ଭାରତ-ଚିଲି ମିଳିତ ବିବୃତ୍ତି

Published By : Admin | April 1, 2025 | 18:11 IST

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଚିଲି ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ଗାବ୍ରିଏଲ ବୋରିକ ଫଣ୍ଟ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୬ ବର୍ଷ ପୂରଣ ଅବସରରେ ୨୦୨୫ ମସିହା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ବୋରିକଙ୍କ ସହ ବୈଦେଶିକ ବ୍ୟାପାର, କୃଷି, ଖଣି, ମହିଳା ଏବଂ ଲିଙ୍ଗଗତ ସମାନତା ଏବଂ ସଂସ୍କୃତି, କଳା ଏବଂ ଐତିହ୍ୟ ମନ୍ତ୍ରୀ, ସଂସଦ ସଦସ୍ୟ, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟକ ବ୍ୟବସାୟିକ ମୁଖ୍ୟ ଅଛନ୍ତି। ନୂଆଦିଲ୍ଲୀ ବ୍ୟତୀତ ରାଷ୍ଟ୍ରପତି ବୋରିକ୍ ଆଗ୍ରା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଗସ୍ତ କରିବେ। ରାଷ୍ଟ୍ରପତି ବୋରିକଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ନଭେମ୍ବର ୨୦୨୪ ରେ ରିଓ ଡି ଜେନେରିଓରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଉଭୟ ରାଷ୍ଟ୍ରପତି ବୋରିକ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ।

ପାଲମ ବାୟୁସେନା ଘାଟୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ବୋରିକଙ୍କୁ ଭବ୍ୟ ଏବଂ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ୨୦୨୫ମସିହା ଏପ୍ରିଲ ୧ ତାରିଖରେ ହାଇଦ୍ରାବାଦ ହାଉସରେ ରାଷ୍ଟ୍ରପତି ବୋରିକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ରାଷ୍ଟ୍ରପତି ବୋରିକ୍‍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ, ଯିଏକି ବୋରିକ୍‍ ଓ ତାଙ୍କ ସହ ଆସିଥିବା ପ୍ରତିନିଧି ଦଳର ସମ୍ମାନରେ ଏକ ଭୋଜିର ଆୟୋଜନ କରିଥିଲେ । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ରାଷ୍ଟ୍ରପତି ବୋରିକଙ୍କୁ ଭେଟିଥିଲେ।

ରାଷ୍ଟ୍ରପତି ବୋରିକ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ୧୯୪୯ ମସିହାରେ ପ୍ରତିଷ୍ଠିତ ହୋଇଥିବା ଐତିହାସିକ କୂଟନୈତିକ ସମ୍ପର୍କ, ବୃଦ୍ଧି ପାଉଥିବା ବାଣିଜ୍ୟିକ ସମ୍ପର୍କ, ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ, ସାଂସ୍କୃତିକ ସମ୍ପର୍କ ଏବଂ ଉଭୟ ଦେଶ ମଧ୍ୟରେ ଉଷ୍ମ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ମରଣ କରିଥିଲେ। ପାରସ୍ପରିକ ସ୍ୱାର୍ଥର ସମସ୍ତ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ଆହୁରି ସମ୍ପ୍ରସାରିତ ଏବଂ ଦୃଢ କରିବା ଲାଗି ସେମାନେ ଇଚ୍ଛା ବ୍ୟକ୍ତ କରିଥିଲେ।

ଏହି ବୈଠକରେ ଦୁଇ ନେତା ବାଣିଜ୍ୟ ଏବଂ ନିବେଶ, ସ୍ୱାସ୍ଥ୍ୟ ଏବଂ ଫାର୍ମାସ୍ୟୁଟିକାଲ୍ସ, ପ୍ରତିରକ୍ଷା ଏବଂ ସୁରକ୍ଷା, ଭିତ୍ତିଭୂମି, ଖଣି ଏବଂ ଖଣିଜ ସମ୍ପଦ, କୃଷି ଏବଂ ଖାଦ୍ୟ ସୁରକ୍ଷା, ସବୁଜ ଶକ୍ତି, ଆଇସିଟି, ଡିଜିଟାଇଜେସନ୍, ନବସୃଜନ, ବିପର୍ଯ୍ୟୟ ପରିଚାଳନା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ, ଶିକ୍ଷା ଏବଂ ଜନ-ଜନ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ପରିସରକୁ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ସ୍ତରରେ ନିୟମିତ ଆଦାନ ପ୍ରଦାନ ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ।

ଦୁଇ ନେତା ଉଲ୍ଲେଖ କରିଥିଲେ ଯେ ବାଣିଜ୍ୟ ଏବଂ ବ୍ୟବସାୟ ଦ୍ୱିପାକ୍ଷିକ ସମ୍ପର୍କର ଏକ ଦୃଢ଼ ସ୍ତମ୍ଭ ହୋଇ ରହିଛି। ମେ ୨୦୧୭ ରେ ଭାରତ-ଚିଲି ପ୍ରାଧାନ୍ୟ ବାଣିଜ୍ୟ ରାଜିନାମାର ସମ୍ପ୍ରସାରଣ ଦ୍ୱାରା ଉତ୍ପନ୍ନ ସକରାତ୍ମକ ପ୍ରଭାବ ଉପରେ ଆଲୋକପାତ କରିବା ସହିତ ଏହର ଫଳସ୍ୱରୂପ ଦ୍ୱିପାକ୍ଷିକ ବାଣିଜ୍ୟରେ ଯଥେଷ୍ଟ ବୃଦ୍ଧି ଘଟିଛି ତାହା ଦର୍ଶାଇବା ସହିତ ଦୁଇ ନେତା ଦ୍ୱିପାକ୍ଷିକ ବାଣିଜ୍ୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ଦ୍ୱିପାକ୍ଷିକ ବାଣିଜ୍ୟର ସମ୍ପ୍ରସାରଣ ପାଇଁ ନୂତନ ସୁଯୋଗ ସୃଷ୍ଟି କରିପାରିବ। ନିକଟରେ ଉଭୟ ପକ୍ଷର ବ୍ୟବସାୟିକ ପ୍ରତିନିଧିମଣ୍ଡଳର ଗସ୍ତ ବୃଦ୍ଧି ପାଇଥିବାରୁ ଦୁଇ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରୁଛି। ଏକ ବଡ଼ ବ୍ୟବସାୟିକ ପ୍ରତିନିଧି ଦଳ ଆଣିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବୋରିକଙ୍କୁ ଧନ୍ୟବାଦ ଜଣାଇଥିଲେ, ଯାହା ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ବାଣିଜ୍ୟିକ ସମ୍ପର୍କକୁ ଆହୁରି ବୃଦ୍ଧି କରିବା ଲାଗି ଆଲୋଚନା ଜାରି ରଖିବା ଲାଗି ଉଭୟ ସହମତ ହୋଇଥିଲେ।

ରାଷ୍ଟ୍ରପତି ବୋରିକ୍ କହିଥିଲେ ଯେ ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତ ଚିଲି ପାଇଁ ଏକ ପ୍ରମୁଖ ଅଂଶୀଦାର ଏବଂ ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ଏବଂ ବିବିଧ ବାଣିଜ୍ୟ ପାଇଁ ରଣନୀତି ଅନ୍ୱେଷଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପାରସ୍ପରିକ ସହମତିରେ ନିର୍ଦ୍ଧାରିତ ସର୍ତ୍ତାବଳୀ ଉପରେ ସ୍ୱାକ୍ଷରକୁ ସ୍ୱୀକାର କରିଥିଲେ ଏବଂ ଏକ ଗଭୀର ଆର୍ଥିକ ଏକୀକରଣ ହାସଲ କରିବା ଲାଗି ଏକ ସନ୍ତୁଳିତ, ମହତ୍ୱାକାଂକ୍ଷୀ, ବ୍ୟାପକ ଏବଂ ପାରସ୍ପରିକ ଲାଭପ୍ରଦ ରାଜିନାମା ପାଇଁ ଏକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ରାଜିନାମା (ସିଇପିଏ) ଆଲୋଚନାର ଶୁଭାରମ୍ଭକୁ ସ୍ୱାଗତ କରିଥିଲେ। ସିଇପିଏ ଭାରତ ଏବଂ ଚିଲି ମଧ୍ୟରେ ବାଣିଜ୍ୟ ଏବଂ ବାଣିଜ୍ୟିକ ସମ୍ପର୍କର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା, ନିଯୁକ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିବ।

ବାଣିଜ୍ୟିକ ସମ୍ପର୍କ ତଥା ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ଆହୁରି ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ବୋରିକ୍ ଭାରତୀୟ ବ୍ୟବସାୟୀମାନଙ୍କୁ ଏକାଧିକ ପ୍ରବେଶ ଅନୁମତି ପ୍ରଦାନ କରିବା ଲାଗି ଚିଲିର ନିଷ୍ପତ୍ତି ଘୋଷଣା କରିଥିଲେ, ଯାହା ଭିସା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବ। ପ୍ରଧାନମନ୍ତ୍ରୀ ମୋଦୀ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ଏହାକୁ ଗୁରୁତ୍ୱ ଦେଇଥିଲେ, କାରଣ ଏହା ବାଣିଜ୍ୟ ଏବଂ ନିବେଶକୁ ସୁଗମ କରିବା ଲାଗି ଉଭୟ ପକ୍ଷର ଇଚ୍ଛା ଏବଂ ଚିଲି ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର କରିବା ଲାଗି ସହଭାଗୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବସାୟ, ପର୍ଯ୍ୟଟନ, ଛାତ୍ର ଏବଂ ଶିକ୍ଷା ବିନିମୟକୁ ସୁଗମ କରିବା ପାଇଁ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ସ୍ୱୀକାର କରି ଭାରତୀୟ ପକ୍ଷ ଏକ କୋହଳ ଭିସା ବ୍ୟବସ୍ଥା ସ୍ଥାପନ କରିସାରିଛି, ଯେଉଁଥିରେ ଚିଲି ଯାତ୍ରୀଙ୍କ ପାଇଁ ଇ-ଭିସା ସୁବିଧାର ବ୍ୟବସ୍ଥା କରିବା ଅନ୍ତର୍ଭୁକ୍ତ ।

ଉଭୟ ନେତା ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଉନ୍ନତ ଉତ୍ପାଦନ ଏବଂ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ରଣନୈତିକ ଗୁରୁତ୍ୱକୁ ସ୍ୱୀକାର କରିଥିଲେ, ଉଭୟ ନେତା ପାରସ୍ପରିକ ଲାଭ ପାଇଁ ସମଗ୍ର ଗୁରୁତ୍ୱପୂର୍ଣ୍ଣ ଖଣିଜ ମୂଲ୍ୟ ଶୃଙ୍ଖଳାରେ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଗବେଷଣା ଏବଂ ବିକାଶ ସହିତ ଅନୁସନ୍ଧାନ, ଖନନ ଏବଂ ପ୍ରକ୍ରିୟାକରଣରେ ସହଯୋଗକୁ ତ୍ୱରାନ୍ୱିତ କରିବାକୁ ସହମତ ହୋଇଥିଲେ। ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଉନ୍ନତ ସାମଗ୍ରୀ ସମେତ ବିଶ୍ୱସନୀୟ ଏବଂ ସହଜ ଯୋଗାଣ ଶୃଙ୍ଖଳା ନିର୍ମାଣ କରିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଚିଲିରୁ ଭାରତକୁ ଖଣିଜ ପଦାର୍ଥ ଏବଂ ସାମଗ୍ରୀର ଦୀର୍ଘକାଳୀନ ଯୋଗାଣର ସମ୍ଭାବନା ସହିତ ଖଣି ଏବଂ ଖଣିଜ ପଦାର୍ଥ କ୍ଷେତ୍ରରେ ପାରସ୍ପରିକ ଲାଭପ୍ରଦ ଭାଗିଦାରୀ ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରି ଯୋଗାଣ ଶୃଙ୍ଖଳା ଏବଂ ସ୍ଥାନୀୟ ମୂଲ୍ୟ ଶୃଙ୍ଖଳକୁ ମଜବୁତ କରିବା ପାଇଁ ପଦକ୍ଷେପ ଉପରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ।

ଉଭୟ ନେତା ସ୍ୱାସ୍ଥ୍ୟ ଏବଂ ଫାର୍ମାସ୍ୟୁଟିକାଲ୍ସ, ମହାକାଶ, ଆଇସିଟି, କୃଷି, ସବୁଜ ଶକ୍ତି, ପାରମ୍ପାରିକ ଔଷଧ, ଆଣ୍ଟାର୍କଟିକା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, କ୍ରୀଡା, ଷ୍ଟାର୍ଟଅପ୍, ସମବାୟ ସମିତି ଏବଂ ଅଡିଓ ଭିଜୁଆଲ୍ ସହ-ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ନୂତନ ମାର୍ଗ ଖୋଲିବାକୁ ଅନୁସନ୍ଧାନ କରିବାକୁ ରାଜି ହୋଇଥିଲେ।

ରାଷ୍ଟ୍ରପତି ବୋରିକ୍ ଭାରତୀୟ ଫାର୍ମାସ୍ୟୁଟିକାଲ୍ ଶିଳ୍ପର ଭୂମିକାକୁ ବିଶ୍ୱର ଅନ୍ୟତମ ଅଗ୍ରଣୀ ତଥା ସୁଲଭ ଏବଂ ଉଚ୍ଚମାନର ଉତ୍ପାଦ ଯୋଗାଣରେ ଚିଲି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ସ୍ୱୀକାର କରିଥିଲେ। ଉଭୟ ପକ୍ଷ ଦୁଇ ଦେଶର ଘରୋଇ କ୍ଷେତ୍ରକୁ ଫାର୍ମାସ୍ୟୁଟିକାଲ୍, ଟିକା ଏବଂ ଚିକିତ୍ସା ଉପକରଣରେ କାରବାର ବୃଦ୍ଧି କରିବାକୁ ସୁବିଧା ଦେବାକୁ ରାଜି ହୋଇଥିଲେ। ଉଭୟ ପକ୍ଷ ସ୍ୱାସ୍ଥ୍ୟସେବା ଏବଂ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଏବଂ ଭାରତୀୟ ଫାର୍ମାସ୍ୟୁଟିକାଲ୍ସ ପାଇଁ ବଜାର ପ୍ରବେଶ ସମସ୍ୟାର ସମାଧାନ କରିବା ସହିତ ଚିଲି ଦ୍ୱାରା ଭାରତୀୟ ଔଷଧକୁ ସ୍ୱୀକୃତି ଦେବା ଲାଗି ଆଗକୁ ବଢିବା ଉପରେ ସହମତ ହୋଇଥିଲେ।

ଦୁଇ ନେତା ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ରକ୍ଷା କରିବାରେ ପାରମ୍ପରିକ ଔଷଧ ଏବଂ ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଅଧିକ ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ପାରମ୍ପରିକ ଔଷଧ ଉପରେ ବୁଝାମଣା ପତ୍ରର ଶୀଘ୍ର ସମାପ୍ତି ପାଇଁ ସେମାନଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଦିଗରେ ଉଭୟ ଦେଶ ଏକ ବୁଝାମଣାପତ୍ର ସ୍ୱାକ୍ଷର କରି ପ୍ରମାଣ ଆଧାରିତ, ସମନ୍ୱିତ, ପାରମ୍ପରିକ ଔଷଧ, ହୋମିଓପାଥି ଏବଂ ଯୋଗର ପ୍ରୋତ୍ସାହନ ଏବଂ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଲାଗି ସହମତ ହୋଇଥିଲେ।

ଉଭୟ ପକ୍ଷ ପରସ୍ପରର ଦେଶରେ ଭିତ୍ତିଭୂମି ପ୍ରକଳ୍ପରେ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ। ରେଳ କ୍ଷେତ୍ର ସମେତ ଭିତ୍ତିଭୂମି ପ୍ରକଳ୍ପରେ ଅଂଶଗ୍ରହଣ କରିବା ଲାଗି ଚିଲିର ପ୍ରତିନିଧି ଭାରତୀୟ କମ୍ପାନୀଗୁଡ଼ିକୁ ସ୍ୱାଗତ କରିଥିଲେ।

ଦକ୍ଷତା ବିକାଶ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ସମେତ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅନୁସନ୍ଧାନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଦୁଇ ନେତା ଉଭୟ ପକ୍ଷଙ୍କୁ ଉତ୍ସାହିତ କରିଥିଲେ। ବର୍ତ୍ତମାନର ଆନୁଷ୍ଠାନିକ ପ୍ରତିରକ୍ଷା ସହଯୋଗ ରାଜିନାମା ଅଧୀନରେ ପରସ୍ପରର ସାମର୍ଥ୍ୟକୁ ବିକଶିତ ଏବଂ ବୃଦ୍ଧି କରିବାରେ ଜ୍ଞାନ ବାଣ୍ଟିବା ପାଇଁ ଉଭୟ ରାଜି ହୋଇଥିଲେ। ଭାରତୀୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରତିରକ୍ଷା ସେବା କର୍ମଚାରୀ ମହାବିଦ୍ୟାଳୟ, ଏନଡିସି., ଏନଡିଏ ଏବଂ ଏଚଡିଏମସି ରେ ତାଲିମ ପ୍ରଦାନ କରିବା ସମୟରେ ଚିଲିକୁ ପ୍ରାଥମିକତା ଦିଆଯାଇଛି, ଏହା ବ୍ୟତୀତ ଗରିଲା ଯୁଦ୍ଧ ଏବଂ ଶାନ୍ତିରକ୍ଷା କାର୍ଯ୍ୟରେ ସ୍ୱତନ୍ତ୍ର ପାଠ୍ୟକ୍ରମ ପାଇଁ ସ୍ଲଟ୍ ଉପଲବ୍ଧ କରାଯାଇଛି। ପାରସ୍ପରିକ ସ୍ୱାର୍ଥ ଥିବା କ୍ଷେତ୍ରରେ ଚିଲିର ସୈନ୍ୟବାହିନୀକୁ ଗ୍ରହଣ କରିବା ଏବଂ ତାଲିମ ଦେବା ଲାଗି ଭାରତୀୟ ପକ୍ଷ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ।

ଉଭୟ ନେତା ବର୍ତ୍ତମାନର ଆଣ୍ଟାର୍କଟିକ ସହଯୋଗକୁ ସୁଦୃଢ଼ କରିବା ଲାଗି 'ଲେଟର୍ ଅଫ୍ ଇଣ୍ଟେଣ୍ଟ୍ "ସ୍ୱାକ୍ଷରିତ ହେବା ନେଇ ଖୁସି ବ୍ୟକ୍ତ କରିଥିଲେ, ଯାହା ଆଣ୍ଟାର୍କଟିକ ସାମୁଦ୍ରିକ ଜୀବନ୍ତ ସମ୍ବଳ ଏଜେଣ୍ଡାର ସଂରକ୍ଷଣ, ଦ୍ୱିପାକ୍ଷିକ ବାର୍ତ୍ତାଳାପ, ମିଳିତ ପଦକ୍ଷେପ ଏବଂ ଆଣ୍ଟାର୍କଟିକ ଏବଂ ଆଣ୍ଟାର୍କଟିକ ନୀତି ସମ୍ବନ୍ଧୀୟ ଶିକ୍ଷାଦାନ ବିନିମୟରେ ଭାଗିଦାରୀକୁ ଆହୁରି ସୁଗମ କରିବ। ଉଭୟ ଭାରତ ଏବଂ ଚିଲି ଆଣ୍ଟାର୍କଟିକ ଚୁକ୍ତିର ପରାମର୍ଶଦାତା ପକ୍ଷ ଅଟନ୍ତି ଏବଂ ଉଭୟ ପକ୍ଷ ତଥା ବିଶ୍ୱ ସମୁଦାୟଙ୍କ ଲାଭ ପାଇଁ ଆଣ୍ଟାର୍କଟିକ ବିଷୟରେ ବୈଜ୍ଞାନିକ ବୁଝାମଣାକୁ ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଉଭୟ ପକ୍ଷ ଜାତୀୟ କ୍ଷେତ୍ରାଧିକାର ବାହାରେ ଥିବା କ୍ଷେତ୍ରରେ ସାମୁଦ୍ରିକ ଜୈବ ବିବିଧତାର ସଂରକ୍ଷଣ ଏବଂ ସ୍ଥାୟୀ ବ୍ୟବହାର ପାଇଁ ଏକ ପ୍ରମୁଖ ଆଇନଗତ ଢାଞ୍ଚା ଭାବେ ଜାତୀୟ କ୍ଷେତ୍ରାଧିକାର ବାହାରେ ଥିବା କ୍ଷେତ୍ରରେ ସାମୁଦ୍ରିକ ଜୈବ ବିବିଧତା ଉପରେ ରାଜିନାମା (ବିବିଏନଜେ) ସ୍ୱାକ୍ଷରିତ ହେବା ଏବଂ ଏହାକୁ ଗ୍ରହଣ କରିବା ପ୍ରସ୍ତାବକୁ ସ୍ୱାଗତ କରିଥିଲେ ଏବଂ ସ୍ଥଳଭାଗରୁ ସମୁଦ୍ର ପର୍ଯ୍ୟନ୍ତ ଜୈବ ବିବିଧତାର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରୋତ୍ସାହନ ପାଇଁ ନିଜ ନିଜ ଦେଶର ସଂକଳ୍ପକୁ ଦୋହରାଇଥିଲେ ଏବଂ ଏହି ପ୍ରସଙ୍ଗଗୁଡ଼ିକର ମୁକାବିଲା ପାଇଁ ଅନ୍ତର୍ଜାତୀୟ ମଞ୍ଚରେ ମିଳିତ ଭାବେ କାର୍ଯ୍ୟ କରିବା ଏବଂ ପରସ୍ପରକୁ ସମର୍ଥନ କରିବା ଲାଗି ସହମତ ହୋଇଥିଲେ। ଉଭୟ ଦେଶ ସାଧାରଣ କିନ୍ତୁ ଭିନ୍ନ ଦାୟିତ୍ୱ ଏବଂ ବିକାଶର ଅଧିକାର ନୀତି ଉପରେ ଆଧାରିତ ସହଯୋଗ ଏବଂ ମିଳିତ ପ୍ରୟାସ ମାଧ୍ୟମରେ ବହୁପକ୍ଷବାଦରେ ଦକ୍ଷିଣ ବିଶ୍ୱର ଏକ ଦୃଷ୍ଟିକୋଣକୁ ମଜବୁତ କରିବା ପାଇଁ ସେମାନଙ୍କର ଉଦ୍ଦେଶ୍ୟକୁ ଦୋହରାଇଥିଲେ।

ମହାକାଶ କ୍ଷେତ୍ରରେ ଦୁଇ ଦେଶର ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଭାଗିଦାରୀକୁ ସ୍ମରଣ କରି ଦୁଇ ନେତା ଦୁଇ ଦେଶ ମଧ୍ୟରେ ମହାକାଶ କ୍ଷେତ୍ରରେ ଚାଲିଥିବା କାର୍ଯ୍ୟକଳାପ ଉପରେ ଗୁରୁତ୍ୱାରୋପ କରିଥିଲେ, ଯେଉଁଥିରେ ୨୦୧୭ ରେ ଭାରତ ଦ୍ୱାରା ଚିଲିର ଏକ ଉପଗ୍ରହ (ସୁଚାଇ-୧) କୁ ଏକ ବ୍ୟବସାୟିକ ବୁଝାମଣା ଅଧୀନରେ ସହଯାତ୍ରୀ ଭାବେ ଉତକ୍ଷେପଣ କରାଯାଇଥିଲା। ଉଭୟ ନେତା ମହାକାଶ ଏବଂ ଆଷ୍ଟ୍ରୋଫିଜିକ୍ସରେ ତାଲିମ ଏବଂ କ୍ଷମତା ନିର୍ମାଣ ତଥା ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ଇସ୍ରୋ, ଇନ୍‍-ସ୍ପାକ୍‍ଇ (ଇଣ୍ଡିଆନ ନେନସାଲ ସ୍ପେଶ୍‍ ପ୍ରମୋସନ ଆଣ୍ଡ ଅଥରାଇଜେସନ ସେଣ୍ଟର) ସହଯୋଗରେ ମହାକାଶ ଅନୁସନ୍ଧାନ, ଗବେଷଣା ଓ ବିକାଶ, ତାଲିମ, ଉପଗ୍ରହ ନିର୍ମାଣ, ଉତକ୍ଷେପଣ ଓ ପରିଚାଳନା ଏବଂ ମହାକାଶ ବାହାରେ ଶାନ୍ତିପୂର୍ଣ୍ଣ ବ୍ୟବହାର ଆଦି କ୍ଷେତ୍ରରେ ଚିଲିର ମହାକାଶ କାର୍ଯ୍ୟନିର୍ବାହୀ କମିଟି ଗଠନକୁ ସେମାନେ ସ୍ୱାଗତ କରିଥିଲେ।

ଉଭୟ ନେତା ନିଜ ନିଜ ବହୁମୁଖୀ ସୂଚନା ଏବଂ ଡିଜିଟାଲ ପ୍ରଯୁକ୍ତି କ୍ଷେତ୍ର ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସମନ୍ୱୟ ଅନ୍ୱେଷଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ରେ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ଆଇଟି ଏବଂ ଡିଜିଟାଲ କ୍ଷେତ୍ରରେ ନିବେଶ, ମିଳିତ ଉଦ୍ୟୋଗ, ବୈଷୟିକ ବିକାଶ ଏବଂ ବଜାରର ଅଭିବୃଦ୍ଧି ପ୍ରତି ସେମାନେ ପାରସ୍ପରିକ ଆଗ୍ରହ ପ୍ରକାଶ କରିଥିଲେ, ଯାହାଦ୍ୱାରା ଲୋକ ଏବଂ ବ୍ୟବସାୟ ପାଇଁ ଡିଜିଟାଲ ସେବାଗୁଡ଼ିକର ପ୍ରବେଶ ସହଜ ହୋଇପାରିବ। ଡିଜିଟାଲ ଦେୟ କ୍ଷେତ୍ରରେ ସହଯୋଗର ତ୍ୱରାନ୍ୱିତ କାର୍ଯ୍ୟାନ୍ୱୟନ ଦିଗରେ ଉଭୟ ପକ୍ଷର ପ୍ରୟାସକୁ ଦୁଇ ନେତା ସ୍ୱୀକାର କରିଥିଲେ। ଦୁଇ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ଘନିଷ୍ଠ ସହଯୋଗ ବିକାଶ ପାଇଁ କାର୍ଯ୍ୟ କରିବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ। ଉଭୟ ଦେଶର ପ୍ରଯୁକ୍ତିବିଦ୍ୟା ଗୋଷ୍ଠି ମଧ୍ୟରେ ଗଭୀର ସମ୍ପର୍କକୁ ସୁଗମ କରିବା ପାଇଁ ଡିଜିଟାଲ୍ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗ ଉପରେ ଏକ ବୁଝାମଣା ସ୍ୱାକ୍ଷର କରିବାକୁ ଉଭୟ ନେତା ସେମାନଙ୍କର ଇଚ୍ଛା ବ୍ୟକ୍ତ କରିଥିଲେ।

ଏକବିଂଶ ଶତାବ୍ଦୀର ଭୂ-ରାଜନୈତିକ ବାସ୍ତବତାକୁ ପ୍ରତିଫଳିତ କରି ଏହାକୁ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ, ଉତ୍ତରଦାୟୀ, ସ୍ୱଚ୍ଛ, ସମାବେଶୀ ଏବଂ ପ୍ରଭାବଶାଳୀ କରିବା ପାଇଁ ସଦସ୍ୟତାର ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ବର୍ଗରେ ଏହାର ସମ୍ପ୍ରସାରଣ ସମେତ ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବ୍ୟାପକ ସଂସ୍କାର ପାଇଁ ନେତାମାନେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏକ ସଂସ୍କାରିତ ଏବଂ ସମ୍ପ୍ରସାରିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥୀତ୍ୱ ପ୍ରତି ଚିଲି ପକ୍ଷ ନିଜର ସମର୍ଥନ ଦୋହରାଇଥିଲା। ଶାନ୍ତିପୂର୍ଣ୍ଣ ବାର୍ତ୍ତାଳାପ ମାଧ୍ୟମରେ ସମସ୍ତ ବିବାଦର ସମାଧାନର ଗୁରୁତ୍ୱ ଉପରେ ଗୁରୁତ୍ୱ ଦେଇ ବିଶ୍ୱ ଶାନ୍ତିକୁ ସୁଦୃଢ଼ କରିବା ପାଇଁ ଗଣତାନ୍ତ୍ରିକ ନୀତି ଏବଂ ମାନବିକ ଅଧିକାରର ପ୍ରୋତ୍ସାହନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ।

ଉଭୟ ନେତା ସୀମାପାର ଆତଙ୍କବାଦ ସମେତ ଆତଙ୍କବାଦର ସମସ୍ତ ରୂପ ଏବଂ ଅଭିବ୍ୟକ୍ତିକୁ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି ଏବଂ ବିଶ୍ୱ ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇରେ ଏକାଠି ଠିଆ ହେବା ଲାଗି ସେମାନଙ୍କର ସଂକଳ୍ପକୁ ଦୋହରାଇଛନ୍ତି। ମିଳିତ ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଆତଙ୍କବାଦର ମୁକାବିଲା କରାଯିବା ଆବଶ୍ୟକ ବୋଲି ସେମାନେ ସହମତ ହୋଇଥିଲେ।

ଦୁଇ ନେତା ମିଳିତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରମାନଙ୍କୁ ୟୁଏନ୍ଏସସି ସଂକଳ୍ପ ୧୨୬୭କୁ କାର୍ଯ୍ୟକାରୀ କରିବା ଏବଂ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳୀ ତଥା ଭିତ୍ତିଭୂମିକୁ ସମାପ୍ତ କରିବା ତଥା ଆତଙ୍କବାଦୀ ନେଟୱାର୍କ ତଥା ସମସ୍ତ ଆତଙ୍କବାଦୀ ପାଣ୍ଠି ଯୋଗାଣ ଚ୍ୟାନେଲକୁ ବ୍ୟାହତ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ଆତଙ୍କବାଦର ମୁକାବିଲା ପାଇଁ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍), ନୋ ମନି ଫର୍ ଟେରର୍ (ଏନ୍ଏମ୍ଏଫଟି) ଏବଂ ଅନ୍ୟାନ୍ୟ ବହୁପକ୍ଷୀୟ ମଞ୍ଚରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଉଭୟ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ ସମ୍ମେଳନକୁ ଶୀଘ୍ର ଚୂଡ଼ାନ୍ତ ରୂପ ଦେବାର ଗୁରୁତ୍ୱକୁ ମଧ୍ୟ ଦୁଇ ନେତା ଦୋହରାଇଥିଲେ।

ଦୁଇ ନେତା ଏକ ନିୟମ ଆଧାରିତ ଆନ୍ତର୍ଜାତୀୟ ବ୍ୟବସ୍ଥାର ଦୃଷ୍ଟିକୋଣ ପ୍ରତି ନିଜକୁ ପ୍ରତିବଦ୍ଧ କରିଛନ୍ତି ଯାହା ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରେ, ନୌଚାଳନା ଏବଂ ଓଭରଫ୍ଲାଇଟ୍ ତଥା ନିରବଚ୍ଛିନ୍ନ ଆଇନଗତ ବାଣିଜ୍ୟର ସ୍ୱାଧୀନତା ସୁନିଶ୍ଚିତ କରେ ଏବଂ ଆନ୍ତର୍ଜାତୀୟ ଆଇନର ବିଶେଷକରି ୟୁଏନସିଏଲଓଏସ୍‍ ର ସାର୍ବଜନୀନ ସ୍ୱୀକୃତିପ୍ରାପ୍ତ ନୀତି ଅନୁଯାୟୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ ।

ପ୍ରଧାନମନ୍ତ୍ରୀ ମୋଦୀ "ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍" ସମ୍ମିଳନୀର ସମସ୍ତ ତିନୋଟି ସଂସ୍କରଣରେ ଚିଲିର ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ, ଯାହା ଦକ୍ଷିଣ ବିଶ୍ୱର ଦେଶମାନଙ୍କୁ ସେମାନଙ୍କର ବିକାଶ ଦୃଷ୍ଟିକୋଣ ଏବଂ ପ୍ରାଥମିକତା ବାଣ୍ଟିବା ପାଇଁ ଏକତ୍ର ଆଣିବାରେ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ | ଅଗଷ୍ଟ ୨୦୨୪ ରେ ଅନୁଷ୍ଠିତ ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ନିଜର ମୂଲ୍ୟବାନ ଦୃଷ୍ଟିକୋଣ ଏବଂ ବିଚାର ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବୋରିକଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ପ୍ରଭାବଶାଳୀ ବିଶ୍ୱ ଶାସନ ସଂସ୍କାରର ଆବଶ୍ୟକତା ଏବଂ ଦକ୍ଷିଣ ବିଶ୍ୱର ଦେଶଗୁଡ଼ିକ ପାଇଁ ସ୍ୱଚ୍ଛ ଏବଂ ସବୁଜ ପ୍ରଯୁକ୍ତିବିଦ୍ୟା ପାଇଁ ନ୍ୟାୟସଙ୍ଗତ ପ୍ରବେଶ ସମେତ ଅନେକ ସମସାମୟିକ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଦୃଢ଼ ସମନ୍ୱୟ ରହିଛି। ଦକ୍ଷିଣ ବିଶ୍ୱର ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାରେ ଭାରତର ନେତୃତ୍ୱକୁ ରାଷ୍ଟ୍ରପତି ବୋରିକ୍ ସ୍ୱାଗତ କରିଥିଲେ।

ରାଷ୍ଟ୍ରପତି ବୋରିକ୍ ଜି-୨୦ ରେ ଭାରତର ନେତୃତ୍ୱକୁ ପ୍ରଶଂସା କରିଥିଲେ ଯାହା ବିକାଶ ଏଜେଣ୍ଡାକୁ କେନ୍ଦ୍ରସ୍ଥଳକୁ ଆଣିଥିଲା ଏବଂ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ର ସମ୍ଭାବନାକୁ ଉନ୍ମୁକ୍ତ କରିବା ଉପରେ ଧ୍ୟାନ ଦେଇ ଟେକ୍ନୋଲୋଜିର ପରିବର୍ତ୍ତନକାରୀ ଏବଂ ସମାବେଶୀ ଭୂମିକାକୁ ସ୍ୱୀକାର କରିଥିଲା। ଉଭୟ ନେତା ସ୍ୱୀକାର କରିଥିଲେ ଯେ ଭାରତର ଜି-୨୦ ଅଧ୍ୟକ୍ଷତା ଜି-୨୦ରେ ଆଫ୍ରିକୀୟ ସଂଘକୁ ସାମିଲ କରିବା, ନିରନ୍ତର ବିକାଶ ପାଇଁ ଜୀବନଶୈଳୀକୁ ପ୍ରୋତ୍ସାହନ (ଏଲଆଇଏଫଇ), ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ), ବହୁପକ୍ଷୀୟ ବିକାଶ ବ୍ୟାଙ୍କ (ଏମଡିବି) ର ସଂସ୍କାର ଏବଂ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଧ୍ୟାନ ଦେବା ଭଳି ପ୍ରମୁଖ ପଦକ୍ଷେପ ଏବଂ ଫଳାଫଳକୁ ସାମ୍ନାକୁ ଆଣି 'ଭଏସ୍ ଅଫ୍ ଦ ଗ୍ଲୋବାଲ୍ ସାଉଥ୍ "କୁ ବିଜୟୀ କରିଛି। ଏହି ପରିପ୍ରେକ୍ଷୀରେ, ଜି-୨୦ ମଧ୍ୟରେ ଅଧିକ ଏକୀକରଣ ଏବଂ ପ୍ରତିନିଧିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ଭାରତ ଜି-୨୦ ଅତିଥି ଦେଶ ଭାବେ ଆଲୋଚନାରେ ଚିଲି ଏବଂ ଲାଟିନ ଆମେରିକୀୟ ଦେଶଗୁଡ଼ିକୁ ସାମିଲ କରିବା ଲାଗି ସମର୍ଥନ କରିବ।

ଉଭୟ ପକ୍ଷ ଜଳବାୟୁ ପରିବର୍ତ୍ତନ ଏବଂ ସ୍ୱଳ୍ପ ନିର୍ଗମନ ଜଳବାୟୁ ସହନଶୀଳ ଅର୍ଥବ୍ୟବସ୍ଥା ଆଡ଼କୁ ଗତି କରିବା ଦ୍ୱାରା ସେମାନଙ୍କ ଅର୍ଥବ୍ୟବସ୍ଥା ପାଇଁ ଦେଖାଦେଇଥିବା ଆହ୍ୱାନଗୁଡ଼ିକୁ ସ୍ୱୀକାର କରିଥିଲେ। ତଦନୁସାରେ, ସେମାନେ ଅଧିକ ଦକ୍ଷ ଶକ୍ତି ଟେକ୍ନୋଲୋଜିର ବିକାଶ ମାଧ୍ୟମରେ ସ୍ୱଚ୍ଛ ଶକ୍ତି ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବାକୁ ଗଭୀର ଇଚ୍ଛା ପ୍ରକାଶ କରିଥିଲେ। ଦୁଇ ନେତା ଅକ୍ଷୟ ଶକ୍ତି, ଗ୍ରିନ୍‍ ହାଇଡ୍ରୋଜେନ୍, ଉପଯୋଗ ଏବଂ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା, ଶକ୍ତି ଦକ୍ଷତା ଏବଂ ଅନ୍ୟାନ୍ୟ କମ୍-କାର୍ବନ ସମାଧାନରେ ମିଳିତ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ଆହ୍ୱାନ କରିଥିଲେ ଯାହା ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବାର କ୍ଷମତା ରଖିବ।

ରାଷ୍ଟ୍ରପତି ବୋରିକ୍ ଅନ୍ତର୍ଜାତୀୟ ସୌର ମଞ୍ଚ (ଆଇଏସ୍ଏ) ରେ ଭାରତର ନେତୃତ୍ୱକୁ ସ୍ୱାଗତ କରିଥିଲେ ଏବଂ ନଭେମ୍ବର ୨୦୨୩ ଠାରୁ ସଦସ୍ୟ ଭାବେ ଦୃଢ଼ ସମର୍ଥନକୁ ଦୋହରାଇଥିଲେ। ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ର ଲକ୍ଷ୍ୟ ହାସଲ କରିବା ଲାଗି ବ୍ୟବସ୍ଥା ଏବଂ ଭିତ୍ତିଭୂମିକୁ ସରଳ କରିବା ଉଦ୍ଦେଶ୍ୟରେ ଜାନୁଆରୀ ୨୦୨୧ରେ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ରେ ଚିଲି ସାମିଲ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ। ଏହାବ୍ୟତୀତ, ଲାଟିନ ଆମେରିକା ଏବଂ କାରିବିଆନ ପାଇଁ ଆଇଏସଏ ଆଞ୍ଚଳିକ କମିଟିର ୭ମ ବୈଠକ ଆୟୋଜନ କରିବା ଲାଗି ଚିଲିର ପ୍ରସ୍ତାବକୁ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଥିଲେ।

ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷଣ ସମାଧାନ, ଦକ୍ଷତା ବିକାଶ ଏବଂ ସଂସ୍ଥାଗତ କ୍ଷମତା ନିର୍ମାଣର ବର୍ଦ୍ଧିତ ଗୁରୁତ୍ୱକୁ ସ୍ୱୀକାର କରି ଭାରତ ଏବଂ ଚିଲି ଏହି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବିସ୍ତାର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଉଭୟ ଦେଶ ଏଡସିଆଇଏଲ (ଇଣ୍ଡିଆ) ଲିମିଟେଡ ଏବଂ ଚିଲିର ପ୍ରମୁଖ ଅନୁଷ୍ଠାନ, ଯଥା ଚିଲି ବିଶ୍ୱବିଦ୍ୟାଳୟଗୁଡ଼ିକର ରେକ୍ଟର ପରିଷଦ (ସିଆରୟୁସିଏଚ୍), ଚିଲିର ଶିକ୍ଷା ମନ୍ତ୍ରଣାଳୟ ଏବଂ ବୈଷୟିକ ତାଲିମ କେନ୍ଦ୍ର (ସିଏଫଟି) ମଧ୍ୟରେ ଭାଗିଦାରୀକୁ ସୁଗମ କରିବା ଲାଗି ସହମତ ହୋଇଛନ୍ତି, ଯାହାଦ୍ୱାରା ଡିଜିଟାଲ ଶିକ୍ଷା, ଗବେଷଣା ବିନିମୟ, ସ୍ମାର୍ଟ ଶିକ୍ଷା ଭିତ୍ତିଭୂମି ଏବଂ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇ ଶିକ୍ଷାରେ ନବସୃଜନ ଏବଂ ଜ୍ଞାନର ଆଦାନପ୍ରଦାନ ନିମନ୍ତେ ଉଭୟ ରାଷ୍ଟ୍ରର ସାମର୍ଥ୍ୟକୁ ଉପଯୋଗ କରାଯାଇପାରିବ।

ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅଧୀନରେ ଭାରତରେ ଶିକ୍ଷା କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଚିଲିର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତୀୟ ଅନୁଷ୍ଠାନଗୁଡ଼ିକ ସହିତ ଶିକ୍ଷା ଏବଂ ଗବେଷଣା ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ମିଳିତ/ଦ୍ୱୈତ ଡିଗ୍ରୀ ଏବଂ ଯୁଗ୍ମ ବ୍ୟବସ୍ଥା ମାଧ୍ୟମରେ ସଂସ୍ଥାଗତ ସଂଯୋଗ ନିର୍ମାଣ କରିବାକୁ ଉତ୍ସାହିତ କରିଥିଲେ। ଆଷ୍ଟ୍ରୋଲୋଜି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଷେତ୍ରରେ ଉଭୟ ଦେଶର ପାରସ୍ପରିକ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ଉଭୟ ନେତା ଏହି କ୍ଷେତ୍ରରେ ସଂସ୍ଥାଗତ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ସହମତ ହୋଇଥିଲେ। ଚିଲିର ଗୋଟିଏ ବିଶ୍ୱବିଦ୍ୟାଳୟରେ ଭାରତୀୟ ଅଧ୍ୟୟନ ଉପରେ ଆଇସିସିଆର୍ ଚେୟାର ପ୍ରତିଷ୍ଠା ପ୍ରସ୍ତାବକୁ ଦୁଇ ନେତା ସ୍ୱାଗତ କରିଥିଲେ ଏବଂ ଏହାର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ସମ୍ଭାବ୍ୟତାକୁ ଅନୁଧ୍ୟାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କୂଟନୀତି କ୍ଷେତ୍ରରେ ତାଲିମ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ଉଭୟ ନେତା ସ୍ୱାଗତ କରିଥିଲେ ଏବଂ ବୈଶ୍ୱିକ କୂଟନୈତିକ ପ୍ରୟାସ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଦ୍ୱାରା କୂଟନୀତିକୁ ଅଧିକ ଦକ୍ଷ କରିବା ସହିତ ଏହି କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବାର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।

ଦୁଇ ଦେଶର ଜନସାଧାରଣଙ୍କୁ ପରସ୍ପରର ନିକଟତର କରିବାରେ ସାଂସ୍କୃତିକ ସମ୍ପର୍କର ଭୂମିକାକୁ ଦୁଇ ନେତା ସ୍ୱୀକାର କରିଥିଲେ। ସେମାନେ ଭାରତ ଏବଂ ଚିଲିର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରଶଂସା କରିଥିଲେ। ଭାରତର ଲୋକପ୍ରିୟ ବିଦେଶୀ ଭାଷା ମଧ୍ୟରେ ସ୍ପାନିସ ଭାଷା ରହିଥିବା ବେଳେ ଉଭୟ ଦେଶର ସଂସ୍କୃତି ଏବଂ ଭାଷା ଅଧ୍ୟୟନ ପ୍ରତି ଆଗ୍ରହ ବୃଦ୍ଧି ପାଉଥିବା ନେଇ ନେତାମାନେ ପ୍ରଶଂସା କରିଥିଲେ। ଭାରତ-ଚିଲି ସାଂସ୍କୃତିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଏବଂ ଦୁଇ ଦେଶର ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗକୁ ନିବିଡ କରିବା ଲାଗି ସେମାନେ ପାରସ୍ପରିକ ସ୍ୱାର୍ଥ ଉପରେ ଗୁରୁତ୍ୱାରୋପ କରିଥିଲେ। ସଙ୍ଗୀତ, ନୃତ୍ୟ, ଥିଏଟର, ସାହିତ୍ୟ, ସଂଗ୍ରହାଳୟ ଏବଂ ପର୍ବପର୍ବାଣୀରେ ଦ୍ୱିପାକ୍ଷିକ ବିନିମୟକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ରାଜିନାମାକୁ ସେମାନେ ସ୍ୱାଗତ କରିଥିଲେ।

ସୀମା ଶୁଳ୍କ ପ୍ରସଙ୍ଗରେ ସହଯୋଗ ଏବଂ ପାରସ୍ପରିକ ସହାୟତା ଉପରେ ରାଜିନାମା ଚୂଡ଼ାନ୍ତ କରିବା ଦିଗରେ ହୋଇଥିବା ଅଗ୍ରଗତି ଉପରେ ଦୁଇ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ, ଯାହା ନିଶାଦ୍ରବ୍ୟ ଏବଂ ସାଇକୋଟ୍ରୋପିକ୍ ପଦାର୍ଥର ବେଆଇନ କାରବାରର ମୁକାବିଲା କରିବା ପାଇଁ ସମ୍ପୃକ୍ତ ଏଜେନ୍ସିମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ଏବଂ ସାଧାରଣତଃ ସୀମା ଶୁଳ୍କ ଆଇନର ଉଲ୍ଲଂଘନକୁ ଯାଞ୍ଚ, ପ୍ରତିରୋଧ ଏବଂ ଦମନ କରିବା ସହିତ ସର୍ବୋତ୍ତମ ଅଭ୍ୟାସ ଏବଂ ଦକ୍ଷତା ବିକାଶର ଆଦାନପ୍ରଦାନ କରିବ। ଭିନ୍ନକ୍ଷମ କ୍ଷେତ୍ରରେ ସହଯୋଗ ପାଇଁ ଏକ ରାଜିନାମା ସ୍ୱାକ୍ଷର କରିବା ଲାଗି ଉଭୟ ପକ୍ଷର ପ୍ରୟାସକୁ ମଧ୍ୟ ସେମାନେ ସ୍ୱାଗତ କରିଥିଲେ, ଯାହା ଏକ ଅଧିକ ମାନବୀୟ ଏବଂ ନ୍ୟାୟପୂର୍ଣ୍ଣ ସମାଜରେ ଯୋଗଦାନ କରିବ, ଯେଉଁଠି କେହି ପଛରେ ରହିବେ ନାହିଁ। ଏହି ଦସ୍ତାବିଜଗୁଡ଼ିକୁ ଯଥାଶୀଘ୍ର ଶେଷ କରିବାକୁ ଦୁଇ ନେତା ସେମାନଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ନିୟମିତ ଆଲୋଚନା ଜାରି ରଖିବାର ଗୁରୁତ୍ୱ ଉପରେ ଉଭୟ ନେତା ସହମତ ହୋଇଥିଲେ। ଦ୍ୱିପାକ୍ଷିକ ସମ୍ପର୍କର ବୈଶିଷ୍ଟ୍ୟ ଥିବା ସହଯୋଗ ଏବଂ ବୁଝାମଣାର ବନ୍ଧନକୁ ପ୍ରୋତ୍ସାହନ ଏବଂ ଆଗକୁ ବଢାଇବା ଲାଗି ସୁଯୋଗ ସୃଷ୍ଟି କରିବା ସକାଶେ ସେମାନେ ସେମାନଙ୍କର ଇଚ୍ଛାକୁ ଦୋହରାଇଥିଲେ।

ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଗସ୍ତ ସମୟରେ ତାଙ୍କୁ ଏବଂ ତାଙ୍କ ପ୍ରତିନିଧି ଦଳକୁ ଦିଆଯାଇଥିବା ଭବ୍ୟ ଆତିଥେୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଚିଲିକୁ ସରକାରୀ ଗସ୍ତରେ ଯିବାକୁ ନିମନ୍ତ୍ରଣ କରିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Very Proud': PM Modi Hails Mirabai Chanu, Rishikanta Singh For Clinching Medals In Commonwealth Game

Media Coverage

'Very Proud': PM Modi Hails Mirabai Chanu, Rishikanta Singh For Clinching Medals In Commonwealth Game
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets all CRPF personnel on their Raising Day
July 27, 2026

Prime Minister Shri Narendra Modi today extended his greetings to all CRPF personnel on their Raising Day. He stated that the CRPF has distinguished itself through its unwavering courage and commitment to duty.

Shri Modi noted that from safeguarding internal security to serving citizens during challenging situations, CRPF personnel have always placed the nation first. He highlighted that their efforts in eliminating the menace of Maoism are particularly notable and have contributed to peace and progress in the lives of several people.

In a post on X, the Prime Minister shared:

"Greetings to all CRPF personnel on their Raising Day. The CRPF has distinguished itself through its unwavering courage and commitment to duty. From safeguarding internal security to serving citizens during challenging situations, CRPF personnel have always placed the nation first. Their efforts in eliminating the menace of Maoism are particularly notable and have contributed to peace and progress in the lives of several people.

@crpfindia"