Operation Sindoor is not just a military mission; it is a picture of our resolve, courage and a transforming India and this picture has infused the whole country: PM Modi
The rise in the population of the Asiatic Lion shows that when the sense of ownership strengthens in the society, amazing results happen: PM Modi
Today there are many women who are working in the fields as well as touching the heights of the sky. They are flying drones as Drone Didis and ushering in a new revolution in agriculture: PM Modi
‘Sugar boards’ are being installed in some schools. The aim of this unique initiative of CBSE is to make children aware of their sugar intake: PM Modi
‘World Bee Day’ is a day which reminds us that honey is not just sweetness; it is also an example of health, self-employment and self-reliance: PM Modi
The protection of honeybees is not just a protection of the environment, but also that of our agriculture and future generations: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସାରା ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ଆକ୍ରୋଶରେ ପୂର୍ଣ୍ଣ ଏବଂ ସଂକଳ୍ପବଦ୍ଧ । ଆଜି ପ୍ରତ୍ୟେକ ଭାରତୀୟର ସଂକଳ୍ପ ହେଉଛି, ଆମକୁ ଆତଙ୍କବାଦର ଅନ୍ତ ଘଟାଇବାକୁ ପଡ଼ିବ । ବନ୍ଧୁଗଣ, ଅପରେଶନ୍ ସିନ୍ଦୂର ସମୟରେ ଆମ ସେନାବାହିନୀ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟକୁ ଗର୍ବିତ କରିଛି । ଯେଉଁ ସଠିକତା ସହିତ ଆମ ସେନାବାହିନୀ ସୀମା ଆରପାରିରେ ରହିଥିବା ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ତାହା ବେଶ୍ ଚମତ୍କାର । ଅପରେଶନ୍ ସିନ୍ଦୂର ସାରା ବିଶ୍ୱରେ ଆତଙ୍କ ବିରୁଦ୍ଧରେ ହେଉଥିବା ସଂଗ୍ରାମକୁ ନୂତନ ବିଶ୍ୱାସ ଏବଂ ଉତ୍ସାହରେ ଭରିଦେଇଛି ।

ବନ୍ଧୁଗଣ, ଅପରେଶନ୍ ସିନ୍ଦୂର କେବଳ ଗୋଟିଏ ସୈନ୍ୟ ଅଭିଯାନ ନୁହେଁ, ଏହା ଆମ ସଂକଳ୍ପ, ସାହସ ଏବଂ ପରିବର୍ତ୍ତିତ ହେଉଥିବା ଭାରତର ଛବି ଏବଂ ଏହି ଛବି ସାରା ଦେଶକୁ ଦେଶ-ଭକ୍ତିର ଭାବନାରେ ଭରି ଦେଇଛି, ତ୍ରିରଙ୍ଗାର ରଙ୍ଗରେ ରଙ୍ଗେଇ ଦେଇଛି । ଆପଣମାନେ ଲକ୍ଷ୍ୟ କରିଥିବେ – ଦେଶର ଅନେକ ସହରରେ, ଗାଁମାନଙ୍କରେ, ଛୋଟ ଛୋଟ ଇଲାକାରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା । ହଜାର ହଜାର ଲୋକେ ହାତରେ ତ୍ରିରଙ୍ଗା ଧରି ଦେଶର ସେନାବାହିନୀ ପ୍ରତି ସମ୍ମାନ ଏବଂ ଅଭିନନ୍ଦନ ପ୍ରଦର୍ଶନ ପାଇଁ ବାହାରିପଡ଼ିଲେ । ଅନେକ ସହରରେ ସିଭିଲ୍ ଡିଫେନ୍ସ ଭଲେଣ୍ଟିୟର୍ ହେବା ପାଇଁ ବହୁ ସଂଖ୍ୟାରେ ଯୁବବର୍ଗ ଏକଜୁଟ୍ ହୋଇଗଲେ ଆଉ ଆମେ ଦେଖିଲୁ, ଚଣ୍ଡିଗଡ଼ର ଭିଡିଓଗୁଡ଼ିକ ବେଶ୍ ଲୋକପ୍ରିୟ ହୋଇଥିଲା । ସାମାଜିକ ଗଣମାଧ୍ୟମରେ କବିତା ରଚନା ହେଉଥିଲା, ସଂକଳ୍ପ ସଙ୍ଗୀତ ଗାନ କରାଯାଉଥିଲା । ଛୋଟ ଛୋଟ ପିଲାମାନେ ଚିତ୍ର ଆଙ୍କିଥିଲେ, ଯାହା ପଛରେ ରହିଥିଲା ବଡ଼ ବଡ଼ ବାର୍ତ୍ତା । ମାତ୍ର ତିନିଦିନ ପୂର୍ବେ ମୁଁ ବିକାନେର୍ ଯାଇଥିଲି । ସେଠାରେ ପିଲାମାନେ ମୋତେ ଏଭଳି ଗୋଟିଏ ଚିତ୍ର ଉପହାରରେ ଦେଲେ । ଅପରେଶନ୍ ସିନ୍ଦୂର ଦେଶବାସୀଙ୍କୁ ଏଭଳି ଭାବେ ପ୍ରଭାବିତ କରିଛି ଯେ, ଅନେକ ପରିବାର ଏହାକୁ ନିଜ ଜୀବନର ଅଂଶ କରିଦେଇଛନ୍ତି । ବିହାରର କଟିହାରରେ, ୟୁପିର କୁଶିନଗରରେ, ଆହୁରି ଅନେକ ସହରରେ ସେହି ସମୟରେ ଜନ୍ମଗ୍ରହଣ କରିଥିବା ଶିଶୁମାନଙ୍କ ନାଁ ସିନ୍ଦୂର ରଖାଯାଇଛି ।

ବନ୍ଧୁଗଣ, ଆମ ଯବାନମାନେ ଆତଙ୍କବାଦର ଆଡ୍ଡାଗୁଡ଼ିକୁ ଧ୍ୱଂସ କଲେ, ଏହା ତାଙ୍କର ଅଦମ୍ୟ ସାହସ ଥିଲା ଆଉ ଏହା ସହିତ ସମ୍ମିଳିତ ଥିଲା ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର, ଉପକରଣ ଏବଂ ଜ୍ଞାନକୌଶଳର ଶକ୍ତି । ସେଥିରେ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ଥିଲା । ଆମ ଇଞ୍ଜିନିୟର, ଆମ ଟେକ୍ନିସିଆନ୍ ପ୍ରତ୍ୟେକଙ୍କ ସ୍ୱେଦ ଏହି ବିଜୟରେ ସମ୍ମିଳିତ । ଏହି ଅଭିଯାନ ପରେ ସାରା ଦେଶରେ ଭୋକାଲ୍ ଫର୍ ଲୋକାଲକୁ ନେଇ ଗୋଟିଏ ନୂତନ ଶକ୍ତି ଦୃଷ୍ଟିଗୋଚର ହେଉଛି । ଅନେକ କଥା ମନକୁ ଛୁଁଇଯାଇଥାଏ । ଜଣେ ବାପା-ମାଆ କହିଲେ, - ଏବେ ଆମେ ଆମ ପିଲାମାନଙ୍କ ପାଇଁ କେବଳ ଭାରତରେ ତିଆରି ଖେଳଣା ହିଁ କିଣିବୁ । ଦେଶଭକ୍ତିର ଆରମ୍ଭ ଶୈଶବରୁ ହିଁ ହେବ । କିଛି ପରିବାର ଶପଥ କରିଛନ୍ତି ଯେ, ପରବର୍ତ୍ତୀ ଛୁଟିଦିନ ଆମେ ଦେଶର କୌଣସି ଗୋଟିଏ ସୁନ୍ଦର ସ୍ଥାନରେ ହିଁ ଅତିବାହିତ କରିବୁ । ଅନେକ ଯୁବକ-ଯୁବତୀ ୱେଡ୍ ଇନ୍ ଇଣ୍ଡିଆର ସଂକଳ୍ପ ଗ୍ରହଣ କରିଛନ୍ତି, ସେମାନେ ଭାରତରେ ହିଁ ବିବାହ ଆୟୋଜନ କରିବେ । କେହି କେହି ଏ କଥା ମଧ୍ୟ କହିଛନ୍ତି ଯେ, ଏଥର ଆମେ ଯାହା ଉପହାର ଦେବୁ, ତାହା କୌଣସି ଭାରତୀୟ ଶିଳ୍ପୀ ହାତରେ ହିଁ ତିଆରି ହୋଇଥିବ ।

ବନ୍ଧୁଗଣ, ଏହାହିଁ ତ ହେଉଛି ଭାରତର ପ୍ରକୃତ ଶକ୍ତି । ଜନ-ମନର ଏକତା, ଜନ-ଭାଗିଦାରୀ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି, ଆସନ୍ତୁ, ଏହି ଅବସରରେ ଗୋଟିଏ ସଂକଳ୍ପ ଗ୍ରହଣ କରିବା - ଆମେ ଆମ ଜୀବନରେ ଯଥାସମ୍ଭବ, ଦେଶରେ ନିର୍ମିତ ବସ୍ତୁଗୁଡ଼ିକୁ ହିଁ ଅଗ୍ରାଧିକାର ଦେବା । ଏହା କେବଳ ଅର୍ଥନୈତିକ ଆତ୍ମନିର୍ଭରତା କଥା ନୁହେଁ, ଏହା ହେଉଛି ରାଷ୍ଟ୍ରନିର୍ମାଣରେ ଅଂଶଗ୍ରହଣର ଭାବନା । ଆମର ଗୋଟିଏ ପଦକ୍ଷେପ, ଭାରତର ପ୍ରଗତିରେ ବହୁତ ବଡ଼ ଯୋଗଦାନ ହୋଇପାରିବ ।

ବନ୍ଧୁଗଣ, ବସରେ କୌଣସି ସ୍ଥାନକୁ ଯିବାଆସିବା କେତେ ସାଧାରଣ କଥା । କିନ୍ତୁ, ମୁଁ ଆପଣମାନଙ୍କୁ ଏମିତି ଗୋଟିଏ ଗାଁ ବିଷୟରେ ଜଣାଇବାକୁ ଚାହୁଁଛି, ଯେଉଁଠି ପ୍ରଥମ କରି ଗୋଟିଏ ବସ ପହଂଚିଛି । ବର୍ଷ ବର୍ଷ ଧରି ସେଠାକାର ଲୋକେ ଏହି ଦିନଟିକୁ ଅପେକ୍ଷା କରିଥିଲେ । ବସଟି ଯେତେବେଳେ ପ୍ରଥମ ଥର ଗାଁକୁ ପହଂଚିଲା, ଲୋକେ ଢୋଲ-ନାଗରା ବଜାଇ ଏହାକୁ ସ୍ୱାଗତ କରିଥିଲେ । ବସ୍ ଦେଖି ସେମାନଙ୍କ ଖୁସି କହିଲେ ନ ସରେ । ଗାଁରେ ପକ୍କା ରାସ୍ତା ଥିଲା, ଲୋକମାନଙ୍କ ଆବଶ୍ୟକତା ଥିଲା, କିନ୍ତୁ ଆଗରୁ ଏଠାରେ କେବେହେଲେ ବସ୍ ଚାଲିପାରି ନ ଥିଲା । କାରଣ, ଏହି ଗାଁ ମାଓବାଦୀ ହିଂସାରେ ପ୍ରଭାବିତ ଥିଲା । ଏହି ଗାଁ ରହିଛି ମହାରାଷ୍ଟ୍ରର ଗଢ଼ଚିରୌଲି ଜିଲ୍ଲାରେ, ଆଉ ଏହି ଗାଁର ନାଁ ହେଉଛି କାଟେଝରୀ । କାଟେଝରୀରେ ହୋଇଥିବା ଏହି ପରିବର୍ତ୍ତନ ଆଖପାଖର ସମସ୍ତ ଅଞ୍ଚଳରେ ଅନୁଭୂତ ହେଉଛି । ଏବେ ଏଠାରେ ପରିସ୍ଥିତି ଦ୍ରୁତଗତିରେ ସାଧାରଣ ହେବାରେ ଲାଗିଛି । ମାଓବାଦ ବିରୁଦ୍ଧରେ ମିଳିତ ସଂଗ୍ରାମ ଫଳରେ ଏବେ ଏଭଳି ଅଞ୍ଚଳରେ ମଧ୍ୟ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ ହେଲାଣି । ବସ୍ ଆସିବା ଯୋଗୁଁ ସେମାନଙ୍କ ଜୀବନ ବହୁତ ସହଜ ହୋଇଯିବ ବୋଲି ଗାଁ ଲୋକେ କହୁଛନ୍ତି ।

ବନ୍ଧୁଗଣ, ‘ମନ୍ କି ବାତ୍’ରେ ଆମେ ଛତିଶଗଡ଼ରେ ଆୟୋଜିତ ହୋଇଥିବା ବସ୍ତର୍ ଅଲିମ୍ପିକ୍ସ ଏବଂ ମାଓବାଦ ପ୍ରଭାବିତ ଅଞ୍ଚଳରେ ବିଜ୍ଞାନାଗାର ସମ୍ପର୍କରେ ଆଲୋଚନା କରିସାରିଛୁ । ଏଠାକାର ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ବିଶେଷ ଆଗ୍ରହ ରହିଛି । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଏଭଳି ପ୍ରଚେଷ୍ଟାରୁ ଜଣାପଡ଼ୁଛି ଯେ, ଏହି ଅଞ୍ଚଳରେ ବାସ କରୁଥିବା ଲୋକେ କେତେ ସାହସୀ! ଏହି ଲୋକେ ଅନେକ ଆହ୍ୱାନର ମୁକାବିଲା କରି ନିଜ ଜୀବନକୁ ସରସ ସୁନ୍ଦର କରିବାର ମାର୍ଗ ଚୟନ କରିଛନ୍ତି । ଏକଥା ଜାଣି ମଧ୍ୟ ମୋତେ ବହୁତ ଖୁସି ଲାଗିଲା ଯେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷାରେ ଦନ୍ତେୱାଡ଼ା ଜିଲ୍ଲାର ପରୀକ୍ଷାଫଳ ଖୁବ ଭଲ ହୋଇଛି । ପ୍ରାୟଃ ୯୫ ପ୍ରତିଶତ ପାସହାର ସହିତ ଦଶମ ଶ୍ରେଣୀର ପରୀକ୍ଷାରେ ଏହି ଜିଲ୍ଲା ଶୀର୍ଷ ସ୍ଥାନ ହାସଲ୍ କରିଥିବା ସ୍ଥଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଏହି ଜିଲ୍ଲା ଛତିଶଗଡ଼ରେ ଷଷ୍ଠ ସ୍ଥାନ ଅଧିକାର କରିଛି । ଚିନ୍ତା କରନ୍ତୁ ତ! ଯେଉଁ ଦନ୍ତେୱାଡ଼ାରେ ଦିନେ ମାଓବାଦ ଚରମସୀମାରେ ଥିଲା, ସେଠାରେ ଆଜି ଶିକ୍ଷାର ପତାକା ଉଡ଼ୁଛି । ଏଭଳି ପରିବର୍ତ୍ତନ ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ ।

ମୋର ପ୍ରିୟ ଦେଶବାସୀଗଣ, ଏବେ ମୁଁ ଲାୟନ୍ ବା ସିଂହମାନଙ୍କ ସହ ଜଡ଼ିତ ଗୋଟିଏ ଭଲ ଖବର ଆପଣମାନଙ୍କୁ ଦେବାକୁ ଚାହୁଁଛି । ବିଗତ ମାତ୍ର ପାଞ୍ଚ ବର୍ଷରେ ଗୁଜରାଟର ଗିରରେ ସିଂହମାନଙ୍କ ସଂଖ୍ୟା ୬୭୪ରୁ ବୃଦ୍ଧି ପାଇ ୮୯୧ ହୋଇଯାଇଛି । Six Hundred Seventy Four eê Eight Hundred Ninety One ! ସିଂହଗଣନା ପରେ ସାମନାକୁ ଆସିଥିବା ଏହି ସିଂହମାନଙ୍କ ଏହି ସଂଖ୍ୟା ବହୁତ ଉତ୍ସାହଜନକ । ବନ୍ଧୁଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଏକଥା ଜାଣିବାକୁ ଚାହୁଁଥିବେ ଯେ, Animal census ବା ପଶୁଗଣନା ହୁଏ କେମିତି ? ଏହା ବହୁତ ଆହ୍ୱାନମୂଳକ କାର୍ଯ୍ୟ । ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ସିଂହ ଗଣନା ୧୧ଟି ଜିଲ୍ଲାରେ ୩୫ ହଜାର ବର୍ଗ କିଲୋମିଟର ଅଞ୍ଚଳରେ କରାଯାଇଥିଲା । ଗଣନା ପାଇଁ ଦଳ ଦିନରାତି ୨୪ ଘଣ୍ଟା ଏହି ଅଞ୍ଚଳ ଉପରେ ଦୃଷ୍ଟି ରଖିଥିଲେ । ଏହି ସମ୍ପୂର୍ଣ୍ଣ ଅଭିଯାନରେ verification ଏବଂ ମକ୍ସକ୍ଟଗ୍ଦଗ୍ଦ cross verification ଉଭୟ କରାଯାଇଥିଲା । ଏହାଦ୍ୱାରା ସଠିକ ଭାବେ ସିଂହ ଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ।

ବନ୍ଧୁଗଣ, Asiatic ସିଂହମାନଙ୍କର ସଂଖ୍ୟାରେ ବୃଦ୍ଧି ଏକଥା ଦର୍ଶାଉଛି ଯେ, ସମାଜରେ ownership ଭାବନା ଦୃଢ଼ ହେଲେ ଏହାର ପରିଣାମ କେତେ ସୁନ୍ଦର ହୋଇଥାଏ । କିଛି ଦଶନ୍ଧି ପୂର୍ବେ ଗିରରେ ପରିସ୍ଥିତି ବହୁତ ଆହ୍ୱାନରେ ପରିପୂର୍ଣ୍ଣ ଥିଲା । କିନ୍ତୁ, ସେଠାକାର ଲୋକେ ମିଶି ଏଭଳି ପରିବର୍ତ୍ତନ ପାଇଁ ଅଣ୍ଟା ଭିଡ଼ିଲେ । ସେଠାରେ ଆଧୁନିକ ଜ୍ଞାନକୌଶଳ ସହ ବିଶ୍ୱରେ ଅନୁସରଣ କରାଯାଉଥିବା ସର୍ବୋତ୍ତମ କୌଶଳ ପ୍ରୟୋଗ କରାଗଲା । ଇତି ମଧ୍ୟରେ ଗୁଜରାଟ ଏଭଳି ପ୍ରଥମ ରାଜ୍ୟ ହେଲା, ଯେଉଁଠାରେ ବହୁସଂଖ୍ୟାରେ ବନ ଅଧିକାରୀ ପଦବୀରେ ମହିଳାମାନଙ୍କୁ ନିଯୁକ୍ତ କରାଗଲା । ଆଜି ଆମେ ଯେଉଁ ପରିଣାମ ଦେଖୁଛୁଁ, ସେଥିରେ ସମସ୍ତଙ୍କର ଅବଦାନ ରହିଛି । ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଆମକୁ ସର୍ବଦା ଏହିଭଳି ସଚେତନ ଏବଂ ସତର୍କ ରହିବାକୁ ପଡ଼ିବ ।

ମୋର ପ୍ରିୟ ଦେଶବାସୀଗଣ, ମାତ୍ର ଦୁଇ-ତିନି ଦିନ ପୂର୍ବେ, ମୁଁ ପ୍ରଥମ Rising North East Summitକୁ ଯାଇଥିଲି । ତା’ପୂର୍ବରୁ ଆମେ ଉତ୍ତର ପୂର୍ବାଞ୍ଚଳର ସାମର୍ଥ୍ୟକୁ ସମର୍ପିତ ଅଷ୍ଟଲକ୍ଷ୍ମୀ ମହୋତ୍ସବ ମଧ୍ୟ ପାଳନ କରିଥିଲୁ । ଉତ୍ତର ପୂର୍ବାଞ୍ଚଳର କଥା କିଛି ନିଆରା । ସେଠାକାର ସାମର୍ଥ୍ୟ, ସେଠାକାର ପ୍ରତିଭା - ପ୍ରକୃତରେ ବେଶ୍ ଚମତ୍କାର । କ୍ରାଫ୍ଟ ଫାଇବର୍ସ ବିଷୟରେ ଗୋଟିଏ ମଜାଦାର କାହାଣୀ ମୋ ନଜରକୁ ଆସିଛି । କ୍ରାଫ୍ଟ ଫାଇବର୍ସ, କେବଳ ଗୋଟିଏ ବ୍ରାଣ୍ଡ ନୁହେଁ, ଏହି ସିକ୍କିମର ପରମ୍ପରା, ବୟନ କଳା, ଏବଂ ଆଜିର ଫ୍ୟାସନ୍ ଚିନ୍ତାଧାରା – ଏସବୁର ଗୋଟିଏ ସୁନ୍ଦର ମିଶ୍ରଣ । ଏହାକୁ ଆରମ୍ଭ କରିଥିଲେ ଡ. ଚେୱାଙ୍ଗ୍ ନୋର୍ବୁ ଭୁଟିୟା । ସେ ପେସାରେ ଜଣେ ପ୍ରାଣୀ ଚିକିତ୍ସକ ଏବଂ ହୃଦୟରେ ସିକିମ ସଂସ୍କୃତିର ଜଣେ ପ୍ରକୃତ ବ୍ରାଣ୍ଡ୍‌ ଆମ୍ବାସାଡର୍‌ । ସେ ଭାବିଲେ ତନ୍ତକାମକୁ କାହିଁକି ଏକ ନୂଆ ରୂପ ଦିଆନଯିବ! ଏବଂ ଏହି ଚିନ୍ତାଧାରାରୁ କ୍ରାଫ୍ଟ ଫାଇବର୍ସ ଜନ୍ମ ନେଇଥିଲା । ସେ ପାରମ୍ପରିକ ବୟନ ଶିଳ୍ପକୁ ଆଧୁନିକ ଫେସନ ସହିତ ମିଶ୍ରଣ କଲେ ଏବଂ ଏହାକୁ ଏକ ସାମାଜିକ ଉଦ୍ୟୋଗରେ ପରିଣତ କଲେ । ଏବେ ସେଠାରେ କେବଳ ପୋଷାକ ତିଆରି ହେଉନାହିଁ, ଅନେକ ଜୀବନ ମଧ୍ୟ ତିଆରି ହେଉଛି । ସେମାନେ ସ୍ଥାନୀୟ ଲୋକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରୁଛନ୍ତି, ଯାହା ସେମାନଙ୍କୁ ଆତ୍ମନିର୍ଭରଶୀଳ କରୁଛି । ଗାଁର ବୁଣାକାର, ପଶୁପାଳକ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏକାଠି କରି ଡକ୍ଟର ଭୂଟିଆ ନିଯୁକ୍ତିର ନୂଆ ରାସ୍ତା ତିଆରି କରିଛନ୍ତି । ଆଜି ସ୍ଥାନୀୟ ମହିଳା ଏବଂ କାରିଗରମାନେ ନିଜ ନିଜ କୌଶଳ ଦ୍ୱାରା ଭଲ ଟଙ୍କା ରୋଜଗାର କରୁଛନ୍ତି । କ୍ରାଫ୍ଟ ଫାଇବରର ଶାଲ୍‌, ଷ୍ଟୋଲ୍‌, ଗ୍ଲୋଭ୍‌ସ, ମୋଜା, ସବୁକିଛି ସ୍ଥାନୀୟ ହସ୍ତତନ୍ତରେ ତିଆରି ହେଉଛି । ଏଥିରେ ବ୍ୟବହୃତ ପଶମ, ସିକିମର ଠେକୁଆ ଓ ମେଣ୍ଢାଙ୍କଠାରୁ ମିଳିଥାଏ । ରଙ୍ଗଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ପ୍ରାକୃତିକ- କୌଣସି ରାସାୟନିକ ପଦାର୍ଥ ନାହିଁ, କେବଳ ପ୍ରକୃତିର ରଙ୍ଗ । ଡକ୍ଟର ଭୂଟିଆ ସିକିମର ପାରମ୍ପରିକ ବୟନ କଳା ଓ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଛନ୍ତି । ପରମ୍ପରା ସହିତ ଯେତେବେଳେ ଆବେଗକୁ ଯୋଡ଼ାଯାଏ, ତାହା ବିଶ୍ୱକୁ କିଭଳି ଆକର୍ଷିତ କରିପାରେ, ଡକ୍ଟର ଭୂଟିଆଙ୍କ କାର୍ଯ୍ୟ ସେ କଥା ଆମକୁ ଶିଖାଏ ।

ମୋର ପ୍ରିୟ ଦେଶବାସୀଗଣ, ଆଜି ମୁଁ ଆପଣଙ୍କୁ ଜଣେ ଚମତ୍କାର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଚାହୁଁଛି ଯିଏ ଜଣେ କଳାକାର ଏବଂ ଜୀବନ୍ତ ପ୍ରେରଣା । ନାଁ ତାଙ୍କର ଜୀବନ ଜୋଶୀ, ବୟସ ୬୫ ବର୍ଷ । ଏବେ କଳ୍ପନା କରନ୍ତୁ, ଯାହାଙ୍କ ନାମରେ ହିଁ ଜୀବନ ଅଛି, ସେ କେତେ ଜୀବନ୍ତ ହୋଇନଥିବେ । ଜୀବନ ଜୀ ଉତ୍ତରାଖଣ୍ଡର ହଲ୍‌ଦୱାନିରେ ରହନ୍ତି । ପିଲାଦିନେ ପୋଲିଓ ତାଙ୍କ ଗୋଡ଼ର ଶକ୍ତି ଛଡ଼ାଇ ନେଇଥିଲା, କିନ୍ତୁ ପୋଲିଓ ତାଙ୍କର ସାହସ ଛଡ଼ାଇ ନେଇପାରିଲା ନାହିଁ । ତାଙ୍କ ଚାଲିବାର ଗତି ଧୀର ହୋଇଗଲା ସତ, କିନ୍ତୁ ତାଙ୍କ ମନ କଳ୍ପନାର ପ୍ରତ୍ୟେକ ଉଡ଼ାଣରେ ଉଡ଼ିଚାଲିଲା । ଏହି ଉଡ଼ାଣରେ ଜୀବନ ଜୀ ଏକ ଅନନ୍ୟ କଳାକୁ ଜନ୍ମ ଦେଲେ, ଯାହାର ନାଁ ରଖିଲେ ‘ବଗେଟ୍‌’ । ଏଥିରେ ସେ ପାଇନ ଗଛରୁ ପଡ଼ିଥିବା ଶୁଖିଲା ଛାଲିରୁ ସୁନ୍ଦର କଳାକୃତି ତିଆରି କରନ୍ତି । ସେହି ଛାଲି, ଯାହାକୁ ଲୋକମାନେ ସାଧାରଣତଃ ଅଦରକାରୀ ବୋଲି ଭାବନ୍ତି, ଜୀବନ ଜୀଙ୍କ ହାତକୁ ଆସିବା ମାତ୍ରେ ତାହା ଏକ ଐତିହ୍ୟ ପାଲଟିଯାଏ । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଉତ୍ତରାଖଣ୍ଡ ମାଟିର ସୁଗନ୍ଧ ରହିଛି । କେତେବେଳେ ଏହା ପାହାଡ଼ର ଲୋକବାଦ୍ୟଯନ୍ତ୍ର ତ ଆଉ କେତେବେଳେ ଏହା ଏପରି ଅନୁଭବ ହୁଏ ସତେ ଯେପରି ପାହାଡ଼ର ଆତ୍ମା ସେହି କାଠରେ ପ୍ରବେଶ କରିଛି । ଜୀବନ ଜୀ’ଙ୍କ କାମ କେବଳ ଏକ କଳା ନୁହେଁ, ଏହା ଏକ ସାଧନା । ସେ ଏହି କଳାରେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଦେଇଛନ୍ତି । ଜୀବନ ଜୋଶୀଙ୍କ ଭଳି କଳାକାର ଆମକୁ ମନେ ପକାଇ ଦିଅନ୍ତି ଯେ ପରିସ୍ଥିତି ଯାହା ହେଉନା କାହିଁକି ଯଦି ଉଦ୍ଦେଶ୍ୟ ଦୃଢ଼ ଅଛି, ତେବେ ଅସମ୍ଭବ ବୋଲି କିଛି ନାହିଁ । ତାଙ୍କ ନାମ ଜୀବନ ଏବଂ ସେ ପ୍ରକୃତରେ ଜୀବନ ଜିଇବାର ଅର୍ଥ କ’ଣ ତାହା ଦେଖାଇ ଦେଇଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଆଜି ଅନେକ ମହିଳା ଅଛନ୍ତି ଯେଉଁମାନେ କେବଳ କ୍ଷେତ ନୁହେଁ ଉଚ୍ଚ ଆକାଶକୁ ମଧ୍ୟ ନିଜ କର୍ମକ୍ଷେତ୍ର ରୂପେ ବାଛିଛନ୍ତି । ଆଜ୍ଞା ହଁ, ଆପଣ ଠିକ୍‌ ଶୁଣିଛନ୍ତି । ଏବେ ଗାଁର ମହିଳାମାନେ ଡ୍ରୋନ୍‌ଦିଦି ସାଜି ଡ୍ରୋନ୍‌ ଉଡ଼ାଉଛନ୍ତି ଏବଂ କୃଷିକ୍ଷେତ୍ରରେ ନୂଆ ବିପ୍ଳବ ଆଣୁଛନ୍ତି ।

ବନ୍ଧୁଗଣ, ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲାରେ ଯେଉଁ ମହିଳାମାନଙ୍କୁ କିଛି ଦିନ ପୂର୍ବରୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିଲା ଆଜି ସେହି ମହିଳାମାନେ ଡ୍ରୋନ୍‌ ସାହାଯ୍ୟରେ ୫୦ ଏକର ଜମିରେ ଔଷଧ ସିଞ୍ଚନର କାମ ଶେଷ କରୁଛନ୍ତି । ସକାଳେ ତିନି ଘଣ୍ଟା, ସନ୍ଧ୍ୟାରେ ଦୁଇ ଘଣ୍ଟା, ବାସ୍‌ କାମ ଶେଷ । ସୂର୍ଯ୍ୟର ଉତ୍ତାପ ନାହିଁ, ବିଷାକ୍ତ ରାସାୟନିକ ପଦାର୍ଥର ବିପଦ ନାହିଁ । ବନ୍ଧୁଗଣ, ଗାଁ ଲୋକେ ମଧ୍ୟ ଏହି ପରିବର୍ତ୍ତନକୁ ସହୃଦୟ ଗ୍ରହଣ କରିଛନ୍ତି । ଏବେ ଏହି ମହିଳାମାନେ ‘ଡ୍ରୋନ୍‌ ଅପରେଟର’ ଭାବେ ନୁହନ୍ତି, ବରଂ ‘Sky Warriors’ ଭାବରେ ଜଣାଶୁଣା । ଏହି ମହିଳାମାନେ ଆମକୁ କହୁଛନ୍ତି- ଯେତେବେଳେ ପ୍ରଯୁକ୍ତି ବିଦ୍ୟା ଏବଂ ଦୃଢ଼ ନିଷ୍ପତ୍ତି ଏକାଠି ହୁଏ ସେତେବେଳେ ପରିବର୍ତ୍ତନ ସୁନିଶ୍ଚିତ ।

ମୋର ପ୍ରିୟ ଦେଶବାସୀଗଣ, ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଇଁ ଆଉ ମାସେରୁ ବି କମ୍‌ ସମୟ ବାକି ଅଛି । ଏହି ଅବସର ଆମକୁ ମନେ ପକାଇ ଦିଏ ଯେ ଯଦି ଆପଣ ଏବେ ବି ଯୋଗରୁ ଦୂରରେ ଅଛନ୍ତି, ତେବେ ଏବେ ଯୋଗ ସହିତ ଯୋଡ଼ି ହୁଅନ୍ତୁ । ଯୋଗ ଆପଣଙ୍କ ଜୀବନଯାପନ ଶୈଳୀକୁ ବଦଳାଇଦେବ । ବନ୍ଧୁଗଣ, ୨୧ ଜୁନ ୨୦୧୫ରେ ‘ଯୋଗ ଦିବସ’ ଆରମ୍ଭ ହେବା ପରଠାରୁ ନିରନ୍ତର ଏହାର ଆକର୍ଷଣ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ମଧ୍ୟ ‘ଯୋଗ ଦିବସ’କୁ ନେଇ ସମଗ୍ର ବିଶ୍ୱର ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଯାଉଛି । ବିଭିନ୍ନ ଅନୁଷ୍ଠାନ ସେମାନଙ୍କର ପ୍ରସ୍ତୁତି କଥା ଜଣାଉଛନ୍ତି । ବିଗତ ବର୍ଷଗୁଡ଼ିକର ଫଟୋଗୁଡ଼ିକ ବହୁତ ପ୍ରେରଣା ଦେଇଛି । ଆମେ ଦେଖିଛୁ ଯେ କିଛି ବର୍ଷ ମଧ୍ୟରେ ବିଭିନ୍ନ ଦେଶର ଲୋକେ ଯୋଗଚେନ୍‌ କରିଛନ୍ତି ଏବଂ ଯୋଗରିଙ୍ଗ୍‌ ତିଆରି କରିଛନ୍ତି । ଏଭଳି ବହୁତ ଚିତ୍ର ଅଛି ଯେଉଁଥିରେ ଚାରି ପିଢ଼ି ଏକାଠି ଯୋଗ କରୁଛନ୍ତି । ଅନେକ ଲୋକ ଯୋଗ ପାଇଁ ନିଜର ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ବାଛିଥିଲେ । ଆପଣମାନେ ମଧ୍ୟ ଏଥର ଯୋଗ ଦିବସକୁ କିଛି ଆକର୍ଷଣୀୟ ଉପାୟରେ ପାଳନ କରିବା ବିଷୟରେ ଚିନ୍ତା କରିପାରିବେ ।

ବନ୍ଧୁଗଣ, ଆନ୍ଧ୍ରପ୍ରଦେଶ ସରକାର ଯୋଗଆନ୍ଧ୍ର ଅଭିଯାନ ଆରମ୍ଭ କରିଛନ୍ତି । ଏହାର ଲକ୍ଷ୍ୟ ହେଉଛି ସମଗ୍ର ରାଜ୍ୟରେ ଯୋଗ ସଂସ୍କୃତିକୁ ବିକଶିତ କରିବା । ଏହି ଅଭିଯାନ ଅଧୀନରେ ଯୋଗ କରୁଥିବା ୧୦ ଲକ୍ଷ ଲୋକଙ୍କ ପାଇଁ ଏକ ପୁଲ୍‌ ତିଆରି କରାଯାଉଛି । ଏ ବର୍ଷ ମୁଁ ବିଶାଖାପାଟଣାରେ ‘ଯୋଗ ଦିବସ’ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଛି । ମୁଁ ଜାଣି ଖୁସି ଯେ ଏଥର ମଧ୍ୟ ଆମର ଯୁବବନ୍ଧୁମାନେ ଦେଶର ଐତିହ୍ୟ ସହିତ ଜଡ଼ିତ ଗୁରୁ‌ତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଯୋଗ କରିବାକୁ ଯାଉଛନ୍ତି । ଅନେକ ଯୁବକଯୁବତୀ ନୂତନ ରେକର୍ଡ ସୃଷ୍ଟି କରିବାକୁ ଏବଂ ଯୋଗ ଶୃଙ୍ଖଳର ଏକ ଅଂଶ ହେବାକୁ ପ୍ରତିଜ୍ଞା କରିଛନ୍ତି । ଆମର କର୍ପୋରେଟଗୁଡ଼ିକ ମଧ୍ୟ ଏଥିରେ ପଛରେ ନାହାନ୍ତି । କିଛି ଅନୁଷ୍ଠାନ କାର୍ଯ୍ୟାଳୟରେ ହିଁ ଯୋଗାଭ୍ୟାସ ପାଇଁ ଏକ ଅଲଗା ସ୍ଥାନ ବାଛିଛନ୍ତି । କିଛି ଷ୍ଟାର୍ଟଅପ୍‌ ‘ଅଫିସ୍‌ ଯୋଗ ସମୟ’ ସ୍ଥିର କରିଛନ୍ତି । ଏପରି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ଗାଁକୁ ଯାଇ ଯୋଗ ଶିଖାଇବାକୁ ପ୍ରସ୍ତୁତ ହେଉଛନ୍ତି । ସ୍ୱାସ୍ଥ୍ୟ ଓ ଫିଟନେସ୍‌ ପ୍ରତି ଲୋକଙ୍କର ଏହି ସଚେତନତା ମୋତେ ଆନନ୍ଦ ଦେଉଛି ।

ବନ୍ଧୁଗଣ, ‘ଯୋଗ ଦିବସ’ ସହିତ ଆୟୁର୍ବେଦ କ୍ଷେତ୍ରରେ ମଧ୍ୟ ଏପରି କିଛି ଘଟିଛି ଯାହା ବିଷୟରେ ଜାଣି ଆପଣମାନେ ବହୁତ ଖୁସି ହେବେ । ଗତକାଲି, ଅର୍ଥାତ ୨୪ ମେ’ରେ W.H.Oର ମହାନିର୍ଦେଶକ ତଥା ମୋର ବନ୍ଧୁ TULSI BHAIଙ୍କ ଉପସ୍ଥିତିରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ସହିତ ଇଣ୍ଟରନେସନାଲ୍‌ କ୍ଲାସିଫିକେସନ ଅଫ୍‌ ହେଲ୍‌ଥ ଇଣ୍ଟର୍‌ଭେନ୍‌ସନ୍‌ସ ଅଧୀନରେ ଏକ ଉତ୍ସର୍ଗୀକୃତ ପାରମ୍ପରିକ ଔଷଧ ମୋଡ୍ୟୁଲ୍‌ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପଦକ୍ଷେପ ବୈଜ୍ଞାନିକ ଉପାୟରେ ସମଗ୍ର ବିଶ୍ୱରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ‘ଆୟୁଷ’କୁ ପହଞ୍ଚାଇବାରେ ସାହାଯ୍ୟ କରିବ ।

ବନ୍ଧୁଗଣ, ଆପଣ ସ୍କୁଲ୍‌ରେ ବ୍ଲାକ୍‌ବୋର୍ଡ ଦେଖିଥିବେ, କିନ୍ତୁ ଏବେ କିଛି ସ୍କୁଲ୍‌ରେ ‘ସୁଗାର୍‌ ବୋର୍ଡ’ ଲଗାଯାଉଛି-ବ୍ଲାକ୍‌ବୋର୍ଡ ନୁହେଁ, ସୁଗାର୍‌ବୋର୍ଡ! ସିବିଏସ୍‌ଇର ଏହି ନିଆରା ପଦକ୍ଷେପର ଲକ୍ଷ୍ୟ ହେଉଛି ପିଲାଙ୍କ ଭିତରେ ଚିନି ଖାଇବା ବିଷୟରେ ସଚେତନତା ସୃଷ୍ଟି କରିବା । କେତେ ଚିନି ଖାଇବା ଉଚିତ ଏବଂ କେତେ ଚିନି ସେମାନେ ଖାଉଛନ୍ତି ତାହା ଜାଣି ପିଲାମାନେ ନିଜେ ଠିକ୍‌ ବିକଳ୍ପ ବାଛିବା ଆରମ୍ଭ କରିଛନ୍ତି । ଏହା ଏକ ଅନନ୍ୟ ପ୍ରୟାସ ଏବଂ ଏହାର ପ୍ରଭାବ ମଧ୍ୟ ବହୁତ ସକାରାତ୍ମକ ହେବ । ଏହା ପିଲାଦିନରୁ ସୁସ୍ଥ ଜୀବନଶୈଳୀ ଅଭ୍ୟାସକୁ ଆପଣାଇବାରେ ବହୁତ ସହାୟକ ହୋଇପାରିବ । ଏହାକୁ ଅନେକ ଅଭିଭାବକ ପ୍ରଶଂସା କରିଛନ୍ତି ଏବଂ ମୋ ମତରେ ଏପରି ପଦକ୍ଷେପ ଅଫିସ୍‌, କ୍ୟାଣ୍ଟିନ ଏବଂ ଅନୁଷ୍ଠାନଗୁଡ଼ିକରେ ମଧ୍ୟ ନିଆଯିବା ଉଚିତ । ଅନ୍ତତଃ ଯଦି ସ୍ୱାସ୍ଥ୍ୟ ଭଲ ତ ସବୁକିଛି ଠିକ୍‌ । ଫିଟ୍‌ ଇଣ୍ଡିଆ ହିଁ ଷ୍ଟ୍ରଙ୍ଗ୍‌ ଇଣ୍ଡିଆର ମୂଳଦୁଆ ।

ମୋର ପ୍ରିୟ ଦେଶବାସୀଗଣ, ସ୍ୱଚ୍ଛ ଭାରତ କଥା ଆସିବ ଏବଂ ‘ମନ୍‌ କୀ ବାତ୍‌’ର ଶ୍ରୋତା ପଛୁଆ ହୋଇଯିବେ ଏହା କ’ଣ ସମ୍ଭବ! ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନେ ସମସ୍ତେ ନିଜନିଜ ସ୍ତରରେ ଏହି ଅଭିଯାନକୁ ମଜଭୁତ କରୁଛନ୍ତି । କିନ୍ତୁ ଆଜି ମୁଁ ଆପଣଙ୍କୁ ଏପରି ଏକ ଉଦାହରଣ ବିଷୟରେ କହିବାକୁ ଚାହୁଁଛି ଯେଉଁଠି ସ୍ୱଚ୍ଛତାର ସଂକଳ୍ପ ପାହାଡ଼ ଭଳି ଆହ୍ୱାନକୁ ମଧ୍ୟ ପରାସ୍ତ କରିଥିଲା । ଆପଣ ଭାବନ୍ତୁ, କୌଣସି ବ୍ୟକ୍ତି ବରଫାବୃତ ପାହାଡ଼ ଉପରକୁ ଚଢ଼ୁଛି, ଯେଉଁଠି ନିଃଶ୍ୱାସ ନେବା କଷ୍ଟକର ଓ ପାଦେପାଦେ ଜୀବନ ପ୍ରତି ବିପଦ, ତଥାପି ସେହି ବ୍ୟକ୍ତିଜଣକ ସେହି ସ୍ଥାନର ସଫେଇ କରିବାରେ ବ୍ୟସ୍ତ । ଆମର ଆଇଟିବିପି ଦଳର ସଦସ୍ୟମାନେ ଠିକ୍‌ ଏପରି କିଛି ହିଁ କରିଛନ୍ତି । ଏହି ଦଳଟି ମାଉଣ୍ଟ ମାକାଲୁ ଭଳି ପୃଥିବୀର ସବୁଠାରୁ କଠିନ ଶୃଙ୍ଗ ଉପରକୁ ଚଢ଼ିବାକୁ ଯାଇଥିଲା । କିନ୍ତୁ ବନ୍ଧୁଗଣ ସେମାନେ କେବଳ ପର୍ବତାରୋହଣ କରିନଥିଲେ ସେମାନେ ନିଜର ଲକ୍ଷ୍ୟ ସହିତ ସ୍ୱଚ୍ଛତା ଭଳି ଆଉ ଗୋଟିଏ ମିଶନକୁ ଯୋଡ଼ିଦେଲେ । ଶୀର୍ଷଦେଶର ପାଖାପାଖି ଯେଉଁ ଆବର୍ଜନା ସବୁ ପଡ଼ିଥିଲା ସେମାନେ ତାକୁ ସଫାକରିବାର ଦାୟିତ୍ୱ ନେଲେ । ଆପଣମାନେ କଳ୍ପନା କରନ୍ତୁ ତ ୧୫୦ କିଲୋରୁ ଅଧିକ non-biodegradable waste ଏହି ଟିମର ସଦସ୍ୟମାନେ ନିଜ ସହିତ ତଳକୁ ନେଇଆସିଥିଲେ । ଏତେ ଉଚ୍ଚତାରେ ସଫାଇ କରିବା କୌଣସି ସହଜ କାମ ନୁହେଁ । କିନ୍ତୁ ଦେଖାଯାଏ, ଯେଉଁଠି ସଂକଳ୍ପ ଥାଏ, ସେଠି ରାସ୍ତା ଆପେ ଆପେ ତିଆରି ହୋଇଯାଏ ।

ବନ୍ଧୁଗଣ, ଏହା ସହିତ ଜଡ଼ିତ ଆଉ ଗୋଟିଏ ଜରୁରୀ ବିଷୟ ହେଲା – Paper waste ଏବଂ recycling । ଆମ ଘର ଏବଂ ଅଫିସରେ ପ୍ରତିଦିନ ଅନେକ aper waste ବାହାରିଥାଏ । ଆମେ ହୁଏତ ଏହାକୁ ଗୋଟେ ସାଧାରଣ କଥା ବୋଲି ଭାବୁ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦେଶର landfill wasteର ହାରାହାରି ଏକଚତୁର୍ଥାଂଶ ଭାଗ କାଗଜ ସହିତ ସମ୍ବନ୍ଧିତ । ପ୍ରତ୍ୟେକ ବ୍ୟକ୍ତି ଏ ଦିଗରେ ନିଶ୍ଚୟ ଚିନ୍ତାକରୁ – ଏହା ଆଜିର ଆବଶ୍ୟକତା । ମୁଁ ଜାଣି ବହୁତ ଖୁସି ଯେ ଭାରତର ଅନେକଗୁଡ଼ିଏ Start-Up ଏହି କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ବିଶାଖାପାଟଣା, ଗୁରୁଗ୍ରାମ ଭଳି ଅନେକ ସହରରେ ଅନେକ Start-Up paper recyclingର ଅଭିନବ ଉପାୟ ଆପଣାଇଛନ୍ତି । କେହି recycle କାଗଜରୁ packaging board ତିଆରି କରୁଛନ୍ତି, ଆଉ କେହି digital ଉପାୟରେ ଖବରକାଗଜ କ୍ସରମଚ୍ଚମକ୍ଷସଦ୍ଭଶକୁ ସହଜସାଧ୍ୟ କରୁଛି । ଜାଲନା ଭଳି ସହରରେ କେତେକ Start-Upକୁ ଶତପ୍ରତିଶତ recycled materialeê packaging roll ଏବଂ paper core ତିଆରି କରୁଛନ୍ତି । ଆପଣ ଏହାମଧ୍ୟ ଜାଣି ପ୍ରେରଣା ପାଇବେ ଯେ, ଏକ ଟନ୍ କାଗଜର recycling ହେବାଦ୍ୱାରା ୧୭ଟି ଗଛ କଟାହେବାରୁ ରକ୍ଷା ହୋଇପାରିବ ଏବଂ ହଜାର ହଜାର ଲିଟର ପାଣି ସଞ୍ଚୟ ହୋଇପାରିବ । ଆପଣ ଭାବନ୍ତୁ, ଯଦି ପର୍ବତାରୋହୀମାନେ ଏତେ କଠିନ ପରିସ୍ଥିତିରେ ଆବର୍ଜନା ଆଣିପାରୁଛନ୍ତି ତାହେଲେ ଆମକୁ ମଧ୍ୟ ନିଜ ଘରେ ବା କାର୍ଯ୍ୟାଳୟରେ କାଗଜକୁ ଅଲଗା କରି recycling କରିବାରେ ନିଜ ନିଜର ଯୋଗଦାନ ନିଶ୍ଚୟ ଦେବା ଉଚିତ । ଯେତେବେଳେ ଦେଶର ପ୍ରତ୍ୟେକ ନାଗରିକ ଭାବିବ ଯେ ଦେଶ ପାଇଁ ମୁଁ ଅଧିକ ଭଲ କାମ କ’ଣ କରିପାରିବି ସେତେବେଳେ ଆମେ ମିଳିମିଶି ବଡ଼ ପରିବର୍ତ୍ତନ ଆଣିପାରିବା ।

ବନ୍ଧୁଗଣ, ବିଗତ ଦିନମାନଙ୍କରେ ଖେଲୋ ଇଣ୍ଡିଆ ଗେମ୍ସ ବହୁତ ଚମକପ୍ରଦ ରହିଥିଲା । ଖେଲୋ ଇଣ୍ଡିଆ ସମୟରେ ବିହାରର ପାଞ୍ଚଟି ସହରରେ ଖେଳ ଆୟୋଜିତ ହୋଇଥିଲା । ସେଠାରେ ବିଭିନ୍ନ ବିଭାଗର ଖେଳଗୁଡ଼ିକ ହୋଇଥିଲା । ସାରା ଭାରତରୁ ପ୍ରାୟ ୫,୦୦୦ରୁ ଅଧିକ ଖେଳାଳି ସେଠାରେ ଯୋଗଦେଇଥିଲେ । ଏହି ଖେଳାଳିମାନେ ବିହାରର sporting spirit ଏବଂ ଲୋକମାନଙ୍କଠାରୁ ମିଳିଥିବା ଆତ୍ମୀୟତାର ବହୁତ ପ୍ରଶଂସା କରିଛନ୍ତି ।

ବନ୍ଧୁଗଣ, ବିହାରର ମାଟି ବହୁତ ସ୍ୱତନ୍ତ୍ର ଅଟେ, ଏହି ଆୟୋଜନରେ ଏଠାରେ କିଛି ଅଭିନବ ଘଟଣା ଘଟିଥିଲା । ଏହା ଖୋଲୋ ଇଣ୍ଡିଆ ୟୁଥ୍ ଗେମ୍ସର ପ୍ରଥମ ଆୟୋଜନ ଥିଲା, ଯାହା Olympic channel ମାଧ୍ୟମରେ ସାରା ଦୁନିଆ ଦେଖିଲା । ସାରା ବିଶ୍ୱର ଲୋକମାନେ ଆମର ଯୁବ ଖେଳାଳିମାନଙ୍କର ପ୍ରତିଭାକୁ ଦେଖିଲେ ଏବଂ ପ୍ରଶଂସା କଲେ । ମୁଁ ସମସ୍ତ ପଦକ ବିଜେତାମାନଙ୍କୁ ବିଶେଷକରି ଶ୍ରେଷ୍ଠ ତିନି ବିଜେତା – ମହାରାଷ୍ଟ୍ର, ହରିଆନା ଏବଂ ରାଜସ୍ଥାନକୁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ, ଏ ବର୍ଷ ଖେଲୋ ଇଣ୍ଡିଆରେ ସର୍ବମୋଟ ୨୬ଟି ରେକର୍ଡ ହୋଇଛି । ଭାରୋତ୍ତଳନ ପ୍ରତିଯୋଗିତାରେ ମହାରାଷ୍ଟ୍ରର ଅସ୍ମିତା ଧୋନେ, ଓଡ଼ିଶାର ହର୍ଷବର୍ଦ୍ଧନ ସାହୁ ଏବଂ ଉତ୍ତରପ୍ରଦେଶର ତୁଷାର ଚୌଧୁରୀଙ୍କ ଶ୍ରେଷ୍ଠ ପ୍ରଦର୍ଶନ ସମସ୍ତଙ୍କ ହୃଦୟକୁ ଜିତିନେଇଥିଲା । ସେହିଭଳି ମହାରାଷ୍ଟ୍ରର ସାଇରାଜ ପରଦେଶୀ ତିନୋଟି ରେକର୍ଡ ସ୍ଥାପିତ କରିନେଲେ । ଆଥଲେଟିକରେ ଉତ୍ତରପ୍ରଦେଶର କାଦିର ଖାନ୍, ଶେଖ୍ ଜିଶାନ୍ ଏବଂ ରାଜସ୍ଥାନର ହଂସରାଜ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହିଥର ବିହାର ମଧ୍ୟ ୩୬ଟି ପଦକ ଅଧିକାର କରିଥିଲା । ବନ୍ଧୁଗଣ, ଯିଏ ଖେଳେ, ସେ ପ୍ରସ୍ଫୁଟିତ ହୁଏ । ଯୁବ କ୍ରୀଡ଼ା ପ୍ରତିଭାମାନଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ବହୁତ ଗୁରୁତ୍ୱ ରଖିଥାଏ । ଏହିଭଳି ଆୟୋଜନ ଭାରତୀୟ ଖେଳର ଭବିଷ୍ୟତକୁ ଆହୁରି ସୁନ୍ଦର କରିବ ।

ମୋର ପ୍ରିୟ ଦେଶବାସୀଗଣ, ୨୦ ମଇକୁ ‘ବିଶ୍ୱ ମହୁମାଛି ଦିବସ’ ଭାବେ ପାଳନ କରାଗଲା, ଅର୍ଥାତ୍ ଏକ ଏଭଳି ଦିନ ଯାହା ଆମକୁ ମନେ ପକାଇଦିଏ ଯେ ମହୁ ଖାଲି ମିଠା ନୁହେଁ, ବରଂ ସ୍ୱାସ୍ଥ୍ୟ, ସ୍ୱରୋଜଗାର ଏବଂ ଆତ୍ମନିର୍ଭରଶୀଳତାର ଏକ ଉଦାହରଣ ଅଟେ । ଗତ ୧୧ ବର୍ଷ ମଧ୍ୟରେ ମହୁମାଛି ପାଳନ ଦ୍ୱାରା ଭାରତରେ ଏକ Sweet Revolution ଆରମ୍ଭ ହୋଇଛି । ଆଜିଠାରୁ ୧୦-୧୧ ବର୍ଷ ପୂର୍ବେ ଭାରତରେ ବର୍ଷକୁ ପ୍ରାୟ ୭୦-୭୫ ହଜାର ମେଟ୍ରିକ ଟନ୍ ମହୁ ଉତ୍ପାଦିତ ହେଉଥିଲା । ଆଜି ଏହା ବଢ଼ି ପାଖାପାଖି ୧ ଲକ୍ଷ ୨୫ ହଜାର ଟନରେ ପହଞ୍ଚିପାରିଛି । ଅର୍ଥାତ୍ ମହୁ ଉତ୍ପାଦନରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ହୋଇଛି । ମହୁ ଉତ୍ପାଦନ ଏବଂ ରପ୍ତାନୀରେ ଆମେ ଦୁନିଆର ଏକ ଅଗ୍ରଣୀ ଦେଶ ଭାବେ ଗଣା ହେଲୁଣି । ବନ୍ଧୁଗଣ, ଏହି ସକାରାତ୍ମକ ପରିବର୍ତ୍ତନରେ ‘ରାଷ୍ଟ୍ରୀୟ ମଧୁମକ୍ଷୀ ପାଳନ’ ଏବଂ ‘ସହଦ୍ ମିଶନ’ର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ମାଧ୍ୟମରେ ମହୁମାଛି ପାଳନ ସହ ସଂଯୁକ୍ତ ହଜାର ହଜାର କୃଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି, ଉପକରଣ ଦିଆଯାଇଛି ଏବଂ ସେମାନଙ୍କୁ ବଜାର ସହିତ ସିଧା ସମ୍ପୃକ୍ତ କରାଯାଇଛି ।

ବନ୍ଧୁଗଣ, ଏହି ପରିବର୍ତ୍ତନ ଖାଲି ପରିସଂଖ୍ୟାନରେ ନୁହେଁ, ବରଂ ଏହି ଗାଁ ମାଟିରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଛତିଶଗଡ଼ର କୋରିଆ ଜିଲ୍ଲାର ଗୋଟିଏ ଉଦାହରଣ ଅଛି, ଏଠାକାର ଆଦିବାସୀ କୃଷକମାନେ ‘ସୋନ୍ ହନି’ ନାମକ ଏକ ଶୁଦ୍ଧ ଜୈବିକ ମହୁ ବ୍ରାଣ୍ଡ ବନାଇଛନ୍ତି । ଆଜି ଏହି ମହୁ GeM ସମେତ ଅନେକ Online Portal ମାଧ୍ୟମରେ ବିକ୍ରି ହେଉଛି, ଅର୍ଥାତ୍ ଗାଁର ପରିଶ୍ରମ ଏବେ ଗ୍ଲୋବାଲ ହୋଇଛି । ସେହିଭଳି ଉତ୍ତରପ୍ରଦେଶ, ଗୁଜରାଟ, ଜାମ୍ମୁ-କାଶ୍ମୀର, ପଶ୍ଚିମବଙ୍ଗ ଏବଂ ଅରୁଣାଞ୍ଚଳ ପ୍ରଦେଶରେ ହଜାର ହଜାର ମହିଳା ଏବଂ ଯୁବକ ଏବେ ମହୁ ଉଦ୍ୟୋଗୀ ହୋଇପାରିଛନ୍ତି । ବନ୍ଧୁଗଣ, ଏବେ ଖାଲି ମହୁର ପରିମାଣ ନୁହେଁ, ବରଂ ଏହାର ଶୁଦ୍ଧତା ଉପରେ ମଧ୍ୟ କାମ ହେଉଛି । କେତେକ Start-up ଏବେ AI ଏବଂ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ମହୁର ଗୁଣବତ୍ତାକୁ ପ୍ରମାଣିତ କରୁଛନ୍ତି । ଆପଣ ଭବିଷ୍ୟତରେ ଯେବେ ମହୁ କିଣିବେ ସେତେବେଳେ ଏହି ମହୁ ଉଦ୍ୟୋଗୀମାନଙ୍କ ଦ୍ୱାରା ତିଆରି ହେଉଥିବା ମହୁକୁ ନିଶ୍ଚୟ ଆପଣାନ୍ତୁ, କିଛି ସ୍ଥାନୀୟ କୃଷକ ଏବଂ କିଛି ମହିଳା ଉଦ୍ୟମୀଙ୍କଠାରୁ ମଧ୍ୟ ମହୁ କିଣିବାକୁ ଚେଷ୍ଟା କରନ୍ତୁ । କାରଣ ମହୁର ପ୍ରତିଟି ବୁନ୍ଦାରେ ଖାଲି ସ୍ୱାଦ ନାହିଁ, ଭାରତର ପରିଶ୍ରମ ଏବଂ ଆକାଂକ୍ଷା ମଧ୍ୟ ମିଶି ରହିଛି । ମହୁର ଏହି ମଧୁରତା - ଆତ୍ମନିର୍ଭର ଭାରତର ସ୍ୱାଦ ଅଟେ ।

ବନ୍ଧୁଗଣ, ଯେତେବେଳେ ଆମେ ମହୁ ସହିତ ସଂଯୁକ୍ତ ଦେଶମାନଙ୍କର ପ୍ରଚେଷ୍ଟା ବିଷୟରେ ଚର୍ଚ୍ଚା କରୁଛୁ ସେତେବେଳେ ମୁଁ ଆପଣମାନଙ୍କୁ ଆଉ ଗୋଟିଏ ଉଦ୍ୟମ ବିଷୟରେ କହିବାକୁ ଚାହୁଁଛି । ଏହା ଆମକୁ ମନେ ପକାଇଦିଏ ଯେ ମହୁମାଛିର ସୁରକ୍ଷା କେବଳ ପରିବେଶ ପାଇଁ ନୁହେଁ, ଆମ ଚାଷ ଏବଂ ଆଗାମୀ ବଂଶଧରମାନଙ୍କ ପାଇଁ ମଧ୍ୟ ଏକ ଦାୟିତ୍ୱ ଅଟେ । ପୁନେ ସହରର ଗୋଟିଏ ଉଦାହରଣ ଦେଖିବା, ଯେଉଁଠି ଗୋଟିଏ Housing Societyରେ ଗୋଟିଏ ମହୁଫେଣାକୁ ହଟାଇ ଦିଆଗଲା – ଏହା ହୁଏତ ସୁରକ୍ଷା କାରଣରୁ କିମ୍ବା ଭୟ ଯୋଗୁଁ ହୋଇଥାଇପାରେ । କିନ୍ତୁ ଏହି ଘଟଣାଟି ଜଣେ ଲୋକକୁ କିଛି ଭାବିବା ପାଇଁ ବାଧ୍ୟ କରିଥିଲା । ଅମିତ୍ ନାମକ ଜଣେ ଯୁବକ ସ୍ଥିର କଲେ ଯେ ମାଛିମାନଙ୍କୁ ନ ହଟାଇ, ସେମାନଙ୍କୁ ବଞ୍ଚାଇବାକୁ ପଡ଼ିବ । ସେ ନିଜେ ଶିଖିଲେ, ମହୁମାଛିମାନଙ୍କ ଉପରେ ଗବେଷଣା କଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଜ ସହିତ ଯୋଡ଼ିବା ଆରମ୍ଭ କଲେ । ଧୀରେ ଧୀରେ ସେ ଗୋଟିଏ ଦଳ ଗଠନ କଲେ, ଯାହାର ନାମ ରଖିଲେ Bee Friends, ଅର୍ଥାତ୍ ‘ମହୁମାଛି-ମିତ୍ର’ । ଆଜି ଏହି Bee Friends ମହୁଫେଣାଗୁଡ଼ିକୁ ସୁରକ୍ଷିତ ଭାବରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରିଦେଉଛନ୍ତି । ଉଦ୍ଦେଶ୍ୟ ହେଲା ଲୋକମାନଙ୍କ ପାଇଁ ବିପଦ ନ ହେଉ ଏବଂ ମହୁମାଛିମାନେ ଜୀବିତ ରୁହନ୍ତୁ । ଅମିତ୍ ବାବୁଙ୍କର ଏହି ପ୍ରଚେଷ୍ଟାର ପ୍ରଭାବ ମଧ୍ୟ ଅତି ଉତ୍ସାହଜନକ ହେଲା । ମହୁମାଛିମାନଙ୍କର କଲୋନୀ ବଂଚିରହିଲା । ମହୁ ଉତ୍ପାଦନ ମଧ୍ୟ ବଢ଼ିଚାଲିଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୋକମାନଙ୍କ ମଧ୍ୟରେ ସଚେତନତା ମଧ୍ୟ ବଢ଼ିଛି । ଏହି ପ୍ରଚେଷ୍ଟା ଆମମାନଙ୍କୁ ଶିକ୍ଷାଦିଏ ଯେ ଯେତେବେଳେ ଆମ ପ୍ରକୃତି ସହିତ ତାଳମେଳ ରଖି କାମ କରିବା, ତେବେ ତାହାର ଲାଭ ସମସ୍ତଙ୍କୁ ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଏଥର ପାଇଁ ଏତିକି, ଆପଣ ଏହିଭଳି ଦେଶର ଲୋକମାନଙ୍କର ଉପଲବଧି ଏବଂ ସମାଜ ପାଇଁ ସେମାନଙ୍କର ପ୍ରଚେଷ୍ଟା ଆଦି ମୋତେ ପଠାଉଥାନ୍ତୁ । ‘ମନ୍ କି ବାତ୍’ର ଆଗାମୀ ଅଧ୍ୟାୟରେ ପୁଣି ଭେଟିବା, କିଛି ନୂଆ ବିଷୟ ଏବଂ ଦେଶବାସୀମାନଙ୍କର ନୂତନ ଉପଲବଧି ସମ୍ବନ୍ଧରେ ଚର୍ଚ୍ଚା କରିବା । ମୁଁ ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲି । ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ, ନମସ୍କାର ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government e-Marketplace Generates Rs 1.76 Lakh Crore In Net Social Savings Over Three Years: IIT Delhi Study

Media Coverage

Government e-Marketplace Generates Rs 1.76 Lakh Crore In Net Social Savings Over Three Years: IIT Delhi Study
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to brave participants of the Quit India Movement
August 09, 2026

Prime Minister Shri Narendra Modi has remembered all those who participated in the historic Quit India Movement and paid tribute to their courage and determination in India’s freedom struggle. Shri Modi said that inspired by the leadership of Mahatma Gandhi, the clarion call of the Quit India Movement infused new energy into the freedom struggle and reflected the unwavering resolve of the people of India to break free from colonial rule.

The Prime Minister posted on X:

Remembering all those who participated in the historic Quit India Movement. Their courage will always remain an inspiration for every Indian. Inspired by the leadership of Mahatma Gandhi Ji, the clarion call of Quit India infused new energy into our freedom struggle and reflected the unwavering determination of our people to break free from colonial rule.