ଆଜି 'ଜାତୀୟ ମତଦାତା ଦିବସ'ରେ ମୁଁ ପୁଣି ଥରେ ମୋର ଯୁବ ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ 18 ବର୍ଷ ବୟସରେ ନିଜକୁ ଭୋଟର ଭାବେ ପଞ୍ଜୀକୃତ କରନ୍ତୁ : ପ୍ରଧାନମନ୍ତ୍ରୀ ମୋଦୀ
ଆଜି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ
ଆସନ୍ତୁ ଆମେ ଯାହା ଉତ୍ପାଦନ କରୁଛନ୍ତି ତାହାର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ସଂକଳ୍ପ ନେବା । ଆମର ବୟନ ହେଉ, ଆମର ପ୍ରଯୁକ୍ତି ହେଉ କିମ୍ବା ଇଲେକ୍ଟ୍ରୋନିକ୍ସ ହେଉ ... ଏପରିକି ପ୍ୟାକେଜିଂ ମଧ୍ଯ: ପ୍ରଧାନମନ୍ତ୍ରୀ ମୋଦୀ
ଆଜମଗଡ଼ ହେଉ, ଅନନ୍ତପୁର ହେଉ କିମ୍ବା ଦେଶର ଅନ୍ୟ କୌଣସି ସ୍ଥାନରେ, ଲୋକମାନେ ଏକଜୁଟ ହୋଇ କର୍ତ୍ତବ୍ୟ ଭାବନା ସହିତ ବଡ଼ ସଂକଳ୍ପ ପୂରଣ କରୁଥିବା ଦେଖିବା ଆନନ୍ଦଦାୟକ: ପ୍ରଧାନମନ୍ତ୍ରୀ ମୋଦୀ
ଆଜିର ଯୁବପିଢ଼ି ସେମାନଙ୍କ ଅଭିଜ୍ଞତା ଓ ଜୀବନଶୈଳୀରେ ଭକ୍ତିର ଭାବନାକୁ ସାମିଲ କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
ବିଶ୍ୱର କୋଣ ଅନୁକୋଣରେ ଭାରତୀୟ ପର୍ବପର୍ବାଣୀ ଅତ୍ୟନ୍ତ ଉତ୍ସାହ ଏବଂ ଆନନ୍ଦର ସହିତ ପାଳନ କରାଯାଏ: ପ୍ରଧାନମନ୍ତ୍ରୀ ମୋଦୀ
ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହ୍ୟାନ ମୋତେ ଜଣାଇଛନ୍ତି ଯେ ୟୁଏଇ 2026 କୁ ପରିବାରର ବର୍ଷ ଭାବରେ ପାଳନ କରୁଛି: ପ୍ରଧାନମନ୍ତ୍ରୀ ମୋଦୀ
'ଏକ ପେଡ୍ ମା କେ ନାମ' ଅଭିଯାନ ମାଧ୍ୟମରେ ଦେଶରେ ଏପର୍ଯ୍ୟନ୍ତ 200 କୋଟିରୁ ଅଧିକ ଗଛ ଲଗାଯାଇଛି: ପ୍ରଧାନମନ୍ତ୍ରୀ ମୋଦୀ
ମିଲେଟ (ଶ୍ରୀ ଅନ୍ନ) କେବଳ ଚାଷୀଙ୍କ ଆୟ ବୃଦ୍ଧି କରେ ନାହିଁ ବରଂ ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାର ମଧ୍ୟ ଗ୍ୟାରେଣ୍ଟି ଦେଉଛି: ପ୍ରଧାନମନ୍ତ୍ରୀ ମୋଦୀ
ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଶେଷ କରି ଟେକ୍ନୋଲୋଜି କ୍ଷେତ୍ରର ବିଶେଷଜ୍ଞମାନେ ଏହି ସମ୍ମିଳନୀ ପାଇଁ ଭାରତ ଆସିବେ: ପ୍ରଧାନମନ୍ତ୍ରୀ ମୋଦୀ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।

୨୦୨୬ର ଏହା ପ୍ରଥମ ‘ମନ୍ କି ବାତ୍’ । ଆସନ୍ତା କାଲି ଜାନୁଆରୀ ୨୬ ଦିନ ଆମେ ସମସ୍ତେ ସାଧାରଣତନ୍ତ୍ର ଦିବସ ପର୍ବ ପାଳନ କରିବା । ଏହି ଦିନ ଆମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଜାନୁଆରୀ ୨୬ ତାରିଖର ଏହି ଦିନଟି ଆମକୁ ସମ୍ବିଧାନ ନିର୍ମାତାମାନଙ୍କୁ ପ୍ରଣିପାତ କରିବାର ସୁଯୋଗ ଦେଇଥାଏ । ଜାନୁୟାରୀ ୨୫ର ଆଜିର ଦିନଟି ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଆଜି ହେଉଛି National Voter’s Day ବା ଜାତୀୟ ମତଦାତା ଦିବସ । ମତଦାତା ହିଁ ଗଣତନ୍ତ୍ରର ଆତ୍ମା ।
ବନ୍ଧୁଗଣ, 
ସାଧାରଣତଃ, ଯେତେବେଳେ କେହି ୧୮ବର୍ଷ ବୟସରେ ପହଞ୍ଚି ଭୋଟର ହୁଅନ୍ତି, ଏହାକୁ ଜୀବନର ଏକ ସାଧାରଣ ପର୍ଯ୍ୟାୟ ଭାବରେ ବିବେଚନା କରାଯାଏ। କିନ୍ତୁ ବାସ୍ତବରେ ଏହି ଅବସର ଯେକୌଣସି ଭାରତୀୟର ଜୀବନର ବହୁତ ବଡ଼ ମାଇଲଖୁଣ୍ଟ ହୋଇଥାଏ । ତେଣୁ, ଆମ ଦେଶରେ ଭୋଟର ହେବା ପାଇଁ ଆମେ ଉତ୍ସବ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେପରି ଆମେ ଜନ୍ମଦିନର ଶୁଭକାମନା ଏବଂ ପାଳନ କରୁ, ସେହିପରି ଯେତେବେଳେ କୌଣସି ଯୁବକ ପ୍ରଥମ ଥର ପାଇଁ ଭୋଟର ହୁଅନ୍ତି, ସେତେବେଳେ ସମଗ୍ର ପଡ଼ୋଶୀ, ଗାଁ କିମ୍ବା ସହର ଏକାଠି ହୋଇ ତାଙ୍କୁ ଅଭିନନ୍ଦନ ଜଣାଇବା ଏବଂ ମିଠା ବଣ୍ଟନ କରିବା ଉଚିତ। ଏହା ଭୋଟଦାନ ବିଷୟରେ ସଚେତନତା ବୃଦ୍ଧି କରିବ ଏବଂ ଭୋଟର ହେବା କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଭାବନାକୁ ଆହୁରି ଦୃଢ଼ କରିବ।
ବନ୍ଧୁଗଣ, 
ଦେଶରେ ଯେଉଁମାନେ ନିର୍ବାଚନ ପ୍ରକ୍ରିୟା ସହିତ ଯୋଡ଼ିହୋଇ ରହିଥାନ୍ତି, ଯେଉଁମାନେ ଆମ ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥାନ୍ତି, ମୁଁ ସେ ସମସ୍ତଙ୍କୁ ବହୁତ ପ୍ରଶଂସା କରିବାକୁ ଚାହେଁ । ଆଜି ‘ମତଦାତା ଦିବସ’ ଅବସରରେ ମୁଁ ଆମ ଯୁବବନ୍ଧୁମାନଙ୍କୁ ପୁଣିଥରେ ଅନୁରୋଧ କରୁଛି ଯେ, ୧୮ ବର୍ଷ ବୟସ ପୂରଣ ହେଲେ ସେମାନେ ମତଦାତା ରୂପେ ନିଜକୁ ନିଶ୍ଚିତ ଭାବେ ପଞ୍ଜୀକୃତ କରନ୍ତୁ । ସମ୍ବିଧାନ ପ୍ରତ୍ୟେକ ନାଗରିକଠାରୁ ଯେଉଁ କର୍ତ୍ତବ୍ୟ ଭାବନା ପାଳନର ଆଶା ରଖିଛି, ଏହାଦ୍ୱାରା ସେହି ଆଶା ମଧ୍ୟ ପୂରଣ ହେବ ଏବଂ ଭାରତର ଗଣତନ୍ତ୍ର ମଧ୍ୟ ସୁଦୃଢ଼ ହେବ ।
ମୋର ପ୍ରିୟ ଦେଶବାସୀଗଣ, 
ଆଜିକାଲି ମୁଁ ସାମାଜିକ ଗଣମାଧ୍ୟମରେ ଗୋଟିଏ ଆକର୍ଷଣୀୟ ଟ୍ରେଣ୍ଡ ଦେଖୁଛି । ଲୋକେ ୨୦୧୬ର ନିଜ ସ୍ମୃତିକୁ ପୁଣିଥରେ ସତେଜ କରୁଛନ୍ତି । ସେହି ଭାବନା ସହିତ ଆଜି ମୁଁ ମଧ୍ୟ ଆପଣମାନଙ୍କ ସହ ମୋର ଗୋଟିଏ ସ୍ମୃତି ବାଣ୍ଟିବାକୁ ଚାହୁଁଛି । ଦଶବର୍ଷ ପୂର୍ବେ ଜାନୁୟାରୀ ୨୦୧୬ରେ ଆମେ ଗୋଟିଏ ମହତ୍ତ୍ୱାକାଂକ୍ଷୀ ଯାତ୍ରା ଆରମ୍ଭ କରିଥିଲୁ । ସେତେବେଳେ ଏକଥା ଆମେ ଜାଣିଥିଲୁ ଯେ, ଏହି ଯାତ୍ରା ଛୋଟ ହେଉନା କାହିଁକି କିନ୍ତୁ ଯୁବପିଢ଼ୀ ପାଇଁ, ଦେଶର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେତେବେଳେ କିଛି ଲୋକ ଏକଥା ବୁଝି ମଧ୍ୟ ପାରିନଥିଲେ ଯେ ପ୍ରକୃତରେ ଏହା କ’ଣ ? ବନ୍ଧୁଗଣ, ମୁଁ ଯେଉଁ ଯାତ୍ରା କଥା କହୁଛି, ତାହା ହେଉଛି ଷ୍ଟାର୍ଟଅପ୍ ଇଣ୍ଡିଆ ଯାତ୍ରା । ଏହି ଚମତ୍କାର ଯାତ୍ରାର ହିରୋମାନେ ହେଉଛନ୍ତି ଆମ ଯୁବବନ୍ଧୁମାନେ । ନିଜର ଆରାମଦାୟକ କ୍ଷେତ୍ରରୁ ବାହାରି ସେମାନେ ଯେଉଁ ନୂତନତ୍ୱ ଆଣିଥିଲେ, ତାହା ଇତିହାସରେ ଲିପିବଦ୍ଧ ହେଉଛି।
ବନ୍ଧୁଗଣ, 
ଆଜି, ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଏହି ଷ୍ଟାର୍ଟ-ଅପ୍ ଗତାନୁଗତିକ ପନ୍ଥାଠାରୁ ଭିନ୍ନ । ଆଜି ସେମାନେ ଏଭଳି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଯାହା ବିଷୟରେ ୧୦ ବର୍ଷ ପୂର୍ବେ କଳ୍ପନା କରିବା ମଧ୍ୟ ଅସମ୍ଭବ ଥିଲା । ଆପଣ ଏଆଇ, ମହାକାଶ, ପରମାଣୁ ଶକ୍ତି, ଅର୍ଦ୍ଧପରିବାହୀ, ଗତିଶୀଳତା, ସବୁଜ ହାଇଡ୍ରୋଜେନ, ଜୈବ ପ୍ରଯୁକ୍ତିବିଦ୍ୟାର କଥା କୁହନ୍ତୁ; କୌଣସି ନା କୌଣସି ଭାରତୀୟ ଷ୍ଟାର୍ଟ-ଅପ୍ ସେହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିବ । ମୁଁ ମୋର ସେହି ସମସ୍ତ ଯୁବବନ୍ଧୁମାନଙ୍କୁ ସାଲ୍ୟୁଟ କରୁଛି, ଯେଉଁମାନେ କୌଣସି ନା କୌଣସି ଷ୍ଟାର୍ଟ-ଅପ୍ ସହିତ ଜଡ଼ିତ କିମ୍ବା ନିଜ ଷ୍ଟାର୍ଟ-ଅପ୍ ଆରମ୍ଭ କରିବାକୁ ଚାହୁଁଛନ୍ତି ।
ବନ୍ଧୁଗଣ,
ଆଜି ‘ମନ୍ କି ବାତ୍’ ମାଧ୍ୟମରେ ମୁଁ ଦେଶବାସୀଙ୍କୁ ବିଶେଷକରି ଶିଳ୍ପ ଏବଂ ଷ୍ଟାର୍ଟ-ଅପ୍ ସହ ଜଡ଼ିତ ଯୁବବନ୍ଧୁମାନଙ୍କୁ ନିଶ୍ଚିତ ଭାବେ ଗୋଟିଏ ଅନୁରୋଧ କରିବାକୁ ଚାହୁଁଛି । ଭାରତର ଅର୍ଥନୀତି ଦ୍ରୁତଗତିରେ ଅଗ୍ରସର ହେଉଛି । ଭାରତ ଉପରେ ସାରା ବିଶ୍ୱର ଦୃଷ୍ଟି ରହିଛି । ଏଭଳି ସମୟରେ ଆମ ସମସ୍ତଙ୍କ ଉପରେ ଗୋଟିଏ ବଡ଼ ଦାୟିତ୍ୱ ମଧ୍ୟ ରହିଛି । ସେହି ଦାୟିତ୍ୱଟି ହେଉଛି – ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାର । ହେବ ତ, ଚାଲିଛି, ଚଳିବ – ଏହି ଯୁଗ ସରିଗଲା, ଆସନ୍ତୁ, ଏ ବର୍ଷ ଆମେ ସମ୍ପୂର୍ଣ୍ଣ ଶକ୍ତି ସହ ଗୁଣବତ୍ତାକୁ ଅଗ୍ରାଧିକାର ଦେବା । ଆମ ସମସ୍ତଙ୍କର ଗୋଟିଏ ମନ୍ତ୍ର ହେଉ ଗୁଣବତ୍ତା, ଗୁଣବତ୍ତା ଆଉ କେବଳ ଗୁଣବତ୍ତା । କାଲି ଅପେକ୍ଷା ଆଜି ଭଲ ଗୁଣବତ୍ତା। ଆମେ ଯାହା ବି ତିଆରି କରୁଛୁ, ତା’ର ଗୁଣବତ୍ତାକୁ ଆହୁରି ଭଲ କରିବା ପାଇଁ ସଂକଳ୍ପ ନେବା । ଆମର ବୟନଶିଳ୍ପ, ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ, କିମ୍ବା ପ୍ୟାକେଜିଂ ହେଉ, ଏକ ଭାରତୀୟ ଉତ୍ପାଦର ଅର୍ଥ ଉଚ୍ଚ ଗୁଣବତ୍ତା ହେବା ଉଚିତ। ଆସନ୍ତୁ ଉତ୍କର୍ଷତାକୁ ଆମର ମାନଦଣ୍ଡ କରିବା। ଆସନ୍ତୁ ଗୁଣବତ୍ତା ସହିତ କୌଣସି ସାଲିସ ନ କରିବାକୁ ସଂକଳ୍ପ ନେବା, ଏବଂ ମୁଁ ଲାଲକିଲ୍ଲାରୁ ମଧ୍ୟ ଘୋଷଣା କରିଥିଲି, "ଶୂନ୍ୟ ତ୍ରୁଟି - ଶୂନ୍ୟ ପ୍ରଭାବ।" ଏଭଳି କରି ହିଁ ଆମେ ବିକଶିତ ଭାରତର ଯାତ୍ରାକୁ ଦ୍ରୁତଗତିରେ ଆଗେଇ ନେଇପାରିବା ।
