ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତିନମୂର୍ତ୍ତି ହାଉସଠାରେ ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ (ପିଏମଏମଏଲ) ସୋସାଇଟିର ୪୭ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ବିଶ୍ୱବ୍ୟାପୀ ସଂଗ୍ରହାଳୟ ଗୁଡ଼ିକ ଅତ୍ୟଧିକ ମହତ୍ୱ ରଖେ ଏବଂ ଇତିହାସ ସମ୍ପର୍କରେ ଆମକୁ ଅଭିଜ୍ଞତା ଦେବାର କ୍ଷମତା ରଖେ । ସଂଗ୍ରହାଳୟ ପ୍ରତି ଲୋକଙ୍କୁ ଆକର୍ଷିତ କରିବା ଲାଭି କ୍ରମାଗତ ପ୍ରଚେଷ୍ଟାର ଆବଶ୍ୟକତା ଏବଂ ସମାଜରେ ସେମାନଙ୍କର ସମ୍ମାନ ବୃଦ୍ଧି ଜରୁରି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ‘ମ୍ୟୁଜିୟମ ମ୍ୟାପ୍ ଅଫ ଇଣ୍ଡିଆ’ର ଏକ ଦୂରଦର୍ଶୀ ଅବଧାରଣା ଉପସ୍ଥାପନ କରିଥିଲେ । ଏହା ଦେଶବ୍ୟାପୀ ଥିବା ସଂଗ୍ରହାଳୟର ଏକୀକୃତ ସାଂସ୍କୃତିକ ଏବଂ ସୂଚନାତ୍ମକ ପରିଦୃଶ୍ୟକୁ ବର୍ଣ୍ଣନା କରୁଛି ।

ପ୍ରଯୁକ୍ତି ବିଦ୍ୟାର ବର୍ଦ୍ଧିତ ବ୍ୟବହାରକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ସଂଗ୍ରହାଳୟର ଏକ ବ୍ୟାପକ ସମନ୍ୱିତ ଡାଟାବେସର ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ । ସଂଗ୍ରହାଳୟର ଗୁଣବତ୍ତା ମାନାଙ୍କ, ଭିଜିଟରଙ୍କ ସଂଖ୍ୟା ଆଧାରରେ ଏହା ହେବା ଆବଶ୍ୟକ । ସଂଗ୍ରହାଳୟ ଯେଉଁମାନେ ପରିଚାଳନା କରୁଛନ୍ତି, ସେମାନେ ଦକ୍ଷତା ଗଠନ ଏବଂ ଜ୍ଞାନ ଆଦାନପ୍ରଦାନକୁ ଦୃଷ୍ଟିରେ ରଖି ନିୟମିତ କର୍ମଶାଳା ଆୟୋଜନ କରିବାକୁ ସେ ମଧ୍ୟ ପ୍ରସ୍ତାବ ଦେଇଥିଲେ ।
ଦେଶର ସଂଗ୍ରହାଳୟ ଗୁଡ଼ିକ ଉପରେ ନୂତନ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଆଣିବାକୁ ପ୍ରତ୍ୟେକ ରାଜ୍ୟରେ ୩୫ ବର୍ଷରୁ କମ୍ ବୟସର ୫ଜଣ ବ୍ୟକ୍ତିଙ୍କୁ ନେଇ ଗୋଟିଏ ଲେଖାଏ କମିଟି ଗଠନ ଭଳି ନୂତନ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ସମସ୍ତ ପ୍ରଧାନମନ୍ତ୍ରୀମାନଙ୍କ ଉପରେ ଏକ ସଂଗ୍ରହାଳୟ ନିର୍ମାଣ ହୋଇଥିବାରୁ ଏହା ସମସ୍ତଙ୍କ ପ୍ରତି ନ୍ୟାୟ ହୋଇପାରିଛି, ଏପରିକି ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପ୍ରତି ମଧ୍ୟ । ୨୦୧୪ ମସିହା ପୂର୍ବରୁ ଏହା ହୋଇପାରିନଥିଲା ।
ଭାରତୀୟ ସଂଗ୍ରହାଳୟରେ ସଂରକ୍ଷିତ ଥିବା ସମୃଦ୍ଧ ଐତିହ୍ୟ ବାବଦରେ ସଚେତନତା ସୃଷ୍ଟି କରିବାକୁ ଦେଶର ଶ୍ରେଷ୍ଠ ଇନଫ୍ଲୁଏନ୍ସର ମାନଙ୍କୁ ନିୟୋଜିତ କରିବା ସହ ସେମାନଙ୍କୁ ଓ ବିଭିନ୍ନ ଦୂତାବାସର ଅଧିକାରୀମାନଙ୍କୁ ସଂଗ୍ରହାଳୟ ବୁଲିବାକୁ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏମର୍ଜେନ୍ସିର ୫୦ ବର୍ଷ ପୂର୍ତ୍ତି ଅବସରରେ ଏମର୍ଜେନ୍ସି ସମୟର ସମସ୍ତ ଆଇନଗତ ଲଢ଼େଇର ଏକ ସଂକଳନ ପ୍ରସ୍ତୁତ କରି ସଂରକ୍ଷଣ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସମସ୍ତ ନଥିପତ୍ରକୁ ବ୍ୟବସ୍ଥିତ ଢଙ୍ଗରେ ସଂରକ୍ଷଣ ଏବଂ ଉପସ୍ଥାପନର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇଥିଲେ । ସେ କହିଥିଲେ, ବର୍ତ୍ତମାନର ବ୍ୟବସ୍ଥା ଓ ରେକର୍ଡକୁ ସୁଦୃଢ଼ କରିବା ଫଳରେ ଆମେ ଏହା ନିଶ୍ଚିତ ହୋଇପାରିବା ଯେ ଭବିଷ୍ୟତ ପିଢ଼ି ଓ ଗବେଷକମାନେ ନିର୍ଦ୍ଦିଷ୍ଟ ଭାବେ ବର୍ତ୍ତମାନର ସମୟକୁ ବୁଝିପାରିବେ ଏବଂ ପଢ଼ିପାରିବେ ।
ପିଏମଏମଏଲ ସୋସାଇଟିର ଅନ୍ୟ ସଦସ୍ୟମାନେ ମଧ୍ୟ ସେମାନଙ୍କ ମତାମତ ଦେଇଥିଲେ ଏବଂ ସଂଗ୍ରହାଳୟ ଓ ଲାଇବ୍ରେରୀର ବିକାଶ ପାଇଁ ନିଜ ଦୃଷ୍ଟିକୋଣ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ମଧ୍ୟ ବିକାଶ, ଏତିହ୍ୟ ଓ ସ୍ଥିରତାର ପ୍ରତୀକ ସ୍ୱରୂପ ତିନମୂର୍ତ୍ତି ହାଉସ ଲନରେ ପ୍ରଧାନମନ୍ତ୍ରୀ ଏକ କପୁର ଚାରା ରୋପଣ କରିଥିଲେ ।


