ଆଜି ହେଉଛି ଆସାମ ସମେତ ସମଗ୍ର ଉତ୍ତର ପୂର୍ବାଞ୍ଚଳ ପାଇଁ ଏକବିଂଶ ଶତାବ୍ଦୀର ଏକ ନୂଆ ଆରମ୍ଭ, ନୂତନ ସୂର୍ଯ୍ୟ ଉଦୟ : ବୋଡୋ ରାଜିନାମା ଉପରେ ପ୍ରଧାନମନ୍ତ୍ରୀ ମୋଦୀ
ସମସ୍ତ ଅଂଶୀଦାରଙ୍କ ସହ ବିଚାରବିମର୍ଶ ଓ ଆଲୋଚନା କରାଯାଇ ସହାନୁଭୂତି ସହିତ ସମାଧାନ ଖୋଜାଯାଇପାରିଛି : ବୋଡୋ ରାଜିନାମା ଉପରେ ପ୍ରଧାନମନ୍ତ୍ରୀ ମୋଦୀ
ଆମେ ସତ୍ତାରେ ଆସିବା ପରେ ,ତ୍ରିପୁରା ,ମିଜୋରାମ ,ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶର ଅଧିକାଂଶ କ୍ଷେତ୍ରକୁ ଏଏଫଏସପିଏରୁ ମୁକ୍ତ କରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

ହିଂସା ମାର୍ଗରେ ଚାଲିଥିବା ଲୋକମାନେ ବୋଡୋ କ୍ୟାଡରଙ୍କ ଭଳି ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାଙ୍କୁ ଫେରିଆସନ୍ତୁ ବୋଲି ଆଜି ଏକ ଭାବପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଆସାମର କୋକ୍ରାଝରଠାରେ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷର ଉପଲକ୍ଷେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଂଶଗ୍ରହଣ କରିଥିଲେ ।

27 ଜାନୁଆରୀ 2020ରେ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷରିତ ହେବା ପରେ ଏହା ହେଉଛି ଉତ୍ତର ପୂର୍ବାଞ୍ଚଳକୁ ତାଙ୍କର ପ୍ରଥମ ଗସ୍ତ ।
“ଉତ୍ତର ପୂର୍ବ ହେଉ କିମ୍ବା ନକ୍ସଲ କ୍ଷେତ୍ର ଅଥବା ଜମ୍ମୁ ଓ କଶ୍ମୀର, ଯେଉଁମାନେ ଅସ୍ତ୍ରଶସ୍ତ୍ର ଏବଂ ହିଂସାରେ ବିଶ୍ୱାସ କରୁଛନ୍ତି ସେମାନେ ବୋଡୋ ଯୁବକମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମୁଖ୍ୟଧାରାକୁ ଫେରିଆସନ୍ତୁ । ଚାଲିଆସନ୍ତୁ ଏବଂ ଜୀବନକୁ ଉପଭୋଗ କରନ୍ତୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ବୋଡୋ ନେତା ଉପେନ୍ଦ୍ର ନାଥ ବ୍ରହ୍ମାଜୀ ଓ ରୁପନାଥ ବ୍ରହ୍ମାଜୀଙ୍କ ଯୋଗଦାନକୁ ସ୍ମରଣ କରିଥିଲେ ।
ବୋଡୋ ରାଜିନାମା-ସବକା ସାଥ ସବକା ବିକାଶ ସବକା ବିଶ୍ୱାସର ପ୍ରତିଫଳନ

ବୋଡୋ ରାଜିନାମା ପାଇଁ ସକାରାତ୍ମକ ଭୂମିକା ଗ୍ରହଣ କରିଥିବା ଅଖିଳ ବୋଡୋ ଛାତ୍ର ସଂଗଠନ (ଏବିଏସୟୁ), ଜାତୀୟ ବୋଡୋଲାଣ୍ଡ ଗଣତାନ୍ତ୍ରିକ ଫ୍ରଣ୍ଟ (ଏନଡିଏଫବି), ବିଟିସିର ମୁଖ୍ୟ ଶ୍ରୀ ହଗ୍ରମା ମାହିଲାରେ ଏବଂ ଆସାମ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । “ଆଜି ହେଉଛି ଆସାମ ସମେତ ସମଗ୍ର ଉତ୍ତର ପୂର୍ବାଞ୍ଚଳ ପାଇଁ ଏକବିଂଶ ଶତାବ୍ଦୀର ଏକ ନୂଆ ଆରମ୍ଭ, ନୂତନ ସୂର୍ଯ୍ୟ ଉଦୟ, ନୂଆ ପ୍ରେରଣାକୁ ସ୍ୱାଗତ କରିବାର ଦିନ । ଆଜି ଦିନରେ ଆମେ ସମସ୍ତେ ଶପଥ ନେବା ଯେ ବିକାଶ ଏବଂ ବିଶ୍ୱାସ ଆମ ସମ୍ପର୍କର ମୁଖ୍ୟ ଆଧାର ହେବ ଏବଂ ଆଗାମୀ ଦିନରେ ଏହା ଆହୁରି ସୁଦୃଢ଼ ହେବ । ଆମେ କେବେହେଲେ ଆଉ ହିଂସାର ଅନ୍ଧକାର ମଧ୍ୟକୁ ଯିବା ନାହିଁ । ଆସନ୍ତୁ ଆମେ ସମସ୍ତେ ଆସାମ ଓ ଭାରତରେ ଶାନ୍ତି ଓ ସ୍ଥିରତାକୁ ସ୍ୱାଗତ କରିବା”, ସେ କହିଥିଲେ ।

ଚଳିତ ବର୍ଷ ସାରା ଦେଶ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର 150ତମ ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ବୋଡୋ ରାଜିନାମା ସ୍ୱାକ୍ଷରକୁ ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ ।

“ଗାନ୍ଧୀଜୀ ସବୁବେଳେ କହୁଥିଲେ ଅହିଂସାର ଫଳ ଯାହାହେଉ ପଛେ, ତା’କୁ ସମସ୍ତେ ସ୍ୱୀକାର କରିଥାନ୍ତି”, ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ବୋଡୋ ରାଜିନାମା ବିଷୟରେ ବିଶେଷ ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହାଦ୍ୱାରା ସମଗ୍ର ଅଂଚଳବାସୀ ଉପକୃତ ହେବେ । ସେ କହିଥିଲେ ଯେ ଏହି ରାଜିନାମା ଅନ୍ତର୍ଗତ ବୋଡୋ କ୍ଷେତ୍ରୀୟ ପରିଷଦର କ୍ଷମତା ବୃଦ୍ଧି ଓ ସୁଦୃଢ଼ କରାଯାଇଛି ।

“ଏହି ରାଜିନାମାରେ ସମସ୍ତେ ବିଜେତା, ଏହାଦ୍ୱାରା ଶାନ୍ତି ଓ ମାନବତାର ବିଜୟ ହୋଇଛି”, ପ୍ରଧାନମନ୍ତ୍ରୀ କହିଥିଲେ ।

ବୋଡୋ କ୍ଷେତ୍ରୀୟ ଜିଲ୍ଲାର ପରିସୀମା (ବିଟିଏଡି) ନିର୍ଦ୍ଧାରଣ କରିବା ଲାଗି ଏକ ଆୟୋଗ ଗଠନ କରାଯିବ ।

ବିଟିଏଡିର କୋକ୍ରାଝର, ଚିରଙ୍ଗ, ବକ୍ସା ଓ ଉଦାଲଗୁଡ଼ିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ 15ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ।
“ଏହା ବୋଡୋ ସଂସ୍କୃତି, କ୍ଷେତ୍ର ଓ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ସହାୟକ ହେବ”, ସେ କହିଥିଲେ ।

ବିଟିସି ଓ ଆସାମ ସରକାରଙ୍କ ପରିବର୍ଦ୍ଧିତ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶର ଲକ୍ଷ୍ୟ କେବଳ ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ଉପରେ ଆଧାରିତ ହେବା ଆବଶ୍ୟକ ।

“ଆଜି, ବୋଡୋ କ୍ଷେତ୍ରରେ ନୂଆ ଆଶା, ସ୍ୱପ୍ନ, ଉତ୍ସାହ ଦେଖିବାକୁ ମିଳିଛି । ଆପଣମାନଙ୍କ ଉତ୍ତରଦାୟିତ୍ୱ ବଢ଼ିଯାଇଛି । ସବୁ ସମୁଦାୟକୁ ନେଇ ବୋଡୋ କ୍ଷେତ୍ରୀୟ ପରିଷଦ ଏବେ ଏଠାରେ ବିକାଶର ଏକ ନୂଆ ମଡେଲ ବିକଶିତ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି । ଏହା ସୁଦୃଢ଼ ଆସାମ ଓ ଶକ୍ତିଶାଳୀ ଭାରତ ନିର୍ମାଣର ଭାବନାକୁ ସୁଦୃଢ଼ କରିବ ।”, ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମ ଅନୁଚ୍ଛେଦ 6କୁ କାର୍ଯ୍ୟକାରୀ କରିବା ଲାଗି ତାଙ୍କ ସରକାର ଚାହୁଛନ୍ତି ଏବଂ ସେ ଏ ଦିଗରେ କମିଟିର ରିପୋର୍ଟକୁ ଅପେକ୍ଷା କରିଛନ୍ତି ।

ଉତ୍ତର-ପୂର୍ବାଞ୍ଚଳର ଆକାଂକ୍ଷା ପୂରଣ ଦିଗରେ ନୂଆ ଆଭିମୁଖ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଉତ୍ତର-ପୂର୍ବାଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ତାଙ୍କ ସରକାର ଏକ ନୂଆ ଆଭିମୁଖ୍ୟ ଆପଣାଇଛନ୍ତି ।

ଏହି କ୍ଷେତ୍ରର ଲୋକମାନଙ୍କ ଆଶା ଆକାଂକ୍ଷା ଓ ଭାବନାତ୍ମକ ଦିଗକୁ ଗଭୀର ଭାବେ ବୁଝିବା ପରେ ଏପରି ଆଭିମୁଖ୍ୟ ଆସିପାରିଛି ।

“ସମସ୍ତ ଅଂଶୀଦାରଙ୍କ ସହ ବିଚାରବିମର୍ଶ ଓ ଆଲୋଚନା କରାଯାଇ ସହାନୁଭୂତି ସହିତ ସମାଧାନ ଖୋଜାଯାଇପାରିଛି । ଆମେ ସମସ୍ତଙ୍କୁ ବାହାର ଲୋକ ନୁହେଁ ବରଂ ଆପଣାର ବୋଲି ଭାବି ଏପରି ସମାଧାନ ପାଇପାରିଛୁ । ଆମେ ସେମାନଙ୍କ ସହିତ ଆଲୋଚନା କରିଛୁ ଏବଂ ସେମାନେ ଆମ ନିଜର ବୋଲି ବିଶ୍ୱାସ ସୃଷ୍ଟି କରିବାରେ ସଫଳ ହୋଇଛୁ । ଏହା ଉଗ୍ରବାଦ ହ୍ରାସ କରିଛି । ପୂର୍ବରୁ, ଉତ୍ତର-ପୂର୍ବାଞ୍ଚଳରେ ହଜାର ହଜାର ସଂଖ୍ୟାରେ ହତ୍ୟାକାଣ୍ଡ ଘଟୁଥିଲା, କିନ୍ତୁ ଆଜି ସାମଗ୍ରିକ ଭାବେ ପରିସ୍ଥିତି ସ୍ୱାଭାବିକ ଓ ଶାନ୍ତିପୂର୍ଣ୍ଣ ରହିଛି ।” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉତ୍ତର-ପୂର୍ବ : ଦେଶର ଅଭିବୃଦ୍ଧି ଇଞ୍ଜିନ

“ଗତ ତିନିରୁ ଚାରି ବର୍ଷ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳରେ 3 ହଜାର କିମି ସଡ଼କ ନିର୍ମାଣ ହୋଇଛି । ନୂଆ ଜାତୀୟ ରାଜପଥକୁ ମଞ୍ଜୁରି ମିଳିଛି । ସମଗ୍ର ଉତ୍ତର-ପୂର୍ବାଞ୍ଚଳ ରେଳ ନେଟୱର୍କକୁ ବ୍ରଡଗଜରେ ପରିଣତ କରାଯାଇଛି । ନୂଆ ଶିକ୍ଷା, ଦକ୍ଷତା ବିକାଶ ଓ କ୍ରୀଡ଼ା ଅନୁଷ୍ଠାନ ପ୍ରତିଷ୍ଠା କରାଯାଇ ଉତ୍ତର ପୂର୍ବାଞ୍ଚଳର ଯୁବକମାନଙ୍କୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାଛଡ଼ା ଦିଲ୍ଲୀ ଓ ବାଙ୍ଗାଲୋରରେ ଉତ୍ତର-ପୂର୍ବାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଛାତ୍ରାବାସ ନିର୍ମାଣ କରାଯାଇଛି”, ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମିର ଅର୍ଥ କେବଳ ଇଟା ଓ ସିମେଂଟର ଯୋଡ଼େଇ ନୁହେଁ । ଏହାର ଏକ ମାନବୀୟ ଦିଗ ରହିଛି । ଏହା ଲୋକମାନଙ୍କୁ ବିଶ୍ୱାସ ଦେଇଥାଏ ଯେ କେହି ଜଣେ ସେମାନଙ୍କ ପାଇଁ ଚିନ୍ତା କରୁଛି ।

“ଦଶନ୍ଧି ଧରି ବିଳମ୍ବିତ ହୋଇ ପଡ଼ି ରହିଥିବା ବୋଗିବିଲ ସେତୁ ଭଳି ବହୁସଂଖ୍ୟକ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦ୍ୱାରା ଲୋକମାନେ ଯେତେବେଳେ ସଡ଼କ ଯୋଗାଯୋଗ ସୁବିଧା ପାଉଛନ୍ତି, ସରକାରଙ୍କ ପ୍ରତି ସେମାନଙ୍କ ବିଶ୍ୱାସ ବୃଦ୍ଧି ପାଉଛି । ଏହି ସାମଗ୍ରିକ ବିକାଶ ବିଚ୍ଛିନ୍ନତାକୁ ବନ୍ଧନରେ ରୂପାନ୍ତରିତ କରିବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଛି । ସମସ୍ତଙ୍କ ନିକଟରେ ବିକାଶ ପହଁଚିବା ଫଳରେ ଜନସାଧାରଣ ମିଳିତ ଭାବେ କାମ କରିବା ଲାଗି ପ୍ରସ୍ତୁତ ହୋଇଯାଉଛନ୍ତି । ଜନସାଧାରଣ ଏକାଠି ହୋଇ କାମ କରିବାକୁ ପ୍ରସ୍ତୁତ ହେଲେ ବଡ଼ ବଡ଼ ସମସ୍ୟାର ସମାଧାନ ହୋଇଯାଉଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour