ଭାରତୀୟ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଇସଲାମୀୟ ସାଧାରଣତନ୍ତ୍ର ଇରାନର ରାଷ୍ଟ୍ରପତି ମହାମହିମ ଡ. ହାସାନ ରୁହାନୀ ତାଙ୍କର ପ୍ରଥମ ସରକାରୀ ରାଷ୍ଟ୍ର ଗସ୍ତରେ 15-18 ଫେବୃଆରୀ, 2018 ରେ ଭାରତ ଗସ୍ତରେ ଆସିଥିଲେ ।

ଏହି ଗସ୍ତ ଅବସରରେ, ଇସଲାମୀୟ ସାଧାରଣତନ୍ତ୍ର ଇରାନର ରାଷ୍ଟ୍ରପତି ଡ.ହାସାନ ରୁହାନୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଆସିଥିଲେ । ଏଥିରେ କ୍ୟାବିନେଟ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃବୃନ୍ଦ ସାମିଲ ଥିଲେ । 17 ଫେବୃଆରୀରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ତାଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ଏବଂ ଭବ୍ୟ ରାଷ୍ଟ୍ରୀୟ ସମ୍ମାନ ସହ ସ୍ୱାଗତ କରାଯାଇଥିଲା । ଅତିଥିଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏକ ନୈଶଭୋଜିର ଆୟୋଜନ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଡ. ରୁହାନୀଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ହୋଇଥିଲା । ତାଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମଧ୍ୟ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ସମ୍ମାନନୀୟ ଉପରାଷ୍ଟ୍ରପତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ପ୍ରତିନିଧି ଦଳ ସହ ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ରୁହାନୀ 15-16 ଫେବୃଆରୀ, 2018ରେ ହାଇଦ୍ରାବାଦ ଗସ୍ତରେ ଯାଇଥିଲେ ।

ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଦ୍ୱିପାକ୍ଷିକ, ଆଂଚଳିକ ଏବଂ ବହୁପକ୍ଷୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଏବଂ ଗଠନମୂଳକ ଆଲୋଚନା ହୋଇଥିଲା । ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ଲାଗି 23 ଜାନୁଆରୀ 2013ରେ ସ୍ୱାକ୍ଷରିତ ହୋଇଥିବା “ନୂଆଦିଲ୍ଲୀ ଘୋଷଣାନାମା”ର ସିଦ୍ଧାନ୍ତର ଉଲ୍ଲେଖ କରି ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତି, ବିଶେଷ କରି ମେ 2016ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇରାନ ଗସ୍ତ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ଆସିଥିବା ବେଗ ଓ ଉନ୍ନତିକୁ ନେଇ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଥିଲେ । ବହୁପକ୍ଷୀୟ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ତ୍ୱରାନ୍ୱିତ ଏବଂ ସୁଦୃଢ଼ କରିବା ଲାଗି ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ । ଦୁଇ ସହସ୍ରାବ୍ଦୀ ଧରି ରହିଥିବା ପ୍ରାଚୀନ ସାଂସ୍କୃତିକ ଏବଂ ସଭ୍ୟତାଗତ ସୁଦୃଢ଼ ସମ୍ପର୍କ ଆଧାର ଉପରେ ଦୁଇ ଦେଶର ଆପୋସ ସମ୍ପର୍କକୁ ଆଗେଇ ନେବା ଲାଗି ଉଭୟ ନେତା ସହମତ ହୋଇଥିଲେ । ସୁଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ଆଂଚଳିକ ସହଯୋଗ, ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ଦିଗରେ ଯୋଗଦାନ କରୁ ବୋଲି ଉଭୟ ନେତା ଆପୋସ ମତବ୍ୟକ୍ତ କରିଥିଲେ ।

ନିମ୍ନୋକ୍ତ ଦସ୍ତାବିଜର ହସ୍ତାନ୍ତର ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ରୁହାନୀ ଉପସ୍ଥିତ ଥିଲେ ଏବଂ ମିଳିତ ଭାବେ ଗଣମାଧ୍ୟମରେ ବିବୃତି ଦେଇଥିଲେ:

1. ଦ୍ୱୈତ ଟିକସ ଏଡ଼ାଇବା ଏବଂ ଆୟ ଉପରେ ଟିକସ ଫାଙ୍କି ନିରାକରଣ ପାଇଁ ଚୁକ୍ତି

2. କୂଟନୈତିକ ପାସପୋର୍ଟଧାରୀଙ୍କୁ ଭିସା ଛାଡ଼ ପାଇଁ ବୁଝାମଣା

3. ପ୍ରତ୍ୟର୍ପଣ ଚୁକ୍ତିର ଅନୁମୋଦନ ଉପାଦାନ

4. ପାରମ୍ପରିକ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା

5. ଆପୋସ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଲାଗି ବାଣିଜ୍ୟ ଉପାୟ ନିମନ୍ତେ ବିଶେଷଜ୍ଞ ଗୋଷ୍ଠୀ ଗଠନ ପାଇଁ ବୁଝାମଣା

6.କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା

7.ସ୍ୱାସ୍ଥ୍ୟ ଏବଂ ଚିକିତ୍ସା କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା

8. ଡାକ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା

9.ପୋର୍ଟ ଏଣ୍ଡ ମେରିଟାଇମ ଅର୍ଗାନାଇଜେସନ (ପିଏମଓ), ଇରାନ ଏବଂ ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିମିଟେଡ (ଆଇପିଜିଏଲ) ମଧ୍ୟରେ ଚାବାହାର ବନ୍ଦର ଅଧୀନ ଶାହିଦ ବେହସ୍ତି ବନ୍ଦର ପର୍ଯ୍ୟାୟ-1କୁ ଅନ୍ତରୀଣ ଅବଧି ପାଇଁ ଲିଜ ଦେବା ଲାଗି ଲିଜ ଚୁକ୍ତି

ଦ୍ୱିପାକ୍ଷିକ ବିନିମୟ

ବିଭିନ୍ନ ସ୍ତରରେ ନିୟମିତ ଓ ବିସ୍ତୃତ ଦ୍ୱିପାକ୍ଷିକ ବିନିମୟ ଜରିଆରେ ବର୍ତ୍ତମାନ ର ଉଚ୍ଚସ୍ତରୀୟ ପାରସ୍ପରିକ ସମ୍ପର୍କକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ବିବିଧତା ପ୍ରଦାନ କରିବା ଲାଗି ରାଷ୍ଟ୍ରପତି ରୁହାନୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ରାଜି ହୋଇଥିଲେ । ଏହି ପରିପ୍ରେକ୍ଷୀରେ, ଚଳିତ ବର୍ଷ ମଧ୍ୟରେ ଭାରତ-ଇରାନ ଯୁଗ୍ମ କମିଶନର ବୈଠକ ଆୟୋଜନ କରିବା, ବୈଦେଶିକ ଅଧିକାରୀ ସ୍ତରରେ ଆଲୋଚନା, ଦୁଇ ଦେଶର ପ୍ରତିରକ୍ଷା ଏବଂ ଜାତୀୟ ସୁରକ୍ଷା ପରିଷଦ ମଧ୍ୟରେ ଆଲୋଚନା, ନୀତି ନିର୍ଦ୍ଧାରଣ ଆଲୋଚନା ଏବଂ ସଂସଦୀୟ ବିନିମୟ ସମ୍ପନ୍ନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା ।

ଯୋଗାଯୋଗ

ଆଂଚଳିକସ୍ତରରେ ଏବଂ ବାହାରେ ବହୁପକ୍ଷୀୟ ଯୋଗାଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ଇରାନର ଅଭିନବ ଭୂମିକାକୁ ଉଭୟ ପକ୍ଷ ସ୍ଵୀକାର କରିଥିଲେ । ଡିସେମ୍ବର 2017 ପ୍ରାରମ୍ଭରେ ଚାବାହାର ବନ୍ଦରର ପର୍ଯ୍ୟାୟ-1 ସଫଳତାପୂର୍ବକ ଉଦ୍ଘାଟିତ ହେବା; ସବୁ ପକ୍ଷରୁ ଅନ୍ତର୍ଜାତୀୟ ପରିବହନ ଏବଂ ସ୍ଥାନାନ୍ତର କରିଡର ପ୍ରତିଷ୍ଠା ଲାଗି ଭାରତ, ଇରାନ ଏବଂ ଆଫଗାନିସ୍ତାନ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିକୁ ଅନୁମୋଦନ; ଏବଂ ଚାବାହାର ବନ୍ଦର ଦେଇ ଭାରତରୁ ଆଫଗାନିସ୍ତାନକୁ ପ୍ରଥମ ଗହମ ବୋଝେଇ ଜାହାଜ ଆଫଗାନିସ୍ତାନରେ ପହଂଚିବା ଦ୍ୱାରା ଆଫଗାନିସ୍ତାନ, କେନ୍ଦ୍ର ଏସିଆ ଏବଂ ଅନ୍ୟ ସ୍ଥାନକୁ ଏକ ନୂଆ ପଥ ଆବିଷ୍କୃତ ହୋଇପାରିଛି । ଚାବାହାର ଠାରେ ଶାହିଦ ବେହସ୍ତି ବନ୍ଦରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଲାଗି ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ । ସମ୍ପୃକ୍ତ ପକ୍ଷଙ୍କ ଆପୋସ ଲାଭ ସର୍ତରେ ଚାବାହାର ମୁକ୍ତ ବାଣିଜ୍ୟ ଅଞ୍ଚଳ (Free Trade Zone)ଠାରେ ସାର, ପେଟ୍ରୋରସାୟନ ଏବଂ ଧାତୁବିଜ୍ଞାନ ଭଳି କ୍ଷେତ୍ରରେ କଳକାରଖାନା ପ୍ରତିଷ୍ଠା ଲାଗି ଭାରତୀୟ ପକ୍ଷରୁ ହେଉଥିବା ନିବେଶକୁ ଇରାନ ପକ୍ଷ ସ୍ୱାଗତ କରିଥିଲେ ।

ଏହି ପରିପ୍ରେକ୍ଷୀରେ, ଇରାନର ପୋର୍ଟ ଏଣ୍ଡ ମେରିଟାଇମ ଅର୍ଗାନାଇଜେସନ (ପିଏମଓ) ଏବଂ ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିମିଟେଡ (ଆଇପିଜିଏଲ) ମଧ୍ୟରେ ଅନ୍ତରୀଣ ଅବଧି ଲାଗି ଚାବାହାର ବନ୍ଦର ଅଧୀନ ଶାହିଦ ବେହେସ୍ତି ବନ୍ଦରର ପରିଚାଳନା ଲାଗି ସ୍ୱାକ୍ଷରିତ ହୋଇଥିବା ଲିଜ ଚୁକ୍ତିକୁ ଉଭୟ ନେତା ସ୍ୱାଗତ କରିଥିଲେ । ତ୍ରିପାକ୍ଷିକ ଚୁକ୍ତିରେ ନିର୍ଦ୍ଧାରଣ କରାଯାଇଥିବା ସମୟ ଅନୁଯାୟୀ, ସମନ୍ୱୟ ପରିଷଦର ବୈଠକ ଆୟୋଜନ କରିବା ଲାଗି ସେମାନେ ପୁଣିଥରେ ନିର୍ଦ୍ଦେଶ ଦେଇଥିଲେ । ଚାବାହାର ବନ୍ଦରରେ ରହିଥିବା ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବା ଏବଂ ଆଫଗାନିସ୍ତାନ ଓ କେନ୍ଦ୍ରୀୟ ଏସିଆକୁ ଏହାର ଯୋଗାଯୋଗ ଲାଗି ଚାବାହାର-ଜାହେଦାନ ରେଳ ଲାଇନ ନିର୍ମାଣ ଲାଗି ସହଯୋଗ ନିମନ୍ତେ ଭାରତ ପ୍ରସ୍ତୁତ ଥିବା କହିଥିଲା । ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଏହି ପ୍ରକଳ୍ପ ପାଇଁ ରହିଥିବା ପାଣ୍ଠି ଯୋଗାଣ ବିକଳ୍ପ ଏବଂ ବୈଷୟିକ ମାନଦଣ୍ଡ ଚୂଡ଼ାନ୍ତ କରିବା ଲାଗି ଆଲୋଚନା ନିମନ୍ତେ ଭାରତର ଇରକନ ଏବଂ ଇରାନର ସିଡିଟିଆଇସିକୁ ଦାୟିତ୍ୱ ଦିଆଯାଇଥିଲା । ଇସ୍ପାତ ରେଳ, ଟର୍ଣ୍ଣଆଉଟ ଏବଂ ଲୋକୋମୋଟିଭ ଯୋଗାଣ ଆଦି ସମେତ ରେଳ କ୍ଷେତ୍ରରେ ସହଯୋଗ ପାଇଁ ଅଧିକ ପ୍ରୟାସକୁ ପ୍ରୋତ୍ସାହନ ଦେବା ଲାଗି ଉଭୟନେତା ସହମତ ହୋଇଥିଲେ ।

ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର (ଆଇଏନଏସଟିସି) ପ୍ରତି ଉଭୟ ପକ୍ଷ ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ଏହାର ଢାଂଚା ମଧ୍ୟରେ ଚାବାହାର ବନ୍ଦରକୁ ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଇରାନ ପକ୍ଷରୁ ଆଇଏନଏସଟିସି ପରିଷଦର ପ୍ରଥମ ବୈଠକ ତେହେରାନରେ ଆୟୋଜନ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା । ଟିଆଇଆର ସମ୍ମେଳନରେ ଭାରତର ପ୍ରବେଶ ଏବଂ ଆଶଗାବାତ ଚୁକ୍ତିକୁ ସ୍ୱାଗତ କରାଯିବା ସହ ଆଂଚଳିକ ଯୋଗାଯୋଗ ଓ ଅର୍ଥନୈତିକ ଅଭିବୃଦ୍ଧିର ଆଂଚଳିକ କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ଲାଗି ଅତିରିକ୍ତ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା ।

ଉଭୟ ନେତା ମିଳିତ ଭାବେ ଡାକ ଟିକେଟ ଜାରି କରିଥିଲେ ଯେଉଁଥିରେ ଦୀନଦୟାଲ ବନ୍ଦର, କାଣ୍ଡଲା ଏବଂ ଶାହିଦ ବେହେସ୍ତି ଟର୍ମିନାଲ, ଚାବାହାରର ଚିତ୍ର ରହିଥିଲା ଯାହା ଅଧିକ ଯୋଗାଯୋଗ ଜରିଆରେ ପରିବର୍ଦ୍ଧିତ ସମୃଦ୍ଧିକୁ ପ୍ରତିଫଳିତ କରୁଥିଲା ।

ଚାବାହାର ମୁକ୍ତ ବାଣିଜ୍ୟ ଅଞ୍ଚଳରେ ନିବେଶ ଲାଗି ଭାରତୀୟ ଘରୋଇ/ରାଷ୍ଟ୍ରୟାତ୍ତ ଉଦ୍ୟୋଗଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଉପଯୋଗୀ ପରିବେଶ ସୃଷ୍ଟି କରିବା ନିମନ୍ତେ ପ୍ରସ୍ତୁତ ଥିବା ଇରାନୀୟ ପକ୍ଷ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ, ଇରାନ ଏକ ବ୍ୟବସାୟ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆୟୋଜନ କରିବ, ଏଥିରେ ଆଂଚଳିକ ଏବଂ ବାହ୍ୟ ଦେଶଗୁଡ଼ିକ ଭାଗ ନେବେ, ଚାବାହାର ବନ୍ଦରରେ ରହିଥିବା ଅର୍ଥନୈତିକ ସୁଯୋଗକୁ ପ୍ରଦର୍ଶନ କରିବା ଏହାର ଲକ୍ଷ୍ୟ ହେବ ।
ଶକ୍ତିକ୍ଷେତ୍ରରେ ସ୍ୱାଭାବିକ ସ୍ୱାର୍ଥ ଏବଂ ପ୍ରାକୃତିକ ସହଭାଗୀତା ସମ୍ପର୍କରେ ଉଲ୍ଲେଖ କରାଯିବା ସହ ଉଭୟ ପକ୍ଷ ପାରମ୍ପରିକ କ୍ରେତା-ବିକ୍ରେତା ସମ୍ପର୍କ ଠାରୁ ଉର୍ଦ୍ଧ୍ଵକୁ ଯାଇ ଏକ ଦୀର୍ଘକାଳୀନ ରଣନୈତିକ ଭାଗିଦାରୀ ପ୍ରତିଷ୍ଠା କରିବା ପାଇଁ ରାଜି ହୋଇଥିଲେ । ଫରଜାଦ-ବି ଗ୍ୟାସ କ୍ଷେତ୍ର ସମେତ, ଶକ୍ତି ସହଯୋଗରେ ଉପଯୁକ୍ତ ପରିଣାମରେ ପହଂଚିବା ଲାଗି ଆଲୋଚନାର ପରିସର ବଢ଼ାଇବା ଏବଂ ଏହାକୁ ତ୍ୱରାନ୍ୱିତ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ ।

ବାଣିଜ୍ୟ ଏବଂ ନିବେଶ ସହଯୋଗ

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ନିବେଶ ସହଯୋଗକୁ ନିବିଡ଼ କରିବା ଲାଗି ଉଭୟ ନେତା ରାଜି ହୋଇଥିଲେ । ଏହି ପରିପ୍ରେକ୍ଷୀରେ, ବ୍ୟବସାୟିକ କାରବାର ଲାଗି ଏକ ପ୍ରଭାବୀ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଆଣିବାର ଆବଶ୍ୟକତା ଥିବା ସେମାନେ ସ୍ଵୀକାର କରିଥିଲେ । ଏହା ଉଲ୍ଲେଖ କରାଯାଇଥିଲା ଯେ ଇରାନିଆନ ପାସାରଗାଡ ବ୍ୟାଙ୍କର ଏକ ଶାଖା ଭାରତରେ ଖୋଲିବା ଲାଗି ଅନୁମତି ପ୍ରଦାନ କରିବା ପ୍ରସ୍ତାବ ଅଗ୍ରାଧିକାର ଭିତ୍ତିରେ ବିଚାରାଧୀନ ରହିଛି । କାର୍ଯ୍ୟକ୍ଷମ ପଇଠ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ଟଙ୍କା-ରିୟାଲ ବ୍ୟବସ୍ଥା, ଆସିଆନ କ୍ଲିଅରିଂ କେନ୍ଦ୍ରୀୟ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ବ୍ୟବହାରିକ ବିକଳ୍ପ ଅନୁଧ୍ୟାନ କରିବା ଲାଗି ଅଧିକାରୀମାନଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରିବା ଲାଗି ନିଷ୍ପତ୍ତି ହୋଇଥିଲା ।

ଦ୍ୱୈତ ଟିକସ ଏଡ଼ାଇବା ଲାଗି ଉଦ୍ଦିଷ୍ଟ ଚୁକ୍ତି ଚୂଡ଼ାନ୍ତ ହେବାକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ । ବ୍ୟବସାୟିକ ପରିବେଶକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ପଦକ୍ଷେପ ଭାବେ ଉଭୟ ପକ୍ଷ ଏହାକୁ ସ୍ୱାଗତ କରିଥିଲେ । ଅଗ୍ରାଧିକାର ଦିଆଯାଉଥିବା ବାଣିଜ୍ୟ ଚୁକ୍ତି ଏବଂ ଦ୍ୱିପାକ୍ଷିକ ନିବେଶ ଚୁକ୍ତିକୁ ଏକ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ସମ୍ପାଦନ ଲାଗି ଏକ ତଥ୍ୟ ଆଧାରିତ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ । ଅର୍ଥନୈତିକ ଏବଂ ବାଣିଜ୍ୟିକ ସହଯୋଗ ଲାଗି ବ୍ୟବସାୟୀକ ବ୍ୟକ୍ତିବିଶେଷ ଏବଂ ଉଦ୍ୟୋଗ ଜଗତର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଉଲ୍ଲେଖ କରି ଉଭୟ ନେତା ତେହେରାନରେ ଏକ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରୀ (ସିଆଇଆଇ)ର ଆଂଚଳିକ କାର୍ଯ୍ୟାଳୟ ଖୋଲାଯିବା ଏବଂ ଉଭୟ ପକ୍ଷରୁ ବିଭିନ୍ନ ବାଣିଜ୍ୟ ସଂସ୍ଥା ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିକୁ ସ୍ୱାଗତ କରିଥିଲେ । ଭାରତ ପକ୍ଷରୁ କୁହାଯାଇଥିଲା ଯେ ଭାରତରେ ଇରାନ ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀର ଏକ ଅଫିସ ଖୋଲୁ ବୋଲି ସେମାନେ ଚାହୁଁଛନ୍ତି ।
ବିଶ୍ୱ ବାଣିଜ୍ୟ ସଂଗଠନରେ ଇସଲାମୀୟ ସାଧାରଣତନ୍ତ୍ର ଇରାନର ପ୍ରବେଶ ଏବଂ ଗ୍ରହଣୀୟତା ପ୍ରକ୍ରିୟାର ପୁନଃପ୍ରଚଳନକୁ ଭାରତ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି । ଏଥିସହିତ ଏହି ସଂଗଠନକୁ ସାର୍ବଜନୀନ ଏବଂ ସମ୍ମିଳିତ କରିବା ଲାଗି ଚାହୁଁଛି ।

ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଜନ-ଜନ ଯୋଗାଯୋଗକୁ ପ୍ରୋତ୍ସାହନ

ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ପ୍ରୋତ୍ସାହନ ଦେବା ଲାଗି ଇରାନୀୟ ନାଗରିକମାନଙ୍କୁ ଭାରତ ପକ୍ଷରୁ ଇ-ଭିସା ସୁବିଧା ଦିଆଯିବା ଏବଂ ଭାରତୀୟ ନାଗରିକଙ୍କୁ ଇରାନ ପକ୍ଷରୁ ଇ-ଭିସା ସୁବିଧା ଦେବା ଲାଗି ସହମତି ହୋଇଥିଲା । ଏ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ କୂଟନୈତିକ ପାସପୋର୍ଟଧାରୀଙ୍କୁ ଭିସା ଛାଡ଼ ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଉଭୟ ପକ୍ଷର ନାଗରିକଙ୍କ ମାନବୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ଲାଗି ଉଭୟପକ୍ଷ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ । ଇରାନରେ ଥିବା ଦୂତାବାସର ଆଧୁନିକୀକରଣ କରିବା ଲାଗି ଭାରତର ଅନୁରୋଧକୁ ସକାରାତ୍ମକ ଭାବେ ବିବେଚନା କରିବା ଲାଗି ଇରାନ ରାଜି ହୋଇଥିଲା ।
ସଭ୍ୟତାଗତ ଏବଂ ସାଂସ୍କୃତିକ ସମ୍ପର୍କର ସୁଦୃଢ଼ ଆଧାରକୁ ଆହୁରି ଆଗେଇ ନେବା ଉଦ୍ଦେଶ୍ୟରେ ଏବଂ ବିଭିନ୍ନସ୍ତରରେ ପରସ୍ପର ସହ ଉତ୍ତମ ବୁଝାମଣାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ 2018/19ରେ ଇରାନରେ ଏକ ଭାରତୀୟ ମହୋତ୍ସବର ଆୟୋଜନ କରିବା; ତେହେରାନ ବିଶ୍ୱ ବିଦ୍ୟାଳୟରେ ଭାରତୀୟ ଶିକ୍ଷାର ଏକ ଚେୟାର ପ୍ରତିଷ୍ଠା କରିବା; ଭାରତୀୟ ବୈଦେଶିକ ସେବା ପ୍ରତିଷ୍ଠାନ ଦ୍ୱାରା ଇରାନୀୟ କୂଟନୀତିଜ୍ଞଙ୍କ ପାଇଁ ଏକ ଭାରତୀୟ ବିଦ୍ୟା ପାଠ୍ୟକ୍ରମ ଆୟୋଜନ କରିବା; ଭାରତରେ ପର୍ସିଆ ଭାଷା ପାଠ୍ୟକ୍ରମକୁ ସହଯୋଗ, ପ୍ରତ୍ନତତ୍ୱ, ସଂଗ୍ରହାଳୟ ଏବଂ ଆର୍କାଇଭ ଏବଂ ପାଠାଗାର କ୍ଷେତ୍ରରେ ସହଯୋଗକୁ ଆହୁରି ବଢ଼ାଇବା ଲାଗି ସହମତି ହୋଇଥିଲା ।

ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗ

ଉଭୟ ନେତା ସେମାନଙ୍କ ଜାତୀୟ ସୁରକ୍ଷା ପରିଷଦ ମଧ୍ୟରେ ବୃଦ୍ଧି ପାଉଥିବା ଆଲୋଚନାକୁ ସ୍ୱାଗତ କରିଥିଲେ । ଆତଙ୍କବାଦ, ସୁରକ୍ଷା ଏବଂ ତତସଂକ୍ରାନ୍ତ ପ୍ରସଙ୍ଗ ଯେପରିକି ସଂଗଠିତ ଅପରାଧ, ବେଆଇନ ଅର୍ଥକାରବାର, ନିଶାଦ୍ରବ୍ୟ କାରବାର ଏବଂ ସାଇବର କ୍ରାଇମ ଆଦି ପ୍ରସଙ୍ଗରେ ସେମାନଙ୍କ ଏବଂ ଅନ୍ୟମାନଙ୍କ ମଧ୍ୟରେ ନିୟମିତ ତଥା ସଂସ୍ଥାଗତ ଆଲୋଚନାର ପରିସରକୁ ବଢ଼ାଇବା ଲାଗି ଉଭୟ ସହମତ ହୋଇଥିଲେ ।

ସାମୁଦ୍ରିକ କ୍ଷେତ୍ରରେ ରହିଥିବା ସମ୍ଭାବନା କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଉଭୟ ପକ୍ଷ ଆଗ୍ରହ ପ୍ରକାଶ କରିଥିଲେ । ନୌସେନା ଜାହାଜ ପାଇଁ ବନ୍ଦର ଆହ୍ୱାନ, ତାଲିମ ଏବଂ ପ୍ରତିରକ୍ଷା ପ୍ରତିନିଧିମାନଙ୍କ ନିୟମିତ ବିନିମୟ ସମେତ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପ୍ରତି ଗୁରୁତ୍ୱାରୋପ କରିବା ଲାଗି ଉଭୟ ରାଜି ହୋଇଥିଲେ ।

ଦଣ୍ଡିତ ବ୍ୟକ୍ତିଙ୍କ ହସ୍ତାନ୍ତର; ଉଭୟ ପକ୍ଷ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ଏବଂ ଦେୱାନୀ ଏବଂ ବାଣିଜ୍ୟିକ ମାମଲା ଉପରେ ଆପୋସ ଆଇନଗତ ସହାୟତା ଚୁକ୍ତିକୁ ବୁଝିବା ଲାଗି ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିର କାର୍ଯ୍ୟାନ୍ୱୟନରେ ହୋଇଥିବା ଅଗ୍ରଗତିକୁ ନେଇ ଦୁଇ ପକ୍ଷ ସନ୍ତୋଷବ୍ୟକ୍ତ କରିଥିଲେ ।

ବିଭିନ୍ନ କ୍ଷେତ୍ର ଯେପରିକି ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତି, କୃଷି, ଶ୍ରମ ଏବଂ ଉଦ୍ୟୋଗବିକାଶ, ପର୍ଯ୍ୟଟନ, ଡାକ ଆଦି କ୍ଷେତ୍ରରେ ନିରନ୍ତର ଆଲୋଚନା ଏବଂ ସଂସ୍ଥାଗତ ଢାଂଚା ଜରିଆରେ ହୋଇଥିବା ଆପୋସ ହିତ ତଥା ଚୁକ୍ତି ଅନୁରୂପ ଦ୍ୱିପାକ୍ଷିକ ସହଯୋଗକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ । ଏଥିସହିତ ସମ୍ପୃକ୍ତ କର୍ତୃପକ୍ଷଙ୍କୁ ଆହୁରି ବିସ୍ତାରପୂର୍ବକ କାର୍ଯ୍ୟ କରିବା ନିମନ୍ତେ ଆଦେଶ ଦେଇଥିଲେ ।

ଆଂଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ

ଉଭୟ ନେତା ଆଂଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ସେମାନଙ୍କ ମତବିନିୟମ କରିଥିଲେ । ବହୁପକ୍ଷୀୟବାଦକୁ ସୁଦୃଢ଼ କରିବାକୁ ଦୃଷ୍ଟିରେ ରଖି, ଅନ୍ତର୍ଜାତୀୟ ମଂଚରେ ବଡ଼ ଭୂମିକା ନିର୍ବାହ କରିବା ଲାଗି ଭାରତର ଆକାଂକ୍ଷାକୁ ସ୍ୱୀକାର କରିଥିଲେ । ସୁଦୃଢ଼ ମିଳିତ ଜାତିସଂଘର ଗୁରୁତ୍ୱ ପ୍ରତି ଉଭୟ ନେତା ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ସାମ୍ପ୍ରତିକ ଭୌଗଳିକ-ରାଜନୈତିକ ସ୍ଥିତିକୁ ଦେଖି ସୁରକ୍ଷା ପରିଷଦରେ ଏକ ଆଗୁଆ ସଂସ୍କାରର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସୁରକ୍ଷା ପରିଷଦର ବିସ୍ତୃତ ସଂସ୍କାର ଲାଗି ଆନ୍ତଃସରକାରୀ ଆଲୋଚନା ପ୍ରତି ସମର୍ଥନ ଜଣାଇବା ଲାଗି ସେମାନେ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ । ବହୁପକ୍ଷୀୟ ଆର୍ଥିକ ସଂସ୍ଥାଗୁଡ଼ିକର ସଂସ୍କାର ଏବଂ ଦୃଢ଼ତାର ଆବଶ୍ୟକତା ପ୍ରତି ଉଭୟ ନେତା ଆଲୋକପାତ କରିଥିଲେ ଏବଂ ଅନ୍ତର୍ଜାତୀୟ ଅର୍ଥନୈତିକ ନିଷ୍ପତ୍ତି ପ୍ରକ୍ରିୟାରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଅଧିକ ସହଭାଗୀତା ଏବଂ ବର୍ଦ୍ଧିତ ସ୍ୱର ସପକ୍ଷରେ ମତବ୍ୟକ୍ତ କରିଥିଲେ । ଆତଙ୍କବାଦ ଏବଂ କଠୋରପନ୍ଥୀ ଉଗ୍ରବାଦ ବିଚାରଧାରାର ଆହ୍ୱାନକୁ ଦୃଷ୍ଟିରେ ରାଖି ଉଭୟ ନେତା ପ୍ରତ୍ୟେକ ସ୍ୱରୂପରେ ଆତଙ୍କବାଦର ମୁକାବିଲା ନିମନ୍ତେ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତା ଦୋହରାଇଥିଲେ । ଆତଙ୍କବାଦର କୌଣସି କାର୍ଯ୍ୟକୁ କେବେହେଲେ ଯଥାର୍ଥ ସିଦ୍ଧ କରାଯିବା ଉଚିତ ନୁହେଁ ବୋଲି ସେମାନେ ଜୋର ଦେଇଥିଲେ । ଆତଙ୍କବାଦ ବିରୋଧରେ ଲଢ଼େଇ କେବଳ ଆତଙ୍କବାଦୀ, ଆତଙ୍କବାଦୀ ସଂଗଠନ ଏବଂ ନେଟୱାର୍କକୁ ନିଷ୍କ୍ରିୟ କରିବା କିମ୍ବା ନଷ୍ଟ କରିବାରେ ନୁହେଁ, ବରଂ ଆତଙ୍କବାଦ ସହ କଠୋରପନ୍ଥୀ ଉଗ୍ରବାଦ ପାଇଁ ସୃଷ୍ଟି କରାଯାଉଥିବା ଅନୁକୂଳ ପରିବେଶକୁ ଚିହ୍ନଟ କରିବା ଏବଂ ଏହାର ମୁକାବିଲା କରିବା ଲାଗି ଉଭୟ ନେତା ସହମତ ହୋଇଥିଲେ । ଆତଙ୍କବାଦକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମ, ଜାତୀୟତା ଏବଂ ସମ୍ପ୍ରଦାୟ ସହିତ ଯୋଡ଼ାଯାଇପାରିବ ନାହିଁ ଏବଂ ଏହା ହେବା ଉଚିତ ନୁହେଁ ବୋଲି ସେମାନେ ଜୋର ଦେଇଥିଲେ । ଆତଙ୍କବାଦୀ ସଂଗଠନ ଏବଂ ଆତଙ୍କବାଦୀମାନଙ୍କୁ ମିଳୁଥିବା ସମସ୍ତ ସହାୟତା ବନ୍ଦ କରିବା ସହ ସେମାନଙ୍କ ଭୂସ୍ୱର୍ଗକୁ ନଷ୍ଟ କରିବା ଲାଗି ସେମାନେ ଆହ୍ୱାନ କରିଥିଲେ । ଏଥିସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଆତଙ୍କବାଦକୁ ସହାୟତା, ସହଯୋଗ ଏବଂ ପ୍ରୋତ୍ସାହନ ଦେଉଥିବା ଦେଶର କଡ଼ା ନିନ୍ଦା କରିବା ଲାଗି ରାଜି ହୋଇଥିଲେ । ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ଚୟନାତ୍ମକ ଏବଂ ଆଂଶିକ ଦୃଷ୍ଟିକୋଣ ପୋଷଣ କରିବା ଛାଡ଼ିଦିଆଯାଉ ବୋଲି ସେମାନେ ଅନ୍ତର୍ଜାତୀୟ ଗୋଷ୍ଠୀକୁ ଆହ୍ୱାନ କରିଥିଲେ । ଏହି ପରିପ୍ରେକ୍ଷୀରେ, ଖୁବଶୀଘ୍ର ଏକ ଚୁକ୍ତି ସ୍ୱାକ୍ଷର କରିବା ଏବଂ ମିଳିତ ଜାତସଂଘ ସାଧାରଣ ପରିଷଦ (ୟୁଏନଜିଏ) ଠାରେ ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ଏକ ବିସ୍ତୃତ ସମ୍ମେଳନର ସମ୍ପାଦନ କରିବା ଲାଗି ଗୁରୁତ୍ୱାରୋପ କରିଥିଲେ । ଇରାନ ରାଷ୍ଟ୍ରପତିଙ୍କ ବିଚାର “ହିଂସା ଏବଂ ଉଗ୍ରବାଦ ବିରୋଧରେ ବିଶ୍ୱ” (ୱେଭ)ରୁ ଆସିଥିବା ୟୁଏନଜିଏ ସହମତି ପ୍ରସ୍ତାବ 2013କୁ ଉଭୟ ପକ୍ଷ ସମର୍ଥ କରିଥିଲେ । ଏଥିସହିତ ଆତଙ୍କବାଦୀ ତତ୍ୱଙ୍କ ମୁକାବିଲା ଏବଂ ସେମାନଙ୍କ ସହାୟକ ଗତିବିଧି, ବିଶେଷ କରି ଆତଙ୍କାବାଦୀ ଗୋଷ୍ଠୀକୁ ଆର୍ଥିକ ସହାୟତାର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଆହ୍ୱାନ କରିଥିଲେ ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସମର୍ଥିତ ତଥା ନିରସ୍ତ୍ରୀକରଣ ଢାଂଚା ଏବଂ ଅନ୍ତର୍ଜାତୀୟ ଶାନ୍ତି, ସ୍ଥିରତା ଓ ନିରାପତା ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରୁଥିବା ଯୁଗ୍ମ ବିସ୍ତୃତ କାର୍ଯ୍ୟ ଖସଡ଼ା (ଜେସିପିଓଏ)ର ପୂର୍ଣ୍ଣ ଏବଂ ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ଭାରତୀୟ ପକ୍ଷ ଏହାର ସମର୍ଥନ ଦୋହରାଇଥିଲା । ଆଂଚଳିକ ଶାନ୍ତି ଏବଂ ସ୍ଥିରତା ସ୍ୱାର୍ଥ ପାଇଁ ଏକ ସୁଦୃଢ଼, ଏକତ୍ରିତ, ସମୃଦ୍ଧ, ବହୁପକ୍ଷୀୟ, ଗଣତାନ୍ତ୍ରିକ ଏବଂ ସ୍ୱାଧୀନ ଆଫଗାନିସ୍ତାନ ଗଠନର ଆବଶ୍ୟକତା ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ ତଥା ଦେଶରେ ମିଳିତ ସରକାରଙ୍କ ପ୍ରତି ସମର୍ଥନ ଜଣାଇଥିଲେ । ଚାବାହାରରେ ସେମାନଙ୍କ ସହଯୋଗ ପ୍ରତି ସମର୍ଥନ ଜଣାଇ ଭାରତ-ଆଫଗାନିସ୍ତାନ-ଇରାନ ମଧ୍ୟରେ ତ୍ରିପାକ୍ଷିକ ବିଚାରବିମର୍ଷ ଏବଂ ସମନ୍ୱୟକୁ ସୁଦୃଢ଼ କରିବାର ଗୁରୁତ୍ୱ ଉପରେ ସେମାନେ ଜୋର ଦେଇଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ଅନ୍ୟ ଆଂଚଳିକ ରାଷ୍ଟ୍ରଗୁଡ଼ିକୁ ଆଗେଇ ଆସିବା ଏବଂ ଆଂଚଳିକ ଯୋଗାଯୋଗକୁ ଆଗେଇ ନେବା ଏବଂ ଭୂ-ପରିବହନ ବ୍ୟବସ୍ଥାରେ ରହିଥିବା ବାଧାଗୁଡ଼ିକୁ ଦୂର କରିବା ଲାଗି ଆହ୍ୱାନ କରିଥିଲେ ।

ଭାରତରେ ଗସ୍ତ ଅବସରରେ ତାଙ୍କୁ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧିଦଳକୁ ଭବ୍ୟ ଆତିଥ୍ୟ ପ୍ରଦାନ କରିଥିବାରୁ ରାଷ୍ଟ୍ରପତି ରୁହାନୀ ଗଭୀର କୃତଜ୍ଞତା ପ୍ରକଟ କରିଥିଲେ । ସେ ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଇରାନୀୟ ସାଧାରଣତନ୍ତ୍ର ଗସ୍ତରେ ଯିବା ଲାଗି ଆମନ୍ତ୍ରଣ ଜଣାଇଥିଲେ । ଏହି ନିମନ୍ତ୍ରଣ ସ୍ୱୀକାର ହୋଇଥିଲା ଏବଂ କୂଟନୈତିକ ମାଧ୍ୟମରେ ଗସ୍ତ ପାଇଁ ତାରିଖ ଚୂଡ଼ାନ୍ତ କରିବା ଲାଗି ସହମତି ପ୍ରକାଶ ପାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Merchandise Exports Defy Global Headwinds, Rise 15 Per Cent In April–14 June Period

Media Coverage

India's Merchandise Exports Defy Global Headwinds, Rise 15 Per Cent In April–14 June Period
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”