ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟ ଉଦଘାଟିତ
“ଜାତୀୟ ଏକତା ହେଉଛି ଭାରତର ନ୍ୟାୟିକ ବ୍ୟବସ୍ଥାର ମୂଳଦୁଆ ଏବଂ ଏହାକୁ ସୁଦୃଢ଼ କରିବା ଦ୍ୱାରା ଦେଶ ଓ ଏହାର ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ”
“ଭାରତୀୟ ନ୍ୟାୟ ସଂହିତାର ଭାବନାକୁ ଯଥାସମ୍ଭବ ପ୍ରଭାବଶାଳୀ କରିବା ଏବେ ଆମର ଦାୟିତ୍ୱ”
"ଆମେ ଶତାଧିକ ଔପନିବେଶିକ ଆଇନକୁ ଉଚ୍ଛେଦ କରିଛୁ ଯାହା ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ ହୋଇ ଯାଇଥିଲା”
"ଭାରତୀୟ ନ୍ୟାୟ ସଂହିତା ଆମ ଗଣତନ୍ତ୍ରକୁ ଉପନିବେଶବାଦୀ ମାନସିକତାରୁ ମୁକ୍ତ କରେ"
“ଆଜି ଭାରତର ସ୍ୱପ୍ନଗୁଡିକ ବଡ଼ ଏବଂ ନାଗରିକ ମାନଙ୍କର ଆକାଂକ୍ଷା ଅଧିକ”
“ନ୍ୟାୟପାଳିକା କ୍ରମାଗତ ଭାବେ ଜାତୀୟ ପ୍ରସଙ୍ଗରେ ସଚେତନ ଓ ସକ୍ରିୟ ରହିବାର ନୈତିକ ଦାୟିତ୍ୱ ନିର୍ବାହ କରିଆସୁଛି”
"ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ବିକଶିତ ଭାରତରେ ସମସ୍ତଙ୍କ ପାଇଁ ସରଳ, ସୁଲଭ ଏବଂ ସହଜ ନ୍ୟାୟ ସୁନିଶ୍ଚିତ ହେଉ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଯୋଧପୁର ଠାରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୁବୁଲି ଉତ୍ସବର ସମାପନୀ ସମାରୋହକୁ ସମ୍ବୋଧିତ କରିଥିଲେ । ସେ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟକୁ ମଧ୍ୟ ଉଦଘାଟନ କରିଥିଲେ ।

ମହାରାଷ୍ଟ୍ରରୁ ବାହାରିବା ସମୟରେ ଖରାପ ପାଗ ଯୋଗୁଁ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେତୁ ହୋଇଥିବା ଅସୁବିଧା ପାଇଁ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବର ଏକ ଅଂଶବିଶେଷ  ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ  ୭୫ ବର୍ଷ ପୂରଣ କରୁଛି।

ତେଣୁ ଏହା ଅନେକ ମହାନ ବ୍ୟକ୍ତିତ୍ୱଙ୍କ ନ୍ୟାୟ, ଅଖଣ୍ଡତା ଏବଂ ସମର୍ପଣକୁ ପାଳନ କରିବାର ଏକ ଅବସର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ନ୍ୟାୟର ଧ୍ୱଜବାହକ   ଏବଂ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉଲ୍ଲେଖ କରିଥିଲେ ଯେ, "ଆଜିର କାର୍ଯ୍ୟକ୍ରମ ସମ୍ବିଧାନ ପ୍ରତି ଦେଶର ବିଶ୍ୱାସର ଏକ ଉଦାହରଣ" ।

 

ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ଅସ୍ତିତ୍ୱ ଭାରତର ଏକତାର ଇତିହାସ ସହିତ ଜଡ଼ିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ୫୦୦ରୁ ଅଧିକ ରାଜ୍ୟକୁ ଏକାଠି କରିବା ଏବଂ ଏହାକୁ ଏକତା ସୂତ୍ରରେ ବୁଣିବା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରୟାସକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଜୟପୁର, ଉଦୟପୁର ଏବଂ କୋଟା ଭଳି ରାଜସ୍ଥାନର ବିଭିନ୍ନ ଦେଶୀୟ ରାଜ୍ୟ ମାନଙ୍କର ନିଜସ୍ୱ ଉଚ୍ଚ ନ୍ୟାୟାଳୟ ଥିଲା , ଯାହା ରାଜସ୍ଥାନ ଉଚ୍ଚ ନ୍ୟାୟାଳୟକୁ ଅସ୍ତିତ୍ୱକୁ ଆଣିବା ପାଇଁ ସମନ୍ୱିତ ହୋଇଥିଲା । ଜାତୀୟ ଏକତା ଭାରତର ନ୍ୟାୟ ବ୍ୟବସ୍ଥାର ମୂଳଦୁଆ ଏବଂ ଏହାକୁ ସୁଦୃଢ଼ କରିବା ଦ୍ୱାରା ଦେଶ ଓ ଏହାର ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ , ନ୍ୟାୟ ସରଳ ଏବଂ ସାବଲୀଳ ଅଟେ, କିନ୍ତୁ ବେଳେବେଳେ ପ୍ରକ୍ରିୟା ଏହାକୁ ଜଟିଳ କରିଦିଏ । ନ୍ୟାୟକୁ ଯଥାସମ୍ଭବ ସରଳ ଓ ସାବଲୀଳ କରିବା ପାଇଁ ସମସ୍ତ ପ୍ରୟାସ କରିବା ଆମର ସାମୂହିକ ଦାୟିତ୍ୱ ବୋଲି ଶ୍ରୀ ମୋଦୀ ମତ ଦେଇଥିଲେ । ଭାରତ ଏ ଦିଗରେ ଏକାଧିକ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ଅନେକ ଅପ୍ରାସଙ୍ଗିକ ଔପନିବେଶିକ ଆଇନକୁ ରଦ୍ଦ କରିଛନ୍ତି ।

ସ୍ୱାଧୀନତାର ଅନେକ ଦଶନ୍ଧି ପରେ ଉପନିବେଶବାଦୀ ମାନସିକତାରୁ ବାହାରି ଭାରତ ଭାରତୀୟ ଦଣ୍ଡବିଧି ବଦଳରେ ଭାରତୀୟ ନ୍ୟାୟ ସଂହିତାକୁ ଗ୍ରହଣ କରିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା 'ଦଣ୍ଡ ବଦଳରେ ନ୍ୟାୟ' ର ଆଦର୍ଶ ଉପରେ ଆଧାରିତ, ଯାହା ହେଉଛି ଭାରତୀୟ ଚିନ୍ତାଧାରାର ଆଧାର । ଭାରତୀୟ ନ୍ୟାୟ ସଂହିତା ମାନବ ଚିନ୍ତାଧାରାକୁ ଆଗକୁ ବଢ଼ାଇବ ଏବଂ ଆମକୁ ଉପନିବେଶବାଦୀ ମାନସିକତାରୁ ମୁକ୍ତ କରିବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଭାରତୀୟ ନ୍ୟାୟ ସଂହିତାର  ଭାବନାକୁ ଯଥାସମ୍ଭବ ପ୍ରଭାବଶାଳୀ କରିବା ଏବେ ଆମର ଦାୟିତ୍ୱ ବୋଲି ସେ କହିଛନ୍ତି ।

 

ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ଦଶମ ସ୍ଥାନରୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପହଂଚିବା ଭଳି ଉନ୍ନତି ଘଟିଛି । ନୂତନ ଭାରତର ଆବଶ୍ୟକତା ଅନୁଯାୟୀ ନୂତନ ଉଦ୍ଭାବନ ଏବଂ ବ୍ୟବସ୍ଥାର ଆଧୁନିକୀକରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ,  "ଆଜି ଭାରତର ସ୍ୱପ୍ନ ବଡ଼ ଏବଂ ନାଗରିକ ମାନଙ୍କର ଆକାଂକ୍ଷା ଉଚ୍ଚ । ସେ ଆହୁରି ମଧ୍ୟ କହିଛନ୍ତି ଯେ 'ସମସ୍ତଙ୍କ ପାଇଁ ନ୍ୟାୟ' ହାସଲ କରିବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଭାରତର ନ୍ୟାୟିକ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ 'ଇ - କୋର୍ଟ' ପ୍ରକଳ୍ପର ଉଦାହରଣ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଦେଶର ୧୮,୦୦୦ରୁ ଅଧିକ ଅଦାଲତକୁ କମ୍ପ୍ୟୁଟରୀକରଣ କରାଯାଇଛି ଏବଂ ଜାତୀୟ ନ୍ୟାୟିକ ଡାଟା ଗ୍ରିଡ୍ ମାଧ୍ୟମରେ ଏକ କେନ୍ଦ୍ରିକ ଅନଲାଇନ୍ ପ୍ଲାଟଫର୍ମରେ ୨୬ କୋଟିରୁ ଅଧିକ ଅଦାଲତ ମାମଲାର ସୂଚନା ଉପଲବ୍ଧ କରାଯାଇଛି । ୩୦୦୦ ରୁ ଅଧିକ କୋର୍ଟ କମ୍ପେ୍ଲକ୍ସ ଏବଂ ୧୨୦୦ରୁ ଅଧିକ ଜେଲକୁ ଭିଡିଓ କନଫରେନ୍ସିଂ ସୁବିଧା ସହିତ ସଂଯୋଗ କରାଯାଇଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ । କାଗଜବିହୀନ ଅଦାଲତ, ଇ - ଫାଇଲିଂ ବ୍ୟବସ୍ଥା, ଇଲେକ୍ଟ୍ରୋନିକ୍ ସମନ ସେବା ଏବଂ ଆଭାଷୀ ବ୍ୟବସ୍ଥା ମାଧ୍ୟମରେ ଶୁଣାଣି ପାଇଁ ସୁବିଧା ପ୍ରଦାନ କରି ଶତାଧିକ ଅଦାଲତକୁ କମ୍ପ୍ୟୁଟରୀକରଣ କରାଯାଇଥିବାରୁ ରାଜସ୍ଥାନ ଏହି ଦିଗରେ ଯେଉଁ କାର୍ଯ୍ୟ କରୁଛି ସେଥିରେ ସେ ଖୁସି ବ୍ୟକ୍ତ କରିଛନ୍ତି । ଅତୀତରେ ଥିବା ଅଦାଲତ ଗୁଡ଼ିକର ମନ୍ଥର ଗତିରେ ଚାଲିଥିବା ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଧାରଣ ନାଗରିକଙ୍କ ଉପରେ ବୋଝ ହ୍ରାସ କରିବା ପାଇଁ ଦେଶ ଦ୍ୱାରା ନିଆଯାଇଥିବା ପ୍ରଭାବଶାଳୀ ପଦକ୍ଷେପ ଭାରତରେ ନ୍ୟାୟ ପାଇଁ ନୂତନ ଆଶା ସୃଷ୍ଟି କରିଛି । ଦେଶର ନ୍ୟାୟିକ ବ୍ୟବସ୍ଥାରେ ନିରନ୍ତର ସଂସ୍କାର ଆଣି ଏହି ନୂତନ ଆଶା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅତୀତରେ ଅନେକ ଥର ସେ ଆମର ଶହ ଶହ ବର୍ଷର ପୁରୁଣା ମଧ୍ୟସ୍ଥତା ବ୍ୟବସ୍ଥା ବିଷୟରେ କ୍ରମାଗତ ଭାବରେ ଉଲ୍ଲେଖ କରିଛନ୍ତି । ଆଜି ଦେଶରେ ଶସ୍ତା ଏବଂ ତ୍ୱରିତ ନିଷ୍ପତ୍ତି ପାଇଁ "ବିକଳ୍ପ ବିବାଦ ସମାଧାନ" ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ପାଲଟିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ବିକଳ୍ପ ବିବାଦ ସମାଧାନର ଏହି ବ୍ୟବସ୍ଥା ଦେଶରେ ସହଜ ଜୀବନଯାପନ ଏବଂ ସହଜ ନ୍ୟାୟକୁ ପ୍ରୋତ୍ସାହିତ କରିବ । ସରକାର ଆଇନରେ ସଂଶୋଧନ କରି ଏବଂ ନୂତନ ବ୍ୟବସ୍ଥା ଯୋଡ଼ିବା ସହିତ ଏହି ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନ୍ୟାୟପାଳିକାର ସମର୍ଥନ ମିଳିଲେ ଏହି ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ମୋଦୀ ମଧ୍ୟ ଆଶା ବ୍ୟକ୍ତ କରିଛନ୍ତି ।

 

ନ୍ୟାୟପାଳିକା କ୍ରମାଗତ ଭାବରେ ଜାତୀୟ ପ୍ରସଙ୍ଗରେ ସତର୍କ ଓ ସକ୍ରିୟ ରହିବାର ନୈତିକ ଦାୟିତ୍ୱ ବହନ କରିଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜାମ୍ମୁ - କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ଭାରତର ଏକୀକରଣର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ସେ ମତ ଦେଇଥିଲେ । ସେ ସିଏଏର ମାନବିକ ଆଇନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଅଦାଲତଙ୍କ ନିଷ୍ପତ୍ତି ବାସ୍ତବିକ ନ୍ୟାୟ ଉପରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛି । ଉଚ୍ଚତମ ନ୍ୟାୟାଳୟ  ଏବଂ ଉଚ୍ଚ ନ୍ୟାୟାଳୟଗୁଡିକ  'ପ୍ରଥମେ ଦେଶ' ର ସଂକଳ୍ପକୁ ସୁଦୃଢ଼ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଅଭିଭାଷଣ ଦେବା ସମୟରେ ଉଲ୍ଲେଖ କରିଥିବା ଧର୍ମନିରପେକ୍ଷ ନାଗରିକ ସଂହିତା ବିଷୟରେ ଉଲ୍ଲେଖ କରିବା ସହିତ ଏହା ମଧ୍ୟ କହିଥିଲେ ଯେ, ଯଦିଓ ବର୍ତ୍ତମାନର ସରକାର ଏବେ ଏହି ପ୍ରସଙ୍ଗ ଉଠାଇଛନ୍ତି, ତଥାପି ଭାରତର ନ୍ୟାୟପାଳିକା ସର୍ବଦା ଏହାର ସପକ୍ଷରେ ସମର୍ଥନ କରିଛି । ସେ କହିଛନ୍ତି ଯେ ଜାତୀୟ ଏକତା ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟାଳୟଙ୍କ ଆଭିମୁଖ୍ୟ ନାଗରିକମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରେ ।

ଏକବିଂଶ ଶତାବ୍ଦୀର ଭାରତରେ 'ଏକୀକରଣ' ଶବ୍ଦ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଆମର ଲକ୍ଷ୍ୟ ହେଉଛି ଦେଶର ସମସ୍ତ ପ୍ରଯୁକ୍ତି ବିଦ୍ୟା ଆଧାରିତ ବ୍ୟବସ୍ଥା, ପରିବହନ, ତଥ୍ୟ, ସ୍ୱାସ୍ଥ୍ୟ, ପୋଲିସ, ଫରେନସିକ୍‌, ସେବା ବ୍ୟବସ୍ଥା,   ଯାହା ଅଲଗା ଅଲଗା ଭାବରେ କାର୍ଯ୍ୟ କରୁଛି ସେମାନଙ୍କୁ ସମନ୍ୱିତ କରାଯିବା ଉଚିତ । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ଅଦାଲତ, ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ରାଜସ୍ଥାନର ସମସ୍ତ ଜିଲ୍ଲା ଅଦାଲତରେ ଆରମ୍ଭ ହୋଇଥିବା ଏକୀକରଣ ପ୍ରକଳ୍ପ ପାଇଁ ସେ ଶୁଭେଚ୍ଛା ଜଣାଇଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଭାରତରେ ଗରିବ ମାନଙ୍କର ସଶକ୍ତୀକରଣ ପାଇଁ ଟେକ୍ନୋଲୋଜିର ବ୍ୟବହାର ଏକ ପରୀକ୍ଷିତ ଫର୍ମୁଲା ପାଲଟିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତ ଅନେକ ବିଶ୍ୱସ୍ତରୀୟ ଏଜେନ୍ସି ଏବଂ ସଂଗଠନ ଠାରୁ ପ୍ରଶଂସା ପାଇଛି । ଡିବିଟି ଠାରୁ ଆରମ୍ଭ କରି ୟୁପିଆଇ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଭାରତ କିପରି କାର୍ଯ୍ୟ କରୁଛି ଏବଂ ଏହା କିଭଳି ଏକ ବିଶ୍ୱସ୍ତରୀୟ ମଡେଲ ଭାବେ ଉଭା ହୋଇଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସେହି ଅନୁଭୂତିକୁ ନ୍ୟାୟ ବ୍ୟବସ୍ଥାରେ ମଧ୍ୟ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ କହିଛନ୍ତି । ଏହି ଦିଗରେ ନିଜ ଭାଷାରେ ବୈଷୟିକ ଜ୍ଞାନକୌଶଳ ଏବଂ ଆଇନଗତ ଦସ୍ତାବିଜ ଉପଲବ୍ଧ ହେବା ଗରିବମାନଙ୍କୁ ସଶକ୍ତ କରିବାର ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ହେବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଦିଶା ନାମକ ଏକ ଅଭିନବ ସମାଧାନକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଏହି ଅଭିଯାନରେ ସହାୟତା ପ୍ରଦାନ କରିବାକୁ ଆଇନ ଛାତ୍ର ଏବଂ ଅନ୍ୟ ଆଇନ ବିଶେଷଜ୍ଞମାନଙ୍କୁ ସେ ଆମନ୍ତ୍ରଣ କରିଛନ୍ତି । ଆଇନଗତ ଦସ୍ତାବିଜ ଏବଂ ରାୟକୁ ସ୍ଥାନୀୟ ଭାଷାରେ ଲୋକଙ୍କ ପାଇଁ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ସଫ୍ଟୱେୟାର ସାହାଯ୍ୟରେ ଏହା ଆରମ୍ଭ କରିସାରିଛନ୍ତି ଯେଉଁଠାରେ ନ୍ୟାୟିକ ଦସ୍ତାବିଜକୁ ୧୮ଟି ଭାଷାରେ ଅନୁବାଦ କରାଯାଇପାରିବ । ନ୍ୟାୟପାଳିକାର ସମସ୍ତ ନିଆରା ପ୍ରୟାସକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ ।

ସହଜ ନ୍ୟାୟକୁ ଅଦାଲତ ସର୍ବୋଚ୍ଚ ପ୍ରାଥମିକତା ଦେବା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ ଶେଷରେ କହିଥିଲେ , "ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ବିକଶିତ ଭାରତରେ ସମସ୍ତଙ୍କ ପାଇଁ ସରଳ, ସୁଲଭ ଏବଂ ସହଜ ନ୍ୟାୟ ସୁନିଶ୍ଚିତ ହେବା" ।

ଏହି ଅବସରରେ ରାଜସ୍ଥାନ ରାଜ୍ୟପାଳ ଶ୍ରୀ ହରିଭାଉ ବାଗଡେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଅର୍ଜୁନ ରାମ ମେଘୱାଲ, ଉଚ୍ଚତମ ନ୍ୟାୟାଳୟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ମନୀନ୍ଦ୍ର ମୋହନ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"