଶିଖିବାକୁ ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆପଣମାନଙ୍କ ସହିତ ଯୋଗଦେଇ ବହୁତ ଭଲ ଲାଗିଲା । ଏବେ ଏହା ଆଗଭଳି ଲଗାତାର ଜାରି ରହିବ । ଆଜିଠାରୁ ଗୋଟିଏ ସପ୍ତାହ ପରେ ପବିତ୍ର ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି । ମହାପ୍ରଭୁ ଜଗନ୍ନାଥଙ୍କ କୃପା ସମସ୍ତ ଦେଶବାସୀମାନଙ୍କ ଉପରେ ସଦାସର୍ବଦା ଥାଉ – ମୁଁ ଏହି କାମନା କରୁଛି । ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହୋଇଗଲାଣି ଏବଂ ଆଉ କେତୋଟି ଦିନ ପରେ ‘ପଣ୍ଢରପୁର ବାରୀ’ ମଧ୍ୟ ଆରମ୍ଭ ହୋଇଯିବ । ଏହି ଯାତ୍ରାଗୁଡ଼ିକରେ ଯୋଗଦେଉଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ମୁଁ ଶୁଭକାମନା ଜଣାଉଛି । ଆଗକୁ କଚ୍ଛୀ ନବବର୍ଷ ଆଷାଢ଼ୀ ବିଜ୍ ପର୍ବ ମଧ୍ୟ ଆସୁଛି । ଏହି ପର୍ବପର୍ବାଣୀ ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୋର ବିଶ୍ୱାସ ସକାରାତ୍ମକ ଜନଭାଗିଦାରୀର ଏହି ପ୍ରୟାସଗୁଡ଼ିକୁ ଆପଣମାନେ ମୋ ସହିତ ନିଶ୍ଚୟ ବାଣ୍ଟୁଥିବେ । ମୁଁ ଆସନ୍ତା ମାସରେ ଆପଣମାନଙ୍କ ସହିତ ପୁଣି ଯୋଗଦେବାକୁ ପ୍ରତୀକ୍ଷା କରୁଛି । ସେ ପର୍ଯ୍ୟନ୍ତ ଆପଣମାନେ ନିଜର ଓ ନିଜ ପରବିାର ପ୍ରତି ଧ୍ୟାନ ଦିଅନ୍ତୁ । ବହୁତ ବହୁତ ଧନ୍ୟବାଦ, ନମସ୍କାର ।

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Hails Rice Revolution And Kerala Kumbh Revival In ‘Mann Ki Baat’

Media Coverage

PM Modi Hails Rice Revolution And Kerala Kumbh Revival In ‘Mann Ki Baat’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the demise of former Union Minister, Shri Mukul Roy
February 23, 2026

The Prime Minister, Shri Narendra Modi has expressed deep grief over the passing away of former Union Minister, Shri Mukul Roy. Shri Modi said that Shri Mukul Roy will be remembered for his political experience and efforts to serve society.

In a post on X, the Prime Minister said:

“Pained by the passing of former Union Minister Shri Mukul Roy Ji. He will be remembered for his political experience and efforts to serve society. Condolences to his family and supporters. Om Shanti.”