ମୋର ପ୍ରିୟ ଦେଶବାସୀଗଣ, 
ଆମ ଦେଶରେ ଲୋକ ବହୁତ ଅଭିନବ। ସମସ୍ୟାଗୁଡ଼ିକର ସମାଧାନ ଖୋଜିବା ଆମ ଦେଶବାସୀଙ୍କ ସ୍ୱଭାବ । କିଛିଲୋକ ଏହି କାମ ଷ୍ଟାର୍ଟ-ଅପ୍‌ଗୁଡ଼ିକ ମାଧ୍ୟମରେ କରୁଛନ୍ତି, ତ କିଛି ଲୋକ ସମାଜର ସାମୂହିକ ଉଦ୍ୟମ ଦ୍ୱାରା ରାସ୍ତା ବାହାର କରିବାର ପ୍ରଚେଷ୍ଟା କରୁଛନ୍ତି । ଏଭଳି ଏକ ପ୍ରଚେଷ୍ଟା ଉତ୍ତରପ୍ରଦେଶର ଆଜମଗଢ଼ରେ ଦେଖିବାକୁ ମିଳିଛି । ଏହି ସ୍ଥାନ ଦେଇ ବହିଯାଉଥିବା ତମସା ନଦୀକୁ ଲୋକେ ନୂଆ ଜୀବନ ପ୍ରଦାନ କରିଛନ୍ତି । ତମସା କେବଳ ଏକ ନଦୀ ନୁହେଁ, ବରଂ ଆମର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟର ଜୀବନ୍ତ ଧାରା । ଅଯୋଧ୍ୟାରୁ ବାହାରି ଗଙ୍ଗାରେ ମିଶୁଥିବା ଏହି ନଦୀ ଦିନେ ଏହି କ୍ଷେତ୍ରର ଲୋକଙ୍କ ଜୀବନଯାପନର ଆଧାର ଥିଲା, କିନ୍ତୁ ପ୍ରଦୂଷଣ ଯୋଗୁଁ ଏହାର ନିରବଚ୍ଛିନ୍ନ ଧାରାରେ ବାଧା ସୃଷ୍ଟି ହେବାରେ ଲାଗିଥିଲା । ପଟୁମାଟି, ଅଳିଆ ଆବର୍ଜନା ଏହି ନଦୀର ପ୍ରବାହକୁ ଅଟକାଇ ଦେଇଥିଲା । ଏହାପରେ ଏଠାକାର ଲୋକେ ଏହାକୁ ଏକ ନୂତନ ଜୀବନ ଦେବାର ଅଭିଯାନ ଆରମ୍ଭ କଲେ । ନଦୀକୁ ପରିଷ୍କାର କରାଗଲା ଏବଂ ଏହାର କୂଳରେ ଛାଇ ଏବଂ ଫଳ ପ୍ରଦାନ କରୁଥିବା ବୃକ୍ଷମାନ ରୋପଣ କରାଗଲା । ସ୍ଥାନୀୟ ଲୋକେ କର୍ତ୍ତବ୍ୟ ଭାବନା ସହ ଏହି କାମରେ ଲାଗିଲେ ଏବଂ ସମସ୍ତଙ୍କ ପ୍ରଚେଷ୍ଟା ଦ୍ୱାରା ନଦୀର ପୁନରୁଦ୍ଧାର ହୋଇଗଲା ।
ବନ୍ଧୁଗଣ, 
ଜନଭାଗିଦାରୀର ଏଭଳି ପ୍ରଚେଷ୍ଟା ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ମଧ୍ୟ ଦେଖିବାକୁ ମିଳିଛି । ଏହା ସେହି କ୍ଷେତ୍ର ଯାହା ମରୁଡ଼ିର ଉତ୍କଟ ସମସ୍ୟା ସହ ସଂଘର୍ଷ କରିଆସିଛି । ଏଠାକାର ମାଟି ଲାଲ ଏବଂ ବାଲିଆ । ତେଣୁ ଲୋକଙ୍କୁ ଜଳାଭାବର ସମ୍ମୁଖୀନ ହେବାକୁ ପଡିଥାଏ । ଏଠାକାର ଅନେକ ଅଞ୍ଚଳରେ ଦୀର୍ଘଦିନ ଧରି ବର୍ଷା ହୋଇନଥାଏ । ଅନେକଥର ତ ଲୋକେ ଅନନ୍ତପୁରର ପରିସ୍ଥିତିକୁ ମରୁଭୂମି ସହ ତୁଳନା କରିଥାନ୍ତି । ବନ୍ଧୁଗଣ ଏ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ ଜଳାଶୟଗୁଡ଼ିକୁ ପରିଷ୍କାର କରିବାକୁ ସଂକଳ୍ପ ଗ୍ରହଣ କଲେ । ତା’ପରେ ପ୍ରଶାସନର ସହଯୋଗରେ ଏଠାରେ ‘ଅନନ୍ତ ନୀରୁ ସଂରକ୍ଷଣମ୍ ପ୍ରୋଜେକ୍ଟ’ ଆରମ୍ଭ ହେଲା । ଏହି ପ୍ରଚେଷ୍ଟାରେ ୧୦ରୁ ଅଧିକ ଜଳାଶୟକୁ ଜୀବନଦାନ ମିଳିଲା । ସେହି ଜଳାଶୟଗୁଡ଼ିକରେ ଏବେ ପାଣି ଭର୍ତ୍ତି ହେବାରେ ଲାଗିଛି । ଏହା ସହିତ ୭,୦୦୦ରୁ ଅଧିକ ଗଛ ମଧ୍ୟ ଲଗାଯାଇଛି । ଅର୍ଥାତ୍ ଅନନ୍ତପୁରରେ ଜଳ ସଂରକ୍ଷଣ ସହିତ ସବୁଜିମା ମଧ୍ୟ ବୃଦ୍ଧି ପାଇଛି । ଏଠାରେ ପିଲାମାନେ ଏବେ ସନ୍ତରଣର ମଜା ମଧ୍ୟ ନେଇପାରିବେ । କହିବାକୁ ଗଲେ ଏଠାକାର ସମ୍ପୂର୍ଣ୍ଣ ଇକୋ-ସିଷ୍ଟମ୍ ପୁଣିଥରେ ସରସ ସୁନ୍ଦର ହୋଇଯାଇଛି ।
ବନ୍ଧୁଗଣ, 
ଆଜମଗଡ଼ ହେଉ ବା ଅନନ୍ତପୁର ବା ଦେଶର ଅନ୍ୟ କୌଣସି ସ୍ଥାନ ହେଉ, କିନ୍ତୁ ମୋତେ ଦେଖି ବଡ଼ ଆନନ୍ଦ ଲାଗେ ଯେତେବେଳେ ଲୋକମାନେ ଏକାଠି ହୋଇ କର୍ତ୍ତବ୍ୟନିଷ୍ଠ ଭାବେ ବଡ଼ ଲକ୍ଷ୍ୟ ହାସଲ କରନ୍ତି । ଲୋକମାନଙ୍କର ଭାଗିଦାରୀ ଏବଂ ସାମୂହିକତାର ଏହି ଭାବନା ହିଁ ଆମ ଦେଶର ସବୁଠାରୁ ବଡ଼ ଶକ୍ତି ।
ମୋର ପ୍ରିୟ ଦେଶବାସୀଗଣ, 
