ଶ୍ରୀ ପେଜାବର ମଠର ପରମ ଶ୍ରଦ୍ଧେୟ ଶ୍ରୀ ବିଶ୍ୱେଶ ତୀର୍ଥ ସ୍ୱାମୀ ଜୀ,

ଶ୍ରୀ ବିଶ୍ୱ ପ୍ରସନ୍ନ ତୀର୍ଥ ସ୍ୱାମୀଜୀ,

ଶ୍ରୀ ରାଘବେନ୍ଦ୍ର ମଠର ଶ୍ରୀଶ୍ରୀ ସୁଭୁଧେନ୍ଦ୍ର ତୀର୍ଥ ସ୍ୱାମୀଜୀ

ଏବଂ ସେଠାରେ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଗଣ ।

ଭାରତରେ ଭକ୍ତି ଆନ୍ଦୋଳନ ସମୟର ସବୁଠୁ ବଡ଼ ଦାର୍ଶନିକମାନଙ୍କ ମଧ୍ୟରୁ ଜଣେ ସନ୍ଥ ଶ୍ରୀ ମାଧବାଚାର୍ଯ୍ୟଙ୍କ ସପ୍ତମ ଶତାବ୍ଦୀ ସମାରୋହରେ ଉପସ୍ଥିତ ହୋଇଥିବାରୁ ମୁଁ ଅଭିଭୂତ ହୋଇପଡ଼ିଛି ।

କାର୍ଯ୍ୟବ୍ୟସ୍ତତା କାରଣରୁ ମୁଁ ଉଡୁପି ଯାଇପାରିଲି ନାହିଁ । ଏଇ ଟିକିଏ ସମୟ ପୂର୍ବରୁ ଆଲିଗଡ଼ରୁ ଫେରିଛି । ଏହା ମୋର ପରମ ସୌଭାଗ୍ୟ ଯେ ଆପଣ ସମସ୍ତଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ସୁଅବସର ମୋତେ ଆଜି ମିଳିପାରିଛି ।

ମାନବ ଜାତିର ନୈତିକ ଏବଂ ଆଧ୍ୟାତ୍ମିକ ଉତ୍ଥାନ ନିମନ୍ତେ ଯେପରି ସନ୍ଥ ଶ୍ରୀ ମାଧବାଚାର୍ଯ୍ୟଙ୍କ ବାର୍ତ୍ତାର ପ୍ରଚାର ପ୍ରସାର କରାଯାଉଛି, ମୁଁ ସେଥିପାଇଁ ସମସ୍ତ ଆଚାର୍ଯ୍ୟଗଣ, ମନୀଷିଗଣଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ।

କର୍ଣ୍ଣାଟକର ପୂଣ୍ୟଭୂମିକୁ ମଧ୍ୟ ମୁଁ ପ୍ରଣାମ କରୁଛି, ଯେଉଁଠି ମାଧବାଚାର୍ଯ୍ୟଙ୍କ ଭଳି ଜଣେ ସନ୍ଥଙ୍କ ଆବିର୍ଭାବ ହୋଇଥିଲା, ସେଠି ଆଚାର୍ଯ୍ୟ ଶଙ୍କର ଏବଂ ଆଚାର୍ଯ୍ୟ ରାମାନୁଜଙ୍କ ଭଳି ପୂଣ୍ୟାତ୍ମାମାନଙ୍କ ବିଶେଷ ସ୍ନେହ ମଧ୍ୟ ମିଳିପାରିଥିଲା ।

ଉଡୁପି ଶ୍ରୀ ମାଧବାଚାର୍ଯ୍ୟଙ୍କ ଜନ୍ମଭୂମି ଏବଂ କର୍ମଭୂମି ଥିଲା । ଶ୍ରୀ ମାଧବାଚାର୍ଯ୍ୟ ନିଜ ପ୍ରସିଦ୍ଧ ଗୀତାଭାଷ୍ୟ ଉଡୁପିର ଏହି ପବିତ୍ର ଭୂମିରେ ରଚନା କରିଥିଲେ ।
ଶ୍ରୀ ମାଧବାଚାର୍ଯ୍ୟ ଏଠାକାର କୃଷ୍ଣ ମନ୍ଦିରର ପ୍ରତିଷ୍ଠାତା ଥିଲେ । ତେଣୁ ଏହି ମନ୍ଦିରରେ ପ୍ରତିଷ୍ଠିତ କୃଷ୍ଣ ମୂର୍ତ୍ତି ପ୍ରତି ମୋର ବିଶେଷ ସମ୍ପର୍କ ରହିଛି । ଉଡୁପି ପ୍ରତି ମୋର ବିଶେଷ ଆଗ୍ରହ ରହିଆସିଛି । ମୋତେ ଅନେକ ଥର ଉଡୁପି ଯିବାର ସୁଯୋଗ ମିଳିଛି । 1968 ଠାରୁ ଆରମ୍ଭ କରି 4 ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ଉଡୁପି ମ୍ୟୁନିସିପାଲ କର୍ପୋରେସନର ଦାୟିତ୍ୱ ଭାରତୀୟ ଜନତା ପାର୍ଟି ଏବଂ ଭାରତୀୟ ଜନସଂଘ ସମ୍ଭାଳିଥିଲା । 1968ରେ ଉଡୁପି ପ୍ରଥମ ଥର ମ୍ୟୁନିସିପାଲ କର୍ପୋରେସନ ଭାବେ ହାତରେ ମଇଳା ସଫା କରିବା କାର୍ଯ୍ୟ ଉପରେ ନିଷେଧାଜ୍ଞା ଲଗାଇଥିଲା । 1984 ଏବଂ 1989 ରେ ଦୁଇ ଥର ଉଡୁପି ସ୍ୱଚ୍ଛତା ନିମନ୍ତେ ସମ୍ମାନିତ ହୋଇଥିଲା । ସ୍ୱଚ୍ଛତା ପ୍ରତି, ମାନବୀୟ ମୂଲ୍ୟବୋଧ ପ୍ରତି ଜନଶକ୍ତି ଜାଗୃତ କରିବା ଦିଗରେ ଆମର ପ୍ରତିଶ୍ରୁତିବଦ୍ଧତାର ଏକ ଜୀବନ୍ତ ଉଦାହରଣ ହେଉଛି ଏହି ସହର ।

ମୁଁ ଦୁଇ ଗୁଣା ଖୁସି ଯେ ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ୱେସ ତୀର୍ଥ ସ୍ୱାମୀଜୀ ସ୍ୱୟଂ ଉପସ୍ଥିତ ଅଛନ୍ତି ।

8ବର୍ଷର ଛୋଟ ବୟସରୁ ସନ୍ନ୍ୟାସ ନେବା ପରେ ନିଜ ଜୀବନର 80 ବର୍ଷ ମଧ୍ୟରେ ସେ ନିଜ ଦେଶ ପାଇଁ, ନିଜ ସମାଜକୁ ମଜଭୂତ କରିବାରେ ବିତାଇ ଦେଇଛନ୍ତି । ଦେଶର କୋଣ ଅନୁକୋଣରେ ଅଶିକ୍ଷା, ଗୋରକ୍ଷା, ଜାତିବାଦ ବିରୋଧରେ ସେ ଅଭିଯାନ ଚଳାଇଆସିଛନ୍ତି ।

ସ୍ୱାମୀଜୀଙ୍କ ପୂଣ୍ୟ କର୍ମ କାରଣରୁ ତାଙ୍କୁ ପଞ୍ଚମ ପର୍ଯ୍ୟାୟ ନିମନ୍ତେ ସୁଯୋଗ ମିଳିଛି । ଏଭଳି ସନ୍ଥ ପୁରୁଷଙ୍କ ମୁଁ ପ୍ରଣାମ କରୁଛି ।

ଭାଇ ଓ ଭଉଣୀମାନେ,

ଆମ ଦେଶର ଇତିହାସ ହଜାର ହଜାର ବର୍ଷ ପୁରୁଣା । ହଜାର ବର୍ଷର ଇତିହାସକୁ ଏକତ୍ର କରି ଆମ ଦେଶରେ ସମୟ ସହିତ ପରିବର୍ତ୍ତନ ଆସିଛି । ବ୍ୟକ୍ତିଗତ ସ୍ତରରେ ପରିବର୍ତ୍ତନ, ସମାଜରେ ପରିବର୍ତ୍ତନ । କିନ୍ତୁ ସମୟ ବିତିବା ସହିତ କେତେକ କଳୁଷତା ଆମ ସମାଜରେ ବ୍ୟାପିଯାଇଛି ।
ତେବେ ଆମ ସମାଜର ବିଶେଷତ୍ୱ ହେଉଛି ଯେତେବେଳେ ବି କଳୁଷତା ବ୍ୟାପିଛି, ସମାଜକୁ ସୁଧାରିବା ଲାଗି କେହି ନା କେହି କାର୍ଯ୍ୟ ଆରମ୍ଭ କରିଛି । ଦିନେ ଏପରି ସମୟ ମଧ୍ୟ ଥିଲା ଯେତେବେଳେ ଆମ ସମାଜର ନେତୃତ୍ୱ ସାଧୁ-ସନ୍ଥଙ୍କ ହାତରେ ରହିଥିଲା । ଏହା ଭାରତୀୟ ସମାଜର ଅଦ୍ଭୂତ କ୍ଷମତା ଯେ ସମୟ ସମୟରେ ଆମକୁ ଦେବତୂଲ୍ୟ ମହାପୁରୁଷ ପ୍ରାପ୍ତ ହୋଇଛନ୍ତି, ଯେଉଁମାନେ ସମାଜର କଳୁଷତାକୁ ଚିହ୍ନିବା ସହ ସେଥିରୁ ମୁକ୍ତି ପାଇବାର ମାର୍ଗ ଦେଖାଇଛନ୍ତି ।

ଶ୍ରୀ ମାଧବାଚାର୍ଯ୍ୟ ମଧ୍ୟ ସେହିପରି ଜଣେ ସନ୍ଥ ଥିଲେ, ସମାଜ ସଂସ୍କାରକ ଥିଲେ, ନିଜ ସମୟର ଅଗ୍ରଦୂତ ଥିଲେ । ଏପରି ଅନେକ ଉଦାହରଣ ରହିଛି ଯେତେବେଳେ ସେ ପ୍ରଚଳିତ କୁପ୍ରଥା ବିରୋଧରେ, ନିଜର ମତ ରଖିଥିଲେ, ସମାଜକୁ ନୂଆ ମାର୍ଗ ଦେଖାଇଥିଲେ । ଯଜ୍ଞରେ ପଶୁ ବଳି ବନ୍ଦ କରିବାର ସାମାଜିକ ସୁଧାର ଶ୍ରୀ ମାଧବାଚାର୍ଯ୍ୟଙ୍କ ଭଳି ମହାନ ସନ୍ଥଙ୍କ ଅବଦାନ ଥିଲା ।

ଆମର ଇତିହାସ ସାକ୍ଷୀ ରହିଛି ଯେ ଆମ ସନ୍ଥମାନେ ଶହ ଶହ ବର୍ଷ ପୂର୍ବରୁ ସମାଜରେ ଯେଉଁ ଖରାପ ପରମ୍ପରା ଚାଲିଆସିଛି, ସେଥିରେ ସୁଧାର ଆଣିବା ନିମନ୍ତେ ଏକ ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସେମାନେ ଏହି ଜନଆନ୍ଦୋଳନକୁ ଭକ୍ତି ସହିତ ଯୋଡ଼ିଛନ୍ତି । ଭକ୍ତିର ଏହି ଆନ୍ଦୋଳନ ଦକ୍ଷିଣ ଭାରତ ଠାରୁ ପ୍ରଚଳିତ ହୋଇ ମହାରାଷ୍ଟ୍ର ଏବଂ ଗୁଜରାଟ ଦେଇ ଉତ୍ତର ଭାରତ ପର୍ଯ୍ୟନ୍ତ ବ୍ୟାପିଥିଲା ।

ସେହି ଭକ୍ତି ଯୁଗରେ, ସେହି କାଳଖଣ୍ଡରେ, ହିନ୍ଦୁସ୍ତାନର ପ୍ରତ୍ୟେକ କ୍ଷେତ୍ର, ପୂର୍ବ-ପଶ୍ଚିମ ଉତ୍ତର-ଦକ୍ଷିଣ, ପ୍ରତ୍ୟେକ ଦିଗରେ, ପ୍ରତ୍ୟେକ ଭାଷାଭାଷୀ ଅଞ୍ଚଳରେ ମନ୍ଦିର, ମଠରୁ ବାହାରି ଆମର ସନ୍ଥମାନେ ଏକ ଚେତନା ଜାଗ୍ରତ କରିବା ଲାଗି ପ୍ରୟାସ କରିଥିଲେ, ଭାରତର ଆତ୍ମାକୁ ଜଗାଇବାର ପ୍ରୟାସ କରିଥିଲେ ।
ଭକ୍ତି ଆନ୍ଦୋଳନର ଜ୍ୟୋତି ଦକ୍ଷିଣରେ ମାଧବାଚାର୍ଯ୍ୟ, ନିମ୍ବକାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ, ପଶ୍ଚିମରେ ମୀରାବାଇ, ଏକନାଥ, ତୁକାରାମ, ରାମଦାସ, ନରସୀ ମେହତା, ଉତ୍ତରରେ ରାମାନନ୍ଦ, କବୀର ଦାସ, ଗୋସ୍ୱାମୀ ତୁଳସୀଦାସ, ସୂରଦାସ, ଗୁରୁ ନାନକଦେବ, ସନ୍ତ ରୈଦାସ, ପୂର୍ବରୁ ଚୈତନ୍ୟ ମହାପ୍ରଭୁ ଏବଂ ଶଙ୍କରଦେବଙ୍କ ଭଳି ସନ୍ଥଙ୍କ ବିଚାର ଦ୍ୱାରା ସଶକ୍ତ ହୋଇଥିଲା । ଏହି ସନ୍ଥମାନଙ୍କ, ଏହି ମହାପୁରୁଷମାନଙ୍କ ପ୍ରଭାବ କାରଣରୁ ହିନ୍ଦୁସ୍ତାନ ସେ ସମୟରେ ଅନେକ ବିପତ୍ତି ସହି ସୁଦ୍ଧା ଆଗକୁ ବଢ଼ିପାରିଥିଲା, ନିଜକୁ ବଞ୍ଚାଇପାରିଥିଲା ।

ଆଦି ଶଙ୍କରାଚାର୍ଯ୍ୟ ଦେଶର 4 କୋଣକୁ ଯାତ୍ରା କରି ଲୋକମାନଙ୍କୁ ସାଂସାରିକତା ଠାରୁ ଊଦ୍ଧ୍ୱର୍କୁ ଉଠି ଈଶ୍ୱରଙ୍କ ଠାରେ ଲୀନ ହେବାର ରାସ୍ତା ଦେଖାଇଥିଲେ । ରାମାନୁଜାଚାର୍ଯ୍ୟ ବିଶିଷ୍ଟ ଦ୍ୱୈତବାଦର ବ୍ୟାଖ୍ୟା କରିଥିଲେ । ସେ ମଧ୍ୟ ଜାତିର ସୀମା ଠାରୁ ଉପରକୁ ଉଠି ଈଶ୍ୱରଙ୍କୁ ପାଇବାର ରାସ୍ତା ଦେଖାଇଥିଲେ ।
ସେ କହୁଥିଲେ କର୍ମ, ଜ୍ଞାନ ଏବଂ ଭକ୍ତି ଦ୍ୱାରା ଈଶ୍ୱରଙ୍କୁ ପ୍ରାପ୍ତ କରାଯାଇପାରିବ । ସେ ଦେଖାଇଥିବା ରାସ୍ତାରେ ଚାଲି ସନ୍ଥ ରାମାନନ୍ଦ ମଧ୍ୟ ସମସ୍ତ ଜାତି ଏବଂ ଧର୍ମର ଲୋକମାନଙ୍କୁ ନିଜର ଶିଷ୍ୟ ଭାବେ ଗ୍ରହଣ କରି ଜାତିବାଦ ଉପରେ କଡ଼ା ପ୍ରହାର କରିଥିଲେ ।

ସନ୍ଥ କବୀର ମଧ୍ୟ ଜାତିପ୍ରଥା ଏବଂ କର୍ମକାଣ୍ଡରୁ ସମାଜକୁ ମୁକ୍ତି ଦେବା ନିମନ୍ତେ ଅନେକ ପ୍ରୟାସ କରିଥିଲେ ।

ସେ କହୁଥିଲେ- “ପାନୀ କେରା ବୁଲବୁଲା-ଅସ ମାନସ କି ଜାତ…..”

ଜୀବନର ଏତେ ବଡ଼ ସତ୍ୟ ସେ ଏତେ ସହଜ ଶବ୍ଦରେ ଆମ ସମାଜ ସମ୍ମୁଖରେ ରଖିଥିଲେ ।

ଗୁରୁ ନାନକ ଦେବ କହୁଥିଲେ- “ମାନବ କି ଜାତ୍ ସଭୋ ଏକ ପହଚାନବୋ” ।

ସନ୍ଥ ବଲ୍ଲଭାଚାର୍ଯ୍ୟ ସ୍ନେହ ଏବଂ ପ୍ରେମରେ ମାର୍ଗରେ ଯାଇ ମୁକ୍ତିର ରାସ୍ତା ଦେଖାଇଥିଲେ ।

ଚୈତନ୍ୟ ମହାପ୍ରଭୁ ଅସ୍ପୃଶ୍ୟତା ବିରୋଧରେ ସମାଜକୁ ନୂଆ ମାର୍ଗ ଦେଖାଇଥିଲେ ।

ସନ୍ଥମାନଙ୍କର ଏହି ଶୃଙ୍ଖଳା – ଭାରତୀୟ ଜୀବନ୍ତ ସମାଜର ପ୍ରତିବିମ୍ବ, ପରିଣାମ । ସମାଜରେ ଯେଉଁସବୁ ସମସ୍ୟା ଆସିଛି, ତାହାର ଉତ୍ତର ଆଧ୍ୟାତ୍ମିକ ରୂପରେ ପ୍ରକଟ ହୋଇଛି । ଏହି କାରଣରୁ ସାରା ଦେଶରେ ବୋଧହୁଏ ଏମିତି କୌଣସି ଜିଲ୍ଲା କିମ୍ବା ଅଞ୍ଚଳ ନଥିବ ଯେଉଁଠି ଜଣେ ସନ୍ଥ ଜନ୍ମ ହୋଇନଥିବେ । ସନ୍ଥ, ଭାରତୀୟ ସମାଜିକ ପୀଡ଼ାର ଉପାୟ ହୋଇ ଉଭା ହୋଇଛନ୍ତି ।

ନିଜ ଜୀବନ, ନିଜ ଉପଦେଶ ଏବଂ ସାହିତ୍ୟ ମାଧ୍ୟମରେ ସେମାନେ ସମାଜ ସୁଧାରିବାର କାର୍ଯ୍ୟ କରିଛନ୍ତି ।

ଭକ୍ତି ଆନ୍ଦୋଳନ ସମୟରେ ଧର୍ମ, ଦର୍ଶନ ଏବଂ ସାହିତ୍ୟର ଏକ ତ୍ରିବେଣୀ ସଂଗମ ହୋଇଥିଲା, ଯାହା ଆଜି ମଧ୍ୟ ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି । ଏହି ସମୟରେ ରହୀମ୍ କହିଥିଲେ-

“ୱେ ରହୀମ୍ ନର ଧନ୍ୟ ହେ,

ପର ଉପକାରୀ ଅଙ୍ଗ,

ବାଣ୍ଟନ୍ ୱାରେ କୋ ଲଗେ

ଜ୍ୟୋଁ ମେହନ୍ଦୀ କୋ ରଙ୍ଗ…”

ଅର୍ଥାତ୍ ଯେପରି ମେହନ୍ଦୀ ଲଗାଉଥିବା ଲୋକ ହାତରେ ମେହନ୍ଦୀର ରଙ୍ଗ ଲଗାଇଥାଏ, ସେହିପରି ଯିଏ ପରୋପକାରୀ, ଅନ୍ୟକୁ ସାହାଯ୍ୟ କରିଥାଏ, ଅନ୍ୟର ଭଲ ପାଇଁ କାର୍ଯ୍ୟ କରିଥାଏ, ତାର ମଧ୍ୟ ଆପେ ଆପେ ଭଲ ହୋଇଥାଏ ।

ଭକ୍ତିକାଳର ସେହି ସମୟରେ ରସଖାନ, ସୂରଦାସ, ମଲିକ ମହମ୍ମଦ ଜାୟସୀ, କେଶବଦାସ, ବିଦ୍ୟାପତିଙ୍କ ଭଳି ଅନେକ ମହାନ ଆତ୍ମା ଜନ୍ମ ନେଇଥିଲେ ଯେଉଁମାନେ ନିଜ ବାଣୀ ଜରିଆରେ, ନିଜ ସାହିତ୍ୟ ଜରିଆରେ ସମାଜକୁ କେବଳ ଆଇନା ଦେଖାଇନଥିଲେ, ବରଂ ତା’କୁ ସୁଧାରିବା ଲାଗି ମଧ୍ୟ ପ୍ରୟାସ କରିଥିଲେ ।

ମନୁଷ୍ୟର ଜୀବନରେ କର୍ମ, ମଣିଷ ଆଚରଣର ଯେଉଁ ମହତ୍ତ୍ୱ ରହିଛି, ତା’କୁ ଆମର ସାଧୁ ସନ୍ଥ ସର୍ବଦା ସର୍ବୋପରି ରଖିଛନ୍ତି । ଗୁଜରାଟର ମହାନ ସନ୍ଥ ନରସୀ ମେହତା କହୁଥିଲେ – “ବାଚ-କାଛ-ମନ ନିଶ୍ଚଲ ରାଖେ, ପରଧନ ନବ ଝାଲେ ହାତରେ” ।

ଅର୍ଥାତ୍ ବ୍ୟକ୍ତି ନିଜ ଶବ୍ଦକୁ, ନିଜ କାର୍ଯ୍ୟକୁ ଏବଂ ନିଜର ଚିନ୍ତାଧାରାକୁ ସର୍ବଦା ପବିତ୍ର ରଖିବା ଆବଶ୍ୟକ ।

ନିଜ ହାତରେ ଅନ୍ୟର ଧନକୁ ଛୁଇଁବା ମଧ୍ୟ ଉଚିତ୍ ନୁହେଁ । ଆଜି ଯେତେବେଳେ ସାରା ଦେଶ କଳାଧନ ଏବଂ ଭ୍ରଷ୍ଟାଚାର ବିରୋଧରେ ଏତେବଡ଼ ଲଢ଼େଇ ଲଢ଼ୁଛି, ସେତେବେଳେ ଏପରି ଚିନ୍ତାଧାରା ଅତ୍ୟନ୍ତ ପ୍ରାସଙ୍ଗିକ ହୋଇପଡ଼ିଛି ।

ବିଶ୍ୱକୁ ଅନୁଭବ ମଣ୍ଟପ ବା ପ୍ରଥମ ସଂସଦର ମନ୍ତ୍ର ଦେଇଥିବା ମହାନ ସମାଜ ସଂସ୍କାରକ ବସେଶ୍ୱର ମଧ୍ୟ କହିଥିଲେ ଯେ ମନୁଷ୍ୟ ଜୀବନ ନିଃସ୍ୱାର୍ଥ କର୍ମଯୋଗ ଦ୍ୱାରା ହିଁ ଆଲୋକିତ ହେବ । ସାମାଜିକ ଏବଂ ବ୍ୟକ୍ତିଗତ ଆଚରଣରେ ସ୍ୱାର୍ଥ ଆସିବା ହିଁ ଭ୍ରଷ୍ଟାଚାରର ପ୍ରଥମ କାରଣ । ନିଃସ୍ୱାର୍ଥ କର୍ମଯୋଗକୁ ଯେତେ ପ୍ରୋତ୍ସାହନ ଦିଆଯିବ, ସେତିକି ହିଁ ସମାଜରୁ ଭ୍ରଷ୍ଟ ଆଚରଣ ମଧ୍ୟ କମ୍ ହୋଇଯିବ ।

ଶ୍ରୀ ମାଧବାଚାର୍ଯ୍ୟ ମଧ୍ୟ ସର୍ବଦା ଏହି କଥା ଉପରେ ଗୁରୁତ୍ୱରୋପ କରୁଥିଲେ ଯେ କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ,

ସମ୍ପୂର୍ଣ୍ଣ ସଚ୍ଚୋଟତାର କରାଯାଇଥିବା କାର୍ଯ୍ୟ, ପୂର୍ଣ୍ଣ ନିଷ୍ଠାର ସହ କରାଯାଇଥିବା କାର୍ଯ୍ୟ ଈଶ୍ୱରଙ୍କ ପୂଜା ଭଳି ହୋଇଥାଏ ।

ସେ କହୁଥିଲେ ଯେ ଯେପରି ଆମେ ସରକାରଙ୍କୁ ଟିକସ ଦେଉଛୁ, ସେହିପରି ଆମେ ମାନବସମାଜର ସେବା କଲେ, ତାହା ଈଶ୍ୱରଙ୍କୁ ଟିକସ ଦେବା ଭଳି ହୋଇଥାଏ ।

ଆମେ ଗର୍ବର ସହିତ କହିପାରିବା ଯେ ହିନ୍ଦୁସ୍ତାନ ନିକଟରେ ଏଭଳି ମହାନ ପରମ୍ପରା ରହିଛି,

ଏପରି ମହାନ ସନ୍ଥ-ମୁନି ଜନ୍ମ ନେଇଛନ୍ତି, ଋଷି-ମୁନି, ମହାପୁରୁଷ ଜନ୍ମ ନେଇଛନ୍ତି ଯେଉଁମାନେ ନିଜ ତପସ୍ୟା, ନିଜ ଜ୍ଞାନର ଉପଯୋଗ ରାଷ୍ଟ୍ରର ଭାଗ୍ୟ ବଦଳାଇବା ନିମନ୍ତେ, ରାଷ୍ଟ୍ରର ନିର୍ମାଣ ନିମନ୍ତେ କରିଛନ୍ତି ।

ଆମର ସନ୍ଥମାନେ ସମ୍ପୂର୍ଣ୍ଣ ସମାଜକୁ :

ଜାତିରୁ ଜଗତ ଆଡ଼କୁ

ସ୍ୱ’ ରୁ ସମଷ୍ଟି ଆଡ଼କୁ

ଅହମ୍ ଠାରୁ ବୟମ୍ ଆଡ଼କୁ

ଜୀବ ଠାରୁ ଶିବ ଆଡ଼କୁ

ଜୀବାତ୍ମା ଠାରୁ ପରମାତ୍ମା ଆଡ଼କୁ ଯିବା ଲାଗି ପ୍ରେରଣା ଦେଇଛନ୍ତି ।

ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ, ରାଜା ରାମମୋହନ ରାୟ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଜ୍ୟୋତିବା ଫୁଲେ, ଡକ୍ଟର ଭୀମରାଓ ଆମ୍ବେଦକର, ମହାତ୍ମା ଗାନ୍ଧୀ, ପାଣ୍ଡୁରଙ୍ଗା ଶାସ୍ତ୍ରୀ ଆଠୱଲେ, ବିନୋବା ଭାବେଙ୍କ ଭଳି ଅଗଣିତ ସନ୍ଥ ପୁରୁଷମାନେ ଭାରତର ଆଧ୍ୟାତ୍ମିକ ଧାରାକୁ ସର୍ବଦା ଚେତନାମୟ ରଖିଥିଲେ । ସମାଜରେ ଚାଲି ଆସିଥିବା କୁପରମ୍ପରା ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ।

ଜାତି ଭେଦ ଦୂର କରିବା ଠାରୁ ଆରମ୍ଭ କରି ଜନଜାଗୃତି ପର୍ଯ୍ୟନ୍ତ; ଭକ୍ତି ଠାରୁ ଆରମ୍ଭ କରି ଜନଶକ୍ତି ପର୍ଯ୍ୟନ୍ତ;

ସତୀଦାହ ପ୍ରଥାକୁ ରୋକିବା ଠାରୁ ଆରମ୍ଭ କରି ସ୍ୱଚ୍ଛତା ବୃଦ୍ଧି ପର୍ଯ୍ୟନ୍ତ; ସାମାଜିକ ସମରସତା ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ;

ସ୍ୱାସ୍ଥ୍ୟ ଠାରୁ ନେଇ ସାହିତ୍ୟ ପର୍ଯ୍ୟନ୍ତ

ସେମାନେ ନିଜ ପ୍ରଭାବ ଛାଡ଼ିଯାଇଛନ୍ତି, ଜନମତ ବଦଳାଇଛନ୍ତି ।

ଏହି ମହାନ ବିଭୂତିମାନେ ଦେଶକୁ ଏପରି ଏକ ଶକ୍ତି ଦେଇଛନ୍ତି, ଯାହା ଅଦ୍ଭୂତ, ଅତୁଳନୀୟ ।

ଭାଇ ଓ ଭଉଣୀମାନେ

ସାମାଜିକ କଳୁଷତା ଦୂର କରିବା ଲାଗି ଏପରି ମହାନ ସନ୍ଥ ପରମ୍ପରା କାରଣରୁ ହିଁ ଆମେ ଶହ ଶହ ବର୍ଷ ଧରି ନିଜର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିପାରିଛୁ । ଏପରି ମହାନ ସନ୍ଥ ପରମ୍ପରାଙ୍କ କାରଣରୁ ହିଁ ଆମେ ରାଷ୍ଟ୍ରୀୟ ଏକୀକରଣ ଏବଂ ରାଷ୍ଟ୍ର ନିର୍ମାଣର ଅବଧାରଣାକୁ ସାକାର କରିପାରିଛୁ ।

ଏପରି ସନ୍ଥ କୌଣସି ଯୁଗ ମଧ୍ୟରେ ସୀମିତ ରହିନାହାନ୍ତି, ବରଂ ପ୍ରତ୍ୟେକ ଯୁଗରେ ନିଜର ପ୍ରଭାବ ବିସ୍ତାର କରିପାରିଛନ୍ତି ।

ଆମ ଦେଶକୁ ସନ୍ଥମାନେ ସର୍ବଦା ସମାଜକୁ ଏହି କଥା ନିମନ୍ତେ ପ୍ରେରଣା ଦେଇଛନ୍ତି ଯେ ପ୍ରତ୍ୟେକ ଧର୍ମ ଠାରୁ ଊଦ୍ଧ୍ୱର୍ରେ ଯଦି କୌଣସି ଧର୍ମ ଥାଏ ତାହା ମାନବ ଧର୍ମ ।

ଆଜି ଆମ ଦେଶ, ଆମ ସମାଜ ସମ୍ମୁଖରେ ନାନା ସମସ୍ୟା ରହିଛି । ଏହି ସମସ୍ୟାର ମୁକାବିଲା କରିବା ଦିଗରେ ସନ୍ଥ ସମାଜ ଏବଂ ମଠର ବଡ଼ ଯୋଗଦାନ ରହିଛି । ସ୍ୱଚ୍ଛତା ହିଁ ଈଶ୍ୱର ବୋଲି ସନ୍ଥ ସମାଜ କହିଲେ, ତାହାର ପ୍ରଭାବ ସରକାରଙ୍କ କୌଣସି ଅଭିଯାନ ଠାରୁ ଅଧିକ ହୋଇଥାଏ ।
ଆର୍ଥିକ ରୂପରେ ସ୍ୱଚ୍ଛତାର ପ୍ରେରଣା ମଧ୍ୟ ଏହି ଠାରୁ ମିଳିଥାଏ । ଭ୍ରଷ୍ଟ ଆଚରଣ ଯଦି ବର୍ତ୍ତମାନ ସମାଜ ପାଇଁ ସମସ୍ୟା, ତା’ହେଲେ ତା’ର ଉପାୟ ଆଧୁନିକ ସନ୍ଥ ସମାଜ ହିଁ ଦେଇପାରିବ ।

ପରିବେଶ ସଂରକ୍ଷଣରେ ମଧ୍ୟ ସନ୍ଥ ସମାଜର ବଡ଼ ଭୂମିକା ରହିଛି । ଆମ ସଂସ୍କୃତିରେ ବୃକ୍ଷକୁ ଚେତନ ବୋଲି ଗ୍ରହଣ କରାଯାଇଛି,ଜୀବନଯୁକ୍ତ ବୋଲି ଗ୍ରହଣ କରାଯାଇଛି ।

ପରେ ଭାରତର ଜଣେ ସୁପୁତ୍ର ମହାନ ବୈଜ୍ଞାନିକ ଡକ୍ଟର ଜଗଦୀଶ ଚନ୍ଦ୍ର ବୋଷ ଏହାକୁ ଦୁନିଆ ସମ୍ମୁଖରେ ପ୍ରମାଣିତ ମଧ୍ୟ କରିପାରିଥିଲେ ।

ହେଲେ ଏଥିପୂର୍ବରୁ ଦୁନିଆ ଏହାକୁ ଗ୍ରହଣ କରୁନଥିଲା,ଆମକୁ ପରିହାସ କରୁଥିଲା ।

ଆମ ପାଇଁ ପ୍ରକୃତି ମା’ ଭଳି, ଦୁହିଁବା ନିମନ୍ତେ ନୁହେଁ, ସେବା ନିମନ୍ତେ । ଆମର ଏଠି ବୃକ୍ଷ ନିମନ୍ତେ ନିଜ ଜୀବନ ବଳିଦାନ ଦେବାର ପରମ୍ପରା ରହିଛି । ଡାଳ ଭାଙ୍ଗିବା ପୂର୍ବରୁ ମଧ୍ୟ ପ୍ରାର୍ଥନା କରାଯାଇଥାଏ । ଜୀବ-ଜନ୍ତୁ ଏବଂ ବନସ୍ପତି ପ୍ରତି ସମ୍ବେଦନଶୀଳ ହେବା ଲାଗି ଆମକୁ ପିଲାଦିନୁ ଶିକ୍ଷା ଦେଇଥାଏ ।
ଆମେ ପ୍ରତ୍ୟେକ ଦିନ ଆରତୀ ପରେ ଶାନ୍ତି ମନ୍ତ୍ରରେ ବନସ୍ପତୟଃ ଶାନ୍ତି, ଆପଃ ଶାନ୍ତି କହିଥାଉ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ସମୟ ସହିତ ଏହି ପରମ୍ପରା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଆଜି ସନ୍ଥ ସମାଜକୁ ଏହି ଦିଗରେ ମଧ୍ୟ ଅଧିକ ପ୍ରୟାସ କରିବାକୁ ହେବ । ଯାହା ଆମର ଗ୍ରନ୍ଥରେ, ଆମର ପରମ୍ପରାର ଅଂଶବିଶେଷ ରହିଛି, ଏହାକୁ କାମରେ ଲଗାଇପାରିଲେ ହିଁ କ୍ଲାଇମେଟ୍ ଚେଞ୍ଜ ବା ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା କରିହେବ ।

ଆଜି ମଧ୍ୟ ଆପଣ ଦେଖନ୍ତୁ, ସମ୍ପୂର୍ଣ୍ଣ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଲୋକମାନେ ଯେତେବେଳେ ଜୀବନ ଜିଇଁବାରେ କୌଣସି ପ୍ରକାର ବାଧାର ସମ୍ମୁଖୀନ ହୋଇଥାନ୍ତି, ସେତେବେଳେ ବିଶ୍ୱର ନଜର ଭାରତର ସଂସ୍କୃତି ଏବଂ ସଭ୍ୟତା ଉପରେ ଦୃଷ୍ଟିବଦ୍ଧ ହୋଇଥାଏ ।

ଏକପ୍ରକାର କହିବାକୁ ଗଲେ ବିଶ୍ୱର ସମସ୍ତ ସମସ୍ୟାର ଉତ୍ତର ଭାରତୀୟ ସଂସ୍କୃତିରେ ରହିଛି । ଏହା ଭାରତରେ ସହଜରେ ସ୍ୱୀକାର୍ଯ୍ୟ ଯେ ଏକ ଈଶ୍ୱରକୁ ଅନେକ ରୂପରେ ଜାଣି ଏବଂ ପୂଜା କରି ହୋଇଥାଏ । ଋକ ବେଦରେ କୁହାଯାଇଛି ଯେ-

“ଏକମ୍ ସତ୍ ବିପ୍ରା ବହୁଧା ବଦନ୍ତି…” ଗୋଟିଏ ହିଁ ପରମସତ୍ୟକୁ ଭିନ୍ନ ଭିନ୍ନ ନାମରେ ସ୍ମରଣ କରାଯାଇଥାଏ । ବିବିଧତାକୁ ଆମେ କେବଳ ସ୍ୱୀକାର କରିନାହୁଁ ତାହାର ଉତ୍ସବ ମଧ୍ୟ ପାଳନ କରିଛୁ ।

ଆମେ ବସୁଧୈବ କୁଟୁମ୍ବକମ୍… ସମଗ୍ର ପୃଥିବୀକୁ ଗୋଟିଏ ପରିବାର ଭାବେ ବିବେଚନା କରୁଥିବା ଲୋକ । ଆମେ କହିଥାଉ – “ସହନା ଭବତୁ- ସହ ନୌଭୁନକ୍ତୁ…” ସମସ୍ତଙ୍କ ପୋଷଣ ହେଉ, ସମସ୍ତଙ୍କୁ ଶକ୍ତି ମିଳୁ, କେହି କାହା ପ୍ରତି ଦ୍ୱେଷ ନରଖୁ । କଠୋରତାର ଏହା ହିଁ ସମାଧାନ । ଆତଙ୍କର ମୂଳରେ ଏହି କଠୋରତା ବିଦ୍ୟମାନ ରହିଛି ଯେ ମୋ ମାର୍ଗ ହିଁ ସଠିକ୍ । ଯେତେବେଳେ କି ଭାରତରେ କେବଳ ସିଦ୍ଧାନ୍ତ ରୂପରେ ନୁହେଁ ବ୍ୟବହାରିକ ରୂପରେ ମଧ୍ୟ ଅନେକ ଉପାସନାର ଲୋକମାନେ ଶହ ଶହ ବର୍ଷ ଧରି ସାଥୀ ହୋଇ ରହିଆସୁଛନ୍ତି । ଆମେ ସର୍ବପନ୍ଥ ସମଭାବକୁ ମାନୁଥିବା ଲୋକ ।
ମୁଁ ଭାବେ ଯେ ଆଜି ଏହି ଯୁଗରେ ଆମେ ସମସ୍ତେ ମିଶି ରହୁଛୁ, ସମାଜରେ ବ୍ୟାପିଥିବା କଳୁଷତା ଦୂର କରିବା ଲାଗି ପ୍ରୟାସ କରୁଛୁ, ଦେଶର ବିକାଶ ନିମନ୍ତେ ଯତ୍ନଶୀଳ ଅଛୁ, ଏହାର ଏକମାତ୍ର କାରଣ ହେଉଛି ସାଧୁସନ୍ଥଙ୍କ ଦ୍ୱାରା ପ୍ରଦର୍ଶିତ କର୍ମ ଏବଂ ଭକ୍ତିର ପ୍ରେରଣା ।

ଆଜି ସମୟର ଆହ୍ୱାନ ଏହା ଯେ ପୂଜା ପାଉଥିବା ଦେବତାଙ୍କ ଭଳି ରାଷ୍ଟ୍ରଦେବଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଉ, ପୂଜାରେ ନିଜ ଇଷ୍ଟଦେବଙ୍କ ସହିତ ଭାରତମାତାଙ୍କୁ ପୂଜା କରାଯାଉ । ଅଶିକ୍ଷା, ଅଜ୍ଞାନତା, କୁପୋଷଣ, କଳାଧନ, ଭ୍ରଷ୍ଟାଚାର ଭଳି ଯେଉଁ କଳୁଷତା ଭାରତମାତାକୁ ଜାବୁଡ଼ି ଧରିଛି ସେଥିରୁ ଆମ ଦେଶକୁ ମୁକ୍ତ କରିବା ନିମନ୍ତେ ସନ୍ଥ ସମାଜ ହିଁ ଦେଶକୁ ମାର୍ଗ ଦେଖାଉଛନ୍ତି ।

ମୁଁ ଏହା ଆଶା କରେ ଯେ ଆପଣମାନେ ସମସ୍ତେ ଆଧ୍ୟାତ୍ମ ମାଧ୍ୟମରେ ଆମ ଦେଶର ପ୍ରାଣଶକ୍ତିକୁ ଜନଜନଙ୍କୁ ଅନୁଭବ କରାଇଚାଲିଥିବେ । “ବୟମ୍ ଅମୃତସ୍ୟ ପୁତ୍ରାହା”ର ଅନୁଭବ ଦ୍ୱାରା ଜନଶକ୍ତିକୁ ଆହୁରି ମଜଭୂତ କରିଚାଲିଥବେ । ମୁଁ ନିଜର ଏହି ବକ୍ତବ୍ୟ ସହିତ ଆପଣମାନଙ୍କ ପ୍ରତି କୃତଜ୍ଞତା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ !!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
State Visit of Prime Minister to Seychelles
June 28, 2026

As part of Prime Minister Shri Narendra Modi’s State Visit to Seychelles from 27-29 June 2026, Prime Minister and the President of Seychelles, H.E. Dr. Patrick Herminie today held official talks at the State House in Victoria, Mahe.

The talks covered the full spectrum of bilateral relations, with the leaders agreeing to further strengthen cooperation in health, education, capacity building, digital transformation, sustainable development, social infrastructure, renewable energy, maritime security and defence. They also exchanged views on regional and global developments, including challenges in the Indian Ocean region, such as illegal fishing, drug trafficking and piracy. Both leaders expressed satisfaction at the progress made in the implementation of projects and initiatives under the Special Economic Package announced by India. Prime Minister reaffirmed India’s commitment to supporting the development priorities of Seychelles and to further deepen the close and enduring partnership between the two countries.

Following the official talks, both leaders released a joint commemorative logo marking 50 years of the establishment of diplomatic relations between the two countries. Several MoUs/agreements in the fields of Capacity Building, UPI, Health, Agriculture, Shipping, Space, Extradition and Line of Credit were exchanged thereafter. The amount of the Line of Credit stands at INR 1250 crores. The full list of MoUs/agreements may be seen here [link]. In addition, several announcements in the fields of food security, infrastructure, health, vocational training, maritime security and defence were made in support of the development needs of Seychelles. The details of these announcements may be seen here [link]. Seychelles also announced that it is joining the Coalition for Disaster Resilient Infrastructure [CDRI].

Later in the day, Prime Minister addressed an Extraordinary Sitting of the National Assembly of Seychelles, becoming the first Indian Prime Minister to do so. In his address, he highlighted the historical bonds of friendship between India and Seychelles and underscored the shared values of democracy, rule of law and people-centric governance that guide the two countries. He noted that mutual trust and close cooperation have shaped a robust partnership spanning development cooperation, maritime security, technology, innovation, health and capacity building. Prime Minister also called for enhanced parliamentary exchanges between the two democracies. The full address of Prime Minister may be seen here [link]

The Leader of Opposition of Seychelles, H.E. Mr. Bernard Georges, also called on Prime Minister. The two leaders discussed India-Seychelles bilateral ties and conveyed their strong support to further build the special friendship between the two countries.