ଛଠ ମହାପର୍ବ ସଂସ୍କୃତି, ପ୍ରକୃତି ଏବଂ ସମାଜ ମଧ୍ୟରେ ଗଭୀର ଏକତାର ପ୍ରତିଫଳନ: ପ୍ରଧାନମନ୍ତ୍ରୀ ମୋଦୀ
ମୁଁ ଖାଦ୍ୟ ତେଲ ବ୍ୟବହାରରେ 10 ପ୍ରତିଶତ ହ୍ରାସ ପାଇଁ ଅନୁରୋଧ କରିଥିଲି, ଏବଂ ଲୋକମାନେ ଏଥିରେ ବହୁତ ସକାରାତ୍ମକ ପ୍ରତିକ୍ରିୟା ଦେଖାଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
ବେଙ୍ଗାଲୁରୁର ସିଆରପିଏଫର କୁକୁର ପ୍ରଜନନ ଏବଂ ତାଲିମ ବିଦ୍ୟାଳୟରେ, ମୋଙ୍ଗରେଲ୍ସ, ମୁଧୋଲ ହାଉଣ୍ଡସ୍, କୋମ୍ବାଇ ଏବଂ ପାଣ୍ଡିକୋନା ଭଳି ଭାରତୀୟ ପ୍ରଜାତିକୁ ତାଲିମ ଦିଆଯାଉଛି: ପ୍ରଧାନମନ୍ତ୍ରୀ ମୋଦୀ
ସର୍ଦାର ପଟେଲ ଆଇନ କ୍ଷେତ୍ରରେ ଆହୁରି ଅଧିକ ପ୍ରସିଦ୍ଧି ଅର୍ଜନ କରିପାରିଥାନ୍ତେ, କିନ୍ତୁ ଗାନ୍ଧୀଜୀଙ୍କ ପ୍ରେରଣାରେ ସେ ସ୍ୱାଧୀନତା ଆନ୍ଦୋଳନ ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଥିଲେ: ପ୍ରଧାନମନ୍ତ୍ରୀ ମୋଦୀ
'ଖେଡା ସତ୍ୟାଗ୍ରହ' ଠାରୁ 'ବୋର୍ସାଦ ସତ୍ୟାଗ୍ରହ' ପର୍ଯ୍ୟନ୍ତ ଅନେକ ଆନ୍ଦୋଳନରେ ସର୍ଦାର ପଟେଲଙ୍କ ଅବଦାନ ଆଜି ମଧ୍ୟ ସ୍ମରଣ କରାଯାଏ: ପ୍ରଧାନମନ୍ତ୍ରୀ ମୋଦୀ
ମୋତେ କୁହାଯାଇଛି ଯେ ‘କୋରାପୁଟ କଫି’ର ସ୍ୱାଦ ଅସାଧାରଣ, ଏବଂ ସେତିକି ନୁହେଁ; ସ୍ୱାଦ ବ୍ୟତୀତ ଏହାର ଚାଷ ଓଡ଼ିଶାର ଲୋକମାନଙ୍କୁ ମଧ୍ୟ ଲାଭ ଦେଉଛି: ପ୍ରଧାନମନ୍ତ୍ରୀ ମୋଦୀ
‘ବନ୍ଦେ ମାତରମ୍’ — ଏହି ଗୋଟିଏ ଶବ୍ଦରେ ଅନେକ ଭାବପ୍ରବଣତା ଏବଂ ଶକ୍ତି ରହିଛି। ଏହା ଆମକୁ ମା ଭାରତୀଙ୍କ ମାତୃପ୍ରେମର ଅନୁଭବ କରାଏ: ପ୍ରଧାନମନ୍ତ୍ରୀ ମୋଦୀ
ଶତାବ୍ଦୀର ଦାସତ୍ୱରେ ଦୁର୍ବଳ ଭାରତକୁ ନୂତନ ଜୀବନ ଦେବା ପାଇଁ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ‘ବନ୍ଦେ ମାତରମ୍’ ଗୀତ ରଚନା କରାଯାଇଥିଲା: ପ୍ରଧାନମନ୍ତ୍ରୀ ମୋଦୀ
ଦାସତ୍ୱ ଯୁଗରେ ଏବଂ ସ୍ୱାଧୀନତା ପରେ ମଧ୍ୟ ସଂସ୍କୃତ ଭାଷା ନିରନ୍ତର ଅବହେଳାର ଶିକାର ହୋଇଆସିଛି: ପ୍ରଧାନମନ୍ତ୍ରୀ ମୋଦୀ
କୋମରାମ ଭୀମଙ୍କ ଆୟୁ ମାତ୍ର 40 ବର୍ଷ ଥିଲା, କିନ୍ତୁ ସେ ଅଗଣିତ ଲୋକଙ୍କ ହୃଦୟରେ—ବିଶେଷକରି ଆଦିବାସୀ ସମାଜର ହୃଦୟରେ—ଏକ ଅମିଟ ଛାପ ଛାଡ଼ିଯାଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ମୋର ପ୍ରିୟ ଦେଶବାସୀଗଣ,

ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ସାରା ଦେଶରେ ବର୍ତ୍ତମାନ ପର୍ବପର୍ବାଣୀର ଉଲ୍ଲାସ ଭରିରହିଛି । ମାତ୍ର କିଛିଦିନ ପୂର୍ବରୁ ଆମେ ଦୀପାବଳି ପାଳନ କରିଛୁ ଏବଂ ଏବେ ବହୁ ସଂଖ୍ୟାରେ ଲୋକେ ଛଠ ପୂଜାରେ ବ୍ୟସ୍ତ ରହିଛନ୍ତି । ଘରେ ଘରେ ଠେକୁଆ ନାମକ ମିଷ୍ଟାନ୍ନ ତିଆରି ଚାଲିଛି । ବିଭିନ୍ନ ସ୍ଥାନରେ ଘାଟର ସାଜସଜ୍ଜା ଚାଲିଛି । ବଜାରଗୁଡ଼ିକ ବେଶ୍ ଚଳଚଞ୍ଚଳ ହୋଇଉଠିଛି । ଚାରିଆଡ଼େ ଶ୍ରଦ୍ଧା, ଭାଇଚାରା ଏବଂ ପରମ୍ପରାର ସଙ୍ଗମ ଦେଖିବାକୁ ମିଳୁଛି । ଛଠ ବ୍ରତ ପାଳନ କରୁଥିବା ମହିଳାମାନେ ଯେଉଁ ସମର୍ପଣ ଏବଂ ନିଷ୍ଠା ଭାବ ସହ ଏହି ପର୍ବ ପାଇଁ ପ୍ରସ୍ତୁତି କରନ୍ତି, ତାହା ଅତ୍ୟନ୍ତ ପ୍ରେରଣାଦାୟକ ।

ବନ୍ଧୁଗଣ,

ଛଠ ମହାପର୍ବ ସଂସ୍କୃତି, ପ୍ରକୃତି ଏବଂ ସମାଜ ମଧ୍ୟରେ ଏକ ନିବିଡ଼ ଏକତାର ପ୍ରତିବିମ୍ବ ଅଟେ । ଛଠ ଘାଟରେ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକେ ଏକାସାଙ୍ଗରେ ଠିଆ ହୁଅନ୍ତି । ଏହି ଦୃଶ୍ୟ ଭାରତର ସାମାଜିକ ଏକତାର ସବୁଠାରୁ ସୁନ୍ଦର ଉଦାହରଣ । ଆପଣ ଦେଶ ବିଦେଶର ଯେକୌଣସି କୋଣଅନୁକୋଣରେ ଥାଆନ୍ତୁ, ଯଦି ସୁଯୋଗ ମିଳେ, ତେବେ ଛଠ ଉତ୍ସବରେ ନିଶ୍ଚୟ ଅଂଶଗ୍ରହଣ କରନ୍ତୁ । ଗୋଟିଏ ଅନନ୍ୟ ଅନୁଭୂତି ସ୍ୱୟଂ ଅନୁଭବ କରନ୍ତୁ । ମୁଁ ଛଠିମାଆଙ୍କୁ ପ୍ରଣାମ କରୁଛି । ସମସ୍ତ ଦେଶବାସୀଙ୍କୁ, ବିଶେଷକରି ବିହାର, ଝାଡ଼ଖଣ୍ଡ ଏବଂ ପୂର୍ବାଞ୍ଚଳର ଲୋକମାନଙ୍କୁ ଛଠ ମହାପର୍ବ ଉପଲକ୍ଷେ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ପାର୍ବଣର ଏହି ଅବସରରେ ମୁଁ ଆପଣ ସମସ୍ତଙ୍କ ନାମରେ ଏକ ପତ୍ର ଲେଖି ନିଜ ଭାବନା ଆପଣମାନଙ୍କ ସହ ବାଣ୍ଟିଥିଲି । ଚିଠିରେ ମୁଁ ଦେଶର ସେହି ଉପଲବ୍ଧିଗୁଡ଼ିକ ସମ୍ପର୍କରେ ଲେଖିଥିଲି, ଯାହା ଫଳରେ ଏଥର ପର୍ବପର୍ବାଣୀର ମାଧୁର୍ଯ୍ୟ ପୂର୍ବାପେକ୍ଷା ଅଧିକ ହୋଇଛି । ମୋ ଚିଠିର ଉତ୍ତରରେ ଦେଶର ଅନେକ ନାଗରିକ ନିଜ ବାର୍ତ୍ତାମାନ ପଠାଇଛନ୍ତି । ବାସ୍ତବରେ, ଅପରେସନ ସିନ୍ଦୂର ପ୍ରତ୍ୟେକ ଭାରତୀୟକୁ ଗର୍ବରେ ଭରିଦେଇଛି । ଏଥର ସେହି ଅଞ୍ଚଳରେ ମଧ୍ୟ ଖୁସିର ଆଲୋକ ଜଳୁଛି, ଯାହା ଦିନେ ମାଓବାଦୀ ଆତଙ୍କର ଅନ୍ଧକାରରେ ଆଚ୍ଛାଦିତ ହୋଇ ରହୁଥିଲା । ଲୋକେ ସେହି ମାଓବାଦୀ ଆତଙ୍କର ମୂଳୋତ୍ପାଟନ ଚାହୁଁଛନ୍ତି, ଯାହା ସେମାନଙ୍କ ସନ୍ତାନମାନଙ୍କ ଭବିଷ୍ୟତକୁ ବିପଦରେ ପକାଇ ଦେଇଥିଲା ।

ଜିଏସଟି ସଞ୍ଚୟ ଉତ୍ସବକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ଏଥର ପାର୍ବଣ ଋତୁରେ ଆଉ ଗୋଟିଏ ସୁଖକର କଥା ଦେଖିବାକୁ ମିଳିଥିଲା । ବଜାରରେ ସ୍ୱଦେଶୀ ଜିନିଷର ବିକ୍ରି ବହୁ ପରିମାଣରେ ବୃଦ୍ଧି ପାଇଛି । ଲୋକେ ମୋ ପାଖକୁ ଯେଉଁସବୁ ବାର୍ତ୍ତା ପଠାଇଛନ୍ତି, ସେଥିରେ ସେମାନେ ଏଥର କି କି ସ୍ୱଦେଶୀ ଜିନିଷ କିଣିଛନ୍ତି, ତାହା ଜଣାଇଛନ୍ତି ।

ବନ୍ଧୁଗଣ,

ମୁଁ ମୋ ଚିଠିରେ ଖାଦ୍ୟରେ ତେଲର ମାତ୍ରାକୁ ୧୦ ପ୍ରତିଶତ ହ୍ରାସ କରିବାକୁ ମଧ୍ୟ ଅନୁରୋଧ କରିଥିଲି । ଏହା ପ୍ରତି ମଧ୍ୟ ଲୋକେ ବହୁତ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବନ୍ଧୁଗଣ, ସ୍ୱଚ୍ଛତା ଏବଂ ସ୍ୱଚ୍ଛତାର ପ୍ରୟାସ, ଏ ବିଷୟରେ ମଧ୍ୟ ମୋତେ ଅନେକ ବାର୍ତ୍ତା ମିଳିଛି । ମୁଁ ଆପଣଙ୍କ ସହ ଭିନ୍ନ ଭିନ୍ନ ସହରର ଏଭଳି କାହାଣୀ କହିବାକୁ ଚାହୁଁଛି, ଯାହା ଅତ୍ୟନ୍ତ ପ୍ରେରଣାଦାୟକ । ଛତିଶଗଡର ଅମ୍ବିକାପୁରରେ ସହରରୁ ପ୍ଲାଷ୍ଟିକ ଆବର୍ଜନା ସଫା କରିବା ପାଇଁ ଗୋଟିଏ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ଅମ୍ବିକାପୁରରେ ଗାର୍ବେଜ୍ କ୍ୟାଫେ ଖୋଲାଯାଇଛି । ଏଗୁଡ଼ିକ ଏମିତି କ୍ୟାଫେ ଯେଉଁଠି ପ୍ଲାଷ୍ଟିକ ଆବର୍ଜନା ପ୍ରତିବଦଳରେ ପେଟପୁରା ଖାଇବାକୁ ଦିଆଯାଉଛି । ଯଦି କୌଣସି ଲୋକ କେଜିଏ ପ୍ଲାଷ୍ଟିକ ନେଇ ସେଠାକୁ ଯାଏ, ତାହେଲେ ଦିନ ଏବଂ ରାତ୍ରିଭୋଜନ ମିଳୁଛି ଏବଂ କେହି ଅଧକିଲୋ ପ୍ଲାଷ୍ଟିକ ନେଇ ଗଲେ ଜଳଖିଆ ମିଳିଯାଉଛି । ଅମ୍ବିକାପୁର ନଗର ନିଗମ ଏହାର ପରିଚାଳନା କରୁଛି ।

ବନ୍ଧୁଗଣ,

ଏହିଭଳି ଏକ ଚମତ୍କାର କାର୍ଯ୍ୟ ବେଙ୍ଗାଲୁରୁର ଇଞ୍ଜିନିୟର କପିଲ୍ ଶର୍ମା କରିଛନ୍ତି । ବେଙ୍ଗାଲୁରୁକୁ ହ୍ରଦର ସହର କୁହାଯାଇଥାଏ ଏବଂ କପିଲ୍ ଜୀ ଏଠାରେ ହ୍ରଦଗୁଡ଼ିକୁ ନବଜୀବନ ପ୍ରଦାନର ଅଭିଯାନ ଆରମ୍ଭ କରିଛନ୍ତି । କପିଲ ଜୀଙ୍କ ଟିମ୍ ବେଙ୍ଗାଲୁରୁ ଏବଂ ଏହାର ଆଖପାଖ ଅଞ୍ଚଳର ୪୦ଟି କୂଅ ଏବଂ ୬ଟି ହ୍ରଦକୁ ପୁନର୍ଜୀବିତ କରିଦେଇଛନ୍ତି । ବିଶେଷ କଥା ହେଲା, ନିଜ ମିଶନରେ ସେ କର୍ପୋରେଟ୍ ଏବଂ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସାମିଲ କରିଛନ୍ତି । ତାଙ୍କ ସଂସ୍ଥା ବୃକ୍ଷରୋପଣ ଅଭିଯାନ ସହ ମଧ୍ୟ ସଂଯୁକ୍ତ । ବନ୍ଧୁଗଣ, ଅମ୍ବିକାପୁର ଏବଂ ବେଙ୍ଗାଲୁରୁର ଏହି ପ୍ରେରଣାଦାୟୀ ଉଦାହରଣ ଏହା ସୂଚିତ କରୁଛନ୍ତି ଯେ, ଯଦି ଇଚ୍ଛାଶକ୍ତି ଦୃଢ଼, ତେବେ ପରିବର୍ତ୍ତନ ସୁନିଚିନ୍ତ ।

ବନ୍ଧୁଗଣ,

ପରିବର୍ତ୍ତନର ଅନ୍ୟ ଏକ ପ୍ରଚେଷ୍ଟାର ଉଦାହରଣ ବିଷୟରେ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି । ଆପଣମାନେ ସମସ୍ତେ ଜାଣନ୍ତି, ଯେମିତି ପାର୍ବତ୍ୟାଞ୍ଚଳ ଏବଂ ସମତଳ ଅଞ୍ଚଳରେ ବଣଜଙ୍ଗଲ ଥାଏ । ଏହି ଜଙ୍ଗଲ ମୃତ୍ତିକାକୁ ଧରି ରଖନ୍ତି । ସେମିତି ସମୁଦ୍ରକୂଳରେ ହେନ୍ତାଳ ବନର ଗୁରୁତ୍ୱ ରହିଥାଏ । ଏହି ହେନ୍ତାଳ ବନ ସମୁଦ୍ରର ଲୁଣି ପାଣି ଏବଂ ସନ୍ତସନ୍ତିଆ ଭୂମିରେ ସୃଷ୍ଟି ହୋଇଥାଏ । ଏହା ସମୁଦ୍ରର ଇକୋ-ସିଷ୍ଟମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ସୁନାମୀ ଅବା ସାଇକ୍ଲୋନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଏହି ହେନ୍ତାଳ ବନ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଆନ୍ତି ।

ବନ୍ଧୁଗଣ,

ଗୁଜରାଟର ବନ ବିଭାଗ ଦ୍ୱାରା ଏହି ହେନ୍ତାଳ ବନର ମହତ୍ତ୍ୱକୁ ଉପଲବ୍ଧି କରି ଗୋଟିଏ ବିଶେଷ ଅଭିଯାନ ଆରମ୍ଭ ହୋଇଛି । ୫ ବର୍ଷ ପୂର୍ବେ ବନ ବିଭାଗର ଟିମଗୁଡ଼ିକ ଅହମଦାବାଦ ନିକଟସ୍ଥ ଧୋଲେରାରେ ହେନ୍ତାଳ ଲଗାଇବା କାମ ଆରମ୍ଭ କରିଥିଲେ । ଆଜି ଧୋଲେରା ଉପକୂଳରେ ସାଢ଼େ ତିନି ହଜାର ହେକ୍ଟରରେ ହେନ୍ତାଳ ବ୍ୟାପିଯାଇଛି । ଏହି ହେନ୍ତାଳ ବନର ପ୍ରଭାବ ଆଜି ସମ୍ପୂର୍ଣ୍ଣ ଅଞ୍ଚଳରେ ଦେଖିବାକୁ ମିଳୁଛି । ସେଠାକାର ଇକୋ ସିଷ୍ଟମରେ ଡଲଫିନ୍ ସଂଖ୍ୟା ବୃଦ୍ଧି ପାଇଛି । କଙ୍କଡ଼ା ଏବଂ ଅନ୍ୟ ଜଳଜୀବଙ୍କ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ, ଏଠାରେ ବିଦେଶୀ ପକ୍ଷୀ ମଧ୍ୟ ବହୁ ସଂଖ୍ୟାରେ ଆସୁଛନ୍ତି । ଏହାଦ୍ୱାରା ସେଠାକାର ପରିବେଶ ଉପରେ ଅନୁକୂଳ ପ୍ରଭାବ ପଡ଼ିବା ସହିତ ଏଠାକାର ମତ୍ସ୍ୟ ଚାଷୀମାନଙ୍କୁ ମଧ୍ୟ ଲାଭ ହେଉଛି ।

ବନ୍ଧୁଗଣ,

ଧୋଲେରା ବ୍ୟତୀତ ଗୁଜରାଟର କଚ୍ଛରେ ମଧ୍ୟ ଆଜିକାଲି ହେନ୍ତାଳ ବୃକ୍ଷରୋପଣ ଜୋରସୋରରେ ଚାଲିଛି । ସେଠାରେ କୋରୀ କ୍ରିକ୍ରେ ମାଙ୍ଗ୍ରୋଭ୍ ଶିକ୍ଷା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି ।

ବନ୍ଧୁଗଣ,

ଏହା ହିଁ ତ ବୃକ୍ଷଲତାର ବିଶେଷତ୍ୱ । ଯେକୌଣସି ସ୍ଥାନ ହେଉ, ଏହା ପ୍ରତ୍ୟେକ ଜୀବର ଉନ୍ନତି ପାଇଁ କାମରେ ଲାଗିଥାଏ । ସେଇଥିପାଇଁ ତ ଆମ ଗ୍ରନ୍ଥମାନଙ୍କରେ କୁହାଯାଇଛି ଯେ,

ଧନ୍ୟା ମହିଋହା ୟେଭ୍ୟୋ,

ନିରାଶାଂ ୟାନ୍ତି ନାର୍ଥିନଃ । ।

ଅର୍ଥାତ୍, ସେହି ବୃକ୍ଷ ଏବଂ ବନସ୍ପତି ଧନ୍ୟ, ଯାହା କାହାରିକୁ ହତାଶ କରେ ନାହିଁ । ଆମକୁ ଦରକାର, ଆମେ ଯେକୌଣସି ଅଞ୍ଚଳରେ ବାସ କରୁଥିଲେ ମଧ୍ୟ ବୃକ୍ଷରୋପଣ କରିବା ଉଚିତ । ‘ଏକ୍ ପେଡ଼୍ ମାଁ କେ ନାମ୍’ ଅଭିଯାନକୁ ଆମକୁ ଆହୁରି ଆଗେଇ ନେବାକୁ ହେବ ।

ମୋର ପ୍ରିୟ ଦେଶବାସୀଗଣ,

ଆପଣମାନେ ଜାଣନ୍ତି କି, ‘ମନ୍ କି ବାତ୍’ରେ ଆମେ ଯେଉଁ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥାଉ, ସେଥିରେ ମୋ ପାଇଁ ସବୁଠାରୁ ଅଧିକ ସନ୍ତୁଷ୍ଟିର କଥା କ’ଣ ହୋଇଥିବ ? ସେ ବିଷୟରେ ମୁଁ ଏହା କହିବି ଯେ, ‘ମନ୍ କି ବାତ୍’ରେ ଆମେ ଯେଉଁ ସବୁ ବିଷୟ ଉପରେ ଆଲୋଚନା କରିଥାଉ ତାହାଦ୍ୱାରା ଲୋକମାନଙ୍କୁ ସମାଜ ପାଇଁ କିଛି ଭଲ, କିଛି ଅଭିନବ କାମ କରିବାକୁ ପ୍ରେରଣା ମିଳିଥାଏ । ଏହାଦ୍ୱାରା ଆମ ସଂସ୍କୃତି, ଆମ ଦେଶର ଅନେକ ଦିଗ ଲୋକଲୋଚନକୁ ଆସିଥାଏ ।

ବନ୍ଧୁଗଣ,

ଆପଣମାନଙ୍କ ମଧ୍ୟରୁ ଅନେକଙ୍କର ମନେଥିବ ଯେ, ପ୍ରାୟଃ ୫ ବର୍ଷ ପୂର୍ବେ ମୁଁ ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରଜାତିର ଶ୍ୱାନ ଅର୍ଥାତ୍ କୁକୁର ବିଷୟରେ ଆଲୋଚନା କରିଥିଲି । ଦେଶବାସୀଙ୍କ ସହ ମୁଁ ଆମ ସୁରକ୍ଷା ବାହିନୀକୁ ଅନୁରୋଧ କରିଥିଲି ଯେ, ସେମାନେ ଭାରତୀୟ ପ୍ରଜାତିର କୁକୁରଙ୍କୁ ଆପଣାନ୍ତୁ । କାରଣ, ସେମାନେ ଆମ ପରିବେଶ ଓ ପରିସ୍ଥିତିରେ ନିଜକୁ ସହଜରେ ଖାପ ଖୁଆଇ ପାରନ୍ତି । ଏକଥା ଜଣାଇବାରେ ମୋତେ ଖୁସି ଲାଗୁଛି ଯେ ଆମ ସୁରକ୍ଷା ସଂସ୍ଥାମାନେ ଏହି ଦିଗରେ ଅନେକ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି । ବିଏସ୍ଏଫ୍ ଏବଂ ସିଆରପିଏଫ୍ ନିଜ ଦଳରେ ଭାରତୀୟ ପ୍ରଜାତିର କୁକୁରଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି । କୁକୁରମାନଙ୍କ ତାଲିମ ପାଇଁ ବିଏସ୍ଏଫର ଜାତୀୟ ତାଲିମ କେନ୍ଦ୍ର ଗୋଆଲିୟରର ଟେକନପୁରଠାରେ ରହିଛି । ଏଠାରେ ଉତ୍ତରପ୍ରଦେଶର ରାମପୁର ହାଉଣ୍ଡ୍, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ମୁଧୋଲ୍ ହାଉଣ୍ଡ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହି କେନ୍ଦ୍ରରେ ତାଲିମଦାତା, ବୈଷୟିକ କୌଶଳ ଏବଂ ନୂତନ ପଦ୍ଧତି ମାଧ୍ୟମରେ କୁକୁରମାନଙ୍କୁ ଉନ୍ନତ ଧରଣର ତାଲିମ ପ୍ରଦାନ କରାଯାଉଛି । ଭାରତୀୟ ପ୍ରଜାତିର କୁକୁରମାନଙ୍କ ପାଇଁ ଟ୍ରେନିଂ ମାନୁଆଲକୁ ପୁଣିଥରେ ଲିପିବଦ୍ଧ କରାଯାଇଛି, ଯାହା ଫଳରେ ସେମାନଙ୍କ ଅନନ୍ୟ ଶକ୍ତିକୁ ଲୋକଲୋଚନକୁ ଅଣାଯାଇପାରିବ । ବେଙ୍ଗାଲୁରୁର ସିଆରପିଏଫର କୁକୁର ପ୍ରଜନନ ଏବଂ ତାଲିମ ବିଦ୍ୟାଳୟରେ ମୋଙ୍ଗରେଲ୍ସ, ମୁଧୋଲ ହାଉଣ୍ଡ, କୋମ୍ବାଇ ଏବଂ ପାଣ୍ଡିକୋନା ଭଳି ଭାରତୀୟ କୁକୁରମାନଙ୍କୁ ତାଲିମ ଦିଆଯାଉଛି।

ବନ୍ଧୁଗଣ,

ଗତବର୍ଷ ଲକ୍ଷ୍ନୌରେ ଅଲ୍ ଇଣ୍ଡିଆ ପୋଲିସ୍ ଡ୍ୟୁଟି ମିଟ୍ ଆୟୋଜିତ ହୋଇଥିଲା । ସେତେବେଳେ ରିୟା ନାମକ କୁକୁର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ବିଏସ୍ଏଫ୍ ଦ୍ୱାରା ତାଲିମପ୍ରାପ୍ତ ମୁଧୋଲ୍ ହାଉଣ୍ଡ ପ୍ରଜାତିର କୁକୁର । ରିୟା ଏଠାରେ ଅନେକ ବିଦେଶୀ ପ୍ରଜାତିର କୁକୁରଙ୍କୁ ପଛରେ ପକାଇ ପ୍ରଥମ ପୁରସ୍କାର ଜିତିଥିଲା ।

ବନ୍ଧୁଗଣ,

ଏବେ ବିଏସ୍ଏଫ୍ ନିଜ କୁକୁରମାନଙ୍କୁ ବିଦେଶୀ ବଦଳରେ ସ୍ୱଦେଶୀ ନାମରେ ନାମକରଣ କରିବା ପରମ୍ପରା ଆରମ୍ଭ କରିଛନ୍ତି । ଆମର ସ୍ୱଦେଶୀ ଶ୍ୱାନ ଚମତ୍କାର ସାହସ ପ୍ରଦର୍ଶନ କରିଛନ୍ତି । ଗତବର୍ଷ ଛତିଗଡ଼ର ମାଓ ପ୍ରଭାବିତ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ସିଆରପିଏଫର ଗୋଟିଏ ସ୍ୱଦେଶୀ କୁକୁର ଆଠ କେଜି ବିସ୍ଫୋରକ ଠାବ କରିଥିଲା । ବିଏସ୍ଏଫ୍ ଏବଂ ସିଆରପିଏଫ୍ ଏହି ଦିଗରେ ଯେଉଁ ପ୍ରଚେଷ୍ଟା କରିଛନ୍ତି, ସେଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ଅବଶ୍ୟ, ମୁଁ ଅକ୍ଟୋବର ୩୧ ତାରିଖକୁ ମଧ୍ୟ ଅପେକ୍ଷା କରିଛି । ଏହା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରତିବର୍ଷ ଗୁଜରାଟର ଏକତା ନଗରରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ବିଶେଷ ଉତ୍ସବର ଆୟୋଜନ ହୋଇଥାଏ । ଏଠାରେ ଏକତା ଦିବସ ପରେଡ୍ ମଧ୍ୟ ଅନୁଷ୍ଠିତ ହୋଇଥାଏ ଏବଂ ସେହି ପରେଡରେ ପୁଣିଥରେ ଭାରତୀୟ ଶ୍ୱାନମାନଙ୍କ ସାମର୍ଥ୍ୟ ପ୍ରଦର୍ଶିତ ହେବ । ଆପଣମାନେ ମଧ୍ୟ ସମୟ ବାହାର କରି ଏହାକୁ ନିଶ୍ଚୟ ଦେଖିବେ ।

ମୋର ପ୍ରିୟ ଦେଶବାସୀଗଣ,

ସର୍ଦ୍ଦାର ପଟେଲଙ୍କର ୧୫୦ତମ ଜୟନ୍ତୀ ସାରା ଦେଶ ପାଇଁ ଏକ ବିଶେଷ ଅବସର । ସର୍ଦ୍ଦାର ପଟେଲ ଆଧୁନିକ ସମୟରେ ଦେଶର ସବୁଠାରୁ ମହାନ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ବିଶାଳ ବ୍ୟକ୍ତିତ୍ୱରେ ଅନେକ ଗୁଣ ଭରିରହିଥିଲା । ସେ ଜଣେ ଅତ୍ୟନ୍ତ ପ୍ରତିଭାବାନ ଛାତ୍ର ଥିଲେ । ସେ ଭାରତ ଏବଂ ବ୍ରିଟେନ, ଉଭୟ ସ୍ଥାନରେ ପାଠପଢ଼ାରେ ଖୁବ ଭଲ ପ୍ରଦର୍ଶନ କରିଥିଲେ । ସେ ସେହି ସମୟର ସବୁଠାରୁ ସଫଳ ଆଇନଜୀବିମାନଙ୍କ ମଧ୍ୟରୁ ଜଣେ ଥିଲେ । ସେ ଓକିଲାତି କ୍ଷେତ୍ରରେ ଆହୁରି ସୁନାମ ଅର୍ଜନ କରିପାରିଥାଆନ୍ତେ । କିନ୍ତୁ, ଗାନ୍ଧିଜୀଙ୍କ ଦ୍ୱାରା ପ୍ରେରିତ ହୋଇ ସେ ନିଜକୁ ସ୍ୱାଧୀନତା ଆନ୍ଦୋଳନରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଦେଇଥିଲେ । ଖେଡ଼ା ସତ୍ୟାଗ୍ରହଠାରୁ ଆରମ୍ଭ କରି ବୋର୍ସଦ୍ ସତ୍ୟାଗ୍ରହ ପର୍ଯ୍ୟନ୍ତ ଅନେକ ଆନ୍ଦୋଳନରେ ତାଙ୍କ ଅବଦାନକୁ ଆଜି ମଧ୍ୟ ସ୍ମରଣ କରାଯାଇଥାଏ । ଅହମଦାବାଦ ପୌର ନିଗମର ପ୍ରମୁଖ ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟ ଐତିହାସିକ ଥିଲା । ସେ ସ୍ୱଚ୍ଛତା ଏବଂ ସୁଶାସନକୁ ସର୍ବୋଚ୍ଚ ଅଗ୍ରାଧିକାର ଦେଇଥିଲେ । ଉପ-ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ରୂପେ ତାଙ୍କ ଅବଦାନ ପାଇଁ ଆମେ ସମସ୍ତେ ସର୍ବଦା ତାଙ୍କ ଋଣୀ ହୋଇ ରହିବା ।

 

ବନ୍ଧୁଗଣ,

ସର୍ଦ୍ଦାର ପଟେଲ ଭାରତର ବ୍ୟୁରୋକ୍ରାଟିକ୍ ଫ୍ରେମୱାର୍କର ଗୋଟିଏ ସୁଦୃଢ଼ ମୂଳଦୁଆ ମଧ୍ୟ ପକାଇଛନ୍ତି । ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସେ ଅଦ୍ୱିତୀୟ ପ୍ରୟାସ କରିଛନ୍ତି । ଅକ୍ଟୋବର ୩୧ ତାରିଖ ଦିନ ସାରା ଦେଶରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ହେବାକୁ ଥିବା ରନ୍ ଫର୍ ୟୁନିଟିରେ ସାମିଲ ହେବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । କେବଳ ନିଜେ ନୁହେଁ ବରଂ ସମସ୍ତଙ୍କୁ ସାଥିରେ ନେଇ ଏଥିରେ ସାମିଲ ହୁଅନ୍ତୁ । ଏହା ଏକ ପ୍ରକାର ଯୁବ ଚେତନାର ଅବସର ହେବା ଉଚିତ । ଏକତାର ଦୌଡ଼ ଆମ ଏକତାକୁ ସୁଦୃଢ଼ କରିବ । ଏହା ସେହି ମହାନ ବ୍ୟକ୍ତିଙ୍କ ପ୍ରତି ଆମ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ, ଯିଏ ସାରା ଭାରତକୁ ଏକତାର ସୂତ୍ରରେ ବାନ୍ଧିଥିଲେ ।

ମୋର ପ୍ରିୟ ଦେଶବାସୀଗଣ,

ଚା ସହିତ ମୋର ସମ୍ପର୍କ ବିଷୟରେ ଆପଣମାନେ ଭଲଭାବେ ଅବଗତ । କିନ୍ତୁ ଆଜି ମୁଁ ଭାବିଲି ଯେ, ‘ମନ୍ କି ବାତ୍’ରେ କଫି ବିଷୟରେ କାହିଁକି ଆଲୋଚନା ନ କରିବା? ଆପଣମାନଙ୍କର ମନେଥିବ, ଗତବର୍ଷ ଆମେ ‘ମନ୍ କି ବାତ୍’ରେ ଆରାକୁ କଫି ବିଷୟରେ ଆଲୋଚନା କରିଥିଲୁ । କିଛିଦିନ ପୂର୍ବେ ଓଡ଼ିଶାର ଅନେକ ଲୋକ ମୋତେ କୋରାପୁଟ କଫିକୁ ନେଇ ଅବଗତ କରାଇଲେ । ସେମାନେ ମୋତେ ଚିଠି ଲେଖି ‘ମନ୍ କି ବାତ୍’ରେ କୋରାପୁଟ୍ କଫି ବିଷୟରେ ଆଲୋଚନା କରିବାକୁ ଅନୁରୋଧ କଲେ ।

ବନ୍ଧୁଗଣ,

ମୋତେ ସୂଚନା ଦିଆଯାଇଛି ଯେ, କୋରାପୁଟ କଫିର ସ୍ୱାଦ ଅନନ୍ୟ । କେବଳ ସେତିକି ନୁହେଁ, ସ୍ୱାଦ ତ ସ୍ୱାଦ କଫି ଚାଷ ମଧ୍ୟ ଲୋକଙ୍କୁ ଲାଭବାନ କରୁଛି । କୋରାପୁଟରେ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଉକ ପାଇଁ କଫି ଚାଷ କରୁଛନ୍ତି ।

କର୍ପୋରେଟ୍ ଦୁନିଆରେ ଭଲ ଚାକିରିଟିଏ କରୁଥିଲେ; କିନ୍ତୁ ସେ କଫିକୁ ଏତେ ଭଲ ପାଆନ୍ତି ଯେ, ସେ ଏହି କ୍ଷେତ୍ରରେ ପାଦ ଦେଲେ । ଏବେ ସେ ସଫଳତାର ସହିତ ଏହି କ୍ଷେତ୍ରରେ କାର୍ଯ୍ୟରତ । ଏମିତି ଅନେକ ମହିଳା ମଧ୍ୟ ଅଛନ୍ତି ଯେଉଁମାନଙ୍କ ଜୀବନରେ କଫି ଯୋଗୁଁ ସୁଖକର ପରିବର୍ତ୍ତନ ହୋଇଛି । କଫି ଦ୍ୱାରା ସେମାନଙ୍କୁ ସମ୍ମାନ ଏବଂ ସମୃଦ୍ଧି ଉଭୟ ଲାଭ ହୋଇଛି । ଠିକ୍ କୁହାଯାଇଛି ଯେ, “କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗୌରବ” । ବନ୍ଧୁଗଣ, ସମଗ୍ର ପୃଥିବୀରେ ଭାରତର କଫି ବହୁତ ଲୋକପ୍ରିୟ ହେଉଛି । କର୍ଣ୍ଣାଟକର ଚିକମଙ୍ଗଲୁରୁ, କୁର୍ଗ ଓ ହାସନ ହେଉ ଅବା ତାମିଲନାଡୁର ପୁଲନୀ, ଶେବରୋୟ, ନୀଳଗିରି ଓ ଆନ୍ନାମଲାଇ ଅଞ୍ଚଳ ହେଉ, କର୍ଣ୍ଣାଟକ-ତାମିଲନାଡୁ ସୀମାର ବିଲିଗିରି ଅଞ୍ଚଳ ହେଉ କିମ୍ବା କେରଳର ୱାୟନାଡ, ତ୍ରାବଣକୋର ଓ ମାଲାବାର ଅଞ୍ଚଳ ହେଉ - ଭାରତୀୟ କଫିର ବିବିଧତା ବେଶ୍ ଦର୍ଶନୀୟ । ମୋତେ କୁହାଯାଇଛି ଯେ, ଆମର ଉତ୍ତର-ପୂର୍ବ ମଧ୍ୟ କଫି ଚାଷରେ ଆଗେଇ ଚାଲିଛି । ଏହାଦ୍ୱାରା ଭାରତୀୟ କଫିର ପରିଚୟ ସମଗ୍ର ବିଶ୍ୱରେ ଆହୁରି ଦୃଢ଼ ହେଉଛି । ସେଇଥିପାଇଁ ତ କଫି ପସନ୍ଦ କରୁଥିବା ଲୋକେ କହୁଛନ୍ତି:

ଭାରତର କଫି ଏହାର ସର୍ବୋତ୍ତମ କଫି।

ଏହା ଭାରତରେ ପ୍ରସ୍ତୁତ ହୁଏ ଏବଂ ବିଶ୍ୱ ଏହାକୁ ଭଲ ପାଏ।

ମୋର ପ୍ରିୟ ଦେଶବାସୀଗଣ, 

ଏବେ ‘ମନ୍ କି ବାତ୍’ରେ ଏଭଳି ଏକ ବିଷୟର ଆଲୋଚନା କରିବି, ଯାହା ଆମ ସମସ୍ତଙ୍କ ହୃଦୟର ବହୁତ ନିକଟତର । ଏହା ହେଉଛି ଆମ ରାଷ୍ଟ୍ରଗୀତ ବିଷୟରେ- ଭାରତର ରାଷ୍ଟ୍ରଗୀତ ଅର୍ଥାତ୍ ‘ବନ୍ଦେ ମାତରମ୍’ । ଏହା ଏଭଳି ଏକ ଗୀତ, ଯାହାର ପ୍ରଥମ ଶବ୍ଦ ହିଁ ଆମ ହୃଦୟରେ ଭାବନାର ଜୁଆର ଆଣିଦିଏ । ‘ବନ୍ଦେ ମାତରମ୍’ - ଏହି ଗୋଟିଏ ଶବ୍ଦରେ କେତେ ଭାବନା, କେତେ ଶକ୍ତି ରହିଛି । ସାଧାରଣ ଭାବରେ ଏହା ଆମକୁ ମା’ ଭାରତୀର ବାତ୍ସଲ୍ୟ ମମତାର ଅନୁଭବ କରାଇଥାଏ । ଏହା ଆମକୁ ଭାରତମାତାର ସନ୍ତାନ ଭାବେ ଆମର ଦାୟିତ୍ୱକୁ ସ୍ମରଣ କରାଇଦିଏ । ଯଦି କଠିନ ସମୟ ହୋଇଥାଏ, ତେବେ ‘ବନ୍ଦେ ମାତରମ୍’ ଧ୍ୱନି ୧୪୦ କୋଟି ଭାରତୀୟଙ୍କୁ ଏକତାର ଶକ୍ତିରେ ଭରିଦିଏ ।

ବନ୍ଧୁଗଣ,

ରାଷ୍ଟ୍ରଭକ୍ତି, ମାତୃଭୂମି ପ୍ରତି ପ୍ରେମ, ଏହା ଯଦି ଶବ୍ଦାତୀତ ଭାବନା ହୁଏ, ତେବେ ‘ବନ୍ଦେ ମାତରମ୍’ ତାହାର କାଳ୍ପନିକ ଭାବନାକୁ ସାକାର ସ୍ୱର ଦେଉଥିବା ଏକ ଗୀତ । ଯୁଗଯୁଗର ପରାଧୀନତାରେ ଶିଥିଳ ହୋଇପଡ଼ିଥିବା ଭାରତରେ ନୂତନ ପ୍ରାଣ ସଞ୍ଚାର କରିବା ପାଇଁ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଜୀ ଏହାକୁ ରଚନା କରିଥିଲେ । ‘ବନ୍ଦେ ମାତରମ୍’ ଯଦିଓ ଊନବିଂଶ ଶତାବ୍ଦୀରେ ଲେଖାଯାଇଥିଲା, ତଥାପି ଏହାର ଭାବନା ଭାରତର ସହସ୍ର ବର୍ଷ ପୁରୁଣା ଅମର ଚେତନା ସହ ଜଡ଼ିତ ଥିଲା । ବେଦରେ ଯେଉଁ ଭାବକୁ “ମାତା ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ” ଅର୍ଥାତ୍ ପୃଥିବୀ ମୋର ମାତା ଓ ମୁଁ ତାଙ୍କର ସନ୍ତାନ ବୋଲି ଅଭିହିତ କରି ଭାରତୀୟ ସଭ୍ୟତାର ମୂଳଦୁଆ ପକାଯାଇଥିଲା । ବଙ୍କିମଚନ୍ଦ୍ର ଜୀ ‘ବନ୍ଦେ ମାତରମ୍’ ଲେଖି ମାତୃଭୂମି ଓ ତାଙ୍କ ସନ୍ତାନଙ୍କ ସେହି ସମ୍ପର୍କକୁ ଭାବ ବିଶ୍ୱରେ ଏକ ମନ୍ତ୍ର ରୂପେ ଯୋଡ଼ି ଦେଇଥିଲେ ।

ବନ୍ଧୁଗଣ,

ଆପଣମାନେ ଭାବୁଥିବେ ମୁଁ ହଠାତ୍ ‘ବନ୍ଦେ ମାତରମ୍’ ବିଷୟରେ ଏତେକଥା କାହିଁକି କହୁଛି । ପ୍ରକୃତରେ ଆଉ କିଛି ଦିନ ପରେ, ୭ ନଭେମ୍ବରରେ ଆମେ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକ ଉତ୍ସବରେ ପ୍ରବେଶ କରିବାକୁ ଯାଉଛୁ । ୧୫୦ ବର୍ଷ ପୂର୍ବେ ‘ବନ୍ଦେ ମାତରମ୍’ର ରଚନା କରାଯାଇଥିଲା ଓ ୧୮୯୬ ମସିହାରେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଏହାକୁ ପ୍ରଥମେ ଗାଇଥିଲେ ।

ବନ୍ଧୁଗଣ,

‘ବନ୍ଦେ ମାତରମ୍’ ଗାନରେ କୋଟି କୋଟି ଦେଶବାସୀ ସବୁବେଳେ ରାଷ୍ଟ୍ରପ୍ରେମର ଅପାର ଉଦ୍ଦୀପନା ଅନୁଭବ କରିଥାନ୍ତି । ଆମର ପିଢ଼ିସବୁ ‘ବନ୍ଦେ ମାତରମ୍’ ଶବ୍ଦରେ ଭାରତର ଏକ ଜୀବନ୍ତ ଓ ଭବ୍ୟ ରୂପର ଦର୍ଶନ କରନ୍ତି ।

ସୁଜଲାମ୍, ସୁଫଲାମ୍, ମଲୟଜ ଶୀତଲାମ୍,

ଶସ୍ୟଶ୍ୟାମଲାମ୍, ମାତରମ୍!

ବନ୍ଦେ ମାତରମ୍!

ଆମକୁ ଠିକ୍ ଏହିଭଳି ଭାରତ ଗଢ଼ିବାକୁ ହେବ । ‘ବନ୍ଦେ ମାତରମ୍’ ଆମର ଏହି ପ୍ରୟାସରେ ସବୁବେଳେ ଆମର ପ୍ରେରଣା ହୋଇ ରହିବ । ତେଣୁ ଆମକୁ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷକୁ ମଧ୍ୟ ସ୍ମରଣୀୟ କରିବାକୁ ହେବ । ଆଗାମୀ ପିଢ଼ି ପାଇଁ ଏହି ସଂସ୍କାର ସରିତାକୁ ଆମକୁ ଆଗେଇ ନେବାକୁ ହେବ । ଆଗାମୀ ସମୟରେ ‘ବନ୍ଦେ ମାତରମ୍’ ସହ ଜଡ଼ିତ ଅନେକ କାର୍ଯ୍ୟକ୍ରମ ହେବ, ଦେଶରେ ଅନେକ ଆୟୋଜନ ହେବ । ମୁଁ ଚାହିଁବି, ଆମେ ସମସ୍ତେ ଦେଶବାସୀ ‘ବନ୍ଦେ ମାତରମ୍’ର ଗୌରବ ଗାନ ପାଇଁ ସ୍ୱତଃସ୍ଫୂର୍ତ୍ତ ଭାବରେ ମଧ୍ୟ ପ୍ରୟାସ କରିବା । ଆପଣମାନେ ମୋତେ #VandeMatram150 ସହିତ ନିଶ୍ଚିତ ଭାବେ ଆପଣଙ୍କର ମତାମତ ପଠାନ୍ତୁ । #VandeMatram150, ମୁଁ ଆପଣଙ୍କ ମତାମତକୁ ଅପେକ୍ଷା କରିବି ଓ ଆମେ ସମସ୍ତେ ଏହି ଅବସରକୁ ଐତିହାସିକ କରିବା ପାଇଁ କାମ କରିବା ।

ମୋର ପ୍ରିୟ ଦେଶବାସୀଗଣ,

ସଂସ୍କୃତର ନାଁ ଶୁଣିଲେ ଆମ ମନରେ ଆସେ - ଆମ ‘ଧର୍ମଗ୍ରନ୍ଥ’, ‘ବେଦ’, ‘ଉପନିଷଦ’, ‘ପୁରାଣ’, ଶାସ୍ତ୍ର, ପ୍ରାଚୀନ ଜ୍ଞାନ-ବିଜ୍ଞାନ, ଆଧ୍ୟାତ୍ମିକତା ଓ ଦର୍ଶନ । କିନ୍ତୁ ଏସବୁ ସହିତ ଏକଦା ‘ସଂସ୍କୃତ’ କଥୋପକଥନର ମଧ୍ୟ ଭାଷା ଥିଲା । ସେହି ଯୁଗରେ ଅଧ୍ୟୟନ ଓ ଗବେଷଣା ସଂସ୍କୃତରେ ହିଁ ହେଉଥିଲା । ନାଟକ ପରିବେଷଣ ମଧ୍ୟ ସଂସ୍କୃତରେ ହେଉଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ପରାଧୀନ କାଳଖଣ୍ଡରେ ଓ ସ୍ୱାଧୀନତା ପରେ ମଧ୍ୟ ସଂସ୍କୃତ କ୍ରମାଗତ ଉପେକ୍ଷାର ଶିକାର ହୋଇଛି । ସେଇଥିପାଇଁ ଯୁବପିଢ଼ିଙ୍କ ମଧ୍ୟରେ ସଂସ୍କୃତ ପ୍ରତି ଆକର୍ଷଣ କମିଯାଇଥିଲା । କିନ୍ତୁ ବନ୍ଧୁଗଣ, ଏବେ ସମୟ ବଦଳୁଛି, ତେଣୁ ସଂସ୍କୃତର ମଧ୍ୟ ସମୟ ବଦଳୁଛି । ସଂସ୍କୃତି ଓ ସାମାଜିକ ଗଣମାଧ୍ୟମର ଦୁନିଆ ସଂସ୍କୃତକୁ ନୂଆ ଜୀବନ୍ୟାସ ଦେଇଛି । ବର୍ତ୍ତମାନ ଅନେକ ଯୁବକଯୁବତୀ ସଂସ୍କୃତକୁ ନେଇ ବହୁତ ସୁନ୍ଦର କାମ କରୁଛନ୍ତି । ଆପଣ ସାମାଜିକ ଗଣମାଧ୍ୟମକୁ ଗଲେ ଆପଣଙ୍କୁ ଏଭଳି ଅନେକ ରିଲ୍ସ ଦେଖିବାକୁ ମିଳିବ, ଯେଉଁଥିରେ ଯୁବକଯୁବତୀମାନେ ସଂସ୍କୃତରେ ଓ ସଂସ୍କୃତ ବିଷୟରେ କଥା ହେଉଥିବାର ଦେଖାଯିବେ । ଅନେକ ତାଙ୍କର ସାମାଜିକ ଗଣମାଧ୍ୟମ ଚ୍ୟାନେଲ ମାଧ୍ୟମରେ ସଂସ୍କୃତ ଶିଖାଉଛନ୍ତି । ଏପରି ଜଣେ ଯୁବ କଣ୍ଟେଣ୍ଟ କ୍ରିଏଟର ହେଲେ - ଭାଇ ୟଶ୍ ସାଲୁଣ୍ଡକେ । ୟଶଙ୍କର ବିଶେଷତ୍ୱ ହେଉଛି କି ସେ ଜଣେ କଣ୍ଟେଣ୍ଟ କ୍ରିଏଟର ଓ କ୍ରିକେଟର ମଧ୍ୟ । ସଂସ୍କୃତରେ କଥା ହେଉଥିବା ସମୟରେ କ୍ରିକେଟ ଖେଳୁଥିବା ତାଙ୍କର ରିଲ୍ସକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଆପଣ ଶୁଣନ୍ତୁ –

ବନ୍ଧୁଗଣ,

କମଳା ଓ ଜାହ୍ନବୀ, ଏହି ଦୁଇ ଭଉଣୀଙ୍କର କାମ ମଧ୍ୟ ଚମତ୍କାର । ଏହି ଦୁଇ ଭଉଣୀ ଅଧ୍ୟାତ୍ମ, ଦର୍ଶନ ଓ ସଙ୍ଗୀତ ଉପରେ କଣ୍ଟେଣ୍ଟ ତିଆରି କରନ୍ତି । ଇନଷ୍ଟାଗ୍ରାମରେ ଆଉ ଜଣେ ଯୁବକଙ୍କର ଚ୍ୟାନେଲ ଅଛି ‘ସଂସ୍କୃତ ଛାତ୍ରୋହମ୍’ । ଏହି ଚ୍ୟାନେଲ ଚଳାଉଥିବା ଯୁବବନ୍ଧୁ ସଂସ୍କୃତ ସହ ସମ୍ପୃକ୍ତ ସୂଚନା ଦେବା ସହ ସଂସ୍କୃତରେ ହାସ-ପରିହାସର ଭିଡିଓ ମଧ୍ୟ ତିଆରି କରନ୍ତି । ଯୁବକଯୁବତୀମାନେ ସଂସ୍କୃତର ଏହି ଭିଡିଓଗୁଡ଼ିକୁ ବହୁତ ପସନ୍ଦ କରନ୍ତି । ଆପଣଙ୍କ ମଧ୍ୟରୁ ଅନେକେ ସମଷ୍ଟିଙ୍କ ଭିଡିଓ ଦେଖିଥିବେ । ସମଷ୍ଟି ସଂସ୍କୃତରେ ତାଙ୍କର ଗୀତଗୁଡ଼ିକୁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରନ୍ତି । ଆଉ ଜଣେ ଯୁବକ ହେଲେ ‘ଭାବେଶ ଭୀମନାଥନୀ’ । ଭାବେଶ ସଂସ୍କୃତ ଶ୍ଲୋକ, ଆଧ୍ୟାତ୍ମିକ ଦର୍ଶନ ଓ ସିଦ୍ଧାନ୍ତ ବିଷୟରେ ଆଲୋଚନା କରନ୍ତି ।

ବନ୍ଧୁଗଣ, ଭାଷା ଯେକୌଣସି ସଭ୍ୟତାର ମୂଲ୍ୟବୋଧ ଓ ପରମ୍ପରାର ବାହକ । ଏହି ଦାୟିତ୍ୱକୁ ସଂସ୍କୃତ ହଜାର ହଜାର ବର୍ଷ ଧରି ନିର୍ବାହ କରିଛି । ଏବେ ଏହା ଦେଖି ଖୁସି ଲାଗୁଛି, ସଂସ୍କୃତ ପାଇଁ କିଛି ଯୁବକଯୁବତୀ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । 

ମୋର ପ୍ରିୟ ଦେଶବାସୀଗଣ,

ଏବେ ମୁଁ ଆପଣଙ୍କୁ ଟିକେ ଫ୍ଲାସ୍ ବ୍ୟାକରେ ନେଇଯିବି । ଆପଣ କଳ୍ପନା କରନ୍ତୁ, ବିଂଶ ଶତାବ୍ଦୀର ଆରମ୍ଭ କାଳ! ସେତେବେଳେ ସ୍ୱାଧୀନତାର କୌଣସି ଆଶା ଦିଶୁନଥିଲା । ସମଗ୍ର ଭାରତରେ ଇଂରେଜମାନେ ଶୋଷଣର ସମସ୍ତ ସୀମା ଅତିକ୍ରମ କରିଥିଲେ ଓ ସେହି ସମୟରେ ହାଇଦ୍ରାବାଦର ଦେଶଭକ୍ତ ଲୋକଙ୍କ ପାଇଁ ଦମନର ସମୟ ଆହୁରି ଭୟଙ୍କର ଥିଲା । ସେମାନେ କ୍ରୂର ତଥା ନିର୍ଦ୍ଦୟ ଅତ୍ୟାଚାର ସହିବାକୁ ବାଧ୍ୟ ହେଉଥିଲେ । ଗରିବ, ବଞ୍ଚିତ ଓ ଆଦିବାସୀ ସମୁଦାୟ ଉପରେ ଅତ୍ୟାଚାରର କୌଣସି ସୀମା ନଥିଲା । ସେମାନଙ୍କର ଜମି ଛଡ଼ାଇ ନିଆଯାଉଥିଲା, ତା’ ସାଙ୍ଗକୁ ବହୁତ ଟିକସ ମଧ୍ୟ ଲଗାଯାଉଥିଲା । ଯଦି ସେମାନେ ଏହି ଅନ୍ୟାୟର ବିରୋଧ କରୁଥିଲେ, ତେବେ ସେମାନଙ୍କର ହାତ କାଟି ଦିଆଯାଉଥିଲା । ବନ୍ଧୁଗଣ, ଏପରି କଠିନ ସମୟରେ ପ୍ରାୟ କୋଡ଼ିଏ ବର୍ଷର ଜଣେ ଯୁବକ ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଆଜି ଏକ ବିଶେଷ କାରଣ ପାଇଁ ମୁଁ ସେହି ଯୁବକଙ୍କ ବିଷୟରେ ଆଲୋଚନା କରୁଛି । ତାଙ୍କ ନାମ କହିବା ପୂର୍ବରୁ ମୁଁ ତାଙ୍କର ବୀରତ୍ୱର କଥା କହିବି । ବନ୍ଧୁଗଣ, ସେହି ସମୟରେ ଯେତେବେଳେ ନିଜାମ ବିରୋଧରେ ଗୋଟିଏ ଶବ୍ଦ କହିବା ମଧ୍ୟ ଅପରାଧ ଥିଲା, ସେହି ଯୁବକ ନିଜାମର ଜଣେ ଅଧିକାରୀ ସିଦ୍ଦିକୀଙ୍କୁ ଖୋଲା ଆହ୍ୱାନ ଦେଇଥିଲେ । ନିଜାମ ସିଦ୍ଦିକୀଙ୍କୁ ଚାଷୀଙ୍କର ଫସଲ ଜବତ କରିବା ପାଇଁ ପଠାଇଥିଲେ । କିନ୍ତୁ ଅତ୍ୟାଚାର ବିରୋଧୀ ଏହି ସଂଘର୍ଷରେ ସେହି ଯୁବକ ସିଦ୍ଦିକୀଙ୍କୁ ମାରିଦେଇଥିଲେ । ସେ ଗିରଫ ହେବାରୁ ମଧ୍ୟ ନିଜକୁ ରକ୍ଷା କରିବାରେ ସଫଳ ହୋଇଥିଲେ । ନିଜାମର ଅତ୍ୟାଚାରୀ ପୁଲିସମାନଙ୍କଠାରୁ ବର୍ତ୍ତି ସେହି ଯୁବକ ଶହ ଶହ କିଲୋମିଟର ଦୂର ଆସାମରେ ପହଞ୍ଚି ଯାଇଥିଲେ ।

ବନ୍ଧୁଗଣ,

ମୁଁ ଯେଉଁ ମହାପୁରୁଷଙ୍କ ବିଷୟରେ କହୁଛି ତାଙ୍କ ନାମ ହେଉଛି କୋମ୍ରମ ଭୀମ୍ । ଏବେ ୨୨ ଅକ୍ଟୋବରରେ ତାଙ୍କର ଜୟନ୍ତୀ ପାଳନ କରାଯାଇଛି । କୋମରମ୍ ଭୀମଙ୍କର ପରମାୟୁ ବେଶ୍ ଅଧିକ ନଥିଲା, ସେ ମାତ୍ର ୪୦ ବର୍ଷ ଜୀବିତ ରହିଥିଲେ; କିନ୍ତୁ ତାଙ୍କ ଜୀବନକାଳରେ ସେ ଅସଂଖ୍ୟ ଲୋକଙ୍କର, ବିଶେଷକରି ଆଦିବାସୀ ସମାଜର ହୃଦୟରେ ଅଲିଭା ଛାପ ଛାଡ଼ିଯାଇଥିଲେ । ସେ ନିଜାମ୍ ବିରୋଧରେ ସଂଘର୍ଷ କରୁଥିବା ଲୋକଙ୍କ ମଧ୍ୟରେ ନୂଆ ଶକ୍ତି ଭରି ଦେଇଥିଲେ । ସେ ତାଙ୍କର ରଣନୀତିକ କୌଶଳ ପାଇଁ ମଧ୍ୟ ଜଣାଶୁଣା ଥିଲେ । ନିଜାମର ଶାସନ ପାଇଁ ସେ ଏକ ବଡ଼ ଆହ୍ୱାନ ହୋଇ ଉଠିଥିଲେ । ୧୯୪୦ ମସିହାରେ ନିଜାମର ଲୋକମାନେ ତାଙ୍କୁ ହତ୍ୟା କରିଥିଲେ । ଯୁବକଯୁବତୀମାନଙ୍କୁ ମୋର ଅନୁରୋଧ, ସେମାନେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରନ୍ତୁ ।

କୋମରମ୍ ଭୀମ କୀ...

ନା ବିନମ୍ର ନିୱାଲୀ ।

ଆୟନ ପ୍ରଜଲ୍ ହୃଦୟାଲ୍ଲୋ...

ଏପ୍ପଟିକୀ ନିଲିଚି-ଉଁଟାରୁ ।

ଅର୍ଥାତ୍

(କୋମରମ ଭୀମଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି,

ସେ ଲୋକଙ୍କ ହୃଦୟରେ ଚିରଦିନ ରହିବେ ।)

ବନ୍ଧୁଗଣ,

ଆସନ୍ତା ମାସର ୧୫ ତାରିଖରେ ଆମେ ‘ଜନଜାତୀୟ ଗୌରବ ଦିବସ’ ପାଳନ କରିବା । ଏହା ଭଗବାନ ବିର୍ସା ମୁଣ୍ଡା ଜୀଙ୍କର ଜୟନ୍ତୀର ଏକ ଶୁଭଦିନ । ମୁଁ ଭଗବାନ ବିର୍ସା ମୁଣ୍ଡା ଜୀଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି । ଦେଶର ସ୍ୱାଧୀନତା ପାଇଁ, ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ, ସେ ଯେଉଁ କାମ କରିଥିଲେ ତାହା ଅତୁଳନୀୟ । ମୋ ପାଇଁ ସୌଭାଗ୍ୟର କଥା ଯେ ମୁଁ ଝାଡ଼ଖଣ୍ଡରେ ଭଗବାନ ବିର୍ସା ମୁଣ୍ଡା ଜୀଙ୍କ ଗାଁ ଉଲିହାତୁ ଯିବାର ସୁଯୋଗ ପାଇଥିଲି । ମୁଁ ସେଠାକାର ମାଟିକୁ ମୁଣ୍ଡରେ ଲଗାଇ ପ୍ରଣାମ କରିଥିଲି । ଭଗବାନ ବିର୍ସା ମୁଣ୍ଡା ଜୀ ଓ କୋମରମ ଭୀମଜୀଙ୍କ ପରି ଆମର ଆଦିବାସୀ ସମୁଦାୟରେ ଆହୁରି ଅନେକ ମହାପୁରୁଷ ଜନ୍ମ ନେଇଛନ୍ତି । ମୋର ଅନୁରୋଧ, ଆପଣମାନେ ସେମାନଙ୍କ ବିଷୟରେ ନିଶ୍ଚିତ ଭାବେ ପଢ଼ନ୍ତୁ । 

ମୋର ପ୍ରିୟ ଦେଶବାସୀଗଣ,

‘ମନ୍ କୀ ବାତ୍’ ପାଇଁ ଆପଣମାନେ ମୋ ପାଖକୁ ପଠାଉଥିବା ଅନେକ ବାର୍ତ୍ତା ମୋତେ ମିଳିଥାଏ । ଅନେକ ଲୋକ ଏସବୁ ବାର୍ତ୍ତାରେ ନିଜ ଆଖପାଖରେ ଥିବା ପ୍ରତିଭାବାନ ଲୋକଙ୍କ ବିଷୟରେ ଆଲୋଚନା କରିଥାନ୍ତି । ଏହା ପଢ଼ି ମୋତେ ବହୁତ ଖୁସି ଲାଗେ ଯେ, ଆମର ଛୋଟ ସହର, ଗାଁଗଣ୍ଡାରେ ମଧ୍ୟ ସୃଜନଶୀଳ ଚିନ୍ତାଧାରା ଉପରେ କାମ ହେଉଛି । ଯଦି ଆପଣ ଏପରି ବ୍ୟକ୍ତି ବା ଗୋଷ୍ଠୀଙ୍କୁ ଜାଣନ୍ତି, ଯେଉଁମାନେ ସେବା ଭାବନାରେ ସମାଜକୁ ବଦଳାଇବାରେ ଲାଗିପଡ଼ିଛନ୍ତି, ତେବେ ମୋତେ ନିଶ୍ଚିତ ଭାବେ ଜଣାନ୍ତୁ । ମୁଁ ଆପଣଙ୍କ ବାର୍ତ୍ତାକୁ ସବୁଦିନ ପରି ଅପେକ୍ଷା କରିବି । ଆସନ୍ତା ମାସରେ ଆମେ ‘ମନ କୀ ବାତ୍’ର ଆଉ ଏକ ଅଧ୍ୟାୟରେ ଭେଟିବା, କିଛି ନୂଆ ବିଷୟ ସହିତ ଭେଟିବା । ସେ ପର୍ଯ୍ୟନ୍ତ ମୁଁ ବିଦାୟ ନେଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ନମସ୍କାର ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves increase in the Judge strength of the Supreme Court of India by Four to 37 from 33
May 05, 2026

The Union Cabinet chaired by the Prime Minister Shri Narendra Modi today has approved the proposal for introducing The Supreme Court (Number of Judges) Amendment Bill, 2026 in Parliament to amend The Supreme Court (Number of Judges) Act, 1956 for increasing the number of Judges of the Supreme Court of India by 4 from the present 33 to 37 (excluding the Chief Justice of India).

Point-wise details:

Supreme Court (Number of Judges) Amendment Bill, 2026 provides for increasing the number of Judges of the Supreme Court by 04 i.e. from 33 to 37 (excluding the Chief Justice of India).

Major Impact:

The increase in the number of Judges will allow Supreme Court to function more efficiently and effectively ensuring speedy justice.

Expenditure:

The expenditure on salary of Judges and supporting staff and other facilities will be met from the Consolidated Fund of India.

Background:

Article 124 (1) in Constitution of India inter-alia provided “There shall be a Supreme Court of India consisting of a Chief Justice of India and, until Parliament by law prescribes a larger number, of not more than seven other Judges…”.

An act to increase the Judge strength of the Supreme Court of India was enacted in 1956 vide The Supreme Court (Number of Judges) Act 1956. Section 2 of the Act provided for the maximum number of Judges (excluding the Chief Justice of India) to be 10.

The Judge strength of the Supreme Court of India was increased to 13 by The Supreme Court (Number of Judges) Amendment Act, 1960, and to 17 by The Supreme Court (Number of Judges) Amendment Act, 1977. The working strength of the Supreme Court of India was, however, restricted to 15 Judges by the Cabinet, excluding the Chief Justice of India, till the end of 1979, when the restriction was withdrawn at the request of the Chief Justice of India.

The Supreme Court (Number of Judges) Amendment Act, 1986 further augmented the Judge strength of the Supreme Court of India, excluding the Chief Justice of India, from 17 to 25. Subsequently, The Supreme Court (Number of Judges) Amendment Act, 2008 further augmented the Judge strength of the Supreme Court of India from 25 to 30.

The Judge strength of the Supreme Court of India was last increased from 30 to 33 (excluding the Chief Justice of India) by further amending the original act vide The Supreme Court (Number of Judges) Amendment Act, 2019.