Crossing the milestone of 140 crore vaccine doses is every Indian’s achievement: PM
With self-awareness & self-discipline, we can guard ourselves from new corona variant: PM Modi
Mann Ki Baat: PM Modi pays tribute to Gen Bipin Rawat, his wife, Gp. Capt. Varun Singh & others who lost their lives in helicopter crash
Books not only impart knowledge but also enhance personality: PM Modi
World’s interest to know about Indian culture is growing: PM Modi
Everyone has an important role towards ‘Swachhata’, says PM Modi
Think big, dream big & work hard to make them come true: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏବେ ଆପଣମାନେ ନିଶ୍ଚୟ ୨୦୨୧କୁ ବିଦାୟ ଦେବା ଓ ୨୦୨୨କୁ ସ୍ୱାଗତ କରିବାର ପ୍ରସ୍ତୁତିରେ ଲାଗିଥିବେ । ନୂଆବର୍ଷରେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସଂସ୍ଥା, ଆଗାମୀ ବର୍ଷରେ କିଛି ଆହୁରି ଭଲ କରିବା, ଆହୁରି ଭଲ ହେବାର ସଂକଳ୍ପ ଗ୍ରହଣ କରିଥାନ୍ତି । ବିଗତ ସାତ ବର୍ଷରୁ ଆମର ଏହି ‘ମନ୍ କି ବାତ୍’ ମଧ୍ୟ ବ୍ୟକ୍ତିର, ସମାଜର, ଦେଶର ଭଲ କଥାଗୁଡ଼ିକୁ ଉଜାଗର କରି ଆହୁରି ଭଲ କରିବା, ଆହୁରି ଭଲ ହେବା ପାଇଁ ପ୍ରେରଣା ଯୋଗାଇଆସିଛି । ଏହି ସାତ ବର୍ଷରେ ‘ମନ୍ କି ବାତ୍’ କହିବା ଭିତରେ ମୁଁ ସରକାରଙ୍କ ଉପଲବ୍ଧିଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିପାରିଥାଆନ୍ତି । ଆପଣମାନଙ୍କୁ ମଧ୍ୟ ଭଲ ଲାଗିଥାଆନ୍ତା, ଆପଣମାନେ ମଧ୍ୟ ଏହାକୁ ପ୍ରଶଂସା କରିଥାଆନ୍ତେ । କିନ୍ତୁ ଏହା ମୋର ଅନେକ ଦଶନ୍ଧିର ଅନୁଭୂତି ଯେ, ଗଣମାଧ୍ୟମର ଚାକଚକ୍ୟଠାରୁ ଦୂରରେ, ଖବରକାଗଜର ଶିରୋନାମାଠାରୁ ଦୂରରେ, କୋଟି କୋଟି ଲୋକ ଅଛନ୍ତି, ଯେଉଁମାନେ ଅନେକ ଭଲ କାମ କରୁଛନ୍ତି । ସେମାନେ ଦେଶର ଭବିଷ୍ୟତ ପାଇଁ ନିଜର ବର୍ତ୍ତମାନକୁ ବିନିଯୋଗ କରୁଛନ୍ତି । ସେମାନେ ଦେଶର ଆଗାମୀ ପିଢ଼ିମାନଙ୍କ ପାଇଁ ନିଜର ପ୍ରଚେଷ୍ଟାରେ ଆଜି ମନ-ପ୍ରାଣ ଦେଇ ଲାଗିଛନ୍ତି । ଏଭଳି ଲୋକଙ୍କ କଥା ବହୁତ ଶାନ୍ତି ପ୍ରଦାନ କରିଥାଏ, ଗଭୀର ପ୍ରେରଣା ଦେଇଥାଏ । ମୋ ପାଇଁ ‘ମନ୍ କି ବାତ୍’ ସବୁବେଳେ ଏଭଳି ଲୋକଙ୍କ ପ୍ରଚେଷ୍ଟାରେ ପରିପୂର୍ଣ୍ଣ, ପ୍ରସ୍ଫୁଟିତ, ସୁସଜ୍ଜିତ, ଗୋଟିଏ ସୁନ୍ଦର ଉପବନ । ‘ମନ୍ କି ବାତ୍’ରେ ପ୍ରତି ମାସ ମୋର ପ୍ରଚେଷ୍ଟା ରହିଥାଏ ଯେ, ଏଥର ଫୁଲର କେଉଁ ପାଖୁଡ଼ାଟିକୁ ଆପଣଙ୍କ ପାଇଁ ଧରି ଆସିବି । ଆମର ବହୁରତ୍ନା ବସୁନ୍ଧରାର ପୂଣ୍ୟକାର୍ଯ୍ୟର ଅବିରତ ପ୍ରବାହ ନିରନ୍ତର ଭାବେ ବହିଚାଲିଥାଏ । ଆଜି ଯେତେବେଳେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଆମର ଯେଉଁ ଜନଶକ୍ତି ରହିଛି, ପ୍ରତ୍ୟେକ ବ୍ୟକ୍ତିର ଶକ୍ତି ରହିଛି – ତାହାର ଉଲ୍ଲେଖ, ତା’ର ପ୍ରୟାସ, ତା’ର ପରିଶ୍ରମ, ଭାରତ ଏବଂ ମାନବ ଜାତିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଏକ ପ୍ରକାର ଗ୍ୟାରେଣ୍ଟି ଦେଉଛି ।

ବନ୍ଧୁଗଣ, ଏହା ଜନଶକ୍ତିର ହିଁ ବଳ, ସମସ୍ତଙ୍କ ପ୍ରଚେଷ୍ଟାର ଫଳ ଯେ ଭାରତ ୧୦୦ ବର୍ଷରେ ଆସିଥିବା ସବୁଠାରୁ ବଡ଼ ମହାମାରୀର ମୁକାବିଲା କରିପାରିଲା । ଆମେ ପ୍ରତିଟି ଅସୁବିଧା ସମୟରେ ପରସ୍ପର ସହ ଗୋଟିଏ ପରିବାର ଭଳି ଉପସ୍ଥିତ ରହିଲୁ । ଯାହାଦ୍ୱାରା ଯେତିକି ସମ୍ଭବ, ତା’ଠାରୁ ସେମାନେ ନିଜ ସାହି କିମ୍ବା ସହରରେ କାହାକୁ ସାହାଯ୍ୟ କରିବା ପାଇଁ ଅଧିକ ଚେଷ୍ଟା କଲେ । ଆଜି ବିଶ୍ୱରେ ଟିକା ଦିଆଯିବାର ଯେଉଁ ପରିସଂଖ୍ୟାନ ଅଛି, ଯଦି ତା’ର ତୁଳନା ଭାରତ ସହ କରାଯାଏ, ତେବେ ଲାଗେ ଯେ ଦେଶ କେତେ ଅଭୁତପୂର୍ବ କାର୍ଯ୍ୟ କରିଛି ! କେତେ ବଡ଼ ଲକ୍ଷ୍ୟ ହାସଲ କରିଛି! ଟିକାର ୧୪୦ କୋଟି ଡୋଜ୍ ଲକ୍ଷ୍ୟକୁ ପାରି କରିବା, ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଏକ ଗୌରବର ବିଷୟ । ଏହା ବ୍ୟବସ୍ଥା ଉପରେ, ବିଜ୍ଞାନ ଉପରେ, ବୈଜ୍ଞାନିକମାନଙ୍କ ଉପରେ ପ୍ରତ୍ୟେକ ଭାରତବାସୀଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ଏବଂ ଏହା ହେଉଛି ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ ପାଇଁ ପ୍ରତ୍ୟେକ ଭାରତବାସୀର ଇଚ୍ଛାଶକ୍ତିର ପ୍ରମାଣ । କିନ୍ତୁ, ବନ୍ଧୁଗଣ, ଆମକୁ ଏ କଥା ପ୍ରତି ମଧ୍ୟ ନଜର ରଖିବାକୁ ପଡ଼ିବ ଯେ, କରୋନାର ଗୋଟିଏ ନୂଆ ଭାରିଏଣ୍ଟ, ଆମ ଦ୍ୱାରଦେଶରେ ଉପନୀତ । ଗତ ଦୁଇବର୍ଷର ଆମର ଅନୁଭୂତି ଦର୍ଶାଉଛି ଯେ, ଏହି ବିଶ୍ୱବ୍ୟାପୀ ମହାମାରୀକୁ ପ୍ରତିହତ କରିବା ପାଇଁ ଜଣେ ନାଗରିକ ଭାବେ ଆମ ନିଜର ପ୍ରଚେଷ୍ଟା ଖୁବ ଗୁରୁତ୍ୱପୂର୍ଣ୍ଣ । ଏହି ଯେଉଁ ନୂଆ ଓମିକ୍ରନ୍ ଭାରିଏଣ୍ଟ ଆସିଛି, ଆମ ବୈଜ୍ଞାନିକମାନେ ତା’ ଉପରେ ନିରନ୍ତର ଭାବେ ଗବେଷଣା ଚଳାଇଛନ୍ତି । ପ୍ରତ୍ୟେକ ଦିନ ସେମାନଙ୍କୁ ନୂଆ ନୂଆ ତଥ୍ୟ ମିଳୁଛି । ସେମାନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରାଯାଉଛି । ଏଭଳି ପରିସ୍ଥିତିରେ ନିଜର ସଚେତନତା, ନିଜର ଶୃଙ୍ଖଳା କରୋନାର ଏହି ଭାରିଏଣ୍ଟ ବିରୁଦ୍ଧରେ ଦେଶର ବହୁତ ବଡ଼ ଶକ୍ତି । ଆମର ମିଳିତ ଶକ୍ତି ହିଁ କରୋନାକୁ ପରାଜିତ କରିବ, ଏହି ଦାୟିତ୍ୱବୋଧ ସହ ଆମକୁ ୨୦୨୨ରେ ପ୍ରବେଶ କରିବାକୁ ହେବ ।

