Agricultural institutions will provide new opportunities to students, help connect farming with research and advanced technology, says PM
PM calls for ‘Meri Jhansi-Mera Bundelkhand’ to make Atmanirbhar Abhiyan a success
500 Water related Projects worth over Rs 10,000 crores approved for Bundelkhand region; work on Projects worth Rs 3000 crores already commenced

ଉତ୍ତରପ୍ରଦେଶର ଝାନ୍ସୀଠାରେ ଥିବା ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କଲେଜ ଓ ପ୍ରଶାସନିକ ଭବନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି । ସେ ମଧ୍ୟ ଏହି ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଦେଶର କୃଷି କ୍ଷେତ୍ରକୁ ସଶକ୍ତ କରିବାରେ ଯଥାର୍ଥ ଅବଦାନ ରଖିବେ ବୋଲି ଆଶା ପ୍ରକାଶ କରିଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଉଦ୍ଘାଟିତ ଦୁଇଟି ଭବନ ବିଦ୍ୟାର୍ଥୀ ଓ କଲେଜ କର୍ତ୍ତୃପକ୍ଷଙ୍କ ନୂଆ ସୁବିଧା ସୁଯୋଗ ଯୋଗାଇବ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଅନୁପ୍ରାଣିତ ହୋଇ ଅଧିକ ପରିଶ୍ରମ କରିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି ।

ଏହି ଅବସରରେ ରାଣୀ ଲକ୍ଷ୍ମୀବାଈଙ୍କ ସ୍ମୃତିଚାରଣ କରି ସେ କହିଛନ୍ତି ‘ମୁଁ ମୋ ଝାନ୍ସୀକୁ ଦେବିନାହିଁ’ ବୋଲି ଯାହା କହିଥିଲେ ତାହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଝାନ୍ସୀ ଓ ବୁନ୍ଦେଲଖଣ୍ଡବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବାରେ କୃଷିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲର ଲକ୍ଷ୍ୟ ହେଲା ଚାଷୀଙ୍କୁ ଉଭୟ ଉତ୍ପାଦକ ଓ ଉଦ୍ୟୋଗୀରେ ପରିଣତ କରିବା । ଏହି ବିଚାରକୁ ମନରେ ରଖି ଦେଶରେ ବିଭିନ୍ନ ଐତିହାସିକ କୃଷି ସଂସ୍କାର କାର୍ଯ୍ୟକାରୀ ହେଉଛି । ଅନ୍ୟାନ୍ୟ ଶିଳ୍ପ ଭଳି ଚାଷୀମାନେ ମଧ୍ୟ ଏବେ ନିଜର ଉତ୍ପାଦିତ ସାମଗ୍ରୀ ଦେଶରେ ଯେକୌଣସି ଜାଗାରେ ବିକ୍ରି କରିପାରିବେ । ଯେଉଁଠି ସେମାନେ ଭଲ ମୂଲ୍ୟ ପାଇବେ ସେଠାରେ ନିଜ ସାମଗ୍ରୀ ବିକିବେ । କ୍ଲଷ୍ଟରଭିତ୍ତିକ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ କୃଷି କ୍ଷେତ୍ରରେ ଏକଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିରନ୍ତର ଉଦ୍ୟମ ଫଳରେ କୃଷି କ୍ଷେତ୍ରକୁ ଆଧୁନିକ ଟେକ୍ନୋଲଜି ସହିତ ସଂଯୁକ୍ତ କରାଯାଇପାରିଛି । କୃଷି ବିଶ୍ୱବିଦ୍ୟାଳୟଗୁଡିକରେ ଥିବା ଗବେଷଣା ଅନୁଷ୍ଠାନଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଦେଶରେ ଏବେ 3ଟି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ରହିଛି । 6 ବର୍ଷ ତଳେ ଏହି ସଂଖ୍ୟା ମାତ୍ର 1ରେ ସୀମିତ ଥିଲା । ଏହାଛଡା ଝାଡଖଣ୍ଡ ଓ ଆସାମରେ ଦୁଇଟି ଜାତୀୟ କୃଷି ପ୍ରତିଷ୍ଠାନ ଏବଂ ବିହାରର ମୋତିହାରୀଠାରେ ମହାତ୍ମା ଗାନ୍ଧୀ ସମ୍ମନ୍ୱିତ କୃଷି ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି । ଏସବୁ ପ୍ରତିଷ୍ଠାନ କେବଳ ଛାତ୍ରଛାତ୍ରୀଙ୍କୁ ନୂଆ ସୁଯୋଗ ଦେବନାହିଁ, ସ୍ଥାନୀୟ କୃଷକଙ୍କ କଲ୍ୟାଣ ପାଇଁ ଟେକ୍ନୋଲଜି ଯୋଗାଇଦେଇ ସେମମାନଙ୍କ ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଆଧୁନିକ ଟେକ୍ନୋଲଜିର ପ୍ରୟୋଗ ସଂପର୍କରେ ଉଲ୍ଲେଖ କରିବାବେଳେ ନିକଟ ଅତୀତର ପଙ୍ଗପାଳ ଆକ୍ରମଣ ସଂପର୍କରେ ସେ ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଆଧୁନିକ ଟେକ୍ନୋଲଜି ପ୍ରୟୋଗ କରି ସରକାର ଅଳ୍ପ ସମୟରେ ସଫଳତାର ସହ ପଙ୍ଗପାଳ ଆକ୍ରମଣକୁ ନିୟନ୍ତ୍ରିତ କରିଥିଲେ ଏବଂ ଫସଲ କ୍ଷତି ରୋକିବାରେ ସମର୍ଥ ହୋଇଥିଲେ । ପଙ୍ଗପାଳ ଆକ୍ରମଣର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ୍‌ମାନ ସ୍ଥାପନ କରାଯାଇ ଚାଷୀମାନଙ୍କୁ ଏ ସଂପର୍କରେ ଆଗୁଆ ସୂଚନା ଦିଆଯାଇଥିଲା । ଏହାଛଡା ଡ୍ରୋନ ଏବଂ ଅନ୍ୟାନ୍ୟ ଆଧୁନିକ ସ୍ପ୍ରେ ମେସିନ ସାହାଯ୍ୟରେ ବିଷ ସ୍ପ୍ରେ କରାଯାଇ ପଙ୍ଗପାଳଙ୍କୁ ନିପାତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ 6 ବର୍ଷ ମଧ୍ୟରେ କୃଷି ଓ ଗବେଷଣା ମଧ୍ୟରେ ସକ୍ରିୟ ସଂଯୋଗ ସ୍ଥାପନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହାଛଡା ଗ୍ରାମସ୍ତରରେ ଚାଷୀଙ୍କୁ ବିଜ୍ଞାନଭିତ୍ତିକ ଓ ଆଧୁନିକ ପରାମର୍ଶମାନ ପ୍ରଦାନ କରାଯାଉଛି । କୃଷି ବିଶ୍ୱବିଦ୍ୟାଳୟରେ ଯେଉଁସବୁ ନୂଆ ଜ୍ଞାନକୌଶଳ ଓ ଉପଲବ୍ଧି ହାସଲ ହେଉଛି ତାହାକୁ କୃଷି କ୍ଷେତ୍ରକୁ ସଂପ୍ରସାରିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । କୃଷି ଓ କୃଷିଭିତ୍ତିକ ଜ୍ଞାନକୁ ବାସ୍ତବାଭିମୁଖୀ କରିବା ପାଇଁ ସ୍କୁଲ ସ୍ତରରୁ ପ୍ରୟାସ ଆରମ୍ଭ ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଗ୍ରାମାଞ୍ଚଳରେ ମାଧ୍ୟମିକ ସ୍କୁଲ ସ୍ତରରେ କୃଷିକୁ ଏକ ପାଠ୍ୟକ୍ରମଭାବେ ପ୍ରଚଳନ କରିବା ପାଇଁ ଉଦ୍ୟମ ହେଉଛି । ଏହାଦ୍ୱାରା  ଛାତ୍ରମାନଙ୍କ ମଧ୍ୟରେ ଚାଷବାସଜନିତ ଜ୍ଞାନ ବଢିବ ଏବଂ ଆଧୁନିକ କୃଷି କାର୍ଯ୍ୟରେ ନୂଆ ଟେକ୍‌ନୋଲଜିର ପ୍ରୟୋଗ ଏବଂ କୃଷିଜାତ ଦ୍ରବ୍ୟର ବିପଣନ ସଂପର୍କରେ ପିଲାମାନେ ସେମାନଙ୍କ ପରିବାରକୁ ଉପଯୁକ୍ତ ପରାମର୍ଶ ଦେଇପାରିବେ । ଏହାଦ୍ୱାରା ଦେଶରେ କୃଷି ଉଦ୍ୟମୀତା ପ୍ରୋତ୍ସାହିତ ହେବ ବୋଲି ସେ କହିଛନ୍ତି ।

କରୋନା ମହାମାରୀ ସମୟରେ ଲୋକମାନଙ୍କ ଦୁଃଖଦୁର୍ଦ୍ଦଶା ହ୍ରାସ କରିବାକୁ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମ ସଂପର୍କରେ ସେ କହିଛନ୍ତି ଯେ ଉତ୍ତର ପ୍ରଦେଶର ଗରିବ ଓ ଗ୍ରାମାଞ୍ଚଳ ପରିବାରମାନଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ବୁନ୍ଦେଲଖଣ୍ଡ ଅଞ୍ଚଳରେ ପ୍ରାୟ 10 ଲକ୍ଷ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ୍‌ ସିଲିଣ୍ଡର ଏହି ସମୟରେ ପ୍ରଦାନ କରାଯାଇଛି । ଗରିବ କଲ୍ୟାଣ  ରୋଜଗାର ଅଭିଯାନରେ ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ 700 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାଦ୍ୱାରା ଲକ୍ଷ ଲକ୍ଷ ଶ୍ରମିକ କାମ ପାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବର ପ୍ରତିଶ୍ରୁତି ମୁତାବକ ଦେଶର ପ୍ରତ୍ୟେକ ଘରକୁ ପାନୀୟଜଳ ସଂଯୋଗ ବ୍ୟବସ୍ଥା ତ୍ୱରିତ ବେଗରେ କାର୍ଯ୍ୟକାରୀ ହେଉଛି । ଏଥିପାଇଁ 10 ହଜାର କୋଟି ଟଙ୍କାର ପ୍ରାୟ 500ଟି ଜଳବିଷୟକ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ସେଥିମଧ୍ୟରୁ 3ହଜାର କୋଟି ଟଙ୍କାର ପ୍ରକଳ୍ପ ଗତ ଦୁଇମାସ ମଧ୍ୟରେ ଆରମ୍ଭ ହୋଇଛି । ଏହାଦ୍ୱାରା ବୁନ୍ଦେଲଖଣ୍ଡ ଅଞ୍ଚଳର ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ । ବୁନ୍ଦେଲଖଣ୍ଡରେ ଖୁବ୍‌ଶୀଘ୍ର ଅଟଳ ଭୂତଳ ଜଳ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଚାଲିଛି । ଭୂତଳ ଜଳସ୍ତର ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ୍ୟ । ଝାନ୍ସୀ, ମହୁବା, ବାନ୍ଦା, ହମିରପୁର, ଚିତ୍ରକୁଟ ଏବଂ ଲଳିତପୁର ଜିଲା ସମେତ ପଶ୍ଚିମ ଉତ୍ତର ପ୍ରଦେଶର ହଜାର ହଜାର ଗାଁର ଭୂତଳ ଜଳସ୍ତର ବୃଦ୍ଧି ପାଇଁ 700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୁନ୍ଦେଲଖଣ୍ଡରେ ବେଟୁୱା, କେନ୍‌ ଓ ଯମୁନା ଆଦି ନଦୀ ପ୍ରବାହିତ । ତେବେ ଏହିସବୁ ନଦୀର ଜଳଦ୍ୱାରା ଏ ଅଞ୍ଚଳ ବିଶେଷ ଲାଭବାନ ହୁଏ ନାହିଁ । ଏହି ଅବସ୍ଥାକୁ ବଦଳାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । କେନ୍‌ ଓ ବେଟୁୱା ନଦୀକୁ ଯୋଡି ଏହାର ଲାଭ ସ୍ଥାନୀୟ ଲୋକଙ୍କୁ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ସହଯୋଗ କରୁଛନ୍ତି । ନଦୀ ସଂଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ବୁନ୍ଦେଲଖଣ୍ଡ ଆବଶ୍ୟକ ଜଳ ପାଇଲେ ଏହି ଅଞ୍ଚଳର ଜୀବନଜୀବିକା ସଂପୂର୍ଣ୍ଣ ବଦଳିଯିବ । ଏହାଛଡା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ସଡ଼କ ଓ ପ୍ରତିରକ୍ଷା କରିଡରରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହାଦ୍ୱାରା ବିପୁଳ କର୍ମନିଯୁକ୍ତି ସୃଷ୍ଟି ହୋଇଛି । ସେ କହିଛନ୍ତି ଯେ ଖୁବ୍‌ଶୀଘ୍ର ବୁନ୍ଦେଲଖଣ୍ଡର ଚର୍ତୁଦ୍ଦିଗରେ ଜୟ ଯବାନ, ଜୟ କିଷାନ ଓ ଜୟ ବିଜ୍ଞାନ ମନ୍ତ୍ର ନିନାଦିତ ହେବ । ବୁନ୍ଦେଲଖଣ୍ଡର ଯେଉଁ ପୁରୁଣା ସୁନାମ ରହିଛି ତାହାକୁ ଫେରାଇ ଆଣିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଙ୍ଗୀକୃତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph