ନମସ୍କାର,

ସର୍ବପ୍ରଥମେ ମୁଁ ପ୍ରଫେସର କ୍ଲାସ ଶ୍ବାବ ଏବଂ ବିଶ୍ବ ଆର୍ଥିକ ମଞ୍ଚର ସମ୍ପୂର୍ଣ୍ଣ ଟିମକୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ବିଶ୍ବ ଅର୍ଥବ୍ୟବସ୍ଥାର ଏହି ଗୁରୁତ୍ବପୂର୍ଣ୍ଣ ମଞ୍ଚକୁ ଆଜିର କଠିନ ପରିସ୍ଥିତିରେ ମଧ୍ୟ ଆପଣମାନେ ଜୀବନ୍ତ ରଖିପାରିଛନ୍ତି। ଏପରି ସମୟରେ, ସବୁଠୁ ବଡ଼ ପ୍ରଶ୍ନ ହେଉଛି ବିଶ୍ବ ଅର୍ଥବ୍ୟବସ୍ଥା କିପରି ଭାବେ ଆଗକୁ ବଢ଼ିବ, ଏହି ପ୍ରଶ୍ନ ସହିତ, ସମସ୍ତଙ୍କ ଦୃଷ୍ଟି ଏବେ ଏହି ମଞ୍ଚ ଉପରେ ରହିବା ସ୍ବାଭାବିକ।

ସାଥୀଗଣ,

ନାନାପ୍ରକାର ଆଶଙ୍କା ମଧ୍ୟରେ ଆଜି ମୁଁ ଆପଣମାନଙ୍କ ସମସ୍ତଙ୍କ ସାମ୍ନାରେ 130 କୋଟିରୁ ଅଧିକ ଭାରତବାସୀଙ୍କ ପକ୍ଷରୁ ବିଶ୍ବ ପାଇଁ ବିଶ୍ବାସ, ସକାରାତ୍ମକତା ଏବଂ ଆଶାର ବାର୍ତ୍ତା ନେଇ ଆସିଛି। କରୋନା ଆସିବା ସମୟରେ ଭାରତ ଆଗରେ ମଧ୍ୟ ଅନେକଗୁଡ଼ିକ ଜଟିଳତା ରହିଥିଲା। ମୋର ମନେ ଅଛି ଫେବୃଆରୀ-ମାର୍ଚ୍ଚ-ଏପ୍ରିଲରେ ବିଶ୍ବର ଅନେକ ନାମୀ ବିଶେଷଜ୍ଞ ଏବଂ ବଡ଼ ବଡ଼ ସଂସ୍ଥାମାନେ କ’ଣ ସବୁ କହିଥିଲେ। ଭବିଷ୍ୟବାଣୀ କରାଯାଇଥିଲା ଯେ ସାରା ବିଶ୍ବରେ କରୋନା କାରଣରୁ ଭାରତ ସବୁଠୁ ଅଧିକ ପ୍ରଭାବିତ ହେବ। କୁହାଯାଉଥିଲା ଯେ ଭାରତରେ କରୋନା ସଂକ୍ରମଣର ସୁନାମୀ ଆସିବ, କେହି କେହି କହିଥିଲେ 700-800 ନିୟୂତ ଭାରତୀୟ କରୋନାରେ ସଂକ୍ରମିତ ହେବେ। ମୃତ୍ୟୁ ସଂଖ୍ୟା 20 ଲକ୍ଷରୁ ଅଧିକ ଟପିଯିବ, ଏପରି ଆଶଙ୍କା ବ୍ୟକ୍ତ କରାଯାଉଥିଲା।

