ଆମେ ସ୍ବାମୀତ୍ବ ଯୋଜନା ଆରମ୍ଭ କରିଥିଲୁ, ଆମେ ସ୍ଥିର କରିଥିଲୁ ଯେ ଡ୍ରୋନ୍ ସାହାଯ୍ୟରେ ଦେଶର ପ୍ରତ୍ୟେକ ଗାଁରେ ଘର ଓ ଜମିର ମ୍ୟାପିଂ କରାଯିବ, ଗାଁର ଲୋକଙ୍କୁ ସେମାନଙ୍କ ଆବାସିକ ସମ୍ପତ୍ତିର କାଗଜପତ୍ର ଦିଆଯିବ
ଆଜି ଆମ ସରକାର ଗ୍ରାମ ସ୍ୱରାଜକୁ ପୂରା ଆନ୍ତରିକତାର ସହ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛନ୍ତି: ପ୍ରଧାନମନ୍ତ୍ରୀ
ସ୍ବାମୀତ୍ବ ଯୋଜନା ମାଧ୍ୟମରେ ଗ୍ରାମ ବିକାଶର ଯୋଜନା ଓ କାର୍ଯ୍ୟକାରିତା ଏବେ ବହୁତ ଉନ୍ନତ ହେଉଛି: ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ଗଠନରେ ନାରୀ ଶକ୍ତିର ବହୁତ ବଡ଼ ଭୂମିକା ରହିଛି, ସେଥିପାଇଁ ଗତ ଦଶନ୍ଧିରେ ଆମେ ପ୍ରତ୍ୟେକ ବଡ଼ ଯୋଜନାର କେନ୍ଦ୍ରରେ ମା' ଓ ଝିଅଙ୍କ ସଶକ୍ତୀକରଣକୁ ରଖିଛୁ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୩୦ରୁ ଅଧିକ ଜିଲ୍ଲାର ୫୦,୦୦୦ରୁ ଅଧିକ ଗାଁରେ ସ୍ଵାମୀତ୍ୱ ଯୋଜନା ଅଧୀନରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି । ଏହି ଅବସରରେ ସେ କହିଥିଲେ ଯେ, ଆଜି ଭାରତର ଗାଁ ଓ ଗ୍ରାମାଞ୍ଚଳ ପାଇଁ ଏକ ଐତିହାସିକ ଦିନ ଏବଂ ଏହି ଅବସରରେ ସମସ୍ତ ହିତାଧିକାରୀ ଓ ନାଗରିକଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଯେପରି ସେମାନଙ୍କର ସମ୍ପତ୍ତି କାର୍ଡ ପାଇପାରିବେ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପାଞ୍ଚ ବର୍ଷ ପୂର୍ବେ ସ୍ଵାମୀତ୍ୱ ଯୋଜନା ଆରମ୍ଭ କରାଯାଇଥିଲା । ସେ କହିଥିଲେ ଯେ ବିଭିନ୍ନ ରାଜ୍ୟରେ ସଂପତ୍ତି ମାଲିକାନାର ଭିନ୍ନ ଭିନ୍ନ ନାମ ରହିଛି ଯେପରିକି ଘରୋନି, ଅଧିକାର ଅଭିଲେଖ, ପ୍ରପର୍ଟି କାର୍ଡ, ମାଲମଟ୍ଟା ପତ୍ରକ ଓ ଆବାସୀୟ ଭୂମି ପଟ୍ଟା ଇତ୍ୟାଦି । ଶ୍ରୀ ମୋଦୀ କହିଥିଲେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୧.୫ କୋଟିରୁ ଅଧିକ ଲୋକଙ୍କୁ ସ୍ବାମୀତ୍ବ କାର୍ଡ ପ୍ରଦାନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ସେ ଆହୁରି କହିଛନ୍ତି ଯେ ୬୫ ଲକ୍ଷରୁ ଅଧିକ ପରିବାର ଏହି କାର୍ଡ ପାଇଛନ୍ତି | ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ଵାମୀତ୍ବ ଯୋଜନା ଅଧୀନରେ ଏବେ ଗାଁର ପ୍ରାୟ ୨.୨୫ କୋଟି ଲୋକ ସେମାନଙ୍କ ଘର ପାଇଁ ଆଇନଗତ କାଗଜପତ୍ର ପାଇଛନ୍ତି । ସେ ସମସ୍ତ ହିତାଧିକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

 

ଏକବିଂଶ ଶତାବ୍ଦୀରେ ଜଳବାୟୁ ପରିବର୍ତ୍ତନ, ଜଳ ସଙ୍କଟ, ସ୍ୱାସ୍ଥ୍ୟ ସଙ୍କଟ ଏବଂ ମହାମାରୀ ସମେତ ଅନେକ ଆହ୍ୱାନ ରହିଛି। ତେବେ ବିଶ୍ୱ ସମ୍ମୁଖୀନ ହେଉଥିବା ଆଉ ଏକ ବଡ଼ ଆହ୍ୱାନ ହେଉଛି ସମ୍ପତ୍ତି ଅଧିକାର ଏବଂ ଆଇନଗତ ସମ୍ପତ୍ତି ଦସ୍ତାବିଜର ଅଭାବ । ଜାତିସଂଘର ଏକ ଅଧ୍ୟୟନକୁ ଉଦାହରଣ ଦେଇ ସେ କହିଛନ୍ତି ଯେ ବିଭିନ୍ନ ଦେଶର ଅନେକ ଲୋକଙ୍କ ପାଖରେ ସେମାନଙ୍କ ସମ୍ପତ୍ତି ପାଇଁ ଉପଯୁକ୍ତ ଆଇନଗତ ଦସ୍ତାବିଜ ନାହିଁ। ସେ କହିଛନ୍ତି ଯେ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ଲୋକଙ୍କ ପାଖରେ ସମ୍ପତ୍ତି ଅଧିକାର ରହିବା ଆବଶ୍ୟକ ବୋଲି ଜାତିସଂଘ ଗୁରୁତ୍ୱାରୋପ କରିଛି। ପ୍ରଧାନମନ୍ତ୍ରୀ ଜଣେ ପ୍ରସିଦ୍ଧ ଅର୍ଥନୀତିଜ୍ଞଙ୍କ ବିଷୟରେ କହିଥିଲେ ଯିଏକି ଭୂସମ୍ପତ୍ତି ମାଲିକାନା କ୍ଷେତ୍ରରେ ଥିବା ଆହ୍ୱାନ ଉପରେ ଏକ ପୁସ୍ତକ ଲେଖିଥିଲେ । ସେହି ପୁସ୍ତକରେ ଦର୍ଶାଯାଇଛି ଯେ ଗ୍ରାମବାସୀଙ୍କ ମାଲିକାନାରେ ଥିବା କ୍ଷୁଦ୍ର ସମ୍ପତ୍ତିକୁ ପ୍ରାୟତଃ "ମୃତ ସଂପତ୍ତି" ଭାବେ ଧରାଯାଏ । ଅର୍ଥାତ୍ ଏପରି ସମ୍ପତ୍ତିକୁ କାରବାର ପାଇଁ ବ୍ୟବହାର କରାଯାଇପାରିବ ନାହିଁ ଏବଂ ପରିବାରର ଆୟ ବଢ଼ାଇବାରେ ଏହା ସହାୟକ ହୁଏ ନାହିଁ। ସଂପତ୍ତି ମାଲିକାନାକୁ ନେଇ ସାରା ବିଶ୍ବରେ ଥିବା ଏପରି ଜଟିଳତାରୁ ଭାରତ ବି ମୁକ୍ତ ନୁହେଁ ବୋଲି ସେ କହିଛନ୍ତି । ଲକ୍ଷ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଥିବା ସତ୍ତ୍ୱେ ଗ୍ରାମବାସୀଙ୍କ ପାଖରେ ଅନେକ ସମୟରେ ଆଇନଗତ କାଗଜପତ୍ରର ଅଭାବ ଦେଖାଦେଇଥାଏ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥାଏ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନେ ବେଆଇନ ଭାବେ ଦଖଲ ମଧ୍ୟ କରିଥାନ୍ତି। ବିନା ଆଇନଗତ କାଗଜପତ୍ରରେ ବ୍ୟାଙ୍କଗୁଡ଼ିକ ମଧ୍ୟ ଏଭଳି ସମ୍ପତ୍ତିଠାରୁ ଦୂରେଇ ରୁହନ୍ତି। ପୂର୍ବ ସରକାରମାନେ ଏହି ସମସ୍ୟାର ସମାଧାନ ପାଇଁ ଠୋସ୍ ପଦକ୍ଷେପ ନେଇ ନଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ୨୦୧୪ରେ ସରକାର ସ୍ଵାମୀତ୍ୱ ଯୋଜନା ମାଧ୍ୟମରେ ସମ୍ପତ୍ତି ଦସ୍ତାବିଜ କରିବାର ଆହ୍ୱାନର ମୁକାବିଲା କରିବାକୁ ନିଷ୍ପତ୍ତି ନେଇଥିଲେ। କୌଣସି ସମ୍ବେଦନଶୀଳ ସରକାର ନିଜ ଗ୍ରାମୀଣ ଲୋକଙ୍କୁ ଏଭଳି ଦୁର୍ଦ୍ଦଶାରେ ଛାଡି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ଵାମୀତ୍ବ ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଏଥିରେ ଡ୍ରୋନ ବ୍ୟବହାର କରି ଗାଁରେ ଘର ଓ ଜମିର ମ୍ୟାପିଂ କରିବା ଏବଂ ଗ୍ରାମବାସୀଙ୍କୁ ଆବାସିକ ସମ୍ପତ୍ତିର ଆଇନଗତ କାଗଜପତ୍ର ପ୍ରଦାନ କରିବା ଅନ୍ତର୍ଭୁକ୍ତ ।

ଏବେ ଏହି ଯୋଜନାର ସୁଫଳ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି। ସ୍ଵାମୀତ୍ବ ଯୋଜନାର ହିତାଧିକାରୀଙ୍କ ସହ ତାଙ୍କର ପୂର୍ବ କଥାବାର୍ତ୍ତାକୁ ଶ୍ରୀ ମୋଦୀ ମନେ ପକାଇଥିଲେ । ଏବେ ତାଙ୍କୁ ତାଙ୍କ ସମ୍ପତ୍ତି ପାଇଁ ବ୍ୟାଙ୍କରୁ ସହାୟତା ମିଳୁଛି ଏବଂ ତାଙ୍କର ସନ୍ତୋଷ ଓ ଖୁସି ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି। ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଏହି ଯୋଜନା କିପରି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ପ୍ରଧାନମନ୍ତ୍ରୀ ଏହାକୁ ଏକ ବଡ଼ ଆଶୀର୍ବାଦ ବୋଲି ବିବେଚନା କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତରେ ୬ ଲକ୍ଷରୁ ଅଧିକ ଗାଁ ଅଛି, ସେଥିମଧ୍ୟରୁ ପ୍ରାୟ ଅଧା ଗାଁରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି। ଆଇନଗତ କାଗଜପତ୍ର ପାଇବା ପରେ ଲକ୍ଷ ଲକ୍ଷ ଲୋକ ନିଜ ସମ୍ପତ୍ତି ଆଧାରରେ ବ୍ୟାଙ୍କରୁ ଋଣ ନେଇ ନିଜ ଗାଁରେ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିଛନ୍ତି। ଏହି ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ କ୍ଷୁଦ୍ର ଓ ମଧ୍ୟମ ଚାଷୀ ପରିବାର, ଯେଉଁମାନଙ୍କ ପାଇଁ ଏହି ସମ୍ପତ୍ତି କାର୍ଡ ଅର୍ଥନୈତିକ ନିରାପତ୍ତାର ଏକ ବଡ଼ ଗ୍ୟାରେଣ୍ଟି ପାଲଟିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଆଇନ ବୃତ୍ତି ଏବଂ ଦୀର୍ଘ ଦିନ ଧରି ଚାଲିଥିବା ଅଦାଲତ ବିବାଦ ଯୋଗୁଁ ଦଳିତ, ପଛୁଆ ଏବଂ ଆଦିବାସୀ ପରିବାର ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ଆଇନଗତ ପ୍ରମାଣପତ୍ର ମିଳିଲେ ସେମାନେ ଏବେ ଏହି ସଙ୍କଟରୁ ମୁକ୍ତି ପାଇବେ ବୋଲି ସେ କହିଛନ୍ତି। ସେ ଏକ ଆକଳନ କରିଛନ୍ତି ଯେ ସମସ୍ତ ଗ୍ରାମରେ ସମ୍ପତ୍ତି କାର୍ଡ ପ୍ରଦାନ କରାଗଲେ ଏହା ୧୦୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥନୈତିକ କାର୍ଯ୍ୟକଳାପ ସୃଷ୍ଟିହେବ । ଏହା ଦ୍ୱାରା ଦେଶର ଅର୍ଥନୀତିରେ ବହୁ ପୁଞ୍ଜି ଯୋଡ଼ିହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଗ୍ରାମ ସ୍ୱରାଜକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ତାଙ୍କ ସରକାର ଗମ୍ଭୀରତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ସ୍ବାମୀତ୍ବ ଯୋଜନା ଗ୍ରାମବିକାଶର ଯୋଜନା ଓ କାର୍ଯ୍ୟକାରିତାରେ ଯଥେଷ୍ଟ ଉନ୍ନତି ଆଣିଛି ବୋଲି ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସ୍ପଷ୍ଟ ମାନଚିତ୍ର ଏବଂ ଜନବହୁଳ ଅଞ୍ଚଳର ଜ୍ଞାନ ସହିତ ଉନ୍ନୟନ ମୂଳକ କାର୍ଯ୍ୟର ଯୋଜନା ଠିକଭାବେ କରିହେବ ଓ ଖରାପ ଯୋଜନା ଯୋଗୁଁ ସୃଷ୍ଟି ହେଉଥିବା ଅପଚୟ ଏବଂ ପ୍ରତିବନ୍ଧକକୁ ଦୂର କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ପତ୍ତି ମାଲିକାନା ସ୍ପଷ୍ଟ ହେବା ଦ୍ବାରା ପଞ୍ଚାୟତ ଜମି ଏବଂ ଚାରଣ ଭୂମି ଚିହ୍ନଟ ସମେତ ଜମି ମାଲିକାନାକୁ ନେଇ ଦେଖାଦେଉଥିବା ବିଭିନ୍ନ ବିବାଦର ସମାଧାନ ହେବ, ଯାହା ଦ୍ୱାରା ଗ୍ରାମ ପଞ୍ଚାୟତଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବ । ସମ୍ପତ୍ତି କାର୍ଡ ଗ୍ରାମଗୁଡ଼ିକରେ ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ଼ କରିବ ଏବଂ ଅଗ୍ନିକାଣ୍ଡ, ବନ୍ୟା ଓ ଭୂସ୍ଖଳନ ଭଳି ଘଟଣା ସମୟରେ କ୍ଷତିପୂରଣ ଦାବି କରିବା ସହଜ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷକମାନଙ୍କ ପାଇଁ ଜମି ବିବାଦ ସାଧାରଣ କଥା ଥିଲା । ଜମି ଦସ୍ତାବିଜ ପାଇବା ଚ୍ୟାଲେଞ୍ଜିଂ ହୋଇଥାଏ ଓ ଏଥିପାଇଁ ସେମାନଙ୍କୁ ଅନେକ ସମୟରେ ସରକାରୀ ଅଧିକାରୀଙ୍କ ନିକଟକୁ ଦୌଡ଼ିବାକୁ ପଡ଼େ ଓ ଯଦ୍ବାରା ଦୁର୍ନୀତି ମଧ୍ୟ ହୁଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଜମି ରେକର୍ଡର ଡିଜିଟାଇଜେସନ୍ କରାଯାଉଛି ବୋଲି ସେ କହିଛନ୍ତି। ମାଲିକାନା ଓ ଜମି ଭିତ୍ତିଭୂମି ହେଉଛି ଗାଁର ବିକାଶ ପାଇଁ ମୌଳିକ ବ୍ୟବସ୍ଥା ବୋଲି ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଭୂ-ଆଧାର ଜମିକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ, ପ୍ରାୟ ୨୩ କୋଟି ଭୁ-ଆଧାର ନମ୍ବର ଜାରି କରାଯାଇଛି, ଯାହା ଫଳରେ ଜମି ପ୍ଲଟ୍ ଚିହ୍ନଟ କରିବା ସହଜ ହୋଇଛି । ଗତ ୭-୮ ବର୍ଷ ମଧ୍ୟରେ ପ୍ରାୟ ୯୮ ପ୍ରତିଶତ ଜମି ରେକର୍ଡକୁ ଡିଜିଟାଇଜ୍ କରାଯାଇଛି ଏବଂ ଅଧିକାଂଶ ଜମି ମାନଚିତ୍ର ଏବେ ଡିଜିଟାଲ ମାଧ୍ୟମରେ ଉପଲବ୍ଧ ହେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି। "

ଭାରତର ଆତ୍ମା ଗାଁରେ ବସବାସ କରେ ବୋଲି ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଦଶନ୍ଧିରେ ଏହି ଦୃଷ୍ଟିକୋଣର ପ୍ରକୃତ ରୂପାୟନ ହୋଇଛି । ଗତ ୧୦ ବର୍ଷ ମଧ୍ୟରେ ୨.୫ କୋଟିରୁ ଅଧିକ ପରିବାର, ଯେଉଁଥିରେ ଅଧିକାଂଶ ଗ୍ରାମୀଣ ପରିବାରକୁ ବିଜୁଳି ମିଳିଛି, ୧୦ କୋଟିରୁ ଅଧିକ ପରିବାରକୁ ଶୌଚାଳୟ ସୁବିଧା ମିଳିଛି ଏବଂ ୧୦ କୋଟି ମହିଳା ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଗ୍ୟାସ ସଂଯୋଗ ପାଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଗାଁରେ ରୁହନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୨ କୋଟିରୁ ଅଧିକ ପରିବାରକୁ ଟ୍ୟାପ୍ ପାଣି ମିଳିଛି ଏବଂ ୫୦ କୋଟିରୁ ଅଧିକ ଲୋକ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି, ଯାହା ମୁଖ୍ୟତଃ ଗାଁରେ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧.୫ ଲକ୍ଷରୁ ଅଧିକ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ସ୍ଥାପନ କରାଯାଇଛି, ଅଧିକାଂଶ ଗାଁରେ । ଦଶନ୍ଧି ଧରି ଲକ୍ଷ ଲକ୍ଷ ଗ୍ରାମୀଣ, ବିଶେଷକରି ଦଳିତ, ପଛୁଆ ଓ ଆଦିବାସୀ ପରିବାର ମୌଳିକ ସୁବିଧାରୁ ବଞ୍ଚିତ ହେଉଥିଲେ ଏବଂ ବର୍ତ୍ତମାନ ଏହି ପରିବାରଗୁଡ଼ିକ ହେଉଛନ୍ତି ଏହି ସୁବିଧାର ମୁଖ୍ୟ ହିତାଧିକାରୀ।

