ଭାରତର ବିଭିନ୍ନ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ: ପ୍ରଧାନମନ୍ତ୍ରୀ
ଚିନ୍ତନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିଥାଏ ଓ ଅଭିନବ ଚିନ୍ତନକୁ ପ୍ରୋତ୍ସାହିତ କରିଥାଏ: ପ୍ରଧାନମନ୍ତ୍ରୀ
ବିଭିନ୍ନ ବାଧାବିଘ୍ନ ଜୀବନର ଅଂଶବିଶେଷ ଅଟେ, କିନ୍ତୁ ଏହା ଜଣକର ଲକ୍ଷ୍ୟର ପରିଚୟ ନୁହେଁ: ପ୍ରଧାନମନ୍ତ୍ରୀ
ଅନେକ ସ୍ୱାଧୀନତା ସଂଗ୍ରାମୀ ପ୍ରଭାବିତ କରିଥିଲେ ମଧ୍ୟ, ମହାତ୍ମା ଗାନ୍ଧି ହିଁ ସତ୍ୟକୁ ଆଧାର କରି ଏକ ଜନଆନ୍ଦୋଳନ ଜରିଆରେ ପୁରା ଦେଶକୁ ଜାଗ୍ରତ କରିଥିଲେ: ପ୍ରଧାନମନ୍ତ୍ରୀ
ଝାଡୁଦାରଠାରୁ ଆରମ୍ଭ କରି ଶିକ୍ଷକ, ବୁଣାକାରଙ୍କଠାରୁ ଆରମ୍ଭ କରି ନର୍ସଙ୍କ ପର୍ଯ୍ୟନ୍ତ, ସ୍ୱାଧୀନତା ସଂଗ୍ରାମରେ ଦେଶର ପ୍ରତ୍ୟେକ ଲୋକଙ୍କୁ ସାମିଲ କରିପାରିବାର ଗାନ୍ଧିଜୀଙ୍କ କ୍ଷମତା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ: ପ୍ରଧାନମନ୍ତ୍ରୀ
ଯେତେବେଳେ ମୁଁ ବିଶ୍ୱର ବଡ଼ ନେତାଙ୍କ ସହିତ ହାତ ମିଳାଏ, ତାହା ମୋଦୀ ନୁହେଁ, ବରଂ ୧୪୦ କୋଟି ଭାରତୀୟ ହାତ ମିଳାନ୍ତି: ପ୍ରଧାନମନ୍ତ୍ରୀ
ଯେତେବେଳେ ଆମେ ଶାନ୍ତିର କଥା କହିଥାଉ, ସାରା ବିଶ୍ୱ ଆମକୁ ଶୁଣିଥାଏ। ଏହା ଆମର ଦୃଢ଼ ସାଂସ୍କୃତିକ ଓ ଐତିହାସିକ ପୃଷ୍ଠଭୂମି ଯୋଗୁଁ ସମ୍ଭବ ହୋଇଥାଏ: ପ୍ରଧାନମନ୍ତ୍ରୀ
ଭିନ୍ନ ଦେଶର ଲୋକଙ୍କୁ ଏକଠି କରି କ୍ରୀଡ଼ା ବିଶ୍ୱରେ ଶକ୍ତିର ସଂଚାର କରିଥାଏ ଓ ଲୋକଙ୍କ ମଧ୍ୟରେ ଆନ୍ତରିକ ସଂପର୍କ ସ୍ଥାପନ କରିଥାଏ: ପ୍ରଧାନମନ୍ତ୍ରୀ
ବିଶ୍ୱର ସ୍ଥିରତା ଓ ସମୃଦ୍ଧି ପାଇଁ ଭାରତ ଓ ଚୀନ ମଧ୍ୟରେ ସହଯୋଗ ଅତ୍ୟନ୍ତ ଜରୁରୀ: ପ୍ରଧାନମନ୍ତ୍ରୀ
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବିକାଶ ଏକ ସହଯୋଗୀ ପ୍ରୟାସ, କୌଣସି ଏକ ଦେଶ ଏକାକୀ ଏହି ବିକାଶ କରିପାରିବ ନାହିଁ: ପ୍ରଧାନମନ୍ତ୍ରୀ
ମଣିଷର କଳ୍ପନା ଶକ୍ତି ଆଧାରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅନେକ କିଛି ସୃଜନ କରିପାରିବ, କିନ୍ତୁ ଏହି ପ୍ରଯୁକ୍ତି କେବେ ମଧ୍ୟ ମଣିଷ ମସ୍ତିଷ୍କର ଅସୀମ ସୃଜନଶୀଳତା ଓ କଳ୍ପନାଶକ୍ତିର ବିକଳ୍ପ ହୋଇପାରିବ ନାହିଁ: ପ୍ରଧାନମନ୍ତ୍ରୀ
ମୁଁ ମୋ ଦେଶ ପାଇଁ କଠିନ ପରିଶ୍ରମ କରିବି, କଦାପି ଖରାପ ଉଦ୍ଦେଶ୍ୟରେ କାମ କରିବି ନାହିଁ, ଏବଂ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କୌଣସି କାମ କରିବି ନାହିଁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପଡ୍‌କାଷ୍ଟରେ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ କାହିଁକି ସେ ଉପବାସ କରନ୍ତି ଓ ଉପବାସ କରିବାରେ କିପରି ସକ୍ଷମ ହୁଅନ୍ତି ବୋଲି ପ୍ରଶ୍ନ କରାଯିବାରୁ ଉପବାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଭାବେ ଗ୍ରହଣ କରିଥିବାରୁ  ଲେକ୍ସ ଫ୍ରିଡମ୍ୟାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଭାରତରେ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଭାରତର ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟା ଅନୁସାରେ  ହିନ୍ଦୁ ଧର୍ମ କେବଳ ଧାର୍ମିକ ବିଧି ବିଧାନ ନୁହେଁ। ବରଂ ଏହା ହେଉଛି ମଣିଷ ଜୀବନକୁ ପଥ ପ୍ରଦର୍ଶନ କରୁଥିବା ଏକ ଦର୍ଶନ। ସେ କହିଥିଲେ ଯେ, ଶୃଙ୍ଖଳିତ ଜୀବନ ପାଇଁ ଉପବାସ ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଜଣକର ଅନ୍ତଃ ଓ ବାହ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଉପବାସ ଜଣକର ଇନ୍ଦ୍ରିୟଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିଥାଏ, ସେମାନଙ୍କୁ ଆହୁରି ସମ୍ବେଦନଶୀଳ ଓ ସଚେତନ କରିଥାଏ। ସେ ନିଜ ଅନୁଭବରୁ  କହିଥିଲେ ଯେ, ଉପବାସ ସମୟରେ କୌଣସି ଟିକିଏ ସୂକ୍ଷ୍ମ କଥାକୁ ମଧ୍ୟ ଜଣେ ସ୍ପଷ୍ଟ ଭାବେ ମନେ ରଖିପାରେ। ସେ ଆହୁରି କହିଥିଲେ, ଚିନ୍ତନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଅଭିନବ ଚିନ୍ତନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, କେବଳ ଖାଦ୍ୟ ନ ଖାଇବା ଉପବାସ ନୁହେଁ, ଏହା ହେଉଛି ପ୍ରସ୍ତୁତି ଓ ବିଶୁଦ୍ଧିକରଣର ଏକ ବୈଜ୍ଞାନିକ ପ୍ରକ୍ରିୟା। ସେ କହିଥିଲେ ଯେ, ଉପବାସ କରିବା ପୂର୍ବରୁ ବେଶ୍ କିଛି ଦିନ ଆୟୁର୍ବେଦିକ୍ ଓ ଯୋଗ ଜରିଆରେ ସେ ନିଜ ଶରୀରକୁ ଉପବାସ ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ନିୟମିତ ଓ ପର୍ଯ୍ୟାପ୍ତ ଭାବେ ପାଣି ପିଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉପବାସ ଆରମ୍ଭ ହେବା ମାତ୍ରେ ଏହାକୁ ସେ ସମର୍ପଣ ଓ ଆତ୍ମଶୃଙ୍ଖଳା ଏକ କାମ ବୋଲି ବିଚାର କରନ୍ତି। ଏହା ସହିତ ଗଭୀର ଆତ୍ମଚିନ୍ତନ ଓ ଧ୍ୟାନକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପବାସ କରିବାର ଏହି ଅଭ୍ୟାସ ତାଙ୍କର ନିଜ ଜୀବନର ଏକ ଘଟଣାରୁ ଆରମ୍ଭ ହୋଇଥିଲା। ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରୁ ହୋଇଥିବା ଏକ ଅଭିଯାନରୁ ଏହା ଆରମ୍ଭ ହୋଇଥିଲା।  ଯେତେବେଳେ ସେ ପ୍ରଥମ ଥର ଉପବାସ କରିଥିଲେ, ତାଙ୍କ ଶରୀରରେ ଅଧିକ ଶକ୍ତି ଓ ଚେତନା ଆସିଥିବାର ସେ ଅନୁଭବ କରିଥିଲେ। ଏଥିରୁ ସେ ନିଶ୍ଚିତ ହେଲେ ଯେ, ଉପବାସର ଏକ ବଡ଼ ପରିବର୍ତ୍ତନକାରୀ ଶକ୍ତି ଅଛି। ସେ ଉଲ୍ଲେଖ କରିଥିଲେ, ଉପବାସ ତାଙ୍କୁ ମାନ୍ଦା କରିନଥାଏ, ବରଂ ଏହା ତାଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଥାଏ। ଉପବାସ ସମୟରେ ତାଙ୍କ ମନକୁ ସ୍ୱତଃପ୍ରବୃତ୍ତ ଭାବେ ସକରାତ୍ମକ ଚିନ୍ତନ ଓ ସୃଜନଶୀଳତା ଆପେ ଆପେ ଆସିଥାଏ। ନିଜକୁ ପରିପ୍ରକାଶ କରିବାରେ ଏହା ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।  

 

ଉପବାସ ବେଳେ ଏପରିକି ଥରେ ଥରେ ନଅ ଦିନ ଧରି ଉପବାସ କରି ମଧ୍ୟ କେମିତି ବିଶ୍ୱସ୍ତରରେ ଜଣେ ନେତା ଭାବେ ସେ କିପରି ନିଜ ଦାୟିତ୍ୱ ନିର୍ବାହ କରନ୍ତି ବୋଲି ଲେକ୍ସ ଫ୍ରିଡ୍‌ମ୍ୟାନ ପ୍ରଶ୍ନ କରିବାରୁ ଶ୍ରୀ ମୋଦୀ କହିଥିଲେ, ବର୍ଷାଋତୁରେ ଭାରତୀୟ ପରମ୍ପରା ଅନୁସାରେ ଚତୁର୍ମାସ୍ୟା ପାଳନ କରାଯାଇଥାଏ। ଏହି ସମୟରେ ସ୍ୱାଭାବିକ ଭାବେ ଜଣକର ହଜମ ଶକ୍ତି କମି ଯାଇଥାଏ। ସେ କହିଥିଲେ, ଏହି ସମୟରେ ଅନେକ ଭାରତୀୟ ଦିନକୁ କେବଳ ଥରେ ଖାଆନ୍ତି। ଜୁନ ମାସର ମଧ୍ୟ ଭାଗରୁ ନଭେମ୍ୱର ମାସରେ ପଡୁଥିବା ଦିପାବଳୀ ପର୍ଯ୍ୟନ୍ତ ପ୍ରାୟ ଚାରିରୁ ସାଢ଼େ ଚାରି ମାସ ପର୍ଯ୍ୟନ୍ତ ସେ ଏପରି ଗୋଟିଏ ବେଳା ଖାଦ୍ୟ ଗ୍ରହଣ କରନ୍ତି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ ସେପ୍‌ଟେମ୍ୱର କି ଅକ୍ଟୋବର ମାସରେ ପଡୁଥିବା ନବରାତ୍ରୀ ହେଉଛି ଶକ୍ତି, ଭକ୍ତି, ସମର୍ପଣ ଓ ଆଧ୍ୟାତ୍ମିକ ଶୃଙ୍ଖଳାର ପ୍ରତୀକ। ଏହି ନବରାତ୍ରୀ ବେଳେ ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣ ଭାବେ ଖାଦ୍ୟ ପରିତ୍ୟାଗ କରି ଉପବାସରେ ରହନ୍ତି। ଏହି ସମୟରେ ୯ ଦିନ ଧରି ସେ କେବଳ ଗରମ ପାଣି ହିଁ ପିଇଥାନ୍ତି। ସେହିପରି ମାର୍ଚ୍ଚ-ଏପ୍ରିଲରେ ପଡୁଥିବା ଚୈତ୍ର ନବରାତ୍ରୀରେ ସେ ଏକ ଅଭିନବ ପ୍ରକାରର ଉପବାସ କରନ୍ତି। ନଅ ଦିନ ଯାକ ଦିନକୁ ଥରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ଫଳ ଗ୍ରହଣ କରନ୍ତି। ଉଦାହରଣ ସ୍ୱରୂପ ଯଦି ସେ ଅମୃତଭଣ୍ଡା ଖାଇବେ, ତେବେ ନଅ ଦିନ ଯାକର ଉପବାସରେ କେବଳ ଅମୃତଭଣ୍ଡା ଖାଇବେ। ସେ କହିଥିଲେ, ଉପବାସର ଏହିସବୁ ପଦ୍ଧତି ତାଙ୍କ ଜୀବନରେ ଗଭୀର ଭାବେ ଜଡ଼ିତ ହୋଇ ରହିଛି ଏବଂ ଲଗାତର ଭାବେ ୫୦-୫୫ ବର୍ଷ ହେଲାଣି ସେ ଏହାକୁ ପାଳନ କରିଆସୁଛନ୍ତି।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଥମେ ତାଙ୍କର ଏହି ଉପବାସକୁ ସେ ଲୁଚାଇ ରଖିଥିଲେ। ଏ ସଂପର୍କରେ ଅନ୍ୟ କେହି ଜାଣିନଥିଲେ। ତେବେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ, ପ୍ରଧାନମନ୍ତ୍ରୀ ହେଲେ, ଏସଂପର୍କରେ ସମସ୍ତେ ଜାଣିଗଲେ। ସେ କହିଥିଲେ, ନିଜ ଅନୁଭୂତି ବାଣ୍ଟିବାରେ ସେ ଏବେ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ। ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ଉପାଦେୟ ହୋଇପାରେ ବୋଲି ସେ ଭାବନ୍ତି। ଏହା ସହିତ ଅନ୍ୟମାନଙ୍କ ହିତ ପାଇଁ ତାଙ୍କ ଜୀବନ ଉତ୍ସର୍ଗ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଉପବାସରେ ରହି ମଧ୍ୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହିତ ହ୍ୱାଇଟ ହାଉସରେ ଏକ ଦ୍ୱିପାକ୍ଷିକ ଆଲୋଚନା ସେ କରିଥିବାର ଅନୁଭୂତି ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ।   

 