ଆମ ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଭଜନ-କୀର୍ତ୍ତନ ଆମ ସଂସ୍କୃତିର ଆତ୍ମା ହୋଇଆସିଛି । ଆମେ ମନ୍ଦିରରେ ଭଜନ ଶୁଣିଛୁ, ବିଭିନ୍ନ କଥା ଶୁଣିଛୁ ଏବଂ ପ୍ରତି ପର୍ଯ୍ୟାୟରେ ଭକ୍ତିକୁ ଆମ ସମୟ ଅନୁଯାୟୀ ଅନୁଭବ କରିଛୁ । ଆଜିର ପିଢ଼ୀ ମଧ୍ୟ କିଛି ନୂତନ ଚମତ୍କାରିତା ଦେଖାଉଛି । ଆଜିର ଯୁବ ସମାଜ ଭକ୍ତିକୁ ନିଜର ଅନୁଭବ ଓ ଜୀବନଶୈଳୀରେ ବିନିଯୋଗ କରୁଛି । ଏହି ଭାବନାରେ ଏକ ନୂତନ ସାଂସ୍କୃତିକ ବାତାବରଣ ସୃଷ୍ଟି ହୋଇଛି । ଆପଣ ସୋସିଆଲ ମିଡିଆରେ ଏପରି ଭିଡ଼ିଓ ନିଶ୍ଚିତ ଭାବେ ଦେଖିଥିବେ । ଯୁବକମାନେ ଦେଶର ଭିନ୍ନ ଭିନ୍ନ ସହରରେ ଅଧିକ ସଂଖ୍ୟାରେ ଏକାଠି ହେଉଛନ୍ତି । ମଞ୍ଚସଜା, ଆଲୋକସଜା, ସଙ୍ଗୀତ ସବୁକିଛି ବଡ଼ ଧୂମଧାମରେ ଚାଲିଛି । ସମ୍ପୂର୍ଣ୍ଣ ପରିବେଶ କୌଣସି କନସର୍ଟରୁ ବି କମ୍ ନୁହେଁ । ସତେଯେମିତି ଗୋଟେ ବହୁତ ବଡ଼ କନସର୍ଟ ଚାଲିଛି କିନ୍ତୁ ସେଠି ଯାହା ଗାନ କରାଯାଉଛି ତାହା ପୁରା ତନ୍ମୟତା, ନିଷ୍ଠା ଓ ଲୟର ସହିତ ଭଜନର ପ୍ରତିଧ୍ୱନି । ଆଜିକାଲି ଏହାକୁ ‘ଭଜନ କ୍ଲବିଙ୍ଗ’ କୁହାଯାଉଛି । ଏହା ବିଶେଷ ଭାବେ ଜେନ୍-ଜିମାନଙ୍କ ଭିତରେ ତୀବ୍ରଗତିରେ ଲୋକପ୍ରିୟ ହେଉଛି । ଏହାଦେଖି ଖୁସି ଲାଗୁଛି ଯେ ଏହିସବୁ ଆୟୋଜନରେ ଭଜନର ମାହାତ୍ମ୍ୟ ଓ ପବିତ୍ରତା ପ୍ରତି ଭଲଭାବେ ଧ୍ୟାନ ଦିଆଯାଉଛି । ଭକ୍ତିକୁ ହାଲୁକା ରୂପେ ଗ୍ରହଣ କରାଯାଉନି । ଏଥିରେ ନା ଶବ୍ଦର ମର୍ଯ୍ୟାଦା ନଷ୍ଟ ହେଉଛି; ନା ଭାବର । ମଞ୍ଚ ଆଧୁନିକ ହୋଇପାରେ, ସଙ୍ଗୀତର ପ୍ରସ୍ତୁତି ଭିନ୍ନ ହୋଇପାରେ କିନ୍ତୁ ମୂଳ ଭାବନା ଯାହା ଥିଲା ସେୟା ହିଁ ରହିଛି । ସେଠାରେ ଆଧ୍ୟାତ୍ମିକତାର ନିରନ୍ତର ପ୍ରବାହ ଚାଲିଛି ।
ମୋର ପ୍ରିୟ ଦେଶବାସୀଗଣ, 
ଆଜି ଆମର ସଂସ୍କୃତି ଓ ଉତ୍ସବ ସମ୍ପୂର୍ଣ୍ଣ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଛି । ଦୁନିଆର ପ୍ରତିଟି କୋଣରେ ଭାରତର ଉତ୍ସବଗୁଡ଼ିକ ବଡ଼ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି । ଏହିଭଳି ସାଂସ୍କୃତିକ ସ୍ପନ୍ଦନକୁ ବଜାୟ ରଖିବା ପାଇଁ ଆମ ଭାରତୀୟ ଭାଇ-ଭଉଣୀମାନଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସେମାନେ ଯେଉଁଠି ବା ଥାଆନ୍ତୁ, ନିଶ୍ଚିତ ଭାବରେ ନିଜ ସଂସ୍କୃତିର ମୂଳ ଭାବନାକୁ ସଂରକ୍ଷିତ କରି ତାକୁ ଆଗକୁ ବଢ଼ାଉଛନ୍ତି । ମାଲେସିଆରେ ମଧ୍ୟ ଏହାକୁ ନେଇ ଆମ ଭାରତୀୟ ସମୁଦାୟ ବହୁ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଆପଣ ଏହାଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାଲେସିଆରେ ୫୦୦ରୁ ଅଧିକ ତାମିଲ ସ୍କୁଲ ଅଛି । ଏଠାରେ ତାମିଲ ଭାଷା ପଢ଼ାହେବା ସହିତ ଅନ୍ୟ ବିଷୟଗୁଡ଼ିକ ମଧ୍ୟ ତାମିଲରେ ପଢ଼ାଯାଉଛି । ଏହାବ୍ୟତୀତ ଏଠାରେ ତେଲୁଗୁ ଓ ପଞ୍ଜାବୀ ସହିତ ଅନ୍ୟ ଭାରତୀୟ ଭାଷାଗୁଡ଼ିକ ଉପରେ ବହୁତ ଧ୍ୟାନ ଦିଆଯାଉଛି ।
ବନ୍ଧୁଗଣ, 
ଭାରତ ଓ ମାଲେସିଆ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଗୋଟିଏ ସମାଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାର ନାମ ହେଲା – 'ମାଲେସିଆ ଇଣ୍ଡିଆ ହେରିଟେଜ୍ ସୋସାଇଟି'। ବିଭିନ୍ନ କାର୍ଯ୍ୟକ୍ରମ ସହିତ ଏହି ସଂସ୍ଥା ଗୋଟିଏ ଐତିହ୍ୟ ପଦଯାତ୍ରା ମଧ୍ୟ ଆୟୋଜନ କରେ । ଏଥିରେ ଉଭୟ ଦେଶକୁ ପରସ୍ପର ସହ ଯୋଡ଼ିବା ପାଇଁ ସାଂସ୍କୃତିକ ସ୍ଥଳଗୁଡ଼ିକୁ Cover କରାଯାଉଛି । ଗତମାସରେ ମାଲେସିଆରେ ‘ନାଲି ଧଡ଼ି ଶାଢ଼ୀ’ ପଦଯାତ୍ରା ଆୟୋଜନ ହୋଇଥିଲା । ବେଙ୍ଗଲର ଏହି ଶାଢ଼ୀର ଆମ ସଂସ୍କୃତି ସହିତ ବିଶେଷ ସମ୍ପର୍କ ରହିଛି । ଏହି କାର୍ଯ୍ୟକ୍ରମରେ ଏହି ଶାଢ଼ୀକୁ ସର୍ବାଧିକ ସଂଖ୍ୟାରେ ପିନ୍ଧାଯାଇଥିବାର ରେକର୍ଡ ରହିଛି, ଯାହାକୁ ମାଲେସିଆନ୍ ବୁକ୍ ଅଫ୍ ରେକର୍ଡସ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅବସରରେ ଓଡ଼ିଶୀ ନୃତ୍ୟ ଓ ବାଉଲ୍ ସଙ୍ଗୀତ ଲୋକମାନଙ୍କର ମନପ୍ରାଣ କିଣିନେଇଛି । ମୁଁ କହିପାରିବି –
ସାୟା ବରବାଙ୍ଗା / ଦେଙ୍ଗାନ ଡାୟାସ୍ପୋରା ଇଣ୍ଡିଆ / ଦି ମଲେସିୟା /
ମେରେକା ମମ୍ବାବା / ଇଣ୍ଡିଆ ଦାନ ମଲେସିଆ /ସେମାକିନ ରାପା //
(ଓଡ଼ିଆ ଅନୁବାଦ - ମୁଁ ମାଲେସିଆରେ ଭାରତୀୟ ପ୍ରବାସୀମାନଙ୍କ ପାଇଁ ଗର୍ବିତ । ସେମାନେ ଭାରତ ଓ ମାଲେସିଆ ମଧ୍ୟରେ ଅଧିକ ନିକଟତର ସମ୍ପର୍କ ସୃଷ୍ଟି କରୁଛନ୍ତି)
ମାଲେସିଆରେ ଆମ ଭାରତବାସୀମାନଙ୍କୁ ମୋର ବହୁତ ବହୁତ ଶୁଭକାମନା ।
ମୋର ପ୍ରିୟ ଦେଶବାସୀଗଣ, 
ଆମେ ଭାରତର ଯେକୌଣସି ଭାଗକୁ ଗଲେ ମଧ୍ୟ ସେଠାରେ ଆମକୁ କିଛି ନା କିଛି ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ଘଟଣା ନିଶ୍ଚିତ ଭାବେ ଦେଖାଯାଏ । ଅନେକ ସମୟରେ ଗଣମାଧ୍ୟମର ଚାକଚକ୍ୟ ଭିତରେ ଏକଥାଗୁଡ଼ିକ ସ୍ଥାନ ପାଇପାରେନି । କିନ୍ତୁ ଏଥିରୁ ଜଣାପଡ଼େ, ଆମ ସମାଜର ପ୍ରକୃତ ଶକ୍ତି କ’ଣ ? ଏଥିରୁ ଆମର ସେହି Value Systemsର ମଧ୍ୟ ଆଭାସ ପାଇଥାଉ ଯେଉଁଥିରେ ଏକତ୍ରିତ ହେବାର ଭାବନା ସର୍ବୋପରି । ଗୁଜୁରାଟରେ ବେଚରାଜୀଙ୍କର ଚନ୍ଦନ ଗାଁର ପରମ୍ପରା ସ୍ୱତଃ ସୁନ୍ଦର । ଯଦି ମୁଁ ଆପଣଙ୍କୁ କହେ, ଏଠାର ଲୋକମାନେ, ବିଶେଷକରି ବୟସ୍କମାନେ ନିଜ ଘରେ ଖାଦ୍ୟ ପ୍ରସ୍ତୁତ କରନ୍ତି ନାହିଁ ତେବେ ଆପଣ ଆଚମ୍ବିତ ହେବେ । ଏହାର କାରଣ ହେଲା, ଗାଁର ଚମତ୍କାର Community Kitchen। ଏହି Community Kitchenରେ ପୁରା ଗାଁର ଲୋକମାନଙ୍କ ପାଇଁ ଏକାବେଳେ ଖାଦ୍ୟ ରନ୍ଧାହୁଏ ଏବଂ ସମସ୍ତେ ଏକାଠି ବସି ଖାଆନ୍ତି । ଗତ ୧୫ ବର୍ଷ ହେଲା ଏହି ପରମ୍ପରା ନିରନ୍ତର ଚାଲିଆସିଛି । କେବଳ ଏତିକି ନୁହେଁ, ଯଦି କିଏ ଅସୁସ୍ଥ ହୁଏ ତେବେ ତା’ପାଇଁ ଟିଫିନ୍ ସେବାର ମଧ୍ୟ ବ୍ୟବସ୍ଥା ଅଛି; ଅର୍ଥାତ୍ ହୋମ ଡେଲିଭରିର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି । ଗାଁର ଏହି ସାମୂହିକ ଭୋଜନ ଦ୍ୱାରା ଲୋକମାନେ ବହୁତ ଆନନ୍ଦିତ ହୁଅନ୍ତି । ଏହି ପ୍ରୟାସ କେବଳ ଲୋକମାନଙ୍କୁ ପରସ୍ପର ସହିତ ଯୋଡ଼େନାହିଁ ବରଂ ଏହା ସେମାନଙ୍କ ମଧ୍ୟରେ ଏକ ପାରିବାରିକ ଭାବନାକୁ ମଧ୍ୟ ବୃଦ୍ଧି କରାଏ ।
ବନ୍ଧୁଗଣ, 
ଭାରତର ପରିବାର ବ୍ୟବସ୍ଥା – ପରିବାର ବ୍ୟବସ୍ଥା ଆମ ପରମ୍ପରାର ଏକ ଅଭିନ୍ନ ଅଙ୍ଗ । ବିଶ୍ୱର ଅନେକ ଦେଶରେ ଏହାକୁ ବହୁତ କୌତୁହଳ ସହ ଦେଖାଯାଏ । ଅନେକ ଦେଶରେ ଏଭଳି ପରିବାର ବ୍ୟବସ୍ଥାକୁ ନେଇ ବହୁତ ସମ୍ମାନର ଭାବ ରହିଥାଏ । କିଛିଦିନ ପୂର୍ବରୁ ମୋ ଭାଇ ୟୁଏଇ ମହାମହିମ ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ ଜାୟଦ ଅଲ ନାହୟାନ ଭାରତ ଆସିଥିଲେ । ସେ ମୋତେ କହିଲେ ଯେ ୟୁଏଇ, ବର୍ଷ ୨୦୨୬କୁ ୟିଅର୍ ଅଫ ଫ୍ୟାମିଲି ବା ପାରିବାର ବର୍ଷ ରୂପେ ପାଳନ କରୁଛି । ଏହାର ଉଦ୍ଦେଶ୍ୟ ହେଲା, ସେଠାକାର ଲୋକମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଓ ସାମୁଦାୟିକ ଭାବନା ଅଧିକରୁ ଅଧିକ ମଜଭୁତ ହେଉ । ବାସ୍ତବରେ ଏହା ଅତ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟ ।
ବନ୍ଧୁଗଣ, 
ଯେତେବେଳେ ପରିବାର ଓ ସମାଜର ଶକ୍ତି ଏକାଠି ହୁଏ ସେତେବେଳେ ଆମେ ବହୁତ ବଡ଼ ବଡ଼ ଆହ୍ୱାନକୁ ମଧ୍ୟ ପରାଜିତ କରିପାରୁ । ମୁଁ ଅନନ୍ତନାଗର ଶେଖଗୁଣ୍ଡ ଗାଁ କଥା ଶୁଣିଛି । ଏଠାରେ ଡ୍ରଗ, ତମାଖୁ, ସିଗାରେଟ ଓ ମଦର ସମସ୍ୟା ଅତ୍ୟଧିକ ବୃଦ୍ଧି ପାଇଥିଲା । ଏସବୁ ଦେଖି ଏଠାକାର ମୀରଜାଫର ଜୀ ଏତେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ ଯେ, ସେ ଏହି ସମସ୍ୟାର ନିରାକରଣ ପାଇଁ ସଂକଳ୍ପ ନେଲେ । ସେ ଗାଁର ଯୁବକମାନଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏକାଠି କଲେ । ତାଙ୍କର ଏହି ପଦକ୍ଷେପର ପ୍ରଭାବରେ ଦୋକାନୀମାନେ ତମାଖୁ ବିକ୍ରି କରିବା ବନ୍ଦ କରିଦେଲେ । ଏହି ପ୍ରଚେଷ୍ଟା ଫଳରେ ଡ୍ରଗର ବିପଦକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ବଢ଼ିଲା ।
ବନ୍ଧୁଗଣ, 
ଆମ ଦେଶରେ ଏଭଳି ଅନେକ ସଂସ୍ଥା ମଧ୍ୟ ଅଛନ୍ତି ଯେଉଁଗୁଡ଼ିକ ବର୍ଷ-ବର୍ଷ ଧରି ନିଃସ୍ୱାର୍ଥପର ଭାବେ ସମାଜସେବା କରିଆସୁଛନ୍ତି । ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରର ଫରୀଦପୁରରେ ଏଭଳି ଏକ ସଂସ୍ଥା ଅଛି, ଏହାର ନାମ ହେଲା – ‘ବିବେକାନନ୍ଦ ଲୋକ ଶିକ୍ଷା ନିକେତନ’ । ଏହି ସଂସ୍ଥା ଗତ ଚାରି ଦଶକରୁ ପିଲାମାନଙ୍କର ଏବଂ ବୟସ୍କ ଲୋକମାନଙ୍କର ସେବାଯତ୍ନରେ ନିୟୋଜିତ ରହିଛି । ଗୁରୁକୁଳ ପଦ୍ଧତିର ଶିକ୍ଷା ଏବଂ ଶିକ୍ଷକ ପ୍ରଶିକ୍ଷଣ ସହିତ ଏହି ସଂସ୍ଥା ସମାଜ କଲ୍ୟାଣର ଅନେକ ମହତ କାର୍ଯ୍ୟରେ ଲିପ୍ତ । ମୋର ଆଶା, ଏଭଳି ନିଃସ୍ୱାର୍ଥପର ସେବାଯତ୍ନର ମନୋଭାବ ଦେଶବାସୀଙ୍କ ମଧ୍ୟରେ ନିରନ୍ତର ଓ ଅଧିକ ସଶକ୍ତ ହେଉ ।
ମୋର ପ୍ରିୟ ଦେଶବାସୀଗଣ, 
‘ମନ୍ କି ବାତ୍’ରେ ଆମେ ନିରନ୍ତର ସ୍ୱଚ୍ଛତା ବିଷୟରେ ଆଲୋଚନା କରିଆସୁଛୁ । ମୋତେ ଏହାଦେଖି ଗର୍ବ ହୁଏ ଯେ ଆମର ଯୁବବର୍ଗ ନିଜ ଆଖପାଖର ସ୍ୱଚ୍ଛତାକୁ ନେଇ ବହୁତ ସଜାଗ ଅଛନ୍ତି । ଅରୁଣାଚଳ ପ୍ରଦେଶରେ ହୋଇଥିବା ଅନନ୍ୟ ପ୍ରୟାସ ବିଷୟରେ ମୁଁ ସୂଚନା ପାଇଲି । ଅରୁଣାଚଳ ହେଉଛି ସେହି ଭୂମି ଯେଉଁଠି ଦେଶରେ ସବୁଠାରୁ ପ୍ରଥମେ ସୂର୍ଯ୍ୟର କିରଣ ପହଞ୍ଚିଥାଏ । ଏଠାରେ ଲୋକମାନେ ପରସ୍ପରକୁ ‘ଜୟ ହିନ୍ଦ୍’ କହି ଅଭିବାଦନ ଜଣାଇଥାନ୍ତି । ଏଠାରେ ଇଟାନଗରର ଯୁବଗୋଷ୍ଠୀ ସେହି ଅଞ୍ଚଳର ସଫେଇ ନିମନ୍ତେ ଏକଜୁଟ ହେଲେ, ଯେଉଁଠାରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଥିଲା । ଏହି ଯୁବକମାନେ ଅଲଗା ଅଲଗା ସହରରେ ସାର୍ବଜନୀନ ସ୍ଥଳଗୁଡ଼ିକର ସଫାସୁତୁରାକୁ ନିଜର ଲକ୍ଷ୍ୟ ଭାବରେ ଗ୍ରହଣ କଲେ । ଏହାପରେ ଇଟାନଗର, ନାହରଲାଗୁନ, ଦୋଇମୁଖ, ସେପ୍ପା, ପାଲିନ୍ ଏବଂ ପାସିଘାଟରେ ମଧ୍ୟ ଏହି ଅଭିଯାନ ଚାଲିଲା । ଏହି ଯୁବକମାନେ ଏପର୍ଯ୍ୟନ୍ତ ପ୍ରାୟ ୧୧ ଲକ୍ଷ କିଲୋରୁ ଅଧିକ ଅଳିଆ ଆବର୍ଜନା ସଫେଇ କରିସାରିଛନ୍ତି । ତେବେ ଭାବନ୍ତୁ ବନ୍ଧୁଗଣ, ଯୁବକମାନେ ମିଶି ୧୧ ଲକ୍ଷ କିଲୋ ଅଳିଆ ଆବର୍ଜନା ହଟାଇଲେ ।
ବନ୍ଧୁଗଣ, 
ଆଉ ଏକ ଉଦାହରଣ ହେଉଛି ଆସାମର । ଆସାମର ନାଗାଓଁରେ ସେଠାକାର ପୁରୁଣା ଗଳିଗୁଡ଼ିକ ସହିତ ଲୋକମାନେ ଭାବନାତ୍ମକ ଭାବରେ ଯୋଡ଼ିହୋଇ ରହିଛନ୍ତି । ଏଠାରେ କିଛି ଲୋକ ନିଜ ଗଳିଗୁଡ଼ିକୁ ମିଶି ସଫା କରିବାର ସଂକଳ୍ପ ନେଲେ । ଧିରେ ଧିରେ ସେମାନଙ୍କ ସହିତ ଆହୁରି ଅଧିକ ଲୋକ ଯୋଡ଼ିହେଲେ । ଏହିପରି ଭାବେ ଏକ ଏପରି ଦଳ ତିଆରି ହୋଇଗଲା ଯିଏ ଗଳିଗୁଡ଼ିକରୁ ବହୁତଗୁଡ଼ିଏ ଅଳିଆ ହଟାଇଦେଲା । ବନ୍ଧୁଗଣ, ଏହିପରି ହିଁ ଏକ ଚେଷ୍ଟା ବେଙ୍ଗାଲୁରୁରେ ହେଉଛି । ବେଙ୍ଗାଲୁରୁରେ ସୋଫା ଅପଚୟ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି, ତେଣୁ କିଛି ବୃତ୍ତିଗତ ନିଜସ୍ୱ ଉପାୟରେ ଏହି ସମସ୍ୟାର ସମାଧାନ ପାଇଁ ଏକାଠି ହୋଇଛନ୍ତି।
ବନ୍ଧୁଗଣ, 
ଆଜି କେତେକ ସହରରେ ଏପରି କେତେକ ଦଳ ରହିଛନ୍ତି ଯେଉଁମାନେ ଲ୍ୟାଣ୍ଡଫିଲ୍ ବର୍ଜ୍ୟବସ୍ତୁ ପୁନଃଚକ୍ରଣରେ ନିୟୋଜିତ। ଚେନ୍ନାଇରେ ଏହିପରି ହିଁ ଏକ ଟିମ ବହୁତ ଭଲ କାମ କରିଛି । ଏହିପରି ଉଦାହରଣରୁ ଜଣାପଡ଼େ ଯେ, ସ୍ୱଚ୍ଛତା ସହିତ ଯୋଡ଼ିହୋଇଥିବା ପ୍ରତ୍ୟେକ ପ୍ରୟାସ କେତେ ମହତ୍ତ୍ୱପୂର୍ଣ୍ଣ । ଆମକୁ ସ୍ୱଚ୍ଛତା ପାଇଁ ବ୍ୟକ୍ତିଗତ ଭାବରେ କିମ୍ବା ଦଳଗତ ଭାବରେ ଆମର ଚେଷ୍ଟା ବଢ଼ାଇବା ଜରୁରୀ ତେବେ ହିଁ ଆମ ସହର ଆହୁରି ସୁନ୍ଦର ହୋଇପାରିବ ।
ମୋର ପ୍ରିୟ ଦେଶବାସୀଗଣ, 
ଯେତେବେଳେ ପରିବେଶ ସୁରକ୍ଷାର କଥା ଆସେ ସେତେବେଳେ ପ୍ରାୟ ଆମ ମନରେ ବଡ଼ ବଡ଼ ଯୋଜନା, ବଡ଼ ଅଭିଯାନ ଏବଂ ବଡ଼ ବଡ଼ ସଙ୍ଗଠନର କଥା ଆସେ । କିନ୍ତୁ ଅନେକ ବାର ଦେଖାଯାଏ ପରିବର୍ତ୍ତନର ଆରମ୍ଭ ବହୁତ ସାଧାରଣ ଭାବରେ ହୋଇଥାଏ । ଜଣେ ବ୍ୟକ୍ତି ଦ୍ୱାରା ଗୋଟିଏ ଅଞ୍ଚଳ ଦ୍ୱାରା ଗୋଟିଏ ପଦକ୍ଷେପ ଦ୍ୱାରା ଏବଂ ଲଗାତାର କରାଯାଉଥିବା ଛୋଟ ଛୋଟ ଚେଷ୍ଟା ଦ୍ୱାରା ମଧ୍ୟ ବଡ଼ ବଡ଼ ପରିବର୍ତ୍ତନ ଆସିଥାଏ । ପଶ୍ଚିମବଙ୍ଗର କୁଚ ବିହାର ଜିଲ୍ଲାର ବାସିନ୍ଦା ବେନୟ ଦାସଙ୍କ ପ୍ରୟାସ ଏହାର ଏକ ଉଦାହରଣ । ଗତ କେତେବର୍ଷ ଧରି ସେ ନିଜ ଜିଲ୍ଲାକୁ ସବୁଜ ସୁନ୍ଦର କରିବା ପାଇଁ ନିଜ ପ୍ରଚେଷ୍ଟାରେ କାମ ଚଳାଇଛନ୍ତି । ବେନୟ ଦାସ ଜୀ ହଜାର ହଜାର ଗଛ ଲଗାଇଛନ୍ତି । ଅନେକ ଥର ଚାରା କିଣିବା ଠାରୁ ଆରମ୍ଭ କରି ସେଗୁଡ଼ିକୁ ଲଗାଇବା ଏବଂ ସେଗୁଡ଼ିକର ଯତ୍ନ ନେବାର ସମସ୍ତ ଖର୍ଚ୍ଚ ସେ ନିଜେ ଉଠାଇଛନ୍ତି । ଆବଶ୍ୟକତା ପଡ଼ିଲେ, ସେ ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀ ଏବଂ ନଗର ନିଗମ ସହିତ ମିଳିମିଶି କାମ କରିଛନ୍ତି । ତାଙ୍କର ଏହି ଚେଷ୍ଟା ଦ୍ୱାରା ରାସ୍ତାକଡ଼ରେ ସବୁଜିମା ଆହୁରି ବଢ଼ିଯାଇଛି ।
ବନ୍ଧୁଗଣ, 
ମଧ୍ୟପ୍ରଦେଶର ପାନା ଜିଲ୍ଲାର ଜଗଦୀଶ ପ୍ରସାଦ ଅହିରୱାର ଜୀ, ତାଙ୍କର ପ୍ରୟାସ ମଧ୍ୟ ବହୁତ ପ୍ରଶଂସନୀୟ । ସେ ଜଙ୍ଗଲରେ ବିଟ୍-ଗାର୍ଡ ଭାବରେ କାର୍ଯ୍ୟ କରନ୍ତି। ଥରେ ଗସ୍ତରେ ଯାଉଥିବା ସମୟରେ ସେ ଅନୁଭବ କଲେ ଯେ ଜଙ୍ଗଲରେ ଉପଲବ୍ଧ ହେଉଥିବା ଅନେକ ଔଷଧୀୟ ବୃକ୍ଷର ସୂଚନା କେଉଁଠି ବି ବ୍ୟବସ୍ଥିତ ଢଙ୍ଗରେ ନାହିଁ । ଜଗଦୀଶ ଜୀ ଏହି ସୂଚନା ଆଗାମୀ ପିଢ଼ୀ ପର୍ଯ୍ୟନ୍ତ ଦେବାକୁ ଚାହୁଁଥିଲେ, ସେଥିପାଇଁ ସେ ଔଷଧୀୟ ଗଛଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକୁ ଲେଖି ରଖିବା ଆରମ୍ଭ କଲେ । ସେ ୧୨୫ରୁ ଅଧିକ ଔଷଧୀୟ ବୃକ୍ଷକୁ ଚିହ୍ନଟ କଲେ । ପ୍ରତ୍ୟେକ ଚାରାର ଚିତ୍ର, ନାମ, ବ୍ୟବହାର ଏବଂ ମିଳିବାର ସ୍ଥାନର ସୂଚନା ସଂଗ୍ରହ କଲେ । ତାଙ୍କଦ୍ୱାରା ଏକତ୍ରିତ ସୂଚନାକୁ ବନବିଭାଗ ସଂକଳିତ କଲା ଏବଂ ପୁସ୍ତକ ଆକାରରେ ପ୍ରକାଶିତ ମଧ୍ୟ କଲା । ଏହି ପୁସ୍ତକରେ ଦିଆଯାଇଥିବା ସୂଚନା ଏବେ ଗବେଷକ, ଛାତ୍ର ଏବଂ ବନ ଅଧିକାରୀମାନଙ୍କର ବହୁତ କାମରେ ଆସୁଛି ।
ବନ୍ଧୁଗଣ, 
ପର୍ଯ୍ୟାବରଣ ସଂରକ୍ଷଣର ଏହି ଭାବନା ଆଜି ଉଚ୍ଚସ୍ତରରେ ମଧ୍ୟ ଦେଖାଯାଉଛି । ଏହି ଭାବନାର ସହିତ ସାରାଦେଶରେ ‘ଏକ ପେଡ୍ ମାଁ କେ ନାମ୍’ ଶୀର୍ଷକ ଅଭିଯାନ ଚାଲୁଅଛି । ଏଯାଏଁ କୋଟି କୋଟି ଲୋକ ଏହି ଅଭିଯାନରେ ସାମିଲ ହୋଇସାରିଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୨୦୦ କୋଟିରୁ ଅଧିକ ଗଛ ଲଗାଯାଇସାରିଛି । ଏଥିରୁ ଜଣାଯାଏ ଯେ ପରିବେଶ ସଂରକ୍ଷଣ ଦିଗରେ ଏବେ ଲୋକମାନେ ଅଧିକ ସଚେତନ ହେଲେଣି ଏବଂ କୌଣସି ନା କୌଣସି ରୂପରେ ନିଜର ଯୋଗଦାନ ଦେବାକୁ ଚାହୁଁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ ମୁଁ ଆପଣ ସମସ୍ତଙ୍କୁ ଆଉ ଗୋଟିଏ କଥା ପାଇଁ ବହୁତ ପ୍ରଶଂସା କରିବାକୁ ଚାହୁଁଛି – କାରଣ ହେଲା ମିଲେଟ୍ ଅର୍ଥାତ୍ ଶ୍ରୀଅନ୍ନ । ମତେ ଦେଖି ଖୁସି ଲାଗୁଛି ଯେ ଶ୍ରୀଅନ୍ନ ପ୍ରତି ଦେଶରେ ଲୋକମାନଙ୍କ ଆଗ୍ରହ ନିରନ୍ତର ବଢ଼ିଚାଲିଛି । ଏମିତି ତ ଆମେ ୨୦୨୩ ବର୍ଷଟିକୁ ମିଲେଟ୍ ବର୍ଷ ଭାବରେ ଘୋଷିତ କରିଥିଲେ । କିନ୍ତୁ ଆଜି ତିନିବର୍ଷ ପରେ ମଧ୍ୟ ଏହାକୁ ନେଇ ଦେଶ ଏବଂ ଦୁନିଆରେ ଯେଉଁ ଆବେଗ ଏବଂ ପ୍ରତିବଦ୍ଧତା ଅଛି, ତାହା ବହୁତ ଉତ୍ସାହଜନକ ।
ବନ୍ଧୁଗଣ, 
ତାମିଲନାଡୁର କଲ୍ଲ-କୁରିଚି ଜିଲ୍ଲାରେ ମହିଳା ଚାଷୀମାନଙ୍କର ଗୋଟିଏ ସମୂହ ଆଜି ପ୍ରେରଣାର ସ୍ରୋତ ହୋଇପାରିଛି । ଏଠାକାର ‘ପେରିୟାପାଲୟମ୍ ମିଲେଟ୍’ ଏଫପିସି ସହିତ ପ୍ରାୟ ୮୦୦ ମହିଳା ଚାଷୀ ଯୋଗଦାନ କଲେଣି । ମିଲେଟର ବଢ଼ୁଥିବା ଲୋକପ୍ରିୟତାକୁ ଦେଖି ଏହି ମହିଳାମାନେ ମିଲେଟ୍ ପ୍ରୋସେସିଂ ୟୁନିଟ୍ ସ୍ଥାପନା କରିଛନ୍ତି । ଏବେ ସେମାନେ ମିଲେଟରୁ ପ୍ରସ୍ତୁତ ହେଉଥିବା ଉତ୍ପାଦକୁ ସିଧା ବଜାରକୁ ପଠାଉଛନ୍ତି ।
ବନ୍ଧୁଗଣ, 
ରାଜସ୍ଥାନର ରାମସର୍ରେ ମଧ୍ୟ କୃଷକମାନେ ଶ୍ରୀଅନ୍ନକୁ ନେଇ ନୂଆ ପ୍ରୟୋଗ କରୁଛନ୍ତି । ଏଠାକାର ରାମସର୍ ଅର୍ଗାନିକ୍ ଫାର୍ମର ପ୍ରଡ୍ୟୁସର କମ୍ପାନୀରେ ୯୦୦ରୁ ଅଧିକ କୃଷକ ଯୋଗଦେଇଛନ୍ତି । ଏହି କୃଷକମାନେ ମୁଖ୍ୟ ରୂପରେ ବାଜରା ଚାଷ କରନ୍ତି । ଏଠାରେ ବାଜରାର ପ୍ରକ୍ରିୟାକରଣ କରି ରେଡ୍ଡୀ ଟୁ ଇଟ୍ ଲଡୁ ତିଆରି କରୁଛନ୍ତି । ବଜାରରେ ଏହାର ବେଶୀ ଚାହିଦା ରହିଛି । ଖାଲି ସେତିକି ନୁହେଁ ବନ୍ଧୁଗଣ, ମୋତେ ତ ଏକଥା ଜାଣି ବହୁତ ଖୁସି ଲାଗୁଛି ଯେ ଆଜିକାଲି ଏମିତି ଅନେକ ମନ୍ଦିର ଅଛି ଯେଉଁଠାରେ ପ୍ରସାଦରେ କେବଳ ମିଲେଟର ଉପଯୋଗ କରାଯାଉଛି । ମୁଁ ସେହି ମନ୍ଦିରଗୁଡ଼ିକର ସମସ୍ତ ବ୍ୟବସ୍ଥାପକଙ୍କୁ ସେମାନଙ୍କର ଏହି ପ୍ରଚେଷ୍ଟା ପାଇଁ ହୃଦୟରୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ, 
ମିଲେଟ୍ସ ଶ୍ରୀଅନ୍ନରୁ ଅନ୍ନଦାତାମାନଙ୍କର ରୋଜଗାର ବଢ଼ାଇବା ସଙ୍ଗେ ସଙ୍ଗେ ଲୋକମାନଙ୍କର ସ୍ୱାସ୍ଥ୍ୟର ମଧ୍ୟ ସୁଧାରର ଗ୍ୟାରେଣ୍ଟି ହେବାକୁ ଯାଉଛି । ମିଲେଟ୍ସ ପୋଷକତତ୍ତ୍ୱରେ ଭରପୁର ହୋଇଥାଏ, ସୁପର୍ ଫୁଡ୍ ହୋଇଥାଏ । ଆମ ଦେଶରେ ଶୀତଋତୁ ତ ଖାଇବାପିଇବା ପାଇଁ ବହୁତ ଉପଯୁକ୍ତ ଲାଗେ । ଏହି ଦିନରେ ଆମମାନଙ୍କ ପାଇଁ ଶ୍ରୀଅନ୍ନ ସେବନ କରିବା ବହୁତ ଜରୁରୀ ।
ମୋର ପ୍ରିୟ ଦେଶବାସୀଗଣ, 
‘ମନ୍ କି ବାତ୍’ରେ ଆମେ ପୁଣିଥରେ ଭିନ୍ନ ଭିନ୍ନ ବିଷୟରେ ଚର୍ଚ୍ଚା କରିବା ପାଇଁ ଆମକୁ ଅବସର ମିଳିଲା । ଏହି କାର୍ଯ୍ୟକ୍ରମ ଆମମାନଙ୍କୁ ନିଜ ଦେଶର ଉପଲବଧିକୁ ଅନୁଭବ କରିବା ଏବଂ ସେଲିବ୍ରେଟ୍ କରିବାର ସୁଯୋଗ ପ୍ରଦାନ କରିଥାଏ । ଫେବୃଆରୀରେ ଏହିଭଳି ଏକ ସୁଯୋଗ ଆସୁଅଛି । ଆସନ୍ତା ମାସରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ସାରା ବିଶ୍ୱରୁ ବିଶେଷକରି ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସହିତ ଜଡ଼ିତ ବିଶେଷଜ୍ଞମାନେ ଭାରତ ଆସିବେ । ଏହି ସମ୍ମେଳନୀ ଏଆଇ ଦୁନିଆରେ ଭାରତର ପ୍ରଗତି ଏବଂ ଉପଲବଧିଗୁଡ଼ିକୁ ଲୋକଲୋଚନକୁ ଆଣିବ । ମୁଁ ଏଥିରେ ସମ୍ମିଳିତ ହେଉଥିବା ପ୍ରତ୍ୟେକଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଆସନ୍ତାମାସର ‘ମନ୍ କି ବାତ୍’ରେ ଆମ୍ଭେମାନେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଉପରେ ନିଶ୍ଚୟ କଥାବାର୍ତ୍ତା ହେବା । ଦେଶବାସୀମାନଙ୍କର କିଛି ଅନ୍ୟ ଉପଲବ୍ଧି ବିଷୟରେ ମଧ୍ୟ ଆଲୋଚନା କରିବା । ସେପର୍ଯ୍ୟନ୍ତ ମୋତେ ‘ମନ୍ କି ବାତ୍’ରୁ ବିଦାୟ ଦିଅନ୍ତୁ । କାଲିର ଗଣତନ୍ତ୍ର ଦିବସ ପାଇଁ ପୁଣିଥରେ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । 
ଧନ୍ୟବାଦ ।
 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways renews 54,600 km of tracks since 2014, boosting speed potential and safety

Media Coverage

Indian Railways renews 54,600 km of tracks since 2014, boosting speed potential and safety
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi speaks with the President of Iran
March 12, 2026
President Pezeshkian shares his perspective on the situation in Iran and the region.
PM reiterates India’s consistent position on resolving all issues through dialogue and diplomacy.
PM highlights India’s priority regarding safety and well-being of Indian nationals and unhindered transit of energy and goods.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the current situation in Iran and shared his perspective on recent developments in the region.

The Prime Minister expressed deep concern about the evolving security situation in the region and reiterated India’s consistent position that all issues must be resolved through dialogue and diplomacy.

The Prime Minister highlighted India’s priority regarding the safety and well-being of Indian nationals in the region, including in Iran, as also the importance of unhindered transit of energy and goods.

The two leaders agreed to remain in touch.