ମୋର ପ୍ରିୟ ଦେଶବାସୀଗଣ, ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ - ନଭଃ ସ୍ପୃଶଂ ଦୀପ୍ତମ୍ ଅର୍ଥାତ ଗର୍ବର ସହ ଗଗନକୁ ସ୍ପର୍ଶ କରିବା । ଏହା ମଧ୍ୟ ଭାରତୀୟ ବାୟୁସେନାର ଆଦର୍ଶ ବାକ୍ୟ । ଭାରତମାତାର ସେବାରେ ଲାଗିଥିବା ଅନେକ ଜୀବନ ଆକାଶର ଏହି ଶିଖରକୁ ପ୍ରତ୍ୟହ ଗର୍ବର ସହ ସ୍ପର୍ଶ କରନ୍ତି, ଆମକୁ ବହୁତ କିଛି ଶିଖାନ୍ତି । କିଛି ଏଭଳି ଥିଲା ଗୃପ୍ କ୍ୟାପ୍ଟେନ୍ ବରୁଣ ସିଂଙ୍କ ଜୀବନ । ବରୁଣ ସିଂ ସେହି ହେଲିକପ୍ଟରକୁ ଉଡ଼ାଉଥିଲେ, ଯାହା ଚଳିତ ମାସ ତାମିଲନାଡ଼ୁରେ ଦୁର୍ଘଟଣାଗ୍ରସ୍ତ ହୋଇଗଲା । ସେହି ଦୁର୍ଘଟଣାରେ ଆମେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ୍ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସହ ଅନେକ ବୀରଙ୍କୁ ହରାଇଲୁ । ବରୁଣ ସିଂ ମଧ୍ୟ ଅନେକ ଦିନ ସାହସର ସହିତ ମୃତ୍ୟୁ ସହ ସଂଗ୍ରାମ କଲେ । କିନ୍ତୁ ଶେଷରେ ସେ ମଧ୍ୟ ଆମକୁ ଛାଡ଼ି ଚାଲିଗଲେ । ବରୁଣ ଯେତେବେଳେ ଡାକ୍ତରଖାନାରେ ଥିଲେ, ସେତେବେଳେ ମୁଁ ଗଣମାଧ୍ୟମରେ ଏଭଳି କିଛି ଦେଖିଲି, ଯାହା ମୋ ହୃଦୟକୁ ଛୁଇଁଗଲା । ଏହି ବର୍ଷ ଅଗଷ୍ଟ ମାସରେ ହିଁ ତାଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ପାଇବା ପରେ ସେ ନିଜ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଗୋଟିଏ ପତ୍ର ଲେଖିଥିଲେ । ଏହି ଚିଠିଟି ପଢ଼ି ମୋ ମନରେ ପ୍ରଥମେ ସେହି କଥା ହିଁ ଉଠିଲା ଯେ, ସଫଳତାର ଶୀର୍ଷରେ ପହଂଚିବା ପରେ ମଧ୍ୟ ସେ ନିଜ ମୂଳକୁ ସିଂଚନ କରିବା ଭୁଲିନାହାନ୍ତି । ଦ୍ୱିତୀୟରେ, ଯେତେବେଳେ ତାଙ୍କର ସେଲିବ୍ରେଟ କରିବାର ସମୟ ଥିଲା, ସେତେବେଳେ ସେ ଆଗାମୀ ପିଢ଼ିମାନଙ୍କ ବିଷୟରେ ଚିନ୍ତା କଲେ । ତାଙ୍କର ଇଚ୍ଛା ଥିଲା ଯେ, ଯେଉଁ ବିଦ୍ୟାଳୟରେ ସେ ପାଠ ପଢ଼ିଛନ୍ତି, ସେଠାକାର ଛାତ୍ରଛାତ୍ରୀମାନଙ୍କ ଜୀବନ ମଧ୍ୟ ଏକ ସେଲିବ୍ରେସନ୍ ହେଉ । ନିଜ ଚିଠିରେ ବରୁଣ ସିଂ ନିଜ ପରାକ୍ରମର ପ୍ରଶଂସା କରି ନ ଥିଲେ ବରଂ ନିଜର ଅସଫଳତା ବିଷୟରେ ଲେଖିଥିଲେ । କିଭଳି ସେ ନିଜର ଦୁର୍ବଳତାଗୁଡ଼ିକୁ ନିଜର ଯୋଗ୍ୟତାରେ ପରିଣତ କଲେ ସେ ବିଷୟରେ ଲେଖିଥିଲେ । ସେହି ଚିଠିରେ ଗୋଟିଏ ଜାଗାରେ ସେ ଲେଖିଛନ୍ତି - ଜଣେ ମଧ୍ୟମ ଧରଣର ଛାତ୍ର ହେବା ଭଲ । ବିଦ୍ୟାଳୟରେ ପ୍ରତ୍ୟେକ ଛାତ୍ର ଉତ୍ତମ ପାଠ ପଢ଼ିପାରିବେନି କିମ୍ବା ୯୦ ପ୍ରତିଶତ ମାର୍କ ରଖିପାରିବେନି । ଯଦି ତୁମେ ଏହା କରିପାରୁଛ, ତେବେ ତାହା ଗୋଟିଏ ବଡ଼ ଉପଲବ୍ଧି ଏବଂ ଏହାର ପ୍ରଶଂସା କରାଯିବା ଉଚିତ । ଯଦି ତୁମେ ଏହା ନ କରୁଛ, ତେବେ ଭାବନି ଯେ ତୁମେ ମଧ୍ୟମ ଧରଣର ଛାତ୍ର ହେବା ପାଇଁ ଉଦ୍ଦିଷ୍ଟ । ବିଦ୍ୟାଳୟରେ ତୁମେ ଜଣେ ମଧ୍ୟମ ଧରଣର ଛାତ୍ର ହୋଇପାର, କିନ୍ତୁ ଏହା କଦାପି ତୁମ ଭବିଷ୍ୟତ ଜୀବନର ମାପକାଠି ନୁହେଁ । ନିଜକୁ କ’ଣ ଭଲ ଲାଗେ ତାହା ଅନୁଧ୍ୟାନ କର । ତାହା ଚିତ୍ରକଳା, ସଙ୍ଗୀତ, ଗ୍ରାଫିକ ଡିଜାଇନ, ସାହିତ୍ୟ କିଛି ବି ହୋଇପାରେ । ତୁମେ ଯାହା ବି କରୁଛ, ତାହା ସମର୍ପିତ ଭାବରେ କର ଏବଂ ସେଥିରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କର । ନକାରାତ୍ମକ ଚିନ୍ତା କେବେହେଲେ କରନି । ସର୍ବଦା ଚିନ୍ତା କର ଯେ, ମୁଁ ଆହୁରି ଭଲ କରିପାରିଥାଆନ୍ତି ।

ବନ୍ଧୁଗଣ, ସାଧାରଣରୁ ଅସାଧାରଣ ହେବାର ଯେଉଁ ମନ୍ତ୍ର ସେ ଦେଇଛନ୍ତି, ତାହା ମଧ୍ୟ ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ । ଏହି ଚିଠିରେ ହିଁ ବରୁଣ ସିଂ ଲେଖିଛନ୍ତି –

କେବେ ହେଲେ ନିରାଶ ହୁଅନି । ଯାହା ହେବାକୁ ଚାହୁଁଛ, ସେଥିରେ ଶ୍ରେଷ୍ଠ ହୋଇପାରିବନି ବୋଲି ଭାବନି । ଏହା ସହଜସାଧ୍ୟ ହେବନି, ଏଥିପାଇଁ ସମୟ ଦେବାକୁ ପଡ଼ିବ, ନିଜର ଆରାମକୁ ତ୍ୟାଗ କରିବାକୁ ପଡ଼ିବ । ମୁଁ ଜଣେ ମଧ୍ୟମ ଧରଣର ଛାତ୍ର ଥିଲି, କିନ୍ତୁ ଆଜି ମୁଁ ମୋ କ୍ୟାରିଅରରେ କଷ୍ଟସାଧ୍ୟ ଲକ୍ଷ୍ୟକୁ ହାସଲ କରିପାରିଛି । ଏଭଳି ଚିନ୍ତା କରନି ଯେ, ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ରଖିଥିବା ନମ୍ବର ତୁମେ ଜୀବନରେ ହାସଲ କରିବାକୁ ଥିବା ଉପଲବ୍ଧି ପାଇଁ ଯୋଗ୍ୟତା ସ୍ଥିର କରିବ । ନିଜ ଉପରେ ବିଶ୍ୱାସ ରଖ ଏବଂ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ କରିଚାଲ ।

ବରୁଣ ଲେଖିଥିଲେ ଯେ, ସେ ଯଦି ଜଣେ ହେଲେ ଛାତ୍ରକୁ ପ୍ରେରିତ କରିପାରୁଛନ୍ତି ତାହେଲେ ତାଙ୍କ ପାଇଁ ତାହା ହେବ ଗୋଟିଏ ବହୁତ ବଡ଼ ଆତ୍ମସନ୍ତୋଷ । କିନ୍ତୁ ଆଜି ମୁଁ କହିବାକୁ ଚାହୁଁଛି ଯେ, ସେ ସାରା ଦେଶକୁ ପ୍ରେରଣା ଯୋଗାଇଛନ୍ତି । ତାଙ୍କ ଚିଠିଟି କେବଳ ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଉ, କିନ୍ତୁ ସେ ଆମ ସମ୍ପୂର୍ଣ୍ଣ ସମାଜକୁ ଗୋଟିଏ ବାର୍ତ୍ତା ଦେଇଛନ୍ତି ।

ବନ୍ଧୁଗଣ, ପ୍ରତିବର୍ଷ ମୁଁ ଏହିଭଳି ବିଷୟଗୁଡ଼ିକ ଉପରେ ହିଁ ଛାତ୍ରଛାତ୍ରୀମାନଙ୍କ ସହିତ ‘ପରୀକ୍ଷା ପର୍ ଚର୍ଚ୍ଚା’ କାର୍ଯ୍ୟକ୍ରମଟି କରିଥାଏ । ଚଳିତ ବର୍ଷ ମଧ୍ୟ ପରୀକ୍ଷା ପୂର୍ବରୁ ମୁଁ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ଯୋଜନା କରୁଛି । ସେହି କାର୍ଯ୍ୟକ୍ରମ ପାଇଁ ଦୁଇ ଦିନ ପରେ ଅର୍ଥାତ ଡିସେମ୍ବର ୨୮ ତାରିଖରୁ MyGov.inରେ ପଞ୍ଜିକରଣ ଆରମ୍ଭ ହେବାକୁ ଯାଉଛି । ଏହି ପଞ୍ଜିକରଣ ଡିସେମ୍ବର ୨୮ ତାରିଖରୁ ଜାନୁଆରୀ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ପାଇଁ ଅନଲାଇନ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ । ମୁଁ ଚାହୁଁଛି ଯେ, ଆପଣମାନେ ସମସ୍ତେ ଏଥିରେ ନିଶ୍ଚୟ ଅଂଶଗ୍ରହଣ କରନ୍ତୁ । ଆପଣଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ମିଳିବ । ଆମେ ସମସ୍ତେ ମିଶି ପରୀକ୍ଷା, କ୍ୟାରିଅର, ସଫଳତା ଓ ଶିକ୍ଷାର୍ଥୀ ଜୀବନ ସହ ଜଡ଼ିତ ଅନେକ ଦିଗ ଉପରେ ଆଲୋଚନା କରିବା ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଏଥର ମୁଁ ଆପଣମାନଙ୍କୁ କିଛି ଶୁଣାଇବାକୁ ଚାହୁଁଛି, ଯାହା ସୀମା ସେପାରିର ଦୂର ଇଲାକାରୁ ଆସିଛି । ଏହା ଆପଣଙ୍କୁ ଆନନ୍ଦିତ କରିବା ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିବ ।

ବନ୍ଦେ ମାତରମ୍ । ବନ୍ଦେ ମାତରମ୍ ।

ସୁଜଳାଂ ସୁଫଳାଂ ମଳୟଜଶୀତଳାମ୍

ଶସ୍ୟଶ୍ୟାମଳାମ୍ ମାତରମ୍ । ବନ୍ଦେ ମାତରମ୍ . . .

ଶୁଭ୍ରଜ୍ୟୋତ୍ସ୍ନାପୁଲକିତଯାମିନିଂ

ଫୁଲ୍ଲକୁସୁମିତଦୃମଦଳଶୋଭିନିଂ

ସୁହାସିନିଂ ସୁମଧୁର ଭାଷିଣିଂ

ସୁଖଦାଂ ବରଦାଂ ମାତରମ୍ । ।୧ । ।

ବନ୍ଦେ ମାତରମ୍ । ବନ୍ଦେ ମାତରମ୍ ।

ଏହା ଶୁଣି ଆପଣଙ୍କୁ ଖୁବ ଭଲ ଲାଗିଥିବ, ଆପଣ ବି ଗର୍ବ ଅନୁଭବ କରିଥିବେ । ବନ୍ଦେ ମାତରମର ଯେଉଁ ଭାବନା ନିହିତ ରହିଛି ତାହା ଆମକୁ ଗର୍ବ ଏବଂ ଉତ୍ସାହରେ ଭରିଦିଏ ।

ବନ୍ଧୁଗଣ, ଆପଣମାନେ ନିଶ୍ଚୟ ଭାବୁଥିବେ ଯେ, ଏହି ସୁନ୍ଦର ଭିଡ଼ିଓଟି କେଉଁଠିକାର, କେଉଁ ଦେଶରୁ ଆସିଛି ? ଏହାର ଉତ୍ତର ଆପଣମାନଙ୍କୁ ଆହୁରି ଆଶ୍ଚର୍ଯ୍ୟାନ୍ୱିତ କରିବ । ବନ୍ଦେ ମାତରମ୍ ଉପସ୍ଥାପିତ କରୁଥିବା ଏହି ଛାତ୍ରମାନେ ହେଉଛନ୍ତି ଗ୍ରୀସ ଦେଶର । ସେମାନେ ସେଠାରେ ଇଲିୟାର ହାଇସ୍କୁଲରେ ପାଠ ପଢ଼ୁଛନ୍ତି । ସେମାନେ ଯେତେ ସୁନ୍ଦର ଢଙ୍ଗରେ ଏବଂ ଭାବ ସହ ବନ୍ଦେ ମାତରମ୍ ର ଉପସ୍ଥାପନା କରିଛନ୍ତି ତାହା ଚମତ୍କାର ଏବଂ ପ୍ରଶଂସନୀୟ । ଏଭଳି ପ୍ରୟାସ ହିଁ ଦୁଇ ଦେଶର ଲୋକଙ୍କୁ ଆହୁରି ନିକଟତର କରିଥାଆନ୍ତି । ଗ୍ରୀସର ଏହି ଛାତ୍ରଛାତ୍ରୀମାନଙ୍କୁ ଏବଂ ତାଙ୍କ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଉଛି । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସେମାନେ କରିଥିବା ପ୍ରୟାସକୁ ମୁଁ ପ୍ରଶଂସା କରୁଛି ।

ବନ୍ଧୁଗଣ, ଲକ୍ଷ୍ମୌର ବାସିନ୍ଦା ନିଲେଶଙ୍କ ଗୋଟିଏ ପୋଷ୍ଟ ବିଷୟରେ ମଧ୍ୟ ଆଲୋଚନା କରିବାକୁ ଚାହୁଁଛି । ନିଲେଶ ଲକ୍ଷ୍ମୌରେ ଆୟୋଜିତ ଗୋଟିଏ ନିଆରା ଡ୍ରୋନ୍ ଶୋ’ ର ବହୁତ ପ୍ରଶଂସା କରିଛନ୍ତି । ଲକ୍ଷ୍ମୌର ରେସିଡେନ୍ସି ଅଂଚଳରେ ଏହି ଡ୍ରୋନ୍ ଶୋ’ର ଆୟୋଜନ କରାଯାଇଥିଲା । ୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମର ସାକ୍ଷ୍ୟ ଆଜି ମଧ୍ୟ ରେସିଡେନ୍ସିର ପ୍ରାଚୀରମାନଙ୍କ ଉପରେ ଦୃଷ୍ଟିଗୋଚର ହୋଇଥାଏ । ରେସିଡେନ୍ସିରେ ହୋଇଥିବା ଏହି ଡ୍ରୋନ ଶୋ’ରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ ଦିଗକୁ ଜୀବନ୍ତ ଭାବେ ଉପସ୍ଥାପିତ କରାଯାଇଥିଲା ।

ଚୌରୀ-ଚୌରା ଅନ୍ଦୋଳନ ହେଉ କିମ୍ବା କାକୋରୀ ଟ୍ରେନ୍ ଘଟଣା ହେଉ କିମ୍ବା ନେତାଜୀ ସୁବାସଙ୍କ ଅଦମ୍ୟ ସାହସ ବା ପରାକ୍ରମ ହେଉ, ସେହି ଡ୍ରୋନ୍ ଶୋ’ ସମସ୍ତଙ୍କ ହୃଦୟ ଜିତିପାରିଥିଲା । ଆପଣମାନେ ମଧ୍ୟ ଏହିପରି ନିଜ ସହରର, ଗାଁମାନଙ୍କର ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ନିଆରା ଦିଗଗୁଡ଼ିକୁ ଲୋକଲୋଚନକୁ ଆଣିପାରନ୍ତି । ସେଥିରେ ଟେକ୍ନୋଲୋଜିର ସହାୟତା ମଧ୍ୟ ନେଇପାରନ୍ତି । ସ୍ୱାଧୀନତାର ଅମୃତ ମହୋତ୍ସବ ଆମକୁ ସ୍ୱାଧୀନତା ସଂଗ୍ରାମର ସ୍ମୃତିଗୁଡ଼ିକୁ ସତେଜ କରିବାର ସୁଯୋଗ ଦେଉଛି । ଏହାର ଅନୁଭୂତି ଲାଭ କରିବାର ସୁଯୋଗ ପ୍ରଦାନ କରୁଛି । ଏହା ଦେଶ ପାଇଁ ନୂତନ ସଂକଳ୍ପ ନେବାର, କିଛି କରିଯିବାର ଇଚ୍ଛାଶକ୍ତି ପ୍ରଦର୍ଶନ କରିବାର ପ୍ରେରଣାଦାୟୀ ଉତ୍ସବ, ପ୍ରେରଣାଦାୟୀ ମୁହୂର୍ତ୍ତ । ଆସନ୍ତୁ, ସ୍ୱାଧୀନତା ସଂଗ୍ରାମର ମହାନ ସଂଗ୍ରାମୀମାନଙ୍କ ଜୀବନରୁ ପ୍ରେରଣା ଲାଭ କରିଚାଲିବା, ଦେଶ ପାଇଁ ନିଜ ପ୍ରଚେଷ୍ଟାକୁ ଆହୁରି ସୁଦୃଢ଼ କରିଚାଲିବା ।

ମୋର ପ୍ରିୟ ଦେଶବାସୀଗଣ, ଆମ ଭାରତ ଅନେକ ଅସାଧାରଣ ପ୍ରତିଭାରେ ପରିପୂର୍ଣ୍ଣ, ଯାହାଙ୍କର କୃତିତ୍ୱ ଅନ୍ୟମାନଙ୍କୁ ମଧ୍ୟ କିଛି କରିବା ପାଇଁ ପ୍ରେରଣା ଦେଇଥାଏ । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ତେଲେଙ୍ଗାନାର ଡା. କୁରେଲା ୱିଟଠଲାଚାର୍ଯ୍ୟ । ତାଙ୍କ ବୟସ ୮୪ ବର୍ଷ । ଯେତେବେଳେ ନିଜ ସ୍ୱପ୍ନ ପୂର୍ତ୍ତିର ପ୍ରଶ୍ନ ଉଠେ ସେତେବେଳେ ବୟସ କୌଣସି ଗୁରୁତ୍ୱ ବହନ କରେନି, ୱିଟଠଲାଚାର୍ଯ୍ୟ ହେଉଛନ୍ତି ଏହାର ଗୋଟିଏ ଉଦାହରଣ । ବନ୍ଧୁଗଣ, ଗୋଟିଏ ବଡ଼ ପାଠାଗାର ପ୍ରତିଷ୍ଠା କରିବା ପାଇଁ ୱିଟଠଲାଚାର୍ଯ୍ୟଙ୍କର ପିଲାଦିନୁ ଇଚ୍ଛା ଥିଲା । ଦେଶ ସେତେବେଳେ ପରାଧୀନ ଥିଲା । ପରିସ୍ଥିତି ଏଭଳି ଥିଲା ଯେ, ତାଙ୍କର ପିଲାଦିନର ସେହି ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଯାଇଥିଲା । ସମୟ ସହ ୱିଟଠଲାଚାର୍ଯ୍ୟ ଅଧ୍ୟାପକ ହେଲେ । ସେ ତେଲୁଗୁ ଭାଷାର ଗଭୀର ଅଧ୍ୟୟନ କଲେ ଏବଂ ସେହି ଭାଷାରେ ହିଁ ଅନେକ ସାହିତ୍ୟିକ କୃତି ସୃଷ୍ଟି କଲେ । ୬-୭ ବର୍ଷ ପୂର୍ବେ ସେ ପୁଣିଥରେ ନିଜର ସେହି ସ୍ୱପ୍ନକୁ ସାକାର କରିବାରେ ଲାଗିପଡ଼ିଲେ । ସେ ନିଜ ବହିରୁ ହିଁ ପାଠାଗାରର ଶୁଭାରମ୍ଭ କଲେ । ନିଜର ସାରା ଜୀବନର ଉପାର୍ଜିତ ଧନକୁ ସେଥିରେ ଲଗାଇଦେଲେ । ଧିରେ ଧିରେ ଲୋକ ଏହା ସହ ସଂଶ୍ଳିଷ୍ଟ ହୋଇ ଚାଲିଲେ ଏବଂ ଯୋଗଦାନ କଲେ । ୟଦାଦ୍ରି-ଭୁବନାଗିରି ଜିଲ୍ଲାର ରମନ୍ନାପେଟ୍ ମଣ୍ଡଳର ଏହି ପାଠାଗାରରେ ଏବେ ପ୍ରାୟଃ ଦୁଇ ଲକ୍ଷ ବହି ରହିଛି । ୱିଟଠଲାଚାର୍ଯ୍ୟ କହନ୍ତି ଯେ, ପାଠପଢ଼ା ସମୟରେ ତାଙ୍କୁ ଯେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ତାହା ଯେମିତି ଅନ୍ୟ କାହାକୁ ହେବାକୁ ନ ପଡ଼େ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନଙ୍କୁ ଏହାର ଲାଭ ମିଳୁଥିବା ଦେଖି ଆଜି ତାଙ୍କୁ ବହୁତ ଖୁସି ଲାଗୁଛି । ତାଙ୍କ ଉଦ୍ୟମରୁ ପ୍ରେରିତ ହୋଇ ଅନେକ ଗାଁର ଲୋକ ମଧ୍ୟ ପାଠାଗାର ପ୍ରତିଷ୍ଠା ପାଇଁ ଲାଗିଛନ୍ତି ।

ବନ୍ଧୁଗଣ, ପୁସ୍ତକ କେବଳ ଜ୍ଞାନ ଦିଏ ନାହିଁ, ବରଂ ବ୍ୟକ୍ତିତ୍ୱରେ ସଂସ୍କାର ଆଣେ, ଜୀବନକୁ ମଧ୍ୟ ଗଢ଼େ । ବହି ପଢ଼ିବାର ଆଗ୍ରହ ଏକ ଅଦ୍ଭୁତ ସନ୍ତୋଷ ଦିଏ । ଆଜିକାଲି ମୁଁ ଦେଖୁଛି ଯେ ଲୋକେ ବହୁତ ଗର୍ବର ସହ କହୁଛନ୍ତି ଏ ବର୍ଷ ମୁଁ ଏତିକି ବହି ପଢ଼ିଛି । ଆଗକୁ ମୋର ଏସବୁ ବହି ପଢ଼ିବାର ଅଛି । ଏହା ଏକ ଉତ୍ତମ ଧାରା, ଯାହାକୁ ଆହୁରି ବଢ଼ାଇବା ଉଚିତ । ମୁଁ ମଧ୍ୟ ‘ମନ୍ କୀ ବାତ୍’ର ଶ୍ରୋତାମାନଙ୍କୁ କହିବି ଯେ ଏ ବର୍ଷ ଆପଣଙ୍କ ମନପସନ୍ଦର ପାଂଚଟି ପୁସ୍ତକ ବିଷୟରେ ମୋତେ ଜଣାନ୍ତୁ । ଏହିପରି ଭାବେ ଆପଣ ୨୦୨୨ରେ ଅନ୍ୟ ପାଠକଙ୍କୁ ଭଲ ପୁସ୍ତକ ବାଛିବାରେ ମଧ୍ୟ ସାହାଯ୍ୟ କରିପାରିବେ । ଯେଉଁ ସମୟରେ ଆମର ସ୍କ୍ରିନ୍ ଟାଇମ୍ ବଢ଼ୁଛି, ସେତେବେଳେ ପୁସ୍ତକ ପଠନକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି ପ୍ରୟାସ କରିବାକୁ ପଡ଼ିବ ।

ମୋର ପ୍ରିୟ ଦେଶବାସୀଗଣ, ନିକଟରେ ଏକ ମଜାଦାର ପ୍ରୟାସ ଆଡ଼କୁ ମୋର ଦୃଷ୍ଟି ପଡ଼ିଲା । ଏହା ଆମର ପ୍ରାଚୀନ ଗ୍ରନ୍ଥ ଏବଂ ସାଂସ୍କୃତିକ ମୂଲ୍ୟବୋଧଗୁଡ଼ିକୁ କେବଳ ଭାରତରେ ନୁହେଁ, ବରଂ ସମଗ୍ର ପୃଥିବୀରେ ଲୋକପ୍ରିୟ କରିବାର ପ୍ରଚେଷ୍ଟା । ପୁଣେରେ ଭଣ୍ଡାରକର ପ୍ରାଚ୍ୟ ଗବେଷଣା ପ୍ରତିଷ୍ଠାନ ନାମକ ଏକ କେନ୍ଦ୍ର ରହିଛି । ଏହି ସଂସ୍ଥା ଅନ୍ୟ ଦେଶର ଲୋକଙ୍କୁ ମହାଭାରତର ମହତ୍ୱ ସହିତ ପରିଚିତ କରାଇବା ପାଇଁ ଅନଲାଇନ୍ କୋର୍ସ ଆରମ୍ଭ କରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କୋର୍ସ ଏବେ ହିଁ ଆରମ୍ଭ ହୋଇଛି; କିନ୍ତୁ ଏଥିରେ ଯେଉଁ ବିଷୟ ପଢ଼ାଯାଏ ତାକୁ ପ୍ରସ୍ତୁତ କରିବା ଆରମ୍ଭ ହୋଇଥିଲା ଶତାଧିକ ବର୍ଷ ପୂର୍ବରୁ । ଯେତେବେଳେ ଏହି ସଂସ୍ଥା ଏଥିସହ ସମ୍ପୃକ୍ତ କୋର୍ସ ଆରମ୍ଭ କଲା, ଲୋକେ ଖୁବ୍ ଭଲଭାବେ ଗ୍ରହଣ କଲେ । ମୁଁ ଏହି ଚମତ୍କାର ଉଦ୍ୟମ କଥା ଏଇଥିପାଇଁ ଚର୍ଚା କରୁଛି, ଯେପରିକି ଲୋକେ ଜାଣନ୍ତୁ ଯେ ଆମ ପରମ୍ପରାର ବିଭିନ୍ନ ବିଷୟକୁ କେଉଁଭଳି ଭାବେ ଆଧୁନିକ ଶୈଳୀରେ ପ୍ରସ୍ତୁତ କରାଯାଉଛି । ସାତଦରିଆ ସେପାରିରେ ଥିବା ଲୋକଙ୍କ ନିକଟରେ ଏହାର ଲାଭ କିଭଳି ପହଂଚୁଛି, ସେଥିପାଇଁ ମଧ୍ୟ ସୃଜନଶୀଳ ଉପାୟ ଗ୍ରହଣ କରାଯାଇଛି ।

ବନ୍ଧୁଗଣ, ଆଜି ସମଗ୍ର ପୃଥିବୀରେ ଭାରତୀୟ ସଂସ୍କୃତି ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ବଢ଼ୁଛି । ଭିନ୍ନ ଭିନ୍ନ ଦେଶର ଲୋକ କେବଳ ଆମ ସଂସ୍କୃତି ବିଷୟରେ ଜାଣିବାକୁ ଉତ୍ସୁକ ହେଉନାହାନ୍ତି, ବରଂ ତା’ର ଅଭିବୃଦ୍ଧିରେ ମଧ୍ୟ ଯୋଗଦାନ ଦେଉଛନ୍ତି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ସର୍ବିଆର ଗବେଷକ ଡ. ମୋମିର୍ ନିକିଚ୍ । ସେ ଏକ ଦ୍ୱିଭାଷୀ ସଂସ୍କୃତ-ସର୍ବିଆନ ଶବ୍ଦକୋଷ ପ୍ରସ୍ତୁତ କରିଛନ୍ତି । ଏହି ଶବ୍ଦକୋଷରେ ସାମିଲ୍ କରାଯାଇଥିବା ସଂସ୍କୃତର ୭୦ ହଜାରରୁ ଅଧିକ ଶବ୍ଦର ସର୍ବିଆନ ଭାଷାରେ ଅନୁବାଦ କରାଯାଇଛି । ଆପଣଙ୍କୁ ଏହାଜାଣି ଆହୁରି ମଧ୍ୟ ଭଲ ଲାଗିବ ଯେ ଡ. ନିକିଚ ୭୦ ବର୍ଷ ବୟସରେ ସଂସ୍କୃତ ଭାଷା ଶିଖିଛନ୍ତି । ସେ କହନ୍ତି ଯେ ତାଙ୍କୁ ମହାତ୍ମାଗାନ୍ଧୀଙ୍କ ରଚନା ପଢ଼ି ଏଥିପାଇଁ ପ୍ରେରଣା ମିଳିଲା । ସେହିପରି ଏକ ଉଦାହରଣ ହେଉଛି ମଙ୍ଗୋଲିଆର ୯୩ ବର୍ଷର ପ୍ରଫେସର ଜେ. ଗେନ୍ଦେଧରମ୍ । ବିଗତ ୪ ଦଶନ୍ଧିରେ ସେ ଭାରତର ପ୍ରାୟ ୪୦ ପ୍ରାଚୀନ ଗ୍ରନ୍ଥ, ମହାକାବ୍ୟ ଓ ରଚନାଗୁଡ଼ିକର ମଙ୍ଗୋଲୀୟ ଭାଷାରେ ଅନୁବାଦ କରିଛନ୍ତି । ଆମ ଦେଶରେ ମଧ୍ୟ ଏହିପରି ଉତ୍ସାହର ସହିତ ବହୁତ ଲୋକ କାମ କରୁଛନ୍ତି । ମୋତେ ଗୋଆର ସାଗର ମୁଲେ ଜୀଙ୍କ ଉଦ୍ୟମ ବିଷୟରେ ଜାଣିବାର ସୁଯୋଗ ମିଳିଛି, ଯିଏ ଶହଶହ ବର୍ଷ ପୁରୁଣା ଲୁପ୍ତପ୍ରାୟ ‘କାଭି’ ଚିତ୍ରକଳାକୁ ବଂଚାଇବା ଚେଷ୍ଟାରେ ଲାଗିଛନ୍ତି । ‘କାଭି’ ଚିତ୍ରକଳା ଭାରତର ପ୍ରାଚୀନ ଇତିହାସକୁ ନିଜ ଭିତରେ ଧରିରଖିଥାଏ । ପ୍ରକୃତରେ, ‘କାଭ’ ଅର୍ଥ ଲାଲ ମାଟି । ପ୍ରାଚୀନ କାଳରେ ଏହି କଳାରେ ଲାଲ୍ ମାଟିର ପ୍ରୟୋଗ କରାଯାଉଥିଲା । ଗୋଆରେ ପର୍ତ୍ତୁଗୀଜମାନଙ୍କ ଶାସନ କାଳରେ ସେଠାରୁ ପଳାୟନ କରିଥିବା ଲୋକେ ଅନ୍ୟ ରାଜ୍ୟର ଲୋକଙ୍କୁ ମଧ୍ୟ ଏହି ଅଦ୍ଭୁତ ଚିତ୍ରକଳା ସହ ପରିଚୟ କରାଇଥିଲେ । ସମୟାନ୍ତରରେ ଏହି ଚିତ୍ରକଳା ବିଲୁପ୍ତ ହେବାକୁ ବସିଛି । କିନ୍ତୁ ସାଗର ମୁଲେ ଜୀ ଏହି କଳାରେ ନୂତନ ଜୀବନ ପ୍ରଦାନ କରିଛନ୍ତି । ତାଙ୍କର ଏହି ଉଦ୍ୟମକୁ ବହୁ ପ୍ରଶଂସା ମଧ୍ୟ ମିଳୁଛି । ବନ୍ଧୁଗଣ, ଗୋଟିଏ ଛୋଟ ପ୍ରଚେଷ୍ଟା, ଗୋଟିଏ ଛୋଟ ପଦକ୍ଷେପ ମଧ୍ୟ ଆମର ସମୃଦ୍ଧ କଳାର ସଂରକ୍ଷଣରେ ବହୁତ ବଡ଼ ଯୋଗଦାନ ଦେଇପାରିବ । ଯଦି ଆମ ଦେଶର ଲୋକେ ପଣ କରିବେ, ତା’ହେଲେ ସମଗ୍ର ଦେଶରେ ଆମର ପ୍ରାଚୀନ କଳାକୁ ସଜାଇବା, ସୁନ୍ଦର କରିବା ଓ ବଂଚାଇବାର ଉତ୍ସାହ ଏକ ଜନଆନ୍ଦୋଳନର ରୂପ ନେଇପାରିବ । ମୁଁ ଏଇଠି ଅଳ୍ପ କେତେକ ଉଦ୍ୟମ ସମ୍ପର୍କରେ କହିଲି । ସମଗ୍ର ଦେଶରେ ଏହିପରି ଅନେକ ପ୍ରୟାସ ହେଉଛି । ଆପଣ ଏ ସମ୍ପର୍କରେ ନମୋ ଆପ୍ ଜରିଆରେ ମୋତେ ନିଶ୍ଚୟ ଜଣାନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଅରୁଣାଚଳ ପ୍ରଦେଶର ଲୋକେ ବର୍ଷସାରା ଏକ ନିଆରା ଅଭିଯାନ ଚଳାଇଛନ୍ତି ଆଉ ତା’ ନାଁ ରଖିଛନ୍ତି “ଅରୁଣାଚଳ ପ୍ରଦେଶ ଏୟାର୍ଗନ୍ ସରେଣ୍ଡର୍ ଅଭିଯାନ” । ଏହି ଅଭିଯାନରେ, ଲୋକେ ସ୍ୱେଚ୍ଛାରେ ନିଜ ନିଜର ଏୟାର୍ଗନ୍ ସମର୍ପଣ କରୁଛନ୍ତି- ଜାଣନ୍ତି କାହିଁକି ? ଅରୁଣାଚଳ ପ୍ରଦେଶରେ ପକ୍ଷୀଙ୍କର ମନଇଚ୍ଛା ଶିକାର ଯେପରି ବନ୍ଦ ହୋଇପାରିବ । ବନ୍ଧୁଗଣ, ଅରୁଣାଚଳ ପ୍ରଦେଶ ୫୦୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କ ବାସସ୍ଥାନ ଅଟେ । ଏମାନଙ୍କ ମଧ୍ୟରେ ଏପରି କେତେକ ବିରଳ ଦେଶୀ ପ୍ରଜାତି ମଧ୍ୟ ରହିଛନ୍ତି, ଯାହା ପୃଥିବୀର ଅନ୍ୟ କେଉଁଠି ଦେଖିବାକୁ ମିଳନ୍ତିନାହିଁ । କିନ୍ତୁ ଧୀରେ ଧୀରେ ଏବେ ଜଙ୍ଗଲରେ ପକ୍ଷୀଙ୍କ ସଂଖ୍ୟା କମ୍ ହେବାରେ ଲାଗିଛି । ଏହାକୁ ସୁଧାରିବା ପାଇଁ ହିଁ ଏବେ ଏହି ଏୟାର୍ଗନ ସରେଣ୍ଡର୍ ଅଭିଯାନ ଚାଲିଛି । ଗତ କେତେମାସ ଭିତରେ ପାହାଡ଼ରୁ ସମତଳ ଅଂଚଳ ପର୍ଯ୍ୟନ୍ତ, ଗୋଟିଏ ସମ୍ପ୍ରଦାୟରୁ ଆଉ ଗୋଟିଏ ସମ୍ପ୍ରଦାୟ ଯାଏ, ରାଜ୍ୟର ପ୍ରତ୍ୟେକ ଅଂଚଳର ଲୋକ ଏହାକୁ ଖୋଲା ହୃଦୟରେ ଗ୍ରହଣ କରିଛନ୍ତି । ଅରୁଣାଚଳର ଲୋକେ ନିଜ ଇଚ୍ଛାରେ ଏ ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଏୟାରଗନ ସମର୍ପଣ କରିସାରିଛନ୍ତି । ମୁଁ ଅରୁଣାଚଳର ଲୋକଙ୍କୁ ଏଥିପାଇଁ ପ୍ରଶଂସା କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି । 

ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ପାଖରୁ ୨୦୨୨ ସମ୍ପର୍କରେ ବହୁତଗୁଡ଼ାଏ ବାର୍ତ୍ତା ଓ ପରାମର୍ଶ ଆସିଛି । ଗୋଟିଏ କଥା ସବୁଥର ପରି ଏଥର ମଧ୍ୟ ଅଧିକାଂଶ ଲୋକଙ୍କ ବାର୍ତ୍ତାରେ ରହିଛି । ଏହା ହେଉଛି ସ୍ୱଚ୍ଛତା ଓ ସ୍ୱଚ୍ଛ ଭାରତ କଥା । ସ୍ୱଚ୍ଛତାର ଏହି ସଙ୍କଳ୍ପ ଅନୁଶାସନ ଦ୍ୱାରା, ସଚେତନତା ଦ୍ୱାରା ଓ ସମର୍ପଣ ଦ୍ୱାରା ହିଁ ସଂପୂର୍ଣ୍ଣ ହେବ । ଆମେ ଏନସିସି କ୍ୟାଡେଟଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପୁନୀତ ସାଗର ଅଭିଯାନରେ ମଧ୍ୟ ଏହାର ଝଲକ ଦେଖିପାରିବା । ଏହି ଅଭିଯାନରେ ୩୦ ହଜାରରୁ ଅଧିକ ଏନସିସି କ୍ୟାଡେଟ ସାମିଲ୍ ହୋଇଛନ୍ତି । ଏନସିସିର ଏହି କ୍ୟାଡେଟମାନେ ସମୁଦ୍ର ବେଳାଭୂଇଁର ସଫେଇ କରିଛନ୍ତି, ସେଠାରୁ ପ୍ଲାଷ୍ଟିକ୍ ଆବର୍ଜନା ହଟାଇ ତା’ର ପୁନଃଚକ୍ରଣ ପାଇଁ ଜମା କରିଛନ୍ତି । ଆମର ବେଳାଭୂମି, ଆମର ପାହାଡ଼, ଏସବୁ ସେତେବେଳେ ହିଁ ଭ୍ରମଣଯୋଗ୍ୟ ହୁଏ, ଯେତେବେଳେ ଏହା ପରିଷ୍କାର ପରିଚ୍ଛନ୍ନ ଥାଏ । ବହୁତ ଲୋକ ଜୀବନସାରା କୌଣସି ଜାଗାକୁ ଯିବାକୁ ସ୍ୱପ୍ନ ଦେଖନ୍ତି, କିନ୍ତୁ ଯେତେବେଳେ ସେମାନେ ସେଠିକୁ ଯାଆନ୍ତି, ଜାଣତ ଅଜାଣତରେ ସେଠାରେ ଆବର୍ଜନା ପକାଇ ଫେରିଆସନ୍ତି । ଏହା ପ୍ରତ୍ୟେକ ଦେଶବାସୀଙ୍କର ଦାୟିତ୍ୱ ଯେ ଯେଉଁ ସ୍ଥାନ ଆମକୁ ଏତେ ଖୁସି ଦେଉଛି, ତାକୁ ଆମେ ଅପରିଷ୍କାର କରିବା ନାହିଁ ।

ବନ୍ଧୁଗଣ, ମୋତେ ‘ସାଫ୍ୱାଟର୍’ ନାମକ ଏକ ଷ୍ଟାର୍ଟଅପ୍ ସମ୍ପର୍କରେ ସୂଚନା ମିଳିଛି, ଯାହାକୁ କେତେକ ଯୁବକ ଆରମ୍ଭ କରିଛନ୍ତି । କୃତ୍ରିମ ବୁଦ୍ଧିମତା ଏବଂ ଇଂଟରନେଟ୍ ସହାୟତାରେ ଏହି ଆପ୍ ଲୋକଙ୍କୁ ତାଙ୍କ ଅଂଚଳରେ ମିଳୁଥିବା ପାଣିର ଶୁଦ୍ଧତା ଓ ମାନ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ । ଏହା ସ୍ୱଚ୍ଛତାର ହିଁ ଏକ ପରବର୍ତୀ ପର୍ଯ୍ୟାୟ । ଲୋକଙ୍କର ସ୍ୱଚ୍ଛ ଓ ସୁସ୍ଥ ଭବିଷ୍ୟତ ପାଇଁ ଏହି ଷ୍ଟାର୍ଟଅପର ଗୁରୁତ୍ୱକୁ ଦେଖି ଏହାକୁ ଏକ ଗ୍ଲୋବାଲ୍ ଆୱାର୍ଡ ମଧ୍ୟ ମିଳିଛି । 

ବନ୍ଧୁଗଣ, ‘ଏକ୍ କଦମ୍ ସ୍ୱଚ୍ଛତା କୀ ଓର୍’ ଏହି ପ୍ରୟାସରେ ସଂସ୍ଥା ହେଉ ବା ସରକାର, ସମସ୍ତଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଆପଣ ସମସ୍ତେ ଜାଣନ୍ତି ଯେ ଆଗେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ପୁରୁଣା ଫାଇଲ୍ ଓ କାଗଜପତ୍ର କେମିତି ଗଦାହୋଇ ରହୁଥିଲା । ଯେବେଠୁ ସରକାର ପୁରୁଣା କାର୍ଯ୍ୟଶୈଳୀକୁ ବଦଳାଇବା ଆରମ୍ଭ କରିଛନ୍ତି, ଏହି ଫାଇଲ୍ ଓ କାଗଜପତ୍ର ଡିଜିଟାଇଜ୍ ହୋଇ କମ୍ପ୍ୟୁଟରର ଫୋଲ୍ଡର୍ ଭିତରେ ରହିଯାଉଛି । ଯେତେ ପୁରୁଣା ଓ ବାକିଆ ଜିନିଷ ଅଛି, ସେଗୁଡ଼ିକୁ ହଟାଇବା ପାଇଁ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ ବିଶେଷ ଅଭିଯାନ ମଧ୍ୟ ଚଳାଯାଉଛି । ଏହି ଅଭିଯାନରୁ କେତେକ ବଡ଼ ମଜାଦାର କଥା ହୋଇଛି । ଡାକ ବିଭାଗରେ ଯେତେବେଳେ ଏହି ସଫେଇ ଅଭିଯାନ କରାଗଲା, ସେଠିକାର ଜଙ୍କ୍ୟାର୍ଡ ସମ୍ପୂର୍ଣ୍ଣ ଖାଲି ହୋଇଗଲା । ଏବେ ଏହି ଜଙ୍କ୍ୟାର୍ଡକୁ କୋର୍ଟୟାର୍ଡ ଏବଂ କ୍ୟାଫେଟେରିଆ ରୂପରେ ପରିବର୍ତ୍ତନ କରାଯାଇଛି । ଆଉ ଏକ ଜଙ୍କ୍ୟାର୍ଡ ଦୁଇଚକିଆ ଯାନ ପାଇଁ ପାର୍କିଂ ସ୍ପେସ୍ ହୋଇଯାଇଛି । ଏହିପରି ଭାବେ ପରିବେଶ ମନ୍ତ୍ରଣାଳୟ ନିଜର ଖାଲି ହୋଇଥିବା ଜଙ୍କ୍ୟାର୍ଡକୁ ୱେଲନେସ୍ ସେଂଟରରେ ପରିଣତ କରିଛି । ସହରୀ କାର୍ଯ୍ୟ ମନ୍ତ୍ରଣାଳୟ ତ ଏକ ସ୍ୱଚ୍ଛ ଏଟିଏମ୍ ମଧ୍ୟ ସ୍ଥାପନ କରିଛି । ଏହାର ଉଦ୍ଦେଶ୍ୟ ହେଉଛି ଲୋକେ ଆବର୍ଜନା ଦିଅନ୍ତୁ ଓ ତା’ ବଦଳରେ ଟଙ୍କା ନେଇଯାଆନ୍ତୁ । ବେସାମରିକ ବିମାନ ପରିବହନ ମନ୍ତ୍ରଣାଳୟର ବିଭାଗ ଗଛରୁ ଝଡ଼ିପଡ଼ିଥିବା ଶୁଖିଲା ପତ୍ର ଓ ଜୈବିକ ଆବର୍ଜନାରେ ଜୈବିକ ସାର ତିଆରି କରିବା ଆରମ୍ଭ କରିଛି । ଏହି ବିଭାଗ ନଷ୍ଟ ହୋଇଯାଇଥିବା କାଗଜରେ ଷ୍ଟେସନାରୀ ଜିନିଷ ତିଆରି କରୁଛି । ଆମର ସରକାରୀ ବିଭାଗ ମଧ୍ୟ ସ୍ୱଚ୍ଛତା ଭଳି ବିଷୟରେ ଏତେ ସୃଜନଶୀଳ ହୋଇପାରିବେ -କିଛିବର୍ଷ ଆଗରୁ କେହି ଏକଥା ବିଶ୍ୱାସ କରିପାରୁ ନ ଥିଲେ, କିନ୍ତୁ ଆଜି ଏହା ବ୍ୟବସ୍ଥାର ଅଂଶ ପାଲଟିବାକୁ ଯାଉଛି । ଏହାହିଁ ତ ଦେଶର ନୂଆ ଭାବନା, ଯାହାର ନେତୃତ୍ୱ ସମସ୍ତ ଦେଶବାସୀ ମିଳିମିଶି କରୁଛନ୍ତି । 

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ରେ ଏଥର ମଧ୍ୟ ଆମେ ଅନେକ ବିଷୟରେ କଥା ହେଲେ । ସବୁଥର ପରି, ମାସକ ପରେ, ଆମେ ପୁଣି ଭେଟହେବା, କିନ୍ତୁ ୨୦୨୨ରେ । ପ୍ରତ୍ୟେକ ନୂଆ ଆରମ୍ଭ ନିଜର ସାମର୍ଥ୍ୟକୁ ଚିହ୍ନିବା ପାଇଁ ଏକ ସୁଯୋଗ ଆଣିଥାଏ । ଯେଉଁ ଲକ୍ଷ୍ୟ ନେଇ ଆମେ ପୂର୍ବରୁ କଳ୍ପନା ମଧ୍ୟ କରୁନଥିଲୁ, ଆଜି ଦେଶ ସେଥିପାଇଁ ପ୍ରୟାସ କରୁଛି । ଆମର ଏଇଠି କୁହାଯାଇଛି -

କ୍ଷଣଶଃ କଣଶଶ୍ଚୈବ, ବିଦ୍ୟାମ୍ ଅର୍ଥଂ ଚ ସାଧୟେତ୍ ।

କ୍ଷଣେ ନଷ୍ଟେ କୁତୋ ବିଦ୍ୟା, କଣେ ନଷ୍ଟେ କୁତୋ ଧନମ୍ । ।

ଅର୍ଥାତ, ଯେତେବେଳେ ଆମକୁ ବିଦ୍ୟା ଅର୍ଜନ କରିବାର ଅଛି, କିଛି ନୂଆ ଶିଖିବାର ଅଛି, କରିବାର ଅଛି, ସେତେବେଳେ ପ୍ରତ୍ୟେକ ମୁହୂର୍ତ୍ତର ସଦୁପଯୋଗ କରିବା ଆବଶ୍ୟକ ଏବଂ ଯେତେବେଳେ ଆମକୁ ଧନ ଅର୍ଜନ କରିବାର ଅଛି, ଅର୍ଥାତ ଉନ୍ନତି-ପ୍ରଗତି କରିବାର ଅଛି ସେତେବେଳେ ପ୍ରତ୍ୟେକ କଣିକାକୁ, ଅର୍ଥାତ ପ୍ରତ୍ୟେକ ସମ୍ବଳର ସମୁଚିତ ବ୍ୟବହାର କରିବା ଉଚିତ । କାରଣ, ସମୟ ନଷ୍ଟ ହେଲେ ବିଦ୍ୟା ଓ ଜ୍ଞାନ ଚାଲିଯାଏ ଏବଂ କଣିକା ନଷ୍ଟ ହେଲେ ଧନ ଓ ପ୍ରଗତିର ରାସ୍ତା ବନ୍ଦ ହୋଇଯାଏ । ଏ କଥା ସମସ୍ତ ଦେଶବାସୀଙ୍କ ପାଇଁ ପ୍ରେରଣା ଅଟେ । ଆମକୁ କେତେକଥା ଶିଖିବାର ଅଛି, ନୂଆ ନୂଆ ଉଦ୍ଭାବନ କରିବାର ଅଛି, ନୂଆ ନୂଆ ଲକ୍ଷ୍ୟକୁ ହାସଲ କରିବାର ଅଛି, ସେଥିପାଇଁ ଆମକୁ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ ନ କରି କାମରେ ଲାଗିବାକୁ ହେବ । ଆମକୁ ଦେଶର ବିକାଶକୁ ନୂଆ ଉଚ୍ଚତାକୁ ନେଇଯିବାକୁ ପଡ଼ିବ, ସେଥିପାଇଁ ଆମକୁ ଆମର ପ୍ରତ୍ୟେକ ସମ୍ବଳର ପୂର୍ଣ୍ଣ ଉପଯୋଗ କରିବାକୁ ହେବ । ଏହା ଗୋଟିଏ ପ୍ରକାରେ, ଆତ୍ମନିର୍ଭର ଭାରତର ମଧ୍ୟ ମନ୍ତ୍ର, କାହିଁକି ନା, ଆମେ ଯେତେବେଳେ ନିଜର ସମ୍ବଳର ଠିକ୍ ବିନିଯୋଗ କରିବା, ସେଗୁଡ଼ିକୁ ବ୍ୟର୍ଥ ହେବାକୁ ଦେବାନାହିଁ, ସେତେବେଳେ ହିଁ ତ ଆମେ ଲୋକାଲର ଶକ୍ତିକୁ ଚିହ୍ନିବା, ସେତେବେଳେ ହିଁ ତ ଦେଶ ଆତ୍ମନିର୍ଭର ହେବ । ସେଥିପାଇଁ, ଆସନ୍ତୁ ଆମେ ପୁନର୍ବାର ସଙ୍କଳ୍ପ ନେବା- ବଡ଼ ଚିନ୍ତା କରିବା, ବଡ଼ ସ୍ୱପ୍ନ ଦେଖିବା ଏବଂ ସେଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ ମନପ୍ରାଣ ଢାଳିଦେବା ଏବଂ ଆମର ସ୍ୱପ୍ନ କେବଳ ଆମ ଭିତରେ ହିଁ ସୀମିତ ହେବନାହିଁ । ଆମର ସ୍ୱପ୍ନ ଏପରି ହେବ ଯାହା ସହିତ ଆମର ସମାଜ ଓ ଦେଶର ବିକାଶ ଜଡ଼ିତ ହେବ, ଆମର ପ୍ରଗତିରେ ଦେଶର ପ୍ରଗତିର ରାସ୍ତା ଖୋଲିବ ଏବଂ ଗୋଟିଏ ମୁହୂର୍ତ୍ତ ନଷ୍ଟ ନ କରି, ଗୋଟିଏ କଣିକା ନଷ୍ଟ ନକରି ଏଥିପାଇଁ ଆମକୁ ଆଜି ହିଁ କାମରେ ଲାଗିବାକୁ ହେବ । ମୋର ପୂରା ବିଶ୍ୱାସ ଯେ ଏହି ସଙ୍କଳ୍ପ ସହିତ ଆଗାମୀ ବର୍ଷରେ ଦେଶ ଅଗ୍ରସର ହେବ, ଏବଂ ୨୦୨୨, ଏକ ନୂଆ ଭାରତ ନିର୍ମାଣର ସ୍ୱର୍ଣ୍ଣିମ ପୃଷ୍ଠା ସାଜିବ । ଏହି ବିଶ୍ୱାସ ସହ, ଆପଣ ସମସ୍ତଙ୍କୁ ୨୦୨୨ ପାଇଁ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with Amir of Qatar
March 03, 2026

The Prime Minister, Shri Narendra Modi spoke with H.H. Sheikh Tamim bin Hamad Al Thani, the Amir of Qatar.

During the conversation, the Prime Minister conveyed that India stands firmly in solidarity with Qatar and strongly condemns any violation of its sovereignty and territorial integrity.

The two leaders emphasized the urgent need to restore peace and stability in the region through dialogue and diplomacy.

The Prime Minister also conveyed his appreciation for the continued support and care extended by the Qatari leadership to the Indian community in Qatar during this challenging time.

The Prime Minister wrote on X;

“Spoke with my brother, H.H. Sheikh Tamim bin Hamad Al Thani, the Amir of Qatar. We stand firmly in solidarity with Qatar and strongly condemn any violation of its sovereignty and territorial integrity. We emphasized the urgent need to restore peace and stability in the region through dialogue and diplomacy. I also conveyed my appreciation for his continued support and care for the Indian community in Qatar during this challenging time.

@TamimBinHamad”