‘‘ନାଳନ୍ଦା ଭାରତର ଶୈକ୍ଷିକ ଐତିହ୍ୟ ଓ ଜୀବନ୍ତ ସାଂସ୍କୃତିକ ବିନିମୟର ପ୍ରତୀକ’’
‘‘ନାଳନ୍ଦା କେବଳ ଏକ ନାମ ନୁହେଁ, ବରଂ ନାଳନ୍ଦା ହେଉଛି ଏକ ପରିଚୟ, ଏକ ସମ୍ମାନ, ଏକ ମୂଳଦୁଆ, ଏକ ମନ୍ତ୍ର, ଏକ ଗୌରବ ଏବଂ ଏକ ଗାଥା"
‘‘ଏହି ପୁନରୁଦ୍ଧାର ଭାରତ ପାଇଁ ଏକ ସୁବର୍ଣ୍ଣ ଯୁଗ ଆରମ୍ଭ କରିବାକୁ ଯାଉଛି’’
‘‘ନାଳନ୍ଦା କେବଳ ଭାରତୀୟ ଅତୀତର ପୁନରୁଦ୍ଧାର ନୁହେଁ। ପୃଥିବୀର ଅନେକ ଦେଶ ଏବଂ ଏସିଆର ଐତିହ୍ୟ ଏହା ସହ ଜଡ଼ିତ’’
‘‘ଭାରତ ଶହ ଶହ ବର୍ଷ ଧରି ଏକ ଆଦର୍ଶ ଭାବରେ ରହି ଆସିଛି ଏବଂ ସ୍ଥାୟୀତ୍ବ ପ୍ରଦର୍ଶନ କରିଛି । ଆମେ ପ୍ରଗତି ଓ ପରିବେଶକୁ ଏକାଠି ନେଇ ଆଗେଇ ଚାଲିଛୁ’’
‘‘ମୋର ଲକ୍ଷ୍ୟ ହେଉଛି ଭାରତ ବିଶ୍ୱ ପାଇଁ ଶିକ୍ଷା ଓ ଜ୍ଞାନର କେନ୍ଦ୍ରରେ ପରିଣତ ହେଉ । ମୋର ଲକ୍ଷ୍ୟ ହେଉଛି ଭାରତକୁ ପୁଣି ଥରେ ବିଶ୍ୱର ସବୁଠାରୁ ପ୍ରମୁଖ ଜ୍ଞାନ କେନ୍ଦ୍ର ଭାବରେ ସ୍ୱୀକୃତି ମିଳିବା ଉଚିତ ।’’
‘‘ଭାରତରେ ବିଶ୍ୱର ସବୁଠୁ ବିସ୍ତୃତ ଓ ସ୍ବୟଂସମ୍ପୂର୍ଣ୍ଣ କୌଶଳ ବିକାଶ ବ୍ୟବସ୍ଥା ଏବଂ ସବୁଠୁ ଆଧୁନିକ ଗବେଷଣା ଭିତ୍ତିକ ଉଚ୍ଚ ଶିକ୍ଷା ବ୍ୟବସ୍ଥା ଲାଗି ଆମେ ପ୍ରୟାସ କରୁଛୁ’’
‘‘ମୋର ବିଶ୍ୱାସ ରହିଛି ଯେ ନାଳନ୍ଦା ବୈଶ୍ୱିକ ଉଦ୍ଦେଶ୍ୟ ପୂରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ ହେବ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଗିରଠାରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ଦେଶଗୁଡ଼ିକର ମିଳିତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ସାକାର ରୂପ ନେଇଛି । ଉଦଘାଟନୀ ଉତ୍ସବରେ ୧୭ଟି ଦେଶର ମିଶନ ମୁଖ୍ୟଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ଚାରା ରୋପଣ ମଧ୍ୟ କରିଥିଲେ।

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୧୦ ଦିନ ମଧ୍ୟରେ ନାଳନ୍ଦା ଗସ୍ତକୁ ନେଇ ଶ୍ରୀ ମୋଦୀ ଆନନ୍ଦ ପ୍ରକାଶ କରିବା ସହ ଏହା ଭାରତର ବିକାଶଯାତ୍ରା ଦିଗରେ ଏକ ସକାରାତ୍ମକ ସଙ୍କେତ ବୋଲି ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ‘‘ନାଳନ୍ଦା କେବଳ ଏକ ନାମ ନୁହେଁ, ଏହା ଏକ ପରିଚୟ ଓ ସମ୍ମାନ। ନାଳନ୍ଦା ହେଉଛି ମୂଳ ଆଧାର, ଏହା ହେଉଛି ମନ୍ତ୍ର । ନାଳନ୍ଦା ଏକ ସତ୍ୟର ଘୋଷଣା କରୁଛି ଏବଂ ତାହା ହେଉଛି ନିଆଁରେ ପୁସ୍ତକ ଜଳିଥିଲେ ମଧ୍ୟ ଜ୍ଞାନ ନଷ୍ଟ ହୋଇପାରିବ ନାହିଁ’’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ନୂତନ ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଭାରତର ସୁବର୍ଣ୍ଣ ଯୁଗର ଶୁଭାରମ୍ଭ କରିବ ବୋଲି ସେ ଜୋର ଦେଇ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାଳନ୍ଦାର ପ୍ରାଚୀନ ଭଗ୍ନାବଶେଷ ନିକଟରେ ଏହାର ପୁନରୁଦ୍ଧାର ଭାରତର ସାମର୍ଥ୍ୟକୁ ବିଶ୍ୱ ଆଗରେ ପରିଚିତ କରାଇବ କାରଣ ଏହା ବିଶ୍ୱକୁ କହିବ ଯେ ଦୃଢ଼ ମାନବିକ ମୂଲ୍ୟବୋଧ ଥିବା ରାଷ୍ଟ୍ରମାନେ ଇତିହାସକୁ ପୁନରୁଦ୍ଧାର କରି ଏକ ଉନ୍ନତ ବିଶ୍ୱ ସୃଷ୍ଟି କରିବାକୁ ସକ୍ଷମ ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ନାଲନ୍ଦା ବିଶ୍ୱ, ଏସିଆ ଏବଂ ଅନେକ ଦେଶର ଐତିହ୍ୟକୁ ବହନ କରୁଛି ଏବଂ ଏହାର ପୁନରୁଦ୍ଧାର କେବଳ ଭାରତୀୟତା ଦିଗର ପୁନରୁଦ୍ଧାରରେ ସୀମିତ ନୁହେଁ । ଆଜିର ଉଦଘାଟନୀ ଉତ୍ସବରେ ଏତେ ସଂଖ୍ୟକ ଦେଶର ଉପସ୍ଥିତିରୁ ଏହା ସ୍ପଷ୍ଟ ହେଉଛି ବୋଲି କହି ସେ ନାଳନ୍ଦା ପ୍ରକଳ୍ପରେ ବନ୍ଧୁ ରାଷ୍ଟ୍ରମାନଙ୍କ ଅବଦାନକୁ ସ୍ୱୀକାର କରିଥିଲେ। ନାଳନ୍ଦାରେ ପ୍ରତିଫଳିତ ହେଉଥିବା ଏହାର ଗୌରବ ଫେରାଇ ଆଣିବା ପାଇଁ ବିହାରବାସୀଙ୍କ ସଂକଳ୍ପକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ଏକଦା ନାଳନ୍ଦା ଭାରତର ସଂସ୍କୃତି ଓ ପରମ୍ପରାର ଜୀବନ୍ତ କେନ୍ଦ୍ର ଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ନାଳନ୍ଦାର ଅର୍ଥ ହେଉଛି ଜ୍ଞାନ ଓ ଶିକ୍ଷାର ନିରନ୍ତର ପ୍ରବାହ ଏବଂ ଏହା ହେଉଛି ଶିକ୍ଷା ପ୍ରତି ଭାରତର ଆଭିମୁଖ୍ୟ ଓ ଚିନ୍ତାଧାରା । ଶିକ୍ଷା ସୀମା ଠାରୁ ଊର୍ଦ୍ଧ୍ବରେ । ଏହା ମୂଲ୍ୟବୋଧ ଓ ବିଚାର ସୃଷ୍ଟି କରିବା ସହିତ ଏହାକୁ ଆକାର ଦେଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରିଚୟ ଏବଂ ଜାତୀୟତା ନିର୍ବିଶେଷରେ ନାମ ଲେଖାଇଥିଲେ । ନବନିର୍ମିତ ନାଳନ୍ଦା ବିଶ୍ୱବିଦ୍ୟାଳୟ ପରିସରରେ ସେହି ପ୍ରାଚୀନ ପରମ୍ପରାକୁ ଆଧୁନିକ ରୂପରେ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନାଳନ୍ଦା ବିଶ୍ୱବିଦ୍ୟାଳୟରେ ୨୦ରୁ ଅଧିକ ଦେଶର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ ଏହା ‘ବସୁଧୈବ କୁଟୁମ୍ବକମ୍’ର ଉତ୍ତମ ଉଦାହରଣ ବୋଲି କହିଥିଲେ ।

 

ଶିକ୍ଷାକୁ ମାନବ କଲ୍ୟାଣର ଏକ ଉପକରଣ ଭାବରେ ଗ୍ରହଣ କରିବାର ଭାରତୀୟ ପରମ୍ପରା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଆଗାମୀ ଅନ୍ତର୍ଜାତୀୟ ଯୋଗ ଦିବସ ବିଷୟରେ ଉଲ୍ଲେଖ କରି ସେ କହିଲେ ଯେ, ଯୋଗ ଦିବସ ଏକ ଅନ୍ତର୍ଜାତୀୟ ଉତ୍ସବରେ ପରିଣତ ହୋଇଛି । ଯୋଗର ଏତେ ମାତ୍ରାରେ ବିକାଶ ସତ୍ତ୍ୱେ ଭାରତରେ କେହି ଯୋଗ ଉପରେ ଏକଛତ୍ରବାଦ ପ୍ରକାଶ କରିନାହାଁନ୍ତି । ସେହିଭଳି ଭାରତ ଆୟୁର୍ବେଦକୁ ସମଗ୍ର ବିଶ୍ୱ ସହ ବାଣ୍ଟିଛି ବୋଲି ସେ କହିଥିଲେ । ଦୀର୍ଘସ୍ଥାୟିତ୍ବ ପ୍ରତି ଭାରତର ନିଷ୍ଠା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ, ଭାରତରେ ଆମେ ପ୍ରଗତି ଏବଂ ପରିବେଶକୁ ଏକାଠି କରିଛୁ । ଏହା ଭାରତକୁ ମିଶନ ଲାଇଫ୍‌ ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ପଦକ୍ଷେପ ପ୍ରଦାନ କରିବାକୁ ଅନୁମତି ଦେଇଥିଲା । ସେ କହିଛନ୍ତି ଯେ ନାଲନ୍ଦା କ୍ୟାମ୍ପସ ଏହାର ଅଗ୍ରଣୀ ଅଙ୍ଗାରକାମ୍ଳ ମୁକ୍ତ ଶକ୍ତି, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ, ଜଳ ଅପଚୟ ମୁକ୍ତ ଏବଂ ବର୍ଜ୍ୟମୁକ୍ତ ମଡେଲ ସହିତ ଦୀର୍ଘସ୍ଥାୟୀତ୍ବର ଭାବନାକୁ ଆଗକୁ ବଢ଼ାଇବ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଶିକ୍ଷାର ବିକାଶ ଅର୍ଥନୀତି ଏବଂ ସଂସ୍କୃତିର ଚେରକୁ ଗଭୀର କରିଥାଏ । ବିକଶିତ ଦେଶଗୁଡ଼ିକର ବୈଶ୍ୱିକ ଅଭିଜ୍ଞତା ଓ ଅନୁଭୂତିରୁ ଏହା ପ୍ରମାଣିତ ହେଉଛି। ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ରେ ପରିଣତ ହେବା ଲକ୍ଷ୍ୟ ରେ କାର୍ଯ୍ୟ କରୁଥିବା ଭାରତ ଏହାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ମୋର ଲକ୍ଷ୍ୟ ହେଉଛି ଭାରତ ବିଶ୍ୱ ପାଇଁ ଶିକ୍ଷା ଓ ଜ୍ଞାନର କେନ୍ଦ୍ର ରେ ପରିଣତ ହେଉ । ମୋର ଲକ୍ଷ୍ୟ ହେଉଛି ଭାରତକୁ ପୁଣି ଥରେ ବିଶ୍ୱର ସବୁଠାରୁ ପ୍ରମୁଖ ଜ୍ଞାନ କେନ୍ଦ୍ର ଭାବରେ ସ୍ୱୀକୃତି ମିଳିବା ଉଚିତ ।’’ ଏକ କୋଟିରୁ ଅଧିକ ପିଲାଙ୍କ ପାଇଁ ଅଟଳ ଟିଙ୍କରିଂ ଲ୍ୟାବ୍, ଚନ୍ଦ୍ରଯାନ ଏବଂ ଗଗନଯାନ ଦ୍ୱାରା ସୃଷ୍ଟି ହୋଇଥିବା ବିଜ୍ଞାନ ପ୍ରତି ଆଗ୍ରହ ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ରେକର୍ଡ ସଂଖ୍ୟକ ପେଟେଣ୍ଟ ଏବଂ ଗବେଷଣା ପତ୍ର ଦାଖଲ ଏବଂ ୧ ଲକ୍ଷ କୋଟି ଟଙ୍କାର ଗବେଷଣା ପାଣ୍ଠି ବ୍ୟବସ୍ଥା।

 

ପ୍ରଧାନମନ୍ତ୍ରୀ ବିଶ୍ୱର ସବୁଠାରୁ ଉନ୍ନତ ଗବେଷଣା ଭିତ୍ତିକ ଉଚ୍ଚଶିକ୍ଷା ବ୍ୟବସ୍ଥା ସହିତ ସବୁଠାରୁ ବ୍ୟାପକ ଏବଂ ସମ୍ପୂର୍ଣ୍ଣ ଦକ୍ଷତା ବିକାଶ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ବିଶ୍ୱ ମାନ୍ୟତାରେ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକର ଉନ୍ନତ ପ୍ରଦର୍ଶନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ବିଗତ ୧୦ ବର୍ଷ ମଧ୍ୟରେ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସାମ୍ପ୍ରତିକ ଉପଲବ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତୀୟ ଶିକ୍ଷାନୁଷ୍ଠାନ ସଂଖ୍ୟା କ୍ୟୁଏସ୍ ରେଙ୍କିଙ୍ଗରେ ୯ରୁ ୪୬ ଏବଂ ଟାଇମ୍ସ ହାୟର ଏଜୁକେସନ ଇମ୍ପାକ୍ଟ ରେଙ୍କିଙ୍ଗରେ ୧୩ରୁ ୧୦୦କୁ ବୃଦ୍ଧି ପାଇଛି । ବିଗତ ୧୦ ବର୍ଷ ମଧ୍ୟରେ ଭାରତରେ ପ୍ରତି ସପ୍ତାହରେ ଗୋଟିଏ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି, ପ୍ରତିଦିନ ଗୋଟିଏ ନୂଆ ଆଇଟିଆଇ ପ୍ରତିଷ୍ଠା ହୋଇଛି, ପ୍ରତି ତିନି ଦିନରେ ଗୋଟିଏ ଅଟଳ ଟିଙ୍କରିଂ ଲ୍ୟାବ ଖୋଲାଯାଇଛି ଏବଂ ପ୍ରତିଦିନ ଦୁଇଟି ନୂତନ କଲେଜ ପ୍ରତିଷ୍ଠା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଆଜି ୨୩ଟି ଆଇଆଇଟି ରହିଛି, ଆଇଆଇଏମ୍ ସଂଖ୍ୟା ୧୩ରୁ ୨୧କୁ ବୃଦ୍ଧି ପାଇଛି ଏବଂ ଏମ୍ସ ସଂଖ୍ୟା ପ୍ରାୟ ତିନି ଗୁଣ ବୃଦ୍ଧି ପାଇ ୨୨ରେ ପହଞ୍ଚିଛି। ‘‘୧୦ ବର୍ଷ ମଧ୍ୟରେ ମେଡିକାଲ କଲେଜ ସଂଖ୍ୟା ମଧ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଛି’’, ବୋଲି ସେ କହିଥିଲେ। ଶିକ୍ଷା କ୍ଷେତ୍ରରେ ସଂସ୍କାର ବିଷୟରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ ନୂତନ ଶିକ୍ଷାନୀତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଏହା ଭାରତର ଯୁବବର୍ଗଙ୍କ ସ୍ୱପ୍ନକୁ ଏକ ନୂତନ ଦିଗ ଦେଇଛି । ଭାରତୀୟ ଏବଂ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକର ସହଯୋଗ ଏବଂ ଡିକିନ୍ ଏବଂ ଓଲଙ୍ଗୋଙ୍ଗ ଭଳି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଖୋଲିବା ବିଷୟରେ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଏସବୁ ପ୍ରୟାସ ଦ୍ୱାରା ଭାରତୀୟ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ହାସଲ କରୁଛନ୍ତି। ଏହା ମଧ୍ୟ ଆମର ମଧ୍ୟବିତ୍ତଙ୍କ ପାଇଁ ଅର୍ଥ ସଞ୍ଚୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ନିକଟରେ ପ୍ରମୁଖ ଭାରତୀୟ ଅନୁଷ୍ଠାନଗୁଡ଼ିକର ଗ୍ଲୋବାଲ କ୍ୟାମ୍ପସ୍ ଖୋଲିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନାଲନ୍ଦା ପାଇଁ ସମାନ ଆଶା ବ୍ୟକ୍ତ କରିଥିଲେ ।

 

ଭାରତର ଯୁବବର୍ଗଙ୍କ ଉପରେ ବିଶ୍ୱର ନଜର ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ‘‘ଭାରତ ହେଉଛି ଭଗବାନ ବୁଦ୍ଧଙ୍କ ଦେଶ ଏବଂ ଗଣତନ୍ତ୍ରର ଜନନୀ । ସାରା ଦୁନିଆ ଆଜି ଭାରତ ସହ କାନ୍ଧରେ କାନ୍ଧ ମିଳାଇ ଚାଲିବାକୁ ଚାହୁଁଛି", ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଯେତେବେଳେ ଭାରତ ‘ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ’ କଥା କହୁଛି, ସେତେବେଳେ ବିଶ୍ୱ ଏହା ସହିତ ଛିଡ଼ା ହୋଇଛି। ଭାରତ ଯେତେବେଳେ ‘ଏକ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରିଡ୍’ କଥା କହୁଛି, ସେତେବେଳେ ଏହାକୁ ବିଶ୍ୱ ପାଇଁ ଭବିଷ୍ୟତର ମାର୍ଗ ବୋଲି ବିବେଚନା କରାଯାଉଛି । ଭାରତ ଯେତେବେଳେ ‘ଏକ ବିଶ୍ୱ ଏକ ସ୍ୱାସ୍ଥ୍ୟ’ ବିଷୟରେ କହୁଛି, ସେତେବେଳେ ବିଶ୍ୱ ଏହାର ମତକୁ ସମ୍ମାନ ଦେଉଛି ଓ ଗ୍ରହଣ କରୁଛି। ନାଳନ୍ଦା ମାଟି ବିଶ୍ୱ ଭାଇଚାରାର ଏହି ଭାବନାକୁ ଏକ ନୂଆ ଦିଗ ଦେଇପାରିବ । ତେଣୁ ନାଳନ୍ଦାର ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ଆହୁରି ଅଧିକ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ନାଳନ୍ଦାର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଭାରତର ଭବିଷ୍ୟତ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ଅମୃତ କାଳର ଆଗାମୀ ୨୫ ବର୍ଷର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହା ସହ ନାଳନ୍ଦାର 'ନାଳନ୍ଦା ମାର୍ଗ' ଏବଂ ମୂଲ୍ୟବୋଧକୁ ସାଙ୍ଗରେ ନେବାକୁ ଆହ୍ୱାନ ଦେଇଥିଲେ । ଶ୍ରୀ ମୋଦୀ ସେମାନଙ୍କୁ ଅନୁସନ୍ଧିତ୍ସୁ, ସାହସୀ, ଏବଂ ସର୍ବୋପରି ନାଳନ୍ଦାର ମୂଳ ବାର୍ତ୍ତା ଦୟଳୁ ହେବାକୁ ପରାମର୍ଶ ଦେବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ସେମାନଙ୍କୁ କହିଥିଲେ ।

 

ନାଳନ୍ଦାର ଜ୍ଞାନ ମାନବ ଜାତିକୁ ଦିଗଦର୍ଶନ ଦେବ ଏବଂ ଆଗାମୀ ଦିନରେ ଯୁବପିଢ଼ି ସମଗ୍ର ବିଶ୍ୱର ନେତୃତ୍ୱ ନେବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ । ‘‘ମୁଁ ବିଶ୍ୱାସ କରେ ଯେ ନାଲନ୍ଦା ବିଶ୍ୱ ଉଦ୍ଦେଶ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ରେ ପରିଣତ ହେବ’’, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ।

ଏହି ଅବସରରେ ବିହାର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର, ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ସୁବ୍ରମଣ୍ୟମ ଜୟଶଙ୍କର, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟା, ବିହାରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ କୁମାର ସିହ୍ନା ଓ ଶ୍ରୀ ସମ୍ରାଟ ଚୌଧୁରୀ, ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଅରବିନ୍ଦ ପନଗରିଆ ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଭୟ କୁମାର ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

 

ନାଳନ୍ଦା ବିଶ୍ୱବିଦ୍ୟାଳୟ

ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୪୦ଟି ଶ୍ରେଣୀଗୃହ ସହିତ ଦୁଇଟି ଶିକ୍ଷା ବ୍ଲକ ରହିଛି ଯେଉଁଥିରେ ମୋଟ ୧୯୦୦ ଲୋକ ବସିବାର କ୍ଷମତା ରହିଛି । ଏଥିରେ ୩୦୦ ଆସନ ବିଶିଷ୍ଟ ଦୁଇଟି ଅଡିଟୋରିୟମ୍, ପାଖାପାଖି ୫୫୦ ଛାତ୍ରଛାତ୍ରୀଙ୍କ କ୍ଷମତା ବିଶିଷ୍ଟ ଏକ ଛାତ୍ରବାସ ଏବଂ ଏକ ଅନ୍ତର୍ଜାତୀୟ କେନ୍ଦ୍ର, ୨୦୦୦ ଲୋକଙ୍କ ବସିବା ପାଇଁ ଏକ ଆମ୍ଫିଥିଏଟର, ଏକ ଫେକଲ୍ଟି କ୍ଲବ୍ ଏବଂ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ସମେତ ଅନ୍ୟାନ୍ୟ ସୁବିଧା ରହିଛି।

ଏହି କ୍ୟାମ୍ପସ ହେଉଛି ଏକ ଅଙ୍ଗାରକାମ୍ଳ ଓ ବର୍ଜ୍ୟ ମୁକ୍ତ ସବୁଜ କ୍ୟାମ୍ପସ। ସୌର ପ୍ଲାଣ୍ଟ, ଘରୋଇ ଓ ପାନୀୟ ଜଳ ବିଶୋଧନ ପ୍ଲାଣ୍ଟ, ବର୍ଜ୍ୟ ଜଳର ପୁନଃବ୍ୟବହାର ପାଇଁ ଜଳ ପୁନଃଚକ୍ରଣ ପ୍ଲାଣ୍ଟ, ୧୦୦ ଏକର ବିଶିଷ୍ଟ ଜଳାଶୟ ଏବଂ ଅନ୍ୟାନ୍ୟ ପରିବେଶ ଅନୁକୂଳ ସୁବିଧା ସହିତ ଏହା ଆତ୍ମନିର୍ଭରଶୀଳ ହୋଇପାରିଛି ।

 

ବିଶ୍ୱବିଦ୍ୟାଳୟର ଇତିହାସ ସହ ଗଭୀର ସମ୍ପର୍କ ରହିଛି । ପ୍ରାୟ ୧୬୦୦ ବର୍ଷ ପୂର୍ବେ ସ୍ଥାପିତ ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟ ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ଭାବେ ବିବେଚନା କରାଯାଏ । ୨୦୧୬ରେ ନାଳନ୍ଦାର ଭଗ୍ନାବଶେଷକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା।

 

Click here to read full text speech

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour