ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍‌ ଲେଖିଛନ୍ତି । ମା’ଙ୍କ ସହ ବିତାଇଥିବା ପିଲାଦିନର କିଛି ସ୍ବତନ୍ତ୍ର ମୁହୂର୍ତ୍ତର ସେ ସ୍ମୃତିଚାରଣ କରିଛନ୍ତି । ତାଙ୍କ ମା’ ଅନେକ ବଳିଦାନ ଦେଇଥିବା ପିଲା ଦିନରୁ ସେ ଦେଖି ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତାଙ୍କ ମନ, ବ୍ୟକ୍ତିତ୍ବ ଏବଂ ଆତ୍ମବିଶ୍ବାସକୁ ରୂପ ଦେବାରେ ତାଙ୍କ ମା’ଙ୍କର ବିଭିନ୍ନ ଗୁଣାବଳୀ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

‘‘ଆଜି ମୁଁ ନିଜର ଖୁସି, ନିଜର ସୌଭାଗ୍ୟ, ଆପଣମାନଙ୍କ ସହିତ ବାଣ୍ଟିବା ଲାଗି ଚାହୁଁଛି । ମୋ ମା’, ହୀରାବା ଆଜି ନିଜ ଜୀବନର ୧୦୦ତମ ବର୍ଷରେ ପ୍ରବେଶ କରୁଛନ୍ତି, ତାଙ୍କର ଜନ୍ମ ଶତବାର୍ଷିକୀ ବର୍ଷ ଆରମ୍ଭ ହେଉଛି’’, ପ୍ରଧାନମନ୍ତ୍ରୀ ଲେଖିଛନ୍ତି ।

ସହନଶୀଳତାର ପ୍ରତୀକ

ପିଲା ଦିନେ ତାଙ୍କ ମା’ ସହିଥିବା କଷ୍ଟଯନ୍ତ୍ରଣା ବିଷୟରେ ସ୍ମୃତିଚାରଣ କରି, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ମୋ ମା’ ଯେତିକି ସାଧାରଣ, ସେତିକି ଅସାଧାରଣ ମଧ୍ୟ । ଠିକ୍‌ ସେମିତି, ଯେମିତି ସବୁ ପରିବାରରେ ମା’ ମାନେ ହୋଇଥାନ୍ତି ।’’ ଖୁବ ଅଳ୍ପ ବୟସରେ ପ୍ରଧାନମନ୍ତ୍ରୀଙ୍କ ମା’ ତାଙ୍କ ମାତାଙ୍କୁ ହରାଇଥିଲେ । ସେ କହିଛନ୍ତି, ଆଈଙ୍କ ମୁହଁ, ତାଙ୍କର କୋଳ, ଏସବୁ କିଛି କଥା ମା’ଙ୍କର ମନେ ନାହିଁ । ଆପଣମାନେ ଚିନ୍ତା କରନ୍ତୁ, ମୋ ମା’ଙ୍କ ପିଲାଦିନ ମା’ର କୋଳ ବିନା ବିତିଥିଲା ।’’

ପ୍ରଧାନମନ୍ତ୍ରୀ ତାଙ୍କ ପିଲାଦିନ କଥା ମନେ ପକାଇ କହିଛନ୍ତି ଯେ, ବଡ଼ନଗରରେ ସେମାନେ ଏକ ଛୋଟିଆ ଘରେ ରହୁଥିଲେ ଯାହାକି ମାଟି କାନ୍ଥ ଏବଂ ଟାଇଲ ଛପର ଘର ଥିଲା । ସେଠାରେ ମାତାପିତା ଓ ଭାଇଭଉଣୀଙ୍କ ସହ ସେ ରହୁଥିଲେ । ଦୈନନ୍ଦିନ ଜୀବନରେ ତାଙ୍କ ମା’ ଅନେକଗୁଡ଼ିଏ ପ୍ରତିକୂଳ ପରିସ୍ଥିତିର ସମ୍ମୁଖିନ ହୋଇଥିଲେ, କିନ୍ତୁ ସଫଳତାର ସହ ସବୁ ବାଧା ସେ ଦୂର କରିପାରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ, ତାଙ୍କ ମା’ ନିଜେ ସବୁ ଘରକରଣା କାମ କରିବା ସହିତ ପରିବାରର ଆୟରେ ସହାୟତା ପାଇଁ ରୋଜଗାର ମଧ୍ୟ କରୁଥିଲେ । ସେ କିଛି ଲୋକଙ୍କ ଘରେ ବାସନ ମାଜୁଥିଲେ ଏବଂ ଘର ଖର୍ଚ୍ଚ ତୁଲାଇବା ପାଇଁ ସମୟ ବାହାର କରି ଚରଖା ମଧ୍ୟ ଚଲାଉଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ କଥା ମନେ ପକାଇ କହିଛନ୍ତି ଯେ, ‘‘ବର୍ଷା ଦିନେ ଆମ ଘର ଭିତରେ ଚାରି ଆଡ଼ୁ ପାଣି ଗଳୁଥିଲା । ଘର ସାରା ପାଣି ଖେଳିଯିବା, କାନ୍ଥ ନଷ୍ଟ ହୋଇଯିବାର ଡରରେ, ମା’ ମାଟି ଉପରେ ବାସନକୁସନ ରଖି ଦେଉଥିଲେ । ଛାତରୁ ଗଳୁଥିବା ପାଣି ସେଥିରେ ଏକତ୍ରିତ ହେଉଥିଲା । ସେଭଳି ପରିସ୍ଥିତିରେ ସୁଦ୍ଧା ମୋ ମା’ ସହନଶୀଳତାର ପ୍ରତୀକ ଥିଲେ ।’’

ସଫେଇ କର୍ମଚାରୀଙ୍କ ପ୍ରତି ଗଭୀର ସମ୍ମାନ

ସ୍ବଚ୍ଛତା ପ୍ରତି ମୋ ମା’ ସବୁବେଳେ ଯତ୍ନଶୀଳ ରହିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସ୍ବଚ୍ଛତା ବଜାୟ ରଖିବା ପ୍ରତି ତାଙ୍କ ମା’ କିଭଳି ଗୁରୁତ୍ବ ଦେଇଥାନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ କେତେକ ଉଦାହରଣ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଫେଇ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ମା’ ବହୁତ ସମ୍ମାନ ଦେଇଥାନ୍ତି । ବଡ଼ନଗରରେ ଆମ ଘର ପାଖରେ ଥିବା ନଳା ସଫା କରିବା ଲାଗି ଆସୁଥିବା ଲୋକମାନଙ୍କୁ ମା’ ନିଶ୍ଚିତ ଭାବେ ଚା’ ପିଆଇଥାନ୍ତି । ଚା’ ନପିଇ ସେମାନଙ୍କୁ ଯିବାକୁ ଦିଅନ୍ତି ନାହିଁ।

ଅନ୍ୟର ଖୁସିରେ ଆନନ୍ଦିତ ହୁଅନ୍ତି ମା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ମା’ ଅନ୍ୟ ଲୋକମାନଙ୍କ ଖୁସି ଦେଖି ଖୁସି ହୋଇଥାନ୍ତି ଏବଂ ତାଙ୍କର ହୃଦୟ ଖୁବ୍‌ ବଡ଼ । ପିଲାଦିନ କଥା ମନେ ପକାଇ ସେ କହିଛନ୍ତି ଯେ, ‘‘ଆମ ଘର ଠାରୁ କିଛି ଦୂରରେ ଏକ ଗ୍ରାମ ଥିଲା, ସେଠାରେ ମୋ ବାପାଙ୍କର ଜଣେ ପ୍ରିୟ ବନ୍ଧୁ ରହୁଥିଲେ । ତାଙ୍କ ପୁଅ ଥିଲା ଅବ୍ବାସ । ଦିନେ ବନ୍ଧୁଙ୍କର ଅକାଳ ବିୟୋଗ ପରେ ବାପା ଅବ୍ବାସକୁ ଆମ ଘରକୁ ନେଇ ନେଇ ଆସିଥିଲେ । ଅବ୍ବାସ ଏକ ପ୍ରକାରରେ ଆମ ଘରେ ରହି ପାଠ ପଢ଼ିଥିଲା। ଆମ ସମସ୍ତଙ୍କ ଭଳି, ମା’ ଅବ୍ବାସଙ୍କୁ ମଧ୍ୟ ସ୍ନେହ କରୁଥିଲେ । ଇଦରେ ମା’, ଅବ୍ବାସଙ୍କ ପାଇଁ ତାଙ୍କ ମନ ପସନ୍ଦର ଖାଦ୍ୟ ତିଆରି କରୁଥିଲେ । ପର୍ବପର୍ବାଣୀ ସମୟରେ ଆଖପାଖର ପିଲାମାନେ ଆମ ଘରକୁ ଆସି ଖାଉଥିଲେ। ସେମାନେ ବି ମୋ ମା’ଙ୍କ ହାତର ଖାଦ୍ୟ ପସନ୍ଦ କରୁଥିଲେ ।’’

କେବଳ ଦୁଇ ଥର ସର୍ବସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ତାଙ୍କ ମା’ ରହିଥିଲେ

ବ୍ଲଗ୍‌ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କେବଳ ଦୁଇ ଥର ତାଙ୍କ ମା’ ତାଙ୍କ ସହିତ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମ ଥର ଯେତେବେଳେ ସେ ଏକତା ଯାତ୍ରା ସମ୍ପୂର୍ଣ୍ଣ କରିବା ସହିତ ଶ୍ରୀନଗରର ଲାଲଚୌକରେ ତ୍ରିରଙ୍ଗା ଉଡ଼ାଇ ଫେରିଥିଲେ ସେହି ସମୟରେ ଅହମ୍ମଦାବାଦରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ତାଙ୍କ ମା’ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ କପାଳରେ ତିଳକ ଲଗାଇ ଦେଇଥିଲେ । ଦ୍ବିତୀୟ ଥର ପାଇଁ ୨୦୦୧ରେ ସେ ଯେତେବେଳେ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ ସେତେବେଳେ ମା’ ତାଙ୍କ ସହିତ ଥିଲେ ।

ମା’ଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ପାଇଥିବା ଜୀବନର ଏକ ଶିକ୍ଷା

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ଔପଚାରିକ ଶିକ୍ଷା ଲାଭ ନକରି ମଧ୍ୟ ଜଣେ ବାସ୍ତବରେ କିଭଳି ଜ୍ଞାନୀ ହୋଇପାରିବ, ଏ କଥା ମା’ଙ୍କ ଠାରୁ ଶିଖି ପାରିଛନ୍ତି । ଗୋଟିଏ ଘଟଣାର ଉଦାହରଣ ଦେଇ ସେ କହିଛନ୍ତି ଯେ, ଥରେ ସେ ତାଙ୍କ ଶିକ୍ଷକମାନଙ୍କୁ ସର୍ବସାଧାରଣ କାର୍ଯ୍ୟକ୍ରମରେ ସମ୍ମାନିତ କରିବାକୁ ଚାହୁଁଥିଲେ । ଜୀବନର ସବୁଠୁ ବଡ଼ ଶିକ୍ଷକ ମା’ଙ୍କୁ ମଧ୍ୟ ସେ ସମ୍ମାନିତ କରିଥାନ୍ତେ । କିନ୍ତୁ ତାଙ୍କର ଏହି ପ୍ରସ୍ତାବକୁ ତାଙ୍କ ମା’ ଗ୍ରହଣ କରିନଥିଲେ । ବରଂ ସେ କହିଥିଲେ, ‘‘ଦେଖ ପୁଅ, ମୁଁ ତ’ ନିମିତ୍ତ ମାତ୍ର । ତୁମେ ମୋ କୋଳରୁ ଜନ୍ମ ନେବା, ବିଧିର ବିଧାନ ଥିଲା । ମୁଁ ନୁହେଁ ବରଂ ଭଗବାନ ତୁମକୁ ବଡ଼ କରିଛନ୍ତି, ଶିକ୍ଷା ଦେଇଛନ୍ତି ।’’

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ତାଙ୍କ ମା’ ନିଜେ କାର୍ଯ୍ୟକ୍ରମକୁ ଆସିନଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଅକ୍ଷର ଜ୍ଞାନ ଶିକ୍ଷା ଦେଇଥିବା ଜେଠାଭାଇ ଯୋଶୀଙ୍କ ପରିବାର ଲୋକଙ୍କୁ ନିଶ୍ଚିତ ଭାବେ ଡାକିବା ପାଇଁ କହିଥିଲେ । ‘‘ତାଙ୍କର ଚିନ୍ତାଧାରା ଏବଂ ଦୂରଦୃଷ୍ଟି ମୋତେ ସବୁବେଳେ ଆଚମ୍ବିତ କରିଥିଲା’’, ସେ କହିଥିଲେ ।

କର୍ତ୍ତବ୍ୟ ପରାୟଣ ନାଗରିକ

ତାଙ୍କ ମା’ ଜଣେ କର୍ତ୍ତବ୍ୟ ପରାୟଣ ନାଗରିକ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେବେଠାରୁ ନିର୍ବାଚନ ଆରମ୍ଭ ହୋଇଛି, ପଞ୍ଚାୟତ ଠାରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ସବୁ ନିର୍ବାଚନରେ ସେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ।

ଅତ୍ୟନ୍ତ ସରଳ ଜୀବନଶୈଳୀ

ମା’ଙ୍କର ଅତି ସରଳ ଜୀବନଶୈଳୀ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଆଜି ମଧ୍ୟ ତାଙ୍କ ମା’ଙ୍କ ନାଁରେ କିଛି ସମ୍ପତ୍ତି ନାହିଁ । ‘‘ମୁଁ ତାଙ୍କୁ କେବେ ବି ସୁନା ଅଳଙ୍କାର ପିନ୍ଧିଥିବା ଦେଖିନାହିଁ ଏବଂ ତାଙ୍କର ଏଥିପ୍ରତି କୌଣସି ଆଗ୍ରହ ନଥିଲା । ପୂର୍ବ ଭଳି, ଏକ ଛୋଟିଆ କୋଠରୀରେ ସେ ଅତି ସରଳ ଜୀବନଶୈଳୀ ନିର୍ବାହ କରୁଛନ୍ତି’’, ପ୍ରଧାନମନ୍ତ୍ରୀ କହିଥିଲେ ।

ସାମ୍ପ୍ରତିକ ଘଟଣାବଳୀ ଉପରେ ନଜର ରଖିବା

ଦୁନିଆରେ ଘଟୁଥିବା ଘଟଣା ଉପରେ ତାଙ୍କ ମା’ଙ୍କର ନଜର ରହିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସେ ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି, ‘‘ନିକଟରେ ମୁଁ ମା’ଙ୍କୁ ପଚାରିଲି ଯେ, ଦିନକୁ କେତେ ସମୟ ଟିଭି ଦେଖୁଛ? ମା’ କହିଲେ, ଟିଭିରେ ଯେତେବେଳେ  ଦେଖିବ ସବୁବେଳେ ସମସ୍ତେ ନିଜ ନିଜ ମଧ୍ୟରେ କେବଳ ଝଗଡା କରୁଛନ୍ତି । ହଁ କିଛି ଲୋକ ଅଛନ୍ତି ଯେଉଁମାନେ ଶାନ୍ତ ଭାବେ ଖବର ପଢ଼ିଥାନ୍ତି ଏବଂ ସବୁକିଛି ବୁଝାଇ ଥାଆନ୍ତି । ମୁଁ ଖୁସିରେ ସେମାନଙ୍କୁ ଦେଖିଥାଏ । ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ, ମା’ ଘଟଣା ଉପରେ ଏତେ ଧ୍ୟାନ ଦେଉଛନ୍ତି ।’’

ବୟସାଧିକ୍ୟ ସତ୍ତ୍ବେ ପ୍ରଖର ସ୍ମୃତିଶକ୍ତି

ପ୍ରଧାନମନ୍ତ୍ରୀ ୨୦୧୭ର ଆଉ ଏକ ଘଟଣା ବିଷୟରେ ମନେ ପକାଇ ଲେଖିଛନ୍ତି ଯେ, ବୟସାଧିକ୍ୟ ସତ୍ତ୍ବେ ତାଙ୍କର ମା’ଙ୍କର ପ୍ରଖର ସ୍ମୃତିଶକ୍ତି ରହିଛି । ୨୦୧୭ରେ, ପ୍ରଧାନମନ୍ତ୍ରୀ ମୋଦୀ କାଶୀରୁ ସିଧାସଳଖ ମା’ଙ୍କୁ ଭେଟିବା ଲାଗି ଯାଇଥିଲେ ଏବଂ ତାଙ୍କ ପାଇଁ ପ୍ରସାଦ ନେଇଥିଲେ । ‘‘ମୁଁ ଯେତେବେଳେ ମା’ଙ୍କୁ ଭେଟିଲି, ସେ ମୋତେ ପଚାରିଲେ ଯେ, କାଶୀ ବିଶ୍ୱନାଥ ମହାଦେବଙ୍କୁ ଦର୍ଶନ କଲ? ମା’ ପୂରା ନାଁ ନେଇଥାଆନ୍ତି - କାଶୀ ବିଶ୍ୱନାଥ ମହାଦେବ । ତା’ପରେ କଥାବର୍ତ୍ତାରେ ମା’ ପଚାରିଥିଲେ ଯେ କାଶୀ ବିଶ୍ୱନାଥ ମହାଦେବଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବାର ବାଟ ବର୍ତ୍ତମାନ ମଧ୍ୟ କ’ଣ ସେମିତି ଅଛି, ଏମିତି ଲାଗୁଛି ଯେ କାହା ଘରେ ମନ୍ଦିର ନିର୍ମାଣ ହୋଇଛି । ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପଚାରିଲି ତୁମେ କେବେ ଯାଇଥିଲ କି ? ମା’ କହିଲେ ଯେ ବହୁବର୍ଷ ପୂର୍ବେ ସେ କାଶୀକୁ ତୀର୍ଥ ଯାତ୍ରାରେ ଯାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏତେ ପୁରୁଣା ଦିନର କଥାକୁ ସେ ବହୁତ ଭଲ ଭାବରେ ମନେ ରଖିଛନ୍ତି’’, ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅନ୍ୟମାନଙ୍କ ଇଚ୍ଛାକୁ ସମ୍ମାନ ଦେବା

ମା’ଙ୍କ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ତାଙ୍କ ମା’ କେବଳ ଅନ୍ୟମାନଙ୍କ ଇଚ୍ଛାକୁ ସମ୍ମାନ ଦେଇନଥାନ୍ତି, ବରଂ ନିଜ ଇଚ୍ଛାକୁ କାହା ଉପରେ ଲଦି ଦେବା ଠାରୁ ସେ ଦୂରେଇ ରହିଥାନ୍ତି । ‘‘ବିଶେଷ କରି ମୋ କ୍ଷେତ୍ରରେ, ସେ ସବୁବେଳେ ମୋ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ, କେବେ ବି ମୋ ପାଇଁ ବାଧା ସୃଷ୍ଟି କରିନାହାନ୍ତି ଏବଂ ସବୁବେଳେ ମୋତେ ଉତ୍ସାହିତ କରିଛନ୍ତି । ପିଲାଦିନରୁ, ସେହି ଭିନ୍ନ ମାନସିକତା ମୋ ଭିତରେ ବଢ଼ୁଥିବା ସେ ଅନୁଭବ କରିପାରିଥିଲେ’’, ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଘର ଛାଡ଼ିବା ଲାଗି ଯେତେବେଳେ ସେ ନିଷ୍ପତ୍ତି ନେଲେ ମା’ ହିଁ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ତାଙ୍କ ଇଚ୍ଛାକୁ ବୁଝିବା ସହିତ ଆଶୀର୍ବାଦ ଦେଇ ମା’ କହିଥିଲେ, ‘‘ତୁମ ମନ ଯାହା କହୁଛି କର ।’’

ଗରିବ କଲ୍ୟାଣ ପ୍ରତି ଗୁରୁତ୍ବ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ତାଙ୍କ ମା’ ସବୁବେଳେ ଦୃଢ଼ ସଂକଳ୍ପ ନେବା ଏବଂ ଗରିବ କଲ୍ୟାଣ ପ୍ରତି ସମର୍ପିତ ରହିବା ଲାଗି ତାଙ୍କୁ ଅନୁପ୍ରାଣିତ କରିଛନ୍ତି । ୨୦୦୧ର ଘଟଣା ମନେ ପକାଇ ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ତାଙ୍କୁ ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଗଲା, ସେ ଗୁଜରାଟରେ ପହଞ୍ଚିବା ପରେ ସିଧା ସେ ମା’ଙ୍କୁ ଭେଟିବା ଲାଗି ଯାଇଥିଲେ । ସେଠାରେ ତାଙ୍କୁ ଦେଖି ମା’ ଅତି ଖୁସି ହୋଇ ତାଙ୍କୁ କହିଥିଲେ,  ‘‘ସରକାରରେ ତୁମ କାମ ବିଷୟରେ ମୁଁ କିଛି ବୁଝେ ନାହିଁ, କିନ୍ତୁ ତୁମେ କେବେ ଲାଞ୍ଚ ନେବ ନାହିଁ ବୋଲି ମୁଁ ଚାହୁଁଛି ।’’

ତାଙ୍କ ବିଷୟରେ କେବେ ଚିନ୍ତା ନକରି ବଡ଼ ଉତ୍ତରଦାୟିତ୍ବ ନିର୍ବାହ କରିବା ଲାଗି ସବୁବେଳେ ମା’ ତାଙ୍କୁ ଆଶ୍ବାସନା ଦେଉଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଫୋନରେ ଯେତେବେଳେ ମା’ଙ୍କ ସହିତ ପ୍ରଧାନମନ୍ତ୍ରୀ କଥା ହେଉଥିଲେ, ସେ ତାଙ୍କୁ କହୁଥିଲେ, ‘‘କେବେବି କିଛି ଭୁଲ କାମ କିମ୍ବା କାହାର ଅନିଷ୍ଟ କରିବ ନାହିଁ ଏବଂ ସବୁବେଳେ ଗରିବଙ୍କ ପାଇଁ କାମ କରୁଥିବ ।’’

ଜୀବନର ମନ୍ତ୍ର – କଠିନ ପରିଶ୍ରମ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଚ୍ଚୋଟତା ଏବଂ ସ୍ବାଭିମାନ ତାଙ୍କ ମାତାପିତାଙ୍କର ସବୁଠୁ ବଡ଼ ଗୁଣ ଥିଲା । ଦାରିଦ୍ର୍ୟ ଏବଂ ଏହା ସହ ଜଡ଼ିତ ସମସ୍ୟାରେ ସଂଘର୍ଷ କରୁଥିଲେ ମଧ୍ୟ ତାଙ୍କ ମାତାପିତା କେବେ ବି ସଚ୍ଚୋଟତାର ମାର୍ଗ ଛାଡ଼ିନଥିଲେ କିମ୍ବା ସ୍ବାଭିମାନ ସହ ସାଲିସ କରିନଥିଲେ । ଯେକୌଣସି ଆହ୍ବାନର ମୁକାବିଲା କରିବା ଲାଗି ସେମାନଙ୍କର ପ୍ରମୁଖ ମନ୍ତ୍ର ଥିଲା ନିରନ୍ତର କଠିନ ପରିଶ୍ରମ ।

ମାତୃଶକ୍ତିର ସ୍ବରୂପ

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ‘‘ମୋ ମା’ଙ୍କର ଜୀବନ କାହାଣୀରେ, ମୁଁ ଭାରତର ମାତୃଶକ୍ତିଙ୍କ ତପସ୍ୟା, ବଳିଦାନ ଏବଂ ଯୋଗଦାନକୁ ଦେଖିଥାଏ । ମୁଁ ଯେତେବେଳେ ମା’ଙ୍କୁ ଦେଖିଥାଏ ଏବଂ ତାଙ୍କ ଭଳି କୋଟି କୋଟି ମହିଳାମାନଙ୍କୁ ଦେଖିଥାଏ, ଭାରତୀୟ ମହିଳାଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ବୋଲି ମୁଁ ଅନୁଭବ କରିଥାଏ ।’’

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମା’ଙ୍କ ପ୍ରେରଣାଦାୟୀ ଜୀବନ କାହାଣୀକୁ କିଛି ଶବ୍ଦରେ ବର୍ଣ୍ଣନା କରି କହିଛନ୍ତି, ‘‘ଅଭାବର ସବୁ କାହାଣୀ ଠାରୁ ଊର୍ଦ୍ଧ୍ବରେ, ଜଣେ ମା’ର ଗୌରବ ଗାଥା,

ପ୍ରତ୍ୟେକ ସଂଘର୍ଷ ଠାରୁ ଊର୍ଦ୍ଧ୍ବରେ, ଜଣେ ମା’ର ଦୃଢ଼ ସଂକଳ୍ପ ।’’

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."