ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ଅନୁଷ୍ଠିତ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ସେପ୍ଟେମ୍ବର 25, 2019କୁ କାରାବିଆନ ଦେଶ ସମୂହ (କାରିକମ)ର ନେତାମାନଙ୍କ ସହ ଅଲଗା ବୈଠକ କରିଥିଲେ । ଏହି ବୈଠକରେ କାରିବିଆନ ଦେଶ ଏବଂ ଭାରତର ଐତିହାସିକ ତଥା ମଧୁର ସମ୍ପର୍କରେ ଏକ ନୂତନ ଗତି ଦେଖିବାକୁ ମିଳିଥିଲା । ସେଣ୍ଟ ଲୁସିଆର ପ୍ରଧାନମନ୍ତ୍ରୀ ତଥା କାରିକମର ବର୍ତ୍ତମାନର ଅଧ୍ୟକ୍ଷ ଆଲେନ ଚାଷ୍ଟନେଟ ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଆଣ୍ଟିଗୁଆ ଓ ବାରବୁଡା, ବାରବାଡୋସ, ଡୋମିନିକା, ଜାମାଇକା, ସେଣ୍ଟ କିଟ୍ସ ଆଣ୍ଡ ଦି ଗ୍ରେନେଡାଇନ୍ସ, ତ୍ରିନିଦାଦ ଓ ଟବାଗୋର ଶାସନାଧ୍ୟକ୍ଷ, ସୁରୀନାମର ଉପରାଷ୍ଟ୍ରପତି ଏବଂ ବାହାମାସ, ବେଲିଜ, ଗ୍ରେନାଡା, ହାଇତି ଓ ଗୁଏନାର ବୈଦେଶିକ ମନ୍ତ୍ରୀମାନେ ଭାଗ ନେଇଥିଲେ ।

ଏହା କ୍ଷେତ୍ରୀୟ ସ୍ତରରେ କାରିକମ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ବୈଠକ ଥିଲା ଯେଉଁଥିରେ କେବଳ ଦ୍ୱିପାକ୍ଷିକ ନୁହେଁ ବରଂ କ୍ଷେତ୍ରୀୟ ସନ୍ଦର୍ଭରେ ମଧ୍ୟ ଭାରତ ଓ କାରିବିଆନ ଭାଗିଦାର ଦେଶମାନଙ୍କ ମଧ୍ୟରେ ସମ୍ବନ୍ଧକୁ ପ୍ରଗାଢ଼ ଓ ଗଭୀର କରିବା ନେଇ ଆଲୋକପାତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ କାରିକମ ସହିତ ରାଜନୈତିକ, ଆର୍ଥିକ ଏବଂ ସାଂସ୍କୃତିକ ସମ୍ବନ୍ଧକୁ ମଜଭୁତ କରିବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସେ କାରିବିଆନ ଦେଶମାନଙ୍କ ସହିତ ବନ୍ଧୁତ୍ୱର ଏକ ଜୀବନ୍ତ ଏବଂ ସ୍ଥାୟୀ ଶୃଙ୍ଖଳ ଭାବେ ସେଠାକାର ଦଶ ଲକ୍ଷରୁ ଉର୍ଦ୍ଧ୍ଵ ଭାରତୀୟ ପ୍ରବାସୀମାନଙ୍କ ଉପସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ବୈଠକରେ ରାଜନୈତିକ ଏବଂ ସଂସ୍ଥାଗତ ଆଲୋଚନା ପ୍ରକ୍ରିୟାକୁ ମଜଭୁତ କରିବା, ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବା, ବ୍ୟବସାୟ ଓ ନିବେଶ ବୃଦ୍ଧି କରିବା ତଥା ଦୁଇ ଦେଶର ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ଅଧିକ ବ୍ୟାପକ କରିବା ନେଇ ବିଚାରବିମର୍ଶ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ କ୍ଷମତା ନିର୍ମାଣ, ବିକାଶ କାର୍ଯ୍ୟରେ ସହାୟତା ଏବଂ ବିପର୍ଯ୍ୟୟ ପରିଚାଳନାରେ କାରିକମ ଦେଶମାନଙ୍କ ସହିତ ଭାଗିଦାରୀ ଉପରେ ଜୋର ଦେଇଥିଲେ । ସେ କାରିକମ ଦେଶମାନଙ୍କୁ ଆନ୍ତର୍ଜାତିକ ସୌର ମେଣ୍ଟ ଏବଂ ବିପର୍ଯୟ ନିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ କାରବିଆନ କ୍ଷେତ୍ରରେ ବିଶେଷ କରି ବହାମାସରେ ସାମୁଦ୍ରିକ ଝଡ ଡୋରିଅନ ଦ୍ୱାରା ହୋଇଥିବା ବିପର୍ଯ୍ୟୟ ଉପରେ ତାଙ୍କର ସମବେଦନା ବ୍ୟକ୍ତ କରିଥିଲେ । ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଭାରତ ତୁରନ୍ତ ଏକ ମିଲିଅନ ଆମେରିକୀୟ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିଛି ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କାରିକମରେ ସାମୂହିକ ବିକାଶ ପ୍ରକଳ୍ପ ପାଇଁ 14 ମିଲିଅନ ଆମେରିକୀୟ ଡଲାର ଏବଂ ସୌର, ଅକ୍ଷୟ ଶକ୍ତି ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧିତ ପ୍ରକଳ୍ପ ଲାଗି 150 ମିଲିଅନ ଡଲାରର ଲାଇନ ଅଫ କ୍ରେଡିଟର ଘୋଷଣା କରିଥିଲେ । ସେ ଏହି ଦେଶମାନଙ୍କରେ ଭାରତ ଦ୍ୱାରା ପାଣ୍ଠି ଯୋଗାଣ କେନ୍ଦ୍ରକୁ ଉନ୍ନତ କରି ଜର୍ଜଟାଉନ, ଗୁଏନାରେ ଆଞ୍ଚଳିକ ସୂଚନା ପ୍ରାଦ୍ୟୋଗିକୀ କେନ୍ଦ୍ର ତଥା ଗୁଏନା ଓ ବେଲିଜରେ ଆଞ୍ଚଳିକ ବ୍ୟବସାୟିକ ପ୍ରଶିକ୍ଷଣ କେନ୍ଦ୍ରର ପ୍ରତିଷ୍ଠା ପାଇଁ ମଧ୍ୟ ଘୋଷଣା କରିଥିଲେ । ଭାରତୀୟ ପକ୍ଷ କାରିକମ ଦେଶର ଆବଶ୍ୟକତା ଅନୁରୂପ ସେଠାରେ କ୍ଷମତା ନିର୍ମାଣ ପାଠ୍ୟକ୍ରମ, ପ୍ରଶିକ୍ଷଣ ତଥା ଭାରତୀୟ ବିଶେଷଜ୍ଞମାନଙ୍କ ନିଯୁକ୍ତି ଉପରେ ମଧ୍ୟ ସହମତି ବ୍ୟକ୍ତ କରିଥିଲେ । ସେ ନିକଟ ଭବିଷ୍ୟତରେ ଭାରତ ଗସ୍ତ ପାଇଁ କାରିକମର ଏକ ସଂସଦୀୟ ପ୍ରତିନିଧି ମଣ୍ଡଳକୁ ମଧ୍ୟ ଆମନ୍ତ୍ରିତ କରିଥିଲେ ।

କାରିକମ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଦୁଇ ପକ୍ଷଙ୍କ ମଧ୍ୟରେ ବୁଝାମଣା ଓ ସହଯୋଗକୁ ମଜଭୁତ କରିବା ପାଇଁ ପ୍ରସ୍ତାବିତ ପଦକ୍ଷେପର ସ୍ୱାଗତ କରିଥିଲେ ଏବଂ ନିଜ ନିଜର ସରକାରଙ୍କ ତରଫରୁ ଏହାକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବା ନେଇ ଆଶ୍ୱାସନା ପ୍ରଦାନ କରିଥିଲେ । ଏହି ଅବସରରେ ଦୁଇ ପକ୍ଷ ମଧ୍ୟରେ ସହଯୋଗକୁ ତ୍ୱରାନ୍ୱିତ କରିବା ଲାଗି ଉପାୟ ନିମନ୍ତେ ଏକ ମିଳିତ କାର୍ଯ୍ୟ ଗୋଷ୍ଠୀ ଗଠନ କରିବାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up

Media Coverage

Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 24, 2026
August 24, 2026

Beyond Announcements: Real Milestones Proving India’s Rise Across Defence, Tech & Economy Under the Leadership of PM Modi