ବିଶ୍ବର ବଡ଼ ବଡ଼ ଏବଂ ଆଧୁନିକ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିବା ଦେଶଗୁଡ଼ିକର ସ୍ଥିତି ସେ ସମୟରେ ଯେପରି ଥିଲା, ତା’କୁ ଦେଖି ଭାରତ ଭଳି ବିକାଶଶୀଳ ଦେଶ ପାଇଁ ବିଶ୍ବର ଚିନ୍ତା ମଧ୍ୟ ସ୍ବାଭାବିକ ଥିଲା। ଆପଣମାନେ ଅନୁମାନ କରିପାରିବେ ଯେ ସେତେବେଳେ ଆମର ମାନସିକ ସ୍ଥିତି କିପରି ରହିଥିବ। କିନ୍ତୁ ଭାରତ ନିଜ ଉପରେ ନିରାଶବାଦର ପ୍ରଭାବ ପଡ଼ିବାକୁ ଦେଲା ନାହିଁ। ଭାରତ ସକ୍ରିୟ, ଜନଭାଗିଦାରୀ ଆଭିମୁଖ୍ୟ ସହିତ ଆଗକୁ ବଢ଼ିଚାଲିଲା। ଆମେ କୋଭିଡ ପାଇଁ ଆବଶ୍ୟକ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକଶିତ କରିବା ଉପରେ ଜୋର ଦେଲୁ। ଆମେ ଆମର ମାନବ ସମ୍ବଳକୁ କରୋନାର ମୁକାବିଲା କରିବା ନିମନ୍ତେ ପ୍ରଶିକ୍ଷିତ କଲୁ। ପରୀକ୍ଷଣ, ଚିହ୍ନଟ ଉପରେ ଗୁରୁତ୍ବାରୋପ କରିବା ସହିତ ଏଥିପାଇଁ ପ୍ରଯୁକ୍ତିର ଭରପୂର ଉପଯୋଗ କଲୁ।

ଏହି ଲଢ଼େଇରେ ଭାରତର ପ୍ରତ୍ୟେକ ବ୍ୟକ୍ତି ଧୈର୍ଯ୍ୟର ସହିତ ନିଜ କର୍ତ୍ତବ୍ୟର ପାଳନ କରିଥିଲେ। କରୋନା ବିରୋଧୀ ଲଢ଼େଇ ଏକ ଜନ ଆନ୍ଦୋଳନରେ ବଦଳିଗଲା। ଆଜି ଭାରତ ବିଶ୍ବର ହାତଗଣତି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ଅଧିକରୁ ଅଧିକ ନାଗରିକମାନଙ୍କ ଜୀବନ ବଞ୍ଚାଇବାରେ ଦେଶ ସଫଳ ହୋଇପାରିଛି। ଯେପରିକି ପ୍ରଭୁ ସାର୍ କହିଲେ, ଆଜି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି।

ବନ୍ଧୁଗଣ,

ଭାରତର ସଫଳତାକୁ କୌଣସି ଗୋଟିଏ ଦେଶର ସଫଳତା ଭାବେ ଚିତ୍ରିତ କରିବା ଉଚିତ ହେବ ନାହିଁ। ଯେଉଁ ଦେଶରେ ବିଶ୍ବର 18 ପ୍ରତିଶତ ଜନସଂଖ୍ୟା ରହୁଛନ୍ତି, ସେହି ଦେଶ କରୋନାକୁ ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରଣ କରି ସାରା ବିଶ୍ବକୁ, ମାନବତାକୁ ବଡ଼ ବିପର୍ଯ୍ୟୟରୁ ରକ୍ଷା ମଧ୍ୟ କରିଛି।

କରୋନା ଆରମ୍ଭ ହେବା ସମୟରେ ମାସ୍କ, ପିପିଇ କିଟ, ଟେଷ୍ଟ କିଟ ଆମେ ବାହାରୁ ଆମଦାନୀ କରୁଥିଲୁ। ଆଜି ଆମେ କେବଳ ନିଜ ଘରୋଇ ଆବଶ୍ୟକତାକୁ ପୂରଣ କରିନାହୁଁ, ବରଂ ଏଗୁଡ଼ିକୁ ଅନ୍ୟ ଦେଶକୁ ରପ୍ତାନି କରି ସେଠାକାର ନାଗରିକମାନଙ୍କର ସେବା ମଧ୍ୟ କରୁଛୁ। ଆହୁରି ଆଜି ଭାରତ ହିଁ କେବଳ ବିଶ୍ବର ସବୁଠୁ ବଡ଼ କରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି।

ପ୍ରଥମ ପର୍ଯ୍ୟାୟରେ ଆମେ ଆମର 3 କୋଟି ସ୍ବାସ୍ଥ୍ୟ ଓ ଅଗ୍ରଣୀ କର୍ମୀମାନଙ୍କର ଟୀକାକରଣ କାର୍ଯ୍ୟ ଆରମ୍ଭ କରିଛୁ। ଭାରତର ଗତି ଆପଣ ଏଥିରୁ ଅନୁମାନ କରିପାରିବେ ଯେ ମାତ୍ର 12 ଦିନରେ ଆମ ଦେଶ ନିଜର 23 ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକା ଦେଇସାରିଛି। ଆସନ୍ତା କିଛି ମାସ ମଧ୍ୟରେ ଆମେ ଆମର ପାଖାପାଖି 30 କୋଟି ବୟସ୍କ ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ରୋଗୀଙ୍କର ଟୀକାକରଣ ଲକ୍ଷ୍ୟ ସମ୍ପୂର୍ଣ୍ଣ କରିପାରିବୁ।

ସାଥୀଗଣ,

ସର୍ବେ ସନ୍ତୁ ନିରାମୟା- ସାରା ସଂସାର ସୁସ୍ଥ ରହୁ, ଭାରତ ଏହି ହଜାର ହଜାର ବର୍ଷ ପୁରୁଣା ପ୍ରାର୍ଥନାକୁ ଅନୁସରଣ କରି ସଙ୍କଟର ଏହି ସମୟରେ ନିଜର ବୈଶ୍ବିକ ଦାୟିତ୍ବକୁ ମଧ୍ୟ ଆରମ୍ଭରୁ ନିର୍ବାହ କରିଆସୁଛି। ଯେତେବେଳେ ସାରା ବିଶ୍ବର ଅନେକ ଦେଶରେ ଆକାଶମାର୍ଗ ବନ୍ଦ ଥିଲା ସେତେବେଳେ ଏକ ଲକ୍ଷରୁ ଅଧିକ ନାଗରିକମାନଙ୍କୁ ସେମାନଙ୍କ ଦେଶରେ ପହଞ୍ଚାଇବା ସହିତ ଭାରତ 150ରୁ ଅଧିକ ଦେଶକୁ ଅତ୍ୟାବଶ୍ୟକ ଔଷଧ ପଠାଇଥିଲା। ଅନେକ ଦେଶର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ମଧ୍ୟ ଭାରତ ଅନଲାଇନ ପ୍ରଶିକ୍ଷଣ ଦେଇଥିଲା। ଭାରତର ପାରମ୍ପରିକ ଔଷଧ-ଆୟୁର୍ବେଦ କିପରି ଭାବେ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ, ଆମେ ବିଶ୍ବକୁ ଏ ଦିଗରେ ମାର୍ଗଦର୍ଶନ ମଧ୍ୟ କରିଛୁ।

ଆଜି ଭାରତ, କୋଭିଡର ଟିକା ବିଶ୍ବର ଅନେକ ଦେଶକୁ ପଠାଇଛି, ସେଠାରେ ଟୀକା ସହ ଜଡ଼ିତ ଭିତ୍ତିଭୂମି ପ୍ରସ୍ତୁତି କରିଛି। ଏହାଦ୍ବାରା ଭାରତ ଅନ୍ୟ ଦେଶର ନାଗରିକମାନଙ୍କର ଜୀବନ ରକ୍ଷା ମଧ୍ୟ କରିପାରୁଛି। ବିଶ୍ବ ଆର୍ଥିକ ମଞ୍ଚର ସମସ୍ତେ ଏହା ଜାଣି ସନ୍ତୁଷ୍ଟ ହେବେ ଯେ ଏବେ କେବଳ ଦୁଇଟି ମେଡ଼ ଇନ ଇଣ୍ଡିଆ କରୋନା ଟୀକା ବିଶ୍ବକୁ ଆସିପାରିଛି, ଆଗାମୀ ଦିନରେ ଆହୁରି ଅନେକ ଟୀକା ଭାରତରେ ପ୍ରସ୍ତୁତ ହେବାକୁ ଯାଉଛି। ଏସବୁ ଟୀକା ବିଶ୍ବର ଅନେକଗୁଡ଼ିଏ ଦେଶକୁ ଆହୁରି ବ୍ୟାପକ ଭାବେ, ଅତିଶୀଘ୍ର ଯୋଗାଇ ଦେବା କ୍ଷେତ୍ରରେ ଭାରତକୁ ସହାୟତା କରିବ‍େ।

ଭାରତର ସଫଳତାର ଏହି ଚିତ୍ର, ଭାରତର ସାମର୍ଥ୍ୟର ଏହି ଚିତ୍ର ସହିତ ମୁଁ ବିଶ୍ବର ଆର୍ଥିକ ଜଗତକୁ ଏହି ଭରସା ଦେବାକୁ ଚାହୁଁଛି ଯେ ଆର୍ଥିକ ମୋର୍ଚ୍ଚାରେ ମଧ୍ୟ ପରିସ୍ଥିତି ଆହୁରି ଦ୍ରୁତ ଗତିରେ ବଦଳିବ। କରୋନା ସମୟରେ ମଧ୍ୟ ଭାରତ ଭିତ୍ତିଭୂମି ସହ ଜଡ଼ିତ ଲକ୍ଷ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛି, ନିଯୁକ୍ତି ନିମନ୍ତେ ସ୍ବତନ୍ତ୍ର ଯୋଜନା ଚଳାଇଛି, ଆର୍ଥିକ ଗତିବିଧିକୁ ବଜାୟ ରଖିଛି। ସେତେବେଳେ ଆମେ ଗୋଟିଏ ଗୋଟିଏ ଜୀବନ ବଞ୍ଚାଇବା ଉପରେ ଗୁରୁତ୍ବ ଦେଇଥିଲୁ, ଏବେ ଭାରତର ଗୋଟିଏ ଗୋଟିଏ ଜୀବନ ଦେଶର ପ୍ରଗତି ପାଇଁ ପ୍ରାଣପଣେ ଚେଷ୍ଟା କରି ଚାଲିଛି।

ଏବେ ଭାରତ, ଆତ୍ମନିର୍ଭର ହେବାର ସଂକଳ୍ପ ନେଇ ଆଗକୁ ବଢ଼ୁଅଛି। ଭାରତର ଆତ୍ମନିର୍ଭରଶୀଳତା ଆକାଂକ୍ଷା ଜାଗତିକତାକୁ ନୂଆ ଢଙ୍ଗରେ ମଜବୁତ କରିବ। ମୋର ବିଶ୍ବାସ ରହିଛି ଯେ ଏହି ଅଭିଯାନକୁ ଶିଳ୍ପ 4.0 ଠାରୁ ବିଶେଷ ସହାୟତା ମିଳିବ। ଏହାପଛରେ ଗୋଟିଏ କାରଣ ମଧ୍ୟ ରହିଛି ଏବଂ ଏହି ବିଶ୍ବାସର ଆଧାର ମଧ୍ୟ ରହିଛି।

ସାଥୀଗଣ,

ବିଶେଷଜ୍ଞମାନେ କୁହନ୍ତି ଯେ ଶିଳ୍ପ 4.0ର ଚାରିଟି ପ୍ରମୁଖ କାରଣ-କନେକ୍ଟିଭିଟି, ଅଟୋମେସନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କିମ୍ବା ମେସିନ ଲର୍ଣ୍ଣିଂ ଏବଂ ରିଅଲ-ଟାଇମ ଡାଟା। ଆଜି ଭାରତ ବିଶ୍ବର ସେହିସବୁ ଦେଶ ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ସବୁଠୁ ଶସ୍ତାରେ ଡାଟା ଉପଲବ୍ଧ ହେଉଛି, ଯେଉଁଠି ଉପାନ୍ତ ଅଞ୍ଚଳରେ ମଧ୍ୟ ମୋବାଇଲ ଯୋଗାଯୋଗ ରହିଛି, ସ୍ମାର୍ଟ ଫୋନ ଅଛି।

ଭାରତର ଅଟୋମେସନ, ଡିଜାଇନର ବିଶେଷଜ୍ଞମାନଙ୍କ ପୁଲ ମଧ୍ୟ ବହୁତ ବଡ଼ ଏବଂ ଅଧିକାଂଶ ବିଶ୍ବସ୍ତରୀୟ କମ୍ପାନୀଗୁଡ଼ିକର ଇଞ୍ଜିନିୟରିଂ ସେଣ୍ଟର ମଧ୍ୟ ଭାରତରେ ରହିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଂରେ ଭାରତର ସଫ୍ଟେଓ୍ବର ଇଞ୍ଜିନିୟରମାନେ, ବହୁ ବର୍ଷ ଧରି ସାରା ବିଶ୍ବକୁ ନିଜ କ୍ଷମତାର ପରିଚୟ ଦେଇ ଆସୁଛନ୍ତି।

ସାଥୀଗଣ,

ବିଗତ 6 ବର୍ଷ ମଧ୍ୟରେ ଭାରତରେ ଯେପରି ଭାବେ ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରରେ କାମ କରାଯାଇଛି ତାହା ବିଶ୍ବ ଆର୍ଥିକ ମଞ୍ଚର ବିଶେଷଜ୍ଞମାନଙ୍କ ପାଇଁ ମଧ୍ୟ ଅଧ୍ୟୟନର ବିଷୟ। ଏହି ଭିତ୍ତିଭୂମି ଡିଜିଟାଲ ସମାଧାନକୁ ଭାରତର ଲୋକମାନଙ୍କୁ ଦୈନନ୍ଦିନ ଜୀବନର ଅଂଶବିଶେଷ ଭାବେ ପରିଣତ କରି ଦେଇଛି। ଆଜି ଭାରତର 103 କୋଟିରୁ ଅଧିକ ଲୋକଙ୍କ ପାଖରେ ଏକକ ପରିଚୟପତ୍ର-ଆଧାର ରହିଛି। ଲୋକମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଏକକ ପରିଚୟପତ୍ର, ସେମାନଙ୍କର ଫୋନ ସହିତ ସଂଯୁକ୍ତ ରହିଛି। ନିକଟରେ ଡିସେମ୍ବର ମାସରେ ହିଁ ଭାରତରେ 4 ଟ୍ରିଲିୟନ ଟଙ୍କାର କାରବାର ୟୁପିଆଇ ମାଧ୍ୟମରେ ହୋଇଛି। ଏଠାରେ ଥିବା ବ୍ୟାଙ୍କିଙ୍ଗ କ୍ଷେତ୍ରର ଲୋକମାନେ, ସେମାନେ ଜାଣନ୍ତି ଯେ କିପରି ଭାବେ ବିଶ୍ବର ବଡ଼ ବଡ଼ ଦେଶ, ଭାରତ ଦ୍ବାରା ବିକଶିତ ୟୁପିଆଇ ବ୍ୟବସ୍ଥା ନିଜ ଦେଶରେ ଦୋହରାଇବା ପାଇଁ ପ୍ରୟାସ କରୁଛନ୍ତି।

ସାଥୀଗଣ,

ଆମେ ଏହା ମଧ୍ୟ ଦେଖିଛୁ ଯେ କରୋନା ସଙ୍କଟ କାଳରେ ଅନେକ ଦେଶ ଏହି ଚିନ୍ତାରେ ଥିଲେ ଯେ ନିଜ ନାଗରିକମାନଙ୍କୁ କିପରି ଭାବେ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦିଆଯିବ? ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟାନ୍ବିତ ହେବେ ଯେ ଏହି ସମୟରେ ଭାରତ 760 ମିଲିୟନରୁ ଅଧିକ ଲୋକଙ୍କୁ ବ୍ୟାଙ୍କ ଖାତାରେ 1.8 ଟ୍ରିଲିୟନ ଟଙ୍କାରୁ ଅଧିକ ଅର୍ଥ ସିଧାସଳଖ ହସ୍ତାନ୍ତର କରିଛି। ଭାରତର ମଜବୁତ ଡିଜିଟାଲ ଭିତ୍ତିଭୂମିର ଶକ୍ତିର ଏହା ହେଉଛି ଏକ ପ୍ରକୃଷ୍ଟ ଉଦାହରଣ। ଆମର ଡିଜିଟାଲ ଭିତ୍ତିଭୂମି ଜନ ସେବା ପ୍ରଦାନ ବ୍ୟବସ୍ଥାକୁ ଆହୁରି ଦକ୍ଷ ଏବଂ ସ୍ବଚ୍ଛ ମଧ୍ୟ କରିଛି। ଏବେ ଭାରତ ନିଜର 130 କୋଟି ନାଗରିକମାନଙ୍କୁ ସହଜ ସ୍ବାସ୍ଥ୍ୟସେବା ଦେବା ଲାଗି ଏକକ ସ୍ବାସ୍ଥ୍ୟ ପରିଚୟପତ୍ର ଦେବାର ଅଭିଯାନ ମଧ୍ୟ ଆରମ୍ଭ କରିଛି।

ଆହୁରି ବନ୍ଧୁଗଣ,

ମୁଁ ଆଜି ଏହି ପ୍ରତିଷ୍ଠିତ ମଞ୍ଚରେ ସମସ୍ତଙ୍କୁ ଏହି ଆଶ୍ବାସନା ମଧ୍ୟ ଦେଉଛି ଯେ ଭାରତର ପ୍ରତ୍ୟେକ ସଫଳତା, ସାରା ବିଶ୍ବର ସଫଳତାରେ ସହାୟକ ହେବ। ଆଜି ଆମେ ଯେଉଁ ଆତ୍ମନିର୍ଭର ଭାରତ ଅଭିଯାନ ଚଳାଇଛୁ ତାହା ମଧ୍ୟ ବିଶ୍ବ କଲ୍ୟାଣ ଏବଂ ବିଶ୍ବ ଯୋଗାଣ ଶୃଙ୍ଖଳ ପ୍ରତି ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ଭାରତ ନିକଟରେ ବିଶ୍ବ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା ଲାଗି କ୍ଷମତା ରହିଛି, ସାମର୍ଥ୍ୟ ମଧ୍ୟ ରହିଛି ଏବଂ ସବୁଠୁ ବଡ଼ କଥା ହେଉଛି ଭରସା ମଧ୍ୟ ରହିଛି। ଭାରତ ପାଖରେ ଆଜି ସବୁଠୁ ବଡ଼ ଉପଭୋକ୍ତା ଆଧାର ରହିଛି ଏବଂ ଏହାର ଯେତେ ଅଧିକ ବିସ୍ତାରିତ ହେବ, ସେତିକି ବିଶ୍ବ ଅର୍ଥବ୍ୟବସ୍ଥା ଲାଭବାନ ହେବ।

ସାଥୀଗଣ,

ପ୍ରଫେସର କ୍ଲସ ଶ୍ବାବ ଏକଦା କହିଥିଲେ-ଭାରତ ସମ୍ଭାବନାରେ ପରିପୂର୍ଣ୍ଣ ବିଶ୍ବସ୍ତରୀୟ ଶକ୍ତି। ମୁଁ ଆଜି ସେଥିରେ ଆଉ ଗୋଟିଏ କଥା ଯୋଡ଼ିବି ଯେ ଭାରତ ସମ୍ଭାବନା ସହିତ ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ରହିଛି, ନୂତନ ଊର୍ଜାରେ ଭରି ରହିଛି। ବିଗତ କିଛି ବର୍ଷ ମଧ୍ୟରେ ଭାରତ ସଂସ୍କାର ଓ ସହାୟତା ଆଧାରିତ ପ୍ରୋତ୍ସାହନ ଉପରେ ଅଧିକ ଗୁରୁତ୍ବାରୋପ କରିଛି।

କରୋନାର ଏହି ସମୟରେ ମଧ୍ୟ ଭାରତ ପାଖାପାଖି ପ୍ରତ୍ୟେକ‍ କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାରର ଗତିକୁ ତ୍ବରାନ୍ବିତ କରିଛି। ଏସବୁ ସଂସ୍କାରକୁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ମାଧ୍ୟମରେ ସମର୍ଥନ ଯୋଗାଇ ଦିଆଯାଉଛି। ଏବେ ଭାରତରେ ଟୀକା ବ୍ୟବସ୍ଥା ଠାରୁ ଆରମ୍ଭ କରି ଏଫଡିଆଇ ନିୟମ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଏକ ଆକଳନଯୋଗ୍ୟ ଏବଂ ଅନୁକୂଳ ପରିବେଶ ରହିଛି।

ଭାରତରେ ଇଜ ଅଫ ଡୁଇଂ ବିଜନେସର ସ୍ଥିତି ଲଗାତାର ଭାବେ କିପରି ଉନ୍ନତ ହେବ, ସେ ଦିଗରେ ମଧ୍ୟ କାମ ଜାରି ରହିଛି। ଆହୁରି ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଭାରତ ନିଜର ଅଭିବୃଦ୍ଧିକୁ ଜଳବାୟୁ ପରିବର୍ତ୍ତନର ଲକ୍ଷ୍ୟ ସହିତ ଖୁବ ଅଧିକ ଦ୍ରୁତ ଗତିରେ ମିଶାଇବା ଲାଗି ପ୍ରୟାସ କରୁଛି।

ବନ୍ଧୁଗଣ,

ଶିଳ୍ପ 4.0କୁ ନେଇ ହେଉଥିବା ଏହି ଆଲୋଚନା ମଧ୍ୟରେ, ଆମ ସମସ୍ତଙ୍କୁ ଆଉ ଗୋଟିଏ କଥା ମନେ ରଖିବାକୁ ହେବ। କରୋନା ସଂକଟ ଆମକୁ ମାନବିକତାର ଆଦର୍ଶକୁ ପୁଣିଥରେ ମନେ ପକାଇ ଦେଇଛି। ଆମକୁ ମନେ ରଖିବାକୁ ହେବ ଯେ ଶିଳ୍ପ 4.0 ମଧ୍ୟ ରୋବୋଟଗୁଡ଼ିକ ପାଇଁ ନୁହେଁ, ବରଂ ମଣିଷଙ୍କ ପାଇଁ। ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଇଜ୍ ଅଫ ଲିଭିଂ (ସହଜ ଜୀବନଧାରଣ) ପାଇଁ ପ୍ରଯୁକ୍ତି ଏକ ଟୁଲ (ଉପକରଣ) ହେଉଛି ଟ୍ରାପ (ବନ୍ଧନ) ନୁହେଁ। ଏଥିପାଇଁ ସାରା ବିଶ୍ବକୁ ମିଳିତ ଭାବେ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଆମ ସମସ୍ତଙ୍କୁ ମିଶି ଆଗକୁ ପାଦ ବଢ଼ାଇବାକୁ ହେବ। ମୋର ବିଶ୍ବାସ ରହିଛି ଯେ ଆମେ ଏଥିରେ ସଫଳ ହେବୁ।

ଏହି ବିଶ୍ବାସର ସହିତ ମୁଁ ଏବେ ପ୍ରଶ୍ନ-ଉତ୍ତର ଅଧିବେଶନ ଆଡ଼କୁ ଆଗକୁ ବଢ଼ିବା ଲାଗି ଚାହିଁବି। ଆମେ ସେହି ଦିଗରେ ଆଗକୁ ବଢ଼ିବା….

ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'More strict actions to come against paper leaks': PM Modi announces new Bill push in video message

Media Coverage

'More strict actions to come against paper leaks': PM Modi announces new Bill push in video message
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the importance of fostering beneficial thoughts, words, and actions
July 24, 2026

Prime Minister Shri Narendra Modi shared a Sanskrit Subhashitam today, highlighting how continuous practice in thought, word, and action shapes one's character and direction in life.

The Prime Minister wrote on X;

"कर्मणा मनसा वाचा यदभीक्ष्णं निषेवते।

तदेवापहरत्येनं तस्मात् कल्याणमाचरेत्॥"

Whatever a person continuously practices through their actions, thoughts, and words ultimately shapes their personality and draws them in that very direction; therefore, one should always give space only to beneficial subjects in one's thoughts and conversations.