ଆଜି ସମଗ୍ର ଦେଶ ଏବଂ ସମଗ୍ର ବିଶ୍ୱ ପ୍ରଭୁ ଶ୍ରୀ ରାମମୟ ହୋଇ ଉଠିଛି : ପ୍ରଧାନମନ୍ତ୍ରୀ
ଧର୍ମଧ୍ୱଜ କେବଳ ଏକ ପତାକା ନୁହେଁ, ବରଂ ଏହା ଭାରତୀୟ ସଭ୍ୟତାର ନବଜାଗରଣର ଧ୍ୱଜା: ପ୍ରଧାନମନ୍ତ୍ରୀ
ଅଯୋଧ୍ୟା ହେଉଛି ସେହି ଭୂମି ଯେଉଁଠାରେ ଆଦର୍ଶ ଆଚରଣରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ
ରାମ ମନ୍ଦିରର ଦିବ୍ୟ ପ୍ରାଙ୍ଗଣ ମଧ୍ୟ ଭାରତର ସାମୂହିକ ଶକ୍ତିର ଏକ ଚେତନାସ୍ଥଳ ହୋଇଉଠିଛି: ପ୍ରଧାନମନ୍ତ୍ରୀ
ଆମର ରାମ ପାର୍ଥକ୍ୟ ମାଧ୍ୟମରେ ନୁହେଁ, ବରଂ ଭାବନା ମାଧ୍ୟମରେ ମିଳିଥା’ନ୍ତି: ପ୍ରଧାନମନ୍ତ୍ରୀ
ଆମେ ଏକ ଜୀବନ୍ତ ସମାଜ ଏବଂ ଆଗାମୀ ଦଶନ୍ଧି ଓ ଶତାବ୍ଦୀକୁ ଧ୍ୟାନରେ ରଖି ଦୂରଦୃଷ୍ଟି ସହିତ କାମ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ
ରାମ ଅର୍ଥ ଆଦର୍ଶ, ରାମ ଅର୍ଥ ଅନୁଶାସନ ଏବଂ ରାମ ଅର୍ଥ ଜୀବନର ସର୍ବୋଚ୍ଚ ଚରିତ୍ର: ପ୍ରଧାନମନ୍ତ୍ରୀ
ରାମ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ବରଂ ରାମ ଏକ ମୂଲ୍ୟବୋଧ, ଏକ ଶୃଙ୍ଖଳା ଏବଂ ଏକ ମାର୍ଗ: ପ୍ରଧାନମନ୍ତ୍ରୀ
ଭାରତକୁ 2047 ସୁଦ୍ଧା ବିକଶିତ ହେବାକୁ ହେଲେ ଏବଂ ସମାଜକୁ ସଶକ୍ତ କରିବାକୁ ହେଲେ ଆମକୁ ନିଜ ଭିତରେ ଥିବା ‘ରାମ’ଙ୍କୁ ଜାଗ୍ରତ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ
ଦେଶ ଆଗକୁ ବଢ଼ିବା ପାଇଁ, ଏହାକୁ ଏହାର ଐତିହ୍ୟ ଉପରେ ଗର୍ବ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ
ଆଗାମୀ ଦଶ ବର୍ଷ ମଧ୍ୟରେ, ଭାରତକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ଲାଗି ଲକ୍ଷ୍ୟ ରହିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ
ଭାରତ ଗଣତନ୍ତ୍ରର ଜନନୀ ଏବଂ ସେହି ଗଣତନ୍ତ୍ର ଆମ ଡିଏନଏରେ ଅଛି: ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ଅଭିମୁଖେ ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ ଆମକୁ ଏକ ରଥ ଆବଶ୍ୟକ ଯାହାର ଚକ ହେଉଛି ବୀରତ୍ୱ ଓ ଧୈର୍ଯ୍ୟ, ଯାହାର ପତାକା ହେଉଛି ସତ୍ୟ ଓ ସର୍ବୋଚ୍ଚ ଆଚରଣ, ଯାହାର ଅଶ୍ୱ ହେଉଛି ଶକ୍ତି, ବିଚକ୍ଷଣତା, ସଂଯମ ଓ ଦାନଶୀଳତା ଏବଂ ଯାହାର ଲଗାମ ହେଉଛି କ୍ଷମା, କରୁଣା ଓ ସମତା : ପ୍ରଧାନମନ୍ତ୍ରୀ

ଦେଶର ସାମାଜିକ-ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ଆନୁଷ୍ଠାନିକ ଭାବରେ ଏକ ଗୈରିକ ପତାକା ଉତ୍ତୋଳନ କରିଛନ୍ତି। ଧ୍ୱଜାରୋହଣ ଉତ୍ସବ ମନ୍ଦିର ନିର୍ମାଣର ଆନୁଷ୍ଠାନିକ ସମାପ୍ତି ଏବଂ ସାଂସ୍କୃତିକ ଉତ୍ସବ ଓ ଜାତୀୟ ଏକତାର ଏକ ନୂତନ ଅଧ୍ୟାୟର ପ୍ରତୀକ। ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଅଯୋଧ୍ୟା ସହର ଭାରତର ସାଂସ୍କୃତିକ ଚେତନାର ଆଉ ଏକ ଶିଖରର ସାକ୍ଷୀ ହେଉଛି। ଆଜି ସମଗ୍ର ଭାରତ ଏବଂ ସମଗ୍ର ବିଶ୍ୱ ପ୍ରଭୁ ଶ୍ରୀ ରାମଙ୍କ ଭାବନାରେ ସମ୍ପୂର୍ଣ୍ଣ ରାମମୟ ହୋଇ ଉଠିଛି । ଶ୍ରୀ ମୋଦୀ କହିଛନ୍ତି, ପ୍ରତ୍ୟେକ ରାମ ଭକ୍ତଙ୍କ ହୃଦୟରେ ଆଜି ଅନନ୍ୟ ସନ୍ତୋଷ, ଅସୀମ କୃତଜ୍ଞତା ଏବଂ ଅପାର ଦିବ୍ୟ ଆନନ୍ଦ ରହିଛି। ସେ କହିଛନ୍ତି, ଶହ ଶହ ବର୍ଷ ପୁରୁଣା କ୍ଷତ ସୁସ୍ଥ ହେଉଛି। ଅନେକ ଶତାବ୍ଦୀର ଯନ୍ତ୍ରଣା ଶେଷ ହେଉଛି ଏବଂ ଶହ ଶହ ବର୍ଷର ସଂକଳ୍ପ ଆଜି ସିଦ୍ଧି ଲାଭ କରୁଛି। ସେ କହିଛନ୍ତି, ଏହା ଏକ ଯଜ୍ଞର ପରିଣାମ ଯାହାର ଅଗ୍ନି ପାଞ୍ଚ ଶହ ବର୍ଷ ଧରି ପ୍ରଜ୍ଜ୍ୱଳିତ ରହିଥିଲା। ଏହି ଯଜ୍ଞର ବିଶ୍ୱାସ କେବେ ଟଳମଳ ହୋଇନଥିଲା। ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ବିଶ୍ୱାସ ଭାଙ୍ଗି ନଥିଲା। ଆଜି ପ୍ରଭୁ ଶ୍ରୀରାମଙ୍କ ପବିତ୍ର ସ୍ଥାନର ଅସୀମ ଶକ୍ତି ଏବଂ ଶ୍ରୀରାମଙ୍କ ପରିବାରର ଦିବ୍ୟ ମହିମା ଏହି ଧର୍ମଧ୍ୱଜ ରୂପରେ ସବୁଠାରୁ ଦିବ୍ୟ ଓ ମହାନ ମନ୍ଦିରରେ ପ୍ରତିଷ୍ଠିତ ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଧର୍ମଧ୍ୱଜ କେବଳ ଏକ ପତାକା ନୁହେଁ, ବରଂ ଭାରତୀୟ ସଭ୍ୟତାର ପୁନର୍ଜାଗରଣର ପତାକା। ଏହାର ଗୈରିକ ରଙ୍ଗ, ଏଥିରେ ଖୋଦିତ ସୂର୍ଯ୍ୟବଂଶର ମହିମା, ଚିତ୍ରିତ ପବିତ୍ର ଓଁ ଏବଂ ଖୋଦିତ କୋବିଦାର ବୃକ୍ଷ ରାମ ରାଜ୍ୟ ମହାନତାର ପ୍ରତୀକ। ସେ ଦୃଢ଼ ଭାବରେ କହିଥିଲେ ଯେ ଏହି ପତାକା ହେଉଛି ସଂକଳ୍ପ, ଏହି ପତାକା ହେଉଛି ସଫଳତା, ଏହି ପତାକା ହେଉଛି ସଂଘର୍ଷ ମାଧ୍ୟମରେ ସୃଷ୍ଟିର ଗାଥା, ଏହି ପତାକା ହେଉଛି ଶତାବ୍ଦୀ ଧରି ଆଗକୁ ବଢ଼ାଯାଇଥିବା ସ୍ୱପ୍ନର ଅବତାରଣା ଏବଂ ଏହି ପତାକା ହେଉଛି ସନ୍ଥମାନଙ୍କ ତପସ୍ୟା ଏବଂ ସମାଜର ଅଂଶଗ୍ରହଣର ଅର୍ଥପୂର୍ଣ୍ଣ ପରିଣାମ।

 

ଆଗାମୀ ଶତାବ୍ଦୀ ଏବଂ ସହସ୍ରାବ୍ଦ ପାଇଁ ଏହି ଧର୍ମଧ୍ୱଜ ଭଗବାନ ରାମଙ୍କ ଆଦର୍ଶ ଓ ନୀତିର ଘୋଷଣା କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ କହିଛନ୍ତି, ଏଠାରେ କେବଳ ସତ୍ୟର ହିଁ ବିଜୟ ହେବ ମିଥ୍ୟାର ନୁହେଁ। ସତ୍ୟ ସ୍ୱୟଂ ବ୍ରହ୍ମର ସ୍ୱରୂପ ଏବଂ ସତ୍ୟରେ ହିଁ ଧର୍ମ ପ୍ରତିଷ୍ଠିତ ବୋଲି ଏହା ଘୋଷଣା କରିବ। ଏହି ଧର୍ମଧ୍ୱଜ ବଚନ ପୂରଣ କରିବାର ଆବଶ୍ୟକତା ବୋଲି ସଂକଳ୍ପକୁ ପ୍ରେରଣା ଦେବ। ଧର୍ମ ଧ୍ବଜ ଏହି ବାର୍ତ୍ତା ପ୍ରଦାନ କରିବ ଯେ ବିଶ୍ୱରେ କର୍ମ ଏବଂ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍‌। ଏହା ଏପରି ଏକ ଇଚ୍ଛାକୁ ପ୍ରକାଶ କରିବ ଯାହାର ଅର୍ଥ ହେଉଛି ଭେଦଭାବ ଏବଂ ଦୁଃଖରୁ ମୁକ୍ତି ତଥା ସମାଜରେ ଶାନ୍ତି ଏବଂ ସୁଖର ଉପସ୍ଥିତି। ସେ ଗୁରୁତ୍ୱାରୋପ କରି କହିଥିଲେ, ଆମକୁ ଏପରି ଏକ ସମାଜ ଗଠନ କରିବାକୁ ପଡିବ ଯେଉଁଠାରେ ଦାରିଦ୍ର୍ୟ ରହିବ ନାହିଁ, ଏବଂ କେହି ଦୁଃଖୀ କିମ୍ବା ଅସହାୟ ହେବେ ନାହିଁ । ଏହି ଧର୍ମଧ୍ୱଜ ଆମକୁ ସେଥିପ୍ରତି ସଂକଳ୍ପବଦ୍ଧ କରିବ।

ଶାସ୍ତ୍ରର ଉକ୍ତିକୁ ମନେ ପକାଇ ଶ୍ରୀ ମୋଦୀ କହିଛନ୍ତି, ଯେଉଁମାନେ କୌଣସି କାରଣରୁ ମନ୍ଦିରକୁ ଆସିପାରନ୍ତି ନାହିଁ କିନ୍ତୁ ଏହାର ପତାକା ଆଗରେ ମୁଣ୍ଡ ନୁଆଁଇପାରନ୍ତି ସେମାନେ ମଧ୍ୟ ସମାନ ପୁଣ୍ୟ ପ୍ରାପ୍ତ କରନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଧର୍ମଧ୍ୱଜ ମନ୍ଦିରର ଉଦ୍ଦେଶ୍ୟର ପ୍ରତୀକ ଏବଂ ଦୂରରୁ ଏହା ରାମ ଲଲ୍ଲାଙ୍କ ଜନ୍ମସ୍ଥାନର ଦର୍ଶନ ପ୍ରଦାନ କରିବ। ଏହା ଆଗାମୀ ଯୁଗ ଯୁଗ ପାଇଁ ମାନବଜାତି ଲାଗି ପ୍ରଭୁ ଶ୍ରୀ ରାମଙ୍କ ଆଜ୍ଞା ଏବଂ ପ୍ରେରଣା ବହନ କରିବ। ଏହି ଅବିସ୍ମରଣୀୟ ଏବଂ ଅନନ୍ୟ ଅବସରରେ ସେ ବିଶ୍ୱର କୋଟି କୋଟି ରାମ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ସମସ୍ତ ଭକ୍ତଙ୍କୁ ପ୍ରଣାମ କରିଥିଲେ ଏବଂ ରାମ ମନ୍ଦିର ନିର୍ମାଣରେ ଯୋଗଦାନ ଦେଇଥିବା ପ୍ରତ୍ୟେକ ଦାତାଙ୍କୁ କୃତଜ୍ଞତା ଜଣାଇଥିଲେ। ସେ ମନ୍ଦିର ନିର୍ମାଣ ସହିତ ଜଡିତ ପ୍ରତ୍ୟେକ ଶ୍ରମିକ, ପ୍ରତ୍ୟେକ କାରିଗର, ପ୍ରତ୍ୟେକ ଯୋଜନାକାରୀ ଏବଂ ପ୍ରତ୍ୟେକ ସ୍ଥପତିଙ୍କୁ ପ୍ରଣାମ କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଅଯୋଧ୍ୟା ହେଉଛି ସେହି ଭୂମି ଯେଉଁଠାରେ ଆଦର୍ଶ ଆଚରଣରେ ପରିଣତ ହୁଏ। ଏହା ସେହି ସହର ଯେଉଁଠାରୁ ଶ୍ରୀ ରାମ ତାଙ୍କ ଜୀବନ ଯାତ୍ରା ଆରମ୍ଭ କରିଥିଲେ। ଅଯୋଧ୍ୟା ବିଶ୍ୱକୁ ଦେଖାଇଥିଲା ଯେ ସମାଜର ଶକ୍ତି ଏବଂ ମୂଲ୍ୟବୋଧ ମାଧ୍ୟମରେ ଜଣେ ବ୍ୟକ୍ତି କିପରି ପୁରୁଷୋତ୍ତମ ହୋଇଯାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ଶ୍ରୀରାମ ଅଯୋଧ୍ୟାରୁ ବନବାସ ପାଇଁ ବାହାରିଥିଲେ, ସେ ଯୁବରାଜ ରାମ ଥିଲେ, କିନ୍ତୁ ଯେତେବେଳେ ସେ ଫେରି ଆସିଲେ, ସେ ‘ମର୍ଯ୍ୟାଦା ପୁରୁଷୋତ୍ତମ’ ଭାବରେ ଫେରି ଆସିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ, ଶ୍ରୀରାମଙ୍କ ମର୍ଯ୍ୟାଦା ପୁରୁଷୋତ୍ତମ ହେବାରେ, ମହର୍ଷି ବଶିଷ୍ଠଙ୍କ ଜ୍ଞାନ, ମହର୍ଷି ବିଶ୍ୱାମିତ୍ରଙ୍କ ଦୀକ୍ଷା, ମହର୍ଷି ଅଗସ୍ତ୍ୟଙ୍କ ମାର୍ଗଦର୍ଶନ, ନିଷାଦରାଜଙ୍କ ବନ୍ଧୁତା, ମାତା ଶବରୀଙ୍କ ସ୍ନେହ ଏବଂ ଭକ୍ତ ହନୁମାନଙ୍କ ଭକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଏକ ବିକଶିତ ଭାରତ ନିର୍ମାଣ ପାଇଁ ସମାଜର ସାମୂହିକ ଶକ୍ତି ଅପରିହାର୍ଯ୍ୟ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଖୁସି ପ୍ରକାଶ କରି କହିଥିଲେ, ରାମ ମନ୍ଦିରର ଦିବ୍ୟ ପ୍ରାଙ୍ଗଣ ଭାରତର ସାମୂହିକ ଶକ୍ତିର ଏକ ଚେତନା ସ୍ଥଳ ହେବାକୁ ଯାଉଛି। ଏଠାରେ ସାତଟି ମନ୍ଦିର ନିର୍ମାଣ କରାଯାଇଛି, ଯେଉଁଥିରେ ମାତା ଶବରୀଙ୍କ ମନ୍ଦିର ମଧ୍ୟ ରହିଛି, ଯାହା ଆଦିବାସୀ ସମ୍ପ୍ରଦାୟର ପ୍ରେମ ଏବଂ ଆତିଥ୍ୟ ପରମ୍ପରାକୁ ପ୍ରତିପାଦିତ କରେ। ନିଷାଦରାଜଙ୍କ ମନ୍ଦିର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା ବନ୍ଧୁତାର ସାକ୍ଷୀ ଭାବରେ ଠିଆ ହୋଇଛି ଯାହା ସାଧନ ନୁହେଁ ବରଂ ଉଦ୍ଦେଶ୍ୟ ଓ ଏହାର ଭାବନାକୁ ପୂଜା କରେ। ପ୍ରଧାନମନ୍ତ୍ରୀ କହିଥିଲେ, ଗୋଟିଏ ସ୍ଥାନରେ ମାତା ଅହଲ୍ୟା, ମହର୍ଷି ବାଲ୍ମିକି, ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ ଏବଂ ସନ୍ଥ ତୁଳସୀଦାସ ଅଛନ୍ତି। ଏମାନେ ରାମ ଲଲ୍ଲାଙ୍କ ସହିତ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସେ ଜଟାୟୁ ଜୀ ଏବଂ ଗୁଣ୍ଡୁଚି ମୂଷାର ପ୍ରତିମୂର୍ତ୍ତି ବିଷୟରେ ଉଲ୍ଲେଖ କରିଥିଲେ। ଏହା ମହାନ ସଂକଳ୍ପ ହାସଲ କରିବାରେ ଛୋଟ ଛୋଟ ପ୍ରୟାସର ମଧ୍ୟ ଗୁରୁତ୍ୱକୁ ପ୍ରଦର୍ଶନ କରେ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ନାଗରିକଙ୍କୁ ଆହ୍ୱାନ କରି କହିଥିଲେ, ଯେତେବେଳେ ସେମାନେ ରାମ ମନ୍ଦିର ପରିଦର୍ଶନ କରନ୍ତି, ସେମାନେ ସାତଟି ମନ୍ଦିର ମଧ୍ୟ ପରିଦର୍ଶନ କରିବା ଉଚିତ। ଏହି ମନ୍ଦିରଗୁଡ଼ିକ ଆମର ବିଶ୍ୱାସକୁ ମଜବୁତ କରିବା ସହିତ, ବନ୍ଧୁତା, କର୍ତ୍ତବ୍ୟ ଏବଂ ସାମାଜିକ ସଦ୍ଭାବର ମୂଲ୍ୟବୋଧକୁ ମଧ୍ୟ ସଶକ୍ତ କରନ୍ତି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ରାମ ପାର୍ଥକ୍ୟ ମାଧ୍ୟମରେ ନୁହେଁ ବରଂ ଭାବନା ମାଧ୍ୟମରେ ଯୋଡ଼ି ହୋଇଥା’ନ୍ତି । ସେ କହିଛନ୍ତି, ଶ୍ରୀ ରାମଙ୍କ ପାଇଁ, ଜଣେ ବ୍ୟକ୍ତିର ଭକ୍ତି ବଂଶ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ, ପୂର୍ବଜଙ୍କ ଅପେକ୍ଷା ମୂଲ୍ୟବୋଧ ଅଧିକ ପ୍ରିୟ ଏବଂ କେବଳ ଶକ୍ତି ଅପେକ୍ଷା ସହଯୋଗ ବଡ଼। ସେ କହିଥିଲେ, ଆଜି ଆମେ ମଧ୍ୟ ସମାନ ଭାବନା ସହିତ ଆଗକୁ ବଢ଼ୁଛୁ। ଗତ 11 ବର୍ଷ ମଧ୍ୟରେ ମହିଳା, ଦଳିତ, ପଛୁଆ ବର୍ଗ, ଆଦିବାସୀ, ବଞ୍ଚିତ, କୃଷକ, ଶ୍ରମିକ ଏବଂ ଯୁବସମାଜର ପ୍ରତ୍ୟେକ ବର୍ଗକୁ ବିକାଶର କେନ୍ଦ୍ରରେ ରଖାଯାଇଛି। ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ବର୍ଗ ଏବଂ ଦେଶର ପ୍ରତ୍ୟେକ କ୍ଷେତ୍ର ସଶକ୍ତ ହେବ, ସେତେବେଳେ ସମସ୍ତଙ୍କ ପ୍ରୟାସ ସଂକଳ୍ପ ପୂରଣରେ ଯୋଗଦାନ କରିବ ଏବଂ ଏହି ସାମୂହିକ ପ୍ରୟାସ ଦ୍ୱାରା 2047 ସୁଦ୍ଧା ଏକ ବିକଶିତ ଭାରତ ନିର୍ମାଣ ହେବ ବୋଲି ସେ କହିଥିଲେ।

ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାର ଐତିହାସିକ ଅବସର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଜାତିର ସଂକଳ୍ପକୁ ଭଗବାନ ରାମଙ୍କ ସହିତ ଯୋଡ଼ିବା ବିଷୟରେ କହିଥିଲେ ଏବଂ ମନେ ପକାଇ ଦେଇଥିଲେ ଯେ ଆଗାମୀ ହଜାର ବର୍ଷ ପାଇଁ ଭାରତର ମୂଳଦୁଆକୁ ମଜବୁତ କରିବାକୁ ପଡିବ। ସେ କହିଥିଲେ, ଯେଉଁମାନେ କେବଳ ବର୍ତ୍ତମାନ ବିଷୟରେ ଚିନ୍ତା କରନ୍ତି ସେମାନେ ଭବିଷ୍ୟତ ପିଢ଼ି ପ୍ରତି ଅନ୍ୟାୟ କରନ୍ତି। ଆମକୁ କେବଳ ଆଜି ନୁହେଁ ବରଂ ଆଗାମୀ ପିଢ଼ି ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡିବ। କାରଣ, ଏହି ଜାତି ଆମ ପୂର୍ବରୁ ଥିଲା ଏବଂ ଆମ ପରେ ମଧ୍ୟ ରହିବ। ଏକ ଜୀବନ୍ତ ସମାଜ ଭାବରେ ଆମକୁ ଆଗାମୀ ଦଶନ୍ଧି ଏବଂ ଶତାବ୍ଦୀକୁ ମନେ ରଖି ଦୂରଦୃଷ୍ଟି ସହିତ କାମ କରିବାକୁ ପଡିବ। ଏଥିପାଇଁ ଆମକୁ ଭଗବାନ ରାମଙ୍କଠାରୁ ଶିଖିବାକୁ ପଡିବ । ପ୍ରଧାନମନ୍ତ୍ରୀ କହିଥିଲେ, ସମସ୍ତେ ଶ୍ରୀରାମଙ୍କ ବ୍ୟକ୍ତିତ୍ୱକୁ ବୁଝନ୍ତୁ, ତାଙ୍କ ଆଚରଣକୁ ଗ୍ରହଣ କରନ୍ତୁ, ଏବଂ ମନେ ରଖନ୍ତୁ ଯେ ରାମ ଆଦର୍ଶ, ଅନୁଶାସନ ଏବଂ ଜୀବନର ସର୍ବୋଚ୍ଚ ଚରିତ୍ରକୁ ସୂଚିତ କରନ୍ତି। ରାମ ହେଉଛନ୍ତି ସତ୍ୟ ଏବଂ ବୀରତ୍ୱର ସଙ୍ଗମ, ଧର୍ମ ପଥରେ ଚାଲିବାର ପ୍ରତିମୂର୍ତ୍ତି, ଯିଏ ଲୋକଙ୍କ ଖୁସିକୁ ସର୍ବୋପରି ସ୍ଥାନ ଦିଅନ୍ତି । ସେ ଧୈର୍ଯ୍ୟ ଓ କ୍ଷମାର ସାଗର । ସେ ଜ୍ଞାନର ଶିଖର, ତାଙ୍କ ଭିତରେ ଦୃଢ଼ ସୌଜନ୍ୟତା ରହିଛି । ସେ କୃତଜ୍ଞତାର ସର୍ବୋଚ୍ଚ ଉଦାହରଣ। ସେ ମହାନ ସାଥୀର ଚୟନକାରୀ। ତାଙ୍କ ଭଳି ମହାନ ଶକ୍ତି ମଧ୍ୟରେ ନମ୍ରତା, ସତ୍ୟର ଅଟଳ ସଂକଳ୍ପ ଏବଂ ସତର୍କ, ଶୃଙ୍ଖଳିତ ଏବଂ ସଚ୍ଚୋଟ ମନ ରହିଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ରାମଙ୍କ ଏହି ଗୁଣଗୁଡ଼ିକ ଆମକୁ ଏକ ଦୃଢ଼, ଦୂରଦୃଷ୍ଟିସମ୍ପନ୍ନ ଏବଂ ଦୀର୍ଘସ୍ଥାୟୀ ଭାରତ ଗଠନ କରିବାରେ ମାର୍ଗଦର୍ଶନ କରିବା ଉଚିତ।

 

ଶ୍ରୀ ମୋଦୀ କହିଥିଲେ, ଶ୍ରୀରାମ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ମୂଲ୍ୟବୋଧ। ସେ ଏକ ଶୃଙ୍ଖଳା ଏବଂ ଏକ ଦିଗଦର୍ଶନ। ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ ଘୋଷଣା କରି କହିଥିଲେ ଯେ ଯଦି ଭାରତକୁ 2047 ସୁଦ୍ଧା ବିକଶିତ ହେବାକୁ ଅଛି ଏବଂ ସମାଜକୁ ସଶକ୍ତ କରିବାକୁ ଅଛି, ତେବେ ଆମକୁ ପ୍ରତ୍ୟେକଙ୍କ ଭିତରେ ରାମଙ୍କୁ ଜାଗ୍ରତ ହେବାକୁ ପଡିବ, ଆମକୁ ନିଜ ହୃଦୟରୁ ପବିତ୍ର ହେବାକୁ ପଡିବ। ଏପରି ସଂକଳ୍ପ ନେବା ପାଇଁ ଆଜିଠାରୁ ଭଲ ଦିନ ଆଉ କିଛି ହୋଇପାରେ ନାହିଁ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । 25 ନଭେମ୍ବର ଆମ ଐତିହ୍ୟକୁ ନେଇ ଗର୍ବ କରିବାର ଆଉ ଏକ ଅସାଧାରଣ ମୁହୂର୍ତ୍ତ ଆଣିଛି, ଯାହା ଧର୍ମ ଧ୍ୱଜାରେ ଚିତ୍ରିତ କୋବିଦାର ବୃକ୍ଷ ଦ୍ୱାରା ପ୍ରତିଫଳିତ ହୋଇଛି । କୋବିଦାର ଗଛ ଆମକୁ ଏକ ସତ୍ୟ ବିଷୟରେ ସ୍ମରଣ କରାଇ ଦେଇଥାଏ । ତାହା ହେଉଛି, ଆମେ ନିଜକୁ ଯେତେବେଳେ ଆମର ମୂଳଦୁଆଠାରୁ ବିଚ୍ଛିନ୍ନ କରିଦେବା, ସେତେବେଳେ ଆମର ଗୌରବ ଇତିହାସର ପୃଷ୍ଠାରେ ହଜିଯିବ।

 

ପ୍ରଧାନମନ୍ତ୍ରୀ ରାମାୟଣର ସେହି ଘଟଣାଟିକୁ ମନେ ପକାଇଲେ ଯେତେବେଳେ ଭରତ ତାଙ୍କ ସୈନ୍ୟବାହିନୀ ସହିତ ଚିତ୍ରକୂଟରେ ପହଞ୍ଚିଥିଲେ ଏବଂ ଲକ୍ଷ୍ମଣ ଦୂରରୁ ଅଯୋଧ୍ୟାର ସେନାକୁ ଚିହ୍ନି ପାରିଥିଲେ। ଶ୍ରୀ ମୋଦୀ ବାଲ୍ମୀକିଙ୍କ ବର୍ଣ୍ଣନା ବିଷୟରେ ଉଲ୍ଲେଖ କରି କହିଥିଲେ, ‘‘ଲକ୍ଷ୍ମଣ ରାମଙ୍କୁ କହିଥିଲେ ଯେ ଏକ ମହାନ ବୃକ୍ଷ ସଦୃଶ ଉଜ୍ଜ୍ୱଳ, ଉଚ୍ଚ ପତାକା ହେଉଛି ଅଯୋଧ୍ୟାର, ଯାହା କୋବିଦାର ଶୁଭ ପ୍ରତୀକ ଦ୍ୱାରା ଚିହ୍ନିତ।’’ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଆଜି, ଯେହେତୁ କୋବିଦାର ପୁଣି ଥରେ ରାମ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ହୋଇଛି, ଏହା କେବଳ ଏକ ବୃକ୍ଷର ଫେରିବା ନୁହେଁ ବରଂ ସ୍ମୃତିର ପ୍ରତ୍ୟାବର୍ତ୍ତନ, ପରିଚୟର ପୁନରୁତ୍ଥାନ ଏବଂ ଏକ ଗର୍ବିତ ସଭ୍ୟତାର ନବଜାଗରଣ। କୋବିଦାର ଆମକୁ ମନେ ପକାଇ ଦିଏ ଯେ ଯେତେବେଳେ ଆମେ ଆମର ପରିଚୟକୁ ଭୁଲିଯାଉ, ଆମେ ନିଜକୁ ହରାଉ, କିନ୍ତୁ ଯେତେବେଳେ ପରିଚୟ ଫେରି ଆସେ, ଦେଶର ଆତ୍ମବିଶ୍ୱାସ ମଧ୍ୟ ଫେରି ଆସେ। ଦେଶକୁ ଆଗକୁ ବଢ଼ିବା ପାଇଁ ନିଜର ଐତିହ୍ୟ ଉପରେ ଗର୍ବ କରିବାକୁ ପଡିବ।

ଆମ ଐତିହ୍ୟ ପ୍ରତି ଗର୍ବ ସହିତ, ଦାସତ୍ୱର ମାନସିକତାରୁ ସମ୍ପୂର୍ଣ୍ଣ ମୁକ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ 190 ବର୍ଷ ପୂର୍ବେ, 1835 ମସିହାରେ, ମ୍ୟାକଲେ ନାମକ ଜଣେ ଇଂରାଜୀ ସାଂସଦ ଭାରତୀ ଆଧାରକୁ ମୂଳରୁ ଉପାଡ଼ି ମାନସିକ ଦାସତ୍ୱର ମୂଳଦୁଆ ପକାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ 2035 ମସିହାରେ, ସେହି ଘଟଣାର ଦୁଇଶହ ବର୍ଷ ବିତିଯିବ। ଆଗାମୀ ଦଶ ବର୍ଷ ଭାରତକୁ ଏହି ମାନସିକତାରୁ ମୁକ୍ତ କରିବା ପାଇଁ ଉତ୍ସର୍ଗୀକୃତ କରିବାକୁ ପଡିବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଥିଲେ ଯେ ସବୁଠାରୁ ବଡ଼ ଦୁର୍ଭାଗ୍ୟ ହେଉଛି ମ୍ୟାକଲେଙ୍କ ଚିନ୍ତାଧାରାର ବ୍ୟାପକ ପ୍ରଭାବ ପଡ଼ିବା । ଭାରତ ସ୍ୱାଧୀନତା ପାଇଲା, କିନ୍ତୁ ଏହି ହୀନମନ୍ୟତାରୁ ମୁକ୍ତି ପାଇଲା ନାହିଁ। ଏଥିରେ ଏପରି ଏକ ବିକୃତି ସୃଷ୍ଟି ହୋଇଥିଲା, ଯେଉଁଠାରେ ବିଦେଶୀ ସବୁକିଛି ଶ୍ରେଷ୍ଠ ବୋଲି ବିବେଚନା କରାଯାଉଥିଲା। ଅନ୍ୟପଟେ ଆମର ନିଜସ୍ୱ ପରମ୍ପରା ଏବଂ ବ୍ୟବସ୍ଥାକୁ କେବଳ ଦୋଷ ଦୃଷ୍ଟିରେ ଦେଖାଯାଉଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

ଶ୍ରୀ ମୋଦୀ ଆହୁରି କହିଥିଲେ, ଦାସତ୍ୱର ମାନସିକତା ଏହି ଧାରଣାକୁ ଦୃଢ଼ କରିଚାଲିଥିଲା ​​ଯେ ଭାରତ ବିଦେଶରୁ ଗଣତନ୍ତ୍ର ଉଧାର ଆଣିଛି । ସମ୍ବିଧାନ ମଧ୍ୟ ବିଦେଶୀ-ଅନୁପ୍ରାଣିତ। କିନ୍ତୁ  ସତ୍ୟ ହେଉଛି ଭାରତ ଗଣତନ୍ତ୍ରର ଜନନୀ ଏବଂ ଗଣତନ୍ତ୍ର ଆମ ଡିଏନଏରେ ଅଛି। ସେ ଉତ୍ତର ତାମିଲନାଡୁର ଉତ୍ତିରାମେରୁ ଗ୍ରାମ କଥା ଉଲ୍ଲେଖ କରିଥିଲେ, ଯେଉଁଠାରେ ଏକ ହଜାର ବର୍ଷ ପୁରୁଣା ଶିଳାଲେଖ ବର୍ଣ୍ଣନା କରେ ଯେ ଶାସନ କିପରି ଗଣତାନ୍ତ୍ରିକ ଭାବରେ ପରିଚାଳିତ ହେଉଥିଲା। ତତ୍କାଳୀନ ଯୁଗରେ ମଧ୍ୟ ଲୋକମାନେ ସେମାନଙ୍କର ଶାସକଙ୍କୁ ନିର୍ବାଚିତ କରୁଥିଲେ। ସେ ଉଲ୍ଲେଖ କରିଥିଲେ ଯେ ମାଗ୍ନା କାର୍ଟାକୁ ବହୁଳ ଭାବରେ ପ୍ରଶଂସା କରାଯାଉଥିଲେ ମଧ୍ୟ, ଭଗବାନ ବସବନ୍ନାଙ୍କ ଅନୁଭବ ମଣ୍ଟପର ଜ୍ଞାନକୁ ସୀମିତ ରଖାଯାଇଥିଲା। ଅନୁଭବ ମଣ୍ଟପ ଏପରି ଏକ ମଞ୍ଚ ଥିଲା ଯେଉଁଠାରେ ସାମାଜିକ, ଧାର୍ମିକ ଏବଂ ଆର୍ଥିକ ପ୍ରସଙ୍ଗ ଉପରେ ସାର୍ବଜନୀନ ଭାବରେ ବିତର୍କ କରାଯାଉଥିଲା ଏବଂ ସାମୂହିକ ସହମତି ମାଧ୍ୟମରେ ନିଷ୍ପତ୍ତି ନିଆଯାଉଥିଲା। ଦାସତ୍ୱର ମାନସିକତା ଯୋଗୁଁ ଭାରତର ପିଢ଼ି ସେମାନଙ୍କର ନିଜସ୍ୱ ଗଣତାନ୍ତ୍ରିକ ପରମ୍ପରା ବିଷୟରେ ଏହି ଜ୍ଞାନରୁ ବଞ୍ଚିତ ହୋଇଥିଲେ ବୋଲି ସେ ଦୁଃଖ ପ୍ରକାଶ କରି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଦାସତ୍ୱର ମାନସିକତା ଆମ ବ୍ୟବସ୍ଥାର ପ୍ରତ୍ୟେକ କୋଣରେ ରହିଛି। ଶହ ଶହ ବର୍ଷ ଧରି ଭାରତୀୟ ନୌସେନାର ପତାକାରେ ଏପରି ପ୍ରତୀକ ଥିଲା ଯାହାର ଭାରତର ସଭ୍ୟତା, ଶକ୍ତି କିମ୍ବା ଐତିହ୍ୟ ସହିତ କୌଣସି ସମ୍ପର୍କ ନଥିଲା। ବର୍ତ୍ତମାନ ନୌସେନା ପତାକାରୁ ଦାସତ୍ୱର ପ୍ରତ୍ୟେକ ପ୍ରତୀକକୁ ହଟାଇ ଦିଆଯାଇଛି ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହ୍ୟ ପ୍ରତିଷ୍ଠିତ ହୋଇଛି। ଏହା କେବଳ ଡିଜାଇନରେ ପରିବର୍ତ୍ତନ ନୁହେଁ ବରଂ ମାନସିକତାରେ ପରିବର୍ତ୍ତନର ଏକ ମୁହୂର୍ତ୍ତ। ଏହା ଏକ ଘୋଷଣା ଯେ ଭାରତ ଏବେଠାରୁ ଅନ୍ୟମାନଙ୍କ ଐତିହ୍ୟ ମାଧ୍ୟମରେ ନୁହେଁ ବରଂ ନିଜସ୍ୱ ପ୍ରତୀକ ମାଧ୍ୟମରେ ନିଜର ଶକ୍ତିକୁ ପରିଭାଷିତ କରିବ।

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ଆଜି ଅଯୋଧ୍ୟାରେ ସମାନ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ଦାସତ୍ୱର ଏହି ମାନସିକତା ହିଁ ଏତେ ବର୍ଷ ଧରି ରାମତ୍ୱର ସାରକୁ ଅସ୍ୱୀକାର କରିଥିଲା। ପ୍ରଭୁ ରାମ ନିଜେ ଏକ ସମ୍ପୂର୍ଣ୍ଣ ମୂଲ୍ୟ ବ୍ୟବସ୍ଥା ଥିଲେ - ଓରଛାର ରାଜା ରାମଙ୍କଠାରୁ ରାମେଶ୍ୱରମର ଭକ୍ତ ରାମ, ଶବରୀର ପ୍ରଭୁ ରାମଙ୍କଠାରୁ ମିଥିଳାର ପାହୁନା ରାମ ଜୀ ପର୍ଯ୍ୟନ୍ତ- ରାମ ପ୍ରତ୍ୟେକ ଘରେ, ପ୍ରତ୍ୟେକ ଭାରତୀୟ ହୃଦୟରେ ଏବଂ ଭାରତର ପ୍ରତ୍ୟେକ କଣିକାରେ ବାସ କରନ୍ତି। ତଥାପି, ସେ ଦୁଃଖ ପ୍ରକାଶ କରିଥିଲେ ଯେ, ଦାସତ୍ୱର ମାନସିକତା ଏତେ ପ୍ରଭାବଶାଳୀ ହୋଇଗଲା ଯେ ଭଗବାନ ରାମଙ୍କୁ ମଧ୍ୟ କାଳ୍ପନିକ ଘୋଷଣା କରାଗଲା।

 

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ଯଦି ଆମେ ଆଗାମୀ ଦଶ ବର୍ଷ ମଧ୍ୟରେ ଦାସତ୍ୱର ମାନସିକତାରୁ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ସଂକଳ୍ପ ନେବା, ତେବେ 2047 ସୁଦ୍ଧା ଏପରି ଆତ୍ମବିଶ୍ୱାସର ଜ୍ୱାଳା ପ୍ରଜ୍ଜ୍ୱଳିତ ହେବ ତାହା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ। ଆଗାମୀ ହଜାର ବର୍ଷ ପାଇଁ ଭାରତର ମୂଳଦୁଆ ସେତେବେଳେ ହିଁ ମଜବୁତ ହେବ ଯେତେବେଳେ ଆଗାମୀ ଦଶନ୍ଧିରେ ମ୍ୟାକଲେଙ୍କ ମାନସିକ ଦାସତ୍ୱର ପ୍ରକଳ୍ପକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦିଆଯିବ। ପ୍ରଧାନମନ୍ତ୍ରୀ କହିଥିଲେ, ଅଯୋଧ୍ୟାର ରାମ ଲଲା ମନ୍ଦିର ପରିସର ଆହୁରି ଭବ୍ୟ ହେବାରେ ଲାଗିଛି, ଏବଂ ଅଯୋଧ୍ୟାକୁ ସୌନ୍ଦର୍ଯ୍ୟକରଣର କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି। ଅଯୋଧ୍ୟା ପୁଣି ଥରେ ବିଶ୍ୱ ପାଇଁ ଏକ ଉଦାହରଣ ଭାବରେ କାର୍ଯ୍ୟ କରିବ। ତ୍ରେତୟା ଯୁଗରେ ଅଯୋଧ୍ୟା ମାନବଜାତିକୁ ଏହାର ଆଚାର ସଂହିତା ଦେଇଥିଲା ଏବଂ ଏକବିଂଶ ଶତାବ୍ଦୀରେ, ଅଯୋଧ୍ୟା ମାନବଜାତିକୁ ବିକାଶର ଏକ ନୂତନ ମଡେଲ ପ୍ରଦାନ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେତେବେଳେ ଅଯୋଧ୍ୟା ଶୃଙ୍ଖଳାର କେନ୍ଦ୍ର ଥିଲା ଏବଂ ବର୍ତ୍ତମାନ ଅଯୋଧ୍ୟା ଏକ ବିକଶିତ ଭାରତର ମେରୁଦଣ୍ଡ ଭାବରେ ଉଭା ହେଉଛି।

ପ୍ରଧାନମନ୍ତ୍ରୀ କଳ୍ପନା କରି କହିଥିଲେ ଯେ ଭବିଷ୍ୟତରେ ଅଯୋଧ୍ୟା ପରମ୍ପରା ଏବଂ ଆଧୁନିକତାର ଏକ ସଙ୍ଗମସ୍ଥଳ ହେବ, ଯେଉଁଠାରେ ସରଯୁର ପବିତ୍ର ପ୍ରବାହ ଏବଂ ବିକାଶର ଧାରା ଏକତ୍ର ଚାଲିବ। ଅଯୋଧ୍ୟା ଆଧ୍ୟାତ୍ମିକତା ଏବଂ କୃତ୍ରିମ ବୁଦ୍ଧିମତ୍ତା ମଧ୍ୟରେ ସମନ୍ୱୟ ପ୍ରଦର୍ଶନ କରିବ। ରାମ ପଥ, ଭକ୍ତି ପଥ ଏବଂ ଜନ୍ମଭୂମି ପଥ ଏକ ନୂତନ ଅଯୋଧ୍ୟାର ଦୃଷ୍ଟିକୋଣ ଉପସ୍ଥାପନ କରନ୍ତି। ସେ ବିଶାଳ ବିମାନବନ୍ଦର ଏବଂ ଚମତ୍କାର ରେଳ ଷ୍ଟେସନ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ବନ୍ଦେ ଭାରତ ଏବଂ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନଗୁଡ଼ିକ ଅଯୋଧ୍ୟାକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରୁଛି। ଅଯୋଧ୍ୟାର ଲୋକମାନଙ୍କୁ ସୁବିଧା ଯୋଗାଇବା ଏବଂ ସେମାନଙ୍କ ଜୀବନରେ ସମୃଦ୍ଧି ଆଣିବା ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି। ପ୍ରାଣ ପ୍ରତିଷ୍ଠା ପରଠାରୁ ପ୍ରାୟ 45 କୋଟି ଭକ୍ତ ଏଠାକୁ ଦର୍ଶନ ପାଇଁ ଆସିଛନ୍ତି, ଯାହା ଅଯୋଧ୍ୟା ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ ଆୟ ବୃଦ୍ଧି କରିଛି। ସେ କହିଥିଲେ ଯେ ପୂର୍ବରୁ ଅଯୋଧ୍ୟା ବିକାଶ ମାନଦଣ୍ଡରେ ପଛରେ ଥିଲା, କିନ୍ତୁ ଆଜି ଏହା ଉତ୍ତର ପ୍ରଦେଶର ଏକ ପ୍ରମୁଖ ସହର ଭାବରେ ଉଭା ହେଉଛି।

 

ଶ୍ରୀ ମୋଦୀ କହିଥିଲେ, ଏକବିଂଶ ଶତାବ୍ଦୀର ଆଗାମୀ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱାଧୀନତାର 70 ବର୍ଷ ପରେ ଭାରତ ବିଶ୍ୱର ଏକାଦଶ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଥିଲା, କିନ୍ତୁ କେବଳ ଗତ 11 ବର୍ଷ ମଧ୍ୟରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ସେ କହିଥିଲେ, ସେହି ଦିନ ବେଶୀ ଦୂର ନୁହେଁ ଯେତେବେଳେ ଭାରତ ମଧ୍ୟ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ଆଗାମୀ ସମୟ ହେଉଛି ନୂତନ ସୁଯୋଗ ଏବଂ ନୂତନ ସମ୍ଭାବନାର ସମୟ। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଭଗବାନ ରାମଙ୍କ ଆଦର୍ଶ ଦେଶକୁ ପ୍ରେରଣା ଦେଇ ଚାଲିବ। ଯେତେବେଳେ ପ୍ରଭୁ ଶ୍ରୀ ରାମ ରାବଣ ଉପରେ ବିଜୟର ମହାନ ଆହ୍ୱାନର ସମ୍ମୁଖୀନ ହୋଇଥିଲେ, ରଥର ଚକ ରୂପେ ସାହସ ଓ ଧୈର୍ଯ୍ୟର ଆବଶ୍ୟକ ଥିଲା। ଏହାର ଧ୍ୱଜା ଥିଲା ସତ୍ୟ ଓ ଉତ୍ତମ ଆଚରଣ। ଏହାର ଅଶ୍ୱ ଥିଲା ଶକ୍ତି, ଜ୍ଞାନ, ସଂଯମ ଏବଂ ଦୟା । ଏହାର ଲଗାମ ଥିଲା କ୍ଷମା, କରୁଣା ଏବଂ ସମାନତା। ଏସବୁ ରଥକୁ ସଠିକ ଦିଗରେ ଗତି କରାଉଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ, ଏକ ବିକଶିତ ଭାରତର ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ, ଏପରି ଏକ ରଥ ଆବଶ୍ୟକ ଯାହାର ଚକ ହେଉଛି ବୀରତ୍ୱ ଓ ଧୈର୍ଯ୍ୟ, ଅର୍ଥାତ୍ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବାର ସାହସ ଏବଂ ଫଳାଫଳ ପ୍ରାପ୍ତ ହେବା ପର୍ଯ୍ୟନ୍ତ ସ୍ଥିର ରହିବାର ଦୃଢ଼ତା। ସେ କହିଥିଲେ, ଏହି ରଥର ଧ୍ୱଜା ସତ୍ୟ ଏବଂ ସର୍ବୋଚ୍ଚ ଆଚରଣ ହେବା ଉଚିତ। ନୀତି, ଉଦ୍ଦେଶ୍ୟ ଏବଂ ନୈତିକତା କେବେବି ସାଲିସ କରାଯିବା ଉଚିତ୍ ନୁହେଁ ବୋଲି ଏହା ସୂଚୀତ କରିଥାଏ। ସେ କହିଥିଲେ, ଏହି ରଥର ଅଶ୍ୱଗୁଡ଼ିକ ଶକ୍ତି, ଜ୍ଞାନ, ଶୃଙ୍ଖଳା ଏବଂ ଦାନଶୀଳତା ହେବା ଉଚିତ, ଅର୍ଥାତ୍ ଶକ୍ତି, ବୁଦ୍ଧି, ସଂଯମ ଏବଂ ଅନ୍ୟମାନଙ୍କ ସେବା କରିବାର ମନୋଭାବ ରହିବା ଉଚିତ। ଏହି ରଥର ଲଗାମ କ୍ଷମା, କରୁଣା ଏବଂ ସମାନତା ହେବା ଉଚିତ, ଅର୍ଥାତ୍ ବିଫଳତାରେ ମଧ୍ୟ ସଫଳତା ଏବଂ ଅନ୍ୟମାନଙ୍କ ପ୍ରତି ସମ୍ମାନରେ କୌଣସି ଅହଂକାର ରହିବା ଉଚିତ୍ ନୁହେଁ। ଏହି ମୁହୂର୍ତ୍ତ କାନ୍ଧକୁ କାନ୍ଧ ମିଳାଇବା, ଗତି ବୃଦ୍ଧି କରିବା ଏବଂ ରାମ ରାଜ୍ୟ ଦ୍ୱାରା ଅନୁପ୍ରାଣିତ ଏକ ଭାରତ ନିର୍ମାଣ କରିବାର ମୁହୂର୍ତ୍ତ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏହା କେବଳ ସେତେବେଳେ ସମ୍ଭବ ଯେତେବେଳେ ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ଜାତୀୟ ହିତକୁ ପ୍ରାଥମିକତା ଦିଆଯିବ। ପ୍ରଧାନମନ୍ତ୍ରୀ ପୁଣିଥରେ ସମସ୍ତଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ।

 

ପୃଷ୍ଠଭୂମି

ଏହି କାର୍ଯ୍ୟକ୍ରମ ମାର୍ଗଶୀର ମାସର ଶୁକ୍ଳ ପକ୍ଷର ପବିତ୍ର ପଞ୍ଚମୀରେ ଅନୁଷ୍ଠିତ ହେଉଛି, ଯାହା ଶ୍ରୀରାମ ଏବଂ ମା ସୀତାଙ୍କ ବିବାହ ପଞ୍ଚମୀର ଅଭିଜିତ ମୁହୂର୍ତ୍ତ ସହ ସମନ୍ୱିତ। ଏହି ଦିନଟି ଦିବ୍ୟ ମିଳନର ପ୍ରତୀକ। ଏହି ତାରିଖ ନବମ ଶିଖ ଗୁରୁ ଗୁରୁ ତେଗ ବାହାଦୁର ଜୀଙ୍କ ସହିଦ ଦିବସରେ ମଧ୍ୟ ପଡ଼ୁଛି । ଗୁରୁ ତେଗ ବାହାଦୂର ସପ୍ତଦଶ ଶତାବ୍ଦୀରେ 48 ଘଣ୍ଟା ପାଇଁ ଅଯୋଧ୍ୟାରେ ନିରବଚ୍ଛିନ୍ନ ଭାବରେ ଧ୍ୟାନ କରିଥିଲେ, ଯାହା ଏହି ଦିନର ଆଧ୍ୟାତ୍ମିକ ଗୁରୁତ୍ୱକୁ ଆହୁରି ବୃଦ୍ଧି କରିଥାଏ।

ଦଶ ଫୁଟ ଉଚ୍ଚତା ଏବଂ କୋଡ଼ିଏ ଫୁଟ ଲମ୍ବ ବିଶିଷ୍ଟ ଦକ୍ଷିଣକୋଣ ତ୍ରିକୋଣୀୟ ପତାକାରେ ଭଗବାନ ଶ୍ରୀରାମଙ୍କ ତେଜ ଏବଂ ବୀରତ୍ୱର ପ୍ରତୀକ ସ୍ୱରୂପ ଏକ ଉଜ୍ଜ୍ୱଳ ସୂର୍ଯ୍ୟର ପ୍ରତିଛବି ରହିଛି, ଯେଉଁଥିରେ କୋବିଦାର ଗଛର ପ୍ରତିଛବି ସହିତ ‘ଓଁ’ ଲେଖାଯାଇଛି। ପବିତ୍ର ଗୈରିକ ପତାକା ରାମ ରାଜ୍ୟର ଆଦର୍ଶକୁ ମୂର୍ତ୍ତିମନ୍ତ କରି ମର୍ଯ୍ୟାଦା, ଏକତା ଏବଂ ସାଂସ୍କୃତିକ ଦୀର୍ଘସ୍ଥାୟିତ୍ୱର ବାର୍ତ୍ତା ପ୍ରଦାନ କରିବ।

 

ପାରମ୍ପରିକ ଉତ୍ତର ଭାରତୀୟ ନାଗରା ସ୍ଥାପତ୍ୟ ଶୈଳୀରେ ନିର୍ମିତ ମନ୍ଦିର ଶିଖର ଉପରେ ଧ୍ୱଜା ଆରୋହଣ କରାଯାଇଛି । ଅନ୍ୟପଟେ ଦକ୍ଷିଣ ଭାରତୀୟ ସ୍ଥାପତ୍ୟ ପରମ୍ପରାରେ ଡିଜାଇନ୍ କରାଯାଇଥିବା ମନ୍ଦିର ଚାରିପାଖରେ ନିର୍ମିତ 800 ମିଟର ପରକୋଟା  ଏକ ପରିକ୍ରମା ଘେରା ରୂପରେ ମନ୍ଦିର ସ୍ଥାପତ୍ୟରେ ଥିବା ବିବିଧତାକୁ ପ୍ରଦର୍ଶନ କରେ।

ମନ୍ଦିର ପରିସରରେ ମୁଖ୍ୟ ମନ୍ଦିରର ବାହାର କାନ୍ଥରେ ବାଲ୍ମୀକି ରାମାୟଣ ଉପରେ ଆଧାରିତ ଭଗବାନ ଶ୍ରୀ ରାମଙ୍କ ଜୀବନର 87ଟି ଜଟିଳ ଖୋଦିତ ପଥର ଅଧ୍ୟାୟ ଏବଂ ଘେରା କାନ୍ଥରେ ସ୍ଥାନିତ ଭାରତୀୟ ସଂସ୍କୃତିର 79ଟି ବ୍ରୋଞ୍ଜ-କାଷ୍ଟ ଅଧ୍ୟାୟ ରହିଛି। ମିଳିତ ଭାବେ ଏହି ଉପାଦାନଗୁଡ଼ିକ ସମସ୍ତ ପରିଦର୍ଶକଙ୍କୁ ଏକ ଅର୍ଥପୂର୍ଣ୍ଣ ଏବଂ ଶିକ୍ଷାଗତ ଅନୁଭୂତି ପ୍ରଦାନ କରେ, ଯାହା ଭଗବାନ ଶ୍ରୀ ରାମଙ୍କ ଜୀବନ ଓ ଭାରତର ସାଂସ୍କୃତିକ ଐତିହ୍ୟ ବିଷୟରେ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରେ।

ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବନ ପଟେଲ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସରସଂଘଚାଳକ ଡକ୍ଟର ମୋହନ ଭଗବତ ପ୍ରମୁଖ ଉପସ୍ଥିତ ଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s passenger vehicle sales jump 35% to 4.5 lakh in August as Maruti, M&M drive growth

Media Coverage

India’s passenger vehicle sales jump 35% to 4.5 lakh in August as Maruti, M&M drive growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the virtues of instilling fearlessness and saving lives
September 02, 2026

Prime Minister Shri Narendra Modi shared a Sanskrit Subhashitam today, highlighting the virtues of instilling fearlessness and saving lives.

The Prime Minister wrote on X;

"अभयस्यैव यो दाता तस्यैव सुमहत्फलम् ।

न हि प्राणसमं दानं त्रिषु लोकेषु विद्यते ॥"

Whoever takes away people's fear receives great blessings, and in all three worlds, there is no greater gift than saving a life.