ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନ୍‌ର ଶୁଭାରମ୍ଭ
ସାବରମତୀ ଆଶ୍ରମ ବାପୁଙ୍କ ସତ୍ୟ ଓ ଅହିଂସା ମୂଲ୍ୟବୋଧ, ରାଷ୍ଟ୍ରସେବା ଓ ବଞ୍ଚିତମାନଙ୍କ ସେବାରେ ଭଗବାନଙ୍କ ସେବାକୁ ବଞ୍ଚାଇ ରଖିଛି
"ଅମୃତ ମହୋତ୍ସବ ଭାରତ ପାଇଁ ଅମୃତ କାଳରେ ପ୍ରବେଶ କରିବା ନିମନ୍ତେ ଏକ ପ୍ରବେଶ ଦ୍ୱାର ସୃଷ୍ଟି କରିଛି"
ଯେଉଁ ଦେଶ ନିଜର ଐତିହ୍ୟକୁ ସଂରକ୍ଷଣ କରିବାରେ ସକ୍ଷମ ନୁହେଁ, ସେ ତା'ର ଭବିଷ୍ୟତକୁ ହରାଇ ଦେଇଥାଏ । ବାପୁଙ୍କ ସାବରମତୀ ଆଶ୍ରମ କେବଳ ଦେଶ ନୁହେଁ ମାନବିକତାର ଐତିହ୍ୟ
ଗୁଜରାଟ ସମଗ୍ର ଦେଶକୁ ଐତିହ୍ୟକୁ କିପରି ସଂରକ୍ଷଣ କରାଯାଏ ତାର ବାଟ ଦେଖାଇଛି
ଆଜି ଯେତେବେଳେ ଭାରତ ବିକାଶର ସଂକଳ୍ପ ନେଇ ଆଗକୁ ବଢ଼ୁଛି, ମହାତ୍ମା ଗାନ୍ଧୀଙ୍କ ଏହି ପବିତ୍ର ସ୍ଥଳୀ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାବରମତୀ ଆଶ୍ରମ ଗସ୍ତ କରି କୋଚରବ ଆଶ୍ରମର ଉଦଘାଟନ କରିବା ସହ ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ହୃଦୟ କୁଞ୍ଜ ଯାଇଥିଲେ । ସେ ପ୍ରଦର୍ଶନୀକୁ ଚାଲି ଚାଲି ଦେଖିବା ସହିତ ଏକ ଚାରା ରୋପଣ କରିଥିଲେ । 

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ସାବରମତୀ ଆଶ୍ରମ ସର୍ବଦା ଅତୁଳନୀୟ ଶକ୍ତିର ଏକ ଜୀବନ୍ତ କେନ୍ଦ୍ର ହୋଇ ରହିଆସିଛି ଏବଂ ଆମେ ନିଜ ଭିତରେ ବାପୁଙ୍କ ପ୍ରେରଣା ଅନୁଭବ କରୁଛୁ । ସାବରମତୀ ଆଶ୍ରମ ବାପୁଙ୍କ ସତ୍ୟ ଓ ଅହିଂସାର ମୂଲ୍ୟବୋଧ, ରାଷ୍ଟ୍ର ସେବା ଏବଂ ବଞ୍ଚିତମାନଙ୍କ ସେବାରେ ଭଗବାନଙ୍କ ସେବାକୁ ଜୀବନ୍ତ ରଖିଛି । ସାବରମତୀ ଆସିବା ପୂର୍ବରୁ  ଗାନ୍ଧିଜୀ ରହୁଥିବା କୋଚରବ ଆଶ୍ରମରେ ଗାନ୍ଧୀଜୀ ବିତାଇଥିବା ସମୟ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ପୁନଃବିକଶିତ କୋଚରବ ଆଶ୍ରମ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଛି । ପ୍ରଧାନମନ୍ତ୍ରୀ ପୁଜ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆଜିର ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ ପ୍ରକଳ୍ପ ପାଇଁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

ଆଜି ଭଳି ଅନେକ ବର୍ଷ ପୂର୍ବେ  ମାର୍ଚ୍ଚ ୧୨ ତାରିଖରେ ପୂଜ୍ୟ ବାପୁ ଦାଣ୍ଡି ଯାତ୍ରାର ଶୁଭାରମ୍ଭ କରିଥିଲେ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ଏହି ଦିନଟିକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଐତିହାସିକ ଦିନ ସ୍ୱାଧୀନ ଭାରତରେ ଏକ ନୂତନ ଯୁଗର ଆରମ୍ଭର ସାକ୍ଷୀ । ଦେଶ ମାର୍ଚ୍ଚ ୧୨ ତାରିଖରେ ସାବରମତୀ ଆଶ୍ରମରୁ ଆଜାଦୀ କା ଅମୃତ ମହୋତ୍ସବ ଆରମ୍ଭ କରିଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ , ଏହି କାର୍ଯ୍ୟକ୍ରମ ଭୂମିର ବଳିଦାନକୁ ମନେ ପକାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । " ଅମୃତ କାଳରେ ପ୍ରବେଶ କରିବା ପାଇଁ ଅମୃତ ମହୋତ୍ସବ ଭାରତ ନିମନ୍ତେ ଏକ ପ୍ରବେଶ ଦ୍ୱାର ସୃଷ୍ଟି କରିଛି\" ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ ଏହା ଭାରତର ସ୍ୱାଧୀନତା ସମୟରେ ଦେଖାଯାଇଥିବା ପରି ନାଗରିକମାନଙ୍କ ମଧ୍ୟରେ ଏକତାର ବାତାବରଣ ସୃଷ୍ଟି କରିଛି । ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ବିଶ୍ୱାସର ପ୍ରଭାବ ଏବଂ ଅମୃତ ମହୋତ୍ସବର ପରିସର ଉପରେ ଆଲୋକପାତ କରିଥିଲେ । ଆଜାଦୀ କା ଅମୃତ କାଳ କାର୍ଯ୍ୟକ୍ରମରେ ୩ କୋଟିରୁ ଅଧିକ ଲୋକ ପଞ୍ଚ ପ୍ରାଣର ଶପଥ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ୨ କୋଟିରୁ ଅଧିକ ବୃକ୍ଷରୋପଣ କରାଯିବା ସହିତ ୨ ଲକ୍ଷରୁ ଅଧିକ ଅମୃତ ବାଟିକାର ବିକାଶ, ଜଳ ସଂରକ୍ଷଣ ଦିଗରେ ୭୦ ହଜାରରୁ ଅଧିକ ଅମୃତ ସରୋବର ନିର୍ମାଣ, ଜାତୀୟ ଭକ୍ତିର ଅଭିବ୍ୟକ୍ତି ପାଲଟିଥିବା ହର ଘର ତିରଙ୍ଗା ଅଭିଯାନ ଏବଂ ମେରି ମାଟି ମେରା ଦେଶ ଅଭିଯାନ ବିଷୟରେ ସେ ସୂଚନା ଦେଇଥିଲେ ଯେଉଁଠାରେ ନାଗରିକମାନେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାବରମତୀ ଆଶ୍ରମକୁ ବିକଶିତ ଭାରତର ସଂକଳ୍ପର ତୀର୍ଥସ୍ଥଳୀରେ ପରିଣତ କରିବା ପାଇଁ ଅମୃତ କାଳ ସମୟରେ ୨ ଲକ୍ଷରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ରାଷ୍ଟ୍ର ନିଜର ଐତିହ୍ୟକୁ ସଂରକ୍ଷଣ କରିବାରେ ସକ୍ଷମ ନୁହେଁ, ସେହି ରାଷ୍ଟ୍ର ନିଜର ଭବିଷ୍ୟତ ମଧ୍ୟ ହରାଇଥାଏ । ବାପୁଙ୍କ ସାବରମତୀ ଆଶ୍ରମ କେବଳ ଦେଶର ଐତିହ୍ୟ ନୁହେଁ , ମାନବିକତାର ଐତିହ୍ୟ । ଏହି ଅମୂଲ୍ୟ ଐତିହ୍ୟ ପ୍ରତି ଦୀର୍ଘ ଦିନ ଧରି ଅବହେଳାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଆଶ୍ରମର ଆକାର ୧୨୦ ଏକରରୁ ୫ ଏକରକୁ ହ୍ରାସ ପାଇଥିବା କଥା ଉଲ୍ଲେଖ କରି କହିଥିଲେ ଯେ ୬୩ଟି କୋଠା ମଧ୍ୟରୁ ମାତ୍ର ୩୬ଟି କୋଠା ବାକି ରହିଛି ଏବଂ ପର୍ଯ୍ୟଟକଙ୍କ ପାଇଁ ମାତ୍ର ୩ଟି କୋଠା ଖୋଲା ରହିଛି । ସ୍ୱାଧୀନତା ସଂଗ୍ରାମରେ ଆଶ୍ରମର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଏହାକୁ ସଂରକ୍ଷିତ ରଖିବା ସମସ୍ତ ୧୪୦ କୋଟି ଭାରତୀୟଙ୍କ ଦାୟିତ୍ୱ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

 

ଆଶ୍ରମର ୫୫ ଏକର ଜମି ଫେରାଇ ଆଣିବାରେ ଆଶ୍ରମ ବାସିନ୍ଦାଙ୍କ ସହଯୋଗକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ । ଆଶ୍ରମର ସମସ୍ତ କୋଠାକୁ ମୂଳ ରୂପରେ ସଂରକ୍ଷଣ କରିବାକୁ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଥିଲେ ।

ଏଭଳି ସ୍ମାରକୀଗୁଡ଼ିକ ଦୀର୍ଘ ଦିନ ଧରି ଅବହେଳିତ ହୋଇ ରହିବା ପାଇଁ ଇଚ୍ଛାଶକ୍ତିର ଅଭାବ, ଔପନିବେଶିକ ମାନସିକତା ଏବଂ ତୁଷ୍ଟୀକରଣ ନୀତିକୁ ପ୍ରଧାନମନ୍ତ୍ରୀ ଦାୟୀ କରିଥିଲେ । ସେ କାଶୀ ବିଶ୍ୱନାଥ ଧାମର ଏକ ଉଦାହରଣ ଦେଇଥିଲେ ଯେଉଁଠାରେ ଲୋକମାନେ ସହଯୋଗ କରିଥିଲେ ଏବଂ ଭକ୍ତମାନଙ୍କ ନିମନ୍ତେ ସୁବିଧା ସୃଷ୍ଟି କରିବା ପାଇଁ ପ୍ରକଳ୍ପ ନିମନ୍ତେ ୧୨ ଏକର ଜମି ବାହାରିଥିଲା ଯାହାଫଳରେ କାଶୀ ବିଶ୍ୱନାଥ ଧାମର ପୁନଃନିର୍ମାଣ ପରେ ୧୨ କୋଟି ତୀର୍ଥଯାତ୍ରୀଙ୍କ ଆଗମନ ହୋଇଥିଲା । ସେହିପରି ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ସମ୍ପ୍ରସାରଣ ପାଇଁ ୨୦୦ ଏକର ଜମିକୁ ମୁକ୍ତ କରାଯାଇଛି । ସେଠାକୁ ମଧ୍ୟ ଗତ ୫୦ ଦିନ ମଧ୍ୟରେ ୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗୁଜରାଟ ସମଗ୍ର ଦେଶକୁ କିପରି ଐତିହ୍ୟ ସଂରକ୍ଷଣ କରାଯାଏ ତାହାର ବାଟ ଦେଖାଇଛି । ସର୍ଦ୍ଦାର ପଟେଲଙ୍କ ନେତୃତ୍ୱରେ ସୋମନାଥର ପୁନରୁଦ୍ଧାର ଏକ ଐତିହାସିକ ଘଟଣା ବୋଲି ସେ ଉଲ୍ଲେଖ କରିଥିଲେ । ଅହମ୍ମଦାବାଦ ସହର ସହ ଚମ୍ପାନେର ଓ ଧୋଲାବିରା, ଲୋଥାଲ, ଗିରନାର, ପାୱାଗଡ଼, ମୋଧେରା ଓ ଅମ୍ବାଜୀ ସହରକୁ ବିଶ୍ୱ ଐତିହ୍ୟ ସହର ଭାବେ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି ।

ଭାରତର ସ୍ୱାଧୀନତା ସଂଗ୍ରାମ ସହ ଜଡିତ ଐତିହ୍ୟର ପୁନରୁଦ୍ଧାର ପାଇଁ ବିକାଶ ଅଭିଯାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କର୍ତ୍ତବ୍ୟ ପଥ ଭାବରେ ରାଜପଥର ପୁନଃନିର୍ମାଣ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସ୍ୱାଧୀନତା ସହ ଜଡିତ ସ୍ଥାନର ବିକାଶ, 'ପଞ୍ଚ ତୀର୍ଥ' ଆକାରରେ ବି. ଆର୍‌.  ଆମ୍ବେଦକରଙ୍କ ସହ ଜଡିତ ସ୍ଥାନ , ଏକତାନଗରରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଉନ୍ମୋଚନ ଓ ଦାଣ୍ଡିର ରୂପାନ୍ତର ଇତ୍ୟାଦି ବିକାଶମୂଳକ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ ।  ସାବରମତୀ ଆଶ୍ରମର ପୁନରୁଦ୍ଧାର ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

 

ଭବିଷ୍ୟତ ପିଢ଼ି ଏବଂ ସାବରମତୀ ଆଶ୍ରମକୁ ଆସୁଥିବା ଲୋକମାନେ ଚରଖାର ଶକ୍ତି ଏବଂ ଏକ ବିପ୍ଳବକୁ ଜନ୍ମ ଦେବାର ଏହାର କ୍ଷମତାରୁ ପ୍ରେରଣା ପାଇବେ । ଶତାବ୍ଦୀର ଦାସତ୍ୱ ଯୋଗୁଁ ନିରାଶାର ଶିକାର ହେଉଥିବା ଏକ ରାଷ୍ଟ୍ର ପ୍ରତି ବାପୁ ଆଶା ଓ ବିଶ୍ୱାସ ଭରି ଦେଇଥିଲେ ବୋଲି ସେ କହିଥିଲେ । ବାପୁଙ୍କ ଦୂରଦୃଷ୍ଟି ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗ ଦର୍ଶାଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଗ୍ରାମୀଣ ଗରିବଙ୍କ କଲ୍ୟାଣକୁ ପ୍ରାଥମିକତା ଦେଉଛନ୍ତି ଏବଂ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆତ୍ମନିର୍ଭରତା ଏବଂ ସ୍ୱଦେଶୀ ଆଦର୍ଶକୁ ଅନୁସରଣ କରି ଆତ୍ମନିର୍ଭର ଭାରତ ଅଭିଯାନ ଚଳାଇଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରାକୃତିକ ଚାଷ ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ସୂଚନା ଦେଇଥିଲେ ଯେ ଗୁଜରାଟର ୯ ଲକ୍ଷ କୃଷକ ପରିବାର ପ୍ରାକୃତିକ ଚାଷକୁ ଗ୍ରହଣ କରିଛନ୍ତି ଯାହା ଫଳରେ ୩ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ବ୍ୟବହାର ହ୍ରାସ ପାଇଛି । ଆଧୁନିକ ରୂପରେ ପୂର୍ବପୁରୁଷଙ୍କ ଦ୍ୱାରା ଛାଡି ଯାଇଥିବା ଆଦର୍ଶକୁ ଅନୁସରଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ଗ୍ରାମୀଣ ଗରିବ ଲୋକମାନଙ୍କର ଜୀବିକାକୁ ପ୍ରାଥମିକତା ଦେବା ଏବଂ ଆତ୍ମନିର୍ଭର ଅଭିଯାନ ପାଇଁ ଖଦି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉପରେ ଆଲୋକପାତ କରିଥିଲେ ।

ଗ୍ରାମର ସଶକ୍ତିକରଣ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାପୁଙ୍କ ଗ୍ରାମ ସ୍ୱରାଜ ପରିକଳ୍ପନା ଜୀବନ୍ତ ହେଉଛି । ସେ ମହିଳା ମାନଙ୍କର ବୃଦ୍ଧି ପାଉଥିବା ଭୂମିକା ବିଷୟରେ ଉଲ୍ଲେଖ କରି କହିଥିଲେ, ସ୍ୱୟଂ ସହାୟକ ଗୋଷ୍ଠୀ ହୁଅନ୍ତୁ, ୧ କୋଟିରୁ ଅଧିକ ଲକ୍ଷପତି ଦିଦି ହୁଅନ୍ତୁ, କିମ୍ବା ମହିଳାମାନେ ଡ୍ରୋନ୍ ପାଇଲଟ ହେବାକୁ ପ୍ରସ୍ତୁତ ହେବା ଭଳି ପରିବର୍ତ୍ତନ ଏକ ଶକ୍ତିଶାଳୀ ଭାରତର ଉଦାହରଣ ଏବଂ ଏକ ସର୍ବାଙ୍ଗୀନ ଭାରତର ଚିତ୍ର ମଧ୍ୟ ।

 

ସରକାରଙ୍କ ପ୍ରୟାସ ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟତାରୁ ମୁକୁଳିଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ମହାକାଶ କ୍ଷେତ୍ରରେ ଭାରତର ସାମ୍ପ୍ରତିକ ସଫଳତା ବିଷୟରେ ମଧ୍ୟ ଆଲୋକପାତ କରିଥିଲେ । ଆଜି ଯେତେବେଳେ ଭାରତ ବିକାଶର ସଂକଳ୍ପ ନେଇ ଆଗକୁ ବଢ଼ୁଛି, ମହାତ୍ମା ଗାନ୍ଧୀଙ୍କ ଏହି ପୀଠ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା । ତେଣୁ ସାବରମତୀ ଆଶ୍ରମ ଓ କୋଚରବ ଆଶ୍ରମର ବିକାଶ କେବଳ ଐତିହାସିକ ସ୍ଥାନର ବିକାଶ ନୁହେଁ । ଏହା ଏକ ବିକଶିତ ଭାରତର ସଂକଳ୍ପ ଏବଂ ପ୍ରେରଣା ଉପରେ ଆମର ବିଶ୍ୱାସକୁ ମଧ୍ୟ ଦୃଢ଼ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବାପୁଙ୍କ ଆଦର୍ଶ ଓ ତାଙ୍କ ସହ ଜଡ଼ିତ ପ୍ରେରଣାଦାୟକ ସ୍ଥାନ ଗୁଡ଼ିକ ଦେଶ ନିର୍ମାଣ ଯାତ୍ରାରେ ଆମକୁ ମାର୍ଗଦର୍ଶନ କରିବା ଜାରି ରଖିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଅହମ୍ମଦାବାଦ ଏକ ଐତିହ୍ୟ ସହର ହୋଇଥିବାରୁ ଗାଇଡ୍ ମାନଙ୍କ ପାଇଁ ଏକ ପ୍ରତିଯୋଗିତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାର ଏବଂ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍କୁ ଆହ୍ୱାନ କରିଥିଲେ ଏବଂ ପ୍ରତିଦିନ ଅତି କମରେ ୧୦୦୦ ଛାତ୍ରଛାତ୍ରୀଙ୍କୁ ସାବରମତୀ ଆଶ୍ରମକୁ ନେବା ଏବଂ ସମୟ ବିତାଇବାକୁ ବିଦ୍ୟାଳୟଗୁଡ଼ିକୁ ଅନୁରୋଧ କରିଥିଲେ । "ଏହା ଆମକୁ କୌଣସି ଅତିରିକ୍ତ ବଜେଟ୍‌ର ଆବଶ୍ୟକତା ନଥାଇ ମୁହୂର୍ତ୍ତଗୁଡ଼ିକୁ ପୁନଃଜୀବିତ କରିବାକୁ ଅନୁମତି ଦେବ" । ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିବା ଦ୍ୱାରା , ଏହା ଦେଶର ବିକାଶ ଯାତ୍ରାକୁ ଶକ୍ତି ପ୍ରଦାନ କରିବ ।

ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ପୁନଃବିକଶିତ କୋଚରବ ଆଶ୍ରମକୁ ଉଦଘାଟନ କରିଥିଲେ । ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବା ପରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସ୍ଥାପିତ ଏହା ପ୍ରଥମ ଆଶ୍ରମ ଥିଲା । ଗୁଜରାଟ ବିଦ୍ୟାପୀଠ ଦ୍ୱାରା ଏହାକୁ ଏକ ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳ ଭାବରେ ସଂରକ୍ଷିତ ରଖାଯାଇଛି । ପ୍ରଧାନମନ୍ତ୍ରୀ ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନ ମଧ୍ୟ ଉନ୍ମୋଚନ କରିଥିଲେ ।

 

ମହାତ୍ମା ଗାନ୍ଧୀ ଯେଉଁ ଆଦର୍ଶକୁ ନେଇ ଦୃଢ଼ତା ପ୍ରଦର୍ଶନ କରିଥିଲେ, ତାହାକୁ ବଜାୟ ରଖିବା ଏବଂ ତାଙ୍କ ଆଦର୍ଶକୁ ପ୍ରଦର୍ଶିତ କରିବା ଏବଂ ତାଙ୍କୁ ଲୋକଙ୍କ ନିକଟତର କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଆସିଛି । ଏହି ପ୍ରୟାସରେ ଗାନ୍ଧୀ ଆଶ୍ରମ ସ୍ମାରକୀ ପ୍ରକଳ୍ପ ମହାତ୍ମା ଗାନ୍ଧୀଙ୍କ ଶିକ୍ଷା ଓ ଦର୍ଶନକୁ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ପୁନର୍ଜୀବିତ କରିବାରେ ସହାୟକ ହେବ । ଏହି ମାଷ୍ଟରପ୍ଲାନ୍ ଅଧୀନରେ ଆଶ୍ରମର ବର୍ତ୍ତମାନର ୫ ଏକର ଜମିକୁ ୫୫ ଏକରକୁ ବୃଦ୍ଧି କରାଯିବ । ୩୬ଟି ବିଦ୍ୟମାନ କୋଠାର ପୁନରୁଦ୍ଧାର କରାଯିବ, ସେଥିମଧ୍ୟରୁ ଗାନ୍ଧୀଙ୍କ ବାସଭବନ ଭାବେ କାର୍ଯ୍ୟ କରୁଥିବା 'ହୃଦୟ କୁଞ୍ଜ' ସମେତ ୨୦ଟି କୋଠାର ସଂରକ୍ଷଣ କରାଯିବ, ୧୩ଟିର ପୁନରୁଦ୍ଧାର କରାଯିବ ଏବଂ ୩ଟି ପୁନଃନିର୍ମାଣ କରାଯିବ ।

 

ଏହି ମାଷ୍ଟରପ୍ଲାନରେ ନୂତନ କୋଠା ଠାରୁ ଆରମ୍ଭ କରି ପ୍ରଶାସନିକ ସୁବିଧା, ଓରିଏଣ୍ଟେସନ ସେଣ୍ଟର ଭଳି ପର୍ଯ୍ୟଟକ ସୁବିଧା, ଚରଖା ବୁଣା ଉପରେ ଭାବବିନିମୟ କର୍ମଶାଳା, ହାତ ତିଆରି କାଗଜ, କପା ବୁଣା ଓ ଚମଡ଼ା କାମ ଏବଂ ଜନସେବା ସୁବିଧା ରହିଛି । ଏହି କୋଠା ଗୁଡ଼ିକରେ ଗାନ୍ଧିଜୀଙ୍କ ଜୀବନର ଦିଗ ତଥା ଆଶ୍ରମର ପରମ୍ପରାକୁ ପ୍ରଦର୍ଶିତ କରିବା ପାଇଁ ଆକର୍ଷଣୀୟ ପ୍ରଦର୍ଶନୀ ଏବଂ କାର୍ଯ୍ୟକଳାପ ରହିବ ।

ଗାନ୍ଧିଜୀଙ୍କ ବିଚାରର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରସାର ପାଇଁ ଏକ ପାଠାଗାର ଏବଂ ଅଭିଲେଖାଗାର କୋଠା ନିର୍ମାଣ କରିବାକୁ ମଧ୍ୟ ମାଷ୍ଟରପ୍ଲାନ୍‌ରେ ପରିକଳ୍ପନା କରାଯାଇଛି । ଏହା ଦ୍ୱାରା ଆଶ୍ରମର ପାଠାଗାର ଓ ଅଭିଲେଖାଗାରକୁ ବ୍ୟବହାର କରିବା ପାଇଁ ବୁଲିବାକୁ ଆସିଥିବା ବିଦ୍ୱାନ ମାନଙ୍କ ପାଇଁ ସୁବିଧା ମଧ୍ୟ ସୃଷ୍ଟି ହେବ । ଏହି ପ୍ରକଳ୍ପ ଏକ ବ୍ୟାଖ୍ୟା କେନ୍ଦ୍ର ନିର୍ମାଣ କରିବାରେ ସକ୍ଷମ ହେବ ଯାହା ପର୍ଯ୍ୟଟକମାନଙ୍କୁ ବିଭିନ୍ନ ଆଶା ଏବଂ ଏକାଧିକ ଭାଷାରେ ମାର୍ଗଦର୍ଶନ କରିପାରିବ ଏବଂ ସେମାନଙ୍କ ଅନୁଭୂତିକୁ ସାଂସ୍କୃତିକ ଏବଂ ବୌଦ୍ଧିକ ଭାବରେ ଅଧିକ ଉତ୍ସାହଜନକ ଏବଂ ସମୃଦ୍ଧ କରିପାରିବ ।

ଏହି ସ୍ମାରକୀ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ଭାବରେ କାର୍ଯ୍ୟ କରିବ, ଗାନ୍ଧୀବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ ଏବଂ ଟ୍ରଷ୍ଟିସିପ୍ ସିଦ୍ଧାନ୍ତ ଦ୍ୱାରା ଅବଗତ ପ୍ରକ୍ରିୟା ମାଧ୍ୟମରେ ଗାନ୍ଧୀବାଦୀ ମୂଲ୍ୟବୋଧର ସାରକୁ ଜୀବନ୍ତ କରିବ ।

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Reform, perform, transform will go on: PM Modi hails 7.7% GDP growth

Media Coverage

Reform, perform, transform will go on: PM Modi hails 7.7% GDP growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi congratulates people of Assam on commendable environmental feat
June 05, 2026

Prime Minister Shri Narendra Modi today extended his heartiest congratulations to the people of Assam, especially the state’s Nari Shakti, for achieving a commendable feat in environmental conservation. The Prime Minister remarked that the state's Nari Shakti has taken a lead in this significant effort, which is aimed at building a sustainable planet.

The Prime Minister posted on X:

"Commendable feat. Congratulations to the people of Assam, especially the state’s Nari Shakti for taking the lead in this effort aimed at building a sustainable planet"