ୟୁରୋପିଆନ କାଉନସିଲର ସଭାପତି ଚାର୍ଲସ ମାଇକେଲଙ୍କ ପକ୍ଷରୁ ନିମନ୍ତ୍ରଣ ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ-ୟୁରୋପୀୟ ସଂଘ (ଇୟୁ) ନେତାଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ହାଇବ୍ରିଡ ଫର୍ମାଟରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ୨୭ ୟୁରୋପୀୟ ସଂଘ ରାଷ୍ଟ୍ର ନେତାଙ୍କ ସମେତ ୟୁରୋପିଆନ କାଉନସିଲ ଏବଂ ୟୁରୋପିଆନ କମିଶନ ସଭାପତି ଯୋଗଦେଇଥିଲେ । ଇୟୁ+୨୭ ଫର୍ମାଟରେ ଭାରତ ସହିତ ପ୍ରଥମ ଥର ପାଇଁ  ବୈଠକରେ ଅଧ୍ୟକ୍ଷତା କରିଛି ଇୟୁ । ଏହି ବୈଠକ ୟୁରୋପୀୟ ସଂଘ କାଉନସିଲର ପର୍ତ୍ତୁଗୀଜ ସଭାପତିତ୍ୱର ଏକ ପଦକ୍ଷେପ ।

ବୈଠକରେ, ଭାରତ-ଇୟୁ ରଣନୀତିକ ସହଯୋଗିତାକୁ ଆହୁରି ସୁଦୃଢ଼ କରିବା ପାଇଁ ନେତାମାନେ ଇଚ୍ଛା ଜାହିର କରିଥିଲେ, ଯାହା କି ଗଣତନ୍ତ୍ର, ମୌଳିକ ସ୍ୱାଧୀନତା, ଆଇନ ଓ ବହୁପକ୍ଷବାଦ ଶାସନକୁ ନେଇ ଏକ ଆପୋସ ପ୍ରତିଶ୍ରୁତିବଦ୍ଧତା ଉପରେ ପର୍ଯ୍ୟବସିତ । ସେମାନେ ୩ଟି ପ୍ରମୁଖ ସପ୍ରସଙ୍ଗ କ୍ଷେତ୍ର ଉପରେ ନିଜ ମତାମତ ଆଦାନପ୍ରଦାନ କରିଥିଲେ; ୧) ବୈଦେଶିକ ନୀତି ଓ ନିରାପତ୍ତା; ୨) କୋଭିଡ-୧୯, ଜଳବାୟୁ ଓ ପରିବେଶ; ଏବଂ ୩) ବାଣିଜ୍ୟ, ସଂଯୋଗ ଓ ପ୍ରଯୁକ୍ତି । ସେମାନେ କୋଭିଡ-୧୯ ମହାମାରୀ ଓ ଆର୍ଥିକ ସୁଧାର ପାଇଁ ମୁକାବିଲା, ଜଳବାୟୁ ପରିବର୍ତ୍ତନ ମୁକାବିଲା ଓ ବହୁପାକ୍ଷିକ ସଂସ୍ଥାନଗୁଡ଼ିକରେ ସଂସ୍କାର ଆଣିବା ଲାଗି ମିଳିତ ଭାବେ ସହଯୋଗ ବାବଦରେ ଆଲୋଚନା କରିଥିଲେ । ଦ୍ୱିତୀୟ କରୋନା ଲହରିର ମୁକାବିଲା ପାଇଁ ୟୁରୋପୀୟ ସଂଘ ଓ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ତ୍ୱରିତ ସହାୟତାକୁ ଭାରତ ପ୍ରଶଂସା କରିଥିଲା ।

ସନ୍ତୁଳିତ ତଥା ବ୍ୟାପକ ମୁକ୍ତ ବାଣିଜ୍ୟ ଓ ନିବେଶ ରାଜିନାମା ନିମନ୍ତେ ଆଲୋଚନା ଆରମ୍ଭ ଲାଗି ନିଆଯାଇଥିବା ନିଷ୍ପତ୍ତିକୁ ନେତାମାନେ ସ୍ୱାଗତ କରିଥିଲେ । ବାଣିଜ୍ୟ ଓ ନିବେଶ ଉଭୟ ଉପରେ ବୁଝାମଣା ସମାନ୍ତରାଳ ଭାବେ ଆଗକୁ ବଢ଼ିବ ଏବଂ ଉଭୟ ରାଜିନାମାର ନିର୍ଯାସକୁ ଶୀଘ୍ର ହାସଲ ଲାଗି ଏଥିରେ ଲକ୍ଷ୍ୟ ରହିବ । ଏହା ହେଉଛି ବୈଠକର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି, ଯାହା କି ଅର୍ଥନୈତିକ ସହଯୋଗିତାର ସମ୍ପୂର୍ଣ୍ଣ ସୁଯୋଗକୁ ହୃଦୟଙ୍ଗମ କରିବା ପାଇଁ ଉଭୟପକ୍ଷକୁ ସହାୟକ ହେବ । ଭାରତ ଓ ୟୁରୋପୀୟ ସଂଘ ଡବ୍ଲ୍ୟୁଟିଓ ପ୍ରସଙ୍ଗ, ନିୟାମକ ସହଯୋଗ, ବଜାର ପହଞ୍ଚ ପ୍ରସଙ୍ଗ ଏବଂ ଯୋଗାଣ ଶୃଙ୍ଖଳ ନମନୀୟତା ଉପରେ ଉତ୍ସର୍ଗୀକୃତ କଥାବାର୍ତ୍ତା ନେଇ ଘୋଷଣା କରିଥିଲେ, ଯାହା କି ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ ଏବଂ ବ୍ୟାପକ କରିବା ନେଇ ଇଚ୍ଛାକୁ ପ୍ରଦର୍ଶିତ କରୁଛି ।

ଭାରତ ଓ ୟୁରୋପୀୟ ସଂଘ ଏକ ମହତ୍ତ୍ୱାକାଂକ୍ଷୀ ତଥା ବ୍ୟାପକ ‘ସଂଯୋଗ ଭାଗୀଦାରି’ ଆରମ୍ଭ କରିଛନ୍ତି, ଯାହା ଡିଜିଟାଲ, ଶକ୍ତି, ପରିବହନ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ସାମାଜିକ, ଅର୍ଥନୈତିକ, ବିତ୍ତୀୟ, ଜଳବାୟୁ ଏବଂ ପରିବେଶଗତ ନିରନ୍ତରତା, ଓ ଅନ୍ତର୍ଜାତୀୟ ଆଇନ ତଥା ପ୍ରତିବଦ୍ଧତା ପାଇଁ ସମ୍ମାନ ଆଦି ବିନିମୟ ହୋଇଥିବା ନୀତିଗୁଡ଼ିକ ଉପରେ ଏହି ଭାଗୀଦାରିତା ପର୍ଯ୍ୟବସିତ । ସଂଯୋଗ ପ୍ରକଳ୍ପଗୁଡ଼ିକ ନିମନ୍ତେ ଘରୋଇ ତଥା ସରକାରୀ ପାଣ୍ଠିକୁ ଉତପ୍ରେରଣ କରିବାରେ ଏହି ସହଯୋଗିତା ସହାୟକ ହେବ । ଏଥିସହ ଭାରତ-ପ୍ରଶାନ୍ତ ସାଗରୀୟ ଅଞ୍ଚଳ ସହିତ ତୃତୀୟ ରାଷ୍ଟ୍ରଗୁଡ଼ିକରେ ସଂଯୋଗ ପଦକ୍ଷେପଗୁଡ଼ିକୁ ସମର୍ଥନ ଯୋଗାଇବା ଲାଗି ନୂଆ ସମନ୍ୱୟକୁ ସମୃଦ୍ଧ କରିବ ।

ଭାରତ ଓ ୟୁରୋପୀୟ ସଂଘ ନେତାମାନେ ପ୍ୟାରିସ ବୁଝାମଣା ଲକ୍ଷ୍ୟ ହାସଲ ନିମନ୍ତେ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ, ଅନୁକୂଳନ ଓ ନମନୀୟତାର ସଂଯୁକ୍ତ ଉଦ୍ୟମକୁ ମଜଭୁତ କରିବା ଉପରେ ସହମତି ପ୍ରକାଶ କରିବା ସହ ସିଓପି୨୬ ପ୍ରସଙ୍ଗରେ ଅର୍ଥ ସହିତ କାର୍ଯ୍ୟାନ୍ୱୟନର ସାଧନ ପ୍ରଦାନ କରିଥିଲେ । ସିଡିଆରଆଇରେ ସାମିଲ ହେବା ନେଇ ୟୁରୋପୀୟ ସଂଘର ନିଷ୍ପତ୍ତିକୁ ଭାରତ ସ୍ୱାଗତ ଜଣାଇଥିଲା । ୫ଜି, ଏଆଇ, କ୍ୱାଣ୍ଟମ ଓ ଉଚ୍ଚ ପ୍ରଦର୍ଶନକାରୀ କମ୍ପ୍ୟୁଟିଙ୍ଗ ଭଳି ଡିଜିଟାଲ ଓ ବିକାଶଶୀଳ ପ୍ରଯୁକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମନ୍ୱୟ ବୃଦ୍ଧି ଏବଂ ଏଆଇ ଓ ଡିଜିଟାଲ ନିବେଶ ଫୋରମ ଉପରେ ଯୁଗ୍ମ ଟାସ୍କଫୋର୍ସର କାର୍ଯ୍ୟାନ୍ୱୟନ ଜରିଆରେ ସମ୍ପର୍କ ବୃଦ୍ଧି ପାଇଁ ଭାରତ ଓ ୟୁରୋପୀୟ ସଂଘ ସହମତ ହୋଇଥିଲେ।

ନେତାମାନେ କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ କ୍ରମବର୍ଦ୍ଧିଷ୍ଣୁ ସମାନତା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ, ଯେଉଁଥିରେ ଆତଙ୍କବାଦ, ସାଇବର ନିରାପତ୍ତା ଓ ସାମୁଦ୍ରିକ ସହଯୋଗ ଆଦି ସାମିଲ ରହିଛି । ନେତାମାନେ ଏକ ସ୍ୱତନ୍ତ୍ର, ଉନ୍ମୁକ୍ତ, ସାମୂହିକ ଓ ନିୟମ ଆଧାରିତ ଭାରତ-ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପ ଓ ୟୁରୋପୀୟ ସଂଘର ନୂଆ ରଣନୀତି ପ୍ରସଙ୍ଗରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସମ୍ମତି ଜଣାଇଥିଲେ ।

ନେତାମାନଙ୍କ ବୈଠକ ସହିତ, ଜଳବାୟୁ, ଡିଜିଟାଲ ଓ ସ୍ୱାସ୍ଥ୍ୟ ସେବାରେ ସହଯୋଗ ନିମନ୍ତେ ସିଦ୍ଧାନ୍ତକୁ ସମୃଦ୍ଧ କରିବା ପାଇଁ ଏକ ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଗୋଲଟେବଲ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପୁଣେ ମେଟ୍ରୋ ରେଳ ପରିଯୋଜନା ନିମନ୍ତେ ୧୫୦ ନିୟୁତ ୟୁରୋ ମୂଲ୍ୟର ଏକ ଆର୍ଥିକ ଚୁକ୍ତି ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏବଂ ୟୁରୋପିଆନ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା।

ଭାରତ-ୟୁରୋପୀୟ ସଂଘ ନେତାମାନଙ୍କ ବୈଠକ ରଣନୀତିକ ସହଯୋଗିତାକୁ ଏକ ନୂଆ ଦିଗ ପ୍ରଦାନ କରି ଏବଂ ୨୦୨୦ ଜୁଲାଇରେ ଆୟୋଜିତ ୧୫ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା ମହତ୍ତ୍ୱାକାଂକ୍ଷୀ ଭାରତ-ୟୁରୋପୀୟ ସଂଘ ରୋଡମ୍ୟାପ ୨୦୨୫କୁ ଲାଗୁ କରିବା ପାଇଁ ନୂଆ ପ୍ରେରଣା ପ୍ରଦାନ କରି ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi