Fit India movement has proved its influence and relevance in this corona period in spite of the restrictions: PM
Fitness Ki Dose, Aadha Ghanta Roz: PM Modi
Staying fit is not as difficult a task as some think. With a little discipline and a little hard work you can always be healthy: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟର ପ୍ରଥମ ବର୍ଷ ପୂତ୍ତି ଅବସରରେ ଏକ ଭର୍ଚୁଆଲ ସମ୍ମିଳନୀରେ ବୟସ ଉପଯୋଗୀ ଫିଟ୍‌ନେସ ପ୍ରୋଟକଲ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ କ୍ରୀଡାବିତ୍‌, ଫିଟ୍‌ନେସ ବିଶେଷଜ୍ଞ ଏବଂ ଅନ୍ୟମାନଙ୍କ ସହ ଫିଟ୍‌ ଇଣ୍ଡିଆ ଡାଇଲଗ୍‌ କାର୍ଯ୍ୟକ୍ରମରେ ମତ ବିନିମୟ କରିଛନ୍ତି । ଏହି ଫିଟ୍‌ ଇଣ୍ଡିଆ ଡାଇଲଗ୍‌ କାର୍ଯ୍ୟକ୍ରମ ଭର୍ଚୁଆଲ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା ଏବଂ ଏଥିରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିବିଶେଷ ଅଣଆନୁଷ୍ଠାନିକଭାବେ ନିଜର ଅଭିଜ୍ଞତା ଓ ଫିଟ୍‌ନେସ ମନ୍ତ୍ର ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି କାର୍ଯ୍ୟକ୍ରମ ଅଣଆନୁଷ୍ଠାନିକ ଢଙ୍ଗରେ ଆୟୋଜିତ ହୋଇଥିଲା ।

ପାରା ଅଲିମ୍ପିକ୍‌ ସ୍ୱର୍ଣ୍ଣପଦକ ବିଜେତା ଝଜାରିଆଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପାରା ଅଲିମ୍ପିକ୍‌ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣପଦକ ବିଜେତା ଦେବେନ୍ଦ୍ର ଝଜାରିଆଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ଭାରତ ପାଇଁ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଏଭଳି ଗୌରବ ଆଣିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କ ସଫଳତାର ଉଚ୍ଚ ପ୍ରଶଂସା କରିଥିଲେ । ନିଜର ଶାରୀରିକ ଆହ୍ୱାନର ମୁକାବିଲା କରି ସେ କିପରି ବିଶ୍ୱ ପ୍ରସିଦ୍ଧ କ୍ରୀଡାବିତ୍‌ ହୋଇପାରିଛନ୍ତି ପ୍ରଧାନମନ୍ତ୍ରୀ ସେ ବିଷୟରେ ତାଙ୍କୁ ପଚାରି ବୁଝିଥିଲେ ।

ଦେବେନ୍ଦ୍ର ତାଙ୍କର ଜୀବନର ଜଟିଳ ପର୍ଯ୍ୟାୟର ଅନୁଭୂତି ବର୍ଣ୍ଣନା କରିଥିଲେ । ବିଜୁଳି ଆଘାତ ଯୋଗୁଁ ତାଙ୍କୁ ଗୋଟିଏ ହାତ ହରାଇବାକୁ ପଡିଥିଲା । ଏହା ସତ୍ତ୍ୱେ ତାଙ୍କ ମାଆ ତାଙ୍କୁ ଜଣେ ସ୍ୱାଭାବିକ ପିଲାଭାବେ ଜୀବନ ନିର୍ବାହ କରିବାକୁ ପ୍ରେରଣା ଦେଇଥିଲେ । ତାଙ୍କ ମା’ଙ୍କ ସାହାଯ୍ୟ ସହଯୋଗରେ ସେ ନିଜର ଶାରୀରିକ ଫିଟ୍‌ନେସ ରକ୍ଷା କରିଥିଲେ ।

ପ୍ରଧାନମନ୍ତ୍ରୀ ଝଜାରିଆଙ୍କୁ ତାଙ୍କର ସର୍ବଶେଷ କାନ୍ଧ ଆଘାତ ସଂପର୍କରେ ପଚାରି ବୁଝିଥିଲେ ଏବଂ ଖେଳରୁ ଅବସର ନେବାକୁ ତାଙ୍କର ଯେଉଁ ଭାବନା ସୃଷ୍ଟି ହୋଇଥିଲା ସେଥିରୁ ସେ କିପରି ମୁକୁଳିଲେ ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ଝଜାରିଆ କହିଥିଲେ ଯେ ଜଣକୁ ନିଜର ମାନସିକ ଓ ଶାରୀରିକ ପ୍ରତିବନ୍ଧକକୁ ଦୂର କରିବାକୁ ହେଲେ ପ୍ରଥମେ ନିଜ ଉପରେ ବିଶ୍ୱାସ ରଖିବାକୁ ପଡିବ । ସେ ଏହି ଅବସରରେ କିଛି ଶାରୀରିକ ବ୍ୟାୟାମ ପ୍ରଦର୍ଶନ କରିବା ସହ ନିଜର ଆଘାତକୁ ଅତିକ୍ରମ କରିବା ପାଇଁ ନିଜକୁ କିପରି ଫିଟ୍‌ ରଖୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ପାରା ଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜୟୀ ଦେବେନ୍ଦ୍ର ଏକ ଚମତ୍କାର ପ୍ରେରଣାଦାୟୀ କାର୍ଯ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କର 80 ବର୍ଷୀୟା ମାଆ ଏବେ ମଧ୍ୟ ଫିଟ୍‌ ଥିବାରୁ ସେ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଫୁଟବଲ ଖେଳାଳି ଅଫ୍‌ସାନ ଆସିକ୍‌ଙ୍କ ସହିତ କଥାବାର୍ତ୍ତା

ଜମ୍ମୁ ଓ କଶ୍ମୀରର ମହିଳା ଫୁଟବଲ ଖେଳାଳି ତଥା ଗୋଲକିପ୍‌ର ଅଫ୍‌ସାନ ଆସିକ୍‌ ନିଜ ପାଇଁ ଏବଂ ଅନ୍ୟମାନଙ୍କ ନିମନ୍ତେ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସେ ନିଜେ ଜଣେ ମା’ ଓ ଏକ ପରିବାରର ଦାୟିତ୍ୱ ନିର୍ବାହ କରୁଥିବାବେଳେ ନିଜକୁ ସଂପୂର୍ଣ୍ଣ ଫିଟ୍‌ ରଖିପାରିଛନ୍ତି । କଥାବାର୍ତ୍ତା ଅବସରରେ ସେ କହିଛନ୍ତି ଯେ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଶାନ୍ତ ସ୍ୱଭାବର କାର୍ଯ୍ୟଶୈଳୀ ଦ୍ୱାରା ସେ ଅନୁପ୍ରାଣିତ ହୋଇଛନ୍ତି । ପ୍ରତିଦିନ ସକାଳେ ସେ ଧ୍ୟାନ କରନ୍ତି ଏବଂ ଏହା ତାଙ୍କୁ ଶାନ୍ତ ଓ ସ୍ଥିର ରହିବାରେ ସହାୟକ ହୋଇଥାଏ ।

ପ୍ରଧାନମନ୍ତ୍ରୀ ଅଫ୍‌ସାନଙ୍କୁ ଜମ୍ମୁ କଶ୍ମୀରର ଲୋକେ ଅତି ଦୁର୍ବିସହ ପାଣିପାଗରେ ପାରମ୍ପରିକ ଉପାୟରେ କିପରି ଫିଟ୍‌ ରଖନ୍ତି ସେ ବିଷୟରେ ପଚାରିଥିଲେ । ଏହାର ଉତ୍ତରରେ ଅଫ୍‌ସାନ କହିଥିଲେ ଯେ ଲୋକମାନେ ନିଜର ଆବଶ୍ୟକତା ପୂରଣ ପାଇଁ ପାହାଡିଆ ରାସ୍ତାରେ ଯିବା ଆସିବା କରିବା ଦ୍ୱାରା ନିଜକୁ ଫିଟ୍‌ ରଖିଥାନ୍ତି । ଆହୁରି ମଧ୍ୟ ଜମ୍ମୁ କଶ୍ମୀରର ଲୋକେ ସମୁଦ୍ର ପତନଠାରୁ ବହୁ ଅଧିକ ଉଚ୍ଚତାରେ ବସବାସ କରୁଥିବାରୁ ସେମାନଙ୍କର ଫୁସ୍‌ଫୁସ୍‌ର ଦକ୍ଷତା ଅଧିକ । ତେଣୁ ସେମାନେ ଯେତେବେଳେ ଶାରୀରିକ ପରିଶ୍ରମ କରନ୍ତି ସେତେବେଳେ ସେମାନଙ୍କର ଶ୍ୱାସପ୍ରଶ୍ୱାସଜନିତ ସମସ୍ୟା ନ ଥାଏ । ଜଣେ ଗୋଲ୍‌କିପର ହିସାବରେ ସେ ନିଜକୁ ଶାରୀରିକ ଓ ମାନସିକଭାବେ କିପରି ନମନୀୟ ରଖିପାରିଛନ୍ତି ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ।

 

ଅଭିନେତା ମିଲିନ୍ଦ ସୋମନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ରଧାନମନ୍ତ୍ରୀ ଅଭିନେତା ଓ ମଡେଲ ମିଲିନ୍ଦ ସୋମନଙ୍କ ସହିତ କଥାବାର୍ତ୍ତା ପୂର୍ବରୁ ‘ମେକ୍‌ ଇନ୍‌ ଇଣ୍ଡିଆ ମିଲିନ୍ଦ’ ବୋଲି ଉଲ୍ଲେଖ କରିଥିଲେ । ନିଜ ଢଙ୍ଗରେ ସେ କିପରି ମେକ୍‌ ଇନ୍‌ ଇଣ୍ଡିଆର ଜଣେ ବଡ଼ ସମର୍ଥକ ପାଲଟିଛନ୍ତି ତାହା ଉଲ୍ଲେଖ କରିଥିଲେ । ମିଲିନ୍ଦ କହିଥିଲେ ଯେ ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଛି । ଲୋକେ ଏହାଦ୍ୱାରା ନିଜର ଶାରୀରିକ ଓ ମାନସିକ ସାମର୍ଥ୍ୟ ସଂପର୍କରେ ଅବଗତ ହୋଇପାରୁଛନ୍ତି । ସେ ନିଜ ମାଆଙ୍କର ଫିଟ୍‌ନେସ ସଂପର୍କରେ ମଧ୍ୟ କହିଥିଲେ । ଅତୀତରେ ଲୋକମାନେ ଫିଟ୍‌ ରହୁଥିଲେ ଏବଂ ଗାଁରେ ପାଣି ସଂଗ୍ରହ କରିବାକୁ ଦୈନିକ 40ରୁ 50 କିମି ରାସ୍ତା ଅତିକ୍ରମ କରୁଥିଲେ; କିନ୍ତୁ ଆଜିକାଲି ସହରରେ ଟେକ୍ନୋଲଜିର ସୁବିଧା ଯୋଗୁଁ ଆମେ ଏକ ଆଳସ୍ୟ ଜୀବନଯାପନ କରୁଛୁ । ଏହା ଫଳରେ ଆମେ ବିଭିନ୍ନ ପ୍ରକାର ବ୍ୟାଧିର ସମ୍ମୁଖୀନ ହେଉଛୁ ବୋଲି ମିଲିନ୍ଦ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଫିଟ୍‌ନେସ ବୟସ ଦେଖେନି । ମିଲିନ୍ଦଙ୍କ ମାଆଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ 81 ବୟସରେ ମଧ୍ୟ ସେ ଏବେ ଫିଟ୍‌ ଅଛନ୍ତି ଏବଂ ଦୈନିକ ଦଣ୍ଡ ବୈଠକ କରିପାରୁଛନ୍ତି । ଏଥିପାଇଁ ସେ ମିଲିନ୍ଦଙ୍କ ମାଆଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଉଦ୍ୟମର ଉଚ୍ଚ ପ୍ରଶଂସା କରିଛନ୍ତି । ମିଲିନ୍ଦ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନ କରିଥିଲେ ଯେ ସେ କିପରି ସମାଲୋଚନାର ମୁକାବିଲା କରନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂପୂର୍ଣ୍ଣ ଉତ୍ସର୍ଗୀକୃତଭାବେ କରାଯାଉଥିବା କାର୍ଯ୍ୟ, ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ  କାର୍ଯ୍ୟ କରିବାର ଭାବନା ଏବଂ କର୍ତ୍ତବ୍ୟର ବିଚାର ମାନସିକ ଚାପ ଦୂର କରେ । ପ୍ରଧାନମନ୍ତ୍ରୀ କହିଥିଲେ ପ୍ରତିଯୋଗିତା ବିଚାରର ଏକ ସୁସ୍ଥ ମାର୍ଗର ସଂକେତ ଦିଏ । ତେବେ ଜଣେ ଏ କ୍ଷେତ୍ରରେ ଅନ୍ୟ ସହିତ ପ୍ରତିଯୋଗିତା କରିବା ଅପେକ୍ଷା ପ୍ରଥମେ ନିଜସହ ପ୍ରତିଯୋଗିତା କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।

ପୁଷ୍ଟିସାଧନ ବିଶାରଦ ରୁଜୁତା ଦିୱେକରଙ୍କ ସହ କଥାବାର୍ତ୍ତା

ପୁଷ୍ଟିସାଧନ ବିଶେଷଜ୍ଞ ରୁଜୁତା ଦିୱେକରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଳାପ ଅବସରରେ ଖାଦ୍ୟ ପାନୀୟ ବିଷୟରେ କିଛି ଜାଣିବାକୁ ମିଳିଥିଲା । ରୁଜୁତା ଡାଲି, ଭାତ ଓ ଘିଅ ଖାଇବାର ପୁରୁଣା ସଂସ୍କୃତି ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଆମେ ଯଦି ସ୍ଥାନୀୟଭାବେ ଉତ୍ପାଦିତ ଖାଦ୍ୟ ଖାଉ, ତାହାଦ୍ୱାରା ଆମର ଚାଷୀ ଓ ସ୍ଥାନୀୟ ଅର୍ଥନୀତି ଉପକୃତ ହୋଇଥାଏ । ଭୋକାଲ ଫର୍‌ ଲୋକାଲ ବିଚାର ଏ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ସେ କେତେକ ଆନ୍ତର୍ଜାତିକ ଧାରା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେଥିରେ ଘିଅ କିପରି ତିଆରି ହୁଏ, ଦୁଧ ହଳଦୀର ଗୁରୁତ୍ୱ କ’ଣ ତାହା ଲୋକେ ଏବେ ଶିଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କହିଥିଲେ । ଯେଉଁ ଖାଦ୍ୟ ଆମର ଶାରୀରିକ ଏବଂ ମାନସିକ ଶକ୍ତି ନଷ୍ଟ କରେ ତାହାଠାରୁ ଦୂରରେ ରହିବାକୁ ରୁଜୁତା ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଖାଦ୍ୟପାନୀୟ ଉପଲବ୍ଧ ହୋଇଥାଏ । ତେଣୁ ଘର ତିଆରି ଖାଦ୍ୟକୁ ସମସ୍ତେ ଅଗ୍ରାଧିକାର ଦେବା ଉଚିତ । ଆମେ ଯଦି ପ୍ୟାକ୍‌ ଓ ପ୍ରୋସେସ ହୋଇଥିବା ଖାଦ୍ୟକୁ ବନ୍ଦ କରୁ ଏବଂ ଘର ତିଆରି ଖାଦ୍ୟ ଅଧିକ ଖାଉ ଆମର ସ୍ୱାସ୍ଥ୍ୟଗତ ଲାଭ ଅଧିକ ହେବ ବୋଲି ସେ କହିଛନ୍ତି ।

ସ୍ୱାମୀ ଶିବଧ୍ୟାନମ୍‌ ସରସ୍ୱତୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଳାପ

ସ୍ୱାମୀ ଶିବଧ୍ୟାନମ୍‌ ସରସ୍ୱତୀ କହିଥିଲେ ଯେ ସେ ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ଶ୍ଲୋକରୁ ପ୍ରେରଣା ପାଆନ୍ତି । କାରଣ ଏଥିରେ ସମସ୍ତଙ୍କର କଲ୍ୟାଣ ଓ ସନ୍ତୋଷ ନିହିତ । ସେ ତାଙ୍କ ଗୁରୁଙ୍କ ବିଷୟରେ କହିବା ସହ ଯୋଗର ମହତ୍ୱ ସଂପର୍କରେ ପ୍ରଚାର କରିବା ପାଇଁ ସେମାନଙ୍କଠାରୁ ପାଇଥିବା ପ୍ରେରଣା ସଂପର୍କରେ ସୂଚନା ଦେଇଥିଲେ । ପ୍ରାଚୀନ ଗୁରୁକୁଳ ପରମ୍ପରାରେ ପ୍ରଚଳିତ ଗୁରୁଶିଷ୍ୟ ସଂପର୍କ ଉପରେ କହିବା ସହିତ ଛାତ୍ରମାନଙ୍କର ଶାରୀରିକ ଓ ମାନସିକ ବିକାଶ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

ସ୍ୱାମୀଜୀ କହିଥିଲେ ଯେ ଯୋଗ କେବଳ ଗୋଟିଏ ଅଭ୍ୟାସ ବା ବ୍ୟାୟାମ ନୁହେଁ, ଏହା ଜୀବନର ମାର୍ଗ । ଗୁରୁକୁଳରେ ଏ ସବୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଥିଲା । ପରିବର୍ତ୍ତିତ ଜୀବନଶୈଳୀ ଅନୁସାରେ ଯୋଗକୁ ଖାପଖୁଆଇବା ପାଇଁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋଚନା କରିଥିଲେ ।

 

ବିରାଟ କୋହଲିଙ୍କ ସହ ଆଲୋଚନା

ପ୍ରଧାନମନ୍ତ୍ରୀ ବିରାଟ କୋହଲିଙ୍କ ସହିତ ତାଙ୍କର ଫିଟ୍‌ନେସ ରୁଟିନ୍‌ ବିଷୟରେ ଆଲୋଚନା କରିଥିଲେ । ବିରାଟ କହିଥିଲେ ଶାରୀରିକ ଶକ୍ତି ମାନସିକ ଶକ୍ତି ସହିତ ସମାନଭାବେ ଗତିକରେ । ଦିଲ୍ଲୀର ପ୍ରଖ୍ୟାତ ଛୋଲେ ଭଟୁରେ ଖାଇବା ସେ କିପରି ଛାଡିଲେ ବୋଲି ପ୍ରଧାନମନ୍ତ୍ରୀ ପଚାରିବାରୁ ବିରାଟ କହିଥିଲେ ଯେ ଘର ରନ୍ଧାଖାଦ୍ୟ ଖାଇବା ସହିତ ଖାଦ୍ୟ ସଂଯମ ତାଙ୍କ ଫିଟ୍‌ନେସ ସ୍ତରକୁ ବଢାଇବାରେ ସହାୟକ ହୋଇଛି । କାଲୋରି ଗ୍ରହଣକୁ କିପରି ବଜାୟ ରଖାଯାଇପାରିବ ସେ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ବିରାଟ କହିଥିଲେ ଯେ ମଣିଷ ଯେଉଁ ଖାଦ୍ୟ ଖାଉଛି ତାହା ହଜମ ହେବାକୁ ସମୟ ଲାଗେ । ସେଥିପାଇଁ ଖାଦ୍ୟ ଗ୍ରହଣରେ ଏକ ନିୟମିତ ବ୍ୟବଧାନ ରହିବା ଉଚିତ । ଇୟୋ ଇୟୋ ଟେଷ୍ଟ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ସହ ଫିଟ୍‌ନେସ ସଂସ୍କୃତି ସୃଷ୍ଟିର ଗୁରୁତ୍ୱ ସଂପର୍କରେ କହିଥିଲେ । ଆପଣ କ୍ଲାନ୍ତ ହୁଅନ୍ତି ନାହିଁ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିବାରୁ ବିରାଟ କହିଥିଲେ ଯେ ଉତ୍ତମ ନିଦ୍ରା, ଖାଦ୍ୟ ଏବଂ ଫିଟ୍‌ନେସ ଦ୍ୱାରା ଶରୀର ଗୋଟିଏ ସପ୍ତାହରେ ସୁସ୍ଥ ହୋଇଯାଏ ।

ଶିକ୍ଷାବିତ୍‌ ମୁକୁଲ କାନିତକରଙ୍କ ସହ ବାର୍ତ୍ତାଳାପ

ଶିକ୍ଷାବିତ୍‌ ମୁକୁଲ କାନିତକର କହିଥିଲେ ଯେ ଫିଟ୍‌ନେସ ବିଚାର କେବଳ ଶରୀର ପାଇଁ ନୁହେଁ, ମାନସିକ ଏବଂ ସାମାଜିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଜରୁରୀ । ଏକ ସ୍ୱାସ୍ଥ୍ୟ ସଂସ୍କୃତି ନିର୍ମାଣ ଉପରେ ସେ ଗୁରୁତ୍ୱ ଦେଇଥିଲେ । ସୂର୍ଯ୍ୟ ନମସ୍କାରର ଜଣେ ପ୍ରବକ୍ତା ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଭଗବତ୍‌ ଗୀତା ଦୁଇଜଣ ଫିଟ୍‌ ମଣିଷଙ୍କ ମଧ୍ୟରେ ହୋଇଥିବା ଆଲୋଚନା । ନୂଆ ଜାତୀୟ ଶିକ୍ଷାନୀତିରେ ଫିଟ୍‌ନେସକୁ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ ।  ସେ କହିଥିଲେ ଯେ ଏହାଦ୍ୱାରା ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ପ୍ରେରଣା ମିଳିବ । ଫିଟ୍‌ନେସ ମନ, ବୁଦ୍ଧି ଏବଂ ଭାବନାର ଏକ ସମନ୍ୱୟ ବୋଲି ସେ ମତ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଉପସଂହାରୀୟ ମନ୍ତବ୍ୟ

କାର୍ଯ୍ୟକ୍ରମ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଫିଟ୍‌ ଇଣ୍ଡିଆ ଡାଇଲଗ୍‌ ପ୍ରତ୍ୟେକ ବୟସ ବର୍ଗର ଫିଟ୍‌ନେସ ଆଗ୍ରହ ଉପରେ ଗୁରୁତ୍ୱ  ଦିଏ । ଏହା ମଧ୍ୟ ଫିଟ୍‌ନେସର ବିଭିନ୍ନ ଦିଗକୁ ଏଥିରେ ଅନ୍ତର୍ଭୁକ୍ତ କରେ । ଏବେ ଦେଶରେ ଫିଟ୍‌ନେସକୁ ଲୋକେ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ସିଆଡେ ମୁହାଁଉଛନ୍ତି । ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଆରମ୍ଭ ହେବା ପରେ ଏ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି । ଲୋକେ ନିଜର ସ୍ୱାସ୍ଥ୍ୟ ଏବଂ ଫିଟ୍‌ନେସ ନେଇ ଅଧିକ ସଚେତନ ହେଉଛନ୍ତି । ନିଜକୁ ସୁସ୍ଥ ସବଳ ଓ ସମର୍ଥ ରଖିବାକୁ ନିରନ୍ତର ଉଦ୍ୟମ ଚଳାଇଛନ୍ତି । ଏହା ଏକ ଶୁଭ ଲକ୍ଷଣ ବୋଲି ସେ କହିଛନ୍ତି । ଯୋଗ, ବ୍ୟାୟାମ, ଚାଲିବା, ଦୌଡ଼, ପୁଷ୍ଟିକର ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଅଭ୍ୟାସ, ସୁସ୍ଥ ଜୀବନଶୈଳୀ ଏସବୁ ଆମ ସଚେତନତାର ଅଂଶବିଶେଷ ପାଲଟିଯାଇଛି । ସେ କହିଛନ୍ତି ଯେ ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଏହି କରୋନା ମହାମାରୀ ସମୟର କଟକଣା ସତ୍ତ୍ୱେ ମଧ୍ୟ ତାହାର ପ୍ରଭାବ ଓ ପ୍ରାସଙ୍ଗିକତା ବଜାୟ ରଖିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫିଟ୍‌ ରହିବା କଷ୍ଟସାଧ୍ୟ ବ୍ୟାପାର ନୁହେଁ । ସାମାନ୍ୟ ଶୃଙ୍ଖଳା ଓ କିଞ୍ଚିତ କଷ୍ଟକର କାର୍ଯ୍ୟ ଦ୍ୱାରା ଆପଣ ସର୍ବଦା ସୁସ୍ଥ ରହିପାରିବେ । ସେ ‘ଫିଟ୍‌ନେସ ଡୋଜ୍‌’ ମନ୍ତ୍ର ପ୍ରଦାନ କରି କହିଥିଲେ ପ୍ରତିଦିନ ପ୍ରତ୍ୟେକଙ୍କ ଜୀବନରେ ମାତ୍ର ଅଧଘଣ୍ଟା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଜଣେ ଫିଟ୍‌ ରହିବାକୁ ଉଦ୍ୟମ କଲେ ସୁସ୍ଥସବଳ ରହିପାରିବ । ପ୍ରତ୍ୟେକ ବ୍ୟକ୍ତି ଦୈନିକ କିଛି ସମୟ ପାଇଁ ଯୋଗ କରନ୍ତୁ କିମ୍ବା ବ୍ୟାଡମିଣ୍ଟନ, ଟେନିସ, ଫୁଟବଲ, କରାଟେ ବା କବାଡି ଅତି କମ୍‌ରେ 30 ମିନିଟ ଖେଳନ୍ତୁ । ଦେଖିବେ ସବୁ ଠିକ୍‌ ହୋଇଯିବ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିତଭାବେ ଫିଟ୍‌ନେସ ପ୍ରୋଟକଲ ଉନ୍ମୋଚନ କରାଯାଇଛି ବୋଲି ଏହି ଅବସରରେ ସେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଫିଟ୍‌ନେସ ସଂକ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡାଏଟ (ଆହାର), ଶାରୀରିକ କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ସଂପର୍କରେ ଏକ ବୈଶ୍ୱିକ ରଣନୀତି ପ୍ରସ୍ତୁତ କରିଛି । ଶାରୀରିକ କାର୍ଯ୍ୟ ସଂପର୍କରେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ଦୁନିଆ ପାଇଁ ଏକ ପରାମର୍ଶ ସୂଚୀ ଜାରି କରାଯାଇଛି । ଆଜି ଅଷ୍ଟ୍ରେଲିଆ, ଜର୍ମାନୀ, ବ୍ରିଟେନ ଏବଂ ଆମେରିକା ଫିଟ୍‌ନେସ ପାଇଁ ନୂଆ ଲକ୍ଷ୍ୟଧାର୍ଯ୍ୟ କରି ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଶ୍ୱର ବିଭିନ୍ନ ସ୍ଥାନରେ ଫିଟ୍‌ନେସ ସଂପର୍କରେ ବଡ଼ ବଡ଼ ଅଭିଯାନ ଏବଂ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି  । ଅଧିକରୁ ଅଧିକ ନାଗରିକ ଦୈନିକ ବ୍ୟାୟାମରେ ଯୋଗ ଦେଉଛନ୍ତି ।

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains fastest-growing major economy, domestic investors power market resilience

Media Coverage

India remains fastest-growing major economy, domestic investors power market resilience
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 14, 2026
March 14, 2026

Heartening Resolve Meets Bold Action: PM Modi's Transformative Push for a Developed Assam.