ମହାମହିମ ,ଡକ୍ଟର ପାଟ୍ରିକ୍ ହର୍ମିନି,

ଉଭୟ ଦେଶର ବିଶିଷ୍ଟ ପ୍ରତିନିଧିଗଣ,

ଗଣମାଧ୍ୟମର ବନ୍ଧୁମାନେ,

ନମସ୍କାର,

ରାଷ୍ଟ୍ରପତି ହର୍ମିନି ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ  ଭାରତରେ ସ୍ୱାଗତ କରି ମୁଁ  ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି ।

ସେଚେଲ୍ସର ରାଷ୍ଟ୍ରପତି ଭାବରେ ସେ ନିର୍ବାଚିତ ହେବା ପରେ, ମୁଁ ତାଙ୍କୁ ଭାରତର ୧୪୦ କୋଟି ଦେଶବାସିଙ୍କ ପକ୍ଷରୁ  ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା  ଜଣାଉଛି।

ରାଷ୍ଟ୍ରପତି ଭାବରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।  ତାଙ୍କର ଏହି ଯାତ୍ରା ଏମିତି ଶୁଭ ବର୍ଷରେ ହୋଇଛି, ଯେତେବେଳେ ସେଚେଲ୍ସ ତାହାର ୫୦ତମ ସ୍ୱାଧୀନତା ଦିବସ  ଏବଂ  ଆମର ରାଜନୈତିକ ସମ୍ପର୍କର ୫୦ତମ ବାର୍ଷିକୀ ପାଳନ କରୁଛି ।  ମୋର ବିଶ୍ବାସ ଅଛି ଯେ , ଏହି ମାଇଲଖୁଣ୍ଟଗୁଡ଼ିକ ଆମକୁ ନିରନ୍ତର ଭାବେ ଏକାଠି ନୂତନ ଶିଖରରେ  ପହଞ୍ଚିବା ପାଇଁ ପ୍ରେରଣା ଯୋଗାଇବ।

ବନ୍ଧୁଗଣ,

ଭାରତ ଏବଂ ସେଚେଲ୍ସ ଙ୍କର ଏହି ସମ୍ପର୍କ କେବଳ ରାଜନୈତିକ ସଂପର୍କ  ଭିତରେ ସୀମିତ ନୁହେଁ ବରଂ ତାହା ବହୁ ଦୂରକୁ ବ୍ୟାପିଛି।  ଭାରତ ମହାସାଗରର ସୃଷ୍ଟ ଢେଉ  ଶତାବ୍ଦୀ ଶତାବ୍ଦୀ ଧରି ଆମର ଲୋକମାନଙ୍କୁ ଯୋଡ଼ିଛି। ଏହାର କୂଳରେ, ଉଭୟ ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଛି, ସଂସ୍କୃତି ଏକତ୍ରିତ ହୋଇଛି ଏବଂ ବିଶ୍ୱାସର ପରମ୍ପରା ମଜବୁତ ହେବାରେ ଲାଗିଛି ।

ଭୈଗଳିକ ଦୃଷ୍ଟିକୋଣରୁ ଭାରତ ଏବଂ ସେଚେଲ୍ସ କେବଳ ଯୋଡ଼ି ହୋଇ ନାହାଁନ୍ତି  ବରଂ ଇତିହାସ, ବିଶ୍ୱାସ ଏବଂ ଭବିଷ୍ୟତ ପାଇଁ ଏକ ସମାନ ଦୃଷ୍ଟିକୋଣ ନେଇ ଯୋଡ଼ି ହୋଇଛନ୍ତି ।

ଆମର ବନ୍ଧନ ଅତୀତ, ବର୍ତ୍ତମାନ ଏବଂ ଆଗାମି ଭବିଷ୍ୟତକୁ ବ୍ୟାପିଛି।  ଏକ ସାମୁଦ୍ରିକ ପଡ଼ୋଶୀ ଏବଂ ଏକ ବିଶ୍ୱସ୍ତ  ଅଂଶୀଦାର ଭାବରେ ସେଚେଲ୍ସ ଭାରତର ମହାସାଗର ଦୃଷ୍ଟିକୋଣର ଏକ ଅବିଚ୍ଛେଦ୍ୟ  ଅଂଗ । ଆମର  ସହଯୋଗ  ଜଳ, ସ୍ଥଳ ଏବଂ ଆକାଶ କ୍ଷେତ୍ରକୁ ସମାହିତ କରିଛି ।

ଆଜିର ଆଲୋଚନାରେ, ଆମେ ଏହି ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଏକ ପଥ  ପ୍ରସ୍ତୁତ କରିଛୁ।  ଆମର ଆର୍ଥିକ ସହଯୋଗକୁ ଆହୁରି ସୁଦୃଢ କରିବା ପାଇଁ ନୂତନ ସୁଯୋଗର ଅନୁସନ୍ଧାନ ଜାରି ରଖିବାକୁ ଆମେ ସହମତ ହୋଇଛୁ।

ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ ବିସ୍ତାର କରିବା ସହିତ ଆମେ ଫିନଟେକ୍ ଏବଂ ଡିଜିଟାଲ୍ ସମାଧାନ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିବୁ ।

ବିକାଶ ସହଭାଗୀତା ଭାରତ-ସେଚେଲ୍ସ ସମ୍ପର୍କର ଏକ ଦୃଢ଼ ସ୍ତମ୍ଭ ହୋଇଛି ।  ଆମର ସମସ୍ତ ପ୍ରୟାସ ସେଚେଲ୍ସର  ପ୍ରାଥମିକତା ଏବଂ ଆବଶ୍ୟକତା ଉପରେ ଆଧାରିତ ରହିଛି  । ଏହି ଦିଗରେ ଆଗକୁ ବଢି ଆଜି ଆମେ 175 ନିୟୁତ ଡଲାରର ଏକ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିବାକୁ ଯାଉଛୁ । ଏହି ପ୍ୟାକେଜ୍ ସାମାଜିକ ଗୃହନିର୍ମାଣ , ଇ-ମୋବିଲିଟି, ବୃତ୍ତିଗତ ତାଲିମ, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା ଭଳି କ୍ଷେତ୍ରରେ ଦୃଢ଼ ପ୍ରକଳ୍ପଗୁଡ଼ିକୁ ସମର୍ଥନ କରିବ। ଏହି ପଦକ୍ଷେପଗୁଡ଼ିକ ସେଚେଲ୍ସର ଲୋକଙ୍କ ପାଇଁ, ବିଶେଷକରି ଯୁବପିଢ଼ିଙ୍କ ପାଇଁ  ରୋଜଗାର  ଏବଂ ଦକ୍ଷତାର ଏକ ନୂତନ ସୁଯୋଗ ସୃଷ୍ଟି କରିବ।

ଭାରତର  ( ITEC ) ଆଇଟିଇସି କାର୍ଯ୍ୟକ୍ରମ ସେଚେଲ୍ସରେ କ୍ଷମତା ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।  ମୁଁ ଖୁସି ଯେ ଭାରତରେ ସେଚେଲ୍ସର ସରକାରୀ କର୍ମଚାରୀଙ୍କୁ ତାଲିମ ପାଇଁ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେଉଛି।

ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଘନିଷ୍ଠ ସହଯୋଗ ମାଧ୍ୟମରେ, ଆମେ ଆମର ସହଭାଗୀତାକୁ ଏକ ଭବିଷ୍ୟତ ଦିଗ ପ୍ରଦାନ କରୁଛୁ।  ଆଜି ଡିଜିଟାଲ୍ ପରିବର୍ତ୍ତନ ଉପରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହେଉଛି, ଯାହା ଅଧୀନରେ ଆମେ ସେଚେଲ୍ସ ସହିତ ଭାରତର ସଫଳ ଅଭିଜ୍ଞତା ବାଣ୍ଟିବୁ।

ସ୍ୱାସ୍ଥ୍ୟ କ୍ଷେତ୍ରରେ, ଭାରତ ସେଚେଲ୍ସ ପାଇଁ ଏକ ସ୍ଥିର ଏବଂ ନିର୍ଭରଯୋଗ୍ୟ ଅଂଶୀଦାର ହୋଇଆସିଛି। ଆମେ ସୁଲଭ ଏବଂ ଗୁଣାତ୍ମକ ଔଷଧ ଯୋଗାଣ, ଚିକିତ୍ସା , ପର୍ଯ୍ୟଟନ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶରେ ସେଚେଲ୍ସ ସହିତ ମିଳିତ ଭାବରେ କାର୍ଯ୍ୟ କରି ଆଗକୁ ବଢିବୁ ।  ଶକ୍ତି ଏବଂ ଜଳବାୟୁ କ୍ଷେତ୍ରରେ ଆମର ସହଯୋଗ ସ୍ଥାୟୀ ବିକାଶ ପାଇଁ ଏକ ସହଭାଗୀ ପ୍ରତିବଦ୍ଧତାକୁ ପ୍ରେରଣା ଦେଉଛି ।  ଆମେ ନବୀକରଣୀୟ ଶକ୍ତି, ସ୍ଥିରତା ଏବଂ ଜଳବାୟୁ ଅନୁକୂଳନ ସମାଧାନରେ ଆମର ସହଯୋଗକୁ ଆହୁରି ବିସ୍ତାର କରିବୁ।

ବନ୍ଧୁଗଣ,

ସାମୁଦ୍ରିକ ପଡ଼ୋଶୀ ଭାବରେ  ନୀଳ ଅର୍ଥନୀତି ଆମ ପାଇଁ ସ୍ବାଭାବିକ ଭାବେ ଏକ  ସହଯୋଗର କ୍ଷେତ୍ର ଅଟେ ।  ଆମେ, ସାମୁଦ୍ରିକ ଗବେଷଣା, କ୍ଷମତା  ନିର୍ମାଣ ଏବଂ ତଥ୍ୟ ଅଂଶୀଦାର ଭଳି କ୍ଷେତ୍ରରେ ଭାରତର ବିଶେଷଜ୍ଞତା ସେଚେଲ୍ସ ସହିତ ବାଣ୍ଟିବୁ।

ପ୍ରତିରକ୍ଷା ସହଯୋଗ ଏବଂ ସାମୁଦ୍ରିକ ସୁରକ୍ଷା ଆମର ସହଭାଗୀତାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ।  ଆମେ କଲମ୍ବୋ ସୁରକ୍ଷା କନକ୍ଲେଭର ପୂର୍ଣ୍ଣ ସଦସ୍ୟ ଭାବରେ ସେଚେଲ୍ସକୁ ସ୍ୱାଗତ କରୁଛୁ। ଏହା ଆମର ପାରସ୍ପରିକ ସମନ୍ୱୟକୁ ମଜବୁତ କରିବ , ଏବଂ ଭାରତ ମହାସାଗରରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ପ୍ରୟାସକୁ ମଜବୁତ କରିବ।

ଏକାଠି, ଆମେ କେବଳ ଦ୍ୱିପାକ୍ଷିକ ସହଯୋଗ ନୁହେଁ, ବରଂ ଭାରତ ମହାସାଗର ପାଇଁ ଏକ ସହଭାଗୀ ଭବିଷ୍ୟତ ଗଠନ କରିବୁ।

ବନ୍ଧୁଗଣ,

ଭାରତ-ସେଚେଲ୍ସ ସମ୍ପର୍କର ସର୍ବବୃହତ ଶକ୍ତି ଆମର ଲୋକ-ଜନ ସମ୍ପର୍କରେ ରହିଛି ।  ସେଚେଲ୍ସରେ ଥିବା  ଆମର  ଭାରତୀୟ ସମ୍ପ୍ରଦାୟ ସେଚେଲ୍ସର ସାମାଜିକ ଏବଂ ଅର୍ଥନୈତିକ ଜୀବନରେ ଏକ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି।  ସେହି ସମୟରେ ସେମାନେ ଆମର ବନ୍ଧୁତାକୁ ପିଢ଼ି ପରେ ପିଢ଼ି ମଜବୁତ ମଧ୍ୟ କରିଛନ୍ତି।

ଆଜି ଆମେ ପର୍ଯ୍ୟଟନ, ଶିକ୍ଷା, ସଂସ୍କୃତି ଏବଂ କ୍ରୀଡା ମାଧ୍ୟମରେ ଏହି ସମ୍ପର୍କକୁ ଆହୁରି ମଜବୁତ କରିବାର ଉପାୟଗୁଡ଼ିକ ଉପରେ ଆଲୋଚନା କରିଛୁ। ଆମେ ଉଭୟ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଆଦାନପ୍ରଦାନ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେବୁ।

ବନ୍ଧୁଗଣ,

ଆଜିର ବୈଠକରୁ ଏହା ସ୍ପଷ୍ଟ କରୁଛି ଯେ ଭାରତ ଏବଂସେଚେଲ୍ସର ସହଭାଗୀତା ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି।  ସମସ୍ତ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ  ଆଜି ଆମେ ଭାରତ-ସେଚେଲ୍ସ  ଉଭୟ  ମିଳିତ ଦୃଷ୍ଟିକୋଣ ଜାରି କରିବାକୁ ଯାଉଛୁ। ଏହି ଦୃଷ୍ଟିକୋଣ ଆଗାମୀ ବର୍ଷଗୁଡ଼ିକରେ ଆମର ସହଯୋଗର ଏକ ରୋଡମ୍ୟାପ୍  ପ୍ରସ୍ତୁତ କରିବ।

ମହାମହିମ,

ମୁଁ ପୁଣି ଥରେ ଆପଣଙ୍କର ଭାରତ ଗସ୍ତ ପାଇଁ  ଏବଂ ଭାରତ ପ୍ରତି ଆପଣଙ୍କର ଅଟଳ ବନ୍ଧୁତା ଏବଂ ପ୍ରତିବଦ୍ଧତା ପାଇଁ ଆପଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

ବହୁତ-ବହୁତ ଧନ୍ୟବାଦ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
10 Years of UPI: From 18 mln to 219 bln transactions, volumes jump 12,000x

Media Coverage

10 Years of UPI: From 18 mln to 219 bln transactions, volumes jump 12,000x
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 10, 2026
April 10, 2026

Safe Anchor, Green Engine, Digital Dynamo: PM Modi’s Blueprint for India’s Economic Renaissance