ମହାମହିମ, ମିଳିତ ଜାତିସଂଘ ସାଧାରଣ ସଭାର ଅଧ୍ୟକ୍ଷ, ଶ୍ରୀ ସାବା କୋରୋସୀ
ମହାମହିମ, ମିଳିତ ଜାତିସଂଘ ଉପ ମହାସଚିବ ସୁଶ୍ରୀ ଅମିନା ମହମ୍ମଦ
ମହାମହିମ, ନ୍ୟୁୟର୍କର ମେୟର ଶ୍ରୀ ଏରିକ୍ ଆଡାମ୍ସ,
ଏବଂ ସାରା ବିଶ୍ୱରେ ଥିବା ମୋର ପ୍ରିୟ ବନ୍ଧୁମାନେ,
ନମସ୍କାର !
ବନ୍ଧୁଗଣ,
ଏହି ଶୁଭ ସକାଳରେ, ଆମେ ମିଳିତ ଜାତିସଂଘରେ ଏକତ୍ରିତ ହୋଇଛେ ।
ସମଗ୍ର ମାନବଜାତି ଏକାଠି ହେଉଥିବା ସଭାସ୍ଥଳରେ । ନ୍ୟୁୟର୍କର ଏହି ଅଦ୍ଭୁତ ସହରରେ! ମୁଁ ଜାଣେ ଆପଣମାନଙ୍କ ମଧ୍ୟରୁ ଅନେକ ବହୁ ଦୂରରୁ ଆସିଛନ୍ତି । ଆପଣମାନଙ୍କ ମଧ୍ୟରୁ ଅନେକ ସୂର୍ଯୋଦୟ ପୂର୍ବରୁ ଉଠି ଏଠାକୁ ଆସିବାର ପ୍ରୟାସ କରିଛନ୍ତି ।
ମୁଁ ଆପଣ ସମସ୍ତଙ୍କୁ ଏଠାରେ ଦେଖି ବହୁତ ଆନନ୍ଦିତ । ଆଉ ଏଠାକୁ ଆସିଥିବାରୁ ଆପଣ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।
ବନ୍ଧୁଗଣ,
ମୋତେ ଅବଗତ କରାଯାଇଛି ଯେ, ପ୍ରାୟ ଅଧିକାଂଶ ଦେଶର ନାଗରିକ ଆଜି ଏଠାରେ ପ୍ରତିନିଧିତ୍ୱ କରୁଛନ୍ତି, ଏବଂ ଆମ ସମସ୍ତଙ୍କୁ ଏଠାରେ ଏକତ୍ର କରିବାର ଆଶ୍ଚର୍ଯ୍ୟଜନକ କାରଣ ହେଉଛି ଯୋଗ!
ଯୋଗର ଅର୍ଥ ହେଉଛି- ଏକତ୍ରିତ ବା ଏକାଠି କରିବା । ତେଣୁ ଆପଣମାନଙ୍କର ଏଠାରେ ଏକାଠି ହେବା ହେଉଛି ଯୋଗର ଅନ୍ୟ ଏକ ରୂପ । ମୋର ମନେ ଅଛି ପ୍ରାୟ ନଅ ବର୍ଷ ପୂର୍ବେ, ଠିକ୍ ଜୁନ 21 ତାରିଖରେ ଜାତିସଂଘରେ ମୁଁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ପାଇଁ ଏକ ସମ୍ମାନ ଜନକ ପ୍ରସ୍ତାବ ଦେଇଥିଲି ।
ସେହି ସମୟରେ ମୋର ସେହି ଚିନ୍ତାଧାରାକୁ ସମଗ୍ର ବିଶ୍ୱ ସମର୍ଥନ କରୁଥିବା ଦେଖିବା ବେଶ ଆଶ୍ଚର୍ଯ୍ୟଜନକ ଥିଲା । ମୁଁ ଜାତିସଂଘର ସାହସୀ ଶାନ୍ତି ରକ୍ଷାକାରୀଙ୍କୁ କେବଳ ସମ୍ମାନ ଜଣାଇଥିଲି। 2015ରେ, ସେମାନଙ୍କ ସ୍ମୃତିରେ ଏକ ନୂତନ ସ୍ମାରକ ନିର୍ମାଣ କରିବା ପାଇଁ ମୁଁ ଆହ୍ୱାନ ଦେଇଥିଲି ।
ଆଉ ଗତ ସପ୍ତାହରେ, ସମଗ୍ର ବିଶ୍ୱ ଏହାକୁ ଖୁବ ଶୀଘ୍ର ବାସ୍ତବତାର ରୂପ ଦେବା ପାଇଁ ଭାରତ ସହିତ ହାତକୁ ହାତ ମିଳାଇଛନ୍ତି । ସର୍ବ ବୃହତ ଶାନ୍ତି ସୈନ୍ୟ ଯୋଗଦାନକରୀ ରାଷ୍ଟ୍ର ଭାବେ, ଏହି ଉତମ କାର୍ଯ୍ୟକୁ ସମର୍ଥନ ଜଣାଇଥିବାରୁ ଆମେ ସମସ୍ତ ଦେଶ ନିକଟରେ କୃତଜ୍ଞ ।
ଗତ ବର୍ଷ ସମଗ୍ର ବିଶ୍ୱ ଏକତ୍ରିତ ହୋଇ 2023କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରିବା ପାଇଁ ଭାରତର ପ୍ରସ୍ତାବକୁ ସମର୍ଥନ କରିଥିଲେ । ମିଲେଟସ୍ ହେଉଛି ଏକ ସୁପର ଫୁଡ୍ । ସେହି ଖାଦ୍ୟ ସାମଗ୍ରିକ ଭାବେ ସ୍ୱାସ୍ଥ୍ୟକୁ ପ୍ରେତ୍ସାହିତ କରିବା ସହ ପରିବେଶ ପାଇଁ ମଧ୍ୟ ବହୁତ ଭଲ । ଆଉ ଆଜି, ଯୋଗ ପାଇଁ ସମଗ୍ର ବିଶ୍ୱ ପୁନର୍ବାର ଏକାଠି ହେବା ନିହାତି ଆଶ୍ଚର୍ଯ୍ୟଜନକ!
ବନ୍ଧୁଗଣ,
ଯୋଗ ଭାରତରୁ ଆସିଛି, ଏବଂ ଏହା ହେଉଛି ଏକ ପୁରାତନ ପରମ୍ପରା । କିନ୍ତୁ ସମସ୍ତ ପ୍ରାଚୀନ ଭାରତୀୟ ପରମ୍ପରା ଭଳି ଏହା ଜୀବନ୍ତ ଓ ଗତିଶୀଳ । ଯୋଗ ଉନ୍ମୁକ୍ତ- କପିରାଇଟ୍ ଠାରୁ, ସତ୍ୱାଧିକାରଠାରୁ ମୁକ୍ତ ଏବଂ ରୟାଲଟି ଦେୟଠାରୁ ମଧ୍ୟ ମୁକ୍ତ । ବୟସ ଲିଙ୍ଗ ଏବଂ ଫିଟନେସ୍ ସ୍ତର ସହିତ ଏହା ସମସ୍ତଙ୍କ ପାଇଁ ଗ୍ରହଣଯୋଗ୍ୟ । ଯୋଗ ହେଉଛି ପୋର୍ଟେବଲ - ଆପଣ ଏହାକୁ ଘରେ, କିମ୍ବା କାର୍ଯ୍ୟ କ୍ଷେତ୍ରରେ ଅବା ଯାତାୟାତ କରୁଥିବା ସମୟରେ ମଧ୍ୟ ଏହାକୁ କରି ପାରିବେ।
ଯୋଗ ହେଉଛି ନମନୀୟ- ଆପଣ ଏହାକୁ ଏକାକୀ ଅଭ୍ୟାସ କରି ପାରିବେ କିମ୍ବା ଗୋଷ୍ଠୀଗତ ଭାବେ କରି ପାରିବେ, ଜଣେ ଶିକ୍ଷକଙ୍କ ଠାରୁ ଶିଖି ପାରିବେ, କିମ୍ବା ନିଜେ ସ୍ୱୟଂ ଶିକ୍ଷା କରି ପାରିବେ । ଯୋଗ ସମସ୍ତଙ୍କୁ ଏକତ୍ରିତ କରୁଛି- ଏହା ସମସ୍ତଙ୍କ ପାଇଁ, ସମସ୍ତ ଜାତି, ସମସ୍ତ ଧର୍ମ, ସମସ୍ତ ବିଶ୍ୱାସ ଓ ସମସ୍ତ ସଂସ୍କୃତି ପାଇଁ । ପ୍ରକୃତରେ ଯୋଗ ହେଉଛି ସର୍ବବ୍ୟାପୀ ।
ବନ୍ଧୁଗଣ,
ଯେତେବେଳେ ଆମେ ଯୋଗ କରିବା, ସେତେବେଳେ ଆମେ ଶାରୀରିକ ଭାବେ ସୁସ୍ଥ, ମାନସିକ ଶାନ୍ତି ଓ ଭାବପ୍ରବଣତା ଅନୁଭବ କରିପାରିବା । କିନ୍ତୁ ଏହା କେବଳ ଏକ ବିଛଣା ଉପରେ ଅଭ୍ୟାସ କରିବାର ବିଷୟ ନୁହେଁ । ଯୋଗ ହେଉଛି ଏକ ଜୀବନ ଶୈଳୀ । ସୁସ୍ଥ ଏବଂ ଆରୋଗ୍ୟ ରହିବା ପାଇଁ ଏକ ସାମଗ୍ରିକ ଅଭିବ୍ୟକ୍ତି । ଚିନ୍ତାଧାରା ଏବଂ କାର୍ଯ୍ୟରେ ଏକାଗ୍ରତା ଆଣିବାର ଏକ ଉପାୟ। ନିଜ ସହିତ ବଂଚିବା ଓ ସୁସମ୍ପର୍କ ବଜାୟ ରଖିବାର ଏକ ପ୍ରକୃତି । ମୁଁ ଖୁସି ଯେ ଆପଣମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ବୈଜ୍ଞାନିକ ଦିଗରେ ଯୋଗର ବିବିଧତା ଉପରେ କାର୍ଯ୍ୟ କରୁଛନ୍ତି । ପ୍ରକୃତରେ ଏହା ହେଉଛି ଏକ ଅନନ୍ୟ ଧାରା ।
ବନ୍ଧୁଗଣ,
ମୁଁ ଜାଣେ ଯେ ଆପଣ ସମସ୍ତେ ଆରମ୍ଭ କରିବାକୁ ଆଗ୍ରହୀ । ଠିକ ଅଛି, ମୁଁ ମଧ୍ୟ ଆଗ୍ରହୀ । ଆମ ପାଇଁ ଆଜି ଏହି ଆୟୋଜନ କରିଥିବାରୁ ମୁଁ ମିଳିତ ଜାତିସଂଘକୁ ଦନ୍ୟବାଦ ଜଣାଇବାକୁ ଚାହୁଁଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟତା ଓ ସମର୍ଥନ ପାଇଁ ମୁଁ ନ୍ୟୁୟର୍କର ମେୟରଙ୍କ ନିକଟରେ ମୁଁ କୃତଜ୍ଞ । ଆଉ ସବୁଠାରୁ ବଡ଼ କଥା ହେଉଛି, ଆଜି ଏଠାରେ ଆପଣ ସମସ୍ତେ ଉପସ୍ଥିତ ଥିବାରୁ ମୁଁ ପୁଣି ଥରେ ଆପଣମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଆସନ୍ତୁ ଯୋଗର ଶକ୍ତିକୁ କେବଳ ସୁସ୍ଥ ଓ ଖୁସି ହେବା ପାଇଁ ନୁହେଁ ବରଂ ନିଜ ପାଇଁ- ଏବଂ ପରସ୍ପର ପ୍ରତି ବ୍ୟବହାର ସମୟରେ ଦୟାଳୁ ଭାବ ରଖିବା ।
ଆସନ୍ତୁ ଯୋଗର ଶକ୍ତି ବ୍ୟବହାର କରି ବନ୍ଧୁତ୍ୱର ଏକ ସେତୁ ବାନ୍ଧିବା, ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ଏବଂ ଏକ ସ୍ୱଚ୍ଛ, ସବୁଜ ଓ ନିରନ୍ତର ଭବିଷ୍ୟତ ନିର୍ମାଣ କରିବା । ଆସନ୍ତୁ ହାତକୁ ହାତ ମିଶାଇ ଏକାଠି ହେବା-‘ଏକ ପୃଥିବୀ, ଏକ ପରିବାର, ଏକ ଭିବିଷ୍ୟତର ଲକ୍ଷ୍ୟକୁ ହୃଦୟଙ୍ଗମ କରିବା । ଏହି କାମନା ସହିତ ମୁଁ ମୋର ବକ୍ତବ୍ୟ ଶେଷ କରୁଛି ।
ସର୍ବେ ଭବନ୍ତୁ ସୁଖିନଃ
ସର୍ବେ ସନ୍ତୁ ନିରାମୟାଃ
ସମସ୍ତେ ସୁଖରେ ରୁହନ୍ତୁ, ସମସ୍ତେ ସୁସ୍ଥ ରୁହନ୍ତୁ!
ଧନ୍ୟବାଦ !
ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ !


