ମହାକୁମ୍ଭ ମେଳା ୨୦୨୫ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
କୁମ୍ଭ ସହାୟକ ଚାଟବଟର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ମହାକୁମ୍ଭ ଆମ ଆସ୍ଥା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଦିବ୍ୟ ପର୍ବ: ପ୍ରଧାନମନ୍ତ୍ରୀ
ପ୍ରୟାଗ ହେଉଛି ଏପରି ଏକ ସ୍ଥାନ ଯାହାର କୋଣ ଅନୁକୋଣରେ ପୁଣ୍ୟ କ୍ଷେତ୍ର ରହିଛି: ପ୍ରଧାନମନ୍ତ୍ରୀ
କୁମ୍ଭ ହେଉଛି ମଣିଷର ଆଭ୍ୟନ୍ତରୀଣ ଚେତନାର ନାମ: ପ୍ରଧାନମନ୍ତ୍ରୀ
ମହାକୁମ୍ଭ ହେଉଛି ଏକତାର ମହାଯଜ୍ଞ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପ୍ରାୟ ୫୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସଙ୍ଗମର ପବିତ୍ର ଭୂମିକୁ ପ୍ରଣାମ କରିଥିଲେ ଓ ମହାକୁମ୍ଭକୁ ଆସୁଥିବା ସାଧୁସନ୍ୟାସୀଙ୍କ ପ୍ରତି ନିଜର ସମ୍ମାନ ପ୍ରକଟ କରିଥିଲେ । ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ମହାକୁମ୍ଭକୁ ସଫଳ କରିଥିବା ଶ୍ରମିକ, ସଫାଇ କର୍ମଚାରୀମାନଙ୍କୁ ମଧ୍ୟ ଶ୍ରୀ ମୋଦୀ ନିଜର କୃତଜ୍ଞତା ଜଣାଇଥିଲେ । ମହାକୁମ୍ଭର ବୃହତ୍ ଆୟୋଜନ ଓ ବିଶାଳ ଆକାର କଥା ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ବର ଅନ୍ୟତମ ବୃହତ୍ ଜନସମାଗମ । ୪୫ ଦିନ ପାଇଁ ଆୟୋଜନ ହେଉଥିବା ଏହି ମହାଯଜ୍ଞକୁ ପ୍ରତିଦନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାଗତ କରାଯାଇଥାଏ ଓ ଏଥିପାଇଁ ଏକ ସମ୍ପୂର୍ଣ୍ଣ ନୂଆ ସହର ଛିଡ଼ା କରିଦିଆଯାଏ । “ପ୍ରୟାଗରାଜର ଭୂମିରେ ଏକ ନୂଆ ଇତିହାସ ଲେଖାଯାଉଛି” ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ବର୍ଷ ଆୟୋଜନ ହେଉଥିବା ମହାକୁମ୍ଭ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ଓ ଏକତାର ଏପରି ଏକ ମହାଯଜ୍ଞ ସଂପର୍କରେ ସମଗ୍ର ବିଶ୍ବରେ ଚର୍ଚ୍ଚା ହେବ । ମହାକୁମ୍ଭର ସଫଳ ଆୟୋଜନ ନିମସ୍ତେ ସେ ଲୋକମାନଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି ।

“ଭାରତ ପବିତ୍ର ସ୍ଥାନ ଓ ତୀର୍ଥକ୍ଷେତ୍ରର ଏକ ଭୂମି” ଶ୍ରୀ ମୋଦୀ କହିଛନ୍ତି । ସେ କହିଛନ୍ତି, ଏହା ଗଙ୍ଗା, ଯମୁନା, ସରସ୍ବତୀ, କାବେରୀ, ନର୍ମଦା ଓ ଆହୁରି ଅନେକ ନଦୀର ଭୂମି । ପ୍ରୟାଗକୁ ଏହି ନଦୀଗୁଡ଼ିକର ପବିତ୍ର ପ୍ରବାହର ସଂଗମ, ସଂଗ୍ରହ, ସମାବେଶ, ସମ୍ମିଶ୍ରଣ, ପ୍ରଭାବ ଏବଂ ଶକ୍ତି, ଅନେକ ତୀର୍ଥସ୍ଥଳୀର ମହତ୍ତ୍ୱ ଏବଂ ସେଗୁଡ଼ିକର ମହାନତା ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରୟାଗ କେବଳ ତିନୋଟି ନଦୀର ସଂଗମ ନୁହେଁ, ବରଂ ଏହାଠାରୁ ଅନେକ କିଛି ଅଧିକ । ଏହାର ମହତ୍ତ୍ବକୁ ବୁଝାଇ ସେ କହିଛନ୍ତି ଯେ ପ୍ରୟାଗ ସମ୍ପର୍କରେ ଏହା କୁହାଯାଏ ଯେ ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି ସେତେବେଳେ ସମଗ୍ର ଦିବ୍ୟଶକ୍ତି, ଅମୃତ, ସାଧୁସନ୍ୟାସୀଗଣ ପ୍ରୟାଗକୁ ଆସନ୍ତି । ସେ କହିଥିଲେ, ପ୍ରୟାଗ ଏପରି ଏକ ସ୍ଥାନ ଯାହାର ବିମାନ ପୁରାଣଗୁଡ଼ିକ ଅସମ୍ପୂର୍ଣ୍ଣ । ପ୍ରୟାଗ ଏପରି ଏକ ସ୍ଥାନ ଯାହାର ପ୍ରସଂଶା ବୈଦିକ ସୁକ୍ତରେ କରାଯାଇଛି ।

 

“ପ୍ରୟାଗ ହେଉଛି ସେହି ସ୍ଥାନ ଯାହାର କୋଣ ଅନୁକୋଣରେ ପବିତ୍ର ସ୍ଥାନ ଓ ପୂଣ୍ୟକ୍ଷେତ୍ର ଅଛି” ଶ୍ରୀ ମୋଦୀ କହିଛନ୍ତି । ପ୍ରୟାଗର ସାଂସ୍କୃତିକ ଓ ଅଧ୍ୟାତ୍ମିକ ମହତ୍ତ୍ବ ବର୍ଣ୍ଣନା କରି ଶ୍ରୀ ମୋଦୀ ଏକ ସଂସ୍କୃତ ଶ୍ଳୋକ ଆବୃତି କରିଥିଲେ ଓ ବୁଝାଇଥିଲେ, “ତ୍ରିବେଣୀର ପ୍ରଭାବ, ବେଣୀମାଧବର ମହତ୍ତ୍ବ, ସୋମେଶ୍ବରର ଆଶିର୍ବାଦ, ଋଷି ଭରଦ୍ବାଜଙ୍କ ତପୋଭୂମି, ନାଗରାଜ ଭଗବାନ ବାସୁକୀଙ୍କ ଭୂମି, ଅକ୍ଷୟବଟର ଅମରତ୍ବ ଓ ଇଶ୍ବରଙ୍କ ଆଶିର୍ବାଦ- ଏସବୁକୁ ନେଇ ହୋଇଛି ଆମ ତୀର୍ଥରାଜ ପ୍ରୟାଗ ।“ସେ ଆହୁରି ମଧ୍ୟ କହିଥିଲେ, ପ୍ରୟାଗରାଜ ସେହିସ୍ଥାନ ଯେଉଁଠାରେ ଧର୍ମ, ଅର୍ଥ,କାମ ଓ ମୋକ୍ଷ ପ୍ରାପ୍ତ ହୋଇଥାଏ । “ପ୍ରୟାଗରାଜ କେବଳ ଏକ ଭୌଗୋଳିକ ଭୂଖଣ୍ଡ ନୁହେଁ, ଏହା ଆଧ୍ୟାତ୍ମିକ ଅନୁଭୂତିର କ୍ଷେତ୍ର”ପ୍ରଧାନମନ୍ତ୍ରୀ କହିଥିଲେ ଓ ପ୍ରୟାଗରାଜକୁ ଆସିଥିବା ଲୋକମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଗତ କୁମ୍ଭ ସମୟରେ ପବିତ୍ର ସଂଗମରେ ସ୍ନାନ କରିବା କଥା ସେ ମନେ ପକାଇଥିଲେ ଓ ଆଜି ସେହି ସୁଯୋଗ ମିଳିଥିବା ସେ କହିଥିଲେ । ଏହା ପୂର୍ବରୁ ହନୁମାନ ମନ୍ଦିର ଏବଂ ଅକ୍ଷୟବଟ ଦର୍ଶନ ଏବଂ ପୂଜା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭକ୍ତ ମାନଙ୍କ ସହଜରେ ଯାତାୟାତ ପାଇଁ ହନୁମାନ କରିଡର ଏବଂ ଅକ୍ଷୟବଟ କରିଡରର ବିକାଶ କରାଯାଇଛି । ସରସ୍ୱତୀ କୂପର ପୁନଃନିର୍ମାଣ ପ୍ରକଳ୍ପ ବିଷୟରେ ମଧ୍ୟ ପଚାରି ବୁଝିଥିଲେ ବୋଲି କହିଥିଲେ । ହଜାର ହଜାର କୋଟିର ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ସେ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଶ୍ରୀ ମୋଦୀ କହିଥିଲେ “ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଆମ ଦେଶର ସାଂସ୍କୃତିକ, ଆଧ୍ୟାତ୍ମିକ ଯାତ୍ରାର ଏକ ପୁଣ୍ୟ ଓ ଜୀବନ୍ତ ପ୍ରତୀକ ହେଉଛି ମହାକୁମ୍ଭ ।“ ସେ କହିଥିଲେ, ପ୍ରତ୍ୟେକଥର ଏହି ବିଶାଳ ଆୟୋଜନ ଧର୍ମ, ଜ୍ଞାନ, ଭକ୍ତି ଓ କଳାର ଦିବ୍ୟ ସମାଗମର ପ୍ରତୀକ ହୋଇଥାଏ। ଏକ ସଂସ୍କୃତ ଶ୍ଲୋକ ଆବୃତି କରି ପ୍ରଧାନମନ୍ତ୍ରୀ ବୁଝାଇଥିଲେ ଯେ ସଙ୍ଗମସ୍ଥଳରେ ସ୍ନାନ କଲେ କୋଟି କୋଟି ତୀର୍ଥଯାତ୍ରା ସହ ସମାନ ଫଳ ମିଳିଥାଏ। ପ୍ରୟାଗରେ ସ୍ନାନ କରୁଥିବା ବ୍ୟକ୍ତି ପ୍ରତ୍ୟେକ ପାପରୁ ମୁକ୍ତି ପାଇଥାଏ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହଥିଲେ, ରାଜା-ସମ୍ରାଟଙ୍କ ଯୁଗ ହେଉ ଅବା ଶହ ଶହ ବର୍ଷର ବ୍ରିଟିସ ଦାସତ୍ୱର ଯୁଗ ହେଉ, ବିଶ୍ୱାସର ଏହି ପ୍ରବାହ କେବେ ବନ୍ଦ ହୋଇନଥିଲା। ଏହାର ଏକ ପ୍ରମୁଖ କାରଣ ହେଉଛି କୁମ୍ଭ କୌଣସି ବାହ୍ୟ ଶକ୍ତି ଦ୍ବାରା ପରିଚାଳିତ ନୁହେଁ । ସେ କହିଥିଲେ, କୁମ୍ଭ ମନୁଷ୍ୟର ଆଭ୍ୟନ୍ତରୀଣ ଚେତନାର ନାମ, ଯେଉଁ ଚେତନା ଆପେ ଆପେ ଜାଗ୍ରତ ହୋଇଯାଏ ଓ ତାହା ଭାରତର କୋଣ ଅନୁକୋଣରୁ ଲୋକଙ୍କୁ ସଙ୍ଗମ କୂଳକୁ ଆକର୍ଷିତ କରିଥାଏ । ଗାଁ, ସହର ଓ ସହରର ଲୋକମାନେ ପ୍ରୟାଗରାଜ ଆଡ଼କୁ ଆକର୍ଷିତ ହୋଇଆସନ୍ତି ଓ ସାମୂହିକତାର ଏଭଳି ଶକ୍ତି, ଏପରି ଜନସମାଗମ ଅନ୍ୟ କେଉଁଠି ଖୁବ୍ କମ୍ ଦେଖିବାକୁ ମିଳେ। ଶ୍ରୀ ମୋଦୀ କହିଥିଲେ, ଥରେ ଜଣେ ବ୍ୟକ୍ତି ମହାକୁମ୍ଭକୁ ଆସିଲେ ସେ ଅନ୍ୟମାନଙ୍କ ସହ ସମାନ ହୋଇଯାଏ, ସେ ସନ୍ୟାସୀ ହୁଅନ୍ତୁ ଅର୍ଥବା ସାଧୁ ବା ସାଧାରଣ ଲୋକ ଏବଂ ଜାତି ସଂପ୍ରଦାୟର ଭେଦଭାବ ଏଠାରେ ଶେଷ ହୋଇଯାଏ । କୋଟି କୋଟି ଲୋକ ଗୋଟିଏ ଲକ୍ଷ୍ୟ ଓ ଧାରଣା ନେଇ ଏକାଠି ହୋଇଥାନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଏଥର ମଧ୍ୟ ମହାକୁମ୍ଭ ସମୟରେ ବିଭିନ୍ନ ରାଜ୍ୟରୁ ଭିନ୍ନ ଭିନ୍ନ ଭାଷା, ଜାତି, ବିଶ୍ବାସର ଲୋକେ ସଂଗମରେ ଏକାଠି ହେବେ ଓ ଏକତାସୁତ୍ରରେ ବାନ୍ଧି ହେବେ । ସେ କହିଥିଲେ ଯେ ଏଥିପାଇଁ ତାଙ୍କର ବିଶ୍ବାସ ଯେ ମହାକୁମ୍ଭ ହେଉଛି ଏକତାର ମହାଯଜ୍ଞ, ଯେଉଁଠାରେ ସବୁ ପ୍ରକାର ଭେଦଭାବକୁ ତ୍ୟାଗ କରାଯାଏ ଓ ସଙ୍ଗମରେ ସ୍ନାନ କରୁଥିବା ପ୍ରତ୍ୟେକ ଭାରତୀୟ ଏକ ଭାରତ-ଶ୍ରେଷ୍ଠ ଭାରତର ଏକ ଚମତ୍କାର ଚିତ୍ର ଉପସ୍ଥାପନ କରନ୍ତି ।

 

ଶ୍ରୀ ମୋଦୀ ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାରେ କୁମ୍ଭର ମହତ୍ତ୍ବ ସଂପର୍କରେ ଉଲ୍ଲେଖ କରିଥିଲେ ଓ ବୁଝାଇଥିଲେ କିପରି ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଓ ସମସ୍ୟା ସଂପର୍କରେ ମୁନଋଷିମାନଙ୍କର ଆଲୋଚନାର ଏକ ମଞ୍ଚ ରହିଆସିଛି । ସେ କହିଥିଲେ ଯେ, ଅତୀତରେ ଯେତେବେଳେ କୌଣସି ପ୍ରକାରର ଆଧୁନିକ ଯୋଗାଯୋଗ ମାଧ୍ୟମ ନଥିଲା, ସେତେବେଳେ କୁମ୍ଭ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପରିବର୍ତ୍ତନର ମୂଳଦୁଆ ପାଲଟିଥିଲା ଯେଉଁଠାରେ ସାଧୁ ସନ୍ଥ ଏବଂ ପଣ୍ଡିତମାନେ ଏକତ୍ରିତ ହୋଇ ଦେଶର କଲ୍ୟାଣ ବିଷୟରେ ଆଲୋଚନା କରୁଥିଲେ ଏବଂ ଉଭୟ ସାଂପ୍ରତିକ ଏବଂ ଭବିଷ୍ୟତର ଆହ୍ୱାନ ଉପରେ ବିଚାର ବିମର୍ଶ କରୁଥିଲେ, ଯାହା ଦ୍ୱାରା ଦେଶର ଚିନ୍ତାଧାରାକୁ ନୂତନ ଦିଗ ଏବଂ ଶକ୍ତି ମିଳୁଥିଲା । ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ମଧ୍ୟ କୁମ୍ଭ ଏକ ମଞ୍ଚଭାବେ ନିଜର ମହତ୍ତ୍ବକୁ ବଜାୟ ରଖିଛି, ଯେଉଁଠାରେ ଏପରି ଆଲୋଚନା ଜାରି ରହିଛି, ସାରାଦେଶକୁ ସକାରାତ୍ମକ ବାର୍ତ୍ତା ପ୍ରଦାନ କରାଯାଉଛି ଓ ଦେଶର ମଙ୍ଗଳ ଉପରେ ମିଳିତ ଚିନ୍ତାଧାରାକୁ ଅନୁପ୍ରାଣିତ କରାଯାଉଛି । ସେ କହିଥିଲେ, ଯଦିଓ ଏହି ସମାବେଶର ନାମ, ମାଇଲଖୁଣ୍ଟ ଏବଂ ମାର୍ଗ ଭିନ୍ନ ଭିନ୍ନ ହୋଇପାରେ, ଏହାର ଉଦ୍ଦେଶ୍ୟ ଏବଂ ଯାତ୍ରା ଅପରିବର୍ତ୍ତିତ ରହିଛି । କୁମ୍ଭ ଏବେ ବି ସାଂପ୍ରତିକ ଜାତୀୟ ଆଲୋଚନା ଏବଂ ଭବିଷ୍ୟତର ପ୍ରଗତିର ଆଲୋକସ୍ତମ୍ଭ ହୋଇ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ପୂର୍ବ ସରକାରମାନଙ୍କ ଦ୍ୱାରା କୁମ୍ଭ ଏବଂ ଧାର୍ମିକ ତୀର୍ଥଯାତ୍ରାକୁ ଅବହେଳା ବିଷୟରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଏହି ମେଳାର ଗୁରୁତ୍ୱ ସତ୍ତ୍ୱେ ତୀର୍ଥଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଭାରତର ସଂସ୍କୃତି ଏବଂ ବିଶ୍ୱାସ ସହ ସଂପର୍କର ଅଭାବକୁ ସେ ଦାୟୀ କରିଥିଲେ ଏବଂ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଥିବା ବର୍ତ୍ତମାନର ସରକାରଙ୍କ ଅଧୀନରେ ଭାରତର ପରମ୍ପରା ଏବଂ ବିଶ୍ୱାସ ପ୍ରତି ଗଭୀର ସମ୍ମାନ ରହିଛି ବୋଲି ନାଗରିକମାନଙ୍କୁ ଆଶ୍ୱାସନା ଦେଇଥିଲେ । କୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଦାୟିତ୍ୱ ବୋଲି ସେ କହିଥିଲେ।

 

ବିଭିନ୍ନ ପ୍ରକଳ୍ପ ପାଇଁ ହଜାର ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ । ଅଯୋଧ୍ୟା, ବାରଣାସୀ, ରାଏବରେଲି ଏବଂ ଲକ୍ଷ୍ନୌ ଭଳି ସହରକୁ ପ୍ରୟାଗରାଜର ଯୋଗାଯୋଗରେ ଉନ୍ନତି ଆଣିବା ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଥିଲେ । ଏହି ବୃହତ୍ ସମାରୋହର ପ୍ରସ୍ତୁତିରେ ଅନେକ ସରକାରୀ ବିଭାଗ ପକ୍ଷରୁ କରାଯାଉଥିବା ସାମୂହିକ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ, ଯାହା "ସରକାରଙ୍କ ସାମଗ୍ରିକ ଆଭିମୁଖ୍ୟ"କୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ସହିତ ଭାରତର ଐତିହ୍ୟକୁ ସମୃଦ୍ଧ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ସେ ଦେଶବ୍ୟାପୀ ବିକଶିତ ହେଉଥିବା ବିଭିନ୍ନ ପର୍ଯ୍ୟଟନ ସର୍କିଟ୍ ବିଷୟରେ ଉଲ୍ଲେଖ କରିବା ସହ ରାମାୟଣ ସର୍କିଟ୍, କ୍ରିଷ୍ଣା ସର୍କିଟ୍, ବୌଦ୍ଧ ସର୍କିଟ୍ ଓ ତୀର୍ଥଙ୍କର ସର୍କିଟ୍ ର ଉଦାହରଣ ଦେଇଥିଲେ। ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଭଳି ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ତୀର୍ଥସ୍ଥଳୀଗୁଡ଼ିକରେ ସୁବିଧାଗୁଡ଼ିକର ବିକାଶ କରୁଛନ୍ତି । ଭବ୍ୟ ରାମ ମନ୍ଦିର ନିର୍ମାଣ ସହିତ ଅଯୋଧ୍ୟାର ପରିବର୍ତ୍ତନ ଉପରେ ସେ ଆଲୋକପାତ କରିଥିଲେ ଯାହା ସମଗ୍ର ସହରର ଉନ୍ନତି କରିଚାଲିଛି । ସେ ବିଶ୍ୱନାଥ ଧାମ ଏବଂ ମହାକାଳ ମହାଲୋକ ଭଳି ପ୍ରକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ବିଶ୍ୱସ୍ତରରେ ସ୍ୱୀକୃତି ପାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରୟାଗରାଜରେ ଅକ୍ଷୟ ବଟ କରିଡର, ହନୁମାନ ମନ୍ଦିର କରିଡର ଏବଂ ଭରଦ୍ୱାଜ ଋଷି ଆଶ୍ରମ କରିଡର ଏହି ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଥିବା ବେଳେ ତୀର୍ଥଯାତ୍ରୀଙ୍କ ପାଇଁ ସରସ୍ୱତୀ କୂପ, ପାତାଳପୁରୀ, ନାଗବାସୁକି ଏବଂ ଦ୍ୱାଦଶ ମାଧବ ମନ୍ଦିର ଭଳି ସ୍ଥାନର ଉନ୍ନତୀକରଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନିଶାଦରାଜଙ୍କ ଭୂମି ପ୍ରୟାଗରାଜ ମର୍ଯ୍ୟାଦା ପୁରୁଷୋତ୍ତମ ହେବାରେ ଭଗବାନ ରାମଙ୍କ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସେ କହିଥିଲେ ଯେ ଭଗବାନ ରାମ ଏବଂ କେୱଟଙ୍କ ଘଟଣା ଆମକୁ ପ୍ରେରଣା ଦେଇଥାଏ । କେୱଟ ଭଗବାନ ରାମଙ୍କ ପାଦ ଧୋଇ ତାଙ୍କୁ ଡଙ୍ଗାରେ ନଦୀ ପାର ହେବାରେ ସାହାଯ୍ୟ କରିଥିଲେ ଯାହାକି ଭକ୍ତି ଓ ବନ୍ଧୁତାର ପ୍ରତୀକ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା ବାର୍ତ୍ତା ଦେଉଛି ଯେ ଭଗବାନ ମଧ୍ୟ ନିଜ ଭକ୍ତଙ୍କ ଠାରୁ ସାହାଯ୍ୟ ମାଗିପାରିବେ । ଶ୍ରୀଙ୍ଗବରପୁର ଧାମର ବିକାଶ ଏହି ବନ୍ଧୁତାର ପ୍ରମାଣ ଏବଂ ଭଗବାନ ରାମ ଓ ନିଶାଦରାଜଙ୍କ ପ୍ରତିମୂର୍ତ୍ତି ଆଗାମୀ ପିଢ଼ିକୁ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇ ଚାଲିବ ବୋଲି ଶ୍ରୀ ମୋଦୀ କହିଥିଲେ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ କୁମ୍ଭକୁ ସଫଳ କରିବାରେ ସ୍ୱଚ୍ଛତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରୟାଗରାଜରେ ଉପଯୁକ୍ତ ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସୁନିଶ୍ଚିତ କରିବା ପାଇଁ ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଗଙ୍ଗା ଦୂତ, ଗଙ୍ଗା ପ୍ରହରୀ ଏବଂ ଗଙ୍ଗା ମିତ୍ର ନିଯୁକ୍ତି ଭଳି ପଦକ୍ଷେପ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି। ଏଥର କୁମ୍ଭର ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ୧୫,୦୦୦ରୁ ଅଧିକ ସଫେଇ କର୍ମଚାରୀ ନିୟୋଜିତ ହେବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଏହି କର୍ମଚାରୀମାନଙ୍କୁ ଆଗୁଆ କୃତଜ୍ଞତା ଜଣାଇବା ସହ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ଓ ସ୍ୱଚ୍ଛ ପରିବେଶ ପ୍ରଦାନରେ ସେମାନଙ୍କର ସମର୍ପଣକୁ ସ୍ୱୀକାର କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ଶ୍ରୀକୃଷ୍ଣ ଅଇଁଠାପତ୍ର ଉଠାଇ ପ୍ରତ୍ୟେକ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବାର୍ତ୍ତା ଦେଇଥିଲେ ଏବଂ ସଫେଇ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ମାଧ୍ୟମରେ କାର୍ଯ୍ୟକ୍ରମର ମହାନତାକୁ ବଢ଼ାଇବେ ବୋଲି କହିଥିଲେ । ୨୦୧୯ ର କୁମ୍ଭ ସମୟରେ ସ୍ୱଚ୍ଛତା ପାଇଁ ତାଙ୍କୁ ମିଳିଥିବା ପ୍ରଶଂସା ଏବଂ ସଫେଇ କର୍ମଚାରୀଙ୍କ ପାଦ ଧୋଇ ସେ କିପରି କୃତଜ୍ଞତା ଜ୍ଞାପନ କରିଥିଲେ ତାହା ତାଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ କୁମ୍ଭ ମେଳା ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥାଏ, ଯାହା ପ୍ରାୟତଃ ନଜରକୁ ଆସେ ନାହିଁ । ସେ କହିଛନ୍ତି ଯେ କୁମ୍ଭ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ସଙ୍ଗମ କୂଳରେ ଏକ ଅସ୍ଥାୟୀ ସହର ପ୍ରତିଷ୍ଠା କରାଯିବ, ଯେଉଁଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆସିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସମୟରେ ପ୍ରୟାଗରାଜରେ ଶୃଙ୍ଖଳା ବଜାୟ ରଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଆବଶ୍ୟକତା ପଡ଼ିବ । ୬ ହଜାରରୁ ଅଧିକ ନାବିକ, ହଜାର ହଜାର ଦୋକାନୀ ଏବଂ ଧାର୍ମିକ ରୀତିନୀତି ଓ ପବିତ୍ର ସ୍ନାନରେ ସହଯୋଗ କରୁଥିବା ବ୍ୟକ୍ତିଙ୍କ ଭୂମିକା ବୃଦ୍ଧି ପାଇବ, ଯାହା ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଯୋଗାଣ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟବସାୟୀଙ୍କୁ ଅନ୍ୟ ସହରରୁ ସାମଗ୍ରୀ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି। କୁମ୍ଭର ପ୍ରଭାବ ଆଖପାଖ ଜିଲ୍ଲାରେ ମଧ୍ୟ ଅନୁଭୂତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଅନ୍ୟ ରାଜ୍ୟରୁ ଆସୁଥିବା ତୀର୍ଥଯାତ୍ରୀମାନେ ଟ୍ରେନ୍ କିମ୍ବା ବିମାନ ସେବା ବ୍ୟବହାର କରିବେ, ଯାହା ଅର୍ଥନୀତିକୁ ଆହୁରି ପ୍ରୋତ୍ସାହିତ କରିବ। କୁମ୍ଭ କେବଳ ସମାଜକୁ ସୁଦୃଢ଼ କରିବ ନାହିଁ ବରଂ ଲୋକଙ୍କ ଆର୍ଥିକ ସଶକ୍ତୀକରଣରେ ମଧ୍ୟ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

 

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଆଗାମୀ ମହାକୁମ୍ଭ ୨୦୨୫କୁ ସାକାର କରିବା ପାଇଁ ବୈଷୟିକ ଜ୍ଞାନକୌଶଳର ବଡ଼ ଭୂମିକା ରହିବ । ସେ କହିଥିଲେ, ପୂର୍ବ ବର୍ଷ ତୁଳନାରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ ୨୦୧୩ ତୁଳନାରେ ଡାଟା ବହୁତ ଶସ୍ତା ହୋଇଯାଇଛି। ସେ କହିଥିଲେ ଯେ ଆଜିକାଲି ବ୍ୟବହାରୀ ଅନୁକୂଳ ଆପ ଆସିବା ଦ୍ବାରା ଯେଉଁମାନଙ୍କର ବୈଷୟିକ ଜ୍ଞାନ ନାହିଁ ସେମାନେ ବି ସେଗୁଡ଼ିକୁ ସହଜରେ ବ୍ୟବହାର କରିପାରୁଛନ୍ତି । କୁମ୍ଭରେ ପ୍ରଥମ ଥର ପାଇଁ ଏଆଇ ଏବଂ ଚାଟବଟ୍ ଟେକ୍ନୋଲୋଜିର ବ୍ୟବହାର ସମ୍ପର୍କରେ ସେ କହିଛନ୍ତି ଯେ ୧୧ଟି ଭାରତୀୟ ଭାଷାରେ ଯୋଗାଯୋଗ କରିବାରେ ସକ୍ଷମ ।

କୁମ୍ଭକୁ ଏକତାର ପ୍ରତୀକ ଭାବରେ ପ୍ରଦର୍ଶିତ କରିବା ପାଇଁ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଡାଟା ଏବଂ ଟେକ୍ନୋଲୋଜିର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହୋଇ ଏହି ଫଟୋଗୁଡ଼ିକ ଅଗଣିତ ଭାବନା ଏବଂ ରଙ୍ଗକୁ ମିଶାଇ ଏକ ବିଶାଳ କ୍ୟାନଭାସ ତିଆରି କରିବ । ଏଥିସହିତ ଆଧ୍ୟାତ୍ମିକତା ଓ ପ୍ରକୃତିକୁ କେନ୍ଦ୍ର କରି ପ୍ରତିଯୋଗିତା ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ, ଯାହା କି ଯୁବପିଢ଼ିଙ୍କ ମଧ୍ୟରେ କୁମ୍ଭ ପ୍ରତି ଆକର୍ଷଣକୁ ଆହୁରି ବଢ଼ାଇବ।

 

ମହାକୁମ୍ଭରୁ ମିଳୁଥିବା ସାମୂହିକ ଓ ଆଧ୍ୟାତ୍ମିକ ଶକ୍ତି ବିକଶିତ ଭାରତ ପ୍ରତି ଦେଶର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ। ସେ କୁମ୍ଭ ସ୍ନାନକୁ ଐତିହାସିକ ଓ ଅବିସ୍ମରଣୀୟ କରିବା ପାଇଁ କାମନା କରିବା ସହ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ପବିତ୍ର ସଂଗମ ମାଧ୍ୟମରେ ମାନବ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ସେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପବିତ୍ର ସହର ପ୍ରୟାଗରାଜକୁ ସ୍ୱାଗତ କରିଛନ୍ତି।

ଏହି ଅବସରରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଶ୍ରୀ ବ୍ରଜେଶ ପାଠକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

 

 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୟାଗରାଜ ଗସ୍ତ କରି ସଙ୍ଗମ ସ୍ଥଳରେ ପୂଜା ଓ ଦର୍ଶନ ଓ ତାପରେ ଅକ୍ଷୟ ବଟରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂପ ନିକଟରେ ପୂଜା କରିଥିଲେ। ପ୍ରଧାନମନ୍ତ୍ରୀ ମହାକୁମ୍ଭ ପ୍ରଦର୍ଶନୀ ସ୍ଥଳ ମଧ୍ୟ ପରିଦର୍ଶନ କରିଥିଲେ ।

 

ମହାକୁମ୍ଭ ୨୦୨୫ ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିରେ ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପ ଯଥା ୧୦ଟି ନୂଆ ରୋଡ୍ ଓଭର ବ୍ରିଜ୍ (ଆରଓବି) ବା ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ରିଭରଫ୍ରଣ୍ଟ ରାସ୍ତା ଅନ୍ତର୍ଭୁକ୍ତ ଯେଉଁଗୁଡ଼ିକ ପ୍ରୟାଗରାଜରେ ଭିତ୍ତିଭୂମି ବିକାଶ କରିବା ସହ ଯାତାୟାତକୁ ସୁଗମ କରିବ ।

ସ୍ୱଚ୍ଛ ଏବଂ ନିର୍ମଳ ଗଙ୍ଗା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀକୁ ଯାଉଥିବା ଛୋଟ ଛୋଟ ଡ୍ରେନ୍ ଗୁଡ଼ିକୁ ଅବରୋଧକ, ଟାପିଂ, ଡାଇଭର୍ସନ ଏବଂ ସଫା କରିବା ପାଇଁ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ । ପାନୀୟ ଜଳ ଓ ବିଜୁଳି ସମ୍ବନ୍ଧୀୟ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ମଧ୍ୟ ସେ ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ଭରଦ୍ୱାଜ ଆଶ୍ରମ କରିଡର, ଶୃଙ୍ଗଭରପୁର ଧାମ କରିଡର, ଅକ୍ଷୟବଟ କରିଡର, ହନୁମାନ ମନ୍ଦିର କରିଡର ସମେତ କେତେକ ପ୍ରମୁଖ ମନ୍ଦିର କରିଡରକୁ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ଭକ୍ତଙ୍କୁ ମନ୍ଦିରକୁ ସହଜରେ ପହଞ୍ଚାଇବା ସହ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ। ପ୍ରଧାନମନ୍ତ୍ରୀ କୁମ୍ଭ ସହାୟକ ଚାଟବଟ୍ ର ଶୁଭାରମ୍ଭ କରିଥିଲେ ଯାହା ମହାକୁମ୍ଭ ମେଳା ୨୦୨୫ର କାର୍ଯ୍ୟକ୍ରମ ବିଷୟରେ ଭକ୍ତମାନଙ୍କୁ ସହାୟତା ଏବଂ ସର୍ବଶେଷ ସୂଚନା ପ୍ରଦାନ କରିବ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister emphasises strong foundation built for a truly renewed partnership between the two nations with the visit of Prime Minister of Canada
March 03, 2026

The Prime Minister said that the visit of Prime Minister of Canada, Mark Carney to India, has built a strong foundation for a truly renewed partnership between the two nations.

The Prime Minister said that he looks forward to working together to build a future defined by trust, growth, innovation and shared prosperity for the people of both countries.

Responding to the X post of Canadian Prime Minister, Shri Modi said;

“You are absolutely right, Prime Minister Carney. Your visit has built a strong foundation for a truly renewed partnership.

I look forward to working together with you to build a future defined by trust, growth, innovation and shared prosperity for the people of our nations.

@MarkJCarney”