 

ଗ୍ରାମରେ ରାସ୍ତାର ଉନ୍ନତି ପାଇଁ ଗତ ଦଶନ୍ଧି ମଧ୍ୟରେ ହୋଇଥିବା ଅଭୂତପୂର୍ବ ପ୍ରୟାସ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୨୦ ମସିହାରେ ଅଟଳଜୀଙ୍କ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଶୁଭାରମ୍ଭ କରିବା ପରଠାରୁ ଗାଁଗୁଡ଼ିକରେ ପ୍ରାୟ ୮.୨୫ ଲକ୍ଷ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି, ଯାହାର ପ୍ରାୟ ଅଧା ଗତ ୧୦ ବର୍ଷ ମଧ୍ୟରେ ନିର୍ମାଣ କରାଯାଇଛି । ଦୁର୍ଗମ ସୀମାନ୍ତ ଗ୍ରାମଗୁଡିକରେ ଯୋଗାଯୋଗ ବୃଦ୍ଧି ପାଇଁ ଭାଇବ୍ରେଣ୍ଟ ଭିଲେଜ କାର୍ଯ୍ୟକ୍ରମ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ଗାଁଗାଁରେ ଇଣ୍ଟରନେଟ୍ ଯୋଗାଇବା ମଧ୍ୟ ଏକ ପ୍ରାଥମିକତା ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ୨୦୧୪ ପୂର୍ବରୁ ୧୦୦ରୁ କମ୍ ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ଫାଇବର ସଂଯୋଗ ଥିଲା, କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ୨ ଲକ୍ଷରୁ ଅଧିକ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସଂଯୋଗ କରାଯାଇଛି। ସେ କହିଥିଲେ ଯେ ଏହି ସମୟ ମଧ୍ୟରେ ଗ୍ରାମଗୁଡିକରେ କମନ୍ ସର୍ଭିସ୍ ସେଣ୍ଟର ସଂଖ୍ୟା ଏକ ଲକ୍ଷରୁ କମ ଥିବାବେଳେ ଏବେ ତାହା ୫ ଲକ୍ଷରୁ ଅଧିକକୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପରିସଂଖ୍ୟାନ ଗ୍ରାମରେ ଆଧୁନିକ ସୁବିଧା ଯୋଗାଇବାକୁ ପ୍ରତିଫଳିତ କରୁଛି, ଯାହା ପୂର୍ବରୁ କେବଳ ସହରରେ ଦେଖାଯାଉଥିଲା । ଏହା ଦ୍ୱାରା କେବଳ ସୁବିଧା ବୃଦ୍ଧି ପାଇନାହିଁ ବରଂ ଗ୍ରାମରେ ଅର୍ଥନୈତିକ ଶକ୍ତି ମଧ୍ୟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

୨୦୨୫ ଗ୍ରାମ ଏବଂ କୃଷକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହିତ ଆରମ୍ଭ ହୋଇଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ନିରନ୍ତରତା ଉପରେ ଆଲୋକପାତ କରିଥିଲେ । ଏହା ଅଧୀନରେ କୃଷକମାନଙ୍କୁ ପାଖାପାଖି ୨.୨୫ ଲକ୍ଷ କୋଟି ଟଙ୍କାର ଦାବି ମିଳିଛି। ସେ ଡିଏପି ସାର କୁ ନେଇ ଆଉ ଏକ ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁସାରର ମୂଲ୍ୟ ବିଶ୍ୱସ୍ତରରେ ବୃଦ୍ଧି ପାଇଚାଲିଛି । କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସୁଲଭ ସାର ସୁନିଶ୍ଚିତ କରିବା ପାଇଁ ସରକାର ହଜାର ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଗତ ଦଶନ୍ଧିରେ କୃଷକମାନଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇବା ପାଇଁ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା କି ୨୦୧୪ ପୂର୍ବରୁ ଦଶନ୍ଧିରେ ଖର୍ଚ୍ଚ ହୋଇଥିବା ପରିମାଣଠାରୁ ପ୍ରାୟ ଦୁଇଗୁଣ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ କୃଷକମାନଙ୍କ ଆକାଉଣ୍ଟକୁ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି, ଯାହା କୃଷକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଏ ।

ଏକ ବିକଶିତ ଭାରତ ଗଠନରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇ ବିଗତ ଦଶନ୍ଧିରେ ମହିଳା ସଶକ୍ତୀକରଣ ପ୍ରତ୍ୟେକ ପ୍ରମୁଖ ଯୋଜନାର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ। ବ୍ୟାଙ୍କ ସଖୀ ଓ ବୀମା ସଖୀ ଭଳି ପଦକ୍ଷେପ ଗାଁରେ ମହିଳାମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ବୋଲି ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ 'ଲଖପତି ଦିଦି ଯୋଜନା' ୧.୨୫ କୋଟିରୁ ଅଧିକ ମହିଳାଙ୍କୁ କୋଟିପତି କରିଛି। ସ୍ଵାମୀତ୍ବ ଯୋଜନା ମହିଳାଙ୍କ ସମ୍ପତ୍ତି ଅଧିକାରକୁ ସୁଦୃଢ଼ କରିଛି ଏବଂ କେତେକ ରାଜ୍ୟରେ ସମ୍ପତ୍ତି କାର୍ଡରେ ସ୍ୱାମୀଙ୍କ ନାମ ସହ ଓ ପତ୍ନୀଙ୍କ ନାମ ମଧ୍ୟ ସାମିଲ କରାଯାଉଛି ବୋଲି ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବମାନଙ୍କୁ ଦିଆଯାଇଥିବା ଅଧିକାଂଶ ଘର ମହିଳାଙ୍କ ନାମରେ ପଞ୍ଜିକୃତ ହୋଇଛି। ସ୍ବାମୀତ୍ବ ଯୋଜନାରେ କରାଯାଉଥିବା ଅଧିକାଂଶ ଡ୍ରୋନ ସର୍ଭେ ମହିଳାମାନଙ୍କୁ ସେମାନଙ୍କର ସଂପତ୍ତି ଅଧିକାର ସୁରକ୍ଷିତ କରିବା କ୍ଷେତ୍ରରେ ସାହାଯ୍ୟ କରୁଛି । ସ୍ବାମୀତ୍ବ ଯୋଜନାରେ ଡ୍ରୋନ୍ ମାଧ୍ୟମରେ ମ୍ୟାପିଂ କାମ କରାଯାଉଛି ଏବଂ ନମୋ ଡ୍ରୋନ୍ ଦିଦି ଯୋଜନାରେ ଗାଁର ମହିଳାମାନେ ଡ୍ରୋନ୍ ପାଇଲଟ୍ ହୋଇ ଚାଷରେ ସହଯୋଗ କରୁଛନ୍ତି ଏବଂ ଅତିରିକ୍ତ ରୋଜଗାର କରୁଛନ୍ତି ବୋଲି ସେ କହିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ଵାମୀତ୍ୱ ଯୋଜନା ଗ୍ରାମବାସୀଙ୍କୁ ସଶକ୍ତ କରିଛି ଏବଂ ଭାରତରେ ଗ୍ରାମୀଣ ଜୀବନରେ ସମ୍ଭାବ୍ୟ ପରିବର୍ତ୍ତନ ଆଣିଛି। ଗାଁ ଓ ଗରିବମାନେ ଅଧିକ ସକ୍ଷମ ହେବା ସହ ବିକଶିତ ଭାରତ ଦିଗରେ ଯାତ୍ରା ସହଜ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଗତ ଦଶନ୍ଧି ମଧ୍ୟରେ ଗାଁ ଓ ଗରିବଙ୍କ ହିତ ପାଇଁ ନିଆଯାଇଥିବା ପଦକ୍ଷେପ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକୁଳିବାରେ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ନିଜ ଅଭିଭାଷଣ ଶେଷରେ ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ସ୍ବାମୀତ୍ବ ଭଳି ଯୋଜନା ଗ୍ରାମଗୁଡ଼ିକୁ ବିକାଶର ଏକ ଶକ୍ତିଶାଳୀ କେନ୍ଦ୍ରରେ ପରିଣତ କରିବ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ଜମ୍ମୁ-କଶ୍ମୀର ଓ ଲଦାଖର ଉପରାଜ୍ୟପାଳ, ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ତଥା ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ।

ପୃଷ୍ଠଭୂମି :

ଅତ୍ୟାଧୁନିକ ଡ୍ରୋନ୍ ଜ୍ଞାନକୌଶଳ ମାଧ୍ୟମରେ ସର୍ଭେକ୍ଷଣ ଦ୍ବାରା ଗାଁର ଜନବସତି ଅଞ୍ଚଳରେ ଘର ଥିବା ପରିବାରଗୁଡ଼ିକୁ 'ରେକର୍ଡ ଅଫ୍ ରାଇଟ୍ସ' ପ୍ରଦାନ କରି ଗ୍ରାମୀଣ ଭାରତର ଅର୍ଥନୈତିକ ପ୍ରଗତିକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସ୍ବାମୀତ୍ବ ଯୋଜନାର ଶୁଭାରମ୍ଭ କରିଥିଲେ।

ଏହି ଯୋଜନା ସମ୍ପତ୍ତିର ବିକ୍ରି ଏବଂ ବ୍ୟାଙ୍କ ମାଧ୍ୟମରେ ସଂସ୍ଥାଗତ ଋଣ ପ୍ରାପ୍ତି, ସମ୍ପତ୍ତି ସମ୍ବନ୍ଧୀୟ ବିବାଦକୁ ହ୍ରାସ କରିବା, ଗ୍ରାମାଞ୍ଚଳରେ ସମ୍ପତ୍ତି ଏବଂ ସମ୍ପତ୍ତି ଟିକସର ଉନ୍ନତ ମୂଲ୍ୟାଙ୍କନ ଏବଂ ବ୍ୟାପକ ଗ୍ରାମସ୍ତରୀୟ ଯୋଜନା ସୃଷ୍ଟି କରିବାରେ ସହାୟକ ହୋଇଥାଏ ।

୩.୧୭ ଲକ୍ଷରୁ ଅଧିକ ଗାଁରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି, ଯାହାକି ଲକ୍ଷ୍ୟ ରଖାଯାଇଥିବା ଗ୍ରାମଗୁଡ଼ିକର ୯୨% । ବର୍ତ୍ତମାନ ସୁଦ୍ଧା ୧.୫୩ ଲକ୍ଷରୁ ଅଧିକ ଗାଁ ପାଇଁ ପ୍ରାୟ ୨.୨୫ କୋଟି ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି।

ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ତ୍ରିପୁରା, ଗୋଆ, ଉତ୍ତରାଖଣ୍ଡ ଏବଂ ହରିୟାଣାରେ ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଛତିଶଗଡ଼ ଏବଂ କେତେକ କେନ୍ଦ୍ରଶାସିତ ଅଞ୍ଚଳରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UP's exports to BRICS nations, partners cross $5.36 billion in FY26: Govt

Media Coverage

UP's exports to BRICS nations, partners cross $5.36 billion in FY26: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister visits Pahadpur village in Odisha with President of India, Smt. Droupadi Murmu on her birthday
June 20, 2026

The Prime Minister, Shri Narendra Modi, said that he was honoured to be in Pahadpur village in Odisha with President of India, Smt. Droupadi Murmu on her birthday.

The Prime Minister noted that Pahadpur is the President’s village and said that the work done by her is truly inspiring.

Shri Modi prayed for the President’s long and healthy life.

The Prime Minister wrote on X;

“Honoured to be in Pahadpur village, Odisha with Rashtrapati Ji and that too on her birthday. This is her village and the work that she has done is truly inspiring.

Praying for her long and healthy life.

@rashtrapatibhvn”