ଭାରତ-ଚୀନ ଅନୌପଚାରିକ ଶିଖର ବୈଠକ

Published By : Admin | April 28, 2018 | 12:02 IST

ଦ୍ୱିପାକ୍ଷିକ ଏବଂ ବୈଶ୍ୱିକ ଗୁରୁତ୍ୱ ବହନ କରୁଥିବା ବିଷୟ ଉପରେ ମତ ବିନିମୟ କରିବା ପାଇଁ ଏବଂ ବର୍ତ୍ତମାନ ଓ ଭବିଷ୍ୟତର ଆନ୍ତର୍ଜାତିକ ପରିସ୍ଥିତି ଆଧାରରେ ଜାତୀୟ ବିକାଶ ପାଇଁ ସେମାନଙ୍କର ଅନ୍ତର୍ଦୃଷ୍ଟି ଓ ଗୁରୁତ୍ୱ ସମ୍ବନ୍ଧରେ ପୂଙ୍ଖାନୁପୁଙ୍ଖ ଭାବେ ଆଲୋଚନା ଓ ମତ ବିନିମୟ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ସାଧାରଣତନ୍ତ୍ରର ରାଷ୍ଟ୍ରପତି ସି ଜିନପିଙ୍ଗ 2018 ଏପ୍ରିଲ 27-28 ମଧ୍ୟରେ ବୁହାନଠାରେ ପ୍ରଥମ ଅନୌପଚାରିକ ବୈଠକର ଆୟୋଜନ କରିଛନ୍ତି ।

ସେମାନେ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ରଣନୈତିକ ଏବଂ ନିଷ୍ପତ୍ତିଗତ ସ୍ୱାୟତ୍ତତା ଥିବା ତଥା ଏକାସଙ୍ଗରେ ଦୁଇ ବୃହତ୍ ଅର୍ଥନୈତିକ ଏବଂ ମହାଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ଉଦ୍ଭବ ହେଉଥିବା ଏହି ଦୁଇ ରାଷ୍ଟ୍ରଙ୍କର ଆଞ୍ଚଳିକ ଓ ବୈଶ୍ୱିକ ପ୍ରଭାବ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉଭୟ ମତ ଦେଇଥିଲେ ଯେ ଭାରତ ଓ ଚୀନ ମଧ୍ୟରେ ସ୍ଥିର ଏବଂ ସନ୍ତୁଳିତ ସମ୍ପର୍କ ସାମ୍ପ୍ରତିକ ବିଶ୍ୱର ଅସ୍ଥିରତା ଦୂର କରିବା କ୍ଷେତ୍ରରେ ଏକ ସକାରାତ୍ମକ ଭୂମିକା ଗ୍ରହଣ କରିବ । ଉଭୟ ମତ ଦେଇଥିଲେ ଯେ ଦ୍ୱିପାକ୍ଷିକ ସମ୍ପର୍କର ସଠିକ ପରିଚାଳନା କ୍ଷେତ୍ରୀୟ ବିକାଶ ଓ ସମୃଦ୍ଧି ପାଇଁ ଫଳପ୍ରଦ ହେବା ସହ ଏହା ‘ଏସିୟ ଶତାବ୍ଦୀ’ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ । ଏନେଇ ଉଭୟ ଦେଶର ଆଧୁନିକୀକରଣ ସହ ଜନସାଧାରଣଙ୍କ ସମୃଦ୍ଧି ପାଇଁ ପାରସ୍ପରିକ ଲାଭ ନିମନ୍ତେ ସ୍ଥାୟୀ କାର୍ଯ୍ୟପନ୍ଥା ଗ୍ରହଣ କରିବା ଲାଗି ଭାଗିଦାରୀତା ବୃଦ୍ଧି କରିବା ପାଇଁ ସେମାନେ ନିଷ୍ପତ୍ତି ଗ୍ରହଣ କରିଥିଲେ ।

ରଣନୈତିକ ତଥା ଦୀର୍ଘସୂତ୍ରୀ ଦିଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ସି ଭାରତ-ଚୀନ ସମ୍ପର୍କରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ । ଭବିଷ୍ୟତରେ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ପ୍ରତିଷ୍ଠିତ ପ୍ରକ୍ରିୟା ମାଧ୍ୟମରେ ଯଥା ସମ୍ଭବ ବ୍ୟାପକ ଭିତ୍ତିଭୂମି ପ୍ରତିଷ୍ଠା କରି ଆହୁରି ଅଧିକ ପ୍ରୟାସ କରିବା ପାଇଁ ଉଭୟ ନେତା ରାଜି ହୋଇଥିଲେ ।  ପାରସ୍ପରିକ ସମ୍ପର୍କକୁ ବଜାୟ ରଖିବା ପାଇଁ ଉଭୟ ଦେଶ ନିଜ ନିଜର ସମ୍ବେଦନଶୀଳତା, ଉଦବେଗ ଏବଂ ଅଭିଳାଷାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ମତ ପାର୍ଥକ୍ୟକୁ ଦୂର କରିବା ପାଇଁ ଦୁଇ ପକ୍ଷଙ୍କର ପରିପକ୍ୱତା ଓ ପ୍ରଜ୍ଞା ରହିଛି ବୋଲି ଶ୍ରୀ ମୋଦୀ ଓ ମିଷ୍ଟର ସି ମତ ପ୍ରକାଶ କରିଥିଲେ ।

ଭାରତ ଚୀନ ସୀମା ପ୍ରଶ୍ନକୁ ନେଇ ସ୍ୱତନ୍ତ୍ର ପ୍ରତିନିଧିମାନଙ୍କର କାର୍ଯ୍ୟକୁ ଉଭୟ ନେତା ସମର୍ଥନ କରିଥିଲେ ଏବଂ ଉଭୟ ପକ୍ଷଙ୍କ ଦ୍ୱାରା ଗ୍ରହଣୀୟ ଏକ ନିରପେକ୍ଷ ତଥା ବିଚାରଶୀଳ ନିଷ୍ପତ୍ତିରେ ପହଂଚିବା ଲାଗି ସେମାନଙ୍କ କାର୍ଯ୍ୟକୁ ତ୍ୱରାନ୍ୱୀତ କରିବା ପାଇଁ ଅନୁରୋଧ କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ-ଚୀନ ସୀମାର ସମସ୍ତ ଅଂଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ନେଇ ଦୁଇ ନେତା ଗୁରୁତ୍ୱ ପ୍ରକାଶ କରିଥିଲେ । ଏ ପ୍ରସଙ୍ଗରେ ସେମାନେ ଉଭୟ ଦଳର ସାମରିକ ବାହିନୀକୁ ସୀମା ପ୍ରସଙ୍ଗର ଫଳପ୍ରଦ ପରିଚାଳନା ଓ ଅନୁମାନ ପାଇଁ ସେମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଓ ବିଶ୍ୱାସ ବୃଦ୍ଧି ପାଇଁ ରଣନୈତିକ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ପୁନଶ୍ଚ ଦୁଇ ନେତା ଉଭୟ ପକ୍ଷ ରାଜି ହୋଇଥିବା ବିଭିନ୍ନ ବିଶ୍ୱାସ ଓ ବୁଝାମଣା ବୃଦ୍ଧିଜନିତ ପଦକ୍ଷେପକୁ ଗୁରୁତ୍ୱର ସହ ପ୍ରଣୟନ କରିବା ଲାଗି ସେମାନଙ୍କ ସାମରିକ ବାହିନୀକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ସାମିଲ ରହିଛି – ସୀମା ଅଂଚଳରେ ଉତ୍ତେଜନା ହ୍ରାସ ପାଇଁ ପାରସ୍ପରିକ ଓ ସମାନ ସୁରକ୍ଷା ବ୍ୟବସ୍ଥା, ବର୍ତ୍ତମାନର ପ୍ରଚଳିତ ସାଂଗଠନିକ ବ୍ୟବସ୍ଥା ତଥା ସୂଚନା ଆଦାନ ପ୍ରଦାନ ପ୍ରକ୍ରିୟାର ସଶକ୍ତୀକରଣ ।

ଦୁଇ ଦେଶର ଅର୍ଥବ୍ୟବସ୍ଥାରେ ଥିବା ପରିପୁରକତାର ଲାଭ ଉଠାଇ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶକୁ ସନ୍ତୁଳିତ ଏବଂ ସ୍ଥାୟୀ ଭାବେ ବୃଦ୍ଧି କରିବା ଲାଗି ଉଭୟ ନେତା ରାଜି ହୋଇଥିଲେ । ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ଓ ଜନ-ଜନ ସମ୍ପର୍କ କ୍ଷେତ୍ରରେ ଆଦାନ ପ୍ରଦାନ ବୃଦ୍ଧି କରିବା ପାଇଁ ବିଭିନ୍ନ ପନ୍ଥା ନିର୍ଦ୍ଧାରଣ କରିବା ସହ ଏ ଦିଗରେ ନୂତନ ପ୍ରକ୍ରିୟା ନିର୍ଦ୍ଧାରଣ କରିବା ପାଇଁ ସେମାନେ ମଧ୍ୟ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ସି ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ ଦୁଇଟି ପ୍ରମୁଖ ରାଷ୍ଟ୍ର ଭାବେ ଭାରତ ଓ ଚୀନର ବିଭିନ୍ନ ଆଂଚଳିକ ଓ ବୈଶ୍ୱିକ କ୍ଷେତ୍ରରେ  ସାଧାରଣ ଓ ପାରସ୍ପରିକ ଲାଭ ରହିଛି । ସେମାନେ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଉପଯୁକ୍ତ ଯୋଗାଯୋଗ ମାଧ୍ୟମରେ ଉଭୟ ପକ୍ଷ ପାରସ୍ପରିକ ବୁଝାମଣାରେ ଉନ୍ନତି ଆଣିବା ସହ ଆଂଚଳିକ ଏବଂ ବୈଶ୍ୱିକ ସ୍ଥିରତା ବଜାୟ ରଖିବାରେ ଯୋଗଦାନ କରିପାରିବେ ।

ଉଭୟ ନେତା ମତ ଦେଇଥିଲେ ଯେ ଭାରତ ଓ ଚୀନ ସେମାନଙ୍କ ଉନ୍ନତି ଓ ଆର୍ଥିକ ପ୍ରଗତି ମାଧ୍ୟମରେ ବିଶ୍ୱ ଶାନ୍ତି ଓ ସମୃଦ୍ଧି କ୍ଷେତ୍ରରେ ଭିନ୍ନ ଭିନ୍ନ ଭାବେ ବୃହତ୍ତର ଯୋଗଦାନ କରିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ବୈଶ୍ୱିକ ପ୍ରଗତି ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିବେ । ସେମାନେ ଏକ ମୁକ୍ତ, ବହୁମୁଖୀ ତଥା ବହୁବିଧ ଏବଂ ଭାଗିଦାରୀତାପୂର୍ଣ୍ଣ ବୈଶ୍ୱିକ ଅର୍ଥନୈତିକ ପ୍ରକ୍ରିୟା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ଯାହାଫଳରେ ଏହା ପ୍ରତ୍ୟେକ ରାଷ୍ଟ୍ରଙ୍କୁ ସେମାନଙ୍କ ପ୍ରଗତି ପାଇଁ ସାମର୍ଥ୍ୟ ପ୍ରଦାନ କରିବ ଏବଂ ବିଶ୍ୱର ସମସ୍ତ ଅଂଚଳରେ ଦାରିଦ୍ର୍ୟ ଓ ଅସମାନତା ଦୂର କରିବାରେ ସହାୟକ ହେବ । କ୍ଷେତ୍ରୀୟ ତଥା ବୈଶ୍ୱିକ ଅର୍ଥନୈତିକ ପ୍ରଗତି ବାବଦରେ ଉଭୟ ଦେଶ ସେମାନଙ୍କ ପ୍ରୟାସ ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ଉଭୟ ନେତା ବୈଶ୍ୱିକ ସମୃଦ୍ଧି ଏବଂ ସୁରକ୍ଷା ହାସଲ କରିବା ପାଇଁ ସେମାନଙ୍କ ବୈଦେଶିକ ନୀତିର ଅନ୍ତର୍ଦୃଷ୍ଟି ସମ୍ବନ୍ଧରେ ମଧ୍ୟ ପ୍ରକାଶ କରିଥିଲେ । ଜଳବାୟୁ ପରିବର୍ତ୍ତନ, ସ୍ଥାୟୀ ପ୍ରଗତି, ଖାଦ୍ୟ ସୁରକ୍ଷା ଇତ୍ୟାଦି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଭୟ ଦେଶ ସକାରାତ୍ମକ ଏବଂ ଗଠନମୂଳକ ଭାବେ ଯୋଗଦାନ କରିବା ପାଇଁ ରାଜି ହୋଇଥିଲେ । ବିକାଶଶୀଳ ଦେଶଗୁଡ଼ିକର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଏବଂ ପ୍ରତିନିଧିମୂଳକ ହେବା ପାଇଁ ବହୁପକ୍ଷୀୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ ସଂସ୍କାର ବ୍ୟବସ୍ଥା ଆଣିବା ଉପରେ ସେମାନେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଏକବିଂଶ ଶତାବ୍ଦୀରେ ମନୁଷ୍ୟ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକର ସ୍ଥାୟୀ ତଥା ଅଭିନବ ସମାଧାନ ପ୍ରଦାନ କରିବା ଦିଗରେ ପ୍ରଗତି ନେଇ ସେମାନଙ୍କ ଅଭିଜ୍ଞତା ଓ ଜାତୀୟ ସାମର୍ଥ୍ୟ ଦୃଷ୍ଟିରୁ ତଥା ଦୁଇ ପ୍ରମୁଖ ଏବଂ ଉଦୀୟମାନ ଅର୍ଥନୈତିକ ରାଷ୍ଟ୍ର ଭାବେ ଭାରତ ଓ ଚୀନ ପରସ୍ପର ସହ ହାତ ମିଳାଇ ନେତୃତ୍ୱ ଭୂମିକା ଗ୍ରହଣ କରିବା ଆବଶ୍ୟକ । ଏଥିରେ ସାମିଲ ରହିଛି ରୋଗ ବ୍ୟାଧିର ମୁକାବିଲା, ବିପର୍ଯ୍ୟୟ ପ୍ରଶମନ ତଥା ଦୂରୀକରଣ ପାଇଁ କାର୍ଯ୍ୟପନ୍ଥା, ପାଣିପାଗ ପରିବର୍ତ୍ତନ ସମସ୍ୟା ପ୍ରତି ଧ୍ୟାନ ଦେବା ଏବଂ ଡିଜିଟାଲ ସଶକ୍ତୀକରଣ ଆରମ୍ଭ କରିବା । ମାନବତାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ସବୁ ଆହ୍ୱାନର ମୁକାବିଲା କରିବା ପାଇଁ ଏହି ସବୁ କ୍ଷେତ୍ରରେ ଏକ ବୈଶ୍ୱିକ ନେଟୱାର୍କ ଗଠନ ସକାଶେ ସେମାନେ ଏକତ୍ର ସେମାନଙ୍କ ବିଶେଷଜ୍ଞ ଓ ସମ୍ପଦର ଉପଯୋଗ ପାଇଁ ସହମତି ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରମତି ସି ସନ୍ତ୍ରାସବାଦର ବିପଦକୁ ଚିହ୍ନଟ କରିଥିଲେ ଏବଂ ସମସ୍ତ ପ୍ରକାରର ସନ୍ତ୍ରାସବାଦ ଓ ସନ୍ତ୍ରାସବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରିବା ସହ ଦୃଢ଼ ଭାବେ ଏହାର ମୁକାବିଲା କରିବା ନେଇ ସେମାନଙ୍କର ସଂକଳ୍ପକୁ ଦୋହରାଇ ଥିଲେ । ସନ୍ତ୍ରାସବାଦର ମୁକାବିଲା ପାଇଁ ପାରସ୍ପରିକ ସହଯୋଗ ଲାଗି ଦୁହେଁ ସଂକଳ୍ପବଦ୍ଧ ହୋଇଥିଲେ ।

ଦୁଇ ନେତା  ଅନୌପଚାରିକ ବୈଠକ ମାଧ୍ୟମରେ ସିଧାସଳଖ, ମୁକ୍ତ ତଥା ପାରସ୍ପରିକ ଆଲୋଚନାର ସୁଯୋଗକୁ ଫଳପ୍ରସୂ କରିପାରିଥିବା ଭାବନା ସହ ଭବିଷ୍ୟତରେ ଏପରି ଆହୁରି ଅଧିକ ଆଲୋଚନା କରିବା ପାଇଁ ସହମତି ପ୍ରକାଶ କରିଥିଲେ । ଉଭୟ ଦେଶର ଜାତୀୟ, କ୍ଷେତ୍ରୀୟ ଏବଂ ବୈଶ୍ୱିକ ନୀତି ନିର୍ଣ୍ଣୟର ମାର୍ଗ ନିର୍ଦ୍ଧାରଣ କରୁଥିବା ଅନ୍ତର୍ଦୃଷ୍ଟି, ଦିଗ ଏବଂ ପ୍ରାଧାନ୍ୟ ପରିପ୍ରେକ୍ଷୀରେ ଏହି ଆଲୋଚନା ମାଧ୍ୟମରେ ବିଚାର-ବିମର୍ଶ ଆଦାନ ପ୍ରଦାନ ହୋଇପାରିଥିଲା । ପାରସ୍ପରିକ ବିକାଶର ଅଭିଳାଷା ଏବଂ  ପାରସ୍ପରିକ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଉଭୟ ଦେଶର ମତଭେଦର ବିଚାରଶୀଳ ପରିଚାଳନା ଏବଂ ପାରସ୍ପରିକ ବୁଝାମଣା ଭିତ୍ତିରେ ଭାରତ-ଚୀନ ସମ୍ପର୍କର ଭବିଷ୍ୟତ ଦିଗ ନିର୍ଦ୍ଧାରଣ ନେଇ ଏହି ଆଲୋଚନା ବେଶ ସହାୟକ ହୋଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi