“ସମଗ୍ର ଭାରତକୁ ଆଲିଙ୍ଗନ କରି କାଶୀ ଭାରତର ସାଂସ୍କୃତିକ ରାଜଧାନୀ ହୋଇଥିବା ବେଳେ ତାମିଲନାଡୁ ଏବଂ ତାମିଲ ସଂସ୍କୃତି ହେଉଛି ଭାରତର ପ୍ରାଚୀନତା ଏବଂ ଗୌରବର କେନ୍ଦ୍ର”
“କାଶୀ ଏବଂ ତାମିଲନାଡୁ ଆମର ସଂସ୍କୃତି ଏବଂ ସଭ୍ୟତାର କାଳଜୟୀ କେନ୍ଦ୍ର”
“ଅମୃତ କାଳରେ ଆମର ସଂକଳ୍ପ ସମଗ୍ର ଦେଶର ଏକତା ଦ୍ୱାରା ପୂରଣ ହେବ”
‘‘ତାମିଲ ଐତିହ୍ୟର ସଂରକ୍ଷଣ ଏବଂ ଏହାକୁ ସମୃଦ୍ଧ କରିବା ୧୩୦ କୋଟି ଭାରତୀୟଙ୍କ ଦାୟିତ୍ୱ’’

ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ  ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଏକ ମାସ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମ ‘କାଶୀ ତାମିଲ ସଙ୍ଗମମ୍‌’କୁ  ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥା ପ୍ରାଚୀନ ଶିକ୍ଷା କେନ୍ଦ୍ର, ତାମିଲନାଡୁ ଓ କାଶୀ ମଧ୍ୟରେ ଥିବା ବହୁଦିନର ପୁରୁଣା ସମ୍ପର୍କକୁ ପାଳନ କରିବା, ପୁନଃ ନିଶ୍ଚିତ କରିବା ଏବଂ ପୁନଃ ଆବିଷ୍କୃତ କରିବା । ତାମିଲନାଡୁର ୨୫୦୦ରୁ ଅଧିକ ପ୍ରତିନିଧି କାଶୀ ଗସ୍ତ କରିବେ । ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ୧୩ ଟି ଭାଷାରେ ଅନୁବାଦ ସହିତ ଏକ ପୁସ୍ତକ ‘ତିରୁକ୍କୁରୁଲ୍‌’ର ମଧ୍ୟ ଉନ୍ମୋଚନ କରିଥିଲେ । ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆରତୀ ମଧ୍ୟ ଦେଖିଥିଲେ ।

ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରି ବିଶ୍ୱର ସବୁଠାରୁ ପ୍ରାଚୀନ ଜୀବନ୍ତ ସହରରେ ଆୟୋଜିତ ଏହି ସମାବେଶକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ଦେଶରେ ସଙ୍ଗମ ଗୁଡିକର ମହତ୍ତ୍ୱ ଉପରେ ଆଲୋକପାତ କରି ନଦୀ, ବିଚାରଧାରା, ବିଜ୍ଞାନ କିମ୍ବା ଜ୍ଞାନର ସଙ୍ଗମ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ସଂସ୍କୃତି ଓ ପରମ୍ପରାର ପ୍ରତ୍ୟେକ ସଙ୍ଗମକୁ ଭାରତରେ ପାଳନ କରା ଯାଇଥାଏ  ଏବଂ ସମ୍ମାନିତ କରା ଯାଇଥାଏ । ସେ କହିଥିଲେ ଯେ ବାସ୍ତବରେ ଏହା ଭାରତର ଶକ୍ତି ଏବଂ ବୈଶିଷ୍ଟ୍ୟର ଏକ ଉତ୍ସବ, ଯାହା କାଶୀ - ତାମିଲ ସଙ୍ଗମକୁ ସ୍ୱତନ୍ତ୍ର କରିଥାଏ ।

କାଶୀ ଏବଂ ତାମିଲନାଡୁ ମଧ୍ୟରେ ଥିବା ସମ୍ପର୍କ ଉପରେ  ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୋଟିଏ ପଟେ କାଶୀ ଭାରତର ସାଂସ୍କୃତିକ ରାଜଧାନୀ ହୋଇଥିବା ବେଳେ ତାମିଲନାଡୁ ଏବଂ ତାମିଲ୍ ସଂସ୍କୃତି ହେଉଛି ଭାରତର ପ୍ରାଚୀନତା ଏବଂ ଗର୍ବର କେନ୍ଦ୍ର । ଗଙ୍ଗା ଏବଂ ଯମୁନା ନଦୀର ସଙ୍ଗମର ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀ - ତାମିଲ ସଙ୍ଗମ ମଧ୍ୟ ସମାନ ରୂପରେ ପବିତ୍ର, ଯାହା ନିଜ ଭିତରେ ଅସୀମ ସୁଯୋଗ ଏବଂ ଶକ୍ତିକୁ ସମାହିତ କରିଥାଏ । ଏହି ମହୋତ୍ସବ ସମାବେଶ ପାଇଁ ପ୍ରଧାନମନ୍ତ୍ରୀ ଶିକ୍ଷା ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ଆଇଆଇଟି, ମାଡ୍ରାସ ଏବଂ ବିଏଚୟୁ ପରି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଗୁଡ଼ିକୁ ଏଥିରେ ସହାୟତା କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ କାଶୀ ଏବଂ ତାମିଲନାଡୁର ଛାତ୍ରମାନଙ୍କୁ ତଥା ବିଦ୍ୱାନମାନଙ୍କୁ ବିଶେଷ ରୂପରେ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ କାଶୀ ଏବଂ ତାମିଲନାଡୁ ଆମ ସଂସ୍କୃତି ଏବଂ ସଭ୍ୟତାର କାଳଜୟୀ କେନ୍ଦ୍ର । ସେ କହିଥିଲେ ଯେ ଉଭୟ ସଂସ୍କୃତ ଏବଂ ତାମିଲ ହେଉଛି ସବୁଠାରୁ ପ୍ରାଚୀନ ଭାଷା ମଧ୍ୟରୁ ଗୋଟିଏ ଗୋଟିଏ, ଯାହାର ଅସ୍ତିତ୍ୱ ଏବେ ବି ରହିଛି । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ, “କାଶୀରେ ଆମର ବାବା ବିଶ୍ୱନାଥ ବିଦ୍ୟମାନ ହୋଇ ଥିବାବେଳେ ତାମିଲନାଡୁ ଠାରେ ପ୍ରତିଷ୍ଠିତ ଭଗବାନ ରମେଶ୍ୱରମ୍‌ଙ୍କ ଆଶୀର୍ବାଦ ଆମ ଉପରେ ରହିଛି । ଉଭୟ କାଶୀ ଏବଂ ତାମିଲନାଡୁ ଶିବଙ୍କ ଭିତରେ ତଲ୍ଲୀନ ହୋଇ ରହିଛନ୍ତି ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସଂଗୀତ ହେଉ କିମ୍ବା ସାହିତ୍ୟ ଅଥବା କଳା, କାଶୀ ଏବଂ ତାମିଲନାଡୁ ସବୁବେଳେ କଳାର ଉତ୍ସ ହୋଇ ରହି ଆସିଛନ୍ତି ।

ଭାରତର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଦୁଇଟି ସ୍ଥାନ ଭାରତର ଶ୍ରେଷ୍ଠତମ ଆଚାର୍ଯ୍ୟଙ୍କ ଜନ୍ମସ୍ଥାନ ଏବଂ କର୍ମକ୍ଷେତ୍ର ଭାବରେ ଚିହ୍ନିତ ହୋଇଛି । କାଶୀ ଏବଂ ତାମିଲନାଡୁରେ ମଧ୍ୟ ସମାନ ଶକ୍ତି ଅନୁଭବ କରାଯାଇପାରିବ ବୋଲି ସେ ଦର୍ଶାଇଥିଲେ । ସେ କହିଥିଲେ, ପାରମ୍ପରିକ ତାମିଲ ବିବାହ ସମାରୋହରେ ଆଜି ମଧ୍ୟ କାଶୀ ଯାତ୍ରାର ପ୍ରାସଙ୍ଗିକତା ସାମ୍ନାକୁ ଆସିଥାଏ ।’ ସେ ଦର୍ଶାଇଥିଲେ ଯେ ତାମିଲନାଡୁର କାଶୀ ପ୍ରତି ଅନନ୍ତ ପ୍ରେମ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ର ଭାବନାକୁ ଦର୍ଶାଇ ଥାଏ, ଯାହା ଆମର ପୂର୍ବଜମାନଙ୍କର ଜୀବନଶୈଳୀ ଥିଲା ।

କାଶୀର  ବିକାଶରେ ତାମିଲନାଡୁର ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ସ୍ମରଣ କରାଇ ଦେଇଥିଲେ ଯେ ତାମିଲନାଡୁରେ ଜନ୍ମିତ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ବିଏଚୟୁର କୁଳପତି ଥିଲେ । ସେ ତାମିଲନାଡୁରେ ବୈଦିକ ପଣ୍ଡିତ ରାଜେଶ୍ୱର ଶାସ୍ତ୍ରୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯିଏକି ତାମିଲନାଡୁରେ ତାଙ୍କର ମୂଳ ବାସସ୍ଥାନ ହୋଇଥିବା ସତ୍ତ୍ୱେ କାଶୀରେ ଅବସ୍ଥାନ କରୁଥିଲେ । ସେ କହିଥିଲେ ଯେ, କାଶୀରେ ଥିବା ଲୋକମାନେ ହନୁମାନ ଘାଟରେ ରହୁଥିବା ପଟ୍ଟାଭିରାମ ଶାସ୍ତ୍ରୀଙ୍କୁ ମଧ୍ୟ ମହୁତ ମନେ ପକାନ୍ତି । ପ୍ରଧାନମନ୍ତ୍ରୀ ହରିଶ୍ଚନ୍ଦ୍ର ଘାଟ କୂଳରେ ଥିବା କାଶୀ କାମ କୋଟେଶ୍ୱର ପଞ୍ଚାୟତନ ମନ୍ଦିର  ଏବଂ କେଦାର ଘାଟରେ ଥିବା ଦୁଇ ଶହ ବର୍ଷ ପୁରୁଣା କୁମାରସ୍ୱାମୀ ମଠ ଏବଂ ମାର୍କଣ୍ଡେୟ ଆଶ୍ରମ ବିଷୟରେ ସୂଚନା ଦେଇଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ତାମିଲନାଡୁର ଅନେକ ଲୋକ କେଦାର ଘାଟ ଏବଂ ହନୁମାନ ଘାଟ ନିକଟରେ ରହୁଛନ୍ତି ଏବଂ ଅନେକ ପିଢ଼ି ଧରି କାଶୀ ପ୍ରତି ସେମାନେ ବିପୁଳ ଯୋଗଦାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମହାନ କବି ତଥା ବିପ୍ଲବୀ ଶ୍ରୀ ସୁବ୍ରମଣ୍ୟମ ଭାରତୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯିଏକି ତାମିଲନାଡୁରୁ ଆସିଥିଲେ କିନ୍ତୁ ବହୁ ବର୍ଷ ଧରି କାଶୀରେ ରହୁଥିଲେ । ସେ ସୁବ୍ରମଣ୍ୟମ ଭାରତୀଙ୍କୁ ଉତ୍ସର୍ଗୀକୃତ ଚେୟାର ପ୍ରତିଷ୍ଠା କରିବାରେ ବିଏଚ୍‌ୟୁର ଗୌରବ ଏବଂ ସୌଭାଗ୍ୟ ବିଷୟରେ ସୂଚନା ଦେଇଥିଲେ । 

ଆଜାଦୀ କା ଅମୃତ କାଳ ସମୟରେ କାଶୀ - ତାମିଲ ସଙ୍ଗମ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ, “ଅମୃତ କାଳରେ ଆମର ସଂକଳ୍ପ ସମଗ୍ର ଦେଶର ଏକତା ଦ୍ୱାରା ପୂରଣ ହେବ ।” ସେ ପ୍ରକାଶ କରିଥିଲେ ଯେ, ଭାରତ ହେଉଛି ଏକ ରାଷ୍ଟ୍ର  ଯାହାକି ହଜାର ହଜାର ବର୍ଷ ଧରି ଏକ ପ୍ରାକୃତିକ ସାଂସ୍କୃତିକ ଏକତାରେ ବଞ୍ଚିରହିଛି । ସକାଳୁ ଉଠିବା ପରେ ୧୨ ଜ୍ୟୋତିର୍ଲିଙ୍ଗଙ୍କୁ ସ୍ମରଣ କରିବାର ପରମ୍ପରା ଉପରେ  ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ଆଧ୍ୟାତ୍ମିକ ଏକତାକୁ ସ୍ମରଣ କରି ଆମେ ଆମର ଦିନ ଆରମ୍ଭ କରୁ । ହଜାର ହଜାର ବର୍ଷର ଏହି ପରମ୍ପରା ଏବଂ ଐତିହ୍ୟକୁ ମଜବୁତ କରିବା ପାଇଁ ଉଦ୍ୟମର ଅଭାବ ରହିବା ନେଇ ଶ୍ରୀ ମୋଦୀ ଦୁଃଖ ପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, କାଶୀ- ତାମିଲ ସଙ୍ଗମମ ଆଜି ଏହି ସଂକଳ୍ପ ପାଇଁ ଏକ ମଞ୍ଚ ହେବ ଯାହା ଆମକୁ ଆମର କର୍ତ୍ତବ୍ୟକୁ ହୃଦୟଙ୍ଗମ କରାଇବ ଏବଂ ଜାତୀୟ ଏକତାକୁ ଦୃଢ଼ କରିବା ପାଇଁ ଶକ୍ତି ଉତ୍ସ ହେବ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାଷାଗତ ପ୍ରାଚୀରକୁ ଭାଙ୍ଗିବା ଏବଂ ବୌଦ୍ଧିକ ଦୂରତାକୁ ଅତିକ୍ରମ କରିବାର ଏହି ମନୋଭାବ ଦ୍ୱାରା ସ୍ୱାମୀ କୁମାର ଗୁରୁପର କାଶୀକୁ ଆସିଥିଲେ ଏବଂ ଏହାକୁ ନିଜର କର୍ମଭୂମି କରିଥିଲେ । ସେ କାଶୀରେ କେଦାରଶ୍ୱର ମନ୍ଦିର ନିର୍ମାଣ କରିଥିଲେ । ପରେ, ତାଙ୍କ ଶିଷ୍ୟମାନେ କାବେରୀ ନଦୀ କୂଳରେ ତାଞ୍ଜାଭୁରରେ କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ କରିଥିଲେ । ତାମିଲନାଡ଼ୁର ରାଜ୍ୟ ସଙ୍ଗୀତ ଲେଖିଥିବା ମନୋନମନୀୟମ ସୁନ୍ଦରନାରଙ୍କ ପରି ବ୍ୟକ୍ତିତ୍ୱ ଏବଂ କାଶୀ ସହିତ ତାଙ୍କ ଗୁରୁଙ୍କ ସମ୍ବନ୍ଧ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ତାମିଲ ପଣ୍ଡିତ ମାନଙ୍କର ଏବଂ କାଶୀ ମଧ୍ୟରେ ଥିବା ସମ୍ବନ୍ଧକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ଉତ୍ତର ଏବଂ ଦକ୍ଷିଣକୁ ସଂଯୋଗ କରିବାରେ ରାଜା ଜୀ ଲେଖିଥିବା ରାମାୟଣ ଏବଂ ମହାଭାରତର ଭୂମିକାକୁ ମଧ୍ୟ ମନେ ପକାଇ ଥିଲେ । ଶ୍ରୀ ମୋଦୀ କହିଥିଲେ,  “ଏହା ମୋର ଅନୁଭୂତି ଯେ ଦକ୍ଷିଣ ଭାରତର ପଣ୍ଡିତମାନେ, ଯଥା - :  ରାମାନୁଜାଚାର୍ଯ୍ୟ, ଶଙ୍କରାଚାର୍ଯ୍ୟ, ରାଜା ଜୀଙ୍କ ଠାରୁ ଆରମ୍ଭ କରି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କୁ ବୁଝି ନପାରିଲେ ଆମେ କେବେ ଭାରତୀୟ ଦର୍ଶନ ବୁଝି ପାରିବା ନାହିଁ ।”

‘ପଞ୍ଚ ପ୍ରାଣ’ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମୃଦ୍ଧ ଐତିହ୍ୟ ସମ୍ପନ୍ନ ରାଷ୍ଟ୍ର ଭାରତ ନିଜର ଐତିହ୍ୟକୁ ନେଇ ଗର୍ବ କରିବା ଉଚିତ୍ । ସେ କହିଥିଲେ ଯେ ବିଶ୍ୱର ସର୍ବ ପୁରାତନ ଜୀବନ୍ତ ଭାଷା ମଧ୍ୟରୁ ତାମିଲ ଅନ୍ୟତମ ହୋଇଥିବା ସତ୍ତ୍ୱେ , ଆମେ ଏହାକୁ ପୂର୍ଣ୍ଣ ସମ୍ମାନ ଦେବାରେ ଅଭାବ ରଖିଛୁ । ତାମିଲର ଐତିହ୍ୟକୁ ସଂରକ୍ଷଣ କରିବା ତଥା ଏହାକୁ ସମୃଦ୍ଧ କରିବା ୧୩୦ କୋଟି ଭାରତୀୟଙ୍କ ଦାୟିତ୍ୱ । ଯଦି ଆମେ ତାମିଲ୍‌କୁ ଅଣଦେଖା କରିବା ତେବେ ଆମେ ଦେଶର ବହୁତ ବଡ କ୍ଷତି କରିବା । ଯଦି ଆମେ ତାମିଲକୁ ପ୍ରତିବନ୍ଧକ ମଧ୍ୟରେ ସୀମିତ ରଖିବା ତେବେ ଆମେ ଏହାର ବହୁତ କ୍ଷତି କରିବା । ଆମକୁ ଭାଷା ଭିତ୍ତିକ ପାର୍ଥକ୍ୟ ଦୂର କରିବା ପାଇଁ ଏବଂ ଭାବନାଗତ ଏକତା ପ୍ରତିଷ୍ଠା କରିବା ପାଇଁ ଏହାକୁ ମନେ ରଖିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ସଙ୍ଗମମ’ ଏକ ଶବ୍ଦ ଅପେକ୍ଷା ଅଧିକ ଅନୁଭବ କରିବାର ବିଷୟ । ସେ ଆଶା ବ୍ୟକ୍ତ କରିଥିଲେ ଯେ କାଶୀର ଲୋକମାନେ ସ୍ମରଣୀୟ ଆତିଥ୍ୟ ପ୍ରଦାନ କରିବାରେ କୌଣସି ସୁଯୋଗ ଛାଡିବେ ନାହିଁ । ପ୍ରଧାନମନ୍ତ୍ରୀ ଇଚ୍ଛା ପ୍ରକାଶ କରି କହିଥିଲେ ଯେ, ଏ ପ୍ରକାରର ଆୟୋଜନ ତାମିଲନାଡୁ ଏବଂ ଅନ୍ୟାନ୍ୟ ଦକ୍ଷିଣ ରାଜ୍ୟରେ ଆୟୋଜିତ କରାଯାଉ । ଦେଶର ଅନ୍ୟାନ୍ୟ ଅଞ୍ଚଳର ଯୁବକମାନେ ଏପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେଠାକାର ସଂସ୍କୃତିକୁ ଆତ୍ମସାତ କରନ୍ତୁ । ଗବେଷଣା ମାଧ୍ୟମରେ ଏହି ସଙ୍ଗମମର ଲାଭକୁ ଆଗକୁ ନେବାକୁ ହେବ ଏବଂ ଏହି ବୀଜ ଏକ ବୃହତ ଗଛରେ ପରିଣତ ହେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।

ଏହି ଉତ୍ସବରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ୍ ପଟେଲ, କେନ୍ଦ୍ର ମନ୍ତ୍ରୀ ଡଃ. ଏଲ୍ ମୁରୁଗାନ୍‌, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଶ୍ରୀ ଇଲାୟାରାଜାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ସରକାରଙ୍କର ଏକ ପ୍ରମୁଖ ପରିକଳ୍ପନା ହେଉଛି  ‘ଏକ ଭାରତ, ଶ୍ରେଷ୍ଠ ଭାରତ’ । ଏହି ପରିକଳ୍ପନାକୁ ପ୍ରତିଫଳିତ କରୁଥିବା ଅନ୍ୟ ଏକ ପଦକ୍ଷେପ ଅନୁସାରେ, କାଶୀ (ବାରାଣାସୀ)ରେ ଏକ ମାସ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମ ‘କାଶୀ ତାମିଲ୍ ସଙ୍ଗମମ୍‌’ ଆୟୋଜନ କରା ଯାଉଛି ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି , ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥା ପ୍ରାଚୀନ ଶିକ୍ଷା କେନ୍ଦ୍ର, ତାମିଲନାଡୁ ଏବଂ କାଶୀ ମଧ୍ୟରେ ଥିବା ବହୁ ଦିନର ପୁରୁଣା ସମ୍ପର୍କକୁ ପାଳନ କରିବା, ପୁନଃ ନିଶ୍ଚିତ କରିବା ଏବଂ ପୁନଃ ଆବିଷ୍କାର କରିବା ।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଦୁଇ ଅଞ୍ଚଳର ବିଦ୍ବାନ, ଛାତ୍ରଛାତ୍ରୀ, ଦାର୍ଶନିକ, ବ୍ୟବସାୟୀ, କାରିଗର, କଳାକାର ଇତ୍ୟାଦି ବିଭିନ୍ନ ବର୍ଗର ଲୋକଙ୍କୁ ଏକାଠି କରିବା; ସେମାନଙ୍କର ଜ୍ଞାନ, ସଂସ୍କୃତି ଏବଂ ସର୍ବୋତ୍ତମ ପେଶାକୁ ବାଣ୍ଟିବା ଏବଂ ପରସ୍ପର ଅନୁଭୂତିରୁ ଶିଖିବା ପାଇଁ ଏକ ସୁଯୋଗ ପ୍ରଦାନ କରିବା । ତାମିଲନାଡୁର ୨୫୦୦ ରୁ ଅଧିକ ପ୍ରତିନିଧି କାଶୀ ଗସ୍ତ କରିବେ । ସେମାନଙ୍କ ବାଣିଜ୍ୟ, ବୃତ୍ତି ଏବଂ ରୁଚି ଅନୁରୂପ ସ୍ଥାନୀୟ ଲୋକ ମାନଙ୍କ ସହ ବାର୍ତ୍ତାଳାପ କରିବାକୁ ସେମାନେ ସେମିନାର, କ୍ଷେତ୍ର ପରିଦର୍ଶନ ଇତ୍ୟାଦିରେ ଅଂଶଗ୍ରହଣ କରିବେ । ହସ୍ତଶିଳ୍ପ, ଓଡିଓପି ଉତ୍ପାଦ, ପୁସ୍ତକ, ବୃତ୍ତ ଚିତ୍ର, ରୋଷେଇ, କଳା, ଇତିହାସ, ପର୍ଯ୍ୟଟନସ୍ଥଳୀ ଇତ୍ୟାଦିର ଏକ ମାସ ଧରି ପ୍ରଦର୍ଶନୀ ମଧ୍ୟ କାଶୀରେ ଆୟୋଜନ କରାଯିବ ।

ଏହି ପ୍ରୟାସରେ ଜାତୀୟ ଶିକ୍ଷା ନୀତି ୨୦୨୦ର ଆଧୁନିକ ଜ୍ଞାନ ପ୍ରଣାଳୀ ସହିତ ଭାରତୀୟ ଜ୍ଞାନ ପ୍ରଣାଳୀର ସମ୍ପଦକୁ ଏକତ୍ର କରିବା ଉପରେ ଗୁରୁତ୍ୱ ଦିଆ ଯାଉଛି । ଆଇଆଇଟି ମାଡ୍ରାସ ଏବଂ ବିଏଚୟୁ ହେଉଛି ଏହି କାର୍ଯ୍ୟକ୍ରମ ପାଇଁ ଦୁଇଟି କାର୍ଯ୍ୟକାରୀ ସଂସ୍ଥା ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win