ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଫେବୃଅ।ରୀ, 2021 ରେ ତାମିଲନାଡୁ ଏବଂ କେରଳ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ 11.15 ସମୟରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଚେନ୍ନାଇଠାରେ ସେନାକୁ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ (MK-1A) ହସ୍ତାନ୍ତର କରିବେ । ଅପରାହ୍ନ ପ୍ରାୟ ତିନିଟାରେ ପ୍ରଧାନମନ୍ତ୍ରୀ କୋଚି ଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡିକ ସମ୍ପୃକ୍ତ ରାଜ୍ୟର ଅଭିବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ ଗତି ଯୋଗାଇବ ଏବଂ ପୂର୍ଣ୍ଣ ବିକାଶ ସମ୍ଭାବନା ହାସଲ କରିବାର ଗତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ।

ତାମିଲନାଡୁରେ ପ୍ରଧାନମନ୍ତ୍ରୀ

3770 କୋଟି ଟଙ୍କା ବ୍ୟୟରେ ଶେଷ ହୋଇଥିବା ଚେନ୍ନାଇ ମେଟ୍ରୋ ରେଳ ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣକୁ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବେ ଏବଂ ୱାସରମେନ୍‍ପେଟ୍‍ ଠାରୁ ୱିମ୍‍କୋନଗର ପର୍ଯ୍ୟନ୍ତ ଯାତ୍ରୀ ସେବାକୁ କାର୍ଯ୍ୟକାରୀ କରିବେ । ଏହି 9.05 କିଲୋମିଟର ଦୀର୍ଘ ସମ୍ପ୍ରସାରଣ ଉତ୍ତର ଚେନ୍ନାଇ ସହିତ ବିମାନବନ୍ଦର ଏବଂ କେନ୍ଦ୍ରୀୟ ରେଳ ଷ୍ଟେସନକୁ ସଂଯୋଗ କରିବ ।

ଚେନ୍ନାଇ ବିଚ୍ ଏବଂ ଆଟିପାଟ୍ଟୁ ମଧ୍ୟରେ ଚତୁର୍ଥ ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । 293.40 କୋଟି ଟଙ୍କା ବ୍ୟୟରେ ର୍ନିମିତ ଏହି 22.1 କିଲୋମିଟର ଲାଇନ୍‍ ଚେନ୍ନାଇ ଏବଂ ଥିରୁଭାଲୁର ଜିଲ୍ଲା ଦେଇ ଚେନ୍ନାଇ ବନ୍ଦରରୁ ଯାତାୟାତକୁ ସହଜ କରିବ । ଏହି ରେଳଲାଇନ୍‍ ଚେନ୍ନାଇ ବନ୍ଦର ଏବଂ ଏନନୋର ବନ୍ଦରକୁ ସଂଯୋଗ କରିଛି ଏବଂ ପ୍ରମୁଖ ପଥ ଦେଇ ଯାଉଥିବାରୁ ରେଳ ଚଳାଚଳକୁ ସୁଗମ କରିଥାଏ ।

ପ୍ରଧାନମନ୍ତ୍ରୀ ଭିଲୁପୁରମ୍ - କୁଡାଲୋର - ମାୟିଲାଡୁଥୁରାଇ – ତାଞ୍ଜାଭୁର ଏବଂ ମାୟିଲାଦୁଥୁରାଇ-ଥିରୁଭାରୁର ଏକକ ରେଳ ଲାଇନର ବିଦ୍ୟୁତିକରଣକୁ ମଧ୍ୟ ଉଦ୍‍ଘାଟନ କରିବେ । ଏହି 228 କିଲୋମିଟର ଦୈର୍ଘ୍ୟ ବିଦ୍ୟୁତିକରଣ କାର୍ଯ୍ୟ 423 କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଚେନ୍ନାଇ ଏଗମୋର ଏବଂ କନ୍ୟାକୁମାରୀ ମଧ୍ୟରେ ଲାଇନ୍‍ ପରିବର୍ତ୍ତନ ନକରି ରେଳ ଚଳାଚଳ ସହଜ ହେବ ଏବଂ ଦୈନିକ ପ୍ରାୟ 14.61 ଲକ୍ଷ ଟଙ୍କାର ଇନ୍ଧନ ସଞ୍ଚୟ ହେବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅତ୍ୟାଧୁନିକ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ (MK-1A)କୁ ଭାରତୀୟ ସେନାକୁ ହସ୍ତାନ୍ତର କରିବେ । ଏହି ଯୁଦ୍ଧ ଟ୍ୟାଙ୍କକୁ 15 ଟି ଏକାଡେମିକ୍ ଅନୁଷ୍ଠାନ, 8 ଟି ପରୀକ୍ଷାଗାର ଏବଂ ଅନେକ MSME ସହିତ CVRDE, DRDO ଦ୍ୱାରା ସ୍ୱଦେଶୀ ଭାବରେ ଡିଜାଇନ୍‌, ବିକଶିତ ଏବଂ ଉତ୍ପାଦିତ କରାଯାଇଛି ।

ଗ୍ରାଣ୍ଡ ଆନିକଟ କେନାଲ ସିଷ୍ଟମର ସମ୍ପ୍ରସାରଣ, ନବୀକରଣ ଏବଂ ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ତଳିଆ ଜିଲ୍ଲାଗୁଡ଼ିକରେ ଜଳସେଚନ ପାଇଁ ଏହି କେନାଲ ଗୁରୁତ୍ୱପୂର୍ଣ୍ଣ । ଏହି କେନାଲର ଆଧୁନିକୀକରଣ 2640 କୋଟି ଟଙ୍କା ବ୍ୟୟରେ କରାଯିବ ଏବଂ ଏହା କେନାଲଗୁଡିକର ଜଳ ପରିବହନ କ୍ଷମତାରେ ଉନ୍ନତି ଆଣିବ ।

ଆଇଆଇଟି ମାଡ୍ରାସର ଡିସ୍‍କଭରୀ କ୍ୟାମ୍ପସ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଚେନ୍ନାଇ ନିକଟସ୍ଥ ଥୟୁର ଠାରେ ଏହି କ୍ୟାମ୍ପସ 2ଲକ୍ଷ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ ଏବଂ ପ୍ରଥମ ପର୍ଯ୍ୟାୟରେ ଆନୁମାନିକ 1000 କୋଟି ଟଙ୍କା ବ୍ୟୟର ଆକଳନ ହୋଇଛି ।

ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

କେରଳରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବିପିସିଏଲର ପ୍ରୋପିଲିନ୍ ଡେରିଭେଟିଭ୍ ପେଟ୍ରୋକେମିକାଲ୍ ପ୍ରୋଜେକ୍ଟ (PDPP)କୁ ଦେଶ ପାଇଁ ଉତ୍ସର୍ଗ କରିବେ । ଏହି କାରଖାନା ଆକ୍ରିଲେଟ୍‍ସ, ଆକ୍ରିଲିକ୍ ଏସିଡ୍ ଏବଂ ଓକ୍ସୋ-ଆଲକୋହଲ୍ ଉତ୍ପାଦନ କରିବ, ଯାହା ବର୍ତ୍ତମାନ ମୁଖ୍ୟତ ଆମଦାନୀ ହେଉଛି ଏବଂ ବାର୍ଷିକ ପ୍ରାୟ 3700 ରୁ 4000 କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହେବ ବୋଲି ଆଶା କରାଯାଉଛି । ପ୍ରାୟ 6000 କୋଟି ଟଙ୍କାର ପୁଞ୍ଜି ବ୍ୟୟରେ ର୍ନିମିତ ଏହି ପିଡିପିପି କମ୍ପେ୍ଲକ୍ସ ବିଶୋଧନାଗାର ନିକଟରେ କଞ୍ଚାମାଲ ଯୋଗାଣ, ବ୍ୟବହାର୍ଯ୍ୟ, ପାରିପାର୍ଶିକ ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ଏକୀକରଣ ହାସଲ କରିବାକୁ ସ୍ଥାପନ ହୋଇଛି । କଞ୍ଚାମାଲ ଏବଂ ଯୋଗାଣ ଶୃଙ୍ଖଳାର ଅନୁକୂଳ ପରିଚାଳନା ପରିପ୍ରେକ୍ଷୀରେ ବିପୁଳ ଖର୍ଚ୍ଚ ସଞ୍ଚୟ କରିବାରେ ଏହା ଆନୁଷଙ୍ଗିକ ଶିଳ୍ପଗୁଡିକୁ ଲାଭ ଦେଉଛି । ଏହା ସ୍ଥାପନ ସହିତ, କୋଚି ବିଶୋଧନାଗାର ଉତ୍ତମ ପେଟ୍ରୋକେମିକାଲ୍ ଉତ୍ପାଦନ କରୁଥିବା ପ୍ରଥମ ଭାରତୀୟ ବିଶୋଧନାଗାର ହୋଇପାରିଛି ।

କୋଚିନ ସ୍ଥିତ ୱିଲିଙ୍ଗଡନ୍ ଦ୍ୱୀପପୁଞ୍ଜରେ ରୋ-ରୋ ଜାହାଜକୁ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ସର୍ଗ କରିବେ । ଭାରତୀୟ ଜଳପଥ ପ୍ରାଧିକରଣ ଜାତୀୟ ଜଳପଥ- 3 ରେ ବୋଲଗାଟୀ ଏବଂ ୱିଲିଙ୍ଗଡନ୍ ଦ୍ୱୀପ ମଧ୍ୟରେ ଦୁଇଟି ନୂତନ ରୋଲ୍ ଅନ୍ / ରୋଲ୍ ଅଫ୍ ଜାହାଜ ନିୟୋଜିତ କରିବେ । ରୋ-ରୋ ଜାହାଜ, ଏମଭି ଆଦିଶଙ୍କର ଏବଂ ଏମଭି ସିଭି ରମଣ, ତିନୋଟି 20ଫୁଟ ଟ୍ରକ, ତିନିଟି 20 ଫୁଟ ଟ୍ରଲର ଟ୍ରକ, ତିନୋଟି 40 ଫୁଟ ଟ୍ରେଲର ଟ୍ରକ ଏବଂ ପ୍ରତ୍ୟେକରେ 30 ଜଣ ଯାତ୍ରୀ ପରିବହନ କରିବାର କ୍ଷମତା ରହିବ । ଏହାଦ୍ୱାରା ପରିବହନ ମୂଲ୍ୟ ଏବଂ ଗମନାଗମନ ସମୟ ହ୍ରାସ ହେତୁ ଏହି ସେବା ବ୍ୟବସାୟିକ ଲାଭଦାୟକ ହେବ ଏବଂ କୋଚି ରାସ୍ତାରେ ଯାତାୟାତ ମଧ୍ୟ ହ୍ରାସ ପାଇବ ।

 

କୋଚିନ୍ ବନ୍ଦରରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ‘ସାଗାରିକା’ ର ଉଦଘାଟନ କରିବେ । ୱିଲିଙ୍ଗଡନ୍ ଦ୍ୱୀପରେ ଥିବା ଏର୍ନାକୁଲମ୍ ୱାର୍ଫରେ ଏହା ଭାରତର ପ୍ରଥମ ପୂର୍ଣ୍ଣ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ଅଟେ । ଏହାର ଅତ୍ୟାଧୁନିକ ସୁବିଧା ରହିଛି ଏବଂ 25.72 କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି । ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ, ବିକାଶକୁ ପୋତ୍ସାହନ ଦେବ ଏବଂ ରୋଜଗାର ସୃଷ୍ଟି, ରାଜସ୍ୱ ଏବଂ ବୈଦେଶିକ ମୁଦ୍ରା ପାଇଁ ଏକ ପ୍ରଭାବଶାଳୀ ଉପକରଣ ଭାବରେ କାର୍ଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ମେରାଇନ ଇଞ୍ଜିନିୟରିଂ ତାଲିମ ପ୍ରତିଷ୍ଠାନ, ବିଜ୍ଞାନ ସାଗର, କୋଚିନ୍ ଶିପିୟାର୍ଡ ଲିମିଟେଡକୁ ମଧ୍ୟ ଉଦଘାଟନ କରିବେ । ଏହା ହେଉଛି ଅଗ୍ରଣୀ ସାମୁଦ୍ରିକ ତାଲିମ କେନ୍ଦ୍ର ଏବଂ ଦେଶର ଏକମାତ୍ର ସାମୁଦ୍ରିକ ପ୍ରତିଷ୍ଠାନ ଯାହାକି ଗୋଟିଏ ସିପ୍‍ୟାର୍ଡ ମଧ୍ୟରେ ପ୍ରତିଷ୍ଠା ହେବା ସହିତ ନିର୍ମାଣ ଏବଂ ମରାମତି ପାଇଁ ଆସୁଥିବା ଜାହଜର ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରିଥାଏ । 27.5 କୋଟି ଟଙ୍କାର ପୁଞ୍ଜି ମୂଲ୍ୟରେ ର୍ନିମିତ ଏହି ଅନୁଷ୍ଠାନର 114 ଜଣ ସ୍ନାତକୋତ୍ତର ଗ୍ରହଣ କରିବାର କ୍ଷମତା ଅଛି । ଏହା ଭାରତ ତଥା ବିଦେଶରେ ସାମୁଦ୍ରିକ ଶିଳ୍ପ ଆବଶ୍ୟକତା ପୂରଣ କରିବା ପାଇଁ ସାମୁଦ୍ରିକ ଯନ୍ତ୍ରୀ ଏବଂ କର୍ମଚାରୀଙ୍କ ପ୍ରତିଭା ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ କୋଚିନ୍ ବନ୍ଦରରେ ଦକ୍ଷିଣ କୋଇଲା ବର୍ଥର ପୁନଃ ର୍ନିମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ସାଗରମାଳା ଯୋଜନା ଅଧୀନରେ ପ୍ରାୟ 19.19 କୋଟି ଟଙ୍କା ବ୍ୟୟରେ ଏହାର ପୁନଃ ର୍ନିମାଣ କରାଯାଉଛି । ସମାପ୍ତ ହେବା ପରେ, କୋଚିନ୍ ବନ୍ଦରରେ ରାସାୟନିକ ସାମଗ୍ରୀ ପରିବହନ ପାଇଁ ଏକ ଉତ୍ସର୍ଗୀକୃତ ବର୍ଥିଂ ସୁବିଧା ଉପଲବ୍ଧ ହେବ । ବର୍ଥର ପୁନଃର୍ନିମାଣ ମାଲପରିବହନକୁ ଶୀଘ୍ର ଏବଂ ଦକ୍ଷ ଭାବରେ ପରିଚାଳନା ସହିତ ବ୍ୟୟ ହ୍ରାସ କରିବ ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କ ସହ କେରଳର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"Overwhelmed By The Warmth": PM Modi Receives Grand Welcome In Uzbekistan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi