ପ୍ରଧାନମନ୍ତ୍ରୀ ଓମକାରେଶ୍ବର ଭାସମାନ ସୌର ପ୍ରକଳ୍ପର ଉଦଘାଟନ କରିଛନ୍ତି
ପ୍ରଧାନମନ୍ତ୍ରୀ ୧୧୫୩ଟି ଅଟଳ ଗ୍ରାମ ସୁଶାସନ ସଦନର ଶିଳାନ୍ୟାସ କରିଛନ୍ତି
ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ସ୍ମାରକୀ ଡାକଟିକେଟ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି
ଆଜି ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟୀ ଦିନ, ଆଜି ଶ୍ରଦ୍ଧେୟ ଅଟଳଜୀଙ୍କ ଜୟନ୍ତୀ: ପ୍ରଧାନମନ୍ତ୍ରୀ
କେନ୍-ବେତଓ୍ଵା ସଂଯୋଗୀକରଣ ପ୍ରକଳ୍ପ ବୁନ୍ଦେଲଖଣ୍ଡ ଅଞ୍ଚଳରେ ସମୃଦ୍ଧି ଓ ସୁଖର ନୂଆ ଦ୍ୱାର ଖୋଲିବ: ପ୍ରଧାନମନ୍ତ୍ରୀ
ବିଗତ ଦଶନ୍ଧି ଭାରତର ଇତିହାସରେ ଜଳ ସୁରକ୍ଷା ଏବଂ ଜଳ ସଂରକ୍ଷଣର ଏକ ଅଭୂତପୂର୍ବ ଦଶନ୍ଧି ଭାବରେ ସ୍ମରଣୀୟ ରହିବ: ପ୍ରଧାନମନ୍ତ୍ରୀ
ଭାରତ ଓ ବିଦେଶରୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ନିମନ୍ତେ ସୁବିଧା ସୁଯୋଗ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରଛନ୍ତି: ପ୍ରଧାନମନ୍ତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଖଜୁରାହୋଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଓ ସମଗ୍ର ବିଶ୍ବର ଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ନେତୃତ୍ବାଧୀନ ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସେ ମଧ୍ୟପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ନୂଆ ନୂଆ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଐତିହାସିକ କେନ-ବେତଓ୍ବା ନଦୀ ସଂଯୋଗୀକରଣ ପ୍ରକଳ୍ପ, ଦୌଧନ ଡ୍ୟାମ ଓ ମଧ୍ୟପ୍ରଦେଶର ପ୍ରଥମ ଭାସମାନ ସୌର ପ୍ରକଳ୍ପ ଓମକାରେଶ୍ବର ଭାସମାନ ସୌର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏଥିପାଇଁ ସେ ମଧ୍ୟପ୍ରଦେଶ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । 
 

ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଯୋଗୁଁ ଆଜିର ଦିନକୁ ଏକ ସ୍ମରଣୀୟ ଦିନ ବୋଲି ଅବିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିନଟି ହେଉଛି ସୁଶାସନ ଓ ଉତ୍ତମ ସେବା ପ୍ରଦାନର ଉତ୍ସବ ଯାହାକି ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଶ୍ରୀ ବାଜପେୟୀଙ୍କ ସ୍ମୃତିରେ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିବା ଅବସରରେ ତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ବାଜପେୟୀ ବିଗତବର୍ଷମାନଙ୍କରେ ତାଙ୍କପରି ଅନେକ ସାଧାରଣ କର୍ମୀମାନଙ୍କୁ ଗଢିଥିଲେ । ଦେଶର ବିକାଶ ଦିଗରେ ଅଟଳଜୀଙ୍କ ସେବା ଆମ ସ୍ମୃତିରେ ସର୍ବଦା ଅବିସ୍ମରଣୀୟ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜିଠାରୁ ୧୧୦୦ରୁ ଅଧିକ ଅଟଳ ଗ୍ରାମ ସୁଶାସନ ସଦନର କାମ ଚାଲିବ ଏବଂ ଏଥିପାଇଁ ପ୍ରଥମ କିସ୍ତି ଜାରି କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ। ଅଟଳ ଗ୍ରାମ ସେବା ସଦନ ଗ୍ରାମର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ସେ ମନ୍ତବ୍ୟ ଦେଇଥିଲେ।  
ସୁଶାସନ ଏକ ଗୋଟିଏ ଦିନକ ବ୍ୟାପାର ନୁହେଁ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସୁଶାସନ ଆମ ସରକାରର ପରିଚୟ ରହିଆସିଛି । କେନ୍ଦ୍ରରେ କ୍ରମାଗତ ୩ୟ ଥର ପାଇଁ ଓ ମଧ୍ୟପ୍ରଦେଶର କ୍ରମାଗତଭାବେ ସେବା କରିବାର  ସୁଯୋଗ ଦେଇଥିବାରୁ ସେ ଲୋକମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଏହା ପଛରେ ସବୁଠାରୁ ବଡ଼ କାରଣ ଥିଲା ସୁଶାସନ ।  ପ୍ରଧାନମନ୍ତ୍ରୀ ବୁଦ୍ଧିଜୀବୀ, ରାଜନୈତିକ ସମୀକ୍ଷକ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଶିକ୍ଷାବିତମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ  ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ବିକାଶ, ଜନକଲ୍ୟାଣ ଏବଂ ସୁଶାସନ ମାନଦଣ୍ଡରେ ଦେଶର ମୂଲ୍ୟାଙ୍କନ କରନ୍ତୁ । ଯେତେବେଳେ କି ଲୋକମାନଙ୍କ ସେବା କରିବାର ସୁଯୋଗ ମିଳିଛି ତାଙ୍କ ସରକାରମାନେ ଜନକଲ୍ୟାଣ ଏବଂ ଉନ୍ନୟନମୂଳକ କାର୍ଯ୍ୟ କୁ ସୁନିଶ୍ଚିତ କରିବାରେ ସଫଳ ହୋଇଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ ।
 

ଶ୍ରୀ ମୋଦୀ କହିଥିଲେ, “ଆମକୁ ଯଦି କେତେକ ମାନଦଣ୍ଡରେ ମୂଲ୍ୟାଙ୍କନ କରାଯାଏ, ଦେଶ ଜାଣିପାରିବ ଯେ ଆମେ ସାଧାରଣ ଲୋକଙ୍କ ପାଇଁ ଆମେ କେତେ ଉତ୍ସର୍ଗୀକୃତ”। ସେ କହିଥିଲେ ଯେ ଦେଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ବପ୍ନ ସାକାର କରିବାକୁ ସରକାର ନିରବଚ୍ଛିନ୍ନଭାବେ କାମ କରୁଛନ୍ତି । ସୁଶାସନ ପାଇଁ କେବଳ ଉତ୍ତମ ଯୋଜନା ନୁହେଁ ବରଂ ଏହାର ପ୍ରଭାବଶାଳୀ କାର୍ଯ୍ୟାନ୍ବୟନ ମଧ୍ୟ ଜରୁରୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁଶାସନର ମାପକାଠି ହେଉଛି ସରକାରୀ ଯୋଜନାଗୁଡ଼ିକ ଲୋକଙ୍କୁ କେତେ ମାତ୍ରାରେ ଉପକୃତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପୂର୍ବ ସରକାରମାନେ ଅନେକ ଘୋଷଣା କରିଥିଲେ, କିନ୍ତୁ ସେଗୁଡ଼ିକର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚିପାରିନଥିଲା କାରଣ ତାହା ପଛରେ ଉଚିତ ଉଦ୍ଦେଶ୍ୟ ଓ ଗମ୍ଭୀରତାର ଅଭାବ ଥିଲା । 
ପିଏମ କିଶାନ ସମ୍ମାନ ନିଧି ଭଳି ଯୋଜନା, ଯାହାମାଧ୍ୟମରେ ମଧ୍ୟପ୍ରଦେଶର କୃଷକମାନେ ୧୨,୦୦୦ ଟଙ୍କା ପାଉଛନ୍ତି, ସଂପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଜନଧନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଦ୍ୱାରା ଏହା ସମ୍ଭବ ହୋଇଛି ।  ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଲାଡଲି ବେହନା ଯୋଜନା ଉପରେ ଆଲୋକପାତ କରି କହିଥିଲେ ଯେ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ଏବଂ ମୋବାଇଲ ନମ୍ବର ସହ ସଂଯୋଗ କରିବା ବିନା ଏହା ସମ୍ଭବ ହୋଇନଥାନ୍ତା। ପୂର୍ବରୁ ବି ଶସ୍ତା ରାସନ ଯୋଜନା ଥିଲା, କିନ୍ତୁ ଗରିବଙ୍କୁ ରାସନ ପାଇବା ପାଇଁ ସଂଘର୍ଷ କରିବାକୁ ପଡୁଥିଲା, ମାତ୍ର ଆଜି ଗରିବଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ମାଗଣା ରାସନ ମିଳୁଛି, ଯାହା ବାଟମାରଣାକୁ ଦୂର କରିବା ସହ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଗୁଁ ଦେଶବ୍ୟାପୀ ଏହି ସୁବିଧା ମିଳିପାରୁଛି ।
 

ଶ୍ରୀ ମୋଦୀ କହିଥିଲେ, ସୁଶାସନର ଅର୍ଥ ହେଉଛି ନାଗରିକମାନଙ୍କୁ ସରକାରଙ୍କ ନିକଟରେ ନିଜର ଅଧିକାର ମାଗିବାକୁ ପଡିବ ନାହିଁ କିମ୍ବା ସରକାରୀ ଅଫିସକୁ ଦୌଡ଼ିବାକୁ ପଡିବ ନାହିଁ । ତାଙ୍କ ନୀତି ହେଉଛି ଶତ ପ୍ରତିଶତ ହିତାଧିକାରୀଙ୍କ ନିକଟକୁ ଶତ ପ୍ରତିଶତ ଲାଭ ପହଞ୍ଚାଇବା, ଯାହାକି ତା୍ଙ୍କ ସରକାରକୁ ଅନ୍ୟମାନଙ୍କଠାରୁ ଅଲଗା କରୁଛି । ସମଗ୍ର ଦେଶ ଏହା ଦେଖୁଛି, ଏଥିପାଇଁ ଦେଶବାସୀ ତାଙ୍କୁ କ୍ରମାଗତଭାବେ ସେବା କରିବାର ସୁଯୋଗ ଦେଉଛନ୍ତି ବୋଲି ସେ କହିଥିଲେ । 
ସୁଶାସନ ଉଭୟ ବର୍ତ୍ତମାନ ଓ ଭବିଷ୍ୟତର ଆହ୍ବାନର ସମାଧାନ କରେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁର୍ଭାଗ୍ୟର କଥା ହେଉଛି ଯେ ପୂର୍ବବର୍ତ୍ତି ସରକାରମାନଙ୍କ କୁଶାସନ ଯୋଗୁଁ ବୁନ୍ଦେଲଖଣ୍ଡବାସୀଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା । ପୂର୍ବବର୍ତ୍ତି ସରକାରମାନଙ୍କ ପ୍ରଭାବୀ ଶାସନର ଅଭାବ ଓ ଜଳ ସଂକଟର ଏକ ସ୍ଥାୟୀ ସମାଧାନ ବାହାର କରିବା ପାଇଁ ଚିନ୍ତାର ଅଭାବ ଯୋଗୁଁ ବୁନ୍ଦେଲଖଣ୍ଡର ଚାଷୀ ଓ ମହିଳାମାନଙ୍କ ଅନେକ ପିଢି ଜଳର ପ୍ରତି ବୁନ୍ଦା ପାଇଁ ସଂଘର୍ଷ କରୁଥିଲେ। 
ଡ. ବି.ଆର୍. ଡ. ଆମ୍ବେଦକର କିପରି ପ୍ରଥମେ ଭାରତ ପାଇଁ ନଦୀ ଜଳର ମହତ୍ତ୍ୱ ବୁଝିଥିଲେ ସେ ବିଷୟରେ ମନ୍ତବ୍ୟ ଦେଇ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଭାରତର ପ୍ରମୁଖ ନଦୀ ଉପତ୍ୟକା ପ୍ରକଳ୍ପ ଗୁଡ଼ିକ ଡ. ଆମ୍ବେଦକରଙ୍କ ଦୂରଦୃଷ୍ଟି ଉପରେ ଆଧାରିତ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ଗଠନ ମଧ୍ୟ ତାଙ୍କ ପ୍ରୟାସ ଯୋଗୁଁ ହୋଇଥିଲା । ଜଳ ସଂରକ୍ଷଣ ଏବଂ ବୃହତ ବନ୍ଧ ପ୍ରକଳ୍ପରେ ଡକ୍ଟର ଆମ୍ବେଦକରଙ୍କ ଅବଦାନ ପାଇଁ ପୂର୍ବ ସରକାରମାନେ ତାଙ୍କୁ କେବେ ବି ଉପଯୁକ୍ତ ଶ୍ରେୟ ଦେଇନଥିଲେ ଏବଂ ସେ ଏହି ପ୍ରୟାସ ପ୍ରତି ସେମାନେ କେବେ ବି ଗମ୍ଭୀର ନଥିଲେ ବୋଲି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ସାତ ଦଶନ୍ଧି ପରେ ମଧ୍ୟ ଭାରତର ଅନେକ ରାଜ୍ୟରେ ଜଳ ବିବାଦ ଲାଗି ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରମାନଙ୍କର ଉଦ୍ଦେଶ୍ୟର ଅଭାବ ଏବଂ କୁଶାସନ ଏ ଦିଗରେ କୌଣସି ଠୋସ ସମାଧାନ ଉଦ୍ୟମକୁ ବାଧା ଦେଇଥିଲା ।
ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଶ୍ରୀ ବାଜପେୟୀଙ୍କ ସରକାର ଜଳ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବା ପାଇଁ ଗମ୍ଭୀରତାର ସହ କାର୍ଯ୍ୟ କରିବା ଆରମ୍ଭ କରିଥିଲେ, କିନ୍ତୁ ୨୦୦୪ ପରେ ସେଗୁଡ଼ିକୁ ପଛକୁ ଠେଲିଦିଆଯାଇଥିଲା । ସେ ଗୁରୁତ୍ୱାରୋପ କରିଥିଲେ ଯେ ତାଙ୍କ ସରକାର ବର୍ତ୍ତମାନ ସାରା ଦେଶର ନଦୀଗୁଡ଼ିକୁ ସଂଯୋଗ କରିବା ଅଭିଯାନକୁ ତ୍ୱରାନ୍ୱିତ କରୁଛନ୍ତି । ସେ କହିଛନ୍ତି ଯେ କେନ୍-ବେଟୱା ସଂଯୋଗୀକରଣ ପ୍ରକଳ୍ପ ବାସ୍ତବରୂପ ନେବାକୁ ଯାଉଛି, ଯାହା ବୁନ୍ଦେଲଖଣ୍ଡ ଅଞ୍ଚଳରେ ସମୃଦ୍ଧି ଏବଂ ଖୁସିର ନୂତନ ଦ୍ୱାର ଖୋଲିବ । କେନ-ବେଟଓ୍ବା ସଂଯୋଗୀକରଣ ପ୍ରକଳ୍ପ, ଯାହାକି  ଛତରପୁର, ଟିକମଗଡ଼, ନିୱାରୀ, ପାନ୍ନା, ଦମୋହ ଏବଂ ସାଗର ସମେତ ମଧ୍ୟପ୍ରଦେଶର ୧୦ଟି ଜିଲ୍ଲାକୁ ଜଳସେଚନ ସୁବିଧା ଯୋଗାଇ ଦେବ, ତାହାର ଲାଭ ସଂପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହି ପ୍ରକଳ୍ପ ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳକୁ ମଧ୍ୟ ଉପକୃତ କରିବ, ଯେଉଁଥିରେ ବାନ୍ଦା, ମହୋବା, ଲଳିତପୁର ଏବଂ ଝାନ୍ସୀ ଜିଲ୍ଲା ଅନ୍ତର୍ଭୁକ୍ତ । “ନଦୀ ସଂଯୋଗୀକରଣ ପରି ଏକ ବୃହତ ଅଭିଯାନ ଅଧିନରେ ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ମଧ୍ୟପ୍ରଦେଶ ପ୍ରଥମ ରାଜ୍ୟ ହୋଇଛି” ବୋଲ ସେ କହିଛନ୍ତି । ନିକଟରେ ରାଜସ୍ଥାନ ଗସ୍ତ ସମୟରେ ପାର୍ବତୀ-କାଲିସିନ୍ଧ-ଚମ୍ବଲ ଏବଂ କେନ୍-ବେଟଓ୍ଵା ସଂଯୋଗୀକରଣ ପ୍ରକଳ୍ପ ମାଧ୍ୟମରେ ଅନେକ ନଦୀକୁ ସଂଯୋଗ କରିବା ନିଶ୍ଚିତ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବୁଝାମଣା ଦ୍ୱାରା ମଧ୍ୟପ୍ରଦେଶ ମଧ୍ୟ ବହୁତ ଉପକୃତ ହେବ ।

 

ଜଳ ନିରାପତ୍ତା ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଆହ୍ୱାନ। କେବଳ ସେହି ଦେଶ ଏବଂ ଅଞ୍ଚଳ ଗୁଡ଼ିକ ହିଁ ପ୍ରଗତି କରିବେ ଯେଉଁଠାରେ ପର୍ଯ୍ୟାପ୍ତ ଜଳ ରହିଛି ଏବଂ ଜଳ ସମୃଦ୍ଧ କୃଷି ଏବଂ ସମୃଦ୍ଧ ଶିଳ୍ପ ପାଇଁ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟରୁ ଆସିଥିବାରୁ, ଯେଉଁଠାରେ ବର୍ଷର ଅଧିକାଂଶ ସମୟ ମରୁଡ଼ି ପରିସ୍ଥିତିରେ ରହିଥାଏ, ସେ ଜଳର ଗୁରୁତ୍ୱ ବୁଝିଛନ୍ତି ଏବଂ କହିଥିଲେ ଯେ ମଧ୍ୟପ୍ରଦେଶରେ ନର୍ମଦା ନଦୀର ଆଶୀର୍ବାଦ ଗୁଜରାଟର ଭାଗ୍ୟ ବଦଳାଇ ଦେଇଛି । ମଧ୍ୟପ୍ରଦେଶର ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ଜଳ ସଙ୍କଟରୁ ମୁକ୍ତ କରିବା ତାଙ୍କର ଦାୟିତ୍ୱ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୁନ୍ଦେଲଖଣ୍ଡର ଲୋକମାନଙ୍କ ପାଇଁ, ବିଶେଷକରି କୃଷକ ଏବଂ ମହିଳାମାନଙ୍କ ଅସୁବିଧା ଦୂର କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଭିଜନ ଅଧୀନରେ ବୁନ୍ଦେଲଖଣ୍ଡ ପାଇଁ ୪୫ ହଜାର କୋଟି ଟଙ୍କାର ଜଳ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରାଯାଇଥିବା ସେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ତାଙ୍କ ସରକାରମାନଙ୍କୁ କ୍ରମାଗତ ଭାବରେ ପ୍ରୋତ୍ସାହିତ କରାଯାଉଥିଲା ଯାହାଫଳରେ କେନ୍-ବେଟୱା ସଂଯୋଗୀକରଣ ପ୍ରକଳ୍ପ ଅଧୀନରେ ଦୌଧନ ଡ୍ୟାମର ଶିଳାନ୍ୟାସ କରାଯାଇଥିଲା । ଏହି ଡ୍ୟାମ୍ ଶହ ଶହ କିଲୋମିଟର ଲମ୍ବର କେନାଲ ନିର୍ମାଣ କରିବ, ଯାହା ପ୍ରାୟ ୧୧ ଲକ୍ଷ ହେକ୍ଟର ଜମିକୁ ଜଳ ଯୋଗାଣ କରିବ ବୋଲି ସେ କହିଛନ୍ତି।
ଶ୍ରୀ ମୋଦୀ କହିଥିଲେ, “ଗତ ଦଶନ୍ଧି ଭାରତର ଇତିହାସରେ ଜଳ ସୁରକ୍ଷା ଏବଂ ଜଳ ସଂରକ୍ଷଣର ଏକ ଅଭୂତପୂର୍ବ ଦଶନ୍ଧି ଭାବରେ ସ୍ମରଣୀୟ ହୋଇ ରହିବ।“ ସେ କହିଛନ୍ତି ଯେ ପୂର୍ବବର୍ତ୍ତୀ ସରକାରମାନେ ଜଳ ସଂପର୍କିତ ଦାୟିତ୍ୱଗୁଡିକୁ ବିଭିନ୍ନ ବିଭାଗ ମଧ୍ୟରେ ବଣ୍ଟନ କରିଥିଲେ, କିନ୍ତୁ ତାଙ୍କ ସରକାର ଏହି ସମସ୍ୟାର ସମାଧାନ ପାଇଁ ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରିଥିଲେ । ପ୍ରତ୍ୟେକ ଘରେ ଟ୍ୟାପ୍ ପାଣି ପହଞ୍ଚାଇବା ପାଇଁ ପ୍ରଥମ ଥର ପାଇଁ ଏକ ଜାତୀୟ ଅଭିଯାନ ଆରମ୍ଭ କରାଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସ୍ୱାଧୀନତା ପରେ ସାତ ଦଶନ୍ଧି ମଧ୍ୟରେ ମାତ୍ର ୩ କୋଟି ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ଥିଲା ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଥିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ସେ ୧୨ କୋଟି ନୂତନ ପରିବାରକୁ ଟ୍ୟାପ୍ ଜଳ ଯୋଗାଇଛନ୍ତି ଏବଂ ଏହି ଯୋଜନାରେ ୩.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଜଳ ଜୀବନ ମିଶନର ଅନ୍ୟ ଏକ ଦିଗ ଜଳ ଗୁଣବତ୍ତା ପରୀକ୍ଷା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ୨,୧୦୦ ଜଳ ଗୁଣବତ୍ତା ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି ଏବଂ ୨୫ ଲକ୍ଷ ମହିଳାଙ୍କୁ ଗ୍ରାମରେ ପାନୀୟ ଜଳ ପରୀକ୍ଷା ପାଇଁ ତାଲିମ ଦିଆଯାଇଛି । ଏହି ପଦକ୍ଷେପ ହଜାର ହଜାର ଗ୍ରାମକୁ ଦୂଷିତ ପାଣି ପିଇବାର ବାଧ୍ୟବାଧକତାରୁ ମୁକ୍ତ କରିବା ସହ ଶିଶୁ ଓ ଲୋକମାନଙ୍କୁ ରୋଗ ଦାଉରୁ ରକ୍ଷା କରିଛି ବୋଲି ସେ କହିଥିଲେ।
 

୨୦୧୪ ପୂର୍ବରୁ ଦେଶରେ ପ୍ରାୟ ୧୦୦ଟି ବୃହତ୍ ଜଳସେଚନ ପ୍ରକଳ୍ପ ଥିଲା, ଯାହା ଦଶନ୍ଧି ଦଶନ୍ଧି ଧରି ଅସମ୍ପୂର୍ଣ୍ଣ ଥିଲା। ଏହି ପୁରୁଣା ଜଳସେଚନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ସହ ଆଧୁନିକ ଜଳସେଚନ କୌଶଳର ବ୍ୟବହାର କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ। ସେ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ କ୍ଷୁଦ୍ର ଜଳସେଚନ ସୁବିଧାରେ ପ୍ରାୟ ଏକ କୋଟି ହେକ୍ଟର ଜମି ଯୋଡାଯାଇଛି ଯାହାମଧ୍ୟରେ ରହିଛି ମଧ୍ୟପ୍ରଦେଶରେ ପାଖାପାଖି ୫ ଲକ୍ଷ ହେକ୍ଟର ଜମି । ପ୍ରତ୍ୟେକ ବୁନ୍ଦା ଜଳର ପ୍ରଭାବଶାଳୀ ଉପଯୋଗ ପାଇଁ ନିରନ୍ତର ପ୍ରୟାସ କରାଯାଉଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଏବଂ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ନିର୍ମାଣ ଅଭିଯାନ ଉପରେ ଆଲୋକପାତ କରିଥିଲେ, ଯାହାଫଳରେ ସମଗ୍ର ଦେଶରେ ୬୦,୦୦୦ରୁ ଅଧିକ ଅମୃତ ସରୋବର ସୃଷ୍ଟି ହୋଇଛି । ଜଳଶକ୍ତି ଅଭିଯାନ ଏବଂ କ୍ୟାଚ୍ ଦି ରେନ୍ ଅଭିଯାନର ଶୁଭାରମ୍ଭ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଯାହା ଅଧୀନରେ ସମଗ୍ର ଦେଶରେ ୩ ଲକ୍ଷରୁ ଅଧିକ ରିଚାର୍ଜ କୂପ ନିର୍ମାଣ କରାଯାଉଛି । ମଧ୍ୟପ୍ରଦେଶ ସମେତ ଭୂତଳ ଜଳସ୍ତର ସର୍ବନିମ୍ନ ଥିବା ରାଜ୍ୟରେ ଅଟଳ ଭୂଜଳ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ ।
ଶ୍ରୀ ମୋଦୀ କହିଥିଲେ ଯେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟପ୍ରଦେଶ ସର୍ବଦା ଅଗ୍ରଣୀ ରହିଛି ଏବଂ ପର୍ଯ୍ୟଟନ ହେଉଛି ଏକ କ୍ଷେତ୍ର ଯାହା ଯୁବକମାନଙ୍କୁ ରୋଜଗାର ପ୍ରଦାନ କରେ ଏବଂ ଦେଶର ଅର୍ଥନୀତିକୁ ସୁଦୃଢ଼ କରେ । ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତିରେ ପରିଣତ ହେବାକୁ ଯାଉଛି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଭାରତକୁ ନେଇ ସମଗ୍ର ବିଶ୍ୱରେ ଉତ୍ସୁକତା ବୃଦ୍ଧି ପାଉଛି ଏବଂ ଭାରତକୁ ବିଶ୍ୱ ଜାଣିବାକୁ ଚାହୁଁଛି ଏବଂ ବୁଝିବାକୁ ଚାହୁଁଛି ଏବଂ ମଧ୍ୟପ୍ରଦେଶ ଏଥିରୁ ବହୁତ ଉପକୃତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିକଟରେ ଏକ ଆମେରିକୀୟ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟକୁ ଉଲ୍ଲେଖ କରିଥିଲେ, ଯେଉଁଥିରେ ମଧ୍ୟପ୍ରଦେଶକୁ ବିଶ୍ୱର ଶ୍ରେଷ୍ଠ ଦଶଟି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ସ୍ଥାନିତ କରାଯାଇଥିଲା ।
ଘରୋଇ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଯାତ୍ରାକୁ ସହଜ କରିବା ପାଇଁ ସୁବିଧା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସରକାର ଇ-ଭିସା ଯୋଜନା ଆରମ୍ଭ କରିଛନ୍ତି ଏବଂ ଭାରତରେ ଐତିହ୍ୟ ଓ ବନ୍ୟପ୍ରାଣୀ ପର୍ଯ୍ୟଟନ ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି। ମଧ୍ୟପ୍ରଦେଶର ଅସାଧାରଣ ପର୍ଯ୍ୟଟନ ସମ୍ଭାବନା ଉପରେ ଗୁରୁତ୍ବାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଖଜୁରାହୋ ଅଞ୍ଚଳ ଐତିହାସିକ ଏବଂ ଆଧ୍ୟାତ୍ମିକ ଐତିହ୍ୟରେ ସମୃଦ୍ଧ ଯେଉଁଠାରେ କନ୍ଦାରିଆ ମହାଦେବ, ଲକ୍ଷ୍ମଣ ମନ୍ଦିର ଏବଂ ଚୌଷଠ୍ ଯୋଗିନୀ ମନ୍ଦିର ପରି ସ୍ଥାନ ରହିଛି । ଭାରତରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଖଜୁରାହୋ ସମେତ ସମଗ୍ର ଦେଶରେ ଜି-୨୦ ବୈଠକ ଆୟୋଜନ କରାଯାଇଥିଲା, ଯେଉଁଥିପାଇଁ ଖଜୁରାହୋରେ ଏକ ଅତ୍ୟାଧୁନିକ ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯାଇଥିଲା।
 

ପର୍ଯ୍ୟଟନ କ୍ଷେତ୍ର ଉପରେ ଅଧିକ ଆଲୋଚନା କରି ଶ୍ରୀ ମୋଦୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ଅଧୀନରେ ମଧ୍ୟପ୍ରଦେଶକୁ ଇକୋ-ଟୁରିଜିମସ୍ଥଳୀ ଏବଂ ପର୍ଯ୍ୟଟକଙ୍କ ପାଇଁ ନୂତନ ସୁବିଧାର ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ସାଞ୍ଚି ଓ ଅନ୍ୟ ବୌଦ୍ଧ ସ୍ଥଳୀକୁ ବୌଦ୍ଧ ସର୍କିଟ ମାଧ୍ୟମରେ ସଂଯୋଗ କରାଯାଉଥିବା ବେଳେ ଗାନ୍ଧୀ ସାଗର, ଓମକାରେଶ୍ବର ଡ୍ୟାମ, ଇନ୍ଦିରା ସାଗର ଡ୍ୟାମ, ଭେଡାଘାଟ ଓ ବାଣସାଗର ଡ୍ୟାମ ଇକୋ ସର୍କିଟର ଅଂଶ ବିଶେଷ ବୋଲି ସେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖଜୁରାହୋ, ଗ୍ୱାଲିୟର, ଓରଛା, ଚାନ୍ଦେରୀ ଏବଂ ମାଣ୍ଡୁ ଭଳି ସ୍ଥାନକୁ ଐତିହ୍ୟ ସର୍କିଟରେ ସାମିଲ କରାଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାନ୍ନା ଜାତୀୟ ଉଦ୍ୟାନ ମଧ୍ୟ ବନ୍ୟପ୍ରାଣୀ ସର୍କିଟରେ ଅନ୍ତର୍ଭୁକ୍ତ ଏବଂ ଗତବର୍ଷ ପାଖାପାଖି ୨.୫ ଲକ୍ଷ ପର୍ଯ୍ୟଟକ ପନ୍ନା ବ୍ୟାଘ୍ର ଅଭୟାରଣ୍ୟ ପରିଦର୍ଶନ କରିଥିଲେ । ନିର୍ମାଣ କରାଯାଉଥିବା ଲିଙ୍କ୍ କେନାଲ ପାନ୍ନା ବ୍ୟାଘ୍ର ଅଭୟାରଣ୍ୟର ବନ୍ୟଜନ୍ତୁଙ୍କୁ ନଜରରେ ରଖିବ ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କରାଯାଉଥିବା ପ୍ରୟାସ ସ୍ଥାନୀୟ ଅର୍ଥନୀତିକୁ ବହୁତ ପ୍ରୋତ୍ସାହିତ କରିବ । ପର୍ଯ୍ୟଟକମାନେ ସ୍ଥାନୀୟ ସାମଗ୍ରୀ କିଣିବେ, ଅଟୋ ଓ ଟ୍ୟାକ୍ସି ସେବା, ହୋଟେଲ, ଢାବା, ହୋମଷ୍ଟେ ଓ ଗେଷ୍ଟ ହାଉସ ଭଳି ସୁବିଧା ବ୍ୟବହାର କରିବେ। ଏହା ସହିତ କ୍ଷୀର, ଦହି, ଫଳ ଓ ପନିପରିବା ଭଳି ଉତ୍ପାଦିତ ଦ୍ରବ୍ୟର ଉତ୍ତମ ମୂଲ୍ୟ ମିଳିବାରୁ କୃଷକମାନେ ମଧ୍ୟ ଉପକୃତ ହେବେ ବୋଲି ସେ କହିଥିଲେ।
 

ଗତ ଦୁଇ ଦଶନ୍ଧି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବାରୁ ମଧ୍ୟପ୍ରଦେଶକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ଆଗାମୀ ଦଶନ୍ଧିରେ ମଧ୍ୟପ୍ରଦେଶ ଦେଶର ଶୀର୍ଷ ଅର୍ଥନୀତି ମଧ୍ୟରୁ ଅନ୍ୟତମ ହେବ, ଯେଉଁଥିରେ ବୁନ୍ଦେଲଖଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏକ ବିକଶିତ ଭାରତ ପାଇଁ ମଧ୍ୟପ୍ରଦେଶକୁ ଏକ ବିକଶିତ ରାଜ୍ୟ ରେ ପରିଣତ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ଆନ୍ତରିକତାର ସହ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦୀ ତାଙ୍କ ଅଭିଭାଷଣ ଶେଷରେ ପ୍ରତିଶ୍ରୁତି ଦେଇଥିଲେ ।
ଏହି ଅବସରରେ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି. ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଶ୍ରୀ ବୀରେନ୍ଦ୍ର କୁମାର, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ, ଶ୍ରୀ ସି.ଆର.ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।


ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ କେନ୍-ବେଟୱା ନଦୀ ସଂଯୋଗୀକରଣ ଜାତୀୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଯାହାକି ଜାତୀୟ ପରିପ୍ରେକ୍ଷୀ ଯୋଜନା ଅଧୀନରେ ଦେଶର ପ୍ରଥମ ନଦୀ ସଂଯୋଗୀକରଣ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାକୁ ଜଳସେଚନ ସୁବିଧା ମିଳିବ ଏବଂ ଲକ୍ଷ ଲକ୍ଷ କୃଷକ ପରିବାର ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳବାସୀଙ୍କୁ ପାନୀୟ ଜଳ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଏହା ସହିତ ଜଳବିଦ୍ୟୁତ ପ୍ରକଳ୍ପରୁ ୧୦୦ ମେଗାୱାଟରୁ ଅଧିକ ସବୁଜ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ । ଏହି ପ୍ରକଳ୍ପ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବ ।

 

ପ୍ରଧାନମନ୍ତ୍ରୀ ୧୧୫୩ଟି ଅଟଳ ଗ୍ରାମ ସୁଶାସନ ସଦନର ଶିଳାନ୍ୟାସ କରିଛନ୍ତି । ଗ୍ରାମ ପଞ୍ଚାୟତଗୁଡ଼ିକର କାର୍ଯ୍ୟ ଓ ଦାୟିତ୍ୱର ବ୍ୟବହାରିକ ପରିଚାଳନାରେ ଏହି ସଦନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ସ୍ଥାନୀୟ ସ୍ତରରେ ସୁଶାସନ ଆଣିବେ।
ଶକ୍ତି ଆତ୍ମନିର୍ଭରଶୀଳତା ଏବଂ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଓମକାରେଶ୍ୱରଠାରେ ସ୍ଥାପିତ ଓମକାରେଶ୍ୱର ଭାସମାନ ସୌର ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ କାର୍ବନ ନିର୍ଗମନକୁ ହ୍ରାସ କରିବ ଏବଂ ୨୦୭୦ ସୁଦ୍ଧା ନିଟ୍ ଶୂନ୍ୟ କାର୍ବନ ନିର୍ଗମନ ଅଭିଯାନରେ ଯୋଗଦାନ କରିବ । ଏହା ଜଳ ବାଷ୍ପୀକରଣକୁ ହ୍ରାସ କରି ଜଳ ସଂରକ୍ଷଣରେ ମଧ୍ୟ ସହାୟକ ହେବ ।
 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.