ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶରେ ୫୫,୬୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି
ଅରୁଣାଚଳ ପ୍ରଦେଶରେ ଦିବାଙ୍ଗ ବହୁମୁଖୀ ଜଳ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ
ତୱାଙ୍ଗକୁ ସମସ୍ତ ପାଣିପାଗ ସଂଯୋଗ ଯୋଗାଇବା ପାଇଁ ସେଲା ଟନେଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
ପାଖାପାଖି ୧୦ ହଜାର କୋଟି ଟଙ୍କାର ଉନ୍ନତି ଯୋଜନାର ଶୁଭାରମ୍ଭ
ଭାରତ ଓ ବାଂଲାଦେଶ ମଧ୍ୟରେ ଯାତ୍ରୀ ଓ ମାଲ ପରିବହନର ସୁବିଧା ପାଇଁ ସବରୁମ୍ ଲ୍ୟାଣ୍ଡ ପୋର୍ଟ ଉଦ୍‌ଘାଟିତ
ଉନ୍ମୋଚିତ ହେଲା କଫି ଟେବୁଲ ବୁକ୍ – ବିଲ୍ଡିଂ ବିକଶିତ ଅରୁଣାଚଳ
"ଉତ୍ତର ପୂର୍ବ ହେଉଛି ଭାରତର 'ଅଷ୍ଟଲକ୍ଷ୍ମୀ'"
ଉତ୍ତର - ପୂର୍ବାଞ୍ଚଳର ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ
"ସୂର୍ଯ୍ୟର ପ୍ରଥମ କିରଣ ଭଳି ଅରୁଣାଚଳ ଓ ଉତ୍ତର - ପୂର୍ବାଂଚଳରେ ବିକାଶ କାର୍ଯ୍ୟ ପହଞ୍ଚୁଛି"
"ଉତ୍ତର - ପୂର୍ବାଞ୍ଚଳରେ ଶିଳ୍ପର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ହୋଇଛି ଉନ୍ନତି ଯୋଜନା"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶର ଇଟାନଗର ଠାରେ ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଶ୍ରୀ ମୋଦୀ ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶରେ ପାଖାପାଖି ୫୫,୬୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଥିଲେ । ସେ ସେଲା ଟନେଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ପ୍ରାୟ ୧୦ ହଜାର କୋଟି ଟଙ୍କାର ଉନ୍ନତି ଯୋଜନାର ଶୁଭାରମ୍ଭ କରିଥିଲେ । ଆଜିର ବିକାଶ ମୂଳକ ପ୍ରକଳ୍ପ ମଧ୍ୟରେ ରେଳ, ସଡ଼କ, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, ଶିକ୍ଷା, ସୀମା ଭିତ୍ତିଭୂମି, ସୂଚନା ପ୍ରଯୁକ୍ତି, ଶକ୍ତି, ତୈଳ ଓ ଗ୍ୟାସ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚାଲିଥିବା ଜାତୀୟ ପର୍ବ ବିକଶିତ ରାଜ୍ୟରୁ ବିକଶିତ ଭାରତ ବିଷୟରେ ଉଲ୍ଲେଖ କରିଥିଲେ । ସେ ବିକଶିତ ଉତ୍ତର ପୂର୍ବ ପାଇଁ ଉତ୍ତର -ପୂର୍ବାଞ୍ଚଳର ଲୋକମାନଙ୍କ ମଧ୍ୟରେ ନୂତନ ଉତ୍ସାହକୁ ସ୍ୱୀକାର କରିଥିଲେ । ଏହି ପଦକ୍ଷେପ ପାଇଁ ନାରୀ ଶକ୍ତିର ସହଯୋଗ ନିମନ୍ତେ ସେ କୃତଜ୍ଞତା ଜ୍ଞାପନ କରିଥିଲେ । 

 

ଉତ୍ତର - ପୂର୍ବାଞ୍ଚଳର ବିକାଶ ପାଇଁ ତାଙ୍କର 'ଅଷ୍ଟଲକ୍ଷ୍ମୀ' ଦୃଷ୍ଟିକୋଣକୁ ଦୋହରାଇ ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳକୁ ଦକ୍ଷିଣ ଓ ଦକ୍ଷିଣ - ପୂର୍ବ ଏସିଆ ସହିତ ପର୍ଯ୍ୟଟନ, ବ୍ୟବସାୟ ଏବଂ ସାଂସ୍କୃତିକ ସମ୍ପର୍କର ଏକ ଦୃଢ଼ ସଂଯୋଗ ବୋଲି କହିଥିଲେ । ଆଜିର ୫୫,୦୦୦ କୋଟି ଟଙ୍କାର ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅରୁଣାଚଳ ପ୍ରଦେଶର ୩୫,୦୦୦ ହଜାର ପରିବାର ସେମାନଙ୍କର ପକ୍କା ଘର ପାଇଛନ୍ତି, ଅରୁଣାଚଳ ଏବଂ ତ୍ରିପୁରା ରାଜ୍ୟର ହଜାର ହଜାର ପରିବାରକୁ ପାଇପ୍ ଜଳ ସଂଯୋଗ ମିଳିଛି ଏବଂ ଏହି ଅଞ୍ଚଳର ଅନେକ ରାଜ୍ୟକୁ ଯୋଗାଯୋଗ ସମ୍ବନ୍ଧୀୟ ପ୍ରକଳ୍ପ ମିଳିଛି । ଶିକ୍ଷା, ସଡ଼କ, ରେଳବାଇ, ଭିତ୍ତିଭୂମି, ଡାକ୍ତରଖାନା ଓ ପର୍ଯ୍ୟଟନ ପ୍ରକଳ୍ପ ଗୁଡ଼ିକ ଏକ ବିକଶିତ ଉତ୍ତର - ପୂର୍ବର ଗ୍ୟାରେଣ୍ଟି ନେଇ ଆସିଛନ୍ତି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୫ ବର୍ଷରେ ପାଣ୍ଠି ଆବଣ୍ଟନ ପୂର୍ବ ସମୟ ତୁଳନାରେ ୪ ଗୁଣ ଅଧିକ ହୋଇଛି । 

ପ୍ରଧାନମନ୍ତ୍ରୀ ଉତ୍ତର - ପୂର୍ବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ସ୍ୱତନ୍ତ୍ର ଅଭିଯାନ ମିଶନ ପାମ୍ ଅଏଲ ଉପରେ ଆଲୋକପାତ କରିଥିଲେ ଏବଂ ଏହି ମିଶନ ଅଧୀନରେ ପ୍ରଥମ ତେଲ କଳ ଆଜି ଉଦଘାଟିତ ହେଉଛି ବୋଲି ସୂଚନା ଦେଇଥିଲେ । "ମିଶନ ପାମ୍ ଅଏଲ ଭାରତକୁ ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବ ଏବଂ କୃଷକଙ୍କ ଆୟ ବୃଦ୍ଧି କରିବ" ବୋଲି ଉଲ୍ଲେଖ କରିବା ସହିତ, ପ୍ରଧାନମନ୍ତ୍ରୀ ପାମ୍ ଚାଷ କରିଥିବାରୁ କୃଷକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

"ଏଠାରେ ହେଉଥିବା ବିକାଶ ମୂଳକ କାର୍ଯ୍ୟ ସହିତ ସମଗ୍ର ଉତ୍ତର - ପୂର୍ବ ମୋଦିଙ୍କ ଗ୍ୟାରେଣ୍ଟିର ଅର୍ଥ ଦେଖିପାରିବ" ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଉଲ୍ଳେଖ କରିଥିଲେ ଯେ ୨୦୧୯ରେ ଯେଉଁ ସେଲା ଟନେଲ ଏବଂ ଡୋନି ପୋଲୋ ବିମାନ ବନ୍ଦରର ଶିଳାନ୍ୟାସ ହୋଇଥିଲା ତାହା ଉଦ୍‌ଘାଟିତ ହୋଇଛି । ଏହି ଅବସରରେ ଉପସ୍ଥିତ ଲୋକଙ୍କ ସମର୍ଥନକୁ ସ୍ୱୀକାର କରି ସେ କହିଛନ୍ତି, "ସମୟ, ମାସ କିମ୍ବା ବର୍ଷ ଯାହା ହେଉ ନା କାହିଁକି ମୋଦୀ କେବଳ ଦେଶ ଏବଂ ଏହାର ଲୋକଙ୍କ କଲ୍ୟାଣ ପାଇଁ କାମ କରନ୍ତି" । 

ଉତ୍ତର - ପୂର୍ବାଞ୍ଚଳର ଶିଳ୍ପ ବିକାଶ ପାଇଁ ନିକଟରେ କ୍ୟାବିନେଟ ଅନୁମୋଦନକୁ ଏକ ନୂତନ ରୂପ ଏବଂ ସମ୍ପ୍ରସାରିତ ପରିସରରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ କାରଣ ଏହି ଉନ୍ନତି ଯୋଜନା ପାଇଁ ଗୋଟିଏ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ମାର୍ଗଦର୍ଶିକା ଜାରି କରାଯାଇଥିଲା । ବିଗତ ୧୦ ବର୍ଷ ମଧ୍ୟରେ ଆଧୁନିକ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବା, ପାଖାପାଖି ଏକ ଡଜନ ଶାନ୍ତି ଚୁକ୍ତିର କାର୍ଯ୍ୟକାରିତା ଏବଂ ସୀମା ବିବାଦର ସମାଧାନ ଉପରେ ସେ ଆଲୋକପାତ କରିଥିଲେ । ପରବର୍ତ୍ତୀ ପଦକ୍ଷେପ ହେଉଛି ଏହି ଅଞ୍ଚଳରେ ଶିଳ୍ପର ସମ୍ପ୍ରସାରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୧୦,୦୦୦ କୋଟି ଟଙ୍କାର ଉନ୍ନତି ଯୋଜନା ନିବେଶ ଏବଂ ନିଯୁକ୍ତିର ନୂତନ ସମ୍ଭାବନା ଆଣିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏହି ଅଞ୍ଚଳର ଯୁବକମାନଙ୍କ ପାଇଁ ଷ୍ଟାର୍ଟଅପ୍‌, ନୂତନ ଜ୍ଞାନକୌଶଳ, ହୋମଷ୍ଟେ ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ସୁଯୋଗ ଉପରେ ତାଙ୍କର ଗୁରୁତ୍ୱାରୋପ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ ।

 

ଉତ୍ତର ପୂର୍ବରେ ମହିଳା ମାନଙ୍କର ଜୀବନକୁ ସହଜ କରିବା ପାଇଁ ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ବିଷୟରେ ଉଲ୍ଲେଖ କରିଥିଲେ । ନାଗରିକ ମାନଙ୍କୁ ନଳ ମାଧ୍ୟମରେ ଜଳ ସଂଯୋଗ ଉପଲବ୍ଧ କରାଇବା ଦିଗରେ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମଗ୍ର ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ଅରୁଣାଚଳ ପ୍ରଦେଶ ଏବଂ ଉତ୍ତର - ପୂର୍ବ ଅନେକ ବିକାଶ ମାନଦଣ୍ଡରେ ଅଗ୍ରଣୀ ଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ କହିଥିଲେ, "ବିକାଶର କାର୍ଯ୍ୟ ସୂର୍ଯ୍ୟର ପ୍ରଥମ କିରଣ ପରି ଅରୁଣାଚଳ ପ୍ରଦେଶ ଏବଂ ଉତ୍ତର - ପୂର୍ବରେ ପହଞ୍ଚିଥାଏ" । ରାଜ୍ୟରେ ୪୫ ହଜାର ପରିବାର ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ଅମୃତ ସରୋବର ଅଭିଯାନ ଅଧୀନରେ ନିର୍ମିତ ଏକାଧିକ ସରୋବର, ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ଗ୍ରାମରେ ଲକ୍ଷପତି ଦିଦି ସୃଷ୍ଟି କରାଯିବା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଆମେ ଦେଶରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ଏବଂ ଉତ୍ତର ପୂର୍ବର ମହିଳାମାନେ ମଧ୍ୟ ଏଥିରୁ ଉପକୃତ ହେବେ ବୋଲି ସେ କହିଛନ୍ତି । 

ସୀମାନ୍ତ ଗ୍ରାମ ଗୁଡିକର ବିକାଶ ପ୍ରତି ପୂର୍ବରୁ ଯେଉଁ ଅବହେଳା କରାଯାଉଥିଲା, ତାହାକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ । ସେଲା ଟନେଲ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିର୍ବାଚନୀ ଚିନ୍ତାଧାରା ପାଇଁ ନୁହେଁ ବରଂ ଦେଶର ଆବଶ୍ୟକତା ଅନୁଯାୟୀ ତାଙ୍କର କାର୍ଯ୍ୟ କରିବାର ଶୈଳୀକୁ ଦୋହରାଇ ଥିଲେ । ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କର୍ମଚାରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ତାଙ୍କ ପରବର୍ତ୍ତୀ କାର୍ଯ୍ୟକାଳରେ ଏହି ଇଞ୍ଜିନିୟରିଂ ଚମତ୍କାରରେ ସେମାନଙ୍କୁ ଭେଟିବାକୁ ଆସିବେ । ଏହି ଟନେଲ୍ ସର୍ବକାଳୀନ ଯୋଗାଯୋଗ ପ୍ରଦାନ କରିବ ଏବଂ ତୱାଙ୍ଗବାସୀଙ୍କ ପାଇଁ ଯାତ୍ରାରେ ସହଜତା ଆଣିବ । ଏହି ଅଞ୍ଚଳରେ ଅନେକ ସୁଡ଼ଙ୍ଗର କାମ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । 

 

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବ ଆଭିମୁଖ୍ୟ ଠାରୁ ବିପରୀତ ପରିପ୍ରେକ୍ଷୀରେ, ସେ ସର୍ବଦା ସୀମାନ୍ତ ଗ୍ରାମଗୁଡ଼ିକୁ 'ପ୍ରଥମ ଗ୍ରାମ' ଭାବରେ ବିବେଚନା କରିଛନ୍ତି ଏବଂ ଭାଇବ୍ରେଣ୍ଟ ଭିଲେଜ୍ (ସ୍ଫୁର୍ତ୍ତିଶୀଳ ଗ୍ରାମ) କାର୍ଯ୍ୟକ୍ରମ ଏହି ଚିନ୍ତାଧାରାର ସ୍ୱୀକୃତି । ଆଜି ପ୍ରାୟ ୧୨୫ଟି ଗାଁ ପାଇଁ ସଡ଼କ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ୧୫୦ଟି ଗାଁରେ ପର୍ଯ୍ୟଟନ ସମ୍ବନ୍ଧୀୟ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । 

ପିଏମ୍ - ଜନମନ ଯୋଜନାରେ ସବୁଠାରୁ ଦୁର୍ବଳ ଓ ପଛୁଆ ଜନଜାତିଙ୍କ ସମସ୍ୟାର ସମାଧାନ କରାଯାଉଛି । ଆଜି ଏଭଳି ଜନଜାତିଙ୍କ ପାଇଁ ମଣିପୁରରେ ଅଙ୍ଗନବାଡ଼ି କେନ୍ଦ୍ରର ଶିଳାନ୍ୟାସ କରାଯାଇଛି । 

ଯୋଗାଯୋଗ ଏବଂ ବିଜୁଳି ସମ୍ବନ୍ଧୀୟ ଉନ୍ନୟନମୂଳକ କାର୍ଯ୍ୟ ସହଜ ଜୀବନଯାପନ ଏବଂ ବ୍ୟବସାୟରେ ସହଜତା ପାଇଁ ସହାୟକ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସ୍ୱାଧୀନତା ପର ଠାରୁ ୨୦୧୪ ପର୍ଯ୍ୟନ୍ତ ଯୋଗାଯୋଗ ବଢ଼ାଇବା ପାଇଁ କରାଯାଇଥିବା କାର୍ଯ୍ୟକୁ ୨୦୧୪ ପରବର୍ତ୍ତୀ ସମୟ ସହିତ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ୬,୦୦୦ କିଲୋମିଟର ରାଜପଥ ନିର୍ମାଣ କରାଯାଇଛି, ଯାହା ୨୦୧୪ ପୂର୍ବର ୭ ଦଶନ୍ଧି ମଧ୍ୟରେ ମାତ୍ର ୧୦,୦୦୦ କିଲୋମିଟର ଥିଲା ଏବଂ ମାତ୍ର ୨୦୦୦ କିଲୋମିଟର ରେଳ ଲାଇନ୍ ବିଛା ଯାଇଥିଲା । 

ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଦିବାଙ୍ଗ ବହୁମୁଖୀ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ତ୍ରିପୁରାରେ ସୌର ଶକ୍ତି ପ୍ରକଳ୍ପରେ ଆଜି ଆରମ୍ଭ ହୋଇଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ଉତ୍ତର - ପୂର୍ବାଞ୍ଚଳକୁ ସର୍ବୋଚ୍ଚ ସେତୁ ଓ ସର୍ବୋଚ୍ଚ ଡ୍ୟାମ୍‌ର ଲୋକାର୍ପଣ ଅବସରରେ ସେ କହିଛନ୍ତି, "ଦିବାଙ୍ଗ ଡ୍ୟାମ୍ ଭାରତର ସର୍ବୋଚ୍ଚ ଡ୍ୟାମ୍ ହେବ । 

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶ, ଆସାମ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଗସ୍ତ ସମେତ ଆଜିର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଭାରତୀୟ ତାଙ୍କର ପରିବାର ଅଟନ୍ତି । ପକ୍କାଘର, ମାଗଣା ରାସନ, ବିଶୁଦ୍ଧ ପାନୀୟ ଜଳ, ବିଜୁଳି, ଶୌଚାଳୟ, ଗ୍ୟାସ ସଂଯୋଗ, ମାଗଣା ଚିକିତ୍ସା ଓ ଇଣ୍ଟରନେଟ୍ ସଂଯୋଗ ଭଳି ମୌଳିକ ଆବଶ୍ୟକତା ପୂରଣ ନହେବା ପର୍ଯ୍ୟନ୍ତ ସେ ବିଶ୍ରାମ ନେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ । ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଆପଣଙ୍କ ସ୍ୱପ୍ନ ହେଉଛି ମୋର ସଂକଳ୍ପ", ଏବଂ ଆଜିର ବିକାଶ ମୂଳକ ପ୍ରକଳ୍ପ ପାଇଁ ସମଗ୍ର ଉତ୍ତର-ପୂର୍ବାଞ୍ଚଳକୁ ସେ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବିକାଶର ପର୍ବ ପାଳନ କରିବା ପାଇଁ ଜନତା ନିଜ ମୋବାଇଲ୍ ଫୋନ୍‌ର ଫ୍ଲାସ୍ ଲାଇଟ୍ ଅନ୍ କରିଥିଲେ । ଏହି ଦୃଶ୍ୟ ଦେଶକୁ ଶକ୍ତି ଯୋଗାଇବ ବୋଲି ସେ ଶେଷରେ କହିଥିଲେ । 

 

ଅନ୍ୟମାନଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ (ଅବସରପ୍ରାପ୍ତ) ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାୟକ ଏବଂ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଇଟାନଗରରେ 'ବିକଶିତ ଭାରତ ବିକଶିତ ଉତ୍ତର - ପୂର୍ବ' କାର୍ଯ୍ୟକ୍ରମରେ ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶରେ ରେଳ, ସଡ଼କ, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, ଶିକ୍ଷା, ସୀମା ଭିତ୍ତିଭୂମି, ସୂଚନା ପ୍ରଯୁକ୍ତି, ଶକ୍ତି, ତୈଳ ଓ ଗ୍ୟାସ ଆଦି କ୍ଷେତ୍ର ସହିତ ସମ୍ବନ୍ଧିତ ଅନେକ ବିକାଶମୂଳକ ପଦକ୍ଷେପ ନିଆଯିବା ସହିତ ଉତ୍ତର - ପୂର୍ବାଞ୍ଚଳର ପ୍ରଗତି ଓ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସୁଦୃଢ଼ ହୋଇଛି ।  

ଏହି କାର୍ଯ୍ୟକ୍ରମରେ , ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବ ପାଇଁ ଏକ ନୂତନ ଶିଳ୍ପ ବିକାଶ ଯୋଜନା, ଉନ୍ନତି (ଉତ୍ତର ପୂର୍ବ ପରିବର୍ତ୍ତନକାରୀ ଶିଳ୍ପାୟନ ଯୋଜନା)ର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଉତ୍ତର - ପୂର୍ବାଞ୍ଚଳର ଶିଳ୍ପ ପାରିବେଶିକ ବ୍ୟବସ୍ଥାକୁ ସୁଦୃଢ଼ କରିବ, ନୂତନ ପୁଞ୍ଜି ନିବେଶ ଆକୃଷ୍ଟ କରିବ, ନୂତନ ଉତ୍ପାଦନ ଏବଂ ସେବା ୟୁନିଟ୍ ସ୍ଥାପନ କରିବାରେ ସହାୟକ ହେବ ଏବଂ ଉତ୍ତର - ପୂର୍ବ ରାଜ୍ୟ ଗୁଡ଼ିକରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ । ୧୦,୦୦୦ କୋଟି ଟଙ୍କାର ଏହି ଯୋଜନା ଭାରତ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ସମସ୍ତ ୮ଟି ଉତ୍ତର - ପୂର୍ବ ରାଜ୍ୟକୁ ଅନ୍ତର୍ଭୁକ୍ତ କରେ । ଏହି ଯୋଜନାରେ ପୁଞ୍ଜି ନିବେଶ, ସୁଧ ରିହାତି ଏବଂ ଅନୁମୋଦିତ ୟୁନିଟ୍ ଗୁଡ଼ିକୁ ଏକ ଉତ୍ପାଦନ ଏବଂ ସେବା ସଂଯୁକ୍ତ ପ୍ରୋତ୍ସାହନ ଯୋଜନାରେ ସହାୟତା ପ୍ରଦାନ କରାଯିବ । ଯୋଗ୍ୟ ୟୁନିଟ୍ ଗୁଡିକର ସହଜ ଏବଂ ସ୍ୱଚ୍ଛ ପଞ୍ଜୀକରଣ ପାଇଁ ଏକ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଉଛି । ଉନ୍ନତି ଯୋଜନା ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ଏବଂ ଉତ୍ତର ପୂର୍ବାଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶରେ ସାହାଯ୍ୟ କରିବ ।

ପାଖାପାଖି ୮୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେଲା ଟନେଲ ପ୍ରକଳ୍ପ ଇଞ୍ଜିନିୟରିଂ କ୍ଷେତ୍ରର ଏକ ଚମତ୍କାର । ଏହା ଅରୁଣାଚଳ ପ୍ରଦେଶର ବାଲିପଡ଼ା - ଚାରିଦୁଆର - ତୱାଙ୍ଗ ରୋଡ୍‌ର ସେଲା ପାସ୍ ଦେଇ ତୱାଙ୍ଗକୁ ସମସ୍ତ ପାଣିପାଗ ସଂଯୋଗ ପ୍ରଦାନ କରିବ । ଏହା ନୂତନ ଅଷ୍ଟ୍ରିଆନ୍ ଟନେଲିଂ ପଦ୍ଧତି ବ୍ୟବହାର କରି ନିର୍ମିତ ହୋଇଛି ଏବଂ ସର୍ବୋଚ୍ଚ ମାନର ସୁରକ୍ଷା ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରିଛି । ଏହି ପ୍ରକଳ୍ପ କେବଳ ଏହି ଅଞ୍ଚଳରେ ଦ୍ରୁତ ଏବଂ ଅଧିକ ଦକ୍ଷ ପରିବହନ ମାର୍ଗ ପ୍ରଦାନ କରିବ ନାହିଁ ବରଂ ଦେଶ ପାଇଁ ରଣନୈତିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ସେଲା ଟନେଲର ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଲୋୟର ଦିବାଙ୍ଗ ଉପତ୍ୟକା ଜିଲ୍ଲାରେ ଦିବାଙ୍ଗ ବହୁମୁଖୀ ଜଳ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ୩୧,୮୭୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଦେଶର ସର୍ବୋଚ୍ଚ ଡ୍ୟାମ୍ ସଂରଚନା ହେବ । ଏହା ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ ହେବ, ଏହା ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ ଏବଂ ଏହି ଅଞ୍ଚଳରେ ରୋଜଗାର ସୁଯୋଗ ଓ ସାମାଜିକ - ଅର୍ଥନୈତିକ ବିକାଶ ହେବ ।

'ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ' / ସ୍ଫୁର୍ତ୍ତିଶୀଳ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ଅନେକ ସଡ଼କ, ପରିବେଶ ଓ ପର୍ଯ୍ୟଟନ ପ୍ରକଳ୍ପ ; ବିଦ୍ୟାଳୟଗୁଡ଼ିକୁ ୫୦ଟି ସୁବର୍ଣ୍ଣ ଜୟନ୍ତୀ ବିଦ୍ୟାଳୟରେ ପରିଣତ କରିବା ଯେଉଁଥିରେ ଅତ୍ୟାଧୁନିକ ଭିତ୍ତିଭୂମି ସୁବିଧା ମାଧ୍ୟମରେ ସାମଗ୍ରିକ ଶିକ୍ଷା ପ୍ରଦାନ କରାଯିବ; ଡୋନି - ପୋଲୋ ବିମାନବନ୍ଦରରୁ ନହରଲାଗୁନ ରେଳ ଷ୍ଟେସନକୁ ସଂଯୋଗ ପାଇଁ ଦୁଇ ଲେନ୍ ରାସ୍ତା ନିର୍ମାଣ କରାଯିବା ଭଳି ପ୍ରକଳ୍ପର ଶିଳାନ୍ୟାସ ହେବ । 

ଅରୁଣାଚଳ ପ୍ରଦେଶର ବିଭିନ୍ନ ସଡ଼କ ପ୍ରକଳ୍ପ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ, ଯାହା ମଧ୍ୟରେ ଜଳ ଜୀବନ ମିଶନର ପ୍ରାୟ ୧୧୦୦ ପ୍ରକଳ୍ପ, ୟୁନିଭର୍ସାଲ ସର୍ଭିସ ଅବ୍ଲିଗେସନ୍ ଫଣ୍ଡ (ୟୁଏସ୍‌ଓଏଫ୍‌) ଅଧୀନରେ ୧୭୦ଟି ଟେଲିକମ୍ ଟାୱାର ନିର୍ମାଣ କରାଯିବା ଦ୍ୱାରା ୩୦୦ରୁ ଅଧିକ ଗ୍ରାମ ଉପକୃତ ହୋଇଛନ୍ତି , ସେହି ପ୍ରକଳ୍ପ ତାହା ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ) ଅଧୀନରେ ହିତାଧିକାରୀମାନଙ୍କୁ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩୫,୦୦୦ରୁ ଅଧିକ ଘର ପ୍ରଧାନମନ୍ତ୍ରୀ ହସ୍ତାନ୍ତର କରିଥିଲେ ।

ପ୍ରଧାନମନ୍ତ୍ରୀ ମଣିପୁରରେ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ହୋଇଛି ସେଥିରେ ନୀଳକୁଠିରେ ୟୁନିଟି ମଲ୍ ନିର୍ମାଣ; ମନ୍ତ୍ରୀପୁଖରୀ ଠାରେ ମଣିପୁର ଆଇଟି ଏସ୍‌ଇଜେଡର ପ୍ରୋସେସିଂ ଜୋନର ଭିତ୍ତିଭୂମିର ବିକାଶ; ସ୍ୱତନ୍ତ୍ର ମାନସିକ ଚିକିତ୍ସା ପାଇଁ ଲ୍ୟାମ୍ପଝେଲପାଟରେ ୬୦ ଶଯ୍ୟା ବିଶିଷ୍ଟ ରାଜ୍ୟ ଚିକିତ୍ସାଳୟ ନିର୍ମାଣ; ଏବଂ , ଇମ୍ଫାଲ ପଶ୍ଚିମ ଜିଲ୍ଲାସ୍ଥିତ ମଣିପୁର ବୈଷୟିକ ବିଶ୍ୱ ବିଦ୍ୟାଳୟ ପାଇଁ ଭିତ୍ତିଭୂମି ବିକାଶ ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଣିପୁରରେ ବିଭିନ୍ନ ସଡ଼କ ପ୍ରକଳ୍ପ ଏବଂ ଅନେକ ଜଳ ଯୋଗାଣ ଯୋଜନାର ଉଦଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନାଗାଲାଣ୍ଡରେ ୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରାଯାଇଛି ସେଥିରେ ଏକାଧିକ ସଡ଼କ ପ୍ରକଳ୍ପ ; ଚୁମୁକେଡିମା ଜିଲ୍ଲାରେ ୟୁନିଟି ମଲ୍ ନିର୍ମାଣ; ଏବଂ ଦିମାପୁରରେ ନାଗରଜନର ୧୩୨ କେଭି ସବ୍‌-ଷ୍ଟେସନ କ୍ଷମତା ପରିବର୍ତ୍ତନର ଉନ୍ନତିକରଣ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଚେଣ୍ଡାଙ୍ଗ ସାଡଲ୍ ରୁ ନୋକଲକ (ଫେଜ୍ -୧) ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଏବଂ କୋହିମା - ଜେସାମି ରୋଡ୍ ସମେତ ଅନ୍ୟାନ୍ୟ ଅନେକ ସଡ଼କ ପ୍ରକଳ୍ପର ଉଦଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମେଘାଳୟରେ ୨୯୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ହେବ ସେଗୁଡ଼ିକ ମଧ୍ୟରେ ତୁରା ଠାରେ ଆଇଟି ପାର୍କ ନିର୍ମାଣ ଏବଂ ନୂତନ ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ଏବଂ ନ୍ୟୁ ଶିଲଂ ଟାଉନସିପ୍‌ରେ ବର୍ତ୍ତମାନର ଦୁଇ ଲେନ୍ କୁ ଚାରି ଲେନ୍‌ରେ ପରିଣତ କରିବା ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଉପର ଶିଲଙ୍ଗ ଠାରେ କୃଷକମାନଙ୍କ ପାଇଁ ହଷ୍ଟେଲ ତଥା ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି ।

ସିକ୍କିମରେ ପ୍ରଧାନମନ୍ତ୍ରୀ ୪୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ସେଗୁଡ଼ିକ ମଧ୍ୟରେ ରଙ୍ଗପୋ ରେଳ ଷ୍ଟେସନର ପୁନଃବିକାଶ ଏବଂ ଅନେକ ସଡ଼କ ପ୍ରକଳ୍ପ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ସିକ୍କିମର ଥାରପୁ ଏବଂ ଦାରାମଦିନକୁ ସଂଯୋଗ କରୁଥିବା ନୂତନ ରାସ୍ତାକୁ ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ତ୍ରିପୁରାରେ ୮,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ସେଥିରେ ଅଗରତାଲା ପଶ୍ଚିମ ବାଇପାସ୍ ନିର୍ମାଣ ଏବଂ ସାରା ରାଜ୍ୟରେ ଏକାଧିକ ସଡ଼କ ପ୍ରକଳ୍ପ; ସେକରକୋଟରେ ଇଣ୍ଡିଆନ ଅଏଲ କର୍ପୋରେସନର ନୂଆ ଡିପୋ ନିର୍ମାଣ; ଏବଂ ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ପାଇଁ ସମନ୍ୱିତ ଥଇଥାନ କେନ୍ଦ୍ର ନିର୍ମାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ରାଜ୍ୟରେ ବିଭିନ୍ନ ସଡ଼କ ପ୍ରକଳ୍ପ ; ୧.୪୬ ଲକ୍ଷ ଗ୍ରାମୀଣ କାର୍ଯ୍ୟକ୍ଷମ ଘରୋଇ ନଳକୂପ ସଂଯୋଗ ପାଇଁ ପ୍ରକଳ୍ପ; ଏବଂ ଦକ୍ଷିଣ ତ୍ରିପୁରା ଜିଲ୍ଲାର ସବରୁମ୍ ଠାରେ ପ୍ରାୟ ୨୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଲ୍ୟାଣ୍ଡ ପୋର୍ଟକୁ ଉଦ୍‌ଘାଟନ କରିଥିଲେ ।

ନୂତନ ଭାବେ ବିକଶିତ ସବରୁମ୍ ଲ୍ୟାଣ୍ଡ ପୋର୍ଟ ଭାରତ ଓ ବାଂଲାଦେଶ ମଧ୍ୟରେ ଅନ୍ତର୍ଜାତୀୟ ସୀମାରେ ଅବସ୍ଥିତ । ଏହି ଲ୍ୟାଣ୍ଡ ପୋର୍ଟରେ ଯାତ୍ରୀ ମାନଙ୍କ ପାଇଁ ଟର୍ମିନାଲ କୋଠା, ମାଲ୍ ପ୍ରଶାସନିକ କୋଠା, ଗୋଦାମ, ଅଗ୍ନିଶମ କେନ୍ଦ୍ର କୋଠା, ଇଲେକ୍ଟ୍ରିକାଲ ସବ୍‌ଷ୍ଟେସନ, ପମ୍ପ ହାଉସ୍ ଆଦି ସୁବିଧା ଉପଲବ୍ଧ ହେବ । ଏହା ଦ୍ୱାରା ଭାରତ ଓ ବାଂଲାଦେଶ ମଧ୍ୟରେ ଯାତ୍ରୀ ଓ ମାଲ ପରିବହନ ସୁବିଧା ହେବ କାରଣ ଏହି ନୂତନ ବନ୍ଦର ମାଧ୍ୟମରେ ୧୭୦୦ କିଲୋମିଟର ଦୂର ପଶ୍ଚିମବଙ୍ଗର କୋଲକାତା / ହଳଦିଆ ବନ୍ଦରକୁ ଯିବା ପରିବର୍ତ୍ତେ ୭୫ କିଲୋମିଟର ଦୂରରେ ଥିବା ବାଂଲାଦେଶର ଚିଟ୍ଟାଗଙ୍ଗ ବନ୍ଦର ପର୍ଯ୍ୟନ୍ତ ସିଧାସଳଖ ଯିବା ସହଜ ହେବ । ମାର୍ଚ୍ଚ ୨୦୨୧ରେ ପ୍ରଧାନମନ୍ତ୍ରୀ ସବରୁମ ଲାଣ୍ଡ ପୋର୍ଟର ଶିଳାନ୍ୟାସ କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FIIs pour over $1 billion into Indian stocks, biggest weekly buying since June 2025

Media Coverage

FIIs pour over $1 billion into Indian stocks, biggest weekly buying since June 2025
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”