‘‘ଯେତେବେଳେ ଅନ୍ୟମାନଙ୍କର ଆକାଂକ୍ଷା ଆପଣଙ୍କର ଆକାଂକ୍ଷାରେ ପରିଣତ ହୁଏ ଏବଂ ଯେତେବେଳେ ଅନ୍ୟମାନଙ୍କର ସ୍ୱପ୍ନ ପୂରଣ କରିବା ଆପଣଙ୍କର ସଫଳତାର ମାପକାଠି ହୋଇଯାଏ, କର୍ତ୍ତବ୍ୟର ସେହି ମାର୍ଗ ଇତିହାସ ସୃଷ୍ଟି କରିଥାଏ’’
‘‘ଆଜି ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଦେଶର ବିକାଶରେ ରହିଥିବା ବାଧା ଦୂର କରୁଛନ୍ତି। ସେମାନେ ଗତିରୋଧକ ପରିବର୍ତ୍ତେ ଗତିବର୍ଦ୍ଧକ ପାଲଟୁଛନ୍ତି’’
‘‘ଆଜି, ଆଜାଦୀ କା ଅମୃତ କାଳ ସମୟରେ, ସେବା ଓ ସୁବିଧାର ଶତ ପ୍ରତିଶତ ପରିପୂର୍ଣ୍ଣତା ହାସଲ କରିବା ଦେଶର ଲକ୍ଷ୍ୟ ପାଲଟିଛି’’
‘‘ଡିଜିଟାଲ ଇଣ୍ଡିଆ ରୂପରେ ଦେଶ ଏକ ନିରବ ବିପ୍ଳବର ସାକ୍ଷୀ ରହିଛି। କୌଣସି ଜିଲ୍ଲା ଏଥିରେ ପଛରେ ପଡ଼ିବା ଉଚିତ୍‌ ନୁହେଁ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି।

ଜିଲ୍ଲାପାଳମାନେ ବିଭିନ୍ନ ସୁଧାର ସୂଚକାଙ୍କର ଉଦାହରଣ ଦେଇ ସେମାନଙ୍କର ଜିଲ୍ଲାର ଉନ୍ନତିକରଣ ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲ । ଜିଲ୍ଲାପାଳମାନେ ଗ୍ରହଣ କରିଥିବା ପ୍ରମୁଖ ପଦକ୍ଷେପ ଜିଲ୍ଲାସ୍ତରରେ କିଭଳି ସଫଳତା ହାସଲ କରିଛି ଏବଂ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ସେମାନେ କେଉଁ ଭଳି ବାଧାର ସମ୍ମୁଖିନ ହୋଇଛନ୍ତି ସେ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଖୋଲାଖୋଲି ଭାବେ ପ୍ରକାଶ କରିବା ଲାଗି ପ୍ରଧାନମନ୍ତ୍ରୀ ସବୁ ଜିଲ୍ଲାପାଳମାନଙ୍କୁ କହିଥିଲେ।

ପୂର୍ବରୁ କାର୍ଯ୍ୟ କ୍ଷେତ୍ରରେ ରହିଥିବା ଅଭିଜ୍ଞତା ତୁଳନାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ କାମ କରିବା କିଭଳି ଭିନ୍ନ ଥିଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । ଏହାର ସଫଳତା ପଛରେ ଜନଭାଗିଦାରୀର କିଭଳି ଭୂମିକା ରହିଛି ସେ ସମ୍ପର୍କରେ ଅଧିକାରୀମାନେ ଆଲୋଚନା କରିଥିଲେ। ସେମାନେ ତାଙ୍କ ସହିତ ଦଳଗତ ଭାବେ କାମ କରୁଥିବା ଲୋକମାନଙ୍କୁ ଦୈନିକ କିଭଳି ଉତ୍ସାହିତ କରୁଥିଲେ ସେ ସମ୍ପର୍କରେ କହିଥିଲେ। ଦଳର ଲୋକମାନଙ୍କୁ କୁହାଯାଇଥିଲା ଯେ ସେମାନେ କେବଳ ଚାକିରି କରୁନାହାନ୍ତି ବରଂ ସେବା କରୁଛନ୍ତି ବୋଲି ମାନସିକତା ପୋଷଣ କରିବା ଆବଶ୍ୟକ। ସେମାନେ ମଧ୍ୟ ଆନ୍ତଃ ବିଭାଗୀୟ ସମନ୍ୱୟ ଏବଂ ଡେଟା ପରିଚାଳିତ ପ୍ରଶାସନର ଲାଭ ସମ୍ପର୍କରେ ଆଲୋଚନା କରିଥିଲେ।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଅଗ୍ରଗତି ଏବଂ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଟିମ୍‌ ଇଣ୍ଡିଆ ଭାବନା ନେଇ, ଏହି କାର୍ଯ୍ୟକ୍ରମ ପ୍ରତିଯୋଗିତାମୂଳକ ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛି । ଏଭଳି ପ୍ରୟାସ ଫଳରେ ଏସବୁ ଜିଲ୍ଲା ପ୍ରତ୍ୟେକ ମାପଦଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛନ୍ତି। ଏପରିକି ବିଶ୍ୱସ୍ତରର ବିଶେଷଜ୍ଞମାନେ ନିରପେକ୍ଷ ଭାବେ ଏହାକୁ ମାନ୍ୟତା ପ୍ରଦାନ କରିଛନ୍ତି । ବିହାରର ବାଙ୍କାରେ ସ୍ମାର୍ଟ କ୍ଲାସରୁମ୍‌ ଭଳି ଯୋଜନା; ଓଡ଼ିଶାର କୋରାପୁଟ ଜିଲ୍ଲାରେ ବାଲ୍ୟ ବିବାହ ବନ୍ଦ କରିବା ଲାଗି ମିଶନ ଅପରାଜିତା ଆଦି ଶ୍ରେଷ୍ଠ ବ୍ୟବସ୍ଥା ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଲାଗୁ କରିବା ଲାଗି ପ୍ରୟାସ କରାଯାଇଛି । ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ସହିତ ଜିଲ୍ଲାର ପ୍ରମୁଖ ଅଧିକାରୀମାନଙ୍କ କାର୍ଯ୍ୟକାଳରେ ସ୍ଥାୟିତ୍ୱ ଉପରେ ଏକ ତୁଳନାତ୍ମକ ବିଶ୍ଳେଷଣ ଉପସ୍ଥାପନ କରାଯାଇଥିଲା।

ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ କରାଯାଇଥିବା ଲକ୍ଷ୍ୟବଦ୍ଧ କାର୍ଯ୍ୟ ଅନୁରୂପ, ୧୪୨ଟି ବଛା ବଛା ଜିଲ୍ଲାର ଉନ୍ନତିକରଣ ପାଇଁ ଆରମ୍ଭ କରାଯାଇଥିବା ଏକ ମିଶନ ଉପରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସଚିବ ବିଶେଷ ଉପସ୍ଥାପନା ଦେଇଥିଲେ। ଅବିକଶିତ ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେଇ ଚୟନ ହୋଇଥିବା ଏସବୁ ଜିଲ୍ଲାର ଉନ୍ନତିକରଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବେ । ୧୫ଟି ମନ୍ତ୍ରଣାଳୟ ଏବଂ ବିଭାଗ ସହ ଜଡ଼ିତ ୧୫ଟି କ୍ଷେତ୍ରକୁ ମଧ୍ୟ ଚିହ୍ନଟ କରାଯାଇଛି। ଏସବୁ କ୍ଷେତ୍ରରେ, ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ)ଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଇଛି। ଏବେ ସରକାରଙ୍କ ଲକ୍ଷ୍ୟ ହେଉଛି, ଚୟନ କରାଯାଇଥିବା ଜିଲ୍ଲାର କେପିଆଇଗୁଡ଼ିକୁ ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟ ହାରକୁ ଅତିକ୍ରମ କରାଇବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା। ଏଥିସହିତ ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି କେପିଆଇଗୁଡ଼ିକ କିଭଳି ଭାବେ ଜାତୀୟ ହାର ସହ ସମକକ୍ଷ ହୋଇପାରିବେ ତାହା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବା। ଜିଲ୍ଲାମାନଙ୍କୁ ଯେଉଁ କେପିଆଇଗୁଡ଼ିକ ଆଧାରରେ ଚୟନ କରାଯାଇଛି, ସେହି ଅନୁଯାୟୀ ପ୍ରତ୍ୟେକ ଜଡ଼ିତ ମନ୍ତ୍ରଣାଳୟ ନିଜ ନିଜର କେପିଆଇ ସେଟ୍‌ ଚୟନ କରିଛନ୍ତି । ଏହି ଯୋଜନାର ଲକ୍ଷ୍ୟ ହେଉଛି ବିଭାଗଗୁଡ଼ିକ ଦ୍ୱାରା ଏସବୁ ଜିଲ୍ଲାମାନଙ୍କରେ ସମସ୍ତ ଅଂଶୀଦାରଙ୍କ ସହିତ ସମନ୍ୱୟ ସ୍ଥାପନ କରାଯାଇ ମିଶନ ଆଧାରରେ ବିଭିନ୍ନ ଯୋଜନାର ପରିପୂର୍ଣ୍ଣତା ଲକ୍ଷ୍ୟ ହାସଲ କରିବା। ଏହିସବୁ ଲକ୍ଷ୍ୟ ହାସଲ କରିବା ଲାଗି ସେମାନଙ୍କର ମନ୍ତ୍ରଣାଳୟ କିଭଳି କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି ସେ ସମ୍ପର୍କରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ସଚିବମାନେ ଆଲୋକପାତ କରିଥିଲେ।

ଅଧିକାରୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଯେତେବେଳେ ଅନ୍ୟମାନଙ୍କର ଆକାଂକ୍ଷା ଆପଣଙ୍କର ଆକାଂକ୍ଷାରେ ପରିଣତ ହୁଏ ଏବଂ ଯେତେବେଳେ ଅନ୍ୟମାନଙ୍କର ସ୍ୱପ୍ନ ପୂରଣ କରିବା ଆପଣଙ୍କର ସଫଳତାର ମାପକାଠି ହୋଇଯାଏ, ସେତେବେଳେ କର୍ତ୍ତବ୍ୟର ସେହି ମାର୍ଗ ଇତିହାସ ସୃଷ୍ଟି କରିଥାଏ। ଦେଶର ଆକାଂକ୍ଷୀ ଜିଲ୍ଲାରେ ଏବେ ଇତିହାସ ସୃଷ୍ଟି ହେଉଥିବା ଆମେ ଦେଖିପାରୁଛୁ ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ କାରଣରୁ ଏପରି ପରିସ୍ଥିତି ଉତ୍ପନ୍ନ ହୋଇଥିଲା, ଯେଉଁଥିରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ପଛରେ ପଡ଼ିଯାଇଥିଲେ। ସର୍ବାଙ୍ଗୀଣ ବିକାଶକୁ ସୁଗମ କରିବା ଲାଗି ଆକାଂକ୍ଷୀ ଜିଲ୍ଲାମାନଙ୍କ ପାଇଁ ବିଶେଷ ହ୍ୟାଣ୍ଡ-ହୋଲ୍ଡିଂ କରାଗଲା। ମାତ୍ର ଏବେ ପରିସ୍ଥିତି ବଦଳିଯାଇଛି, କାରଣ ଆଜି ଆକାଂକ୍ଷୀ ଜିଲ୍ଲାମାନେ, ଦେଶକୁ ବିକାଶ ପଥରେ ଆଗେଇ ନେବା କ୍ଷେତ୍ରରେ ରହିଥିବା ବାଧା ଦୂର କରୁଛନ୍ତି। ଆପଣମାନଙ୍କର ପ୍ରୟାସ ବଳରେ, ଆକାଂକ୍ଷୀ ଜିଲ୍ଲାଗୁଡ଼ିକ, ଆଜି ଗତିରୋଧକ ହେବା ପରିବର୍ତ୍ତେ ଗତିବର୍ଦ୍ଧକ ପାଲଟିଛନ୍ତି। ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ଜିଲ୍ଲା ଅଭିଯାନ କାରଣରୁ ଏସବୁ ଜିଲ୍ଲାମାନଙ୍କରେ ହୋଇଥିବା ସମ୍ପ୍ରସାରଣ ଏବଂ ସ୍ୱରୂପ ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସମ୍ବିଧାନର ସଂଘୀୟ ଭାବନା ଓ ସଂସ୍କୃତିକୁ ଏକ ଦୃଢ଼ ସ୍ୱରୂପ ପ୍ରଦାନ କରିଛି, ଯାହାର ମୂଳଦୁଆ ହେଉଛି କେନ୍ଦ୍ର-ରାଜ୍ୟ ଓ ସ୍ଥାନୀୟ ପ୍ରଶାସନର ଦଳଗତ କାର୍ଯ୍ୟ ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ, ଭାବଗତ ସମ୍ପର୍କ ରହିବା ଅତ୍ୟନ୍ତ ଜରୁରି। ଗୋଟିଏ ପଟେ ପ୍ରଶାସନର ଉପରୁ ତଳ ଏବଂ ତଳୁ ଉପର ପର୍ଯ୍ୟନ୍ତ ଫ୍ଲୋ ବା ପ୍ରବାହ ଏହି ଅଭିଯାନରେ ରହିଛି। ଅନ୍ୟପଟେ ପ୍ରଯୁକ୍ତି ଓ ନବସୃଜନ ଏ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଦିଗ। ପ୍ରଧାନମନ୍ତ୍ରୀ ସେସବୁ ଜିଲ୍ଲା ବିଷୟରେ ଆଲୋଚନା କରିଥିଲେ, ଯେଉଁଠି ଅପପୁଷ୍ଟି, ସ୍ୱଚ୍ଛ ପାନୀୟ ଜଳ ଏବଂ ଟିକାକରଣ ଭଳି କ୍ଷେତ୍ରରେ ପ୍ରଯୁକ୍ତି ଓ ନବସୃଜନର ଉପଯୋଗ କରାଯାଇ ଖୁବ୍‌ ଅଧିକ ସଫଳତା ମିଳିପାରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଦେଶକୁ ଯେଉଁ ସଫଳତା ମିଳୁଛି, ତା’ର ଏକ ବଡ଼ କାରଣ ହେଉଛି ସମନ୍ୱୟ। ସମାନ ସମ୍ବଳ, ସେହି ସରକାରୀ କଳ, ସମାନ ଅଧିକାରୀ ରହିଛନ୍ତି କିନ୍ତୁ ଭିନ୍ନ ପରିଣାମ ମିଳିପାରୁଛି । ସମଗ୍ର ଜିଲ୍ଲାକୁ ଏକ ୟୁନିଟ୍‌ ଭାବେ ଦେଖିବା ଫଳରେ ଅଧିକାରୀଙ୍କୁ ତାଙ୍କର ପ୍ରୟାସରେ ସାମଗ୍ରିକତାର ଅନୁଭବ ହେଉଛି ତଥା ଜୀବନ ପାଇଁ ଏକ ଉଦ୍ଦେଶ୍ୟ ଏବଂ ସାର୍ଥକ ପରିବର୍ତ୍ତନ ଆଣିବା ଲାଗି ସନ୍ତୋଷର ଅନୁଭବ ମିଳିପାରୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ୪ ବର୍ଷ ମଧ୍ୟରେ ଦେଶର ପାଖାପାଖି ପ୍ରତ୍ୟେକ ଆକାଂକ୍ଷୀ ଜିଲ୍ଲାରେ ଜନ ଧନ ଆକାଉଣ୍ଟ ସଂଖ୍ୟା ୪ରୁ ୫ ଗୁଣା ବୃଦ୍ଧି ହୋଇଛି । ପାଖାପାଖି ପ୍ରତ୍ୟେକ ପରିବାରକୁ ଶୌଚାଳୟ ମିଳିଛି, ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ପହଞ୍ଚି ପାରିଛି। ସେ କହିଥିଲେ ଯେ ବିଦ୍ୟୁତ କେବଳ ଗରିବଙ୍କ ଘରେ ପହଞ୍ଚି ପାରିନାହିଁ, ବରଂ ଲୋକମାନଙ୍କ ଜୀବନରେ ଶକ୍ତିର ସଞ୍ଚାର ହୋଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ କଠିନ ଜୀବନ କାରଣରୁ ଆକାଂକ୍ଷୀ ଜିଲ୍ଲାର ଲୋକମାନେ ଅଧିକ ପରିଶ୍ରମୀ, ସାହସୀ ଓ ବିପଦ ମୁଣ୍ଡାଇବାକୁ ସକ୍ଷମ ଏବଂ ସେମାନଙ୍କର ଏହି ଶକ୍ତିକୁ ସମସ୍ତେ ଚିହ୍ନିବାର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆକାଂକ୍ଷୀ ଜିଲ୍ଲାମାନେ ଏହା ପ୍ରମାଣିତ କରିଛନ୍ତି ଯେ କାର୍ଯ୍ୟକାରିତାରେ ପ୍ରତିବନ୍ଧକ ଦୂର ହେବା ଫଳରେ, ସମ୍ବଳର ସର୍ବୋତ୍ତମ ଉପଯୋଗ ହୋଇପାରିବ। ସେ ଜୋର ଦେଇ କହିଥିଲେ ଯେ, ପ୍ରତିବନ୍ଧକ ଦୂର ହେବା ଫଳରେ ୧ ଓ ୧ ମିଶି ୨ ନୁହେଁ ବରଂ ୧ ଓ ୧ ମିଶି ୧୧ ହୋଇଥାଏ। ଏହି ସାମର୍ଥ୍ୟ, ଏ ସାମୂହିକ ଶକ୍ତି, ଆମକୁ ଆଜି ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଦେଖିବାକୁ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆକାଂକ୍ଷୀ ଜିଲ୍ଲାରେ ଶାସନର ଦୃଷ୍ଟିକୋଣ ଉପରେ ବିସ୍ତୃତ ଭାବେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ବପ୍ରଥମେ ଲୋକମାନଙ୍କ ସମସ୍ୟା ଚିହ୍ନଟ କରିବା ଲାଗି ସେମାନଙ୍କ ଠାରୁ ପରାମର୍ଶ ଲୋଡ଼ା ଯାଇଥିଲା। ଦ୍ୱିତୀୟରେ, ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଅଭିଜ୍ଞତାକୁ ଆଧାର କରି କାର୍ଯ୍ୟଶୈଳୀରେ ସୁଧାର ଆଣିବାକୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହାଛଡ଼ା ମାପନଯୋଗ୍ୟ ସୂଚକାଙ୍କ, ବାସ୍ତବ ସମୟରେ ଅଗ୍ରଗତି ନିରୀକ୍ଷଣ କରିବା, ଜିଲ୍ଲାମାନଙ୍କ ମଧ୍ୟରେ ଆପୋସ ପ୍ରତିଯୋଗିତା ଏବଂ ଶ୍ରେଷ୍ଠ ପ୍ରଚଳନର ଉଦାହରଣକୁ ପ୍ରୋତ୍ସାହିତ କରାଯାଇଥିଲା। ତୃତୀୟତଃ ଅଧିକାରୀମାନଙ୍କୁ ସ୍ଥିର କାର୍ଯ୍ୟକାଳ ଭଳି ପ୍ରଭାବୀ ସଂସ୍କାର ମାଧ୍ୟମରେ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରଭାବୀ ଦଳ ଗଠନକୁ ପ୍ରୋତ୍ସାହିତ କରାଗଲା। ଏହାଦ୍ୱାରା ସୀମିତ ସମ୍ବଳରେ ମଧ୍ୟ ବୃହତ ପରିଣାମ ପ୍ରାପ୍ତ କରିବାରେ ସହାୟତା ମିଳିପାରିଲା। ଉଚିତ୍‌ କାର୍ଯ୍ୟକାରିତା ଏବଂ ନିରୀକ୍ଷଣ ଲାଗି କ୍ଷେତ୍ର ପରିଦର୍ଶନ, ନିରୀକ୍ଷଣ ଓ ରାତ୍ରୀ ବିଶ୍ରାମ ଲାଗି ବିସ୍ତୃତ ମାର୍ଗଦର୍ଶିକା ବିକଶିତ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ନୂତନ ଭାରତର ପରିବର୍ତ୍ତିତ ଚିନ୍ତାଧାରା ଦିଗରେ ଅଧିକାରୀମାନଙ୍କର ଧ୍ୟାନ ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ଆଜି, ଆଜାଦୀ କା ଅମୃତ କାଳ ସମୟରେ, ସେବା ଓ ସୁବିଧାର ଶତ ପ୍ରତିଶତ ପରିପୂର୍ଣ୍ଣତା ହାସଲ କରିବା ଦେଶର ଲକ୍ଷ୍ୟ ପାଲଟିଛି । ଏହାର ଅର୍ଥ ହେଉଛି ଆମେ ବର୍ତ୍ତମାନ ସୁଦ୍ଧା ଯେଉଁସବୁ ଉପଲବ୍ଧି ହାସଲ କରିଛୁ, ଆଗକୁ ବହୁ ଦୂର ପର୍ଯ୍ୟନ୍ତ ତାହାକୁ କିଭଳି ନେଇଯିବାକୁ ହେବ ଏବଂ ବ୍ୟାପକ ସ୍ତରରେ କିଭଳି କାମ କରିବାକୁ ହେବ ସେ ଦିଗରେ. ଆମେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ। ଜିଲ୍ଲାମାନଙ୍କର ସବୁ ଗାଁରେ ସଡ଼କ, ଆୟୁଷ୍ମାନ କାର୍ଡ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ବ୍ୟାଙ୍କ ଖାତା, ଉଜ୍ଜ୍ବଳା ଗ୍ୟାସ ସଂଯୋଗ, ବୀମା, ପେନସନ, ଆବାସ ଭଳି ସମସ୍ତ ସୁବିଧା ସମୟବଦ୍ଧ ଢଙ୍ଗରେ ଯୋଗାଇ ଦେବାର ଲକ୍ଷ୍ୟ ହାସଲ ପାଇଁ ସେ ଆହ୍ୱାନ କରିଥିଲେ। ସେ ପରାମର୍ଶ ଦେଇଥିଲେ ଯେ, ପ୍ରତ୍ୟେକ ଜିଲ୍ଲା ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ଲାଗି ଆସନ୍ତା ୩ ମାସରେ ସମ୍ପୂର୍ଣ୍ଣ କରାଯିବାକୁ ଥିବା ୧୦ଟି କାର୍ଯ୍ୟ ନିର୍ଦ୍ଧାରଣ କରନ୍ତୁ। ସେହିପରି ଭାବେ, ଏହି ଐତିହାସିକ ଯୁଗରେ ଐତିହାସିକ ସଫଳତା ହାସଲ କରିବା ଲାଗି ସ୍ୱାଧୀନତାର ଅମୃତ ମହୋତ୍ସବ ସହିତ ୫ଟି କାର୍ଯ୍ୟକୁ ସେମାନେ ଯୋଡ଼ିପାରିବେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଡିଜିଟାଲ ଇଣ୍ଡିଆ ରୂପରେ ଦେଶ ଏକ ନିରବ ବିପ୍ଳବର ସାକ୍ଷୀ ରହିଛି। କୌଣସି ଜିଲ୍ଲା ଏଥିରେ ପଛରେ ପଡ଼ିବା ଉଚିତ୍‌ ନୁହେଁ। ସେ ଜୋର ଦେଇ କହିଥିଲେ ଯେ ଡିଜିଟାଲ ଭିତ୍ତିଭୂମି ଆମର ପ୍ରତ୍ୟେକ ଗାଁ ନିକଟରେ ପହଞ୍ଚିବା ଆବଶ୍ୟକ, ସେବା ଓ ସୁବିଧା ଲୋକଙ୍କ ଘର ପାଖରେ ପହଞ୍ଚିବା ଅତ୍ୟନ୍ତ ଜରୁରି। ଏଥିପାଇଁ ଜିଲ୍ଲାପାଳମାନଙ୍କ ସହିତ ନିୟମିତ ଆଲୋଚନା କରିବା ଲାଗି ଏକ ମାଧ୍ୟମ ବିକଶିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନୀତି ଆୟୋଗକୁ ପରାମର୍ଶ ଦେଇଥିଲେ। କେନ୍ଦ୍ରୀୟ ମନ୍ତ୍ରଣାଳୟମାନଙ୍କୁ ଏସବୁ ଜିଲ୍ଲାରେ ରହିଥିବା ସମସ୍ୟାର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଭିନ୍ନ ଭିନ୍ନ ମନ୍ତ୍ରଣାଳୟ, ବିଭିନ୍ନ ବିଭାଗ ମିଶି ୧୪୨ଟି ଜିଲ୍ଲାମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଏସବୁ ଜିଲ୍ଲା ସବୁ କ୍ଷେତ୍ରରେ ପଛରେ ପଡ଼ିନାହାନ୍ତି, ବରଂ ଗୋଟିଏ ଦୁଇଟି କ୍ଷେତ୍ରରେ ପଛୁଆ ରହିଛନ୍ତି। ସେସବୁ କ୍ଷେତ୍ରରେ ମଧ୍ୟ ଆମମାନଙ୍କୁ ଆକାଂକ୍ଷୀ ଜିଲ୍ଲାରେ କାମ କରିବା ଭଳି, ସାମଗ୍ରିକ ଆଭିମୁଖ୍ୟ ନେଇ କାମ କରିବାକୁ ହେବ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଭାରତ ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଆଦି ସବୁ ସରକାର ଏବଂ ସମ୍ପୂର୍ଣ୍ଣ ସରକାରୀ କଳ ପାଇଁ ଏହା ଏକ ନୂଆ ଆହ୍ୱାନ। ଏହି ଆହ୍ୱାନକୁ ଆମେ ସମସ୍ତେ ମିଶି ପୂରଣ କରିବାର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ମୋ ସହିତ ଯେଉଁ ପ୍ରଶାସନିକ ସେବା ଅଧିକାରୀମାନେ ଯୋଡ଼ି ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଗୋଟିଏ କଥା ମନେ ରଖିବା ଲାଗି ନିବେଦନ କରିବି। ଆପଣମାନେ ସେହି ଦିନ କଥା ମନେ ରଖିବା ଉଚିତ୍‌ ଯେଉଁଦିନ ଆପଣ ପ୍ରଥମ ଥର ପାଇଁ ଏହି ସେବାରେ ଯୋଗ ଦେଇଥିଲେ। ସେତେବେଳେ ଆପଣଙ୍କ ମନରେ ଦେଶ ସେବା କରିବା ଲାଗି ଯେଉଁଭଳି ଉତ୍ସାହ ରହିଥିଲା, ଆଜି ସେପରି ଭାବନା ନେଇ ଆପଣମାନଙ୍କୁ ପୁଣିଥରେ ଆଗକୁ ବଢ଼ିବାକୁ ହେବ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.