ମହାମହିମ, ରାଷ୍ଟ୍ରପତି ରନିଲ ବିକ୍ରମସିଙ୍ଘେ,

ଦୁଇ ଦେଶର ପ୍ରତିନିଧିଗଣ,

ଗଣମାଧ୍ୟମର ସମସ୍ତ ସାଥୀଗଣ,

ନମସ୍କାର !

ଆୟୁ ବୋବନ !

ୱଣକମ୍‌ !

ମୁଁ ରାଷ୍ଟ୍ରପତି ବିକ୍ରମସିଙ୍ଘେ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ହାର୍ଦ୍ଦିକ ସ୍ୱାଗତ କରୁଛି । ଆଜି ରାଷ୍ଟ୍ରପତି ବିକ୍ରମସିଙ୍ଘେ ନିଜ କାର୍ଯ୍ୟକାଳର ଏକ ବର୍ଷ ପୂରଣ କରୁଛନ୍ତି । ଏହି ଅବସରରେ ମୁଁ ତାଙ୍କୁ ଆମ ସମସ୍ତଙ୍କ ତରଫରୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ବିଗତ ଏକ ବର୍ଷ, ଶ୍ରୀଲଙ୍କାର ଲୋକମାନଙ୍କ ପାଇଁ ଆହ୍ୱାନରେ ପରିପୂର୍ଣ୍ଣ ଥିଲା । ଏକ ନିକଟ ସମ୍ପର୍କୀୟ ଭାବେ, ସବୁ ସମୟ ଭଳି, ଆମେ ଏହି ସଂକଟ ସମୟରେ ମଧ୍ୟ ଶ୍ରୀଲଙ୍କାର ଲୋକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇ ରହିଥିଲୁ । ଆଜି ଯେଭଳି ସାହସର ସହିତ, ସେ ଏହି ଆହ୍ୱାନପୂର୍ଣ୍ଣ ପରିସ୍ଥିତିଗୁଡିକର ସାମନା କଲେ, ସେଥି ପାଇଁ ମୁଁ ଶ୍ରୀଲଙ୍କାର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଆମର ସମ୍ବନ୍ଧ ଆମର ସଭ୍ୟତାଗୁଡିକ ଭଳି ହିଁ ହେଉଛି ପ୍ରାଚୀନ ଏବଂ ବ୍ୟାପକ ମଧ୍ୟ । ଭାରତର ("Neighbourhood First”) ‘ପଡୋଶୀ ପ୍ରଥମ’ ନୀତି ଏବଂ ‘ସାଗର’ ଦୃଷ୍ଟିଭଙ୍ଗୀ, ଉଭୟରେ ମଧ୍ୟ ଶ୍ରୀଲଙ୍କାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଆଜି ଆମେ ଦ୍ୱିପକ୍ଷୀୟ, ଆଂଚଳିକ ତଥା ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗରେ ନିଜର ବିଚାର ଆଦାନ ପ୍ରଦାନ କରିଛୁ । ଆମେ ସ୍ୱୀକାର କରୁଛୁ ଯେ, ଭାରତ ଏବଂ ଶ୍ରୀଲଙ୍କାର ହିତ ଓ ବିକାଶ ଗୋଟିଏ ଅନ୍ୟ ସହିତ ଜଡ଼ିତ ହୋଇ ରହିଛି । ଆଉ ଏଥିପାଇଁ ଏହା ଆବଶ୍ୟକ ଯେ ଆମେ ଜଣେ ଅନ୍ୟ ଜଣଙ୍କର ସୁରକ୍ଷା ଏବଂ ସମ୍ବେଦନାଗୁଡ଼ିକୁ ଧ୍ୟାନରେ ରଖି ମିଳିମିଶି କାର୍ଯ୍ୟ କରିବୁ ।

ବନ୍ଧୁଗଣ,

ଆଜି ଆମେ ଆମର ଆର୍ଥିକ ଭାଗିଦାରୀ ପାଇଁ ଏକ ଭିଜନ ଡକୁମେଂଟ ବା ଦୃଷ୍ଟିପତ୍ର ଆପଣାଇଛୁ। ଏହି ଭିଜନ ହେଉଛି- ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ନୌବାଣିଜ୍ୟ, ଆକାଶ, ଶକ୍ତି ଏବଂ ଜନ-ଜନଙ୍କ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବା । ଏହି ଭିଜନ ହେଉଛି- ପର୍ଯ୍ୟଟନ, ଶକ୍ତି, ବାଣିଜ୍ୟ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶରେ ପାରସ୍ପରିକ ସହଯୋଗକୁ ଗତି ପ୍ରଦାନ କରିବା । ଏହି ଭିଜନ ହେଉଛି-  ଶ୍ରୀଲଙ୍କା ପ୍ରତି ଭାରତର ଦୀର୍ଘ ସୂତ୍ରୀ ପ୍ରତିବଦ୍ଧତାର ।

ବନ୍ଧୁଗଣ,

ଆମେ ସ୍ଥିର କରିଛୁ ଯେ ଅର୍ଥନୈତିକ ଏବଂ ବୈଷୟିକ ସହଯୋଗ ବୁଝାମଣା ଉପରେ ମଧ୍ୟ ଶୀଘ୍ର ଆଲୋଚନା ଆରମ୍ଭ କରାଯିବ । ଏହାଦ୍ୱାରା ଉଭୟ ଦେଶ ପାଇଁ ବ୍ୟାପାର ଏବଂ ଆର୍ଥିକ ସହଯୋଗର ନୂତନ ସମ୍ଭାବନାମାନ ଉନ୍ମୁକ୍ତ ହେବ । ଆମେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବିମାନ ଯୋଗାଯୋଗ ବୃଦ୍ଧି ପାଇଁ ସହମତ ହୋଇଛୁ । ବ୍ୟାପାର ଏବଂ ଲୋକମାନଙ୍କର ଯାତାୟାତ ବୃଦ୍ଧି କରିବା ପାଇଁ, ତାମିଲନାଡ଼ୁର ନାଗପଟ୍ଟନମ୍ ଏବଂ ଶ୍ରୀଲଙ୍କାର କାଙ୍କେ-ସନ୍ତୁରଇ ମଧ୍ୟରେ ଯାତ୍ରୀ ଫେରି ସେବା ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ନିଆ ଯାଇଛି ।

ଆମେ ସ୍ଥିର କରିଛୁ, ଯେ ଦୁଇ ଦେଶ ମଧ୍ୟରେ ବିଦ୍ୟୁତ ଗ୍ରୀଡ଼ଗୁଡ଼ିକୁ ସଂଯୋଗ କରିବାର କାର୍ଯ୍ୟକୁ ଦ୍ରୁତ ଗତିରେ ଆଗକୁ ନିଆଯିବ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ, ପେଟ୍ରୋଲିୟମ ପାଇପ୍ ଲାଇନ୍ ପାଇଁ ସମ୍ଭାବ୍ୟ ଅଧ୍ୟୟନ କରାଯିବ । ଏହା ବ୍ୟତୀତ ଏକ ସମ୍ଭାବ୍ୟ ସଡ଼କ ସେତୁ ନିର୍ମାଣ ଲାଗି ଯାଂଚ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଆଜି ଶ୍ରୀଲଙ୍କାରେ ୟୁପିଆଇର ଶୁଭାରମ୍ଭ କରିବା ପାଇଁ ହୋଇଥିବା ବୁଝାମଣା ଦ୍ୱାରା ଫିନଟେକ୍ ଯୋଗାଯୋଗ ମଧ୍ୟ ବୃଦ୍ଧି ପାଇବ ।

ବନ୍ଧୁଗଣ,

ଆଜି ଆମେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ସହିତ ଜଡ଼ିତ ପ୍ରସଙ୍ଗରେ ମଧ୍ୟ ଆଲୋଚନା କଲୁ । ଆମେ ସହମତ ପ୍ରକାଶ କରିଛୁ ଯେ, ଆମକୁ ଏହି ପ୍ରସଙ୍ଗରେ ଏକ ମାନବୀୟ ଅଭିବ୍ୟକ୍ତି ସହିତ ଆଗକୁ ଅଗ୍ରସର ହେବା ଉଚିତ । ଆମେ ଶ୍ରୀଲଙ୍କାରେ ପୁନଃନିର୍ମାଣ ଓ ପୁନଃବିକାଶ ଉପରେ ମଧ୍ୟ କଥା ହୋଇଛୁ । ରାଷ୍ଟ୍ରପତି ବିକ୍ରମସିଙ୍ଘେ ନିଜର ସମାବେଶୀ ଦୃଷ୍ଟିକୋଣ ସମ୍ପର୍କରେ ମୋତେ ଅବଗତ କରାଇଛନ୍ତି । ଆମେ ଆଶା କରୁଛୁ ଯେ ଶ୍ରୀଲଙ୍କା ସରକାର ତାମିଲମାନଙ୍କର ଆକାଂକ୍ଷାକୁ ପୂରଣ କରିବେ । ସମାନତା, ନ୍ୟାୟ ଏବଂ ଶାନ୍ତି ପାଇଁ ପୁନଃନିର୍ମାଣର ପ୍ରକ୍ରିୟାକୁ ଆଗକୁ ବଢ଼ାଇବେ । ତ୍ରୟୋଦଶ ସଂଶୋଧନର କାର୍ଯ୍ୟାନ୍ୱୟନ ଏବଂ ପ୍ରାଦେଶିକ ପରିଷଦ ନିର୍ବାଚନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ପୂରଣ କରିବା ଆଉ ଶ୍ରୀଲଙ୍କାର ତାମିଲ ସମୁଦାୟଙ୍କ ପାଇଁ ସମ୍ମାନ ଏବଂ ମର୍ଯ୍ୟାଦାଜନକ ଜୀବନ ସୁନିଶ୍ଚିତ କରିବେ ।

ବନ୍ଧୁଗଣ,

ଚଳିତ ବର୍ଷ ଆମର ଦ୍ୱିପାକ୍ଷୀୟ ସମ୍ପର୍କ ପାଇଁ ଏକ ସ୍ୱତନ୍ତ୍ର ଗୁରୁତ୍ୱ ରଖୁଛି । ଆମେ ନିଜର କୁଟନୈତିକ ସମ୍ବନ୍ଧର ପଂଚସ୍ତରୀବର୍ଷ ପୂର୍ତି ପାଳନ କରୁଛୁ । ଏହା ସହିତ, ଭାରତୀୟ ବଂଶୋଦ୍ଭବ ତାମିଲ ସମୁଦାୟ ଶ୍ରୀଲଙ୍କାକୁ ନିଜ ଆଗମନର 200 ବର୍ଷ ପୂରଣ କରୁଛନ୍ତି । ମୁଁ ଏହା କହି ଆନନ୍ଦ ଅନୁଭବ କରୁଛି ଯେ, ଏହି ଅବସରରେ, ଶ୍ରୀଲଙ୍କାରେ ଭାରତୀୟ ବଂଶୋଦ୍ଭବ ତାମିଲ ସମୁଦାୟ ପାଇଁ 75 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହା ସହିତ ଭାରତ, ଶ୍ରୀଲଙ୍କାର ଉତର ଏବଂ ପୂର୍ବାଂଚଳରେ ମଧ୍ୟ ବିକାଶ କାର୍ଯ୍ୟକ୍ରମରେ ଯୋଗଦାନ ଦେବ ।

ମହାମହିମ,

ଏକ ସ୍ଥିର, ସୁରକ୍ଷିତ ଏବଂ ସମୃଦ୍ଧ ଶ୍ରୀଲଙ୍କାରେ ନା କେବଳ ଭାରତର ହିତ ନିହିତ ରହିଛି, ବରଂ ସମଗ୍ର ଭାରତ ମହାସାଗର ଅଂଚଳର ହିତ ରହିଛି । ମୁଁ ପୁଣିଥରେ ଆଶ୍ୱାସନା ଦେଉଛି, ଯେ ଶ୍ରୀଲଙ୍କାର ଲୋକମାନଙ୍କର ଏହି ସଂଘର୍ଷମୟ ସମୟରେ ଭାରତର ଲୋକ ସେମାନଙ୍କ ସାଙ୍ଗରେ ଠିଆ ହୋଇଛନ୍ତି ।

ବହୁତ- ବହୁତ ଧନ୍ୟବାଦ ।

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi