ମହାମହିମ,

ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ,

ସମ୍ମାନିତ ଅତିଥି ବୃନ୍ଦ,

ଆୟୁବୋଓନ!

ୱଣକ୍କମ!

ନମସ୍କାର!

ସର୍ବପ୍ରଥମେ ମୁଁ ମୋର ବନ୍ଧୁ ମହିନ୍ଦା ରାଜପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିବାରୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି  । ପଦରେ ଅବସ୍ଥାପିତ ହେବା ପରେ ପରେ ମୋର ଆମନ୍ତ୍ରଣ ସ୍ୱୀକାର କରିଥିଲେ ଏବଂ ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତ ଆସିଥିଲେ  । ସେଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ  । କିଛିଦିନ ପୂର୍ବରୁ ଶ୍ରୀଲଙ୍କା ନିଜ ସ୍ୱାଧୀନତାର 72ତମ ବାର୍ଷିକ ପାଳନ କରିଛି । ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ରାଜପକ୍ଷ ଏବଂ ଶ୍ରୀଲଙ୍କାର ସମସ୍ତ ଜନସାଧାରଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି  ।

ବନ୍ଧୁଗଣ,

ଭାରତ ଏବଂ ଶ୍ରୀଲଙ୍କା କେଉଁ ଅନନ୍ତ କାଳରୁ ପଡୋଶୀ ହେବା ସଙ୍ଗେ ସଙ୍ଗେ ଅତ୍ୟନ୍ତ ଘନିଷ୍ଠ ବନ୍ଧୁ ମଧ୍ୟ  । ଆମ ସଂପର୍କର ଇତିହାସ ସଂସ୍କୃତି, ଧର୍ମ, ଆଧ୍ୟାତ୍ମିକତା, କଳା ଏବଂ ଭାଷା ଭଳି ଅଗଣିତ ରଙ୍ଗ- ବେରଙ୍ଗ ସୂତାରେ ପରସ୍ପର ସହିତ ବାନ୍ଧି ହୋଇଛି । ସୁରକ୍ଷା ହେଉ ଅବା ଅର୍ଥବ୍ୟବସ୍ଥା ଅବା ସାମାଜିକ ପ୍ରଗତି, ପ୍ରତ୍ୟେକ କ୍ଷେତ୍ରରେ ଆମ ଅତୀତ ଏବଂ ଆମ ଭବିଷ୍ୟତ ପରସ୍ପର ସହିତ ସଂଶ୍ଳିଷ୍ଟ । ଶ୍ରୀଲଙ୍କାରେ ସ୍ଥାୟିତ୍ୱ, ସୁରକ୍ଷା, ଏବଂ ସମୃଦ୍ଧି ଭାରତର କଲ୍ୟାଣ ପାଇଁ ରହିଛି, ସଂପୂର୍ଣ୍ଣ ଭାରତ ମହାସାଗର କ୍ଷେତ୍ରର କଲ୍ୟାଣ ପାଇଁ ମଧ୍ୟ ରହିଛି ଏବଂ ସେଥିପାଇଁ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମଧ୍ୟ ଶାନ୍ତି ଏବଂ ସଦଭାବନା ପାଇଁ ଆମର ଘନିଷ୍ଠ ସହଯୋଗ ଅତ୍ୟନ୍ତ ମୂଲ୍ୟବାନ । ଆମ ସରକାରଙ୍କ ‘ପଡୋଶୀ ପ୍ରଥମ’ ନୀତି ଏବଂ ‘ସାଗର’ ନୀତି ଅନୂରୂପ ଆମେ ଶ୍ରୀଲଙ୍କା ସହିତ ସଂପର୍କକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାଉ । କ୍ଷେତ୍ରୀୟ ସୁରକ୍ଷା ଏବଂ ବିକାଶ ପାଇଁ ଭାରତ ସହିତ ମିଶି କାମ କରିବା ପାଇଁ ଶ୍ରୀଲଙ୍କା ସରକାରଙ୍କ ସଂକଳ୍ପକୁ ଆମେ ସ୍ୱାଗତ କରୁଛୁ ।

ବନ୍ଧୁଗଣ,

ଆଜି ପ୍ରଧାନମନ୍ତ୍ରୀ ରାଜପକ୍ଷ ଏବଂ ମୁଁ ଆମ ଦ୍ୱିପାକ୍ଷିକ ସଂପର୍କର ସମସ୍ତ ଦିଗଗୁଡିକୁ ଏକ ପାରସ୍ପରିକ କଲ୍ୟାଣକାରୀ ଅନ୍ତର୍ଜାତୀୟ ବିଷୟ ଗୁଡିକ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲୁ । ଆତଙ୍କବାଦ ଆମ ପାଇଁ ଏକ ବହୁତ ବଡ ବିପଦ । ଆମେ ଦୁଇ ଦେଶ ଏହି ସମସ୍ୟାକୁ ଦୃଢତାର ସହ ମୁକାବିଲା କରିଛୁ  । ବିଗତ ବର୍ଷ ଏପ୍ରିଲରେ ଶ୍ରୀଲଙ୍କାରେ ‘ଇଷ୍ଟର ଡେ’ରେ ଅତ୍ୟନ୍ତ ଦୁଃଖଦ ଏବଂ ବର୍ବର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ କେବଳ ଶ୍ରୀଲଙ୍କା ଉପରେ ନୁହେଁ, ବରଂ ସଂପୂର୍ଣ୍ଣ ମାନବତାକୁ ଆଘାତ କରିଥିଲା ଏବଂ ସେଥିପାଇଁ ଆଜି ଆମ ଆଲୋଚନାବେଳେ ଆମେ ଆତଙ୍କବାଦ ବିରୁଦ୍ଧରେ ନିଜର ସହଯୋଗକୁ ଆହୁରି ଅଧିକ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲୁ । ମୁଁ ଅତ୍ୟନ୍ତ ଖୁସି ଯେ ଭାରତର ପ୍ରମୁଖ ଟ୍ରେନିଂ ସଂସ୍ଥାଗୁଡିକରେ ଆତଙ୍କବାଦ ନିରୋଧୀ ପାଠ୍ୟକ୍ରମଗୁଡିକରେ ଶ୍ରୀଲଙ୍କା ପୁଲିସ ଅଧିକାରୀମାନେ ଅଂଶଗ୍ରହଣ କରିବା ଆରମ୍ଭ କରିଦେଲେଣି । ଦୁଇ ଦେଶର ଏଜେନ୍ସୀମାନଙ୍କ ମଧ୍ୟରେ ସଂପର୍କ ଏବଂ ସହଯୋଗକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ମଧ୍ୟ ଆମେ ପ୍ରତିଶୃତିବଦ୍ଧ । 

ବନ୍ଧୁଗଣ,

ଆଜିର ଆଲୋଚନାରେ ଆମେ ଶ୍ରୀଲଙ୍କାରେ ସଂଯୁକ୍ତ ଅର୍ଥନୈତିକ ପ୍ରକଳ୍ପଗୁଡିକ ଉପରେ, ଅର୍ଥନୈତିକ, ବ୍ୟବସାୟିକ ଏବଂ ପୁଞ୍ଜି ନିବେଶ ସଂପର୍କକୁ ଆହୁରି ବିସ୍ତାର କରିବା ଉପରେ ମଧ୍ୟ ଆଲୋଚନା କରିଥିଲୁ । ଆମେ ଜନସାଧାରଣଠାରୁ ଜନସାଧାରଣ ସଂପର୍କ ବୃଦ୍ଧି, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା, ଏବଂ ସଂଯୋଗ ବ୍ୟବସ୍ଥାକୁ ଉତ୍ତମ କରିବା ଉପରେ ମଧ୍ୟ ଆଲୋଚନା କରିଥିଲୁ ।

ଚେନ୍ନାଇ ଏବଂ ଜାଫନା ମଧ୍ୟରେ କିଛି ଦିନ ପୂର୍ବେ ଆରମ୍ଭ କରାଯାଇଥିବା ବିମାନ ସେବାର ଆରମ୍ଭ, ଏହି କ୍ଷେତ୍ରରେ ଆମ ପ୍ରଚେଷ୍ଟାର ଅଂଶବିଶେଷ । ଏହି ବିମାନ ସେବା ଜରିଆରେ ଶ୍ରୀଲଙ୍କାର ଉତ୍ତର କ୍ଷେତ୍ରରେ ତାମିଲ ଜନସଂଖ୍ୟା ପାଇଁ ସଂଯୋଗର ବିକଳ୍ପ ବୃଦ୍ଧି ହେବ । ଏହା ଏହି ଅଞ୍ଚଳର ଆର୍ଥିକ ଏବଂ ସାମାଜିକ ବିକାଶ ପାଇଁ ମଧ୍ୟ ଲାଭଦାୟକ ହେବ । ଏହି ବିମାନ ସେବାର ସଫଳତା ଆମ ଦୁଇ ଦେଶ ପାଇଁ ଆନନ୍ଦର ବିଷୟ । ଏହି ସଂପର୍କକୁ ଆହୁରି ବିସ୍ତୃତ କରିବା, ସଂସ୍କାର ଆଣିବା ଏବଂ ସ୍ଥାୟୀ କରିବା ଦିଗରେ ଆହୁରି ପ୍ରଚେଷ୍ଟା କରିବା ନେଇ ଆଲୋଚନା କରିଥିଲୁ  ।

 

ବନ୍ଧୁଗଣ,

ଶ୍ରୀଲଙ୍କାର ବିକାଶ ପ୍ରଚେଷ୍ଟାରେ ଭାରତ ଏକ ବିଶ୍ୱସ୍ତ ଅଂଶୀଦାର । ବିଗତ ବର୍ଷ ଘୋଷଣା କରାଯାଇଥିବା ନୂତନ ଲାଇନ୍ସ ଅଫ କ୍ରେଡିଟ ଋଣ ସହାୟତାରୁ ଆମ ବିକାଶ ସହଯୋଗକୁ ଆହୁରି ଅଧିକ ସୁଦୃଢ କରିହେବ । ଆମେ ଅତ୍ୟନ୍ତ ଖୁସି ଯେ ଶ୍ରୀଲଙ୍କାର ଉତ୍ତର ଏବଂ ପୂର୍ବ କ୍ଷେତ୍ରରେ ବିସ୍ଥାପିତ ଲୋକମାନଙ୍କ ପାଇଁ 48,000ରୁ ଅଧିକ ଗୃହ ନିର୍ମାଣର ଇଣ୍ଡିଆନ ହାଉସିଂ ପ୍ରୋଜେକ୍ଟ ସଂପୂର୍ଣ୍ଣ କରାଯାଇଛି । ଏହା ବ୍ୟତୀତ ଅପ-କଣ୍ଟ୍ରୀ କ୍ଷେତ୍ରରେ ଭାରତୀୟ ବଂଶୋଦ୍ଭବ ତାମିଲ ଲୋକମାନଙ୍କ ପାଇଁ ଅନେକ ହଜାର ଗୃହର ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ପ୍ରଧାନମନ୍ତ୍ରୀ ରାଜପକ୍ଷ ଏବଂ ମୁଁ ମତ୍ସ୍ୟଜୀବୀଙ୍କର ମାନବିକ ବିଷୟଗୁଡିକ ଉପରେ ଆଲୋଚନା କରିଥିଲୁ । ଏହି ବିଷୟର ପ୍ରଭାବ ଦୁଇ ଦେଶର ଲୋକମାନଙ୍କର ଜୀବନଜୀବିକା ଉପରେ ସିଧାସଳଖ ଭାବେ ପଡୁଛି । ସେଥିପାଇଁ, ଆମେ ଏହି ବିଷୟ ଉପରେ ଗଠନମୂଳକ ଏବଂ ମାନବୀୟ ଦୃଷ୍ଟିକୋଣରୁ ଜାରି ରଖିବା ପାଇଁ ସହମତି ଜଣାଇଛୁ  ।

ବନ୍ଧୁଗଣ,

ଶ୍ରୀଲଙ୍କାରେ ରି-କନସିଲିଏସନ ସମ୍ବନ୍ଧିତ ବିଷୟଗୁଡିକ ଉପରେ ଆମେ ଖୋଲା ମନରେ ଆଲୋଚନା କରିଥିଲୁ । ମୋର ବିଶ୍ୱାସ ଯେ ଶ୍ରୀଲଙ୍କା ସରକାର ୟୁନାଇଟେଡ ଶ୍ରୀଲଙ୍କାରେ ସମାନତା, ନ୍ୟାୟ, ଶାନ୍ତି ଏବଂ ସମ୍ମାନ ପାଇଁ ତାମିଲ ଲୋକମାନଙ୍କର ଆକାଂକ୍ଷାକୁ ସାକାର କରିବ । ସେଥିପାଇଁ ଏହା ଆବଶ୍ୟକ ଯେ ଶ୍ରୀଲଙ୍କା ସମ୍ବିଧାନରେ 13ତମ ସଂଶୋଧନ ଲାଗୁ କରିବା ସହିତ ରି-କନସିଲିଏସନ ପ୍ରକ୍ରିୟାକୁ ଆଗକୁ ଅଗ୍ରସର କରାଯିବ  ।

ବନ୍ଧୁଗଣ, ମୁଁ ପୁନର୍ବାର ପ୍ରଧାନମନ୍ତ୍ରୀ ରାଜପକ୍ଷଙ୍କୁ ଭାରତରେ ହାର୍ଦ୍ଦିକ ସ୍ୱାଗତ କରୁଛି । ମୋର ବିଶ୍ୱାସ ଯେ ତାଙ୍କର ଏହି ଯାତ୍ରା ଦ୍ୱାରା ଭାରତ ଏବଂ ଶ୍ରୀଲଙ୍କାର ମୈତ୍ରୀ ଏବଂ ବହୁବିଧ ସହଯୋଗ ଆହୁରି ଅଧିକ ମଜବୁତ ହେବ । ଏଥି ସହିତ ଦୁଇ ଦେଶ ମଧ୍ୟରେ କ୍ଷେତ୍ରୀୟ ଶାନ୍ତି ଏବଂ ସ୍ଥାୟିତ୍ୱ ପାଇଁ ସହଯୋଗ ମଧ୍ୟ ବୃଦ୍ଧି ହେବ ।

ବୋହମା ସ୍ଥୁତି,

ନନ୍ଦ୍ରୀ,

ଧନ୍ୟବାଦ !

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Standing for medical science, together with AIIMS

Media Coverage

Standing for medical science, together with AIIMS
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 8, 2026
April 08, 2026

Bold Vision, Tangible Wins: PM Modi’s India Leads in AI, EVs, Nuclear & Inclusive Entrepreneurship