ମହାମହିମ ରାଷ୍ଟ୍ରପତି ଦିଶାନାୟକ ଜୀ,

ଉଭୟ ଦେଶର ପ୍ରତିନିଧି,

ଗଣମାଧ୍ୟମର ବନ୍ଧୁମାନେ,

ନମସ୍କାର !

ଆୟୁବୋୱାନ !

ୱନକ୍କମ !

ଆଜି ରାଷ୍ଟ୍ରପତି ଦିଶାନାୟକଙ୍କ ଦ୍ୱାରା 'ଶ୍ରୀଲଙ୍କା ମିତ୍ର ବିଭୂଷଣ' ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଏହି ପୁରସ୍କାର କେବଳ ମୋତେ ସମ୍ମାନିତ କରି ନାହିଁ, ବରଂ ୧୪୦ କୋଟି ଭାରତୀୟଙ୍କୁ ସମ୍ମାନିତ କରିଛି। ଏହା ଏକ ଶ୍ରଦ୍ଧାଞ୍ଜଳି । ଏହା ଭାରତ ଏବଂ ଶ୍ରୀଲଙ୍କାର ଜନସାଧାରଣଙ୍କ ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଗଭୀର ବନ୍ଧୁତାକୁ ପ୍ରତିଫଳିତ କରିଛି।

ଏହି ସମ୍ମାନ ପାଇଁ ମୁଁ ରାଷ୍ଟ୍ରପତି, ଶ୍ରୀଲଙ୍କା ସରକାର ଏବଂ ଶ୍ରୀଲଙ୍କାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି।

 

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ଭାବରେ ଏହା ମୋର ଚତୁର୍ଥ ଶ୍ରୀଲଙ୍କା ଗସ୍ତ। ୨୦୧୯ରେ ମୋର ପୂର୍ବ ଗସ୍ତ ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ ହୋଇଥିଲା । ସେତେବେଳେ ମୋର ଦୃଢ଼ ବିଶ୍ୱାସ ଥିଲା ଯେ ଶ୍ରୀଲଙ୍କା ଆଗକୁ ବଢ଼ିବ ଓ ଶକ୍ତିଶାଳୀ ହେବ।

ମୁଁ ଶ୍ରୀଲଙ୍କାବାସୀଙ୍କ ସାହସ ଏବଂ ଧୈର୍ଯ୍ୟକୁ ପ୍ରଶଂସା କରୁଛି। ଆଜି, ମୁଁ ଶ୍ରୀଲଙ୍କାକୁ ପ୍ରଗତି ପଥରେ ଅଗ୍ରସର ହେଉଥିବାର ଦେଖି ଅତ୍ୟନ୍ତ ଖୁସି ଅନୁଭବ କରୁଛି। ଭାରତ ପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ ଯେ, ଆମେ ଏକ ପ୍ରକୃତ ପଡ଼ୋଶୀ ଭାବରେ ନିଜର କର୍ତ୍ତବ୍ୟ ପାଳନ କରିଛୁ। ୨୦୧୯ର ଆତଙ୍କବାଦୀ ଆକ୍ରମଣ ହେଉ, କୋଭିଡ୍ ମହାମାରୀ ହେଉ, କିମ୍ବା ସାମ୍ପ୍ରତିକ ଅର୍ଥନୈତିକ ସଙ୍କଟ ହେଉ ପ୍ରତ୍ୟେକ ଅସୁବିଧା ସମୟରେ ଆମେ ଦୃଢ଼ ଭାବରେ ଶ୍ରୀଲଙ୍କାବାସୀଙ୍କ ସହିତ ଠିଆ ହୋଇଛୁ।

ମୋର ମହାନ ତାମିଲ ସନ୍ଥ ଥିରୁଭାଲ୍ଲୁଭରଙ୍କ କଥା ମନେ ପଡୁଛି । ସେ କହିଥିଲେ :

ସେୟାର କରିଆ ୟାବୁଲ

ନଟ ପିଣ

ଆଦୁ ପୁଲ

ବିଣେକ୍କରିୟ ୟାବୁଲ କାପୁ

ଅର୍ଥାତ୍ ଆହ୍ୱାନ ଓ ଶତ୍ରୁଙ୍କ ବିରୋଧରେ ଜଣେ ପ୍ରକୃତ ବନ୍ଧୁ ଏବଂ ତାର ବନ୍ଧୁତାର ଢାଲଠାରୁ ଅଧିକ ଶକ୍ତିଶାଳୀ ଆଉ କିଛି ନାହିଁ।

 

ବନ୍ଧୁଗଣ

ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରପତି ଦିଶାନାୟକ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତକୁ ବାଛିଥିଲେ। ତାଙ୍କର ପ୍ରଥମ ବିଦେଶୀ ଅତିଥି ହେବାର ସୌଭାଗ୍ୟ ମୋତେ ମିଳିଛି। ଏହା ଆମର ବିଶେଷ ସମ୍ପର୍କର ଗଭୀରତାର ପ୍ରତୀକ ।

ଆମର ପଡ଼ୋଶୀ ପ୍ରଥମ ନୀତି ଏବଂ ଭିଜନ 'ମହାସାଗର' ଦୁଇଟିଯାକରେ ଶ୍ରୀଲଙ୍କାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଗତ ଚାରି ମାସ ମଧ୍ୟରେ, ରାଷ୍ଟ୍ରପତି ଦିଶାନାୟକଙ୍କ ଭାରତ ଗସ୍ତ ପରଠାରୁ ଆମେ ସହଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛୁ।

ସାମପୁର ସୌର ଶକ୍ତି ପ୍ଲାଣ୍ଟ ଶ୍ରୀଲଙ୍କାକୁ ଶକ୍ତି ନିରାପତ୍ତା ହାସଲ କରିବାରେ ସାହାଯ୍ୟ କରିବ। ଏକ ମଲ୍ଟି-ପ୍ରଡକ୍ଟ ପାଇପଲାଇନ ନିର୍ମାଣ କରିବା ଏବଂ ତ୍ରିଙ୍କୋମାଲିକୁ ଏକ ଶକ୍ତି କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଯେଉଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ତା’ର ଲାଭ ସମସ୍ତ ଶ୍ରୀଲଙ୍କାବାସୀଙ୍କୁ ମିଳିବ। ଦୁଇ ଦେଶ ମଧ୍ୟରେ ଗ୍ରିଡ୍ ଇଣ୍ଟର-କନେକ୍ଟିଭିଟି ଚୁକ୍ତି ଦ୍ୱାରା ଶ୍ରୀଲଙ୍କା ପାଇଁ ବିଜୁଳି ରପ୍ତାନି କ୍ଷେତ୍ରରେ ମାର୍ଗ ଉନ୍ମୁକ୍ତ ହେବ।

ମୁଁ ଆନନ୍ଦିତ ଯେ ଆଜି ଶ୍ରୀଲଙ୍କାରେ ଧାର୍ମିକ ସ୍ଥଳପାଇଁ ୫ ହଜାର ସୌରଛାତ ବ୍ୟବସ୍ଥା ଉଦ୍‌ଘାଟିତ ହେବ। ଶ୍ରୀଲଙ୍କା ୟୁନିକ୍ ଡିଜିଟାଲ ପରିଚୟ ପ୍ରକଳ୍ପ ପାଇଁ ମଧ୍ୟ ଭାରତ ସହାୟତା ପ୍ରଦାନ କରିବ।

ବନ୍ଧୁଗଣ,

ଭାରତ 'ସବକା ସାଥ ସବକା ବିକାଶ'ର ପରିକଳ୍ପନାକୁ ଗ୍ରହଣ କରିଛି। ଆମେ ଆମର ପଡୋଶୀ ଦେଶର ପ୍ରାଥମିକତାକୁ ମଧ୍ୟ ଗୁରୁତ୍ୱ ଦେଇଥାଉ।

କେବଳ ଗତ ୬ ମାସ ମଧ୍ୟରେ ଆମେ ୧୦୦ ନିୟୁତ ଡଲାରରୁ ଅଧିକ ମୂଲ୍ୟର ଋଣକୁ ଅନୁଦାନରେ ପରିବର୍ତ୍ତିତ କରିଛୁ। ଆମର ଦ୍ୱିପାକ୍ଷିକ 'ଋଣ ପୁନର୍ଗଠନ ଚୁକ୍ତି' ଦ୍ୱାରା ଶ୍ରୀଲଙ୍କାବାସୀଙ୍କୁ ତୁରନ୍ତ ସହାୟତା ଓ ଆଶ୍ୱସ୍ତି ମିଳିପାରିବ। ଆଜି ଆମେ ସୁଧ ହାର ହ୍ରାସ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ। ଏହା ଭାରତ-ଶ୍ରୀଲଙ୍କାବାସୀଙ୍କ ମଧ୍ୟରେ ରହିଥିବା ଦୃଢ ସମ୍ପର୍କର ନିଦର୍ଶନ।

ପୂର୍ବପ୍ରଦେଶର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ, ପ୍ରାୟ ୨.୪ ବିଲିୟନ ଶ୍ରୀଲଙ୍କା ମୁଦ୍ରାର ଏକ ସହାୟତା ପ୍ୟାକେଜ୍ ପ୍ରଦାନ କରାଯିବ। ଆଜି ଆମେ କୃଷକଙ୍କ କଲ୍ୟାଣ ପାଇଁ ଶ୍ରୀଲଙ୍କାର ସର୍ବବୃହତ ଗୋଦାମକୁ ମଧ୍ୟ ଉଦଘାଟନ କରିଛୁ।

ଆସନ୍ତାକାଲି ଆମେ 'ମାହୋ-ଓମନ୍‌ଥାଇ' ରେଳ ଲାଇନର ଉଦଘାଟନ କରିବୁ ଏବଂ 'ମାହୋ-ଅନୁରାଧାପୁରମ୍‌' ସେକ୍ସନରେ ସିଗନାଲ ବ୍ୟବସ୍ଥାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବୁ। ଏଥିସହିତ କାଙ୍କେସନ୍ତୁରଇ ପୋର୍ଟର ଆଧୁନିକୀକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ।

ଶ୍ରୀଲଙ୍କାରେ ଥିବା ଭାରତୀୟ ବଂଶୋଦ୍ଭବ ତାମିଲ ସମ୍ପ୍ରଦାୟଙ୍କ ପାଇଁ ୧୦ ହଜାର ଘର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ। ଶ୍ରୀଲଙ୍କାର ୭୦୦ ଅତିରିକ୍ତ କର୍ମଚାରୀଙ୍କୁ ଭାରତରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଥିରେ ସଂସଦ ସଦସ୍ୟ, ନ୍ୟାୟପାଳିକା ସହ ଜଡିତ କର୍ମଚାରୀ, ଉଦ୍ୟୋଗୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଯୁବ ନେତା ମଧ୍ୟ ସାମିଲ ରହିବେ।

 

ବନ୍ଧୁଗଣ,

ଆମେ ବିଶ୍ୱାସ କରୁ ଯେ ଆମର ମିଳିତ ସୁରକ୍ଷା ସ୍ୱାର୍ଥ ରହିଛି। ଉଭୟ ଦେଶର ନିରାପତ୍ତା ପରସ୍ପର ସହ ଜଡ଼ିତ ଏବଂ ପରସ୍ପର ଉପରେ ନିର୍ଭରଶୀଳ।

ଭାରତର ସ୍ୱାର୍ଥ ପ୍ରତି ସମ୍ବେଦନଶୀଳତା ପାଇଁ ମୁଁ ରାଷ୍ଟ୍ରପତି ଦିଶାନାୟକଙ୍କୁ ଧନ୍ୟବାଦ ଜଣାଉଛି । ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୁଝାମଣାକୁ ଆମେ ସ୍ୱାଗତ କରୁଛୁ। କଲମ୍ବୋ ସୁରକ୍ଷା ସମ୍ମିଳନୀ ଏବଂ ଭାରତ ମହାସାଗରରେ ସୁରକ୍ଷା ସହଯୋଗ କ୍ଷେତ୍ରରେ ଆମେ ଏକାଠି କାମ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ।

ବନ୍ଧୁଗଣ,

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶତାବ୍ଦୀ ପୁରୁଣା ଆଧ୍ୟାତ୍ମିକ ଓ ଆତ୍ମୀୟତାଭରା ସମ୍ପର୍କ ରହିଛି।

ମୁଁ ଏହା କହି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି ଯେ, ୧୯୬୦ ମସିହାରେ ମୋ ନିଜ ରାଜ୍ୟ ଗୁଜୁରାଟର ଅରାବଳୀରେ ମିଳିଥିବା ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଦର୍ଶନ ପାଇଁ ଶ୍ରୀଲଙ୍କା ପଠାଯାଉଛି।

ତ୍ରିଙ୍କୋମାଲିର ଥିରୁକୋନେଶ୍ୱରମ ମନ୍ଦିରର ମରାମତିରେ ଭାରତ ସହଯୋଗ କରିବ। ଅନୁରାଧାପୁରମ୍‌ ମହାବୋଧୀ ମନ୍ଦିର ପରିସରରେ ପବିତ୍ର ସହର ଏବଂ ‘ନୁରେଲିଆ’ରେ ‘ସୀତା ଏଲିଆ ମନ୍ଦିର’ ନିର୍ମାଣରେ ମଧ୍ୟ ଭାରତ ସହଯୋଗ ଯୋଗାଇଦେବ।

ବନ୍ଧୁଗଣ,

ମତ୍ସ୍ୟଜୀବୀଙ୍କ ଜୀବିକା ସମ୍ବନ୍ଧୀୟ ପ୍ରସଙ୍ଗରେ ମଧ୍ୟ ଆମେ ଆଲୋଚନା କରିଥିଲୁ। ଏହି ପ୍ରସଙ୍ଗରେ ଏକ ମାନବିକ ଆଭିମୁଖ୍ୟ ସହିତ ଆଗକୁ ଅଗ୍ରସର ହେବା ପାଇଁ ଆମେ ରାଜି ହୋଇଛୁ। ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ ମୁକ୍ତ କରିବା ଏବଂ ସେମାନଙ୍କର ନୌକା ଫେରାଇବା ବିଷୟ ଉପରେ ମଧ୍ୟ ଆମେ ଗୁରୁତ୍ୱାରୋପ କରିଛୁ।

ଆମେ ଶ୍ରୀଲଙ୍କାରେ ପୁନଃନିର୍ମାଣ ଏବଂ ସମନ୍ୱୟ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ। ରାଷ୍ଟ୍ରପତି ଦିଶାନାୟକ ତାଙ୍କର ସମାବେଶୀ ଆଭିମୁଖ୍ୟ ବିଷୟରେ ମୋତେ କହିଥିଲେ। ଆମେ ଆଶା କରୁଛୁ ଯେ ଶ୍ରୀଲଙ୍କା ସରକାର ତାମିଲଙ୍କ ଆକାଂକ୍ଷା ପୂରଣ କରିବେ। ଶ୍ରୀଲଙ୍କାର ସମ୍ବିଧାନକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ଏବଂ ପ୍ରାଦେଶିକ ପରିଷଦ ନିର୍ବାଚନ ପରିଚାଳନା ଦିଗରେ ତାଙ୍କର ପ୍ରତିବଦ୍ଧତାକୁ ପୂରା କରିବେ।

 

ବନ୍ଧୁଗଣ,

ଭାରତ ଓ ଶ୍ରୀଲଙ୍କା ସମ୍ପର୍କ ପାରସ୍ପରିକ ବିଶ୍ୱାସ ଏବଂ ସଦ୍‌ଭାବନା ଉପରେ ଆଧାରିତ । ନିଜ ଲୋକମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ଏକାଠି ହୋଇ କାମ କରିବୁ।

ପୁଣି ଥରେ ରାଷ୍ଟ୍ରପତି ଦିଶାନାୟକଙ୍କୁ ତାଙ୍କ ଭବ୍ୟ ସ୍ୱାଗତ ପାଇଁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି। ମୋର ବିଶ୍ୱାସ ଅଛି ଯେ ଆଗାମୀ ଦିନରେ ଆମେ ଆମର ଭାଗିଦାରୀକୁ ନୂତନ ଶିଖରରେ ପହଞ୍ଚାଇବୁ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Domestic air passenger traffic to rise by 3-6 pc in this fiscal: ICRA

Media Coverage

Domestic air passenger traffic to rise by 3-6 pc in this fiscal: ICRA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 24, 2026
July 24, 2026

Aatmanirbhar in Action — Space, Missiles, EVs & Livelihoods Under PM Modi’s Watch