A task force has been formed, which will monitor the cheetahs and see how they are adapting to the environment: PM Modi
Deendayal ji's 'Ekatma Manavdarshan' is such an idea, which in the realm of ideology gives freedom from conflict and prejudice: PM Modi
It has been decided that the Chandigarh airport will now be named after Shaheed Bhagat Singh: PM Modi
A lot of emphasis has been given in the National Education Policy to maintain a fixed standard for Sign Language: PM Modi
The world has accepted that yoga is very effective for physical and mental wellness: PM Modi
Litter on our beaches is disturbing, our responsibility to keep coastal areas clean: PM Modi
Break all records this time to buy Khadi, handloom products: PM Modi
Use locally made non-plastic bags; trend of jute, cotton, banana fibre bags is on the rise once again: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର !

ବିଗତ ଦିନରେ ଯେଉଁ କଥା ଆମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ତାହା ହେଲା ଚିତା । ଚିତା ଉପରେ କଥା ହେବା ପାଇଁ ବହୁତ ଗୁଡ଼ିଏ ଆସିଛି । ଉତ୍ତରପ୍ରଦେଶର ଅରୁଣ କୁମାର ଗୁପ୍ତା ହୁଅନ୍ତୁ କି ତେଲଙ୍ଗାନାର ଏନ୍.ରାମଚନ୍ଦ୍ରନ ରଘୁରାମ୍ ଜୀ, ଗୁଜରାଟର ରାଜନ୍ ଜୀ ହୋଇଥାଆନ୍ତୁ କିମ୍ବା ଦିଲ୍ଲୀର ସୁବ୍ରତ୍ ଜୀ । ଦେଶର କୋଣ ଅନୁକୋଣରୁ ଲୋକେ ଚିତା ଭାରତକୁ ଫେରିବା ନେଇ ଆନନ୍ଦ ପ୍ରକାଶ କରିଛନ୍ତି । ୧୩୦ କୋଟି ଭାରତବାସୀ ଆନନ୍ଦିତ, ଗର୍ବିତ । ଏହାହିଁ ହେଉଛି ଭାରତର ପ୍ରକୃତି ପ୍ରେମ । ଏ ବିଷୟରେ ଲୋକଙ୍କର ଗୋଟିଏ ହିଁ ପ୍ରଶ୍ନ, ମୋଦିଜୀ ଆମକୁ ଚିତା ଦେଖିବାର ସୁଯୋଗ କେବେ ମିଳିବ ?

ବନ୍ଧୁଗଣ, ଗୋଟିଏ ଟାସ୍କ ଫୋର୍ସ ଗଠିତ ହୋଇଛି । ଏହି ଟାସ୍କ ଫୋର୍ସ ଚିତାମାନଙ୍କ ଉପରେ ଦୃଷ୍ଟି ରଖିବ ଏବଂ ଏଠାକାର ପରିବେଶରେ ଏମାନେ କେତେ ମାତ୍ରାରେ ନିଜକୁ ଖାପ ଖୁଆଇ ପାରିଛନ୍ତି, ତାହା ତଦାରଖ କରିବ । ଏହାକୁ ଭିତ୍ତି କରି କିଛି ମାସ ପରେ କିଛି ନିଷ୍ପତି ଗ୍ରହଣ କରାଯିବ । ତା ପରେ ହିଁ ଆପଣ ଚିତାମାନଙ୍କୁ ଦେଖିପାରିବେ । କିନ୍ତୁ ସେ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କୁ କିଛି କାମ ଦେଉଛି, ଏଥିପାଇଁ ମାଇ ଗଭ୍ ପ୍ଲାଟଫର୍ମରେ ଗୋଟିଏ ପ୍ରତିଯୋଗୀତାର ଆୟୋଜନ କରାଯିବ, ଯେଉଁଥିରେ କିଛି କଥା ଶେୟାର କରିବା ପାଇଁ ମୁଁ ଜନସାଧାରଣଙ୍କୁ ଅନୁରୋଧ କରୁଛି । ଚିତାମାନଙ୍କୁ ନେଇ ଆମେ ଯେଉଁ ଅଭିଯାନ ଚଳାଉଛୁଁ, ସେହି ଅଭିଯାନର ନାମ କଣ ହେବା ଉଚିତ ? ଏହି ଚିତାମାନଙ୍କର ପ୍ରତ୍ୟେକଙ୍କର ନାମକରଣ କରାଯିବା ଉଚିତ କି ? ଏମାନଙ୍କ ନାମ କଣ ରଖାଯାଇପାରେ ? ଅବଶ୍ୟ, ଏହି ନାଁ ଗୁଡ଼ିକ ପାରମ୍ପାରିକ ହେଲେ ବହୁତ ଭଲ ହୁଅନ୍ତା । କାରଣ, ଆମ ସମାଜ ଓ ସଂସ୍କୃତି, ପରମ୍ପରା ଓ ଐତିହ ସହ ଜଡ଼ିତ ବସ୍ତୁଗୁଡ଼ିକ ଆମକୁ ସହଜରେ ନିଜ ଆଡ଼କୁ ଆକର୍ଷିତ କରିଥାଏ । କେବଳ ସେତିକି ନୁହେଁ, ଆପଣମାନେ ଏ କଥା ମଧ୍ୟ ଜଣାନ୍ତୁ ଯେ, ମଣିଷ ପଶୁମାନଙ୍କ ସହ କିଭଳି ବ୍ୟବହାର କରିବା ଉଚିତ ? ଆମର ମୌଳିକ କର୍ତ୍ତବ୍ୟରେ ମଧ୍ୟ ପ୍ରାଣୀମାନଙ୍କ ପ୍ରତି ସମ୍ମାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ପ୍ରତିଯୋଗୀତାରେ ନିଶ୍ଚିତ ଭାବେ ଅଂଶଗ୍ରହଣ କରିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ । କିଏ ଜାଣେ, ପୁରସ୍କାର ରୂପେ ଚିତାଙ୍କୁ ଦେଖିବାର ପ୍ରଥମ ସୁଯୋଗ ଆପଣଙ୍କୁ ହିଁ ମିଳିଯାଇପାରେ!

ମୋର ପ୍ରିୟ ଦେଶବାସୀଗଣ, ଆଜି ସେପ୍ଟେମ୍ବର ୨୫ ତାରିଖ ଦିନ ଦେଶର ପ୍ରଖର ମାନବବାଦୀ ଚିନ୍ତନକାରୀ ଏବଂ ମହାନ ସୁପୁତ୍ର ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଜନ୍ମଦିନ ପାଳନ କରାଯାଇଥାଏ । ଯେ କୌଣସି ଦେଶର ଯୁବବର୍ଗ ନିଜର ପରିଚୟ ଓ ଅତୀତ ଉପରେ ଯେତେ ଗର୍ବ କରନ୍ତି, ସେମାନଙ୍କୁ ନିଜ ଚିନ୍ତାଧାରା ଓ ଦର୍ଶନ ସେତିକି ଆକର୍ଷିତ କରିଥାଏ । ଦୀନଦୟାଲଙ୍କ ଚିନ୍ତାଧାରାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ଏହା ଥିଲା ଯେ, ସେ ନିଜ ଜୀବନକାଳରେ ବିଶ୍ୱର ଅନେକ ବଡ଼ ବଡ଼ ଉତ୍ଥାନ ପତନ ଦେଖିଥିଲେ । ସେହି ଚିନ୍ତାଧାରାଗୁଡ଼ିକର ବିବାଦର ସାକ୍ଷୀ ହୋଇଥିଲେ । ସେଥିପାଇଁ ସେ ଏକାତ୍ମ ମାନବଦର୍ଶନ ଓ ଅନ୍ତ୍ୟୋଦୟର ଗୋଟିଏ ଚିନ୍ତାଧାରା ଦେଶ ସମ୍ମୁଖରେ ରଖିଥିଲେ, ଯାହା ସମ୍ପୂର୍ଣ୍ଣ ରୂପେ ଭାରତୀୟ ଥିଲା । ଦୀନଦୟାଲଙ୍କର ଏକାତ୍ମ ମାନବଦର୍ଶନ ଏଭଳି ଗୋଟିଏ ଚିନ୍ତାଧାରା, ଯାହା ଦ୍ୱନ୍ଦ୍ୱ ଓ ଦୂରାଗ୍ରହରୁ ମୁକ୍ତ କରିଥାଏ । ସେ ମଣିଷମାତ୍ରକୁ ସମାନ ବୋଲି ଗ୍ରହଣ କରୁଥିବା ଭାରତୀୟ ଦର୍ଶନକୁ ପୁଣିଥରେ ବିଶ୍ୱଦରବାରରେ ଉପସ୍ଥାପିତ କଲେ । ଆମ ଶାସ୍ତ୍ରରେ କୁହାଯାଇଛି - ଆତ୍ମବତ୍ ସର୍ବଭୂତେଷୁ, ଅର୍ଥାତ, ଆମେ ପ୍ରତ୍ୟେକ ଜୀବକୁ ସମାନ ମଣିବା ଉଚିତ, ତାହା ସହ ନିଜ ପରି ବ୍ୟବହାର ପ୍ରଦର୍ଶନ କରିବା ଉଚିତ । ଆଧୁନିକ, ସାମାଜିକ ଓ ରାଜନୈତିକ ପରିପ୍ରେକ୍ଷୀରେ ମଧ୍ୟ ଭାରତୀୟ ଦର୍ଶନ କିଭଳି ବିଶ୍ୱର ମାର୍ଗଦର୍ଶନ କରିପାରେ, ଏହା ଦୀନଦୟାଲ ଆମକୁ ଶିଖାଇଛନ୍ତି । ଗୋଟିଏ ପଟେ, ସ୍ୱାଧୀନତା ପରେ ଦେଶରେ ଯେଉଁ ହୀନଭାବନା ଥିଲା ସେହିଠାରୁ ମୁକ୍ତ କରି ସେ ଆମର ବୌଦ୍ଧିକ ଚେତନାକୁ ଜାଗ୍ରତ କରିଥିଲେ । ସେ ମଧ୍ୟ କହୁଥିଲେ ଯେ, ଆମର ସ୍ୱାଧୀନତା ସେତେବେଳେ ସାର୍ଥକ ହୋଇପାରିବ, ଯେତେବେଳେ ଏହା ଆମ ସଂସ୍କୃତି ଓ ପରିଚୟକୁ ପରିପ୍ରକାଶ କରିବ । ଏହି ଚିନ୍ତାଧାରା ଆଧାରରେ ସେ ଦେଶର ବିକାଶର ଦୃଷ୍ଟିଭଙ୍ଗୀ ଗଢ଼ିଥିଲେ । ଦୀନଦୟାଲ ଉପାଧ୍ୟାୟ କହୁଥିଲେ ଯେ, ଅନ୍ତିମ ସ୍ତରରେ ଠିଆ ହୋଇଥିବା ବ୍ୟକ୍ତି ହିଁ ଦେଶର ବିକାଶର ମାପକାଠି । ସ୍ୱାଧୀନତାର ଅମୃତକାଳରେ ଆମେ ଦୀନଦୟାଲଙ୍କ ବିଷୟରେ ଯେତିକି ଜାଣିବା, ତାଙ୍କ ଚିନ୍ତାଧାରାରୁ ଯେତିକି ଶିଖିବା, ଦେଶକୁ ଆଗେଇ ନେବାକୁ ଆମକୁ ସେତିକି ପ୍ରେରଣା ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, ଆଜିଠାରୁ ତିନି ଦିନ ପରେ ଅର୍ଥାତ ସେପ୍ଟେମ୍ବର ୨୮ ତାରିଖ ଦିନ ଅମୃତ ମହୋତ୍ସବର ଗୋଟିଏ ବିଶେଷ ଦିନ ପଡ଼ୁଛି । ସେହି ଦିନ ଆମେ ଭାରତମାତାଙ୍କ ବୀର ସୁପୁତ୍ର ଭଗତ ସିଂହଙ୍କ ଜନ୍ମଦିନ ପାଳନ କରିବା । ଭଗତ ସିଂହଙ୍କ ଜନ୍ମଦିନର ଠିକ ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ରୂପେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ଏ କଥା ସ୍ଥିର କରାଯାଇଛି ଯେ, ଚଣ୍ଡିଗଡ଼ ବିମାନ ବନ୍ଦରର ନାମ ଏବେ ଶହୀଦ ଭଗତ ସିଂହଙ୍କ ନାମାନୁସାରେ ହେବ । ଦୀର୍ଘ ଦିନ ଧରି ଏହା ପ୍ରତୀକ୍ଷିତ ଥିଲା । ମୁଁ ଚଣ୍ଡିଗଡ଼, ପଞ୍ଜାବ, ହରିଆନା ସମେତ ଦେଶର ସମସ୍ତ ଜନସାଧାରଣଙ୍କୁ ଏହି ନିଷ୍ପତି ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ, ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଠାରୁ ପ୍ରେରଣା ଗ୍ରହଣ କରି, ସେମାନଙ୍କ ଆଦର୍ଶକୁ ଅନୁସରଣ କରି ସେମାନଙ୍କ ସ୍ୱପ୍ନର ଭାରତ ଗଢ଼ିବା, ତାହାହିଁ ସେମାନଙ୍କ ପ୍ରତି ହେବ ଆମ ଶ୍ରଦ୍ଧାଞ୍ଜଳୀ । ଶହିଦମାନଙ୍କ ସ୍ମୃତିସ୍ଥଳ, ସେମାନଙ୍କ ନାମାନୁସାରେ ସ୍ଥାନ ଓ ସଂସ୍ଥାଗୁଡ଼ିକର ନାମ ଆମକୁ କର୍ତ୍ତବ୍ୟ ପାଇଁ ପ୍ରେରଣା ଯୋଗାଇଥାଏ । ମାତ୍ର କିଛି ଦିନ ତଳେ ଦେଶ, କର୍ତ୍ତବ୍ୟପଥ ଉପରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ମୁର୍ତ୍ତୀ ପ୍ରତିଷ୍ଠା ମାଧ୍ୟମରେ ଏଭଳି ଏକ ପ୍ରୟାସ କରିଛି । ଆଉ ଏବେ, ଶହିଦ୍ ଭଗତ ସିଂହଙ୍କ ନାମାନୁସାରେ ଚଣ୍ଡିଗଡ଼ ବିମାନ ବନ୍ଦରର ନାମ ଏହି ଦିଗରେ ଆଉ ଏକ ପଦକ୍ଷେପ । ମୁଁ ଚାହେଁ ଅମୃତ ମହୋତ୍ସବରେ ଆମେ ଯେଉଁଭଳି ଭାବେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହିତ ଜଡ଼ିତ ହୋଇ ବିଶେଷ ଅବସରକୁ ଯେମିତି ପାଳନ କରୁଛୁ, ଠିକ ସେହିଭଳି ସେପ୍ଟେମ୍ବର ୨୮ ତାରିଖ ଦିନ ମଧ୍ୟ ଦେଶର ଯୁବବର୍ଗ କିଛି ନୂତନ ପ୍ରଚେଷ୍ଟା ନିଶ୍ଚୟ କରନ୍ତୁ ।

ମୋ ପ୍ରିୟ ଦେଶବାସୀଗଣ, ଅବଶ୍ୟ ଆପଣ ସମସ୍ତଙ୍କ ପାଖରେ ସେପ୍ଟେମ୍ବର ୨୮ ତାରିଖକୁ ପାଳନ କରିବାର ଆଉ ଗୋଟିଏ ବାହାନା ରହିଛି । ଜାଣିଛନ୍ତି, ତାହା କ’ଣ ? ମୁଁ କେବଳ ଦୁଇ ପଦ କହିବି, କିନ୍ତୁ ମୁଁ ଜାଣିଛି ଯେ, ଆପଣମାନଙ୍କ ଉତ୍ସାହ ଆହୁରି ଚାରିଗୁଣ ବଢ଼ିଯିବ । ଏହି ଦୁଇଟି ଶବ୍ଦ ହେଲା ସର୍ଜିକାଲ୍ ଷ୍ଟ୍ରାଇକ୍ । କ’ଣ ? ବଢ଼ିଗଲା ନା ଉତ୍ସାହ ? ଆମ ଦେଶରେ ଚାଲିଥିବା ଅମୃତ ମହୋତ୍ସବ ଅଭିଯାନକୁ ଆମେ ସମ୍ପୂର୍ଣ୍ଣ ମନଧ୍ୟାନ ଦେଇ ପାଳନ କରିବା, ଆମ ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବା ।

ମୋର ପ୍ରିୟ ଦେଶବାସୀଗଣ, କହନ୍ତି ଯେ, ଜୀବନର ସଂଘର୍ଷ ଦେଇ ଗତି କରିଥିବା ବ୍ୟକ୍ତି ଆଗରେ କୌଣସି ବାଧା ତିଷ୍ଠି ପାରେନି । ନିଜର ଦୈନନ୍ଦିନ ଜୀବନରେ ଆମେ ଏଭଳି କିଛି ବନ୍ଧୁମାନଙ୍କୁ ଦେଖିଥାଉ, ଯିଏ କିଛି ନା କିଛି ଶାରୀରିକ ଆହ୍ୱାନ ସହ ସଂଗ୍ରାମ କରୁଥାଆନ୍ତି । ଏଭଳି ଅନେକ ଲୋକ ମଧ୍ୟ ରହିଛନ୍ତି, ଯେଉଁମାନଙ୍କ ଶ୍ରବଣ ଶକ୍ତି ନାହିଁ କିମ୍ବା ନିଜ କଥାକୁ ସେମାନେ ଭାଷାରେ ପ୍ରକାଶ କରିପାରନ୍ତିନି । ଏଭଳି ବନ୍ଧୁମାନଙ୍କ ପାଇଁ ସବୁଠାରୁ ବଡ଼ ସମ୍ବଳ ହେଉଛି ସାଙ୍କେତିକ ଭାଷା । କିନ୍ତୁ ଭାରତରେ ଅନେକ ବର୍ଷ ଧରି ଏହି ଅସୁବିଧା ରହିଥିଲା ଯେ, ସାଙ୍କେତିକ ଭାଷା ପାଇଁ କୌଣସି ସ୍ପଷ୍ଟ ଭାବଭଙ୍ଗୀ ନିର୍ଦ୍ଧାରିତ ହୋଇ ନ ଥିଲା, ମାନକ (ଷ୍ଟାଣ୍ଡାର୍ଡ଼) ନ ଥିଲା । ଏହି ଅସୁବିଧାକୁ ଦୂର କରିବା ପାଇଁ ହିଁ ବର୍ଷ ୨୦୧୫ରେ ଭାରତୀୟ ସାଙ୍କେତିକ ଭାଷା ଗବେଷଣା ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ଏହି ସଂସ୍ଥା ଏ ଯାବତ ଦଶ ହଜାର ଶବ୍ଦ ଏବଂ ଅଭିବ୍ୟକ୍ତିର ଅଭିଧାନ ପ୍ରସ୍ତୁତ କରିସାରିଥିବାରୁ ମୁଁ ଆନନ୍ଦିତ । ଦୁଇ ଦିନ ପୂର୍ବେ ଅର୍ଥାତ ସେପ୍ଟେମ୍ବର ୨୩ ତାରିଖ ଦିନ ସାଙ୍କେତିକ ଭାଷା ଦିବସରେ ଅନେକ ବିଦ୍ୟାଳୟ ପାଠ୍ୟକ୍ରମକୁ ମଧ୍ୟ ସାଙ୍କେତିକ ଭାଷାରେ ଆରମ୍ଭ କରାଯାଇଛି । ସାଙ୍କେତିକ ଭାଷାର ସ୍ଥିରୀକୃତ ମାନକକୁ ବଜାୟ ରଖିବା ପାଇଁ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଛି । ସାଙ୍କେତିକ ଭାଷାର ଯେଉଁ ଅଭିଧାନ ତିଆରି ହୋଇଛି, ତାହାର ଭିଡିଓ ପ୍ରସ୍ତୁତ କରି ମଧ୍ୟ ଏହାକୁ ପ୍ରଚାର କରାଯାଉଛି । ୟୁ-ଟ୍ୟୁବରେ ଅନେକ ବ୍ୟକ୍ତିବିଶେଷ ଓ ସଂସ୍ଥାମାନେ ଭାରତୀୟ ସାଙ୍କେତିକ ଭାଷାରେ ନିଜର ଚ୍ୟାନେଲ ଆରମ୍ଭ କରିଦେଇଛନ୍ତି । ଅର୍ଥାତ, ସାତ ଆଠ ବର୍ଷ ପୂର୍ବେ ସାଙ୍କେତିକ ଭାଷାକୁ ନେଇ ଦେଶରେ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା, ଏବେ ଏହାର ଲାଭ ମୋର ଲକ୍ଷ ଲକ୍ଷ ଦିବ୍ୟାଙ୍ଗ ଭାଇ-ଭଉଣୀ ମାନଙ୍କୁ ମିଳିବାରେ ଲାଗିଛି । ହରିଆନାରେ ରହୁଥିବା ପୂଜା ତ ଭାରତୀୟ ସାଙ୍କେତିକ ଭାଷାକୁ ନେଇ ବିଶେଷ ଖୁସି । ଆଗରୁ ସେ ନିଜ ପୁଅ ସହ କଥାବାର୍ତ୍ତା କରିପାରୁ ନଥିଲେ । କିନ୍ତୁ, ୨୦୧୮ରେ ସାଙ୍କେତିକ ଭାଷାର ତାଲିମ ନେବା ପରେ ମା-ପୁଅ ଉଭୟଙ୍କ ଜୀବନ ସହଜ ହୋଇଯାଇଛି । ପୂଜାଙ୍କ ପୁଅ ମଧ୍ୟ ସାଙ୍କେତିକ ଭାଷା ଶିଖିଲେ ଏବଂ ନିଜ ବିଦ୍ୟାଳୟରେ ସେ ଷ୍ଟୋରୀ ଟେଲିଂରେ ପୁରସ୍କାର ହାସଲ କରି ମଧ୍ୟ ଦେଖାଇଦେଲେ । ସେହିଭଳି, ଟିଙ୍କାଜୀଙ୍କ ୬ ବର୍ଷର ଝିଅଟିଏ ଅଛି, ଯିଏ ଶୁଣିପାରୁ ନାହିଁ । ଟିଙ୍କାଜୀ ନିଜ ଝିଅକୁ ସାଙ୍କେତିକ ଭାଷାର କୋର୍ସ କରାଇଥିଲେ । କିନ୍ତୁ ତାଙ୍କୁ ନିଜକୁ ସାଙ୍କେତିକ ଭାଷା ଜଣା ନ ଥିଲା । ତେଣୁ ସେ ନିଜ ଝିଅ ସହ ଭାବ-ବିନିମୟ କରିପାରୁନଥିଲେ । ଏବେ ଟିଙ୍କାଜୀ ମଧ୍ୟ ସାଙ୍କେତିକ ଭାଷାର ତାଲିମ ଗ୍ରହଣ କରିଛନ୍ତି । ବର୍ତ୍ତମାନ ମା-ଝିଅ ପରସ୍ପର ମଧ୍ୟରେ ବହୁତ କଥା ହେଉଛନ୍ତି । ଏହି ପ୍ରଚେଷ୍ଟାର ଏକ ବଡ଼ ଲାଭ କେରଳର ମଞ୍ଜୁ ମଧ୍ୟ ପାଇଛନ୍ତି । ମଞ୍ଜୁ ଜନ୍ମରୁ ହିଁ ଶ୍ରବଣ ଶକ୍ତିହୀନ ଥିଲେ । କେବଳ ସେତିକି ନୁହେଁ, ତାଙ୍କ ପିତା-ମାତାଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ସ୍ଥିତି ଥିଲା । ଏଭଳି ପରିସ୍ଥିତିରେ ସାଙ୍କେତିକ ଭାଷା ହିଁ ସାରା ପରିବାର ପାଇଁ ଭାବ-ବିନିମୟର ମାଧ୍ୟମ ହୋଇପାରିଛି । ଏବେ ତ ମଞ୍ଜୁ ନିଜେ ସାଙ୍କେତିକ ଭାଷାର ଶିକ୍ଷକ ହେବା ପାଇଁ ନିଷ୍ପତି ଗ୍ରହଣ କରିସାରିଛନ୍ତି ।

ବନ୍ଧୁଗଣ, ମୁଁ ଏ ସମ୍ପର୍କରେ ‘ମନ୍ କୀ ବାତ୍’ରେ ଏଥିପାଇଁ ମଧ୍ୟ ଚର୍ଚା କରୁଛି, ଯେପରକି ଭାରତୀୟ ସାଙ୍କେତିକ ଭାଷାକୁ ନେଇ ସଚେତନତା ବଢ଼ୁ । ଏଥିରୁ ଆମେ ଆମର ଦିବ୍ୟାଙ୍ଗ ବନ୍ଧୁମାନଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିପାରିବା । ଭାଇ ଓ ଭଉଣୀମାନେ, କିଛିଦିନ ପୂର୍ବରୁ ମୋତେ ବ୍ରେଲରେ ଲେଖାହୋଇଥିବା ହେମକୋଷର ଏକ Copy ମଧ୍ୟ ମିଳିଛି । ହେମକୋଷ ଅସମିୟା ଭାଷାର ସବୁଠୁ ପୁରୁଣା ଶବ୍ଦକୋଷ ମଧ୍ୟରୁ ଅନ୍ୟତମ । ଏହା ଊନବିଂଶ ଶତାବ୍ଦୀରେ ପ୍ରସ୍ତୁତ କରାଯାଇଥିଲା । ଏହାର ସମ୍ପାଦନା କରିଥିଲେ ପ୍ରଖ୍ୟାତ ଭାଷାବିତ୍ ହେମଚନ୍ଦ୍ର ବରୁଆ । ହେମକୋଷର ବ୍ରେଲ୍ ସଂସ୍କରଣ ପ୍ରାୟ ୧୦ ହଜାର ପୃଷ୍ଠାର ଏବଂ ଏହା ୧୫ରୁ ଅଧିକ ଖଣ୍ଡରେ ପ୍ରକାଶିତ ହେବାକୁ ଯାଉଛି । ଏଥିରେ ୧ ଲକ୍ଷରୁ ମଧ୍ୟ ଅଧିକ ଶବ୍ଦର ଅନୁବାଦ କରାଯିବ । ମୁଁ ଏହି ସମ୍ବେଦନଶୀଳ ପ୍ରୟାସର ବହୁତ ପ୍ରଶଂସା କରୁଛି । ଏହିଭଳି ପ୍ରତ୍ୟେକ ପ୍ରୟାସ ଦିବ୍ୟାଙ୍ଗ ବନ୍ଧୁମାନଙ୍କର କୌଶଳ ଓ ସାମର୍ଥ୍ୟ ବଢ଼ାଇବାରେ ବହୁତ ସାହାଯ୍ୟ କରିଥାଏ । ଆଜି ଭାରତ ପାରାସ୍ପୋର୍ଟସରେ ମଧ୍ୟ ସଫଳତାର ବାନା ଉଡ଼ାଉଛି । ଆମେ ସମସ୍ତେ ଅନେକ ପ୍ରତିଯୋଗିତାରେ ଏହାର ସାକ୍ଷୀ ରହିଛୁ । ଆଜି ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଫିଟନେସ୍ ସଂସ୍କୃତିକୁ ତୃଣମୂଳ ସ୍ତରରେ ଆଗକୁ ନେବା କାମରେ ଲାଗିପଡ଼ିଛନ୍ତି । ଏହାଦ୍ୱାରା ଦିବ୍ୟାଙ୍ଗମାନଙ୍କ ଆତ୍ମବିଶ୍ୱାସକୁ ବହୁତ ଶକ୍ତି ମିଳିଥାଏ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ କିଛିଦିନ ପୂର୍ବରୁ ସୁରତର ଜଣେ ଝିଅ ଅନ୍ୱୀକୁ ଭେଟିଲି । ଅନ୍ୱୀ ଓ ଅନ୍ୱୀର ଯୋଗ ଦ୍ୱାରା ମୋର ସାକ୍ଷାତ ଏତେ ସ୍ମରଣୀୟ ହୋଇଗଲା ଯେ ସେ ସମ୍ପର୍କରେ ମୁଁ ‘ମନ୍ କୀ ବାତ୍’ର ସମସ୍ତ ଶ୍ରୋତାଙ୍କୁ ନିଶ୍ଚିତ ଭାବେ କହିବାକୁ ଚାହୁଁଛି । ବନ୍ଧୁଗଣ, ଅନ୍ୱୀ ଜନ୍ମରୁ ଡାଉନ୍ ସିଣ୍ଡ୍ରୋମରେ ପୀଡ଼ିତ ଏବଂ ସେ ଶୈଶବରୁ ହିଁ ଗୁରୁତର ହୃଦରୋଗ ସହିତ ଲଢ଼ୁଛି । ସେ ଯେତେବେଳେ ମାତ୍ର ତିନି ମାସର ଥିଲା, ସେତେବେଳେ ତାର ଓପନ୍ ହାର୍ଟ ସର୍ଜରୀ କରିବାକୁ ପଡ଼ିଥିଲା । ଏସବୁ ସଙ୍କଟ ସତ୍ୱେ ନା ଅନ୍ୱୀ ନା ତା’ ମାତାପିତା କେବେ ହାର୍ ମାନିଛନ୍ତି । ଅନ୍ୱୀର ମାତାପିତା ଡାଉନ୍ ସିଣ୍ଡ୍ରୋମ୍ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଖୋଜିଲେ ଏବଂ ପୁଣି ସ୍ଥିର କଲେ ଯେ ଅନ୍ୱୀର ଅନ୍ୟ ଉପରେ ନିର୍ଭରଶୀଳତାକୁ କିପରି କମ୍ କରିବେ । ସେ ଅନ୍ୱୀକୁ ପାଣିଗ୍ଲାସ୍ କିପରି ଉଠାଯିବ, ଜୋତାର ଫିତା କିପରି ବନ୍ଧାଯିବ, କପଡ଼ାର ବୋତାମ କିପରି ଲଗାଯିବ, ଏପରି ଛୋଟ ଛୋଟ କଥା ଶିଖାଇବା ଆରମ୍ଭ କଲେ । କେଉଁ ଜିନିଷର ଜାଗା କେଉଁଠି, କେଉଁ ଅଭ୍ୟାସ ଭଲ, ଏ ସବୁକିଛି ବହୁତ ଧୈର୍ଯ୍ୟର ସହ ସେମାନେ ଅନ୍ୱୀକୁ ଶିଖାଇବା ପାଇଁ ଚେଷ୍ଟା କଲେ । ଝିଅ ଅନ୍ୱୀ ଯେଉଁପରି ଶିଖିବାର ଇଚ୍ଛାଶକ୍ତି ଦେଖାଇଲା, ନିଜର ପ୍ରତିଭା ଦେଖାଇଲା, ସେଥିରୁ ତା’ ମାତାପିତାଙ୍କୁ ମଧ୍ୟ ବହୁତ ଉତ୍ସାହ ମିଳିଲା । ସେମାନେ ଅନ୍ୱୀକୁ ଯୋଗ ଶିଖିବା ପାଇଁ ପ୍ରେରଣା ଦେଲେ । ସମସ୍ୟା ଏତେ ଗମ୍ଭୀର ଥିଲା ଯେ ଅନ୍ୱୀ ନିଜର ଦୁଇ ଗୋଡ଼ରେ ଠିଆ ହୋଇପାରୁନଥିଲା, ଏଭଳି ପରିସ୍ଥିତିରେ ତା’ ମାତା-ପିତା ଅନ୍ୱୀକୁ ଯୋଗ ଶିଖିବା ପାଇଁ ପ୍ରେରଣା ଦେଲେ । ପ୍ରଥମ ଥର ଯେତେବେଳେ ସେ ଯୋଗ ଶିଖାଉଥିବା ପ୍ରଶିକ୍ଷକଙ୍କ ପାଖକୁ ଗଲା ସେତେବେଳେ ସେ ମଧ୍ୟ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଗଲେ ଯେ ଏଇ ନିରୀହ ଝିଅଟି କ’ଣ ଯୋଗ କରିପାରିବ । କିନ୍ତୁ ପ୍ରଶିକ୍ଷକ ମଧ୍ୟ ବୋଧହୁଏ କଳ୍ପନା କରିପାରିନଥିଲେ ଯେ ଅନ୍ୱୀ କେଉଁ ମାଟିରେ ଗଢ଼ା । ସେ ନିଜ ମାଆ ସହ ଯୋଗ ଅଭ୍ୟାସ କରିବାକୁ ଲାଗିଲା ଏବଂ ଏବେ ତ ସେ ଯୋଗରେ ବିଶେଷଜ୍ଞ ପାଲଟିସାରିଛି । ଅନ୍ୱୀ ଆଜି ଦେଶସାରାର ପ୍ରତିଯୋଗିତାରେ ଭାଗ ନେଉଛି ଏବଂ ପଦକ ଜିତୁଛି । ଯୋଗ ଅନ୍ୱୀକୁ ନୂଆ ଜୀବନ ଦେଇଛି । ଅନ୍ୱୀ ଯୋଗକୁ ଆୟତ କରି ଜୀବନକୁ ନିୟନ୍ତ୍ରଣରେ ରଖିପାରିଛି । ଅନ୍ୱୀର ମାତାପିତା ମୋତେ କହିଛନ୍ତି ଯେ ଯୋଗ ଦ୍ୱାରା ଅନ୍ୱୀର ଜୀବନରେ ଅଦ୍ଭୁତ ପରିବର୍ତ୍ତନ ଦେଖିବାକୁ ମିଳିଛି, ଏବେ ତା’ର ଆତ୍ମବିଶ୍ୱାସ ଅଦ୍ଭୁତ ହୋଇଯାଇଛି । ଯୋଗ ଦ୍ୱାରା ଅନ୍ୱୀର ଶାରୀରିକ ସ୍ୱାସ୍ଥ୍ୟରେ ସୁଧାର ଆସିଛି ଏବଂ ଔଷଧର ଆବଶ୍ୟକତା ମଧ୍ୟ କମିକମି ଯାଉଛି । ମୁଁ ଚାହିଁବି ଯେ ଦେଶବିଦେଶରେ ଥିବା ‘ମନ୍ କୀ ବାତ୍’ର ଶ୍ରୋତା ଅନ୍ୱୀକୁ ଯୋଗ ଦ୍ୱାରା ହୋଇଥିବା ଲାଭର ବୈଜ୍ଞାନିକ ଅଧ୍ୟୟନ କରନ୍ତୁ । ମୋର ମନେହେଉଛି ଯେ ଅନ୍ୱୀ ଏକ ବଢ଼ିଆ କେସ୍ ଷ୍ଟଡି । ଯେଉଁମାନେ ଯୋଗର ସାମର୍ଥ୍ୟକୁ ପରୀକ୍ଷା ନିରୀକ୍ଷା କରିବାକୁ ଚାହାନ୍ତି ଏଭଳି ବୈଜ୍ଞାନିକ ଆଗକୁ ଆସି ଅନ୍ୱୀର ଏହି ସଫଳତା ଉପରେ ଅଧ୍ୟୟନ କରି ଯୋଗର ସାମର୍ଥ୍ୟକୁ ବିଶ୍ୱରେ ପରିଚିତ କରିବା ଆବଶ୍ୟକ । ଏପରି କୌଣସି ଗବେଷଣା ମଧ୍ୟ ସାରା ପୃଥିବୀରେ ଡାଉନ୍ ସିଣ୍ଡ୍ରୋମରେ ପୀଡ଼ିତ ପିଲାଙ୍କୁ ବହୁତ ସାହାଯ୍ୟ କରିପାରିବ । ପୃଥିବୀ ଏବେ ଏ କଥାକୁ ସ୍ୱୀକାର କରିସାରିଛି ଯେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ବହୁତ ବେଶି ପ୍ରଭାବଶାଳୀ । ବିଶେଷତଃ ମଧୁମେହ ଓ ରକ୍ତଚାପ ସହ ଜଡ଼ିତ ସମସ୍ୟାରେ ଯୋଗରୁ ବହୁତ ସାହାଯ୍ୟ ମିଳିଥାଏ । ଯୋଗର ଏପରି ଶକ୍ତିକୁ ଦେଖି ୨୧ ଜୁନରେ ସଂଯୁକ୍ତ ରାଷ୍ଟ୍ର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବାକୁ ସ୍ଥିର କରିଛି । ଏବେ ୟୁନାଇଟେଡ଼ ନେସନ ବା ସଂଯୁକ୍ତ ରାଷ୍ଟ୍ର ଭାରତର ଆଉ ଏକ ପ୍ରୟାସକୁ ସ୍ୱୀକୃତି ଦେଇଛି, ତାକୁ ସମ୍ମାନିତ କରିଛି । ଏହି ପ୍ରୟାସ ହେଉଛି, ୨୦୧୭ ମସିହାରେ ଆରମ୍ଭ କରାଯାଇଥିବା “ଇଣ୍ଡିଆ ହାଇପର୍ଟେନସନ କଂଟ୍ରୋଲ୍ ଇନିସିଏଟିଭ୍” । ଏହା ଅଧୀନରେ ରକ୍ତଚାପର ସମସ୍ୟା ସହିତ ଯୁଝୁଥିବା ଲକ୍ଷଲକ୍ଷ ଲୋକଙ୍କର ଚିକିତ୍ସା ସରକାରୀ ସେବା କେନ୍ଦ୍ରରେ କରାଯାଉଛି । ଯେଉଁଭଳି ଏହି ପଦକ୍ଷେପ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକର ଧ୍ୟାନ ଆକର୍ଷଣ କରିଛି, ତାହା ଅଭୂତପୂର୍ବ । ଏହା ଆମ ସମସ୍ତଙ୍କ ପାଇଁ ଉତ୍ସାହ ବଢ଼ାଇବା କଥା ଯେ ଯେଉଁମାନଙ୍କର ଚିକିତ୍ସା ହୋଇଛି, ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହିଛି । ମୁଁ ଏହି ପଦକ୍ଷେପ ପାଇଁ କାମ କରୁଥିବା ସେହି ସମସ୍ତ ଲୋକଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ଯେଉଁମାନେ ନିଜର ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଏହାକୁ ସଫଳ କରିଛନ୍ତି ।

ବନ୍ଧୁଗଣ, ମାନବ ଜୀବନର ବିକାଶ ଯାତ୍ରା ନିରନ୍ତର ଜଳ ସହିତ ଜଡ଼ିତ ହୋଇଛି- ତାହା ସମୁଦ୍ର ହେଉ, ନଦୀ ହେଉ ବା ପୋଖରୀ । ଭାରତର ମଧ୍ୟ ସୌଭାଗ୍ୟ ଯେ ପ୍ରାୟ ସାଢ଼େ ସାତ ହଜାର କିଲୋମିଟର (୭୫୦୦ କିଲୋମିଟର)ରୁ ଅଧିକ ଲମ୍ବା ସମୁଦ୍ରତଟ ଯୋଗୁଁ ଆମର ସମୁଦ୍ର ସହିତ ସମ୍ପର୍କ ଅତୁଟ ରହିଛି । ଏହି ତଟୀୟ ସୀମା ଅନେକ ରାଜ୍ୟ ଓ ଦ୍ୱୀପ ଦେଇ ଯାଇଛି । ଭାରତର ଭିନ୍ନଭିନ୍ନ ସମ୍ପ୍ରଦାୟ ଓ ବିବିଧତା ଭରା ସଂସ୍କୃତିର ବିକାଶ ଏଠାରେ ଦେଖିବାକୁ ମିଳେ । କେବଳ ସେତିକି ନୁହେଁ, ଏହି ତଟୀୟ ଅଂଚଳର ଖାଦ୍ୟପେୟ ଲୋକଙ୍କୁ ଖୁବ୍ ଆକର୍ଷିତ କରିଥାଏ । କିନ୍ତୁ ଏହି ମଜାଦାର୍ କଥା ସହିତ ଗୋଟିଏ ଦୁଃଖଦ କଥା ରହିଛି । ଆମର ଏହି ତଟୀୟ ଅଂଚଳ, ପରିବେଶ ସହିତ ଜଡ଼ିତ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି । ଜଳବାୟୁ ପରିବର୍ତ୍ତନ ସାମୁଦ୍ରିକ ଇକୋସିଷ୍ଟମ୍ ପାଇଁ ବଡ଼ ବିପଦ ପାଲଟିଛି ତ ଅନ୍ୟପଟେ ଆମର ସମୁଦ୍ରକୂଳରେ ବ୍ୟାପକଭାବେ ପଡ଼ିରହିଥିବା ଅଳିଆ ଆବର୍ଜନା ଚିନ୍ତାଜନକ । ଆମର ଏହା ଦାୟିତ୍ୱ ଯେ ଆମ ଏହି ଆହ୍ୱାନଗୁଡ଼ିକ ପାଇଁ ଗମ୍ଭୀର ଓ ନିରନ୍ତର ପ୍ରୟାସ କରିବା । ଏଠାରେ ମୁଁ ଦେଶର ତଟୀୟ ଅଂଚଳଗୁଡ଼ିକରେ କୋଷ୍ଟାଲ୍ କ୍ଲିନିଂର ଏକ ପ୍ରୟାସ ‘ସ୍ୱଚ୍ଛ ସାଗର-ସୁରକ୍ଷିତ ସାଗର’ ଏ ସମ୍ପର୍କରେ କହିବାକୁ ଚାହେଁ । ୫ ଜୁଲାଇରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଗତ ୧୭ ସେପ୍ଟେମ୍ବରରେ ବିଶ୍ୱକର୍ମା ଜୟନ୍ତୀ ଦିନ ସମାପ୍ତ ହେଲା । ଏହି ଦିନ କୋଷ୍ଟାଲ୍ କ୍ଲିନ୍-ଅପ୍ ଡେ’ ମଧ୍ୟ ଥିଲା । ସ୍ୱାଧୀନତାର ଅମୃତ ମହୋତ୍ସବରେ ଆରମ୍ଭ ହୋଇ ଏହି ଅଭିଯାନ ୭୫ ଦିନ ପର୍ଯ୍ୟନ୍ତ ଚାଲିଲା । ଏଥିରେ ଜନଭାଗିଦାରିତା, ଦେଖିବା ଭଳି ଥିଲା । ଏହି ପ୍ରୟାସ ସମୟରେ ସମଗ୍ର ଅଢ଼େଇ ମାସ ପର୍ଯ୍ୟନ୍ତ ସଫେଇର ଅନେକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଲା । ଗୋଆରେ ଏକ ଲମ୍ବା ମାନବ ଶୃଙ୍ଖଳ କରାଯାଇଥିଲା । କାକିନାଡ଼ାରେ ଗଣପତି ବିସର୍ଜନ ସମୟରେ ଲୋକଙ୍କୁ ପ୍ଲାଷ୍ଟିକ୍ ଦ୍ୱାରା ହେଉଥିବା କ୍ଷତି ସମ୍ପର୍କରେ କୁହାଯାଇଥିଲା । ଏନ୍ଏସ୍ଏସର ପ୍ରାୟ ୫୦୦୦ ଯୁବବନ୍ଧୁ ୩୦ ଟନରୁ ଅଧିକ ପ୍ଲାଷ୍ଟିକ୍ ଗୋଟାଇଥିଲେ । ଓଡ଼ିଶାରେ ତିନିଦିନ ମଧ୍ୟରେ ୨୦ ହଜାରରୁ ଅଧିକ ସ୍କୁଲ୍ ଛାତ୍ରଛାତ୍ରୀ ପ୍ରତିଜ୍ଞା କରିଥିଲେ ଯେ ସେମାନେ ନିଜ ସହ ପରିବାର ଓ ଆଖପାଖର ଲୋକଙ୍କୁ ମଧ୍ୟ ‘ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର’ ପାଇଁ ପ୍ରେରିତ କରିବେ । ମୁଁ ସେହି ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି, ଯେଉଁମାନେ ଏହି ଅଭିଯାନରେ ଭାଗ ନେଲେ ।

ନିର୍ବାଚିତ ଅଧିକାରୀ, ବିଶେଷକରି ସହରର ମେୟର୍ ଓ ଗାଁର ସରପଂଚଙ୍କ ସହିତ ଯେତେବେଳେ ମୁଁ କଥାବାର୍ତ୍ତା ହୁଏ ତ ମୁଁ ନିଶ୍ଚିତଭାବେ କହିଥାଏ ଯେ ସ୍ୱଚ୍ଛତା ଭଳି ପ୍ରୟାସଗୁଡ଼ିକରେ ସ୍ଥାନୀୟ ଗୋଷ୍ଠୀ ଓ ସ୍ଥାନୀୟ ସଂଗଠନଗୁଡ଼ିକୁ ଅନ୍ତର୍ଭୁକ୍ତ କରନ୍ତୁ, ଅଭିନବ କୌଶଳ ଆପଣାନ୍ତୁ ।

ବେଙ୍ଗାଲୁରୁରେ ଏକ ଦଳ ଅଛି- ୟୁଥ୍ ଫର୍ ପରିବର୍ତ୍ତନ । ଗତ ଆଠ ବର୍ଷ ଧରି ଏଇ ଦଳ ସ୍ୱଚ୍ଛତା ଓ ଅନ୍ୟାନ୍ୟ ଗୋଷ୍ଠୀଗତ ଗତିବିଧିକୁ ନେଇ କାମ କରିଆସୁଛି । ସେମାନଙ୍କ ଆଦର୍ଶବାଣୀ ପୂରା ସ୍ପଷ୍ଟ- ‘ଷ୍ଟପ୍ କମ୍ପ୍ଲେନିଂ, ଷ୍ଟାର୍ଟ ଏକ୍ଟିଂ’ । ଏହି ଦଳ ଏ ପର୍ଯ୍ୟନ୍ତ ସାରା ସହରର ୩୭୦ରୁ ଅଧିକ ସ୍ଥାନର ସୌନ୍ଦର୍ଯ୍ୟକରଣ କରିଛି । ପ୍ରତ୍ୟେକ ସ୍ଥାନରେ ୟୁଥ୍ ଫର୍ ପରିବର୍ତ୍ତନ ଅଭିଯାନ ଶହେରୁ ଦେଢ଼ଶହ ନାଗରିକଙ୍କୁ ଯୋଡ଼ିଛି । ପ୍ରତ୍ୟେକ ରବିବାର ଏହି କାର୍ଯ୍ୟକ୍ରମ ସକାଳେ ଆରମ୍ଭ ହୁଏ ଏବଂ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲେ । ଏହି କାର୍ଯ୍ୟରେ ଅଳିଆ ତ ହଟାଯାଏ, କାନ୍ଥଗୁଡ଼ିକରେ ପେଟିଂ ଓ ଆର୍ଟିଷ୍ଟିକ୍ ସ୍କେଚ୍ ଆଙ୍କିବାର କାମ ମଧ୍ୟ ହୁଏ । କେତେକ ସ୍ଥାନରେ ତ ଆପଣ ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ସ୍କେଚ୍ ଓ ତାଙ୍କର ପ୍ରେରଣାଦାୟକ ଉକ୍ତିମାନ ଦେଖିପାରିବେ । ବେଙ୍ଗାଲୁରୁର ୟୁଥ୍ ଫର୍ ପରିବର୍ତ୍ତନର ପ୍ରୟାସ ପରେ, ମୁଁ ଆପଣଙ୍କୁ ମେରଠର ‘କବାଡ ସେ ଜୁଗାଡ଼’ ଅଭିଯାନ ସମ୍ପର୍କରେ ମଧ୍ୟ କହିବାକୁ ଚାହୁଁଛି ।

ଏହି ଅଭିଯାନ ପରିବେଶ ସୁରକ୍ଷା ସଙ୍ଗେ ସଙ୍ଗେ ସହରର ସୌନ୍ଦର୍ଯୀକରଣ ସହ ମଧ୍ୟ ସଂଯୁକ୍ତ । ଏହି ଅଭିଯାନର ଗୋଟିଏ ବିଶେଷ କଥା ହେଲା, ଏଥିରେ ଲୁହାର ସ୍କ୍ରାପ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପୁରୁଣା ଟାୟାର ଏବଂ ଡ୍ରମ ଭଳି ବେକାର ହୋଇ ପଡ଼ିଥିବା ଜିନିଷଗୁଡ଼ିକୁ ବ୍ୟବହାର କରାଯାଏ । କମ୍ ଖର୍ଚ୍ଚରେ ସାର୍ବଜନିକ ସ୍ଥାନମାନଙ୍କର ସୌନ୍ଦର୍ଯୀକରଣ କିପରି ହୁଏ, ଏହା ତା’ର ଏକ ଉଦାହରଣ । ଏହି ଅଭିଯାନରେ ଯୋଗଦେଇଥିବା ସମସ୍ତ ଲୋକଙ୍କୁ ମୁଁ ଅନ୍ତରରୁ ପ୍ରଶଂସା କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ବର୍ତ୍ତମାନ ସମୟରେ ଦେଶର ଚାରିଆଡ଼େ ଉତ୍ସବର ବାତାବରଣ । କାଲି ନବରାତ୍ରିର ପ୍ରଥମ ଦିନ । ଏହି ଦିନରେ ଆମେମାନେ ଦେବୀଙ୍କର ପ୍ରଥମ ସ୍ୱରୂପ ମା’ ଶୈଳପୁତ୍ରୀଙ୍କର ଉପାସନା କରିବା । ଏହି ଦିନଠାରୁ ନଅଦିନର ନିୟମ, ସଂଯମ ଓ ଉପବାସ, ପୁଣି ବିଜୟାଦଶମୀ ପର୍ବ ମଧ୍ୟ ପାଳିତ ହେବ । ଅର୍ଥାତ୍ ଏକ ପ୍ରକାର ଦେଖିବାକୁ ଗଲେ ଆମ ପର୍ବପର୍ବାଣୀଗୁଡ଼ିକ ସହିତ ଆସ୍ଥା ଏବଂ ଆଧ୍ୟାତ୍ମିକତା ସହ କେତେ ସୁନ୍ଦର ସନ୍ଦେଶ ଲୁଚିରହିଛି । ଅନୁଶାସନ ଓ ସଂଯମରୁ ସିଦ୍ଧି ମିଳେ, ତା’ପରେ ବିଜୟର ପର୍ବ, ଏହାହିଁ ତ ଜୀବନରେ କୌଣସି ଲକ୍ଷ୍ୟପ୍ରାପ୍ତି ହେବାର ମାର୍ଗ ଅଟେ । ଦଶହରା ପରେ ପରେ ଧନ୍ତେରସ୍ ଏବଂ ଦୀପାବଳୀର ପର୍ବ ଆସିବ ।

ସାଥୀଗଣ, ବିଗତ ବର୍ଷଗୁଡ଼ିକରେ ଆମର ପର୍ବଗୁଡ଼ିକ ସାଥିରେ ଦେଶର ଏକ ନୂଆ ସଂକଳ୍ପ ଯୋଡ଼ି ହୋଇଯାଇଛି । ଆପଣମାନେ ଜାଣନ୍ତି ଯେ ଏହି ସଂକଳ୍ପଟି ହେଉଛି ‘Vocal for Local’ । ଏବେ ଆମେ ଉତ୍ସବଗୁଡ଼ିକର ଆନନ୍ଦରେ ଆମ ଅଂଚଳର କାରିଗର, ଶିଳ୍ପୀ ଏବଂ ବ୍ୟବସାୟୀମାନଙ୍କୁ ମଧ୍ୟ ସହଭାଗୀ କରୁଛେ । ଆସନ୍ତା ୨ ଅକ୍ଟୋବର ଗାନ୍ଧୀଜୟନ୍ତୀ ଅବସରରେ ଆମେ ଏହି ଅଭିଯାନକୁ ଆହୁରି ଆଗେଇ ନେବାକୁ ସଂକଳ୍ପ କରିବା । ଖଦି, ହ୍ୟାଣ୍ଡଲୁମ୍, Handicraft ଏ ସମସ୍ତ ଉତ୍ପାଦ ସହିତ ସ୍ଥାନୀୟ ଜିନିଷଗୁଡ଼ିକୁ ନିଶ୍ଚୟ କିଣନ୍ତୁ । ଏହି ଉତ୍ସବର ବାସ୍ତବ ଆନନ୍ଦ ସେତେବେଳେ ମିଳିବ ଯେତେବେଳେ ପ୍ରତ୍ୟେକ ଲୋକ ଏଥିରେ ଭାଗୀଦାର ହୋଇପାରିବେ । ସେଥିପାଇଁ ସ୍ଥାନୀୟ ଉତ୍ପାଦଗୁଡ଼ିକରେ କାମ କରୁଥିବା ଲୋକମାନଙ୍କୁ ଆମେ ସମର୍ଥନ କରିବା ଉଚିତ । ଗୋଟିଏ ଭଲ ଉପାୟ ହେଲା, ଆମେ ଯାହା ଉପହାର ଦେବା ସେଥିରେ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ସ୍ଥାନ ଦେବା ।

ବର୍ତ୍ତମାନ ଏ ଅଭିଯାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ - ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ଆମେ ଆତ୍ମନିର୍ଭର ଭାରତର ଲକ୍ଷ୍ୟନେଇ ମଧ୍ୟ ଆଗେଇ ଚାଲିଛୁ ଯାହା ବାସ୍ତବରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ । ଏଥିପାଇଁ ଆପଣମାନଙ୍କୁ ନିବେଦନ କରୁଛି କି ଏଥର ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟ ଜିନିଷଗୁଡ଼ିକୁ କିଣିବାରେ ସବୁ ରେକର୍ଡ ଭାଙ୍ଗିଦିଅନ୍ତୁ । ମୁଁ ଦେଖିଛି ଯେ ଉତ୍ସବଗୁଡ଼ିକ ସମୟରେ ପ୍ୟାକିଂ ଏବଂ ପ୍ୟାକେଜିଂ ପାଇଁ ପଲିଥିନ୍ ବ୍ୟାଗଗୁଡ଼ିକର ବହୁଳ ବ୍ୟବହାର ହୋଇଥାଏ । ସ୍ୱଚ୍ଛତାର ଉତ୍ସବରେ ପଲିଥିନ୍ ଭଳି ହାନିକାରକ ଆବର୍ଜନା ଆମ ଉତ୍ସବ ଭାବନାର ବିରୁଦ୍ଧାଚରଣ କରେ । ତେଣୁ ଆମେମାନେ ସ୍ଥାନୀୟ ଅଂଚଳରେ ତିଆରି ହେଉଥିବା Non Plastic ବ୍ୟାଗଗୁଡ଼ିକ ବ୍ୟବହାର କରିବା ଉଚିତ । ଆମ ଅଂଚଳରେ ଝୋଟରୁ, ସୂତାରୁ, କଦଳୀଗଛରୁ ଏମିତି ଅନେକ ପାରମ୍ପରିକ ବ୍ୟାଗଗୁଡ଼ିକର ପ୍ରଚଳନ ବଢ଼ିବାରେ ଲାଗିଲାଣି । ଆମେମାନେ ପର୍ବପର୍ବାଣୀ ସମୟରେ ଏଗୁଡ଼ିକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ସଙ୍ଗେ ସଙ୍ଗେ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ହେଉଛି ଆମର ଦାୟିତ୍ୱ ।

ମୋର ପ୍ରିୟ ଦେଶବାସୀଗଣ, ଆମ ଶାସ୍ତ୍ରରେ କୁହାଯାଇଛି ଯେ - ‘ପର୍ ହିତ ସରିସ ଧର୍ମ ନେହିଁ ଭାଇ’ ଅର୍ଥାତ ଅନ୍ୟମାନଙ୍କର କଲ୍ୟାଣ କରିବା, ଅନ୍ୟମାନଙ୍କର ସେବା ବା ଉପକାର ଭଳି କୌଣସି ଧର୍ମ ନାହିଁ । ବିଗତ ଦିନମାନଙ୍କରେ ସମାଜ ସେବାର ଏହି ଧାରଣାର ଗୋଟିଏ ଭିନ୍ନ ଉଦାହରଣ ଦେଖିବାକୁ ମିଳିଲା । ଆପଣ ମଧ୍ୟ ଦେଖିଥିବେ ଯେ ଲୋକମାନେ ଆଗେଇଆସି କୌଣସି ଟିବି ରୋଗୀକୁ ପୋଷ୍ୟ କରିନେଉଛନ୍ତି ତଥା ତା’ର ପୁଷ୍ଟିକର ଖାଦ୍ୟ ପାଇଁ ସମସ୍ତ ଦାୟିତ୍ୱ ନେଉଛନ୍ତି । ବାସ୍ତବରେ ଏହା ‘ଟିବି ମୁକ୍ତ ଭାରତ’ ଅଭିଯାନର ଏକ ଅଙ୍ଗ ଯାହାର ଆଧାର ହେଉଛି ଜନଭାଗିଦାରୀ ତଥା କର୍ତ୍ତବ୍ୟ ଭାବନା । ସଠିକ୍ ପୋଷଣ ଏବଂ ଠିକ୍ ସମୟରେ ଔଷଧ ବ୍ୟବହାର ଦ୍ୱାରା ଟିବି ରୋଗର ଚିକିତ୍ସା ସମ୍ଭବ । ମୋର ବିଶ୍ୱାସ ଯେ ଜନଭାଗିଦାରୀର ଏହି ଶକ୍ତି ଦ୍ୱାରା ଭାରତ ୨୦୨୫ ମସିହା ସୁଦ୍ଧା ଟିବିମୁକ୍ତ ହୋଇପାରିବ ।

ସାଥୀଗଣ, କେନ୍ଦ୍ରଶାସିତ ଅଂଚଳ ଦାଦ୍ରା-ନଗରହାବେଲି ଏବଂ ଡାମନ୍ ଡିଉରୁ ମଧ୍ୟ ଏକ ଏହିଭଳି ଉଦାହରଣ ମିଳିଛି ଯାହା ମନକୁ ଛୁଇଁଯାଉଛି । ଏଠାକାର ଆଦିବାସୀ ଅଂଚଳରେ ରହୁଥିବା ଜିନୁ ରାଓତିଆ ଲେଖିଛନ୍ତି ଯେ ସେଠାରେ ଚାଲିଥିବା ଦତକ ଗ୍ରାମ କାର୍ଯ୍ୟକ୍ରମରେ ମେଡ଼ିକାଲ କଲେଜର ଛାତ୍ରମାନେ ୫୦ଟି ଗ୍ରାମକୁ ପୋଷ୍ୟଗ୍ରାମ ଭାବରେ ଗ୍ରହଣ କରିଛନ୍ତି । ଏହି ଗ୍ରାମଗୁଡ଼ିକ ମଧ୍ୟରେ ଜିନୁଜୀଙ୍କର ଗ୍ରାମ ମଧ୍ୟ ସାମିଲ ହୋଇଛି । ମେଡ଼ିକାଲ କଲେଜର ଏହି ଛାତ୍ରମାନେ ଗ୍ରାମର ଲୋକମାନଙ୍କୁ ରୋଗଠାରୁ ଦୂରେଇ ରହିବାକୁ ସଚେତନ କରୁଛନ୍ତି, ରୋଗ ହେଲେ ସହାୟତା କରୁଛନ୍ତି ତଥା ସରକାରୀ ଯୋଜନାଗୁଡ଼ିକ ବିଷୟରେ ସୂଚନା ମଧ୍ୟ ଦେଉଛନ୍ତି । ପରୋପକାରର ଏହି ଭାବନା ଗ୍ରାମବାସୀମାନଙ୍କ ମଧ୍ୟରେ ନୂତନ ଖୁସିର ସଂଚାର କରିଛି । ମୁଁ ଏଥିପାଇଁ ମେଡ଼ିକାଲ କଲେଜର ସବୁ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ‘ମନ୍ କି ବାତ୍’ରେ ନୂଆ ନୂଆ ବିଷୟଗୁଡ଼ିକରେ ଚର୍ଚ୍ଚା ହୋଇଆସୁଛି । କେବେ କେବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ କିଛି କିଛି ପୁରୁଣା ବିଷୟର ଗଭୀରତମ ପ୍ରଦେଶକୁ ଯିବାର ସୁଯୋଗ ବି ମିଳୁଛି । ଗତମାସର ‘ମନ୍ କି ବାତ୍’ରେ ମୁଁ ମୋଟା ଶସ୍ୟ ଏବଂ ବର୍ଷ ୨୦୨୩କୁ ‘International Millet Year’ ଭାବରେ ପାଳନ କରିବା ସମ୍ବନ୍ଧରେ ଆଲୋଚନା କରିଥିଲି । ଏ ବିଷୟକୁ ନେଇ ଲୋକମାନଙ୍କ ମନରେ ବହୁତ ଉତ୍ସୁକତା ରହିଛି । ମୋତେ ଏମିତି ବହୁତ ଚିଠି ମିଳିଛି ଯେଉଁଥିରେ ଲୋକମାନେ କେମିତି Milletକୁ ନିଜ ଦୈନନ୍ଦିନ ଭୋଜନ ଭାବେ ଗ୍ରହଣ କରୁଛନ୍ତି – ସେ ବିଷୟରେ ଲେଖିଛନ୍ତି । କେତେକ ଲୋକ Milletରୁ ତିଆରି ହେଉଥିବା ପାରମ୍ପରିକ ବ୍ୟଞ୍ଜନଗୁଡ଼ିକ ବିଷୟରେ ମଧ୍ୟ ଲେଖିଛନ୍ତି । ଏ ହେଉଛି ଏକ ବଡ଼ ପରିବର୍ତ୍ତନର ସଂକେତ । ଲୋକମାନଙ୍କର ଏହି ଉତ୍ସାହକୁ ଦେଖି ମୁଁ ଭାବୁଛି ଯେ ଆମେ ସବୁ ମିଳିମିଶି ଗୋଟିଏ e-book ତିଆରି କରିବା ଉଚିତ ଯେଉଁଥିରେ ଲୋକମାନେ Milletରୁ ତିଆରି ହେଉଥିବା ବ୍ୟଞ୍ଜନ ତଥା ନିଜର ଅନୁଭୂତି ଜଣାଇପାରିବେ । ଏହାଦ୍ୱାରା ‘International Millet Year’ ଆରମ୍ଭ ହେବା ପୂର୍ବରୁ ଆମ ପାଖରେ Millet ବିଷୟରେ ଏକ Public Encyclopaedia ମଧ୍ୟ ସୃଷ୍ଟି ହୋଇପାରିବ । ତା’ପରେ ଆମେ ଏହାକୁ My Gov Portalରେ ପ୍ରକାଶିତ କରିପାରିବା ।

ବନ୍ଧୁଗଣ, ‘ମନ୍ କି ବାତ୍’ରେ ଏଥର ଏତିକି । କିନ୍ତୁ ଯାଉଯାଉ ମୁଁ ଆପଣମାନଙ୍କୁ ଜାତୀୟ ଖେଳ ବିଷୟରେ ମଧ୍ୟ କିଛି କହିବାକୁ ଚାହେଁ । ସେପ୍ଟେମ୍ବର ୨୯ ତାରିଖରୁ ଗୁଜରାଟରେ ଜାତୀୟ ଖେଳ ଆୟୋଜିତ ହେଉଛି । ଏହା ଏକ ବିଶେଷ ଅବସର ଅଟେ । କାରଣ କେତେବର୍ଷ ପରେ ଜାତୀୟ ଖେଳର ଆୟୋଜନ ହେଉଛି । କୋଭିଡ ମହାମାରୀ ଯୋଗୁଁ ଗତବର୍ଷମାନଙ୍କରେ ଜାତୀୟ ଖେଳକୁ ବାତିଲ୍ କରିବାକୁ ପଡ଼ିଥିଲା । ଏହି ଖେଳରେ ଭାଗ ନେବାକୁ ଯାଉଥିବା ପ୍ରତ୍ୟେକ ଖେଳାଳିକୁ ବହୁତ ବହୁତ ଶୁଭକାମନା ଜଣାଉଛି । ଏହି ଦିନ ଖେଳାଳିମାନଙ୍କର ଉତ୍ସାହବର୍ଦ୍ଧନ ପାଇଁ ମୁଁ ସେମାନଙ୍କ ସାଥିରେ ରହିବି । ଆପଣମାନେ ମଧ୍ୟ ଜାତୀୟ ଖେଳକୁ ଦେଖନ୍ତୁ ଏବଂ ନିଜ ଖେଳାଳିମାନଙ୍କର ଉତ୍ସାହ ବଢ଼ାନ୍ତୁ । ଏବେ ମୁଁ ଆଜି ପାଇଁ ବିଦାୟ ନେଉଛି । ଆଗାମୀ ମାସରେ ‘ମନ୍ କି ବାତ୍’ରେ ନୂଆ ବିଷୟକୁ ନେଇ ପୁଣି ସାକ୍ଷାତ ହେବ । ଧନ୍ୟବାଦ । ନମସ୍କାର ।

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's first privately developed orbital rocket Vikram-1 set for maiden launch on July 18

Media Coverage

India's first privately developed orbital rocket Vikram-1 set for maiden launch on July 18
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.