From national security to the sports field, from science laboratories to the world's biggest platforms, India left a strong mark everywhere: PM Modi
During ‘Operation Sindoor’, images of love and devotion towards Maa Bharati emerged from every corner of the country: PM Modi
In the World Championship, Para-athletes proved by winning several medals that no obstacle can come in the way of zeal & determination: PM Modi
Our achievements in the field of science, new innovations, and the expansion of technology have greatly impressed countries around the world: PM Modi
On the 12th of next month, 'National Youth Day' will be celebrated on the occasion of Swami Vivekananda's birth anniversary: PM Modi
During the 'Smart India Hackathon 2025', students worked on more than 270 problems of more than 80 government departments: PM Modi
Moirangthem from Manipur started a campaign to install solar panels and on account of this campaign, today solar power has reached hundreds of houses in his area: PM Modi
Today, under the 'PM Surya Ghar Muft Bijli Yojana', the government is providing approximately 75,000 to 80,000 rupees to each beneficiary family for installing solar panels: PM Modi
Under the theme of 'Learn Tamil - Tamil Karkalam', special campaigns were run in more than 50 schools in Varanasi: PM Modi
Freedom fighter Parvati Giri ji’s birth centenary will be celebrated in January 2026. After the independence movement, Parvati Giri ji dedicated her life to social service and tribal welfare: PM Modi
The Andhra Pradesh government and NABARD are jointly teaching artisans new designs, providing better skill training, and connecting them with new markets: PM Modi
This year, the Kutch Ranotsav began on the 23rd of November and will continue until the 20th of February: PM Modi
When traditional knowledge is leveraged with a modern vision, it can become a major vehicle for economic progress: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣମାନଙ୍କୁ ପୁଣିଥରେ ସ୍ୱାଗତ, ଅଭିନନ୍ଦନ । ଆଉ ମାତ୍ର କିଛିଦିନ ମଧ୍ୟରେ ୨୦୨୬ ଆରମ୍ଭ ହେବାକୁ ଯାଉଛି, ଆଉ ଆଜି, ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥା ହେଉଛି, ସେତେବେଳେ ମନରେ ସମଗ୍ର ବର୍ଷକର ସ୍ମୃତି ସବୁ ନାଚିଯାଉଛି - ଅନେକ ଛବି, ଅନେକ ଆଲୋଚନା, ଅନେକ ଉପଲବ୍ଧି - ଯାହା ଦେଶକୁ ଏକସୂତ୍ରରେ ବାନ୍ଧିଦେଲା । ୨୦୨୫ ଆମକୁ ଏଭଳି ଅନେକ ମୁହୂର୍ତ୍ତ ଦେଲା, ଯାହାକୁ ନେଇ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗର୍ବ ଜାତ ହେଲା । ଦେଶର ପ୍ରତିରକ୍ଷା ଠାରୁ ଆରମ୍ଭ କରି ଖେଳପଡ଼ିଆ ପର୍ଯ୍ୟନ୍ତ, ବିଜ୍ଞାନ ପରୀକ୍ଷାଗାରଠାରୁ ନେଇ ବିଶ୍ୱର ବଡ଼ ବଡ଼ ମଞ୍ଚ ପର୍ଯ୍ୟନ୍ତ - ଭାରତ ପ୍ରତ୍ୟେକ ସ୍ଥାନରେ ନିଜର ଏକ ସୁଦୃଢ଼ ଛାପ ସୃଷ୍ଟି କଲା । ଏହି ବର୍ଷରେ ଅପରେଶନ୍ ସିନ୍ଦୁର ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ପ୍ରତୀକ ପାଲଟିଗଲା । ସାରା ବିଶ୍ୱ ସ୍ପଷ୍ଟ ଭାବେ ଦେଖିଲା ଯେ, ଆଜିର ଭାରତ ନିଜର ସୁରକ୍ଷା ପାଇଁ କୌଣସି ସାଲିସ୍ କରିବ ନାହିଁ । ଅପରେଶନ୍ ସିନ୍ଦୁର ସମୟରେ ଦେଶର କୋଣଅନୁକୋଣରୁ ମାଁ ଭାରତୀଙ୍କ ପ୍ରତି ପ୍ରେମ ଓ ସମର୍ପଣର ଛବି ସମ୍ମୁଖକୁ ଆସିଲା । ଲୋକେ ନିଜ ନିଜ ଢଙ୍ଗରେ ନିଜର ଭାବ ପ୍ରକାଶ କଲେ ।
ବନ୍ଧୁଗଣ, ଏହି ଭାବନା ସେତେବେଳେ ମଧ୍ୟ ଦେଖିବାକୁ ମିଳିଲା, ଯେତେବେଳେ ବନ୍ଦେମାତରମର ୧୫୦ ବର୍ଷ ପୂରଣ ହେଲା । ‘#VandeMataram୧୫୦’କୁ ନିଜ ବାର୍ତ୍ତା ଏବଂ ପରାମର୍ଶମାନ ପଠାଇବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି । ଏହି ଅଭିଯାନରେ ଦେଶବାସୀ ଖୁବ ଉତ୍ସାହର ସହିତ ଅଂଶଗ୍ରହଣ କଲେ ।
ବନ୍ଧୁଗଣ, ୨୦୨୫ କ୍ରୀଡ଼ା ଦୃଷ୍ଟିରୁ ମଧ୍ୟ ଗୋଟିଏ ସ୍ମରଣୀୟ ବର୍ଷ ଥିଲା । ଆମର ପୁରୁଷ କ୍ରିକେଟ୍ ଦଳ ଆଇସିସି ଚମ୍ପିଆନ୍ସ ଟ୍ରଫି ଜିତିଲା । ମହିଳା କ୍ରିକେଟ୍ ଦଳ ପ୍ରଥମ ଥର ବିଶ୍ୱକପ୍ ଅଧିକାର କଲେ । ଭାରତର କନ୍ୟାମାନେ Women's Blind T20 World Cup ଜିତି ଇତିହାସ ସୃଷ୍ଟି କଲେ । ଏସିଆ କପ ଟି୨୦ରେ ମଧ୍ୟ ତ୍ରିରଙ୍ଗା ଗୌରବର ସହ ଉଡ଼ିଲା । ପାରା-ଆଥଲିଟମାନେ ମଧ୍ୟ ବିଶ୍ୱ ଚମ୍ପିଆନସିପରେ ଅନେକ ପଦକ ଜିତି ଏ କଥା ପ୍ରମାଣିତ କରିଦେଲେ ଯେ, ଉତ୍ସାହ ଥିଲେ କୌଣସି ବାଧାବିଘ୍ନ ପଥରୋଧ କରିପାରେ ନାହିଁ । ବିଜ୍ଞାନ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ବିରାଟ ଲମ୍ଫ ପ୍ରଦାନ କଲା । ଶୁଭାଂଶୁ ଶୁକ୍ଲା International Space Stationକୁ ପହଞ୍ଚିବାରେ ପ୍ରଥମ ଭାରତୀୟ ହେଲେ । ପରିବେଶ ସୁରକ୍ଷା ଏବଂ ବନ୍ୟଜନ୍ତୁ ସୁରକ୍ଷା ସହ ଜଡ଼ିତ ଅନେକ ପ୍ରଚେଷ୍ଟା ମଧ୍ୟ ୨୦୨୫ ପାଇଁ ପରିଚୟ ସାଜିଲା । ଭାରତରେ ଚିତାବାଘ ସଂଖ୍ୟା ମଧ୍ୟ ଏବେ ୩୦ରୁ ଅଧିକ ହୋଇଗଲାଣି । ୨୦୨୫ରେ ଆସ୍ଥା, ସଂସ୍କୃତି ଏବଂ ଭାରତର ଅଦ୍ୱିତୀୟ ଐତିହ୍ୟ ସବୁ ଏକାଠି ଦୃଷ୍ଟିଗୋଚର ହେଲା । ବର୍ଷ ଆରମ୍ଭରେ ପ୍ରୟାଗରାଜ୍ ମହାକୁମ୍ଭର ଆୟୋଜନ ସାରା ବିଶ୍ୱକୁ ଚକିତ କଲା । ବର୍ଷ ଶେଷଭାଗରେ ଅଯୋଧ୍ୟାରେ ରାମ ମନ୍ଦିର ଉପରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ପ୍ରତ୍ୟେକ ଭାରତୀୟକୁ ଗର୍ବରେ ପରିପୂର୍ଣ୍ଣ କଲା । ସ୍ୱଦେଶୀକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଲା । ଲୋକେ ସେହି ସାମଗ୍ରୀ କ୍ରୟ କରୁଛନ୍ତି, ଯେଉଁଥିରେ ରହିଛି କୌଣସି ଭାରତୀୟର ପରିଶ୍ରମ, ଯେଉଁଥିରେ ରହିଛି ଭାରତ ମାଟିର ମହକ । ଆଜି ଆମେ ଗର୍ବରେ କହିପାରିବା ଯେ, ୨୦୨୫ ଭାରତକୁ ଦେଇଛି ଆହୁରି ଅଧିକ ଆତ୍ମବିଶ୍ୱାସ । ଏ କଥା ମଧ୍ୟ ସତ ଯେ, ଏହି ବର୍ଷରେ ଆମକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଲା । ଏବେ ଦେଶ ୨୦୨୬ରେ ନୂତନ ଆଶା, ନୂଆ ସଂକଳ୍ପ ସହ ଅଗ୍ରସର ହେବାପାଇଁ ପ୍ରସ୍ତୁତ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ବିଶ୍ୱ ଭାରତ ଠାରୁ ଅନେକ କିଛି ଆଶା କରୁଛି । ଭାରତଠାରୁ ଆଶା କରିବାର ସବୁଠାରୁ ବଡ଼ କାରଣ ହେଲା, ଆମର ଯୁବଶକ୍ତି । ବିଜ୍ଞାନ କ୍ଷେତ୍ରରେ ଆମର ଉପଲବ୍ଧି, ନବସୃଜନ, ପ୍ରଯୁକ୍ତିବିଦ୍ୟାର ବିସ୍ତାରକୁ ଦେଖି ବିଶ୍ୱର ଅନେକ ଦେଶ ପ୍ରଭାବିତ ହୋଇଛନ୍ତି ।
ବନ୍ଧୁଗଣ, ଭାରତର ଯୁବବର୍ଗଙ୍କଠାରେ ସବୁବେଳେ କିଛି ନୂଆ କରିବାର ଉତ୍ସାହ ରହୁଛି ଏବଂ ସେମାନେ ସେତିକି ସଚେତନ ମଧ୍ୟ । ମୋର ଯୁବବନ୍ଧୁମାନେ ଅନେକ ଥର ମୋତେ ପଚାରନ୍ତି ଯେ, ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସେମାନେ ନିଜର ଯୋଗଦାନ କିଭଳି ବୃଦ୍ଧି କରିପାରିବେ ? ସେମାନେ କିଭଳି ନିଜର ଅଭିଜ୍ଞତାକୁ ଶେୟାର କରିପାରିବେ ? ଅନେକ ବନ୍ଧୁ ପଚାରନ୍ତି ଯେ, ସେମାନେ କିଭଳି ନିଜର ଚିନ୍ତାଧାରାକୁ ମୋ ସମ୍ମୁଖରେ ଉପସ୍ଥାପନ କରିପାରିବେ ? ଆମ ଯୁବବନ୍ଧୁମାନଙ୍କ ଏହି ଜିଜ୍ଞାସାର ସମାଧାନ ହେଉଛି ‘Viksit Bharat Young Leaders Dialogue’ ଗତବର୍ଷ ଏହାର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା । ଏବେ କିଛିଦିନ ପରେ ଏହାର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ମାସ ୧୨ ତାରିଖ ଦିନ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତି ଅବସରରେ ଜାତୀୟ ଯୁବ ଦିବସ ପାଳନ କରାଯିବ । ସେହି ଦିନ ‘Young Leaders Dialogue’ର ଆୟୋଜନ କରାଯିବ । ଆଉ ମୁଁ ବି ଏଥିରେ ନିଶ୍ଚୟ ସାମିଲ୍ ହେବି । ଏଥିରେ ଆମ ଯୁବବର୍ଗ ନବୋନ୍ମେଷ, ଫିଟନେସ, ଷ୍ଟାର୍ଟ ଅପ୍ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଜ ଅଭିଜ୍ଞତା ଶେୟାର୍ କରିବେ । ମୁଁ ଏହି କାର୍ଯ୍ୟକ୍ରମକୁ ନେଇ ବହୁତ ଉତ୍ସୁକ ।
ବନ୍ଧୁଗଣ, ଏହି କାର୍ଯ୍ୟକ୍ରମରେ ଆମ ଯୁବବର୍ଗର ଅଂଶଗ୍ରହଣ ବୃଦ୍ଧିପାଇବା ଦେଖି ମୋତେ ଭଲ ଲାଗିଲା । ମାତ୍ର କିଛିଦିନ ପୂର୍ବେ ଏଥିସହ ସମ୍ପର୍କିତ ଗୋଟିଏ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୫୦ ଲକ୍ଷରୁ ଅଧିକ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ । ଗୋଟିଏ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟ ଉପରେ ନିଜର ମତାମତ ପ୍ରକାଶ କରିଥିଲେ । ଏହି ପ୍ରତିଯୋଗିତାରେ ତାମିଲନାଡ଼ୁ ପ୍ରଥମ ଏବଂ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ।
ବନ୍ଧୁଗଣ, ଆଜି ଦେଶରେ ଯୁବବର୍ଗଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ନିମନ୍ତେ ନୂଆ ନୂଆ ସୁଯୋଗ ମିଳୁଛି । ଏଭଳି ଅନେକ ମଞ୍ଚ ବିକଶିତ ହେଉଛି, ଯେଉଁଠାରେ ଯୁବବର୍ଗ ନିଜର ଯୋଗ୍ୟତା ଏବଂ ରୁଚି ଅନୁସାରେ ପ୍ରତିଭା ପ୍ରଦର୍ଶନ କରିପାରିବେ । ଏଭଳି ଗୋଟିଏ ମଞ୍ଚ ହେଉଛି ସ୍ମାର୍ଟ ଇଣ୍ଡିଆ ହାକାଥନ୍ । ଏହା ଆଉ ଏକ ଏଭଳି ମାଧ୍ୟମ, ଯେଉଁଠି ଅଭିଜ୍ଞତା ଆକ୍ସନରେ ପରିବର୍ତ୍ତିତ ହୋଇଥାଏ ।
ବନ୍ଧୁଗଣ, ସ୍ମାର୍ଟ ଇଣ୍ଡିଆ ହାକାଥନ୍ – ୨୦୨୫ ଚଳିତ ମାସ ଉଦ୍ୟାପିତ ହେଲା । ଏହି ହାକାଥନ୍ ସମୟରେ ୮୦ରୁ ଅଧିକ ସରକାରୀ ବିଭାଗର ୨୭୦ରୁ ଅଧିକ ସମସ୍ୟା ଉପରେ ଛାତ୍ରଛାତ୍ରୀମାନେ କାର୍ଯ୍ୟ କଲେ । ବାସ୍ତବିକ ଜୀବନର ଆହ୍ୱାନଗୁଡ଼ିକ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଅନେକ ସମାଧାନ ଦେଲେ । ଯେମିତିକି ଟ୍ରାଫିକ୍ ସମସ୍ୟା । ଏହାକୁ ନେଇ ଯୁବବନ୍ଧୁମାନେ ‘Smart Traffic Management’ ସମ୍ପର୍କିତ ଅନେକ ରୋଚକ ସମ୍ଭାବନା ସେୟାର୍ କଲେ । ଆର୍ଥିକ ଠକେଇ ଏବଂ ଡିଜିଟାଲ୍ ଗିରଫଦାରୀ ଭଳି ଆହ୍ୱାନଗୁଡ଼ିକର ସମାଧାନ ନିମନ୍ତେ ମଧ୍ୟ ଯୁବବନ୍ଧୁମାନେ ନିଜର ଆଇଡିଆ ଶେୟାର କଲେ । ଗ୍ରାମାଞ୍ଚଳରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପାଇଁ ସାଇବର ସିକ୍ୟୁରିଟି ଫ୍ରେମୱାର୍କ ବିଷୟରେ ମଧ୍ୟ ସେମାନେ ବିଭିନ୍ନ ପ୍ରସ୍ତାବ ଦେଲେ । ଅନେକ ଯୁବବନ୍ଧୁ, କୃଷିକ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନର ସମାଧାନ ବାହାର କରିବାରେ ଲାଗି ରହିଲେ । ବନ୍ଧୁଗଣ, ଗତ ୭ରୁ ୮ ବର୍ଷରେ, ସ୍ମାର୍ଟ ଇଣ୍ଡିଆ ହାକାଥନରେ ୧୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏବଂ ୬ ହଜାରରୁ ଅଧିକ ସଂସ୍ଥା ଅଂଶଗ୍ରହଣ କରିସାରିଛନ୍ତି । ଯୁବବନ୍ଧୁମାନେ ଶହଶହ ସମସ୍ୟାର ସଫଳ ସମାଧାନ ମଧ୍ୟ ବାହାର କରିଛନ୍ତି । ଏହିଭଳି ହାକାଥନର ଆୟୋଜନ ସମୟ ସମୟରେ ହୋଇଥାଏ । ଏଥିରେ ନିଶ୍ଚିତ ଭାବେ ଅଂଶଗ୍ରହଣ କରିବାକୁ ମୁଁ ମୋ ଯୁବବନ୍ଧୁମାନଙ୍କୁ ଅନୁରୋଧ କରୁଛି ।
ବନ୍ଧୁଗଣ, ଆଜିକାଲି ଜୀବନ Tech-Driven ହୋଇଚାଲିଛି ଏବଂ ଯେଉଁ ପରିବର୍ତ୍ତନ ସବୁ ହେବାକୁ ଶହ ଶହ ବର୍ଷ ଲାଗୁଥିଲା ସେ ସବୁ ମାତ୍ର କିଛି ବର୍ଷ ମଧ୍ୟରେ ସମ୍ଭବ ହେବା ଦେଖାଯାଉଛି । ବେଳେବେଳେ ଲୋକେ ଏ କଥାକୁ ନେଇ ବ୍ୟଗ୍ରତା ପ୍ରକାଶ କରୁଥିବା ଦେଖାଯାଉଛି ଯେ ରୋବୋଟ୍ ଯେମିତି ମନୁଷ୍ୟର ସ୍ଥାନ ନେଇ ନ ଯାଉ । ଏଭଳି ପରିବର୍ତ୍ତନଶୀଳ ସମୟରେ ମାନବ ବିକାଶ ପାଇଁ ନିଜ ଉଦ୍ୟମ ସହ ଜଡ଼ିତ ହୋଇ ରହିବା ବହୁତ ଜରୁରୀ । ଆମର ନୂତନ ପିଢ଼ି ଆମ ସଂସ୍କୃତିକୁ ନୂତନ ଚିନ୍ତାଧାରା ଏବଂ ଢଙ୍ଗରେ ଉତ୍ତମ ରୂପେ ସଂରକ୍ଷିତ କରୁଥିବା ସହ ଦେଖି ମୋତେ ବହୁତ ଖୁସି ଲାଗୁଛି ।