ନିଜ ଆଦ୍ୟ ଜୀବନ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ସେ ଉତ୍ତର ଗୁଜରାଟର ମେହସାନା ଜିଲ୍ଲାର ବଡ଼ନଗରରେ ଜନ୍ମ ହୋଇଥିଲେ। ଏହି ସ୍ଥାନର ସମୃଦ୍ଧ ଐତିହାସିକ ଗୁରୁତ୍ୱ ରହିଛି। ବଡ଼ନଗର ବୌଦ୍ଧ ଧର୍ମାବଳମ୍ୱୀଙ୍କର ଏକ ପ୍ରମୁଖ ଶିକ୍ଷାକେନ୍ଦ୍ର ଥିଲା। ଏପରିକି ଚୀନର ପରିବ୍ରାଜକ ହୁଏନ ସାଂ ମଧ୍ୟ ବଡ଼ନଗର ପରିଦର୍ଶନ କରିଥିଲେ। ଚତୁର୍ଦ୍ଦଶ ଶତାବ୍ଦୀରେ ମଧ୍ୟ ଏହା ବୌଦ୍ଧ ଧର୍ମାବଳମ୍ୱୀମାନଙ୍କର ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଥିଲା। ତାଙ୍କ ଗାଁରେ ବୌଦ୍ଧ, ଜୈନ ଓ ହିନ୍ଦୁମାନେ ଅଭୂତପୂର୍ବ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣରେ ମିଳିମିଶି ରହନ୍ତି। ସେ କହିଥିଲେ, ଇତିହାସ କେବଳ ବହିରେ ସୀମାବଦ୍ଧ ନୁହେଁ। ବଡ଼ନଗରର ପ୍ରତ୍ୟେକ ଶିଳା, ପ୍ରତ୍ୟେକ କାନ୍ଥ ଏକ କାହାଣୀ କହିଥାଏ। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ବଡ଼ନଗରରେ ଏକ ବଡ଼ ଧରଣର ଖନନର ଶୁଭାରମ୍ଭ କରିଥିଲେ। ଏଥିରୁ ଜଣାପଡ଼ିଥିଲା ସେଠାରେ ୨୮୦୦ ବର୍ଷ ତଳେ ବି ଏଠାରେ ଥିଲା ମାନବ ସଭ୍ୟତା। ଅର୍ଥାତ ୨୮୦୦ ବର୍ଷ ତଳେ ବି ଥିଲା ବଡ଼ନଗର। ଏହି ଆବିଷ୍କାର ପରେ ବଡ଼ନଗରରେ ଏକ ଅନ୍ତର୍ଜାତୀୟ ସ୍ତରର ମ୍ୟୁଜିୟମ ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ତାହା ପ୍ରତ୍ନତତ୍ତ୍ୱ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରମୁଖ ଗବେଷଣା କେନ୍ଦ୍ର ପାଲଟିଛି। ଏପରି ଏକ ଐତିହାସିକ ସ୍ଥାନରେ ଜନ୍ମଲାଭ କରିବା ତାଙ୍କ ପାଇଁ ବହୁତ ସୌଭାଗ୍ୟର କଥା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।  ଏହି ପଡ୍‌କାଷ୍ଟରେ ପ୍ରଧାନମନ୍ତ୍ରୀ ତାଙ୍କ ବାଲ୍ୟକାଳର ପାରିବାରିକ ଜୀବନ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ। ତାଙ୍କ ପରିବାର ଏକ ବହୁତ ଛୋଟ ଘରେ ରହୁଥିଲେ ଯେଉଁ ଘରର କି ଝରକା ବି ନ ଥିଲା। ଅତ୍ୟନ୍ତ ଦାରିଦ୍ର୍ୟ ଭିତରେ ସେ ବଢ଼ିଥିଲେ। କିନ୍ତୁ ଏହା ସେମାନଙ୍କୁ ବୋଝ ଭଳିଆ ଲାଗୁନଥିଲା କାରଣ କାହା ସହିତ ସେମାନେ ନିଜକୁ ତୁଳନା କରୁନଥିଲେ। ତାଙ୍କ ବାପା ବହୁତ କଠିନ ପରିଶ୍ରମୀ ଓ ଶୃଙ୍ଖଳିତ ଥିଲେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ନିଜ ସମୟାନୁବର୍ତ୍ତିତା ପାଇଁ ସେ ବେଶ୍ ପରିଚିତ ଥିଲେ। ନିଜ ମାଆଙ୍କ ବିଷୟରେ ମୋଦୀ କହିଥିଲେ ଯେ, ମାଆ ଥିଲେ ବହୁତ ପରିଶ୍ରମୀ । ଅନ୍ୟମାନଙ୍କୁ ସେ ବହୁତ ଆଦର ଯତ୍ନ କରୁଥିଲେ। ମାଆଙ୍କର ଏହି ଗୁଣ ମଧ୍ୟ ତାଙ୍କ ନିକଟରେ ଅଛି ଏବଂ ଏଥିପାଇଁ ସେ ଅନ୍ୟମାନଙ୍କ ଦୁଃଖ ସେ ବୁଝିପାରନ୍ତି ଓ ଅନ୍ୟମାନଙ୍କର ସେବା କରିବାର ମନୋବୃତ୍ତି ତାଙ୍କ ନିକଟରେ ଅଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ ମାଆ କେମିତି ପ୍ରତିଦିନ ଭୋରରୁ ସମସ୍ତ ପିଲାଙ୍କୁ ଉଠାଇ ପାରମ୍ପରିକ ଶିକ୍ଷାପ୍ରଦାନ କରୁଥିଲେ, ତାହା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ତାଙ୍କ ଜୀବନ ଗଠନରେ ଓ ମୂଲ୍ୟବୋଧ ପ୍ରତିଷ୍ଠା କରିବାରେ ବହୁତ ସାହାଯ୍ୟ କରିଛି। ସେ କହିଥିଲେ, ରାଜନୀତିକୁ ଆସିବା ପରେ ହିଁ ତାଙ୍କର ସାଧାରଣ ଜୀବନ ସଂପର୍କରେ ଲୋକେ ଜାଣିପାରିଥିଲେ। କାରଣ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ଗଣମାଧ୍ୟମ ତାଙ୍କ ପାରିବାରିକ ଜୀବନକୁ ସର୍ବସାଧାରଣଙ୍କ ସମ୍ମୁଖକୁ ଆଣିଥିଲା। ସେ କହିଥିଲେ, ଏହା ତାଙ୍କର ସୌଭାଗ୍ୟ ହେଉ ବା ଦୁର୍ଭାଗ୍ୟ, ଧୀରେ ଧୀରେ ତାଙ୍କ କଥା ବାହାରକୁ ଆସିଥିଲା ଏବଂ ବର୍ତ୍ତମାନ ତାହା ସାର୍ବଜନୀନ ହୋଇଛି।          

 

ଧୈର୍ଯ୍ୟ ଧରିବାକୁ ଓ ଆତ୍ମବିଶ୍ୱାସ ରଖିବାକୁ ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ମୋଦୀ। ସେ କହିଥିଲେ, ବାଧାବିଘ୍ନ ହେଉଛି ଜୀବନର ଅଂଶବିଶେଷ। କିନ୍ତୁ ଏହା ଜଣକର ଲକ୍ଷ୍ୟକୁ ପ୍ରଭାବିତ କରିବା ଉଚିତ ନୁହେଁ। ପ୍ରତିବନ୍ଧକ ହେଉଛି ଜୀବନର ସହନଶୀଳତାର ପରୀକ୍ଷା। ଏହା ବ୍ୟକ୍ତିକୁ ଆହୁରି ଶକ୍ତିଶାଳୀ କରିବାକୁ ଉଦ୍ଦିଷ୍ଟ, ପରାଜିତ କରିବା ପାଇଁ ନୁହେଁ। ପ୍ରତ୍ୟେକ ସମସ୍ୟା ଭିତରେ ଲୁଚି ଥାଏ ଅଭିବୃଦ୍ଧି ଓ ବିକାଶର ଏକ ସୁଯୋଗ। ସେ ଚେତାଇ ଦେଇଥିଲେ ଯେ, ଜୀବନରେ ସର୍ଟ କର୍ଟ  ବୋଲି କିଛି ନାହିଁ। ରେଳ ଧାରଣା ଉପରେ ଚାଲି କରି ପାର୍ ନ ହେବା ପାଇଁ ରେଳ ଷ୍ଟେସନରେ ଲେଖା ହୋଇଥିବା ସତର୍କ ସୂଚନାର ଉଦାହରଣ ଦେଇ ସେ କହିଥିଲେ, ସର୍ଟ କର୍ଟ ଓ୍ୱିଲ୍ କଟ୍ ୟୁ ସର୍ଟ। ସଫଳତା ହାସଲ ପାଇଁ ଧେର୍ଯ୍ୟ ଓ ଅଧ୍ୟବସାୟର ବହୁତ ବଡ଼ ଭୂମିକା ଥିବା ମଧ୍ୟ ସେ କହିଥିଲେ। ଏହା ସହିତ କୌଣସି ଦାୟିତ୍ୱ ସଂପାଦନ ବେଳେ ମନ ପ୍ରାଣ ଢାଳି କାମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜୀବନକୁ ଭଲ ପାଇ ବଞ୍ଚିବା ଓ ଜୀବନଯାତ୍ରାରେ ପୂର୍ଣ୍ଣତା ହାସଲ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମସ୍ତ ସାଧନ ଥିଲେ ଯେ ସଫଳତା ନିଶ୍ଚିତ ମିଳିବ, ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ଲୋକଙ୍କ ପାଖରେ ସମ୍ୱଳର ଅଭାବ ସତ୍ତ୍ୱେ ସେମାନଙ୍କ ଉନ୍ନତି ହେଉଛି ଏବଂ ସମାଜକୁ ସେମାନେ ଅନେକ କିଛି ଦେଇଛନ୍ତି। ଜୀବନ ସାରା ବ୍ୟକ୍ତିଗତ ଅଭିବୃଦ୍ଧି ଦରକାର। ତେଣୁ କେବେ ବି ଶିଖିବା ବନ୍ଦ ନ କରିବା ଉପରେ ସେ ପ୍ରାଧ୍ୟାନ୍ୟ ଦେଇଥିଲେ। ବାପାଙ୍କ ଚା ଦୋକାନରେ କାମ କରିବା ବେଳେ ଲୋକଙ୍କ ସହିତ କଥାବାର୍ତ୍ତାରୁ କେମିତି ସେ ଲଗାତର ଭାବେ ଶିଖୁଥିଲେ ଓ ତାଙ୍କର ଆତ୍ମପ୍ରଗତି ହେଉଥିଲା ତାର ଅନୁଭୂତି ଏହି ଅବସରରେ ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, ବହୁତ ଲୋକ ବଡ଼ ବଡ଼ ଲକ୍ଷ୍ୟ ରଖନ୍ତି ଓ ବିଫଳ ହୋଇଗଲେ ହତାଶ ହୋଇ ଯାଆନ୍ତି। ତେଣୁ କିଛି ହେବା ଅପେକ୍ଷା କିଛି କରିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ। କାରଣ ଏହା ଦ୍ୱାରା ଲକ୍ଷ୍ୟ ପୂରଣ ଦିଗରେ ଲଗାତର ଭାବେ ମନରେ ସୃଷ୍ଟି ହୋଇଥାଏ ଦୃଢ଼ ମନୋବଳ ଓ ପ୍ରଗତିର ମନୋଭାବ। ସେ କହିଥିଲେ ଯେ, କିଛି ପାଇବା ଅପେକ୍ଷା କିଛି ଦେବାରେ ଅଧିକ ଆତ୍ମସନ୍ତୋଷ ମିଳିଥାଏ। ସମାଜ ପ୍ରତି କିଛି କରିବାର ମନୋଭାବ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ସେ ଯୁବ ପୀଢ଼ିଙ୍କୁ ପରାମର୍ଶ ଦେଇଥିଲେ।    

 

ହିମାଳୟରେ କେମିତି ସେ ଜୀବନ ଅତିବାହିତ କରିଥିଲେ ବୋଲି ଲେକ୍ସ ଫ୍ରିଡମ୍ୟାନ ପଚାରିବାରୁ ଶ୍ରୀ ମୋଦୀ କହିଥିଲେ ଯେ, ଏକ ଛୋଟ ସହରରେ ବଢ଼ିଥିବାରୁ ସମସ୍ତଙ୍କ ସହିତ ମିଳିମିଶି ଚଳିବା ସେ ଶିଖିଥିଲେ। ଗାଁରେ ଥିବା ବେଳେ ସେ ପ୍ରାୟତଃ ପାଖ ଲାଇବ୍ରେରିକୁ ଯାଇ ପଢ଼ାପଢ଼ି କରୁଥିଲେ। ସ୍ୱାମୀ ବିବେକାନନ୍ଦ ଓ ଛତ୍ରପତି ଶିବାଜୀ ମହାରାଜଙ୍କ ସଂପର୍କରେ ଲେଖା ଯାଇଥିବା ବହି ପଢ଼ି ସେ ବହୁତ ଅନୁପ୍ରାଣିତ ହୋଇଥିଲେ। ସେପରି ଜୀବନଯାପନ କରିବାକୁ ସେ ପଣ କରି ନିଜ ଜୀବନରେ ବି କଷ୍ଟ ସହିବାର ପରୀକ୍ଷା ନିରୀକ୍ଷା କରିଥିଲେ। ଯେମିତିକି ପ୍ରବଳ ଥଣ୍ଡାରେ ବାହାରେ ଶୋଇବା। ଏଥିରୁ ତାଙ୍କ ସହନଶୀଳତା ବଢ଼ିଥିଲା। ସ୍ୱାମୀ ବିବେକାନନ୍ଦଙ୍କ ଜୀବନରୁ ମଧ୍ୟ ସେ ବହୁତ କିଛି ଶିଖିଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ଜୀବନର ଗୋଟିଏ କଥା ତାଙ୍କ ଉପରେ ବହୁତ ପ୍ରଭାବ ପକାଇଥିଲା। ଥରେ ସ୍ୱାମୀ ବିବେକାନନ୍ଦଙ୍କ ମାଆ ବହୁତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ନିହାତି ସାହାଯ୍ୟ ଦରକାର ଥିଲା। କିନ୍ତୁ ଧ୍ୟାନ କରିବା ବେଳେ ମାଆ କାଳୀଙ୍କଠାରୁ ସେ କିଛି ଆଶୀର୍ବାଦ ବି ମାଗି ପାରିନଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଏହି ଜୀବନର ଏହି କାହାଣୀରୁ ପ୍ରଧାନମନ୍ତ୍ରୀ ଶିଖିପାରିଥିଲେ ଯେ, ଦେବାରେ ଓ ଲୋକଙ୍କ ସେବା କରିବାରେ ହିଁ ପ୍ରକୃତ ଆତ୍ମସନ୍ତୋଷ ମିଳେ।  ନିଜ ଜୀବନର ଏକ ଘଟଣା ସଂପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଥରେ ସେ ଜଣେ ସଂପର୍କୀୟଙ୍କ ବାହାଘରକୁ ନ ଯାଇ ଜଣେ ସାଧୁଙ୍କ ସେବା ଯତ୍ନ କରିବାକୁ ପସନ୍ଦ କରିଥିଲେ। ଏଥିରୁ ଜଣାପଡ଼େ ଆରମ୍ଭରୁ ହିଁ ଆଧ୍ୟାତ୍ମିକ ଲକ୍ଷ୍ୟ ପ୍ରତି ତାଙ୍କର ଆଗ୍ରହ ଥିଲା। ତାଙ୍କ ଗାଁର ସୈନ୍ୟମାନଙ୍କୁ ଦେଖି ଦେଶ ସେବା କରିବାକୁ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। କିନ୍ତୁ ସେତେବେଳେ ତାଙ୍କ ଜୀବନରେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ଥିଲା। ଜୀବନର ଅସଲି ଅର୍ଥ ବୁଝିବାକୁ ଓ ଏହାର ଅନ୍ୱେଷଣ କରିବାରେ ତାଙ୍କର ଯାତ୍ରା ସଂପର୍କରେ କହିଥିଲେ ପ୍ରଧାନମନ୍ତ୍ରୀ। ସ୍ୱାମୀ ଆତ୍ମସ୍ଥନନ୍ଦଜୀଙ୍କ ସହିତ ତାଙ୍କର ସଂପର୍କ ଉପରେ ମଧ୍ୟ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ ଯିଏ କି ସମାଜର ସେବା କରିବାକୁ ତାଙ୍କୁ ପ୍ରେରଣା ଦେଇଥିଲେ। ମିଶନରେ ଥିବା ବେଳେ ଅନେକ ବଡ଼ ବଡ଼  ସାଧୁ ସନ୍ଥଙ୍କୁ ଭେଟିଥିଲେ ଯେଉଁମାନେ କି ତାଙ୍କୁ ଆଶୀର୍ବାଦ କରିଥିଲେ। ହିମାଳୟରେ ଅବସ୍ଥାନ କରିବା ଉପରେ ମଧ୍ୟ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ସେଠାକାରା ନିସ୍ତବ୍ଧ ପରିବେଶ ଓ ବୈରାଗ୍ୟ ତାଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା ଓ ତାଙ୍କର ଅନ୍ତଃଶକ୍ତିକୁ ଜାଗ୍ରତ କରିଥିଲା। ତାଙ୍କର ବ୍ୟକ୍ତିଗତ ଜୀବନର ପ୍ରଗତିରେ ଧ୍ୟାନ, ସେବା ଓ ସମର୍ପଣର ବହୁତ ବଡ଼ ଭୂମିକା ଥିବା କହିଥିଲେ ପ୍ରଧାନମନ୍ତ୍ରୀ ।

 

ରାମକୃଷ୍ଣ ମିଶନରେ ଥିବା ବେଳେ ତାଙ୍କ ଜୀବନ ଉପରେ ସ୍ୱାମୀ ଆତ୍ମସ୍ଥନନ୍ଦଜୀଙ୍କ ପ୍ରଭାବ ସଂପର୍କରେ ଶ୍ରୀ ମୋଦୀ କହିଥିଲେ ଯେ, ସ୍ୱାମୀଜୀଙ୍କ ପ୍ରଭାବରୁ ହିଁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେବା କରିବାକୁ ସେ  ନିଷ୍ପତ୍ତି ନେଇଥିଲେ। ହୁଏତ ଅନ୍ୟମାନେ ତାଙ୍କୁ ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ଭାବେ ଦେଖି ପାରନ୍ତି, କିନ୍ତୁ ସେ ସବୁବେଳେ ଆଧ୍ୟାତ୍ମିକ ଆଦର୍ଶ ପ୍ରତି ପ୍ରତିଶ୍ରୁତିବଦ୍ଧ। ତାଙ୍କର ଅନ୍ତଃକରଣ ସବୁବେଳେ ଅନ୍ୟମାନଙ୍କ ସେବା କରିବାରେ ଆନନ୍ଦ ପାଇଥାଏ। ମାଆଙ୍କ ସେବା କରିବା ହେଉ କି ହିମାଳୟରେ ଅବସ୍ଥାନ କରିବା ହେଉ ବା ବର୍ତ୍ତମାନର ପଦବୀରେ ଥାଇ ନିଜ ଦାୟିତ୍ୱ ନିର୍ବାହ କରିବା ହେଉ, ଅନ୍ୟମାନଙ୍କ ସେବା କରିବାରେ ହିଁ ତାଙ୍କୁ ପ୍ରକୃତ ଆନନ୍ଦ ମିଳିଥାଏ। ପ୍ରଧାନମନ୍ତ୍ରୀଙ୍କ ମତରେ ଜଣେ ସନ୍ଥ ଓ ଜଣେ ପ୍ରକୃତ ନେତାଙ୍କ ମଧ୍ୟରେ କୌଣସି ଫରକ୍ ନାହିଁ। ଉଭୟ ସମାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲନ୍ତି। ହୁଏତ ବେଶ ପୋଷାକ ଓ କାମ ପରି ବାହ୍ୟ ଆବରଣ ଅଲଗା ହୋଇପାରେ, କିନ୍ତୁ  ଜନତାଙ୍କ ସେବା ହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ। ସେ କହିଥିଲେ, ପ୍ରତ୍ୟେକ ଦାୟିତ୍ୱକୁ ସେ ସମାନ ନିଷ୍ଠା, ଗୁରୁତ୍ୱ ଓ ଉତ୍ସର୍ଗୀକୃତ ମନୋଭାବରେ ସଂପାଦନ କରନ୍ତି।     

 

ତାଙ୍କ ଆଦ୍ୟ ଜୀବନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ପ୍ରଭାବ ସଂପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ, ପିଲା ବେଳେ ତାଙ୍କୁ ଦେଶାତ୍ମବୋଧକ ଗୀତ ବହୁତ ଭଲ ଲାଗୁଥିଲା। ବିଶେଷ କରି ତମ୍ୱୁରା ଧରି ଗାଁକୁ ବୁଲି ଆସୁଥିବା ଜଣେ ବ୍ୟକ୍ତି ମାକୋଶିଙ୍କ ଗୀତ ତାଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲା। ସେହି ଗୀତ ସବୁ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା ଓ ଶେଷରେ ଆର୍‌ଏସ୍‌ଏସ୍‌ରେ ଯୋଗଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯେକୌଣସି କାମ କଲେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କରିବାର ମୂଲ୍ୟବୋଧ ଶିଖାଇଛି ଆର୍‌ଏସ୍ଏସ୍ । ସେ ପାଠ ପଢ଼ା ହେଉ କି ବ୍ୟାୟାମ କରିବା ହେଉ, ଦେଶସେବାରେ ତାହା ଲାଗିବ ଉଚିତ। ଶ୍ରୀ ମୋଦୀ କହିଥିଲେ ତାଙ୍କ ଜୀବନର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ କଣ ହେବା ଉଚିତ, ତାହା ଆର୍‌ଏସ୍‌ଏସ୍‌ ହିଁ ପ୍ରଦାନ କରିଥିଲା। ମାନବ ସେବା ହିଁ ମାଧବ ସେବା ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆର୍‌ଏସ୍‌ଏସ୍‌ ନିଜର ୧୦୦ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏହା ଏକ ବହୁତ ବଡ଼ ସଂଗଠନ। ସାରା ବିଶ୍ୱରେ ଆର୍‌ଏସ୍‌ଏସ୍‌ର ଲକ୍ଷ ଲକ୍ଷ ସ୍ୱେଚ୍ଛାସେବୀ ଅଛନ୍ତି। ଆର୍‌ଏସ୍ଏସ୍‌ ଦ୍ୱାରା ଅନେକ ବଡ଼ ବଡ଼ ଅଭିଯାନ କରାଯାଇଛି। ସେହିପରି ଏକ ଅଭିଯାନ ହେଲା ସେବା ଭାରତୀ। ସରକାରଙ୍କ ବିନା ସହାୟତାରେ ବସ୍ତି ଓ ଜନବସତି ଅଞ୍ଚଳରେ କାମ କରୁଛନ୍ତି ୧, ୨୫, ୦୦୦ ସେବା ସଂଗଠନ। ସେହିପରି ଶ୍ରୀ ମୋଦୀ କହିଥିଲେ, ଆଦିବାସୀ ଅଞ୍ଚଳରେ ଜଣେ ଶିକ୍ଷକ ବିଶିଷ୍ଟ ୭୦, ୦୦୦ ବନବାସୀ କଲ୍ୟାଣ ଆଶ୍ରମ ପ୍ରତିଷ୍ଠା କରାଯାଇଛି। ବିଦ୍ୟା ଭାରତୀ ପରିଚାଳନା କରୁଛି ୨୫, ୦୦୦ ସ୍କୁଲ ଯେଉଁଠି ୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଆର୍‌ଏସ୍‌ଏସ୍‌ ସବୁବେଳେ ଶିକ୍ଷା ଓ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଯାହା ଦ୍ୱାରା କି ଛାତ୍ରଛାତ୍ରୀମାନେ ସବୁବେଳେ ସମାଜ ସହିତ ଯୋଡ଼ି ହୋଇ ରହନ୍ତି ଏବଂ ଏମିତି କାମ ଶିଖନ୍ତି ଯାହା ଫଳରେ କି ସେମାନେ ସମାଜ ଉପରେ ବୋଝ ହୁଅନ୍ତି ନାହିଁ। ସେ କହିଥିଲେ, ସାରା ଦେଶରେ ଲକ୍ଷ ଲକ୍ଷ ସଦସ୍ୟ ଥିବା ଭାରତୀୟ ମଜଦୁର ସଂଘର ଏକ ଭିନ୍ନ ପ୍ରକାର ଆଭିମୁଖ୍ୟ ଅଛି। ତାହା ହେଲା ବିଶ୍ୱକୁ ଏକଜୁଟ କରିବା, ଯାହାକି ଅନ୍ୟ ଶ୍ରମିକ ସଂଗଠନରୁ ଅଲଗା ଅଟେ।  ଆର୍‌ଏସ୍‌ଏସ୍‌ ଯୋଗୁଁ ତାଙ୍କ ଜୀବନର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସୃଷ୍ଟି ହୋଇଥିବାରୁ  ଓ ଜୀବନର ଆଦର୍ଶ ମୂଲ୍ୟବୋଧ ଦେଇଥିବାରୁ ଏହି ସଂଗଠନ ପ୍ରତି ସେ କୃତଜ୍ଞତା ଜ୍ଞାପନ କରିଥିଲେ। ସେହିପରି ସ୍ୱାମୀ ଆତ୍ମସ୍ଥନନ୍ଦଙ୍କ ପରି ସନ୍ୟାସୀଙ୍କଠାରୁ ଆଧ୍ୟାତ୍ମିକ ଦିଗଦର୍ଶନ ପାଇଥିବାରୁ ମଧ୍ୟ ସେ କୃତଜ୍ଞତା ଜ୍ଞାପନ କରିଥିଲେ।    

 

ଭାରତ ଉପରେ ଶ୍ରୀ ମୋଦୀ କହିଥିଲେ, ଭାରତ ହେଉଛି ଏକ ସାଂସ୍କୃତିକ ପରିଚୟ ଓ ଏହା ହେଉଛି ହଜାର ହଜାର ବର୍ଷର ସଭ୍ୟତା। ଭାରତ କେତେ ବିଶାଳ ତାହା ବର୍ଣ୍ଣନା କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ, ଏଠାରେ ୧୦୦ରୁ ଅଧିକ ଭାଷା ରହିଛି ଓ ହଜାର ହଜାର କଥିତ ଭାଷା ରହିଛି। ପ୍ରତ୍ୟେକ ୨୦ ମାଇଲରେ ଭାଷା, ପ୍ରଥା, ଖାଦ୍ୟ ଓ ପୋଷାକ ପରିଚ୍ଛଦ ବଦଳିଥାଏ। ଏତେ ସବୁ ବିବିଧତା ମଧ୍ୟରେ ଏକତାର ରଜ୍ଜୁ  ସାରା ଦେଶକୁ ବାନ୍ଧି ରଖିଛି। ଭଗବାନ ଶ୍ରୀରାମ ସଂପର୍କରେ ସେ କହିଥିଲେ, ସାରା ଦେଶରେ ରାମଙ୍କ ସତ୍ତା ରହିଛି। ଦେଶର ପ୍ରତ୍ୟେକ ଅଞ୍ଚଳରେ ରାମଙ୍କୁ ନେଇ ଲୋକଙ୍କ ନାଁ ରହିଛି। ଗୁଜରାଟରେ ରାମଭାଇ ଥିବା ବେଳେ ତାମିଲନାଡୁରେ ରାମଚନ୍ଦ୍ରନ ଓ ମହାରାଷ୍ଟ୍ରରେ ରାମ ଭାଉ ରହିଛନ୍ତି। ସେ କହିଥିଲେ ଏହି ନିଆରା ସାଂସ୍କୃତିକ ବନ୍ଧନ ସାରା ଦେଶକୁ ଗୋଟିଏ ସଭ୍ୟତା ଭାବେ ଏକଜୁଟ କରି ରଖିଛି। ଶ୍ରୀ ମୋଦୀ କହିଥିଲେ, ସ୍ନାନ କରିବା ବେଳେ ସାରା ଦେଶର ପ୍ରମୁଖ ନଦୀର ନାଁ ଉଚ୍ଚାରଣ କରିବାର ବିଧି ରହିଛି। ଲୋକେ ସ୍ନାନ କରିବା ସମୟରେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଓ କାବେରୀ ନଦୀର ନାଁ ଉଚ୍ଚାରଣ କରନ୍ତି। ଏକତାର ଏହି ଭାବନା ଭାରତୀୟ ପରମ୍ପରାର ଅସ୍ଥିମଜ୍ଜାରେ ରହିଛି। ପ୍ରମୁଖ ଘଟଣା ଓ ପରମ୍ପରାରେ ଏହି ସଂକଳ୍ପ ପ୍ରତିଫଳିତ ହୋଇଥାଏ ଯାହାକି ଐତିହାସିକ ଘଟଣା ଭାବେ ରହିଛି। ସେ କହିଥିଲେ, ଭାରତର ମୁନିଋଷିମାନେ ଏତେ ବିସ୍ତୃତ ଭାବରେ ଦିଗଦର୍ଶନ ଦେଇଛନ୍ତି ଯେ, ବିଭିନ୍ନ ପୂଜାପାଠ ବେଳେ ସାରା ବିଶ୍ୱକୁ ଉଲ୍ଲେଖ କରିବାକୁ ପଡ଼େ ଯେପରିକି ଜମ୍ୱୁଦ୍ୱୀପଠାରୁ ଆରମ୍ଭ କରି ପରିବାର ଇଷ୍ଟଦେବୀଙ୍କୁ ସ୍ମରଣ କରିବାକୁ ପଡ଼େ। ପ୍ରଧାନମନ୍ତ୍ରୀ କହିଥିଲେ, ବର୍ତ୍ତମାନ ମଧ୍ୟ ଏହି ପ୍ରଥା ପରମ୍ପରା ଚାଲିଛି ଏବଂ ସାରା ଭାରତରେ ଲୋକେ ପ୍ରତିଦିନ ଏପରି କରନ୍ତି। ପାଶ୍ଚାତ୍ୟ ଓ ବିଶ୍ୱର ବିଭିନ୍ନ ମଡେଲ ଦେଶକୁ ଶାସନର ଏକ ଭୂଖଣ୍ଡ ବୋଲି ଗ୍ରହଣ କରୁଥିବା ବେଳେ ସାଂସ୍କୃତିକ ବନ୍ଧନରେ ରହିଛି ଭାରତର ଏକତା। ସେ କହିଥିଲେ, ଇତିହାସ ଅନୁସାରେ ଭାରତରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରର  ଶାସନ ବ୍ୟବସ୍ଥା ଥିଲା। କିନ୍ତୁ ସାଂସ୍କୃତିକ ପ୍ରଥା ପରମ୍ପରା ଜରିଆରେ ସବୁବେଳେ ବଞ୍ଚି ରହିଛି ଦେଶର ଏକତା । ସେ କହିଥିଲେ, ତୀର୍ଥଯାତ୍ରାର ପରମ୍ପରା ମଧ୍ୟ ଦେଶର ଏକତା ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶଙ୍କରାଚାର୍ଯ୍ୟ ୪ଟି ଧାର୍ମିକ ପୀଠ ସ୍ଥାପନ କରିଥିଲେ। ସେ କହିଥିଲେ, ଏବେ ମଧ୍ୟ ଲକ୍ଷ ଲକ୍ଷ ଲୋକ ତୀର୍ଥଯାତ୍ରା କରନ୍ତି। ଲୋକେ ରାମେଶ୍ୱରମରୁ ପାଣି ନେଇ କାଶୀକୁ ଯାଆନ୍ତି, ସେହିପରି କାଶୀରୁ ପାଣି ନେଇ ରାମେଶ୍ୱରମ୍ ଯାଆନ୍ତି। ସେ କହିଥିଲେ, ଭାରତର ସମୃଦ୍ଧ ହିନ୍ଦୁ କ୍ୟାଲେଣ୍ଡର ଦେଶର ବିବିଧ ପରମ୍ପରାର ପ୍ରତିବିମ୍ୱ ଅଟେ।   

 

ମହାତ୍ମା ଗାନ୍ଧି ଓ ଭାରତର ସ୍ୱାଧୀନତା ସଂଗ୍ରାମକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ଗୁଜରାଟରେ ଜନ୍ମ ହୋଇଥିଲେ। ମହାତ୍ମା ଗାନ୍ଧିଙ୍କ ପରି ଗୁଜରାଟୀ ହେଉଛି ତାଙ୍କର ମାତୃଭାଷା। ବିଦେଶରେ ରହି ଓକିଲ ଭାବେ କାମ କରି ପ୍ରତିଷ୍ଠିତ ହେବାର ଅପୂର୍ବ ସୁଯୋଗ ଥିଲେ ମଧ୍ୟ ଦେଶମାତୃକାର ସେବାରେ ନିଜ ଜୀବନକୁ  ଉତ୍ସର୍ଗ କରି ଦେଇଥିଲେ ମହାତ୍ମା ଗାନ୍ଧି। ଏହା ପଛରେ ରହିଥିଲା କର୍ତ୍ତବ୍ୟବୋଧ ଓ ପାରିବାରିକ ମୂଲ୍ୟବୋଧ। ସେ କହିଥିଲେ ଏବେ ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଓ କର୍ମ ଅନୁପ୍ରାଣିତ କରିଥାଏ। ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗାନ୍ଧିଜୀ ସବୁବେଳେ ଯତ୍ନବାନ ଥିଲେ ଓ ନିଜେ ସବୁବେଳେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱ ଦେଉଥିଲେ ଓ ତାଙ୍କ ଆଲୋଚନାର ଏହା ଏକ ପ୍ରମୁଖ ପ୍ରସଙ୍ଗ ଥିଲା। ଭାରତର ଦୀର୍ଘ ସ୍ୱାଧୀନତା ସଂଗ୍ରାମ ବେଳେ ସାରା ଦେଶରେ ବ୍ରିଟିଶ ଶାସନ ବିରୋଧରେ ଜଳିଥିଲା ସ୍ୱାଧୀନତାର ଅଗ୍ନିଶିଖା। ଲକ୍ଷ ଲକ୍ଷ ଲୋକ ବଳିଦାନ ଦେଇଥିଲେ। ଦେଶକୁ ସ୍ୱାଧୀନ କରିବାକୁ କିଏ ଜେଲ୍ ଯାଇଥିଲା ତ କିଏ ସହିଦ ହୋଇଥିଲା। ଶ୍ରୀ ମୋଦୀ କହିଥିଲେ ଯେ, ଅନେକ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଦେଶବାସୀଙ୍କୁ ବହୁତ ପ୍ରଭାବିତ କରିଛନ୍ତି। କିନ୍ତୁ ମହାତ୍ମା ଗାନ୍ଧି ହିଁ ସତ୍ୟର ଆଧାରରେ ଏକ ବିରାଟ ଆନ୍ଦୋଳନର ନେତୃତ୍ୱ ନେଇ ସାରା ଦେଶକୁ ଜାଗ୍ରତ କରିବାରେ ସଫଳ ହୋଇଥିଲେ। ସେ କହିଥିଲେ, ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ଦେଶର ସବୁ ବର୍ଗର ଲୋକଙ୍କୁ ମତାଇ ପାରିଥିଲେ ମହାତ୍ମା ଗାନ୍ଧି। ଝାଡ଼ୁଦାରଙ୍କଠାରୁ ଆରମ୍ଭ କରି ଶିକ୍ଷକ, ବୁଣାକାରଙ୍କଠାରୁ ଆରମ୍ଭ କରି ସେବିକ ପର୍ଯ୍ୟନ୍ତ ସମସ୍ତଙ୍କୁ ଉଦବୁଦ୍ଧ କରିପାରିଥିଲେ ମହାତ୍ମା ଗାନ୍ଧି। ସେ କହିଥିଲେ, ମହାତ୍ମା ଗାନ୍ଧି ସାଧାରଣ ନାଗରିକଙ୍କୁ ସ୍ୱାଧୀନତା ସଂଗ୍ରାମର ଯୋଦ୍ଧାରେ ପରିଣତ କରିଥିଲେ। ଏହା ଏତେ ବଡ଼ ଆନ୍ଦୋଳନ ହୋଇଥିଲା ଯେ, ବ୍ରିଟିଶମାନେ ତାକୁ ସମ୍ଭାଳି ପାରିନଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦାଣ୍ଡି ଯାତ୍ରାର କଥା କହିଥିଲେ। ଦାଣ୍ଡିଯାତ୍ରାର ସାମାନ୍ୟ ମୁଠାଏ ଲୁଣ ଏକ ବିରାଟ ବିପ୍ଲବର ସୂତ୍ରପାତ କରିଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ବଙ୍କିହମ ପ୍ୟାଲେସରେ ହୋଇଥିବା ରାଉଣ୍ଡ ଟେବୁଲର କଥା କହିବାକୁ ଭୁଲିନଥିଲେ ଯେଉଁଠି ଆଣ୍ଠୁ ଲୁଚୁନଥିବା ଖଦଡ଼ ଧୋତି ପିନ୍ଧି କିଙ୍ଗ୍ ଜର୍ଜଙ୍କୁ ସାକ୍ଷାତ କରିଥିଲେ ମହାତ୍ମା ଗାନ୍ଧି। ସାଧାରଣ କଥା ଜରିଆରେ କଟାକ୍ଷ କରିବାରେ ମହାତ୍ମା ଗାନ୍ଧି କେମିତି ପାରଙ୍ଗମ ଥିଲେ, ତାର ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ। ବ୍ରିଟେନର ରାଜା କିଙ୍ଗ ଜର୍ଜଙ୍କୁ ଲକ୍ଷ୍ୟ କରି ମହାତ୍ମା ଗାନ୍ଧି କହିଥିଲେ, “ ଆପଣଙ୍କର ରାଜା ଏତେ ପୋଷାକ ପିନ୍ଧିଛନ୍ତି ଯାହାକି ଆମ ଦୁଇ ଜଣଙ୍କ ପାଇଁ ଯଥେଷ୍ଟ ହେବ”। ଏଥିରୁ ମହାତ୍ମା ଗାନ୍ଧିଙ୍କ କଥା ଚାତୁର୍ଯ୍ୟ ଜଣାପଡ଼େ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଏକଜୁଟ ହୋଇ ରହିବାକୁ ଗାନ୍ଧିଜୀ ସବୁବେଳେ ଆହ୍ୱାନ ଦେଉଥିଲେ। ସେ ଜନତାଙ୍କ ଶକ୍ତିକୁ ଚିହ୍ନି ପାରିଥିଲେ। ବର୍ତ୍ତମାନ ବି ଏହାର ଗୁରୁତ୍ୱ ରହିଛି। କେବଳ ସରକାରଙ୍କ ଉପରେ ନିର୍ଭର ନ କରି କେମିତି ପ୍ରତ୍ୟେକ ଅଭିଯାନରେ ସାଧାରଣ ଲୋକଙ୍କ ଭାଗିଦାରୀକୁ ସେ ଗୁରୁତ୍ୱ ଦିଅନ୍ତି ଓ ସାମାଜିକ ପରିବର୍ତ୍ତନ କରନ୍ତି, ସେହି କଥା ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ। 

 

ଶ୍ରୀ ମୋଦୀ କହିଥିଲେ, ଶହ ଶହ ବର୍ଷ ଧରି ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଲୋକଙ୍କୁ ଅନୁପ୍ରାଣିତ କରୁଛି। ସେ କହିଥିଲେ, ତାଙ୍କର ଶକ୍ତି ନିଜ ନାଁରେ ନାହିଁ। ବରଂ ୧୪୦ କୋଟି ଲୋକଙ୍କ ସମର୍ଥନ ଓ ହଜାର ହଜାର ବର୍ଷର କାଳାତୀତ ସଂସ୍କୃତି ଓ ଐତିହ୍ୟରେରେ ରହିଛି ତାଙ୍କର ସାମର୍ଥ୍ୟ। “ଯେତେବେଳେ ମୁଁ ବିଶ୍ୱର ବଡ଼ ବଡ଼ ନେତାଙ୍କ ସହିତ କରମର୍ଦ୍ଦନ କରିଥାଏ, ତାହା ମୋଦିର ନୁହେଁ। ବରଂ  ୧୪୦ କୋଟି ଲୋକ କରମର୍ଦ୍ଦନ କରିଥାନ୍ତି”। ୨୦୧୩ରେ ଯେତେବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଗଲା, ତାଙ୍କୁ କେମିତି ପ୍ରବଳ ସମାଲୋଚନା କରାଯାଇଥିଲା, ତାହା ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ, ସମାଲୋଚକମାନେ ତାଙ୍କର ବୈଦେଶିକ ନୀତି ସଂପର୍କିତ ଜ୍ଞାନ ଓ ବିଶ୍ୱର ଜିଓପଲିଟିକ୍ସ ଜ୍ଞାନ ଉପରେ ପ୍ରଶ୍ନ ଉଠାଇଥିଲେ। ସେତେବେଳେ ସେ କହିଥିଲେ, “ କେହି ଭାରତକୁ ହୀନ ନଜରରେ ଦେଖି ପାରିବେ ନାହିଁ କିମ୍ୱା ଭାରତ କାହାକୁ ନିଜଠାରୁ ବଡ଼ ଭାବିବ ନାହିଁ। ଏବେ ସମସ୍ତଙ୍କ ଆଖିରେ ଆଖି ମିଶାଇ କଥା କହିବ ଭାରତ।” ଏହି ବିଶ୍ୱାସ ହେଉଛି ତାଙ୍କ ବୈଦେଶିକ ନୀତିର କେନ୍ଦ୍ରବିନ୍ଦୁ। ତାଙ୍କ ପାଇଁ ସବୁବେଳେ ଦେଶ ପ୍ରଥମ। ପ୍ରଧାନମନ୍ତ୍ରୀ କହିଥିଲେ, ବସୁଧୈବ କୁଟୁମ୍ୱକମ୍ ନୀତି ଅନୁସାରେ ଭାରତ ସବୁବେଳେ ବିଶ୍ୱ ଶାନ୍ତି ଓ ଭାଇଚାରା ସପକ୍ଷରେ ରହି ଆସିଛି। ସେ କହିଥିଲେ, ଅସରନ୍ତି ଶକ୍ତି ପାଇଁ “ଏକ ସୂର୍ଯ୍ୟ, ଏକ ପୃଥିବୀ, ଏକ ଗ୍ରୀଡ୍” ଚିନ୍ତାଧାରା ହେଉଛି ବିଶ୍ୱ ପ୍ରତି ଭାରତର ଅବଦାନ। ସେହିପରି ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ପାଇଁ “ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ” ପାଇଁ ମଧ୍ୟ ଆହ୍ୱାନ ଦେଇଛି ଭାରତ। ବିଶ୍ୱର ସମସ୍ତେ ଯେମିତି ସୁସ୍ଥ ରହିବେ ସେଥିପାଇଁ ଅନ୍ତର୍ଜାତୀୟ ସମୁଦାୟ ମିଳିମିଶି କାମ କରିବା ଉପରେ ଗୁରୁତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ।  ଭାରତ ଜି-୨୦ସମ୍ମିଳନୀ ଆୟୋଜନ କରିବା ପ୍ରସଙ୍ଗରେ ଶ୍ରୀ ମୋଦୀ କହିଥିଲେ, ଭାରତର କର୍ତ୍ତବ୍ୟ ହେଲା ନିଜର ଅମୂଲ୍ୟ ଜ୍ଞାନକୁ ସାରା ବିଶ୍ୱ ସହିତ ବାଣ୍ଟିବା। ଜି-୨୦ର ନୀତିବାକ୍ୟ ଥିଲା “ଏକ ପୃଥିବୀ ଏକ ପରିବାର ଏକ ଭବିଷ୍ୟତ।” ବର୍ତ୍ତମାନ ବିଶ୍ୱର ସବୁ ଦେଶ ପରସ୍ପର ଉପରେ ଏମିତି ନିର୍ଭରଶୀଳ ଯେ, କୌଣସି ଦେଶ ଏକାକୀ ବଢ଼ି ପାରିବ ନହିଁ। ଆମେ ପରସ୍ପର ଉପରେ ନିର୍ଭରଶୀଳ। ବିଶ୍ୱର ବିଭିନ୍ନ କାମକୁ ଆଗେଇ ନେବାକୁ ହେଲେ ସବୁ ଦେଶ ମଧ୍ୟରେ ସହଯୋଗ ଓ ସମନ୍ୱୟ ରଖିବାକୁ ପଡ଼ିବ। ସେହିପରି ଜାତିସଂଘ ପରି ବିଶ୍ୱସ୍ତରୀୟ ସଂଗଠନ ଭୂମିକା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, ସମୟ ସହିତ ତାଳ ଦେଇ ଏହି ସବୁ ସଂସ୍ଥାରେ ପରିବର୍ତ୍ତନ ହୋଇନଥିବାରୁ ସେମାନଙ୍କର ଉପଯୋଗିତା ନେଇ ସାରା ବିଶ୍ୱରେ ଏବେ ବିତର୍କ ସୃଷ୍ଟି ହୋଇଛି। …  

 

ୟୁକ୍ରେନରେ ଶାନ୍ତି ଫେରାଇ ଆଣିବାକୁ ନେଇ ଶ୍ରୀ ମୋଦୀ କହିଥିଲେ ଯେ, ସେ ଭଗବାନ ବୁଦ୍ଧ ଓ ମହାତ୍ମା ଗାନ୍ଧିଙ୍କୁ ପ୍ରତିନିଧିତ୍ୱ କରନ୍ତି ଯେଉଁମାନେ କି ସବୁବେଳେ ଶାନ୍ତିର ବାର୍ତ୍ତା ଦେଉଥିଲେ। ସେମାନଙ୍କର ସମସ୍ତ ଶିକ୍ଷା ଓ କାମ ଶାନ୍ତି ପାଇଁ ସମର୍ପିତ ଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତର ସମୃଦ୍ଧ ସାଂସ୍କୃତିକ ଓ ଏମିତି ଐତିହାସିକ ଅତୀତ ଅଛି ଯେ, ଭାରତ ଯେତେବେଳେ ବି ଶାନ୍ତିର କଥା କୁହେ, ସାରା ବିଶ୍ୱ ତାକୁ ମନ ଦେଇ ଶୁଣେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟମାନେ କେବେ ବି ହିଂସାକୁ ପସନ୍ଦ କରନ୍ତି ନାହିଁ। ସେମାନେ ସବୁବେଳେ ଶାନ୍ତି ସଦଭାବରେ ରହିବାକୁ ପସନ୍ଦ କରନ୍ତି। ଶାନ୍ତି ସପକ୍ଷରେ ରହନ୍ତି ଓ ଦରକାର ପଡ଼ିଲେ ଶାନ୍ତିର ଦୂତ ଭାବେ ମଧ୍ୟ କାମ କରନ୍ତି। ଉଭୟ ରୁଷିଆ ଓ ୟୁକ୍ରେନ ସହିତ ତାଙ୍କର ଉତ୍ତମ ସଂପର୍କ ଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଯୁଦ୍ଧର ସମୟ ନୁହେଁ ବୋଲି ସେ ରାଷ୍ଟ୍ରପତି ପୁଟିନଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ସେହିପରି କୌଣସି ସମସ୍ୟାର ସମାଧାନ ଯୁଦ୍ଧ ଭୂମିରେ ନୁହେଁ, ବରଂ ଆଲୋଚନାରେ ସମ୍ଭବ ବୋଲି ରାଷ୍ଟ୍ରପତି ଜେଲେନସ୍କିଙ୍କୁ କରିପାରିବେ। ଆଲୋଚନାକୁ ଫଳପ୍ରଦ କରିବା ପାଇଁ ଉଭୟ ପକ୍ଷକୁ ସାମିଲ କରିବାକୁ ପଡ଼ିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ରୁଷିଆ ଓ ୟୁକ୍ରେନ ମଧ୍ୟରେ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ସମୟ ଆସିଛି ବୋଲି ମଧ୍ୟ ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଯୁଦ୍ଧରେ କେବଳ ୟୁକ୍ରେନ କି ରୁଷିଆ ନୁହନ୍ତି, ସାରା ବିଶ୍ୱ ପ୍ରଭାବିତ ହୋଇଛି। ବିଶେଷ କରି ଗରିବ ଦେଶଗୁଡ଼ିକ ଅଧିକ ପ୍ରଭାବିତ ହୋଇଛନ୍ତି। ଏହି ଯୁଦ୍ଧ ଯୋଗୁଁ ଦେଖା ଦେଇଛି ଖାଦ୍ୟ, ଇନ୍ଧନ ଓ ସାର ସଂକଟ। ତେଣୁ ଯୁଦ୍ଧ ବନ୍ଦ ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେ ଦୃଢ଼ତାର ସହିତ କହିଥିଲେ, “ମୁଁ ନିରପେକ୍ଷ ନୁହେଁ। ମୁଁ ଜଣକ ସହିତ ଠିଆ ହୋଇଛି । ସେ ଜଣକ  ହେଉଛି ଶାନ୍ତି। ମୁଁ ସବୁବେଳେ ଶାନ୍ତି ସପକ୍ଷରେ ରହିଛି।”

 

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କ ନେଇ ପ୍ରଧାନମନ୍ତ୍ରୀ ୧୯୪୭ର ଦୁଃଖଦ ଯନ୍ତ୍ରଣାଦାୟକ ଦେଶ ବିଭାଜନ କଥା ମନେ ପକାଇଥିଲେ। ବିଭାଜନ ପରେ ଦୁଇ ଦେଶ ମଧ୍ୟରେ ଯନ୍ତ୍ରଣାଦାୟକ ରକ୍ତପାତ ହୋଇଥିଲା। ସେ କହିଥିଲେ, କିପରି ଶହ ଶହ ମୃତାହତ ଲୋକରେ ଭର୍ତ୍ତି ହୋଇ ପାକିସ୍ତାନରୁ ଆସିଥିଲା ଟ୍ରେନ। ଶାନ୍ତି ଓ ସଦଭାବରେ ରହିବାକୁ ଭାରତ ଚାହୁଁଥିଲେ ମଧ୍ୟ ପାକିସ୍ତାନ କିପରି ଆରମ୍ଭରୁ ଶତ୍ରୁତା ଆଚରଣ କରିଥିଲା, ଭାରତ ସହିତ ପରୋକ୍ଷ ଯୁଦ୍ଧ କରି ଆସିଛି, ତାହା କହିଥିଲେ ପ୍ରଧାନମନ୍ତ୍ରୀ। ରକ୍ତପାତ ଓ ଆତଙ୍କବାଦର ଉପରେ ଆଧାରିତ ନୀତି ଆଦର୍ଶ ଓ ଆତଙ୍କବାଦ କେବଳ ଭାରତ ନୁହେଁ, ସାରା ବିଶ୍ୱ ପାଇଁ ବିପଦର କାରଣ। ସେ କହିଥିଲେ, ପାକିସ୍ତାନ ମାଟିରୁ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଓସାମା ବିନ୍ ଲାଦେନର ଉଦାହରଣ ଦେଇ ସେ କହିଥିଲେ, ବିଶ୍ୱର ସବୁଠୁ ବଡ଼ ଏହି ଆତଙ୍କବାଦୀ ପାକିସ୍ତାନରେ ହିଁ ଲୁଚିଥିଲା। ସେ କହିଥିଲେ, ପାକିସ୍ତାନ ହେଉଛି ଆତଙ୍କବାଦର କେନ୍ଦ୍ରସ୍ଥଳ। ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ତ୍ୟାଗ କରିବାକୁ ସେ ପାକିସ୍ତାନକୁ ଆହ୍ୱାନ ଦେଇଥିଲେ। “ଏପରି ବେଆଇନ ସଂଗଠନ ଆଗରେ ନିଜ ଦେଶକୁ ସମର୍ପି ଦେଇ ଆପଣ କଣ ପାଇବାକୁ ଆଶା ରଖିଛନ୍ତି” ବୋଲି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଶାନ୍ତି ପ୍ରକ୍ରିୟାକୁ ଆଗେଇ ନେବାକୁ ସେ ନିଜେ ଲାହୋର ଯାତ୍ରା କରିଥିଲେ, ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ବେଳେ ଶପଥ ସମାରୋହକୁ ପାକିସ୍ତାନକୁ ନିମନ୍ତ୍ରଣ କରିଥିଲେ। ଏହି କୂଟନୈତିକ ପ୍ରୟାସରୁ ଭାରତ ଶାନ୍ତି ଓ ସଦଭାବ ପାଇଁ କେତେ ଆଗ୍ରହୀ, ତାହା ଜଣାପଡ଼େ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଲେଖିଥିବା ପୁସ୍ତକରେ ତାହା ଉଲ୍ଲେଖ ଅଛି ବୋଲି ସେ କହିଥିଲେ। କିନ୍ତୁ ଭାରତର ଶାନ୍ତି ଉଦ୍ୟମ ପ୍ରତିବଦଳରେ ପାକିସ୍ତାନ କେବଳ ଶତ୍ରୁତା ଓ ବିଶ୍ୱାସଘାତକତା କରି ଆସିଛି ବୋଲି ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦୀ ।    

 

 

ଲୋକଙ୍କୁ ଏକଜୁଟ କରିବା ନେଇ କ୍ରୀଡ଼ାର ଯେଉଁ ଶକ୍ତି ଅଛି, ତା ଉପରେ ଗୁରୁତ୍ୱ ଦେଇ ଶ୍ରୀ ମୋଦୀ କହିଥିଲେ ଯେ, କ୍ରୀଡ଼ା ଲୋକଙ୍କ ମଧ୍ୟରେ ଗଭୀର ସଂପର୍କ ସ୍ଥାପନ କରିଥାଏ ଓ ବିଶ୍ୱରେ ଉତ୍ସାହ ଭରି ଦେଇଥାଏ। ସେ କହିଥିଲେ, “ମାନବର ବିବର୍ତ୍ତନରେ କ୍ରୀଡ଼ାର ଏକ ବହୁତ ବଡ଼ ଭୂମିକା ରହିଛି। ତାହା କେବଳ ଖେଳକୁଦ ନୁହେଁ; ବିଭିନ୍ନ ଦେଶର ଲୋକଙ୍କୁ ଏହା ନିକଟତର କରିଥାଏ।” ସେ କହିଥିଲେ, ଖେଳର ଟେକନିକରେ ଯଦିଓ ସେ ବିଶେଷଜ୍ଞ ନୁହନ୍ତି, ତେବେ ଫଳାଫଳରୁ ଜଣାପଡ଼େ କାହାର କେତେ ଶକ୍ତି। ଏହାର ଉଦାହରଣ ଦେଇ ସେ କିଛି ଦିନ ତଳେ ଚାମ୍ପିଅନ୍‌ସ ଟ୍ରଫିରେ ହୋଇଥିବା ଭାରତ-ପାକିସ୍ତାନର ମ୍ୟାଚ କଥା କହିଥିଲେ। ଭାରତରେ ଫୁଟବଲ ମଧ୍ୟ ବହୁତ ଲୋକପ୍ରିୟ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ମହିଳା ଫୁଟବଲ ଟିମ୍ ର ଚମତ୍କାର ପ୍ରଦର୍ଶନ ଓ ପୁରୁଷ ଟିମ୍ ର ପ୍ରଦର୍ଶନରେ ଉନ୍ନତି ଆସିଥିବା କଥା କହିଥିଲେ। ଅତୀତର କଥା ମନେ ପକାଇ ସେ କହିଥିଲେ,୧୯୮୦ର ପୀଢ଼ି ପାଇଁ  ମାରାଡୋନା ଜଣେ ଅସଲି ହିରୋ ଥିଲେ। ବର୍ତ୍ତମାନର ପୀଢ଼ିଙ୍କୁ ପଚାରିଲେ, ସେମାନେ ତୁରନ୍ତ ମେସିଙ୍କ ନାଁ କହନ୍ତି। ଶ୍ରୀ ମୋଦୀ ମଧ୍ୟପ୍ରଦେଶର ଏକ ଆଦିବାସୀବହୁଳ ଜିଲ୍ଲା ଶାହଡୋଲକୁ ପରିଦର୍ଶନ କରିବା ବେଳର ଏକ ଘଟଣା ମନେପକାଇ କହିଥିଲେ, ସେଠାକାର ଏକ ସଂପ୍ରଦାୟ ଫୁଟବଲ ପାଇଁ ବହୁତ ଉତ୍ସର୍ଗୀକୃତ। ସେଠାକାର ଯୁବ ଖେଳାଳିଙ୍କୁ ଭେଟିବା ବେଳେ ଗର୍ବର ସହିତ ତାଙ୍କ ଗାଁକୁ ସେମାନେ “ମିନି ବ୍ରାଜିଲ” ବୋଲି କହିଥିଲେ। ଚାରି ପିଢ଼ି ହେଲାଣି ସେହି ଗାଁର ଲୋକେ ଫୁଟବଲ ଖେଳୁଛନ୍ତି ଓ ସେମାନଙ୍କ ମଧ୍ୟରୁ ୮୦ ଜଣ ଜାତୀୟ ସ୍ତରର ଫୁଟବଲ ଖେଳାଳି। ସେଠାରେ ହେଉଥିବା ଫୁଟବଲ ମ୍ୟାଚ ଦେଖିବାକୁ ଆଖପାଖ ଅଞ୍ଚଳରୁ ୨୦, ୦୦୦ରୁ ୨୫,୦୦୦ ଦର୍ଶକ ଆସନ୍ତି। ଭାରତରେ ଫୁଟବଲ ପ୍ରତି ଧୀରେ ଧୀରେ ବଢୁଥିବା ଆଗ୍ରହ ଦେଖି ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରି କହିଥିଲେ, ଏହା କେବଳ ଉତ୍ସାହିତ କରୁନି, ବରଂ ଅସଲି ଦଳଗତ ମନୋଭାବ ସୃଷ୍ଟି କରୁଛି। 

 

ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସଂପର୍କରେ ପଚାରିବାରୁ ଦୁଇ ନେତା କେମିତି “ହାଉଡି ମୋଦି” ନାଁରେ ହ୍ୟୁଷ୍ଟନରେ ଏକ କାର୍ଯ୍ୟକ୍ରମ କରିଥିଲେ, ତାହା ମନେପକାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ସେଠାରେ ଉଭୟେ ଲୋକଭର୍ତ୍ତି ହୋଇଥିବା ଷ୍ଟାଡିୟମକୁ ସମ୍ୱୋଧନ କରିଥିଲେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ନମ୍ରତା ସଂପର୍କରେ ଶ୍ରୀ ମୋଦୀ କହିଥିଲେ, ସେ ଭାଷଣ ଦେବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଦର୍ଶକଙ୍କ ଗହଣରେ ବସି ତାଙ୍କ ଭାଷଣ ଶୁଣିଥିଲେ। ତା ପରେ ତାଙ୍କ ସହିତ ପୁରା ଷ୍ଟାଡିୟମ ବୁଲିଥିଲେ। ଉଭୟଙ୍କ ମଧ୍ୟରେ ପରସ୍ପର ପ୍ରତି ଥିବା ସମ୍ମାନ, ଭରସା ଓ ଦୃଢ଼ ସଂପର୍କ ଥିବା ଏଥିରୁ ଜଣାପଡୁଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ସାହାସ ଓ ନିଷ୍ପତ୍ତି ନେବାକୁ ପ୍ରଶଂସା କରିବା ସହିତ କିପରି ସେ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି ତାହା କହିଥିଲେ। କ୍ୟାମ୍ପେନିଂ ବେଳେ ତାଙ୍କ ଉପରେ ଗୁଳି ଚାଳନା ସତ୍ତ୍ୱେ କେମିତି ପରିସ୍ଥିତିର ମୁକାବିଲା କରିଥିଲେ, ସେ ସଂପର୍କରେ କହିଥିଲେ ପ୍ରଧାନମନ୍ତ୍ରୀ।    

ହ୍ୱାଇଟ ହାଉସକୁ ତାଙ୍କର ପ୍ରଥମ ଗସ୍ତ ସଂପର୍କରେ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ, ସରକାରୀ ପ୍ରୋଟୋକଲ ଭାଙ୍ଗି ଟ୍ରମ୍ପ ନିଜେ ତାଙ୍କୁ ବୁଲାଇଥିଲେ। ଆମେରିକାର ଇତିହାସକୁ ଟ୍ରମ୍ପ ବହୁତ ସମ୍ମାନ କରନ୍ତି। କିଛି ନ ଲେଖି କିମ୍ୱା କାହାରି ସାହାଯ୍ୟ ନ ନେଇ ପୂର୍ବ ରାଷ୍ଟ୍ରପତିମାନଙ୍କ ସଂପର୍କରେ ସବୁ କହିପାରିବେ ଟ୍ରମ୍ପ। ଉଭୟଙ୍କ ମଧ୍ୟରେ ପରସ୍ପର ପ୍ରତି ଦୃଢ଼ ଭରସା ରହିଛି। ଉଭୟେ ପରସ୍ପର ସହିତ କଥାବାର୍ତ୍ତା ହୁଅନ୍ତି। ଏପରିକି ଟ୍ରମ୍ପ ରାଷ୍ଟ୍ରପତି ନ  ଥିବା ବେଳେ ମଧ୍ୟ ଏପରି ସଂପର୍କ ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କୁ ଜଣେ ବହୁତ ବଡ଼ ସମାଧାନକାରୀ ବ୍ୟକ୍ତି ବୋଲି ଟ୍ରମ୍ପ କହିଥିବାରୁ ଏହା ଆମେରିକାର ରାଷ୍ଟ୍ରପତିଙ୍କ ନମ୍ରତାର ପରିଚୟ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କହିବା କଥା ହେଲା- ଅନ୍ୟ କାହାର ଅପମାନ ନ କରି ସବୁବେଳେ ସେ ଭାରତର ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତି। ସେ କହିଥିଲେ, ଦେଶ ହେଉଛି ତାଙ୍କର ହାଇକମାଣ୍ଡ ଓ ଭାରତବାସୀ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ସେ ସମ୍ମାନ କରନ୍ତି। ନିକଟରେ ତାଙ୍କର  ଆମେରିକା ଗସ୍ତ ବେଳେ ଏଲନ ମସ୍କ, ତୁଳସୀ ଗାବାର୍ଡ, ବିବେକ ରାମାସ୍ୱାମୀ ଓ ଜେଡି ଭାନ୍‌ସଙ୍କ ସହିତ ଫଳପ୍ରଦ ଆଲୋଚନା ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ସେଠାରେ ପାରିବାରିକ ଓ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ଥିଲା। ଏଲନ ମସ୍କଙ୍କ ସହିତ ତାଙ୍କର କେମିତି ବହୁ ଦିନରୁ ସଂପର୍କ ଅଛି, ତାହା ବି କହିଥିଲେ ପ୍ରଧାନମନ୍ତ୍ରୀ। DOGE କୁ ନେଇ ମସ୍କ ଯେଉଁ କାମ କରୁଛନ୍ତି, ତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ସରକାରରୁ ଅପାରଗଙ୍କୁ ଓ ତ୍ରୁଟିପୂର୍ଣ୍ଣ ନୀତି ନିୟମ ହଟାଇବାକୁ ସେ ଅନେକ ପଦକ୍ଷେପ ନେଇଥିବା କଥା କହିଥିଲେ ପ୍ରଧାନମନ୍ତ୍ରୀ। ସରକାରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ବିଭିନ୍ନ କଲ୍ୟାଣମୂଳକ ଯୋଜନାରୁ ୧୦ କୋଟି ଜାଲ୍ ହିତାଧିକାରୀଙ୍କୁ ହଟାଇଛନ୍ତି। ଏହା ଦ୍ୱାରା ବହୁତ ଅର୍ଥ ସଂଚୟ ହୋଇପାରିଛି। ସେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍‌ସଫର୍ ଯୋଜନା ଆରମ୍ଭ କରିଥିଲେ। ଏହା ଦ୍ୱାରା ମିଡିଲ୍ ମ୍ୟାନକୁ ହଟା ଯାଇ ପାରିଲା। ଏହା ଦ୍ୱାରା ଯୋଜନାରେ ସ୍ୱଚ୍ଛତା ରହିଲା ଓ ୩ ଲକ୍ଷ କୋଟି ଟଙ୍କା ସଂଚୟ ହେଲା। ସରକାର ବିଭିନ୍ନ ସାମଗ୍ରୀ କିଣିବାକୁ ସେ GeM ପୋର୍ଟାଲ ମଧ୍ୟ କରିଛନ୍ତି। ଏହା ଦ୍ୱାରା ଭଲ ଜିନିଷ ଶସ୍ତାରେ ମିଳୁଛି। ତା ସହିତ ସୁଶାସନ ପାଇଁ ୪୦,୦୦୦ ଅଦରକାରୀ ଆଇନ ଓ ୧୫୦୦ ପୁରୁଣା ନିୟମକୁ ହଟାଇ ଦିଆଯାଇଛି। ଏହି ସବୁ ଦୃଢ଼ ପଦକ୍ଷେପକୁ ନେଇ ସାରା ବିଶ୍ୱରେ ଭାରତକୁ ନେଇ ଚର୍ଚ୍ଚା ହୋଇଥିଲା ଏବେ ଯେମିତିକି DOGE ପରି ଅଭିନବ ଯୋଜନା ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି।

 

ଭାରତ ଓ ଚୀନର ଦ୍ୱିପାକ୍ଷିକ ସଂପର୍କ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଦୁଇ ଦେଶର ସଂପର୍କ ଆଜିର ନୁହେଁ। ଉଭୟ ଦେଶ ହେଉଛନ୍ତି ବହୁ ପୁରାତନ ସଭ୍ୟତା, ସଂସ୍କୃତି। ଦୁଇ ଦେଶର ଇତିହାସ ପରସ୍ପର ସହିତ ଜଡ଼ିତ। ପରସ୍ପରଠାରୁ ଉଭୟ ଦେଶ ଶିକ୍ଷା ଲାଭ କରନ୍ତି। ଉଭୟ ଚୀନ ଓ ଭାରତ ବିଶ୍ୱର ଅନେକ ଭଲ କାମ କରିଛନ୍ତି। ଅତୀତର ଏମିତି ଏକ ସମୟ ଥିଲା ଯେତେବେଳେ ଭାରତ ଓ ଚୀନର ମିଳିତ ଜିଡିପି ପୃଥିବୀର ମୋଟ ଜିଡିପିର ୫୦ ପ୍ରତିଶତରୁ ଅଧିକ ଥିଲା।    

 

ଉଭୟ ଦେଶ ମଧ୍ୟରେ ବହୁତ ଉତ୍ତମ ସଂପର୍କ ଥିଲା। ଭାରତରେ ଜନ୍ମ ନେଇଥିବା ବୌଦ୍ଧ ଧର୍ମର ବହୁତ ପ୍ରଭାବ ରହିଛି ଚୀନରେ । ଭବିଷ୍ୟତରେ ମଧ୍ୟ ଉଭୟ ଦେଶ ମଧ୍ୟରେ ଉତ୍ତମ ସଂପର୍କ ରହିବା ଉଚିତ ବୋଲି କହିଥିଲେ ଶ୍ରୀ ମୋଦୀ। ସେ କହିଥିଲେ, ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ମତଭେଦ ରହିବା ସ୍ୱାଭାବିକ କଥା। କିନ୍ତୁ ସେହି ମତଭେଦ ବିବାଦର ରୂପ ନେବା ଉଚିତ ନୁହେଁ। ସ୍ଥିର ଓ ସହଯୋଗର ସଂପର୍କ ଯାହାକି ଉଭୟ ଦେଶ ପାଇଁ ଲାଭଦାୟକ ଅଟେ, ତାହା ଆଲୋଚନା ଜରିଆରେ ସମ୍ଭବ। ଚୀନ ସହିତ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ୨୦୨୦ରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ କିଛି ଦିନ ତଳେ ରାଷ୍ଟ୍ରପତି ସି ଜିନପିଙ୍ଗ୍ ସହିତ ସାକ୍ଷାତ ଆଲୋଚନା ପରେ ସୀମାରେ ସ୍ୱାଭାବିକ ସ୍ଥିତି ଫେରିଛି। ୨୦୨୦ ପୂର୍ବର ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି ଏବଂ ଭରସା, ବିଶ୍ୱାସ, ଉତ୍ସାହ ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଭାରତ ଓ ଚୀନ ମଧ୍ୟରେ ସହଯୋଗ କେବଳ ଦୁଇ ଦେଶ ପାଇଁ ଲାଭଦାୟକ ନୁହେଁ, ଏହା ବିଶ୍ୱର ସ୍ଥିରତା ଓ ସମୃଦ୍ଧି ପାଇଁ ଏହା ଜରୁରୀ। ତେଣୁ ଦୁଇ ଦେଶ ମଧ୍ୟରେ ବିବାଦ ବଦଳରେ ସକରାତ୍ମକ ପ୍ରତିଯୋଗିତା ହେଲେ ଭଲ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।  

 

ବିଶ୍ୱରେ ଏବେ ଏକାଧିକ ବିବାଦ ଚାଲିଥିବା ବେଳେ ତାକୁ ନେଇ ପ୍ରଧାନମନ୍ତ୍ରୀ କୋଭିଡ ୧୯ରୁ ମିଳିଥିବା ଶିକ୍ଷାର ଅବତାରଣା କରି କହିଥିଲେ, କୌଣସି ଦେଶ ଏକାକୀ ପ୍ରଗତି କରିପାରିବ ନାହିଁ। ତେଣୁ ସମସ୍ତେ ମିଳିମିଶି ଏକଜୁଟ ହୋଇ କାମ କରିବା ଉଚିତ। ଏବେ ଶାନ୍ତି ଆଡ଼କୁ ବିଶ୍ୱ ଆଗେଇବା ବଦଳରେ ଭାଗ ଭାଗ ହୋଇ ଗଲାଣି। ଏହା ଦ୍ୱାରା ଅଧିକ ଅନିଶ୍ଚିତତା ସୃଷ୍ଟି ହୋଇଛି, ବିବାଦ ସଂକଟଜନକ ସ୍ଥିତିର ରୂପ ନେଇଛି। ସେ କହିଥିଲେ, ମିଳିତ ଜାତିସଂଘ ପରି ବିଶ୍ୱସ୍ତରୀୟ ସଂସ୍ଥାରେ ସଂସ୍କାରର ଅଭାବ ଓ ଅନ୍ତର୍ଜାତୀୟ ନିୟମର  ଅବମାନନା ଯୋଗୁଁ ଏପରି ସଂସ୍ଥାର ଗୁରୁତ୍ୱ କମି ଯାଇଛି। ବିବାଦ ବଦଳରେ ସହଯୋଗ ଓ ବିକାଶ ଦିଗରେ କାମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ମୋଦୀ। ସେ ଦୋହରାଇଥିଲେ ଯେ, ପରସ୍ପର ସହିତ ଯୋଡ଼ି ହୋଇଥିବାରୁ ଓ ନିର୍ଭରଶୀଳ ଆଜିର ଦୁନିଆରେ ବିସ୍ତାରବାଦୀ ଆଭିମୁଖ୍ୟ କାମ ଦେବ ନାହିଁ। ତେଣୁ ପ୍ରତ୍ୟେକ ଦେଶ ପରସ୍ପରକୁ ସହଯୋଗ କରିବା ଆବଶ୍ୟକ। ଏସବୁ ବିବାଦ ନେଇ ବିଶ୍ୱ ସମୁଦାୟ ପରି ଉଦବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ଯେ, ଖୁବ ଶୀଘ୍ର ଶାନ୍ତି ଫେରିବ। …     

 

ଏହି ପଡକାଷ୍ଟରେ ଶ୍ରୀ ମୋଦୀ ବିସ୍ତୃତ ଭାବେ ୨୦୦୨ ଗୁଜରାଟ ଦଙ୍ଗାର ଟିକିନିଖି କଥା କହିଥିଲେ। କେଉଁ ଘଟଣାରୁ ଏହା ସୃଷ୍ଟି ହେଲା, ତା ପରର ଜାତୀୟ ଓ ଅନ୍ତର୍ଜାତୀୟ ଘଟଣାବଳୀ, କାନ୍ଦାହାର ବିମାନ ଅପହରଣ ଘଟଣା, ଲାଲକିଲ୍ଲା ଉପରେ ଆକ୍ରମଣ, ୯/୧୧ ଆତଙ୍କବାଦୀ ଆକ୍ରମଣ ପରି ଘଟଣା ଉପରେ ସେ ନିଜ ମତ ରଖିଥିଲେ। ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ କିପରି ସେହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଓ ଚ୍ୟାଲେଞ୍ଜର ମୁକାବିଲା କଲେ, ଗୋଧ୍ରା ଘଟଣା ପରବର୍ତ୍ତୀ ସ୍ଥିତି କିପରି ମୁକାବିଲା କଲେ, ବହୁତ ବଡ଼ ଭୂମିକମ୍ପ ପରେ କିପରି ଲୋକଙ୍କ ଥଇଥାନ କଲେ, ତାହା ବି ଏହି ପଡ୍‌କାଷ୍ଟରେ କହିଥିଲେ ଶ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ କହିଥିଲେ, ୨୦୦୨ ଦଙ୍ଗାକୁ ନେଇ ବହୁତ ମିଥ୍ୟା ତଥ୍ୟ ପ୍ରଚାର କରାଯାଇଥିଲା। ଏହା ଆଗରୁ ମଧ୍ୟ  ଗୁଜରାଟରେ ଅନେକ ଥର ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। କୋର୍ଟ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ତାଙ୍କୁ ନିର୍ଦ୍ଦୋଷ ବୋଲି କହିଥିଲେ। ୨୦୦୨ ପରଠୁ ଗୁଜରାଟରେ ପୁରା ଶାନ୍ତି ଅଛି। ଏହା କେବଳ ସମ୍ଭବ ହୋଇପାରିଛି ସମସ୍ତଙ୍କ ପାଇଁ  ସରକାରଙ୍କ ବିକାଶମୂଳକ କାମ ଯୋଗୁଁ ଓ ଭରସା ଯୋଗୁଁ। ତାଙ୍କୁ କରାଯାଉଥିବା ସମାଲୋଚନାକୁ ନେଇ ସେ କହିଥିଲେ, “ସମାଲୋଚନା ହେଉଛି ଗଣତନ୍ତ୍ରର ଆତ୍ମା”। ଉଚିତ ଓ ତଥ୍ୟପୂର୍ଣ୍ଣ ସମାଲୋଚନା ଯୋଗୁଁ ଉତ୍ତମ ନୀତି ନିୟମ ହୋଇପାରେ ବୋଲି ସେ ବିଶ୍ୱାସ କରନ୍ତି। ତେବେ ବର୍ତ୍ତମାନ ଯେଉଁ ଭିତ୍ତିହୀନ ଅଭିଯୋଗ ସବୁ କରାଯାଉଛି, ତାକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ। ଏହା ସକରାତ୍ମକ ସମାଲୋଚନାଠାରୁ ଅଲଗା ଅଟେ ବୋଲି ସେ କହିଥିଲେ। ତାଙ୍କର ମତ ହେଲା “ ସମାଲୋଚନା କାହାର ବି ଫାଇଦା କରେନି। ଏହା କେବଳ ଅଯଥା ବିବାଦ ସୃଷ୍ଟି କରିଥାଏ”। ସାମ୍ବାଦିକତା ଉପରେ ତାଙ୍କର ମତ ଦେବାକୁ ଯାଇ ସେ କହିଥିଲେ, ସାମ୍ୱାଦିକତା ସନ୍ତୁଳିତ ହେବା ଉଚିତ। ଥରେ ସାମ୍ୱାଦିକତାକୁ ମହୁମାଛିର ମହୁ ସଂଗ୍ରହ କରିବା ସହିତ ତୁଳନା କରି ଶ୍ରୀ ମୋଦୀ କହିଥିଲେ, ମହୁମାଛି ବୁଲି ବୁଲି ଫୁଲରୁ ମହୁ ସଂଗ୍ରହ କରିଥାଏ। କିନ୍ତୁ ଦରକାର ବେଳେ ଦଂଶନ ବି କରିଥାଏ। ତେବେ ତାଙ୍କର ଏହି ଉଦାହରଣକୁ କଦର୍ଥ କରାଯାଇଥିବାରୁ ଏହାକୁ ନେଇ ସେ ଦୁଃଖପ୍ରକାଶ କରିଥିଲେ। ସେ କହିଥିଲେ, ସମ୍ବାଦ ପରିବେଷଣ ଚାଞ୍ଚଲ୍ୟକର ହେବା ବଦଳରେ ସତ୍ୟ ଉପରେ ଫୋକସ୍ ହେବା ଉଚିତ ଓ ଏହା ସକରାତ୍ମକ ପ୍ରଭାବ ପକାଇବା ଉଚିତ।   

 

 

 

ରାଜନୀତିରେ ତାଙ୍କର ଗଭୀର ଅଭିଜ୍ଞତା ସଂପର୍କରେ ଶ୍ରୀ ମୋଦୀ କହିଥିଲେ, ପ୍ରଥମେ ସେ ସଂଗଠନ, ନିର୍ବାଚନ ପରିଚାଳନା, ପ୍ରଚାର ରଣନୀତି ଉପରେ ଗୁରୁତ୍ୱ ଦେଇଥିଲେ। ୨୪ ବର୍ଷ ହେଲାଣି ଗୁଜରାଟ ଓ ଭାରତର ଲୋକେ ତାଙ୍କ ଉପରେ ଭରସା କରିଛନ୍ତି ଏବଂ ସେମାନେ ଯେଉଁ ଦାୟିତ୍ୱ ଦେଇଛନ୍ତି ପୁରା ନିଷ୍ଠାର ସହିତ ତାକୁ ସଂପାଦନ କରିବାକୁ ପ୍ରତିଶ୍ରୁତବଦ୍ଧ ବୋଲି ସେ କହିଥିଲେ।  ଜାତି, ଧର୍ମ, ନୀତି, ଆଦର୍ଶର କୌଣସି ଭେଦଭାବ ନ କରି ସବୁ କଲ୍ୟାଣକାରୀ ଯୋଜନା ଯେମିତି ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିବ, ଏଥିପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ମୋଦୀ କହିଥିଲେ। ତାଙ୍କର ମତ ହେଲା, ଲୋକଙ୍କ ବିଶ୍ୱାସ ଜିତିବା ହେଉଛି ତାଙ୍କ ଶାସନର ମୂଳଦୁଆ। ଏପରିକି ଯଦି ବି କିଏ ସରକାରଙ୍କ ଯୋଜନାରୁ ସିଧାସଳଖ କୌଣସି ଲାଭ ପାଉନାହିଁ, ତା ସତ୍ତ୍ୱେ ଯେମିତି ସେ ଅନୁଭବ କରିବ ଯେ, ତା ପାଇଁ ସରକାର ଅଛନ୍ତି ଓ ତାଙ୍କୁ ବି ଭବିଷ୍ୟତରେ ସୁଯୋଗ ମିଳିବ, ଏଥିପ୍ରତି ମଧ୍ୟ ତାଙ୍କ ସରକାର ଧ୍ୟାନ ଦେଉଛି। “ଆମ ସରକାରର ଫୋକସ୍‌ରେ ଲୋକମାନେ ଅଛନ୍ତି, ନିର୍ବାଚନ ନାହିଁ। ଦେଶବାସୀ ଓ ଦେଶର ହିତ ପାଇଁ ଆମ ସରକାର ଉତ୍ସର୍ଗୀକୃତ।” ଜଣେ ପୂଜକ ଯେମିତି ଭକ୍ତି ଓ ନିଷ୍ଠାର ସହିତ ପୂଜା କରେ, ସେମିତି ଦେଶ ଓ ଦେଶବାସୀଙ୍କ ସେବା କରିବା ହେଉଛି, ତାଙ୍କର ଜୀବନର ବ୍ରତ ବୋଲି କହିଥିଲେ ଶ୍ରୀ ମୋଦୀ। ସେ କହିଥିଲେ, ତାଙ୍କର ଏମିତି କୌଣସି ସଂପର୍କୀୟ କି ବନ୍ଧୁ ବାନ୍ଧବ ନାହାନ୍ତି, ଯିଏ କି ତାଙ୍କ ପଦ ପଦବୀରୁ ଫାଇଦା ନେଇପାରିବ। ତେଣୁ ତାଙ୍କର କନଫ୍ଲିଟ ଅଫ୍ ଇଣ୍ଟରେଷ୍ଟ ନାହିଁ। ଏହା ଲୋକମାନେ ଜାଣନ୍ତି ଓ ଏଥିପାଇଁ ତାଙ୍କ ଉପରେ ଭରସା କରନ୍ତି। ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳର ସଭ୍ୟ ଭାବେ ସେ ଗର୍ବିତ ବୋଲି କହିଥିଲେ। ଲକ୍ଷ ଲକ୍ଷ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ବଳରେ ଏହା ସମ୍ଭବ ହୋଇଥିବା ସେ କହିଥିଲେ। ତାଙ୍କ ମତରେ ରାଜନୀତିରେ ଏହି ସ୍ୱେଚ୍ଛାସେବୀମାନଙ୍କର କୌଣସି ସ୍ୱାର୍ଥ ନାହିଁ। ସେମାନଙ୍କର ଲକ୍ଷ୍ୟ ହେଲା ଭାରତର ଓ ଭାରତବାସୀଙ୍କ ବିକାଶ। ସେମାନଙ୍କର ଉତ୍ସର୍ଗୀକୃତ ଓ ନିଃସ୍ୱାର୍ଥପର ମନୋଭାବକୁ ସବୁଆଡ଼େ ପ୍ରଶଂସା ମିଳେ। ପାର୍ଟି ଉପରେ ଥିବା ଏହି ଭରସା ନିର୍ବାଚନରେ ପ୍ରତିଫଳିତ ହୋଇଥାଏ ଏବଂ ଏହା ଲୋକଙ୍କ ଆଶୀର୍ବାଦ ବୋଲି ସେ କହିଥିଲେ।       

 

 

ଭାରତ ବର୍ଷର ଏତେ ବଡ଼ ନିର୍ବାଚନ ପରିଚାଳନା କରିବା ନେଇ ଶ୍ରୀ ମୋଦୀ ୨୦୨୪ ନିର୍ବାଚନର ଉଦାହରଣ ଦେଇ କହିଥିଲେ, ଏହି ନିର୍ବାଚନରେ ୯୮ କୋଟି ଭୋଟର ପଂଜୀକୃତ ହୋଇଥିଲେ ଯାହାକି ପୁରା ଉତ୍ତର ଆମେରିକା ଓ ୟୁରୋପର ମୋଟ ଜନସଂଖ୍ୟାରୁ ବି ଅଧିକ। ପ୍ରବଳ ଖରା ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ୬୪.୪ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ସେ କହିଥିଲେ, ଭାରତରେ ୧୦ ଲକ୍ଷରୁ ଅଧିକ ଭୋଟ ଦାନ କେନ୍ଦ୍ର ଅଛି, ୨୪୦୦ରୁ ଅଧିକ ରାଜନୈତିକ ଦଳ ଅଛନ୍ତି। ଏହା ବୟାନ କରୁଛି, ଭାରତର ଗଣତନ୍ତ୍ର କେତେ ବଡ଼। ସେ କହିଥିଲେ, ଏପରିକି ବହୁ ଦୁର୍ଗମ ଅଞ୍ଚଳର ଗାଁରେ ବି ବୁଥ୍ କରାଯାଇଥିଲା। ଯେଉଁ ଜାଗାକୁ ରାସ୍ତା ନ ଥିଲା, ଭୋଟିଂ ମେସିନ ନେବାକୁ ହେଲିକପଟରର ବ୍ୟବସ୍ଥା କରାଯାଇଥିଲା। ସେ ସୂଚନା ଦେଇଥିଲେ, ଗୁଜରାଟର ଗିର୍ ଜଙ୍ଗଲରେ କେବଳ ଜଣେ ମାତ୍ର ଭୋଟର ପାଇଁ ବି ଏକ ବୁଥ୍ କରାଯାଇଥିଲା। ଏଥିରୁ ଜଣାପଡୁଛି ଭାରତ ଗଣତନ୍ତ୍ର ପାଇଁ କେତେ ପ୍ରତିଶ୍ରୁତିବଦ୍ଧ। ଅବାଧ ମୁକ୍ତ ଓ ନିରପେକ୍ଷ  ନିର୍ବାଚନ ପରିଚାଳନା କରିବାରେ ବିଶ୍ୱରେ ବେଞ୍ଚମାର୍କ ତିଆରି କରିଥିବାରୁ ନିର୍ବାଚନ କମିଶନଙ୍କୁ ଶ୍ରୀ ମୋଦୀ ଧନ୍ୟବାଦ ଦେଇଥିଲେ। ଭାରତର ନିର୍ବାଚନରେ ଯେତେ ରାଜନୀତି ଅଛି ଓ ଯେତେ ସମ୍ୱଳ ବ୍ୟବହାର ହୁଏ, ସେଥିପାଇଁ ବିଶ୍ୱର ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଏହାକୁ ଏକ କେସ୍ ଷ୍ଟଡି ଭାବେ ନେଇ ଗବେଷଣା କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। 

 

 

ତାଙ୍କର ନେତୃତ୍ୱ ନେବା ଶୈଳୀକୁ ନେଇ ଶ୍ରୀ ମୋଦୀ କହିଥିଲେ, ନିଜକୁ ସେ ପ୍ରଧାନମନ୍ତ୍ରୀ ବଦଳରେ ପ୍ରଧାନ ସେବକ ବୋଲି ଭାବନ୍ତି। ସେବା ହିଁ ତାଙ୍କ କର୍ମମୟ ଜୀବନର ଆଦର୍ଶ। ତାଙ୍କ କହିବା କଥା ହେଲା-କ୍ଷମତା ହାସଲ ତାଙ୍କର ଲକ୍ଷ୍ୟ ନୁହେଁ। ତାଙ୍କର ଲକ୍ଷ୍ୟ ହେଉଛି ଉତ୍ପାଦିକା ଓ ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା। ସେ କହିଥିଲେ, “କ୍ଷମତାର ଖେଳ କରିବାକୁ ମୁଁ ରାଜନୀତିକୁ ଆସିନଥିଲି, ଲୋକଙ୍କ ସେବା କରିବାକୁ ଆସିଥିଲି।”    

 

କେବେ କେବେ ତାଙ୍କୁ ଏକଲା ଲାଗେ କି ବୋଲି ପ୍ରଶ୍ନ ହେବାରୁ ପ୍ରଧାନମନ୍ତ୍ରୀ କହିଥିଲେ, ସେ କେବେ ବି ଏମିତି ଅନୁଭବ କରି ନାହାନ୍ତି। ଓ୍ୱାନ ପ୍ଲସ୍ ଓ୍ୱାନରେ ସେ ବିଶ୍ୱାସ କରନ୍ତି ଯେଉଁଥିରେ ସେ ନିଜକୁ ଓ ଈଶ୍ୱରଙ୍କୁ ଦେଖନ୍ତି। ତାଙ୍କର ମତ ହେଲା ଦେଶ ଓ ଦେଶବାସୀଙ୍କ ସେବା କରିବା ହେଉଛି ଭଗବାନଙ୍କ ସେବା କରିବା। କରୋନା ସମୟରେ ସେ ଏକ ନୂଆ ମଡେଲ ପ୍ରସ୍ତୁତ କରିଥିଲେ । ଭିଡିଓ କନଫରେନସିଂରେ ସେ ୭୦ ବର୍ଷରୁ ଅଧିକ ବୟସର ପାର୍ଟି କର୍ମୀଙ୍କ ସହିତ ବ୍ୟକ୍ତିଗତ ଭାବେ ସଂପର୍କ ସ୍ଥାପନ କରିଥିଲେ ଓ ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ, ସେମାନଙ୍କ ପୁରୁଣା ସ୍ମୃତି ସଂପର୍କରେ ପଚାରି ବୁଝିଥିଲେ।   

 

 

ସେ ଏତେ କଠିନ ପରିଶ୍ରମ କରିବାର ରହସ୍ୟ କଣ ବୋଲି ପ୍ରଶ୍ନ ହେବାରୁ ଶ୍ରୀ ମୋଦୀ କହିଥିଲେ, ତାଙ୍କ ଆଖପାଖର ଚାଷୀ, ସୈନିକ, ଶ୍ରମିକ, ପରିବାର ଓ ସମାଜ ପାଇଁ ରାତି ଦିନ ଅକ୍ଲାନ୍ତ ପରିଶ୍ରମ କରୁଥିବା ମାଆମାନଙ୍କଠାରୁ ସେ ଏହି ପ୍ରେରଣା ପାଆନ୍ତି। ସେ କହିଥିଲେ, “ମୁଁ ଶୋଇପାରିବି କେମିତି ? ମୁଁ ଆରାମ କରିପାରିବି କେମିତି ? ମୋ ଆଖି ସାମ୍ନାରେ କଠିନ ପରିଶ୍ରମ କରିବାର ଏତେ ପ୍ରେରଣା ଅଛି।” ଦେଶବାସୀ ତାଙ୍କ ଉପରେ ଯେଉଁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି, ସେଥିପ୍ରତି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସେ ଚାହାନ୍ତି। ୨୦୧୪ ନିର୍ବାଚନ ପ୍ରଚାର ବେଳେ ସେ ଦେଇଥିବା ପ୍ରତିଶ୍ରୁତି ମନେ ପକାଇ କହିଥିଲେ, କେବେ ବି ସେ ଅଧିକ ପରିଶ୍ରମ କରିବାକୁ ପଛାଇବେ ନାହିଁ, କେବେ ବି ମନ୍ଦ ଉଦ୍ଦେଶ୍ୟ ରଖି କୌଣସି କାମ କରିବେ ନାହିଁ କିମ୍ୱା କେବେ ବି ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କୌଣସି କାମ କରିବେ ନାହିଁ। ସରକାରର ମୁଖ୍ୟ ଭାବେ ଗତ ୨୪ ବର୍ଷ ଧରି ତାଙ୍କର ଏହି ସଂକଳ୍ପ ଏବେ ବି ଅକ୍ଷୂର୍ଣ୍ଣ ଅଛି। ୧୪୦ କୋଟି ଲୋକଙ୍କ ସେବା କରିବା, ସେମାନଙ୍କର ଆଶା ଆକାଂକ୍ଷା ବୁଝିବା ଓ ସେମାନଙ୍କର ଆବଶ୍ୟକତା ପୂରଣ କରିବାଠାରୁ ତାଙ୍କୁ ପ୍ରେରଣା ମିଳିଥାଏ। ସେ କହିଥିଲେ, “ମୁଁ ସବୁବେଳେ ଦୃଢ଼ ନିଶ୍ଚିତ ଥାଏ ଯେ, ମୁଁ ଯେତେ ପାରିବି ସେତେ କାମ କରିବି। ଏପରିକି ଆଜି ବି ମୋର ବହୁତ ଶକ୍ତି ଅଛି। ”    

 

ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରି ଶ୍ରୀ ମୋଦି କହିଥିଲେ, ରାମାନୁଜନଙ୍କ ଜୀବନ ଓ କାମରୁ ସ୍ପଷ୍ଟ ଜଣାପଡ଼େ ବିଜ୍ଞାନ ଓ ଆଧ୍ୟାତ୍ମିକତା ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରାମାନୁଜନ ବିଶ୍ୱାସ କରୁଥିଲେ ଯେ, ତାଙ୍କ ମନକୁ ଆସୁଥିବା ଗଣିତର ସବୁ ସୂତ୍ର, ଜ୍ଞାନ ସେ ପୂଜା କରୁଥିବା ଦେବୀଙ୍କଠାରୁ ଆସୁଥିଲା। ଆଧ୍ୟାତ୍ମିକ ଶୃଙ୍ଖଳାରୁ ହିଁ ମନକୁ ଏମିତି ଆସେ । ସେ କହିଥିଲେ, “କଠିନ ପରିଶ୍ରମଠାରୁ ଶୃଙ୍ଖଳାର ଅଧିକ ମହତ୍ୱ ରହିଛି। ଏହାର ଅର୍ଥ ହେଲା ଆପଣ ଯଦି ପୂର୍ଣ୍ଣ ଭାବେ କୌଣସି କାମ ପ୍ରତି ସମର୍ପିତ ହେବେ, ସେଥିରେ ପୁରା ବୁଡ଼ି ଯିବେ, ତେବେ ଆପଣ କାମରେ ପୁରା ଲୀନ ହୋଇଯିବେ।” ସବୁ ଦିଗରୁ ଜ୍ଞାନ ଆହରଣ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଖୋଲା ମନକୁ ହିଁ ନୂଆ ନୂଆ ଭାବନା ଆସିଥାଏ। ସୂଚନା ଓ ଜ୍ଞାନ ଭିତରେ ପାର୍ଥକ୍ୟ ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ, “କେତେ ଲୋକ ସୂଚନା ଓ ଜ୍ଞାନ ଭିତରେ ଫରକ ନ ଜାଣି ଦ୍ୱନ୍ଦ୍ୱରେ ପଡ଼ନ୍ତି। ଜ୍ଞାନ ହେଉଛି କିଛି ଗଭୀର ଚିନ୍ତନ, ଏହା ଧୀରେ ଧୀରେ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ, ପ୍ରତିଫଳନ ଓ ବୋଧଶକ୍ତି ଜରିଆରେ ପରିପ୍ରକାଶ ହୋଇଥାଏ।” ଏହି ଦୁଇଟି ଯାକ ପ୍ରସଙ୍ଗକୁ ଭଲ ଭାବେ ବ୍ୟବହାର କରିବା ପାଇଁ ଏହି ପାର୍ଥକ୍ୟକୁ ବୁଝିବାକୁ ପଡ଼ିବ ବୋଲି ସେ କହିଥିଲେ।   

 

 

ସେ କେମିତି ନିଷ୍ପତ୍ତି ନିଅନ୍ତି, ଏ ସଂପର୍କରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ହେବା ଆଗରୁ ଦେଶର ୮୫-୯୦% ଜିଲ୍ଲା ସେ ପରିଦର୍ଶନ କରିଛନ୍ତି। ଏହି ଅଭିଜ୍ଞତା ଦ୍ୱାରା ସେ ତୃଣମୂଳସ୍ତରରେ କଣ ହେଉଛି, ସେ ସଂପର୍କରେ ପ୍ରତ୍ୟକ୍ଷ ଭାବେ ସେ ଜାଣିପାରନ୍ତି। ସେ କହିଥିଲେ “ଏକ ନିର୍ଦ୍ଦିଷ୍ଟ ଦିଗରେ କାମ କରିବା ପାଇଁ ପୂର୍ବର କୌଣସି ଭାବନା ମୁଁ ରଖେ ନାହିଁ କିମ୍ୱା କୌଣସି ଚାପ ମୋ ଉପରେ ପକାଇବାକୁ ମୁଁ ଦିଏ ନାହିଁ।”  ସେ କହିଥିଲେ, ତାଙ୍କର ଏକମାତ୍ର ଆଦର୍ଶ ହେଲା, “ମୋ ପାଇଁ ମୋ ଦେଶ ପ୍ରଥମେ” ଏବଂ କୌଣସି ନିଷ୍ପତ୍ତି ନେବା ବେଳେ ସବୁଠାରୁ ଗରିବ ବ୍ୟକ୍ତିର ଚେହେରାକୁ ନିଜ ଆଖି ଆଗରେ ରଖି ନିଷ୍ପତ୍ତି ନିଅନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମହାତ୍ମା ଗାନ୍ଧିଙ୍କଠାରୁ ଏହା ସେ ଶିଖିଥିବା କହିଥିଲେ।  ସେ କହିଥିଲେ, ତାଙ୍କ ସରକାର ବିଭିନ୍ନ ସୂତ୍ରରୁ ତଥ୍ୟ ଓ ସୂଚନା ସଂଗ୍ରହ କରନ୍ତି। ଏହା ଦ୍ୱାରା ଗୋଟିଏ ପ୍ରସଙ୍ଗକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖି ହୁଏ। ସେ କହିଥିଲେ, “ଯେତେବେଳେ ମତେ କିଏ କିଛି କହିବାକୁ ଆସନ୍ତି, ସେ କେବଳ ମୋର ଏକମାତ୍ର ସୂତ୍ର ହୋଇନଥାନ୍ତି।” ସବୁବେଳେ ଜଣେ ଛାତ୍ର ପରି ମନୋଭାବ ରଖି ପ୍ରଶ୍ନ ପଚାରିବାକୁ ପଡ଼ିବ ଓ ପୋଖତ ଓକିଲ ଭଳି ଗୋଟିଏ ପ୍ରସଙ୍ଗକୁ ବିଭିନ୍ନ କୋଣରୁ ବିଶ୍ଲେଷଣ କରିବାକୁ ପଡ଼ିବ ବୋଲି ସେ କହିଥିଲେ।  କୋଭିଡ ୧୯ ସମୟରେ ସେ କେମିତି ନିଷ୍ପତ୍ତି ନେଉଥିଲେ, ସେ ସଂପର୍କରେ ଶ୍ରୀ ମୋଦୀ କହିଥିଲେ, ବିଶ୍ୱର ବିଭିନ୍ନ ଦେଶ ଯେମିତି ଆର୍ଥିକ ନିଷ୍ପତ୍ତି ନେଇଥିଲେ, ସେପରି ନିଷ୍ପତ୍ତି ନେବାର ଚାପରୁ ସେ ନିଜକୁ ଦୂରେଇ ରଖିଥିଲେ। ସେ କହିଥିଲେ, “ଗରିବ ଲୋକଙ୍କୁ ଭୋକରେ ଶୋଇବାକୁ ମୁଁ ଦେଇନଥିଲି। ଲୋକଙ୍କ ଦୈନନ୍ଦିନ ଆବଶ୍ୟକତାକୁ ନେଇ ମୁଁ ସମାଜରେ ଉତ୍ତେଜନା ସୃଷ୍ଟି ହେବାକୁ ଦେଇନଥିଲି।” ସେ କହିଥିଲେ, ଧୈର୍ଯ୍ୟ ଓ ଶୃଙ୍ଖଳା ଉପରେ ଆଧାରିତ ତାଙ୍କର ଏହି ଆଭିମୁଖ୍ୟ ଯୋଗୁଁ ଦେଶରେ ଦରଦାମ ଅଧିକ ବଢ଼ିନଥିଲା ଓ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିର ଅନ୍ୟତମ ପ୍ରମୁଖ ବଡ଼ ଅର୍ଥନୀତି ପାଲଟିଥିଲା। ତାଙ୍କର ରିସ୍କ ନେବାର କ୍ଷମତାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, “ ଯଦି କୌଣସି ନିଷ୍ପତ୍ତି ମୋ ଦେଶ ପାଇଁ ଭଲ, ଦେଶବାସୀଙ୍କ ପାଇଁ ଭଲ, ତେବେ ରିସ୍କ ନେବାକୁ ମୁଁ ସବୁବେଳେ ପ୍ରସ୍ତୁତ।”  

 

 

ସବୁବେଳେ ନିଷ୍ପତ୍ତି ନେବାର ଦାୟିତ୍ୱ ନିଜେ ନେଇଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ ମତରେ, “ଯଦି କିଛି ଭୁଲ ହୋଇଗଲା, ତେବେ ମୁଁ ଅନ୍ୟ କାହା ଉପରେ ଦୋଷ ଲଦି ଦିଏ ନାହିଁ। ମୁଁ ଛିଡ଼ା ହୋଇ ତାର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥାଏ ଓ ଫଳାଫଳକୁ ଗ୍ରହଣ କରେ।” ତାଙ୍କର ଏହି ଗୁଣ ତାଙ୍କର ଟିମ୍ ମଧ୍ୟରେ ପ୍ରତିଶ୍ରୁତିବଦ୍ଧତା ସୃଷ୍ଟି କରିଥାଏ ଓ ନାଗରିକଙ୍କ  ମଧ୍ୟରେ ଭରସା ସୃଷ୍ଟି କରିଥାଏ। “ମୁଁ ନିଷ୍ପତ୍ତି ଭୁଲ ହୋଇପାରେ, କିନ୍ତୁ ମନ୍ଦ ଉଦ୍ଦେଶ୍ୟ ରଖି ମୁଁ କୌଣସି କାମ କରେ ନାହିଁ।” ବେଳେବେଳେ କୌଣସି ନିଷ୍ପତ୍ତିରୁ ଯେମିତି ଭଲ ଫଳାଫଳ ମିଳିବା କଥା, ତାହା ନ ମିଳିଲେ ମଧ୍ୟ ଏହି ସଚ୍ଚୋଟତା ପାଇଁ ସମାଜ ତାଙ୍କୁ ଭଲ ପାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। 

 

 

“ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍‌ସ(ଏଆଇ)ର ପ୍ରସାର ପାଇଁ ଭାରତ କଣ କରୁଛି ବୋଲି ପ୍ରଶ୍ନ ହେବାରୁ ଏହାର ଉତ୍ତରରେ ଶ୍ରୀ ମୋଦୀ କହିଥିଲେ, “ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍‌ସ(ଏଆଇ)ର ବିକାଶ ମୂଳତଃ ଏକ ସହଯୋଗିତା ଉଦ୍ୟମ, କୌଣସି ଗୋଟିଏ ଦେଶ କେବଳ ନିଜେ ନିଜେ ଏଆଇ ପ୍ରସ୍ତୁତ କରିପାରିବ ନାହିଁ। ଏଆଇକୁ ନେଇ ବିଶ୍ୱ ଯାହା ବି କରୁ, କିନ୍ତୁ ଭାରତ ବିନା ଏହା ଅସଂପୂର୍ଣ୍ଣ। ” ସେ କହିଥିଲେ, ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏଆଇ ଆଧାରିତ ପ୍ରୟୋଗରେ ଭାରତ ସକ୍ରିୟ ଭାବେ କାମ କରୁଛି ଓ ଏହାର ଅଦ୍ୱିତୀୟ ଚାହିଦା ମୁତାବକ ମଡେଲ ଦ୍ୱାରା ଅଧିକ ଲୋକଙ୍କ ପାଖରେ ଏହା ପହଞ୍ଚି ପାରିବ। ସେ କହିଥିଲେ ଯେ, ଭାରତରେ ପ୍ରତିଭାର ପ୍ରାଚୁର୍ଯ୍ୟ ହିଁ ଏହାର ସବୁଠାରୁ ବଡ଼ ଶକ୍ତି। ମଣିଷର ବୁଦ୍ଧି ବଳରେ ହିଁ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍‌ସ ପ୍ରସ୍ତୁତ ହୋଇଛି ଓ ଚାଲୁଛି। ତେଣୁ ମଣିଷର ପ୍ରତିଭା ହିଁ ପ୍ରକୃତ ପ୍ରତିଭା, ଯାହା କି ଭାରତର ଯୁବ ପୀଢ଼ିରେ ଭରପୁର ଅଛି। ବିଶ୍ୱ ଆଶା କରିନଥିଲେ ମଧ୍ୟ ଭାରତ ଯେମିତି ଦ୍ରୁତ ଗତିରେ 5G ଆରମ୍ଭ କଲା, ତାର ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, ବହୁତ ଶସ୍ତାରେ ଚନ୍ଦ୍ରଯାନ ପରି ଭାରତର ମହାକାଶ ମିଶନ ହୋଇଥିଲା। ଏହି ମିଶନରେ ହଲିଉଡ୍ ଫିଲ୍ମଠାରୁ ବି କମ୍ ଖର୍ଚ୍ଚ ହୋଇଥିଲା। ଏଥିରୁ ଜଣାପଡ଼େ ଭାରତର ଦକ୍ଷତା ଓ ଅନୁସୃଜନ। ସେ କହିଥିଲେ ଯେ, ଏହି ସବୁ ସଫଳତା ଯୋଗୁଁ ବିଶ୍ୱ ଦରବାରରେ ଭାରତୀୟ ପ୍ରତିଭାକୁ ପ୍ରଶଂସା କରାଯାଉଛି, ସମ୍ମାନ ମିଳୁଛି ଏବଂ ଏହା ଭାରତୀୟ ସଭ୍ୟତାର ବୈଶିଷ୍ଟ୍ୟର ପରିଚୟ ଦିଏ। ସେହିପରି ବିଶ୍ୱର ଟେକ୍ନୋଲଜି ଦୁନିଆରେ ଭାରତୀୟ ବଂଶୋଦ୍ଭବମାନେ ଯେଉଁ ସଫଳତା ପାଉଛନ୍ତି, ଏହା ପଛରେ ରହିଛି ଭାରତୀୟ ସଂସ୍କୃତିର ପରିଚାୟକ ଏକାଗ୍ରତା, ମୂଲ୍ୟବୋଧ ଓ ସହଯୋଗିତା ପରି ଗୁଣ। ସେ କହିଥିଲେ,“ ଯେଉଁମାନେ ଭାରତରେ ବଢ଼ିଛନ୍ତି ବିଶେଷ କରି ଯୌଥ ପରିବାରରେ ଓ ମୁକ୍ତ ସମାଜରେ ବଢ଼ିଛନ୍ତି, ସେମାନେ ସହଜରେ ଜଟିଳ ସମସ୍ୟାର ସମାଧାନ କରିପାରନ୍ତି ଓ ବଡ଼ ଟିମ୍ କୁ ମଧ୍ୟ ସହଜରେ ସମ୍ଭାଳି ପାରନ୍ତି।” ସେ କହିଥିଲେ ଯେ, ଭାରତୀୟଙ୍କ ପାଖରେ ରହିଛି ଯେକୌଣସି ସମସ୍ୟା ସମାଧାନ କରିବାର ଶକ୍ତି ଓ ବିଶ୍ଲେଷଣ କରିବାର ଚିନ୍ତନ ଶକ୍ତି। ଏହି କାରଣରୁ ସେମାନେ ବିଶ୍ୱ ଦରବାରରେ ଏତେ ପାରଙ୍ଗମ। ଆର୍ଟିଫିସିଆଲ ଇଣ୍ଟିଲିଜେନ୍‌ସ ମଣିଷର ସ୍ଥାନ ନେଇଯିବ କି ? ଏହି ଆଶଙ୍କା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, ମଣିଷ ସହିତ ତାଳ ଦେଇ ଟେକ୍ନୋଲଜି ଆଗକୁ ଯାଇଥାଏ। ମଣିଷ ସେଇ ପରିସ୍ଥିତି ସହିତ ଖାପ ଖୁଆଇ ସବୁବେଳେ ଟେକ୍ନୋଲଜିଟାରୁ ଆଗରେ ରହିଥାଏ। ସେ କହିଥିଲେ, “ମଣିଷର କଳ୍ପନା ଶକ୍ତି ହିଁ ମୁଖ୍ୟ ଇନ୍ଧନ। ତାକୁ ଆଧାର କରି ଏଆଇ ବହୁତ କିଛି ପ୍ରସ୍ତୁତ କରିପାରିବ। କିନ୍ତୁ ମଣିଷର ଅସୀମ ସୃଜନଶୀଳ ଓ କଳ୍ପନା ଶକ୍ତିର ସ୍ଥାନ କୌଣସି ଟେକ୍ନୋଲଜି ନେଇପାରିବ ନାହିଁ।” ସେ ଗୁରୁତ୍ୱ ଦେଇଥିଲେ ଯେ, ମଣିଷକୁ ଏଆଇ ଚ୍ୟାଲେଞ୍ଜ ଦେଉଛି ପ୍ରକୃତରେ ମଣିଷତ୍ୱ କଣ। ମଣିଷ ପରସ୍ପରକୁ ବୁଝିପାରିବବ, ଯତ୍ନ ନେଇପାରିବ, ଏଆଇ ତାହା କରିପାରିବ ନାହିଁ।  

 

 

ଶିକ୍ଷା, ପରୀକ୍ଷା ଓ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ଶ୍ରୀ ମୋଦୀ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଉପରେ ଅଯଥା ଚାପ ପକାଉଛି ସମାଜର ମାନସିକତା। ରାଙ୍କିଂକୁ ହିଁ ସଫଳତାର ମାପକାଠି ବୋଲି ଭାବି ନେଉଛନ୍ତି ସ୍କୁଲ ଓ ପରିବାର। ଏହି ମାନସିକତା କାରଣରୁ ପିଲାମାନେ ଭାବୁଛନ୍ତି ଯେ, ତାଙ୍କ ପୁରା ଜୀବନ ଦଶମ ଓ ଦ୍ୱାଦଶ ପରୀକ୍ଷାର ମାର୍କ ନିର୍ଦ୍ଧାରଣ କରିବ। ଏହାର ସମାଧାନ ପାଇଁ ଭାରତର ନୂତନ ଶିକ୍ଷା ନୀତିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ଓ ପରୀକ୍ଷା ପେ ଚର୍ଚ୍ଚା ପରି କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ ମନରୁ ପରୀକ୍ଷା ଚାପ ହ୍ରାସ କରିବାକୁ ପଦକ୍ଷେପ ନିଆଯାଉଛି। କୌଣସି ବ୍ୟକ୍ତିର ପ୍ରକୃତ ଦକ୍ଷତାର ଏକମାତ୍ର ମାପକାଠି ପରୀକ୍ଷା ହେବା ଅନୁଚିତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, “ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସ୍କୁଲରେ ଭଲ ମାର୍କ ଆଣିନାହାନ୍ତି । କିନ୍ତୁ କ୍ରିକେଟ ପଡ଼ିଆରେ ଶତକ କରିଛନ୍ତି, କାରଣ ସେହି କ୍ଷେତ୍ରରେ ହିଁ ସେମାନଙ୍କର ପ୍ରକୃତ ଦକ୍ଷତା ଅଛି।”  ନିଜ ସ୍କୁଲ ଜୀବନର କଥା ମନେପକାଇ ସେ କହିଥିଲେ, ବର୍ତ୍ତମାନର ଅଭିନବ ଶିକ୍ଷାଦାନ ପଦ୍ଧତି ପାଠପଢ଼ାକୁ ମଜାଦାର ଓ ପ୍ରଭାବଶାଳୀ କରିଛି। ନୂଆ ଶିକ୍ଷା ନୀତିରେ ଏହି ସବୁ କୌଶଳକୁ ସାମିଲ କରାଯାଇଛି। ସବୁ କାମକୁ ଏକାଗ୍ରତା ଓ ଆନ୍ତରିକତାର ସହିତ ସଂପାଦନ କରନ୍ତୁ ଯାହା ଦ୍ୱାରା କି ଦକ୍ଷତା ଓ କ୍ଷମତା ବଢ଼ିଥାଏ। ଏହା ହିଁ ସଫଳତାର ବାଟ ଫିଟାଇଥାଏ। ନିରାଶ ନ ହେବାକୁ ଯୁବ ବର୍ଗଙ୍କୁ ପରାମର୍ଶ ଦେଇ ସେ କହିଥିଲେ, “କେବଳ ଆପଣଙ୍କ ପାଇଁ ନିଶ୍ଚିତ ଭାବେ କିଛି ବଡ଼ କାମ ଅଛି। ନିଜର କୌଶଳ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଅନ୍ତୁ। ସୁଯୋଗ ନିଶ୍ଚିତ ଆସିବ।”  ସେ କହିଥିଲେ ଯେ, ଜୀବନରେ ବଡ଼ ଲକ୍ଷ୍ୟ ରଖିବା ଉଚିତ ଯାହା କି ପ୍ରେରଣା ଦିଏ ଓ ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ। ଚାପ ଓ କଷ୍ଟକୁ ନେଇ ସେ ବାପାମାଆଙ୍କୁ ପରାମର୍ଶ ଦେଇଥିଲେ, ନିଜ ପିଲାଙ୍କୁ ପରିବାରର ଷ୍ଟାଟସ୍ ସିମ୍ୱଲ ଭାବେ ଗ୍ରହଣ କରନ୍ତୁ ନାହିଁ। ଜୀବନ କେବଳ ପରୀକ୍ଷା ନୁହେଁ, ଏହା ବୁଝନ୍ତୁ। ପରୀକ୍ଷା ପାଇଁ ଆଗରୁ ପ୍ରସ୍ତୁତି କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଥିଲେ, ନିଜ କ୍ଷମତା ଉପରେ ବିଶ୍ୱାସ ରଖନ୍ତୁ ଓ ଆତ୍ମବିଶ୍ୱାସର ସହିତ ପରୀକ୍ଷାର ସାମନା କରନ୍ତୁ। ସମୟର ସଦୁପଯୋଗ ଓ ନିୟମିତ ଅଭ୍ୟାସ କରିବା ଦ୍ୱାରା ପରୀକ୍ଷାର ସମସ୍ୟାର ସମାଧାନ କରିହେବ ବୋଲି ସେ କହିଛନ୍ତି। ସେ ଆତ୍ମବିଶ୍ୱାସର ସହିତ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତିର ଏକ ସ୍ୱତନ୍ତ୍ର କ୍ଷମତା ରହିଛି। ସଫଳତା ପାଇଁ ନିଜ ଉପରେ ଆତ୍ମବିଶ୍ୱାସ ରଖିବାକୁ ଓ ନିଜ କ୍ଷମତା ଉପରେ ଭରସା ରଖିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।     

 

 

କେମିତି କୌଣସି କଥା ସେ ଶିଖନ୍ତି, ତାହା ବି କହିଥିଲେ ପ୍ରଧାନମନ୍ତ୍ରୀ। ବର୍ତ୍ତମାନ ଉପରେ ହିଁ ଗୁରୁତ୍ୱ ଦେବାକୁ ସେ କହିଥିଲେ। ସେ କହିଥିଲେ, “ଯେତେବେଳେ ବି ମୁଁ କାହାକୁ ଭେଟିଥାଏ, ମୁଁ ସେତେବେଳେ ପୁରାପୁରି ବର୍ତ୍ତମାନରେ ରହେ। ସଂପୂର୍ଣ୍ଣ ଭାବେ ଫୋକସ୍ ରହୁଥିବାରୁ ମୁଁ ତୁରନ୍ତ ନୂଆ କଥା ଶିଖିପାରିଥାଏ।” ଏପରି ଅଭ୍ୟାସ ଆପଣାଇବାକୁ ସେ ଅନ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ମସ୍ତିଷ୍କକୁ ତୀକ୍ଷଣ କରିବା ସହିତ ଶିଖିବାର କ୍ଷମତା ବୃଦ୍ଧି କରିଥାଏ ବୋଲି ସେ କହିଥିଲେ। ଅଭ୍ୟାସର ଗୁରୁତ୍ୱ ବୁଝାଇବାକୁ ଯାଇ ସେ କହିଥିଲେ, “ମହାନ ଡ୍ରାଇଭରଙ୍କ ଜୀବନୀ ପଢ଼ି ଆପଣ ଭଲ ଡ୍ରାଇଭର ହୋଇପାରିବେ ନାହିଁ। ଆପଣଙ୍କୁ ନିଜେ ଗାଡ଼ି ଚଳାଇବାକୁ ପଡ଼ିବ, ଷ୍ଟିଅରିଂ ଧରି ରାସ୍ତାରେ ଗାଡ଼ି ଚଳାଇବାକୁ ପଡ଼ିବ।”  ସେ କହିଥିଲେ ଯେ, ମୃତ୍ୟୁ ସୁନିଶ୍ଚିତ। ତେଣୁ ଜୀବନର ଗୁରୁତ୍ୱକୁ ବୁଝି ତାକୁ ଗ୍ରହଣ କରନ୍ତୁ। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ତାକୁ ସମୃଦ୍ଧ କରନ୍ତୁ ଏବଂ ମୃତ୍ୟୁର ଭୟକୁ ଦୂର କରନ୍ତୁ, କାରଣ ମୃତ୍ୟୁକୁ କେହି ଏଡ଼ାଇ ପାରିବେ ନାହିଁ। ସେ କହିଥିଲେ, “ନିଜ ଜୀବନକୁ ସମୃଦ୍ଧ କରିବାକୁ, ମାର୍ଜିତ କରିବାକୁ, ଉପରକୁ ଉଠିବାକୁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତୁ। ଏହା ଦ୍ୱାରା ମୃତ୍ୟୁ ଆସିବା ଆଗରୁ ଆପଣ ସଂପୂର୍ଣ୍ଣ ଭାବେ ବଞ୍ଚି ପାରିବେ, ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ବଞ୍ଚିବାର ମଜା ଉଠାଇ ପାରିବେ। ”

 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ସବୁବେଳେ ଭବିଷ୍ୟତକୁ ନେଇ ଆଶାବାଦୀ ରହନ୍ତି। ନିରାଶା ଓ ନକରାତ୍ମକ ଭାବନା ତାଙ୍କ ମନୋଭାବ ନୁହେଁ। ସେ କହିଥିଲେ, ପୁରା ଇତିହାସ ଦେଖିଲେ ଜାଣିପାରିବେ ଯେ, ମଣିଷ ସବୁବେଳେ ସମସ୍ୟାର ସମାଧାନ କରି ଆଗକୁ ବଢ଼ିଥାଏ। ସେ କହିଥିଲେ, “ ପ୍ରତ୍ୟେକ ଯୁଗରେ ସବୁବେଳେ ହେଉଥିବା ପରିବର୍ତ୍ତନ ସହିତ ଖାପଖୁଆଇ ଚଳିବା ହେଉଛି ମଣିଷର ସ୍ୱାଭାବିକ ଆଚରଣ।” ପୁରୁଣା ଭାବନା ଛାଡ଼ିଲେ ଓ ନୂଆକୁ ସ୍ୱାଗତ କରିବା ଦ୍ୱାରା ହିଁ ଯୁଗାନ୍ତକାରୀ ନୂଆ କିଛି ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ ବୋଲି ସେ କହିଥିଲେ।   

 

 

ଆଧ୍ୟାତ୍ମିକତା, ଧ୍ୟାନ ଓ ବିଶ୍ୱବ୍ୟାପୀ ସମସ୍ତେ ସୁସ୍ଥ ରହିବାକୁ ନେଇ ଶ୍ରୀ ମୋଦୀ ଗାୟତ୍ରୀ ମନ୍ତ୍ରର ଗୁରୁତ୍ୱ ବୁଝାଇଥିଲେ। ସେ କହିଥିଲେ, ସୂର୍ଯ୍ୟଙ୍କର ଅଲୌକିକ ଶକ୍ତି ପ୍ରତି ସମର୍ପିତ ଏହି ମନ୍ତ୍ର ଆଧ୍ୟାତ୍ମିକ ଜ୍ଞାନପ୍ରାପ୍ତିର ଏକ ଶକ୍ତିଶାଳୀ ଉପକରଣ। ସେ କହିଥିଲେ, ହିନ୍ଦୁ ଧର୍ମର ଅନେକ ମନ୍ତ୍ରର ବିଜ୍ଞାନ ଓ ପ୍ରକୃତି ସହିତ ଗଭୀର ସଂପର୍କ ଅଛି। ପ୍ରତିଦିନ ସେହି ମନ୍ତ୍ର ଜପ କଲେ ବହୁ ଲାଭ ମିଳିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଧ୍ୟାନ ହେଉଛି ବିଭ୍ରାନ୍ତରୁ ମୁକ୍ତ ହେବା ଓ ବର୍ତ୍ତମାନରେ ରହିବା। ଏକ ପାତ୍ରରେ ପାଣି ପଡ଼ିଲେ ଯେଉଁ ଶବ୍ଦ ହୁଏ, ସେଥିରେ ଫୋକସ୍ କରି କେମିତି ଧ୍ୟାନ କରାଯାଏ, ହିମାଳୟରେ ଥିବା ବେଳେ ଜଣେ ସାଧୁ ପ୍ରଧାନମନ୍ତ୍ରୀଙ୍କୁ ଶିଖାଇଥିଲେ। ସେହି କଥା ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ। ଏହାକୁ ସେ “ଦିବ୍ୟ ପ୍ରତିଧ୍ୱନି” ବୋଲି କହିଥିଲେ ଯାହାକି ଏକାଗ୍ରତା ରଖିବାରେ ସାହାଯ୍ୟ କରିଥିଲା ଓ ପରେ ତାହା ଧ୍ୟାନରେ ରୂପାନ୍ତରିତ ହୋଇପାରିଥିଲା। ହିନ୍ଦୁ ଦର୍ଶନ ଉପରେ କହିବାକୁ ଯାଇ ଶ୍ରୀ ମୋଦୀ କେତେକ ମନ୍ତ୍ର ବି ଉଚ୍ଚାରଣ କରିଥିଲେ। ସେ କହିଥିଲେ, ଜୀବନ ଓ ବିଶ୍ୱର ସମସ୍ତେ ସୁସ୍ଥ ରହିବା ମଧ୍ୟରେ ଗଭୀର ସଂପର୍କ ରହିଛି। ତାଙ୍କ ମତରେ “ହିନ୍ଦୁମାନେ କେବେ କି କେବଳ ନିଜର ସ୍ୱାର୍ଥ ଦେଖନ୍ତି ନାହିଁ। ଆମେ ସମସ୍ତେ ସମସ୍ତଙ୍କର ଶୁଭ ମନାସିଥାଉ ଓ ସମସ୍ତେ ସୁଖ ସମୃଦ୍ଧିରେ ରୁହନ୍ତୁ ବୋଲି କାମନା କରିଥାଉ।” ସେ କହିଥିଲେ, ପ୍ରତ୍ୟେକ ହିନ୍ଦୁ ମନ୍ତ୍ରର ଅନ୍ତିମ ଭାଗରେ ଥାଏ ଶାନ୍ତି। ଏହା ହିଁ କହିଥାଏ ଯେ, ଶାନ୍ତି ହେଉଛି ଆମ ଜୀବନର ସବୁଠୁ ବଡ଼ ଆବଶ୍ୟକତା। ମୁନି ଋଷିମାନଙ୍କର ସବୁବେଳେ ଏହି ଆଧ୍ୟାତ୍ମିକ ଲକ୍ଷ୍ୟ ରହିଥାଏ। ବହୁ ଦିନରୁ ତାଙ୍କ ମନରେ ରହି ଯାଇଥିବା ଭାବନାକୁ ଏହି ପଡ୍‌କାଷ୍ଟ ଜରିଆରେ ପ୍ରକାଶ କରିବାର ସୁଯୋଗ ଦେଇଥିବାରୁ ଶେଷରେ ପ୍ରଧାନମନ୍ତ୍ରୀ ଲେସ୍କ ଫ୍ରିଡମ୍ୟାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।  

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Operation Sindoor: A fitting blow to Pakistan, the global epicentre of terror

Media Coverage

Operation Sindoor: A fitting blow to Pakistan, the global epicentre of terror
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails the efforts being made under 'Project Lion'
May 21, 2025

The Prime Minister Narendra Modi hailed the efforts being made under 'Project Lion' which are ensuring the protection of lions in Gujarat along with providing them a favourable environment.

Responding to a post by Gujarat Chief Minister, Shri Bhupendra Patel on X, Shri Modi said:

“बहुत उत्साहित करने वाली जानकारी! यह देखकर बेहद खुशी हो रही है कि ‘प्रोजेक्ट लॉयन’ के तहत किए जा रहे प्रयासों से गुजरात में शेरों को अनुकूल माहौल मिलने के साथ ही उनका संरक्षण भी सुनिश्चित हो रहा है।”