1. ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଜି-20 ଶିଖର ସମ୍ମିଳନୀ ଅବସରରେ  30 ନଭେମ୍ବର 2018 ଦିନ ବ୍ରିକ୍ସ ନେତାମାନଙ୍କର ଅନୌପଚାରିକ  ବାର୍ଷିକ ବୈଠକରେ ଆମେ, ବ୍ରାଜିଲ ସଂଘୀୟ ସାଧାରଣତନ୍ତ୍ର, ରୁଷୀୟ ସଂଘ, ଭାରତୀୟ ଗଣତନ୍ତ୍ର, ଚୀନ ସାଧାରଣତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକା ସାଧାରଣତନ୍ତ୍ର ସରକାର ଏବଂ ରାଷ୍ଟ୍ରମୁଖ୍ୟମାନେ ପରସ୍ପରକୁ ଭେଟିଲୁ । 2018ରେ ଜି-20 ଶିଖର ସମ୍ମିଳନୀର ଆୟୋଜନ ଲାଗି ଆମେ ଆର୍ଜେଣ୍ଟିନାକୁ ଅଭିନନ୍ଦନ ଏବଂ ସମର୍ଥନ ଜଣାଇଲୁ ଏବଂ ଆତିଥ୍ୟ ପାଇଁ ଆମର କୃତଜ୍ଞତା ବ୍ୟକ୍ତ କଲୁ ।

2.  ଆମେ ଅନ୍ତର୍ଜାତୀୟ ରାଜନୈତିକ, ନିରାପତ୍ତା ଏବଂ ବୈଶ୍ୱିକ ଅର୍ଥନୈତିକ-ଆର୍ଥିକ ପ୍ରସଙ୍ଗ ସହିତ ନିରନ୍ତ ବିକାଶ ପ୍ରତି ରହିଥିବା ଆହ୍ୱାନଗୁଡ଼ିକ ବିଷୟରେ ଆମର ମତ ବିନିମୟ କଲୁ । ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ବିଶ୍ୱ, ମିଳିତ ଜାତିସଂଘର କେନ୍ଦ୍ରୀୟ ଭୂମିକା, ମିଳିତ ଜାତିସଂଘ ଘୋଷଣାନାମାରେ ଦିଆଯାଇଥିବା ଉଦ୍ଦେଶ୍ୟ ଏବଂ ନୀତି ଏବଂ ଅନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ, ଗଣତନ୍ତ୍ରର ପ୍ରୋତ୍ସାହନ ଏବଂ ଆଇନର ଶାସନ ପ୍ରତି ଆମେ ଆମର ପ୍ରତିବଦ୍ଧତା ପୁନଃ ବ୍ୟକ୍ତ କରୁଛୁ । ବହୁପକ୍ଷବାଦକୁ ସୁଦୃଢ଼ କରିବା ଏବଂ ଏକ ସ୍ୱଚ୍ଛ, ଯୁକ୍ତିଯୁକ୍ତ, ସମାନତାପୂର୍ଣ୍ଣ, ଗଣତାନ୍ତ୍ରିକ ଏବଂ ପ୍ରତିନିଧିତ୍ୱ ସମ୍ପନ୍ନ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ ।

3. କେତେକ ବ୍ରିକ୍ସ ରାଷ୍ଟ୍ର ସମେତ ବିଭିନ୍ନ ଦେଶରେ ଲଗାତାର ଆତଙ୍କବାଦୀ ଆକ୍ରମଣକୁ ଆମେ ନିନ୍ଦା କରୁଛୁ । ଯେଉଁଠି ଏବଂ ଯାହାଦ୍ୱାରା ସଂଘଟିତ ହେଉ ପଛେ ଆତଙ୍କବାଦର ସମସ୍ତ ସ୍ୱରୂପ ଏବଂ ପ୍ରତିରୂପକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଏକ ଦୃଢ଼ ଅନ୍ତର୍ଜାତୀୟ ଆଇନ ଆଧାରରେ ମିଳିତ ଜାତିସଂଘ ତତ୍ତ୍ଵାବଧାନରେ ଆତଙ୍କବାଦର ମୁକାବିଲା ପାଇଁ ସମ୍ମିଳିତ ପ୍ରୟାସ ପାଇଁ ଆମେ ଆହ୍ୱାନ କରୁଛୁ । ଜୋହାନ୍ସବର୍ଗ ଘୋଷଣାନାମାରେ ଚିହ୍ନଟ କରାଯାଇଥିବା ସମସ୍ତ ଆଭିମୁଖ୍ୟ ସମେତ ଆତଙ୍କବାଦ ମୁକାବିଲା ଲାଗି ଏକ ବିସ୍ତୃତ ଆଭିମୁଖ୍ୟ ଗ୍ରହଣ ଲାଗି ଆମେ ସମସ୍ତ ରାଷ୍ଟ୍ରକୁ ଆହ୍ୱାନ କରୁଛୁ ।

4. ପାରଦର୍ଶୀ, ଅଣ-ଇଚ୍ଛାଧୀନ, ମୁକ୍ତ ଏବଂ ସମାବେଶୀ ଅନ୍ତର୍ଜାତୀୟ ବାଣିଜ୍ୟ ସୁନିଶ୍ଚିତ କରିବା ଲାଗି,ବିଶ୍ୱ ବାଣିଜ୍ୟ ସଂଗଠନରେ ସନ୍ନିହିତ ହୋଇଥିବା ପ୍ରକାରେ, ନିୟମ ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ପ୍ରତି ଆମର ସମ୍ପୂର୍ଣ୍ଣ ସମର୍ଥନକୁ ଆମେ ଦୋହରାଉଛୁ । ବିଶ୍ୱ ବାଣିଜ୍ୟ ସଂଗଠନର ପରିଚାଳନାରେ ଉନ୍ନତି ଆଣିବାକୁ ଦୃଷ୍ଟିରେ ରଖି ଏହାର ସଦସ୍ୟମାନଙ୍କ ସହିତ ଖୋଲା ଏବଂ ଫଳପ୍ରଦ ଆଲୋଚନାରେ ଲିପ୍ତ ରହିବା ନିମନ୍ତେ ଆମେ ଆମର ସାଧାରଣ ପ୍ରସ୍ତୁତି ବ୍ୟକ୍ତ କରୁଛୁ ।

5. ବିଶ୍ୱ ବାଣିଜ୍ୟ ସଂଗଠନର ଭାବନା ଏବଂ ନିୟମ ଏକତରଫା ଓ ସଂରକ୍ଷଣବାଦୀ ପଦକ୍ଷେପ ବିରୋଧରେ ଚାଲିଥାଏ । ଏପରି ବିଶ୍ୱ ବାଣିଜ୍ୟ ସଂଗଠନର ଅସ୍ଥିର ପଦକ୍ଷେପକୁ ବିରୋଧ କରିବା, ବିଶ୍ୱ ବାଣିଜ୍ୟ ସଂଗଠନରେ ସେମାନେ ଗ୍ରହଣ କରିଥିବା ପ୍ରତିବଦ୍ଧତାକୁ ପାଳନ କରିବା ଏବଂ ଇଚ୍ଛାଧୀନ ଏବଂ ପ୍ରତିବନ୍ଧକ ପ୍ରକୃତିର ଏପରି ପଦକ୍ଷେପକୁ ପ୍ରତ୍ୟାହାର କରିବା ଲାଗି ଆମେ ସମସ୍ତ ସଦସ୍ୟଙ୍କୁ ଆହ୍ୱାନ କରୁଛୁ ।

6. ସାମ୍ପ୍ରତିକ ଏବଂ ଭିବଷ୍ୟତର ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ଲାଗି ଏହାର ପ୍ରାସଙ୍ଗିକତା ଏବଂ ପ୍ରଭାବକୁ ବୃଦ୍ଧି କରିବାକୁ ଆଖି ଆଗରେ ରଖି ବିଶ୍ୱ ବାଣିଜ୍ୟ ସଂଗଠନର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ଆମେ ସମର୍ଥନ କରୁଛୁ । ଏହି କାର୍ଯ୍ୟରେ ବିଶ୍ୱ ବାଣିଜ୍ୟ ସଂଗଠନର ମୌଳିକ ମୂଲ୍ୟବୋଧ ଏବଂ ନୀତି ସୁରକ୍ଷିତ ରହିବା ଉଚିତ ଏବଂ ଡବ୍ଲୁଟିଓର ସମସ୍ତ ସଦସ୍ୟ, ବିଶେଷ କରି ବିକାଶଶୀଳ ସଦସ୍ୟମାନଙ୍କର ଭୂମିକା ନିଶ୍ଚିତ ଭାବେ ପ୍ରତିଫଳିତ ହେବା ଆବଶ୍ୟକ ।

7. ଉପଯୁକ୍ତ ପରିଚାଳନା ପାଇଁ ଡବ୍ଲୁଟିଓର ବିବାଦ ସମାଧାନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ । ଏହାର ପ୍ରଭାବୀ ପରିଚାଳନା ଡବ୍ଲୁଟିଓରେ ଭବିଷ୍ୟତର ଆଲୋଚନାରେ ସମ୍ପୃକ୍ତ ହେବା ଲାଗି ସଦସ୍ୟମାନଙ୍କୁ ଆବଶ୍ୟକତ ବିଶ୍ୱାସ ପ୍ରଦାନ କରିବ । ଡବ୍ଲୁଟିଓ ବିବାଦ ସମାଧାନ ବ୍ୟବସ୍ଥାର ପ୍ରଭାବୀ ଏବଂ ସ୍ଥିର ପରିଚାଳନା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାକ୍ ଆବଶ୍ୟକତା ସ୍ୱରୂପ ଅପିଲ ପରିଷଦ ଚୟନ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା ଲାଗି ଆମେ ସେଥିପାଇଁ ଅନୁରୋଧ କରୁଛୁ ।

8. ପରିବର୍ତ୍ତିତ ପରିସ୍ଥିତ ସହିତ ଡବ୍ଲୁଟିଓକୁ ଖାପଖୁଆଇବା, ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟରେ ସମସ୍ତ ସଦସ୍ୟମାନଙ୍କର ଅଂଶଗ୍ରହଣ ଏବଂ ବିଶ୍ୱ ଅର୍ଥନୈତିକ ପ୍ରଶାସନରେ ଏହାର ଏକ ପ୍ରଭାବୀ ଭୂମିକା ଲାଗି  ଅନ୍ୟ ରାଷ୍ଟ୍ରଗୁଡ଼ିକ ସହିତ ମିଳିତ ଭାବେ ଏବଂ ସହଯୋଗୀ ରୂପେ କାର୍ଯ୍ୟ କରିବା ଏବଂ ଆମର ଯୋଗାଯୋଗ ଓ ସହଯୋଗ ବୃଦ୍ଧି ଲାଗି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ ।

9. ସ୍ୱଚ୍ଛ ଏବଂ ନିରନ୍ତର ବିକାଶ ଲାଗି ମତସୃଷ୍ଟି କରିବା ଏବଂ ଭବିଷ୍ୟତର କାର୍ଯ୍ୟ ପ୍ରତି ଦୃଷ୍ଟି, ବିକାଶ ପାଇଁ ଭିତ୍ତିଭୂମି ଏବଂ ନିରନ୍ତର ଭବିଷ୍ୟତ ଲାଗି ଖାଦ୍ୟ ସୁରକ୍ଷା ବିଷୟବସ୍ତୁ ଉପରେ ଆର୍ଜେଣ୍ଟିନା ଅଧ୍ୟକ୍ଷତାରେ ଜି20 ଶିଖର ସମ୍ମିଳନୀର ଆୟୋଜନକୁ ଆମେ ସ୍ୱାଗତ କରୁଛୁ ।

10. ଆମେ ବିକାଶ ପାଇଁ ଭିତ୍ତିଭୂମିର ଗୁରୁତ୍ୱକୁ ବିବେଚନା କରୁଛୁ ଏବଂ ବୈଶ୍ୱିକ ଶୂନ୍ୟସ୍ଥାନ ପୂରଣ ଦିଗରେ ଯୋଗଦାନ ଲାଗି ପ୍ରତିବଦ୍ଧତା ଦୋହରାଉଛୁ । ନୂତନ ବିକାଶ ବ୍ୟାଙ୍କ ସମେତ ଜାତୀୟ ଏବଂ ସମ୍ମିଳିତ ପଦକ୍ଷେପ ଜରିଆରେ ନିରନ୍ତର ଏବଂ ବିପର୍ଯ୍ୟୟ ମୁକାବିଲାକ୍ଷମ ଭିତ୍ତିଭୂମି ପାଇଁ ସମ୍ବଳ ସୃଷ୍ଟି କରିବା ମାଧ୍ୟମରେ ଆମେ ଏହାର କରିବୁ ।

11. ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମଏଫ)କୁ ଏହାର କେନ୍ଦ୍ରରେ ରଖି ଉପଯୁକ୍ତ ଭାବେ ସମ୍ବଳପୂର୍ଣ୍ଣ,କୋଟା ଆଧାରିତ  ବିଶ୍ୱ ଆର୍ଥିକ ନିରାପତ୍ତା ଜାଲ ସପକ୍ଷରେ ଆମେ ଯୁକ୍ତି ଉପସ୍ଥାପନ କରୁଛୁ । ଏହି ପରିପ୍ରେକ୍ଷୀରେ, 2019 ସ୍ପ୍ରିଙ୍ଗ ବୈଠକ ସୁଦ୍ଧା ଏବଂ 2019 ବାର୍ଷିକ ବୈଠକ ପୂର୍ବରୁ, ଉଦୀୟମାନ ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକୁ ବିଶ୍ୱ ଅର୍ଥବ୍ୟବସ୍ଥାରେ ସେମାନଙ୍କ ସମ୍ବନ୍ଧିତ ଯୋଗଦାନକୁ ପ୍ରତିଫଳିତ କରିବାର ପରିବର୍ଦ୍ଧିତ ସ୍ୱର ଏବଂ ଅବିକଶିତ ରାଷ୍ଟ୍ରଗୁଡ଼ିକର ସ୍ୱରକୁ ସୁରକ୍ଷା ପାଇଁ ବ୍ୟବସ୍ଥା ସୁନିଶ୍ଚିତ ଥିବା ଏକ  ନୂତନ କୋଟା ଫର୍ମୁଲା ସମେତ ଆଇଏମଏଫର ପଂଚଦଶ ସାଧାରଣ କୋଟା ସମୀକ୍ଷା ପ୍ରତି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ ।

12. ନିରନ୍ତର ବିକାଶ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ ଲାଗି 2030 ଏଜେଣ୍ଡାର କାର୍ଯ୍ୟାନ୍ୱୟନ ପ୍ରତି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ, ଯାହା ସମାନତାପୂର୍ଣ୍ଣ, ସମାବେଶୀ, ଖୋଲା, ସାମଗ୍ରୀକ ଭାବେ ନବୋନ୍ମେଷୀ ପରିଚାଳିତ ଏବଂ ଏହାର ତିନୋଟି ଦିଗ-ଅର୍ଥନୈତିକ, ସାମାଜିକ ଏବଂ ପରିବେଶଗତ-ରେ ନିରନ୍ତର ବିକାଶକୁ ଏକ ସନ୍ତୁଳିତ ଏବଂ ସମନ୍ୱିତ ଢଙ୍ଗରେ କାର୍ଯ୍ୟକାରୀ ହେବା ସହିତ 2030 ସୁଦ୍ଧା ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟ ଦିଗରେ ଗତ କରୁଥିବ । ସମ୍ପୂର୍ଣ୍ଣ ଭାବେ ଏବଂ ନିର୍ଦ୍ଧାରିତ ସମୟରେ ସେମାନଙ୍କ ଓଡିଏ ପ୍ରତିବଦ୍ଧତାକୁ ସମ୍ମାନିତ କରିବା ଏବଂ ଆଡିସ ଆବାବା କାର୍ଯ୍ୟ ଏଜେଣ୍ଡା ଅନୁଯାୟୀ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଅତିରିକ୍ତ ବିକାଶ ସମ୍ବଳ ଯୋଗାଇ ଦେବା  ଲାଗି ଆମେ ବିକଶିତ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରୁଛୁ  ।

13. ବୈଶ୍ୱିକ ଅର୍ଥନୈତିକ ସମ୍ପ୍ରସାରଣ ଜାରି ରହିଛି, ତେବେ ଏହା କମ ସନ୍ତୁଳିତ ଏବଂ ନକାରାତ୍ମକ ବିପଦ ଏଥିରେ ରହିଛି । ପ୍ରମୁଖ ବିକଶିତ ଅର୍ଥବ୍ୟବସ୍ଥାଗୁଡ଼ିକ ପକ୍ଷରୁ ନୀତି ସାମାନ୍ୟକରଣ ଦ୍ୱାରା ନକାରାତ୍ମକ ପ୍ଳାବନ ପ୍ରଭାବ ନିକଟରେ ଉଦୀୟମାନ ବଜାର ଅର୍ଥବ୍ୟବସ୍ଥାଗୁଡ଼ିକ ପାଇଁ ଅସ୍ଥିରତାର କାରଣ ହୋଇଛି । ସମ୍ଭାବ୍ୟ ବିପଦ ବିସ୍ତାରିତ ହେବାକୁ ରୋକିବା ଲାଗି ଜି-20 ଏବଂ ଅନ୍ୟ ମଞ୍ଚର ଭାଗୀଦାରୀ ଭାବନା ସହିତ ସମନ୍ୱୟ ପ୍ରତିଷ୍ଠା କରିବା ଏବଂ ସେମାନଙ୍କ ନୀତି ଆଲୋଚନାକୁ ସୁଦୃଢ଼ କରିବା ଲାଗି ଆମେ ସମସ୍ତ ଅର୍ଥବ୍ୟବସ୍ଥାଗୁଡ଼ିକୁ ଆହ୍ୱାନ କରୁଛୁ ।

14. ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ, ସାଧାରଣ କିନ୍ତୁ ଭିନ୍ନ ଉତ୍ତରଦାୟିତ୍ୱ ଏବଂ ନିଜସ୍ୱ ସାମର୍ଥ୍ୟ ନୀତି ସମେତ ୟୁଏନଏଫସିସିସିର ନୀତି ଅଧୀନରେ ପ୍ରଣିତ ପ୍ୟାରିସ ଚୁକ୍ତିର ପୂର୍ଣ୍ଣ କାର୍ଯ୍ୟାନ୍ୱୟନ ଲାଗି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ । ଶମନ ଏବଂ ଅନୁକୂଳନରେ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ଲାଗି ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସାମର୍ଥ୍ୟ ବୃଦ୍ଧି ଲାଗି ଆର୍ଥିକ, ପ୍ରଯୁକ୍ତିଭିତ୍ତିକ ଏବଂ ସାମର୍ଥ୍ୟ ନିର୍ମାଣରେ ସହଯୋଗ ଯୋଗାଇ ଦେବା ଲାଗି ଆମେ ବିକଶିତ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରୁଛୁ । CoP-24 କାଳରେ ପ୍ୟାରିସ ଚୁକ୍ତି କାର୍ଯ୍ୟ କାର୍ଯ୍ୟକ୍ରମ ଅଧୀନରେ ଏକ ସନ୍ତୁଳିତ ଫଳାଫଳରେ ପହଁଚିବା ଲାଗି ଆମେ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରୁଛୁ ଯାହା ପ୍ୟାରିସ ଚୁକ୍ତିର କାର୍ଯ୍ୟାନ୍ୱୟନ ଏପଂ ପ୍ରଚଳନକୁ ସକ୍ଷମ କରିବ । ସବୁଜ ପରିବେଶ ପାଣ୍ଠିର ସଫଳ ଏବଂ ମହତ୍ୱାକାଂକ୍ଷୀ ପ୍ରଥମ ଭର୍ତ୍ତି ପ୍ରକ୍ରିୟାର ସମ୍ପାଦନର ଜରୁରୀ ଆବଶ୍ୟକତା ଉପରେ ଆମେ ଜୋର ଦେଉଛୁ ।

15. 25-27 ଜୁଲାଇ 2018ରେ ଜୋହାନ୍ସବର୍ଗରେ ଦଶମ ବ୍ରିକ୍ସ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ଆମେ ଦକ୍ଷିଣ ଆଫ୍ରିକା ପ୍ରତି ଆମର ଉଦାର ପ୍ରଶଂସା ଦୋହରାଉଛୁ ଏବଂ ଆମର ଲୋକମାନଙ୍କର ମଙ୍ଗଳ ପାଇଁ ଆମର ରଣନୈତିକ ଭାଗୀଦାରୀକୁ ଆହୁରି ବୃଦ୍ଧି ଲାଗି ଆମର ପ୍ରତିବଦ୍ଧତା ଦୋହରାଉଛୁ । ନୂତନ ଶିଳ୍ପ ବିପ୍ଳବ ଉପରେ ବ୍ରିକ୍ସ ଭାଗୀଦାରୀ(ପାର୍ଟ ଏନଆଇଆର), ବ୍ରିକ୍ସ ଟିକା ଗବେଷଣା ଏବଂ ବିକାଶ କେନ୍ଦ୍ର, ବ୍ରିକ୍ସ ଶକ୍ତି ଗବେଷଣା ସହଯୋଗ ମଞ୍ଚ ଏବଂ ସାଓପାଓଲୋରେ ନୂତନ ବିକାଶ ବ୍ୟାଙ୍କର ଆମେରିକା ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ସମେତ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଅର୍ଥବ୍ୟବସ୍ଥା, ଶାନ୍ତି ଏବଂ ନିରାପତ୍ତା ଏବଂ ଜନଗଣଙ୍କ ମଧ୍ୟରେ ବିନିମୟ କ୍ଷେତ୍ରରେ ବ୍ରିକ୍ସ ସହଯୋଗ କ୍ଷେତ୍ରରେ ହୋଇଥିବା ଉପଲବ୍ଧୀ ପ୍ରତି ଆମେ ସନ୍ତୋଷ ବ୍ୟକ୍ତ କରୁଛୁ । ଜୋହାନ୍ସବର୍ଗ ଶିଖର ସମ୍ମିଳନୀ ଏବଂ ପୂର୍ବ ଶିଖର ସମ୍ମିଳନୀର ପୁନଃକାର୍ଯ୍ୟାନ୍ୱୟନ ପ୍ରତି ଆମେ ଆମର ପ୍ରତିବଦ୍ଧତା ଜାହିର କରୁଛୁ ।

16. 2019ରେ ବ୍ରାଜିଲ ଦ୍ୱାରା ଆୟୋଜନ କରାଯିବାକୁ ଥିବା ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀକୁ ଆମେ ଅପେକ୍ଷା କରି ରହିଛୁ ଏବଂ ବ୍ରିକ୍ସର ଅଧ୍ୟକ୍ଷତା ଲାଗି ବ୍ରାଜିଲକୁ ଆମେ ଆମର ସମ୍ପୂର୍ଣ୍ଣ ସମର୍ଥନ ଯୋଗାଉଛୁ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership