ଷ୍ଟକହୋମଠାରେ ଆଜି ସ୍ୱିଡେନ ପ୍ରଧାନମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଡେନମାର୍କର ପ୍ରଧାନମନ୍ତ୍ରୀ ଲାର୍ସ ଲୋକେ ରାସମୁସେନ, ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ଜୁହା ସିପିଲା, ଆଇସଲାଣ୍ଡ ପ୍ରଧାନମନ୍ତ୍ରୀ କାଟ୍ରିନ ଜାକବ୍ସଡୋଟିର, ନରୱେ ପ୍ରଧାନମନ୍ତ୍ରୀ ଏର୍ଣ୍ଣା ସୋଲବର୍ଗ ଏବଂ ସ୍ୱିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୱେନ ଯୋଗ ଦେଇଥିଲେ ।

ଏହି ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀମାନେ ନର୍ଡିକ ରାଷ୍ଟ୍ର ସମୂହ ଏବଂ ଭାରତ ମଧ୍ୟରେ ସହଯୋଗକୁ ଆହୁରି ନିବିଡ଼ କରିବା ଲାଗି ସଂକଳ୍ପ ନେଇଥିଲେ । ଆଲୋଚନା କାଳରେ ସେମାନେ ବିଶ୍ୱ ସୁରକ୍ଷା, ଅର୍ଥନୈତିକ ଅଭିବୃଦ୍ଧି, ଉଦ୍ଭାବନ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସାମଗ୍ରୀକ ଅଭିବୃଦ୍ଧି ଏବଂ ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଲାଗି ମୁକ୍ତ ବାଣିଜ୍ୟ ଏକ ବୃହତ ପରିବାହକର ଭୂମିକା ଗ୍ରହଣ କରିବା ନେଇ ପ୍ରଧାନମନ୍ତ୍ରୀମାନେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀମାନେ ଏହା ମଧ୍ୟ ହୃଦବୋଧ କରିଥିଲେ ଯେ ନବସୃଜନ ଏବଂ ଡିଜିଟାଲ ରୂପାନ୍ତରଣ ଆନ୍ତସଂଯୁକ୍ତ ବିଶ୍ୱରେ ଅଭିବୃଦ୍ଧିକୁ ଆଗେଇ ନେବ ଏବଂ ଏହା ନର୍ଡିକ ରାଷ୍ଟ୍ରସମୂହ ଏବଂ ଭାରତ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ସୁଦୃଢ଼ କରିବ । ନର୍ଡିକ ରାଷ୍ଟ୍ରଗୁଡ଼ିକ ବିଶ୍ୱ ନବସୃଜନ କ୍ଷେତ୍ରରେ ନେତୃତ୍ୱ ନେବା ଉପରେ ଆଲୋକପାତ କରାଯାଇଥିଲା । ନବସୃଜନ ବ୍ୟବସ୍ଥା ପ୍ରତି ନର୍ଡିକର ଆଭିମୁଖ୍ୟ, ଯାହାର ବୈଶିଷ୍ଟ୍ୟ ସରକାରୀ ଓ ଘରୋଇ କ୍ଷେତ୍ର ଏବଂ ଶିକ୍ଷଣ ସଂସ୍ଥା ମଧ୍ୟରେ ଦୃଢ଼ ସହଯୋଗ ଉପରେ ଆଧାରିତ ଏବଂ ଏହାକୁ କିପରି ଭାରତର ସମୃଦ୍ଧ ପ୍ରତିଭା ଏବଂ ଦକ୍ଷତା ଭଣ୍ଡାର ସହିତ ମେଳ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଜାତୀୟ ଫ୍ଲାଗସିପ କାର୍ଯ୍ୟକ୍ରମ ଯେ’ପରିକି ମେକ ଇନ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏବଂ ସ୍ଵଚ୍ଛ ଭାରତ ଆଦି ଜରିଆରେ ନବସୃଜନ ଏବଂ ଡିଜିଟାଲ ପଦକ୍ଷେପକୁ ଆଧାର କରି ସମୃଦ୍ଧି ଏବଂ ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଭାରତ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ସମ୍ପର୍କରେ ଶିଖର ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା । ସ୍ୱଚ୍ଛ ପ୍ରଯୁକ୍ତି, ସାମୁଦ୍ରିକ ସମାଧାନ, ବନ୍ଦର ଆଧୁନିକୀକରଣ, ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ, ଜୀବ-ବିଜ୍ଞାନ ଏବଂ କୃଷି କ୍ଷେତ୍ରରେ ନର୍ଡିକ ସମାଧାନସୂତ୍ର ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ଭାରତ ସରକାରଙ୍କ ସ୍ମାର୍ଟ ସିଟି କାର୍ଯ୍ୟକ୍ରମକୁ ସହଯୋଗ କରିବା ଲକ୍ଷ୍ୟ ନେଇ ନର୍ଡିକ ଦୀର୍ଘସ୍ଥାୟୀ ସହର ପ୍ରକଳ୍ପକୁ ଶିଖର ସମ୍ମିଳନୀରେ ସ୍ୱାଗତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀମାନେ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ନର୍ଡିକ ରାଷ୍ଟ୍ରସମୂହର ଅଭିନବ ସାମର୍ଥ୍ୟ, ବାଣିଜ୍ୟ ଓ ନିବେଶ ତଥା ଆପୋସ ଲାଭ ସହଯୋଗ ଲାଗି ବ୍ୟାପକ ସୁଯୋଗ ସୃଷ୍ଟି କରିଛି । ଆଲୋଚନା କାଳରେ, ଆଇନ ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ସହିତ ସମୃଦ୍ଧି ଓ ଅଭିବୃଦ୍ଧି ଲାଗି ଏକ ମୁକ୍ତ ଏବଂ ସାମଗ୍ରୀକ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥାର ଗୁରୁତ୍ୱ ଉପରେ ରେଖାପାତ କରାଯାଇଥିଲା । ବ୍ୟବସାୟିକ ସୁଗମତା ଉଭୟ ନର୍ଡିକ ଏବଂ ଭାରତ ପାଇଁ ପ୍ରାଥମିକତା ଭାବେ ଗୁରୁତ୍ୱାରୋପ କରାଯାଇଥିଲା ।

ଅନ୍ତର୍ଜାତୀୟ ସମୁଦାୟ ପାଇଁ ଆତଙ୍କବାଦ ଏବଂ ହିଂସାତ୍ମକ ଉଗ୍ରବାଦ ବୃହତ ଆହ୍ୱାନ ସୃଷ୍ଟି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀମାନେ ଉପଲବ୍ଧୀ କରିଥିଲେ । ସେମାନେ ସାଇବର ନିରାପତ୍ତା ସମେତ ବିଶ୍ୱ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହା ମାନବିକ ଅଧିକାର, ଗଣତନ୍ତ୍ର ଓ ଆଇନର ଶାସନ, ମୂଲ୍ୟବୋଧ ଏବଂ ଆଇନ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଉପରେ ଆଧାରିତ ଥିଲା । ସେମାନେ ରପ୍ତାନି ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ ଉପରେ ଆଲୋଚନା କରିଥିଲେ । ଆଣବିକ ଯୋଗାଣ ଗୋଷ୍ଠୀ(Nuclear Supplier Group)ରେ ଭାରତର ସଦସ୍ୟତା ଆବେଦନକୁ ନର୍ଡିକ ରାଷ୍ଟ୍ରସମୂହ ସ୍ୱାଗତ କରିଥିଲେ । ଯଥାଶୀଘ୍ର ସମ୍ଭବ ଏକ ସକାରାତ୍ମକ ଫଳାଫଳରେ ପହଁଚିବା ଲାଗି ଗୋଷ୍ଠୀ ମଧ୍ୟରେ ରହି ଗଠନମୂଳକ ଭାବେ କାର୍ଯ୍ୟ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ ।

ଏଜେଣ୍ଡା 2030 ଲକ୍ଷ୍ୟ ହାସଲ କରିବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସହଯୋଗ କରିବା ସହ ମିଳିତ ଜାତିସଂଘ ମହାସଚିବଙ୍କ ସଂସ୍କାର ପ୍ରୟାସକୁ ସମର୍ଥନ ଜଣାଇବା ଲାଗି ପ୍ରଧାନମନ୍ତ୍ରୀମାନେ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ ଯାହାକି ଜାତିସଙ୍ଘକୁ ବଳିଷ୍ଠ କରିପାରିବ । ଏଥିସହିତ ବିକାଶ, ଶାନ୍ତି ପ୍ରୟାସ, ଶାନ୍ତି ପ୍ରତିଷ୍ଠା ଏବଂ ବିବାଦ ନିରାକରଣ ଆଦି କ୍ଷେତ୍ର ସହିତ ମିଳିତ ଜାତିସଂଘକୁ ସୁଦୃଢ଼ କରିବା ଲାଗି ମହାସଚିବଙ୍କ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀମାନେ ଆଲୋକପାତ କରିଥିଲେ । ମିଳିତ ଜାତସଂଘ ନିରାପତ୍ତା ପରିଷଦରେ ସଂସ୍କାରର ଆବଶ୍ୟକତା, ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟତା ସଂଖ୍ୟାରେ ସମ୍ପ୍ରସାରଣ କରି ଏହାକୁ ଆହୁରି ଅଧିକ ପ୍ରତିନିଧିବିଶିଷ୍ଟ, ଉତ୍ତରଦାୟୀ, ପ୍ରଭାବୀ ଏବଂ ଏକବିଂଶ ଶତାବ୍ଦୀର ବାସ୍ତବତା ପ୍ରତି ଏହାକୁ ଅଧିକ ପ୍ରତିକ୍ରିୟାଶୀଳ କରିବା ଉପରେ ନର୍ଡିକ ରାଷ୍ଟ୍ରସମୂହ ଏବଂ ଭାରତ ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ । ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟ ସଂଖ୍ୟାରେ ବୃଦ୍ଧି ସହିତ ସମ୍ପ୍ରସାରିତ ମିଳିତ ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦୃଢ଼ ଦାବିକୁ ନର୍ଡିକ ରାଷ୍ଟ୍ରଗୁଡ଼ିକ ସମର୍ଥନ ଜଣାଇଥିଲେ ।

ଚିରସ୍ଥାୟୀ ବିକାଶ ପାଇଁ ଏଜେଣ୍ଡା 2030 କାର୍ଯ୍ୟକାରୀତା ସହିତ ପ୍ୟାରିସ ଚୁକ୍ତିର ଆକାଂକ୍ଷିତ କାର୍ଯ୍ୟାନ୍ୱୟନ ଲାଗି ପ୍ରଧାନମନ୍ତ୍ରୀମାନେ ସେମାନଙ୍କ ପୂର୍ଣ୍ଣ ପ୍ରତିବଦ୍ଧତା ଦୋହରାଇଥିଲେ । ସ୍ୱଚ୍ଛ ଶକ୍ତି ବ୍ୟବସ୍ଥା, ଅକ୍ଷୟ ଶକ୍ତି ଏବଂ ଇନ୍ଧନ, ବର୍ଦ୍ଧିତ ଶକ୍ତି ଦକ୍ଷତା ଏବଂ ସ୍ୱଚ୍ଛ ଶକ୍ତି ଉତ୍ପାଦନ ଲାଗି ପ୍ରଯୁକ୍ତି ବିକଶିତ କରିବା ଲାଗି ପ୍ରୟାସ ଜାରି ରଖିବା ପାଇଁ ସେମାନେ ସହମତ ହୋଇଥିଲେ । ପ୍ରଧାନମନ୍ତ୍ରୀମାନେ ଉଲ୍ଲେଖ କରିଥିଲେ ଯେ ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ଜୀବନରେ ମହିଳାମାନଙ୍କ ଅର୍ଥପୂର୍ଣ୍ଣ ଭାଗିଦାରୀ ସାମଗ୍ରୀକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ଲାଗି ସହମତ ହୋଇଥିଲେ ।

ଉଦ୍ଭାବନ, ଅର୍ଥନୈତିକ ଅଭିବୃଦ୍ଧି, ନିରନ୍ତର ସମାଧାନ ଏବଂ ଆପୋସ ଲାଭ ଜଡ଼ିତ ବାଣିଜ୍ୟ ଏବଂ ନିବେଶକୁ ସୁଦୃଢ଼ ଭାଗିଦାରୀ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀମାନେ ସହମତ ହୋଇଥିଲେ । ଶିକ୍ଷା, ସଂସ୍କୃତି, ଶ୍ରମଶକ୍ତି ସ୍ଥାନାନ୍ତରଣ ଏବଂ ପର୍ଯ୍ୟଟନ – ଆଦି ସମସ୍ତ କ୍ଷେତ୍ର ଯେଉଁଠି ନର୍ଡିକ ରାଷ୍ଟ୍ରସମୂହ ଏବଂ ଭାରତ – ଉଭୟ ସ୍ୱାର୍ଥ ଏବଂ ସଂଖ୍ୟାରେ ନିରନ୍ତର ବୃଦ୍ଧି ଦେଖୁଛନ୍ତି – ତାହା ଜରିଆରେ ଦୃଢ଼ ନାଗରିକ-ନାଗରିକ ସମ୍ପର୍କର ଗୁରୁତ୍ୱ ଉପରେ ଶିଖର ସମ୍ମିଳନୀରେ ଜୋର ଦିଆଯାଇଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
99.92% villages in India covered with banking outlets within 5 km radius: Govt

Media Coverage

99.92% villages in India covered with banking outlets within 5 km radius: Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 31, 2026
March 31, 2026

 Building a Resilient Bharat: Record Progress in Banking, Infrastructure, EVs, and Conservation Under PM Modi