75 episodes of Mann Ki Baat: PM Modi thanks people for making the programme a success
Last year around this time, people made Janata Curfew a success: PM Modi Through efforts like clapping, beating thalis and lighting lamps, people encouraged the Corona Warriors: PM Modi
It is a matter of pride that the world's largest vaccination drive is being carried out in India: PM Modi
From education to entrepreneurship, Armed Forces to Science & Technology, the daughters of our country are leading in every sphere: PM Modi
71 Light Houses have been identified in India to promote tourism: PM Modi
Modernisation in India's agriculture sector is need of the hour: PM Modi
Urge farmers to practice bee-farming: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର!

ଏଥର ଯେତେବେଳେ ମୁଁ ‘ମନ୍ କି ବାତ୍‌’ ପାଇଁ ଆସୁଥିବା ଚିଠି, ମତାମତ, ଇନ୍‌ପୁଟ୍ସ ଯାହାସବୁ ଆସିଥାଏ ସେସବୁ ଉପରେ ଦୃଷ୍ଟିନିକ୍ଷେପ କରୁଥିଲି, ଦେଖିଲି, ଅନେକ ଲୋକ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମନେ ପକାଇଛନ୍ତି । My Govରେ ବେଙ୍ଗାଲୁରୁରୁ ଆରିୟନ ଶ୍ରୀ-ଅନୁପ ରାଓ, ନୋଏଡାରୁ ଦେବେଶ, ଠାଣେରୁ ସୁଜିତ – ଏମାନେ ସମସ୍ତେ କହିଛନ୍ତି ଯେ, ମୋଦି ଜୀ ଏହା ହେଉଛି ‘ମନ କି ବାତ୍‌’ର ୭୫ତମ ଅଧ୍ୟାୟ, ଏଥିପାଇଁ ଆପଣଙ୍କୁ ଅଭିନନ୍ଦନ । ମୁଁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି କାରଣ, ଆପଣ ଏତେ ମନ ଦେଇ ‘ମନ୍ କି ବାତ୍‌’କୁ follow କରିଆସିଛନ୍ତି ଏବଂ ଏହା ସହିତ ଯୋଡ଼ିହୋଇ ରହିଛନ୍ତି । ଏହା ମୋ ପାଇଁ ଖୁବ୍ ଗୌରବର କଥା ଓ ଆନନ୍ଦର କଥା । ମୋ ତରଫରୁ ଆପଣମାନଙ୍କୁ ତ ଧନ୍ୟବାଦ ଜଣାଉଛି, ତା’ସହିତ ‘ମନ୍ କି ବାତ୍‌’ର ସମସ୍ତ ଶ୍ରୋତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି, କାରଣ ଆପଣମାନଙ୍କ ସାହଚର୍ଯ୍ୟ ବିନା ଏ ଯାତ୍ରା କଦାପି ସମ୍ଭବ ନ ଥିଲା । ଲାଗୁଛି, ସତେ ଯେମିତି ଏହା କାଲିର କଥା, ଯେତେବେଳେ ଆମେ ସମସ୍ତେ ଏକାଠି ମିଶି ଏହି ବୈଚାରିକ ଯାତ୍ରା ଆରମ୍ଭ କରିଥିଲୁ । ସେଦିନ ଥିଲା ୨୦୧୪, ଅକ୍ଟୋବର ୩ ତାରିଖ ବିଜୟାଦଶମୀର ପବିତ୍ର ପର୍ବ ଏବଂ ଯୋଗକୁ ଆଜି ହୋଲିକା ଦହନ (ଦୋଳ ପୂର୍ଣ୍ଣିମା) । “ଏକ ଦୀପେ ଜଳୁ ଆଉ ଏକ, ଆଲୋକିତ ହେଉ ଦେଶଯାକ” - ଏହି ଚିନ୍ତାଧାରାରେ ପରିଚାଳିତ ହୋଇ ଆମେ ଏତେ ବାଟ ଆସିଛୁ । ଆମେ ଦେଶର କୋଣ-ଅନୁକୋଣରେ ଥିବା ଲୋକଙ୍କ ସହିତ କଥା ହେଲୁ ଏବଂ ସେମାନଙ୍କ ଅସାଧାରଣ କାର୍ଯ୍ୟ ସମ୍ପର୍କରେ ଅବଗତ ହେଲୁ । ଆପଣମାନେ ମଧ୍ୟ ଅନୁଭବ କରିଥିବେ ଯେ, ଆମ ଦେଶର ସୁଦୂର କୋଣ-ଅନୁକୋଣରେ ବି, କିଭଳି ଅଭୂତପୂର୍ବ କ୍ଷମତା ଭରିରହିଛି । ଭାରତମାତାର କୋଳରେ କିଭଳି ରତ୍ନମାନ ରହିଛନ୍ତି । ଏହା ସ୍ୱୟଂ ଗୋଟିଏ ସମାଜକୁ ଦେଖିବାର, ସମାଜକୁ ଜାଣିବାର, ସମାଜର ସାମର୍ଥ୍ୟକୁ ଚିହ୍ନିବାର ବିଶେଷ କରି ମୋ ପାଇଁ ଗୋଟିଏ ଅଦ୍ଭୁତ ଅନୁଭୂତି ଥିଲା । ଏହି ୭୫ଟି ଅଧ୍ୟାୟ ସମୟରେ କେତେ ଯେ ବିଷୟ ଦେଇ ଗତି କରିବାକୁ ହେଲା । କେତେବେଳେ ନଦୀର କଥା ତ କେତେବେଳେ ହିମାଳୟର ଶିଖରର କଥା, କେତେବେଳେ ମରୁଭୂମିର କଥା ତ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟର କଥା, କେତେବେଳେ ମାନବ ସେବାର ଅଗଣିତ କାହାଣୀର ଅନୁଭୂତି ତ ଆଉ କେତେବେଳେ ଟେକ୍ନୋଲୋଜିର ଆବିଷ୍କାର, ପୁଣି କେତେବେଳେ କୌଣସି ଅଜଣା ଇଲାକାରେ କିଛି ନୂଆ କରି ଦେଖାଇଥିବା ବ୍ୟକ୍ତିର ଅନୁଭବର କଥା । ଆପଣ ନିଜେ ଦେଖନ୍ତୁ, ସ୍ୱଚ୍ଛତା କଥା ହେଉ କିମ୍ବା ଆମ ଐତିହ୍ୟର ସୁରକ୍ଷା କଥା ହେଉ ଅବା ଖେଳନା ତିଆରି କରିବା କଥା ହେଉ, କ’ଣ କ’ଣ ନ ଥିଲା? ହୁଏତ ଏତେ ବିଷୟକୁ ଆମେ ଛୁଇଁଛୁ ଯାହାର ସଂଖ୍ୟା ଅଗଣନ । ଇତିମଧ୍ୟରେ ସମୟ ସମୟରେ ଆମେ ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛୁ, ସେମାନଙ୍କ ବିଷୟରେ ଜ୍ଞାନ ଆହରଣ କରିଛୁ, ଯେଉଁମାନେ କି ଭାରତ ନିର୍ମାଣରେ ସେମାନଙ୍କର ଅତୁଳନୀୟ ଅବଦାନ ରଖିଯାଇଛନ୍ତି । ଆମେ ଅନେକ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛୁ, ସେଥିରୁ ପ୍ରେରଣା ଗ୍ରହଣ କରିବାକୁ ଚେଷ୍ଟା କରିଛୁ । ଆପଣମାନେ ଅନେକ କଥା ମୋତେ କହିଛନ୍ତି, ଅନେକ ଆଇଡିଆ ଦେଇଛନ୍ତି । ଏହି ବିଚାରଯାତ୍ରାରେ ଆପଣ ଏକ ପ୍ରକାର ସହଯାତ୍ରୀ ପାଲଟିଛନ୍ତି, ଏହାସହ ଯୋଡ଼ିହୋଇ ରହି କିଛି ନା କିଛି ନୂଆ ପ୍ରସ୍ତାବ ବି ଦେଇଛନ୍ତି । ମୁଁ ଆଜି ଏହି ୭୫ତମ ଅଧ୍ୟାୟ ସମୟରେ ସର୍ବପ୍ରଥମେ, ‘ମନ୍ କି ବାତ୍‌’କୁ ସାଫଲ୍ୟମଣ୍ଡିତ କରିବା ପାଇଁ, ସମୃଦ୍ଧ କରିବା ପାଇଁ ଏବଂ ଏହାସହିତ ଯୋଡ଼ି ହୋଇ ରହିଥିବା ଯୋଗୁଁ ପ୍ରତ୍ୟେକ ଶ୍ରୋତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି ।

ମୋର ପ୍ରିୟ ଦେଶବାସୀଗଣ,

ଦେଖନ୍ତୁ, ଏହା କେତେ ବଡ଼ ଏବଂ ସୁଖଦ ସଂଯୋଗ ଯେ, ଆଜି ମୋତେ ‘ମନ୍ କି ବାତ୍‌’ର ୭୫ତମ ଅଧ୍ୟାୟରେ ମନକଥା କହିବାର ସୁଯୋଗ ମିଳିଛି ଏବଂ ଏହି ମାସ ପୁଣି ଭାରତର ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୁର୍ତି ଉପଲକ୍ଷେ ଆୟୋଜିତ ହେଉଥବା ‘ଅମୃତ ମହୋତ୍ସବ’ ଆରମ୍ଭର ମାସ । ‘ଅମୃତ ମହୋତ୍ସବ’ ଦାଣ୍ଡିଯାତ୍ରା ଦିନଠାରୁ ଆରମ୍ଭ ହୋଇଛି ଏବଂ ଏହା ଅଗଷ୍ଟ ୧୫, ୨୦୨୩ ପର୍ଯ୍ୟନ୍ତ ଚାଲିବ । ‘ଅମୃତ ମହୋତ୍ସବ’ ସଂଲଗ୍ନ କାର୍ଯ୍ୟକ୍ରମ ସାରା ଦେଶରେ ଅନବରତ ଭାବେ ଆୟୋଜିତ ହେଉଛି । ବିଭିନ୍ନ ସ୍ଥାନରୁ ଏହି କାର୍ଯ୍ୟକ୍ରମର ଫଟୋଚିତ୍ର, ସୂଚନା ଆଦି ଲୋକେ ଶେୟାର କରୁଛନ୍ତି । ନମୋ ଆପ୍‌ରେ ଏଭଳି କିଛି ଫଟୋ ସହିତ ଝାଡ଼ଖଣ୍ଡର ନବୀନ ମୋତେ ଗୋଟିଏ ବାର୍ତା ପଠେଇଛନ୍ତି । ସେ ଲେଖିଛନ୍ତି ଯେ, ସେ ‘ଅମୃତ ମହୋତ୍ସବ’ର କାର୍ଯ୍ୟକ୍ରମ ଦେଖିଲେ ଏବଂ ସ୍ଥିର କଲେ ଯେ, ସେ ମଧ୍ୟ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଅତି କମ୍‌ରେ ଦଶଟି ଜାଗାକୁ ଯିବେ । ତାଙ୍କ ତାଲିକାରେ ପ୍ରଥମ ନାମ ହେଉଛି ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ । ନବୀନ ଲେଖିଛନ୍ତି ଯେ, ଝାଡ଼ଖଣ୍ଡର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ କାହାଣୀଗୁଡ଼ିକୁ ସେ ଦେଶର ଅନ୍ୟ ଅଞ୍ଚଳରେ ପହଞ୍ଚାଇବେ । ଭାଇ ନବୀନ, ଆପଣଙ୍କ ଏହି ଚିନ୍ତାଧାରା ପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

କୌଣସି ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ ହେଉ, କୌଣସି ସ୍ଥାନର ଇତିହାସ ହେଉ, ଦେଶର କୌଣସି ସାଂସ୍କୃତିକ କାହାଣୀ ହେଉ, ‘ଅମୃତ ମହୋତ୍ସବ’ ସମୟରେ ଆପଣ ଏହାକୁ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିପାରନ୍ତି । ଦେଶବାସୀଙ୍କୁ ତା’ ସହିତ ଯୋଡ଼ିବାର ମାଧ୍ୟମ ହୋଇପାରନ୍ତି । ଆପଣ ଲକ୍ଷ୍ୟ କରିବେ, ଦେଖୁ ଦେଖୁ ଅମୃତ ମହୋତ୍ସବ ଏଭଳି ଅନେକ ପ୍ରେରଣାଦାୟୀ ଅମୃତ ବିନ୍ଦୁରେ ଭରିଯିବ । ପରେ ଏଭଳି ଏକ ଅମୃତଧାରା ପ୍ରବାହିତ ହେବ, ଯାହା ଆମକୁ ଭାରତର ସ୍ୱାଧୀନତା ପ୍ରାପ୍ତିର ଏକ ଶତ ବର୍ଷ ଯାଏ ପ୍ରେରଣା ଯୋଗାଇବ । ଦେଶକୁ ଉନ୍ନତିର ନୂତନ ଶିଖରକୁ ନେଇଯିବ, କିଛି ନା କିଛି କରିବାର ଉତ୍ସାହ ସୃଷ୍ଟି କରିବ । ସ୍ୱାଧୀନତା ସଂଗ୍ରାମରେ ଆମ ସଂଗ୍ରାମୀମାନେ ଏତେ କଷ୍ଟ ଏଥିପାଇଁ ସହିଲେ କାରଣ, ସେମାନେ ଦେଶ ପାଇଁ ତ୍ୟାଗ ଏବଂ ବଳିଦାନକୁ ନିଜ କର୍ତବ୍ୟ ମନେ କରୁଥିଲେ । ସେମାନଙ୍କ ତ୍ୟାଗ ଓ ବଳିଦାନର ଅମର କାହାଣୀମାନ ଆମକୁ ନିରନ୍ତର ଭାବେ କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା ଯୋଗାଉ । ଯେମିତି ଭଗବାନ କୃଷ୍ଣ ଗୀତାରେ କହିଛନ୍ତି –

ନିୟତଂ କୁରୁ କର୍ମ ତ୍ୱଂ କର୍ମ ଜ୍ୟାୟୋ ହ୍ୟକର୍ମଣଃ

ଏହି ଭାବ ବହନ କରି, ଆମେ ସମସ୍ତେ, ଆମର କର୍ତବ୍ୟକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରିବା । ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅର୍ଥ ହେଉଛି ଆମେ କିଛି ନୂଆ ସଂକଳ୍ପ ନେବା । ସେହି ସଂକଳ୍ପକୁ ସାକାର କରିବା ପାଇଁ ମନ-ପ୍ରାଣ ଦେଇ ଲାଗି ପଡ଼ିବା । ଆଉ ସେ ସଂକଳ୍ପ ହେଉ ସମାଜ କଲ୍ୟାଣର, ଦେଶ ହିତର ଅବା ଭାରତର ଉଜ୍ଜ୍ୱଳ ଭବିଷ୍ୟତର । ସେହି ସଂକଳ୍ପରେ ମୋ ନିଜର କିଛି ନା କିଛି ଦାୟିତ୍ୱ ରହୁ, ମୋର କିଛି କର୍ତ୍ତବ୍ୟ ଯୋଡ଼ିହୋଇ ରହୁ । ଭଗବତ୍ ଗୀତାକୁ ଅନୁସରଣ କରି ଜୀଇଁବାର ଏହି ସୁବର୍ଣ୍ଣ ସୁଯୋଗ ଆମ ପାଖରେ ରହିଛି, ବୋଲି ମୋର ବିଶ୍ୱାସ ।

 

ମୋର ପ୍ରିୟ ଦେଶବାସୀଗଣ,

ଗତବର୍ଷ ଏହି ମାର୍ଚ୍ଚ ମାସରେ ଦେଶବାସୀ ପ୍ରଥମ ଥର ପାଇଁ ଜନତା କର୍ଫ୍ୟୁ ଶବ୍ଦଟି ଶୁଣିଥିଲେ । ହେଲେ, ଏହି ମହାନ ଦେଶର ମହାନ ଜନତାଙ୍କ ମହାଶକ୍ତିର ଅନୁଭବକୁ ଦେଖନ୍ତୁ, ଯାହା ସମଗ୍ର ବିଶ୍ୱ ପାଇଁ ଏକ ବିସ୍ମୟ ପାଲଟିଯାଇଥିଲା । ଅନୁଶାସନର ଏହା ଏକ ଅଭୂତପୂର୍ବ ଉଦାହରଣ ଥିଲା । ଆଗାମୀ ପିଢ଼ିମାନେ ଏହି କଥାକୁ ନେଇ ନିଶ୍ଚିତ ଗର୍ବ ଅନୁଭବ କରିବେ । ସେହିଭଳି କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଏବଂ ଆଦର ପ୍ରଦର୍ଶନରେ ଥାଳି ବଜାଇବା, ତାଳି ବଜାଇବା ଆଉ ଦୀପ ଜଳାଇବା । କରୋନା ଯୋଦ୍ଧାଙ୍କ ହୃଦୟକୁ ତାହା କିଭଳି ସ୍ପର୍ଶ କରିଯାଇଥିଲା, ସେକଥା ଆପଣ ଅନୁମାନ ମଧ୍ୟ କରି ନ ଥିବେ । ସେଇଥିପାଇଁ ତ ସେମାନେ ବର୍ଷ ତମାମ ଅକ୍ଳାନ୍ତ ଆଉ ଅବିରତ ଭାବେ କରୋନା ମୁକାବିଲାରେ ଲାଗି ରହିଥିଲେ । ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ କଲେ । ଗତବର୍ଷ ଏହି ସମୟରେ ପ୍ରଶ୍ନ ଥିଲା ଯେ କରୋନା ଟିକା କେବେ ବାହାରିବ? ବନ୍ଧୁଗଣ, ଏହା ଆମମାନଙ୍କ ପାଇଁ ଗର୍ବର ବିଷୟ ଯେ, ଭାରତ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ପରିଚାଳିତ କରୁଛି । ଟିକାକରଣ କାର୍ଯ୍ୟକ୍ରମର ଫଟୋଚିତ୍ର ସମ୍ପର୍କରେ ମୋତେ ଭୁବନେଶ୍ୱରର ପୁଷ୍ପା ଶୁକ୍ଳା ଲେଖିଛନ୍ତି । ଘରର ବୟସ୍କମାନଙ୍କ ମଧ୍ୟରେ ଟିକାକୁ ନେଇ ଯେଉଁଭଳି ଉତ୍ସାହ ପରିଲକ୍ଷିତ ହେଉଛି ସେ ସମ୍ପର୍କରେ ମୁଁ ‘ମନ୍ କି ବାତ୍‌’ରେ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି । ବନ୍ଧୁଗଣ ଏହା ଠିକ କଥା । ଦେଶର କୋଣ-ଅନୁକୋଣରୁ ଆମେ ଏଭଳି ଚିତ୍ରମାନ ଦେଖୁଛୁ, ଏଭଳି ଖବରମାନ ଶୁଣୁଛୁ, ଯାହା ଆମ ହୃଦୟକୁ ଛୁଇଁଯାଉଛି । ୟୁ.ପି.ର ଜୌନ୍‌ପୁରରେ ୧୦୯ ବର୍ଷ ବୟସ୍କ ବୃଦ୍ଧ ମା’ ରାମଦୁଲୈୟା ଟିକା ନେଇଛନ୍ତି । ସେହିଭଳି ଦିଲ୍ଲୀରେ ବି ୧୦୭ ବର୍ଷ ବୟସ୍କ କେୱଲ୍ କୃଷ୍ଣ ମଧ୍ୟ ଟିକା ନେଇଛନ୍ତି । ହାଇଦ୍ରାବାଦରେ ୧୦୦ ବର୍ଷ ବୟସ୍କ ଜୟ ଚୌଧୁରୀ ଟିକା ଗ୍ରହଣ କରିବା ସହ ସମସ୍ତଙ୍କୁ ଏହି ଟିକା ନେବାପାଇଁ ଅନୁରୋଧ କରିଛନ୍ତି । ମୁଁ ଟ୍ୱିଟର୍‌-ଫେସବୁକରେ ଏକଥା ମଧ୍ୟ ଦେଖୁଛି ଯେ, ଲୋକେ କିଭଳି ତାଙ୍କ ପରିବାରର ବୟସ୍କ ବ୍ୟକ୍ତିମାନଙ୍କ ଟିକା ନେବା ପରର ଫଟୋ ଅପ୍‌ଲୋଡ କରୁଛନ୍ତି । କେରଳର ଜଣେ ଯୁବକ ଆନନ୍ଦନ ନାୟର ତ ଏହାର ଗୋଟିଏ ନୂତନ ନାମକରଣ କରିଦେଇଛନ୍ତି – ଭାକ୍ସିନ୍ ସେବା । ସେହିଭଳି ବାର୍ତା ଦିଲ୍ଲୀରୁ ଶିବାନୀ, ହିମାଚଳରୁ ହିମାଂଶୁ ଏବଂ ଆହୁରି ଅନେକ ଯୁବବନ୍ଧୁଗଣ ପଠେଇଛନ୍ତି । ମୁଁ ଆପଣ ସମସ୍ତ ଶ୍ରୋତାମାନଙ୍କ ଏଭଳି ଚିନ୍ତାଧାରାକୁ ପ୍ରଶଂସା କରୁଛି । ଏସବୁ ଭିତରେ କରୋନା ସହ ସଂଗ୍ରାମର ମନ୍ତ୍ର ମଧ୍ୟ ମନେ ରଖନ୍ତୁ – ଔଷଧ ବି, ସାବଧାନତା ବି । ଖାଲି କଥାରେ ନୁହେଁ, ଆମକୁ ବଞ୍ଚିବାକୁ ହେବ, ବତାଇବାକୁ ହେବ, ‘ଔଷଧ ବି ସାବଧାନତା ବି’ ଏବଂ ଏ ନିୟମ ପାଳନ ସମ୍ପର୍କରେ ବି ପ୍ରତିଜ୍ଞାବଦ୍ଧ କରିବାକୁ ହେବ ।

ମୋର ପ୍ରିୟ ଦେଶବାସୀଗଣ,

ମୁଁ ଆଜି ଇନ୍ଦୋରର ସୌମ୍ୟାଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି । ସେ ଗୋଟିଏ ବିଷୟ ପ୍ରତି ମୋର ଦୃଷ୍ଟି ଆକର୍ଷଣ କରି ‘ମନ୍ କି ବାତ୍‌’ରେ ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ମୋତେ ଅନୁରୋଧ କରିଛନ୍ତି । ଏହି ବିଷୟଟି ହେଉଛି ଭାରତର କ୍ରିକେଟର ମିତାଲି ରାଜଙ୍କ ନୂତନ ରେକର୍ଡ଼ । ମିତାଲି ନିକଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦ ହଜାର ରନ୍ ସଂଗ୍ରହ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ । ଆହୁରି ମଧ୍ୟ, ସେ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ ଖେଳରେ ୭୦୦୦ ରନ୍ ସଂଗ୍ରହ କରିଥିବା, ବିଶ୍ୱର ଏକମାତ୍ର ମହିଳା କ୍ରୀଡ଼ାବିତ୍ । ମହିଳା କ୍ରିକେଟ କ୍ଷେତ୍ରରେ ତାଙ୍କର ଯୋଗଦାନ ଅତୁଳନୀୟ । ଦୁଇ ଦଶନ୍ଧିରୁ ଅଧିକ ସମୟର କ୍ରିକେଟ କ୍ୟାରିୟରରେ ମିତାଲି ରାଜ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଛନ୍ତି । ତାଙ୍କର କଠିନ ପରିଶ୍ରମ ଏବଂ ସଫଳତାର କାହାଣୀ କେବଳ ମହିଳା କ୍ରିକେଟର ନୁହନ୍ତି ବରଂ ପୁରୁଷ କ୍ରିକେଟର୍‌ମାନଙ୍କ ପାଇଁ ମଧ୍ୟ ପ୍ରେରଣାର ସ୍ରୋତ ।

ବନ୍ଧୁଗଣ,

ଏହା ଗୋଟିଏ ମଜାଦାର କଥା ଯେ, ମାର୍ଚ୍ଚ ମାସରେ ଆମେ ମହିଳା ଦିବସ ପାଳନ କରୁଥିବା ସମୟରେ ଅନେକ ମହିଳା କ୍ରୀଡ଼ାବିତ୍ ପଦକ ଏବଂ ରେକର୍ଡ଼ ନିଜ ନାମରେ କରିଛନ୍ତି । ଦିଲ୍ଲୀଠାରେ ଆୟୋଜିତ ହୋଇଥିବା ବନ୍ଧୁକଚାଳନା ପ୍ରତିଯୋଗିତା ଆଇ.ଏସ.ଏସ.ଏଫ୍‌. ୱାର୍ଲ୍ଡକପରେ ଭାରତ ସର୍ବୋଚ୍ଚ ସ୍ଥାନ ହାସଲ କଲା । ସ୍ୱର୍ଣ୍ଣପଦକ ସଂଖ୍ୟାରେ ମଧ୍ୟ ଭାରତ ଅଗ୍ରଣୀ ରହିଲା । ଏହା ଭାରତର ମହିଳା ଏବଂ ପୁରୁଷ ଶୁଟର୍‌ମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଯୋଗୁଁ ହିଁ ସମ୍ଭବ ହୋଇପାରିଲା । ଇତିମଧ୍ୟରେ ପି.ଭି. ସିନ୍ଧୁ BWF Swiss Open Super 300 ଟୁର୍ଣ୍ଣାମେଣ୍ଟରେ ରୌପ୍ୟପଦକ ଲାଭ କରିଛନ୍ତି । ଆଜି ଶିକ୍ଷାଠାରୁ ଆରମ୍ଭ କରି ଉଦ୍ୟମିତା ପର୍ଯ୍ୟନ୍ତ, ସଶସ୍ତ୍ର ବାହିନୀଠାରୁ ଆରମ୍ଭ କରି ବିଜ୍ଞାନ ଏବଂ କାରିଗରି କୌଶଳ ଯାଏ, ପ୍ରତ୍ୟେକ କ୍ଷେତ୍ରରେ ଦେଶର ଝିଅମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଚାଲିଛନ୍ତି । ଝିଅମାନେ କ୍ରୀଡ଼ା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବାରୁ ମୋତେ ଖୁସି ଲାଗୁଛି । କ୍ରୀଡ଼ାକୁ ନିଜର ବୃତି ଭାବେ ପସନ୍ଦ କରିବାର ଧାରା ବଢ଼ିବାରେ ଲାଗିଛି ।

ମୋର ପ୍ରିୟ ଦେଶବାସୀଗଣ,

କିଛିଦିନ ପୂର୍ବର ମାରିଟାଇମ୍ ଇଣ୍ଡିଆ ସମିଟ୍ କଥା ଆପଣମାନଙ୍କର ମନେଅଛି ତ? ଏହି ଶିଖର ସମ୍ମିଳନୀରେ ମୁଁ କ’ଣ କହିଥିଲି - ଆପଣଙ୍କର ମନେଅଛି କି? ଏକଥା ସ୍ୱାଭାବିକ ଯେ, ଏତେଗୁଡ଼ିଏ କାର୍ଯ୍ୟକ୍ରମ ହେଉଛି, ଏତେ କଥା କୁହାଯାଉଛି, ସବୁ କଥା କ’ଣ ମନେ ରହିବ ନା ସେସବୁ ଉପରେ ଦୃଷ୍ଟିଯିବ? କିନ୍ତୁ ମୋର ଗୋଟିଏ ଅନୁରୋଧକୁ ଗୁରୁପ୍ରସାଦ ଖୁବ ଆଗ୍ରହର ସହିତ ଆଗେଇ ନେଇଥିବାରୁ ମୋତେ ଭଲ ଲାଗିଲା । ସେହି ଶିଖର ସମ୍ମିଳନୀରେ ମୁଁ ଦେଶରେ ଥିବା ବତୀଘର ନିକଟବର୍ତ୍ତୀ ଇଲାକାରେ ପର୍ଯ୍ୟଟନ ସୁବିଧା ବିକଶିତ କରିବା କଥା କହିଥିଲି । ଗୁରୁପ୍ରସାଦ ତାମିଲନାଡ଼ୁର ଦୁଇଟି ବତୀଘର – ଚେନ୍ନାଇ ଲାଇଟ୍ ହାଉସ୍ ଏବଂ ମହାବଲିପୁରମ୍ ଲାଇଟ୍ ହାଉସ୍‌କୁ ୨୦୧୯ରେ ନିଜ ଯାତ୍ରାର ଅନୁଭୂତି ଶେୟାର କରିଛନ୍ତି । ସେ ଖୁବ ଚିତାକର୍ଷକ ତଥ୍ୟମାନ ଶେୟାର କରିଛନ୍ତି ଯାହା, ‘ମନ୍ କି ବାତ୍‌’ ଶୁଣୁଥିବା ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିବ । ଯେମିତିକି ଚେନ୍ନାଇ ଲାଇଟ୍ ହାଉସ୍ ବିଶ୍ୱର କିଛି ହାତଗଣତି ଲାଇଟ୍ ହାଉସ୍‌ଗୁଡ଼ିକରୁ ଅନ୍ୟତମ, ଯେଉଁଠି ଏଲିଭେଟର୍ ରହିଛି । କେବଳ ଏତିକି ନୁହେଁ, ଭାରତର ଏହା ଏକମାତ୍ର ଲାଇଟ୍ ହାଉସ୍ ଯାହା ସହରର ସୀମା ମଧ୍ୟରେ ଅବସ୍ଥିତ । ଏଥିରେ ବିଦ୍ୟୁତ ଯୋଗାଣ ପାଇଁ ସୋଲାର୍ ପ୍ୟାନେଲ୍ ମଧ୍ୟ ଲାଗିଛି । ଗୁରୁପ୍ରସାଦ ଲାଇଟ୍ ହାଉସ୍‌ର ହେରିଟେଜ ମ୍ୟୁଜିୟମ୍ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି, ଯାହା ମେରାଇନ୍ ନାଭିଗେସନ୍‌ର ଇତିହାସକୁ ପ୍ରଦର୍ଶିତ କରୁଛି। ମ୍ୟୁଜିୟମ୍‌ରେ ତେଲରେ ଜଳୁଥିବା ବଡ଼ ବଡ଼ ବତୀ, କିରୋସିନ ଲାଇଟ୍‌, ପେଟ୍ରୋଲିୟମ ଭେପର୍ ଏବଂ ପୁରାତନ ସମୟରେ ପ୍ରୟୋଗ କରାଯାଉଥିବା ବିଜୁଳିବତୀକୁ ପ୍ରଦର୍ଶିତ କରାଯାଇଛି । ଭାରତର ସର୍ବପୁରାତନ ବତୀଘର – ମହାବଳୀପୁରମ୍ ଲାଇଟ୍ ହାଉସ୍ ସମ୍ପର୍କରେ ଗୁରୁ ପ୍ରସାଦ ବିସ୍ତୃତ ଭାବେ ଲେଖିଛନ୍ତି । ତାଙ୍କ ମତରେ – ଏହି ଲାଇଟ୍ ହାଉସ୍ ପାଖରେ ଶହ ଶହ ବର୍ଷ ପୂର୍ବେ ପଲ୍ଲବ ରାଜା ମହେନ୍ଦ୍ରବର୍ମନ ପ୍ରଥମ ଦ୍ୱାରା ନିର୍ମିତ ୱଲ୍‌କେନଶ୍ୱର ମନ୍ଦିର ରହିଛି ।

ବନ୍ଧୁଗଣ,

‘ମନ୍ କି ବାତ୍‌’ ସମୟରେ ମୁଁ ପର୍ଯ୍ୟଟନର ବିଭିନ୍ନ ଦିଗ ଉପରେ ଅନେକ ଥର ଆଲୋଚନା କରିଛି । କିନ୍ତୁ ଏହି ବତୀଘର ପର୍ଯ୍ୟଟନ ଦୃଷିରୁ ନିଆରା ହୋଇଥାଏ । ନିଜର ଭବ୍ୟ ନିର୍ମାଣ ଯୋଗୁଁ ବତୀଘରଗୁଡ଼ିକ ସବୁବେଳେ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଆସିଛନ୍ତି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତରେ ବି ୭୧ ବତୀଘର ଚିହ୍ନଟ କରାଯାଇଛି । ଏସବୁରେ ସେମାନଙ୍କ କ୍ଷମତା ଅନୁଯାୟୀ ମ୍ୟୁଜିୟମ୍‌, ଏମ୍ଫି-ଥିଏଟର, ଓପନ ଏୟାର୍ ଥିଏଟର, କାଫେଟେରିଆ, ଚିଲ୍‌ଡ୍ରେନ୍ସ ପାର୍କ ଇକୋଫ୍ରେଣ୍ଡଲି କଟେଜ ଏବଂ ଲ୍ୟାଣ୍ଡସ୍କେପିଂ ତିଆରି କରାଯିବ । ଯେତେବେଳେ ବତୀଘର କଥା ପଡ଼ିଛି, ସେତେବେଳେ ମୁଁ ଗୋଟିଏ ନିଆରା ବତୀଘର ବିଷୟରେ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି । ଏହି ବତୀଘର ଗୁଜରାଟର ସୁରେନ୍ଦ୍ର ନଗର ଜିଲ୍ଲାରେ ଜିଂଜୁୱାଡ଼ା ନାମକ ଗୋଟିଏ ସ୍ଥାନରେ ରହିଛି । ଜାଣିଛନ୍ତି, ଏହି ବତୀଘର କାହିଁକି ନିଆରା? ଏହା ଏଥିପାଇଁ ନିଆରା ଯେ, ଯେଉଁଠାରେ ଏହି ବତୀଘର ରହିଛି, ସେଠାରୁ ସମୁଦ୍ର ଏବେ ଶହେ କିଲୋମିଟରରୁ ମଧ୍ୟ ଅଧିକ ଦୂରରେ ରହିଛି। ଏହି ଗାଁରେ ଆପଣଙ୍କୁ ଏଭଳି ପଥର ମଧ୍ୟ ମିଳିବ ଯାହା ପ୍ରମାଣ କରିଥାଏ ଯେ ଏକଦା ଏଠି ଏକ ବ୍ୟସ୍ତବହୁଳ ବନ୍ଦର ଥିଲା । ଏହାର ଅର୍ଥ ହେଲା ଯେ, ସେ ସମୟରେ ସମୁଦ୍ରତଟ ଜିଂଜୁୱାଡ଼ାରେ ଥିଲା । ସମୁଦ୍ରର ବୃଦ୍ଧି, କ୍ଷୟ, ପଛକୁ ଘୁଞ୍ଚିଯିବା, ଏତେ ଦୂରକୁ ଚାଲିଯିବା, ଏସବୁ ଏହାର ଗୋଟିଏ ଗୋଟିଏ ସ୍ୱରୂପ । ଏହି ମାସରେ ଜାପାନରେ ଆସିଥିବା ଭୟଙ୍କର ସୁନାମୀକୁ ଦଶବର୍ଷ ପୂରଣ ହେବାକୁ ଯାଉଛି । ଏହି ସୁନାମୀରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଏହିଭଳି ଗୋଟିଏ ସୁନାମୀ ଭାରତରେ ୨୦୦୪ ମସିହାରେ ଆସିଥିଲା । ସୁନାମୀ ସମୟରେ ଆମେ ଏହି ଲାଇଟ୍ ହାଉସ୍‌ରେ କାର୍ଯ୍ୟ କରୁଥିବା ଆମର ୧୪ ଜଣ କର୍ମଚାରୀଙ୍କୁ ହରାଇଥିଲୁ । ଆଣ୍ଡାମାନ ନିକୋବର ଏବଂ ତାମିଲନାଡ଼ୁର ବତୀଘରରେ ସେମାନେ କର୍ତବ୍ୟରତ ଥିଲେ । କଠିନ ପରିଶ୍ରମ କରୁଥିବା ଆମର ଏହି ଲାଇଟ୍ କିପର୍ସମାନଙ୍କୁ ମୁଁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ କାର୍ଯ୍ୟକୁ ବହୁତ ବହୁତ ପ୍ରଶଂସା କରୁଛି ।

ପ୍ରିୟ ଦେଶବାସୀଗଣ,

ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନୂଆପଣ, ଆଧୁନିକତା ଅନିବାର୍ଯ୍ୟ; ନଚେତ୍ ତାହା ବେଳେବେଳେ ଆମ ପାଇଁ ବୋଝ ପାଲଟିଯାଏ । ଭାରତର କୃଷିକ୍ଷେତ୍ରରେ ଆଧୁନିକୀକରଣ ବର୍ତମାନ ସମୟର ଆବଶ୍ୟକତା । ବହୁତ ବିଳମ୍ବ ହୋଇଯାଇଛି । ଆମେ ବହୁତ ସମୟ ନଷ୍ଟ କରିସାରିଛୁ । କୃଷିକ୍ଷେତ୍ରରେ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ପାଇଁ, ଚାଷୀଙ୍କ ଆୟ ଦୁଇଗୁଣ ବଢ଼ାଇବା ପାଇଁ, ପରମ୍ପରାଗତ କୃଷି ସହ ନୂଆ ବିକଳ୍ପଗୁଡ଼ିକୁ, ନୂଆନୂଆ innovationsକୁ ଆପଣାଇବା ମଧ୍ୟ ସେତିକି ଜରୁରୀ । ଶ୍ୱେତ ବିପ୍ଳବ ବେଳେ ଦେଶ ଏହା ଅନୁଭବ କରିଥିଲା । ଏବେ ମହୁମାଛି ପାଳନ ମଧ୍ୟ ଏପରି ଏକ ବିକଳ୍ପ ଭାବେ ଉଦୟ ହୋଇଛି । ମହୁମାଛି ପାଳନ ଦେଶରେ ମଧୁ ବିପ୍ଳବ ବା sweet revolutionର ଆଧାର ହେଉଛି । ବହୁ ସଂଖ୍ୟାରେ ଚାଷୀ ଏଥିସହ ଯୋଡ଼ି ହେଉଛନ୍ତି, innovation କରୁଛନ୍ତି । ଯେପରିକି ପଶ୍ଚିମବଙ୍ଗର ଦାର୍ଜିଲିଂରେ ଗୋଟିଏ ଗାଁ ଅଛି ଗୁର୍‌ଦୁମ୍ । ସେଠାରେ ସୁଉଚ୍ଚ ପାହାଡ଼ ସହ ଭୌଗୋଳିକ ସମସ୍ୟା ବି ରହିଛି, କିନ୍ତୁ ଏଠାକାର ଲୋକେ ମହୁଚାଷ ଆରମ୍ଭ କରିଛନ୍ତି ଏବଂ ଆଜି ଏହି ସ୍ଥାନରେ ମହୁର ଭଲ ଚାହିଦା ରହିଛି । ଏଥିରୁ ଚାଷୀମାନଙ୍କର ଆୟ ମଧ୍ୟ ବଢ଼ୁଛି । ସେଇ ପଶ୍ଚିମବଙ୍ଗର ସୁନ୍ଦରବନ ଅଂଚଳର ପ୍ରାକୃତିକ ଅର୍ଗାନିକ୍ ମହୁକୁ ତ ଦେଶବିଦେଶରେ ପସନ୍ଦ କରାଯାଏ । ଗୁଜରାଟରେ ମଧ୍ୟ ମୋର ଏପରି ଏକ ବ୍ୟକ୍ତିଗତ ଅଭିଜ୍ଞତା ରହିଛି । ଗୁଜରାଟର ବନାସକାଣ୍ଠାରେ ୨୦୧୬ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେଥିରେ ମୁଁ ଲୋକଙ୍କୁ କହିଥିଲି ଯେ ଏଇଠି ଏତେ ସମ୍ଭାବନା ରହିଛି, କାହିଁକି ବନାସକାଣ୍ଠା ଓ ଆମର ଏଠିକାର ଚାଷୀମାନେ ମଧୁ ବିପ୍ଳବର ନୂଆ ଅଧ୍ୟାୟ ସୃଷ୍ଟି ନ କରିବେ? ଆପଣ ଜାଣି ଖୁସିହେବେ ଯେ ବହୁତ କମ୍ ସମୟରେ ବନାସକାଣ୍ଠା ମହୁ ଉତ୍ପାଦନର କେନ୍ଦ୍ର ପାଲଟିଯାଇଛି । ଆଜି ବନାସକାଣ୍ଠାର ମହୁଚାଷୀ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏପରି ଏକ ଉଦାହରଣ ହେଉଛି ହରିୟାଣାର ଯମୁନାନଗର । ଯମୁନାନଗରରେ ଚାଷୀମାନେ ମହୁମାଛି ପାଳନ କରି ବାର୍ଷିକ ଶହ ଶହ ଟନ୍ ମହୁ ଉତ୍ପାଦନ କରୁଛନ୍ତି ଓ ସେମାନଙ୍କ ଆୟ ବୃଦ୍ଧି କରୁଛନ୍ତି । କୃଷକମାନଙ୍କ ଏହି ପରିଶ୍ରମର ପରିଣାମ ସ୍ୱରୂପ ଦେଶରେ ମହୁ ଉତ୍ପାଦନ ଲଗାତାର ବୃଦ୍ଧି ପାଉଛି ଏବଂ ବାର୍ଷିକ ପାଖାପାଖି ଏକଲକ୍ଷ ପଚିଶ ହଜାର ଟନ୍ ମହୁ ଉତ୍ପାଦିତ ହେଉଛି; ଯାହାର ବହୁଳାଂଶ ବିଦେଶକୁ ରପ୍ତାନୀ ହୋଇପାରୁଛି ।

ବନ୍ଧୁଗଣ,

ମହୁମାଛି ପାଳନ ଯୋଗୁଁ କେବଳ ଯେ ମହୁରୁ ଆୟ ହେଉଛି ସେକଥା ନୁହେଁ ବରଂ ମହୁଫେଣାର ମହମ ବା bee wax ମଧ୍ୟ ଆୟବୃଦ୍ଧିର ଆଉ ଏକ ବଡ଼ ମାଧ୍ୟମ ପାଲଟିଛି । ଆଜି ଔଷଧ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ବୟନଶିଳ୍ପ ଏବଂ ପ୍ରସାଧନ ଶିଳ୍ପ ପ୍ରତ୍ୟେକ କ୍ଷେତ୍ର୍ରରେ bee wax ର ବେଶ୍ ଚାହିଦା ରହିଛି । ଏବେ ଆମ bee wax ଆମଦାନୀ କରୁଛି, କିନ୍ତୁ ଆମର ଚାଷୀଭାଇ ଏବେ ଏହି ସ୍ଥିତିକୁ ଦ୍ରୁତ ପରିବର୍ତନ କରିବାରେ ଲାଗିଛନ୍ତି । ଅର୍ଥାତ ଏକପ୍ରକାର ଆତ୍ମନିର୍ଭର ଭାରତ ଅଭିଯାନରେ ସେମାନେ ସାହାଯ୍ୟ କରୁଛନ୍ତି । ଏବେ ତ ସମଗ୍ର ପୃଥିବୀ ଆୟୁର୍ବେଦ ଓ ପ୍ରାକୃତିକ ସ୍ୱାସ୍ଥ୍ୟ ସାମଗ୍ରୀ ଆଡ଼କୁ ଅନାଇରହିଛି । ଏପରି ସ୍ଥିତିରେ ମହୁର ଚାହିଦା ଆହୁରି ବେଶି ବଢ଼ୁଛି । ମୁଁ ଚାହେଁ ଯେ ଦେଶର ଅଧିକରୁ ଅଧିକ ଚାଷୀ ନିଜର କୃଷି ସହ ମହୁଚାଷ ସହ ମଧ୍ୟ ଯୋଡ଼ି ହୁଅନ୍ତୁ । ଏହା ଚାଷୀମାନଙ୍କର ଆୟ ବଢ଼ାଇବ ଏବଂ ସେମାନଙ୍କ ଜୀବନକୁ ମଧ୍ୟ ମଧୁର କରିଦେବ ।

ମୋର ପ୍ରିୟ ଦେଶବାସୀଗଣ,

ଏଇ କିଛିଦିନ ପୂର୍ବରୁ World Sparrow Day ପାଳିତ ହୋଇଥିଲା । Sparrow ଅର୍ଥାତ ଘରଚଟିଆ । କେଉଁଠି ଏହାକୁ ଚକ୍‌ଲି କହନ୍ତି ତ ଆଉ କେଉଁଠି ଚିମ୍‌ନି, କେଉଁଠି ଘାନ ଚିରିକା କୁହାଯାଏ । ପୂର୍ବେ ଆମ ଘରର କାନ୍ଥମାନଙ୍କରେ, ଆଖପାଖର ଗଛ ଉପରେ ଘରଚଟିଆ ଉଡ଼ି ବୁଲୁଥିଲେ । ଏବେ କିନ୍ତୁ ଲୋକେ ବହୁବର୍ଷ ତଳେ ଘରଚଟିଆକୁ ଦେଖିଥିଲେ ବୋଲି କହି ତାକୁ ମନେପକାନ୍ତି । ଆଜି ସେମାନଙ୍କୁ ବଞ୍ଚାଇବା ପାଇଁ ଆମକୁ ପ୍ରୟାସ କରିବାକୁ ପଡ଼ୁଛି । ବନାରସର ମୋର ଜଣେ ସାଥୀ ଇନ୍ଦ୍ରପାଲ ସିଂହ ବତ୍ରା ଏପରି କାମ କରିଛନ୍ତି, ଯାହାକୁ ମୁଁ "ମନ୍ କୀ ବାତ୍‌”ର ଶ୍ରୋତାଙ୍କୁ ନିଶ୍ଚିତ କହିବାକୁ ଚାହୁଁଛି । ବତ୍ରା ନିଜ ଘରକୁ ହିଁ ଘରଚଟିଆଙ୍କ ବାସସ୍ଥାନରେ ପରିଣତ କରିଦେଇଛନ୍ତି । ସେ ନିଜ ଘରେ କାଠର ଏପରି ବସାମାନ ତିଆରି କରିଛନ୍ତି, ଯେଉଁଠି ଘରଚଟିଆଗୁଡ଼ିକ ଆରାମରେ ରହିପାରିବେ । ଆଜି ବନାରସର ଅନେକ ଘର ଏହି ଅଭିଯାନ ସହ ଯୋଡ଼ି ହେଉଛନ୍ତି । ଏଥିରେ ଘରଗୁଡ଼ିକରେ ଏକ ଅଦ୍ଭୁତ ପ୍ରାକୃତିକ ବାତାବରଣ ମଧ୍ୟ ସୃଷ୍ଟି ହେଉଛି । ମୁଁ ଚାହିଁବି ଯେ ପ୍ରକୃତି, ପରିବେଶ, ପ୍ରାଣୀ, ପକ୍ଷୀ ଯାହାପାଇଁ ଯେତିକି ହୋଇପାରିବ, ଅଳ୍ପବହୁତେ ପ୍ରୟାସ ଆମେ ମଧ୍ୟ କରିବା ଉଚିତ । ଯେପରିକି ଜଣେ ବନ୍ଧୁ ଅଛନ୍ତି ବିଜୟ କୁମାର କବି । ବିଜୟ ଓଡ଼ିଶାର କେନ୍ଦ୍ରାପଡ଼ା ବାସିନ୍ଦା । କେନ୍ଦ୍ରାପଡ଼ା ସମୁଦ୍ରକୂଳରେ ଅବସ୍ଥିତ । ସେଥିପାଇଁ ଏହି ଜିଲାରେ ଅନେକ ଗାଁ ଏପରି ଅଛି, ଯାହା ଉପରେ ସମୁଦ୍ରର ଉଚ୍ଚ ଲହଡ଼ି ଓ ବାତ୍ୟାର ବିପଦ ରହିଥାଏ । ଏହାଦ୍ୱାରା ବହୁତ କ୍ଷତି ମଧ୍ୟ ହୁଏ । ବିଜୟ ଅନୁଭବ କଲେ ଯେ ଯଦି ଏହି ପ୍ରାକୃତିକ ବିପତ୍ତିକୁ ଯଦି କେହି ରୋକିପାରିବ, ତାହାହିଁ ପ୍ରକୃତି । ତେଣୁ ବିଜୟ ବଡ଼କୋଟ ଗାଁରୁ ନିଜର ଅଭିଯାନ ଆରମ୍ଭ କଲେ । ତାଙ୍କର ଏହି ଅଭିଯାନକୁ ବାରବର୍ଷ ହୋଇଗଲାଣି । ବନ୍ଧୁଗଣ ଦୀର୍ଘ ବାରବର୍ଷ ପରିଶ୍ରମ କରି ଗାଁର ପରିସୀମାରେ ସମୁଦ୍ରକୁ ଲାଗି ପଚିଶ ଏକର ବିଶିଷ୍ଟ ଏକ ବୃହତ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି । ଆଜି ଏ ଜଙ୍ଗଲ ଗାଁକୁ ଲୁଣା ପବନ ଏବଂ ବାତ୍ୟା ଦାଉରୁ ସୁରକ୍ଷା ଦେଉଛି । ଏହିଭଳି କାମ ଓଡ଼ିଶାର ପାରାଦ୍ୱୀପ ନିକଟବର୍ତ୍ତୀ ଜଣେ ଇଞ୍ଜିନିୟର ଅମରେଶ ସାମନ୍ତ ବି କରିଛନ୍ତି । ଅମରେଶ କେତେକ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରିଛନ୍ତି ଯାହାକି କେତେକ ଗାଁକୁ ସୁରକ୍ଷା ପ୍ରଦାନ କରୁଛି । ବନ୍ଧୁଗଣ! ଏଭଳି କାମରେ ଆମେ ଯଦି ସମାଜକୁ ସମ୍ପୃକ୍ତ କରିବା ତାହେଲେ ତା’ର ପରିଣାମ ବିଶାଳ ପାଲଟିଥାଏ; ଯେମିତିକି ତାମିଲନାଡ଼ୁର କୋଏମ୍ବାଟୁରରେ ରହୁଥିବା ବସ୍ କଣ୍ଡକ୍ଟର ମରିମୁଥୁ ଯୋଗନାଥନ । ଯୋଗନାଥନ ନିଜ ବସ୍‌ର ଯାତ୍ରୀଙ୍କୁ ଟିକଟ ତ ଦିଅନ୍ତି, ତା'ସହ ବିନା ପଇସାରେ ଗୋଟିଏ ଚାରା ମଧ୍ୟ ଦେଇଥାନ୍ତି । ଏହିପରି ଭାବେ ଯୋଗନାଥନ ବହୁତ ଗଛ ଲଗାଇସାରିଛନ୍ତି । ଯୋଗନାଥନ ନିଜ ବେତନର ଏକ ବଡ଼ ଅଂଶ ଏହି କାମରେ ଖର୍ଚ୍ଚ କରୁଛନ୍ତି । ଏବେ ଏହାକୁ ଶୁଣିବା ପରେ ଏମିତି କୌଣସି ବ୍ୟକ୍ତି ନ ଥିବେ, ଯିଏକି ମରିମୁଥୁ ଯୋଗନାଥନଙ୍କ କାମକୁ ପ୍ରଶଂସା ନ କରିବେ । ତାଙ୍କର ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ, ମୁଁ ହୃଦୟରୁ ତାଙ୍କୁ ଅନେକ ବଧେଇ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ,

Wasteରୁ Wealth, ଅର୍ଥାତ ଆବର୍ଜନାରୁ ଅଳଙ୍କାର ତିଆରି ସଂପର୍କରେ ଆମେ ସମସ୍ତେ ଦେଖିଛୁ ଆଉ ଶୁଣିଛୁ ମଧ୍ୟ ଏବଂ ଆମେ ଅନେକଙ୍କୁ ଏ ବିଷୟରେ କହିଆସିଛୁ । ଏହିପରି ଭାବେ Wasteକୁ Valueଙ୍କରେ ପରିବର୍ତ୍ତନ କରିବାର କାମ କରାଯାଉଛି । ଏପରି ଏକ ଉଦାହରଣ ହେଉଛି କେରଳର କୋଚ୍ଚିସ୍ଥିତ ସେଂଟ୍ ତେରେସା କଲେଜ । ମୋର ମନେଅଛି ଯେ ୨୦୧୭ରେ ମୁଁ ଏହି କଲେଜର କ୍ୟାମ୍ପସ୍‌ରେ ଏକ Book Reading ଉପରେ ଆଧାରିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲି । ଏହି କଲେଜର ଛାତ୍ରଛାତ୍ରୀମାନେ Reusable Toys ତିଆରି କରୁଥିଲେ, ତାହା ବି ବହୁତ creative ଢଙ୍ଗରେ । ଏହି ଛାତ୍ରଛାତ୍ରୀମାନେ ଖେଳଣା ତିଆରି କରିବା ପାଇଁ ପୁରୁଣା କପଡ଼ା, ଫିଙ୍ଗାଯାଇଥିବା କାଠଖଣ୍ଡ, ବ୍ୟାଗ୍ ଓ ବାକ୍ସ ବ୍ୟବହାର କରୁଥିଲେ । କେଉଁ ବିଦ୍ୟାର୍ଥୀ Puzzle ତିଆରି କରୁଥିଲା ତ ଆଉ କିଏ କାର୍ ଓ ଟ୍ରେନ୍ ତିଆରି କରୁଥିଲା । ସେଠାରେ ଏହାର ବିଶେଷ ଧ୍ୟାନ ଦିଆଯାଉଥିଲା ଯେ ଖେଳଣା Safe ହେବା ସହ Child Friendly ମଧ୍ୟ ହେବ । ଏହି ସମଗ୍ର ପ୍ରୟାସର ଗୋଟିଏ ଭଲ କଥା ହେଉଛି ଯେ ଏହି ଖେଳଣା ଅଙ୍ଗନୱାଡ଼ି ପିଲାମାନଙ୍କୁ ଖେଳିବା ପାଇଁ ଦିଆଯାଉଥିଲା । ଆଜି ଯେତେବେଳେ ଭାରତ ଖେଳଣା ନିର୍ମାଣ କ୍ଷେତ୍ରରେ ବହୁତ ଉନ୍ନତି କରିଚାଲିଛି, ସେତେବେଳେ Wasteରୁ Valueର ଏହି ଅଭିଯାନ, ଏହି ଅଭିନବ ପ୍ରୟୋଗ ବହୁତ ଗୁରୁତ୍ୱ ରଖିଥାଏ ।

ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଅଛନ୍ତି ଜଣେ ପ୍ରଫେସର ଶ୍ରୀନିବାସ ପଦକାଣ୍ଡଲା । ସେ ବହୁତ ରୋଚକ କାର୍ଯ୍ୟ କରୁଛନ୍ତି । ସେ Automobile Metal Scrapeê ସ୍ଥାପତ୍ୟ ତିଆରି କରୁଛନ୍ତି । ତାଙ୍କଦ୍ୱାରା ତିଆରି ବିଶାଳ ସ୍ଥାପତ୍ୟଗୁଡ଼ିକୁ ସାର୍ବଜନୀକ ଉଦ୍ୟାନଗୁଡ଼ିକରେ ଲଗାଯାଇଛି ଏବଂ ଲୋକେ ସେଗୁଡ଼ିକୁ ବହୁତ ଉତ୍ସାହର ସହ ଦେଖୁଛନ୍ତି । Electronic ଏବଂ Automobileର ବର୍ଜ୍ୟର ପୁନଃଚକ୍ରଣ ବା Recycling କରି ସେ ଏହି ଅଭିନବ ପ୍ରୟୋଗ କରୁଛନ୍ତି । ମୁଁ ପୁଣିଥରେ କୋଚ୍ଚି ଏବଂ ବିଜୟୱାଡ଼ା ଏହି ପ୍ରୟାସଗୁଡ଼ିକୁ ଖୁବ୍ ପ୍ରଶଂସା କରିବା ସହ ଆଶା କରୁଛି ଯେ ଆହୁରି ଅନେକ ବ୍ୟକ୍ତି ଏହିଭଳି ପ୍ରୟାସ କରିବା ପାଇଁ ଆଗେଇଆସିବେ ।

ମୋର ପ୍ରିୟ ଦେଶବାସୀଗଣ,

ଭାରତର ଲୋକ ପୃଥିବୀର ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ସେମାନେ ଗର୍ବର ସହ ନିଜକୁ ଭାରତୀୟ ବୋଲି ପରିଚୟ ଦେଇଥାନ୍ତି । ଆମେ ଆମର ଯୋଗ, ଆୟୁର୍ବେଦ, ଦର୍ଶନ ଏବଂ କେତେ କ’ଣ ଉପଲବ୍ଧି ପାଇଁ ଗର୍ବ କରିବା ସଙ୍ଗେସଙ୍ଗେ ନିଜର ସ୍ଥାନୀୟ ଭାଷା, ପରିଚୟ, ପରିଧାନ, ଖାଦ୍ୟପାନୀୟକୁ ନେଇ ମଧ୍ୟ ଗର୍ବ କରିଥାଉ । ଆମକୁ ନୂଆ ତ ପାଇବାର ଅଛି ଏବଂ ତାହାହିଁ ତ ଜୀବନ; କିନ୍ତୁ ତା'ସହିତ ପୁରାତନକୁ ମଧ୍ୟ ଛାଡ଼ିବା ନାହିଁ । ଆମେ ବହୁତ ପରିଶ୍ରମ କରି ନିଜ ଆଖପାଖରେ ରହିଥିବା ଅସାଧାରଣ ସାଂସ୍କୃତିକ ଐତିହ୍ୟଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ହେବ, ନୂଆ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେବ । ଏହି କାମ ଏବେ ଆସାମରେ ରହୁଥିବା ସିକାରୀ ଟିସୌ ବହୁତ ମନଧ୍ୟାନ ଦେଇ କରୁଛନ୍ତି । Karbi Anglong ଜିଲାର ସିକାରୀ ଟିସୌ ବିଗତ ୨୦ ବର୍ଷ ଧରି Karbi ଭାଷାର documentation କରୁଛନ୍ତି । ଏକଦା କାର୍ବି ଆଦିବାସୀ ଭାଇଭଉଣୀଙ୍କ ଭାଷା କାର୍ବି ଆଜି ମୁଖଧାରାରୁ ଉଭାନ ହେବାକୁ ବସିଛି । ଶ୍ରୀମାନ ସିକାରୀ ଟିସୌ ସ୍ଥିର କରିଛନ୍ତି ଯେ ସେ ନିଜର ଏହି ପରିଚୟକୁ ବଂଚାଇ ରଖିବେ ଏବଂ ଆଜି ତାଙ୍କ ପ୍ରୟାସରେ କାର୍ବି ଭାଷାର ବହୁତ ତଥ୍ୟ documented ହୋଇସାରିଛି । ତାଙ୍କର ଏହି ପ୍ରୟାସ ପାଇଁ ତାଙ୍କୁ ଅନେକ ସ୍ଥାନରୁ ପ୍ରଶଂସା ଏବଂ ପୁରସ୍କାର ମଧ୍ୟ ମିଳିଛି । "ମନ୍ କୀ ବାତ୍' ଜରିଆରେ ଶ୍ରୀମାନ ସିକାରୀ ଟିସୌଙ୍କୁ ମୁଁ ଅଭିନନ୍ଦନ ଜଣାଉଛି; କିନ୍ତୁ ମୁଁ ଦେଶର କୋଣଅନୁକୋଣରେ ଥିବା ଏପରି ସାଧକମାନଙ୍କୁ ମଧ୍ୟ ବଧେଇ ଜଣାଉଛି, ଯେଉଁମାନେ ଏପରି କାମରେ ଦିନରାତି ଲାଗିରହିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ,

ଯେକୌଣସି ନୂଆ ଆରମ୍ଭ ଅର୍ଥାତ New Beginning ସବୁବେଳେ ସ୍ୱତନ୍ତ୍ର ହୋଇଥାଏ । New Beginningଅର୍ଥ New Possibilities - ନୂଆ ପ୍ରୟାସ । ଏବଂ ନୂଆ ପ୍ରୟାସର ଅର୍ଥ ନୂଆ ଶକ୍ତି ଓ ନୂଆ ଉଦ୍ଦୀପନା । ଏହି କାରଣରୁ ଭିନ୍ନ ଭିନ୍ନ ରାଜ୍ୟ ଏବଂ ଅଂଚଳର ଏବଂ ବିବିଧତାରେ ଭରା ଆମ ସଂସ୍କୃତିରେ ପ୍ରତ୍ୟେକ ଆରମ୍ଭକୁ ଉତ୍ସବ ଭାବେ ପାଳନ କରିବାର ପରମ୍ପରା ରହିଛି । ଆଉ ଏହି ସମୟ ନୂଆ ଆରମ୍ଭ ଓ ନୂଆ ଉତ୍ସବ ଆଗମନର ସମୟ । ହୋଲି ମଧ୍ୟ ବସନ୍ତକୁ ଉତ୍ସବ ଭାବେ ପାଳନ କରିବାର ଏକ ପରମ୍ପରା । ଯେତେବେଳେ ଆମେ ରଂଗ ସହ ହୋଲି ପାଳନ କରିଥାଉ, ସେହି ସମୟ ବସନ୍ତ ମଧ୍ୟ ଆମ ଚତୁର୍ଦିଗରେ ନୂତନ ରଙ୍ଗ ବୁଣିଦେଇଥାଏ । ଏହି ସମୟରେ ଫୁଲ ଫୁଟି ବାସ ଚହଟିବା ଆରମ୍ଭ ହୁଏ ଏବଂ ପ୍ରକୃତି ଜୀବନ୍ତ ହୋଇଉଠେ । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଖୁବ୍‌ଶୀଘ୍ର ନୂଆବର୍ଷ ମଧ୍ୟ ପାଳନ କରାଯିବ । ସେ ଉଗାଦି ହେଉ ବା ପୁଥଣ୍ଡୁ, ଗୁଡ଼ିପଡ଼ୱା ହେଉ ଅବା ବିହୁ, ନବରହେ ହେଉ ବା ପୋଇଲା ବା ପୁଣି ବୋଇଶାଖ ହେଉ ବା ବୈଶାଖୀ - ପୁରା ଦେଶ ଆନନ୍ଦ ଉତ୍ସାହ ଏବଂ ନୂତନ ଆଶାର ରଙ୍ଗରେ ଉଚ୍ଛୁଳୁଥାଏ । ଏହି ସମୟରେ କେରଳରେ ବି ଖୁବ୍ ସୁନ୍ଦର ପର୍ବ ବିଶୁ ପାଳନ କରାଯାଏ । ଏହାପରେ ଖୁବ୍‌ଶୀଘ୍ର ଚୈତ୍ର ନବରାତ୍ରିର ପବିତ୍ର ଅବସର ଆସିଯିବ । ଚୈତ୍ରମାସର ନବମ ଦିନରେ ଆମର ଏଠି ରାମନବମୀ ପର୍ବ ଅନୁଷ୍ଠିତ ହୋଇଥାଏ । ଏହାକୁ ଭଗବାନ ରାମଙ୍କ ଜନ୍ମ ଉତ୍ସବ ସହ ନ୍ୟାୟ ଏବଂ ପରାକ୍ରମର ଏକ ନୂତନ ଯୁଗର ପ୍ରାରମ୍ଭ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ସର୍ବତ୍ର ଖୁବ୍ ଧୁମ୍‌ଧାମ୍‌ରେ ଭକ୍ତିଭାବପୂର୍ଣ୍ଣ ପବିତ୍ର ପରିବେଶ ସୃଷ୍ଟି ହୋଇଥାଏ । ଯାହାକି ଲୋକମାନଙ୍କୁ ଆହୁରି ନିକଟତର କରିଥାଏ, ପରିବାର ଏବଂ ସମାଜକୁ ସଂଯୁକ୍ତ କରିଥାଏ, ପରସ୍ପରର ସମ୍ପର୍କକୁ ମଜବୁତ କରେ । ଏହି ଉତ୍ସବଗୁଡ଼ିକ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଉଛି ।

ବନ୍ଧୁଗଣ,

୪ ଏପ୍ରିଲରେ ଦେଶ ଇଷ୍ଟର୍ ମଧ୍ୟ ପାଳନ କରିବ । ଯୀଶୁଖ୍ରୀଷ୍ଟଙ୍କ ପୁନର୍ଜୀବନ ଉତ୍ସବ ରୂପେ ଇଷ୍ଟର ପର୍ବ ପାଳନ କରାଯାଏ । ପ୍ରତୀକାତ୍ମକ ଭାବେ କହିଲେ ଇଷ୍ଟର ଜୀବନର ନୂତନ ଆରମ୍ଭ ସହ ଜଡ଼ିତ । ଇଷ୍ଟର ଆଶାର ପୁନର୍ଜୀବିତ ହେବାର ପ୍ରତୀକ ଅଟେ । On this holy and auspicious occasion, I greet not only the Christian Community in India, but also Christians globally.

ମୋର ପ୍ରିୟ ଦେଶବାସୀଗଣ,

ଆଜି "ମନ୍ କୀ ବାତ୍‌'ରେ ଆମେ ‘ଅମୃତ ମହୋତ୍ସବ’ ଓ ଦେଶ ପାଇଁ ନିଜ କର୍ତ୍ତବ୍ୟ ସମ୍ପର୍କରେ କଥା ହେଲେ । ଆମେ ଅନ୍ୟ ପର୍ବପର୍ବାଣୀ ଓ ଉତ୍ସବ ସମ୍ପର୍କରେ ମଧ୍ୟ ଆଲୋଚନା କଲେ । ଏହାରି ମଧ୍ୟରେ ଆଉ ଏକ ପର୍ବ ଆସିବାର ଅଛି, ଯାହା ଆମ ସାମ୍ବିଧାନିକ ଅଧିକାର ଓ କର୍ତବ୍ୟକୁ ସ୍ମରଣ କରାଇ ଦେଇଥାଏ । ତାହା ହେଉଛି ୧୪ ଏପ୍ରିଲ - ଡକ୍ଟର ବାବାସାହେବ ଅମ୍ବେଦକରଙ୍କ ଜନ୍ମଜୟନ୍ତୀ । ଏଥର ‘ଅମୃତ ମହୋତ୍ସବ’ରେ ତ ଏହା ଆହୁରି ସ୍ୱତନ୍ତ୍ର ହୋଇଯାଇଛି । ମୋର ବିଶ୍ୱାସ ଯେ ବାବାସାହେବଙ୍କ ଏହି ଜୟନ୍ତୀକୁ ଆମେ ନିଶ୍ଚିତ ରୂପେ ସ୍ମରଣୀୟ କରିବା, ନିଜ କର୍ତ୍ତବ୍ୟ ପାଳନ କରିବାର ସଙ୍କଳ୍ପ ନେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା । ଏହି ବିଶ୍ୱାସ ସହ, ଆପଣ ସମସ୍ତଙ୍କୁ ପର୍ବ ଉତ୍ସବ ପାଇଁ ପୁଣିଥରେ ଶୁଭକାମନା ଜଣାଉଛି । ଆପଣ ସମସ୍ତେ ଖୁସି ରୁହନ୍ତୁ, ସୁସ୍ଥ ରହନ୍ତୁ ଓ ପର୍ବଗୁଡ଼ିକର ଖୁବ୍ ମଜା ନିଅନ୍ତୁ । ଏହି କାମନା ସହ ପୁଣିଥରେ ମନେ ପକାଇ ଦେଉଛି "ଦବାଇ ଭି - କଡ଼ାଇ ଭି' । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How ODOP is helping Pratapgarh turn its amla into a bigger business

Media Coverage

How ODOP is helping Pratapgarh turn its amla into a bigger business
NM on the go

Nm on the go

Always be the first to hear from the PM. Get the App Now!
...
PM to participate in Valedictory Session of Departmental Summit on Water Security on 2nd September
September 01, 2026
This marks the first in a series of Summits envisioned by Prime Minister to strengthen spirit of Team India and deepen cooperative federalism
Summit brings together Centre and States to deliberate on priorities and evolve time-bound action plans
The summit will focus on timely implementation of water infrastructure projects, Jal Sanchay Jan Bhagidari, drinking water source sustainability and JJM 2.0.

Prime Minister Shri Narendra Modi will participate in the valedictory session of Departmental Summit of Ministry of Jal Shakti on 2nd September 2026 at around 4:30 PM at Sushma Swaraj Bhawan, New Delhi. He will also address the gathering on the occasion.

The two-day Departmental Summit, being held on 1-2 September 2026, is the first in a series of Departmental Summits envisioned by Prime Minister to strengthen the spirit of Team India, deepen cooperative federalism and foster collective ownership of national priorities through closer collaboration between the Centre and the States. The initiative provides a structured platform to jointly deliberate on critical sectoral priorities and accelerate implementation and outcomes.

The Summit will bring together political leadership and senior officials from the Union and State Governments to deliberate on key priorities, share best practices, address implementation challenges and evolve time-bound action plans. The initiative seeks to promote shared responsibility for national goals and ensure that deliberations translate into measurable improvements in governance and service delivery.

The Summit will focus on four key areas:

  1. Timely implementation of water infrastructure projects
  2. Jal Sanchay Jan Bhagidari - Catch the Rain
  3. Source sustainability of drinking water systems
  4. Operation and maintenance of rural drinking water supply schemes under Jal Jeevan Mission 2.0

The consultations are expected to result in concrete and time-bound actions for accelerating water infrastructure projects, enhancing public participation in water conservation, ensuring sustainable drinking water sources and improving the reliability and accountability of rural drinking water services.