Be it the loftiest goal, be it the toughest challenge, the collective power of the people of India, provides a solution to every challenge: PM Modi
Kutch, once termed as never to be able to recover after the devastating earthquake two decades ago, is now one of the fastest growing districts of the country: PM
Along with the bravery of Chhatrapati Shivaji Maharaj, there is a lot to learn from his governance and management skills: PM Modi
India has resolved to create a T.B. free India by 2025: PM Modi
To eliminate tuberculosis from the root, Ni-kshay Mitras have taken the lead: PM Modi
Baramulla is turning into the symbol of a new white revolution; dairy industry of Baramulla is a testimony to the fact that every part of our country is full of possibilities: PM Modi
There are many such sports and competitions, where today, for the first time, India is making her presence felt: PM Modi
India is the mother of democracy. We consider our democratic ideals as paramount; we consider our Constitution as Supreme: PM Modi
We can never forget June the 25th. This is the very day when Emergency was imposed on our country: PM Modi
Lakhs of people opposed the Emergency with full might. The supporters of democracy were tortured so much during that time: PM Modi

ମୋର ପ୍ରିୟ ଦେଶବାସୀଗଣ, 

ନମସ୍କାର । ‘ମନ୍ କି ବାତ୍‌’ ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ‘ମନ୍ କି ବାତ୍‌’ ପ୍ରାୟତଃ ପ୍ରତି ମାସର ଶେଷ ରବିବାର ଦିନ ହୋଇଥାଏ, କିନ୍ତୁ ଏଥର ଗୋଟିଏ ସପ୍ତାହ ପୂର୍ବରୁ ହେଉଛି । ଆପଣମାନେ ତ ଜାଣିଛନ୍ତି, ଆସନ୍ତା ସପ୍ତାହରେ ମୁଁ ଆମେରିକାରେ ଥିବି ଆଉ ସେଠାରେ ଅନେକ କାର୍ଯ୍ୟବ୍ୟସ୍ତତା ମଧ୍ୟ ରହିବ । ତେଣୁ, ମୁଁ ଭାବିଲି ଯେ ସେଠାକୁ ଯିବା ଆଗରୁ ହିଁ ଆପଣମାନଙ୍କ ସହିତ କଥା ହେବି, ତା’ଠୁ ଭଲ ଆଉ କ’ଣ ହୋଇପାରେ? ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ, ଆପଣଙ୍କ ପ୍ରେରଣା ଯୋଗୁଁ ମୋ’ର ଶକ୍ତି ମଧ୍ୟ ବୃଦ୍ଧି ପାଇଚାଲିବ।

ବନ୍ଧୁଗଣ,

 ଅନେକ ଲୋକ କହିଥାନ୍ତି ଯେ, ଜଣେ ପ୍ରଧାନମନ୍ତ୍ରୀ ହିସାବରେ ମୁଁ ଏଇ ଭଲ କାମ କଲି, ସେଇ ବଡ଼ କାମଟିଏ କଲି । ‘ମନ୍ କି ବାତ୍‌’ର ଅନେକ ଶ୍ରୋତା ନିଜ ଚିଠିରେ ବହୁତ ପ୍ରଶଂସା କରିଥାଆନ୍ତି । କେହି କହନ୍ତି ଏ କାମ କଲି, କେହି କହନ୍ତି ସେ କାମ କଲି, ସେ କାମଟି ଖୁବ ଭଲ ହେଲା, ଏଇ କାମଟି ଭଲ ହେଲା, କିନ୍ତୁ ମୁଁ ଯେତେବେଳେ ଭାରତର ସାଧାରଣ ବ୍ୟକ୍ତିମାନଙ୍କ ପ୍ରଚେଷ୍ଟା, ସେମାନଙ୍କ ପରିଶ୍ରମ, ସେମାନଙ୍କ ଇଚ୍ଛାଶକ୍ତିକୁ ଦେଖେ, ସେତେବେଳେ ସ୍ୱୟଂ ଅଭିଭୂତ ହୋଇଯାଏ । ବଡ଼ରୁ ବଡ଼ ଲକ୍ଷ୍ୟ ହେଉ, କଠିନରୁ କଠିନ ଆହ୍ୱାନ ହେଉ, ଭାରତର ଜନସାଧାରଣଙ୍କ ସାମୂହିକ ବଳ, ସାମୂହିକ ଶକ୍ତି ପ୍ରତ୍ୟେକ ଆହ୍ୱାନର ସମାଧାନର ସୂତ୍ର ବାହାର କରିଦେଉଛି । ଏଇ ମାତ୍ର ଦୁଇ ତିନି ଦିନ ଆଗରୁ ଯାହା ଆମେ ଦେଖିଲୁ, ଯେ ଦେଶର ପଶ୍ଚିମ ସୀମାରେ କେତେ ବଡ଼ ବାତ୍ୟା ସଂଘଟିତ ହେଲା । କ୍ଷିପ୍ର ଗତିରେ ପବନ, ମୂସଳଧାରରେ ବର୍ଷା । ବିପର୍ଯ୍ୟୟ ବାତ୍ୟା କଚ୍ଛ୍ ଅଂଚଳରେ କେତେ ଯେ କ୍ଷୟକ୍ଷତି ଘଟାଇଲା! କିନ୍ତୁ କଚ୍ଛ୍‌ର ଲୋକେ ଯେଉଁ ସାହସ ଏବଂ ପ୍ରସ୍ତୁତି ସହ ଏହି ବିପଜ୍ଜନକ ବାତ୍ୟାର ମୁକାବିଲା କଲେ, ତାହା ମଧ୍ୟ ସେତିକି ଅଭୂତପୂର୍ବ । ମାତ୍ର ଦୁଇ ଦିନ ପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ କଚ୍ଛର ଲୋକେ ସେମାନଙ୍କର ନବବର୍ଷ ପାଳନ କରିବାକୁ ଯାଉଛନ୍ତି । ଆଷାଢ଼ ଦ୍ୱିତୀୟାକୁ କଚ୍ଛ୍ ଅଞ୍ଚଳରେ ବର୍ଷାଋତୁର ପ୍ରାରମ୍ଭ ଭାବେ ଗ୍ରହଣ କରାଯାଉଥିବା ବେଳେ ଏହି ସମୟରେ ବର୍ଷା ଏକ ସଂଯୋଗ । ମୁଁ ଅନେକ ବର୍ଷ ଧରି କଚ୍ଛ୍ ଯିବା ଆସିବା କରିଛି । ସେଠାକାର ଲୋକଙ୍କ ସେବା କରିବାର ସୌଭାଗ୍ୟ ମଧ୍ୟ ମୋତେ ମିଳିଛି । ତେଣୁ କଚ୍ଛ୍‌ର ଲୋକଙ୍କ ଧୈର୍ଯ୍ୟ ସାହସ ଏବଂ ଜିଜ୍ଞାସା ସହ ମୁଁ ଭଲ ଭାବେ ପରିଚିତ । ଦୁଇ ଦଶନ୍ଧି ପୂର୍ବେ ବିନାଶକାରୀ ଭୂମିକମ୍ପ ଦ୍ୱାରା ପ୍ରଭାବିତ କଚ୍ଛ୍ ବିଷୟରେ କୁହାଯାଉଥିଲା ଯେ, ଏହା ପୁଣି କେବେ ଉଠିପାରିବନି, ଆଜି ସେହି ଜିଲ୍ଲା ଦେଶରେ ଦ୍ରୁତ ଗତିରେ ବିକାଶ ଲାଭ କରୁଥିବା ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ। ବାତ୍ୟା ବିପର୍ଯ୍ୟୟ ଯେଉଁ ବିନାଶ ଘଟାଇଛି, ସେଥିରୁ ମଧ୍ୟ କଚ୍ଛବାସୀ ଶୀଘ୍ର ମୁକ୍ତ ହୋଇଯିବେ ବୋଲି ମୋର ବିଶ୍ୱାସ ।

ବନ୍ଧୁଗଣ, 

ପ୍ରାକୃତିକ ବିପତ୍ତି ଉପରେ କାହାରି ନିୟନ୍ତ୍ରଣ ନ ଥାଏ । କିନ୍ତୁ, ବିଗତ ବର୍ଷମାନଙ୍କରେ ଭାରତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ଯେଉଁ ଶକ୍ତି ବିକଶିତ କରିଛି, ତାହା ଆଜି ଉଦାହରଣ ସୃଷ୍ଟି କରୁଛି । ପ୍ରାକୃତିକ ବିପତ୍ତିଗୁଡ଼ିକର ମୁକାବିଲା କରିବାର ଗୋଟିଏ ବଡ଼ ଉପାୟ ହେଲା - ପ୍ରକୃତିର ସଂରକ୍ଷଣ । ବର୍ତମାନ ପରିସ୍ଥିତିରେ ବର୍ଷାଋତୁରେ ଏହି କାର୍ଯ୍ୟ ପ୍ରତି ଆମର ଦାୟିତ୍ୱ ଆହୁରି ବଢ଼ିଯାଉଛି । ସେଇଥିପାଇଁ ଦେଶ ଆଜି କ୍ୟାଚ୍ ଦି ରେନ୍ ଭଳି ଅଭିଯାନଗୁଡ଼ିକ ଜରିଆରେ ସମଷ୍ଟିଗତ ଉଦ୍ୟମ କରୁଛି । ଗତ ମାସରେ ‘ମନ୍ କି ବାତ୍‌’ରେ ହିଁ ଆମେ ଜଳ ସଂରକ୍ଷଣ ସହିତ ଜଡ଼ିତ ଷ୍ଟାର୍ଟ-ଅପ୍ ବିଷୟରେ ଆଲୋଚନା କରିଥିଲୁ । ଏଥର ମଧ୍ୟ ମୋତେ ପତ୍ର ଦ୍ୱାରା ଏଭଳି ଅନେକ ଲୋକଙ୍କ ବିଷୟରେ ଅବଗତ କରାଯାଇଛି, ଯେଉଁମାନେ ପ୍ରତ୍ୟେକଟି ଜଳବିନ୍ଦୁ ସଂରକ୍ଷଣ ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ଏହିଭଳି ଜଣେ ସାଥି ହେଉଛନ୍ତି, ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ତୁଳସୀରାମ ଯାଦବ । ତୁଳସୀରାମ ଯାଦବ ହେଉଛନ୍ତି ଲୁକତରା ଗ୍ରାମପଂଚାୟତର ମୁଖ୍ୟ । ବାନ୍ଦା ଓ ବୁନ୍ଦେଲ୍‌ଖଣ୍ଡ ଅଂଚଳରେ ପାଣିର ସମସ୍ୟା ବିଷୟରେ ଆପଣମାନେ ସମସ୍ତେ ଜାଣନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ତୁଳସୀରାମ୍ ଗାଁ ଲୋକଙ୍କୁ ଏକାଠି କରି ସେହି ଅଂଚଳରେ ୪୦ରୁ ଅଧିକ ପୋଖରୀ ଖୋଳାଇଛନ୍ତି । ବିଲ ପାଣି ବିଲରେ ଆଉ ଗାଁ ପାଣି ଗାଁରେ, ଏହି ନିୟମକୁ ତୁଳସୀରାମ ନିଜ ଅଭିଯାନର ଆଧାର କରିଛନ୍ତି । ତାଙ୍କରି ପରିଶ୍ରମ ଫଳରେ ଆଜି ତାଙ୍କ ଗ୍ରାମର ଭୂତଳ ଜଳ ସ୍ତରରେ ଉନ୍ନତି ଦେଖାଦେଉଛି । ସେହିଭଳି ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଲୋକେ ମିଶି ଗୋଟିଏ ବିଲୁପ୍ତ ନଦୀକୁ ପୁନର୍ଜୀବିତ କରିଛନ୍ତି । ବହୁଦିନ ପୂର୍ବେ ଏଠାରେ ନୀମ୍ ନାମକ ଗୋଟିଏ ନଦୀ ପ୍ରବାହିତ ହେଉଥିଲା । କାଳକ୍ରମେ ଏହି ନଦୀ ବିଲୁପ୍ତ ହୋଇଗଲା । କିନ୍ତୁ ସ୍ଥାନୀୟ ସ୍ମୃତି ଏବଂ ଲୋକକଥାଗୁଡ଼ିକରେ ଏହି ନଦୀର ଚର୍ଚ୍ଚା ସର୍ବଦା ହେଉଥିଲା । ଶେଷରେ ଲୋକେ ନିଜର ଏହି ପ୍ରାକୃତିକ ଐତିହ୍ୟକୁ ପୁନର୍ଜୀବିତ କରିବାକୁ ମନସ୍ଥ କଲେ । ଜନସାଧାରଣଙ୍କ ମିଳିତ ଉଦ୍ୟମ ଫଳରେ ନୀମ୍ ନଦୀ ଏବେ ପୁଣି ଥରେ ଜୀବନ୍ତ ହେବାରେ ଲାଗିଛି । ନଦୀର ଉଦ୍‌ଗମ ସ୍ଥଳକୁ ଅମୃତ ସରୋବର ଭାବେ ମଧ୍ୟ ବିକଶିତ କରାଯାଉଛି ।

ବନ୍ଧୁଗଣ, 

ଏହି ନଦୀ, କେନାଲ୍‌, ପୋଖରୀ – ଏଗୁଡ଼ିକ କେବଳ ଜଳସ୍ରୋତ ନୁହେଁ, ବରଂ ଏଗୁଡ଼ିକ ସହ ଯୋଡ଼ି ହୋଇଥାଏ ଜୀବନର ରଙ୍ଗ ଏବଂ ଅନେକ ଭାବାବେଗ । ଏଭଳି ଗୋଟିଏ ଦୃଶ୍ୟ କିଛି ଦିନ ଆଗରୁ ଦେଖିବାକୁ ମିଳିଲା ମହାରାଷ୍ଟ୍ରରେ । ଏହି ଅଂଚଳ ପ୍ରାୟତଃ ମରୁଡ଼ିଗ୍ରସ୍ତ ହୋଇ ରହିଥାଏ । ପାଂଚ ଦଶନ୍ଧିର ପ୍ରତୀକ୍ଷା ପରେ ଏଠାରେ ଏବେ ନୀଲ୍‌ୱାଣ୍ଡେ ଡ୍ୟାମ୍‌ର କେନାଲ କାମ ସମ୍ପୂର୍ଣ୍ଣ ହେବାକୁ ଯାଉଛି । କିଛି ଦିନ ପୂର୍ବେ ଟେଷ୍ଟିଂ ସମୟରେ କେନାଲ୍‌ରେ ପାଣି ଛଡ଼ାଯାଇଥିଲା । ସେହି ସମୟର ଦୃଶ୍ୟ ପ୍ରକୃତରେ ହୃଦୟସ୍ପର୍ଶୀ ଥିଲା । ଗାଁ ଲୋକେ ଏମିତି ଆନନ୍ଦରେ ମାତିଥିଲେ, ସତେ ଯେମିତି ହୋଲି ବା ଦୀପାବଳୀର ପର୍ବ ଆସିଗଲା ।

ବନ୍ଧୁଗଣ, 

ଯେହେତୁ ପରିଚାଳନା କଥା ପଡ଼ିଛି, ତେଣୁ ମୁଁ ଆଜି ଛତ୍ରପତି ଶିବାଜୀ ମହାରାଜଙ୍କୁ ମଧ୍ୟ ସ୍ମରଣ କରୁଛି । ଛତ୍ରପତି ଶିବାଜୀ ମହାରାଜଙ୍କ ବୀରତ୍ୱ ସହ ତାଙ୍କ ଶାସନ ପଦ୍ଧତି ଏବଂ ପରିଚାଳନାଗତ ଦକ୍ଷତାରୁ ମଧ୍ୟ ଅନେକ କିଛି ଶିଖିବାକୁ ମିଳିଥାଏ । ବିଶେଷକରି, ଜଳ ପରିଚାଳନା ଏବଂ ନୌବାହିନୀକୁ ନେଇ ଛତ୍ରପତି ଶିବାଜୀ ମହାରାଜ ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ସେସବୁ ଆଜି ମଧ୍ୟ ଭାରତୀୟ ଇତିହାସର ଗୌରବ ବୃଦ୍ଧି କରୁଛି । ସେ ନିର୍ମାଣ କରିଥିବା ଜଳଦୁର୍ଗ ଏତେ ଶତାବ୍ଦୀ ପରେ ମଧ୍ୟ ସମୁଦ୍ର ମଧ୍ୟରେ ଆଜି ବି ଗୌରବ ସହ ଦଣ୍ଡାୟମାନ ରହିଛନ୍ତି । ଚଳିତ ମାସ ଆରମ୍ଭରେ ହିଁ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକର ୩୫୦ ବର୍ଷ ପୂରଣ ହୋଇଛି । ଏହି ଅବସରକୁ ଏକ ବଡ଼ ପର୍ବ ରୂପେ ପାଳନ କରାଯାଉଛି । ଏହି ସମୟରେ ମହାରାଷ୍ଟ୍ରର ରାୟଗଢ଼ କିଲ୍ଲାରେ ଏ ସମ୍ପର୍କିତ ଭବ୍ୟ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ମୋର ମନେ ଅଛି, ଅନେକ ବର୍ଷ ପୂର୍ବେ ୨୦୧୪ରେ ମୋତେ ରାୟଗଢ଼ ଯିବାର, ସେହି ପବିତ୍ର ଭୂମିକୁ ପ୍ରଣାମ କରିବାର ସୌଭାଗ୍ୟ ମିଳିଥିଲା । ଏହି ଅବସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପରିଚାଳନା କୌଶଳ ବିଷୟରେ ଜ୍ଞାନ ଲାଭ କରିବା ଆମ ସମସ୍ତଙ୍କ କର୍ତବ୍ୟ । ଏହାଦ୍ୱାରା ଆମ ଅନ୍ତରରେ ଆମର ଐତିହ୍ୟକୁ ନେଇ ଗର୍ବଭାବ ଜାଗ୍ରତ ହେବ ଏବଂ ଆମ ଭବିଷ୍ୟତ କର୍ତବ୍ୟ ସମ୍ପର୍କରେ ମଧ୍ୟ ପ୍ରେରଣା ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, 

ଆପଣମାନେ ରାମାୟଣର ସେହି ଛୋଟ ଗୁଣ୍ଡୁଚିମୂଷା ବିଷୟରେ ତ ନିଶ୍ଚୟ ଶୁଣିଥିବେ, ଯିଏ ରାମସେତୁ ନିର୍ମାଣରେ ସହାୟତା ପାଇଁ ଆଗେଇ ଆସିଥିଲା । କହିବାର ତାତ୍ପର୍ଯ୍ୟ ହେଲା ଯେ, ମନୋଭାବ ଯଦି ସ୍ୱଚ୍ଛ, ଉଦ୍ୟମ ଯଦି ନିଷ୍ଠାପର ହୁଏ, ତେବେ କୌଣସି ଲକ୍ଷ୍ୟ ଅସାଧ୍ୟ ହୋଇ ରହେନା । ଭାରତ ମଧ୍ୟ ଆଜି ଏହିଭଳି ସ୍ୱଚ୍ଛ ମନୋଭାବ ସହ ଗୋଟିଏ ବହୁତ ବଡ଼ ଆହ୍ୱାନର ମୁକାବିଲା କରୁଛି । ଏହି ଆହ୍ୱାନଟି ହେଲା – ଟି.ବି. ଯାହାକୁ ଯକ୍ଷ୍ମା ରୋଗ ମଧ୍ୟ କୁହାଯାଏ । ୨୦୨୫ ସୁଦ୍ଧା ଭାରତକୁ ଟି.ବି. ମୁକ୍ତ କରିବା ପାଇଁ ଦେଶ ସଂକଳ୍ପ ଗ୍ରହଣ କରିଛି । ଲକ୍ଷ୍ୟ ନିଶ୍ଚିତ ଭାବେ ବହୁତ ବଡ଼ । ଦିନ ଥିଲା, ଯେତେବେଳେ ଯକ୍ଷ୍ମା ରୋଗ ହୋଇଥିବା କଥା ଜଣାପଡ଼ିଲେ ପରିବାର ଲୋକେ ମଧ୍ୟ ଦୂରେଇ ଯାଉଥିଲେ, କିନ୍ତୁ ଆଜି ଯକ୍ଷ୍ମା ରୋଗୀକୁ ପରିବାରର ସଭ୍ୟ ଭାବେ ଗ୍ରହଣ କରି ତାକୁ ସହାୟତା କରାଯାଉଛି । ଏହି ଯକ୍ଷ୍ମା ରୋଗର ମୂଳୋତ୍ପାଟନ କାର୍ଯ୍ୟ ନିକ୍ଷୟ ମିତ୍ରମାନେ ନିଜ ହାତକୁ ନେଇଛନ୍ତି । ଦେଶରେ ବହୁ ସଂଖ୍ୟାରେ ବିଭିନ୍ନ ସାମାଜିକ ସଂସ୍ଥା ନିକ୍ଷୟ ମିତ୍ର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗାଁ-ଗହଳିରେ, ପଞ୍ଚାୟତରେ, ହଜାର ହଜାର ଲୋକେ ନିଜେ ଆଗେଇ ଆସି ଯକ୍ଷ୍ମା ରୋଗୀମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଅନେକ ପିଲାମାନେ ମଧ୍ୟ ଯକ୍ଷ୍ମାରୋଗୀଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି । ଏହି ଜନଭାଗୀଦାରୀ ହିଁ ଏହି ଅଭିଯାନର ସବୁଠୁ ବଡ଼ ଶକ୍ତି । ଏହି ଭାଗୀଦାରୀ ଯୋଗୁଁ ଆଜି ଆମ ଦେଶରେ ୧୦ ଲକ୍ଷରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇସାରିଲାଣି ଏବଂ ଏହି ପୂଣ୍ୟ କାର୍ଯ୍ୟ କରିଛନ୍ତି ପ୍ରାୟଃ ୮୫ ହଜାର ନିକ୍ଷୟ ମିତ୍ର । ଦେଶର ଅନେକ ସରପଞ୍ଚ ଓ ଗାଁ ମୁଖିଆମାନେ ମଧ୍ୟ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ଅଂଟା ଭିଡ଼ିଛନ୍ତି ।

ନୈନିତାଲ୍‌ର ଗୋଟିଏ ଗାଁର ନିକ୍ଷୟ ମିତ୍ର ଶ୍ରୀଯୁକ୍ତ ଦୀକର୍ ସିଂ ମେୱାଡ଼ି ଛଅ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେହିଭଳି କିନ୍ନୌର୍‌ର ଗୋଟିଏ ଗ୍ରାମପଞ୍ଚାୟତର ମୁଖ୍ୟ ନିକ୍ଷୟ ମିତ୍ର ଶ୍ରୀଯୁକ୍ତ ଜ୍ଞାନ ସିଂ ମଧ୍ୟ ନିଜ ବ୍ଲକ୍‌ରେ ଟିବି ରୋଗୀମାନଙ୍କୁ ସମସ୍ତ ଆବଶ୍ୟକ ସହାୟତା ଉପଲବ୍ଧ କରାଇବାରେ ଲାଗିଛନ୍ତି । ଭାରତକୁ ଯକ୍ଷ୍ମାମୁକ୍ତ କରିବା ଅଭିଯାନରେ ଆମର ପିଲାମାନେ ଏବଂ ଯୁବବନ୍ଧୁମାନେ ମଧ୍ୟ ପଛରେ ନାହାନ୍ତି । ହିମାଚଳ ପ୍ରଦେଶର ଉନାର ୭ ବର୍ଷର ଝିଅ ନଳିନୀ ସିଂଙ୍କ ଚମତ୍କାରିତାର କଥା ଶୁଣନ୍ତୁ । ଝିଅ ନଳିନୀ ନିଜ ପକେଟ୍ ଖର୍ଚ୍ଚରୁ ଯକ୍ଷ୍ମା ରୋଗୀଙ୍କର ସହାୟତା କରୁଛନ୍ତି । ପିଲାମାନେ ପଇସା ସଂଗ୍ରହ ଘଡ଼ିକୁ କେତେ ଭଲ ପାଆନ୍ତି ତାହା ଆପଣମାନେ ଜାଣନ୍ତି । କିନ୍ତୁ ମଧ୍ୟପ୍ରଦେଶର କଟ୍‌ନୀ ଜିଲ୍ଲାର ୧୩ ବର୍ଷ ବୟସ୍କା ମୀନାକ୍ଷୀ ଏବଂ ପଶ୍ଚିମ ବଙ୍ଗର ଡାୟମଣ୍ଡ ହାର୍‌ବର୍‌ର ୧୧ ବର୍ଷ ବୟସ୍କ ବଶ୍ୱର ମୁଖାର୍ଜୀ ଏମାନେ ଦୁହେଁ ଅନ୍ୟ ପିଲାମାନଙ୍କ ଠାରୁ କିଛି ଭିନ୍ନ । ଏହି ଦୁଇ ଜଣ ନିଜ ଘଡ଼ିରେ ସଂଚୟ କରିଥିବା ପଇସା ମଧ୍ୟ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନରେ ଲଗାଇ ଦେଇଛନ୍ତି । ଏହି ସମସ୍ତ ଉଦାହରଣ ଭାବପ୍ରବଣତାରେ ଭରି ରହିଥିବା ସଙ୍ଗେ ସଙ୍ଗେ ପ୍ରେରଣାଦାୟୀ ମଧ୍ୟ । କମ ବୟସରେ ମଧ୍ୟ ବଡ଼ ଚିନ୍ତାଧାରା ବହନ କରୁଥିବା ଏହି ସମସ୍ତ ପିଲାମାନଙ୍କର ମୁଁ ଆନ୍ତରିକ ପ୍ରଶଂସା କରୁଛି ।

ମୋର ପ୍ରିୟ ଦେଶବାସୀଗଣ, 

ଆମ ଭାରତବାସୀଙ୍କର ସ୍ୱଭାବ ଯେ ଆମେ ସର୍ବଦା ନୂଆ ବିଚାରକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଥାଉ । ଆମେ ଆମ ଜିନିଷକୁ ଭଲ ପାଉ ଓ ନୂଆ ଜିନିଷକୁ ମଧ୍ୟ ଗ୍ରହଣ କରୁ । ଏହାର ଏକ ଉଦାହରଣ ହେଉଛି- ଜାପାନୀ ପଦ୍ଧତି ମିୟାୱାକି । ଯଦି କୌଣସି ଜାଗାର ମାଟି ଉର୍ବର ହୋଇରହିନାହିଁ, ତେବେ ମିୟାୱାକି ପଦ୍ଧତି ସେହି ଅଞ୍ଚଳକୁ ପୁଣିଥରେ ସବୁଜ ସୁନ୍ଦର କରିବା ପାଇଁ ବହୁତ ଭଲ ଉପାୟ । ମିୟାୱାକି ଜଙ୍ଗଲ ଦ୍ରୁତଗତିରେ ପରିବ୍ୟାପ୍ତ ହୋଇଥାଏ ଏବଂ ଦୁଇ-ତିନି ଦଶନ୍ଧି ଭିତରେ ଜୈବ ବିବିଧତାର କେନ୍ଦ୍ର ପାଲଟିଯାଏ । ଏବେ ଭାରତର ବିଭିନ୍ନ ଅଞ୍ଚଳରେ ଏହାର ଦ୍ରୁତ ପ୍ରସାର ହୋଇଚାଲିଛି । ଆମର ଏଠି କେରଳର ଜଣେ ଶିକ୍ଷକ ଶ୍ରୀମାନ ରାଫି ରାମନାଥ ଜୀ ଏହି ଉପାୟ ଦ୍ୱାରା ଗୋଟିଏ ଅଞ୍ଚଳର ଚିତ୍ରକୁ ହିଁ ବଦଳାଇ ଦେଇଛନ୍ତି । ପ୍ରକୃତରେ, ରାମନାଥ ଜୀ ନିଜର ଛାତ୍ରଛାତ୍ରୀଙ୍କୁ, ପ୍ରକୃତି ଓ ପରିବେଶ ସମ୍ପର୍କରେ ଭଲଭାବେ ବୁଝାଇବାକୁ ଚାହୁଁଥିଲେ । ସେଥିପାଇଁ ସେ ଏକ ଔଷଧୀୟ ଉଦ୍ୟାନ ତିଆରି କରିଦେଲେ । ତାଙ୍କର ଏହି ଉଦ୍ୟାନ ଏବେ ଜୈବବିବିଧତା ଅଞ୍ଚଳ ହୋଇସାରିଛି । ତାଙ୍କର ଏହି ସଫଳତା ତାଙ୍କୁ ଆହୁରି ଅଧିକ ପ୍ରେରଣା ଦେଇଛି । ଏହା ପରେ ରାଫି ଜୀ ମିୟାୱାକି ପଦ୍ଧତି ଦ୍ୱାରା ଏକ ମିନି ଫରେଷ୍ଟ୍‍, ଅର୍ଥାତ ଛୋଟ ଜଙ୍ଗଲ ତିଆରି କରିଛନ୍ତି ଏବଂ ଏହାର ନାମ ଦେଇଛନ୍ତି "ବିଦ୍ୟା ବନମ୍‍” । ଏତେ ସୁନ୍ଦର ନାଁ ତ ଜଣେ ଶିକ୍ଷକ ହିଁ ରଖିପାରିବେ- "ବିଦ୍ୟା ବନମ୍‍” । ରାମନାଥ ଜୀଙ୍କ ଏହି "ବିଦ୍ୟା ବନମ୍”ର ଛୋଟିଆ ଜାଗାରେ ୧୧୫ ପ୍ରକାରର ୪୫୦ରୁ ଅଧିକ ଗଛ ଲଗାଯାଇଛି । ତାଙ୍କର ଛାତ୍ରଛାତ୍ରୀମାନେ ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବା ପାଇଁ ସାହାଯ୍ୟ କରିଥାନ୍ତି । ଏହି ସୁନ୍ଦର ଜାଗାକୁ ଦେଖିବା ପାଇଁ ଆଖପାଖର ସ୍କୁଲପିଲା, ସାଧାରଣ ନାଗରିକଙ୍କ ବହୁତ ଭିଡ଼ ଜମେ । ମିୟାୱାକି ଜଙ୍ଗଲକୁ ଯେ କୌଣସି ଜାଗାରେ, ଏପରିକି ସହରଗୁଡ଼ିକରେ ମଧ୍ୟ ସହଜରେ ତିଆରି କରାଯାଇପାରେ । କିଛିଦିନ ପୂର୍ବରୁ ମୁଁ ଗୁଜରାଟର କେୱଡ଼ିଆ, ଏକତାନଗରରେ, ମିୟାୱାକି ଜଙ୍ଗଲର ଉଦ୍‍ଘାଟନ କରିଥିଲି । କଚ୍ଛରେ ମଧ୍ୟ ୨୦୦୧ରେ ଭୂମିକମ୍ପ ବେଳେ ମୃତକଙ୍କ ସ୍ମୃତି ପାଇଁ ମିୟାୱାକି ପଦ୍ଧତିରେ ସ୍ମୃତିବନ ତିଆରି କରାଯାଇଛି । କଚ୍ଛ ଭଳି ଜାଗାରେ ଏହା ସଫଳ ହେବା ଘଟଣାରୁ ଜଣାପଡ଼େ ଯେ କଠିନରୁ କଠିନ ପ୍ରାକୃତିକ ପରିବେଶରେ ମଧ୍ୟ ଏହି ପଦ୍ଧତି କେତେ ପ୍ରଭାବଶାଳୀ ହୋଇପାରିବ । ସେହିଭଳି, ଅମ୍ବାଜୀ ଓ ପାୱାଗଢ଼ରେ ମଧ୍ୟ ମିୟାୱାକି ପଦ୍ଧତିରେ ଚାରାରୋପଣ କରାଯାଇଛି । ମତେ ସୂଚନା ମିଳିଛି ଯେ ଲକ୍ଷ୍ନୌର ଅଲିଗଞ୍ଜରେ ମଧ୍ୟ ଏକ ମିୟାୱାକି ଉଦ୍ୟାନ ପ୍ରସ୍ତୁତ କରାଯାଉଛି । ଗତ ଚାରିବର୍ଷ ମଧ୍ୟରେ ମୁମ୍ବଇ ଓ ଏହାର ଆଖପାଖ ଅଞ୍ଚଳରେ ଏପରି ୬୦ରୁ ଅଧିକ ଜଙ୍ଗଲ ତିଆରି କରାଯାଇଛି । ଏବେ ତ ଏହି ପଦ୍ଧତିକୁ ସମଗ୍ର ବିଶ୍ୱରେ ପସନ୍ଦ କରାଯାଉଛି । ସିଙ୍ଗାପୁର, ପ୍ୟାରିସ୍‍, ଅଷ୍ଟ୍ରେଲିଆ, ମାଲେସିଆ ଭଳି ବହୁ ଦେଶରେ ଏହାକୁ ବଡ଼ ଆକାରରେ ଉପଯୋଗ କରାଯାଉଛି । ମୁଁ ଦେଶବାସୀଙ୍କୁ, ବିଶେଷ କରି, ସହରରେ ରହୁଥିବା ଲୋକଙ୍କୁ, କହିବି ଯେ ସେମାନେ ମିୟାୱାକି ପଦ୍ଧତି ସମ୍ପର୍କରେ ଜାଣିବା ପାଇଁ ନିଶ୍ଚୟ ଚେଷ୍ଟା କରନ୍ତୁ । ଏହା ଜରିଆରେ ଆପଣ ନିଜର ଧରିତ୍ରୀ ଓ ପ୍ରକୃତିକୁ ସବୁଜସୁନ୍ଦର ଓ ସ୍ୱଚ୍ଛ କରିବାରେ ଅମୂଲ୍ୟ ଯୋଗଦାନ ଦେଇପାରିବେ ।

ମୋର ପ୍ରିୟ ଦେଶବାସୀଗଣ,

 ଆଜିକାଲି ଆମ ଦେଶରେ ଜାମ୍ମୁକାଶ୍ମୀରର ଖୁବ୍‍ ଚର୍ଚ୍ଚା ହେଉଛି । କେବେ କ୍ରମବର୍ଦ୍ଧିଷ୍ଣୁ ପର୍ଯ୍ୟଟନ କାରଣରୁ ତ ଆଉ କେବେ ଜି-୨୦ର ଭବ୍ୟ ଆୟୋଜନ କାରଣରୁ । କିଛିଦିନ ତଳେ ମୁଁ ‘ମନ୍‍ କୀ ବାତ୍‍'ରେ ଆପଣଙ୍କୁ କହିଥିଲି ଯେ କାଶ୍ମୀରର ‘ନାଦ୍‍ରୁ'କୁ କିଭଳି ଦେଶ ବାହାରେ ମଧ୍ୟ ପସନ୍ଦ କରାଯାଉଛି । ଏବେ ଜାମ୍ମୁକାଶ୍ମୀରର ବାରାମୂଳା ଜିଲାର ଲୋକେ ଗୋଟାଏ ଚମତ୍କାର କରିଦେଖାଇଛନ୍ତି । ବାରାମୂଳାରେ ଚାଷକାମ ତ ବହୁତ ଆଗରୁ ହୋଇଆସୁଛି, କିନ୍ତୁ ଏଠାରେ ଖିରର ଅଭାବ ରହିଥାଏ । ବାରାମୂଳାର ଲୋକେ ଏହି ସମସ୍ୟାକୁ ଏକ ସୁଯୋଗ ରୂପେ ଗ୍ରହଣ କଲେ । ଏଠାରେ ବହୁତ ସଂଖ୍ୟାରେ ଲୋକେ ଡେୟରି କାମ ଆରମ୍ଭ କଲେ । ଏହି କାର୍ଯ୍ୟ ପାଇଁ ସବୁଠୁ ଆଗ ଏଠାକାର ମହିଳାମାନେ ବାହାରିଲେ । ସେମିତି ଜଣେ ଭଉଣୀ ହେଉଛନ୍ତି- ଇଶରତ୍‍ ନବୀ । ଇଶରତ୍‍ ଜଣେ ଗ୍ରାଜୁଏଟ୍‍ ଓ ସେ "ମିର୍‍ ସିଷ୍ଟର୍ସ ଡେୟରି ଫାର୍ମ” ଆରମ୍ଭ କରିଛନ୍ତି । ତାଙ୍କର ଡେୟରି ଫାର୍ମରେ ପ୍ରତିଦିନ ପ୍ରାୟ ଦେଢ଼ ଶହ ଲିଟର ଖିର ବିକ୍ରି ହେଉଛି । ସେହିପରି ସୋପାରର ଜଣେ ସାଥୀ ହେଉଛନ୍ତି ୱସିମ ଅନାୟତ । ୱସିମଙ୍କ ପାଖରେ ଦୁଇ ଡଜନରୁ ଅଧିକ ପଶୁ ଅଛନ୍ତି ଓ ସେ ପ୍ରତିଦିନ ଦୁଇ ଶହ ଲିଟରରୁ ଅଧିକ ଖିର ବିକ୍ରି କରୁଛନ୍ତି । ଆଉ ଜଣେ ଯୁବକ ଆବିଦ ହୁସୈନ ମଧ୍ୟ ଡେୟରି କାମ କରୁଛନ୍ତି । ତାଙ୍କ କାମ ମଧ୍ୟ ଖୁବ୍‍ ଆଗକୁ ବଢ଼ୁଛି । ଏପରି ଲୋକଙ୍କ ପରିଶ୍ରମ ଫଳରେ ଆଜି ବାରାମୂଳାରେ ପ୍ରତିଦିନ ସାଢେ ୫ ଲକ୍ଷ ଲିଟର ଖିର ଉତ୍ପାଦନ ହୋଇପାରୁଛି । ସମଗ୍ର ବାରାମୂଳା ଏକ ନୂଆ ଶ୍ୱେତବିପ୍ଳବର ପରିଚୟ ତିଆରି କରିବାରେ ଲାଗିଛି । ଗତ ଅଢ଼େଇ ତିନି ବର୍ଷରେ ଏଠାରେ ୫୦୦ ରୁ ଅଧିକ ଡେୟରି ୟୁନିଟ୍‍ ଗଢ଼ିଉଠିଛି । ବାରାମୂଳାର ଡେୟରି ଶିଳ୍ପ ଏହାର ସାକ୍ଷୀ ଯେ ଆମ ଦେଶର ପ୍ରତ୍ୟେକ ଅଞ୍ଚଳ କେତେ ସମ୍ଭାବନାରେ ଭରପୂର । କୌଣସି ଅଞ୍ଚଳର ଲୋକଙ୍କର ସାମୂହିକ ଇଚ୍ଛାଶକ୍ତି ଯେ କୌଣସି ଲକ୍ଷ୍ୟକୁ ହାସଲ କରି ଦେଖାଇପାରିବ ।

ମୋର ପ୍ରିୟ ଦେଶବାସୀଗଣ,

 ଏହି ମାସରେ କ୍ରୀଡ଼ାଜଗତରୁ ଭାରତ ପାଇଁ ଅନେକ ବଡ଼ ଖୁସି ଖବର ଆସିଛି । ଭାରତୀୟ ଦଳ ପ୍ରଥମ ଥର ପାଇଁ ମହିଳା କନିଷ୍ଠ ଏସିଆ କପ୍‍ ଜିତି ତ୍ରିରଙ୍ଗାର ସମ୍ମାନ ବଢ଼ାଇଛନ୍ତି । ଏହି ମାସରେ ଆମର ପୁରୁଷ ହକି ଦଳ ମଧ୍ୟ କନିଷ୍ଠ ଏସିଆ କପ୍‍ରେ ବିଜୟୀ ହୋଇଛି । ଏଥିସହ ଆମେ ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ ସବୁଠୁ ଅଧିକ ବିଜୟ ହାସଲ କରିଥିବା ଦଳ ପାଲଟିଯାଇଛୁ । ଜୁନିଅର୍‍ ଶୁଟିଂ ୱାର୍ଲଡକପ୍‍ରେ ମଧ୍ୟ ଆମର କନିଷ୍ଠ ଦଳ ଚମତ୍କାରିତା ଦେଖାଇଛନ୍ତି । ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ଥାନ ହାସଲ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଯେତିକି ସ୍ୱର୍ଣ୍ଣପଦକ ଥିଲା, ସେଥିରୁ ୨୦ ପ୍ରତିଶତ କେବଳ ଭାରତ ହାସଲ କରିଛି । ଏହି ଜୁନ୍‍ ମାସରେ ଏସିଆନ୍‍ ଅଣ୍ଡର୍‍ ଟ୍ୱେଣ୍ଟି ଆଥ୍‍ଲେଟିକ୍ସ ଚାମ୍ପିଅନ୍‍ସିପ୍‍ ମଧ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ଭାରତ, ପଦକ ତାଲିକାରେ, ୪୫ଟି ଦେଶ ମଧ୍ୟରେ ଶ୍ରେଷ୍ଠ ତିନିରେ ରହିଥିଲା ।

ବନ୍ଧୁଗଣ, 

ଦିନ ଥିଲା ଯେତେବେଳେ ଆମକୁ ଆର୍ନ୍ତଜାତିକ ପ୍ରତିଯୋଗିତା ସମ୍ପର୍କରେ ସୂଚନା ତ ମିଳୁଥିଲା, କିନ୍ତୁ ସେଥିରେ ପ୍ରାୟତଃ ଭାରତର ନାଁ ଦେଖିବାକୁ ମିଳୁନଥିଲା । କିନ୍ତୁ, ଆଜି, ମୁଁ କେବଳ ବିଗତ କେଇ ସପ୍ତାହର ସଫଳତାର କଥା ଯଦି କହେ, ତେବେ ବି ଏହାର ତାଲିକା ଦୀର୍ଘ ହୋଇଯିବ । ଏହା ଆମ ଯୁବପିିଢ଼ିର ପ୍ରକୃତ ଶକ୍ତି । ଏପରି ଅନେକ କ୍ରୀଡ଼ା ଓ ପ୍ରତିଯୋଗିତା ରହିଛି, ଯେଉଁଥିରେ ଭାରତ ପ୍ରଥମ ଥର ପାଇଁ ନିଜର ଉପସ୍ଥିତିକୁ ଦର୍ଶାଉଛି । ଯେପରିକି ଲଙ୍ଗ୍‍ ଜମ୍ପ୍‍ରେ ଶ୍ରୀ ଶଙ୍କର ମୂରଲୀ ପ୍ୟାରିସ୍‍ ଡାଏମଣ୍ଡ୍‍ ଲିଗ୍‍ ଭଳି ପ୍ରତିଷ୍ଠିତ ପ୍ରତିଯୋଗିତାରେ ଦେଶ ପାଇଁ କାଂସ୍ୟ ପଦକ ଆଣିଛନ୍ତି । ଏହା ଏହି ପ୍ରତିଯୋଗିତାରେ ଭାରତର ପ୍ରଥମ ପଦକ। ଏପରି ଏକ ସଫଳତା ଆମର ଅଣ୍ଡର୍‍ ସେଭେଣ୍ଟିନ୍‍ ୱିମେନ୍‍ ରେସ୍‍ଲିଂ ଟିମ୍‍ କିର୍ଗିସ୍ତାନରେ ହାସଲ କରିଛନ୍ତି । ମୁଁ ଦେଶର ଏହି ସମସ୍ତ କ୍ରୀଡ଼ାବିତ୍‍, ତାଙ୍କର ପିତାମାତା ଓ ପ୍ରଶିକ୍ଷକ, ସମସ୍ତଙ୍କୁ ସେମାନଙ୍କର ପ୍ରୟାସ ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ, 

ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶର ଏହି ସଫଳତା ପଛରେ ଜାତୀୟ ସ୍ତରରେ ଆମ ଖେଳାଳିମାନଙ୍କର କଠିନ ପରିଶ୍ରମ ରହିଥାଏ । ଆଜି ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଏକ ନୂଆ ଉତ୍ସାହର ସହିତ କ୍ରୀଡ଼ା ଆୟୋଜନ ହେଉଛି । ଏହାଦ୍ୱାରା ଖେଳାଳିମାନଙ୍କୁ ଖେଳିବା, ଜିତିବା ଓ ପରାଜୟରୁ ଶିଖିବାର ସୁଯୋଗ ମିଳୁଛି । ଯେପରିକି, ଏବେ ଉତ୍ତରପ୍ରଦେଶରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ ହୋଇଥିଲା । ଏଥିରେ ଯୁବକଯୁବତୀମାନଙ୍କ ମଧ୍ୟରେ ଖୁବ୍‍ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଏହି କ୍ରୀଡ଼ାରେ ଆମର ଯୁବକଯୁବତୀମାନେ ଏଗାରଟି ରେକର୍ଡ ଭଙ୍ଗ କଲେ । ଏହି କ୍ରୀଡ଼ାରେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ଅମୃତସରର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ଏବଂ କର୍ଣ୍ଣାଟକର ଜୈନ ବିଶ୍ୱବିଦ୍ୟାଳୟ, ପଦକ ତାଲିକାର ପ୍ରଥମ ତିନିଟି ସ୍ଥାନରେ ରହିଥିଲେ ।

ବନ୍ଧୁଗଣ, 

ଏପରି ଟୁର୍ଣ୍ଣାମେଣ୍ଟର ଆଉ ଗୋଟିଏ ବଡ଼ ଦିଗ ହେଉଛି ଏଥିରୁ ଯୁବ କ୍ରୀଡ଼ାବିତ୍‍ମାନଙ୍କର ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସେ । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ନୌଚାଳନା ପ୍ରତିଯୋଗିତାରେ ଆସାମର କଟନ୍‍ ବିଶ୍ୱବିଦ୍ୟାଳୟର ଅନ୍ୟତମ ରାଜକୁମାର ଏପରି ପ୍ରଥମ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‍, ଯିଏ ଏଥିରେ ଅଂଶଗ୍ରହଣ କରିଥିଲେ । ବର୍କତୁଲ୍ଲାହ ବିଶ୍ୱବିଦ୍ୟାଳୟର ନିଧି ପୱେୟା ଆଣ୍ଠୁରେ ଗୁରୁତର ଆହତ ହେବା ସତ୍ତ୍ୱେ ଶଟ୍‍ପୁଟ୍‍ରେ ସ୍ୱର୍ଣ୍ଣପଦକ ଜିତିବାରେ ସଫଳ ହୋଇଥିଲେ । ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟର ଶୁଭମ୍‍ ଭଣ୍ଡାରେ ଗୋଡ଼ରେ ଆଘାତପ୍ରାପ୍ତ ହେବାରୁ ଗତବର୍ଷ ବେଙ୍ଗଲୁରୁରେ ନିରାଶ ହୋଇଥିଲେ, କିନ୍ତୁ ଏଥର ସେ ଷ୍ଟିପଲ୍‍ଚେଜ୍‍ରେ ସ୍ୱର୍ଣ୍ଣପଦକଧାରୀ ହୋଇଛନ୍ତି । ବର୍ଦ୍ଦୱାନ ବିଶ୍ୱବିଦ୍ୟାଳୟର ସରସ୍ୱତୀ କୁଣ୍ଡୁ ନିଜ କବାଡ଼ି ଦଳର ଅଧିନାୟିକା । ସେ ଅନେକ ସମସ୍ୟାକୁ ଅତିକ୍ରମ କରି ଏହି ସ୍ଥାନରେ ପହଞ୍ଚିଛନ୍ତି । ଉତ୍ତମ ପ୍ରଦର୍ଶନ କରୁଥିବା ବହୁତ ଆଥ୍‍ଲେଟ୍‍ଙ୍କୁ ଟପ୍‍ସ ଯୋଜନାରେ ମଧ୍ୟ ବହୁତ ସହାୟତା ମିଳୁଛି । ଆମର ଖେଳାଳିମାନେ ଯେତିକି ଖେଳିବେ, ସେତିକି ପ୍ରସ୍ଫୁଟିତ ହେବେ ।

ମୋର ପ୍ରିୟ ଦେଶବାସୀଗଣ, 

ଏବେ ୨୧ ଜୁନ୍ ବି ଆସିଯାଉଛି । ଏଥର ମଧ୍ୟ ବିଶ୍ୱର କୋଣ ଅନୁକୋଣରେ ଲୋକମାନେ ଆନ୍ତର୍ଜାତୀୟ ଯୋଗ ଦିବସକୁ ଉତ୍ସୁକତାର ସହିତ ଚାହିଁବସିଛନ୍ତି । ଏ ବର୍ଷ ଯୋଗଦିବସର ବିଷୟବସ୍ତୁ ହେଲା – – Yoga for Vasudhaiba Kutumbakam ଅର୍ଥାତ୍ ‘ଏକ ବିଶ୍ୱ-ଏକ ପରିବାର’ ଭାବରେ ସମସ୍ତଙ୍କର ମଙ୍ଗଳ ପାଇଁ ଯୋଗ । ଏହା ଯୋଗର ସେହି ଭାବନାକୁ ବ୍ୟକ୍ତକରେ ଯାହା ସମସ୍ତଙ୍କ ସହିତ ଯୁକ୍ତ ହୋଇ ସମସ୍ତଙ୍କୁ ସାଥିରେ ନେଇ ଆଗେଇଯିବାର ପ୍ରେରଣା ଦିଏ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଦେଶର କୋଣ ଅନୁକୋଣରେ ଯୋଗଦିବସ ସମ୍ବନ୍ଧିତ କାର୍ଯ୍ୟକ୍ରମମାନ ଆୟୋଜିତ ହେବ ।

ବନ୍ଧୁଗଣ, 

ଏ ବର୍ଷ ମୋତେ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ହେଉଥିବା ଯୋଗଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ମୁଁ ଦେଖୁଛି, ସାମାଜିକ ଗଣମାଧ୍ୟମରେ ମଧ୍ୟ ଯୋଗଦିବସକୁ ନେଇ ଗୋଟିଏ ଅଦ୍ଭୁତ ଉତ୍ସାହ ଭରି ରହିଛି ।

ବନ୍ଧୁଗଣ,

 ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣ ନିଜ ଜୀବନରେ ଯୋଗକୁ ଆପଣେଇ ନିଅନ୍ତୁ, ଏହାକୁ ନିଜ ଦିନଚର୍ଯ୍ୟାର ଅଙ୍ଗ ହିସାବରେ ମାନି ନିଅନ୍ତୁ । ଯଦି ଏବେ ବି ଆପଣମାନେ ଯୋଗ ସହ ଯୁକ୍ତ ହୋଇନାହାନ୍ତି ତେବେ ଆସନ୍ତା ଜୁନ୍ ୨୧ ତାରିଖ ହେଉଛି ଆପଣଙ୍କ ପାଇଁ ଗୋଟିଏ ଉତ୍ତମ ସୁଯୋଗ । ଯୋଗ ପାଇଁ ତ ସେମିତି କିଛି ଜାକଯମକର ଆବଶ୍ୟକତା ନାହିଁ । ଦେଖନ୍ତୁ ଯେତେବେଳେ ଆପଣମାନେ ଯୋଗ ସହ ଯୋଡ଼ିହେବେ ସେତେବେଳେ ଆପଣଙ୍କ ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ଆସିବ ।

ମୋର ପ୍ରିୟ ଦେଶବାସୀଗଣ,

 ପରଦିନ ଅର୍ଥାତ୍ ଜୁନ୍ ୨୦ ତାରିଖ ଐତିହାସିକ ରଥଯାତ୍ରାର ଦିନ । ସାରା ସଂସାରରେ ରଥଯାତ୍ରାର ଏକ ବିଶିଷ୍ଟ ପରିଚୟ ରହିଛି । ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବହୁତ ଯାକଜକମରେ ରଥଯାତ୍ରା ଆୟୋଜିତ ହୁଏ । ଓଡ଼ିଶାର ପୁରୀରେ ଆୟୋଜିତ ରଥଯାତ୍ରା ସ୍ୱୟଂ ଏକ ଅଦ୍ଭୁତ ମହୋତ୍ସବ । ମୁଁ ଯେତେବେଳେ ଗୁଜରାଟରେ ଥିଲି, ସେତେବେଳେ ମୋତେ ଅହମ୍ମଦାବାଦରେ ହେଉଥିବା ବିଶାଳ ରଥଯାତ୍ରାରେ ଯୋଗଦେବାର ସୁଯୋଗ ମିଳୁଥିଲା । ଏହି ରଥଯାତ୍ରାଗୁଡ଼ିକରେ ଦେଶର ପ୍ରତ୍ୟେକ ବର୍ଗର ଲୋକ, ପ୍ରତ୍ୟେକ ସମାଜର ଲୋକମାନେ ଯେଭଳି ଉତ୍ସାହର ସହିତ ଭାଗ ନିଅନ୍ତି ତାହା ସ୍ୱତଃ ଅନୁକରଣୀୟ । ଆମର ଆସ୍ଥା ସହିତ ଏହା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ମଧ୍ୟ ଏକ ପ୍ରତିବିମ୍ବ । ଏହି ପବିତ୍ର, ପୁଣ୍ୟ ଅବସରରେ ଆପଣମାନଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭକାମନା ଜଣାଉଛି । ଭଗବାନ ଜଗନ୍ନାଥ ସମସ୍ତ ଦେଶବାସୀମାନଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ଓ ସୁଖସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ । ଏହାହିଁ ମୋର କାମନା ।

ବନ୍ଧୁଗଣ, 

ଭାରତୀୟ ପରମ୍ପରା ଏବଂ ସଂସ୍କୃତି ସହିତ ବିଜଡ଼ିତ ଉତ୍ସବ ବିଷୟରେ ଚର୍ଚ୍ଚା ସଙ୍ଗେ ସଙ୍ଗେ ମୁଁ ଭାରତୀୟ ରାଜଭବନଗୁଡ଼ିକରେ ଆୟୋଜିତ ହେଉଥିବା ମନଛୁଆଁ ଉତ୍ସବଗୁଡ଼ିକ ବିଷୟରେ ନିଶ୍ଚୟ ଆଲୋଚନା କରିବି । ଏବେ ଦେଶରେ ରାଜଭବନଗୁଡ଼ିକ ସାମାଜିକ ଏବଂ ବିକାଶ କାର୍ଯ୍ୟଗୁଡ଼ିକ ସହିତ ପରିଚିତ ହେବାକୁ ଲାଗିଲେଣି। ଆଜି ଆମର ରାଜଭବନଗୁଡ଼ିକ ଟି.ବି.ମୁକ୍ତ ଭାରତ ଅଭିଯାନ, ପ୍ରାକୃତିକ କୃଷି ସହିତ ଜଡ଼ିତ ଅଭିଯାନ ଆଦିର ଧ୍ୱଜାବାହକ ହେବାକୁ ଲାଗିଲେଣି । ଏହି କିଛିଦିନ ପୂର୍ବେ ଗୁଜରାଟ ହେଉ, ଗୋଆ ହେଉ, ତେଲେଙ୍ଗାନା, ମହାରାଷ୍ଟ୍ର ବା ସିକ୍କିମ ହେଉ, ଏହି ରାଜ୍ୟମାନଙ୍କର ସ୍ଥାପନା ଦିବସକୁ ଭିନ୍ନ ଭିନ୍ନ ରାଜଭବନମାନଙ୍କରେ ଯେଭଳି ଉତ୍ସାହର ସହିତ ପାଳନ କରାଗଲା ତାହା ସ୍ୱୟଂ ଗୋଟିଏ ଗୋଟିଏ ଉଦାହରଣ । ଏହା ଏକ ଉତ୍ତମ ପ୍ରଚେଷ୍ଟା ଯାହା “ଏକ ଭାରତ-ଶ୍ରେଷ୍ଠ ଭାରତ”ର ଭାବନାକୁ ସଶକ୍ତ କରେ ।

ବନ୍ଧୁଗଣ, 

ଭାରତ ହେଉଛି ଗଣତନ୍ତ୍ରର ଜନନୀ Mother of Democracy। ଆମେ ଆମର ଗଣତାନ୍ତ୍ରିକ ଆଦର୍ଶକୁ ସର୍ବୋପରି ମାନିଥାଉ, ସମ୍ବିଧାନକୁ ସର୍ବୋପରି ମାନୁ, ତେଣୁ ଜୁନ୍ ୨୫ ତାରିଖକୁ ଆମେ କେବେ ବି ଭୁଲିପାରିବୁନି । ଏ ହେଉଛି ସେହିଦିନ ଯେଉଁଦିନ ଆମ ଦେଶ ଉପରେ Emergency ଲଦି ଦିଆଯାଇଥିଲା। ତାହା ଭାରତ ଇତିହାସର ଏକ କଳା ଅଧ୍ୟାୟ ଥିଲା । ଲକ୍ଷ ଲକ୍ଷ ଲୋକ ଦୃଢ଼ ଭାବରେ Emergencyକୁ ବିରୋଧ କରିଥିଲେ । ଗଣତନ୍ତ୍ରର ସମର୍ଥକମାନଙ୍କ ଉପରେ ସେ ସମୟରେ ଏତେ ଅତ୍ୟାଚାର କରାଯାଇଥିଲା, ଏତେ ଯାତନା ଦିଆଯାଇଥିଲା ଯେଉଁ ବିଷୟରେ ଭାବିଲେ ଆଜି ବି ଦେହ ଶୀତେଇଉଠେ । ଏହି ଅତ୍ୟାଚାର ବିଷୟରେ, ପୁଲିସ୍ ଓ ପ୍ରଶାସନ ଦ୍ୱାରା ଦିଆଯାଇଥିବା ଦଣ୍ଡ ବିଷୟରେ ଅନେକଗୁଡ଼ିଏ ପୁସ୍ତକ ରଚନା କରାଯାଇଛି । “ସଂଘର୍ଷ ମେଁ ଗୁଜରାତ” ନାମକ ଏକ ପୁସ୍ତକ ଲେଖିବାର ସୁଯୋଗ ମୋତେ ବି ସେତେବେଳେ ମିଳିଥିଲା । ଏଇ କିଛିଦିନ ପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ଉପରେ ଲେଖାହୋଇଥିବା ଗୋଟିଏ ବହି ମୁଁ ଦେଖିବାକୁ ପାଇଲି ଯାହାର ଶୀର୍ଷକ ହେଲା – Torture of Political Prisoners in India. Emergency ସମୟରେ ଛପାହୋଇଥିବା ଏହି ପୁସ୍ତକରେ ତତ୍କାଳୀନ ସରକାର ଗଣତନ୍ତ୍ରର ରକ୍ଷକମାନଙ୍କ ଉପରେ କରିଥିବା କ୍ରୂରତମ ବ୍ୟବହାର ସମ୍ପର୍କରେ ଉଲ୍ଲେଖ ଅଛି । ଏହି ପୁସ୍ତକରେ ଅନେକଗୁଡ଼ିଏ Case Study ରହିଛି, ବହୁତଗୁଡ଼ିଏ ଚିତ୍ର ମଧ୍ୟ ଅଙ୍କିତ ହୋଇଛି । ମୁଁ ଚାହେଁ ଯେ ଆଜି ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ସେତେବେଳେ ଦେଶର ସ୍ୱାଧୀନତାକୁ ବିପଦରେ ପକାଇଥିବା ଏହି ଅପରାଧ ବିଷୟରେ ମଧ୍ୟ ଜାଣିବା ଉଚିତ । ଯାହାଦ୍ୱାରା ଆଜିର ଯୁବପିଢ଼ୀ ପାଇଁ ଗଣତନ୍ତ୍ରର ଅର୍ଥ ଓ ତା’ର ବିଶେଷତ୍ୱକୁ ଜାଣିବା ଆହୁରି ସହଜ ହେବ ।

ମୋର ପ୍ରିୟ ଦେଶବାସୀଗଣ,

 ‘ମନ୍ କି ବାତ୍‌’ ରଙ୍ଗବେରଙ୍ଗ ମୋତିମାନଙ୍କ ଦ୍ୱାରା ସଜାହୋଇଥିବା ଗୋଟିଏ ସୁନ୍ଦର ମାଳ ଯାହାର ପ୍ରତ୍ୟେକଟି ମୋତି ସ୍ୱୟଂ ସ୍ୱତନ୍ତ୍ର ଏବଂ ଅମୂଲ୍ୟ । ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ଅଧ୍ୟାୟ ବହୁତ ଜୀବନ୍ତ ହୋଇପାରିଛି । ଆମ ମଧ୍ୟରେ ସାମୂହିକ ଭାବନା ସଙ୍ଗେ ସଙ୍ଗେ ସମାଜ ପ୍ରତି କର୍ତ୍ତବ୍ୟଭାବ ଏବଂ ସେବାଭାବ ଜାଗ୍ରତ କରେ । ଏଠାରେ ସେହି ବିଷୟଗୁଡ଼ିକ ଉପରେ ଖୋଲାଖୋଲି ଆଲୋଚନା ହୁଏ ଯେଉଁଗୁଡ଼ିକ ବିଷୟରେ ଆମକୁ ସାଧାରଣତଃ କମ୍ ପଢ଼ିବା ଶୁଣିବାକୁ ମିଳେ । ଆମେ ପ୍ରାୟ ଦେଖିଛେ ‘ମନ୍ କି ବାତ୍‌’ରେ କୌଣସି ଏକ ବିଷୟରେ ଆଲୋଚନା ହେବାପରେ ଅନେକ ଦେଶବାସୀଙ୍କୁ ନୂତନ ପ୍ରେରଣା ମିଳିଥାଏ । ଏଇ ଅଳ୍ପଦିନ ତଳେ ମୋତେ ଦେଶର ପ୍ରସିଦ୍ଧ ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଆନନ୍ଦାଶଙ୍କର ଜୟନ୍ତଙ୍କର ଗୋଟିଏ ଚିଠି ମିଳିଲା । ନିଜ ପତ୍ରରେ ସେ ‘ମନ୍ କି ବାତ୍‌’ର ସେହି ଅଧ୍ୟାୟ ବିଷୟରେ ଲେଖିଛନ୍ତି ଯେଉଁଥିରେ ଆମେ Story telling ବିଷୟରେ ଚର୍ଚ୍ଚା କରିଥିଲେ । ସେହି କାର୍ଯ୍ୟକ୍ରମରେ ଆମେ ଏହି କ୍ଷେତ୍ର ସହ ଜଡ଼ିତ ଲୋକମାନଙ୍କର ପ୍ରତିଭାକୁ ଚିହ୍ନି ସ୍ୱୀକାର କରିଥିଲେ । ‘ମନ୍ କି ବାତ୍‌’ର ସେହି କାର୍ଯ୍ୟକ୍ରମ ଦ୍ୱାରା ପ୍ରେରିତ ହୋଇ ଆନନ୍ଦାଶଙ୍କର ଜୟନ୍ତ ‘କୁଟ୍ଟୀ କାହାନୀ’ ପ୍ରସ୍ତୁତ କରିଛନ୍ତି । ଏହା ପିଲାମାନଙ୍କ ପାଇଁ ଭିନ୍ନ ଭିନ୍ନ ଭାଷାର କାହାଣୀମାନଙ୍କର ଏକ ଉତ୍ତମ ସଂଗ୍ରହ । ଏହି ପ୍ରୟାସ ଏଥିପାଇଁ ମଧ୍ୟ ଉତ୍ତମ ଯେ, ଏହାଦ୍ୱାରା ଆମର ପିଲାମାନଙ୍କର ନିଜ ସଂସ୍କୃତି ପ୍ରତି ଆକର୍ଷଣ ଆହୁରି ଗଭୀର ହୋଇଥାଏ । ସେ ଏହି କାହାଣୀଗୁଡ଼ିକର କିଛି ଉତ୍ସାହଜନକ ଭିଡ଼ିଓ ନିଜର ୟୁ ଟ୍ୟୁବ ଚ୍ୟାନେଲ ରେ ମଧ୍ୟ ଅପଲୋଡ଼ କରିଛନ୍ତି । ମୁଁ ଆନନ୍ଦାଶଙ୍କର ଜୟନ୍ତଙ୍କର ଏହି ପ୍ରଚେଷ୍ଟା ବିଷୟରେ ଏଥିପାଇଁ ବିଶେଷଭାବେ ଆଲୋଚନା କଲି ଯେ ଏହାଦେଖି ମତେ ବହୁତ ଭଲ ଲାଗିଲା । କିଭଳି ଭାବରେ ଦେଶବାସୀଙ୍କର ଭଲକାମ ଅନ୍ୟକୁ ମଧ୍ୟ ପ୍ରେରିତ କରୁଛି । ଏଥିରୁ ଶିକ୍ଷାଲାଭ କରି ସେ ମଧ୍ୟ ନିଜର କଳାକୌଶଳ ଦ୍ୱାରା ଦେଶ ଏବଂ ସମାଜ ପାଇଁ କିଛି ଭଲ କରିବାର ଚେଷ୍ଟା କରନ୍ତି । ଏହାହିଁ ତ ଆମ ଭାରତବାସୀମାନଙ୍କର ସାମୂହିକ ଶକ୍ତି, ଯାହା ଦେଶର ପ୍ରଗତି ପାଇଁ ନୂତନ ଶକ୍ତି ଯୋଗାଇଥାଏ ।

 

ମୋର ପ୍ରିୟ ଦେଶବାସୀଗଣ, 

ଏଥର ‘ମନ୍ କି ବାତ୍‌’ରେ ମୋ ସହିତ ଏତିକି, ଆସନ୍ତାଥର ନୂତନ ବିଷୟ ନେଇ ଆପଣଙ୍କ ସହ ପୁଣି ସାକ୍ଷାତ ହେବ । ବର୍ଷା ସମୟ, ତେଣୁ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ସନ୍ତୁଳିତ ଭୋଜନ କରନ୍ତୁ ଏବଂ ସୁସ୍ଥ ରହନ୍ତୁ । ହଁ, ଯୋଗ ନିଶ୍ଚୟ କରନ୍ତୁ । ଏବେ ସ୍କୁଲଗୁଡ଼ିକରେ ଗ୍ରୀଷ୍ମଛୁଟି ମଧ୍ୟ ସମାପ୍ତ ହେବାକୁ ଯାଉଛି । ମୁଁ ପିଲାମାନଙ୍କୁ କହିବି ଯେ Homework last ଦିନ ପର୍ଯ୍ୟନ୍ତ pending ରଖନ୍ତୁ ନାହିଁ । କାମ ଶେଷ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ । ବହୁତ ବହୁତ ଧନ୍ୟବାଦ । 

 

 

 

 

 

 

 

 

 

 

 

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
India on track to become $10 trillion economy, set for 3rd largest slot: WEF President Borge Brende

Media Coverage

India on track to become $10 trillion economy, set for 3rd largest slot: WEF President Borge Brende
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 23, 2024
February 23, 2024

Vikas Bhi, Virasat Bhi - Era of Development and Progress under leadership of PM Modi