ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ର ମୁଖ୍ୟମାନଙ୍କ ୨୧ତମ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି। ଏଥିସହିତ ସେ ଆଫଗାନିସ୍ତାନ ଉପରେ ଯୁଗ୍ମ ଏସସିଓ-ସିଏସଟିଓ ଜନସମ୍ପର୍କ ଅଧିବେଶନରେ ଭିଡିଓ ବାର୍ତ୍ତା ମାଧ୍ୟମରେ ସାମିଲ ହୋଇଥିଲେ।

ଏସସିଓ ପରିଷଦର ରାଷ୍ଟ୍ର ମୁଖ୍ୟମାନଙ୍କ ୨୧ତମ ବୈଠକ ଦୁଶାନବେ ଠାରେ ୧୭ ସେପ୍ଟେମ୍ବର ୨୦୨୧ରେ ହାଇବ୍ରିଡ୍ ଫର୍ମାଟରେ ଆୟୋଜିତ ହୋଇଥିଲା।

ତାଜିକିସ୍ତାନର ରାଷ୍ଟ୍ରପତି ମହାମହିମ ଇମୋମାଲି ରହମନ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଭିଡିଓ ଲିଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଶିଖର ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ଦୁଶାନବେ ଠାରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର ପ୍ରତିନିଧିତ୍ବ କରିଥିଲେ।

ନିଜର ଅଭିଭାଷଣରେ, ପ୍ରଧାନମନ୍ତ୍ରୀ ବିସ୍ତୃତ ଏସସିଓ କ୍ଷେତ୍ରରେ ଉଗ୍ରବାଦ ଏବଂ ଆତଙ୍କବାଦର ବୃଦ୍ଧି କାରଣରୁ ଦେଖାଦେଇଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ଇତିହାସରେ ଏହି ଅଞ୍ଚଳ ଉଦାର ଏବଂ ପ୍ରଗତିଶୀଳ ସଂସ୍କୃତି ଓ ମୂଲ୍ୟବୋଧର ଗଡ଼ ଭାବେ ପରିଚିତ। କିନ୍ତୁ ବର୍ତ୍ତମାନ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସେ ଉଲ୍ଲେଖ କରିଥିଲେ ଯେ ଆଫଗାନିସ୍ତାନରେ ଦେଖା ଦେଇଥିବା ସାମ୍ପ୍ରତିକ ପରିସ୍ଥିତି ଉଗ୍ରବାଦ ଦିଗରେ ଏହି ଧାରାକୁ ଆହୁରି ଖରାପ କରିବ। ସଂଯମ, ବୈଜ୍ଞାନିକ ଓ ତର୍କସଙ୍ଗତ ଚିନ୍ତାଧାରାକୁ ପ୍ରୋତ୍ସାହନ ଲକ୍ଷ୍ୟ ନେଇ ଏସସିଓ କାର୍ଯ୍ୟ କରିପାରିବ ବୋଲି ସେ ପରାମର୍ଶ ଦେଇଥିଲେ, ଯାହାକି ଏହି ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ବିଶେଷ ଭାବେ ପ୍ରାସଙ୍ଗିକ।

ବିକାଶମୂଳକ କାର୍ଯ୍ୟକ୍ରମରେ ଡିଜିଟାଲ ପ୍ରଯୁକ୍ତି ବ୍ୟବହାର ଲାଗି ଭାରତର ଅଭିଜ୍ଞତା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ ଏବଂ ଏଗୁଡ଼ିକୁ ଏକ ମୁକ୍ତ-ଉତ୍ସ ସମାଧାନ ଭାବେ ଅନ୍ୟ ଏସସିଓ ସଦସ୍ୟମାନଙ୍କୁ ପ୍ରଦାନ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ।

କ୍ଷେତ୍ର ସ୍ତରରେ ଯୋଗାଯୋଗ ସ୍ଥାପନର ଗୁରୁତ୍ବ ଉପରେ ଆଲୋଚନା କରି, ପ୍ରଧାନମନ୍ତ୍ରୀ ଆପୋସ ବିଶ୍ବାସକୁ ପ୍ରୋତ୍ସାହନ ଲାଗି ଯୋଗାଯୋଗ ପ୍ରକଳ୍ପଗୁଡ଼ିକୁ ସ୍ବଚ୍ଛ, ସହଭାଗୀ ଏବଂ ପରାମର୍ଶ ଆଧାରିତ କରିବା ଉପରେ ଜୋର ଦେଇଥିଲେ।

ଏସସିଓ ଶିଖର ସମ୍ମିଳନୀ ପରେ ଆଫଗାନିସ୍ତାନ ଉପରେ ଏସସିଓ ଏବଂ ମିଳିତ ସୁରକ୍ଷା ଚୁକ୍ତି ସଂଗଠନ ମଧ୍ୟରେ ଏକ ଜନସମ୍ପର୍କ ଅଧିବେଶନ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ଜନସମ୍ପର୍କ ଅଧିବେଶନରେ ଅଂଶଗ୍ରହଣ କରିଥିଲେ।

 

ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ ଏସସିଓ କ୍ଷେତ୍ରୀୟ ସ୍ତରରେ ଆତଙ୍କବାଦ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇବା ଆବଶ୍ୟକ। ସେ ବେଆଇନ ଔଷଧ, ଅସ୍ତ୍ରଶସ୍ତ୍ର ଏବଂ ମାନବ ଚାଲାଣର ବିପଦ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଆଫଗାନିସ୍ତାନରେ ମାନବୀୟ ସଙ୍କଟ ବିଷୟରେ ଉଲ୍ଲେଖ କରି ସେ ଆଫଗାନିସ୍ତାନର ଜନସାଧାରଣଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ।

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India stands tall in shaky world economy as Fitch lifts FY26 growth view to 7.5%

Media Coverage

India stands tall in shaky world economy as Fitch lifts FY26 growth view to 7.5%
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 13, 2026
March 13, 2026

Resilient India Under PM Modi: Diplomatic Mastery, Youth Power, and Unstoppable Progress