ବନ୍ଧୁଗଣ, ଆପଣମାନେ Indian Institute of Scienceର ନାମ ନିଶ୍ଚୟ ଶୁଣିଥିବେ । ଗବେଷଣା ଏବଂ ନବୋନ୍ମେଷ ଏହି ସଂସ୍ଥାର ପରିଚୟ । କିଛି ବର୍ଷ ପୂର୍ବେ ସେଠାକାର କିଛି ପୁରାତନ ଛାତ୍ର ଉପଲବ୍ଧି କଲେ ଯେ, ପାଠପଢ଼ା ଏବଂ ଗବେଷଣା ସହ ସଙ୍ଗୀତର ଉପସ୍ଥିତି ମଧ୍ୟ ନିହାତି ଆବଶ୍ୟକ । ଏତିକିରୁ ଆରମ୍ଭ ହେଲା ଗୋଟିଏ ଛୋଟିଆ ମ୍ୟୁଜିକ୍ କ୍ଲାସ୍ । ନା କୌଣସି ବଡ଼ ମଞ୍ଚ, ନା ବଡ଼ ବଜେଟ୍ । ଧିରେ ଧିରେ ଏହି ପ୍ରୟାସ ଗତିଶୀଳ ହେଲା ଏବଂ ଆଜି ଏହାକୁ ଆମେ ‘Geetanjali IISc’ ନାଁରେ ଜାଣିଛୁ । ଏହା ଏବେ କେବଳ କ୍ଲାସ୍ ନୁହେଁ, କ୍ୟାମ୍ପସ୍ ର ସାଂସ୍କୃତିକ କେନ୍ଦ୍ର । ଏଠାରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଅଛି, ଲୋକପରମ୍ପରା ଅଛି, ଶାସ୍ତ୍ରୀୟ ଧାରା ଅଛି, ଛାତ୍ରମାନେ ଯେଉଁଠାରେ ଏକାଠି ବସି ଅଭ୍ୟାସ କରୁଛନ୍ତି । ପ୍ରଫେସର ସାଥିରେ ବସୁଛନ୍ତି । ସେମାନଙ୍କ ପରିବାର ମଧ୍ୟ ଯୋଗ ଦେଉଛନ୍ତି । ଆଜି ୨୦୦ରୁ ଅଧିକ ଲୋକ ଏହା ସହ ଜଡ଼ିତ । ବିଶେଷ କଥା ହେଲା ଯେ, ଯେଉଁମାନେ ବିଦେଶକୁ ଚାଲିଯାଇଛନ୍ତି, ସେମାନେ ମଧ୍ୟ ଅନଲାଇନ୍ ମାଧ୍ୟମରେ ଏହ ଗ୍ରୁପ୍ ସହିତ ଯୋଡ଼ିହୋଇ ରହିଛନ୍ତି । 
ବନ୍ଧୁଗଣ ନିଜର ମୂଳ ସହିତ ଜଡ଼ିତ ରହିବାର ଏହି ପ୍ରୟାସଗୁଡ଼ିକ ଭାରତ ଭିତରେ ସୀମିତ ନୁହେଁ । ବିଶ୍ୱର ବିଭିନ୍ନ କୋଣଅନୁକୋଣ ଏବଂ ସେଠାରେ ବସବାସ କରୁଥିବା ଭାରତୀୟମାନେ ମଧ୍ୟ ନିଜର ଭୂମିକା ନିର୍ବାହ କରୁଛନ୍ତି । ଆଉ ଏକ ଉଦାହରଣ ଯାହା ଆମକୁ ଦେଶରୁ ବାହାରକୁ ନେଇଯାଏ – ସେହି ସ୍ଥାନ ହେଉଛି ‘ଦୁବାଇ’ । ସେଠାରେ ରହୁଥିବା କନ୍ନଡ଼ ପରିବାରଗୁଡ଼ିକ ନିଜକୁ ଏକ ଜରୁରୀ ପ୍ରଶ୍ନ ପଚାରିଥିଲେ - ଆମ ପିଲାମାନେ ପ୍ରଯୁକ୍ତି ଦୁନିଆରେ ଆଗକୁ ବଢ଼ୁଛନ୍ତି, କିନ୍ତୁ ସେମାନେ ନିଜ ଭାଷାଠୁ ଦୂରେଇ ଯାଉନାହାନ୍ତି ତ ? ଏଥିରୁ ସୃଷ୍ଟି ହେଲା ‘କନ୍ନଡ଼ ପାଠଶାଳା’ । ଏହା ଏହିପରି ଏକ ପ୍ରୟାସ, ଯେଉଁଠି ପିଲାମାନଙ୍କୁ ‘କନ୍ନଡ଼’ ପଢ଼ାଇବା, ଶିଖିବା, ଲେଖିବା ଏବଂ କହିବା ଶିଖାଯାଏ । ଆଜି ଏଥିସହ ହଜାରରୁ ଅଧିକ ପିଲା ଯୋଡ଼ିହୋଇଛନ୍ତି । ସତରେ, କନ୍ନଡ଼ ନାଡୁ, ନୁଡି ନମ୍ମା ହେମ୍ମେ । କନ୍ନଡ଼ର ଭୂମି ଏବଂ ଭାଷା ଆମର ଗର୍ବ ।
ବନ୍ଧୁଗଣ, ଏକ ପୁରୁଣା ଉକ୍ତି ଅଛି ‘ଇଚ୍ଛା ଥିଲେ, ଉପାୟ ଆସେ’ । ଏହି ଉକ୍ତିକୁ ପୁନର୍ବାର ସତ୍ୟ ସାବ୍ୟସ୍ତ କରି ଦେଖାଇଛନ୍ତି ମଣିପୁରର ଜଣେ ଯୁବକ ମୋଇରାଙ୍ଗଥେମ୍ ସେଠ ଜୀ । ତାଙ୍କର ବୟସ ୪୦ ବର୍ଷରୁ ମଧ୍ୟ କମ୍  । ଶ୍ରୀମାନ୍ ମୋଇରାଙ୍ଗଥେମ୍ ଜୀ ମଣିପୁରର ଯେଉଁ ଉପାନ୍ତ ଅଞ୍ଚଳରେ ରହୁଥିଲେ ସେଠାରେ ବିଦ୍ୟୁତର ବଡ଼ ସମସ୍ୟା ଥିଲା  । ଏହି ଆହ୍ୱାନର ମୁକାବିଲା କରିବା ପାଇଁ ସେ Local Solution ଉପରେ ଗୁରୁତ୍ୱ ଦେଲେ ଏବଂ ତାଙ୍କୁ ଏହି ସମାଧାନ ମିଳିଥିଲା Solar Power ରୂପେ । ଏମିତିରେ ଆମ ମଣିପୁରରେ ସୌରଶକ୍ତି ଉତ୍ପାଦନ କରିବା ସହଜ । ତେଣୁ ମୋଇରାଙ୍ଗଥେମ୍ ଜୀ ସୋଲାର୍ ପ୍ୟାନେଲ ଲଗାଇବାର ଅଭିଯାନ ଚଳାଇଲେ ଏବଂ ଏହି ଅଭିଯାନ କାରଣରୁ ଆଜି ତାଙ୍କ ଅଞ୍ଚଳର ଶହଶହ ଘରେ ସୌରଶକ୍ତି ପହଞ୍ଚିପାରିଛି । ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ସେ ସ୍ୱାସ୍ଥ୍ୟସେବା ଏବଂ ଜୀବନ ଜୀବିକାକୁ ଉନ୍ନତ କରିବା ପାଇଁ ସୌରଶକ୍ତିର ଉପଯୋଗ କରିଛନ୍ତି । ଆଜି ତାଙ୍କ ପ୍ରୟାସରେ ମଣିପୁରରେ ଅନେକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ସୌରଶକ୍ତି ମିଳିପାରିଛି । ତାଙ୍କର ଏହି କାମରୁ ମଣିପୁରର ନାରୀ-ଶକ୍ତିକୁ ମଧ୍ୟ ବହୁତ ଲାଭ ମିଳିଛି । ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ କଳାକାରମାନଙ୍କୁ ବି ଏଥିରୁ ସହାୟତା ମିଳିଛି ।
ବନ୍ଧୁଗଣ, ଏବେ ସରକାର ‘ପିଏମ୍ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନା’ ଜରିଆରେ ପ୍ରତ୍ୟେକ ହିତାଧିକାରୀ ପରିବାରକୁ ସୋଲାର ପ୍ୟାନେଲ ଲଗାଇବା ପାଇଁ ପ୍ରାୟ ୭୫ରୁ ୮୦ ହଜାର ଟଙ୍କା ଦେଉଛନ୍ତି । ମୋଇରାଙ୍ଗଥେମ୍ ଜୀଙ୍କର ଏହି ପ୍ରୟାସଗୁଡ଼ିକ ଯଦିଓ ବ୍ୟକ୍ତିଗତ ପ୍ରଚେଷ୍ଟା, କିନ୍ତୁ ସୌରଶକ୍ତି ସହିତ ସଂପୃକ୍ତ ପ୍ରତ୍ୟେକ ଅଭିଯାନକୁ ଏହା ନୂଆ ଗତି ଦେଉଛି । ମୁଁ ‘ମନ କୀ ବାତ୍’ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତୁ ଏବେ ଜାମ୍ମୁ-କାଶ୍ମୀର ଯିବା । ମୁଁ ଜାମ୍ମୁ-କାଶ୍ମୀରର ସାଂସ୍କୃତିକ ଏବଂ ଐତିହାସିକ ଐତିହ୍ୟ ବିଷୟରେ ଏକ କାହାଣୀ ବାଣ୍ଟିବାକୁ ଚାହୁଁଛି ଯାହା ଆପଣଙ୍କୁ ଗର୍ବରେ ଭରିଦେବ । ଜାମ୍ମୁ-କାଶ୍ମୀରର ବାରାମୂଲାରେ ଜେହାନପୋରା ନାମକ ସ୍ଥାନଟିଏ ଅଛି । ବର୍ଷବର୍ଷ ଧରି ଲୋକେ ସେଇଠି କିଛି ଉଚ୍ଚ କୁଦ ଦେଖି ଆସୁଥିଲେ । କେହି ଜାଣି ନଥିଲେ ଯେ ଏହି ସାଧାରଣ କୁଦଗୁଡ଼ିକ କ'ଣ ? ତା'ପରେ ଦିନେ ଜଣେ ପ୍ରତ୍ନତତ୍ତ୍ୱବିତଙ୍କ ଦୃଷ୍ଟି ତା’ ଉପରେ ପଡ଼ିଲା । ଯେତେବେଳେ ସେହି ଅଞ୍ଚଳକୁ ନିକଟରୁ ପର୍ଯ୍ୟବେକ୍ଷଣ କରିବା ଆରମ୍ଭ କଲେ, ସେ ଅନୁଭବ କଲେ ଯେ ସେଗୁଡ଼ିକ କିଛି ଅସାଧାରଣ ଜିନିଷ । ଏହାପରେ ସେହି କୁଦଗୁଡ଼ିକର ବୈଜ୍ଞାନିକ ଅଧ୍ୟୟନ ଆରମ୍ଭ ହେଲା । ଡ୍ରୋନ୍ ସାହାଯ୍ୟରେ ଉପରୁ ଫଟୋ ଉଠାଗଲା ଏବଂ ଭୂମିର ମ୍ୟାପିଙ୍ଗ୍ କରାଗଲା । ତା’ପରେ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିବା ଆରମ୍ଭ ହେଲା । ଜଣାପଡିଲା ଯେ ସେଇ କୁଦଗୁଡ଼ିକ ପ୍ରାକୃତିକ ନୁହେଁ । ସେଗୁଡ଼ିକ ମନୁଷ୍ୟ ନିର୍ମିତ କୌଣସି ବଡ଼ ପ୍ରାସାଦର ଅବଶେଷ ଥିଲା । ଠିକ୍ ସେତେବେଳେ ଆଉ ଏକ ମଜାଦାର ସଂଯୋଗ ଜଣାପଡ଼ିଲା । କାଶ୍ମୀରରୁ ହଜାର ହଜାର କିଲୋମିଟର ଦୂରରେ, ଫ୍ରାନ୍ସର ଏକ ସଂଗ୍ରହାଳୟର ଅଭିଲେଖାଗାରରେ ଗୋଟିଏ ପୁରୁଣା, ଅସ୍ପଷ୍ଟ ଚିତ୍ର ଆବିଷ୍କୃତ ହେଲା । ବାରାମୂଲାର ସେହି ଚିତ୍ରରେ ତିନୋଟି ବୌଦ୍ଧସ୍ତୂପ ଦୃଶ୍ୟମାନ ହେଉଥିଲା । ଏଇଠୁ ସମୟ ଏକ ନୂଆ ମୋଡ଼ ନେଲା ଏବଂ କାଶ୍ମୀରର ଗୌରବମୟ ଅତୀତ ଆମ ସାମ୍ନାକୁ ଆସିଲା । ଏହା ପ୍ରାୟ ଦୁଇ ହଜାର ବର୍ଷ ପରିବ୍ୟାପ୍ତ ଇତିହାସ । କାଶ୍ମୀରର ଜେହାନପୋରାରେ ଥିବା ଏହି ବୌଦ୍ଧ ପରିସର ଆମକୁ କାଶ୍ମୀରର ଅତୀତ କ’ଣ ଥିଲା ଏବଂ ଏହାର ପରିଚୟ କେତେ ସମୃଦ୍ଧ ଥିଲା, ତାହା ମନେ ପକାଇଦିଏ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଏବେ ଆପଣମାନଙ୍କୁ ଭାରତରୁ ହଜାର ହଜାର କିଲୋମିଟର ଦୂରରେ ହୋଇଥିବା ଏକ ହୃଦୟସ୍ପର୍ଶୀ ପ୍ରୟାସ କଥା ବିଷୟରେ କହିବାକୁ ଚାହୁଁଛି । ଫିଜିରେ ଭାରତୀୟ ଭାଷା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରଶଂସନୀୟ ଉଦ୍ୟମ ହୋଇଛି । ସେଠାକାର ନୂତନ ପିଢ଼ିକୁ ତାମିଲ ଭାଷା ସହିତ ଯୋଡ଼ିବା ପାଇଁ ଅନେକ ସ୍ତରରେ ନିରନ୍ତର ପ୍ରୟାସ କରାଯାଉଛି । ଗତମାସରେ, ଫିଜିର ରାକି-ରାକି ଅଞ୍ଚଳରେ ସେଠାକାର ଏକ ସ୍କୁଲରେ ପ୍ରଥମ ଥର ପାଇଁ ତାମିଲ ଦିବସ ପାଳନ କରାଯାଇଥିଲା । ସେହି ଦିନ ପିଲାଙ୍କୁ ଏଭଳି ଏକ ମଞ୍ଚ ମିଳିଲା, ଯେଉଁଠି ସେମାନେ ଖୋଲା ହୃଦୟରେ ନିଜ ଭାଷାକୁ ନେଇ ଗର୍ବ ବ୍ୟକ୍ତ କରିଥିଲେ । ପିଲାମାନେ ତାମିଲ ଭାଷାରେ କବିତା ପାଠ କରିଥିଲେ, ଭାଷଣ ଦେଇଥିଲେ ଏବଂ ମଞ୍ଚ ଉପରେ ଆତ୍ମବିଶ୍ୱାସର ସହିତ ନିଜ ସଂସ୍କୃତିର ପ୍ରଦର୍ଶନ କରିଥିଲେ । ବନ୍ଧୁଗଣ, ତାମିଲ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଦେଶ ଭିତରେ ମଧ୍ୟ ନିରନ୍ତର କାର୍ଯ୍ୟ କରାଯାଉଛି । କିଛି ଦିନ ପୂର୍ବରୁ, ମୋର ସଂସଦୀୟ କ୍ଷେତ୍ର କାଶୀରେ ଚତୁର୍ଥ ‘କାଶୀ ତାମିଲ ସଙ୍ଗମମ୍’ ଅନୁଷ୍ଠିତ ହୋଇଥିଲା । ଏବେ, ମୁଁ ଆପଣଙ୍କୁ ଏକ ଅଡିଓ କ୍ଲିପ୍ ଶୁଣାଇବାକୁ ଯାଉଛି । ଶୁଣନ୍ତୁ ଏବଂ ଅନୁମାନ କରନ୍ତୁ ଯେ ତାମିଲ କହିବାକୁ ଚେଷ୍ଟା କରୁଥିବା ଏହି ପିଲାମାନେ କେଉଁ ଜାଗାର?
ବନ୍ଧୁଗଣ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାମିଲ ଭାଷାରେ ଏତେ ସହଜ ଭାବେ ନିଜ ବକ୍ତବ୍ୟ ପ୍ରକାଶ କରୁଥିବା ଏହି ପିଲାଏ କାଶୀର; ବାରାଣସୀର । ସେମାନଙ୍କ ମାତୃଭାଷା ହିନ୍ଦୀ, କିନ୍ତୁ ତାମିଲ ଭାଷା ପ୍ରତି ଅନୁରାଗ ସେମାନଙ୍କୁ ତାମିଲ ଶିଖିବାକୁ ପ୍ରେରଣା ଦେଇଛି । ଏ ବର୍ଷ, ବାରାଣସୀରେ ‘କାଶୀ ତାମିଲ ସଙ୍ଗମମ' ସମୟରେ, ତାମିଲ ଶିଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।
ତାମିଲ ଭାଷା ଶିଖନ୍ତୁ – ‘ତାମିଲ୍ କରାକଲମ୍' ଏହି ପ୍ରସଙ୍ଗ ଜରିଆରେ ବାରାଣସୀର ୫୦ରୁ ଅଧିକ ସ୍କୁଲରେ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଚଳାଯାଇଥିଲା । ଏହାର ଫଳାଫଳ ଆମେ ଏହି ଅଡିଓ କ୍ଲିପରୁ ଶୁଣିପାରୁଛୁ ।
ବନ୍ଧୁଗଣ, ତାମିଲ ହେଉଛି ବିଶ୍ୱର ସବୁଠାରୁ ପୁରୁଣା ଭାଷା । ତାମିଲ ସାହିତ୍ୟ ମଧ୍ୟ ଅତ୍ୟନ୍ତ ସମୃଦ୍ଧ । ମୁଁ ଆପଣଙ୍କୁ ‘ମନ କି ବାତ୍'ରେ ‘କାଶୀ ତାମିଲ୍ ସଙ୍ଗମମ୍’ରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲି । ମୁଁ ଖୁସି ଯେ ଆଜି ଦେଶର ଅନ୍ୟ ଅଞ୍ଚଳର ପିଲା ଏବଂ ଯୁବକଯୁବତୀଙ୍କ ମଧ୍ୟରେ ବି ତାମିଲ୍ ଭାଷା ପ୍ରତି ନୂତନ ଆଗ୍ରହ ଦେଖାଯାଉଛି - ଏହା ହେଉଛି ଭାଷାର ଶକ୍ତି, ଏହା ହେଉଛି ଭାରତର ଏକତା ।
ବନ୍ଧୁଗଣ, ଆସନ୍ତା ମାସରେ ଆମେ ଦେଶର ୭୭ତମ ଗଣତନ୍ତ୍ର ଦିବସ ପାଳନ କରିବା । ଯେତେବେଳେ ବି ଏପରି ସୁଯୋଗ ଆସେ, ଆମ ହୃଦୟ ସ୍ୱାଧୀନତା ସଂଗ୍ରାମୀ ଏବଂ ସମ୍ୱିଧାନ ନିର୍ମାତାଙ୍କ ପ୍ରତି କୃତଜ୍ଞତାରେ ପୂରିଉଠେ । ଆମ ଦେଶ ସ୍ୱାଧୀନତା ପ୍ରାପ୍ତି ପାଇଁ ଏକ ଦୀର୍ଘ ଲଢ଼େଇ ଲଢ଼ିଛି । ଦେଶର ପ୍ରତ୍ୟେକ ଅଞ୍ଚଳର ଲୋକ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ, ସ୍ୱାଧୀନତାର ଅନେକ ନାୟକ-ନାୟିକାଙ୍କୁ ଯେଉଁ ସମ୍ମାନ ମିଳିବା କଥା, ତାହା ମିଳିନାହିଁ । ସେହିଭଳି ଜଣେ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ଓଡ଼ିଶାର ପାର୍ବତୀ ଗିରି ଜୀ । ଜାନୁଆରୀ ୨୦୨୬ରେ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ କରାଯିବ । ସେ ୧୬ ବର୍ଷ ବୟସରେ ଭାରତଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ବନ୍ଧୁଗଣ, ସ୍ୱାଧୀନତା ଆନ୍ଦୋଳନ ପରେ, ପାର୍ବତୀ ଗିରି ସମାଜସେବା ଏବଂ ଆଦିବାସୀ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ଅନେକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ତାଙ୍କର ପ୍ରେରଣାଦାୟକ ଜୀବନ ପ୍ରତ୍ୟେକ ପିଢ଼ିକୁ ମାର୍ଗଦର୍ଶନ କରି ଚାଲିବ ।
‘ମୁଁ ପାର୍ବତୀ ଗିରି ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।’
ବନ୍ଧୁଗଣ, ଆମ ଐତିହ୍ୟକୁ ଭୁଲି ନ ଯିବା ଆମର ଦାୟିତ୍ୱ । ଆସନ୍ତୁ ଆମେ ସ୍ୱାଧୀନତା ପ୍ରଦାନ କରିଥିବା ସେହି ନାୟକ-ନାୟିକାମାନଙ୍କ ମହାନ ଗାଥାକୁ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା । ଆପଣମାନଙ୍କର ମନେଥିବ ଯେ ଯେତେବେଳେ ଆମ ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହୋଇଥିଲା, ସେତେବେଳେ ସରକାର ଏକ ସ୍ୱତନ୍ତ୍ର ୱେବସାଇଟ୍ ତିଆରି କରିଥିଲେ । ଏହାର ଏକ ବିଭାଗ ‘ଅନାଲୋଚିତ ନାୟକମାନଙ୍କ' ପାଇଁ ଉତ୍ସର୍ଗୀକୃତ ଥିଲା । ଆଜି ମଧ୍ୟ ଆପଣ ଏହି ୱେବସାଇଟକୁ ପରିଦର୍ଶନ କରି ସେହି ମହାନ୍ ବ୍ୟକ୍ତିତ୍ୱମାନଙ୍କ ବିଷୟରେ ଜାଣିପାରିବେ, ଯେଉଁମାନେ ଦେଶକୁ ସ୍ୱାଧୀନତା ଆଣିଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ ମାଧ୍ୟମରେ ଆମକୁ ସମାଜର କଲ୍ୟାଣ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା କରିବା ପାଇଁ ଗୋଟିଏ ସୁନ୍ଦର ଅବସର ମିଳୁଛି । ଆଜି ମୁଁ ଏଭଳି ଏକ ବିଷୟରେ କଥା ହେବାକୁ ଚାହୁଁଛି, ଯାହାକି ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇପଡ଼ିଛି । ICMR ଅର୍ଥାତ୍ Indian Council of Medical Research ଏଇ କିଛିଦିନ ତଳେ ଏକ ରିପୋର୍ଟ ଜାରି କରିଛି । ଏଥିରେ କୁହାଯାଇଛି ଯେ ନିମୋନିଆ ଏବଂ UTI ଭଳି ଅନେକ ରୋଗ ବିରୁଦ୍ଧରେ antibiotic ଔଷଧଗୁଡ଼ିକ ଦୁର୍ବଳ ସାବ୍ୟସ୍ତ ହେଉଛନ୍ତି । ଆମ ସମସ୍ତଙ୍କ ପାଇଁ ଏହା ଏକ ଚିନ୍ତାଜନକ ବିଷୟ । ରିପୋର୍ଟ ଅନୁସାରେ ଏହାର ଗୋଟିଏ ବଡ଼ କାରଣ ହେଲା ଭଲ-ମନ୍ଦ ନ ଭାବି ଲୋକମାନେ antibiotic ଔଷଧଗୁଡ଼ିକ ସେବନ କରୁଛନ୍ତି । antibiotic ସେଭଳି ଔଷଧ ନୁହେଁ, ଯାହାକୁ ମନଇଚ୍ଛା ସେବନ କରାଯିବ । ଏହାର ବ୍ୟବହାର ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କରିବା ଉଚିତ । ଆଜିକାଲି, ଲୋକମାନେ ମାନିନେଉଛନ୍ତି ଯେ ବାସ୍ ଗୋଟିଏ ବଟିକା ଖାଇଦିଅ ସମସ୍ତ ଅସୁବିଧା ଦୂର ହୋଇଯିବ । ଏହି କାରଣରୁ ରୋଗ ଏବଂ ସଂକ୍ରମଣଗୁଡ଼ିକ antibioticଠାରୁ ବଳବାନ୍ ଲାଗୁଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ନିଜର ଇଚ୍ଛା ଅନୁସାରେ ଔଷଧ ସେବନ କରିବା ବନ୍ଦ କରନ୍ତୁ । Antibiotic ବ୍ୟବହାର କ୍ଷେତ୍ରରେ ଏହି କଥା ପ୍ରତି ଧ୍ୟାନଦେବା ବହୁତ ଜରୁରୀ । ମୁଁ ତ କହିବି – ଔଷଧ ବ୍ୟବହାର ପାଇଁ ମାର୍ଗଦର୍ଶନ ଏବଂ antibiotic ପାଇଁ ଡାକ୍ତରଙ୍କ ପରାମର୍ଶ ବହୁତ ଜରୁରୀ । ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ।
ମୋର ପ୍ରିୟ ଦେଶବାସୀଗଣ ଆମର ପାରମ୍ପରିକ କଳା ସମାଜକୁ ସଶକ୍ତ କରିବା ସଙ୍ଗେ ସଙ୍ଗେ ଲୋକମାନଙ୍କର ଆର୍ଥିକ ପ୍ରଗତି ଦିଗରେ ଏକ ବଡ଼ ମାଧ୍ୟମ ହୋଇପାରିଛି । ଆନ୍ଧ୍ରପ୍ରଦେଶର ନାରସାପୁରମ୍ ଜିଲ୍ଲାର ଲେସ୍ କ୍ରାଫ୍ଟର ଚର୍ଚ୍ଚା ଏବେ ସାରା ଦେଶରେ ବଢ଼ିଚାଲିଛି । ଏହି ଲେସ୍ କ୍ରାଫ୍ଟ କଳାଟି ପୁରୁଷ ପୁରୁଷ ଧରି ମହିଳାମାନଙ୍କ ହାତରେ ହିଁ ରହିଛି । ବହୁତ ଧୈର୍ଯ୍ୟ ଓ ନିପୁଣତାର ସହିତ ଦେଶର ନାରୀଶକ୍ତି ଏହାର ସଂରକ୍ଷଣ କରିଆସିଛି । ଆଜି ଏହି ପରମ୍ପରାକୁ ଏକ ନୂଆ ରୂପ ରଙ୍ଗ ସହିତ ଆଗେଇନେବାର ଚେଷ୍ଟା କରାଯାଉଛି । ଆନ୍ଧ୍ରପ୍ରଦେଶ ସରକାର ଏବଂ ନାବାର୍ଡ ମିଳିତ ଭାବରେ କାରିଗରମାନଙ୍କୁ ନୂଆ ନୂଆ ଡିଜାଇନ୍ ଶିଖାଉଛନ୍ତି । ଉତ୍ତମ କୌଶଳର ପ୍ରଶିକ୍ଷଣ ଦେଉଛନ୍ତି ତଥା ନୂଆ ନୂଆ ବଜାର ସହିତ ସଂଯୋଗ କରୁଛନ୍ତି । ନାର୍ସାପୁରମ୍ ଲେସକୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳିଛି । ଆଜି ଏହାର ୫୦୦ରୁ ଅଧିକ ଉତ୍ପାଦ ତିଆରି ହେଉଛି ଏବଂ ଅଢ଼େଇ ଶହରୁ ଅଧିକ ଗାଁମାନଙ୍କରେ ପ୍ରାୟତଃ ୧ ଲକ୍ଷ ମହିଳାଙ୍କୁ ଏହାଦ୍ୱାରା ରୋଜଗାର ମିଳୁଛି ।
ବନ୍ଧୁଗଣ ‘ମନ୍ କି ବାତ୍’ ସେହିଭଳି ଲୋକମାନଙ୍କୁ ଆଗକୁ ଆଣିବାର ଗୋଟିଏ ମଞ୍ଚ ଯେଉଁମାନେ ତାଙ୍କର କଠିନ ପରିଶ୍ରମ ଦ୍ୱାରା ଖାଲି ପାରମ୍ପରିକ କଳାକୁ ଆଗକୁ ବଢ଼ାଉଛନ୍ତି, ତା’ନୁହେଁ ବରଂ ଏହାଦ୍ୱାରା ସ୍ଥାନୀୟ ଲୋକମାନଙ୍କୁ ସଶକ୍ତ ମଧ୍ୟ କରୁଛନ୍ତି । ମଣିପୁରର ଚୁରାଚାନ୍ଦପୁରରେ ମାର୍ଗାରେଟ୍ ରାମଥାରସିମଙ୍କର ଏହିପରି ଏକ ପ୍ରୟାସ ରହିଛି । ସେ ମଣିପୁରର ପାରମ୍ପରିକ ଉତ୍ପାଦକୁ, ସେଠାକାର ହସ୍ତଶିଳ୍ପକୁ, ବାଉଁଶ ଏବଂ କାଠରେ ତିଆରି ହୋଇଥିବା ଜିନିଷଗୁଡ଼ିକୁ, ଗୋଟିଏ ବୃହତ ଦୃଷ୍ଟିରୁ ଦେଖିଲେ ଏବଂ ତାଙ୍କର ଏହି ଦୂରଦୃଷ୍ଟି ଦ୍ୱାରା ସେ ଜଣେ ହସ୍ତଶିଳ୍ପ କଳାକାର ଭାବରେ ଲୋକଙ୍କ ଜୀବନକୁ ବଦଳାଇବାର ମାଧ୍ୟମ ହୋଇଯାଇଛନ୍ତି । ଆଜି ମାର୍ଗାରେଟ୍ ଜୀଙ୍କ ୟୁନିଟରେ ୫୦ରୁ ଅଧିକ କଳାକାର କାମ କରୁଛନ୍ତି ଏବଂ ସେମାନେ ନିଜର ପରିଶ୍ରମ ଦ୍ୱାରା ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ନିଜ ଉତ୍ପାଦର ଗୋଟିଏ ବଜାର ମଧ୍ୟ ବିକାଶ କରିଛନ୍ତି ।
ବନ୍ଧୁଗଣ, ସେନାପତି ଜିଲ୍ଲାରେ ରହୁଥିବା ଚୋଖୋନେ କ୍ରିଚେନା ଜୀ ମଧ୍ୟ ମଣିପୁରର ଆଉ ଗୋଟିଏ ଉଦାହରଣ । ତାଙ୍କର ପୁରା ପରିବାର ପାରମ୍ପରିକ କୃଷି ସହିତ ଯୋଡ଼ିହୋଇ ରହିଛନ୍ତି । କ୍ରିଚେନା ଏହି ପାରମ୍ପରିକ ଅନୁଭୂତିକୁ ଆଉଟିକେ ବଢ଼ାଇଲେ । ସେମାନେ ଫୁଲଚାଷକୁ ନିଜର ସଉକ ବନାଇଲେ । ଆଜି ସେ ଏହି କାମକୁ ଭିନ୍ନ ଭିନ୍ନ ବଜାର ସହିତ ସଂଯୁକ୍ତ କରିଛନ୍ତି ଏବଂ ନିଜ ଅଞ୍ଚଳର ସ୍ଥାନୀୟ ସମୁଦାୟକୁ ମଧ୍ୟ ସଶକ୍ତ କରୁଛନ୍ତି । ବନ୍ଧୁଗଣ, ଏହି ଉଦାହରଣ ଆମକୁ ଶିଖାଇଦିଏ ଯେ ଯଦି ପାରମ୍ପରିକ ଜ୍ଞାନକୁ ଆଧୁନିକ ଦୃଷ୍ଟିଭଙ୍ଗୀ ଦ୍ୱାରା ବଢ଼ାଇବାକୁ ଚେଷ୍ଟା କରିବା ତାହେଲେ ଏହା ଆର୍ଥିକ ପ୍ରଗତିର ଗୋଟିଏ ବଡ଼ ମାଧ୍ୟମ ହୋଇପାରିବ । ଆପଣଙ୍କ ଆଖପାଖରେ ମଧ୍ୟ ଯଦି ଏହିଭଳି ସଫଳ କାହାଣୀ ଥାଏ, ତେବେ ମୋତେ ନିଶ୍ଚୟ ସେୟାର୍ କରନ୍ତୁ ।
ବନ୍ଧୁଗଣ, ଆମ ଦେଶର ସବୁଠାରୁ ସୁନ୍ଦର କଥା ଏଇୟା ଯେ ବର୍ଷସାରା ପ୍ରତ୍ୟେକ ସମୟରେ କୌଣସି ନା କୌଣସି ଅଞ୍ଚଳରେ ଉତ୍ସବର ବାତାବରଣ ରହେ । ଭିନ୍ନ ଭିନ୍ନ ପର୍ବପର୍ବାଣୀ ତ ଅଛି, ଏହାସହିତ ବିଭିନ୍ନ ରାଜ୍ୟରେ ସ୍ଥାନୀୟ ଉତ୍ସବଗୁଡ଼ିକ ମଧ୍ୟ ଆୟୋଜିତ ହେଉଛି । ଅର୍ଥାତ୍, ଯଦି ଆପଣ ବୁଲିବାକୁ ମନ କରିବେ, ତାହେଲେ ସବୁ ସମୟରେ ଦେଶର କୌଣସି ନା କୌଣସି କୋଣରେ ନିଜର ସ୍ୱତନ୍ତ୍ର ଉତ୍ସବ ସହିତ ପର୍ବପର୍ବାଣୀ ଦେଖିବାକୁ ମିଳିବ । ଏହିଭଳି ଏକ ଉତ୍ସବ ଏବେ କଚ୍ଛ୍’ର ରଣ’ରେ ଚାଲୁଅଛି । ଏହି ବର୍ଷ କଚ୍ଛ ରଣୋତ୍ସବର ଏହି ଆୟୋଜନ ୨୩ ନଭେମ୍ବର ଠାରୁ ଆରମ୍ଭ ହୋଇଛି, ଯାହାକି ୨୦ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ । ସେଠାରେ କଚ୍ଛର ଲୋକସଂସ୍କୃତି, ଲୋକସଙ୍ଗୀତ, ନୃତ୍ୟ ଏବଂ ହସ୍ତଶିଳ୍ପର ବିବିଧତା ଦେଖିବାକୁ ପାଇବେ । କଚ୍ଛର ଧବଳ ରଣର ଭବ୍ୟତା ଦେଖିବା ସ୍ୱୟଂ ଏକ ସୁଖଦ ଅନୁଭୂତି । ରାତି ସମୟରେ ଯେତେବେଳେ ଧବଳ ରଣ ଉପରେ ଚାନ୍ଦିନୀ ବିଛାଡିହୋଇ ପଡ଼େ ସେତେବେଳେ ତାହାର ଦୃଶ୍ୟ ଆପଣଙ୍କୁ ମନ୍ତ୍ରମୁଗ୍ଧ କରିଦିଏ । ରଣ ଉତ୍ସବର Tent City ବହୁତ ଲୋକପ୍ରିୟ । ମୁଁ ଜାଣିବାକୁ ପାଇଲି ଯେ ଗତ ଏକମାସ ମଧ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ରଣୋତ୍ସବରେ ଭାଗ ନେଇସାରିଛନ୍ତି ଏବଂ ଦେଶର କୋଣଅନୁକୋଣରୁ ଆସିଛନ୍ତି, ବିଦେଶରୁ ମଧ୍ୟ ଲୋକ ଆସିଛନ୍ତି । ଆପଣଙ୍କୁ ଯେତେବେଳେ ସୁଯୋଗ ମିଳିବ ତ ଏହିଭଳି ଉତ୍ସବରେ ନିଶ୍ଚୟ ଯୋଗଦିଅନ୍ତୁ ଏବଂ ଭାରତର ବିବିଧତାର ଆନନ୍ଦ ନିଅନ୍ତୁ
ବନ୍ଧୁଗଣ, ଏହା ହେଉଛି ୨୦୨୫ ମସିହାର ‘ମନ୍ କି ବାତ୍’ର ଶେଷ ଅଧ୍ୟାୟ, ଏବେ ଆମେ ୨୦୨୬ ମସିହାରେ ଏହିଭଳି ଉତ୍ସାହ ଏବଂ ଉଦ୍ଦୀପନାର ସହିତ, ଆତ୍ମୀୟତାର ସହିତ ନିଜ ମନର କଥା କହିବା ପାଇଁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ସହିତ ନିଶ୍ଚୟ ଏକତ୍ର ହେବା । ନୂତନ ଶକ୍ତି, ନୂତନ ବିଷୟ ଏବଂ ଦେଶବାସୀଙ୍କର ଅଗଣିତ ପ୍ରେରଣାଦାୟୀ କଥା ‘ମନ୍ କି ବାତ୍’ ମାଧ୍ୟମରେ ଆମ ସମସ୍ତଙ୍କୁ ଯୋଡିରଖୁଛି । ପ୍ରତିମାସରେ ମୋତେ ଏଭଳି ଅନେକ ବାର୍ତ୍ତା ମିଳେ, ଯେଉଁଥିରେ ‘ବିକଶିତ ଭାରତ’କୁ ନେଇ ନିଜ ନିଜର ଦୃଷ୍ଟିକୋଣକୁ ଲୋକମାନେ ମୋ ସହିତ ସେୟାର କରିଥାନ୍ତି । ଲୋକମାନଙ୍କଠାରୁ ମିଳୁଥିବା ପରାମର୍ଶ ଏବଂ ଏ ଦିଗରେ ସେମାନଙ୍କର ପ୍ରୟାସକୁ ଦେଖି ମୋର ବିଶ୍ୱାସ ଆହୁରି ଦୃଢ଼ ହେଉଛି ଯେ ‘ବିକଶିତ ଭାରତ’ ଗଠନର ଆମମାନଙ୍କର ସଂକଳ୍ପ ନିଶ୍ଚୟ ସିଦ୍ଧ ହେବ । ଏହି ବିଶ୍ୱାସ ଦିନକୁ ଦିନ ଦୃଢ଼ ହେବାରେ ଲାଗିଛି । ୨୦୨୬ ମସିହାଟି ଏହି ସଂକଳ୍ପ ସିଦ୍ଧିର ଯାତ୍ରାରେ ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରୁ, ଆପଣଙ୍କ ଓ ଆପଣଙ୍କ ପରିବାରର ଜୀବନ ଖୁସିରେ ଭରିଯାଉ, ଏହି କାମନା ସହିତ ଏହି ଅଧ୍ୟାୟରୁ ବିଦାୟ ନେବା ପୂର୍ବରୁ ନିଶ୍ଚିତ କହିବି ଯେ ‘Fit India Movement’ ଆପଣଙ୍କୁ ମଧ୍ୟ ଫିଟ୍ ରଖୁ । ଶୀତଋତୁ ବ୍ୟାୟାମ ପାଇଁ ବହୁତ ଉପଯୁକ୍ତ ସମୟ, ବ୍ୟାୟାମ ନିଶ୍ଚୟ କରନ୍ତୁ। ଆପଣ ସମସ୍ତଙ୍କୁ ୨୦୨୬ ବର୍ଷ ପାଇଁ ବହୁତ ବହୁତ ଶୁଭକାମନା । ଧନ୍ୟବାଦ । ବନ୍ଦେ ମାତରମ୍ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s healthcare sector seeing a fundamental digital transformation: Report

Media Coverage

India’s healthcare sector seeing a fundamental digital transformation: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 11, 2026
February 11, 2026

Empowering India: PM Modi's Policies Fueling Innovation, Jobs, and Sustainability