ମହାମାନ୍ୟ ପ୍ରଧାନମନ୍ତ୍ରୀ ଆଣ୍ଡ୍ରୟୁ ହୋଲନେସ୍

ଦୁଇ ଦେଶର ପ୍ରତିନିଧିଦଳ

ଗଣମାଧ୍ୟମ ପ୍ରତିନିଧିଗଣ

ନମସ୍କାର

ପ୍ରଧାନମନ୍ତ୍ରୀ ହୋଲନେସ୍ ଓ ତାଙ୍କ ପ୍ରତିନିଧିଦଳଙ୍କୁ ଭାରତରେ ସ୍ୱାଗତ କରି ମୁଁ ବହୁତ ଖୁସି ହେଉଛି । ଜାମାଇକାର ପ୍ରଧାନମନ୍ତ୍ରୀ ପ୍ରଥମ ଥର ଆଜି ଦ୍ୱିପାକ୍ଷିକ ଗସ୍ତରେ ଆସିଛନ୍ତି । ତେଣୁ ଏହି ଯାତ୍ରା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ ହୋଲନେସ୍ ଦୀର୍ଘ ବର୍ଷ ଧରି ଭାରତର ମିତ୍ର ରହିଛନ୍ତି । ତାଙ୍କ ସହ ମିଶିବାର ସୁଯୋଗ ମୋତେ ଅନେକ ଥର ମିଳିଛି । ପ୍ରତ୍ୟେକ ଥର ତାଙ୍କ କଥାରେ ଭାରତ ସହ ସମ୍ପର୍କକୁ ମଜବୁତ୍ କରିବାର ପ୍ରତିବଦ୍ଧତା ଅନୁଭବ କରିଛି । ମୋର ବିଶ୍ୱାସ ରହିଛି ତାଙ୍କର ଯାତ୍ରା ଫଳରେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ସହିତ କାରିବିଆନ ଅଞ୍ଚଳ ସହ ସମ୍ପର୍କକୁ ନୂତନ ଦିଶା ଦେବ ।

 

ବନ୍ଧୁଗଣ

ଭାରତ ଓ ଜାମାଇକାର ସମ୍ପର୍କ ଆମର ସମାନ ଇତିହାସ, ସମାନ ଲୋକତାନ୍ତ୍ରିକ ମୂଲ୍ୟବୋଧ ଏବଂ ମଜବୁତ୍ ଜନସମ୍ପର୍କ ଉପରେ ଆଧାରିତ । ଆମର ସହଭାଗିତାକୁ ଚାରୋଟି ସି କଲଚର, କ୍ରିକେଟ, କମନୱେଲଥ୍ ଏବଂ କେରିକମ୍ (Culture, Cricket, Commonwealth, and CARICOM) ରେ ଆମେ ବର୍ଣ୍ଣନା କରିପାରିବା । ଆଜିର ବୈଠକରେ ପ୍ରତି କ୍ଷେତ୍ରରେ ସମ୍ପର୍କ ଦୃଢ଼ କରିବା ଉପରେ ଆମେ ଆଲୋଚନା କରିଛୁ । ଏ କ୍ଷେତ୍ରରେ କେତେକ ନୂତନ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା ହୋଇଛି । ଭାରତ ଓ ଜାମାଇକା ମଧ୍ୟରେ ବାଣିଜ୍ୟ ଓ ନିବେଶ ବୃଦ୍ଧି ହେଉଛି । ଜାମାଇକାର ବିକାଶ ରାସ୍ତାରେ ଭାରତ ସର୍ବଦା ଏକ ବିଶ୍ୱସନୀୟ ଏବଂ ପ୍ରତିବଦ୍ଧ ସହଯୋଗୀ ହୋଇ ରହିଛି । ଏ ଦିଗରେ ଆମର ସମସ୍ତ ପ୍ରଚେଷ୍ଟା ଜାମାଇକାର ଲୋକଙ୍କ ଆବଶ୍ୟକତା ଉପରେ ଆଧାରିତ । ଆଇଟେକ୍ (ITEC) ଏବଂ ଆଇସିସିଆର ସ୍କଲାରସିପ୍ ମାଧ୍ୟମରେ ଆମେ ଜାମାଇକାର ଲୋକଙ୍କ ଦକ୍ଷତା ବିକାଶ ଏବଂ କ୍ଷମତା ଗଠନ ଦିଗରେ ଯୋଗଦାନ ଦେଇଛୁ ।

ଡିଜିଟାଲ ମୌଳିକ ଢାଞ୍ଚା, ଲଘୁ ଉଦ୍ୟୋଗ, ଜୈବିକ ଜାଳେଣି, ନବାଚାର, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଭଳି କ୍ଷେତ୍ରରେ ଆମେ ଆମ ଅନୁଭବ ଜାମାଇକା ସହ ବାଣ୍ଟିବାକୁ ପ୍ରସ୍ତୁତ ଅଛୁ । ପ୍ରତିରକ୍ଷା କ୍ଷେତ୍ରରେ ଜାମାଇକା ସେନାକୁ ପ୍ର୍ରଶିକ୍ଷଣ ଏବଂ କ୍ଷମତା ଗଠନ ଦିଗରେ ଆମେ ଆଗେଇବୁ । ସଙ୍ଗଠିତ ଅପରାଧ, ନିଶା ଚୋରାଚାଲାଣ, ଆତଙ୍କବାଦ ଆମ ଉଭୟଙ୍କ ପାଇଁ ଆହ୍ୱାନ । ଆମେ ମିଳିମିଶି ଏହି ଆହ୍ୱାନର ସମ୍ମୁଖିନ ହେବାକୁ ସହମତ । ଅନ୍ତରୀକ୍ଷା କ୍ଷେତ୍ରରେ ଆମର ସଫଳ ଅନୁଭବକୁ ଆମେ ଜାମାଇକା ସହ ବାଣ୍ଟିବାରେ ଖୁସି ହେବୁ ।

 

ବନ୍ଧୁଗଣ

ଆଜିର ବୈଠକରେ ଆମେ ଅନେକ ବୈଶ୍ୱିକ ଓ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ଆଲୋଚନା କଲୁ । ପ୍ରତ୍ୟେକ ଉତ୍ତେଜନା ଓ ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ହୋଇପାରିବ ବୋଲି ଆମ ଉଭୟଙ୍କ ବିଶ୍ୱାସ । ଆମେ ମିଳିମିଶି ବୈଶ୍ୱିକ ଶାନ୍ତି ଓ ସ୍ଥିରତା ପାଇଁ ଆମର ପ୍ରଚେଷ୍ଟା ଜାରି ରଖିବୁ । ଜାତିସଂଘ ନିରାପତ୍ତା ପରିଷଦ ସମେତ ସମସ୍ତ ବୈଶ୍ୱିକ ସଂସ୍ଥାରେ ସୁଧାର ଆବଶ୍ୟକ ବୋଲି ଉଭୟ ଭାରତ ଓ ଜାମାଇକା ସହମତ । ଏହାକୁ ସମକାଳୀନ ରୂପ ଦେବାକୁ ଆମେ ଉଭୟେ ମିଳିମିଶି କାମ ଜାରି ରଖିବୁ ।

ବନ୍ଧୁଗଣ

ଭାରତ ଓ ଜାମାଇକା ମଧ୍ୟରେ ଏକ ବିଶାଳ ମହାସାଗର ଥିଲେ ମଧ୍ୟ ଆମର ମନ, ସଂସ୍କୃତି ଓ ଇତିହାସ ଆମକୁ ପରସ୍ପର ସହ ଯୋଡ଼ିଛି । ପ୍ରାୟ ୧୮୦ ବର୍ଷ ପୂର୍ବେ ଭାରତରୁ ଯେଉଁମାନେ ଜାମାଇକା ଯାଇଥିଲେ ସେମାନେ ଆମର ଲୋକଙ୍କ ସହ ଲୋକଙ୍କର ମଜବୁତ୍ ସମ୍ପର୍କର ଆଧାର ରଖିଥିଲେ । ଏବେ ଜାମାଇକାକୁ ନିଜର ଘର ଭାବୁଥିବା ୭୦ ହଜାର ପ୍ରବାସୀ ଭାରତୀୟ ପାରସ୍ପରିକ ସମ୍ପର୍କର ବଡ଼ ଉଦାହରଣ । ପ୍ରବାସୀ ଭାରତୀୟଙ୍କୁ ସମର୍ଥନ କରୁଥିବାରୁ ମୁଁ ପ୍ରଧାନମନ୍ତ୍ରୀ ହୋଲନେସ୍ ଓ ତାଙ୍କ ସରକାରଙ୍କୁ କୃତଜ୍ଞତା ଜଣାଉଛି ।

 

ଯେପରି ଭାରତର ଯୋଗ ଓ ଲୋକ ସଙ୍ଗୀତକୁ ଜାମାଇକା ଗ୍ରହଣ କରିଛି,ସେହିପରି ଜାମାଇକାର ‘ରେଗେ’ ଏବଂ ‘ଡାନ୍ସହାଲ’ ଭାରତରେ ମଧ୍ୟ ଲୋକପ୍ରିୟ ହେଉଛି । ଆଜି ହେଉଥିବା ସାଂସ୍କୃତିକ ଆଦାନପ୍ରଦାନ କାର୍ଯ୍ୟକ୍ରମ ଯୋଗୁ ଆମର ପାରସ୍ପରିକ ସମ୍ପର୍କ ଆହୁରି ବୃଦ୍ଧି ପାଇବ । ଆମେ ଦିଲ୍ଲୀରେ ଜାମାଇକା ଦୂତାବାସ ସମ୍ମୁଖ ରାସ୍ତାର ନାମ ‘ଜାମାଇକା ମାର୍ଗ’ରଖିବାକୁ ନିଷ୍ପତ୍ତି ନେଇଛୁ । ଏହି ରାସ୍ତା ଆଗାମୀ ଦିନର ପିଢ଼ିଙ୍କ ପାଇଁ ଆମର ଗଭୀର ମିତ୍ରତା ଓ ସହଯୋଗର ମାର୍ଗକୁ ବ୍ୟାପକ କରିବ ।

କ୍ରିକେଟ ପ୍ରେମୀ ଦେଶ ଭାବେ କ୍ରିକେଟ ଆମ ଦୁଇ ଦେଶ ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ଲିଙ୍କ୍ । ‘କଟନୀ ୱାଲ୍ସ’ଙ୍କ କିମ୍ବଦନ୍ତୀ ଫାଷ୍ଟ ବୋଲିଂ ହେଉ କିମ୍ବା ‘କ୍ରିସ୍ ଗେଲ’ଙ୍କ ଧୂଆଁଧାର ବ୍ୟାଟିଂ ହେଉ ଭାରତୀୟଙ୍କ ଜାମାଇକାର କିକେଟରଙ୍କ ପ୍ରତି ସ୍ୱତନ୍ତ୍ର ଭାବନା ରହିଛି । କ୍ରୀଡା କ୍ଷେତ୍ରରେ ଆମର ସମ୍ପର୍କ ବଢ଼ାଇବା ପାଇଁ ଆମେ ମଧ୍ୟ ଆଲୋଚନା କରିଛୁ । ମୋର ପୁରା ବିଶ୍ୱାସ ଆଜିକାର ଚର୍ଚ୍ଚାର ଫଳ ଆମର ସମ୍ପର୍କକୁ ‘ଉସେନ ବୋଲ୍ଟ’ ଠାରୁ ବି ଅଧିକ ଗତ ଦେବ ଏବଂ ଆମେ ନିରନ୍ତର ଭାବେ ଶୀର୍ଷକୁ ଛୁଉଁଥିବ ।

ମହାମାନ୍ୟ

ପୁଣି ଥରେ ଆପଣଙ୍କୁ ଓ ଆପଣଙ୍କ ପ୍ରତିନିଧିଦଳଙ୍କୁ ଭାରତରେ ବହୁତ ବହୁତ ସ୍ୱାଗତ

ବହୁତ ବହୁତ ଧନ୍ୟବାଦ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 06, 2026
August 06, 2026

New India Defies the Storm: Multi-Front Progress Under PM Modi