ଆସନ୍ତୁ ଆମର ସମସ୍ତ ଖେଳାଳିଙ୍କୁ ଆମର ଶୁଭେଚ୍ଛା ଜଣାଇବା ଏବଂ ସେମାନଙ୍କୁ ଉତ୍ସାହିତ କରିବା: ପ୍ରଧାନମନ୍ତ୍ରୀ ମୋଦୀ
କାରଗିଲ ଯୁଦ୍ଧ ହେଉଛି ଭାରତୀୟ ସେନା ବାହିନୀର ସାହସିକତା ଏବଂ ସଂଯମତାର ପ୍ରତୀକ, ଯାହା ସମଗ୍ର ବିଶ୍ୱ ଦେଖିଛି: ପ୍ରଧାନମନ୍ତ୍ରୀ ମୋଦୀ
ଅମୃତ ମହୋତ୍ସବ' ସରକାରଙ୍କ କାର୍ଯ୍ୟକ୍ରମ କିମ୍ବା କୌଣସି ରାଜନୈତିକ ଦଳର ନୁହେଁ। ଏହା ଭାରତର ଜନସାଧାରଣଙ୍କ ଏକ କାର୍ଯ୍ୟକ୍ରମ: ପ୍ରଧାନମନ୍ତ୍ରୀ ମୋଦୀ
#MyHandloomMyPride: ପ୍ରଧାନମନ୍ତ୍ରୀ ମୋଦୀ ନାଗରିକମାନଙ୍କୁ ଖଦି ଏବଂ ହସ୍ତତନ୍ତ ଉତ୍ପାଦ କିଣିବାକୁ ଅନୁରୋଧ କରିଛନ୍ତି
ମନ୍ କି ବାତ୍' ରେ ସକାରାତ୍ମକତା ଏବଂ ସମ୍ବେଦନଶୀଳତା ଅଛି । ଏହାର ଚରିତ୍ର ଚରିତ୍ର ସମଷ୍ଟିଗତ : ପ୍ରଧାନମନ୍ତ୍ରୀ ମୋଦୀ
ଏହା ଜାଣି ଖୁସି ଯେ ମନ୍ କି ବାତ୍ ପାଇଁ ପ୍ରାପ୍ତତଃ 75% ପରାମର୍ଶ 35 ବର୍ଷରୁ କମ୍ ବୟସ ଗୋଷ୍ଠୀର ଆସିଛି : ପ୍ରଧାନମନ୍ତ୍ରୀ ମୋଦୀ
ପ୍ରତ୍ୟେକ ବୁନ୍ଦା ଜଳକୁ ବଞ୍ଚାଇବା, ଯେକୌଣସି ପ୍ରକାରର ଜଳ ଅପଚୟକୁ ରୋକିବା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ଉଚିତ୍: ପ୍ରଧାନମନ୍ତ୍ରୀ ମୋଦୀ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।

ଦୁଇ ଦିନ ପୂର୍ବର କିଛି ଚମତ୍କାର ଛବି, କିଛି ସ୍ମରଣୀୟ ମୁହୁର୍ତ୍ତ ଏବେ ବି ମୋ ଆଖି ଆଗରେ ରହିଛି । ତେଣୁ, ଏଥର ‘ମନ୍ କି ବାତ୍’ର ଆରମ୍ଭ କରିବା ସେହି ମୁହୁର୍ତ୍ତଗୁଡ଼ିକୁ ନେଇ । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଖେଳାଳିମାନଙ୍କୁ ତ୍ରିରଙ୍ଗା ଧରି ଚାଲୁଥିବା ଦେଖି କେବଳ ମୁଁ ନୁହେଁ, ବରଂ ସାରା ଦେଶ ରୋମାଞ୍ଚିତ ହୋଇଉଠିଲା । ସାରା ଦେଶ ସତେ ଯେମିତି ଆମର ଏହି ଯୋଦ୍ଧାମାନଙ୍କୁ କହିଲା –

ବିଜୟୀ ଭବ . . . ବିଜୟୀ ଭବ  ।

ଏହି ଖେଳାଳିମାନେ ଯେତେବେଳେ ଭାରତରୁ ପ୍ରସ୍ଥାନ କରିଥିଲେ, ସେତେବେଳେ ମୋତେ ସେମାନଙ୍କ ସହ କଥାବାର୍ତ୍ତା ହେବାର, ସେମାନଙ୍କ ବିଷୟରେ ଜାଣିବାର ଏବଂ ଦେଶକୁ ଜଣାଇବାର ସୁଯୋଗ ମିଳିଥିଲା । ଏହି ଖେଳାଳିମାନେ ଜୀବନର ଅନେକ ବାଧାବିଘ୍ନକୁ ପାର କରି ଏ ଯାଏ ପହଞ୍ଚିଛନ୍ତି । ଆଜି ସେମାନଙ୍କ ପାଖରେ ଆପଣଙ୍କ ସ୍ନେହ ଏବଂ ସମର୍ଥନର ଶକ୍ତି ରହିଛି । ତେଣୁ ଆସନ୍ତୁ, ସମସ୍ତେ ମିଶି ଆମର ଏହି ଖେଳାଳିମାନଙ୍କୁ ନିଜ ନିଜର ଶୁଭେଚ୍ଛା ଜଣାଇ ସେମାନଙ୍କ ଉତ୍ସାହ ବୃଦ୍ଧି କରିବା । ସାମାଜିକ ଗଣମାଧ୍ୟମରେ ଅଲମ୍ପିକ୍ସ ଖେଳାଳିମାନଙ୍କ ସମର୍ଥନ ପାଇଁ ଆମର ଭିକ୍ଟୋରୀ ପଞ୍ଚ କ୍ୟାମ୍ପେନ୍ ଏବେ ଆରମ୍ଭ ହୋଇସାରିଛି । ଆପଣ ମଧ୍ୟ ନିଜ ଟିମ ସହ ନିଜର ଭିକ୍ଟୋରୀ ପଞ୍ଚ ଶେୟାର କରନ୍ତୁ । ଭାରତକୁ ପ୍ରୋତ୍ସାହିତ କରନ୍ତୁ ।

ବନ୍ଧୁଗଣ, ଯିଏ ଦେଶ ପାଇଁ ତ୍ରିରଙ୍ଗା ଧାରଣ କରେ, ତା’ର ସମ୍ମାନାର୍ଥେ ଆବେଗରେ ଜୁଡୁବୁଡୁ ହୋଇଯିବା ସ୍ୱାଭାବିକ । ଦେଶର ଏହି ଭାବନା ଆମ ସମସ୍ତଙ୍କୁ ବାନ୍ଧି ରଖିଛି । ଆସନ୍ତାକାଲି, ଅର୍ଥାତ ଜୁଲାଇ ୨୬ ତାରିଖ ଦିନ କାରଗିଲ୍ ଦିବସ ମଧ୍ୟ ରହିଛି । କାରଗିଲ୍ ଯୁଦ୍ଧ, ଭାରତୀୟ ସେନାବାହିନୀର ବୀରତ୍ୱ ଏବଂ ସଂଯମର ଏଭଳି ଏକ ପ୍ରତୀକ, ଯାହାକୁ ସାରା ବିଶ୍ୱ ଦେଖିଛି । ଏଥର ଏହି ଗୌରବମୟ ଦିନଟି ମଧ୍ୟ ଅମୃତ ମହୋତ୍ସବ ସମୟରେ ପାଳିତ ହେବ । ତେଣୁ, ଏହାର ଗୁରୁତ୍ୱ ଆହୁରି ଅଧିକ ହୋଇଯାଇଛି । ମୁଁ ଚାହୁଁଛି ଯେ କାରଗିଲ ରୋମାଞ୍ଚକର କାହାଣୀ ଆପଣମାନେ ପଢ଼ନ୍ତୁ, କାରଗିଲ ବୀରମାନଙ୍କୁ ଆମେ ସମସ୍ତେ ପ୍ରଣାମ କରିବା ।

ବନ୍ଧୁଗଣ, ଏଥର ଅଗଷ୍ଟ ୧୫ ଦିନ ଦେଶ ନିଜର ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛି । ଏହା ଆମର ବହୁତ ବଡ଼ ସୌଭାଗ୍ୟ ଯେ, ଯେଉଁ ସ୍ୱାଧୀନତା ପାଇଁ ଦେଶ ଶହ ଶହ ବର୍ଷ ଧରି ପ୍ରତୀକ୍ଷା କଲା, ତାହାର ୭୫ ବର୍ଷ ପୂରଣ ହେବା ଘଟଣାର ଆମେ ସାକ୍ଷୀ ହେବାକୁ ଯାଉଛୁ । ଆପଣମାନଙ୍କର ମନେଥିବ, ସ୍ୱାଧୀନତାର ୭୫ ବର୍ଷ ପାଳନ ପାଇଁ ମାର୍ଚ୍ଚ ୧୨ ତାରିଖ ଦିନ ବାପୁଙ୍କ ସାବରମତୀ ଆଶ୍ରମରୁ ଅମୃତ ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ସେହିଦିନ ବାପୁଙ୍କ ଦାଣ୍ଡିଯାତ୍ରାକୁ ମଧ୍ୟ ପୁନର୍ଜୀବିତ କରାଯାଇଥିଲା । ସେହିଦିନଠାରୁ ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି ପୁଡୁଚେରୀ ଯାଏ, ଗୁଜରାଟରୁ ଆରମ୍ଭ କରି ଉତ୍ତର-ପୂର୍ବାଞ୍ଚଳ ଯାଏ, ସାରା ଦେଶରେ ଅମୃତ ମହୋତ୍ସବ ସହ ସଂଲଗ୍ନ କାର୍ଯ୍ୟକ୍ରମମାନ ଚାଲିଛି । ଅନେକ ଏଭଳି ଘଟଣା, ଏଭଳି ସ୍ୱାଧୀନତା ସଂଗ୍ରାମୀ, ଯେଉଁମାନଙ୍କର ବହୁତ ବଡ଼ ଅବଦାନ ରହିଛି, କିନ୍ତୁ ସେମାନେ ଲୋକଲୋଚନକୁ ଆସିପାରିନାହାନ୍ତି, ସେମାନଙ୍କ ବିଷୟରେ ମଧ୍ୟ ଜାଣିବାକୁ ପାଉଛୁ । ଯେମିତିକି ମୋଇରାଙ୍ଗ ଦେଙ୍କ କଥା ଧରନ୍ତୁ । ମଣିପୁରର ଗୋଟିଏ ଛୋଟ ଇଲାକା ମୋଇରାଙ୍ଗ, ଏକଦା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଇଣ୍ଡିଆନ ନ୍ୟାସନାଲ୍ ଆର୍ମି ବା ଆଇ.ଏନ୍.ଏ.ର ଗୋଟିଏ ପ୍ରମୁଖ କାର୍ଯ୍ୟସ୍ଥଳ ଥିଲା । ଏଠାରେ ସ୍ୱାଧୀନତାର ବହୁ ପୂର୍ବରୁ ଆଇ.ଏନ୍.ଏ.ର କର୍ଣ୍ଣେଲ ଶୌକତ୍ ମଲିକ୍ ପତାକା ଉତ୍ତୋଳନ କରିଥିଲେ । ଅମୃତ ମହୋତ୍ସବ ସମୟରେ ଏପ୍ରିଲ ୧୪ ତାରିଖ ଦିନ ପୁଣି ଥରେ ସେହି ମୋଇରାଙ୍ଗରେ ପତାକା ଉତ୍ତୋଳନ କରାଗଲା । ଏଭଳି ଅନେକ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷ ରହିଛନ୍ତି, ଯେଉଁମାନଙ୍କୁ ଅମୃତ ମହୋତ୍ସବ ସମୟରେ ଦେଶ ସ୍ମରଣ କରୁଛି । ସରକାର ଏବଂ ସାମାଜିକ ସଂଗଠନଗୁଡ଼ିକ ତରଫରୁ ମଧ୍ୟ ନିରନ୍ତର ଭାବେ ଏହା ସହ ଜଡ଼ିତ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ କରାଯାଉଛି । ଏହିଭଳି ଏକ କାର୍ଯ୍ୟକ୍ରମ ଏଥର ଅଗଷ୍ଟ ୧୫ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଜାତୀୟ ସଙ୍ଗୀତ ସହ ଜଡ଼ିତ ଗୋଟିଏ ପ୍ରୟାସ । ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରଚେଷ୍ଟା କରାଯାଉଛି ଯେ, ଏହି ଦିନ ଅଧିକରୁ ଅଧିକ ଭାରତବାସୀ ମିଶି ଜାତୀୟ ସଙ୍ଗୀତ ଗାନ କରନ୍ତୁ । ଏଥିପାଇଁ ଗୋଟିଏ ୱେବସାଇଟ ମଧ୍ୟ ପ୍ରସ୍ତୁତ କରାଯାଇଛି – ରାଷ୍ଟ୍ରଗାନ ଡଟ୍ ଇନ୍ । ଏହି ୱେବସାଇଟ ସହାୟତାରେ ଆପଣ ଜାତୀୟ ସଙ୍ଗୀତ ଗାନ କରି ତାହାକୁ ରେକର୍ଡ଼ କରିପାରିବେ, ଏହି ଅଭିଯାନ ସହ ସାମିଲ ହୋଇପାରିବେ । ଏହି ନିଆରା ପ୍ରଚେଷ୍ଟା ସହ ଆପଣମାନେ ଯୋଡ଼ି ହେବେ ବୋଲି ମୋର ଆଶା । ଏହି ଧରଣର ଅନେକ ଅଭିଯାନ, ଅନେକ ପ୍ରଚେଷ୍ଟା ଆପଣମାନଙ୍କୁ ଆଗାମୀ ଦିନମାନଙ୍କରେ ଦେଖିବାକୁ ମିଳିବ । ଅମୃତ ମହୋତ୍ସବ କୌଣସି ସରକାରୀ କାର୍ଯ୍ୟକ୍ରମ ନୁହେଁ ବା କୌଣସି ରାଜନୈତିକ ଦଳର କାର୍ଯ୍ୟକ୍ରମ ନୁହେଁ, ଏହା କୋଟି କୋଟି ଭାରତବାସୀଙ୍କ କାର୍ଯ୍ୟକ୍ରମ । ଏହା ହେଉଛି ପ୍ରତ୍ୟେକ ସ୍ୱାଧୀନ ଏବଂ କୃତଜ୍ଞ ଭାରତୀୟଙ୍କ ନିଜର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପ୍ରଣାମ । ଏହି ମହୋତ୍ସବର ମୂଳ ଚିନ୍ତାଧାରା ବହୁତ ବିସ୍ତୃତ । ଏହି ଚିନ୍ତାଧାରା ହେଉଛି, ନିଜର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପଦାଙ୍କ ଅନୁସରଣ କରିବା, ସେମାନଙ୍କ ସ୍ୱପ୍ନର ଦେଶ ଗଢ଼ିବା । ଯେମିତିକି ଦେଶର ସ୍ୱାଧୀନତା ପାଇଁ ମୁକ୍ତିସଂଗ୍ରାମୀମାନେ ଖୁବ୍ ଆବେଗର ସହ ଏକଜୁଟ ହୋଇଯାଇଥିଲେ, ଠିକ ସେହିଭଳି ଭାବେ ଆମେ ଦେଶର ଉନ୍ନତି ପାଇଁ ଏକଜୁଟ ହେବାକୁ ପଡ଼ିବ । ଆମକୁ ଦେଶ ପାଇଁ ବଞ୍ଚିବାକୁ ହେବ, ଦେଶ ପାଇଁ କାମ କରିବାକୁ ହେବ । ଏଥିରେ ଛୋଟ ଛୋଟ ପ୍ରୟାସ ମଧ୍ୟ ବଡ଼ ସଫଳତା ଆଣି ଦେଇପାରେ । ଦୈନନ୍ଦିନର କାର୍ଯ୍ୟ କରିବା ସାଙ୍ଗରେ ମଧ୍ୟ ଆମେ ରାଷ୍ଟ୍ର ନିର୍ମାଣ କରିପାରିବା, ଯେମିତିକି ଭୋକାଲ୍ ଫର୍ ଲୋକାଲ୍ । ଆମ ଦେଶର ସ୍ଥାନୀୟ ଉଦ୍ୟୋଗୀ, କଳାକାର, ଶିଳ୍ପୀ, ବୁଣାକାରମାନଙ୍କୁ ସହାୟତା କରିବା ଆମର ଅଭ୍ୟାସ ହେବା ଉଚିତ । ଅଗଷ୍ଟ ୭ ତାରିଖ ଦିନ ପଡ଼ୁଥିବା ଜାତୀୟ ହସ୍ତତନ୍ତ ଦିବସ ଏଭଳି ଏକ ସୁଯୋଗ, ଯେଉଁଦିନ ଆମେ ଏ ଦିଗରେ ଚେଷ୍ଟା କରି କାମ କରିପାରିବା । ଜାତୀୟ ହସ୍ତତନ୍ତ ଦିବସ ସହ ଅନେକ ଐତିହାସିକ ପୃଷ୍ଠଭୂମି ଜଡ଼ିତ । ୧୯୦୫ ମସିହାରେ ଏହି ଦିନ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ବନ୍ଧୁଗଣ, ଆମ ଦେଶର ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ହସ୍ତତନ୍ତ, ଆୟର ଏକ ପ୍ରମୁଖ ସ୍ରୋତ । ଏହା ଏଭଳି କ୍ଷେତ୍ର, ଯେଉଁଥିରେ ଲକ୍ଷ ଲକ୍ଷ ମହିଳା, ଲକ୍ଷ ଲକ୍ଷ ବୁଣାକାର, ଲକ୍ଷ ଲକ୍ଷ ଶିଳ୍ପୀ କାର୍ଯ୍ୟରତ । ଆପଣଙ୍କର ଛୋଟ ଛୋଟ ପ୍ରୟାସ ବୁଣାକାରମାନଙ୍କ ମଧ୍ୟରେ ଗୋଟିଏ ନୂତନ ଆଶା ସୃଷ୍ଟି କରିବ । ଆପଣ ନିଜେ କିଛି ନା କିଛି କିଣନ୍ତୁ, ଏବଂ ନିଜ କଥା ଅନ୍ୟମାନଙ୍କୁ ବି ଜଣାନ୍ତୁ । ଆଉ, ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ, ସେତେବେଳେ ତ ଏତିକି କରିବା ଆମର ଦାୟିତ୍ୱ ବନ୍ଧୁଗଣ । ଆପଣମାନେ ଲକ୍ଷ୍ୟ କରିଥିବେ, ୨୦୧୪ ପରବର୍ତ୍ତୀ ସମୟରୁ ହିଁ ‘ମନ୍ କି ବାତ୍’ରେ ଆମେ ସବୁବେଳେ ଖଦି ବିଷୟରେ କଥା ହେଉଛୁ । କେବଳ ଆପଣମାନଙ୍କ ପ୍ରଚେଷ୍ଟା ଯୋଗୁଁ ହିଁ ଆଜି ଦେଶରେ ଖଦୀର ବିକ୍ରି ଅନେକ ଗୁଣ ବୃଦ୍ଧି ପାଇଛି । ଗୋଟିଏ ଖଦୀଭଣ୍ଡାରରୁ ଦିନକରେ ଏକ କୋଟି ଟଙ୍କାରୁ ଅଧିକ ବିକ୍ରିବଟା ହେବାକଥା କ’ଣ କେହି ଚିନ୍ତା କରିପାରୁଥିଲା? କିନ୍ତୁ, ଆପଣମାନେ ଏକଥା ମଧ୍ୟ କରି ଦେଖାଇଲେ । ଆପଣ ଯେତେବେଳେ ବି କିଛି ଖଦି ତିଆରି ଜିନିଷ କିଣନ୍ତି, ସେତେବେଳେ ଏହାର ଲାଭ ଆମର ଗରିବ ବୁଣାକାର ବନ୍ଧୁମାନଙ୍କୁ ହିଁ ମିଳିଥାଏ । ତେଣୁ, ଖଦି କିଣିବା ମଧ୍ୟ ଏକ ପ୍ରକାର ଜନସେବା, ଏକ ପ୍ରକାର ଦେଶସେବା । ମୋର ପ୍ରିୟ ଭାଇ-ଭଉଣୀମାନେ, ଆପଣମାନେ ମଧ୍ୟ ଗ୍ରାମାଞ୍ଚଳରେ ତିଆରି ହେଉଥିବା ହ୍ୟାଣ୍ଡଲୁମ ପ୍ରଡକ୍ଟସ କିଣିବା ପାଇଁ ଏବଂ ଏହାକୁ #MyHandloomMyPride ସହ ଶେୟାର କରିବାକୁ ମୋର ଅନୁରୋଧ ।

ବନ୍ଧୁଗଣ, ସ୍ୱାଧୀନତା ଆନ୍ଦୋଳନ ଏବଂ ଖଦୀ କଥା ପଡ଼ିଥିବା ବେଳେ ପୂଜ୍ୟ ବାପୁଙ୍କ କଥା ମନେପଡ଼ିବା ସ୍ୱାଭାବିକ । ଯେମିତି ବାପୁଙ୍କ ନେତୃତ୍ୱରେ ଭାରତଛାଡ଼ ଆନ୍ଦୋଳନ ହୋଇଥିଲା, ଠିକ୍ ସେହିଭଳି, ଆଜି ପ୍ରତ୍ୟେକ ଦେଶବାସୀଙ୍କୁ ଭାରତ ଯୋଡ଼ୋ ଆନ୍ଦୋଳନର ନେତୃତ୍ୱ ନେବାକୁ ହେବ । ଏହା ଆମ କର୍ତ୍ତବ୍ୟ ହେବା ଉଚିତ ଯେ ଆମେ ନିଜ କାମ ଏଭଳି ଢଙ୍ଗରେ କରିବା ଯାହା ବିବିଧତାରେ ପରିପୂର୍ଣ୍ଣ ଆମ ଭାରତକୁ ଯୋଡ଼ିବାରେ ସହାୟକ ହେବ । ତେବେ ଆସନ୍ତୁ, ଅମୃତ ମହୋତ୍ସବ ଅବସରରେ ଆମେ ଅମୃତ ସଂକଳ୍ପ ଗ୍ରହଣ କରିବା ଯେ, ଦେଶ ହିଁ ଆମର ସବୁଠାରୁ ବଡ଼ ଆସ୍ଥା, ସବୁଠାରୁ ବଡ଼ ଅଗ୍ରାଧିକାର ହୋଇରହୁ । ନେସନ୍ ଫାଷ୍ଟ୍, ଅଲ୍ୱେଜ୍ ଫାଷ୍ଟ୍ – ଏହି ମନ୍ତ୍ର ସହ ଆମକୁ ଆଗକୁ ବଢ଼ିବାକୁ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଆଜି ମୁଁ ‘ମନ୍ କି ବାତ୍’ ଶୁଣୁଥିବା ମୋର ଯୁବବନ୍ଧୁମାନଙ୍କ ପ୍ରତି ବିଶେଷ କୃତଜ୍ଞତା ଜଣାଇବାକୁ ଚାହୁଁଛି । କିଛିଦିନ ତଳେ ହିଁ, ମାଇଁଗଭ୍ ତରଫରୁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ନେଇ ଗୋଟିଏ ଅଧ୍ୟୟନ କରାଯାଇଥିଲା । ଏଥିରେ ଜଣାପଡ଼ିଲା ଯେ, ‘ମନ୍ କି ବାତ୍’ ପାଇଁ ବାର୍ତ୍ତା ଏବଂ ପ୍ରସ୍ତାବମାନ ପଠାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟତଃ ୭୫ ପ୍ରତିଶତ ଲୋକଙ୍କର ବୟସ ୩୫ ବର୍ଷରୁ କମ୍ । ଅର୍ଥାତ, ଭାରତର ଯୁବଶକ୍ତିର ପ୍ରସ୍ତାବଗୁଡ଼ିକ ‘ମନ୍ କି ବାତ୍’କୁ ଦିଗଦର୍ଶନ ଦେଉଛନ୍ତି । ମୁଁ ଏହାକୁ ଗୋଟିଏ ବହୁତ ଭଲ ସଙ୍କେତ ବୋଲି ମନେ କରୁଛି । ‘ମନ୍ କି ବାତ୍’ ଏଭଳି ଏକ ମାଧ୍ୟମ ଯେଉଁଠି ରହିଛି ସକାରାତ୍ମକତା, ସମ୍ବେଦନଶୀଳତା । ‘ମନ୍ କି ବାତ୍’ରେ ଆମେ ସକାରାତ୍ମକ କଥାଗୁଡ଼ିକ କହିଥାଉ । ଏହାର ଚରିତ୍ର କଲେକ୍ଟିଭ୍ ବା ସମଷ୍ଟିଗତ । ସକାରାତ୍ମକ ଚିନ୍ତାଧାରା ଏବଂ ପ୍ରସ୍ତାବ ପାଇଁ ଭାରତର ଯୁବବର୍ଗଙ୍କ ଏହି ସକ୍ରିୟତା ମୋତେ ଆନନ୍ଦିତ କରୁଛି । ମୋତେ ଏକଥାକୁ ନେଇ ମଧ୍ୟ ଖୁସି ଲାଗୁଛି ଯେ, ‘ମନ୍ କି ବାତ୍’ ମାଧ୍ୟମରେ ମୋତେ ଯୁବମାନସକୁ ମଧ୍ୟ ଜାଣିବାର ସୁଯୋଗ ମିଳୁଛି ।

ବନ୍ଧୁଗଣ, ଆପଣମାନଙ୍କଠୁ ମିଳିଥିବା ପ୍ରସ୍ତାବଗୁଡ଼ିକ ହିଁ, ‘ମନ୍ କି ବାତ୍’ର ପ୍ରକୃତ ଶକ୍ତି । ଆପଣମାନଙ୍କ ପ୍ରସ୍ତାବଗୁଡ଼ିକ ହିଁ ‘ମନ୍ କି ବାତ୍’ ମାଧ୍ୟମରେ ଭାରତର ବିବିଧତାର ପରିପ୍ରକାଶ କରନ୍ତି, ଭାରତବାସୀଙ୍କ ସେବା ଓ ତ୍ୟାଗର ମହକ ଚତୁର୍ଦିଗରେ ପ୍ରସାରିତ କରନ୍ତି । ଆମ ପରିଶ୍ରମୀ ଯୁବବର୍ଗଙ୍କ ଇନୋଭେସନ୍ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ । ‘ମନ୍ କି ବାତ୍’ରେ ଆପଣମାନେ ଅନେକ ପ୍ରକାର ନୂଆ ଆଇଡିଆ ପଠାଇଥାନ୍ତି । ଆମେ ସବୁଗୁଡ଼ିକ ଉପରେ ତ ଆଲୋଚନା କରିପାରୁନାହୁଁ, କିନ୍ତୁ ସେଗୁଡ଼ିକ ମଧ୍ୟରୁ ଅନେକ ଆଇଡିଆ ମୁଁ ତତ୍ସଂଲଗ୍ନ ବିଭାଗଗୁଡ଼ିକୁ ନିଶ୍ଚୟ ଭାବେ ପଠାଇଥାଏଁ ଯାହାଫଳରେ ସେ ଦିଗରେ ଆଗକୁ କାର୍ଯ୍ୟ କରିହେବ ।

ବନ୍ଧୁଗଣ, ମୁଁ ଆପଣମାନଙ୍କୁ ସାଇ ପ୍ରନୀଥଙ୍କ ପ୍ରଚେଷ୍ଟା ବିଷୟରେ ନିଶ୍ଚୟ ଜଣାଇବାକୁ ଚାହୁଁଛି । ଆନ୍ଧ୍ରପ୍ରଦେଶର ବାସିନ୍ଦା ସାଇ ପ୍ରନୀଥ ଜଣେ ସଫ୍ଟୱେୟାର ଇଞ୍ଜିନିୟର । ଗତବର୍ଷ ସେ ଲକ୍ଷ୍ୟ କଲେ ଯେ, ତାଙ୍କ ଅଞ୍ଚଳରେ ପାଣିପାଗର ଅସ୍ୱାଭାବିକତା ଯୋଗୁଁ ଚାଷୀମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ପାଣିପାଗ ବିଷୟରେ ବହୁତ ଆଗରୁ ତାଙ୍କର ଆଗ୍ରହ ରହିଥିଲା । ତେଣୁ ସେ ନିଜର ଆଗ୍ରହ ଏବଂ ନିଜର ପ୍ରତିଭାକୁ ଚାଷୀମାନଙ୍କ ହିତ ପାଇଁ ବ୍ୟବହାର କରିବାକୁ ନିଷ୍ପତ୍ତି ଗ୍ରହଣ କଲେ । ଏବେ ସେ ଭିନ୍ନ ଭିନ୍ନ ଡାଟା ସୋର୍ସରୁ ପାଣିପାଗ ସମ୍ପର୍କୀୟ ତଥ୍ୟ କିଣୁଛନ୍ତି, ଏହାର ବିଷ୍ଳେଷଣ କରୁଛନ୍ତି ଏବଂ ବିଭିନ୍ନ ମାଧ୍ୟମରେ ଆଞ୍ଚଳିକ ଭାଷାରେ ଏହି ସୂଚନା ଚାଷୀମାନଙ୍କ ନିକଟକୁ ପହଞ୍ଚାଉଛନ୍ତି । ପାଣିପାଗ ସମ୍ପର୍କୀୟ ସଦ୍ୟତମ ସୂଚନା ବ୍ୟତୀତ ପ୍ରନୀଥ ଭିନ୍ନ ଭିନ୍ନ ଜଳବାୟୁ ପରିସ୍ଥିତିରେ ଲୋକ କ’ଣ କରିବା ଦରକାର, ସେ ସମ୍ପର୍କରେ ମାର୍ଗଦର୍ଶନ ମଧ୍ୟ ଦେଉଛନ୍ତି । ବିଶେଷକରି ବନ୍ୟାରୁ ରକ୍ଷା ପାଇବା କିମ୍ବା ବଜ୍ରପାତରୁ କିଭଳି ସୁରକ୍ଷିତ ରହିହେବ ସେ ସମ୍ପର୍କରେ ଲୋକଙ୍କୁ ଜଣାଉଛନ୍ତି ।

ବନ୍ଧୁଗଣ, ଏକ ପକ୍ଷରେ ଏହି ଯୁବ ସଫ୍ଟୱେୟାର ଇଞ୍ଜିନିୟରଙ୍କର ଏହି ପ୍ରୟାସ ମନକୁ ଛୁଇଁଯାଉଥିବା ବେଳେ ଅନ୍ୟପକ୍ଷରେ ଆମର ଅନ୍ୟ ଜଣେ ବନ୍ଧୁଙ୍କ ଦ୍ୱାରା କରାଯାଉଥିବା ପ୍ରଯୁକ୍ତିବିଦ୍ୟାର ଉପଯୋଗ ମଧ୍ୟ ଆପଣମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେବ । ଏହି ବନ୍ଧୁଜଣକ ହେଉଛନ୍ତି ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଗୋଟିଏ ଗାଁରେ ବାସ କରୁଥିବା ଶ୍ରୀଯୁକ୍ତ ଇସାକ୍ ମୁଣ୍ଡା । ଇସାକ୍ ମହାଶୟ ଯିଏ ଦିନେ ଜଣେ ଦିନମଜୁରିଆ ଭାବେ କାମ କରୁଥିଲେ, ଆଜି ସେ ଜଣେ ଇଂଟରନେଟ୍ ସେନ୍ସେସନ୍ ପାଲଟିଯାଇଛନ୍ତି । ନିଜର ୟୁ-ଟ୍ୟୁବ୍ ଚ୍ୟାନେଲରୁ ସେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି । ନିଜ ଭିଡିଓଗୁଡ଼ିକରେ ସେ ସ୍ଥାନୀୟ ବ୍ୟଞ୍ଜନ, ପାରମ୍ପରିକ ରନ୍ଧନଶୈଳୀ, ନିଜ ଗାଁ, ନିଜର ଜୀବନଶୈଳୀ, ପରିବାର ଏବଂ ଖାଦ୍ୟପେୟର ଅଭ୍ୟାସ ସମ୍ପର୍କରେ ପ୍ରଦର୍ଶିତ କରୁଛନ୍ତି । ଜଣେ ୟୁ-ଟ୍ୟୁବର୍ ଭାବେ ତାଙ୍କର ଯାତ୍ରା ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଓଡ଼ିଶାର ସୁପ୍ରସିଦ୍ଧ ସ୍ଥାନୀୟ ଖାଦ୍ୟ ପଖାଳ ସହ ଜଡ଼ିତ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ । ସେବେଠାରୁ ସେ ଶହ ଶହ ଭିଡିଓ ପୋଷ୍ଟ କରିସାରିଛନ୍ତି । ତାଙ୍କର ଏହି ପ୍ରଚେଷ୍ଟା ଅନେକ କାରଣରୁ ନିଆରା । ବିଶେଷକରି ଏଥିପାଇଁ ଯେ, ଏହାଦ୍ୱାରା ସହରାଞ୍ଚଳରେ ରହୁଥିବା ଲୋକଙ୍କୁ ସେହି ଜୀବନଶୈଳୀ ଦେଖିବାର ସୁଯୋଗ ମିଳୁଛି, ଯାହା ବିଷୟରେ ସେମାନେ ବେଶୀ କିଛି ଜାଣନ୍ତିନି । ଇସାକ୍ ମୁଣ୍ଡା ମହାଶୟ ସଂସ୍କୃତି ଏବଂ ବ୍ୟଞ୍ଜନ ଉଭୟକୁ ମିଶାଇ ମନୋରଞ୍ଜନ କରୁଛନ୍ତି ଏବଂ ଆମ ସମସ୍ତଙ୍କୁ ପ୍ରେରଣା ମଧ୍ୟ ଯୋଗାଉଛନ୍ତି ।

ବନ୍ଧୁଗଣ, ଆମେ ଯେତେବେଳେ ପ୍ରଯୁକ୍ତିବିଦ୍ୟା କଥା କହୁଛୁ, ସେତେବେଳେ ମୁଁ ଆଉ ଗୋଟିଏ କୌତୂହଳପୂର୍ଣ୍ଣ ବିଷୟ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଛି । ନିକଟରେ ଆପଣମାନେ ପଢ଼ିଥିବେ କିମ୍ବା ଦେଖିଥିବେ ଯେ, ଆଇଆଇଟି ମାଡ୍ରାସର ପୁରାତନ ଛାତ୍ରମାନଙ୍କ ଦ୍ୱାରା ସ୍ଥାପିତ ଗୋଟିଏ ଷ୍ଟାର୍ଟ ଅପ୍ ଏକ ଥ୍ରୀଡି ପ୍ରିଂଟେଡ୍ ହାଉସ ପ୍ରସ୍ତୁତ କରିଛନ୍ତି । ଥ୍ରୀଡି ପ୍ରିଣ୍ଟ୍ କରି ଗୃହ ନିର୍ମାଣ ଅନ୍ତତଃ କିଭଳି ସମ୍ଭବ ହେଲା ? ପ୍ରକୃତରେ ଏହି ଷ୍ଟାର୍ଟ ଅପ୍ ସର୍ବପ୍ରଥମେ ଥ୍ରୀଡି ପ୍ରିଣ୍ଟରରେ ଗୋଟିଏ ଥ୍ରୀ ଡାଇମେନ୍ସନାଲ୍ ଡିଜାଇନକୁ ଫିଡ୍ କଲେ ଏବଂ ପରେ ଗୋଟିଏ ବିଶେଷ ଧରଣର କଂକ୍ରିଟ ମାଧ୍ୟମରେ ପରସ୍ତ ପରସ୍ତ କରି ଗୋଟିଏ ଥ୍ରୀଡି ଷ୍ଟ୍ରକ୍ଚର ନିର୍ମାଣ କରିଦେଲେ । ଆପଣମାନେ ଏକଥା ଜାଣି ଖୁସିହେବେ ଯେ, ସାରା ଦେଶରେ ଏହିଭଳି ଅନେକ ପରୀକ୍ଷା-ନିରୀକ୍ଷା ଚାଲିଛି । ଦିନ ଥିଲା ଯେତେବେଳେ ଛୋଟ ଛୋଟ ନିର୍ମାଣ କାର୍ଯ୍ୟରେ ମଧ୍ୟ ବହୁତ ବର୍ଷ ଲାଗିଯାଉଥିଲା । କିନ୍ତୁ ଏବେ ପ୍ରଯୁକ୍ତିବିଦ୍ୟା ଯୋଗୁଁ ଭାରତରେ ପରିସ୍ଥିତି ବଦଳୁଛି । ଆଗରୁ ଆମେ ବିଶ୍ୱର ଏଭଳି ଇନ୍ନୋଭେଟିଭ କମ୍ପାନୀଗୁଡ଼ିକୁ ଆମନ୍ତ୍ରିତ କରିବା ପାଇଁ ଗୋଟିଏ ଗ୍ଲୋବାଲ୍ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଆରମ୍ଭ କରିଥିଲୁ । ଏହା ଦେଶରେ ଗୋଟିଏ ଭିନ୍ନ ଧରଣର ପ୍ରୟାସ । ତେଣୁ, ଆମେ ତାହାକୁ ବତୀଘର ପ୍ରକଳ୍ପ ଭାବେ ନାମିତ କରିଥିଲୁ । ଏବେ ଦେଶର ଛଅଟି ବତୀଘର ପ୍ରକଳ୍ପ କାର୍ଯ୍ୟ ଭିନ୍ନ ଭିନ୍ନ ସ୍ଥାନରେ ଦ୍ରୁତ ଗତିରେ ଚାଲିଛି । ଏହି ବତୀଘର ପ୍ରକଳ୍ପରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବ ଉପାୟ ଅବଲମ୍ବନ କରାଯାଉଛି । ଏହାଦ୍ୱାରା ନିର୍ମାଣ କାର୍ଯ୍ୟ ଅବଧି ହ୍ରାସ ପାଉଛି । ତା’ସଙ୍ଗେ ସଙ୍ଗେ ନିର୍ମିତ ହେଉଥିବା ଗୃହଗୁଡ଼ିକ ଦୀର୍ଘସ୍ଥାୟୀ, ଶସ୍ତା ଏବଂ ଆରାମଦାୟକ ହୋଇପାରୁଛି । ମୁଁ ନିକଟରେ ଡ୍ରୋନ ଜରିଆରେ ଏହି କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲି ଏବଂ କାର୍ଯ୍ୟର ପ୍ରଗତିକୁ ସିଧାସଳଖ ଦେଖିଲି ।

ଇନ୍ଦୋରର ପ୍ରୋଜେକ୍ଟରେ ଇଟା ଓ ସିମେଣ୍ଟର କାନ୍ଥ ବଦଳରେ ପ୍ରି-ଫେବ୍ରିକେଟେଡ ସ୍ୟାଣ୍ଡ୍ୱିଚ୍ ପ୍ୟାନେଲ୍ ସିଷ୍ଟମ୍ ବ୍ୟବହାର କରାଯାଉଛି । ରାଜକୋଟରେ ଏକ ବତିଘର ଫରାସୀ ପ୍ରଯୁକ୍ତିବିଦ୍ୟାରେ ନିର୍ମାଣ କରାଯାଉଛି, ଯେଉଁଥିରେ ଟନେଲ ମାଧ୍ୟମରେ ମନୋଲିଥିକ୍ କଂକ୍ରିଟ୍ କନଷ୍ଟ୍ରକ୍ସନ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ଏହି ଟେକ୍ନୋଲୋଜିରେ ତିଆରି ହେଉଥିବା ଘର ବିପର୍ଯ୍ୟୟର ସମ୍ମୁଖୀନ ହେବାରେ ଅଧିକ ସକ୍ଷମ ହେବ । ଚେନ୍ନାଇ, ଆମେରିକା ଓ ଫିନଲାଣ୍ଡରେ ଏହି ଟେକ୍ନୋଲୋଜି - ପ୍ରି-କାଷ୍ଟ୍ କଂକ୍ରିଟ୍ ସିଷ୍ଟମର ଉପଯୋଗ କରାଯାଉଛି । ଏହାଦ୍ୱାରା ଘର ଶୀଘ୍ର ତିଆରି ହେବ ଏବଂ ଖର୍ଚ୍ଚ ମଧ୍ୟ କମ୍ ହେବ । ରାଂଚିରେ ଜର୍ମାନୀର ଥ୍ରୀଡି ନିର୍ମାଣ ବ୍ୟବସ୍ଥାର ପ୍ରୟୋଗ କରାଯାଇ ଘର ତିଆରି କରାଯିବ । ଏଥିରେ ପ୍ରତ୍ୟେକ କୋଠରିକୁ ଅଲଗା ଅଲଗା ତିଆରି କରାଯିବ, ପୁଣି ସମଗ୍ର ଷ୍ଟ୍ରକ୍ଚରକୁ ଏପରି ଯୋଡ଼ାଯିବ ଯେପରିକି ବ୍ଲକ୍ ଟଏଜକୁ ଯୋଡ଼ାଯାଏ । ଅଗରତାଲାରେ ନିଉଜିଲାଣ୍ଡ ଟେକ୍ନୋଲୋଜିର ଉପଯୋଗ କରି ଷ୍ଟିଲ୍ଫ୍ରେମ୍ ସହ ଘର ତିଆରି କରାଯାଉଛି, ଯାହା ବଡ଼ ଭୂମିକମ୍ପକୁ ମଧ୍ୟ ସମ୍ଭାଳିପାରିବ । ସେହିପରି ଲକ୍ଷ୍ନୌରେ କାନାଡାର ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ଏଥିରେ ପଲସ୍ତରା ଏବଂ ରଙ୍ଗ କରାଯିବ ନାହିଁ ଓ ଖୁବଶୀଘ୍ର ଘର ତିଆରି ପାଇଁ ପୂର୍ବରୁ ହିଁ ନିର୍ମିତ କାନ୍ଥର ପ୍ରୟୋଗ କରାଯିବ ।

ବନ୍ଧୁଗଣ, ଆଜି ଦେଶରେ ଏପରି ଚେଷ୍ଟା ହେଉଛି ଯେ ଏହି ପ୍ରକଳ୍ପ ଇନକ୍ୟୁବେସନ ସେଣ୍ଟର ଭଳି କାମ କରିବ । ଏହାଦ୍ୱାରା ଆମର ଯୋଜନାକାରୀ, ସ୍ଥପତି, ଇଂଜିନିୟର ଓ ବିଦ୍ୟାର୍ଥୀମାନେ ନୂଆ ପ୍ରଯୁକ୍ତିକୁ ଜାଣିପାରିବେ ଓ ତା’ର ପରୀକ୍ଷାନିରୀକ୍ଷା ମଧ୍ୟ କରିପାରିବେ । ମୁଁ ଏକଥାଗୁଡ଼ିକୁ ବିଶେଷଭାବେ ଆମର ଯୁବପିଢ଼ି ପାଇଁ କହୁଛି, ଯେପରିକି ଆମ ଯୁବକ ଯୁବତୀମାନେ ରାଷ୍ଟ୍ର ହିତରେ ପ୍ରଯୁକ୍ତର ନୂଆ ନୂଆ କ୍ଷେତ୍ରଗୁଡ଼ିକ ପ୍ରତି ଆକର୍ଷିତ ହୋଇପାରିବେ ।

ମୋର ପ୍ରିୟ ଦେଶବାସୀଗଣ, ଆପଣ ଇଂରେଜୀର ଗୋଟିଏ ପ୍ରବାଦ ଶୁଣିଥିବେ- “ଟୁ ଲର୍ଣ୍ଣ ଇଜ୍ ଟୁ ଗ୍ରୋ” ଅର୍ଥାତ ଶିଖିବା ହିଁ ଆଗକୁ ବଢ଼ିବା । ଯେତେବେଳେ ଆମେ କିଛି ନୂଆ ଶିଖୁ, ସେତେବେଳେ ଆମ ପାଇଁ ପ୍ରଗତିର ନୂଆ ନୂଆ ରାସ୍ତା ଆପେଆପେ ଖୋଲିଯାଏ । ଯେତେବେଳେ ବି କେଉଁଠି ନିଆରା କିଛି ନୂଆ କରିବାର ପ୍ରୟାସ ହୋଇଛି, ମାନବତା ପାଇଁ ନୂଆ ଦ୍ୱାର ଖୋଲିଛି, ଗୋଟିଏ ନୂଆ ଯୁଗର ଆରମ୍ଭ ହୋଇଛି । ଆଉ ଆପଣ ଦେଖିଥିବେ ଯେତେବେଳେ କେଉଁଠି କିଛି ନୂଆ ହୁଏ, ତା’ର ପରିଣାମ ପ୍ରତ୍ୟେକ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦିଏ । ଯେପରିକି ମୁଁ ଯଦି ଆପଣଙ୍କୁ ଏବେ ପଚାରିବି ଯେ ସେଓ ଓ ଆପଲ୍ ସହ ଆପଣ କେଉଁ ରାଜ୍ୟକୁ ଯୋଡ଼ିବେ? ତାହାଲେ ସର୍ବପ୍ରଥମେ ଆପଣଙ୍କ ମନରେ ନିଶ୍ଚିତ ଭାବେ ହିମାଚଳ ପ୍ରଦେଶ, ଜମ୍ମୁକଶ୍ମୀର ଓ ଉତ୍ତରାଖଣ୍ଡର ନାମ ଆସିବ । କିନ୍ତୁ ଯଦି ମୁଁ କହିବି ଯେ ଏଇ ତାଲିକାରେ ଆପଣ ମଣିପୁରର ନାଁ ମଧ୍ୟ ଯୋଡ଼ିଦିଅନ୍ତୁ ତେବେ ବୋଧହୁଏ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିଛି ନୂଆ କରିବାର ଉତ୍ସାହ ଉଦ୍ଦୀପନାରେ ଭରା ଯୁବକ ଯୁବତୀ ମଣିପୁରରେ ଏହି ଅଦ୍ଭୁତ କାର୍ଯ୍ୟ କରି ଦେଖାଇଛନ୍ତି । ଆଜିକାଲି ମଣିପୁରର ଉଖରୁଲ୍ ଜିଲାରେ ବହୁ ପରିମାଣରେ ସେଓ ଚାଷ ହେଉଛି । ଏଠାକାର ଚାଷୀମାନେ ନିଜ ବଗିଚାରେ ସେଓ ଉତ୍ପାଦନ କରୁଛନ୍ତି । ସେଓ ଉତ୍ପାଦନ ପାଇଁ ଏମାନେ ହିମାଚଳ ଯାଇ ବିଧିବଦ୍ଧଭାବେ ତାଲିମ ମଧ୍ୟ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଲେ ଟି ଏସ୍ ରିଙ୍ଗଫାମି ୟୋଙ୍ଗ୍ । ସେ ପେସାରେ ଜଣେ ଏରୋନଟିକାଲ୍ ଇଂଜିନିୟର୍ । ସେ ନିଜ ପତ୍ନୀ ଶ୍ରୀମତୀ ଟି.ଏସ୍. ଏଞ୍ଜେଲଙ୍କ ସହ ମିଶି ସେଓ ଉତ୍ପାଦନ କରୁଛନ୍ତି । ସେହିପରି ଅବୁଙ୍ଗଶୀ ଶିମରେ ଅଗଷ୍ଟିନା ମଧ୍ୟ ନିଜ ବଗିଚାରେ ସେଓ ଉତ୍ପାଦନ କରୁଛନ୍ତି । ଅବୁଙ୍ଗଶୀ ଦିଲ୍ଲୀରେ ଚାକିରି କରୁଥିଲେ । ତାକୁ ଛାଡ଼ି ସେ ନିଜ ଗାଁକୁ ଫେରିଆସିଲେ ଏବଂ ସେଓ ଚାଷ ଆରମ୍ଭ କଲେ । ମଣିପୁରରେ ଆଜି ଏପରି ଅନେକ ସେଓ ଉତ୍ପାଦକ ଅଛନ୍ତି, ଯେଉଁମାନେ କିଛି ଅଲଗା ଓ ନୂଆ କରିକି ଦେଖାଇଛନ୍ତି ।

ବନ୍ଧୁଗଣ, ଆମର ଆଦିବାସୀ ସମ୍ପ୍ରଦାୟରେ କୋଳି ବହୁତ ଲୋକପ୍ରିୟ । ଆଦିବାସୀମାନେ ସବୁବେଳେ କୋଳି ଚାଷ କରିଥାନ୍ତି । କିନ୍ତୁ କୋଭିଡ-୧୯ ମହାମାରୀ ପରେ ଏହି ଚାଷ ବିଶେଷ ଭାବେ ବୃଦ୍ଧି ପାଉଛି । ତ୍ରିପୁରାର ଉନାକୋଟିରେ ଏହିପରି ୩୨ ବର୍ଷର ମୋର ଯୁବ ବନ୍ଧୁ ହେଲେ ବିକ୍ରମଜିତ ଚକମା । ସେ ବରକୋଳି ସେଓ ଚାଷ ଆରମ୍ଭ କରି ବହୁତ ଲାଭ ମଧ୍ୟ ପାଇଛନ୍ତି ଏବଂ ଏବେ ସେ ଲୋକଙ୍କୁ ବରକୋଳିସେଓ ଚାଷ କରିବା ପାଇଁ ପ୍ରେରଣା ମଧ୍ୟ ଦେଉଛନ୍ତି । ରାଜ୍ୟ ସରକାର ମଧ୍ୟ ଏପରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସରକାରଙ୍କ ଦ୍ୱାରା ଏଥିପାଇଁ କେତେକ ସ୍ୱତନ୍ତ୍ର ନର୍ସରି ତିଆରି କରାଯାଇଛି, ଯେପରିକି ବରକୋଳି ସେଓ ଚାଷ ସହ ସମ୍ପୃକ୍ତ ଲୋକଙ୍କ ଚାହିଦା ପୂରଣ କରାଯାଇପାରିବ । ଚାଷରେ ନୂଆ ନୂଆ ପ୍ରୟୋଗ ମଧ୍ୟ ହେଉଛି ତ ଚାଷର ବାଇ ପ୍ରଡକ୍ଟରେ ମଧ୍ୟ ସୃଜନଶୀଳତା ଦେଖିବାକୁ ମିଳୁଛି ।

ବନ୍ଧୁଗଣ, ଉତ୍ତରପ୍ରଦେଶର ଲଖିମପୁର ଖିରିରେ କରାଯାଇଥିବା ଏକ ପ୍ରୟାସ ସମ୍ପର୍କରେ ମଧ୍ୟ ମୁଁ ଅବଗତ ହୋଇଛି । କୋଭିଡ ସମୟରେ ହିଁ ଲଖିମପୁର ଖିରିରେ ଏକ ନିଆରା ପ୍ରଚେଷ୍ଟା ହୋଇଛି । ସେଠାକାର ମହିଳାମାନେ କଦଳୀପଟୁଆରୁ ଫାଇବର ତିଆରି କରିବାର ତାଲିମ ଦେବାର କାମ ଆରମ୍ଭ କରିଛନ୍ତି । ୱେଷ୍ଟରୁ ବେଷ୍ଟ୍ କରିବାର ମାର୍ଗ । କଦଳୀପଟୁଆକୁ କାଟି ମେସିନ ସାହାଯ୍ୟରେ ବାନାନା ଫାଇବର୍ ତିଆରି କରାଯାଏ, ଯାହା ଝୋଟ ବା ଛଣ ଭଳି ହୋଇଥାଏ । ଏହି ଫାଇବରରୁ ହ୍ୟାଣ୍ଡବ୍ୟାଗ୍, ଚଟେଇ, ଦରି ଆଦି ଅନେକ ପ୍ରକାରର ଜିନିଷ ତିଆରି ହୋଇଥାଏ । ଏହାଦ୍ୱାରା ଗୋଟିଏ ପଟେ ଫସଲ ଆବର୍ଜନାର ବ୍ୟବହାର ଆରମ୍ଭ ହୋଇଗଲା, ଅନ୍ୟପଟେ ଗାଁରେ ରହୁଥିବା ଆମର ମାଆଭଉଣୀମାନଙ୍କୁ ଆୟର ଆଉ ଏକ ସାଧନ ମିଳିଗଲା । ବାନାନା ଫାଇବର ଏହି କାମରୁ ଜଣେ ସ୍ଥାନୀୟ ମହିଳାଙ୍କୁ ଚାରି ଶହରୁ ଛଅ ଶହ ଟଙ୍କା ଦୈନିକ ଆୟ ହୋଇଯାଏ । ଲଖିମପୁର ଖିରିରେ ଶହଶହ ଏକର ଜମିରେ କଦଳୀ ଚାଷ ହୋଇଥାଏ । କଦଳି ଫସଲ ପରେ ସାଧାରଣତଃ ଚାଷୀମାନେ ଏହାର ପଟୁଆକୁ ଫିଙ୍ଗିବା ପାଇଁ ଅଲଗା ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଏବେ ସେମାନଙ୍କ ସେହି ପଇସା ମଧ୍ୟ ବଞ୍ଚିଯାଉଛି, ଅର୍ଥାତ “ଆମ୍ କେ ଆମ୍ ଗୁଠଲିୟୋଁ କେ ଦାମ୍” ରୁଢ଼ିଟି ଏ କ୍ଷେତ୍ରରେ ସଂପୂର୍ଣ୍ଣ ଠିକ୍ ସାବ୍ୟସ୍ତ ହୋଇଛି ।

ବନ୍ଧୁଗଣ, ଗୋଟିଏ ପଟେ ବାନାନା ଫାଇବରରୁ ଜିନିଷପତ୍ର ତିଆରି କରାଯାଉଛି, ଅନ୍ୟପଟେ କଦଳୀର ଅଟାରୁ ଦୋସା ଓ ଗୁଲାବଜାମୁନ ପରି ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟ ତିଆରି ହେଉଛି । କର୍ଣ୍ଣାଟକର ଉତ୍ତର କନ୍ନଡ଼ ଏବଂ ଦକ୍ଷିଣ କନ୍ନଡ଼ ଜିଲାଗୁଡ଼ିକରେ ମହିଳାମାନେ ଏହି ଅସାଧାରଣ କାର୍ଯ୍ୟ କରୁଛନ୍ତି । ଏହାର ଆରମ୍ଭ ମଧ୍ୟ କରୋନା କାଳରେ ହିଁ ହୋଇଛି । ଏହି ମହିଳାମାନେ କେବଳ କଦଳୀ ଅଟାରୁ ଦୋସା, ଗୁଲାବଜାମୁନ୍ ଭଳି ଜିନିଷ ତିଆରି କରୁନାହାନ୍ତି, ବରଂ ସେଗୁଡ଼ିକର ଛବିକୁ ସୋସିଆଲ୍ ମିଡିଆରେ ମଧ୍ୟ ଶେୟାର୍ କରିଛନ୍ତି । ଯେତେବେଳେ ଅଧିକ ଲୋକ କଦଳୀ ଅଟା ସମ୍ପର୍କରେ ଜାଣିଲେ ସେତେବେଳେ ତା’ର ଚାହିଦା ମଧ୍ୟ ବଢ଼ିଲା ଓ ଏହି ମହିଳାଙ୍କର ଆମଦାନୀ ମଧ୍ୟ ବଢ଼ିଗଲା । ଲଖିମପୁର ଖିରି ଭଳି ଏଠାରେ ମଧ୍ୟ ମହିଳାମାନେ ହିଁ ଇନ୍ନୋଭେଟିଭ୍ ଆଇଡିଆକୁ କାର୍ଯ୍ୟକାରୀ କରିବାରେ ଆଗୁଆ ଅଛନ୍ତି ।

ବନ୍ଧୁଗଣ, ଏପରି ଉଦାହରଣ ଜୀବନରେ କିଛି ନୂଆ କରିବାର ପ୍ରେରଣା ପାଲଟିଯାଏ । ଆପଣଙ୍କ ଆଖପାଖରେ ମଧ୍ୟ ଏପରି ଅନେକ ଲୋକ ରହିଥିବେ । ଯେତେବେଳେ ଆପଣଙ୍କ ପରିବାରରେ ଆପଣ ମନଖୋଲି କଥା ହେଉଥାନ୍ତି, ସେତେବେଳେ ଆପଣ ଏଗୁଡ଼ିକୁ ମଧ୍ୟ ନିଜର ଗପସପର ଅଂଶ କରନ୍ତୁ । କେବେ ସମୟ ବାହାର କରି ପିଲାଙ୍କ ସହ ଏପରି ପ୍ରୟାସଗୁଡ଼ିକୁ ଦେଖିବାକୁ ମଧ୍ୟ ଯାଆନ୍ତୁ ଏବଂ ସୁଯୋଗ ମିଳିଲେ ନିଜେ ମଧ୍ୟ ଏପରି କିଛି କରିଦେଖାନ୍ତୁ । ଆଉ ହଁ, ଏସବୁକୁ ଆପଣ ମୋ ସଂଗେ ନମୋଆପ୍ ବା ମାଇଁଗଭରେ ଯଦି ବାଣ୍ଟିପାରିବେ ମୋତେ ଆହୁରି ଭଲ ଲାଗିବ ।

ମୋର ପ୍ରିୟ ଦେଶବାସୀଗଣ, ଆମର ସଂସ୍କୃତ ଗ୍ରନ୍ଥରେ ଏକ ଶ୍ଳୋକ ଅଛି-

ଆତ୍ମାର୍ଥମ୍ ଜୀବ ଲୋକେ ଅସ୍ମିନ୍, କୋ ନ ଜୀବତି ମାନବଃ ।

ପରମ୍ ପରୋପକାରାର୍ଥମ୍, ୟୋ ଜୀବତି ଓ ଜୀବତି ।

ଅର୍ଥାତ୍ ନିଜ ପାଇଁ ତ ସଂସାରରେ ସମସ୍ତେ ବଞ୍ଚନ୍ତି; କିନ୍ତୁ ବାସ୍ତବରେ ସେହି ବ୍ୟକ୍ତି ହିଁ ଅମର ହୋଇଥାଏ ଯିଏ ପରୋପକାର ପାଇଁ ବଂଚେ । ଭାରତମାତାର ପୁଅଝିଅଙ୍କ ପରୋପକାରୀ ପ୍ରୟାସର କଥା- ଏହାହିଁ ତ ‘ମନ୍ କୀ ବାତ୍’ । ଆଜି ମଧ୍ୟ ଏପରି କେତେକ ବନ୍ଧୁଙ୍କ ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା । ଜଣେ ବନ୍ଧୁ ଚଣ୍ଡିଗଡ଼ ସହରର । ଚଣ୍ଡିଗଡ଼ରେ, ମୁଁ ମଧ୍ୟ କିଛି ବର୍ଷ ରହିଥିଲି । ଏହା ବହୁତ ଆନନ୍ଦମୟ ଆଉ ସୁନ୍ଦର ସହର ଅଟେ । ଏଠାରେ ରହୁଥିବା ଲୋକ ମଧ୍ୟ ହୃଦୟବାନ ଏବଂ ହଁ, ଯଦି ଆପଣ ଖାଦ୍ୟପ୍ରିୟ, ତେବେ ଏଠି ଆପଣଙ୍କୁ ଆହୁରି ଖୁସି ଲାଗିବ । ଏହି ଚଣ୍ଡିଗଡ଼ର ସେକ୍ଟର ୨୯ରେ ସଂଜୟ ରାଣା ଫୁଡଷ୍ଟଲ୍ ଚଳାନ୍ତି ଆଉ ସାଇକଲରେ ଛୋଲେ-ଭଟୁରେ ବିକ୍ରି କରନ୍ତି । ଦିନେ ତାଙ୍କ ଝିଅ ରିଦ୍ଧିମା ଆଉ ଭାଣିଜୀ ରିୟା ଗୋଟିଏ ଆଇଡିଆ ନେଇ ତାଙ୍କ ପାଖକୁ ଆସିଲେ । ଦୁଇଜଣ ତାଙ୍କୁ କୋଭିଡ଼ ଟିକା ନେଇଥିବା ଲୋକଙ୍କୁ ମାଗଣା ଛୋଲେ-ଭଟୁରେ ଖୁଆଇବାକୁ କହିଲେ । ସେ ଏଥିପାଇଁ ଖୁସିରେ ପ୍ରସ୍ତୁତ ହୋଇଗଲେ । ସେ ସାଂଗେସାଂଗେ ଏହି ଉତ୍ତମ ଓ ସୁନ୍ଦର ପ୍ରୟାସ ଆରମ୍ଭ ମଧ୍ୟ କରିଦେଲେ । ସଂଜୟ ରାଣାଙ୍କ ଛୋଲେ-ଭଟୁରେ ମାଗଣାରେ ଖାଇବା ପାଇଁ ଆପଣଙ୍କୁ ସେହିଦିନ ଟିକା ନେଇଥିବା ଦେଖାଇବାକୁ ପଡ଼ିବ । ଟିକାର ମେସେଜ୍ ଦେଖାଇବା ମାତ୍ରେ ସେ ଆପଣଙ୍କୁ ସ୍ୱାଦିଷ୍ଟ ଛୋଲେ-ଭଟୁରେ ଦେଇଦେବେ । କୁହାଯାଏ, ସମାଜର ମଙ୍ଗଳ କରିବା ପାଇଁ ଅର୍ଥଠୁ ଅଧିକ ସେବାଭାବ, କର୍ତ୍ତବ୍ୟଭାବର ଅଧିକ ଆବଶ୍ୟକତା ହୋଇଥାଏ । ଆମର ସଂଜୟ ଭାଇ ଏହାକୁ ସତ୍ୟ ସାବ୍ୟସ୍ତ କରୁଛନ୍ତି ।

ବନ୍ଧୁଗଣ, ଏପରି ଆଉ ଏକ କାମର ଚର୍ଚ୍ଚା ଆଜି କରିବାକୁ ଚାହୁଁଛି । ଏହି କାମ ହେଉଛି ତାମିଲନାଡୁର ନୀଳଗିରିରେ । ସେଠାରେ ରାଧିକା ଶାସ୍ତ୍ରୀ ଏମ୍ବୁରେକ୍ସ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହି ପ୍ରୋଜେକ୍ଟରର ଉଦ୍ଦେଶ୍ୟ ହେଉଛି ପାହାଡ଼ିଆ ଅଞ୍ଚଳରେ ରୋଗୀଙ୍କର ଚିକିତ୍ସା ପାଇଁ ସହଜ ପରିବହନ ଉପଲବ୍ଧ କରାଇବା । ରାଧିକା କୁନ୍ନୁରରେ ଏକ କାଫେ ଖୋଲିଛନ୍ତି । ସେ ନିଜ କାଫେର ସାଥୀମାନଙ୍କ ସହ ଏମ୍ବୁରେକ୍ସ ପାଇଁ ପାଣ୍ଠି ସଂଗ୍ରହ କଲେ । ନୀଳଗିରି ପାହାଡ଼ରେ ଆଜି ୬ ଏମ୍ବୁରେକ୍ସ ସେବାରତ ଅଛନ୍ତି ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଏମର୍ଜେନ୍ସି ସମୟରେ ରୋଗୀଙ୍କ ସହାୟତା କରୁଛନ୍ତି । ଏମ୍ବୁରେକ୍ସରେ ଷ୍ଟ୍ରେଚର୍, ଅକ୍ସିଜେନ ସିଲିଣ୍ଡର୍, ଫାଷ୍ଟ୍ ଏଡ୍ ବକ୍ସ ଭଳି ଅନେକ ଜିନିଷର ବ୍ୟବସ୍ଥା ରହିଛି ।

ବନ୍ଧୁଗଣ, ସଂଜୟ ରାଣା ହୁଅନ୍ତୁ ବା ରାଧିକା ଶାସ୍ତ୍ରୀ, ଏମାନଙ୍କ ଉଦାହରଣରୁ ଜାଣିହୁଏ ଯେ ଆମେ ନିଜର କାର୍ଯ୍ୟ, ନିଜର ବ୍ୟବସାୟ, ଚାକିରି କରୁଥିବାବେଳେ ମଧ୍ୟ ସେବା କାର୍ଯ୍ୟ କରିପାରିବା ।

ବନ୍ଧୁଗଣ, କିଛିଦିନ ପୂର୍ବରୁ ଗୋଟିଏ ବହୁତ ମଜାଦାର ଓ ବହୁତ ଆବେଗଭରା ଘଟଣା ଘଟିଥିଲା, ଯାହାଦ୍ୱାରା ଭାରତ-ଜର୍ଜିଆ ମୈତ୍ରୀକୁ ନୂଆ ଶକ୍ତି ମିଳିଲା । ଏହି ସମାରୋହରେ ଭାରତର ସେଣ୍ଟ୍ କୁଇନ୍ କେଟେଭାନର ହୋଲି ରେଲିକ୍ ଅର୍ଥାତ ତାଙ୍କର ପବିତ୍ର ସ୍ମୃତିଚିହ୍ନ ଜର୍ଜିଆର ସରକାର ଓ ସେଠାକାର ଜନତାକୁ ସମର୍ପଣ କଲେ, ଏଥିପାଇଁ ଆମର ବିଦେଶ ମନ୍ତ୍ରୀ ସ୍ୱୟଂ ସେଠାକୁ ଯାଇଥିଲେ । ବହୁତ ଭାବପୂର୍ଣ୍ଣ ପରିବେଶରେ ହୋଇଥିବା ଏହି ସମାରୋହରେ ଜର୍ଜିଆର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ତାଙ୍କ ଧର୍ମଗୁରୁ ଏବଂ ବହୁସଂଖ୍ୟକ ଜର୍ଜିଆବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଶଂସା କରି ଯେଉଁ ଶବ୍ଦଗୁଡ଼ିକ କୁହାଯାଇଥିଲା, ତାହା ବହୁତ ସ୍ମରଣୀୟ । ଏହି ଗୋଟିଏ ସମାରୋହରେ ଦୁଇ ଦେଶ ସହିତ, ଗୋଆ ଓ ଜର୍ଜିଆ ମଧ୍ୟରେ ସମ୍ବନ୍ଧକୁ ମଧ୍ୟ ଆହୁରି ପ୍ରଗାଢ଼ କରିଦେଇଛି । ଏପରି ଏଥିପାଇଁ ଯେ ସେଣ୍ଟ୍ କୁଇନ କେଟେଭାନଙ୍କ ଏହି ପବିତ୍ର ଅବଶେଷ ୨୦୦୫ରେ ଗୋଆର ସେଣ୍ଟ୍ ଅଗଷ୍ଟାଇନ ଚର୍ଚ୍ଚରୁ ମିଳିଥିଲା ।

ବନ୍ଧୁଗଣ, ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏସବୁ କ’ଣ, ଏହା କେବେ ଓ କିପରି ହୋଇଥିଲା ? ପ୍ରକୃତରେ, ଏହା ଆଜିଠାରୁ ଚାରି ଶହ ପାଞ୍ଚ ଶହ ବର୍ଷ ତଳର କଥା । କୁଇନ କେଟେଭାନ ଥିଲେ ଜର୍ଜିଆର ରାଜକନ୍ୟା । ଦଶବର୍ଷର କାରାବାସ ପରେ ୧୬୨୪ ଖ୍ରୀଷ୍ଟାବ୍ଦରେ ସେ ସହିଦ ହୋଇଯାଇଥିଲେ । ଏକ ପ୍ରାଚୀନ ପର୍ତ୍ତୁଗାଲି ଦସ୍ତାବିଜ୍ ଅନୁସାରେ ସେଣ୍ଟ୍ କୁଇନ୍ କେଟେଭାନଙ୍କ ଅସ୍ଥିକୁ ଓଲ୍ଡ ଗୋଆର ସେଣ୍ଟ୍ ଅଗଷ୍ଟାଇନ କନଭେଟରେ ରଖାଯାଇଥିଲା । କିନ୍ତୁ, ଦୀର୍ଘ ସମୟ ଧରି ଏହା ଧରାଯାଉଥିଲା ଯେ ଗୋଆରେ ସମାଧି ଦିଆଯାଇଥିବା ତାଙ୍କର ଅବଶେଷ ୧୯୩୦ ମସିହାର ଭୂମିକମ୍ପରେ ଉଭାନ ହୋଇଯାଇଥିଲା ।

ଭାରତ ସରକାର ଓ ଜର୍ଜିଆର ଐତିହାସିକ, ଗବେଷକ, ପ୍ରତ୍ନତତ୍ୱବିତ୍ ଓ ଜର୍ଜିଆନ୍ ଚର୍ଚ୍ଚର ଦଶନ୍ଧି ଧରି ନିରନ୍ତର ପ୍ରୟାସ ପରେ ୨୦୦୫ରେ ସେହି ପବିତ୍ର ଅବଶେଷକୁ ଖୋଜିବାରେ ସଫଳତା ମିଳିଥିଲା । ଏହି ବିଷୟ ଜର୍ଜିଆର ଲୋକଙ୍କ ପାଇଁ ବହୁତ ଭାବନାତ୍ମକ ଅଟେ । ସେଥିପାଇଁ ତାଙ୍କର ଐତିହାସିକ, ଧାର୍ମିକ ଓ ଆଧ୍ୟାତ୍ମିକ ଭାବାବେଗକୁ ଧ୍ୟାନରେ ରଖି ଭାରତ ସରକାର ଏହି ଅବଶେଷର ଏକ ଅଂଶ ଜର୍ଜିଆର ଲୋକଙ୍କୁ ଉପହାର ସ୍ୱରୂପ ଦେବାର ନିଷ୍ପତ୍ତି ନେଲେ । ଭାରତ ଓ ଜର୍ଜିଆର ସାଧାରଣ ଇତିହାସର ଏହି ଅସାଧାରଣ ଘଟଣାକୁ ସଜାଇ ରଖିବା ପାଇଁ ମୁଁ ଆଜି ଗୋଆର ଜନସାଧାରଣଙ୍କୁ ହୃଦୟର ସହିତ ଧନ୍ୟବାଦ ଦେବାକୁ ଚାହିଁବି । ଗୋଆ ଅନେକ ମହାନ ଆଧ୍ୟାତ୍ମିକ ଐତିହ୍ୟର ଭୂମି ରହିଆସିଛି । ସେଣ୍ଟ୍ ଅଗଷ୍ଟାଇନ ଚର୍ଚ୍ଚ, ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତାପ୍ରାପ୍ତ - ଚର୍ଚ୍ଚେସ୍ ଆଣ୍ଡ୍ କନଭେଟସ ଅଫ୍ ଗୋଆର ଏକ ଅଂଶ ।

ମୋର ପ୍ରିୟ ଦେଶବାସୀଗଣ, ଜର୍ଜିଆରୁ ଏବେ ମୁଁ ଆପଣଙ୍କୁ ସିଧା ସିଙ୍ଗାପୁର ନେଇଯାଉଛି, ଯେଉଁଠି ଏହି ମାସ ଆରମ୍ଭରେ ଆଉ ଏକ ଗୌରବଶାଳୀ ଘଟଣା ସାମ୍ନାକୁ ଆସିଛି । ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଏବଂ ମୋର ବନ୍ଧୁ, ଲୀ ସେନ ଲୁଙ୍ଗ୍ ଏଇ ନିକଟରେ ପୁର୍ନନିର୍ମାଣ କରାଯାଇଥିବା ସିଲାଟ୍ ରୋଡ଼ ଗୁରୁଦ୍ୱାରାର ଉଦ୍ଘାଟନ କରିଥିଲେ । ସେ ପାରମ୍ପରିକ ଶିଖ୍ ପଗଡି ମଧ୍ୟ ପିନ୍ଧିଥିଲେ । ଏହି ଗୁରୁଦ୍ୱାରା ପ୍ରାୟ ଶହେ ବର୍ଷ ତଳେ ନିର୍ମିତ ହୋଇଥିଲା ଏବଂ ଏଠାରେ ଭାରତ ମହାରାଜ ସିଂହଙ୍କୁ ସମର୍ପିତ ଏକ ସ୍ମାରକ ମଧ୍ୟ ଅଛି । ଭାଇ ମହାରାଜ ସିଂହ ଜୀ ଭାରତର ସ୍ୱାଧୀନତା ପାଇଁ ଲଢ଼େଇ ଲଢ଼ିଥିଲେ ଏବଂ ଏବେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ସମୟରେ ଆହୁରି ଅଧିକ ପ୍ରେରଣାଦାୟକ ହୋଇଯାଏ । ଦୁଇ ଦେଶ ମଧ୍ୟରେ, ପିପୁଲ୍ ଟୁ ପିପୁଲ୍ କନେକ୍ଟ, ଏପରି କଥା, ଏପରି ପ୍ରୟାସରେ ହିଁ ମଜଭୁତ ହୋଇଥାଏ । ଏଥିରୁ ଏହା ମଧ୍ୟ ଜାଣିହୁଏ ଯେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ରହିବା ଏବଂ ଜଣେ ଅପରର ସଂସ୍କୃତିକୁ ବୁଝିବାର କେତେ ମହତ୍ୱ ରହିଛି ।

ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ୍ କୀ ବାତ୍’ରେ ଆମେ ଅନେକ ବିଷୟ ଆଲୋଚନା କଲେ । ଆଉ ଗୋଟିଏ ବିଷୟ ଅଛି ଯାହା ମୋ ହୃଦୟର ଖୁବ୍ ନିକଟତର । ଏହି ବିଷୟ ଜଳ ସଂରକ୍ଷଣର । ମୋ ଶୈଶବ ଯେଉଁଠି କଟିଥିଲା, ସେଇଠି ସବୁବେଳେ ପାଣିର ଅଭାବ ରହିଥାଏ । ଆମେ ବର୍ଷାକୁ ସବୁବେଳେ ଅପେକ୍ଷା କରୁଥିଲୁ ଏବଂ ସେଥିପାଇଁ ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଂରକ୍ଷିତ କରି ରଖିବା ଆମ ସଂସ୍କାରର ଏକ ଅଂଶ ହୋଇଯାଇଥିଲା । ଏବେ “ଜନଭାଗିଦାରୀରେ ଜଳ ସଂରକ୍ଷଣ” ଏହି ମନ୍ତ୍ର ସେଠାକାର ଚିତ୍ରକୁ ବଦଳାଇ ଦେଇଛି । ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଂରକ୍ଷଣ କରିବା, କୌଣସି ପ୍ରକାରେ ପାଣି ନଷ୍ଟ ହେବାକୁ ନ ଦେବା, ଏହା ଆମ ଜୀବନଶୈଳୀର ଏକ ସହଜ ଅଂଶ ହୋଇଯିବା ଉଚିତ । ଆମ ପରିବାରର ଏହା ପରମ୍ପରା ହୋଇଯିବା ଆବଶ୍ୟକ, ଯାହାକୁ ନେଇ ପ୍ରତ୍ୟେକ ସଦସ୍ୟ ଗର୍ବ କରିବେ ।

ବନ୍ଧୁଗଣ, ପ୍ରକୃତି ଓ ପରିବେଶର ସୁରକ୍ଷା ଭାରତର ସାଂସ୍କୃତିକ ଜୀବନରେ, ଆମର ଦୈନିକ ଜୀବନରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସେହିପରି ବର୍ଷା ଓ ମୌସୁମି ସବୁବେଳେ ଆମର ବିଚାର, ଆମର ଦର୍ଶନ ଓ ଆମର ସଭ୍ୟତାକୁ ରୂପ ପ୍ରଦାନ କରିଆସିଛି । ଋତୁସଂହାର ଓ ମେଘଦୂତରେ ମହାକବି କାଳିଦାସ ବର୍ଷାକୁ ନେଇ ବହୁତ ସୁନ୍ଦର ବର୍ଣ୍ଣନା କରିଛନ୍ତି । ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଏହି କବିତା ଆଜି ମଧ୍ୟ ବହୁତ ଲୋକପ୍ରିୟ । ଋଗବେଦର ପର୍ଜନ୍ୟ ସୂକ୍ତରେ ମଧ୍ୟ ବର୍ଷାର ସୌନ୍ଦର୍ଯ୍ୟ ସମ୍ପର୍କରେ ଅନୁପମ ବର୍ଣ୍ଣନା ରହିଛି । ସେହିପରି ଶ୍ରୀମଦ୍ ଭାଗବତରେ ମଧ୍ୟ କାବ୍ୟାତ୍ମକ ରୂପରେ ପୃଥିବୀ, ସୂର୍ଯ୍ୟ ଓ ବର୍ଷା ଭିତରେ ରହିଥିବା ସମ୍ପର୍କକୁ ବିସ୍ତୃତ ଭାବେ ଦିଆଯାଇଛି ।

ଅଷ୍ଟୌ ମାସାନ୍ ନିପୀତଂ ୟଦ୍, ଭୂମ୍ୟାଃ ଚ, ଓଦ-ମୟମ୍ ବସୁ ।

ସ୍ୱଗୋଭିଃ ମୋକ୍ତୁମ୍ ଆରେଭେ, ପର୍ଜନ୍ୟଃ କାଳ ଆଗତେ । ।

ଅର୍ଥାତ୍ ସୂର୍ଯ୍ୟ ଆଠମାସ ଧରି ଜଳ ରୂପରେ ଥିବା ପୃଥିବୀ ସଂପଦର ଦୋହନ କରିଥିଲେ, ଏବେ ବର୍ଷାଋତୁରେ, ସୂର୍ଯ୍ୟ ସେହି ସଞ୍ଚିତ ସଂପଦକୁ ପୃଥିବୀକୁ ଫେରାଇ ଦେଉଛନ୍ତି । ସତରେ, ମୌସୁମୀ ଓ ବର୍ଷାର ଋତୁ କେବଳ ସୁନ୍ଦର ଓ ମନଲୋଭା ହୋଇନଥାଏ, ଏହା ପୋଷଣଦାତା, ଜୀବନଦାତା ମଧ୍ୟ । ଆମକୁ ଯେଉଁ ବର୍ଷାଜଳ ମିଳୁଛି ତାହା ଆମର ଆଗାମୀ ପିଢ଼ି ପାଇଁ, ଏକଥାକୁ ଆମେ କେବେ ଭୁଲିବା ଅନୁଚିତ ।

ଆଜି ମୋ ମନରେ ଏହି ବିଚାର ଆସୁଛି ଯେ ଏହି ରୋଚକ ବିଷୟ ସହିତ ହିଁ ନିଜ କଥାକୁ ମୁଁ କାହିଁକି ଶେଷ ନ କରିବି । ଆପଣ ସଭିଙ୍କୁ ଆଗାମୀ ଦିନର ପର୍ବପର୍ବାଣୀର ବହୁତ ବହୁତ ଶୁଭକାମନା । ପର୍ବ ଓ ଉତ୍ସବ ପାଳନ ସମୟରେ, ଏହା ନିଶ୍ଚିତ ମନେ ରଖନ୍ତୁ ଯେ କରୋନା ଏବେ ବି ଆମ ଭିତରୁ ଯାଇନାହିଁ । କରୋନା ସହ ସଂପୃକ୍ତ ମାର୍ଗଦର୍ଶିକା ଓ କଟକଣାକୁ ଆପଣ ଭୁଲନ୍ତୁ ନାହିଁ । ଆପଣ ସୁସ୍ଥ ଓ ପ୍ରସନ୍ନ ରହନ୍ତୁ ।

ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Womaniya' initiative of GeM, sees 27.6% growth, Rs 28,000 crore contracts awarded to women MSEs

Media Coverage

Womaniya' initiative of GeM, sees 27.6% growth, Rs 28,000 crore contracts awarded to women MSEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Katihar, Bihar
April 11, 2026
PM announces ex-gratia from PMNRF

Prime Minister Shri Narendra Modi today expressed profound grief over the tragic mishap in Katihar, Bihar, describing the incident as extremely painful.

The Prime Minister extended his heartfelt condolences to the families who have lost their loved ones and prayed for the earliest recovery of those who sustained injuries. Shri Modi further announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased, noting that Rs. 50,000 would be provided to those injured in the accident.

The Prime Minister wrote on X:

"The mishap in Katihar, Bihar, is extremely painful. Condolences to those who have lost their loved ones. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000."