Affection that people have shown for 'Mann Ki Baat' is unprecedented: PM Modi
India's strength lies in its diversity: PM Modi
Ministry of Education has taken an excellent initiative named 'Yuvasangam'. The objective of this initiative is to increase people-to-people connect: PM Modi
We have many different types of museums in India, which display many aspects related to our past: PM Modi
75 Amrit Sarovars are being constructed in every district of the country. Our Amrit Sarovars are special because, they are being built in the Azadi Ka Amrit Kaal: PM Modi
28th of May, is the birth anniversary of the great freedom fighter, Veer Savarkar. The stories related to his sacrifice, courage and resolve inspire us all even today: PM Modi
Today is the 100th birth anniversary of NTR. On the strength of his versatility of talent, he not only became the superstar of Telugu cinema, but also won the hearts of crores of people: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍‌’ରେ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଏଥର ‘ମନ୍ କି ବାତ୍‌’ର ଏହି ଅଧ୍ୟାୟ, ଦ୍ୱିତୀୟ ଶତକର ଶୁଭାରମ୍ଭ । ଗତ ମାସରେ ଆମେ ସମସ୍ତେ ଏହାର ସ୍ୱତନ୍ତ୍ର ଶତକକୁ ଆନନ୍ଦରେ ପାଳନ କଲୁ । ଆପଣମାନଙ୍କ ଅଂଶଗ୍ରହଣ ହିଁ ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଶକ୍ତି । ୧୦୦ତମ ଅଧ୍ୟାୟର ପ୍ରସାରଣ ସମୟରେ ସାରା ଦେଶ ଏକ ପ୍ରକାର ଗୋଟିଏ ସୂତ୍ରରେ ବାନ୍ଧି ହୋଇଯାଇଥିଲା । ସଫେଇ କାର୍ଯ୍ୟରେ ଲିପ୍ତ ଆମ ଭାଇଭଉଣୀ ହୁଅନ୍ତୁ କିମ୍ବା ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହାରଥିମାନେ, ‘ମନ୍ କି ବାତ୍‌’ ସମସ୍ତଙ୍କୁ ଏକାଠି କରିପାରିଛି । ଆପଣମାନେ ସମସ୍ତେ ‘ମନ୍ କି ବାତ୍‌’ ପ୍ରତି ଯେଉଁ ଆତ୍ମୀୟତା ଏବଂ ସ୍ନେହଭାବ ପ୍ରଦର୍ଶିତ କରିଛନ୍ତି, ତାହା ଅଭୁତପୂର୍ବ ଏବଂ ଭାବବିହ୍ୱଳକାରୀ । ଯେତେବେଳେ ‘ମନ୍ କି ବାତ୍‌’ର ପ୍ରସାରଣ ହେଲା, ସେତେବେଳେ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ଟାଇମ୍ ଜୋନ୍ ଥିଲା, କେଉଁଠି ସଞ୍ଜ ନଇଁ ଆସୁଥିଲା, ତ କେଉଁଠି ଥିଲା ରାତ୍ରିର ବିଳମ୍ବିତ ପ୍ରହର । ଏହାସତ୍ୱେ ଲୋକେ ୧୦୦ତମ ଅଧ୍ୟାୟଟି ଶୁଣିବାକୁ ସମୟ ବାହାର କଲେ । ମୁଁ ହଜାର ହଜାର ମାଇଲ ଦୂରରେ ଥିବା ନ୍ୟୁଜିଲାଣ୍ଡର ସେହି ଭିଡିଓଟି ଦେଖିଲି, ଯେଉଁଥିରେ ଜଣେ ଶତାୟୂ ମାତା ତାଙ୍କ ଆଶୀର୍ବାଦ ପ୍ରଦାନ କରୁଥାନ୍ତି । ‘ମନ୍ କି ବାତ୍‌’କୁ ନେଇ ଦେଶବିଦେଶର ଲୋକେ ସେମାନଙ୍କ ମତ ଉପସ୍ଥାପିତ କରିଛନ୍ତି । ଅନେକ ଲୋକେ ଏହାର ଗଠନମୂଳକ ବିଶ୍ଲେଷଣ ମଧ୍ୟ କରିଛନ୍ତି । ‘ମନ୍ କି ବାତ୍‌’ରେ ଦେଶ ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ ହେଉଥିବା ଆଲୋଚନାକୁ ଲୋକେ ପସନ୍ଦ କରିଛନ୍ତି । ଆପଣମାନଙ୍କର ଏହି ଆଶୀର୍ବାଦ ପାଇଁ ମୁଁ ପୁଣିଥରେ ଆପଣମାନଙ୍କୁ ସାଦର ଧନ୍ୟବାଦ ଅର୍ପଣ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, 

ବିଗତ ଦିନମାନଙ୍କରେ ‘ମନ୍ କି ବାତ୍‌’ରେ ଆମେ କାଶୀ-ତାମିଲ୍ ସଙ୍ଗମମ୍‌, ସୌରାଷ୍ଟ୍ର-ତାମିଲ ସଙ୍ଗମମ୍ ବିଷୟରେ ଆଲୋଚନା କରିଛୁ । କିଛିଦିନ ପୂର୍ବେ ବାରାଣସୀ ଠାରେ କାଶୀ-ତେଲୁଗୁ ସଙ୍ଗମମ୍ ମଧ୍ୟ ଅନୁଷ୍ଠିତ ହେଲା । ଏକ ଭାରତ-ଶ୍ରେଷ୍ଠ ଭାରତର ଭାବଧାରାକୁ ଶକ୍ତିଶାଳୀ କରୁଥିବା ଏଭଳି ଆଉ ଗୋଟିଏ ନିଆରା ପ୍ରଚେଷ୍ଟା ଦେଶରେ ଆୟୋଜିତ ହେଲା । ଏହି ପ୍ରଚେଷ୍ଟା ହେଉଛି ଯୁବ ସଙ୍ଗମ । ମୁଁ ଚିନ୍ତାକଲି, ଯେଉଁମାନେ ଏହି ନିଆରା ପ୍ରଚେଷ୍ଟାରେ ଅଂଶଗ୍ରହଣ କରିଛନ୍ତି, ଏ ବିଷୟରେ ସେମାନଙ୍କୁ ହିଁ ବିସ୍ତୃତ ଭାବେ କାହିଁକି ନ ପଚାରିବା? ତେଣୁ, ବର୍ତମାନ ମୋ ସହିତ ଫୋନ୍ ଲାଇନ୍‌ରେ ଯୋଡ଼ି ହୋଇଛନ୍ତି ଯୁବଗୋଷ୍ଠୀର ଦୁଇ ଜଣ ସଦସ୍ୟ - ଜଣେ ହେଲେ ଅରୁଣାଚଳ ପ୍ରଦେଶର ଗ୍ୟାମର୍ ନ୍ୟୋକୁମ୍ ଏବଂ ଅନ୍ୟଜଣକ ହେଲେ ବିହାରର ଝିଅ ବିଶାଖା ସିଂ । ଆସନ୍ତୁ, ପ୍ରଥମେ ଆମେ ଗ୍ୟାମର୍ ନ୍ୟୋକୁମ୍‌ଙ୍କ ସହିତ କଥା ହେବା ।

ପ୍ରଧାନମନ୍ତ୍ରୀ : ଗ୍ୟାମର୍ ବାବୁ, ନମସ୍କାର ।

ଗ୍ୟାମର୍ ନ୍ୟୋକୁମ୍‌ : ନମସ୍କାର ମୋଦିଜୀ ।

ପ୍ରଧାନମନ୍ତ୍ରୀ : ଗ୍ୟାମର୍ ବାବୁ, ପ୍ରଥମେ ମୁଁ ଆପଣଙ୍କ ବିଷୟରେ କିଛି ଜାଣିବାକୁ ଚାହୁଁଛି ।

ଗ୍ୟାମର୍ ନ୍ୟୋକୁମ୍‌ : ମୋଦିଜୀ, ସର୍ବପ୍ରଥମେ ମୁଁ ଆପଣଙ୍କ ଏବଂ ଭାରତ ସରକାରଙ୍କ ପ୍ରତି ଅନେକ କୃତଜ୍ଞତା ପ୍ରକାଶ କରୁଛି, କାରଣ ଆପଣ ନିଜର ଅତି ମୂଲ୍ୟବାନ ସମୟରୁ କିଛି ବାହାର କରି ମୋ ସହିତ କଥା ହେଲେ ଏବଂ ମୋତେ କିଛି କହିବାର ସୁଯୋଗ ଦେଲେ । ମୁଁ ନ୍ୟାସନାଲ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲଜି, ଅରୁଣାଚଳ ପ୍ରଦେଶର ମେକାନିକାଲ୍ ଇଞ୍ଜିନିୟରିଂର ପ୍ରଥମ ବର୍ଷର ଛାତ୍ର ।

ପ୍ରଧାନମନ୍ତ୍ରୀ : ଆଉ, ପରିବାରରେ ବାପା କ’ଣ କରନ୍ତି ?

ଗ୍ୟାମର୍ ନ୍ୟୋକୁମ୍‌ : ଆଜ୍ଞା, ମୋ ବାପା ଛୋଟ ବ୍ୟବସାୟ କରନ୍ତି, ତା ଛଡ଼ା କିଛି ଚାଷ କାମ ବି କରନ୍ତି । 

ପ୍ରଧାନମନ୍ତ୍ରୀ : ଯୁବ ସଙ୍ଗମ ବିଷୟରେ ଆପଣ କେମିତି ଜାଣିଲେ, ଯୁବ ସଙ୍ଗମରେ କେଉଁଠିକୁ ଗଲେ, କେମିତି ଗଲେ, କଣ ସବୁ ହେଲା?

ଗ୍ୟାମର୍ ନ୍ୟୋକୁମ୍‌ : ମୋଦିଜୀ, ଯୁବ ସଙ୍ଗମ ବିଷୟରେ ମୋତେ ଆମ ଇନ୍‌ଷ୍ଟିଟ୍ୟୁଟ୍ ନିଟ୍ ତରଫରୁ ସୂଚନା ଦେଇ କୁହାଗଲା ଯେ ଆପଣ ସେଥିରେ ଭାଗ ନେଇପାରିବେ । ତେଣୁ ମୁଁ ଇଣ୍ଟରନେଟ୍‌ରେ ଟିକିଏ ଖୋଜାଖୋଜି କଲି । ମୁଁ ଜାଣିଲି ଯେ, ଇଏ ଗୋଟିଏ ଖୁବ ଭଲ କାର୍ଯ୍ୟକ୍ରମ, ଯେଉଁଥିରେ ମୋତେ ଏକ ଭାରତ-ଶ୍ରେଷ୍ଠ ଭାରତର ଚିନ୍ତାଧାରାରେ ଯୋଗଦାନ ଦେବାର ସୁଯୋଗ ମିଳିବ ଏବଂ ମୋତେ କିଛି ନୂଆ କଥା ଶିଖିବାର ସୁଯୋଗ ମିଳିବ । ତେଣୁ, ତୁରନ୍ତ ସେ ୱେବ୍‌ସାଇଟ୍ କୁ ଯାଇ ମୁଁ ମୋ ନାମ ପଞ୍ଜିକୃତ କଲି । ମୋର ଅନୁଭୁତି ଖୁବ ଆନନ୍ଦଦାୟକ, ଖୁବ ସୁନ୍ଦର ଥିଲା ।

ପ୍ରଧାନମନ୍ତ୍ରୀ : ଆପଣଙ୍କୁ କ’ଣ କିଛି ଚୟନ କରିବାର ଥିଲା?

ଗ୍ୟାମର୍ ନ୍ୟୋକୁମ୍‌ : ମୋଦିଜୀ, ଯେତେବେଳେ ମୁଁ ୱେବ୍‌ସାଇଟ୍‌ଟି ଖୋଲିଲି, ସେଥିରେ ଅରୁଣାଚଳର ଲୋକଙ୍କ ପାଇଁ ଦୁଇଟି ବିକଳ୍ପ ଥିଲା । ପ୍ରଥମଟି ଥିଲା ଆନ୍ଧ୍ରପ୍ରଦେଶ, ଯେଉଁଥିରେ ଆଇଆଇଟି ତିରୁପତି ଥିଲା, ଆଉ ଦ୍ୱିତୀୟଟି ଥିଲା ସେଂଟ୍ରାଲ୍ ୟୁନିଭର୍ସିଟି, ରାଜସ୍ଥାନ । ମୁଁ ରାଜସ୍ଥାନକୁ ମୋର ପ୍ରଥମ ପସନ୍ଦ ଏବଂ ଆଇଆଇଟି ତିରୁପତିକୁ ଦ୍ୱିତୀୟ ପସନ୍ଦ ରୂପେ ବାଛିଥିଲି । ରାଜସ୍ଥାନ ପାଇଁ ମୋତେ ଅନୁମତି ମିଳିଥିଲା । ତେଣୁ ମୁଁ ରାଜସ୍ଥାନ ଯାଇଥିଲି ।

ପ୍ରଧାନମନ୍ତ୍ରୀ : ଆପଣ କ’ଣ ପ୍ରଥମଥର ପାଇଁ ରାଜସ୍ଥାନ ଯାଇଥିଲେ? କେମିତି ଥିଲା ଆପଣଙ୍କ ରାଜସ୍ଥାନ ଯାତ୍ରା?

ଗ୍ୟାମର୍ ନ୍ୟୋକୁମ୍‌ : ହଁ, ମୁଁ ପ୍ରଥମଥର ପାଇଁ ଅରୁଣାଚଳ ପ୍ରଦେଶ ବାହାରକୁ ଯାଇଥିଲି । ରାଜସ୍ଥାନର କିଲ୍ଲା ଏବଂ ସେସବୁକୁ ମୁଁ ତ କେବଳ ଫିଲ୍ମ ଆଉ ଫୋନ୍‌ରେ ଦେଖିଥିଲି । ପ୍ରଥମଥରର ମୋର ଏହି ଯାତ୍ରା ଖୁବ ଭଲ ଥିଲା । ସେଠାକାର ଲୋକମାନେ ବହୁତ ଭଲ । ସେମାନେ ଆମକୁ ମଧ୍ୟ ଖୁବ ଆଦର କଲେ । ମୋତେ ବହୁତ କିଛି ନୂଆ କଥା ଶିଖିବାକୁ ମିଳିଲା । ମୋତେ ରାଜସ୍ଥାନର ବଡ଼ ବଡ଼ ହ୍ରଦ ଆଉ ସେଠାକାର ଲୋକେ କରୁଥିବା ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଅନେକ କିଛି ଜାଣିବାକୁ ମିଳିଲା, ଯେଉଁ ବିଷୟରେ ମୁଁ ଆଗରୁ କିଛି ଜାଣିନଥିଲି । ତେଣୁ, ମୋର ରାଜସ୍ଥାନ ଯାତ୍ରା ଆଉ ଏହି କାର୍ଯ୍ୟକ୍ରମ ଉଭୟ ଖୁବ ଭଲ ଥିଲା ।

ପ୍ରଧାନମନ୍ତ୍ରୀ : ଦେଖନ୍ତୁ, ଆପଣଙ୍କୁ ସବୁଠୁ ବଡ଼ ଲାଭ ଏହା ହେଲା ଯେ, ଅରୁଣାଚଳ ବୀରମାନଙ୍କ ଭୂମି, ଆଉ ରାଜସ୍ଥାନ ମଧ୍ୟ ବୀରମାନଙ୍କ ଭୂମି । ରାଜସ୍ଥାନର ଅନେକ ଲୋକ ସେନାବାହିନୀରେ ରହିଛନ୍ତି । ଅରୁଣାଚଳ ପ୍ରଦେଶ ସୀମାରେ ଯେଉଁ ସୈନିକମାନେ କର୍ତବ୍ୟରତ, ସେମାନଙ୍କ ମଧ୍ୟରେ କେବେ ଯଦି କେହି ରାଜସ୍ଥାନର ବ୍ୟକ୍ତିଙ୍କ ସହିତ ଆପଣଙ୍କ ଦେଖାହୁଏ, ତାହେଲେ ଆପଣ ନିଶ୍ଚୟ ତାଙ୍କ ସହିତ କଥା ହେବେ, କହିବେ ଯେ, ମୁଁ ରାଜସ୍ଥାନ ଯାଇଥିଲି । ସେଠି ମୋ ଅନୁଭୂତି ଖୁବ ଭଲ ଥିଲା । ଏହା କହିବା ମାତ୍ରେ, ଆପଣଙ୍କର ତାଙ୍କ ସହିତ ଘନିଷ୍ଠତା ତ ଖୁବ ବଢ଼ିଯିବ । ଆଚ୍ଛା, ଆପଣ ସେଠି କିଛି ସାମଞ୍ଜସ୍ୟ ମଧ୍ୟ ଦେଖିବାକୁ ପାଇଥିବେ, ଯେଉଁଠି ଆପଣ ଅନୁଭବ କରିଥିବେ ଯେ, ଅରୁଣାଚଳରେ ବି ତ ଏମିତି ହିଁ ଅଛି?

ଗ୍ୟାମର୍ ନ୍ୟୋକୁମ୍‌ : ମୋଦିଜୀ, ଗୋଟିଏ ସାମଞ୍ଜସ୍ୟ, ଯାହା ମୁଁ ଦେଖିଲି ତାହା ହେଉଛି ଦେଶପ୍ରେମ । ଏକ ଭାରତ-ଶ୍ରେଷ୍ଠ ଭାରତର ଦୃଷ୍ଟିଭଙ୍ଗୀ ଆଉ ଅନୁଭୁତି, ଯାହା ମୁଁ ଦେଖିଲି, କାରଣ ଅରୁଣାଚଳରେ ମଧ୍ୟ ଲୋକେ ନିଜେ ଭାରତୀୟ ଭାବେ ଗର୍ବ ଅନୁଭବ କରନ୍ତି, ଆଉ ରାଜସ୍ଥାନରେ ମଧ୍ୟ ନିଜ ମାତୃଭୂମିକୁ ନେଇ ଲୋକେ ଗର୍ବ ଅନୁଭବ କରନ୍ତି, ତାହା ମୁଁ ସବୁଠୁ ଅଧିକ ଦେଖିବାକୁ ପାଇଲି । ବିଶେଷକରି ଯୁବ ପିଢ଼ିରେ, କାରଣ ସେଠି ମୁଁ ଅନେକ ଯୁବବନ୍ଧୁଙ୍କ ସହିତ ଭାବ-ବିନିମୟ କଲି, ଆଉ ମୋତେ ଏହି ସାମଞ୍ଜସ୍ୟ ଦେଖାଗଲା । ନିଜ ଦେଶ ପାଇଁ କିଛି କରିବାର ଚିନ୍ତାଧାରା, ଦେଶ ପ୍ରୀତି, ଏ କଥା ମୋତେ ଉଭୟ ରାଜ୍ୟରେ ସମାନ ରହିଥିବା ଜଣାଗଲା ।

ପ୍ରଧାନମନ୍ତ୍ରୀ : ସେଠି ଯେଉଁ ସାଙ୍ଗସାଥୀଙ୍କ ସହିତ ପରିଚୟ ହେଲା, ସେମାନଙ୍କ ସହିତ ଭାବ ବଢ଼ାଇଲେ ନା ଫେରିଆସି ସେମାନଙ୍କୁ ଭୁଲିଗଲେ?

ଗ୍ୟାମର୍ ନ୍ୟୋକୁମ୍‌ : ନା, ସେମାନଙ୍କ ସହିତ ପରିଚୟ ବୃଦ୍ଧି ହେଇଛି । 

ପ୍ରଧାନମନ୍ତ୍ରୀ : ତେବେ, ଆପଣ ସାମାଜିକ ଗଣମାଧ୍ୟମରେ ସକ୍ରିୟ କି?

ଗ୍ୟାମର୍ ନ୍ୟୋକୁମ୍‌ : ହଁ ମୋଦିଜୀ, ମୁଁ ସେଥିରେ ସକ୍ରିୟ ରହିଛି ।

ପ୍ରଧାନମନ୍ତ୍ରୀ : ତାହେଲେ ଆପଣ ଗୋଟିଏ ବ୍ଲଗ୍ ଲେଖିବା ଉଚିତ । ଯୁବ ସଙ୍ଗମର ଆପଣଙ୍କ ଅନୁଭୂତି କେମିତି ଥିଲା, ଆପଣ କେମିତି ସେଥିରେ ନିଜକୁ ପଞ୍ଜିକୃତ କଲେ, ରାଜସ୍ଥାନର ଆପଣଙ୍କ ଅନୁଭୁତି କେମିତି ଥିଲା, ଯାହାଫଳରେ ସାରା ଦେଶର ଯୁବବର୍ଗ ଏ କଥା ଜାଣିପାରିବେ ଯେ, ଏକ ଭାରତ-ଶ୍ରେଷ୍ଠ ଭାରତର ମହାତ୍ମ୍ୟ କ’ଣ, ଏହି ଯୋଜନାଟି କ’ଣ । ଯୁବବନ୍ଧୁମାନେ କିଭଳି ଏହାର ଲାଭ ଉଠାଇପାରିବେ, ନିଜର ସମସ୍ତ ଅନୁଭୁତିକୁ ନେଇ ଆପଣ ବ୍ଲଗ୍ ଲେଖିବା ଉଚିତ, ଯାହାଦ୍ୱାରା ଅନେକ ଲୋକଙ୍କୁ ଲାଭ ହେବ ।

ଗ୍ୟାମର୍ ନ୍ୟୋକୁମ୍‌ : ହଁ ଆଜ୍ଞା, ମୁଁ ନିଶ୍ଚୟ ଲେଖିବି । 

ପ୍ରଧାନମନ୍ତ୍ରୀ : ଗ୍ୟାମର୍ ବାବୁ, ଆପଣଙ୍କ ସହିତ କଥା ହୋଇ ବହୁତ ଭଲ ଲାଗିଲା । ଆପଣଙ୍କ ଭଳି ସମସ୍ତ ଯୁବବର୍ଗ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ । କାରଣ, ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କ ଜୀବନରେ ଆଉ ଦେଶର ଜୀବନରେ ମଧ୍ୟ । ତେବେ ମୋର ଅନେକ ଅନେକ ଶୁଭକାମନା, ଧନ୍ୟବାଦ । 

ଗ୍ୟାମର୍ ନ୍ୟୋକୁମ୍‌ : ମୋଦିଜୀ, ଆପଣଙ୍କୁ ମଧ୍ୟ ଧନ୍ୟବାଦ ।

ପ୍ରଧାନମନ୍ତ୍ରୀ : ନମସ୍କାର ଭାଇ ।

ବନ୍ଧୁଗଣ, ଅରୁଣାଚଳର ଲୋକେ ଏତେ ଆତ୍ମୀୟ ହୋଇଥାନ୍ତି ଯେ ସେମାନଙ୍କ ସହ କଥା ହେଲେ ମୋତେ ବହୁତ ଖୁସି ଲାଗେ । ଯୁବସଙ୍ଗମରେ ଗ୍ୟାମର ଜୀଙ୍କ ଅନୁଭୂତି ତ ଚମତ୍କାର ଥିଲା । ଆସନ୍ତୁ, ଏବେ ବିହାରର ଝିଅ ବିଶାଖା ସିଂହଙ୍କ ସହିତ କଥା ହେବା ।

ପ୍ରଧାନମନ୍ତ୍ରୀ : ବିଶାଖା ଜୀ, ନମସ୍କାର ।

ବିଶାଖା : ସର୍ବପ୍ରଥମେ ତ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଜୀଙ୍କୁ ମୋର ପ୍ରଣାମ ଏବଂ ମୋ ସହିତ ସମସ୍ତ ପ୍ରତିନିଧିଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ପ୍ରଣାମ ।

ପ୍ରଧାନମନ୍ତ୍ରୀ : ଆଚ୍ଛା ବିଶାଖା ଜୀ, ପ୍ରଥମେ ନିଜ ସମ୍ପର୍କରେ କହନ୍ତୁ । ତା'ପରେ ମୋତେ ଯୁବସଙ୍ଗମ ବିଷୟରେ ମଧ୍ୟ ଜାଣିବାର ଅଛି ।

ବିଶାଖା : ମୁଁ ବିହାରର ସାସାରାମ ନାମକ ସହରର ନିବାସୀ ଅଟେ ଏବଂ ମୋତେ ଯୁବସଙ୍ଗମ ସମ୍ପର୍କରେ ସର୍ବପ୍ରଥମେ ଆମ କଲେଜର ହ୍ୱାଟସଆପ୍ ଗ୍ରୁପ୍‌ର ମେସେଜ ଜରିଆରେ ସୂଚନା ମିଳିଥିଲା । ତ ତା'ପରେ ମୁଁ ଏହା ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲି ଏବଂ ଏହା କ'ଣ ବୋଲି ବିଶଦ୍ ଭାବେ ଖୋଜି ବାହାର କଲି । ତ ମୁଁ ଜାଣିପାରିଲି ଯେ ଏହା ପ୍ରଧାନମନ୍ତ୍ରୀ ଜୀଙ୍କର ଏକ ଯୋଜନା "ଏକ୍ ଭାରତ ଶ୍ରେଷ୍ଠ ଭାରତ' ଜରିଆରେ ଯୁବସଙ୍ଗମ ଅଟେ । ଏହାପରେ ମୁଁ ଆବେଦନ କଲି ଏବଂ ଯେତେବେଳେ ମୁଁ ଆବେଦନ କଲି ମୁଁ ଏଥିରେ ଯୋଗଦେବାକୁ ବହୁତ ଉତ୍ସୁକ ଥିଲି, କିନ୍ତୁ ଯେତେବେଳେ ମୁଁ ସେଠାରୁ ବୁଲି ତାମିଲନାଡୁ ଯାଇ ଫେରିଆସିଲି ଆଉ ସେହି ଯେଉଁ ବୁଲାବୁଲି ସୁଯୋଗ ମୁଁ ପାଇଲି ତା'ପରେ ମୁଁ ଏବେ ବହୁତ ବେଶୀ ଗର୍ବିତ ଯେ ମୁଁ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲି, ଆଉ ମୁଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବହୁତ ଖୁସି ଓ ମୁଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି ଯେ ଆପଣ ଆମ ଭଳି ଯୁବକଯୁବତୀଙ୍କ ପାଇଁ ଏତେ ଚମତ୍କାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ଯାହାଦ୍ୱାରା ଆମେ ଭାରତର ବିଭିନ୍ନ ଅଞ୍ଚଳର ସଂସ୍କୃତିକୁ ନିଜର କରିପାରିବା ।

ପ୍ରଧାନମନ୍ତ୍ରୀ : ବିଶାଖା ଜୀ, ଆପଣ କ'ଣ ପଢ଼ନ୍ତି?

ବିଶାଖା : ମୁଁ କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂର ଦ୍ୱିତୀୟ ବର୍ଷର ଛାତ୍ରୀ ।

ପ୍ରଧାନମନ୍ତ୍ରୀ : ଆଚ୍ଛା ବିଶାଖା ଜୀ, ଆପଣଙ୍କୁ କୋଉ ରାଜ୍ୟକୁ ଯିବାର ଅଛି, କାହା ସହିତ ଯୋଡ଼ିହେବାର ଅଛି, ସେହି ନିଷ୍ପତ୍ତି କିପରି ନେଲେ?

ବିଶାଖା : ଯେତେବେଳେ ମୁଁ ଏହି ଯୁବସଙ୍ଗମ ବିଷୟରେ ଗୁଗଲରେ ସର୍ଚ୍ଚ କରିବା ଆରମ୍ଭ କଲି, ସେତେବେଳେ ମୁଁ ଜାଣିପାରିଲି ଯେ ବିହାରର ପ୍ରତିନିଧିମାନଙ୍କୁ ତାମିଲନାଡ଼ୁର ପ୍ରତିନିଧିମାନଙ୍କ ସହିତ ଏକ୍ସଚେଞ୍ଜ୍ କରାଯାଉଛି । ତାମିଲନାଡୁ ଆମ ଦେଶର ଏକ ବହୁତ ବଳିଷ୍ଠ ସଂସ୍କୃତିସମ୍ପନ୍ନ ରାଜ୍ୟ ଆଉ ସେତେବେଳେ ଏକଥା ମଧ୍ୟ ମୁଁ ଜାଣିଲି ଯେ ବିହାର ଲୋକଙ୍କୁ ତାମିଲନାଡୁ ପଠାଯାଉଛି ଓ ଏହା ମଧ୍ୟ ମୋତେ ନିଷ୍ପତ୍ତି ନେବାରେ ବହୁତ ବେଶୀ ସାହାଯ୍ୟ କରିଥିଲା ଯେ ମୁଁ ଫର୍ମ ଭରିବା ଆଉ ସେଠାକୁ ଯିବା ଉଚିତ ନା ନାହିଁ ଏବଂ ମୁଁ ସତରେ ଆଜି ବହୁତ ବେଶୀ ଗୌରବାନ୍ୱିତ ଅନୁଭବ କରୁଛି ଯେ ମୁଁ ଏଥିରେ ଅଂଶଗ୍ରହଣ କରିଛି ଏବଂ ମୁଁ ବହୁତ ଖୁସି ।

ପ୍ରଧାନମନ୍ତ୍ରୀ : ଆପଣ ପ୍ରଥମ ଥର ତାମିଲନାଡୁ ଗଲେ?

ବିଶାଖା : ଆଜ୍ଞା, ମୁଁ ପ୍ରଥମ ଥର ଯାଇଥିଲି ।

ପ୍ରଧାନମନ୍ତ୍ରୀ : ଆଚ୍ଛା, କୌଣସି ସ୍ମୃତି ବିଷୟରେ ଯଦି ଆପଣ କିଛି କହିବାକୁ ଚାହିଁବେ ତ କ\'ଣ କହିବେ? ଦେଶର ଯୁବକଯୁବତୀମାନେ ଆପଣଙ୍କୁ ଶୁଣୁଛନ୍ତି ।

ବିଶାଖା : ଆଜ୍ଞା, ସଂପୂର୍ଣ୍ଣ ଯାତ୍ରା ହିଁ ମୋ ପାଇଁ ବହୁତ ଚମତ୍କାର ଥିଲା । ପ୍ରତ୍ୟେକ ମୋଡ଼ରେ ଆମେ ବହୁତ ଭଲକଥା ଶିଖିଲୁ । ମୁଁ ତାମିଲନାଡୁ ଯାଇ ବହୁତ ଭଲ ବନ୍ଧୁ ପାଇଛି । ସେଠାକାର ସଂସ୍କୃତିକୁ ଆପଣାର କରିଛି । ସେଠାକାର ଲୋକଙ୍କୁ ମୁଁ ଭେଟିଥିଲି, କିନ୍ତୁ ସେଠାରେ ଯାହା ସବୁଠୁ ବେଶି ମୋତେ ଭଲ ଲାଗିଲା ତାହାହେଉଛି ପ୍ରଥମ କଥା ତ ଇସ୍ରୋ ଯିବାକୁ କାହାକୁ ସୁଯୋଗ ମିଳିନଥାଏ ଆଉ ଆମେ ପ୍ରତିନିଧି ଥିଲୁ ବୋଲି ଇସ୍ରୋ ଯିବାକୁ ଆମକୁ ସୁଯୋଗ ମିଳିଥିଲା । ଦ୍ୱିତୀୟ କଥା ସବୁଠୁ ଭଲ ଥିଲା ଯେ ଆମେ ଯେତେବେଳେ ରାଜଭବନ ଗଲୁ ଏବଂ ଆମେ ତାମିଲନାଡୁର ରାଜ୍ୟପାଳଙ୍କୁ ମଧ୍ୟ ଭେଟିଲୁ ତ ସେହି ଦୁଇଟି ମୁହୂର୍ତ୍ତ ଯାହ ଥିଲା ମୋ ପାଇଁ ବହୁତ ଭଲ ଥିଲା ଏବଂ ମୋତେ ଏପରି ଲାଗୁଛି ଯେ ଯେଉଁ ବୟସରେ ଆମେ ଅଛୁ ଆମକୁ ସେହିପରି ସୁଯୋଗ ମିଳିନଥାଏ ଯାହା ଯୁବସଙ୍ଗମ ଜରିଆରେ ମିଳିଛି । ତ ଏହା ବହୁତ ସୁନ୍ଦର ଓ ଅଭୁଲା ମୁହୂର୍ତ୍ତ ଥିଲା ମୋ ପାଇଁ ।

ପ୍ରଧାନମନ୍ତ୍ରୀ : ବିହାରରେ ତ ଖାଇବାର ଶୈଳୀ ଅଲଗା, ତାମିଲନାଡୁରେ ଖାଇବା ଶୈଳୀ ଅଲଗା ।

ବିଶାଖା : ଆଜ୍ଞା ।

ପ୍ରଧାନମନ୍ତ୍ରୀ : ତ ସେଇଟା ପୂରା ଠିକ୍ ହେଇଯାଇଥିଲା?

ବିଶାଖା : ଆମେ ଯେତେବେଳେ ସେଠାକୁ ଗଲୁ, ତ ତାମିଲନାଡୁରେ ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା, ଇଡ୍‌ଲି, ସାମ୍ଭର୍‌, ଉତ୍ତପମ୍‌, ବଡ଼ା, ଉପମା ଏସବୁ ଆମକୁ ପରଷାଗଲା ଆଉ ପ୍ରଥମେ ଯେତେବେଳେ ମୁଁ ଖାଇଲି ତ ସେଇଟା ବହୁତ ଭଲ ଲାଗିଲା । ସେଠାକାର ଖାଦ୍ୟ ବହୁତ ସ୍ୱାସ୍ଥ୍ୟକର, ପ୍ରକୃତରେ ବହୁତ ସୁଆଦିଆ ଆଉ ବହୁତ ଭଲ ଓ ଆମର ଉତ୍ତର ଭାରତର ଖାଦ୍ୟ ତାହାଠାରୁ ବହୁତ ଅଲଗା ତେଣୁ ମୋତେ ସେଠାକାର ଖାଦ୍ୟ ମଧ୍ୟ ବହୁତ ଭଲ ଲାଗିଲା ଆଉ ସେଠାକାର ଲୋକେ ମଧ୍ୟ ବହୁତ ଭଲ ଲାଗିଲେ ।

ପ୍ରଧାନମନ୍ତ୍ରୀ : ତ ଏବେ ତ ତାମିଲନାଡୁରେ ବନ୍ଧୁ ମଧ୍ୟ ମିଳିଯାଇଥିବେ?

ବିଶାଖା : ଆଜ୍ଞା! ଆମେ ସେଇଠି ଏନ୍‌ଆଇଟି ତ୍ରିଚିରେ ରହିଥିଲୁ, ତା'ପରେ ଆଇଆଇଟି ମାଡ୍ରାସରେ, ତ ସେଇ ଦୁଇ ସ୍ଥାନର ଛାତ୍ରଛାତ୍ରୀଙ୍କ ସହିତ ମୋର ବନ୍ଧୁତା ହୋଇଗଲା । ଏହାବ୍ୟତୀତ ମଝିରେ ଗୋଟିଏ ସିଆଇଆଇର ସ୍ୱାଗତ ଉତ୍ସବ ଥିଲା ଆଉ ସେଠାକୁ ସେହି ଆଖପାଖ କଲେଜର ବହୁତ ଛାତ୍ରଛାତ୍ରୀ ଆସିଥିଲେ । ତ ସେଠାରେ ଆମେ ସେହି ଛାତ୍ରଛାତ୍ରୀଙ୍କ ସହିତ ମଧ୍ୟ ମିଳାମିଶା କରିଥିଲୁ ଏବଂ ମୋତେ ସେମାନଙ୍କ ସହ ମିଶି ବହୁତ ଭଲ ଲାଗିଲା । ବହୁତ ପିଲା ତ ମୋର ବନ୍ଧୁ ଥିଲେ । ଆଉ କିଛି ପ୍ରତିନିଧିଙ୍କୁ ମଧ୍ୟ ଭେଟିଥିଲୁ, ଯେଉଁମାନେ ତାମିଲନାଡ଼ୁର ପ୍ରତିନିଧି ଭାବେ ବିହାର ଆସୁଥିଲେ ଓ ସେମାନଙ୍କ ସହିତ ମଧ୍ୟ ଆମେ କଥାବାର୍ତ୍ତା କରିଥିଲୁ ଏବଂ ଆମେ ଏବେ ମଧ୍ୟ ନିଜନିଜ ଭିତରେ କଥା ହେଉ ଆଉ ମୋତେ ବହୁତ ଭଲ ଲାଗେ। 

ପ୍ରଧାନମନ୍ତ୍ରୀ : ତ ବିଶାଖା ଜୀ, ଆପଣ ଗୋଟିଏ ବ୍ଲଗ୍ ଲେଖନ୍ତୁ ଆଉ ସୋସିଆଲ୍ ମିଡିଆରେ, ଆପଣଙ୍କର ପୂରା ଅଭିଜ୍ଞତାକୁ, ପ୍ରଥମରେ ଏହି ଯୁବସଙ୍ଗମର ପୁଣି "ଏକ୍ ଭାରତ ଶ୍ରେଷ୍ଠ ଭାରତ”ର ଏବଂ ତା'ପରେ ତାମିଲନାଡୁରେ ଯେଉଁ ଆତ୍ମୀୟତା ମିଳିଲା ଆଉ ଯେମିତି ଆପଣଙ୍କର ସ୍ୱାଗତ-ସତ୍କାର ହେଲା, ତାମିଲ ଲୋକଙ୍କର ଶ୍ରଦ୍ଧା ମିଳିଲା, ଏସବୁ କଥା ଲେଖି ଦେଶକୁ ଆପଣ ଜଣାନ୍ତୁ । କ’ଣ ଆପଣ ଲେଖିବେ ତ?

ବିଶାଖା : ଆଜ୍ଞା ନିଶ୍ଚୟ ।

ପ୍ରଧାନମନ୍ତ୍ରୀ : ତେବେ ମୋ ତରଫରୁ ଆପଣଙ୍କୁ ବହୁତ ଶୁଭକାମନା ଆଉ ବହୁତ ବହୁତ ଧନ୍ୟବାଦ ।

ବିଶାଖା : ଆଜ୍ଞା, ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ଗ୍ୟାମର ଏବଂ ବିଶାଖା ଆପଣଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା । ଯୁବସଙ୍ଗମରେ ଆପଣ ଯାହା ଶିଖିଛନ୍ତି, ତାହା ଆଜୀବନ ଆପଣଙ୍କ ସାଂଗରେ ରହୁ । ଏହା ମୋର ଆପଣଙ୍କ ପାଇଁ ଶୁଭକାମନା ।

ବନ୍ଧୁଗଣ, ଭାରତର ଶକ୍ତି ଏହାର ବିବିଧତାରେ ରହିଛି । ଆମ ଦେଶରେ ଦେଖିବା ପାଇଁ ବହୁତ କିଛି ରହିଛି । ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରଣାଳୟ "ଯୁବସଙ୍ଗମ” ନାମକ ସୁନ୍ଦର କାର୍ଯ୍ୟକ୍ରମଟିଏ ଆରମ୍ଭ କରିଛି । ଏହାର ଉଦ୍ଦେଶ୍ୟ ଜନସଂପର୍କକୁ ବଢ଼ାଇବା ସହିତ ଦେଶର ଯୁବକଯୁବତୀମାନଙ୍କୁ ପରସ୍ପର ସହିତ ମିଳାମିଶା କରିବାର ସୁଯୋଗ ପ୍ରଦାନ କରିବା । ବିଭିନ୍ନ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏଥିସହ ଯୋଡ଼ାଯାଇଛି । “ଯୁବସଙ୍ଗମ” ରେ ଯୁବକଯୁବତୀମାନେ ଅନ୍ୟ ରାଜ୍ୟର ସହର ଓ ଗାଁକୁ ଯାଆନ୍ତି, ସେମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଲୋକଙ୍କ ସହିତ ଭେଟିବାର ସୁଯୋଗ ମିଳିଥାଏ । ଯୁବସଙ୍ଗମର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୨୦୦ ଯୁବକଯୁବତୀ ଦେଶର ୨୨ଟି ରାଜ୍ୟକୁ ଗସ୍ତ କରିସାରିଛନ୍ତି । ଯେଉଁ ଯୁବକଯୁବତୀ ଏଥିରେ ଅଂଶଗ୍ରହଣ କରୁଛନ୍ତି, ସେମାନେ ପ୍ରତ୍ୟେକ ନିଜ ସହିତ ଏପରି ସ୍ମୃତି ଧରି ଫେରୁଛନ୍ତି, ଯାହା ଜୀବନସାରା ସେମାନଙ୍କ ହୃଦୟରେ ରହିଯିବ । ଆମେ ଦେଖିଛୁ ଯେ ଅନେକ ବଡ଼ କମ୍ପାନୀର ସିଇଓ, ବିଜିନେସ୍ ଲିଡର୍‌, ସେମାନେ ବ୍ୟାଗ୍‌-ପ୍ୟାକର୍‌ସଙ୍କ ଭଳି ଭାରତରେ ସମୟ କାଟିଛନ୍ତି । ମୁଁ ଯେତେବେଳେ ଅନ୍ୟ ଦେଶର ନେତୃବୃନ୍ଦଙ୍କୁ ଭେଟେ, ସେମାନେ ମଧ୍ୟ ଅନେକ ଥର କହନ୍ତି ଯେ ସେମାନେ ନିଜର ଯୁବାବସ୍ଥାରେ ଭାରତକୁ ବୁଲିବା ପାଇଁ ଆସିଥିଲେ । ଆମ ଭାରତରେ ଏତେ ସବୁ ଜାଣିବା ଆଉ ଦେଖିବାର ଅଛି ଯେ ଆପଣଙ୍କର ଉତ୍ସୁକତା ସବୁଥର ବଢ଼ିବଢ଼ି ହିଁ ଯିବ । ମୋର ଆଶା ଯେ ଏହି ରୋମାଞ୍ଚକ ଅଭିଜ୍ଞତାକୁ ଜାଣିବା ପରେ ଆପଣ ମଧ୍ୟ ଦେଶର ବିଭିନ୍ନ ଅଞ୍ଚଳକୁ ଭ୍ରମଣରେ ଯିବାପାଇଁ ପ୍ରେରଣା ପାଇବେ ।

ମୋର ପ୍ରିୟ ଦେଶବାସୀଗଣ, ଏଇ କିଛିଦିନ ତଳେ ମୁଁ ଜାପାନର ହିରୋସୀମାରେ ଥିଲି । ସେଠାରେ ମୋତେ “Peace Memorial Museum” ଦେଖିବାର ସୁଯୋଗ ମିଳିଲା । ଏହା ଭାବପ୍ରବଣ କରିଦେଲା ଭଳି ଏକ ଅନୁଭୂତି ଥିଲା । ଆମେ ଯେତେବେଳେ ଇତିହାସର ସ୍ମୃତିଗୁଡ଼ିକୁ ସାଇତି କରିରଖୁ ତାହା ଆମର ଆଗାମୀ ବଂଶଧରମାନଙ୍କୁ ବହୁତ ସାହାଯ୍ୟ କରେ । କେବେ କେବେ Museumରେ ଆମକୁ ଗୋଟିଏ ଗୋଟିଏ ନୂଆ ଶିକ୍ଷା ମିଳେ । ହେଲେ ଅନେକଥର ଆମକୁ ବହୁତ କିଛି ଶିଖିବାକୁ ବି ମିଳିଥାଏ । କିଛିଦିନ ପୂର୍ବରୁ ଭାରତରେ International Museum Expo ଆୟୋଜିତ ହୋଇଥିଲା ଏଥିରେ ପୃଥିବୀର ବାରଶହ ମ୍ୟୁଜିୟମର ବିଶେଷତାଗୁଡ଼ିକ ପ୍ରଦର୍ଶିତ ହୋଇଥିଲା । ଆମ ଭାରତରେ ଭିନ୍ନ ଭିନ୍ନ ପ୍ରକାରର ଏମିତି ଅନେକ Museum ଅଛି । ସେଗୁଡିକ ଆମ ଅତୀତ ସହିତ ଜଡ଼ିତ ଅନେକ ବିଷୟ ପ୍ରଦର୍ଶିତ କରିଥାଆନ୍ତି । ଯେମିତିକି ଗୁରୁଗ୍ରାମ୍‌ରେ ଗୋଟିଏ ନିଆରା ସଂଗ୍ରହାଳୟ ଅଛି ଯାହା Museo Camera ଭାବରେ ଜଣାଶୁଣା । ଏଠାରେ ୧୮୬୦ ପରବର୍ତ୍ତୀ କାଳର ପ୍ରାୟ ଆଠହଜାରରୁ ଅଧିକ କ୍ୟାମେରା ସଂଗ୍ରହ କରି ରଖାଯାଇଛି । ତାମିଲନାଡୁର Museum of Possibilityକୁ ଆମ ଦିବ୍ୟାଙ୍ଗ ଲୋକମାନଙ୍କୁ ଧ୍ୟାନରେ ରଖି ଗଢ଼ାଯାଇଛି । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ବସ୍ତୁ ସଂଗ୍ରହାଳୟ ଏଭଳି ଏକ ମ୍ୟୁଜିୟମ୍ ଯେଉଁଠାରେ ସତୁରୀ ହଜାରରୁ ଅଧିକ ବସ୍ତୁ ସଂଗ୍ରହ କରି ରଖାଯାଇଛି । ୨୦୧୦ ମସିହାରେ ସ୍ଥାପିତ Indian Memory Project ହେଉଛି ଏକ ପ୍ରକାର ଅନଲାଇନ ମ୍ୟୁଜିଅମ ଯାହାକି ସାରା ସଂସାରରୁ ସଂଗୃହୀତ ଚିତ୍ର ଏବଂ କାହାଣୀଗୁଡ଼ିକ ମାଧ୍ୟମରେ ଭାରତର ଗୌରବଶାଳୀ ଇତିହାସର କଡ଼ି ଗୁଡ଼ିକୁ ସଂଯୁକ୍ତ କରିବା କାମରେ ଲାଗିଛି । ଦେଶ ବିଭାଜନର ବିଭୀଷିକା ସହିତ ଜଡ଼ିତ ସ୍ମୃତିଗୁଡ଼ିକୁ ଉଜାଗର କରିବାର ପ୍ରୟାସ କରିଚାଲିଛି । ବିଗତ ବର୍ଷମାନଙ୍କରେ ଆମେମାନେ ଭାରତରେ ମଧ୍ୟ ନୂଆ ପ୍ରକାରର Museum ଓ ସ୍ମାରକୀଗୁଡ଼ିକ ଗଢ଼ିଉଠିବାର ଦେଖୁଛୁ । ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ଭାଇଭଉଣୀମାନଙ୍କର ଯୋଗଦାନକୁ ଭିତ୍ତିକରି ୧୦ଟି ନୂଆ Museum ତିଆରି ହେଉଛି । କଲିକତାର ଭିକ୍ଟୋରିଆ Memorialର ବିପ୍ଳବୀ ଭାରତ ଗ୍ୟାଲେରୀ ହେଉ ବା ଜଲିଆଁୱାଲାବାଗ୍ Memorialର ପୁନରୁଦ୍ଧାର ହେଉ, ଦେଶର ସମସ୍ତ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ PM Museum ମଧ୍ୟ ଆଜି ଦିଲ୍ଲୀର ଶୋଭାବର୍ଦ୍ଧନ କରୁଛି । ଦିଲ୍ଲୀରେ ହିଁ National War Memorial ଆଉ ପୋଲିସ ମେମୋରିଆଲକୁ ପ୍ରତିଦିନ ବହୁତ ଲୋକ ସହୀଦମାନଙ୍କୁ ସମ୍ମାନ ଦେବାକୁ ଆସୁଛନ୍ତି । ଐତିହାସିକ ଦାଣ୍ଡିଯାତ୍ରା ପ୍ରତି ସମର୍ପିତ ଦାଣ୍ଡି Museum ହେଉ ଅଥବା Statue of Unity Museum ହେଉ, ଭାବୁଛି ମୁଁ ଏଇଠି ଅଟକିଯିବା ଉଚିତ, କାରଣ ସାରାଦେଶରେ ମ୍ୟୁଜିୟମମାନଙ୍କର ଏକ ଦୀର୍ଘ ତାଲିକା ଅଛି । ଆଉ ସମସ୍ତ Museumମାନଙ୍କ ବିଷୟରେ ସୂଚନା ଏକତ୍ରିତ କରି ଗୋଟିଏ ସଂକଳନ ମଧ୍ୟ କରାଯାଇଛି । Museumଟି କେଉଁ Theme ଉପରେ ଆଧାରିତ, ସେଠାରେ କିଭଳି ବସ୍ତୁ ରଖାଯାଇଛି, ତା’ର Contact details ଇତ୍ୟାଦି ଏ ସମସ୍ତ ଏହି ଅନଲାଇନ ଡିରେକ୍ଟୋରୀ ରେ ସମାହିତ ହୋଇଛି । ମୋର ଆପଣମାନଙ୍କୁ ଅନୁରୋଧ, ଆପଣ ସମୟ ସୁବିଧା ଦେଖି ଏହି Museumଗୁଡ଼ିକୁ ଦେଖିବାକୁ ଯାଆନ୍ତୁ । ସେଠାକାର ଆକର୍ଷଣୀୟ ଚିତ୍ରଗୁଡ଼ିକୁ # (ହ୍ୟାସ୍‌ଟ୍ୟାଗ୍‌) Museum Memoryରେ Share କରିବାକୁ ବି ଭୁଲନ୍ତୁ ନାହିଁ । ଏହାଦ୍ୱାରା ଆମର ଗୌରବଶାଳୀ ସଂସ୍କୃତି ସହିତ ଆମ ଭାରତୀୟମାନଙ୍କର ସମ୍ବନ୍ଧ ଆହୁରି ମଜଭୁତ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ଗୋଟିଏ ଲୋକକଥା ବାରମ୍ବାର ଶୁଣିଥିବା ଯେ - “ବିନ୍ ପାନୀ ସବ୍ ଶୁନ୍‌” । ପାଣି ବିନା ଜୀବନ ପ୍ରତି ସଂକଟ ତ ରହିଥାଏ, ବ୍ୟକ୍ତି ଏବଂ ଦେଶର ବିକାଶ ମଧ୍ୟ ବନ୍ଦ ହୋଇଯାଏ । ଭବିଷ୍ୟତର ଏହି ଆହ୍ୱାନକୁ ଧ୍ୟାନରେ ରଖି ଆଜି ଦେଶର ପ୍ରତ୍ୟେକ ଜିଲ୍ଲାରେ ପଚସ୍ତରୀଟି ଅମୃତ ସରୋବର ନିର୍ମାଣ କରାଯାଉଛି । ଆମର ଅମୃତ ସରୋବରଗୁଡ଼ିକ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ ଯେ ଏଗୁଡ଼ିକ ଆଜାଦିର ଅମୃତ କାଳରେ ନିର୍ମିତ ହେଉଛନ୍ତି ଏବଂ ଏଥିସହିତ ଲୋକମାନଙ୍କର ଅମୃତ ପ୍ରୟାସ ମଧ୍ୟ ସଂଯୁକ୍ତ ଅଛି । ଆପଣ ଜାଣି ଖୁସିହେବେ ଯେ ଅଦ୍ୟାବଧି ପଚାଶ ହଜାରରୁ ଊର୍ଦ୍ଧ୍ୱ ଅମୃତ ସରୋବର ନିର୍ମାଣ ହୋଇସାରିଲାଣି । ଜଳ ସଂରକ୍ଷଣ ଦିଗରେ ଏହା ଏକ ବହୁତ ବଡ଼ ପଦକ୍ଷେପ ।

ବନ୍ଧୁଗଣ, ପ୍ରତ୍ୟେକ ଗ୍ରୀଷ୍ମଋତୁରେ ଆମେମାନେ ଏହିଭଳି ପାଣି ବିଷୟରେ ଚର୍ଚ୍ଚା କରିଥାନ୍ତି । ଏଥର ମଧ୍ୟ ଏ ବିଷୟରେ କଥା ହେବା କିନ୍ତୁ ଏଥର ଆମେ ଜଳ ସଂରକ୍ଷଣ ସମ୍ପର୍କିତ ଷ୍ଟାର୍ଟଅପ ଗୁଡ଼ିକ ବିଷୟରେ ଚର୍ଚ୍ଚା କରିବା । ଗୋଟିଏ ଷ୍ଟାର୍ଟଅପ ହେଲା - Fluxgen ଏହି ଷ୍ଟାର୍ଟଅପ ଓ IOT enabled ଟେକନିକ୍ ମାଧ୍ୟମରେ ଜଳ ପରିଚାଳନା ପାଇଁ ବିକଳ୍ପ ଦେଇଥାଏ । ଏହି ଟେକନିକ୍ ଜଳ ବ୍ୟବହାରର Patterns ଜଣାଇବା ସହିତ ପାଣିର ଉପଯୁକ୍ତ ବ୍ୟବହାର ଦିଗରେ ସାହାଯ୍ୟ କରିବ । ଆହୁରି ଗୋଟିଏ ଷ୍ଟାର୍ଟଅପ ହେଲା LivNSense । ଏହା Artificial Intelligenceର ଏବଂ Machine learning ଆଧାରିତ ପ୍ଲାଟଫର୍ମ ଅଟେ । ଏହା ସାହାଯ୍ୟରେ ଜଳ ଆବଣ୍ଟନର ଉପଯୁକ୍ତ ଦେଖାଚାହାଁ କରାଯାଇପାରିବ । କେଉଁଠି କେତେ ପାଣି ନଷ୍ଟ ହେଉଛି ତାହା ମଧ୍ୟ ଏହି ପ୍ରଣାଳୀରେ ଜାଣିହେବ । ଆଉ ଗୋଟିଏ ଷ୍ଟାର୍ଟଅପ ହେଲା କୁମ୍ଭୀ କାଗଜ (Kumbhi Kagaz) । ଏହି କୁମ୍ଭୀ କାଗଜ ହେଉଛି ଏପରି ଏକ ବିଷୟ ଯାହା ଆପଣମାନଙ୍କର ମଧ୍ୟ ଖୁବ୍ ପସନ୍ଦ ହେବ ବୋଲି ମୋର ବିଶ୍ୱାସ । କୁମ୍ଭୀ କାଗଜ ଷ୍ଟାର୍ଟଅପଟି ଗୋଟିଏ ବିଶେଷ କାମ ଆରମ୍ଭ କରିଛି । ଏହା ନାଗଦଳ ଆଦିରୁ କାଗଜ ତିଆରି କରିବା କାମ କରୁଛି । ବିଭିନ୍ନ ପ୍ରକାର ଦଳ ଯାହା ଜଳର ପ୍ରବାହ ଦିଗରେ ସମସ୍ୟା ସୃଷ୍ଟି କରିଥାଏ ଏବେ ସେଥିରୁ କାଗଜ ତିଆରି ହେଲାଣି ।

ବନ୍ଧୁଗଣ, 

କେତେକ ଯୁବକ ଯେତେବେଳେ ନବୋନ୍ମେଷ ଓ ପ୍ରଯୁକ୍ତି ମାଧ୍ୟମରେ କାମ କରୁଥିବା ବେଳେ କେତେକ ଏଭଳି ଯୁବକ ମଧ୍ୟ ଅଛନ୍ତି ଯେଉଁମାନେ ସମାଜକୁ ସଚେତନ କରିବାର ଅଭିଯାନରେ ଲାଗିପଡ଼ିଛନ୍ତି । ଉଦାହରଣ ସ୍ୱରୂପ ଛତିଶଗଡ଼ର ବାଲୋଦ ଜିଲାର ଯୁବକଗଣ । ଏଠାକାର ଯୁବକମାନେ ଜଳ ସଂରକ୍ଷଣ ପାଇଁ ଗୋଟିଏ ଅଭିଯାନ ଆରମ୍ଭ କରିଛନ୍ତି । ଏମାନେ ଘରକୁ ଘର ଯାଇ ଲୋକମାନଙ୍କୁ ଜଳ ସଂରକ୍ଷଣ ଦିଗରେ ସଚେତନ କରାଉଛନ୍ତି । ଯେଉଁ ବିବାହ ଉତ୍ସବ ଆଦି ଆୟୋଜିତ ହେଉଛି ଏହି ଯୁବକମାନେ ସେଠାକୁ ଯାଇ ଜଳର ଦୁରୂପଯୋଗକୁ କେମିତି ରୋକାଯାଇପାରିବ ସେ ବିଷୟରେ ସୂଚନା ଦିଅନ୍ତି । ପାଣିର ସଦୁପଯୋଗ ଦିଗରେ ଏକ ପ୍ରେରଣାଦାୟୀ ପ୍ରୟାସ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ମଧ୍ୟ ହେଉଛି । ଖୁଣ୍ଟିର ଲୋକମାନେ ଜଳ ସଂକଟରୁ ରକ୍ଷା ପାଇବା ପାଇଁ ବାଲିଅଖାର ବନ୍ଧ ତିଆରି କରୁଛନ୍ତି । ଏହି ବନ୍ଧ ଦ୍ୱାରା ପାଣି ଏକତ୍ରିତ ହେବାଦ୍ୱାରା ସେଠାରେ ପନିପରିବା ମଧ୍ୟ ଉତ୍ପାଦନ ହେବାକୁ ଲାଗିଲାଣି । ଏହାଦ୍ୱାରା ଲୋକମାନଙ୍କର ଆମଦାନୀ ମଧ୍ୟ ବଢ଼ୁଛି ଏବଂ ଅଞ୍ଚଳର ଆବଶ୍ୟକତା ମଧ୍ୟ ପୂରଣ ହେଉଛି ।

ଜନଭାଗିଦାରୀର କୌଣସି ପ୍ରୟାସ କେମିତି ପରିବର୍ତ୍ତନକୁ ସାଥିରେ ନେଇଆସେ ଖୁଣ୍ଟି ଏହାର ଏକ ଆକର୍ଷଣୀୟ ଉଦାହରଣ ହୋଇପାରିଛି । ମୁଁ ଏଠାକାର ଲୋକମାନଙ୍କୁ ଏହି ପ୍ରୟାସ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।

ମୋର ପ୍ରିୟ ଦେଶବାସୀଗଣ, ୧୯୬୫ର ଯୁଦ୍ଧ ସମୟରେ ଆମର ପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଜୀ ‘ଜୟ ଜବାନ’ ‘ଜୟ କିଷାନ’ ସ୍ଲୋଗାନ ଦେଇଥିଲେ । ପରେ, ଅଟଳ ଜୀ ଏଥିସହିତ ଜୟ ବିଜ୍ଞାନକୁ ଯୋଡ଼ିଦେଇଥିଲେ । କିଛିବର୍ଷ ପୂର୍ବେ ଦେଶର ବୈଜ୍ଞାନିକମାନଙ୍କ ସହିତ କଥା ହେଲାବେଳେ ମୁଁ ‘ଜୟ ଅନୁସନ୍ଧାନ’ କଥା କହିଥିଲି । ‘ମନ୍ କି ବାତ୍‌’ରେ ଆଜି ଏହିଭଳି ଏକ ବ୍ୟକ୍ତିର କଥା, ଏକ ସଂସ୍ଥାର କଥା କହିବି ଯିଏ ‘ଜୟ ଜୱାନ୍‌’ ‘ଜୟ କିଷାନ୍‌’ ‘ଜୟ ବିଜ୍ଞାନ’ ଓ ‘ଜୟ ଅନୁସନ୍ଧାନ’ ଏହି ଚାରୋଟି ଯାକର ପ୍ରତିବିମ୍ବ ଅଟନ୍ତି । ସେ ସଜ୍ଜନ ଜଣକ ମହାରାଷ୍ଟ୍ରର ଶ୍ରୀମାନ୍ ଶିବାଜୀ ସାମ୍‌ରାଓ ଡୋଲେ । ଶିବାଜୀ ଡୋଲେ ନାଶିକ ଜିଲ୍ଲାର ଗୋଟିଏ ଛୋଟିଆ ଗାଆଁରେ ବାସ କରନ୍ତି । ସେ ଗୋଟିଏ ଗରିବ ଆଦିବାସୀ କୃଷକ ପରିବାରର ଲୋକ ଏବଂ ଜଣେ ପୂର୍ବସୈନିକ ମଧ୍ୟ । ସେନାବାହିନୀରେ ଥାଇ ସେ ନିଜର ଜୀବନ ଦେଶସେବାରେ ଲଗାଇଥିଲେ । ସେବାନିବୃତ୍ତି ପରେ ସେ କିଛି ନୂଆ ଶିଖିବାର ନିଷ୍ପତ୍ତି ନେଲେ ଏବଂ କୃଷିରେ ଡିପ୍ଲୋମା କଲେ, ଅର୍ଥାତ୍ ସେ ‘ଜୟ ଜୱାନ୍‌’ଠାରୁ ‘ଜୟ କିଷାନ୍‌’ ଆଡ଼କୁ ଅଗ୍ରସର ହେଲେ । ଏବେ ପ୍ରତିମୁହୂର୍ତ୍ତରେ ସେ ଚେଷ୍ଟା କରୁଛନ୍ତି ଯେ କୃଷିକ୍ଷେତ୍ରରେ ସେ କେମିତି ଅଧିକରୁ ଅଧିକ ଯୋଗଦାନ କରିବେ । ତାଙ୍କର ଏହି ଅଭିଯାନରେ ୨୦ଜଣ ଲୋକଙ୍କୁ ନେଇ ଏକ ଛୋଟ ଟିମ୍ ଗଠନ କଲେ ଏବଂ କିଛି ପୂର୍ବ ସୈନିକଙ୍କୁ ଏଥିରେ ସାମିଲ କଲେ । ତା’ପରେ ଏହି ଟିମ୍ Venkateswar Co-operative Power and Agro Processing Limited ନାମକ ଏକ ସମବାୟ ସଂସ୍ଥାର ପରିଚାଳନା ନିଜ ହାତକୁ ନେଲେ । ଏହି ସମବାୟ ସଂସ୍ଥାଟି ନିଷ୍କ୍ରିୟ ହୋଇପଡ଼ିଥିଲା । ସେ ତାକୁ ପୁନର୍ଜୀବିତ କରିବାର ଦାୟିତ୍ୱ ନେଲେ । ଦେଖୁ ଦେଖୁ ଆଜି Venkateswar Co-operativeର ବିସ୍ତାର କେତେ ଜିଲ୍ଲାକୁ ବ୍ୟାପିଗଲାଣି । ଏବେ ଏହି ଟିମ୍ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କାମ କରୁଛି । ପ୍ରାୟ ୧୮୦୦୦ ଲୋକ ଏହି ସଂସ୍ଥା ସହ ସଂଯୁକ୍ତ ହେଲେଣି ଯେଉଁମାନଙ୍କ ଭିତରେ ଅନେକ ସଂଖ୍ୟାରେ ପୂର୍ବ ସୈନିକ ମଧ୍ୟ ଅଛନ୍ତି । ନାସିକର ମାଲେଗାଓଁରେ ଏହି ଟିମ୍‌ର ସଦସ୍ୟମାନେ ୫୦୦ ଏକରରୁ ଅଧିକ ଜମିରେ Agro farming କରୁଛନ୍ତି । ଏହି ଟିମ୍ ଜଳ ସଂରକ୍ଷଣ ପାଇଁ ମଧ୍ୟ ଅନେକ ସରୋବର ନିର୍ମାଣ କରିବାରେ ଲାଗିଛନ୍ତି । ବିଶେଷ କଥାଟି ହେଲା ଏମାନେ ଜୈବିକ ଚାଷ ଏବଂ ଗୋ-ପାଳନ ମଧ୍ୟ ଆରମ୍ଭ କରିଛନ୍ତି । ଏମାନେ ଉତ୍ପାଦନ କରିଥିବା ଅଙ୍ଗୁରକୁ ଏବେ ୟୁରୋପକୁ ରପ୍ତାନୀ କରାଯାଉଛି । ଏହି ଟିମ୍‌ର ଦୁଇଟି ବଡ଼ ବିଶେଷତ୍ୱ ମୋର ଧ୍ୟାନ ଆକର୍ଷଣ କରିଛି, ସେଗୁଡ଼ିକ ହେଲା ‘ଜୟ ବିଜ୍ଞାନ’ ଏବଂ ‘ଜୟ ଅନୁସନ୍ଧାନ’ । ଏହାର ସଦସ୍ୟମାନେ ପ୍ରଯୁକ୍ତି ଏବଂ Modern Agropracticesର ଅଧିକରୁ ଅଧିକ ଉପଯୋଗ କରୁଛନ୍ତି । ଦ୍ୱିତୀୟ ବିଶେଷତ୍ୱଟି ହେଲା – ଏମାନେ ରପ୍ତାନୀ ପାଇଁ ଆବଶ୍ୟକ ବିଭିନ୍ନ ସାର୍ଟିଫିକେସନ ଉପରେ ମଧ୍ୟ ଜୋର୍ ଦେଉଛନ୍ତି । ‘ସମବାୟରୁ ସମୃଦ୍ଧି’ର ଭାବନା ସହ କାମ କରୁଥିବା ଏହି ଟିମ୍‌କୁ ମୁଁ ପ୍ରଶଂସା କରୁଛି । ଏହି ପ୍ରୟାସ ଦ୍ୱାରା ବହୁସଂଖ୍ୟାର ଲୋକଙ୍କର ସଶକ୍ତିକରଣ ହୋଇପାରିଛି ଖାଲି ସେତିକି ନୁହେଁ; ଜୀବିକା ଅର୍ଜନର ଅନେକ ସାଧନ ବି ସୃଷ୍ଟି ହୋଇଛି । ମୋର ବିଶ୍ୱାସ, ଏହି ପ୍ରୟାସ ‘ମନ୍ କି ବାତ୍‌’ର ସମସ୍ତ ଶ୍ରୋତାଙ୍କୁ ପ୍ରେରିତ କରିବ ।

ମୋର ପ୍ରିୟ ଦେଶବାସୀଗଣ, ଆଜି ମେ’ ୨୮ ତାରିଖ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସାୱରକରଙ୍କ ଜୟନ୍ତୀ। ତାଙ୍କର ତ୍ୟାଗ, ସାହସ ଏବଂ ସଂକଳ୍ପ ଶକ୍ତି ସମ୍ବଳିତ ଗାଥାଗୁଡ଼ିକ ଆଜି ବି ଆମ ସମସ୍ତଙ୍କୁ ପ୍ରେରିତ କରେ । ମୁଁ ସେଦିନକୁ ଭୁଲିପାରିବିନି ଯେତେବେଳେ ମୁଁ ଆଣ୍ଡାମାନର ସେହି କୋଠରୀକୁ ଯାଇଥିଲି ଯେଉଁଠାରେ ସାୱରକର କଳାପାଣି ଦଣ୍ଡ ଭୋଗିଥିଲେ । ସାୱରକରଙ୍କର ବ୍ୟକ୍ତିତ୍ୱ ଦୃଢ଼ତା ଓ ବିଶାଳତାରେ ସମାହିତ ଥିଲା । ତାଙ୍କର ନିର୍ଭୀକ ଏବଂ ସ୍ୱାଭିମାନୀ ସ୍ୱଭାବକୁ ଗୋଲାମୀର ମାନସିକତା କେବେ ବି ସ୍ପର୍ଶ କରିନଥିଲା । ଖାଲି ସ୍ୱାଧିନତା ଆନ୍ଦୋଳନ ନୁହେଁ, ସାମାଜିକ ସମାନତା ଏବଂ ସାମାଜିକ ନ୍ୟାୟ ପାଇଁ ମଧ୍ୟ ବୀର ସାୱରକର ଯାହାକିଛି କରିଥିଲେ ତାହା ଆଜି ମଧ୍ୟ ସ୍ମରଣୀୟ ହୋଇରହିଛି ।

ବନ୍ଧୁଗଣ, କିଛିଦିନ ପରେ ଜୁନ୍ ୪ ତାରିଖରେ ସନ୍ଥ କବୀର ଦାଶଙ୍କର ମଧ୍ୟ ଜୟନ୍ତୀ ପାଳିତ ହେବ । କବୀର ଦାଶ ଆମକୁ ଯେଉଁ ମାର୍ଗଦର୍ଶନ ଦେଇଯାଇଛନ୍ତି, ତାହା ମଧ୍ୟ ସେତିକି ପ୍ରାସଙ୍ଗିକ । କବୀର ଦାଶ କହୁଥିଲେ –

“କବୀରା କୁଆଁ ଏକ ହେ, ପାନୀ ଭରେ ଅନେକ –

ବର୍ତ୍ତନ ମେଁ ହି ଭେଦ୍ ହେ ପାନୀ ସବମେଁ ଏକ ।”

ଅର୍ଥାତ୍ କୂଅ ପାଖକୁ ଭିନ୍ନ ଭିନ୍ନ ଲୋକ ପାଣି ନେବାପାଇଁ ଆସନ୍ତି, କିନ୍ତୁ କୂଅ କୌଣସି ଭେଦଭାବ ରଖେନାହିଁ । ସେହି ଗୋଟିଏ ପାଣି ସମସ୍ତ ପାତ୍ରରେ ଥାଏ । ସନ୍ଥ କବୀର ସମାଜରେ ବିଭାଜନ ସୃଷ୍ଟି କରୁଥିବା ପ୍ରତ୍ୟେକ କୁପ୍ରଥାର ବିରୋଧ କରୁଥିଲେ । ସମାଜକୁ ଜାଗ୍ରତ କରିବାର ପ୍ରୟାସ କରିଥିଲେ । ଆଜି, ଦେଶ ଯେତେବେଳେ ବିକଶିତ ହେବାର ସଂକଳ୍ପ ନେଇ ଆଗେଇଚାଲିଛି, ସେତେବେଳେ ସନ୍ଥ କବୀରଙ୍କଠାରୁ ପ୍ରେରଣା ନେଇ ସମାଜକୁ ସଶକ୍ତ କରିବାର ପ୍ରୟାସକୁ ଆମେ ଆହୁରି ବଢ଼ାଇବା ଉଚିତ ।

ମୋର ପ୍ରିୟ ଦେଶବାସୀଗଣ;

 ଏବେ ମୁଁ ଆପଣମାନଙ୍କୁ ଦେଶର ଜଣେ ମହାନ ବ୍ୟକ୍ତିତ୍ୱଙ୍କ ସମ୍ବନ୍ଧରେ କହିବାକୁ ଯାଉଛି ଯିଏକି ରାଜନୀତି ଏବଂ ଫିଲ୍ମଜଗତରେ ନିଜର ପ୍ରତିଭା ବଳରେ ଅଲିଭା ଚିହ୍ନ ଛାଡ଼ିଯାଇଛନ୍ତି । ସେହି ମହାନ ବ୍ୟକ୍ତିଙ୍କ ନାମ ହେଲା ଏନ୍‌.ଟି. ରାମାରାଓ ଯାହାକୁ ଆମେସବୁ ଏନ୍‌.ଟି.ଆର୍ ନାମରେ ଜାଣନ୍ତି । ଆଜି ଏନ୍‌.ଟି.ଆର୍‌ଙ୍କର ଶହେତମ ଜୟନ୍ତୀ । ନିଜର ବହୁମୁଖୀ ପ୍ରତିଭା ବଳରେ ସେ ଖାଲି ତେଲୁଗୁ ସିନେମାର ମହାନାୟକ ହୋଇଥିଲେ ତା’ନୁହେଁ; ବରଂ ସେ କୋଟି କୋଟି ଲୋକଙ୍କର ହୃଦୟକୁ ଜୟ କରିଥିଲେ । ସେ ତିନିଶହରୁ ଅଧିକ ଫିଲ୍ମରେ କାମ କରିଥିଲେ ବୋଲି ଆପଣ ଜାଣନ୍ତି କି? ଅନେକ ଐତିହାସିକ ଚରିତ୍ରକୁ ନିଜର ଅଭିନୟ ବଳରେ ଜୀବନ୍ତ କରିଦେଇଥିଲେ । ଭଗବାନ କୃଷ୍ଣ, ରାମ ଏବଂ ଏହିଭଳି ଅନ୍ୟ ବହୁତ ଭୂମିକାରେ ଏନ୍‌.ଟି.ଆର୍‌ଙ୍କ ଅଭିନୟକୁ ଲୋକମାନେ ଏତେ ପସନ୍ଦ କରୁଥିଲେ ଯେ ଆଜିବି ତାଙ୍କୁ ମନେପକାଉଛନ୍ତି । ସିନେମା ଜଗତ ସଙ୍ଗେ ସଙ୍ଗେ ରାଜନୀତିରେ ମଧ୍ୟ ଏନ୍‌.ଟି.ଆର୍ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏ କ୍ଷେତ୍ରରେ ମଧ୍ୟ ତାଙ୍କୁ ଲୋକମାନଙ୍କର ଭରପୂର ସ୍ନେହ ଏବଂ ଆଶୀର୍ବାଦ ମିଳିଥିଲା । ଦେଶଦୁନିଆର ଲକ୍ଷ ଲକ୍ଷ ଲୋକଙ୍କର ହୃଦୟରେ ରାଜ କରୁଥିବା ଏନ୍‌.ଟି. ରାମାରାଓଙ୍କୁ ମୁଁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୋର ପ୍ରିୟ ଦେଶବାସୀଗଣ; ‘ମନ୍ କି ବାତ୍‌’ରେ ଆଜି ଏତିକି ଆରଥର କିଛି ନୂଆ ବିଷୟ ସହିତ ଆପଣମାନଙ୍କ ପାଖକୁ ଆସିବି । ସେତେବେଳକୁ କିଛି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଆହୁରି ଅଧିକ ବଢ଼ିଯାଇଥିବ । କେଉଁଠି କେଉଁଠି ବର୍ଷା ମଧ୍ୟ ଆରମ୍ଭ ହୋଇଯିବ । ଆପଣମାନେ ପାଣିପାଗର ପ୍ରତ୍ୟେକ ପରିସ୍ଥିତିରେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ୨୧ ଜୁନକୁ ଆମେ ବିଶ୍ୱ ଯୋଗଦିବସ ରୂପେ ମଧ୍ୟ ପାଳନ କରିବା । ସେଥିପାଇଁ ଦେଶବିଦେଶରେ ପ୍ରସ୍ତୁତି ଚାଲିଛି । ଆପଣମାନେ ମଧ୍ୟ ଏହି ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କର ‘ମନ୍ କି ବାତ୍‌’ ମୋ ପାଖକୁ ଲେଖନ୍ତୁ । ଅନ୍ୟ କୌଣସି ବିଷୟରେ ଯଦି ଅନ୍ୟ କୌଣସି ସୂଚନା ଆପଣଙ୍କୁ ମିଳେ, ତେବେ ତାହା ମୋତେ ଜଣାଇବେ । ଆପଣମାନଙ୍କ ପରାମର୍ଶର ଅଧିକାଂଶ କଥା ‘ମନ୍ କି ବାତ୍‌’ରେ ରଖିବାକୁ ମୁଁ ପ୍ରୟାସ କରେ । ଅପାଣ ସମସ୍ତଙ୍କୁ ପୁଣିଥରେ ବହୁତ ବହୁତ ଧନ୍ୟବାଦ । ପୁଣି ଆରମାସରେ ଦେଖାହେବ । ସେପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ । 

ନମସ୍କାର । 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian contingent on winning 19 medals at 22nd Asian U20 Athletics Championships
June 01, 2026

The Prime Minister, Shri Narendra Modi today congratulated the Indian contingent for its outstanding performance at the 22nd Asian U20 Athletics Championships.

The Prime Minister congratulated the Indian contingent on winning 19 medals, including 10 Gold medals, at the Championships.

The Prime Minister said that the achievement reflects the determination and excellence of India’s young athletes.

He expressed hope that these accomplishments would inspire many more young Indians to pursue sports in the years to come.

The Prime Minister wrote on X;

“Congratulations to the Indian contingent at the 22nd Asian U20 Athletics Championships for winning 19 medals, including 10 Golds. This outstanding performance reflects the determination and excellence of India’s young athletes. May these achievements inspire many more young Indians to pursue sports in the years to come.”