ବିବିଧତାକୁ ନିଜ ଗଣତନ୍ତ୍ରର ଶକ୍ତିରେ ପରିଣତ କରିଛି ଭାରତ: ପ୍ରଧାନମନ୍ତ୍ରୀ
ଭାରତ ପ୍ରମାଣିତ କରିଛି ଯେ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ଗଣତାନ୍ତ୍ରିକ ପ୍ରକ୍ରିୟା ଗଣତନ୍ତ୍ରକୁ ସ୍ଥିରତା, ଗତି ଓ ବିଶାଳତା ପ୍ରଦାନ କରିଥାଏ : ପ୍ରଧାନମନ୍ତ୍ରୀ
ଭାରତରେ, ଗଣତନ୍ତ୍ରର ଅର୍ଥ ହେଉଛି ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବା: ପ୍ରଧାନମନ୍ତ୍ରୀ
ଆମ ଗଣତନ୍ତ୍ର ହେଉଛି ଗଭୀର ମୂଳ ବିଶିଷ୍ଟ ଏକ ବିଶାଳ ଦ୍ରୁମ ; ବିତର୍କ, ଆଲୋଚନା ଓ ସାମୂହିକ ନିଷ୍ପତ୍ତିଗ୍ରହଣ କ୍ଷେତ୍ରରେ ଆମର ସୁଦୀର୍ଘ ପରମ୍ପରା ରହିଛି : ପ୍ରଧାନମନ୍ତ୍ରୀ
ଭାରତ ବିଶ୍ବ ଦକ୍ଷିଣର ଚିନ୍ତାଗୁଡ଼ିକୁ ପ୍ରତ୍ୟେକ ବିଶ୍ବ ମଞ୍ଚରେ ଦୃଢତାର ସହ ଉଠାଉଛି; ନିଜର ଜି୨୦ ଅଧ୍ୟକ୍ଷତା କାଳରେ ବି ଭାରତ ବିଶ୍ବ ଦକ୍ଷିଣର ପ୍ରାଥମିକତାଗୁଡ଼ିକୁ ବିଶ୍ବ ଏଜେଣ୍ଡାର କେନ୍ଦ୍ରରେ ରଖିଥିଲା : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସଂସଦ ପରିସରରେ ଥିବା ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ରାଷ୍ଟ୍ରମଣ୍ଡଳ ବାଚସ୍ପତି ଏବଂ ପୀଠାସୀନ ଅଧିକାରୀମାନଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି)କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଥିଲେ ଯେ ଏକ ସଂସଦୀୟ ଗଣତନ୍ତ୍ରରେ ବାଚସ୍ପତିଙ୍କ ଭୂମିକା ଅନନ୍ୟ। ସେ  କହିଥିଲେ ଯେ ବାଚସ୍ପତିଙ୍କୁ କହିବାକୁ ଅଧିକ ସୁଯୋଗ ମିଳେ ନାହିଁ, କିନ୍ତୁ ତାଙ୍କର ଦାୟିତ୍ୱ ହେଉଛି ଅନ୍ୟମାନଙ୍କ କଥା ଶୁଣିବା ଏବଂ ସମସ୍ତଙ୍କୁ କହିବାର ସୁଯୋଗ ପାଇବା ସୁନିଶ୍ଚିତ କରିବା। ଧୈର୍ଯ୍ୟ ହେଉଛି ବାଚସ୍ପତିମାନଙ୍କର ସବୁଠାରୁ ସାଧାରଣ ଗୁଣ, ଯେଉଁମାନେ ହସ ହସରେ କୋଳାହଳପୂର୍ଣ୍ଣ ଏବଂ ଅତ୍ୟଧିକ ଉତ୍ସାହିତ ସଦସ୍ୟମାନଙ୍କୁ ମଧ୍ୟ ସମ୍ଭାଳିଥାନ୍ତି। 
ଏହି ବିଶେଷ ଅବସରରେ ଅତିଥିମାନଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ସେମାନଙ୍କ ଉପସ୍ଥିତି ପ୍ରତି ସମ୍ମାନ ଜଣାଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ଯେଉଁ ସ୍ଥାନରେ ବସିଛନ୍ତି ତାହା ଭାରତର ଗଣତାନ୍ତ୍ରିକ ଯାତ୍ରାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଉପନିବେଶବାଦୀ ଶାସନର ଶେଷ ବର୍ଷଗୁଡ଼ିକରେ, ଯେତେବେଳେ ଭାରତର ସ୍ୱାଧୀନତା ପାଖେଇ ଆସୁଥିଲା, ଦେଶର ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ସମ୍ବିଧାନ ସଭା ଏହି କେନ୍ଦ୍ରୀୟ ହଲରେ ଏକାଠି ହୋଇଥିଲା। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସ୍ୱାଧୀନତାର ୭୫ ବର୍ଷ ଧରି ଏହି ଭବନ ଭାରତର ସଂସଦ ଭାବରେ କାର୍ଯ୍ୟ କରିଥିଲା, ଯେଉଁଠାରେ ଦେଶର ଭବିଷ୍ୟତକୁ ଆକାର ଦେବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ବିତର୍କ ଅନୁଷ୍ଠିତ ହୋଇଥିଲା। ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭାରତ ଏବେ ଏହି ଐତିହାସିକ ସ୍ଥାନକୁ ସମ୍ବିଧାନ ସଦନ ଭାବରେ ନାମିତ କରିଛି ଏବଂ ଏହାକୁ ଗଣତନ୍ତ୍ର ପାଇଁ ଉତ୍ସର୍ଗ କରିଛି। ସେ ଉଲ୍ଲେଖ କରିଥିଲେ ଯେ, ନିକଟରେ ଭାରତ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୁର୍ତି ପାଳନ କରିଥିଲା। ସମ୍ବିଧାନ ଗୃହରେ ସମସ୍ତ ସମ୍ମାନିତ ଅତିଥିଙ୍କ ଉପସ୍ଥିତି ଭାରତର ଗଣତନ୍ତ୍ର ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ମୁହୂର୍ତ୍ତ ବୋଲି ସେ କହିଥିଲେ।
 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏଥରକୁ ମିଶାଇ ଭାରତରେ ଚତୁର୍ଥ ଥର ପାଇଁ ରାଷ୍ଟ୍ରମଣ୍ଡଳ ବାଚସ୍ପତି ଏବଂ ପୀଠାସୀନ ଅଧିକାରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ହେଉଛି ସଂସଦୀୟ ଗଣତନ୍ତ୍ରର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ। ଶ୍ରୀ ମୋଦୀ ସ୍ମରଣ କରାଇଥିଲେ ଯେ, ଯେତେବେଳେ ଭାରତ ସ୍ୱାଧୀନତା ପାଇଲା, ସେତେବେଳେ ଏକ ଆଶଙ୍କା ଥିଲା ଯେ ଏତେ ବିବିଧତାପୂର୍ଣ୍ଣ ଦେଶରେ ଗଣତନ୍ତ୍ର ବଞ୍ଚିପାରିବ ନାହିଁ। ସେ ଗୁରୁତ୍ୱାରୋପ କରିଥିଲେ ଭାରତ ଏହି ବିବିଧତାକୁ ଏହାର ଗଣତନ୍ତ୍ରର ଶକ୍ତିରେ ପରିଣତ କରିଛି। ଆଉ ଏକ ପ୍ରମୁଖ ଚିନ୍ତା ଥିଲା ଯେ ଯଦିବା ଭାରତରେ ଗଣତନ୍ତ୍ର କୌଣସି ପ୍ରକାରେ ବଞ୍ଚି ରହିବ, ବିକାଶ ସମ୍ଭବ ହେବ ନାହିଁ। "କିନ୍ତୁ ଭାରତ ପ୍ରମାଣିତ କରିଛି ଯେ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ଗଣତନ୍ତ୍ରକୁ ସ୍ଥିରତା, ଗତି ଏବଂ ବିସ୍ତୃତି ପ୍ରଦାନ କରେ" ପ୍ରଧାନମନ୍ତ୍ରୀ କହିଥିଲେ। ସେ ଦର୍ଶାଇଥିଲେ ଯେ ଆଜି ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି ଓ ୟୁପିଆଇ ମାଧ୍ୟମରେ ବିଶ୍ୱର ସର୍ବବୃହତ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଭାରତରେ ରହିଛି। ଭାରତ ଏବେ ବିଶ୍ବର ବୃହତ୍ତମ ଟୀକା ଉତ୍ପାଦକ, ଦ୍ୱିତୀୟ ବୃହତ୍ତମ ଇସ୍ପାତ ଉତ୍ପାଦକ, ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ, ତୃତୀୟ ବୃହତ୍ତମ ବିମାନସେବା ବଜାର, ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ, ତୃତୀୟ ବୃହତ୍ତମ ମେଟ୍ରୋ ରେଳ ନେଟୱାର୍କ, ବୃହତ୍ତମ କ୍ଷୀର ଉତ୍ପାଦକ ଏବଂ ଦ୍ୱିତୀୟ ବୃହତ୍ତମ ଚାଉଳ ଉତ୍ପାଦକ।
ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, "ଭାରତରେ ଗଣତନ୍ତ୍ରର ଅର୍ଥ ହେଉଛି ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବା। ଭାରତ ଜନ କଲ୍ୟାଣର ଆତ୍ମା ସହିତ କାର୍ଯ୍ୟ କରେ, ନିଶ୍ଚିତ କରେ ଯେ ପ୍ରତ୍ୟେକ ବ୍ୟକ୍ତି କୌଣସି ଭେଦଭାବ ବିନା ଲାଭ ପାଆନ୍ତୁ। ଜନକଲ୍ୟାଣର ଏହି ମନୋଭାବ ସାମ୍ପ୍ରତିକ ବର୍ଷଗୁଡ଼ିକରେ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି। ଭାରତରେ ଗଣତନ୍ତ୍ର ସଫଳତାର ସହ କାର୍ଯ୍ୟ କରୁଛି।"
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଗଣତନ୍ତ୍ର ସଫଳ ହୋଇଛି କାରଣ ଏଠାରେ ଲୋକମାନେ ସର୍ବୋପରି। ସେ ଉଲ୍ଲେଖ କରିଥିଲେ ଯେ ଲୋକଙ୍କ ଆକାଂକ୍ଷା ଏବଂ ସ୍ୱପ୍ନକୁ ପ୍ରାଥମିକତା ଦିଆଯାଇଛି, ଏବଂ ସେମାନଙ୍କ ରାସ୍ତାରେ କୌଣସି ବାଧା ନ ଆସୁ ତାହା ସୁନିଶ୍ଚିତ କରିବା ପାଇଁ, ପ୍ରକ୍ରିୟାଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ସବୁକିଛିକୁ ଗଣତାନ୍ତ୍ରିକ କରାଯାଇଛି। ଏହି ଗଣତାନ୍ତ୍ରିକ ଆତ୍ମା ଭାରତର ଶିରାପ୍ରଶିରା ଏବଂ ମନରେ ପ୍ରବାହିତ ହେଉଛି। ଶ୍ରୀ ମୋଦୀ କୋଭିଡ୍-୧୯ ମହାମାରୀର ଉଦାହରଣ ଦେଇଥିଲେ, ଯାହାକୁ ନେଇ ସମଗ୍ର ବିଶ୍ୱ ସଂଘର୍ଷ କରୁଥିଲା। ସେ କହିଥିଲେ ଯେ ଦେଶ ଭିତରେ ଆହ୍ଵାନ ସତ୍ତ୍ୱେ, ଭାରତ ୧୫୦ ରୁ ଅଧିକ ଦେଶକୁ ଔଷଧ ଏବଂ ଟୀକା ଯୋଗାଇଥିଲା। ଲୋକଙ୍କ ସ୍ୱାର୍ଥ, କଲ୍ୟାଣ ଏବଂ ସୁସ୍ଥତାର ସେବା କରିବା ହେଉଛି ଭାରତର ମୂଳ ନୀତି, ଏବଂ ଏହି ନୀତି ଭାରତର ଗଣତନ୍ତ୍ର ଦ୍ୱାରା ପରିଚାଳିତ ହୋଇଛି।
 

ବିଶ୍ୱର ଅନେକ ଲୋକ ଭାରତକୁ ସର୍ବବୃହତ ଗଣତନ୍ତ୍ର ଭାବରେ ଚିହ୍ନିତ କରୁଥିବା ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ଗଣତନ୍ତ୍ରର ସ୍ତର ପ୍ରକୃତରେ ଅସାଧାରଣ। ୨୦୨୪ରେ ଅନୁଷ୍ଠିତ ସାଧାରଣ ନିର୍ବାଚନକୁ ଉଲ୍ଲେଖ କରି ସେ କହିଥିଲେ ଯେ ଏହା ମାନବ ଇତିହାସର ସର୍ବବୃହତ ଗଣତାନ୍ତ୍ରିକ ପ୍ରକ୍ରିୟା ଥିଲା। ପ୍ରାୟ ୯୮ କୋଟି ନାଗରିକ ଭୋଟ ଦେବାକୁ ପଞ୍ଜୀକୃତ ହୋଇଥିଲେ, ଯାହା କିଛି ମହାଦେଶର ଜନସଂଖ୍ୟାଠାରୁ ଅଧିକ। ସେ ଦର୍ଶାଇଥିଲେ ଯେ ୮,୦୦୦ ରୁ ଅଧିକ ପ୍ରାର୍ଥୀ ଏବଂ ୭୦୦ ରୁ ଅଧିକ ରାଜନୈତିକ ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ଏବଂ ନିର୍ବାଚନରେ ମହିଳା ଭୋଟରଙ୍କ ରେକର୍ଡ ସଂଖ୍ୟା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଆଜି ଭାରତୀୟ ମହିଳାମାନେ କେବଳ ଅଂଶଗ୍ରହଣ କରୁଛନ୍ତି ନାହିଁ ବରଂ ନେତୃତ୍ୱ ମଧ୍ୟ ନେଉଛନ୍ତି। ସେ ଦର୍ଶାଇଥିଲେ ଯେ ଭାରତର ରାଷ୍ଟ୍ରପତି, ଦେଶର ପ୍ରଥମ ନାଗରିକ, ଜଣେ ମହିଳା ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଯେଉଁଠାରେ ସମ୍ମିଳନୀ ଅନୁଷ୍ଠିତ ହେଉଛି, ସେ ମଧ୍ୟ ଜଣେ ମହିଳା। ସେ ଆହୁରି କହିଛନ୍ତି ଯେ ଭାରତରେ ଗ୍ରାମୀଣ ଏବଂ ସ୍ଥାନୀୟ ସରକାରୀ ସଂସ୍ଥାଗୁଡ଼ିକରେ ପ୍ରାୟ ୧୫ ଲକ୍ଷ ନିର୍ବାଚିତ ମହିଳା ପ୍ରତିନିଧି ଅଛନ୍ତି, ଯେଉଁମାନେ ତୃଣମୂଳ ସ୍ତରର ନେତୃତ୍ବର ପ୍ରାୟ ୫୦ ପ୍ରତିଶତ ପ୍ରତିନିଧିତ୍ୱ କରନ୍ତି, ଯାହା ବିଶ୍ୱ ସ୍ତରରେ ଅତୁଳନୀୟ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତୀୟ ଗଣତନ୍ତ୍ର ବିବିଧତାରେ ସମୃଦ୍ଧ। ସେ ଦର୍ଶାଇଥିଲେ ଯେ ଭାରତରେ ଶହ ଶହ ଭାଷା କୁହାଯାଏ, ବିଭିନ୍ନ ଭାଷାରେ ୯୦୦ରୁ ଅଧିକ ଟେଲିଭିଜନ ଚ୍ୟାନେଲ ଅଛି ଏବଂ ହଜାର ହଜାର ସମ୍ବାଦପତ୍ର ଏବଂ ପତ୍ରିକା ପ୍ରକାଶିତ ହୁଏ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବହୁତ କମ୍ ସମାଜ ଏତେ ମହାନ ବିବିଧତାକୁ ପରିଚାଳନା କରିପାରିବେ ଏବଂ ଭାରତ ଏହି ବିବିଧତାକୁ ପାଳନ କରେ କାରଣ ଏହାର ଗଣତାନ୍ତ୍ରିକ ଭିତ୍ତିଭୂମି ଦୃଢ଼। ଭାରତର ଗଣତନ୍ତ୍ରକୁ ଗଭୀର ମୂଳ ବିଶିଷ୍ଟ ଏକ ବିଶାଳ ବୃକ୍ଷ ସହିତ ତୁଳନା କରି ଶ୍ରୀ ମୋଦୀ ଭାରତର ବିତର୍କ, ଆଲୋଚନା ଏବଂ ସାମୂହିକ ନିଷ୍ପତ୍ତି ଗ୍ରହଣର ଦୀର୍ଘ ପରମ୍ପରା କଥା ଉଲ୍ଲେଖ କରିଥିଲେ ଓ ଭାରତକୁ ଗଣତନ୍ତ୍ରର ଜନନୀ ବୋଲି ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ୫୦୦୦ବର୍ଷରୁ ଅଧିକ ପୁରୁଣା ଭାରତର ପବିତ୍ର ଶାସ୍ତ୍ର ବେଦ ଏପରି ସଭାଗୁଡ଼ିକର ଉଲ୍ଲେଖ କରେ ଯେଉଁଠାରେ ଲୋକମାନେ ଏକାଠି ହୋଇ ପ୍ରସଙ୍ଗ ଉପରେ ଆଲୋଚନା କରୁଥିଲେ ଏବଂ ଆଲୋଚନା ଏବଂ ସହମତି ପରେ ନିଷ୍ପତ୍ତି ନେଉଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ହେଉଛି ଭଗବାନ ବୁଦ୍ଧଙ୍କ ଭୂମି, ଯେଉଁଠାରେ ବୌଦ୍ଧ ସଂଘ ମୁକ୍ତ ଏବଂ ବ୍ୟବସ୍ଥିତ ଆଲୋଚନା କରୁଥିଲା ଏବଂ ସହମତି କିମ୍ବା ଭୋଟିଂ ଦ୍ୱାରା ନିଷ୍ପତ୍ତି ନିଆଯାଉଥିଲା। ସେ ତାମିଲନାଡୁର ଏକ ଦଶମ ଶତାବ୍ଦୀର ଶିଳାଲେଖ କଥା ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁସାରେ କାର୍ଯ୍ୟ କରୁଥିବା ଏକ ଗ୍ରାମ ସଭାକୁ ବର୍ଣ୍ଣନା କରେ, ଯେଉଁଥିରେ ଉତ୍ତରଦାୟିତ୍ୱ ଏବଂ ନିଷ୍ପତ୍ତି ଗ୍ରହଣ ପାଇଁ ସ୍ପଷ୍ଟ ନିୟମ ରହିଛି। "ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ସମୟର ପରୀକ୍ଷାରେ ଉତିର୍ଣ୍ଣ ହୋଇଛି, ବିବିଧତା ଦ୍ୱାରା ସମର୍ଥନ ପାଇଛି ଏବଂ ପିଢ଼ି ପରେ ପିଢ଼ି ଅଧିକ ଶକ୍ତିଶାଳୀ ହୋଇଛି" ସେ କହିଥିଲେ।
ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ରାଷ୍ଟ୍ରମଣ୍ଡଳ ଦେଶଗୁଡ଼ିକର ମୋଟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଭାରତରେ ବାସ କରନ୍ତି। ଭାରତ ସର୍ବଦା ସମସ୍ତ ଦେଶର ବିକାଶରେ ଯଥାସମ୍ଭବ ଯୋଗଦାନ ଦେବାକୁ ଚେଷ୍ଟା କରୁଛି। ଭାରତ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ଆର୍ଥିକ ଅଭିବୃଦ୍ଧି କିମ୍ବା ନବସୃଜନ କ୍ଷେତ୍ରରେ ରାଷ୍ଟ୍ରମଣ୍ଡଳ ଦେଶଗୁଡ଼ିକର ସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରତି ନିଜର ପ୍ରତିବଦ୍ଧତାକୁ ଦାୟିତ୍ୱର ସହ ପାଳନ କରୁଛି। ଭାରତ ନିରନ୍ତର ଭାବରେ ଏହାର ସହଯୋଗୀଙ୍କଠାରୁ ଶିଖିବାକୁ ଚେଷ୍ଟା କରୁଛି ଏବଂ ଭାରତର ଅଭିଜ୍ଞତାରୁ ଅନ୍ୟ ରାଷ୍ଟ୍ରମଣ୍ଡଳ ଦେଶମାନେ ଉପକୃତ ହୁଅନ୍ତୁ ତାହା ନିଶ୍ଚିତ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ ।
 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଅଭୂତପୂର୍ବ ପରିବର୍ତ୍ତନ ଦେଇ ଗତି କରୁଥିବା ବେଳେ, ବିଶ୍ବ ଦକ୍ଷିଣ ପାଇଁ ନୂତନ ରାସ୍ତା ଖୋଲିବାର ସମୟ ଆସିଛି। ସେ କହିଛନ୍ତି ଯେ ଭାରତ ପ୍ରତ୍ୟେକ ବିଶ୍ୱ ମଞ୍ଚରେ ବିଶ୍ବ ଦକ୍ଷିଣର ଚିନ୍ତାଗୁଡ଼ିକୁ ଦୃଢ଼ ଭାବରେ ଉତ୍ଥାପନ କରୁଛି। ସେ ସ୍ମରଣ କରିଥିଲେ ଯେ ଜି୨୦ ଅଧ୍ୟକ୍ଷତା ସମୟରେ, ଭାରତ ବିଶ୍ବ ଦକ୍ଷିଣର ଚିନ୍ତାଗୁଡ଼ିକୁ ବିଶ୍ୱ କାର୍ଯ୍ୟସୂଚୀର କେନ୍ଦ୍ରରେ ରଖିଥିଲା। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଭାରତ ନିରନ୍ତର ଭାବରେ ଗ୍ଲୋବାଲ୍ ସାଉଥ୍ ଏବଂ ରାଷ୍ଟ୍ରମଣ୍ଡଳ ଦେଶଗୁଡ଼ିକରେ ନବସୃଜନର ଲାଭ ବଣ୍ଟନ କରିବା ପାଇଁ ପ୍ରୟାସ କରୁଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ଏକ ଓପନ ସୋର୍ସ ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମ ମଧ୍ୟ ସୃଷ୍ଟି କରୁଛି ଯଦ୍ବାରା ବିଶ୍ବ ଦକ୍ଷିଣର ଅଂଶୀଦାର ଦେଶଗୁଡ଼ିକ ଭାରତରେ ପ୍ରତିଷ୍ଠିତ ବ୍ୟବସ୍ଥା ପରି ବ୍ୟବସ୍ଥା ବିକଶିତ କରିପାରିବେ।
ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଂସଦୀୟ ଗଣତନ୍ତ୍ରର ଜ୍ଞାନ ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଉପାୟ ଅନୁସନ୍ଧାନ କରିବା ବୋଲି ଶ୍ରୀ ମୋଦୀ କହିଥିଲେ। ସେ କହିଥିଲେ ଯେ ବାଚସ୍ପତି ଏବଂ ପୀଠାସୀନ ଅଧିକାରୀମାନେ ଏହି ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି, କାରଣ ସେମାନେ ଲୋକମାନଙ୍କୁ ସେମାନଙ୍କ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ସହିତ ଅଧିକ ନିକଟତର କରନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଭାରତୀୟ ସଂସଦ ପୂର୍ବରୁ ଏପରି ପଦକ୍ଷେପ ନେଇଆସିଛି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଅଧ୍ୟୟନ ଭ୍ରମଣ, ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଇଣ୍ଟର୍ନସିପ୍ ମାଧ୍ୟମରେ ନାଗରିକମାନଙ୍କୁ ସଂସଦକୁ ନିକଟରୁ  ବୁଝିବା ପାଇଁ ସୁଯୋଗ ପ୍ରଦାନ କରାଯାଉଛି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତ ରିଅଲ ଟାଇମରେ ବିତର୍କ ଏବଂ ଗୃହ କାର୍ଯ୍ୟକୁ ଆଞ୍ଚଳିକ ଭାଷାରେ ଅନୁବାଦ କରିବା ପାଇଁ କୃତ୍ରିମ ବୁଦ୍ଧିମତା ବ୍ୟବହାର କରିବା ଆରମ୍ଭ କରିଛି। ଶ୍ରୀ ମୋଦୀ କହିଥିଲେ ଯେ  କୃତ୍ରିମ ବୁଦ୍ଧିମତା ସାହାଯ୍ୟରେ, ସଂସଦୀୟ ସମ୍ବଳଗୁଡ଼ିକୁ ମଧ୍ୟ ଅଧିକ ବ୍ୟବହାରକାରୀ-ଅନୁକୂଳ କରାଯାଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହା ଯୁବ ପିଢ଼ିକୁ ସଂସଦର କାର୍ଯ୍ୟଧାରା ବୁଝିବା ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରୁଛି।
 

୨୦ରୁ ଅଧିକ ରାଷ୍ଟ୍ରମଣ୍ଡଳ ସଦସ୍ୟ ଦେଶ ପରିଦର୍ଶନ କରିବାର ସୁଯୋଗ ତାଙ୍କୁ ମିଳିଛି ଓ ଅନେକ ଦେଶର ସଂସଦକୁ ସମ୍ବୋଧିତ କରିବାର ସୌଭାଗ୍ୟ ମଧ୍ୟ ମିଳିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସେ ଯେଉଁଠାକୁ ଯାଇଛନ୍ତି, ସେ ବହୁତ କିଛି ଶିଖିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ସେ ଯେକୌଣସି ଉତ୍କୃଷ୍ଟ ପ୍ରଥା ସହ ପରିଚିତ ହୁଅନ୍ତି ତାହାକୁ ସେ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କୁ ପ୍ରକାଶ କରନ୍ତି। ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି ସମ୍ମିଳନୀ ଶିକ୍ଷଣ ଏବଂ ଅନୁଭବ ଆଦାନ ପ୍ରଦାନ ପ୍ରକ୍ରିୟାକୁ ଆହୁରି ସମୃଦ୍ଧ କରିବ। ନିଜର ଅଭିଭାଷଣ ଶେଷରେ, ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ଆନ୍ତଃ-ସଂସଦୀୟ ସଂଘର ଅଧ୍ୟକ୍ଷ ଡକ୍ଟର ତୁଲିଆ ଅକ୍ସନ, ରାଷ୍ଟ୍ରାମଣ୍ଡଳ ସଂସଦୀୟ ସଂଘର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଟୋଫର କାଲିଲା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ପୃଷ୍ଠଭୂମି
୨୮ତମ ସିଏସପିଓସି ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏବଂ ଏଥିରେ ୪୨ଟି ରାଜ୍ୟଗୋଷ୍ଠୀ ଦେଶ ଏବଂ ବିଶ୍ୱର ବିଭିନ୍ନ ଅଂଚଳର ୪ଟି ଅର୍ଦ୍ଧ-ସ୍ୱାୟତ୍ତ ସଂସଦରୁ ୬୧ ଜଣ ବାଚସ୍ପତି ଏବଂ ପୀଠାସୀନ ଅଧିକାରୀ ସାମିଲ ହେବେ।
 

ସମ୍ମିଳନୀରେ ସମସାମୟିକ ସଂସଦୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ, ଯେଉଁଥିରେ ଦୃଢ଼ ଗଣତାନ୍ତ୍ରିକ ପ୍ରତିଷ୍ଠାନ ବଜାୟ ରଖିବାରେ ବାଚସ୍ପତି ଏବଂ ପୀଠାସୀନ ଅଧିକାରୀମାନଙ୍କ ଭୂମିକା, ସଂସଦୀୟ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର, ସଂସଦର ସଦସ୍ୟଙ୍କ ଉପରେ ସାମାଜିକ ଗଣମାଧ୍ୟମର ପ୍ରଭାବ, ସଂସଦ ପ୍ରତି ସାଧାରଣ ବୁଝାମଣା ବୃଦ୍ଧି ପାଇଁ ଅଭିନବ ରଣନୀତି ଏବଂ ଭୋଟ ଦେବା ବ୍ୟତୀତ ଅନ୍ୟ କ୍ଷେତ୍ରରେ ନାଗରିକଙ୍କ ଅଂଶଗ୍ରହଣ ଅନ୍ତର୍ଭୁକ୍ତ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s gem and jewellery exports surge 26% in June

Media Coverage

India’s gem and jewellery exports surge 26% in June
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends best wishes to Skyroot Aerospace
July 18, 2026
Prime Minister invites citizens to witness launch of Orbital Launch Vehicle, Vikram-1

Prime Minister Shri Narendra Modi, today, extended his best wishes to Skyroot Aerospace ahead of the maiden orbital launch of Vikram-1, India's first privately developed launch vehicle, describing it as a historic milestone in the nation's space journey. Shri Modi said that the launch of Vikram-1 marks the opening of a new frontier for India's space ambitions and reflects the country's growing capabilities in innovation, technology and entrepreneurship.

The Prime Minister also urged citizens, particularly the youth, to witness this landmark mission.

The Prime Minister posted on X:

A historic new frontier for India’s space journey!

At 11:30 AM today, Skyroot Aerospace will undertake the maiden orbital launch of Vikram-1, India’s first privately developed launch vehicle.

This four-stage rocket is designed to provide rapid and on-demand launch services. This mission highlights the talent, determination and entrepreneurial spirit of our youth. It also shows how our space-sector reforms are unlocking new opportunities for innovation and enterprise.

My best wishes to the entire Skyroot Aerospace team for a successful launch. May Vikram-1 soar high, create history and inspire a generation of innovators.

I urge all Indians, especially my young friends, to follow this historic mission and join in wishing Team Skyroot success using #IndiaWithVikram1.

@SkyrootA